ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଲକ୍ଷ୍ମୀକାନ୍ତ ମହାପାତ୍ର
ସେଆର କରନ୍ତୁ

ଲକ୍ଷ୍ମୀକାନ୍ତ ମହାପାତ୍ର

ଓଡ଼ିଆ ସାହିତ୍ୟକ ଲକ୍ଷ୍ମୀକାନ୍ତ ମହାପାତ୍ର ସମ୍ବନ୍ଧରେ ଆଲୋଚନା କରାଯାଇଛି .

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।

ଜୀବନୀ

କାନ୍ତକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକର ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଲକ୍ଷ୍ମୀ ପୂଜା ଦିନ ଜନ୍ମଗ୍ରହଣ କରିଥିବାରୁ ଲକ୍ଷ୍ମୀ ମାଆଙ୍କ ନାମାନୁସାରେ ତାଙ୍କ ନାମ ଲକ୍ଷ୍ମୀକାନ୍ତ ବୋଲି ରଖାଗଲା । ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ଓ ମାତା ରାଧାମଣୀ କଣ୍ଟାପାରି ଜମିଦାରଙ୍କ କନ୍ୟା ଥିଲେ । ଭାଗବତ ପ୍ରସାଦ ସାମନ୍ତରାୟ ବିହାର-ଓଡ଼ିଶା ବିଧାନ ସଭାରେ ୪ ଥର ପ୍ରତିନିଧିତ୍ଵ କରିଥିଲେ ଓ ସେଥି ମଧ୍ୟରୁ ଦୁଇଥର ଉପ-ବାଚସ୍ପତି ଦାୟିତ୍ଵ ନିର୍ବାହ କରିଥିଲେ । ଲକ୍ଷ୍ମୀକାନ୍ତ ହାଇସ୍କୁଲ ଶିକ୍ଷା ଛାଡ଼ି ସେତେବେଳେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ଇଂରେଜ ସୈନ୍ୟମାନଙ୍କ ଦ୍ୱାରା ବନ୍ଦି ହୋଇ ଜେଲ ମଧ୍ୟ ଯାଇଥିଲେ ।

ପରେ ପରେ ଲକ୍ଷ୍ମୀକାନ୍ତ ଜମିଦାର ଲାଲମୋହନ ଦାସଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ୧୯୧୨ ରେ ସେ ଏକ ପୁତ୍ର ସନ୍ତାନର ଜନକ ହେଲେ । ୧୯୧୩ ରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କଲେ । ଲକ୍ଷ୍ମୀକାନ୍ତଙ୍କ ରଚିତ ସ୍ୱାଧୀନତା ପ୍ରେମୀ କବିତା ଗୁଡ଼ିକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକଜୁଟ କରାଇବାରେ ସାହାଯ୍ୟ କରିଥିଲା । ୧୯୩୩ ରେ ତାଙ୍କୁ ଭଦ୍ରକ ହାଇସ୍କୁଲ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଦିଆଗଲା । ଏହି ସଭାରେ ତାଙ୍କୁ କାନ୍ତକବି ଉପାଧି ଦିଆଗଲା ।

