অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଟ୍ରିକ ମନ୍ତ୍ର-ପ୍ରଥମ ଭାଷା ଓଡିଆ-ଦୀର୍ଘ ଉତ୍ତର ମୂଳକ- ସେଟ-୩

ପ୍ରାୟ ୧୨୦ ଟି ଶବ୍ଦରେ ଉତ୍ତର ଲେଖ

ପ୍ରଶ୍ନ:- ଗ୍ରାରେ ଦେଖାଯାଉଥିବା ଏକ ପରିବାରତ୍ଵ ପରମ୍ପରା ସମ୍ପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ବର୍ଣ୍ଣନା କର

କିମ୍ବା:-

ପଠିତ ପ୍ରବନ୍ଧ ଅବଲମ୍ବନରେ ପଲ୍ଲୀରେ ଦେଖାଯାଉଥିବା ବିଭିନ୍ନ ପରମ୍ପରା ସମ୍ପର୍କରେ ଆଲୋଚନା କର

ବିଶିଷ୍ଟ ଐତିହାସିକ,ଗବେଷକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରବନ୍ଧ ରଚନାରେ ନିଜର ମୌଳିକତା ପାଇଁ ଓଡିଆ ସାହିତ୍ୟ ଜଗତରେ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ହୋଇଛନ୍ତି    ।  ପ୍ରାବନ୍ଧିକଙ୍କର ଚର୍ଚ୍ଚିତ ପୁସ୍ତକ" ପ୍ରବନ୍ଧ ମାନସ" ରୁ ସଂଗୃହିତ ଆଲୋଚ୍ୟ ପ୍ରବନ୍ଧ" ଜନ୍ମଭୂମି ରେ ସେ ପଲ୍ଲୀ  ଜନ୍ମମାଟିର ଅନ୍ୟନ୍ୟ ମହତ୍ଵ ଦର୍ଶାଇବା ସହିତ ତହିଁରେ ଦେଖାଯାଉଥିବା ଏକ ପରିବାରତ୍ଵ ପରମ୍ପରା ଉପରେ ଆଲୋକପାତ କରିଛନ୍ତି   ।

ସଂପ୍ରତି ସମାଜରେ ପ୍ରଚଳିତ ଧାରା :ତଥାକଥିତ ଶିକ୍ଷିତ ଗୋଷ୍ଠୀଙ୍କର ପଲ୍ଲୀ ବିମୁଖତା ଲେଖକଙ୍କୁ ବହୂ ପରିମାଣରେ ବ୍ୟଥିତ କରିଛି  ।  ଏମାନେ ନାନା କାର୍ଯ୍ୟର ଦ୍ଵାହି ଦେଇ ସହରାଭିମୁଖ୍ୟ ହୁଅନ୍ତି ଓ ଜନ୍ମଭୂମି ସହିତ ସମସ୍ତ ସମ୍ପର୍କ ତୁଟାଇ ଦେବାକୁ ପଶ୍ଚାତପଦ ହୁଅନ୍ତି ନାହିଁ   । ଶିକ୍ଷିତ ସମାଜର ଏହି ଭୁଲକୁ ପ୍ରାବନ୍ଧିକ ସୁଚେଇ ଦେଇ ଗ୍ରାମରେ ପରସ୍ପର ମଧ୍ୟରେ ଗଢି ଉଠିଥିବା ପାରିବାରିକ ସମ୍ପର୍କ ଓ ଆତ୍ମୀୟତାକୁ ସ୍ମରଣ କରାଇ ଦେଇଛନ୍ତି ଯାହା ସହରୀ ସଭ୍ୟତାରେ ବିରଳ    ।  ଜାତି- ଧର୍ମ ନିର୍ବି ଶେଷରେ ପଲ୍ଲୀଗ୍ରାମର ସମସ୍ତ ଗ୍ରାମବାସୀ କେହି , ଭଉଣୀ ,  କେହି କକା, କେହି ଖୁଡୀ ଇତ୍ୟାଦି ଭାବରେ ପରସ୍ପର ମଧ୍ୟରେ ପରିଚିତ ହୋଇଥାନ୍ତି ।  ସମସ୍ତେ ସମସ୍ତଙ୍କର ଭଲ- ମନ୍ଦ, ସୁଖଦୁଃଖରେ ଭାଗୀଦାରୀ ଦୁଆନ୍ତି   । ମାତ୍ର ଦୀର୍ଘ ଦିନ ଗ୍ରାମରେ ଅନୁପସ୍ଥିତ ରହିବା ଫଳରେ ଏ ମଧୁର ସମ୍ପର୍କରେ ଭଟ୍ଟା ପଡିଯାଏ   । ଯେତେ ଚେଷ୍ଟା କାଲେ ମଧ୍ୟ ଏ ସମ୍ପର୍କ ଆଉ ଫେରେନା   ।  ଏହି ପ୍ରସଙ୍ଗ ଲେଖକ ସ୍ଵୀୟ ଅଭିଜ୍ଞତାକୁ ନିଜ ଗ୍ରାମର ସାର ମାଉସୀ ଓ ଗୋବିନ୍ଦା ଭାଇର ଉଦାହରଣ ଦେଇ କହିଛନ୍ତି ଯେ ସତଚେଷ୍ଟା କରି ମଧ୍ୟ ସାର ମାଉସୀର ଆତ୍ମୀୟତା ଓ ଗୋବିନ୍ଦା ଭାଇର ପୂର୍ବ ପ୍ରତ୍ୟୟ ଆଉ ସେ ଫେରି ପାଇନାହାନ୍ତି  ।  ପୁନଶ୍ଚ ଗ୍ରାମରେ ପାଳିତ ବିଭିନ୍ନ ପର୍ବପର୍ବାଣିରେ ସମସ୍ତ ବିଭେଦ ସର୍ତ୍ତେ ଗ୍ରାମବସିମାନଙ୍କ ଭୀତରେ ଅନ୍ୟ ଏକ ପ୍ରକାର ଏକପରିବାରତ୍ଵର ଭାବ ଆପେ ଆପେ ଯାତ ହୋଇଥାଏ   ।  ବ୍ୟକ୍ତିଗତ ସ୍ଵାର୍ଥକୁ ଭୀଲୁଜାଇ ସେମାନେ ରାଜ , ଦୋଳି ,  ଦଶହରା, କୁମାର ପୂର୍ଣ୍ଣମୀ,ଭଳି ପୂର୍ବ ଏକତ୍ର ପାଳନ କରନ୍ତି   । ରଜ ପୂର୍ବର ଏକ ମନୋଜ୍ଞ ବର୍ଣ୍ଣନା କରିବାକୁ ଯାଇ " ପ୍ରାବନ୍ଧିକ ଲେଖିଛନ୍ତି " ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯଠୁର  ପରିମଲରେ ରଜପର୍ବର ଆରମ୍ଭ ହୁଏ   ,  ଉଦବେଳ ମନରେ ଗ୍ରାମବାସୀମାନେ ଦୋଳି ଖେଳରେ ରତ ହୋଇପଡନ୍ତି   ।  ପରେ ପରେ ଶ୍ରମଜୀବିମାନଙ୍କ ସମବେତ ଯତ୍ନରେ ଧରଣୀ ହୋଇଉଠେ ଶସ୍ୟ ଶ୍ୟାମଳା  ।  ସବୁଠି ଶୃଙ୍ଖଳିତ ଓ ଯୋଜନାବଦ୍ଧ କର୍ମ ପରିଲିଖିତ ହୁଏ ।  ଅପୂର୍ବ ଭାଇଚାରାର ବାର୍ତ୍ତା ପ୍ରଦାନ କରେ ପଲ୍ଲୀଭୂମି ।

