ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସୁନାର ଆବିଷ୍କାର
ସେଆର କରନ୍ତୁ

ସୁନାର ଆବିଷ୍କାର

ସୁନାର ଆବିଷ୍କାର ର କାହାଣୀ

ଉପକ୍ରମଣ

ପ୍ରକୃତରେ କିଏ ସୁନା ଆବିଷ୍କାର କରିଥିଲେ ଓ କେଉଁଠି ତାହା ସବାପ୍ରଥମେ ଆବିଷ୍କାର କରାହୋଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାନାହିଁ । ଗ୍ରୀସ ଦେଶର ପୁରୁଣା ବିଖ୍ୟାତ କାବ୍ୟ ଗୁଡିକରେ ସୁନା ବିଷୟରେ ଲେଖା ରହିଛି । ମିଶରର ପୁରୁଣା ଶାସ୍ତ୍ରଗୁଡିକରେ ମଧ୍ୟ ଉତ୍ପାଦନ ସଂପର୍କରେ ଉଲ୍ଲେଖ ଅଛି । ମିଶରର ସମ୍ରାଟମାନଙ୍କୁ କୁହାହେଉଥିଲା ଫାରାହୋ । ଫାରାହୋମାନଙ୍କ କବରର କାନ୍ଥଗୁଡିକରେ ମଧ୍ୟ ଲେଖା ରହିଛି ସୁନା ସମ୍ବନ୍ଧରେ । ସାଢେ ତିନିହଜାର ବର୍ଷ ପୂର୍ବର ଲେଖାରୁ ବି ସୁନା ଖଣିଗୁଡିକ ବିଷୟରେ ସୂଚନା ମିଳିପାରୁଛି ।

ବର୍ଣ୍ଣନା

ପୁରାକାଳର ଲୋକେ ସୁନାକୁ ସୌନ୍ଦର୍ଯ୍ୟ ଓ କ୍ଷମତାସହ ଏକତ୍ର ଯୋଡିଥିଲେ । ସେତେବେଳେ ବିଭିନ୍ନ ମନ୍ଦିର, ଦେବଦେବୀଙ୍କ ମୂର୍ତ୍ତି ଏବଂ ରାଜାରାଣୀମାନଙ୍କର ବାସନକୁସନ, କପ୍ପ୍ଲେଟ୍ ଇତ୍ୟାଦି ସୁନାରେ ତିଆରି କରାଯାଇଥିଲା । ଧନୀଲୋକମାନେ ପିନ୍ଧୁଥିଲେ ସୁନାର ଗହଣାଗାଣ୍ଠି ।

ପ୍ରାଚୀନ ମିଶରର ଅଧିବାସୀମାନେ ବିଶ୍ୱାସ କରୁଥିଲେ ଯେ ସେମାନଙ୍କ ଦେବଦେବୀମାନଙ୍କ ଚର୍ମର ରଙ୍ଗଥିଲା ଠିକ୍ ସୁନାଭଳି । ମିଶରରେ ବେଶୀ ସୁନା ଉତ୍ପାଦିତ ହେଉଥିବାରୁ ମିଶର୍ ଥିଲା ଖୁବ୍ ଧନୀ । ଜିବ୍ରାଲ୍ଟର୍ଠାରୁ ଏସିଆ ମାଇନର୍ ପର୍ଯ୍ୟନ୍ତ ବିରାଟ ଅଂଚଳରୁ ଗ୍ରୀକ୍ମାନେ ଖଣିଖୋଳି ସୁନା ଉତ୍ତୋଳନ କରୁଥିଲେ । ରୋମାନ୍ମାନେ ମଧ୍ୟ ଖଣିରୁ ସୁନା ବାହାର କରିବାରେ ପଛେଇଯାଇ ନ ଥିଲେ ।

ଆଜିଠାରୁ ପ୍ରାୟ ୨୫୦୦ ବର୍ଷତଳେ ଲିଡିଆର ରାଜା (ଏବକାର ତୁର୍କୀ ରାଷ୍ଟ୍ରର ପଶ୍ଚିମ ଅଂଚଳ) କ୍ରୋଏସସ୍ ନିଜ ରାଜ୍ୟରେ ପ୍ରଥମ କରି ପ୍ରଚଳନ କରିଥିଲେ ସୁନା ତିଆରି ମୁଦ୍ରା । ସେହି ସୁନାମୁଦ୍ରାରେ ବ୍ୟବହୃତ ହୋଇଥିଲା ଶୁଦ୍ଧ ସୁନା । ସେଇ ସୁନାଟଙ୍କାଦେଇ ଚାଲିଥିଲା କିଣାବିକା, ବେପାର ବଣିଜ ।

ଭେନିସ୍ରେ ମଧ୍ୟ ସୁନାତିଆରି ମୁଦ୍ରାରେ କାରବାର ହେଉଥିଲା । ଏହି ସୁନାମୁଦ୍ରାର କାରବାର ଚାଲୁରହିଥିଲା ଦୀର୍ଘ ୫୦୦ ବର୍ଷଧରି ।

୧୭୦୦ ମସିହାରେ ସୁନା ଆବିଷ୍କୃତ ହୋଇଥିଲା ବ୍ରାଜିଲ୍ରେ । ଆମେରିକାର କାଲିଫର୍ଣ୍ଣିଆ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ମିଳିଥିଲା ପ୍ରଚୁର ସୁନା ।

ଆମ ଇଣ୍ଡିଆରେ ୨୦୦ ଏବଂ ୩୦୦ ଖ୍ରୀଷ୍ଟାବ୍ଦରେ ଛୋଟ ଛୋଟ ଖଣିରୁ ସୁନା ସଂଗ୍ରହ କରାଯାଉଥିଲା । ନବମ ଏବଂ ଦଶମ ଶତାବ୍ଦୀରେ, ଚୋଳ ବଂଶର ରାଜୁତି ସମୟରେ ବୃଦ୍ଧି ପାଇଥିଲା ଖଣିରୁ ସୁନା ଉତ୍ତୋଳନ । ପଂଚମ ଶତାବ୍ଦୀରେ, ଗୁପ୍ତବଂଶର ରାଜୁତି କାଳରେ କୋଲାର ସୁନାଖଣି ଅଂଚଳରୁ ସୁନା ବାହାର କରାଯାଉଥିଲା ।

କୋଲାର ସୁନାଖଣି ଅଂଚଳ କେଉଁଠି ଅବସ୍ଥିତ ଜାଣିଛ? ବାଙ୍ଗାଲୋର ସହରଠାରୁ ପୂର୍ବଆଡକୁ ପ୍ରାୟ ୨୨ କିଲୋମିଟର ଦୂରରେ ରହିଛି କୋଲାର୍ ସୁନାଖଣି । ଇଂରେଜ ଶାସନ ସମୟରେ ଗୋଟିଏ ବ୍ରିଟିଶ୍ କମ୍ପାନୀ ଏହି ସୁନା ଉତ୍ତୋଳନ କାମ ଆରମ୍ଭ କରିଥିଲେ । ତାହାଥିଲା ୧୮୮୦ ମସିହାର ଘଟଣା । ବେଶ୍ ବହୁପରିମାଣର ସୁନା ଉତ୍ପାଦନ କରାଯାଇପାରିଥିଲା ଇଂରେଜ ରାଜତ୍ୱ ସମୟରେ । ୧୯୪୭ ମସିହାରେ ଆମ ଦେଶ ସ୍ୱାଧୀନ ହେଲା । ଫଳରେ ବ୍ରିଟିଶ୍ କମ୍ପାନୀ ୧୯୭୨ ମସିହାରେ ଇଣ୍ଡିଆ ସରକାରଙ୍କୁ କୋଲାର ଖଣିରୁ ସୁନା ଉତ୍ପାଦନ କରିବାର ଦାୟିତ୍ୱ ଦେଇ ବାହୁଡିଗଲା ବ୍ରିଟେନ୍।

କୋଲାର ସୁନାଖଣିରୁ ଦୀର୍ଘ ୧୨୦ ବର୍ଷଧରି ସୁନା ଉତ୍ତୋଳନ ହୋଇ ଆସିଥିଲା । ଏଥିରୁ ବାହାରିଥିବା ସୁନାର ପରିମାଣ ଥିଲା ୭୫୦୦୦୦ (ସାଢେ ସାତଲକ୍ଷ) କିଲୋଗ୍ରାମ୍ । କୋଲାର ସୁନାଖଣିଟିର ଗଭୀରତା ଥିଲା ୩୨୦୦ ମିଟର୍ ଏବଂ ସୁଡଙ୍ଗଗୁଡିକର ମୋଟ ଦୈର୍ଘ୍ୟଥିଲା ୧୪୦୦ କିଲୋମିଟର୍ । ନାନା ଅସୁବିଧା କାରଣରୁ ୨୦୦୨ ମସିହା ଜାନୁଆରୀମାସଠାରୁ ଏଠାରେ ସୁନା ଉତ୍ପାଦନ ଆଉ ହେଉନାହିଁ ।

ତେବେ ପୃଥିବୀର କେଉଁ କେଉଁ ଦେଶରେ ସୁନା ଗଚ୍ଛିତ ଅଛି? ସୁନା ଗଚ୍ଛିତ ଅଛି ପୃଥିବୀର ପ୍ରାୟ ସବୁ ମହାଦେଶରେ । ମାତ୍ର ସବୁଠାରୁ ବେଶୀ ସୁନା ଠୁଳ ହୋଇଛି ଦକ୍ଷିଣ ଆଫ୍ରିକାରେ । ତାହାଛଡା, ଆମେରିକା, କାନଡା, ଜର୍ମାନୀ, ମେକ୍ସିକୋ ଇତ୍ୟାଦିରେ ବହୁ ପରିମାଣର ସୁନା ଗଚ୍ଛିତ ଅଛି ।

ସୁନା ମିଶିକରି ଥାଏ ପଥରରେ । ସେହି ପଥରକୁ ଖଣି ଭିତରକୁ ବାହାର କରି କାରଖାନାକୁ ନିଆଯାଏ ଏବଂ କାରଖାନାରେ ପଥରକୁ ତରଳେଇ ବାହାର କରାଯାଏ ସୁନା ।

ତାହାଛଡା ପାହାଡିଆ ଅଂଚଳ ଦେଇ ବହିଯାଇଥିବା ନଦୀ ଓ ଝରଣାର ଜଳସୁଅରେ ପଥର ଧୀରେ ଧୀରେ ଖାଇଯାଇ ସେଥିରୁ ସୁନାର ଛୋଟ ଛୋଟ ଦାନା ବାହାରିଆସେ ଓ ତାହା ଜଳସୁଅରେ ଦୂରଜାଗାକୁ ଚାଲିଯାଏ । ତେଣୁ ନଈ, ଝରଣାର କୂଳରେ କି ସେଗୁଡିକର ଶଯ୍ୟାରେ ସୁନାର ଛୋଟ ଛୋଟ ଦାନା ଏବଂ ଖଣ୍ଡମାନ ମିଳିଥାଏ ।