ସାହିତ୍ୟ ପ୍ରତି ଅବଦାନ

ସ୍ୱାଧୀନତା ସଂଗ୍ରାମରେ ରଚନା

୧୯୨୦-୨୧ର ଅସହଯୋଗ ଆନ୍ଦୋଳନ ଏବଂ୧୯୩୦ର ଲବଣ ସତ୍ୟାଗ୍ରହ କାନ୍ତକବିଙ୍କର ପରିବାର ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା । ଏହି ସବୁ ଆନ୍ଦୋଳନର ସୂତ୍ରଧାର ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ଲକ୍ଷ୍ମୀକାନ୍ତଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଶପ୍ରେମରେ ବୁଡ଼େଇଦେଲା । ତାଙ୍କ ବାପା ଭାଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ ଓ ଜାହ୍ନବି ଦେବୀ ଏବଂ ସାନଭାଇ କମଳାକାନ୍ତ ପ୍ରମୁଖ ୧୯୩୦ ମସିହାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ପ୍ରତ୍ୟକ୍ଷ ଭାବରେ ଭାଗ ନେଇଥିଲେ । ଏପରିକି କାନ୍ତକବିଙ୍କର ବଡ଼ ପୁଅ ନିତ୍ୟାନନ୍ଦ ମହାପାତ୍ର ଏଥିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତେଇବା ପାଇଁ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷଣ କରିବା ପାଇଁ କାନ୍ତକବି ଶ୍ରୀ ମହାପାତ୍ର ନିଜର କଲମର ସାହାଯ୍ୟ ନେଇଥିଲେ ଏବଂ ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ଲାଗି ପଡ଼ିଲେ । କାନ୍ତକବିଙ୍କ ରଚିତ ଦେଶାତ୍ମ‌ବୋଧ କବିତା ମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କଲା । ସେଥିପାଇଁ ସାଧାରଣ ଜନତାଙ୍କୁ ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ଏବଂ ସ୍ୱାଧୀନତା ପ୍ରାପ୍ତ କରିବାକୁ ସେ କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବ‌ହାର କଲେ।

ସେତେବେଳେ ଓଡ଼ିଆ ସାହିତ୍ୟରେ ସତ୍ୟବାଦୀ ଯୁଗ ଚାଲିଥିଲା । ନୀଳକଣ୍ଠ ଦାସ ଏବଂ ଗୋଦାବରୀଶ ମିଶ୍ରଙ୍କ ଭଳି ପଥ ପ୍ରଦର୍ଶକମାନେ ପୁରାତନ ଖ୍ୟାତି, ସମ୍ଭ୍ରାନ୍ତ ପୃଷ୍ଠଭୂମି ଏବଂ ପୂରାତନ ପରମ୍ପରାକୁ ନେଇ ଜାତୀୟତାର ବାର୍ତ୍ତା ପ୍ରଚାର କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କର ନିତୀ ଏବଂ ଆଦର୍ଶ ଅସଂଖ୍ୟ ଜନସାଧାରଣଙ୍କୁ ଜାତୀୟତା ପ୍ରତି ଆକର୍ଷଣ କରୁଥିଲା । ସେହିମାନଙ୍କଠାରୁ ଲକ୍ଷ୍ମୀକାନ୍ତଙ୍କୁ ଅଧିକରୁ ଅଧିକ ଉତ୍ତମ ଏବଂ ଶକ୍ତିଶାଳୀ ଦେଶପ୍ରମୀ କବିତା ଲେଖିବାକୁ ପ୍ରେରଣା ମିଳିଥିଲା, ଯାହାକି ସମାଜର ତୃଣମୂଳ ସ୍ତରରେ ପ‌ହଞ୍ଚିପାରିଲା ।