ବାସ୍ତବରେ ପ୍ରାବନ୍ଧିକ ଭାରତୀୟ ଗ୍ରାମ୍ୟ ଜୀବନରେ ଏକ ନିଖୁଣ ଚିତ୍ର ପ୍ରଦାନ କରିଛନ୍ତି  ।

ପ୍ରାୟ ୫୦ ତି ଶବ୍ଦ ମଧ୍ୟରେ ସପ୍ରସଙ୍ଗ ସରଳାର୍ଥ ଲେଖ ।

ପ୍ରଶ୍ନ:- " ସମୟ -ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି  ।

ସମୟ -ସ୍ରୋତରେ.................................. ଭାସିଚାଲିଛି  ।

ଶଂସିତ ଗଦ୍ୟାନ୍ସଟି ପ୍ରାବନ୍ଧିକ ଡଃ:କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୁସ୍ତକ " ପ୍ରବନ୍ଧ ମାନସ" ରୁ ସଂଗୃହିତ " ଜନ୍ମଭୂମି "ଶୀର୍ଷକ ପ୍ରବନ୍ଧର ଅଂଶବିଶେଷ ଅଟେ   ।  ଆଲୋଚ୍ୟ ପ୍ରସଙ୍ଗରେ ଲେଖକ କମର ତାଡନାରେ ନିଜର ଜନ୍ମମାଟି ଠାରୁ ବିଚ୍ଛିନ୍ନ ହୋଇ କିପରି ମାନସିକ ଗ୍ଳାନିର ଶିକାର ହୋଇଛନ୍ତି ତାର ହୃଦୟସ୍ପର୍ଶୀ ଚିତ୍ର ଉପସ୍ଥାପନ କରିଛନ୍ତି ।

ଯେଉଁ ଜନ୍ମମାଟି ମାତା,  ଧାତ୍ରୀ,  ଓ ଶିକ୍ଷୟତ୍ରୀର ଭୂମିକା ଗ୍ରହଣ କରି ପ୍ରାବନ୍ଧିକଙ୍କୁ ଲାଳନପାଳନ କଳା , ପରିସ୍ଥିରର ଚାପରେ , କର୍ତ୍ତବ୍ୟର ଅନୁରୋଧରେ ସେହି ଜନ୍ମଭୂମି ଠାରୁ ଦୂରେଇ ଯିବାକୁ ସେ ବାଧ୍ୟ ହୋଇଛନ୍ତି  ।  ସତ ଚେଷ୍ଟା କରି ମଧ୍ୟ ସେଠାକୁ ଫେରିଯିବାକୁ ନୈତିକ ସାହସ ଲେଖକ ଯୁଟାଇ ପାରିନାହାନ୍ତି   ।  ପ୍ରଖର ଜଳସ୍ରୋତରେ ଶୁଖିଲା ଘାସଟିଏ ଯେପରି ନିଜର ଅସ୍ତିତ୍ଵ ହରାଇ ବସେ ସେହିପରି ସମୟ ସ୍ରୋତରେ ନିଜକୁ ହଜାଇ ଦେଇଛନ୍ତି ସେ  । ରାଶିରାଶି ଶାଳତରୁ ମଧ୍ୟରେ ତଟିନୀବେଷ୍ଟିତ ନିଜ ଜନ୍ମଭୂମିର ଚାରୁଚିତ୍ରକୁ ସ୍ମରଣ କରିବା ଛଡା ଅନ୍ୟ ଉପାୟ ତାଙ୍କ ପାଖରେ ନ ଥିଲା  । ଉକ୍ତ ଅଂଶରେ ଲେଖକଙ୍କ ନୈରାଶ୍ୟ ଓ ଅସହାୟବୋଧ ସ୍ପଷ୍ଟ ପ୍ରତିଫଳିତ ହୋଇଛି  ।

