ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସୁଭାଷ ଚନ୍ଦ୍ର ବୋଷ
ସେଆର କରନ୍ତୁ

ସୁଭାଷ ଚନ୍ଦ୍ର ବୋଷ

ନେତାଜୀସୁଭାଷ ଚନ୍ଦ୍ର ବୋଷଙ୍କ ବାଲ୍ୟ ଜୀବନ ଓ କର୍ମ ଭୂମି

ଭାରତମାତାର ପ୍ରିୟ ସନ୍ତାନ ସୁଭାଷ ଓଡିଶାରେ ଜନ୍ମଗ୍ରହଣ ହୋଇଥିଲେ । ୧୮୯୭ ଜାନୁଆରୀ ୨୩ ତାରିଖରେ ଦିନ କଟକ ଠାରେ ତାଙ୍କର ଜନ୍ମ । କଟକର ଓଡିଶା ବଜାରରେ ଏବେବି ତାଙ୍କର ପୈତୃକ ଘର ଅଛି । ସୁଭାଷଙ୍କ ପିତା ଜାନକନାଥ ବୋଷ ଜଣେ ନାମଯାଦା ଓକିଲ ଥିଲେ । ତାଙ୍କର ମାତା ପ୍ରଭାଦେବୀ ଥିଲେ ଜଣେ ଧର୍ମପରାୟଣ ନାରୀ । ପ୍ରଭାବତୀ ତାଙ୍କର ପିଲାଙ୍କୁ ଏକ ଧାର୍ମିକ ବାତାବରଣଭିତରେ ବଢାଇଥିଲେ । ସୁଭାଷ ଥିଲେ ବାପା ମାଆଙ୍କର ମୋଟ ଚଉଦ ପିଲାଙ୍କ ମଧ୍ୟରେ ନବମ ସନ୍ତାନ । ବଡଭାଇ ଶରତ ବୋଷଙ୍କୁ ଖୁବ ଭକ୍ତି କରୁଥିଲେ ।

ଏକ ଇଂରାଜୀ ସ୍କୁଲରୁ ସୁଭାଷଙ୍କ ବିଦ୍ୟାରମ୍ଭ । ପାଞ୍ଚବର୍ଷ ବୟସରେ କଟକ ପ୍ରୋଟେଷ୍ଟାଣ୍ଟ ୟୁରୋପିଆନ ସ୍କୁଲରେ ନାମ ଲେଖାଇଲେ ।  ପିଲାଦିନୁ ଜଣେ ଭଲ ଛାତ୍ର ହିସାବରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ । ସୁଭାଷଙ୍କ ସ୍କୁଲରେ             ଆଙ୍ଗୋ-ଇଣ୍ଡିଆନ ପିଲାଙ୍କ ମଧ୍ୟରେ ପାଟର ଅନ୍ତର ହୁଏ । ଏକଥା ପାଞ୍ଚ ସାତ ବର୍ଷର ବାଳକ ସୁଭାଷ ଲକ୍ଷ୍ୟ କରିଥିଲେ ।

ବାରବର୍ଷ ବୟସରେ ସୁଭାଷ ଆସିଲେ କଟକର ବିଶିଷ୍ଟ ହାଇସ୍କୁଲ ରେଭେନ୍ସା କଲିଜିଏଟ୍ ସ୍କୁଲ । ଏଠି କେବଳ ଭାରତୀୟ ପିଲା ପଢନ୍ତି । ଏହି ସ୍କୁଲର ସୁସ୍ଥ ବାତାବରଣ ସୁଭାଷଙ୍କୁ ଭଲ ଲାଗିଲା  । ସେ ଅଚିରେ  ପ୍ରିନ୍ସିପାଲ୍ ଙ୍କ ଦୃଷ୍ଟିରେ ପଡିଲା । ଦେଶର ଯେଉଁ ନୂତନ ସାଂସ୍କୃତିକ ଓ ରାଜନୈତିକ ଜାଗରଣ ଆସୁଛି ସେ ବିଷୟରେ ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ବେଣୀମାଧବ ଦାସ ସୁଭାଷଙ୍କୁ ସଚେତନ କରାଇଥିଲେ । ପନ୍ଦର ବର୍ଷ ବୟସରେ ସୁଭାଷ ବିବେକାନନ୍ଦ ରଚନା ସଂସ୍ପର୍ଶରେ ଆସିଲେ । ସ୍ଵାମୀଜି ତ ଭାରତବର୍ଷର ପ୍ରାଣ ପୁରୁଷ । ତାଙ୍କ କର୍ମ ସମ୍ପର୍କରେ ଜାଣିଲେ ଓ ତାଙ୍କ ଲେଖା ପଢିଲେ ଯେ କୌଣସି ତରୁଣ ହୃଦୟରେ ଦେଶପ୍ରେମ ଜାଗ୍ରତ ହେବ । ସେ କାଳରେ ସୁଭାଷଙ୍କ ପରି ପ୍ରସ୍ତୁତ ତରୁଣ ହୃଦୟରେ ସ୍ଵାମୀଜୀଙ୍କ ପ୍ରଭାବ ଅକଳନୀୟ ।

ଆମେରିକା , ଇଂଲଣ୍ଡ ପ୍ରଭୁତି ଅଗ୍ରଣୀ ପାଶ୍ଚାତ୍ୟ ଦେଶମାନନ୍କାରେ ବିପୁଳ ପ୍ରଭାବ ପକାଇ ସ୍ଵାମୀଜୀ ଫେରିଥାନ୍ତି । ବିଂଶ ଶତାଦ୍ଦୀ ଆରମ୍ଭରେ ଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦଙ୍କ ଚିନ୍ତା ଓ କର୍ମ ପ୍ରବାହରେ ବଙ୍ଗଳା ଉବୁଟୁବୁ ହେଉଥାଏ । ଆର୍ଯ୍ୟ ପତ୍ରିକା ମାଧ୍ୟମରେ ଶ୍ରୀ ଅରବିନ୍ଦଙ୍କର ସନାତନ ଧର୍ମର ନୂତନ ବ୍ୟାଖ୍ୟା ଠାରୁ ଆରମ୍ଭ କରି ଦେଶାତ୍ମକବୋଧକ ରଚନା ବଙ୍ଗଳାର ଯୁବକମାନସକୁ ଆନ୍ଦୋଳିତ କରୁଥାଏ । ରାମକୃଷ୍ଣଙ୍କର ସର୍ବଧର୍ମ ସମନ୍ଵୟବାଣୀ ଭାରତୀୟଙ୍କୁ ଉଦାର କଲା । ମେଣ୍ଢାଛାଲ ଫିଙ୍ଗିଦେଇ ସିଂହର ତେଜ ପ୍ରକାଶ କରିବା ପାଇଁ ବିବେକାନନ୍ଦଙ୍କ ଆହ୍ଵାନ ସେମାନଙ୍କୁ ଅନୁପ୍ରାଣିତ କଲା । ଏହା ସହିତ ମିଶିଳା ଶ୍ରୀ ଅରବିନ୍ଦଙ୍କର ଭାରତୀୟ ସଂସ୍କୃତିର ଜୀବନ୍ତ ବ୍ୟାଖା ସହିତ ଦେଶ ବିଦେଶର ଚିନ୍ତାର ପ୍ରଭାବଶାଳି ତର୍ଜମା । ଏ ସବୁ ସାରାଦେଶରେ ଆଲୋଡନ ଖେଳାଇଲା । ବିଶେଷତଃ ବଙ୍ଗଳାରେ । ସୁଭାଷ ଏଇ ବାତାବରଣରୁ ରସ ସଂଗ୍ରହ କରି ବଢିଲେ ।

ସ୍କୁଲରେ ପିଲାଦିନୁ ଧର୍ମଭାବ ପ୍ରତି ଥିବା ତାଙ୍କର ଆକର୍ଷଣ ଘୋର କର୍ମ କାଳରେ ଅଧିକ ସାନ୍ଦ୍ର ହୋଇଛି । ଦିନରାତି ପରିଶ୍ରମ କରି  ଆଇ.ଏନ.ଏ . ସଂଗଠନକୁ  ମଜବୁତ କରୁଥିବା ସମୟରେ ସିଙ୍ଗାପୁରରେ ନେତାଜୀ ରାତି ଦୁଇଟା ତିନିଟାରେ ବିଛଣାକୁ ଯାଉଥିଲେ । ବିଛଣାକୁ ଯିବା ପୂର୍ବରୁ ସେ ନିୟମିତ ଗୀତା ପାଠ କରୁଥିଲେ । ସମୟପାଇଲେ ରାତିରେ ସାମରିକ ପୋଷାକ ରଖିଦେଇ ଧୋତି ପିନ୍ଧି ସିଙ୍ଗାପୁରର ରାମକୃଷ୍ଣ ଆଶ୍ରମକୁ ଯାଉଥିଲେ । ସେଠାରେ କବାଟ କିଳି କିଛି ସମୟ ଧ୍ୟାନ କରୁଥିଲେ । ଆଶ୍ରମର ସ୍ଵାମୀଙ୍କ ସହିତ ଆଲୋଚନା କରି ଫେରୁଥିଲେ । ଦିନେ ଦିନେ ସ୍ଵାମୀଙ୍କୁ ଡକାଇ ଆଣୁଥିଲେ । ସ୍କୁଲରେ ପଢୁଥିବା ବେଳେ ସ୍ଵାମୀଜୀ ଙ୍କ ଦ୍ଵାରା ଉଦବୁଦ୍ଧ ହୋଇ ଓ ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ଦାସ ମହାଶଯଙ୍କ ଠାରୁ ଉତ୍ସାହ ପାଇ ସୁଭାଷ ସାଥିମାନଙ୍କୁ ନେଇ ଗୋଟିଏ ସ୍ଵେଚ୍ଛାସେବୀ ସଂଘ ଗଢିଲେ । ହଇଜା ଓ ବସନ୍ତରେ ପଡିଥିବା ଗରିବ ରୋଗୀଙ୍କ ଶ୍ରୁଶ୍ରୁଷା କରିବା, ଗରିବ ଛାତ୍ରଙ୍କୁ ଖାଇବାକୁ ଦେବା ଥିଲା ଏହି ସେବା ସଂଘର ଉଦ୍ଦେଶ୍ୟ । ଏହି ସବୁ କାମରେ ସମୟ ଦେଇ ମଧ୍ୟ ସୁଭାଷ ମାଟ୍ରିକ ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ପାସ କଲେ । ଏହାପରେ ୧୯୧୩ ମସିହାରେ କଲିକତା ଯାଇ ସେଠାକାର ବିଖ୍ୟାତ ପ୍ରେସିଡେନ୍ସି କଲେଜରେ ନାମ ଲେଖାଇଲେ ।