ଲକ୍ଷ୍ମୀକାନ୍ତଙ୍କର କବିତାଗୁଡ଼ିକ ଛୋଟ ହୋଇଥିଲେ ମଧ୍ୟ ଦେଶାତ୍ମ‌ବୋଧ ବଢ଼ାଇବାରେ ଶକ୍ତିଶାଳୀ ଥିଲା । ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତାକୁ ଦୂର କରି ଦୃଢ଼ ଆତ୍ମ‌ବିଶ୍ୱାସ ଜଗାଇବା ଏହି କବିତା ଗୁଡ଼ିକ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଓଡ଼ିଆମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରାକୁ ଫେରି ପାଇବା ତ‌ଥା ମାତୃଭୂମି ଏବଂ ମାତୄଭାଷା ପ୍ରତି ପ୍ରେମ ଓ ଭକ୍ତି ଜାଗ୍ରତ କରିବା ଏହି କବିତା ମାନଙ୍କର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା । ମାତୃଭୂମିର ସେବା କରିବା ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ତ୍ୟାଗ ଏବଂ ସମର୍ପଣ ଭାବ । ଏହି କଥା ସେ ନିଜର ୧୧ ନଂ କବିତା ମାଧ୍ୟମରେ ଲୋକଙ୍କ ପାଖରେ ପ‌ହଞ୍ଚାଇଥିଲେ । ସେହି ସମୟରେ ପ୍ରେଦେଶ କଂଗ୍ରେସର ଜିଲ୍ଲାସ୍ତରୀୟ ସମ୍ମିଳନୀ ଭଦ୍ରକରେ ଅନୁଷ୍ଠିତ ହୋଇଥିଲା । ସେଠାରେ ପାଖାଆଖର ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ସ‌ହ ଦୃଢ଼ବିଶ୍ୱାସୀ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ । ଏହି ସଭାର ପ୍ରାରମ୍ଭ ସଙ୍ଗୀତ ଭାବରେ କାନ୍ତକବିଙ୍କର ରହି କବିତାଟି ଗାନ କରାଗଲା ଏବଂ ସମସ୍ତଙ୍କୁ ମୋହିତ କରିଦେଲା । ଏହି ହୃଦୟସ୍ପର୍ଶୀ କବିତାଟି ଉପସ୍ଥିତ ସମସ୍ତ ଶ୍ରୋତାମଣ୍ଡଳୀକୁ ଜାତୀୟତା ପ୍ରେମରେ ଭାବପ୍ରବଣ କରିଦେଲା । ଶାନ୍ତ ଏବଂ ଗମ୍ଭୀର ପଡ଼ିଥିବା ସଭାଟି ହଠାତ୍ ମନ୍ତ୍ରମୁଗ୍ଧ ହୋଇଉଠିଲା । ପ୍ରସିଦ୍ଧ କଂଗ୍ରେସ ନେତା ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ସେହି ସଭାରେ ଉପସ୍ଥିତ ଥିଲେ । ସେ ଅନୁଗ୍ରହ ହୃଦୟର ସ‌ହ ମଞ୍ଚ ଉପରୁ ତଳକୁ ଆସିଲେ ଏବଂ ଲକ୍ଷ୍ମୀକାନ୍ତଙ୍କୁ ପ୍ରଶଂସା କରି କ‌ହିଲେ, "ଅହାଃ କେତେ ସୁନ୍ଦର କବିତାଟିଏ ରଚନା କରିଛ ଲକ୍ଷ୍ମୀକାନ୍ତ ।" ଉତ୍କଳମଣିଙ୍କର ଏହି ପଦିଏ ପ୍ରଶଂସାର ବାଣୀ ସେହି କବିତାର ଚୁମ୍ବକୀୟ ଆକର୍ଷଣକୁ ଉଦ୍ଦଜୀବିତ କରୁଥିଲା । ଏହା ଦେଶପ୍ରେମ ଜଗାଇବା ସ‌ହ ଅନେକଙ୍କ ହୃଦୟରେ ଏକ ଉଦ୍ଦୀପନା ସୃଷ୍ଟି କଲା । ମାତୃଭୂମି ପାଇଁ କିଛି କରିବା ପାଇଁ ହୃଦୟରୁ ଆପେ ଆପେ ଦେଶପ୍ରେମ ଜାଗ୍ରତ ହେଲା । ତାଙ୍କର ଆର୍ଯ୍ୟବାହିନୀ କବିତାରେ ଏହିଭଳି ଦେଶପ୍ରେମ ଲେଖା ରହିଛି, ଯାହାକି ଓଡ଼ିଶାର ଆତ୍ମଶକ୍ତିକୁ ପ୍ରତିଫଳିତ କରିଥିଲା ।

ରଚନାବଳ

ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । ସ୍ଵରାଜ ଓ ସ୍ଵଦେଶୀ ଭାବରେ ତାଙ୍କର କବିତା ସବୁ ଲେଖାଯାଇଥିଲା । ତାଙ୍କର ରଚନା ସବୁ ୨ଟି ଭାଗରେ "କାନ୍ତ ସାହିତ୍ୟୟନ ଖଣ୍ଡ"-୧ ଓ ୨ ଭାବରେ ପ୍ରକାଶ ପାଇଥିଲା । ଖଣ୍ଡ-୨ ରେ ତାଙ୍କ ରଚିତ ଜାତିପ୍ରେମ କବିତା ସବୁ ଅଛି ।