ଆମ ଓଡିଶାର ସୁବର୍ଣ୍ଣରେଖା ନଦୀବାଲିରୁ ସୁନା ମିଳୁଥିବାରୁ ନଦୀଟିର ଏପରି ନାମକରଣ କରାଯାଇଛି । ପଶ୍ଚିମ ଓଡିଶାର ସୋନପୁର ଅଂଚଳରେ ସୁନା ମିଳୁଥିବାର ପ୍ରକାଶ । ତେଣୁ ତା’ର ନାମ ରଖାଯାଇଛି ସୋନପୁର ବା ସୁବର୍ଣ୍ଣପୁର ।

କୋଟି କୋଟି ବର୍ଷତଳେ ସୃଷ୍ଟି ହୋଇଥିବା ଖଣିଜପଥରରେ ହିଁ ରହିଛି ସୁନା । କେତେକ ସୁନା ରହିଛି ବିଶୁଦ୍ଧ ସୁନା ଆକାରରେ; ଏବଂ ଆଉ କେତେକ ସୁନା ରହିଛି ଅନ୍ୟ ଧାତୁଗୁଡିକ ସହ ମିଶି । ରୁପା, ସୀସା, ତମ୍ବା, ଦସ୍ତା, ଟେଲ୍ଲୁରିୟମ୍, କ୍ୱାର୍ଜ ଇତ୍ୟାଦି ସହ ମିଶିକରି ରହିଥିବା ସୁନାକୁ ଆଲୟ ବା ମିଶ୍ରଧାତୁ ବୋଲି କହନ୍ତି । ମିଶିକରି ରହି ନ ଥିବା ସୁନା ରହିଥାଏ ଛୋଟଛୋଟ ଦାନା କିମ୍ବା କ୍ଷୁଦ୍ରକ୍ଷୁଦ୍ର ଖଣ୍ଡ ଆକାରରେ । ପୁଣି ଅନେକ ସ୍ଥଳରେ ଏହାର ଆକାର ଏତେ ଛୋଟ ଯେ ତାହା ଖାଲି ଆଖିକୁ ଆଦୌ ଦେଖାଯାଏ ନାହିଁ । ଏବେ କୁହାଗଲାଣି ଯେ କେତେକ ଧରଣର ଜୀବାଣୁ ସୁନା ବହନ କରି ଆଣି ପଥରରେ ଜମେଇ ଦିଅନ୍ତି ଓ ତାହା ଅପେକ୍ଷାକୃତ ବଡ ସୁନାଖଣ୍ଡ ଆକାରରେ ପଥରରେ ଜମିରହେ ।

ସମୁଦ୍ର ଜଳରେ ସୁନା

ଆଚ୍ଛା ଭାବିଲ ଦେଖି, ସମୁଦ୍ର ଜଳରେ କ’ଣ ସୁନା ଥିବ? ସମୁଦ୍ର କୂଳିଆ ପଥରରୁ ଯଥେଷ୍ଟ ସୁନା ଉତ୍ପାଦନ କରାଯାଇପାରିଛି । ସମୁଦ୍ର ଶଯ୍ୟାରୁ ମଧ୍ୟ ମିଳିପାରିଛି ବହୁପରିମାଣର ସୁନା । ତେବେ ବୈଜ୍ଞାନିକମାନେ କହୁଛନ୍ତି ଯେ ସମୁଦ୍ର ଜଳ ହେଉଛି ସୁନାର ବିଶାଳ ଭଣ୍ଡାର । ସମୁଦ୍ର ଜଳରେ ଲୁଣ ମିଳେଇ ହୋଇ ରହିଥିବା ପ୍ରକାରେ ସମୁଦ୍ର ଜଳରେ ମଧ୍ୟ ସୁନା ମିଳେଇ ହୋଇ ରହିଛି । ଇଁଲଣ୍ଡରେ ଥିଲେ ଜଣେ ରସାୟନ ବିଜ୍ଞାନୀ । ତାଙ୍କ ନାଁ ଏସ୍. ସନ୍ଷ୍ଟାଡ୍ଟ୍ । ସମୁଦ୍ର ଜଳରେ ସୁନା ରହିଥିବା ବିଷୟ ସେ ୧୮୭୨ ମସିହାରେ ପ୍ରମାଣ କରି ଦେଖେଇ ଦେଇଥିଲେ ।

କିନ୍ତୁ କେତେ ଜଳରେ କେତେ ସୁନା ରହିଛି, ତାହା ସହଜରେ ମାପି ହେଉନାହିଁ । କାରଣ ବହୁପରିମାଣର ସମୁଦ୍ରଜଳରେ ଖୁବ୍ କମ୍ ପରିମାଣର ସୁନା ରହିଥିବାରୁ ନିର୍ଭୁଲ ଭାବରେ ତା’ର ପରିମାଣ ଜାଣିବାରେ ସମସ୍ୟା ଉପୁଜୁଛି । ହେଲେ ସମୁଦ୍ରରୁ ଯେ ଯଥେଷ୍ଟ ସୁନା ମିଳିପାରିବ, ଏଥିରେ କାହାର ସନ୍ଦେହ ନାହିଁ ।

ତେବେ ସମୁଦ୍ରର ଉପର ଜଳସ୍ତରରୁ ଦେଢରୁ ତିନି କିଲୋମିଟର ତଳେ ହିଁ ମିଳିପାରିବ ସୁନା । ତାହାଛଡା ସମୁଦ୍ର ଶଯ୍ୟାର ପଥରରୁ ମଧ୍ୟ ଏହାକୁ ଆହରଣ କରାଯାଇପାରିବ । ମାତ୍ର ସମୁଦ୍ରରୁ ସୁନା ଆହରଣ କରିବା ଏତେ ସହଜ ନୁହେଁ । କାରଣ ଏଥିରେ ଖର୍ଚ୍ଚ ହେବ ଅଜସ୍ର ଟଙ୍କା । ତେବେ ଆମେ ଯଦି ଅତି ଶସ୍ତାରେ ସୁନା ଆହରଣ କରିବାର ପଦ୍ଧତି ଉଦ୍ଭାବନ କରିପାରିବାରେ ସଫଳ ହୋଇଯିବା, ତାହାହେଲେ ସମୁଦ୍ରରୁ ଏତେ ସୁନା ମିଳିବ ଯେ ଆମ ପ୍ରତ୍ୟେକଙ୍କ ଭାଗରେ ପଡିବ ସାଢେ ଚାରିକିଲୋଗ୍ରାମ୍ ଲେଖାଏଁ ସୁନା ।

ସୁନାପାଇଁ ଭିଡ

ତୁମେ ତ ଜାଣ ଯେ ସୁନା ହେଉଛି ଏକ ଅତି ମୂଲ୍ୟବାନ ଧାତୁ । ତେଣୁ କେଉଁଠି ସୁନା ମିଳିବାର ଖବର ପାଇବାମାତ୍ରେ ଲୋକେ ପାଗଳଭଳି ସେଠାକୁ ଧାଉଁଥିଲେ । ଏଥିପାଇଁ ଯେତେ ଯାହା ଖର୍ଚ୍ଚ କରିବାକୁ ପଡୁପଛେ ମୋଟେ ଖାତର ନ ଥିଲା ସେମାନଙ୍କର । ଏଥିରେ କାହାକୁ ଫାଇଦା ମିଳୁଥିଲା ତ ଆଉ କିଏ ବରବାଦ୍ ହୋଇଯାଉଥିଲା ।

୧୮୪୮ ମସିହା କଥା । ଆମେରିକାସ୍ଥିତ କାଲିଫର୍ଣ୍ଣିଆର ସାକ୍ରେମେଂଟୋ ଉପତ୍ୟକାରେ ଛୋଟ ଛୋଟ ସୁନା ମୁଣ୍ଡା ମିଳୁଥିବାର ଖବର ମିଳିଲା । ସେଠାରେ ସୁନା ଆବିଷ୍କାର ହୋଇଥିବାର ଖବର ପାଇବା ମାତ୍ରେ ହଜାରହଜାର ଖଣିଶ୍ରମିକ ଧାଇଁଲେ କାଲିଫର୍ଣ୍ଣିଆ । ସାନ୍ଫ୍ରାନ୍ସିସ୍କୋ ଓ ତା’ର ଆଖପାଖ ଅଂଚଳରେ ଭିଡ ଜମେଇଲେ ଖଣିଶ୍ରମିକମାନେ । ୧୮୫୨ ମସିହାବେଳକୁ ସେଠାରେ ସୁନା ଉତ୍ତୋଳନ ଖୁବ୍ ବଢିଗଲା । ସେଠାରୁ ଯେତେ ସୁନା ସଂଗ୍ରହ କରାଗଲା, ତା’ର ମୂଲ୍ୟଥିଲା ପାଖାପାଖି ୫୨୦୦ କୋଟି ଡଲାର୍ । ପୁଣି କେବଳ ସୁନାମିଳିବା କାରଣରୁ ହିଁ ସାନ୍ଫ୍ରାନ୍ସିସ୍କୋ ତଥା କାଲିଫର୍ଣ୍ଣିଆ ହୋଇଉଠିଲା ଖୁବ୍ ପ୍ରସିଦ୍ଧ ।

ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସୁନାର ସନ୍ଧାନ ମିଳିଛି ବୋଲି ଖବର ପ୍ରକାଶ ପାଇଲା ୧୮୫୧ ମସିହାରେ । କୁଡିଆରେ ରହୁଥିବା ଜଣେ ଅତି ଗରିବ ଲୋକ ହିଁ ସେଠାରେ ସୁନା ଆବିଷ୍କାର କରିଥିଲା । ପରେ ପରେ ସେଠାକାର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ସୁନା ଆବିଷ୍କୃତ ହେଲା । ନିଜ ନିଜର ଭାଗ୍ୟ ବଦଳେଇ ଧନୀ ହେବା ଆଶାରେ ଅଷ୍ଟ୍ରେଲିଆ, ଇଉରୋପ ଓ ଚୀନରୁ ସେଠାକୁ ଛୁଟିଲା ଲୋକମାନଙ୍କ ସୁଅ । ପାଖାପାଖି ୫ଲକ୍ଷ ଲୋକ ସେଠାରେ ଗହଳି ଜମେଇଲେ । ସେଠାରେ ରାତାରାତି ସହର ଗଢି ଉଠିଲା । କିନ୍ତୁ ମାତ୍ର ୧୦ ବର୍ଷ ଭିତରେ ଏହି ସଂଖ୍ୟା ବଢି ୫ ଲକ୍ଷ ୪୦ହଜାରରେ ପହଁଚିଗଲା । ଫଳରେ ଅଷ୍ଟ୍ରେଲିଆର ସିଡ୍ନି ଓ ମେଲ୍ବୋର୍ଣ୍ଣରେ ବଢିଗଲା ଜନସଂଖ୍ୟା ।