କଲିକତାରେ କଲେଜ ଜୀବନ

ପ୍ରେସିଡେନ୍ସି କଲେଜରେ ପ୍ରାୟ ସମସ୍ତ ମେଧାବୀ ଛାତ୍ର । ସେଠି ସୁଭାଷ ଭଲ ପାଠ ପଢି ନ ନାଁ କଲେ, ଶାଠରେ ମଧ୍ୟ ସୁନାମ ଅର୍ଜିଲେ । କଲେଜରେ ତାଙ୍କର ସେବା କାର୍ଯ୍ୟ ଜାରି  ଥାଏ । ସେତେବେଳେ ବଙ୍ଗଳାରେ ହିନ୍ଦୁତ୍ଵର ପୁନର୍ଜାଗରଣ ହାୱା ବହୁଥାଏ । ଗ୍ରୀଷ୍ମ ଛୁଟିରେ ଜଣେ ବନ୍ଧୁଙ୍କୁ ଧରି ସୁଭାଷ ତୀର୍ଥ ସ୍ଥାନ ବୁଲି ବାହାରିଲେ । ଘରେ କିଛି ଖବର ଦେଇ ନ ଥାନ୍ତି । ସମସ୍ତ ବ୍ୟସ୍ତ ତୀର୍ଥସ୍ଥାନ ସବୁ ଦେଖି ଓ ହିନ୍ଦୁ ଧର୍ମ ବିଷୟରେ ମୁଣ୍ଡ ଖେଳାଇ ସୁଭାଷ ଏହାର କେତୋଟି ତ୍ରୁଟି ଲକ୍ଷ୍ୟ କରିଥିଲେ । ହରିଜନଙ୍କ ପ୍ରତି ମନୋଭାବ ଓ ନାରୀମାନଙ୍କୁ ହିନ୍ଦୁ ସମାଜରେ ଦମନନୀତି ତାଙ୍କୁ ବାଧିଲା । ସୁଭାଷ ଅନୁଭବ କଲେ, ଆମର ରାଜନୈତିକ ସ୍ଵାଧୀନତା ସାଙ୍ଗକୁ ଅର୍ଥନୈତିକ ଶୋଷଣ ଓ ସାମାଜିକ ଭେଦଭାବରୁ ମୁକ୍ତି ପାଇବା ମଧ୍ୟ ଜରୁରୀ । ସେ ଛାତ୍ରାବସ୍ଥାରୁ ସ୍ଵାଧୀନତାକୁ ଏକ ବୃହତ୍ତମ ଦୃଷ୍ଟିକୋଣରୁ ଦେଖିଥିଲେ ।

୧୯୧୬ ମସିହାରେ ପ୍ରେସିଡେନ୍ସି କଲେଜରେ ଗୋଟିଏ ଘଟନା ଘଟିଲା । ପ୍ରେସିଡେନ୍ ସିରେ ଓଟେନ ନାମକ ଜଣେ ଇଂରେଜ ଇତିହାସ ଅଧ୍ୟାପକ ଥାଆନ୍ତି । ଭାରତୀୟଙ୍କ ପ୍ରତି ତାଙ୍କର ଘୃଣାଭାବ ଥାଏ । ଭାରତୀୟ ଛାତ୍ରଙ୍କୁ ସେ ହେୟଜ୍ଞାନ କରନ୍ତି । ଥରେ ଅଧ୍ୟାପକ ଓଟେନ ଅଭିଯୋଗ କଲେ ଯେ ସେ ପଢାଉଥିବା ବେଳେ ସୁଭାଷଙ୍କ କ୍ଳାସର ପିଲାମାନେ ବାରଣ୍ଡାରେ ଗୋଳମାଳ କରୁଛନ୍ତି । ସୁଭାଷ ତାଙ୍କ କ୍ଳାସରେ ଛାତ୍ରପ୍ରତିନିଧି । ଜଣେ ଉତ୍ତମ ଓ ଉତ୍ସାହୀ ଛାତ୍ର ଭାବେ ତାଙ୍କର ସୁନାମ ଥାଏ । ପ୍ରିନ୍ସିପାଲ୍ ତାଙ୍କୁ ଡକାଇ ଏ ସାମାନ୍ୟ ଘଟଣାର ମୀମାଂସା କରିଦେବାକୁ ଉପଦେଶ ଦେଲେ । ବାହାରକୁ ଏ ଘଟଣାଟି ସାମାନ୍ୟ ଟିକିଏ ଗହରେଇ ଦେଖିଲେ ସାଂଘାତିକ । କଥା ହେଉଛି ଇଂରେଜ ଅଧ୍ୟାପକଙ୍କର ଭାରତୀୟ ଛାତ୍ରଙ୍କ ପ୍ରତି ହେୟଜ୍ଞାନ ପିଲାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିବା ସ୍ଵାଭାବିକ । କଲେଜ ବାହାରେ ଟ୍ରେନ ବା ଟ୍ରାମରେ ସିଟ ଟିଏ ପାଇଁ ଭାରତୀୟଙ୍କୁ ନା ନା ଅପମାନ ସହିବାକୁ ପଡୁଥିଲା । ଏହାର ପ୍ରଭାବରୁ ଛାତ୍ରସମାଜ ମୁକ୍ତ ରହନ୍ତେ କିପରି ?

ପ୍ରଫେସର ଓଟେନଙ୍କ ଅଭିଯୋଗ ନେଇ କଲେଜ ବାତାବରଣ ଉତ୍ତେଜନାପୂର୍ଣ୍ଣ ଥିବା ସମୟରେ ଥରେ ଓଟେନ ସାହେବ ଜଣେ ଛାତ୍ରଙ୍କୁ “ରାସ୍କେଲ” ବୋଲି ଗାଳି କରି ତାର କାନ ମୋଡିଦେଲେ । ସେଦିନ ଉପରଓଳି ପିଲାମାନେ ତାଙ୍କୁ ଠେଲାପେଲା କଲେ । ସରକାରୀ ରିପୋର୍ଟ ଗଲା ଯେ ପ୍ରଫେସରଙ୍କୁ ପିଲାମାନେ ନୃଶଂସ ଭାବେ ପିତିଛନ୍ତି । ସୁଭାଷ ପିଲାଙ୍କୁ ମତାଇ ଏ କାଣ୍ଡ ଭିଆଇଲେ ବୋଲି ସନ୍ଦେହରେ ତାଙ୍କୁ କଲେଜରୁ ବହିଷ୍କାର କରାଗଲା । ନିଜର ଉତ୍ତମ ଆଚରଣ ଓ ଭଲଛାତ୍ର ଭାବେ ସୁନାମ ଉପରେ ସୁଭାଷ ଭରସା ରଖିଥାନ୍ତି । ତେଣୁ ଭାବୁଥାନ୍ତି ଯେ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନିଆଯିବ । ମାତ୍ର ତାହା ହେଲା ନାହିଁ । ଓଲଟି କଲିକତାରେ କୌଣସି କଲେଜରେ ସେ ଯେପରି ନାମ ଲେଖାଇ ନ ପାରନ୍ତି ସେ ବ୍ୟବସ୍ଥା କରାଗଲା ।

ବଡ ଭାଇ ଶରତ ବୋଷଙ୍କ କଥା ମାନି ସୁଭାଷ କିଛିଦିନ କଟକ ଚାଲିଆସିଲେ । ଇଥିମଧ୍ୟରେ ସାର ଆଶୁତୋଷ ମୁଖାର୍ଜୀ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ହୋଇଥାନ୍ତି । ସେ ସୁଭାଷଙ୍କ ବିଷୟରେ ପୁନର୍ବାର ବିଚାର କଲେ । ସୁଭାଷ କୁଳପତିଙ୍କୁ ଯାଇ କହିଲେ ଯେ ଛାତ୍ର ମାନେ ଅଧ୍ୟାପକ ଓଟେନଙ୍କୁ ଆକ୍ରମଣ କରିବା ବ୍ୟାପାରକୁ ସେ ସମର୍ଥନ କରନ୍ତି ନାହିଁ । ମାତ୍ର ଯେଉଁ ଛାତ୍ରମାନେ ଓଟେନଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ନାମ ପ୍ରକାଶ କରିବାକୁ ସେ ଅକ୍ଷମ  । ସୁଭାଷ ସ୍ପଷ୍ଟ ଭାବେ କହିଲେ ଯେ ପ୍ରେସିଡେନ୍ସି କଲେଜର ଇଂରାଜୀ ଅଧ୍ୟାପକମାନଙ୍କର ଭତାତୀୟ ଛାତ୍ରଙ୍କ ପ୍ରତି ଦୁର୍ବ୍ୟବହାର ଏହି ଅପ୍ରୀତିକାର ଘଟଣାର ମୂଳ ।

କୁଳପତି ଆଶୁତୋଷ ସହାନୁଭୁତି ଫଳରେ ଦେଢବର୍ଷ ପରେ ସୁଭାଷ କଲିକତାରେ ସ୍କଟିସ ଚର୍ଚ୍ଚ କଲେଜରେ ଭର୍ତ୍ତିହେଲେ । ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଅନର୍ସ ପାଇ ସୁଭାଷ କୃତିତ୍ଵର ସହ ବି.ଏ ପାଶ କଲେ । ଛାତ୍ର ଜଣକ ପ୍ରତିଭାବାନ । ଘର ଅବସ୍ଥା ସ୍ଵଚ୍ଛଳ ।   ସାହାଯ୍ୟ କରିବାକୁ ବାପା ଓ ବଡ ଭାଇ ଅଛନ୍ତି । ଏ ଅନୁକୂଳ ପରିସ୍ଥିତିରେ ଆଇ.ସି.ଏସ.ପରୀକ୍ଷା ନ ହେବେ କାହିଁକି ? ବାପା ଓ ବଡ ଭାଇ ମିଶି ସୁଭାଷଙ୍କ ଆଗରେ ଏଇ ଯୋଜନାଟି ରଖିଲେ । ମାତ୍ର ତାଙ୍କ ଜୀବନର ଲକ୍ଷ୍ୟ କଥା ସେ ଯେ ଆଗରୁ ସ୍ଥିର କରି ସାରିଛନ୍ତି ! ତେବେ ବିଲାତ ଯିବାର ସୁଯୋଗ ତ ଛାଡି ଦେବନି । କେମ୍ବ୍ରିଜ ଅକ୍ସଫୋର୍ଡ ପରି ବିଶ୍ଵବିଖ୍ୟାତ ବିଦ୍ୟାଳୟରେ ପଢି ଜ୍ଞାନାର୍ଜନ କରିବା ଦରକାର । ସୁଭାଷ ଜାଣିଥିଲେ ଯେ ଇଂରେଜମାନେ ଭାରତବର୍ଷରେ ଉନ୍ନତ ଶିକ୍ଷାନୁଷ୍ଠାନ ଗଢିନାହାନ୍ତି । ପାଶ୍ଚାତ୍ୟରେ ବିଜ୍ଞାନଶିକ୍ଷାର କି ଭଳି ଉନ୍ନତ ହୋଇଛି ସେ ଦେଖି ଆସିଲେ ଭାରତବର୍ଷରେ ତାହା ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ ।

ବାପ, ଭାଇଙ୍କ ଭାବନା ଗୋଟିଏ ପ୍ରକାର, ସୁଭାଷଙ୍କ ଭାବନା ଆଉ ଏକ ପ୍ରକାର । ତେବେ ସୁଭାଷ ବିଲାତ ଯାଆନ୍ତୁ- ଏ ଦୁଇ ଭିନ୍ନ ଭାବନା ଏ ବିଷୟରେ ଏକମୁଖୀ । ଫଳରେ ସେ ବିଲାତ ବାହାରିଲେ  ।

ଇଂଲଣ୍ଡ ଯାତ୍ରା

ମନରେ ଅନେକ ଭାବନା ଧରି ସୁଭାଷ ୧୯୧୯ ସେପ୍ଟେମ୍ବର ୧୫ ତାରିଖରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କଲେ ।

