ସେଆର କରନ୍ତୁ

ସରୋଜିନୀ ନାଇଡୁ

ସରୋଜିନୀ ନାଇଡୁ ସ୍ଵାଧୀନତା ସଂଗ୍ରାମୀ ବିଷୟରେ ସୂଚନା ଦିଆଯାଇଛି ।

ଉପକ୍ରମ

ସରୋଜିନୀ ନାଇଡୁ ଜଣେ କବି, ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା ।

ସେ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ । ସରୋଜିନୀଙ୍କୁ ଭାରତୀୟ କୋକିଳ ବୋଲି କୁହାଯାଏ ।

ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୁପେ ସରୋଜିନୀ ନାଇଡୁଙ୍କ ଅବଦାନ ଅତୁଳନୀୟ ।ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ଜନ୍ମ

ସରୋଜିନୀ ନାଇଡୁ ୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିଲେ । ଡକ୍ଟର ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ତାଙ୍କର ପତ୍ନୀ ବରଦା ସୁନ୍ଦରୀ ଦେବୀଙ୍କ ଆଠଟି ସନ୍ତାନ ମଧ୍ୟରୁ ଜ୍ୟେଷ୍ଠ ସନ୍ତାନ ଥିଲେ। ବ୍ରାହ୍ମଣ ପରିବାରରେ ଜନ୍ମହୋଇଥିଲେ ମଧ୍ୟ ମୁସଲମାନ ସଂସ୍କୃତି ପ୍ରଧାନ ହାଇଦ୍ରାବାଦ ସହରରେ ବଢିଥିବାରୁ ସେ ନିଜକୁ ଅଧା ହିନ୍ଦୁ ଅଧା ମୁସଲମାନ ମନେ କରୁଥିଲେ ।ପିତା ଅଘୋରନାଥ ଜଣେ ଜ୍ଞାନୀ,ଗୁଣୀ ଓ ପ୍ରକୃତିପ୍ରେମୀ ବ୍ୟକ୍ତି।ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ ସେ ପାରଦର୍ଶିତା ହାସଲ କରିଥିଲେ।ମାତା ବରଦା ସୁନ୍ଦରୀ ମଧ୍ୟ ଜଣେ ଶିକ୍ଷିତା ମହିଳା ଥିଲେ।ସେ ବଙ୍ଗଳା ଭାଷାରେ କବିତା ରଚନା କରୁଥିଲେ।ଉଭୟଙ୍କର ପ୍ରତିଭା ସରୋଜିନୀଙ୍କ ପାଖରେ ଦେଖିବାକୁ ମିଳିଥିଲା।

