ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସୌର ପରିବାର ପୁନଶ୍ଚ ନବଗ୍ରହ
ସେଆର କରନ୍ତୁ

ସୌର ପରିବାର ପୁନଶ୍ଚ ନବଗ୍ରହ

ସୌର ଜଗତର ନବଗ୍ରହ ସମ୍ବନ୍ଧରେ ସୂଚନା ଏଠାରେ ମିଳିବ

ଉପକ୍ରମ

ସୌର ଜଗତ

ଆମେରିକାର  ପେସାଡେନାସ୍ଥିତ କାଲିଫର୍ଣ୍ଣିଆ  ଇନ୍ ଷ୍ଟିଚ୍ୟୁଟ୍ ଅଫ  ଟେକ୍ନୋଲୋଜିର  କୋନ୍ ଷ୍ଟାନ୍ଟିନ ବାଟିଗିନ୍ ଏବଂ ମାଇକ୍ ବ୍ରାଉନ୍ ଚେପ୍ ଚୁନ ସହିତ ପ୍ରାୟ ସମାନ ଆକାରର ଏକ ମହାକାଶ ପିଣ୍ଡର ସନ୍ଧାନ ପାଇଥିବାର ସୂଚନା ଦେଇଛନ୍ତି ।

ନବଗ୍ରହ ସମ୍ବନ୍ଧରେ

ଆମ ଜ୍ୟୋତିଷବିଦ୍ୟାରେ ନ’ଟି ଗ୍ରହଙ୍କ କଥା କୁହାଯାଏ । ସେଗୁଡିକ  ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଆମ ଭାଗ୍ୟ ତଥା ପ୍ରାକୃତିକ କ୍ରିୟାପ୍ରକ୍ରିୟାକୁ  ନିୟନ୍ତ୍ରିତ କରନ୍ତି ବୋଲି  ଏଥିରେ ବର୍ଣ୍ଣିତ ଅଛି ।  ତେବେ ଏହା ମୂଳରେ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଏବଂ ଏପରିକି ଏହି ତଥାକଥିତ ମହାକାଶ  ପିଣ୍ଡଙ୍କର ସ୍ଥିତି ମଧ୍ୟ ନାହିଁ । ଅନ୍ୟପକ୍ଷରେ, ୧୯୨୮ ମସିହାରେ କ୍ଲାଇଡ୍ ଡବ୍ଲ୍ୟୁ ତୋମ୍ବଗ୍ ନେପ୍ଚୁନ ଗ୍ରହ ବାହାରେ କୁଲପର ପଟ୍ଟି ନାମକ ଏକ  ବଳୟରେ ରହି ସୂର୍ଯ୍ୟଙ୍କୁ ପରିକ୍ରମା କରିଥିବା ମହାକାଶ ପିଣ୍ଡଙ୍କ ମଧ୍ୟରେ ପ୍ଲୁଟୋକୁ ଆବିଷ୍କାର କଲା ପରେ ଜ୍ୟୋତିର୍ବିଜ୍ଞାନୀମାନେ ମଧ୍ୟ ସୌର ଜଗତରେ ନ’ଟି ଗ୍ରହ ଥିବା ମନେକଲେ । କାରଣ, ସେତେବେଳେ ସୌର ପରିବାରରେ ଗୃହଭଡ଼ା ଦୃଷ୍ଟିରୁ ନବମ ଏବଂ ବସ୍ତୁତ୍ଵ ଦୃଷ୍ଟିରୁ ଦଶମ ହୋଇଥିବା ଏହି ପିଣ୍ଡକୁ ଗ୍ରହଟିଏ ରୂପେ ଗ୍ରହଣ କରାଗଲା । କିନ୍ତୁ ୨୦୦୫ ମସିହାରେ ଏରିସ୍ ନାମକ ଆଉ ଏକ ମହାକାଶ ପିଣ୍ଡ କୁଇପର ପଟ୍ଟି ମଧ୍ୟରେ ଆବିଷ୍କାର ହେଲା, ଯାହାକି ପ୍ଲୁଟୋ ଅପେକ୍ଷା ୨୭% ଅଧିକ ବସ୍ତୁତ୍ଵ ସମ୍ପନ୍ନ  । କିଛି ସମୟ ଧରି ଏହାକୁ  ଦଶମ ଗ୍ରହ ବୋଲି କୁହାଗଲା ।  କିନ୍ତୁ ଠିକ୍ ଏହାପରେ ଆନ୍ତର୍ଜାତିକ ଜ୍ୟୋତିର୍ବିଜ୍ଞାନ ସଂସ୍ଥାନ କୌଣସି ମହାକାଶ ପିଣ୍ଡକୁ ଗ୍ରହ ରୂପେ ପରିଗଣିତ ହେବା ପାଇଁ କେତେକ ସର୍ତ୍ତ ତିଆରି କଲେ । ପ୍ଲୁଟୋ କିମ୍ବା ଏରିସ୍ କେହି ସେଗୁଡିକ  ପୂରଣ କରିପାରିଲେ ନାହିଁ । ତେଣୁ ସେଗୁଡିକୁ କୁହାଗଲା ବାମନ ଗ୍ରହ । ଏଣୁ ବର୍ତ୍ତମାନ ଆମ ସୌର ଜଗତରେ ରହିଛି ଆଠଟି ଗ୍ରହ ।