ତାହାଛଡା, ଆମେରିକାର ନର୍ଥ କାରୋଲିନା, ନେଭାଦା, ଓରେଗୋଁ, କୋଲୋରାଡୋ, ଉତ୍ହା ଇତ୍ୟାଦି ସ୍ଥାନରେ ସୁନା ମିଳୁଥିବାର ଜଣାପଡିବାରୁ ସେଠାରେ ମଧ୍ୟ ଲୋକେ ଗହଳି କଲେ । କାନଡାର କ୍ଲୋଣ୍ଡିକେ ଜିଲ୍ଲା ଓ ତାକୁ ଲାଗିଥିବା ଆଲାସ୍କାରେ ମଧ୍ୟ ଭିଡ ଜମେଇଥିଲେ ସୁନା-ଶିକାରୀମାନେ ।

୧୮୯୬ ମସିହା ଅଗଷ୍ଟ ୧୬ ତାରିଖରେ ସ୍କୁକୁମ୍ ଜିମ୍ ମ୍ୟାସନ୍, ଟାଗିସ୍ ଚାର୍ଲି ଏବଂ ଜଜର୍ କାରମାକ୍ ନାମକ ତିନିଜଣ ଆମେରିକା ଅଧିବାସୀ କ୍ଲୋଣ୍ଡିକେ ଜିଲ୍ଲାରେ ଥିବା ଡ’ସନ୍ ନାମକ ସ୍ଥାନରୁ ସୁନା ପାଇଥିଲେ । ବାସ୍ତବରେ ସେହି ଜାଗାଟି ବିଶେଷ ଜଣାଶୁଣା ନ ଥିଲା । ତେଣୁ ସେଠାରେ ସୁନା ମିଳିଥିବାର ଖବର ଅତି ଚଂଚଳ ପ୍ରସରିଯାଇ ପାରିଲାନି ।

ତେବେ ୧୮୯୭ ମସିହା ଜୁଲାଇ ୧୭ ତାରିଖରେ ଡ’ସନ୍ରୁ ଯାଇ ଆମେରିକାର ସିଟ୍ଲ୍ରେ ପହଁଚିଲା ବାଷ୍ପଚାଳିତ ଏକ ଜାହାଜ । ସେଇ ଜାହାଜଟିରେ ବୋଝେଇ ହୋଇଥିଲା ୧୦୦୦ କିଲୋଗ୍ରାମରୁ ବେଶୀ ସୁନା । ଏହା ପରେ ପରେ ଲୋକେ କ୍ଲୋଣ୍ଡିକେକୁ ଛୁଟିଲେ । ଏପରିକି ମାତ୍ର ଛଅମାସ ଭିତରେ ସେଠାରେ ପହଁଚିଯାଇଥିଲେ ଏକଲକ୍ଷ ପାଖାପାଖି ସୁନା ସଂଗ୍ରହକାରୀ । ସେଠାରୁ ମିଳିଗଲା ୧୦୦କୋଟି ଡଲାର ମୂଲ୍ୟର ସୁନା ।

ସୁନା ମୋହର

ତୁମେମାନେ ସୁନାଟଙ୍କା ବା ସୁନାମୋହର ବିଷୟରେ ତ ଶୁଣିଥିବ । ପ୍ରକୃତରେ ସୁନା ସଂପର୍କରେ ଜାଣିବାବେଳେ ସୁନାଟଙ୍କା ବା ସୁନାମୋହର ବିଷୟରେ ଜାଣିବାପାଇଁ ତୁମ ମନରେ ଆଗ୍ରହ ଜାତ ହେଉଥିବ ନିଶ୍ଚୟ ।

କିନ୍ତୁ ଲୋକେ ସୁନାର ମୁଦ୍ରା ବା ସୁନା ଟଙ୍କା ତିଆରି କରେଇବାରେ ମନ ବଳେଇଥିଲେ କାହିଁକି? ଏହାର ରହିଛି ଅନେକ କାରଣ । ପ୍ରଥମ କାରଣ ହେଲା, ଏହାକୁ ନେବା ଆଣିବା କରିବା ଅତି ସହଜ । ମାତ୍ର ଗୋଟିଏ ସୁନାଟଙ୍କା ନେଇ ବଜାରରୁ ଅନେକ ଜିନିଷ କିଣି ନେଇ ହେଲା । କାରଣ ସୁନା ହେଉଛି ଖୁବ୍ ଦାମିକା । ଉଦାହରଣ ସ୍ୱରୂପ, ଏବେ ୧୦ ଗ୍ରାମ୍ ଓଜନର ସୁନାମୋହର ବଦଳେଇଲେ ମିଳିବ ପାଖାପାଖି ୩୦,୦୦୦ ଟଙ୍କା । ବଜାରରୁ ଜିନିଷପତ୍ର କିଣିବାପାଇଁ ତିରିଶ ହଜାର ଟଙ୍କା ନେବାକୁ ହେଲେ ୧୦୦୦ ଟଙ୍କିଆ ନୋଟ୍ରୁ ୩୦ ଖଣ୍ଡ ପକେଟ୍ରେ କି ବ୍ୟାଗ୍ରେ ନେବାକୁ ପଡିବ । ଏତେ ସଂଖ୍ୟକ ନୋଟ୍ ନ ନେଇ ୧୦ ଗ୍ରାମ୍ର ସୁନାମୋହରଟିଏ ପକେଟ୍ରେ ପୂରେଇ ବଜାରକୁ ଯିବାଟା ତୁମମାନଙ୍କୁ କ’ଣ ସହଜ ଏବଂ ସୁବିଧା ମନେହଉନି?

ସେଇ ୧୦ ଗ୍ରାମ୍ ଓଜନର ସୁନାମୋହାରଟିକୁ ତରଳେଇ ୫ ଗ୍ରାମ ଓଜନର ଦୁଇଟି କିମ୍ବା ଅଢେଇଗ୍ରାମ୍ ଓଜନର ଚାରିଟି ସୁନାମୁଦ୍ରା ତିଆରି କରିବାରେ ବି କିଛି ସମସ୍ୟା ନାହିଁ ।

ତାହାଛଡା, ସୁନାଟଙ୍କାରେ କଳଙ୍କି ଲାଗିପାରେନି, ଏହାର ଉଜ୍ଜ୍ୱଳତା କମିଯାଏନି କି ଏହା ଅନ୍ୟ ଉପାଦାନଗୁଡିକ ସହ ସହଜରେ ରାସାୟନିକ କ୍ରିୟା କରିପାରେନି ।

ତେବେ କେଉଁଠି ପ୍ରଚଳନ ହୋଇଥିଲା ପୃଥିବୀର ସର୍ବପ୍ରଥମ ସୁନାମୁଦ୍ରା? ୨୫୦୦ ବର୍ଷ ପୂର୍ବେ ଲିଡିଆର ରାଜା କ୍ରୋଏସସ୍ ନିଜ ରାଜ୍ୟରେ ପ୍ରଥମେ ସୁନାମୁଦ୍ରାର ପ୍ରଚଳନ କରାଇଥିଲେ । ପରେ ପର୍ସିଆନମାନେ କ୍ରୋଏସସ୍ଙ୍କୁ ବନ୍ଦି କରିନେଲେ ଏବଂ ଲିଡିଆରୁ ସମସ୍ତ ସୁନାଟଙ୍କା ବୋହିନେଇ ସେଥିରେ ସେମାନେ ତିଆରି କରିପକେଇଲେ ନୂଆ କିସମର ସୁନା ଟଙ୍କା । ଖ୍ରୀଷ୍ଟପୂର୍ବ ୨୧୫ରେ ରୋମାନ୍ମାନେ ସୁନାଟଙ୍କା ଚଳେଇଥିଲେ ଏବଂ ତାକୁ ଯୁଦ୍ଧପାଇଁ ଖର୍ଚ୍ଚ କରିଥିଲେ ତେବେ ଜୁଲିୟସ୍ ସିଜାର୍ଙ୍କ ରାଜତ୍ୱ ସମୟରେ ରୋମ୍ରେ ସୁନାଟଙ୍କା ବହୁଳ ଭାବରେ ବ୍ୟବହୃତ ହେଉଥିଲା । ଅନ୍ୟ ଅଂଚଳଗୁଡିକ ସାଙ୍ଗରେ ରୋମ୍ର ବାଣିଜ୍ୟ ବ୍ୟବସାୟ ଚାଲୁଥିବାରୁ ରୋମ୍ର ସୁନାଟଙ୍କା ଅନ୍ୟ ଦେଶଗୁଡିକୁ ଯିବାରେ ବିଶେଷ ସମସ୍ୟା ଉପୁଜିଲାନି ।

କିନ୍ତୁ ଇଣ୍ଡିଆରେ କେବେ ପ୍ରଚଳନ ହୋଇଥିଲା ସୁନାମୁଦ୍ରା? ପାଖାପାଖି ୨୦୦୦ ବର୍ଷ ତଳେ ଆମ ଦେଶରେ ସୁନଟଙ୍କାର ପ୍ରଚଳନ ଥିଲା । ଇଣ୍ଡିଆରେ ସର୍ବପୁରାତନ ମୁଦ୍ରା ତିଆରି ହୋଇଥିଲା ରୁପାରେ । ପରେ କୁଶାଣ ସମ୍ରାଟ ଭୀମା କଡ୍ଫିସେସ୍ ନିଜ ରାଜ୍ୟରେ ପ୍ରଥମ କରି ସୁନାଟଙ୍କା ଚଳେଇଥିଲେ । ଆଉ ସେହି ମୁଦ୍ରାରେ ଖୋଦିତ ହୋଇଥିଲା ଶ୍ରୀମହାଦେବଙ୍କର ଛବି । ଇଣ୍ଡିଆରେ ପ୍ରଚଳିତ ଥିଲା ବିଭିନ୍ନ ମୂଲ୍ୟର ସୁନାଟଙ୍କା ।

ଇଣ୍ଡିଆନମାନେ ସୁନାକୁ ଖୁବ୍ ଭଲପାଆନ୍ତି । ବିଭିନ୍ନ ପର୍ବପର୍ବାଣି ଓ ବିଭାଗର ତଥା ଉତ୍ସବରେ ସେମାନେ ଉପହାର ଦେଇଥାନ୍ତି ସୁନାଟଙ୍କା । ଏପରିକି ଉପହାର ଦେଇଥାନ୍ତି ସୁନାଖାଡି ଏବଂ ସୁନାବିସ୍କୁଟ୍ । ବିସ୍କୁଟ୍ ଆକାରରେ ତିଆରି ହୋଇଥିବାରୁ ସୁନା ଖଣ୍ଡକୁ ସୁନାବିସ୍କୁଟ୍ ବୋଲି କହନ୍ତି ।

ସୁନା ମୁକୁଟଟିରେ ଖାଂଟି ସୁନା ନା ଭେଜାଲ୍ ସୁନା?