ପିଲାଦିନ

ସରୋଜିନୀଙ୍କର ପିଲାଦିନ ଅତି ଅୟସରେ କଟିଥିଲା।ଅଭାବ କ'ଣ ସେ ତାହା ଜାଣି ନ ଥିଲେ।ସେ ଜଣେ ବିଭାବଶାଳୀ ପରିବାରର କନ୍ୟା ଥିବାରୁ ତାଙ୍କ ବେଶଭୁଷାରେ ମଧ୍ୟ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଥିଲା।ସେ ସମୟର ଇଂରେଜ ମାନଙ୍କ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା।ସେମାନଙ୍କ ଚାଲିଚଳନ ଓ ବେଶଭୂଷା ତାଙ୍କୁ ଆକର୍ଷିତ କରିଥିଲା।ସେଥିପାଇଁ ପିଲାଦିନୁ ସେ ପାଶ୍ଚାତ୍ୟ ଚଳଣି ଓ ଖାଦ୍ୟପେୟ ପସନ୍ଦ କରୁଥିଲେ। ତାଙ୍କ ପରିବାରରେ ସମସ୍ତେ ବଙ୍ଗୀୟ ସଂସ୍କୃତିଦ୍ୱାରା ପ୍ରଭାବିତ ହୋଇଥିଲେ।କିନ୍ତୁ ବଙ୍ଗଭୂମି ଛାଡି ହାଇଦ୍ରାବାଦ ଆସିଲା ପରେ ସେମାନେ ଇଂରାଜୀ ଭାଷାକୁ ଆଦରିନେଇଥିଲେ।ଯଦିଓ ସରୋଜିନୀ ଇଂରେଜ ମାନଙ୍କ ଚଳଣି ଓ ସଭ୍ୟତାକୁ ପସନ୍ଦ କରୁଥିଲେ,କିନ୍ତୁ ଇଂରେଜୀ ଭାଷାରେ କଥାବାର୍ତ୍ତା କରିବାକୁ ଭଲପାଉନଥିଲେ।ସେ ଇଂରେଜୀ ଭାଷା ଶିଖିବାକୁ ଆଗ୍ରହୀ ନୁହନ୍ତି ବୋଲି ଥରେ ବାପାଙ୍କୁ କହିଥିଲେ ଏବଂ ଏହା ଶୁଣି ଅଘୋରନାଥ ରାଗିଯାଇ ତାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ।କାରଣ ସେତେବେଳେ ଇଂରାଜୀ ଭାଷା ଓ ଜ୍ଞାନ ହିଁ ଥିଲା ସଫଳତାର ଚାବିକାଠି।ପିତା ବହୁତ ବୁଝାଇବାପରେ ସେ ନିଜ ମତ ବଦଳାଇଥିଲେ।ଅଘୋରନାଥ ତାଙ୍କ ପାଇଁ ଜଣେ ଭଲ ଇଂରାଜୀ ଓ ଫରାସୀ ଗୃହଶିକ୍ଷକ ନିଯୁକ୍ତ କରିଥିଲେ।ଧୀରେଧୀରେ ଇଂରାଜୀ ଭାଷା ମଧ୍ୟ ତାଙ୍କର ଅତି ପ୍ରିୟ ହୋଇଗଲା।କେବଳ କଥାବାର୍ତ୍ତା ନୁହେଁ ସେ ଇଂରାଜୀରେ ଲେଖାଲେଖି ମଧ୍ୟ ଆରମ୍ଭ କରିଦେଲେ।

ପାଠପଢ଼ା

ସରୋଜିନୀଙ୍କ ପିତା ଅଘୋରନାଥ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ ହାଇଦ୍ରାବାଦସ୍ଥିତ ଏକ କଲେଜ୍ ର ଅଧ୍ୟକ୍ଷ ଥିଲେ।ତେଣୁ ସେ ବଡଝିଅ ସରୋଜିନୀକୁ ନିଜ ଢାଞ୍ଚାରେ ଗଢିବାକୁ ଚାହୁଁଥିଲେ।ସେଥିପାଇଁ ସେ ତାଙ୍କୁ କୌଣସି ସାଧାରଣ ସ୍କୁଲରେ ନପଢାଇ ଇଂରେଜୀ ସ୍କୁଲରେ ପଢ଼ାଇଥିଲେ ଓ ଅଙ୍କ କଷିବା ଓ ବିଜ୍ଞାନ ପଢ଼ିବା ଉପରେ ଗୁରୁତ୍ୱ ଦେଉଥିଲେ।କିନ୍ତୁ ସରୋଜିନୀ କବିତା ଲେଖିବାକୁ ଅଧିକ ପସନ୍ଦ କରୁଥିଲେ।ସେହି ସମୟରେ ହାଇଦ୍ରାବାଦରେ ଝିଅମାନଙ୍କ ପାଇଁ ଭଲ ହାଇସ୍କୁଲ ନଥିଲା।ତେଣୁ ଶିକ୍ଷା ପାଇଁ ତାଙ୍କୁ ମାଡ୍ରାସ ଯିବାକୁ ପଡ଼ିଥିଲା।ମାତ୍ର ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ମାଡ୍ରାସ ବିଶ୍ଵବିଦ୍ୟାଳୟରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । କୁହାଯାଏ ସରୋଜିନୀଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର ନିଜାମ ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ । ତେରବର୍ଷ ବୟସରେ ପ୍ରାୟ ୬ ଦିନ ମଧ୍ୟରେ ସେ ୧୩୦୦ ପଦରେ ଲେଡି ଅଫ ଦି ଲେକ୍ ନାମକ ଦୀର୍ଘ କବିତା ରଚନା କରିଥିଲେ।ଏହାଛଡା ଏକ ୨୦୦୦ ଧାଡ଼ିର ନାଟକ ମଧ୍ୟ ଲେଖିଥିଲେ।