ପ୍ରାୟ ୧୨୦  ଟି ଶବ୍ଦରେ ଉତ୍ତର ଲେଖ

ପ୍ରଶ୍ନ :- ଏକ ସାର୍ଥକ ଉଦବୋଧନ ଗୀତିକା ଭାବରେ "  ଜାଗ ବନ୍ଧନହରା " କବିତାର ମର୍ମ ଆଲୋଚନା କର

କିମ୍ବା :- ନବଯୁଗର ତରୁଣମାନଙ୍କୁ କବି ଦେଇଥିବା ଆହ୍ଵାନକୁ ପଠିତ କବିତା ଆଧାରରେ ବିଶ୍ଳେଷଣ କର   ।

ଓଡିଶାର ମହାନ ବିପ୍ଲବ କବି ଅନନ୍ତ ଚରଣ ପଟ୍ଟନାୟକ ନିଜର ସାମ୍ୟବାଦୀ ଚିନ୍ତାଧାରା ପାଇଁ ପାଠକ ମହଲରେ ସୁପରିଚିତ  ।  ତାଙ୍କ ରଚିତ " ଜାଗ ବନ୍ଧନହରା" ଏକ ଉଦବୋଧନ ମୂଳକ ଗୀତିତା ଯେଉଁଥିରେ ଏକ ଶ୍ରେଣୀହୀନ ଓ ଶୋଷଣମୁକ୍ତ ସମାଜ ଗଠନ ପାଇଁ ନବଯୁଗର ତରୁଣମାନଙ୍କୁ ଆହ୍ଵାନ ଦେଇଛନ୍ତି   ।  ନବଯୁଗ ସାହିତ୍ୟ ସଂସଦର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ କରାଯାଇଥିବା ଏହି କବିତାରେ ମାନବବାଦର ଜୟଗାନ କରାଯାଇଛି  ।

ଆଜିର କଳୁଷିତ ସମାଜରେ ପରିବର୍ତ୍ତନ ଆଣିବା ପାଇଁ କବି ନବୀନ ଯୁଗର ତରୁଣମାନଙ୍କୁ ହିଁ ଉପଯୁକ୍ତ ମାନେ କରିଛନ୍ତି   ।  ସେମାନଙ୍କୁ " ବନ୍ଧନହରା " ଭାବେ ସଂବୋଧନ କରି ନିଜ ସମ୍ମୁଖରେ ଥିବା ସମସ୍ତ ବାଧାବନ୍ଧନକୁ ଛିନ୍ନ କରିବାକୁ ପରାମର୍ଶ ଦେଇଛନ୍ତି  ।  ସମାଜର ତଥାକଥିତ ମୁଖିଆମାନଙ୍କ ଦ୍ଵାରା ନିଷ୍ପେସିତ , ଅତ୍ୟାଚାରିତ ହୋଇ ମୃତବତ ପଡିରହିଥିବା ଲକ୍ଷ ଲକ୍ଷ ଜୀବନରେ ଆଲୋକଧାରା ଖେଳାଇବାକୁ କବି ଦେଇଛନ୍ତି ଦୂର୍ବାର ଆହ୍ଵାନ   ।  ସମାଜରେ ରହିଥିବା ଶୋଷଣର ସମୂଳ ବିଲୋପ ସାଧନ ନିମିତ୍ତ ଯୁବଶକ୍ତି ଆଗେଇ ଆସୁ ବୋଲି ସେ କହିଛନ୍ତି  ।  ଅନ୍ଧକାର କାରାଗୃହରେ ଅପମାନିତ ଓ ଲାଞ୍ଛିତ ଅବସ୍ଥାରେ କାଲାତିପାତ କରୁଥିବା ନିରୀହ ଜନସାଧାରଣଙ୍କ ଦୁଃଖ ଲାଘବକୁ ଯୁଗର ଆହ୍ଵାନ ରୂପେ ଗ୍ରହଣ କରିବାକାଉ କବି ଯୁବକମାନଙ୍କୁ ଅନୁରୋଧ କରିଛନ୍ତି  ।  ଅବାହମାନ କାଳରୁ ଚଳି ଆସୁଥିବା ଜାତିପ୍ରଥା ସମାଜରୁ ଦୂର ହେବ  । ତରୁଣମାନଙ୍କୁ ଏଥି ନିମିତ୍ତ ଜାଗ୍ରତ ହେବାକୁ ପଡିବ   । ସକଳ ପ୍ରତିବନ୍ଧକକୁ ଅତିକ୍ରମ କରି ମୃତ୍ୟୁର ଦ୍ଵାରଦେଶରେ ମଧ୍ୟ ଜୀବନ ସଙ୍ଗୀତ ଗାନ କରିବାକୁ ହେବ  । ମାନବ ଶିରରେ ଥିବା ସମସ୍ତ ଅପମାନ ପୋଛି ଦେବାକୁ କବି ସେମାନଙ୍କୁ ବୈପ୍ଳବିକ ଉଦବୋଧନ ଦେଇ ଲେଖିଛନ୍ତି :-

