ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସଚ୍ଚିଦାନନ୍ଦ ରାଉତରାୟ
ସେଆର କରନ୍ତୁ

ସଚ୍ଚିଦାନନ୍ଦ ରାଉତରାୟ

ସଚ୍ଚିଦାନନ୍ଦ ରାଉତରାୟ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ସମ୍ବନ୍ଧରେ ସୂଚନା ଦିଆହେଇଛି ।

ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ପ୍ରାୟ ୭୫ବର୍ଷର ସାହିତ୍ୟ ବର୍ଷର ସାହିତ୍ୟ ସାଧନା ମଧ୍ୟରେ, ସେ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ ଲେଖନୀ ଚାଳନା କରିଯାଇଛନ୍ତି । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ହିଁ ଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରଷ୍କାର ପାଇଥିଲେ ।

ପ୍ରାରମ୍ଭିକ ଜୀବନ

ରାଉତରାୟ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗଠାରେ ୧୩ ମଇ ୧୯୧୬ରେ ଜନ୍ମଗ୍ରହଣ କରିଥିଲେ । ଚାଟଶାଳୀରେ ପଢିବା କାଳରେ ସେ ସ୍ଵାଧୀନତା ଆନ୍ଦୋଳନରେ ବି ଝାସ ଦେଇଥିଲେ । ଫିରିଙ୍ଗି ସରକାର ବିରୋଧରେ ଲଢି, ସେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରୁ ବିତାଡିତ ହୋଇଥିଲେ ଓ ତାପରେ ତାଙ୍କର ପିଲାବେଳ କଟିଥିଲା ବଙ୍ଗପ୍ରଦେଶରେ । ଏଗାର ବର୍ଷ ବୟସରୁ ରାଉତରାଏ କବିତା ଲେଖା ଆରମ୍ଭ କରିଥିଲେ ।  ସ୍ୱାଧୀନଚେତା ଲେଖା ପାଇଁ ତାଙ୍କର ଦୁଇଟି କବିତା ୧୯୩୯ରେ 'ରକ୍ତଶିଖା'ଓ ୧୯୪୩ରେ 'ଉଠ ଜାଗ ଭୋକବନ୍ଦୀ'କୁ ଫିରିଙ୍ଗି ମାନେ ଲୋକଙ୍କ ପାଖରେ ପହଞ୍ଚିବାରୁ ରୋକି ଦେଇଥିଲେ । '୧୯୩୮ରେ ତାଙ୍କର କାବ୍ୟ 'ବାଜି ରାଉତ'କୁ ୧୯୪୨ରେ କବି ହରୀନ୍ଦ୍ରନାଥ ଚାଟାର୍ଜୀ ଇଂରାଜୀରେ 'ନାଉରିଆ ପିଲା ଓ ଅନ୍ୟାନ୍ୟ କବିତା' ମର୍ମରେ ଅନୁବାଦ କରିଥିଲେ । ଏହାର ପ୍ରକାଶନ ପରେ ସଚ୍ଚି ରାଉତରାୟ ଭାରତର ଜଣେ ଜଣାଶୁଣା କବି ଭାବେ ପ୍ରତିଷ୍ଠିତ ହୋଇଥିଲେ । ରାଜନୈତିକ ଚରମପନ୍ଥୀ ଥିବାରୁ ରେଭେନ୍ସା ମହାବିଦ୍ୟାଳୟର ତତକାଳୀନ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପରିଜା, ରାଉତରାୟଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାଲାଭରୁ ବଞ୍ଚିତ କରିଥିଲେ । ଗୋଳାପଲିର ଜଣେ ତେଲୁଗୁ ରାଜଜେମାଙ୍କୁ ସେ ବିଭା ହୋଇଥିଲେ ।  ସ୍ଵାଧିନତା ଆନ୍ଦୋଳନ, ଛାତ୍ର ଓ କୃଷକ ଆନ୍ଦୋଳନରେ ଭାଗନେଇ ସେ ଦୁଇଥର କାରାବରଣ କରିଥିଲେ ।