ବିଦେଶଯାତ୍ରା

ସେ ପାର୍ସି ଭାଷାରେ ମେହେର୍ ମୁନିର୍ ନାମକ ନାଟିକା ରଚନା କରିଥିଲେ ଏହା ଏକ ପତ୍ରିକାରେ ପ୍ରକାଶିତ ହୋଇ ଆଲୋଡନ ସୃଷ୍ଟି କରିଥିଲା।ଏଥିପାଇଁ ତାଙ୍କୁ ୧୮୮୫ ମସିହାରେ ହାଇଦ୍ରାବାଦର ନିଜାମଙ୍କ ତରଫରୁ ବାର୍ଷିକ ୩୦୦ ପାଉଣ୍ଡ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ଓ ସେ ଉଚ୍ଚଶିକ୍ଷା ପାଇଁ ୧୬ ବର୍ଷ ବୟସରେ ବିଲାତ ଯାତ୍ରା କରିଥିଲେ। ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା ।ଏହି ସମୟରେ ଆନିବେସାନ୍ତ ଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା। ଇଂଲଣ୍ଡ ରେ ଥିବାବେଳେ ପ୍ରସିଦ୍ଧ ଲେଖକ ଓ ସମାଲୋଚକ ଏଡ଼ମଣ୍ଡ ଗସ୍ ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା।ତାଙ୍କର ଯେଉଁସବୁ ଲେଖା ବ୍ରିଟିସ୍ ପତ୍ରିକାରେ ପ୍ରକାଶିତ ହେଉଥିଲା ଏଡ଼ମଣ୍ଡ ସେସବୁକୁ ପଢି ତାଙ୍କୁ ପ୍ରେରଣା ଓ ପରାମର୍ଶ ଦେଉଥିଲେ । ପରେ ସେ, ତାଙ୍କରି ନିର୍ଦେଶରେ ଭାରତୀୟ ପରିବେଶକୁ ଆଧାର କରି କବିତା ଲେଖିଥିଲେ।ଏହାଦ୍ୱାରା ତାଙ୍କର ଲେଖା ସ୍ଵଦେଶଭିମୁଖୀ ହୋଇପାରିଥିଲେ ଓ ବିଦେଶରେ ତାଙ୍କର ସୁଖ୍ୟାତି ବ୍ୟାପିଯାଇଥିଲା।ସେ ଲଣ୍ଡନ ର କିଂଗ୍ସ କଲେଜ୍ , କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଓ ଗର୍ଟନ କଲେଜ୍ ଆଦିରେ ଅଧ୍ୟୟନ କରିଥିଲେ।ଲଣ୍ଡନରେ ୩ବର୍ଷ ରହିବା ପରେ ସ୍ଵସ୍ଥ୍ୟହାନୀ ଘଟିଥିଲା।ତେଣୁ ଜଳବାୟୁ ପରିବର୍ତ୍ତନ ପାଇଁ ସେ ଇଟାଲୀ ଓ ସୁଇଜରଲ୍ୟାଣ୍ଡ ଯାତ୍ରା କରିଥିଲେ। ଇଟାଲୀ ତାଙ୍କୁ ଖୁବ୍ ଅଭିଭୂତ କରିଥିଲା।ଏହାପରେ ବିଦେଶରୁ କୌଣସି ଡିଗ୍ରୀ ହାସଲ ନ କରି ସରୋଜିନୀ କେବଳ ବିପୁଳ ଅଭିଜ୍ଞତା ଓ ନୂତନ ଚିନ୍ତାଧାରାକୁ ସାଙ୍ଗରେ ଧରି ୧୮୮୯ ରେ ଭାରତକୁ ଫେରିଆସିଥିଲେ।