କେମ୍ବ୍ରିଜରେ ନାମ ଲେଖାଇବା ତାଙ୍କ ପକ୍ଷରେ କଷ୍ଟ ହୋଇଥାନ୍ତା । ମାତ୍ର ଦିଲ୍ଲୀପ ରାୟ ସବୁ ସୁବିଧା କରିଦେଲେ । ଦିଲ୍ଲୀପ ସୁଭାଷଙ୍କର ଘନିଷ୍ଟ ବନ୍ଧୁ । ଜଣେ ବିଦ୍ଵାନ ଓ ଯଶସ୍ଵୀ ଲେଖକ ଭାବେ ଦିଲ୍ଲୀପ ପରବର୍ତ୍ତୀ କଳାରେ ସୁନାମ କରିଛନ୍ତି । ପଣ୍ଡିଚେରୀ ଆଶ୍ରମକୁ ଦିଲ୍ଲୀପ ତାଙ୍କର କର୍ମକ୍ଷେତ୍ର ରୂପେ ବାଛି ନେଇଥିଲେ । ଶ୍ରୀ ଅରବିନ୍ଦଙ୍କ ପ୍ରତି ସୁଭାଷଙ୍କର ଗଭୀର ସମ୍ମାନ ଥାଏ । ସୁଭାଷ ପଣ୍ଡିଚେରୀ ଆସନ୍ତୁ ବୋଲି ଦିଲ୍ଲୀପ ତାଙ୍କୁ ପ୍ରସ୍ତାବ ହେଇଥିଲେ । ମାତ୍ର ତାଙ୍କ ରାସ୍ତା ତ ଅଲଗା ।

ଇଂଲଣ୍ଡରେ ସୁଭାଷ ଆଇ,ସି, ଏସ,ପରୀକ୍ଷା ହେଇଥିଲେ । ଏ ପରୀକ୍ଷାରେ ଫଳ ତାଙ୍କୁ ଅଡୁଆରେ ପକାଇଦେଲା । ସେ କେବଳ ପାଶ କଲେ ନାହିଁ , ପରୀକ୍ଷାରେ ୪ଥ ସ୍ଥାନ ଅଧିକାର କଲେ । ଏଥର ସିଦ୍ଧାନ୍ତ ନେବାକୁ ପଡିବ ‘ଭଦ୍ରଲୋକ’ ର ଜୀବନ ଓ ବିଦ୍ରୋହର ଜୀବନ- ଏ ଦୁଇଟି ମଧ୍ୟରୁ ଗୋଟିଏ ବାଛିନେବାକୁ ପଡିବ । ସୁଭାଷ ଆଇ,ସି, ଏସ, ଚାକିରି ଛାଡିଦେବାକୁ ସ୍ଥିର କଲେ ।  ଏବିଷୟରେ ବଡଭାଇ ଓ ବାପାଙ୍କ ସହିତ ଚିଠିପତ୍ର ଦିଆନିଆ ଚାଲିଲା । ବାପା ଯୁକ୍ତି କଲେ , ଆଇ,ସି, ଏସ, ହେଲେ ଜଣେ ଦେଶପାଇଁ କାମ କରିବାର ସୁଯୋଗ ପାଇବ । ଉତ୍ତରରେ ବଡ ଭାଇ ଶରତ ବୋଷଙ୍କ ପାଖାଉ ସୁଭାଷ ଲେଖିଥିଲେ “ଅରବିନ୍ଦ ଘୋଷ ମୋର ଆଧ୍ୟାତ୍ମିକ ଗୁରୁ । ତାଙ୍କ ନିକଟରେ ମୁଁ ମୋର ଜୀବନ ଓ ସତ୍ତା ସମର୍ପଣ କରୁଛି । “ କହିବା ବାହୁଲ୍ୟ, ଶ୍ରୀ ଅରବିନ୍ଦ ଆଇ,ସି, ଏସ, ଚାକିରୀକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ପ୍ରାଣାଧିକ ବଡ ଭାଇଙ୍କ ବିରୋଧ ସତ୍ତେ ସୁଭାଷ ଆଠମାସପରେ ଆଇ,ସି, ଏସ,ରୁ ଇସ୍ତଫା ଦେଲେ । ତାପରେ ଅପେକ୍ଷା କଲେ ତାଙ୍କର ନୂତନ ଗୁରୁ ଦେଶାବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ନିର୍ଦ୍ଦେଶକୁ  । ସୁଭାଷଙ୍କର ପ୍ରଥମ ଗୁରୁ ସ୍ଵାମୀ ବିବେକାନନ୍ଦ । ସ୍ଵାମୀଜି ତାଙ୍କର ଆଧ୍ୟାତ୍ମିକ ଗୁରୁ ପ୍ରେରଣାଦାତା  । ଦ୍ଵିତୀୟ ଗୁରୁ  ଶ୍ରୀ ଅରବିନ୍ଦ  । ତାଙ୍କୁ ସଂପୂର୍ଣ୍ଣ ଭାବେ ସୁଭାଷଙ୍କର ଆଧ୍ୟାତ୍ମିକ ଗୁରୁ ବୋଲି କହିହେବନି । କାରଣ ଶ୍ରୀ ଅରବିନ୍ଦ ଜଣେ ସନ୍ତ୍ରାସବାଦି ଭାବେ ରାଜନୈତିକ ଜୀବନ ଆରମ୍ଭ କଲେ  । ଯୁବକ ସୁଭାଷ ହୁଏତ ତାଙ୍କର ନେତୃତ୍ଵରେ ଅଗ୍ରସର ହୋଇଥାନ୍ତି । ମାତ୍ର ଅନ୍ତରର ଆହ୍ଵାନରେ ଯୋଗସାଧନାର ପଥ ବାଛିନେଲେ ଶ୍ରୀ ଅରବିନ୍ଦ ପଣ୍ଡିଚେରୀ ଆଶ୍ରମ ଚାଲିଲେ  । ଚିତ୍ତରଞ୍ଜନ କଲିକତାର ବଡ ଆଡଭୋକେଟ । ଶ୍ରୀ ଅରବିନ୍ଦ ବନ୍ଦେ ମାତରମ ପତ୍ରିକାର ସମ୍ପାଦକ ଥିବାବେଳେ ରାଜଦ୍ୱୋହ ଓ ଷଡଯନ୍ତ୍ର ଅଭିଯୋଗରେ ଜେଲ ଯାଇଥିଲେ । ଏହା ୧୯୦୮ ର ଘଟନା । ଚିତ୍ତରଞ୍ଜନ ଦାସ ତାଙ୍କ ପାଇଁ ଲଢି ତାଙ୍କୁ କାରାମୁକ୍ତ କରିଥିଲେ । ୧୯୧୯ରେ ରୌଲଟ ଆକ୍ଟ ଗୃହିତ ହୋଇଗଲା । ଏହି ଆକ୍ଟ ଅନୁସାରେ ବିନାବିଚାରରେ ଯାହାକୁ ପାରେ ତାକୁ ସରକାର ବନ୍ଦୀ ରଖି ପାରିବେ । ବିଦ୍ରୋହୀ ମାନଙ୍କୁ ସାବାଡ କରିବା ପାଇଁ ବ୍ରିଟିଶ ସରକାର ଏହି ଆକଟର ଆଶ୍ରୟ ନେଇଥିଲେ । ଗାନ୍ଧୀଜୀ ରୌଲଟ ଆକଟ ବିରୁଦ୍ଧରେ ଅସହୋଯୋଗ ଆନ୍ଦୋଳନ କଲେ । ଏହି ଅନ୍ୟାୟ ଆକଟର ପ୍ରତିବାଦ ସ୍ୱରୂପ ଚିତ୍ତରଞ୍ଜନ ଓକିଲାତିରୁ ମିଳୁଥିବା ବିପୁଳ ଅର୍ଥର ପ୍ରଲୋଭନ ଛାଡି କଂଗ୍ରେସ ରେ ଯୋଗ ଦେଲେ ।

ଆଇ,ସି, ଏସ, ରୁ ଇସ୍ତଫା ଦେଇଥିବାର ନିସ୍ପତି ଜଣାଇ ସୁଭାଷ ଲଣ୍ଡନରୁ ଚିତ୍ତରଞ୍ଜନ ପାଖକୁ ଚିଠି ଦେଲେ  । ଲେଖିଲେ ଯେ , ଦେଶବନ୍ଧୁ ତାଙ୍କୁ ଯେଉଁ କାମ ଦେବେ ତାହା ସେ ଗ୍ରହଣ କରିବାକୁ ପ୍ରସ୍ତୁତ । ଗୋଟିଏ ଚିଠିରେ ସୁଭାଷ ଲେଖିଥିଲେ, “ଆପଣ ବଙ୍ଗଳାରେ ସେବା ଯଜ୍ଞର ପ୍ରଧାନ ପୁରୋଦ୍ଧା  । ସେଥିପାଇଁ ଆପଣଙ୍କ ନିକଟରେ ମୁଁ ଆଜି ଦ୍ଵାରସ୍ଥ । ମୋର ଯତ୍ ସାମାନ୍ୟ ବିଦ୍ୟା, ବୁଦ୍ଧି ଓ ଉତ୍ସାହ ଅଛି ।  ସେ ସବୁକୁ ପ୍ରଥେୟ କରି ମାତୃଭୂମିର ଚରଣତଳେ ନିଜକୁ ଉତ୍ସର୍ଗ କରିବା ବ୍ୟତୀତ ମୋର ଅଧିକ କିଛି ନାହିଁ । ମନ ଅଛି, ଆଉ ଅଛି ନିଜର ଏଇ ତୁଛ ଶରୀର । ଆପଣ ଏହି ବିପୁଳ ସେବା ଯଜ୍ଞରେ ମୋତେ କି କାମ ଦେଇ ପାରିବେ ? “

ଆଇ,ସି, ଏସ, ପାଇବାର ଆଠମାସପରେ ୧୯୨୧ ଏପ୍ରିଲ ମାସରେ ସୁଭାଷ ଇସ୍ତଫା ଦେଲେ ଓ ଇଂଲଣ୍ଡରେ ଦେଢ ବର୍ଷ ରହିବା ପରେ ଭାରତ ଫେରିଲେ । ସେ ଯେଉଁ ଜାହାଜରେ ଫେରୁଥାନ୍ତି ସେଥିରେ ଥାନ୍ତି କବି ଗୁରୁ ରବୀନ୍ଦ୍ରନାଥ । ଭାରତବର୍ଷ ରାଜନୈତିକ ପରିବେଶ ସମ୍ପର୍କରେ ଦୁହିଁ ଙ୍କର ଆଲୋଚନା ହେଲା । ସେତେବେଳେ ମୋହନଦାସ କରମଚାନ୍ଦ ଗାନ୍ଧୀ  ସାରା ଦେଶରେ ଆଲୋଡନ ସୃଷ୍ଟି କରିହାନ୍ତି । ଗାନ୍ଧୀଜୀଙ୍କର ଅହିଂସା ବିଷୟରେ ଦୁହେଁ ଆଲୋଚନା କଲେ । ସୁଭାଷ ସ୍ଥିର କଲେ ଯେ ଭାରତବର୍ଷରେ ପହଞ୍ଚି ସେ ଗାନ୍ଧୀଜୀଙ୍କୁ ଭେଟିବେ । ବମ୍ବେରେ ଜାହାଜରୁ ତଳକୁ ଆସିବା ପରେ ସୁଭାଷ ସେଦିନ ଓପରଓଳି ଗାନ୍ଧୀଜୀ ଙ୍କ ପାଖକୁ ଗଲେ । ସ୍ଵାଧୀନତା ପାଇବା ପାଇଁ ଗାନ୍ଧୀଜୀଙ୍କ କର୍ମପନ୍ଥା ସମ୍ପର୍କରେ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ହେଲା । କଲିକତାରେ ପହଞ୍ଚି ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଗାନ୍ଧୀଜୀ ସୁଭାଷଙ୍କୁ ଉପଦେଶ ଦେଇଥିଲେ । ଅଳ୍ପକାଳ ମଧ୍ୟରେ ସୁଭାଷ ହୋଇଗଲେ ଚିତ୍ତରଞ୍ଜନ ପୁତ୍ର ଓ ଶିଷ୍ୟ ।