" ମରଣ ଦୁଆରେ ଚରଣ ଅରପି

ଗାଆରେ ଅମର ଗାନ

ପୋଛିଦିଅ ଆଜି ମାନବ ଶିରସୁଁ

ସଂଚିତ ଅପମାନ

କବିଙ୍କ ଦ୍ରୁଷ୍ଟିରେ ନବୀନ ଯୁଗର ତରୁଣମାନେ ସନ୍ଧାନୀ ମାତ୍ର ସେମାନେ ଯାତ୍ରାପଥ କଣ୍ଟକିତ   । ପାର୍ଥିକ ଜଗତର ମୋହ ମାୟା ଲକ୍ଷ୍ୟପଥରେ କୁହେଳି ସୃଷ୍ଟି କରି ବାଧା ଉତ୍ପନ୍ନ କରିବାର ସମ୍ଭାବନା ଅଛି  । ନୈରାଶ୍ୟ ଓ ହତାଶାର ମରୁପଥରେ ଆସା  ନିର୍ଝର ସୃଷ୍ଟି କରିବାକୁ କବି ତରୁଣମାନଙ୍କୁ ଆହ୍ଵାନ ଦେଇଛନ୍ତି  ।  ସେମାନଙ୍କ ଦୂର୍ବାର ଶକ୍ତି ରୂପୀ ରଥଚକ୍ର ତଳେ ସମାଜରୁ ଦୁଃଖ , ପୀଡ ନିଶ୍ଚୟ ଧ୍ଵଂସ ପାଇବ ଓ ଦିନେ ନା ଦିନେ ତରୁଣମାନେ ସମସ୍ତ ବନ୍ଧନର ଅର୍ଗଳିକୁ ଧ୍ଵଂସ କରି ବିଜୟର ମାଳା ପିନ୍ଧିବେ ବୋଲି ସେ ସଂପୂର୍ଣ୍ଣ ଆଶାବାଦୀ  । କବିଙ୍କ ଭାଷାରେ

"ଚୂର୍ଣ୍ଣ କରୁରେ ସ୍ୟନ୍ଦନ ତବ

ପୀଡନର ପରବତ

ଭାଜିପଡୁ ଆଜି ଅର୍ଗଳ ରାଜି

ଘେନ ବିଜୟର ମାଳା

ବାସ୍ତବରେ କବିଙ୍କର ଅଗ୍ନିବର୍ଷା ଉଦବୋଧନ ଯୁବକମାନଙ୍କ ଶରୀରରେ ନିଶ୍ଚୟ ପ୍ରାଣ ସଂଚାର କରିବ ଏଥିରେ ସନ୍ଦେହ ନାହିଁ  ।

(ଖ) ପ୍ରାୟ ୫୦ ଟି ଶବ୍ଦରେ ସୁପ୍ରସଙ୍ଗ ସରଳାର୍ଥ ଲେଖ  ।

ପ୍ରଶ୍ନ:- " ଭିନ୍ନ କରି ସେ ତନ୍ଦ୍ରା ପରଶ

ହସାଅ ଭୁବନ ସାରା"।

ଭିନ୍ନ କରି ସେ .................................. ଭୁବନ ସାରା

ଶଂସିତ ପଦ୍ୟାସଂଟି ବିଶିଷ୍ଟ ସାମ୍ୟବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ " ଜାଗ ବନ୍ଧନ ହରା" ଶୀର୍ଷକ ପଦ୍ୟରୁ ଉଦ୍ଧିଷ୍ଟ   ।  ଆଲୋଚ୍ୟ ଅଂଶରେ କବି ମୋହନିଦ୍ରାରୁ ଜାଗ୍ରତ ହୋଇ ନିଜ ସମ୍ମୁଖରେ ଥିବା ସମସ୍ତ ବାଧା ବନ୍ଧନକୁ ଛିନ୍ନ କରି ଜଗତର କଲ୍ୟାଣ ସାଧନ ନିମିତ୍ତ ନବୀନ ଯୁଗର ତରୁଣମାନଙ୍କୁ ଦେଇଛନ୍ତି ବୈପ୍ଲବିକ ଆହ୍ଵାନ  ।

ଆବହମାନ କାଳରୁ ସମାଜର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଅବହେଳିତ , ନିଷ୍ପେସିତ ଓ ଶୋଷିତ ହୋଇଆସିଛି   ।  କବିଙ୍କ ଦ୍ରୁଷ୍ଟିରେ ଆଜିର ଯୁବକମାନେ ହିଁ କେବଳ ମାନବ ଶିରରେ ସଂଚିତ ସମସ୍ତ ଅପମାନକୁ ପୋଛିଦେଇ ନୀତିନିୟମର ତିମିରକାରାକୁ ଧ୍ଵଂସ କରିବାକୁ ସକ୍ଷମ   । ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକାଉ କବି ସେମାନଙ୍କୁ ପ୍ରେରଣା ଦେଇଛନ୍ତି   ।  ମାତ୍ର ପର ମୂହୁର୍ତ୍ତରେ ସେ ଆଶଙ୍କା ପ୍ରକାଶ କରିଛନ୍ତି ସେ ସାଂସାରିକ ମୋହମାୟା ତରୁଣମାନଙ୍କ ସମ୍ମୁଖରେ କଣ୍ଟକ ସାଜି ବାଧା ଉତ୍ପନ୍ନ କରିପାରେ  ।  ତେଣୁ ସେ ମୋହନିଦ୍ରାର ସ୍ପର୍ଶକୁ ଛିନ୍ନ କରି ସମାଜର ଦଳିତ, ସର୍ବହରା , ଜନସାଧାରଣଙ୍କ ମୁଖରେ ହସ ଖେଳାଇବକଉ କବି ସେମାନଙ୍କୁ ଉଦବୋଧନ ବାଣୀ ଶୁଣାଇଛନ୍ତି   ।