ବୈବାହିକ ଜୀବନ

ସରୋଜିନୀଙ୍କୁ ଯେତେବେଳେ ୧୯ ବର୍ଷ ସେ ନିଜାମଙ୍କ ଚିକିତ୍ସକ ଗୋବିନ୍ଦରାଜୁଙ୍କ ପ୍ରେମରେ ପଡ଼ିଥିଲେ । ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣ କୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରି ସେହିବର୍ଷ ଡିସେମ୍ବର ମାସରେ ତାଙ୍କୁ ବିବାହ କରିଥିଲେ । ଏହାପରେ ସେ ସରୋଜିନୀ ଚଟ୍ଟୋପାଧ୍ୟାୟ ରୁ ସରୋଜିନୀ ନାଇଡୁ ହୋଇଯାଇଥିଲେ। ସରୋଜିନୀଙ୍କ ଗାର୍ହସ୍ଥ୍ୟ ଜୀବନ ସୁଖମୟ ଥିଲା । ବିବାହ ପରେ ସେ ୪ ଟି ସନ୍ତାନର ଜନନୀ ହୋଇଥିଲେ।ସେମାନେ ଥିଲେ ଜୟସୁର୍ଯ୍ୟ, ପଦ୍ମଜା,ରଣଧୀର ଓ ଲୀଳାମଣି।

ଦେଶସେବା

ଉର୍ଦ୍ଧୁ, ତେଲୁଗୁ, ଇଂରାଜୀ, ପାର୍ଶି ଓ ବଙ୍ଗଳା ଭାଷାରେ ଦକ୍ଷତା ହାସଲ କରିଥିଲେ୧୯୧୫ରୁ ୧୯୧୮ ପର୍ଯ୍ୟନ୍ତ ସେ ଯୁବଶକ୍ତିକୁ ଜାଗ୍ରତ କରାଇବା ସହ ମହିଳା ସଶକ୍ତିକରଣ ଉପରେ ସମଗ୍ର ଦେଶବୁଲି ବକ୍ତୃତା ଦେଇଥିଲେ । ୧୯୧୬ରେ ଜବାହାରଲାଲ ନେହେରୁଙ୍କ ସଂପର୍କରେ ଆସିବାପରେ, ଚମ୍ପାରନ୍ ଆନେ୍ଦାଳନରେ ସାମିଲ ହୋଇଥିଲେ । ୧୯୧୯ ଜୁଲାଇରେ ନାଇଡୁ ହୋମରୁଲ ଲିଗର ଇଂଲଣ୍ଡ ଦୂତଭାବେ ଅବସ୍ଥାପିତ ହେଲେ । ୧୯୨୦ରେ ଭାରତ ଫେରିଲେ ଓ ଅଗଷ୍ଟ ୧ରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ୧୯୨୫ରେ କଂଗ୍ରେସର ଅଧ୍ୟକ୍ଷଭାବେ ନିର୍ବାଚିତ ହେଲେ । ୧୯୩୦ ଜାନୁୟାରୀ ୨୬ରେ ମହାତ୍ମାଗାନ୍ଧୀ ଗିରଫ ହେବାର କିଛି ସମୟ ପରେ ସରୋଜିନୀ ନାଇଡୁଙ୍କୁ ମଧ୍ୟ ଗିରଫ କରାଗଲା ଓ ତାଙ୍କୁ ୧୯୩୧ ଜାନୁୟାରୀ ୩୧ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିଥିଲା । ଭାରତ ସ୍ୱାଧୀନ ହେବାପରେ ସରୋଜିନୀ ଉତ୍ତର ପ୍ରଦେଶ ତଥା ଭାରତର ପ୍ରଥମ ମହିଳା ରାଜ୍ୟପାଳ ହେଲେ । ଅଧିକାର ପାଇଁ ସଂଗ୍ରାମ ହେଉ, କିମ୍ବା ହିନ୍ଦୁ-ମୁସଲମାନ ଏକତା ପ୍ରସଙ୍ଗ ହେଉ ସେ ସର୍ବଦା ନିଷ୍ଠା ଓ ସାହସିକତା ଦେଖାଇଥିଲେ । ସେଥିପାଇଁ ଗାନ୍ଧିଜୀ ତାଙ୍କୁ ଶ୍ରଦ୍ଧାରେ "ଆଜିର ମୀରାବାଈ" ଡାକୁଥିଲେ ।