କର୍ମଭୂମି କଲିକତା

କଲିକତା ଫେରି ସୁଭାଷ ଚିତ୍ତରଞ୍ଜନ ନେତୃତ୍ଵରେ କାମରେ ଲାଗିଗଲେ । ଶିକ୍ଷାର ବିସ୍ତାର, ଖବର କାଗଜ ସମ୍ପାଦନା , ବିବେଶୀ ବସ୍ତ୍ର ଦୋକାନ ଆଗରେ ପିକେଟିଂ ଏବଂ ହିନ୍ଦୁ ମୁସଲମାନ ଏକତା ପ୍ରତିଷ୍ଠା ଦିଗରେ ସେ ବିଶେଷ ଧ୍ୟାନ ଦେଲେ । ହେମନ୍ତ ସରକାର ନାମକ ଜଣେ ଯୁବକ ଚିତ୍ତରଞ୍ଜନ ଙ୍କ ସେକ୍ରେଟେରୀ ଥାଆନ୍ତି । ଦିଲ୍ଲୀପ ଓ ହେମନ୍ତ ସୁଭାଷଙ୍କର ଦୁଇଜଣ ଆଜୀବନ ଘନିଷ୍ଟ ବନ୍ଧୁ । ଚିତ୍ତରଞ୍ଜନ ଉତ୍ସାହ ଦ୍ଵିଗୁଣିତ ହେଲା । ସୁଭାସତ ଚିତ୍ତରଞ୍ଜନସହକର୍ମୀ ନ ଥିଲେ , ପରିବାରର ଜଣେ ହୋଇଗଲେ । ସୁଭାଷଙ୍କ ମା ଚିତ୍ତରଞ୍ଜନ ସ୍ତ୍ରୀଙ୍କୁ ଥରେ କହିଲେ “ ତୁମେ ତ ସୁଭାଷର ମାଆ, ମୁଁ ଧାଇ । “

ୱେଲସର ଯୁବରାଜ ଭାରତ ପରିଦର୍ଶନରେ ଆସୁଥାନ୍ତି । ତାଙ୍କ ବିରୁଦ୍ଧରେ ବିକ୍ଷୋବ ଆୟୋଜନ କରୁଥିବା ଅଭିଯୋଗରେ ଚିତ୍ତରଞ୍ଜନଙ୍କ ସହିତ ସୁଭାଷ ଗିରଫ ହେଲେ । ଏଇଟା ଥିଲା ତାଙ୍କର ପ୍ରଥମ କାରାବରଣର ଅଭିଜ୍ଞତା  । ୧୯୨୨ ଅଗଷ୍ଟ ଜେଲରୁ ଫେରିବା ପରେ ସୁଭାଷ ବଙ୍ଗୀୟ ଯୁବ ସମ୍ମିଳନରେ ଏକ ଶକ୍ତିଶାଳି ଭାଷଣ ଦେଇଥିଲେ । ତାଙ୍କ ଭାଷଣ ଦ୍ଵାରା ପ୍ରଭାବିତ ହୋଇ ସମ୍ମେଳନ କେତୋଟି ପ୍ରସ୍ତାବ ଗ୍ରହଣ କଲା । ଯୌତୁକ ନ ଦେବା ଓ ବାଲ୍ୟବିବାହକୁ ବିରୋଧ କରିବା ଏହି ସବୁ ପ୍ରସ୍ତାବର ଅନ୍ତର୍ଭୁକ୍ତ । ସେ କାଳର ନେତାମାନେ କେବଳ ଇଂରେଜଙ୍କୁ ଶତ୍ରୁ  ବୋଲି ମଣୁ ନଥିଲେ । ଆମର କେତେକ ଗର୍ହିତ ସାମାଜିକ ଆଚରଣ ଦୂର କରିବାକୁ ଚେଷ୍ଟା କରୁଥିଲେ । ଇଂରେଜ ହାଟିଗଲେ । ମାତ୍ର ଗାନ୍ଧୀ, ସୁଭାଷ, ନେହେରୁଙ୍କ ଉଦ୍ୟମ ଫଳରେ ସେ କାଳରୁ ରହିଥିବା ସାମାଜିକ ବ୍ୟାଧି ଏ ଯାଏ ଘୁଞ୍ଚି ନାହିଁ  ।

୧୯୨୨ରେ ଗଯାଠାରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧିବେଶନରେ ସଭାପତିତ୍ଵ କରିବା ପାଇଁ ଚିତ୍ତରଞ୍ଜନ ଦାସ ମନୋନୀତ ହୋଇଥାଆନ୍ତି । ତାଙ୍କ ସହିତ ସୁଭାଷ ଗଯା ଗଲେ । ମ୍ୟୁନିସପାଲିଟ ସଭ୍ୟ ହେବା ପାଇଁ କଂଗ୍ରେସ  ଲୋକେ ନିର୍ବାଚନ ଲଢିବା ଉଚିତ ବୋଲି ଗାୟକ ଅଧିବେଶନରେ ସୁଭାଷ ଓ ଚିତ୍ତରଞ୍ଜନ ଯୁକ୍ତି କଲେ । ଗାନ୍ଧୀଜୀଙ୍କ ସମର୍ଥକମାନେ ଏ ପ୍ରସ୍ତାବରେ ରାଜି ହେଲେ ନାହିଁ । ଫଳରେ ଚିତ୍ତରଞ୍ଜନ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ । ଏହାପରେ ଚିତ୍ତରଞ୍ଜନ ଓ ମୋତିଲାଲ ନେହେରୁଙ୍କ ପରି କେତେକ ବୟୋଜ୍ୟେଷ୍ଠ ନେତା ଏବଂ ସୁଭାଷଙ୍କ ପରି ଆକ୍ରମଣ ମନୋଭାବପନ୍ନ ଯୁବକ “ସ୍ଵରାଜ ଦଳ “ ଗଠନ କଲେ । ଏହି ଦଳ ତରଫରୁ “ବଙ୍ଗଳାର କଥା” ନାମରେ ଗୋଟିଏ କାଗଜ ବାହାରିଲା । ଏହାର ସମ୍ପାଦନ ଦାୟିତ୍ଵରେ ରହିଲେ ସୁଭାଷ ।

କଂଗ୍ରେସ ସିନା ଚିତ୍ତରଞ୍ଜନଙ୍କ ପ୍ରସ୍ତାବ ଗ୍ରହଣ କଲା ନାହିଁ , ଚିତ୍ତରଞ୍ଜନଙ୍କ ନେତୃତ୍ଵରେ ସ୍ଵରାଜ ଦଳ କଲିକତା ମ୍ୟୁନିସପାଲିଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ଦୁଇ ତୃତୀୟାଅଂଶ ଆସନ କିଣିନେଲେ । ଚିତ୍ତରଞ୍ଜନ କଲିକତା ମ୍ୟୁନିସପାଲିଟ ମେୟର ହେଲେ । ସୁଭାଷ ହେଲେ ମୁଖ୍ୟ ଏକଜିକ୍ୟୁଟିଭ ଅଫିସର । ଖଦିକୁ କଲିକତା ମ୍ୟୁନିସପାଲିଟ୍ କର୍ମଚାରୀଙ୍କ ବାଧ୍ୟତାମୂଳକ ପୋଷାକ କରାଗଲା । ମ୍ୟୁନିସପାଲିଟକୁ ସକ୍ରିୟ କରିବା ସହିତ ସୁଭାଷ ଅନେକ ମୁସଲମାନଙ୍କୁ ମ୍ୟୁନିସପାଲିଟର କର୍ମଚାରୀ ଭାବେ ନିଯୁକ୍ତି କଲେ । ସେ କାଳରେ ସୁଭାଷ ମୁସଲମାନଙ୍କ ସହିତ ସଦଭାବ ରଖିଥିଲେ । ତାଙ୍କଠାରୁ ଆନ୍ତିରିକପୂର୍ଣ୍ଣ ବ୍ୟବହାର ପାଉଥିବାରୁ ଭବିଷ୍ୟତରେ ଅନେକ ମୁସଲମାନ ସୁଭାଷଙ୍କ ସହିତ କାନ୍ଧ ମିଳାଇଥିଲେ । ଯଦି ସ୍ଵାଧୀନତା ବେଳେ ସୁଭାଷ ଦେଶରେ ଥାଆନ୍ତେ , ତେବେ ଭାରତ ହୁଏତ ବିଭାଜିତ ହୋଇନଥାନ୍ତା  ।

ଇଂରେଜ ବିରୁଦ୍ଧରେ ବଙ୍ଗଳା ମୂଳରୁ ହିଂସାତ୍ମକ ବିଦ୍ରୋହର ପନ୍ଥା ବାଛି ନେଇଥିଲେ । ଚିତ୍ତରଂଜନ ଓ ସୁଭାଷ ଏଇ ବିଦ୍ରୋହୀ ଯୁବ ସଂଗଠନ ପ୍ରତି ସହାନୁଭୁତି ହେଲେ ହିଂସାକାଣ୍ଡ ଭିୟାଉଥିବା ବିଦ୍ରୋହୀଙ୍କ ପ୍ରତି ଇଂରେଜ ସରକାରଙ୍କ ମନୋଭାବ ଦୁହିଁ ଙ୍କୁ ଜଣାଥିଲା  । ତଥାପି ଏମାନଙ୍କୁ ଜାତୀୟ ଆନ୍ଦୋଳନ ସ୍ରୋତରେ ମିଶାଇବା ଚେଷ୍ଟାରେ ଦୁହିଁ  ଥାଆନ୍ତି । ଏ ବିଷୟରେ ସରକାରଙ୍କୁ ଅଜଣା ନଥାଏ  । ଇଂରେଜ ସରକାର ଦୁହିଁ ଙ୍କ ଉପରେ , ବିଶେଷତଃ ସୁଭାଷଙ୍କ ଉପରେ ତିଖ୍ଣ ଦୃଷ୍ଟି ରଖିଥାନ୍ତି । ୧୯୨୪ ଅକ୍ଟୋବର ୨୪ ତାରିଖ ଦିନ ହଠାତ ବନ୍ଦୀ କରି ଆଲିପୁର ଜେଲକୁ ପଠାଇ ଦିଆଗଲା । ତାଙ୍କ ବିରୁଦ୍ଧରେ କି ଅଭିଯୋଗ ଅଛି ସେ କଥା ସୁଭାଷ ଜାଣିବାକୁ ଚାହିଁ ଲେ । ମାତ୍ର ଶୁଣୁଛି କିଏ ? ସରକାର ଦେଖିଲେ ସୁଭାଷ ଆଲିପୁରରେ ରହିଲେ ବେସୀ ହଲ୍ଲା ଚାଲିଛି । ୧୯୨୫ ଜାନୁଆରୀ ୨୫ ତାରିଖ ଦିନ ତାଙ୍କୁ ବର୍ମାର ମାଣ୍ଡାଳୟ ଜେଲଖାନା ପଠାଇ ଦିଆଗଲା । ମାଣ୍ଡାଳୟରେ ଯେଉଁ କୋଠରିରେ ଅନେକ ବର୍ଷ ପୂର୍ବେ ବିପ୍ଳବୀ ନେତା ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ ବନ୍ଦୀ ହୋଇ ରହୁଥିଲେ , ସୁଭାଷଙ୍କୁ ସେଇ କୋଠରିରେ ରଖାଗଲା ।