ସେ କଟକ ଠାରେ ୨୧ ଅଗଷ୍ଟ ୨୦୦୪ରେ ଦେହତ୍ୟାଗ କରିଥିଲେ ।

ରଚନାବଳୀ

୧୯୨୮ ମସିହାରେ ମାତ୍ର ୧୫ ବୟସରୁ ଆରମ୍ଭ ହୁଏ ସଚ୍ଚି ରାଉତରାଏଙ୍କ କବିତା ରଚନାର ଉନ୍ମେଷ ପର୍ବ । ମାତ୍ର ୧୭ ବର୍ଷ ବୟସରେ 'ନବୀନ' ପତ୍ରିକାରେ 'ଭଗବନ ଅଛ କାହିଁ' ପ୍ରଥମ ପ୍ରକାଶିତ କବିତାରୁ ତାଙ୍କର ସାମ୍ୟବାଦୀ ବୈପ୍ଲବିକ ମାର୍କ୍ସୀୟ ଚେତନାର ପ୍ରାଥମିକ ଅଭାସ ମିଳେ ଏହି କବିତାଟି ଅଭିଯାନ କବିତା ଗ୍ରନ୍ଥରେ ସଂକଳିତ ହୋଇଛି । କବିତାର ଏକ ନୂତନ ଛନ୍ଦର ଐତିହାସିକ ପ୍ରୟୋଗ ସମ୍ପର୍କରେ 'ପାଂଡୁଲିପି (ପାଣ୍ଡୁଲିପି) କବିତା ଗ୍ରନ୍ଥର 'ନାନ୍ଦୀମୂଖୀ'ରେ ସେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ୧୯୪୩ ରେ କବିଙ୍କ "ବାଜି ରାଉତ" କବିତା ମାଟି ମା ପାଇଁ ଜୀବନ ଦେବାକୁ ଅନେକ ଲୋକଙ୍କୁ ସ୍ଵାଧୀନତା ଆନ୍ଦୋଳନକୁ ଠେଲି ଦେଇଥିଲା । "ବାଜି ରାଉତ" ଏକ ନାଉରିଆ ପିଲାର ମାଟି ମା ପାଇଁ ବଳିଦାନର କଥା କହେ, ଯିଏ ନିଜ ଜୀବନକୁ ପଛରେ ପକାଇ ଫିରିଙ୍ଗିସେନାକୁ ମହାନଦୀ ପାରି ହେବାକୁ ଦେଇନଥିଲା । 'ପାଣ୍ଡୁଲିପି' ଓ 'ବାଜି ରାଉତ'ରେ ତାଙ୍କର ବିଦ୍ରୋହୀ ସ୍ଵର ଆହୁରି ଶାଣିତ କରିଛନ୍ତି । ପ୍ରତୀକ ଓ ଚିତ୍ରକଳ୍ପ ପ୍ରୟୋଗରେ କବି ପ୍ରୟୋଗିକ ନୂତନତା ଓ ଅପାରମ୍ପରିକ କଳାତ୍ମକ ବୌଦ୍ଧକତା ଓଡ଼ିଆ କବିତାକୁ ଏକ ଭିନ୍ନ ବ୍ୟଞ୍ଜନାତ୍ମକତାର ସ୍ଵାଦରେ ସମୃଦ୍ଧ କରିଛି । କବିଙ୍କର କୋଡ଼ିଏ ସରିକି କବିତା ସଙ୍କଳନ ବାହାରିସାରିଛି । 