ଏଥିରେ ସମୁଦାୟ ୩୩ ଗୋଟି ଦେଶପ୍ରେମ କବିତା ଅଛି । ଏଥିରୁ ୨୬ ଗୋଟି କବିତା ପ୍ରଥମ ଭାଗରେ ଅଛି ଯାହା ଭିତରୁ ଦୁଇଟି ଜଣାଶୁଣା କବିତା ହେଲା:

  • ବନ୍ଦେ ଉତ୍କଳ ଜନନୀ
  • କେ କହିବ ଆଜି ଭାରତ କେ କହିବ ତାକୁ ଦିନ ଆଦି ।

ବାକି ସାତଟି କବିତା ଦ୍ଵିତୀୟ ଭାଗରେ ଅଛି, ସେସବୁ ହେଲା:

  • ପ୍ରଳୟ ଦୁନ୍ଦୁଭି
  • ଉନ୍ମାଦ
  • ଆର୍ଯ୍ୟ ବାହିନୀ
  • ବିଜୟବନ
  • ଜାତୀୟ ପତାକା
  • ସମର ସଙ୍ଗୀତ
  • ଏ ଦେଶ

ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ 'କଣାମାମୁଁ' ଓ କ୍ଷୁଦ୍ରଗଳ୍ପ 'ବୁଢା ଶଙ୍ଖାରୀ' ପାଇଁ ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଉତ୍କଳ ସମ୍ମିଳନୀ ସଭାରେ ଗାନ କରଯାଇଥିଲା ଓ ମଧୁସୂଦନ ଦାସ ଏହାର ଭୂୟସୀ ପ୍ରଶଂସା କରିଥିଲେ । ସେ ପ୍ରାୟ ଶହେରୁ ଊର୍ଦ୍ଧ୍ଵ ଭକ୍ତି କବିତା ରଚନା କରିଥିଲେ ।

ବ୍ୟଙ୍ଗନାଟକ ଓ ଲାଳିକା ତାଙ୍କ ସାହିତ୍ୟର ଅନ୍ୟ ଏକ ଦିଗ ଥିଲା । ରାଜନୈତିକ ଅସ୍ଥିରତାକୁ ନେଇ "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ନାଟକ ରଚନା କରିଥିଲେ । କଳାରେ କେଳେଙ୍କାରୀକୁ ନେଇ ସେ ରଚନା କରିଥିଲେ ବ୍ୟଙ୍ଗନାଟକ "ଫିଲ୍ମଷ୍ଟାର" । କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରଚନ୍ଦ୍ରାନନ ଚମ୍ପୂ ଅନୁକରଣରେ ସେ "ଚଟକ ଚନ୍ଦ୍ରହାସ ଚମ୍ପୂ" ନାମକ ଲାଳିକା ରଚନା କରିଥିଲେ । ଏହାକୁ ତାଙ୍କର ଶ୍ରେଷ୍ଠ ଲାଳିକା କୁହାଯାଏ ।

ସମ୍ପାଦନା

ସେ ମାସିକ ସାହିତ୍ୟ ପତ୍ରିକା ଡଗର (ପତ୍ରିକା)ର ପ୍ରତିଷ୍ଠାତା ଥିଲେ ଯାହା ପରେ ଜଣାଶୁଣା ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର ଓ ଫତୁରାନନ୍ଦଙ୍କ ଦେଇ ସମ୍ପାଦିତ ହୋଇଆସିଥିଲା ।

ଅନ୍ତିମ ଜୀବନ

ମାତ୍ର ପଚିଶି ବର୍ଷ ବୟସରେ ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ । ଧନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେବି ଜମିଦାରୀ ଚାଲିଯିବା ପରେ ସେ ଆର୍ଥିକ ଅନଟନ ଭୋଗିଥିଲେ । ୧୯୫୩ ମସିହା ଫେବୃୟାରୀ ୨୪ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା।

ଆଧାର –

  1. "ସ୍ଵାଧୀନତା ସଂଗ୍ରାମୀ"
  2. "କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର "
4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top