ପାଖାପାଖି ୨୨୫୦ ବର୍ଷ ପୂର୍ବେ ଗ୍ରୀସ୍ସ୍ଥିତ ସିସିଲିର ସାଇରାକୁ୍ୟଜ୍ରେ ରାଜା ଥିଲେ ଦ୍ୱିତୀୟ ହିଏରୋନ୍ । ଦିନେ ସେ ତିଆରି କରିବାପାଇଁ ଚାହିଁଲେ ଏକ ସୁନାମୁକୁଟ । ତେଣୁ ତାଙ୍କ ରାଜ୍ୟର ସବୁଠାରୁ ଭଲ ସୁନା କାରିଗରକୁ ସେ ନିଜ ଦରବାରକୁ ଡକେଇଲେ । ଓଜନକରି ତା’କୁ ଧରେଇଦେଲେ ଏକ ନିର୍ଦ୍ଦିଷ୍ଟ ପରିମାଣର ଖାଂଟିସୁନା । କାରିଗରକୁ ସେ ରାଜା କହିଲେ, “ଦେଖ, ଏତକ ସୁନାରେ ତୁମେ ତିଆରି କରିଦେବ ଖୁବ୍ ସୁନ୍ଦର ମୁକୁଟଟିଏ । ଏଥିପାଇଁ ତୁମକୁ ମୁଁ ଯଥେଷ୍ଟ ମଜୁରି ଦେବି । କିନ୍ତୁ ମୁକୁଟଟି ଅତି ସୁନ୍ଦର ହୋଇଥିବା ଦରକାର ।”

ରାଜାଙ୍କ ସବୁକଥା ଶୁଣି ସେ କାରିଗରଟି ହାତଯୋଡି ଉତ୍ତର ଦେଲା, “ମଣିମା, ମୋତେ ଯେତିକି ବିଦ୍ୟାବୁଦ୍ଧି ଜଣା, ମୁଁ ତାକୁ ବିନିଯୋଗ କରି ଅତି ସୁନ୍ଦର ମୁକୁଟଟିଏ ତିଆରି କରିଦେବି । ମୁକୁଟ ତିଆରି ସରିଗଲେ ତା’କୁ ଦେଖି ଆପଣଙ୍କ ମନକୁ ପାଇଲେ ହିଁ ମୋତେ ମଜୁରି ଦେବେ । ମନକୁ ନ ପାଇଲେ ମୋତେ ଗଢିବା ମଜୁରି ଦେବେ ନି ।”

ତା’ପରେ ମୁକୁଟ ତିଆରି ପାଇଁ ଦେଇଥିବା ସୁନାତକ ଧରି କାରିଗରଟି ନିଜ ଘରକୁ ବାହୁଡିଗଲା । ମନଧ୍ୟାନ ଦେଇ ମୁକୁଟ ତିଆରିରେ ଲାଗିପଡିଲା । ମୁକୁଟ ତିଆରି ସରିଗଲାପରେ ତା’କୁ ଧରି ସେ ଆସି ପହଁଚିଗଲା ରାଜାଙ୍କ ନିକଟରେ । ରାଜା ସେ ମୁକୁଟଟି ଦେଖି ଖୁବ୍ ଖୁସି ହୋଇଗଲେ । ତା’ପରେ ରାଜା ସେ କାରିଗରକୁ ତା’ର ମନଖୁସି ହେବା ଭଳି ମଜୁରି ଓ ପୁରସ୍କାର ଦେଲେ । ପୁରସ୍କାର ପାଇ କାରିଗର ସେଠାରୁ ଫେରିଗଲା ।

ପରେ ପରେ ରାଜାଙ୍କ ମନରେ ଉଙ୍କିମାରିଲା ସନ୍ଦେହ । ତେଣୁ ସେ ଭାବିଲେ, “ଏଇ କାରିଗରଟି ଖାଂଟିସୁନାରେ ମୁକୁଟ ତିଆରି କରିଛି ନା ତିଆରି କରିଛି ଭେଜାଲ୍ ସୁନାରେ?” ଏହା ଭାବି ଖୁବ୍ ଅସ୍ଥିର ହୋଇପଡିଲେ ସେ ରାଜା । ଖାଂଟି କି ଭେଜାଲ୍ ତାହା ଅବା ରାଜା ଜାଣିବେ କିପରି? ଠିକ୍ ଏହି ସମୟରେ ହଠାତ୍ ତାଙ୍କର ମନେ ପଡିଗଲା ଆର୍କିମେଡିସ୍ଙ୍କ କଥା ।

ଆର୍କିମେଡିସ୍ ଥିଲେ ଗ୍ରୀସ୍ର ଜଣେ ବଡ ଗଣିତଜ୍ଞ ଏବଂ ବୈଜ୍ଞାନିକ ମଧ୍ୟ । ସେ ଥିଲେ ରାଜାଙ୍କର ବଡ ପ୍ରିୟପାତ୍ର । ରାଜା ତୁରନ୍ତ ତାଙ୍କୁ ଡକେଇ ପଠେଇଲେ । ଆର୍କିମେଡିସ୍ ଦରବାରରେ ପହଁଚିବାପରେ ରାଜା ତାଙ୍କୁ କହିଲେ, “ଦେଖ ଆର୍କିମେଡିସ୍, ଏଇ ମୁକୁଟଟି ଖାଂଟି ସୁନା କି ଭେଜାଲ୍ ସୁନାରେ ତିଆରି, ତାହା ମୋର ଜାଣିବା ନିହାତି ଦରକାର । ତେଣୁ ଏହି ଦାୟିତ୍ୱଟି ମୁଁ ତୁମକୁ ଦେଉଛି । ପରୀକ୍ଷାନିରୀକ୍ଷା କରିବାପାଇଁ ତୁମେ ଯେତେଦିନ ନେଉଛ ନିଅ ପଛେ, କିନ୍ତୁ ମୋର ଦରକାର ନିର୍ଭୁଲ୍ ଉତ୍ତର – ‘ମୁକୁଟଟି ଖାଂଟି ସୁନାରେ ତିଆରି ନା ଭେଜାଲ୍ ସୁନାରେ ତିଆରି?’

ଆର୍କିମେଡିସ୍ ଏଥର ସେ ମୁକୁଟଟି ନେଇ ନିଜ ଘରକୁ ବାହୁଡିଗଲେ । କିନ୍ତୁ ତାହା ଖାଂଟି ସୁନା କି ଭେଜାଲ୍ ସୁନାରେ ତିଆରି, ଏହା କେମିତି ଜଣାପଡିବ, ତାହା ତାଙ୍କ ମୁଣ୍ଡକୁ ମୋଟେ ଢୁକିଲାନି । ଏଇ ଚିନ୍ତାରେ ସେ ସବୁବେଳେ ଘାରିହେଲେ । ଏମିତିକି ଭୁଲିଗଲେ ଖିଆପିଆ ।  ରାତିରେ ଠିକ୍ ସେ ନିଦ ବି ହେଲାନି ତାଙ୍କୁ ।

ଆମେ ସିନା ଦେହରେ ପାଣି ଢାଳିହୋଇ ଗାଧୋଇଥାଉ । ହେଲେ ବିଦେଶର ଲୋକ ଗାଧୋଇଥାଆନ୍ତି ପାଣିକୁଣ୍ଡ ଭିତରେ ପଶି । କୁଣ୍ଡରେ ପାଣି ଭର୍ତ୍ତି ହୋଇଥାଏ । ପାଣିଭର୍ତ୍ତି କୁଣ୍ଡ ଭିତରକୁ ପଶିଯାଇ ସେମାନେ ଭାସିବା ପ୍ରକାରେ ସେଥିରେ ଲମ୍ବା ହୋଇଯାଆନ୍ତି । ସାବୁନ୍ ଲଗେଇ ଘଷି ହୁଅନ୍ତି । ତା’ପରେ ବାହାରି ଆସନ୍ତି କୁଣ୍ଡ ଭିତରୁ । କୁଣ୍ଡ ଭିତରେ ସେମାନେ ରହିଥାନ୍ତି ଲଙ୍ଗଳା ହୋଇ ।

ଦିନକର ଘଟଣା । ଗାଧୋଇବା ପାଇଁ ଆର୍କିମେଡିସ୍ ପାଣି କୁଣ୍ଡ ଭିତରେ ପଶି ଲମ୍ବା ହୋଇଗଲେ । ଏହା ଫଳରେ ସେ ପାଣି କୁଣ୍ଡରୁ କିଛି ପାଣି ଉଛୁଳି ତଳେ ପଡିଗଲା । ଏଇଥିରୁ ହଠାତ୍ ତାଙ୍କ ମୁଣ୍ଡକୁ ଢୁକିଗଲା ଖାଂଟି ସୁନା କି ଭେଜାଲ୍ ସୁନା ଜାଣିବାର ଏକ ସୂତ୍ର । ସୂତ୍ରଟି ପାଇଯିବାପରେ ସେ ଆର୍କିମେଡିସ୍ ଏତେ ଖୁସି ହୋଇଗଲେ ଯେ ସେ ଲଙ୍ଗଳା ବୋଲି ତାଙ୍କର ଆଉ ହୋସ୍ ରହିଲାନି । ସେଇ ପୂରା ଲଙ୍ଗଳା ଅବସ୍ଥାରେ ସେ ସାଇରାକୁ୍ୟଜ୍ ରାସ୍ତାରେ ଦୌଡିଲେ ସିଧା ରାଜାଙ୍କ ଦରବାରକୁ । ଦୌଡି ଧାଇଁବାବେଳେ ସେ ଆର୍କିମେଡିସ୍ ଖାଲି ଚିତ୍କାର ଛାଡୁଥାନ୍ତି ‘ଇଉରେକୋ’, ‘ଇଉରେକୋ’ । ଗ୍ରୀକ୍ ଭାଷାରେ  ‘ଇଉରେକୋ’ ର ଅର୍ଥ ‘ପାଇଗଲି’, ‘ପାଇଗଲି’ । ଅର୍ଥାତ୍ ମୁକୁଟଟି ଖାଂଟି ସୁନାରେ ତିଆରି କି ଭେଜାଲ୍ ସୁନାରେ ତିଆରି, ‘ଏହା ଜାଣିପାରିବାର ଉପାୟ ମୋତେ ମିଳିଗଲା’ ।

ଏହା ଜାଣିବାର ସୂତ୍ରକୁ କୁହାଯାଏ ‘ଆର୍କିମେଡିସ୍ଙ୍କ ସୂତ୍ର’ । ତୁମେ ବିଜ୍ଞାନ ପଢିବାବେଳେ ତୁମ ବିଜ୍ଞାନ ଶିକ୍ଷକ ଏ’ ସଂପର୍କରେ ତୁମକୁ କହିଦେବେ ।

ସେ ଯାହାହେଉ, ଆର୍କିମେଡିସ୍ଙ୍କ ପରୀକ୍ଷାରୁ ଜଣାପଡିଲା ଯେ ସେହି ମୁକୁଟଟି ଖାଂଟି ସୁନାରେ ତିଆରି ହୋଇନଥିଲା । କାରିଗରଟି ଜାଣିଶୁଣି ରାଜା ଦେଇଥିବା ଖାଂଟିସୁନାରେ କିଛି ରୁପା ମିଶେଇଦେଇ ମୁକୁଟଟି ଗଢିଥିଲା । ଏଇକଥା ସେ ଲୁଚେଇଥିଲା ରାଜାଙ୍କଠାରୁ ।