ମାଣ୍ଡାଳୟ ଜେଲ ଖାନାଟି କାଠର ଘର । ଶୀତ ଓ ବର୍ଷାରୁ ସୁରକ୍ଷାର ବ୍ୟବସ୍ଥା ନାହିଁ । ଏଇଠି ରହିବା କାଳରେ ସୁଭାଷଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ଜେଲରେ ଥାଇ ସେ ଖବର ପାଇଲେ ଯେ ତାଙ୍କର ପିତୃପ୍ରତିମ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଦେହ ତ୍ୟାଗ କରିଛନ୍ତି । ଏ ସମ୍ବାଦ ତାଙ୍କୁ ଦାରୁଣ ଧକ୍କା ଦେଇଥିଲା ।

ମାଣ୍ଡାଳୟ ଜେଲରେ ସୁଭାଷ ବର୍ମା ଭାଷା ଶିଖିଲେ । ବର୍ମାର ଇତିହାସ ଓ ସଂସ୍କୃତି ବିଷୟରେ ପଢିଲେ । ପରେ ଯେତେବେଳେ ସୁଭାଷ ଜାପାନ-ସିଙ୍ଗାପୁର- ବର୍ମା ଅଞ୍ଚଳରେ ରହି ଆଜାଦ୍ ହିନ୍ଦ ଫୌଜ  ପରିଚାଳନା କରିଥିଲେ , ସେଲେବେଳେ ବର୍ମା ସମ୍ପର୍କରେ ଜ୍ଞାନ ତାଙ୍କର ଖୁବ କାମରେ ଆସିଲା । ସୁଭାଷ ଜାଣିଥିଲେ ଯେ ଭାରତର ଶେଷ ସମ୍ରାଟ ବାହାଦୂର ଶାହା ଜାଫରଙ୍କୁ ଇଂରେଜମାନେ ବର୍ମାରେ ବନ୍ଦୀ କରି ରଖିଥିଲେ । ସେଇଠି ତାଙ୍କର ମୁତ୍ୟୁ ହୋଇଥିଲା । ୧୭ ବର୍ଷ ପରେ ଅସ୍ଥାୟୀ ଆଜାଦ ହିନ୍ଦ ସରକାରର ପ୍ରତିଷ୍ଠାତା ଭାବେ ସୁଭାଷ ବାହାଦୂର ଶାହା ଜାଫରଙ୍କ ବର୍ମାସ୍ଥିତ ସମାଧିକୁ ମରାମତି କରାଇ ସେଠାରେ ସାମରିକ ଜଗୁଆଳ ରଖାଇଲେ ।

ଅଢେଇ ବର୍ଷ ଜେଲରେ କଟାଇବା ପରେ ସୁଭାଷଙ୍କ ସ୍ୱାସ୍ଥ୍ୟ ଭାଙ୍ଗିଗଲା । ସରକାର ତାଙ୍କୁ ଖଲାସ କରିଦେଲେ । କଲିକତା ଫେରି ଦେଖିଲେ ଯେ ଚିତ୍ତରଞ୍ଜନ ଅନ୍ତେ ଗାନ୍ଧୀଜୀ ସେନଗୁପ୍ତ ନାମକ ଜଣେ ମଧ୍ୟମପନ୍ଥୀଙ୍କୁ ସ୍ଵରାଜ ଦଳର ସଭାପତି, ବଙ୍ଗଳା କଂଗ୍ରେସ କମିଟିର ସଭାପତି ତଥା କଲିକତା କର୍ପୋରେସନ ମେୟର ଭାବେ ନିଯୁକ୍ତ କରିଛନ୍ତି ।

କଲିକତାରେ ପହଞ୍ଚିବାର ଚାରିମାସ ପରେ ୧୯୨୭ ଅକ୍ଟୋବରରେ ସୁଭାଷ ବଙ୍ଗଳା କଂଗ୍ରେସର ସଭାପତି ଭାବେ ନିଯୁକ୍ତ ହେଲେ ।   ହିନ୍ଦୁ ମୁସଲମାନ ଦଙ୍ଗାରୁ କଲିକତାରୁ ରକ୍ଷା କରିବା ତାଙ୍କର ପ୍ରଥମ କାମ ହେଲା । ୧୯୨୯ରେ ଲାହୋର ଠାରେ କଂଗ୍ରେସର ଗୁରୁତ୍ଵପୂର୍ଣ୍ଣ ଅଧିବେଶନ ବସିଥାଏ । ସଭାପତିତ୍ଵ କରୁଥାନ୍ତି ପଣ୍ଡିତ ନେହରୁ । ଏହି ସଭାରେ ନେହରୁ ବିଶ୍ବଶାନ୍ତି ଓ ଦେଶ ଦେଶ ମଧ୍ୟରେ ସଦଭାବ ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦେଇଥିବା ସ୍ଥଳେ ସୁଭାଷ ଇଂରେଜ ସରକାରଙ୍କୁ ଅଚଳ କରିଦେବା ପାଇଁ ଆହ୍ଵାନ ଦେଲେ । ସେ କହିଲେ ଯେ ଭାରତୀୟମାନେ ଏପରି ପଦକ୍ଷେପ ନେବା ଦରକାର , ଯାହା ଫଳରେ ଇଂରେଜ ବାଧ୍ୟ ହୋଇ ଏକ ଜାତୀୟ ସରକାର ହାତରେ ଦାୟିତ୍ଵ ଅର୍ପଣ କରି ଚାଲିଯିବ ।

ସୁଭାଷଙ୍କ କଥାବାର୍ତ୍ତା ଓ କାର୍ଯ୍ୟକଳାପ ଇଂରେଜ ସରକାରଙ୍କୁ ଆତଙ୍କିତ କଲା । ବିଦ୍ରୋହୀ ରାଜନୈତିକ କର୍ମୀଙ୍କ ପ୍ରତି ସରକାର ଦମନମୂଳକ ନୀତି ବିରୁଦ୍ଧରେ ପ୍ରତିବାଦ କରି ସୁଭାଷ ଗୋଟିଏ ଶୋଭାଯାତ୍ରାର ନେତୃତ୍ଵ ନେଉଥାନ୍ତି । ସେତିକିବେଳେ ତାଙ୍କୁ ଗିରଫ କରାଗଲା । ସମସ୍ତ ରାଜନୈତିକ କାର୍ଯ୍ୟକଳାପ ଠାରୁ ଦୂରରେ ରହିବେ ବୋଲି ଲେଖିଦେଲେ ତାଙ୍କୁ ଛଡା ଦିଆଯିବ ବୋଲି ସରକାର ପ୍ରସ୍ତାବ ରଖିଲେ । ଏ ସର୍ତ୍ତରେ ସୁଭାଷ ରାଜି ନ ହେବା ନ ସ୍ଵାଭାବିକ । ତାଙ୍କୁ ବର୍ଷେ ଜେଲଦଣ୍ଡ ହେଲା । ସେ ଜେଲରେ ଥିବା ସମୟରେ ଗାନ୍ଧୀଜୀ ଦାଣ୍ଡିଠାରେ ଲବଣ ସତ୍ୟାଗ୍ରହ କରିଥିଲେ ।

ଜେଲରୁ ଖଲାସ ହେବା ପରେ ସୁଭାଷ କଲିକତା ମ୍ୟୁନିସପାଲିଟ ମେୟର ହେଲେ । ତେବେ ତାଙ୍କର ସମର୍ଥକମାନେ ଜାଣିଗଲେ ଯେ ଏଣିକି ସୁଭାଷଙ୍କୁ ଅଧିକାଂଶ ସମୟ ଜେଲରେ କଟାଇବାକୁ ପଡିବ । କାରଣ ଖଲାସ ହେବାର ଅଳ୍ପଦିନ ପରେ ସୁଭାଷ ଗୋଟିଏ ଶୋଭାଯାତ୍ରାର ନେତୃତ୍ଵ ନେଉଥିବା ବେଳେ ପୋଲିସ ଲାଠିମାଡରେ ଆହାତ ହେଲେ । ପୁଣି ଛଅ ମାସ ଜେଲ । ଖଲାସ ଦେବାପରେ ସୁଭାଷ ପଞ୍ଜାବର ”ନବ ଜବାନ ଭାରତ ସଭା” ନାମକ ଏକ ସଂଗ୍ରାମୀ ଯୁବ ସଂଗଠନର ଭାଷଣ ଦେଲେ । ସୁଭାଷ ଙ୍କ ଠାରୁ ଉତ୍ସାହ ପାଇ ବିପ୍ଳବୀମାନେ ଚାରିଆଡେ ତେଜିଲେ । ବିଶେଷତଃ ବଙ୍ଗଳାରେ । ଚିତାଗଞ୍ଜାଠାରେ ବିପ୍ଳବୀମାନେ ସରକାରୀ ଅସ୍ତ୍ରାଗାର ଲୁଟିନେଲେ । ବିପ୍ଳବୀଙ୍କ ସହିତ ସୁଭାଷଙ୍କ ସହିତ ସମ୍ପର୍କ ଅଛି ବୋଲି ଇଂରେଜଙ୍କ ସନ୍ଦେହ ଘନୀଭୁତ ହେଉଥାଏ । ତାଙ୍କୁ ବଙ୍ଗଳା ବାହାରେ ଗିରଫ କରିବାକୁ ସରକାର ସୁଯୋଗ ଖୋଜୁଥିଲେ । ସେ ସୁଯୋଗ ଅଳ୍ପଦିନ ଭିତରେ ଆସିଲା । ଦେଶସାରା ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ଗାନ୍ଧିଜୀଙ୍କୁ ପ୍ରବର୍ତ୍ତାଇବାକୁ ସୁଭାଷ ବମ୍ବେ ଯାଇଥାନ୍ତି । ସେଠାରେ ତାଙ୍କୁ ଗିରଫ କରି ବଙ୍ଗଳା ବାହାରେ ବିଭିନ୍ନ ଜେଲରେ ରଖାଗଲା ।

ଜେଲରେ ସୁଭାଷ ସ୍ୱାସ୍ଥ୍ୟ ଲଗାତର ଖରାପ ରହିଲା । ତାଙ୍କୁ ଜବଲପୁର ମିଲିଟେରୀ ହସ୍ପିଟାଲକୁ ନିଆଗଲା । କିଛି ଲାଭ ହେଲା ନାହିଁ । ସ୍ୱାସ୍ଥ୍ୟର ଦ୍ରୁତ ଅବନତି ଘଟିଲା । ସୁଭାଷ ମାଡ୍ରାସ ସେଣ୍ଟ୍ରାଲ ଜେଲ କୁ ଗଲେ । ସେଠାରେ ବିଶେଷଜ୍ଞ ମାନେ ପରୀକ୍ଷା କରି ଜାଣିପାରିଲେ ଯେ ତାଙ୍କୁ ଯକ୍ଷ୍ମା ହୋଇଛି । ଚିକିତ୍ସା ପାଇଁ ସୁଇଜରଲ୍ୟାଣ୍ଡ ଯିବା ଦରକାର ।

ଚିକିତ୍ସା ପାଇଁ ୟୁରୋପରେ

ଚିକିତ୍ସା ପାଇଁ ସୁଇଜରଲ୍ୟାଣ୍ଡ ଯିବାକୁ  ସୁଭାଷ ପ୍ରସ୍ତୁତ ହେଲେ । ମାତ୍ର ସେ ତାଙ୍କର ବୁଢା ବାପା ମା” ଙ୍କୁ ଭେଟିବାର ଅନୁମତି ପାଇଲେ ନାହିଁ । ତାଙ୍କୁ କେବଳ ବଡ ଭାଇ ଶରତ ବୋଷ ଓ ଅଳ୍ପ କେଇଜଣ ବନ୍ଧୁ  ଆତ୍ମୀୟ ଙ୍କୁ ଭେଟିବାକୁ ଦିଆଗଲା । ଫ୍ରାନସ, ଇଟାଲୀ, ଅଷ୍ଟ୍ରିଆ, ଡେନମାର୍କ ଓ ସୁଇଜରଲ୍ୟାଣ୍ଡ ଯିବା ପାଇଁ ସୁଭାଷ ପାସପୋର୍ଟ ପାଇଗଲେ । ମାତ୍ର ଇଂଲଣ୍ଡ ଓ ଜର୍ମାନ ଯାତ୍ରା ମନା ହୋଇଗଲା । ସୁଭାଷ ବିଦେଶ ଗଲେ ନିଜ ଖର୍ଚ୍ଚରେ । ସରକାର ପଇସାଟିଏ ଦେଲେନି ।