ଗବେଷଣା

ତେବେ ନିକଟରେ ଆଷ୍ଟ୍ରୋନୋମିକାଲ ଜର୍ନାଲ (ଜାନୁୟାରୀ, ୨୦୧୬)ରେ ଆମେରିକାର ପେସାଡେନାସ୍ଥିତ କାଲିଫର୍ଣ୍ଣିଆ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର କୋନ୍ ଷ୍ଟାନ୍ଟିନ ବାଟିଗିନ୍ ଏବଂ ମାଇକ୍ ବ୍ରାଉନ୍ ଏକ କ୍ଷୁଦ୍ର ନିବନ୍ଧରେ  ନେପ୍ଚୁନ ସହିତ ପ୍ରାୟ ସମାନ ଆକାରର ଏକ ମହାକାଶ ପିଣ୍ଡର ସନ୍ଧାନ ପାଉଥିବାର ସୂଚନା ଦେଇଛନ୍ତି । ଏ ପର୍ଯ୍ୟନ୍ତ ଆଖିରେ ଦେଖିବା ସମ୍ଭବ ହୋଇ ନ ଥିବା ଏହି ପିଣ୍ଡଟି ସୂର୍ଯ୍ୟଙ୍କୁ ଥରେ ପରିକ୍ରମା କରିବାକୁ ୧୦ ହଜାରରୁ ୨୦ ହଜାର ବର୍ଷନିଏ । ସେମାନେ ଏହାକୁ ନବମ ଗ୍ରହ ରୂପେ ନାମିତ କରିଛନ୍ତି । ଏହାର ବସ୍ତୁତ୍ଵ ପୃଥିବୀର ୧୦ ଗୁଣ ଏବଂ ସୂର୍ଯ୍ୟଙ୍କଠାରୁ ନେପ୍ଚୁନ ଦୂରତାର ହାରାହାରି ୨୦ ଗୁଣ ଦୂରରେ ଅବସ୍ଥିତ, ଯାହାକି ହେବ ୨.୮ ହଜାର ନିୟୁତ ମାଇଲ୍ ।

ନେପ୍ଚୁନ ଉନବିଂଶ ଶତାଦ୍ଦୀର ମଧ୍ୟଭାଗରେ ଆବିଷ୍କୃତ ହୋଇଥିଲା । ସେହି ସମୟଠାରୁ ଜ୍ୟୋତିର୍ବିଜ୍ଞାନୀମାନେ ଏହା ବାହାରେ ଗ୍ରହଙ୍କ ଅନୁସନ୍ଧାନ କରିଆସୁଛନ୍ତି । କକ୍ଷ ମଧ୍ୟରେ ନେପ୍ଚୁନ୍ ର ଚଳନ ବିଚିତ୍ର ଧରଣର ହୋଇଥାଏ । ତହିଁରୁ ସେମାନେ ଅନୁମାନ କରୁଥିଲେ ଯେ ସମ୍ଭବତଃ ତା’ର ଏ ପ୍ରକାର ଚଳନ ଘଟୁଛି କୌଣସି ଏକ ଭାରି ମହାକାଶପିଣ୍ଡର ପ୍ରଭାବରୁ । ଏହାରି ଉପରେ ଭିତ୍ତିକରି ଚଳାଇଥିବା ଅନୁସନ୍ଧାନ ଫଳରେ ସେମାନେ ନେପ୍ଚୁନ୍ ବାହାରେ କୁଇପର ପଟ୍ଟି ଗଠନ କରୁଥିବା ଅନେକଗୁଡିଏ ପିଣ୍ଡ ଆବିଷ୍କାର କରିବାକୁ ଉଲ୍ଲେଖଯୋଗ୍ୟ ଥିଲା ପ୍ଲୁଟୋ । ତେଣୁ କିଛି ସମୟ ପାଇଁ ମନେକରାଗଲା ଯେ, ସମ୍ଭବତଃ ନେପ୍ଚୁନର ବକ୍ର ଚଳନକୁ ଏହା ହିଁ ପ୍ରଭାବିତ କରୁଛି । କିନ୍ତୁ ପରେ ପରେ ଏହା ସେଥିପାଇଁ ଯଥେଷ୍ଟ ବଡ ହୋଇ ନ ଥିବାର ବିଚାର କରାଗଲା ଏବଂ ସେପରି ଘଟାଇବାକୁ ଦାବିଦାର ହେବାକୁ ଉପଯୁକ୍ତ ବୃହତ୍ତର ଗ୍ରହମାନଙ୍କ ସନ୍ଧାନ ଅବ୍ୟାହତ ରହିଲା । ପରିଣାମ ସ୍ୱରୂପ ବାଟିଗିନ୍ ଓ ବ୍ରାଉନ୍ ଦୁହେଁ ନବମ  ଗ୍ରହର ଉପସ୍ଥିତି ସମ୍ପର୍କରେ ଉପସଂହାରରେ ପହଞ୍ଚିଲେ । ସେମାନଙ୍କ ମତରେ ଏହା କେବଳ ଯେ ନେପ୍ଚୁନର ଚଳନକୁ ପ୍ରଭାବିତ କରୁଛି, ତାହା ନୁହେଁ କୁଇପର ପଟ୍ଟିରେ ଥିବା ଆହୁରି ଛ’ଟି ପିଣ୍ଡଙ୍କ ଗତିପଥକୁ ମଧ୍ୟ ବିଚିତ୍ର ଭାବେ ଉପବୃତ୍ତାକାର କରିବା ସଙ୍ଗେ ସଙ୍ଗେ ସେଗୁଡିକୁ ସେମାନଙ୍କ କକ୍ଷରୁ ଢଳାଇ ରଖୁଛି ।