କବିଙ୍କର ଆହ୍ଵାନ ଯୁଗୋପଯୋଗୀ ହୋଇଛି   ।

ପ୍ରାୟ ୨୫୦ ଟି ଶବ୍ଦରେ ପ୍ରବନ୍ଧ ଲେଖ

ଛାତ୍ର ଜୀବନର ଶୃଙ୍ଖଳାବୋଧ

(ଉପକ୍ରମ-ଶୃଙ୍ଖଳିତ ଛାତ୍ର ଜୀବନ-ବିଶୃଙ୍ଖଳାର କାରଣ- ପରିଣାମ- ଉପସଂହାର)

ଛାତ୍ର ଜୀବନ ମନୁଷ୍ୟର ଜୀବନକାଳ ମଧ୍ୟରେ ଅମୂଲ୍ୟ ସମୟ ଭାବେ ପରିଗଣିତ  ।  ଛାତ୍ର ଜୀବନ ଏକ ତପସ୍ୟା ଭଳି ଯହିଁରେ ଥାଏ ଲକ୍ଷ୍ୟ ସାଧନର ଅଙ୍ଗୀକାରବଦ୍ଧତା  । ମାତ୍ର ଶୃଙ୍ଖଳାରୁ ବାଦ ଦେଇ ଏହାର କଳ୍ପନା କରାଯାଇନପରେ   ।  ଜୀବନର ପ୍ରଥମ ସୋପାନରେ ଶୃଙ୍ଖଳା ପରବର୍ତ୍ତୀ ସମୟରେ ସେମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବାରେ ସହାୟକ ହୋଇଥାଏ   ।  ଯେଉଁ ଛାତ୍ର ଶୃଙ୍ଖଳିତ ତାର ଭବିଷ୍ୟତ ଉଜ୍ଵଳ ଓ ସଫଳତା ପାଦସ୍ପର୍ଶ କରେ   ।

ମନୁଷ୍ୟ ସର୍ବପ୍ରଥମେ ନିଜ ପରିବାରରୁ ହିଁ ଶୃଙ୍ଖଳା ଶିକ୍ଷାଲାଭ କରିଥାଏ ଯାହା ଛାତ୍ର ଜୀବନରେ ପ୍ରତିଫଳିତ ହୁଏ  ।  ପାଠପଢାରେ ସାମାନ୍ୟ ତ୍ରୁଟିବିଚ୍ୟୁତି ଲକ୍ଷ୍ୟପଥରୁ ଦୂରେଇ ଦିଏ  ।  ସମଗ୍ର ଜୀବନ ବିପର୍ଯ୍ୟସ୍ତ ହୋଇପଡେ   । କେବଳ ପଢାକ୍ଷେତ୍ରରେ ନୁହେଁ ଦିନଚର୍ଯ୍ୟରେ ମଧ୍ୟ ଶୃଙ୍ଖଳାତାର ଆବଶ୍ୟକତା ଅନୁଭୂତ ହୁଏ   ।  ପ୍ରଭାତରୁ ଶଯ୍ୟାତ୍ୟାଗ , ନିୟମିତ ବ୍ୟାୟାମ , ପୃଷ୍ଟିକର ଭୋଜନ ଓ ନିତ୍ୟକର୍ମ ସମାପନ ଆଦି ସମସ୍ତ କାର୍ଯ୍ୟ ଏକ ନିୟମରେ ବନ୍ଧା ହେବା ଉଚିତ  ।  ସମୟାନୁବର୍ତ୍ତିତା ହେଉଛି ଶୃଙ୍ଖଳାର ଅନ୍ୟନାମ  ।  ଘରେ ସମସ୍ତ ପଢା ଠିକ ସମୟରେ ସାରିବା , ଠିକ ସମୟରେ ବିଦ୍ୟାଳୟରେ ପହଞ୍ଚିବା ଓ ରୁଟିନ ଅନୁଯାୟୀ ପ୍ରାର୍ଥନା ଆଦି ବିଦ୍ୟାଳୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଶୃଙ୍ଖଳା ପର୍ଯ୍ୟାୟଭୁକ୍ତ   ।  ଶ୍ରେଣୀ କକ୍ଷରେ ନୀରବତା ଅବଲମ୍ବନ କରି ଶିକ୍ଷକ ପଢାଉଥିବା ପାଠ ପ୍ରତି ଧ୍ୟାନ ଦେବା   । ଶ୍ରେଣୀ କକ୍ଷକୁ ପରିଷ୍କାର ରଖିବାରେ ମଧ୍ୟ ଶୃଙ୍ଖଳାବୋଧର ପରିଚୟ ମିଳେ   ।