ଇଂରେଜ ସରକାର ଜାଣିଥିଲା ଯେ ସୁଭାଷ ସୁସ୍ଥ ବା ଅସୁସ୍ଥ ଥାଆନ୍ତୁ ଯେଉଁଠି ରହିବେ ଇଂରେଜ ବିରୁଦ୍ଧରେ ଜନମତ ସୃଷ୍ଟି କରିବେ । ଇଂଲଣ୍ଡ ଓ ଜର୍ମାନରେ ଭାରତ ସପକ୍ଷରେ ପ୍ରଚାର କରିବାରେ ଅଧିକ ସୁଯୋଗ ଥିବାରୁ ସେ ଦୁଇ ଦେଶକୁ ଯିବାର ଅନୁମତି ରହିଲା ନାହିଁ । ତେବେ ଯେଉଁ ଦେଶକୁ ଗଲେ ସେଠି ତାଙ୍କ କାମରେ ଲାଗିଗଲେ । ସୁଭାଷଙ୍କ ସହିତ ଆଲୋଚନା ଫଳରେ ୟୁରୋପର ସାମ୍ୟବାଦୀ ନେତାମାନେ ଆମର ସ୍ଵାଧୀନତା ଆନ୍ଦୋଳନ ପ୍ରତି ସହାନୁଭୁତିଶୀଳ ହେଲେ । ଇଟାଲୀର ମୁସୋଲିନ ଙ୍କ ସହିତ କଥାବାର୍ତ୍ତା ହୋଇଥିଲା । ସେତେବେଳେ ହିଟଲରଙ୍କ ଗର୍ଜନ ଶୁଭିଲାଣି । ସୁଭାଷ ହିଟଲରଙ୍କ ଉଚ୍ଚ ବଂଶ ନୀଚବଂଶ ଭେଦକୁ ବିରୋଧ କରୁଥିଲେ । କିନ୍ତୁ ନାଜିଙ୍କ ଇଂରେଜ ବିରୋଧୀ ମନୋଭାବ କୁ ପ୍ରଶଂସା କରୁଥିଲେ ।

୧୯୩୪ ନଭେମ୍ବର ମାସରେ ସୁଭାଷଙ୍କ ପାଖକୁ ଖବର ଆସିଲା ଯେ  ବାପା ମୃତ୍ୟୁ ଶଯ୍ୟାରେ  । ଆଉ ସରକାରଙ୍କ ଅନୁମତି କୁ ଅପେକ୍ଷା ନ କରି ସେ ଉଡାଜାହାଜ ଯୋଗେ ଭାରତ ଚାଲିଆସିଲେ । ମାତ୍ର ବାପାଙ୍କୁ ଦେଖିପାରିଲେ ନାହିଁ  । ପହଞ୍ଚିବାର ଚବିଶ ଘଣ୍ଟା ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇଥାଏ । ଭାରତରେ ପାଦ ରଖିବା ମାତ୍ରେ ତାଙ୍କୁ ଗିରଫ କରାଗଲା  । ତେବେ ବାପାଙ୍କ ଶେଷକୃତ୍ୟରେ ଯୋଗ ଦେବାର ଅନୁମତି ପାଇଲେ ।୧୯୩୫  ଜାନୁଆରୀରେ ଚିକିତ୍ସା ୟୁରୋପ ଫେରିଲେ ।

ୟୁରୋପରେ ସେ ଆଉ ପ୍ରାୟ ଦେଢ ବର୍ଷ ରହିଥିଲେ । ସେହିସମୟ ଭିତରେ ସେ ଇତାଲୀୟ, ଫରାସୀ, ଓ ଜର୍ମାନ ଭାଷା ଶିଖିଗଲେ । ଅପରେସନ ହୋଇ ସୁଭାଷଙ୍କର ଗାଲ ବ୍ଲଡ଼ରରୁ ଏକ ବଡ ପଥର ବାହାର କରାଗଲା । ଜବାହାରନେହେରୁଙ୍କ ପତ୍ନୀ କମଳା ନେହେରୁ ଭିଏନାରେ ଚିକିତ୍ସିତ ହେଉଥାନ୍ତି । କମଳାଙ୍କୁ ତାଙ୍କର ମୃତ୍ୟୁଶଯ୍ୟାରେ ଭେଟିବା ପାଇଁ ଜବାହରଲାଲ ଭିଏନା ଯାଇଥିନ୍ତି । ସେଇ ଅବସରରେ ସୁଭାଷଙ୍କ ସହିତ ତାଙ୍କର ଭେଟ ହୁଏ । କଂଗ୍ରେସ କୁ ଅଧିକ ବାମପନ୍ଥୀ ଓ ଆଉ ଟିକିଏ ଉଗ୍ର ହେବାର ଆବଶ୍ୟକତା ବିଷୟ ସୁଭାଷ ନେହେରୁଙ୍କୁ ବୁଝାଇଥିଲେ । ସୁଭାଷଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ବିଦେଶ ଭୁଇଁରେ ଘଟିଥିଲା । ୧୯୩୪ ବେଳକୁ ଭିଏନାର ଏକ ସୁନ୍ଦରୀ ଝିଅ ଏମିଲି ଶେଙ୍କେଲଙ୍କୁ  ସେ ଭଲ ପାଇଲେ । ଦୁହିଁଙ୍କର ବିବାହ ହୋଇଥିଲା । ଅବଶ୍ୟ ଆନୁଷ୍ଠାନିକ ବିବାହ ହୋଇନଥିଲା । ସେଥିପାଇଁ ସୁଯୋଗ ଓ ବେଳ ବା କେଉଁଠି ଥିଲା ? କେତେ ଦିନ ବା ଦୁହିଁ ଏକାଠି କଟାଇଲେ !  ତେବେ ଦୁହେଁ ପରସ୍ପରକୁ ଗଭୀର ଭାବେ ଭଲ ପାଉଥିଲେ । ୧୯୪୩ରେ ସୁଭାଷ ଶରତ ବୋଷଙ୍କ ପାଖକୁ ଖଣ୍ଡେ ମର୍ମସ୍ପର୍ଶୀ ଚିଠି ଲେଖିଥିଲେ । ଏଇ ସଂକ୍ଷିପ୍ତ ଚିଠିର ଦୁଇଧାଡି ହେଉଛି, “ ମୁଁ ଏଠି ବିବାହ କରିଛି ଓ ମୋର ଗୋଟିଏ ଝିଅ ହୋଇଛି । ମତେ ଯେପରି ସାରା ଜୀବନ ଏତେ ତ ସ୍ନେହ ଦେଇଛନ୍ତି , ମୁଁ ଯଦି ଚାଲିଯାଏ, ମୋର ସ୍ତ୍ରୀ ଓ ଝିଅକୁ ସେହିପରି ସ୍ନେହ  କରିବେ । “୧୯୪୮ରେ ଶରତ ବୋଷ ସପରିବାର ଏମିଲି ଓ ସୁଭାଷଙ୍କ କନ୍ୟା ଅନିତାକୁ ଦେଖିବାକୁ ଭିଏନା ଯାଇଥିଲେ ।  ତାଙ୍କୁ ଦେଖି ଏମିଲି କହିଥିଲେ “ ଏ ତ ଅବିକଳ ଦେଖିବାକୁ ତାଙ୍କରି ପରି !ଖାଲି ଟିକିଏ ବୟସ୍କ ଦିଶୁଚନ୍ତି । “ ଶରତ ବୋଷଙ୍କ ଅକାଳ ମୃତ୍ୟୁ ନ ହୋଇଥିଲେ ହୁଏତ ଏମିଲି ଭାରତ ଆସିଥାନ୍ତେ । ଏହି ସ୍ୱଳ୍ପଭାଷିଣୀ ଓ ମହିମାମାୟୀ ନାରୀ ଏତେବଡ ନେତାଜୀଙ୍କର ସ୍ତ୍ରୀ ହିସାବରେ କେବେ କୌଣସି ସୁବିଧା ନେବାକୁ ଚାହିଁ ନାହାନ୍ତି । ୟୁରୋପରେ ଥାଇ ସୁଭାଷଙ୍କର ପୁତୁରା, ଝିଆରୀ, ଏବଂ ସେମାନଙ୍କର ପୁଅ ଝିଅଙ୍କର ଟିକିନିଖି ଖବର ରଖୁଥିଲେ । ଦ୍ଵିତୀୟ ବିବାହ କଲେ ନାହିଁ । ଷାଠିଏ ବର୍ଷ କାଳ ସୁଭାଷଙ୍କ ଶ୍ମୁତିକୁ ପାଥେୟ କରି ବଞ୍ଚିଥିଲେ । ୧୯୯୬ ମାର୍ଚ୍ଚରେ ଜର୍ମାନରେ ତାଙ୍କର ମୃତ୍ୟୁ ହୋଇଛି ।

ଝିଅ ଅନିତାଙ୍କୁ ଦୁଇମାସ ହୋଇଥିବା ସମୟରେ ବାପା ତାଙ୍କୁ ଛାଡି ଚାଲିଗଲେ । ଜୀବନରେ ବାପ ଝିଅଙ୍କର ଦ୍ଵିତୀୟ ବାର ଭେଟ ହୋଇନାହିଁ । ମାତ୍ର ବାପାଙ୍କ ନାମଶୁଣିଲେ ଅନିତାଙ୍କ ଆଖି ଜକେଇ ଆସେ । ଅନିତା ସ୍ଵାମୀ ଓ ପୁତ୍ର କନ୍ୟାଙ୍କ ସହିତ ବର୍ତ୍ତମାନ ଜର୍ମାନରେ ଅଛନ୍ତି  ।

ଭିଏନା ପ୍ରସଙ୍ଗରୁ ସୁଭାଷଙ୍କ ଜୀବନର କୋମଳ, ଆବେଗପୂର୍ଣ୍ଣ ଇତିହାସ ପଶିଆସିଲା । ୧୯୩୬ରେ ସୁସ୍ଥ ହୋଇ ୟୁରୋପରୁ ଫେରି ବମ୍ବେରେ ପହଞ୍ଚିବା ମାତ୍ରେ ସୁଭାଷ ଙ୍କୁ ଗିରଫ କରାଗଲା  । ସେହିବର୍ଷ ଜାତୀୟ ଆନ୍ଦୋଳନ ତୀବ୍ର ହୋଇଥାଏ । ସରକାର ଭୟ କଲେ ଯେ କଂ ଗ୍ରେସରେ ଥିବା ବାମପନ୍ଥୀମାନଙ୍କୁ ଏକଜୁଟ କରାଇ ସୁଭାଷ କିଛି କାଣ୍ଡ ଘଟାଇ ପାରନ୍ତି । ତେଣୁ ତାଙ୍କୁ ଗୃହବନ୍ଦୀ ଭାବେ ରଖାଗଲା । ସ୍ୱାସ୍ଥ୍ୟ ଦୃଷ୍ଟିରୁ ତାଙ୍କର ବିଶ୍ରାମର ଆବଶ୍ୟକତା ଥିଲା ଜରୁରୀ ଗୃହବନ୍ଦୀ କରି ସରକାର ସେ ବ୍ୟବସ୍ଥା କରିଦେଲେ  ।