ସୁନା ଗହଣା

କାହିଁ କେଉଁ ଆବହମାନ କାଳରୁ ଆମ ଇଣ୍ଡିଆନ ନାରୀମାନେ ପିନ୍ଧି ଆସୁଛନ୍ତି ସୁନାର ଗହଣାଗାଣ୍ଠି । ନାକରେ ପିନ୍ଧା ଯାଉଥିବା ନୋଥ, ବସଣି, ନାକଚଣା, ନାକଫୁଲ, ହାତରେ ଚୁଡି, ବାଲା, ବେକରେ ହାର, କଣ୍ଠି, ମଙ୍ଗଳସୂତ୍ର, କାନରେ ରିଂ, କାନଫୁଲ, ଆଙ୍ଗୁଠିରେ ମୁଦି – ଏହିପରି ଗହଣାମାନ ତିଆରି ହୋଇଥାଏ ସୁନାରେ ।

ପ୍ରାଚୀନ ଇଣ୍ଡିଆରେ ଦକ୍ଷିଣ ଇଣ୍ଡିଆର କାଞ୍ଜିଭରମ୍ ଏବଂ ଉତ୍ତର ଇଣ୍ଡିଆର ବାରାଣାସୀ ସୁନା ଅଳଙ୍କାର ତିଆରି ପାଇଁ ଖୁବ୍ ପ୍ରସିଦ୍ଧ ଥିଲା । ସ୍ଥାନୀୟ ମୂଳନୀବାସୀମାନେ ଦେବୀ ମହାଲକ୍ଷ୍ମୀଙ୍କ ନାମକୁ ସୁନା ସହ ଯୋଡିଥାଆନ୍ତି । ସୁନାକୁ ମଧ୍ୟ ଖୁବ୍ ଶୁଭବୋଲି ମନେ କରିଥାନ୍ତି ସ୍ଥାନୀୟ ମୂଳନୀବାସୀମାନେ ।

ଇଣ୍ଡିଆରେ ମୋଗଲରାଜତ୍ୱ ସମୟରେ ଏଠାକାର ସୁନାଗହଣାମାନ ପୃଥିବୀରେ ଖୁବ୍ ନାଆଁ କମେଇଥିଲା । ସେତେବେଳେ ସୁନାର ସବୁତାରରେ ଶାଢୀ ଓ ଅନ୍ୟାନ୍ୟ ପୋଷାକପତ୍ର ଉପରେ ତିଆରି କରାହେଉଥିଲା ଖୁବ୍ ସୁନ୍ଦର ଛୁଂଚିକାମ । ଇଣ୍ଡିଆର ସୁନାପ୍ରତି ଲୋଭେଇଯାଇ ଇଣ୍ଡିଆରେ ପହଁଚିବା ନିମନ୍ତେ ଇଉରୋପୀୟମାନେ ବହୁଦିନରୁ ଚେଷ୍ଟା ଚଳେଇ ଆସୁଥିଲେ ।

ଖ୍ରୀଷ୍ଟପୂର୍ବ ୨୬୦୦ରେ ମେସୋପଟାମିଆର ସୁନାକାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ପତ୍ର ଆକୃତିର ଏକ ସୁନା ପଦକ ମିଳିଛି ଗୋଟିଏ କବର ଭିତରୁ ।

ମିଶରର ବାଳକ ରାଜା ଫାରାହୋ ତୁତାନ୍ଖାମେନ୍ଙ୍କ କବର ଭିତରେ ଏକ ସୁନା ତିଆରି ମୁଖା ରହିଥିଲା । ଏହି ମୁଖାଟିର ଓଜନ ଥିଲା ୧୦.୯ କିଲୋଗ୍ରାମ୍ । ଏହାଛଡା ଆହୁରି ଅନେକ ସୁନାଗହଣା ମଧ୍ୟ ମିଳିଥିଲା ତାଙ୍କ କବର ଭିତରୁ । ତେବେ ସୁନାରେ ଗହଣା ତିଆରି କରିବାରେ ଖୁବ୍ ପ୍ରସିଦ୍ଧ ଥିଲା ଇଜିପ୍ଟ ବା ମିଶର । ସେଠାକାର ପୁରୁଷ ଓ ମହିଳା ଉଭୟେ ବେକରେ ପିନ୍ଧୁଥିଲେ ସୁନାରେ ତିଆରି ମୋଟା କଣ୍ଠି, ଆଙ୍ଗୁଠିରେ ମୁଦି, ଗୋଡରେ ବଳା, କାନରେ ରିଂ, ହାତରେ ଚୁଡି ଓ କଙ୍କଣ, ବେକରେ ହାର ଏବଂ ବ୍ରେସ୍ଲେଟ୍, ଆଖିରେ ବାଳ ନ ପଡିବାପାଇଁ କପାଳରେ ପଟି ଇତ୍ୟାଦି । ସୁନାର ଶୁଦ୍ଧତା ପରୀକ୍ଷା କରିବା ଓ ସୁନାରେ ଅନ୍ୟାନ୍ୟ ଧାତୁ ମିଶେଇ ବିଭିନ୍ନ ରଙ୍ଗର ସୁନା ତିଆରି କରିବାର କଳା ମାଲୁମ୍ ଥିଲା ମିଶରର କାରିଗରମାନଙ୍କୁ । ମିଶରୀୟମାନେ ବିଶ୍ୱାସ କରୁଥିଲେ ଯେ ସୁନା ହେଉଛି ଦେବଦେବୀମାନଙ୍କ ତନ୍ତୁସହ ତୁଳନୀୟ । ତେଣୁ ସୁନା ଅଳଙ୍କାରମାନ ପିନ୍ଧିଲେ ଖୁବ୍ ଶୁଭହେବ ବୋଲି ସେମାନେ ଧାରଣା କରୁଥିଲେ ।

ସେହିପରି ଖ୍ରୀଷ୍ଟପୂର୍ବ ୨୫୦୦ରୁ ୫୦୦ ଭିତରେ ମିନୋଆନ୍ ଏବଂ ମାଇସେନିଆନ୍ ସଭ୍ୟତାର ଅଧିବାସୀମାନେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ସୁନାଗହଣାମାନ ବ୍ୟବହାର କରୁଥିଲେ । ସୁନାର ତାରରେ ଅତି ସୁନ୍ଦର ସୁନ୍ଦର ଗହଣା ତିଆରି କରିବାର କଳା ସେମାନଙ୍କୁ ମଧ୍ୟ ମାଲୁମ ଥିଲା । ବିଭିନ୍ନ ଗହଣାଗାଣ୍ଠିକୁ ପୋଷାକପତ୍ରରେ ଗୁନ୍ଥିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଥିଲା ସେମାନଙ୍କ ଗହଣାରେ । ମାଇସେନିଆନ୍ମାନେ ମଧ୍ୟ ତିଆରି କରିଥିଲେ ବିରାଟ ବିରାଟ ସୁନାମୁଣା ଏବଂ ସୁନାର ବଳା ।

ଏଟ୍ରୁରିଆନ୍ମାନେ ସୁନାର ତାରକସିକାମ କରିବାରେ ଥିଲେ ସିଦ୍ଧହସ୍ତ । ସୁନାର ଅତି ଛୋଟ ଛୋଟ ରେଣୁ ବ୍ୟବହାର କରି ଅତି ସୂକ୍ଷ୍ମ କାରୁକାର୍ଯ୍ୟଥିବା ଗହଣା ତିଆରି କରିବାରେ ଖୁବ୍ ଦକ୍ଷତା ଅର୍ଜନ କରିଥିଲେ ସେମାନେ । ଅସୀମ ଧୈର୍ଯ୍ୟଧରି ସେମାନେ କିପରି ସେହିଧରଣର ଗହଣାଗୁଡିକୁ ତିଆରି କରିପାରିଥିଲେ ତାହା ଐତିହାସିକମାନଙ୍କୁ ଖୁବ୍ ବିସ୍ମିତ କରିଛି । ଏପରିକି ଗୋଟିଏ ଗୋଟିଏ ଗହଣାରେ ସେମାନେ ଖଞ୍ଜିପାରିଥିଲେ ୫୦୦୦ରୁ ଅଧିକ ସଂଖ୍ୟକ ସୁନାର ରେଣୁ ।

୩୨୫ ଖ୍ରୀଷ୍ଟାବ୍ଦରେ ସମ୍ରାଟ୍ କନ୍ଷ୍ଟାଂଟିନ୍ ରୋମାନ୍ ସାମ୍ରାଜ୍ୟରେ ପ୍ରଚଳନ କରିଥିଲେ ଖ୍ରୀଷ୍ଟଧର୍ମ । ତେଣୁ ସେହି ସମୟର ଅନେକ ଗହଣାରେ ଖ୍ରୀଷ୍ଟଧର୍ମ ସଂପର୍କିତ ସଙ୍କେତମାନ ସ୍ଥାନ ପାଇଥିଲା । ଖ୍ରୀଷ୍ଟଧର୍ମର ସଙ୍କେତ କ୍ରୁଶ ଚିହ୍ନ, ବିଭିନ୍ନ ଖ୍ରୀଷ୍ଟସନ୍ନ୍ୟାସୀମାନଙ୍କର ଚିତ୍ର ଇତ୍ୟାଦି ରହିଥିଲା ସେହି ଗହଣାଗୁଡିକରେ । ଏପରିକି ଗହଣାଗାଣ୍ଠି ପିନ୍ଧାକୁ ନିୟନ୍ତ୍ରଣ କରିବା ନିମନ୍ତେ ସମ୍ରାଟ୍ ଜଷ୍ଟିନିଆନ୍ ୫୨୯ ଖ୍ରୀଷ୍ଟାବ୍ଦରେ ଅଲଗା ନିୟମ ଜାରି କରିଥିଲେ । ସେହି ନିୟମ ଅନୁସାରେ କେବଳ ସମ୍ରାଟ ହିଁ ପିନ୍ଧିପାରିବେ ମରକତମଣି, ନୀଳକାନ୍ତମଣି ଏବଂ ମୁକ୍ତା ଭଳି ମୂଲ୍ୟବାନ ପଥର; କିନ୍ତୁ ସାଧାରଣ ପ୍ରଜା ପିନ୍ଧିପାରିବେ କେବଳ ସୁନାରେ ତିଆରି ଗହଣାପତ୍ର !