ସେହିଭଳି କ୍ରିଡା ହେଉଛି ଛାତ୍ର ଜୀବନର ଅନ୍ୟ ଏକ ଅଙ୍ଗ  । ପ୍ରତ୍ୟେକ ଖେଳର ନିୟମ ମାନି ଦଳୀୟ ସ୍ଵାର୍ଥକୁ ଆଖିରେ ରାଖୀ ଖେଳିବା ଶୃଙ୍ଖଳିତ ଛାତ୍ରର କର୍ତ୍ତବ୍ୟ  ।  ଖେଳ ପରିଚାଳନାକୁ ସମ୍ମାନ ଦେବା ସହ ସାଥି ଖେଳାଳିମାନଙ୍କ ସହ ସମନ୍ଵୟ ରକ୍ଷା କରି ଖେଳିବା ସେମାନଙ୍କରେ ଧେୟ ହେବା ଉଚିତ  ।  ବିଭିନ୍ନ ସମୟରେ ବିଦ୍ୟାଳୟରେ ଆୟୋଜିତ ସଭାରେ ନିର୍ଦ୍ଧିଷ୍ଟ ସ୍ଥାନରେ ବସିବା ,ଗଣ୍ଡଗୋଳ ନ କରି ବକ୍ତାଙ୍କ ଭାଷଣ ଶୁଣିବା ଓ ଆବଶ୍ୟକ ସ୍ଥଳେ ସୁନିୟୋଜିତ ଢଙ୍ଗରେ ନିଜର ବ୍ୟକ୍ତବ୍ୟ ଉପସ୍ଥାପନ କରିବା ଶୃଙ୍ଖଳାବୋଧର ପରିଚାୟକ ଅଟେ   ।

ଆଳସ୍ୟ ଓ ସମୟର ଦୁରୁପଯୋଗ ହିଁ ଶୃଙ୍ଖଳା ଭଙ୍ଗର କାରଣ   । ସାମାଜିକ ମୂଲ୍ୟବୋଧର ଅବକ୍ଷୟ ଆଜି ଛାତ୍ରମାନଙ୍କୁ କୁପଥଗାମୀ କରୁଛି   । ପିତାମାତାଙ୍କର ନିଜର ସନ୍ତାନମାନଙ୍କ ପ୍ରତି ଶାସନ ଏବଂ ସମୟର ଅଭାବ ସାଙ୍ଗକୁ ମୋବାଇଲ ଫୋନର ପ୍ରଚାଳନ ଅନେକାଂଶରେ ଛାତ୍ରମାନଙ୍କୁ କରିଛି ଉଦଭ୍ରାନ୍ତ ଓ ଶୃଙ୍ଖଳାହିଁ   ।  ଏହା ଆଗାମୀ ପିଢୀ ପାଇଁ ନିଶ୍ଚୟ ସତର୍କ ଘଣ୍ଟି ସଦୃଶ    । ବିଡମ୍ବନାର ବିଷୟ ଏହିକି ଯେ କେତେକ ଭ୍ରଷ୍ଟ ରାଜନେତା ନିଜର ସଂକୀର୍ଣ୍ଣ ସ୍ଵାର୍ଥ ସାଧନ ନିମନ୍ତେ କଲେଜ ସ୍ତରରେ ଛାତ୍ରମାନଙ୍କୁ ସକ୍ରିୟ ରାଜନୀତି ମଧ୍ୟକୁ ଟାଣିନେବା ଫଳରେ ଛାତ୍ର ଜୀବନ ବି ଶୃଙ୍ଖଳିତ ଓ କଳୁଷିତ ହେବରେ ଲାଗିଛି   ।   ବର୍ତ୍ତମାନଠାରୁ ଆମେ ଯଦି ଯତ୍ନବାନ ନ ହେବା ତେବେ ଭବିଷ୍ୟତରେ ଶୃଙ୍ଖଳାହୀନତାର ଭୟଙ୍କର ପରିଣାମ ଆମକୁ ଭୋଗିବାକୁ ହେବ  ।  ଛାତ୍ରମାନେ ଦେଶର ଭବିଷ୍ୟତ     ।  ଦେଶର ଉନ୍ନତି ସେମାନଙ୍କ କାନ୍ଧରେ   । ଏଥି ସହିତ ନିଜ ଜୀବନକୁ ଉତ୍ତମ ରୂପେ ଗଢି ତୋଳିବାକୁ ହେଲେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ନିୟମ ଓ ଶୃଙ୍ଖଳା ମଧ୍ୟ ଦେଇ ଗତି କରିବାକୁ ହେବ   । କାରଣ ଭବିଷ୍ୟତ ଜୀବନର ମୂଳଦୁଆ ଏହିଠାରେ ହିଁ ପଡେ   ।  ମୂଳଦୁଆ ଦୃଢ ନ ହେଲେ ଜୀବନର ଅଟ୍ଟାଳିକା ସ୍ଥାପନ କରିବା ଅସମ୍ଭବ ଏହା ଛାତ୍ରମାନେ ମନେରଖିବା ଉଚିତ  ।  ମହାପୁରୁଷମାନଙ୍କ ଜୀବନୀ ପଠନ କାଲେ ସେମାନଙ୍କର ଶୃଙ୍ଖଳିତ ଛାତ୍ର ଜୀବନ ସମ୍ପର୍କରେ ସୂଚନା ମିଳେ   ।  ଏଣୁ ଏକ ଉତ୍ତମ ରାଷ୍ଟ୍ର ଗଠନରେ ସହାୟକ ହେବା ସହିତ ନିଜ ବ୍ୟକ୍ତିତ୍ଵର ବିକାଶ ନିମନ୍ତେ ଶୃଙ୍ଖଳାବୋଧର ଆବଶ୍ୟକତା ଅପରିହାର୍ଯ୍ୟ ଏଥିରେ ସନ୍ଦେହ ନାହିଁ  ।