'ଛୋଟ ମୋର ଗାଁଟି' ର ଭଙ୍ଗା ଡିହଠୁ ଦଙ୍ଗାବିଧ୍ବସ୍ତ ନୂଆଖାଲିର ନକ୍ସା ବେଶ୍ ନିଖୁଣ ଭାବରେ ଫୁଟି ଉଠିଛି ତାଙ୍କ କବିତା ନଖଦର୍ପଣରେ - ଫୁଟି ଉଠିଛି ସମୟର ମୁହଁ - ରୂପ ରୂପାନ୍ତର ରଙ୍ଗବଦଳ । ଯେଉଁଠି 'ଅଳକା ସାନ୍ୟାଲ'ର ଶେଷ ପଂକ୍ତି ସରିଛି ସେଇଠୁ ଆରମ୍ଭ ହୋଇଛି - 'ପ୍ରତିମା ନାୟକ'ର ବାସ୍ତବ ଜୀବନ ଯୁଦ୍ଧ । ତାଙ୍କର ପଲ୍ଲୀଶ୍ରୀ, ଗାଉଁଲି ଜୀବନର କଥା କହେ । ପ୍ରତିମା ନାୟକ ଏକ ସହରିଆ ଝିଅର ବେଦନାଭରା ଜୀବନର ଗଳ୍ପ କହେ । ଲୋକଙ୍କର ଲେଖାଳି ଭାବେ ଜଣାଶୁଣା ଓଡ଼ିଆ ଲେଖାଳିମାନଙ୍କ ଭିତରୁ ସଚ୍ଚି ରାଉତରାଏ ହେଉଛନ୍ତି ଜଣେ । ଧର୍ମକୁ ନେଇ ବି ସଚ୍ଚି ରାଉତରାୟ କେତୋଟି କବିତା ଲେଖିଛନ୍ତି । ବହୁ କାବ୍ୟ କବିତା ଇଂରାଜୀ, ହିନ୍ଦୀ, ତେଲୁଗୁ, ଓ ପଞ୍ଜାବୀ ଭାଷାରେ ଅନୁବାଦ ହୋଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଏକଦା ଛାତ୍ର ଆନ୍ଦୋଳନ ସମରେ ରେଭେନ୍ସା କଲେଜର ଛାତ୍ର ପ୍ରଦୀପ୍ତ ମିଶ୍ରଙ୍କ ନିଧନଜନିତ ସେ ଯେପରି ଲେଖିଥିଲେ 'ଚିରପ୍ରଦୀପ୍ତ', ସେହିପରି ଏକ ନୂତନ ଦେଶର ଗର୍ଭଯନ୍ତ୍ରଣାକୁ ନେଇ ୧୯୭୧ରେ ଆରମ୍ଭ ହୋଇଥିବା ବାଂଲାଦେଶ ମୁକ୍ତି ସଂଗ୍ରାମରେ ଆତ୍ମାହୁତି ଦେଇଥିବା ଛାତ୍ରୀ ରୋଶନାରା ପାଇଁ ରଚନା କରିଥିଲେ ତାଙ୍କର ଚିରଅମର ପଂକ୍ତିମାଳା - 'ମୁଁ ତା'ର ଶବକୁ ଧରି କାନ୍ଧେ ମୋର, କରୁଅଛି ବିଶ୍ଵ ପ୍ରଦକ୍ଷଣ !' ଜୀବଦ୍ଦଶାରେ କବି ରାଉତରାୟ ବାଂଲାଦେଶକୁ ଜଣେ ସାରସ୍ବତ ରାଷ୍ଟ୍ରଦୂତ ଭାବରେ ଯାଇ ରୋଶନରା ସମ୍ପର୍କିତ ଏ କବିତାକୁ ପାଠ କରୁଥିବା ବେଳେ ପାଇଥିଲେ ପ୍ରଚୁର ଖ୍ୟାତି ।