୧୯୩୭ରେ କଂଗ୍ରେସ ଅଧିବେଶନ କଲିକତା ଠାରେ ହେଉଥାଏ । ଛଅ ବର୍ଷ ବ୍ୟବଧାନ ପରେ ସୁଭାଷ ଗୋଟିଏ କଂଗ୍ରେସ ଅଧିବେଶନରେ ଯୋଗଦେଲେ । ଗାନ୍ଧୀଜିଙ୍କ ମନୋଭାବ ସୁଭାଷଙ୍କ ପ୍ରତି ନରମ ହୋଇଥାଏ ।  ସ୍ପଷ୍ଟ ବାମପନ୍ଥୀ କାର୍ଯ୍ୟକଳାପ ଯୋଗୁଁ ସୁଭାଷ ଚାଷୀ , ଶ୍ରମିକଙ୍କ ପ୍ରିୟଭଜନ ହୋଇଥାନ୍ତି । ସହଜେ ତ ଯୁବକମାନେ ସୁଭାଷ- ପାଗଳ । ସବୁ କଥା ବିଚାରକୁ ନେଇ ୧୯୩୮ ଅଧିବେଶନରେ ସୁଭାଷ ସଭାପତି ରହିବେ ବୋଲି ଗାନ୍ଧୀଜୀ ନିଷ୍ପତି ନେଲେ ।

୧୯୩୭ ନଭେମ୍ବର ତାଙ୍କର ଆତ୍ମଜୀବନୀ ମୂଳକ ବହି ପ୍ରକାଶ ସଂକ୍ରାନ୍ତରେ ସୁଭାଷ ଇଂଲଣ୍ଡ ଗଲେ । ବ୍ରିଟିଶ ଗୋଇନ୍ଦାମାନେ ତାଙ୍କ ଉପରେ ତିକ୍ଷ୍ନ ନଜର ରଖୁଥାନ୍ତି । ସୁଭାଷଙ୍କୁ ଲଣ୍ଡଳରେ ଯେଉଁ ଜଳ ଅଭ୍ୟର୍ଥନା ମିଳିଲା , ସେଥିରେ ଇଂଲଣ୍ଡ ଶ୍ରମିକଦଳର ବିଶିଷ୍ଟ ନେତାମାନେ ଯୋଗ ଦେଇଥାନ୍ତି ।

ଗାନ୍ଧୀ ସୁଭାଷ ମତଭେଦ

୧୯୩୮ ଫେବୃଆରିରେ ଗୁଜୁରାଟର ହରିପୁରଠାରେ କଂଗ୍ରେସ ଅଧିବେଶନ ବସିଲା ବେଳକୁ ସୁଭାଷ କଂଗ୍ରେସର ସଭାପତି । ଅନେକ ଦୃଷ୍ଟିରୁ ହରିପୁର ଅଧିବେଶନ ଗୁରୁତ୍ଵପୂର୍ଣ୍ଣ । ନିର୍ବାଚନ ଲଢି କଂଗ୍ରେସ ପଞ୍ଚୋଟି ରାଜ୍ୟରେ ଜୟଯୁକ୍ତ ହେବା ପରେ କଂଗ୍ରେସର ଉତ୍ସାହ ବଢିଯାଇଥାଏ । ତାପରେ ଏ ଅଧିବେଶନ ବସିଥାଏ  । ଏଥିରେ ସଭାପତିଙ୍କର ଭାଷଣ ସମସ୍ତିଙ୍କୁ ଚିନ୍ତାର ଖୋରଖା ଯୋଗାଇଲା । ସୁଭାଷ ତାଙ୍କ ଅଭିଭାଷଣରେ କହିଥିଲେ , “ ଆମକ ମୁଖ୍ୟ ଜାତୀୟ ସମସ୍ୟାଗୁଡିକ ମୋ ମନରେ ଅଛି । ସେଗୁଡିକ ହେଉଛି ଦାରିଦ୍ର୍ୟ ନିରାକରଣ, ଶିକ୍ଷାର ବିକାଶ , ରୋଗରୁ ମୁକ୍ତି ଓ ସାମ୍ୟବାଦୀ ଢାଞ୍ଚାରେ ବିଜ୍ଞାନସମ୍ମତି ଉତ୍ପାଦନ ଓ ବଣ୍ଟନ ।“

ସୁଭାଷ ପୁଣି କହିଥିଲେ, ଭାରତର ମୁକ୍ତି ସଂଗ୍ରାମର ସଫଳତା କେବଳ ଭାରତରେ ସୀମାବଦ୍ଧ ରହିବା ନାହିଁ । ଅଧିକନ୍ତୁ ଏ ସଂଗ୍ରାମ କେବଳ ଇଂରେଜ ସାମ୍ରାଜ୍ୟବାଦ ବିରୁଦ୍ଧରେ ନୁହେଁ , ବିଶ୍ଵର ସାମ୍ରାଜ୍ୟବାଦ ବିରୁଦ୍ଧରେ । ଭାରତ କେବଳ ନିଜପାଇଁ ଲଢୁନି , ମଣିଷ ଜାତି ପାଇଁ ଲଢୁଛି । ଏହିସବୁ କଥା କହି ସୁଭାଷ ଗାନ୍ଧୀଜୀଙ୍କ ଚିନ୍ତାର ଅନୁମୋଦନ କରିଥିଲେ । ତାଙ୍କ ଭାଷାରେ, “ ଭାରତ ସ୍ଵାଧୀନ ହେଲେ ମଣିଷ ଜାତି ରକ୍ଷା ପାଇବ । “

ସୁଭାଷ କଂଗ୍ରେସ ରେ ସଭାପତି ହେବା ପରେ ଗାନ୍ଧୀ ସୁଭାଷଙ୍କ ମଧ୍ୟରେ ମତଭେଦ ସ୍ପୁଷ୍ଟ  ହୋଇଉଠିଲା । ସୁଭାଷ ସଭାପତି , ଆଚାର୍ଯ୍ୟ କୃପାଳିନୀ ସମ୍ପାଦକ । କୃପାଳିନୀ ଗାନ୍ଧୀଜୀଙ୍କର ଦୃଢ ସମର୍ଥକ । ସେ ସୁଭାଷଙ୍କ ପ୍ରତିବନ୍ଧକ ରୂପେ ଦଣ୍ଡାୟମାନ ହେଲେ । ଏହାଛଡା ବଙ୍ଗଳା ଶାସନକୁ ନେଇ ଗାନ୍ଧୀ- ସୁଭାଷ ମତଭେଦ ତୀବ୍ର ହେଲା । ବଙ୍ଗଳାରେ କୃଷକ ପ୍ରଜାଦଳ ଓ ମୁସଲିମ ଲିଗର ମିଳିତ ମନ୍ତ୍ରୀମଣ୍ଡଲକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥାନ୍ତି । ତାଙ୍କର ଏପରି ପଦକ୍ଷେପକୁ ଗାନ୍ଧୀ ବିରୋଧ କଲେ । ଜବାହାରଲାଲ ଏହାକୁ ସୁବିଧାବାଦୀ ବୋଲି କହିଲେ । ଫଳରେ ମୁସଲିମ ଲିଗ ଦୁର୍ବଳ ନ ହୋଇ ବଳିଷ୍ଠ ହୋଇ ରହିବା ଫଳରେ ଭାରତ ପରବର୍ତ୍ତୀକାଳରେ ଭାଗ ଭାଗ ହେଲା । ଦେଶ ବିଭାଜନ ପରେ ଭୟଙ୍କର ରକ୍ତପାତ ଘଟିଲା । କଂଗ୍ରେସ ସୁଭାଷଙ୍କ ବାଟକୁ ଗ୍ରହଣ କରୁଥିଲେ ହୁଏତ ଦେଶ ବିଭାଜନ ଘଟି ନଥାନ୍ତା ।

ହରିପରୁ ଅଧିବେଶନ ପରେ ୧୯୩୯ରେ ମଧ୍ୟପ୍ରଦେଶର ତ୍ରିପୁରା ଠାରେ କଂଗ୍ରେସ ଅଧିବେଶନ ବସିଲା । ସଭାପତି ପଦ ପାଇଁ ସୁଭାଷ ଲଗାତର ଦ୍ଵିତୀୟଥର ପ୍ରାର୍ଥୀ ହେଲେ । ଏଥର ଗାନ୍ଧୀଜୀ ତାଙ୍କୁ ସମର୍ଥନ କରୁନଥାନ୍ତି । ଆନ୍ଧ୍ରପ୍ରଦେଶର ଜଣେ ନେତା ଐତିହାସିକ ପଟ୍ଟାଭି ସୀତାରାମାୟଙ୍କୁ ଗାନ୍ଧୀଜୀ ସଭାପତି ନିର୍ବାଚନରେ ଛିଡା କରାଇଲେ । ସୁଭାଷ ଅଳ୍ପ ଭୋଟରେ ଜିଣିଗଲେ । ଗାନ୍ଧୀଜୀ ଘୋଷଣା କଲେ “ ସୀତାରାମାୟାଙ୍କ ପରାଜୟ ମୋର ପରାଜୟ “  । ଗାନ୍ଧୀଜୀ କଂଗ୍ରେସର ନେତୃତ୍ଵ ଛାଡିଦେବାର ଆଶଙ୍କା ସୃଷ୍ଟି ହେଲା ।

ଗାନ୍ଧୀଜୀଙ୍କୁ ସମର୍ଥନ କରି କଂଗ୍ରେସ କାର୍ଯ୍ୟକାରୀ ସମିତିର ସଭ୍ୟପଦରୁ ଜବାହାରଲାଲ ଓ ଅନ୍ୟମାନେ ଇସ୍ତଫା ଦେଲେ । ପଣ୍ଡିତ ଗୋବିନ୍ଦବଲ୍ଲଭ ପନ୍ଥ ପ୍ରସ୍ତାବ ଆଣିଲେ ଯେ ସଭାପତି  ସୁଭାଷ ବୋଷ ଗାନ୍ଧୀଜୀ ଙ୍କର ଇଚ୍ଛା ଅନୁଯାୟୀ ନୂଆ କାର୍ଯ୍ୟକାରି ସମିତି ଗଠନ କରନ୍ତୁ । ସ୍ଵାଧିନତା ଆନ୍ଦୋଳନର କୌଶଳକୁ ନେଇ ସୁଭାଷଙ୍କ ଗାନ୍ଧୀଜୀଙ୍କ ସହିତ ମତଭେଦ ଥିଲା । ମାତ୍ର ସେ ସବୁବେଳେ କହିଛନ୍ତି ଯେ ସମସାମୟିକଙ୍କ ଭିତରେ ଗାନ୍ଧୀଜୀ ହିଁ ସର୍ବମହାନ ଭାରତୀୟ । ଲୋକଙ୍କ ଭିତରେ ସ୍ଵାଧୀନତା ପିପାସା ଜାଗ୍ରତ କରିବାରେ ତାଙ୍କ ସହିତ ତୁଳନୀୟ କେହି ନାହାନ୍ତି ।

ଗାନ୍ଧୀଜୀ ଙ୍କ ଇଛା ବିରୁଦ୍ଧରେ କଂଗ୍ରେସ ସଭାପତି ରହିବା ଦେଶ ପାଇଁ ଓ କଂଗ୍ରେସ ପାଇଁ ଶୁଭ ହେବନାହିଁ ଅନୁଭବ କରି ସୁଭାଷ ସଭାପତି ପଦରୁ ଇସ୍ତଫା ଦେଲେ । ରାଜେନ୍ଦ୍ର ପ୍ରସାଦ ହେଲେ କଂଗ୍ରେସର ସଭାପତି ।