ପ୍ରାୟ ୧୦୦  ଟି ଶବ୍ଦରେ ପତ୍ର ବା ଦରଖାସ୍ତ ଲେଖ

ପ୍ରଶ୍ନ:- ତୁମ ଘରର ସୁବିଧା ଅସୁବିଧା ବର୍ଣ୍ଣନା କରି ଦୂରରେ ଥିବା ପିତାଙ୍କ ନିକଟକୁ ପତ୍ର ଲେଖ

ପୂଜ୍ୟ ବାପା

ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ   ।  ଅନ୍ୟାନ୍ୟ ଗୁରୁଜନମାନଙ୍କୁ ମୋର ପ୍ରଣାମ ଜଣାଇଦେବେ   । ଆଶା ଇଶ୍ଵରଙ୍କ କୃପାରୁ ଆପଣ ସେଠାରେ ଭଲରେ ଥିବେ  ।  ଗତକାଲି ଆପଣ ପଠାଇଥିବା ଚିଠି ପାଇଲୁ   ।  ଘରର ଭଲମନ୍ଦ ବିଷୟରେ ଜଣାଇବାକୁ ଲେଖିଛନ୍ତି  ।  ଘରେ ଥିବା ଅନେକ ସମସ୍ୟା ମଧ୍ୟରୁ କିଛି ଆପଣଙ୍କ ଜାଣିବା ପାଇଁ ଲେଖିଛି   ।

ଏବେ ଧାନ କଟାକଟି ପ୍ରାୟ ସରିଗଲାଣି   । ଚଳିତ ବର୍ଷ ଫସଲ ଭଲ ହୋଇନାହିଁ  । ଯାହାବି ହୋଇଥିଲା ଅଦିନିଆ ବର୍ଷା ସବୁ ଉଜାଡି ଦେଲା   ।  ଆପଣ ପଠାଇଥିବା ଟଙ୍କା ଦୋକାନ ବାକି ଓ ମୋର ବହିପତ୍ର କିଣାରେ ଶେଷ ହୋଇଯାଇଛି   ।  ୨ ଦିନ ହେଲା ବୋଉର କାଶ ଆରମ୍ଭ ହୋଇଛି   । ଜେଜେମାଙ୍କ ପୁରୁଣା ଆଣ୍ଠୁରୋଗ ପୁଣି ବାହାରିଛି   ।  ଚଳପ୍ରଚଳରେ ସେ ନାନା ଅସୁବିଧା ଭୋଗୁଛନ୍ତି  ।  ଔଷଧ କିଣିବା ପାଇଁ ଅନେକ ପଇସାର ଆବଶ୍ୟକତା ରହିଛି  ।  ରିନାର ଷାଣ୍ମାସିକ ପରୀକ୍ଷା ଫଳ ବାହାରିଛି  ।  ଆପଣ ଜାଣି ଖୁସି ହେବେ ଯେ ସେ ତାଙ୍କ ଶ୍ରେଣୀରେ ପ୍ରଥମ ହୋଇଛି   ।  ମୋର ୨ ମାସର ଟିଉସନ ପଇସା ଦିଆହୋଇନାହିଁ  ।  ଆପଣ ଏ ମାସରେ ଟଙ୍କା ପଠାଇଲେ ଦିଆଯିବ ବୋଲି ମା କହୁଥିଲା   ।  ମୁଁ ମନ ଦେଇ ପାଠ ପଢୁଛି  ।  ପରୀକ୍ଷାରେ ନିଶ୍ଚୟ ଭଲ କରିବି  ।  ଲେଖୁ ଲେଖୁ ଅନେକ କଥା ଲେଖିଦେଲି । ଆପଣ ବ୍ୟସ୍ତ ହେବେ ନାହିଁ ।

ଆପଣ କେବେ ଆସୁଛନ୍ତି ପତ୍ର ଦ୍ଵାରା ଜଣାଇବେ   ।  ଆସିବା ବେଳେ ମୋ ପାଇଁ ଗୋଟିଏ ଓଷ୍ଟା ଟେଷ୍ଟପେପର ଓ ଜେଜେମାଙ୍କ ପାଇଁ ଗୋଟେ ଚାଦର ଆଣିବେ   ।  ଏଇ ଗଲା କିଛି ଦିନ ହେବ ଖୁବ ଶୀତ ପଡିଛି  ।  ଇଶ୍ଵର ତଥା ଆପଣଙ୍କ ଆଶୀର୍ବାଦରୁ ଆମେ ସମସ୍ତେ ଭଲରେ ଅଛୁ  ।  ଚିଠି ପାଇ ଚିଠି ଦେବେ