ସଚ୍ଚି ରାଉତରାୟଙ୍କ ଦ୍ଵାରା ପ୍ରକାଶିତ ୩୧ ଖଣ୍ଡ ପୁସ୍ତକ ଯଥା ଖଣ୍ଡକାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ସମାଲୋଚନା, ଆଲୋଚନା, ଏବଂ ଆତ୍ମଚରିତ ଦେଶବାସୀଙ୍କୁଭେଟି ଦେଇଛନ୍ତି ସେଗୁଡ଼ିକ ହେଲା:

କବିତା ଗ୍ରନ୍ଥ

  • ପଥେୟ - ୧୯୩୧ (ପ୍ରଥମ କବିତା ଗ୍ରନ୍ଥ)
  • ଛୋଟ ମୋର ଗାଁଟି
  • ପୂର୍ଣିମା -୧୯୩୩
  • ଅଭିଯାନ - ୧୯୩୮ (୧୯୪୮)
  • ପଲ୍ଲୀଶ୍ରୀ - ୧୯୪୧ (୧୯୪୦)
  • ବାଜି ରାଉତ - ୧୯୪୧ (ହରିନ୍ଦ୍ର ନାଥ ଚଟ୍ଟୋପାଧ୍ୟାୟଙ୍କ ଦ୍ଵାରା The Boatman Boy and Forty other poems ନାମରେ ଇଂରାଜୀରେ ଅନୁବାଦିତ)
  • ପାଣ୍ଡୁଲିପି - ୧୯୪୭
  • ହସନ୍ତ - ୧୯୪୮
  • ଭାନୁମତୀର ଦେଶ - ୧୯୪୯
  • ରକ୍ତଶିଖା - ୧୯୪୯
  • ସ୍ଵାଗତ - ୧୯୫୮
  • କବିତା ୧୯୬୨ - ୧୯୬୨
  • କବିତା ୧୯୬୯- ୧୯୬୯
  • କବିତା ୧୯୭୧ - ୧୯୭୧
  • କବିତା ୧୯୭୪ -୧୯୭୪
  • କବିତା ୧୯୮୩ -୧୯୮୩
  • କବିତା ୧୯୮୫ -୧୯୮୫
  • କବିତା ୧୯୮୭ -୧୯୮୭
  • କବିତା ୧୯୯୦ -୧୯୯୦
  • ଛାଇ -୧୯୪୮
  • ସାହିତ୍ୟ ବିଚାର ଓ ମୂଲ୍ୟବୋଧ -୧୯୮୩
  • ଆଧୁନିକ ସାହିତ୍ୟର କେତୋଟି ଦିଗ -୧୯୮୩
  • ଉତ୍ତରକକ୍ଷ (ଦ୍ୱିତୀୟ ଭାଗ) ଆତ୍ମଚରିତ - ୨୦୦୦

କ୍ଷୁଦ୍ର ଗଳ୍ପ

  • ମଶାଣିର ଫୁଲ
  • ମଲା କଈଁ
  • ଆଙ୍ଗୁଠି
  • ମାଟିର ତେଜ
  • ହାଟର କାହାଣୀ
  • ମାଙ୍କଡ ଓ ଅନ୍ୟାନ୍ୟ ଗଳ୍ପ
  • ରାଜା ପୁଅ
  • ଛାଇ -୧୯୪୮
  • ନୂତନ ଗଳ୍ପ -୧୯୯୦

ଉପନ୍ୟାସ

  • ଚିତ୍ରଗ୍ରୀବ - ୧୯୩୫ (ଏକ ନାୟିକାବିହୀନ ଉପନ୍ୟାସ ଏବଂ ଏଥିରେ ବିଶେଷ କରି ମାର୍କ୍ସବାଦର ସେ ବିଶ୍ଲେଷଣ କରିଛନ୍ତି)
  • ତଳେ ମାଟି ଉପରେ ଆକାଶ
  • ସାଗର ତଳର ଢେଉ

ସମାଲୋଚନା

  • ସାହିତ୍ୟରେ ମୂଲ୍ୟବୋଧ -୧୯୭୪
  • ସାହିତ୍ୟ ବିଚାର ଓ ମୂଲ୍ୟବୋଧ -୧୯୮୩
  • ଆଧୁନିକ ସାହିତ୍ୟର କେତୋଟି ଦିଗ -୧୯୮୩

ଆଲୋଚନା

  • ଜୟଦେବ ଓ ରାମାୟଣ ବନାମ ମହାଭାରତ

ଆତ୍ମଚରିତ

  • ଉତ୍ତରକକ୍ଷ (ପ୍ରଥମ ଭାଗ) ଆତ୍ମଚରିତ -୧୯୯୮
  • ଉତ୍ତରକକ୍ଷ (ଦ୍ୱିତୀୟ ଭାଗ) ଆତ୍ମଚରିତ - ୨୦୦୦

ସମ୍ପାଦନା

  • ଦିଗନ୍ତ ପତ୍ରିକା

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ, ୧୯୬୨
  • ଉତ୍କଳ ରତ୍ନ ସମ୍ମାନ, ୧୯୯୪
  • କବିତା-୧୯୬୨ ପାଇଁ ସାହିତ୍ୟ ଏକାଡେମି ପୁରସ୍କାର
  • ସୋଭିଏତ ଲାଣ୍ଡ ନେହେରୁ ପୁରସ୍କାର, ୧୯୬୫
  • ୧୯୮୬ରେ ଜ୍ଞାନପୀଠ ପୁରସ୍କାର
  • ମହାକବି ସମ୍ମାନ ସମ୍ମାନନୀୟ ଡକ୍ଟରେଟ - ୧୯୯୮

ଆଧାର -

  1. "ଦଅ ହିନ୍ଦୁ"
  2. "ଓଡିଶା ଡାଇରୀ"

 

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top