ଖ୍ରୀଷ୍ଟପୂର୍ବ ୧୨୦୦ ସମୟରେ ଦକ୍ଷିଣ ଆମେରିକାର କଲମ୍ବିଆ ଓ ପେରୁରେ ଖୁବ୍ ଉନ୍ନତ ଧରଣର ସୁନା ଗହଣା ତିଆରି ହେଉଥିଲା । ସୁନାଗହଣା ଉପରେ ରହୁଥିଲା କୁମ୍ଭୀର, ହରିଣ, ବାଘ, ସାପ, ପକ୍ଷୀ ଏବଂ ଗଛଲତାର ଛବି ।

ତୁମମାନଙ୍କୁ ପୂର୍ବରୁ କୁହାଯାଇଛି ଯେ ଖାଂଟି ସୁନା ଖୁବ୍ କୋମଳ । ତେଣୁ ତା’କୁ ଅତି ସହଜରେ ବଙ୍କାଢଙ୍କା ମଧ୍ୟ କରାଯାଇପାରେ । ସେହି କାରଣରୁ ମଧ୍ୟ ସୁନାକୁ ହାତୁଡିରେ ପିଟି ଅତି ପତଳା ଫର୍ଦ୍ଦରେ ପରିଣତ କରିହୁଏ । ତାହାଛଡା ସୁନା ଅନ୍ୟ ଧାତୁଗୁଡିକର ତୁଳନାରେ ଖୁବ୍ ଓଜନିଆ । ତେଣୁ ଖାଂଟିସୁନାରେ ଗହଣା ତିଆରି କରିବା ଆଦୌ ସହଜ ନୁହେଁ । ଗହଣା ତିଆରି କଲେ ମଧ୍ୟ ତାହା ସାମାନ୍ୟ ଆଘାତ ପାଇଲେ ଚେପା ହୋଇଯାଏ, ବଙ୍କିଯାଏ ଏବଂ ଖୁବ୍ ଓଜନିଆ ହୋଇଯାଏ ମଧ୍ୟ ।

ସେଥିପାଇଁ ସୁନାକାରିଗରମାନେ ସୁନାରେ ତମ୍ବା କିମ୍ବା ରୁପା ମିଶେଇ ଗହଣା ତିଆରି କରିଥାନ୍ତି । ଏପରି କଲେ ଗହଣା ତିଆରି କରିବା ଭାରି ସହଜ ହେବା ସଙ୍ଗେ ସଙ୍ଗେ ଗହଣା ମଧ୍ୟ ବେଶ୍ କଠିନ ହୋଇଥାଏ । ସୁନା ଓ ତମ୍ବାକୁ ଏକତ୍ର ତରଳେଇ ଗଢାଯାଏ ଗହଣା । ସୁନାରେ ତମ୍ବା ମିଶେଇଦେଲେ ତାହା ଆହୁରିବେଶୀ ଉଜ୍ଜ୍ୱଳ ଦେଖାଯାଏ ।

ଶୁଦ୍ଧ ଖାଂଟିସୁନା ହେଉଛି ୨୪ କ୍ୟାରଟ୍ ସୁନା । କିନ୍ତୁ ଗହଣା ତିଆରି କରିବା ନିମନ୍ତେ ବ୍ୟବହୃତ ହୋଇଥାଏ ୨୨ କ୍ୟାରଟ୍ରୁ ୧୮ କ୍ୟାରଟ୍ ସୁନା । ସୁନା ଉଜ୍ଜ୍ୱଳ ତଥା ଚକ୍ଚକ୍ ଦେଖାଯାଏ । ଏଥିରେ କଳଙ୍କି ଲାଗେନାହିଁ କି ମଇଳା ହୋଇ ତା’ର ଉଜ୍ଜ୍ୱଳତା ହ୍ରାସ ପାଏ ନାହିଁ । ଦେହରେ ପିନ୍ଧିଲେ ଏହା ପ୍ରାୟତଃ ଆଲର୍ଜିର ଲକ୍ଷଣ ପ୍ରକାଶ କରେନି । ତାହାଛଡା ଏଥିରେ ତମ୍ବା କିମ୍ବା ରୁପା ମିଶେଇ ଦେଲେ ତାହା ଗହଣା ତିଆରି ପାଇଁ ଖୁବ୍ ଉପଯୋଗୀ ହୋଇଥାଏ ।

ରଙ୍ଗିନ ସୁନା

ଜାଣିରଖ ଯେ ଖାଂଟିସୁନାର ରଙ୍ଗ ହେଉଛି ହଳଦିଆ । କିନ୍ତୁ ଆମେ ଯେଉଁ ସୁନାଗହଣାମାନ ପିନ୍ଧିଥାଉ, ତାହା ହେଉଛି ମିଶା । ସେଥିରେ ଅନ୍ୟ ଗୋଟିଏ ଧାତୁ ମିଶେଇ ଗହଣା ତିଆରି କରାଯାଏ । ଗହଣାରେ ସୁନାର ଶୁଦ୍ଧତାକୁ ଏକ ସଂଖ୍ୟାରେ ପ୍ରକାଶ କରାଯାଇଥାଏ । ସେହି ସଂଖ୍ୟାକୁ କ୍ୟାରଟ୍ ସଂଖ୍ୟାବୋଲି କହନ୍ତି । ୨୪ କ୍ୟାରଟ୍ ସୁନା ହେଉଛି ସବୁଠାରୁ ବିଶୁଦ୍ଧ । ଏହା ୯୯.୭ ପ୍ରତିଶତରୁ ବି ବେଶୀ ଖାଂଟି । ସୁନା ଅଧିକାଂଶ ଧାତୁସହ ମିଶିପାରେ । କିନ୍ତୁ ଗହଣା ତିଆରି କରିବା ନିମନ୍ତେ ସୁନାରେ ସାଧାରଣତଃ ମିଶାଯାଇଥାଏ ରୁପା, ତମ୍ବା ଏବଂ ଜିଙ୍କ୍ ବା ଦସ୍ତା । ତେବେ ସୁନାରେ ମିଶାଯାଉଥିବା ଧାତୁର ପ୍ରକାରକୁ ଚାହିଁ ଏହାର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ । ଉଦାହରଣ ସ୍ୱରୂପ, ସୁନାରେ ତମ୍ବା ମିଶିକରି ରହିଲେ ହଳଦିଆ-ସୁନା ବଦଳରେ ତାହା ହୋଇଯାଏ ଲାଲ୍-ସୁନା । ରୁପା ମିଶିଥିଲେ ପ୍ରସ୍ତୁତ ହୋଇଯାଏ ଶାଗୁଆ-ସୁନା । ଧଳା-ସୁନାରେ ମିଶିଥାଏ ପାଲ୍ଲାଡିୟମ୍ ଏବଂ ରୁପା ।

ହଳଦିଆ-ସୁନା ବ୍ୟତୀତ ପ୍ରକୃତିରେ ଧଳା, ଗୋଲାପି କିମ୍ବା ଶାଗୁଆ ରଙ୍ଗର ସୁନା ନ ଥାଏ । ୨୪ କ୍ୟାରଟ୍ର ହଳଦିଆ –ସୁନାସହ ନିକେଲ୍, ମାଙ୍ଗାନିଜ୍ କିମ୍ବା ପାଲ୍ଲାଡିୟମ୍ ମିଶେଇ ପ୍ରସ୍ତୁତ କରାଯାଇପାରେ ଧଳା-ସୁନା । ଏହିସବୁ ଧାତୁ ମିଶିଥିଲେ ସୁନା ହୋଇଥାଏ ବେଶୀ ଶକ୍ତ ଏବଂ ସହଜରେ କ୍ଷୟ ହୋଇଯାଏନି । ସୁନାରେ ମିଶିଥିବା ଧାତୁର ପ୍ରକାର ଓ ତା’ର ପରିମାଣକୁ ଚାହିଁ ପରିବର୍ତ୍ତିତ ହୋଇଥାଏ ତା’ର ପ୍ରକୃତି ତଥା ଚରିତ୍ର । ନିକେଲ୍ ମିଶିଥିବା ସୁନା ହୋଇଯାଏ ଖୁବ୍ ଶକ୍ତ । କାନର ରିଂ ପ୍ରସ୍ତୁତ କରିବା ନିମନ୍ତେ ଏହି ନିକେଲ୍-ମିଶା ସୁନା ଖୁବ୍ ଉପଯୋଗୀ । ସୁନାରେ ପାଲ୍ଲାଡିୟମ୍ ମିଶେଇଦେଲେ ସେଥିରୁ ଯେଉଁ ମିଶା-ଧାତୁ ପ୍ରସ୍ତୁତ ହୁଏ, ତାହା ହୋଇପଡେ ଖୁବ୍ ନରମ ଏବଂ ନମନୀୟ । ମଣି, ରତ୍ନ ତଥା ଅନ୍ୟାନ୍ୟ ‘ମୂଲ୍ୟବାନ୍ ପଥର’ ଇତ୍ୟାଦି ଖଞ୍ଜିବାପାଇଁ ଏଭଳିସୁନା ବେଶ୍ ସନ୍ତୋଷଜନକ । ସବୁବେଳେ ଯେ ସୁନାରେ ମାତ୍ର ଗୋଟିଏ ପ୍ରକାରର ଧାତୁ ମିଶାଯାଇଥାଏ, ତାହା ନୁହେଁ । ଏଥିରେ ଦୁଇଟି ଧାତୁ ମଧ୍ୟ ମିଶା ଯାଇପାରେ ।

ଗୋଲାପି ସୁନାକୁ ମଧ୍ୟ ଫିକାଲାଲ୍ ଏବଂ ଲାଲ୍ ସୁନା ବୋଲି କହନ୍ତି । ସୁନାରେ ତମ୍ବା ମିଶେଇ ପ୍ରସ୍ତୁତ କରାଯାଏ ଗୋଲାପି ସୁନା । ସୁନାରେ ମିଶାଯାଇଥିବା ତମ୍ବାର ପରିମାଣକୁ ଚାହିଁ ତାହା ଗୋଲାପି, ଫିକାଲାଲ୍ ଏବଂ ଲାଲ୍ ରଙ୍ଗର ହୋଇଥାଏ । ବେଶୀ ତମ୍ବା ମିଶିଥିଲେ ରଙ୍ଗ ହୋଇଥାଏ ଅଧିକ ଗାଢ ଲାଲ୍ । ତିନିଭାଗ ସୁନା ଏବଂ ଏକଭାଗ ତମ୍ବା ମିଶା ସୁନାର ରଙ୍ଗ ଗୋଲାପି । ଅଧା ସୁନା ଏବଂ ଅଧା ରୁପାର ମିଶ୍ରଣରୁ ଲାଲ୍-ସୁନା ଜାତ ହୁଏ । ଗୋଲାପି ସୁନା ୧୪ କ୍ୟାରଟ୍ ଏବଂ ୧୮ କ୍ୟାରଟ୍ରେ ମିଳେ । ୧୪ କ୍ୟାରଟ୍ରେ ଗୋଲାପି ରଙ୍ଗ ବେଶୀ ଫୁଟି ଉଠିଥାଏ । ଗୋଲାପି-ସୁନା ବ୍ୟବହାରର ସଉକ ପ୍ରଚଳିତ ଥିଲା ମୁଖ୍ୟତଃ ଉନବିଂଶ ଶତାବ୍ଦୀ-ରୁଷିଆରେ । ଏବେ ଗୋଲାପି-ସୁନା ସାରା ପୃଥିବୀରେ ଲୋକପ୍ରିୟ । ଗୋଲାପି ସୁନାର ଚରିତ୍ର ଊଣା ଅଧିକେ ହଳଦିଆ ସୁନାଭଳି । ଏଥିରୁ ହାର, ମୁଦି, କାନଫୁଲ, ଚୁଡି, କଙ୍କଣ ଇତ୍ୟାଦି ଗହଣା ଅତି ସହଜରେ ପ୍ରସ୍ତୁତ କରିହୁଏ ।