ଇତି

ଆପଣଙ୍କ ସ୍ନେହର ପୁତ୍ର ଅମର

ପ୍ରାପକ

ପ୍ରେରକ

ଶ୍ରୀ ରମାରଞ୍ଜନ ରଥ

ନର୍ଥ ଷ୍ଟ୍ରିଟ , ବଡବଜାର

କଲିକତା

ପିନ- ୨୦୦୪୦୧

ଶ୍ରୀ ଅମର ପ୍ରସାଦ ରଥ

ଗ୍ରା/ପୋ:- ଗଣ୍ଡରପୁର

ଜି- ଖୋର୍ଦ୍ଧା

କଟକ- ୭୪୩୦୦୨

ପ୍ରତିଟି ଉତ୍ତର ୨୫ ଟି ଶବ୍ଦରେ ହେବା ଆବଶ୍ୟକ

ନିମ୍ନ ଅନୁଚ୍ଛେଦଟିକୁ ପାଠ କରି ତଳେ ଦିଆଯାଇଥିବା ପ୍ରଶ୍ନଗୁଡିକର ଉତ୍ତର ଲେଖ  ।  ପ୍ରତିଟି ଉତ୍ତର  ୨୫ ଟି ଶବ୍ଦରେ ହେବା ଆବଶ୍ୟକ  ।

ଜୀବନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହିଁ ବ୍ୟକ୍ତିକୁ ତାର ଭବିଷ୍ୟତ ଗଠନ କରିବାକୁ ସହାୟତା କର ଏ, କିନ୍ତୁ ଲକ୍ଷ୍ୟହୀନ ଜୀବନ ଜୀବନ ନୁହେଁ  ।  ଜାର କୌଣସି ଲକ୍ଷ୍ୟ ନାହୀନ, ସେ ସମାଜର ମଙ୍ଗଲ କେବେ କରିପାରେନା   ।  ଯେଉଁ ସମାଜଆମକୁ ମଣିଷ କରିଛି , ଯେଉଁ ମାଟିର ଫଳ , ଜଳ ଗ୍ରହଣ କରି ଆମର ଶରୀର ପରିପୃଷ୍ଟ , ତାହା ପାଇଁ କିଛି କାର୍ଯ୍ୟ କରିବା କେବଳ ଆମର ସାମାଜିକ କର୍ତ୍ତବ୍ୟ ନୁହେଁ , ନୈତିକ କର୍ତ୍ତବ୍ୟ ମଧ୍ୟ  ।  ଲକ୍ଷ୍ୟ ନ ଥିବା ଜୀବନ ନାବିକ ବିହୀନ ନୌକା ପରି  । ସମୟର ସ୍ରୋତ ତାକୁ କୂଳରେ ଲଗାଇପାରେ କିମ୍ବା ଜଳମଗ୍ନ କରିପାରେ  ।  ଲକ୍ଷ୍ୟ ସାଧନ ନିମିତ୍ତ ବହୂ ପୂର୍ବରୁ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ   ।  ଏଥିନିମିତ୍ତ ଆଦ୍ୟ ଯୌବନ ହିଁ ପ୍ରକୃଷ୍ଟ ସମୟ  ।  ସେହି ସମୟରୁ ନିଜ ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧିଷ୍ଟ କରିବା ଦରକାର   ।  ସେହି ସମୟରୁ ନିଜ ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧିଷ୍ଟ କରିବା ଦରକାର ଏବଂ ସେହି ଲକ୍ଷ୍ୟ ପୂରଣ ପାଇଁ  ନିରବଛିନ୍ନ ସାଧନା ବଳବତ୍ତର ରଖିବାକୁ ପଡିବ   ।

ପ୍ରଶ୍ନାବଳୀ

1)    କିଏ ସମାଜର ମଙ୍ଗଳ କରିପାରେ ନା

2)    କିଏ ଭବିଷ୍ୟତ ଗଠନରେ ସହାୟତା କରିଥାଏ   ।

3)    ଆମର ନୈତିକ କର୍ତ୍ତବ୍ୟ କଣ

4)    ଭବିଷ୍ୟତ ଲକ୍ଷ୍ୟ କେବେ ସ୍ଥିର କରିବା ଉଚିତ

5)    ଲକ୍ଷ୍ୟ ପୂରଣ କରିବାକୁ କଣ କରିବାକୁ ହେବ  ।

ଉତ୍ତର :-

  1. ଯେଉଁ ବ୍ୟକ୍ତିର ଜୀବନରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନାହିଁ ସେ କେବେ ହେଲେ ସମାଜର ମଙ୍ଗଳ କରିପାରିବ ନାହିଁ   ।
  2. ଜୀବନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହିଁ ବ୍ୟକ୍ତିକୁ ତାର ଭବିଷ୍ୟତ ଗଠନ ଦିଗରେ ସହାୟତା କରିଥାଏ  ।
  3. ଯେଉଁ ମାଟିର ଜଳ,ଫଳ ଗ୍ରହଣ କରି ଆମ ଶରୀର ପରିପୃଷ୍ଟ ଓ ଯେଉଁ ସମାଜ ଆମକୁ ମଣିଷ କରିଛି ତାର ଉନ୍ନତି ସାଧନ ଆମର ନୈତିକ କର୍ତ୍ତବ୍ୟ ହେବା ଉଚିତ  ।
  4. ନିଜ ଭବିଷ୍ୟତ ଲକ୍ଷ୍ୟ ସ୍ଥିର କରିବା ପାଇଁ ଆଦ୍ୟ ଯୌବନ ହିଁ ଉପଯୁକ୍ତ ସମୟ
ଲକ୍ଷ୍ୟ ପୂରଣ ପାଇଁ ନୀରବଚ୍ଛିନ୍ନ ସାଧନ ଦରକାର  ।  ସବୁ ସମୟରେ ଏହାକୁ ବଳବତ୍ତର ରଖିବା ଉଚିତ  ।

ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate