ସେଆର କରନ୍ତୁ

ଶିଶୁ କବିତା

ଶିଶୁ ମାନଙ୍କ ଦ୍ଵାରା ଲେଖା ହୋଇଥିବା କବିତା ଗୁଡିକ

ଖରାରୋଗ ଇଏ ଅଂଶୁଘାତ

ସରଗ ତାରା , ଦିଶଇ ତୋର

ଗ୍ରୀଷ୍ମ ସାଥିରେ ଆସିଛି ଖରା

ଖରା ମୁହଁଟା ସଫା ସୁତୁରା

କାଖରେ ଜାକିଛି ଶୁଖିଲା ଗରା

ଟୋପାଏ ପାଣି ନାହିଁ

ଶୋଷି ସେ ନବ , ଶୁଖେଇ ଦେବ

ମୋ ଗାଁ ପୋଖରୀ ନଈ ।

ଖରା ସାଥେ ସାଥେ ଆସିବ ଝାଇଁ

ସେତିକି ଅବା ସେ ଯାଆଁଳା  ଭାଇ

ହାତକୁ ହାତ ଛନ୍ଦି ଦେଇ

ବୁଲିବେ ରାସ୍ତା ଘାଟେ

ନିରିହ ପ୍ରାଣ କେତେ ଯେ ସତେ

ନେବେ ସେ ଅଂଶୁଘାତ ।

ଶୁଣ କୁନାମୁନା ମୋ ସୁନା ଭାଇ

ଖରାରେ ତରାରେ ବୁଲିବ ନାହିଁ

ଓଦା ଗାମୁଛାକୁ ମୁଣ୍ଡରେ ଛାଇ

ଖାଇବ ପଖାଳ ତୋରାଣୀ ଦହି

ପିଆଜ ରଖିବ ସାଥେ

ଖରାରୋଗ ଇଏ ଅଂଶୁଘାତ

ନ ପଶିବ କେବେ ପାଶେ ।

ଲେଖକ :ବିଚିତ୍ରା ନନ୍ଦ ସେଠି,ପୋଖରୀପୁଟ(ଭିଲେଜ୍),ଭୁବନେଶ୍ଵର

ବଢୁଛି ଖରା

ଦିନକୁ ଦିନ ବଢୁଛି ଖରା

ଅସମ୍ଭାଳ ଏ ତାତି

ତାପର ମାପ ବଢେ ଅମାପ

ଥରି ଉଠୁଛି ଛାତି ।

ଟାଣୁଆ  ଖରା ଆସୁଛି ମାଡି

ବହୁଛି ଝାଞ୍ଜି ବାଆ

ଘରେ ବାହାରେ ବଢେ ଉତ୍ତାପ

ଅସହ୍ୟ ଲାଗେ ଏହା ।

ଖରା ଆସିଲେ ମନେ ଭାସଇ

ଅଂଶୁଘାତର କଥା

ପଲ୍ଲି ଓ ପୁରେ ଗ୍ରାମନଗରେ

ଖେଳାଉ ଅଛି ବ୍ୟଥା ।

ଟାଣ ଖରାରେ ପଦାକୁ ଯିବା

ବାରଣ କରେ ଏବେ

ପଣା ପାଣି ଓ ସାର୍ବତ ପିଅ

ଘରୁ ବାହାର ଯେବେ ।

ଆଖିରେ କଳା ଚଷମା ପିନ୍ଧ

ପାଦରେ ଲଗାଅ ଜୋତା

ପାଣିବୋତଲ ସାଥୀରେ ନିଅ

ହାତରେ ଧଳା ଛତା ।

ତେଜ ଖରାରେ କଠିନ କାମ

କରନି କେବେ ଜାଣି

ଖରା କମିଲେ ଖେଳ ବା ବୁଲ

ବଡଙ୍କ କଥା ଶୁଣି ।

ରୋପଣ କର ନୂତନ ବୃକ୍ଷ

ଜଙ୍ଗଲ ଗଢ ନୂଆ

ଆଂଶୁଘାତର ଭୟ ନଥିବ

ବଡ ହୁଅକି ଛୁଆ ।

ଲେଖକ କବି ଜ୍ୟୋତି ନିରଞ୍ଜନ ପତି,ଅମଲପଡା ,ଗାନ୍ଧୀମାର୍ଗ ,ଆନୁଗୋଳ

2.75
Lokesh Kumar Parida Nov 17, 2016 07:41 PM

ବହୁତ ସୁନ୍ଦର ହୋଇଛି କବିତା

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top