ସବୁଜ-ସୁନା ବା ଶାଗୁଆ-ସୁନା ହେଉଛି ସୁନା, ରୂପା ଓ ତମ୍ବାର ମିଶ୍ରଧାତୁ । ୧୮ କ୍ୟାରଟ୍ ଶାଗୁଆ-ସୁନାରେ ତିନିଭାଗ ସୁନା ଏବଂ ଏକଭାଗ ରୁପା ଓ ତମ୍ବା ରହିଥାଏ । ତେବେ ଏ’ଧରଣର ସୁନା ବେଶ୍ ନରମ ହୋଇଥିବାରୁ ଗହଣାଗାଣ୍ଠି ତିଆରି କରିବା ନିମନ୍ତେ ଏହା ବିଶେଷ ସନ୍ତୋଷଜନକ ନୁହେଁ । କିନ୍ତୁ ଗହଣା ଉପରେ ବିଭିନ୍ନ କାରୁକାର୍ଯ୍ୟ କରିବା ନିମନ୍ତେ ଓ ତା’ର ଶୋଭା ବୃଦ୍ଧିକରିବାପାଇଁ ବ୍ୟବହୃତ ହୋଇଥାଏ ଏହି ଧରଣର ସୁନା ।

ଏବେ ନୂତନ ପ୍ରଯୁକ୍ତି-ପଦ୍ଧତିର ଯଥେଷ୍ଟ ବିକାଶ ହୋଇପାରିଛି । ଫଳରେ ନାନାରଙ୍ଗର ସୁନା ତିଆରି କରିବା ଆଉ ସମସ୍ୟା ହୋଇ ରହିନାହିଁ । ଏପରିକି ପ୍ରସ୍ତୁତ ହୋଇପାରିଲାଣି କଳାରଙ୍ଗର ସୁନା ।

କିନ୍ତୁ କଳା-ସୁନା ତିଆରି ହୋଇଥାଏ କିପରି? ବ୍ଲାକ୍ ରୋଡିୟମ୍ କିମ୍ବା ରୁଥେନିୟମ୍, ଆମୋର୍ଫସ୍ ବା ଦାନାହୀନ ଅଙ୍ଗାରକ, କ୍ରୋମିୟମ୍ କିମ୍ବା କୋବାଲ୍ଟକୁ ସୁନାରେ ମିଶେଇ କଳାସୁନା ତିଆରି କରାଯାଇଥାଏ । ତମ୍ବା ଏବଂ ପୋଟାସିୟମ୍ ସଲ୍ଫାଇଡ୍ ବ୍ୟବହାର କରି ବାଦାମୀ ରଙ୍ଗରୁ ଆରମ୍ଭ କରି ଗାଢ କଳାରଙ୍ଗର ସୁନା ପ୍ରସ୍ତୁତି ସମ୍ଭବ । ଏବେ ଲେଜର୍ ପଦ୍ଧତି ସାହାଯ୍ୟରେ ହଳଦିଆ- ସୁନାକୁ କଳାସୁନାରେ ପରିଣତ କରାଯାଇପାରୁଛି । କଳା-ସୁନା ବେଶ୍ ଆକର୍ଷଣୀୟ । ତେଣୁ ବଢି ବଢି ଚାଲିଛି କଳାସୁନାର ଗହଣାପିନ୍ଧା ସଉକ ।

ଆଚ୍ଛା, ଫିକା ନାଲି ଏବଂ ନୀଳ-ସୁନା ତିଆରି କଅଣ ସମ୍ଭବ? ହଁ, ସମ୍ଭବ । ସୁନାରେ ଆଲୁମିନିୟମ୍ ମିଶେଇ ତିଆରି କରାଯାଇପାରେ ଫିକା-ନାଲି ରଙ୍ଗର ସୁନା । ଏହି ୧୯ କ୍ୟାରଟ୍ ସୁନାରେ ୮୦ ଭାଗ ହେଉଛି ୨୪ କ୍ୟାରଟ୍ ସୁନା ଏବଂ ୨୦ ଭାଗ ଆଲୁମିନିୟମ୍ । ଦଶହଜାର ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ଏକ ସ୍ୱତନ୍ତ୍ର ଧରଣର ପଦ୍ଧତି ଅବଲମ୍ବନ କରି ଫିକା-ନାଲିରଙ୍ଗ ସୁନା ପ୍ରସ୍ତୁତ ହୁଏ । ସୁନାସହ ଇଣ୍ଡିୟମ୍ ମିଶେଇ ଏବଂ ଉପରୋକ୍ତ ପଦ୍ଧତିଟି ଅବଲମ୍ବନ କରି ତିଆରି କରାଯାଏ ନୀଳରଙ୍ଗର ସୁନା । ଫିକା-ନାଲି ଏବଂ ନୀଳରଙ୍ଗର ସୁନାରେ ତିଆରି ଗହଣାର ଆଦର ବଢିଚାଲିଛି ।

ସୁନା ପଦକ

କେତେକ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ସୁନା, ରୁପା ଓ ବ୍ରୋଞ୍ଜ ପଦକ ଦିଆଯାଉଥିବାର ତୁମେମାନେ ତ ଜାଣିଛ । ପଦକ ଭିତରେ ସୁନାକୁ ସବୁଠାରୁ ଉଚ୍ଚସ୍ଥାନ ଦିଆଯାଇଥାଏ । ସାଧାରଣତଃ କଳା, ବିଜ୍ଞାନ, କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ସବୁଠାରୁ ବେଶୀ କୃତିତ୍ୱ ହାସଲ୍ କରିଥିବା ବ୍ୟକ୍ତିଙ୍କୁ ହିଁ ପ୍ରଦାନ କରାଯାଇଥାଏ ସ୍ୱର୍ଣ୍ଣପଦକ । ମାତ୍ର ସାମରିକ ବିଭାଗରେ କୃତିତ୍ୱ ପାଇଁ ଏପରି ଚଳଣି ନାହିଁ ।

ଜାଣିରଖ ଯେ ପଦକକୁ ସିନା ସୁନା ପଦକ ବା ସୁନା ମେଡାଲ୍ ବୋଲି କୁହାଯାଉଛି, ହେଲେ ସବୁକ୍ଷେତ୍ରରେ ପଦକଟି ପୂରାପୂରି ସୁନାରେ ତିଆରିବୋଲି ଧରି ନେବନି । କେତେକ ସୁନାପଦକରେ ରହିଥାଏ ନିଦା ସୁନା, ହେଲେ ଅନେକ ସୁନାପଦକରେ ସୁନା ଅନ୍ୟଧାତୁ ସହ ମିଶି କରି ରହିଥାଏ । କିନ୍ତୁ ବାହାରକୁ ତାହା ଦିଶିଥାଏ ସୁନାଭଳି । କେତେକ ସୁନା ପଦକରେ ଦିଆଯାଇଥାଏ କେବଳ ସୁନାର ପ୍ରଲେପ ବା ସୁନାର ପ୍ଲେଟିଂ । ଯେପରିକି ନୋବେଲ୍ ପୁରସ୍କାରରେ ଦିଆଯାଉଥିବା ସୁନାପଦକଟି ପ୍ରକୃତରେ ତିଆରି ହୋଇଥାଏ ରୂପାରେ । କିନ୍ତୁ ସେଇ ରୂପାପଦକଟିର ଉପରେ ଦିଆଯାଇଥାଏ ୨୪ କ୍ୟାରଟ୍ ସୁନାର ପ୍ରଲେପ ।

୨୦୧୨ ମସିହାରେ ଲଣ୍ଡନ୍ଠାରେ ଅନୁଷ୍ଠିତ ହୋଇଥିଲା ଅଲିମ୍ପିକ୍ କ୍ରୀଡା । ସେତେବେଳେ ମଙ୍ଗୋଲିଆ ଏବଂ ଆମେରିକାର ଉତ୍ହାରୁ ଆମଦାନୀ କରାଯାଇଥିଲା ୮୦୦୦ କିଲୋଗ୍ରାମ୍ ଓଜନର ସୁନା, ରୁପା ଏବଂ ତମ୍ବା । ସେଗୁଡିକୁ ପଠାଯାଇଥିଲା ସ୍ପେନ୍କୁ । ସ୍ପେନ୍ରେ ତା’କୁ ତରଳେଇ ନିଦା ଚକତି ପ୍ରସ୍ତୁତ ହୋଇଥିଲା । ଉକ୍ତ ଚକତିଗୁଡିକରୁ ଇଂଲଣ୍ଡ ସରକାରଙ୍କ ଟଙ୍କାଶାଳାରେ ତିଆରି କରାଯାଇଥିଲା ସୁନା, ରୁପା ଏବଂ ବ୍ରୋଞ୍ଜ ପଦକ । ପ୍ରତ୍ୟେକ ପଦକକୁ ତିଆରି କରିବା ନିମନ୍ତେ ଲାଗିଥିଲା ପାଖାପାଖି ୧୦ ଘଂଟା ସମୟ ।

ପ୍ରକୃତରେ ଅଲିମ୍ପିକ୍ କ୍ରୀଡାରେ ସୁନାମେଡାଲ୍ର ଇତିହାସ ବଡ କୌତୂହଳପୂର୍ଣ୍ଣ । ଅଲମ୍ପିକ କ୍ରୀଡାର ଜନ୍ମସ୍ଥାନ ପ୍ରାଚୀନ ଗ୍ରୀସ୍ । ସେତେବେଳେ ବିଜୟୀ ଖେଳାଳିଙ୍କୁ କୌଣସି ମେଡାଲ୍ ଦିଆଯାଉନଥିଲା । ଦିଆଯାଉଥିଲା ଲରେଲ୍ ଗଛର ପତ୍ର ଓ ଫୁଲରୁ ତିଆରି ତୋଡା । ଏପରିକି ଆଧୁନିକ ଅଲମ୍ପିକ୍ କ୍ରୀଡା ଆରମ୍ଭ ହେବା ପରେ ମଧ୍ୟ କିଛି ବର୍ଷ ଧରି ମେଡାଲ ଦେବାର ଚଳଣି ନ ଥିଲା । ଏହି ମେଡାଲ ଦେବାର ଚଳଣି ଆରମ୍ଭ ହେଲା ୧୮୯୬ ମସିହାଠାରୁ । ସେତେବେଳେ କ୍ରୀଡା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ରୂପାର ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ବ୍ରୋଞ୍ଜର ପଦକ ଦିଆଯିବା ସଙ୍ଗେ ସଙ୍ଗେ ପ୍ରଦାନ କରାଯାଉଥିଲା ଅଲିଭ ଗଛର ଛୋଟ ଡାଳଖଣ୍ଡେ । ୧୯୦୪ ମସିହାଠାରୁ ହିଁ ଆରମ୍ଭ ହୋଇଥିଲା ସୁନା, ରୁପା ଓ ବ୍ରୋଞ୍ଜ ମେଡାଲ ଦେବାର ଚଳଣି ।

ଏବେ ଅଲିମ୍ପିକ୍ ମେଡାଲ୍ ସଂପର୍କରେ କେତେକ ନିୟମ ଅନୁସରଣ କରାଯାଉଛି । ଯେଉଁ ଦେଶରେ ଏହି କ୍ରୀଡା ଅନୁଷ୍ଠିତ ହେବ, ସେହି ଦେଶ ହିଁ ସ୍ଥିର କରିବ ମେଡାଲ୍ଗୁଡିକର ନକ୍ସା । ସେହି ଦେଶର ଜାତୀୟ ଅଲିମ୍ପିକ୍ କମିଟିସହ ଆଲୋଚନା କରି ଏହା ସ୍ଥିର ହେବ । ତେବେ ପ୍ରତ୍ୟେକ ମେଡାଲ୍ ହେବ ଗୋଲାକାର ଏବଂ ରିବନ୍ରେ ଓହଳେଇବା ପାଇଁ ବ୍ୟବସ୍ଥା ରହିଥିବ ମେଡାଲ୍ରେ । ସୁନା ମେଡାଲର ବ୍ୟାସ ଅନ୍ତତଃ ୬୦ ମିଲିମିଟର୍ ଏବଂ ମୋଟେଇ ବା ବେଧ ଅନ୍ତତଃ ୩ ମିଲିମିଟର୍ ରଖାଯିବା ହିଁ ନିୟମ । ମେଡାଲ୍ ତିଆରି ହେବ ରୁପାରେ ଏବଂ ଏଥିରେ ମିଶିଥିବ ୬ ଗ୍ରାମ୍ର ଖାଂଟିସୁନା । ପ୍ରଥମେ ପ୍ରଥମେ ଯେଉଁ ସୁନାମେଡାଲ୍ ଗୁଡିକ ଦିଆଯାଉଥିଲା, ସେହି ମେଡାଲ୍ଗୁଡିକର ଓଜନ ଥିଲା ୨୧ ଗ୍ରାମ୍ ଲେଖାଏଁ । କିନ୍ତୁ ୨୦୧୨ ମସିହାରେ ଲଣ୍ଡନ ଅଲିମ୍ପିକ୍ରେ ପ୍ରଦତ ହୋଇଥିଲା ପାଖାପାଖି ୪୦୦ ଗ୍ରାମ୍ ଓଜନର ସୁନାମେଡାଲ୍ ।

ସୁନା ଜାହାଜ

୧୮୫୭ ମସିହାର ସେପ୍ଟେମ୍ବର ମାସ । କ୍ୟୁବାର ହାଭାନାଠାରୁ ନିୟୁୟର୍କ ନଗରୀ ଅଭିମୁଖେ ଯାତ୍ରା ଆରମ୍ଭ କଲା ବାଷ୍ପ ଶକ୍ତିରେ ଚାଳିତ ଏକ ଜଳଜାହାଜ । ସେ ଜଳଜାହାଜଟିର ନାଁ ‘ଏସ୍.ଏସ୍.ସେଂଟ୍ରାଲ୍ ଆମେରିକା’ । ସେ ଜାହାଜଟି ଥିଲା ଅତି ସୁନ୍ଦର । ତାକୁ ହିଁ କୁହାଯାଏ ସୁନାର ଜାହାଜ ।

କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ‘ଏସ୍.ଏସ୍.ସେଂଟ୍ରାଲ୍ ଆମେରିକା’ ନାମକ ଜାହାଜଟି ସୁନାରେ ତିଆରି ହୋଇନଥିଲା । ବରଂ ସେଥିରେ ବୋଝେଇ ହୋଇଥିଲା ୨୧,୦୦୦ କିଲୋଗ୍ରାମ୍ ଓଜନର ସୁନା । ସେ ଜାହାଜଟିର ଅଧିକାଂଶ ଯାତ୍ରୀ କାଲିଫର୍ଣ୍ଣିଆର ସୁନା ଖଣିରେ କାମ କରୁଥିଲେ ଓ ଫେରୁଥିଲେ ନିଜ ନିଜର ଘରକୁ । ଜାହାଜର ମାଲମତା ରଖାଯାଉଥିବା କୋଠରିଗୁଡିକରେ ବୋଝେଇ ହୋଇଥିଲା ସୁନାଛଡମାନ ରହିଥିବା ବଡବଡ ବାକ୍ସ ।

ସେପ୍ଟେମ୍ବର ମାସ ୧୨ ତାରିଖ । ସେହିଦିନ ଏକ ଭୀଷଣ ଝଡର ସମ୍ମୁଖୀନ ହେଲା ଏସ୍.ଏସ୍.ସେଂଟ୍ରାଲ୍ ଆମେରିକା । ଝଡର ଦାଉ ସମ୍ଭାଳି ନ ପାରି ହଠାତ୍ ତାହା ଗଭୀର ସମୁଦ୍ରରେ ବୁଡିଗଲା । ଫଳରେ ଜଳ ସମାଧି ନେଇଗଲେ ୪୨୫ ଜଣ ଯାତ୍ରୀ । ସାଉଥ୍ କାରୋଲିନାର ଉପକୂଳରୁ କିଛି ଦୂରରେ ଦୁଇକିଲୋମିଟର୍ରୁ ଅଧିକ ଗଭୀରତାରେ, ସମୁଦ୍ର ଶଯ୍ୟାରେ ପଡିରହିଲା ସେହି ସୁନାବୋଝେଇ ଜାହାଜଟି । ସେତେବେଳେ ସେ ଜାହାଜରେ ଥିବା ସବୁତକ ସୁନାର ଦାମ୍ ଥିଲା ହଜାର ହଜାର କୋଟି ଡଲାର୍ ।

ସୁନାବୋଝେଇ ଜାହାଜଟି ଦଶକ ଦଶକ ଧରି ପଡିରହିଲା ସମୁଦ୍ର ଶଯ୍ୟାରେ । ତା’ର ସନ୍ଧାନ ନେଇ ସେଥିରୁ ସୁନାତକ ଉଦ୍ଧାର କରିବା ନିମନ୍ତେ ଅନେକେ ମନ ବଳେଇଲେ । କିନ୍ତୁ ସେମାନଙ୍କ ଚେଷ୍ଟା ସଫଳ ହେଲା ନାହିଁ ।

୧୯୮୦ ମସିହାର କଥା । ଟୋମି ଟମ୍ସନ୍ ନାମକ ଜଣେ ଇଞ୍ଜିନିୟର୍ ବଡ ଜିଦ୍ରେ ସେହି ସୁନା ସଂପର୍କରେ ସନ୍ଧାନ ଚଳେଇଲେ । ୧୯୮୯ ମସିହାରେ ସେ ତାଙ୍କ କର୍ମଚାରୀ ମାନଙ୍କ ସହିତ ଅନ୍ତତଃ ଦୁଇ କିଲୋମିଟର୍ ଗଭୀରତାକୁ ଯାଇ ସମୁଦ୍ରଶଯ୍ୟାରେ ପଡିରହିଥିବା ସେ ଜାହାଜଟିର ସନ୍ଧାନ ପାଇଗଲେ । ସେମାନେ ଜାହାଜର ନିକଟରେ ପହଁଚି ନିଜ ଆଖିକୁ ବି ବିଶ୍ୱାସ କରି ପାରିଲେନି । ସମୁଦ୍ର ଶଯ୍ୟାରେ ଗାଲିଚାଭଳି ବିଛାଡି ହୋଇପଡିଥିଲା କେତେ ନା କେତେ ସୁନାମୋହର । ଥାକ ମରାହୋଇ ରହିବା ପ୍ରକାରେ ରହିଥିଲା ସୁନାଖାଡିଗୁଡିକର ଗଦା । ସୁନାତକ ପାଇ ଟୋମି ଟମ୍ସନ୍ ରାତାରାତି ଖୁବ୍ ଧନୀ ହୋଇଗଲେ ।

ଏଇ ୨୦୧୨ ମସିହା ଅକ୍ଟୋବର ମାସର ଘଟଣା । ପାଖାପାଖି ୭ ଲକ୍ଷ କିଲୋଗ୍ରାମ ଓଜନର ସୁନା ବହନ କରି ପ୍ରଶାନ୍ତ ମହାସାଗରରେ ଯାତ୍ରା କରୁଥିଲା ରୁଷିଆର ମାଲବାହୀ ଜାହାଜ ‘ଆମୁର୍ସ୍କାୟା’ । ହଠାତ୍ ଉଠିଲା ଭୀଷଣ ସାମୁଦ୍ରିକ ଝଡ । ଓ ସେହି ଝଡରେ ‘ଆମୁର୍ସ୍କାୟା’ କୁଆଡେ ନିଖୋଜ ହୋଇଗଲା । ଉଡାଜାହାଜ ଓ ହେଲିକପ୍ଟର୍ ଗୁଡିକ ଜାହାଜଟିକୁ ଠାବ କରିବା ନିମନ୍ତେ ଆକାଶସାରା ପଇଁତରା ମାରିଲେ । ପ୍ରାୟ ୩୬୦୦ ବର୍ଗକିଲୋମିଟର ବ୍ୟାପୀ ସମୁଦ୍ର ଉପରେ ପଇଁତରା ମାରିବା ସତ୍ତ୍ୱେ ମଧ୍ୟ ସେ ଜାହାଜଟିର କିମ୍ବା ଜାହାଜରେ ଯାତ୍ରା କରୁଥିବା କୌଣସି ଯାତ୍ରୀଙ୍କର ଆଦୌ କିଛି ବି ଖୋଜଖବର ମିଳିଲା ନାହିଁ ।

ଏ ଭିତରେ ବିତିଗଲା ଅନେକ ସପ୍ତାହ । ଶେଷରେ ରୁଷିଆର ସ୍କୁବା ସମୁଦ୍ର-ବୁଡାଳିମାନଙ୍କୁ ସଫଳତା ମିଳିଗଲା । ଜଳ ଉପରୁ ୨୫ ମିଟର୍ ତଳେ ପଡିରହିଥିଲା ସେ ଜାହାଜଟି । ତେଣୁ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଝଡପବନରେ ସେ ଜାହାଜଟି ଭୟଙ୍କର ଭାବରେ ଦୋହଲିବା କାରଣରୁ ସୁନାରହିଥିବା ପେଟିଗୁଡିକ ଗୋଟିଏ ସ୍ଥାନରେ ରହି ନ ପାରି ଏଣେତେଣେ ଖେଳେଇ ହୋଇ ପଡିବା ଥିଲା ଜାହାଜଟି ଜଳରେ ବୁଡିଯିବାର ମୁଖ୍ୟ କାରଣ ।

ଆଧାର-ଓଡ଼ିଆ ଗପ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top