ରଚନାବଳୀ

ସରୋଜିନୀ ନାଇଡୁ ଇଂରାଜୀ କବିତାରେ ଲେଖୁଥିଲେ, ତାଙ୍କର ଇଂରାଜୀ କବିତା ଗ୍ରନ୍ଥ ‘ଇଣ୍ଡିୟାନ୍ ଡ୍ୟାନସରସ୍’, ‘ଦି ଇଣ୍ଡିଆନ୍ ଜିପ୍ସି’, ‘ଦି କୁଇନସ୍ ରାଇଭାଲ’, ‘ନାଇଟ୍ ଫଲ ଇନ୍ ଦି ସିଟ ଅଫ୍ ହାଇଦରାବାଦ୍’, ‘ଟୁ ଇଣ୍ଡିଆ’ ଏବଂ ‘ଗୁରେଦାନ’ କବିତାଗୁଡ଼ିକ ବିଶେଷତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ।

  • ଦ ଗୋଲ୍ଡନ ଥ୍ରେସ୍ ହୋଲ୍ଡ - ୧୯୦୫
  • ଦ ବାର୍ଡ ଅବ୍ ଟାଇମ-୧୯୧୨
  • ଦ ବ୍ରୋକନ ଉଇଙ୍ଗ-୧୯୧୭

ଗୁରୂତ୍ଵପୂର୍ଣ୍ଣ ଘଟଣାବଳୀ

  • ୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ସରୋଜିନୀ ସକ୍ରିୟ ଭାବରେ ଭାରତର ସ୍ଵାଧୀନତା ଅନ୍ଦୋଳନରେ ଯୋଗଦେଲେ । ଅସହଯୋଗ ଆନ୍ଦୋଳନ ଓ ସତ୍ୟାଗ୍ରହରେ ଗାନ୍ଧିଜୀଙ୍କ ସହ କାମକରି ସେ ଅନେକ ସମୟ ଜେଲଦଣ୍ଡ ଭୋଗିଥିଲେ ।
  • ୧୯୧୯ ର ଜାଲିଆଁୱାଲାବାଗ ହତ୍ୟାକାଣ୍ଡର ପରେ ପରେ ସେ ହୃଦ୍‌ରୋଗରେ ପିଡ଼ିତ ହେବାରୁ ସେ ଇଂଲଣ୍ଡ ଯାଇଥିଲେ ।
  • ୧୯୨୪ ମସିହାରେ ସେ ପୂର୍ବ ଓ ଦକ୍ଷିଣ ଆଫ୍ରିକାଭ୍ରମଣରେ ଯାଇ ସେଠାରେ ଭାରତୀଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ ।
  • ୧୯୨୫ ମସିହାରେ ସେ ପ୍ରଥମେ ଭାରତୀୟ ମହିଳାଭାବେ କାନପୁର କଂଗ୍ରେସ ସମ୍ମିଳନୀର ସଭାପତିତ୍ଵ କରିଥିଲେ ।
  • ୧୯୩୦ ମସିହାରେ ଦାଣ୍ଡି ଲବଣ ସତ୍ୟାଗ୍ରହ ସମୟରେ ଗାନ୍ଧିଜୀ ବନ୍ଦୀ ହେଲାପରେ ସେ ପଚିଶ ହଜାର ସ୍ଵେଛାସେବୀଙ୍କୁ ନେଇ ଧାରସନା ଲୁଣ କାରଖାନା ଆନ୍ଦୋଳନ କରିଥିଲେ ।
  • ୧୯୩୧ ମସିହାରେ ଲଣ୍ଡନ ଗୋଲ ଟେବୁଲ ବୈଠକରେ ଭାରତୀୟ ମହିଳାମାନଙ୍କର ପ୍ରତିନିଧିତ୍ଵ କରିଥିଲେ ।
  • ୧୯୪୯ ମସିହାରେ ମାର୍ଚ୍ଚ ୩ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।

ଆଧାର -

"Biography of Naidu"

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top