ବାଟିଗିନ୍ ଓ ବ୍ରାଉନ୍ ଙ୍କ ଆବିଷ୍କୃତ ନବମ ଗ୍ରହଟି ତା’ର ଉପବୃତ୍ତାକାର କକ୍ଷରେ ଢଳିଢଳି ଗତି କଲାବେଳେ ଯେତେବେଳେ ସୂର୍ଯ୍ୟଙ୍କର ନିକଟତମ ଅବସ୍ଥିତିକୁ  ଆସେ, ସେତେବେଳେ ଏହାର ଦୂରତା ହୁଏ ନେପ୍ଚୁନ୍ ତୁଳନାରେ  ୭ ଗୁଣ  ଅଧିକ, ଯାହାକି ପ୍ରାୟ ୨୦୦ ଆଷ୍ଟ୍ରୋନୋମୀୟ ଏକକ । (୧ ଆଷ୍ଟ୍ରୋନୋମୀୟ ଏକକ = ୧୫୦ ନିୟୁତ କିଲୋମିଟର । ଏହା ହେଉଛି ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୁରତ୍ଵ ) । ସୂର୍ଯ୍ୟଠାରୁ ଏତେ ଦୂରରେ ଅବସ୍ଥାନ କରୁଥିବାରୁ ଏହାର ପୃଷ୍ଠଦେଶ ଶୀତଳ  ଓ ବରଫାବୃତ ହୋଇଥିବାର ମନେକରାଯାଏ । ସୂର୍ଯ୍ୟଙ୍କର ନିକଟତମ ହୋଇଥିଲା ବେଳେ ଯଦି ଆମେ ଏହା ପାଖକୁ, ବିଗତବର୍ଷ ପ୍ଲୁଟୋ ନିକଟ ଦେଇ ଗତି କରିଥିବା ନିଉ ହରାଇଜନ୍ ଭଳି  ମହାକାଶଯାନଟିଏ ପଠାଉ, ତେବେ ତାହା ସେଠାରେ ପହଞ୍ଚିବାକୁ  ନେବ ଅନ୍ତତଃ ୬୩  ବର୍ଷ । ଅନ୍ୟପକ୍ଷରେ  ତାହା ଦୂରତମ ଅବସ୍ଥିତିରେ ଥିଲେ ସେଥିପାଇଁ ପ୍ରାୟ ୩୦୦ ବର୍ଷ ଲାଗିଯିବ । ସେ ଯାହାହେଉନା  କାହିଁକି, ଏହି ଗ୍ରହଟି ଦର୍ଶନ ମାଧ୍ୟମରେ ନିଶ୍ଚିତ ହେଲା ପରେ ସୌର ପରିବାର ପୁନଶ୍ଚ ପାଲଟିବ ନବଗ୍ରହ ବିଶିଷ୍ଟ ।

ଆଧାର – ଦୈନିକ ଧରିତ୍ରୀ

 

3.83333333333
Radhanath Parida Mar 29, 2016 04:54 PM

ସୋଲାର ପରିବାର ସମ୍ବନ୍ଧରେ ସାମୟିକ ଜ୍ଞାନ ଜାଣିବା ସମସ୍ତଙ୍କର ଦରକାର

Sagarika Bardhan Mar 29, 2016 04:03 PM

ଏହି ବାର୍ତ୍ତା ଦ୍ଵାରା ନବଗ୍ରହ ବିଷୟରେ ଜାଣିପାରୁଛୁ ଯାହା ପିଲା ପାଇଁ ଦରକାର ମଧ୍ୟ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top