୧୯୩୯ରେ ସୁଭାଷ କଲିକତାରେ ଫରୱାଡ ବ୍ଲକ ନାମକ ଏକ ଦଳ ଗଢିଲେ । କଂଗ୍ରେସ ଭିତରେ ଥିବା ବାମପନ୍ଥୀ ଚିନ୍ତାଧାରାର ଲୋକଙ୍କୁ ଏକାଠି କରି କଂଗ୍ରେସ ଏକ ଶାଖା ଭାବେ ଫରୱାଡ ବ୍ଲକ ଗଢାହେଲା ଗାନ୍ଧୀବାଦୀମାନେ ସୁଭାଷଙ୍କ ବିରୁଦ୍ଧରେ ଦଳୀୟ ଶୃଙ୍ଖଳାଭଙ୍ଗ ଅଭିଯୋଗ ଆଣିଲେ । ସୁଭାଷଙ୍କୁ କଂଗ୍ରେସ କାର୍ଯ୍ୟକାରୀ ସମିତିରୁ ବାଦ କାରୀ ତାଙ୍କୁ ତିନିବର୍ଷ ପାଇଁ କୌଣସି ପଦରେ ନ ରଖିବାକୁ ଗାନ୍ଧୀଜୀ ପ୍ରସ୍ତାବ କରିଥିଲେ ।

ଏତିକିବେଳେ ଦ୍ଵିତୀୟ ମହାଯୁଦ୍ଧ ଆରମ୍ଭ ହୋଇଗଲା ।

ଦ୍ଵିତୀୟ ମହାଯୁଦ୍ଧ

ଯୁଦ୍ଧ ଲାଗିଲା ୟୁରୋପରେ । ଇଂଲଣ୍ଡର ଏକ ଉପନିବେଶ ଭାବେ ସେ ଯୁଦ୍ଧକୁ ଭାରତ ଉପରେ ଲଦି ଦିଆଗଲା । କର୍ତ୍ତବ୍ୟ ନିର୍ଣ୍ଣୟ କରିବା ପାଇଁ ୱାଦ୍ଧାଠାରେ କଂଗ୍ରେସ  କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ବସିଲା । ନିମନ୍ତ୍ରଣ ପାଇଁ ସୁଭାଷ ସେ ବୈଠକରେ ଯୋଗଦେଲେ । ସେ ମତ ଦେଲେ ଯେ ଯଥାଶୀଘ୍ର ଭାରତ କୁ ସ୍ଵାଧୀନତା ଦେବା ପାଇଁ କଂଗ୍ରେସ ଇଂରେଜ ସରକାର ଉପରେ ଚାପ ପକାଉ । ଇଂରେଜ ସରକାର ଏ ଦାବି ମାନିନେଲେ ଭାରତ ଇଂଲଣ୍ଡ ପଟେ ରହି ଲଢିବ  । ରାଜି ନ ହେଲେ ଭାରତ ଯୁଦ୍ଧରେ ସାମିଲ ନ ହେବା  ପାଇଁ ଉଦ୍ୟମ କରିବ । କଂଗ୍ରେସ କାର୍ଯ୍ୟକାରୀ କମିଟି ସୁଭାଷଙ୍କ ପ୍ରସ୍ତାବକୁ ଗ୍ରହଣ କଲାନାହିଁ  ।

ଫରୱାଡ ବ୍ଲକର ସଭ୍ୟଙ୍କ ସାହାଯ୍ୟରେ ଇଂରେଜଙ୍କ ବିରୁଦ୍ଧରେ ପ୍ରଚ୍ଛନ୍ନ ସଂଗ୍ରାମ କରିବା ପାଇଁ ସୁଭାଷ ସହଯୋଗିଙ୍କ ସହିତ ମନ୍ତ୍ରଣା କଲେ  । ଭାରତର ମୁକ୍ତି ସଂଗ୍ରାମରେ ବାହାର ଦେଶମାନଙ୍କୁ ସାହାଯ୍ୟ ଲୋଡିବା କଥା ବିଚାର ହେଲା । ସୁଭାଷ ପ୍ରଥମେ ଋଷିୟା ସହିତ କଥାବାର୍ତ୍ତା କଲେ  ।  ମାତ୍ର ତାହା ହେଲା ଫଳବତୀ ହେଲା ନାହିଁ  । ସେ ଚୀନ ଯିବାକୁ ପାସପୋର୍ଟ ପାଇଁ ଦରଖାସ୍ତ କଲେ ତାହା ନାମଞ୍ଜୁର ହୋଇଗଲା । ସୁଭାଷଙ୍କ ପ୍ରବର୍ତ୍ତାନା ଫଳରେ ଦେଶକୁ ସ୍ଵାଧୀନତା ଦେବା ପାଇଁ ଇଂରେଜ ସରକାର ଘୋଷଣା କଲେ । ଭାରତ ଯୁଦ୍ଧରେ ଇଂରେଜକୁ ପୂର୍ଣ୍ଣପ୍ରାଣରେ ସାହାଯ୍ୟ କରିବ ବୋଲି କଂଗ୍ରେସ  ଲିଖିତ ଆକାରରେ ବଡଲାଟଙ୍କୁ ଜଣାଇଲେ

ବଡଲାଟ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ସେ ସ୍ପଷ୍ଟ କରିଦେଲେ ଯେ ୧୯୨୯ ଘୋଷଣା ଅନୁଯାୟୀ ଭାରତକୁ ସ୍ଵାୟତ୍ତ ଉପନିବେଶ ମର୍ଯ୍ୟାଦାରୁ ଅଧିକ ମିଳିବ ନାହିଁ  ।

ଏହାର ପ୍ରତିବାଦ ସ୍ୱରୂପ ପ୍ରଦେଶମାନଙ୍କରେ ଥିବା କଂଗ୍ରେସ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଦେଲେ ।

ବଙ୍ଗଳାରେ ସୁଭାଷଙ୍କୁ ଅଧିକରୁ ଅଧିକ ସମର୍ଥନ ମିଳୁଥାଏ । ଫରୱାଡ ବ୍ଲକର ହିଂସାତ୍ମକ କାର୍ଯ୍ୟକଳାପ ବଢୁଥାଏ । ଫଳରେ ଅଧିକାଂଶ ନେତା ଜେଲରେ ଥାଆନ୍ତି । ସୁଭାଷଙ୍କ ବ୍ୟତିତ । ଏହାର କାରଣ ମୁସଲମାନ ସଂପ୍ରଦାୟ ସହିତ ତାଙ୍କର ଘନିଷ୍ଟ ସମ୍ପର୍କ । କଲିକତାରେ ମେୟର ସିଦ୍ଦିକ , ମୁସଲିମ ଲିଗ ନେତା ଉସପାହାନି, ଢାକା ନବାବ ପରିବାରର ନାସୀଋଦ୍ଧିନ ପ୍ରଭୁତି ମୁସଲମାନ ନେତାଙ୍କ ସହିତ ସୁଭାଷଙ୍କ ଘନିଷ୍ଟ ସମ୍ପର୍କ ଥାଏ ।

ସୁଭାଷ କ୍ରମଶଃ ଅନୁଭବ କରୁଥାନ୍ତି ଯେ ବ୍ରିଟିଶଙ୍କ କଡା ନଜରରେ ଭାରତବର୍ଷର ଭିତରେ ରହି ଦେଶ ପାଇଁ ଅଧିକ କିଛି କରି ହେବନି । ବିଦେଶରେ ରହି ଭାରତ ସ୍ଵାଧୀନତା ପାଇଁ ତାଙ୍କୁ ଲଢିବାକୁ ପଡିବ । ଚରମପନ୍ଥୀ ପଞ୍ଜାବୀ ଯୁବକ ଓ ପଞ୍ଜାବୀ ପଠାଣଙ୍କ ସହିତ ଯୋଗାଯୋଗ ଥାଏ ।   ଏମାନେ ଆଫଗାନ ଓ ରୁଷିଆ ସହିତ ସମ୍ପର୍କ ରଖିଥାନ୍ତି । ସୁଭାଷଙ୍କ ନଜର ସିଆଡେ ଥାଏ । ୧୯୪୦ରେ ସର୍ବଭାରତୀୟ ଫରୱାଡ ବ୍ଲକର ଦ୍ଵିତୀୟ ଅଧିବେଶନରେ ଇଂରେଜ ଭାରତକୁ ସ୍ଵାଧୀନତା ଦେଉ ବୋଲି ସୁଭାଷ ସ୍ପଷ୍ଠ ଭାବେ ଆହ୍ଵାନ କଲେ । ଗାନ୍ଧୀ, ଜୀନ୍ନା, ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଭେଟିଲେ । ସେମାନେ ସୁଭାଷଙ୍କ କର୍ମପନ୍ଥାରେ ରାଜି ହେଲେ ନାହିଁ  ।

ଏଣେ ହିଟଲର ୟୁରୋପରେ ଗୋଟିଏ ପରେ ଗୋଟିଏ ଦେଶ ଜିଣି ନେଉଥାନ୍ତି । ଇଂଲଣ୍ଡ ଉପରେ ବିପଦ ଘନେଇ ଆସୁଥାଏ । ଇଂରେଜ ସରକାରଙ୍କୁ ଅକାଳିଆରେ ପକାଇବାକୁ ସୁଭାଷ ଏକ ଚମତ୍କାର ବୁଦ୍ଧି ପାଞ୍ଚିଲେ । ସେ ଘୋଷଣା କଲେ ଯେ ୧୯୪୦ ଜୁଲାଇ ତିନି ତାରିଖ ଦିନଟିକୁ ବଙ୍ଗଳାର ଶେଷ ରାଜା ଶିରାଜୁଦ୍ଦାଲାଙ୍କ ସମ୍ମାନାର୍ଥେ ପାଳନ କରାଯିବ । ଶିରାଜୁଦ୍ଦାଲା କ୍ଲାଇବଙ୍କୁ ପରାସ୍ତ କରିଥିଲେ । ତଥାକଥିତ ଅନ୍ଧକୁପ  ହତ୍ୟା ନାମରେ ନିହତ ଇଂରେଜ ସୈନ୍ୟଙ୍କ ସମ୍ମାନାର୍ଥେ ଯେଉଁ ଫଳକ ଇଂରେଜ ସରକାର ନିର୍ମାଣ କରିଥିଲେ , ତାଙ୍କୁ ସେହିଦିନ ଭଙ୍ଗାଯିବ ବୋଲି ଘୋଷଣା କରାଗଲା । ଜାତୀୟବାଦ ହିନ୍ଦୁ , ମୁସଲମାନଙ୍କୁ ଅନ୍ତରଙ୍ଗ କରାଇବା ପାଇଁ ଏହା ଥିଲା ଏକ ବିଚକ୍ଷଣ ଯୋଜନା । ଏ ଯୋଜନା କାର୍ଯ୍ୟକାରିତା ହେବାକୁ ଦେବା କିଏ ? ଜୁଲାଇ ଦୁଇରେ ସୁଭାଷଙ୍କୁ ଗିରଫ କରି ନିଆଗଲାଲ । ଜେଲରେ ବସି ସୁଭାଷ ଇଂରେଜ ବିରୁଦ୍ଧରେ ସଂଗ୍ରାମକୁ ଚୁଡାନ୍ତ ରୂପ ଦେଉଥାନ୍ତି । ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଜର୍ମାନ ଓ ଇତାଲୀ ଇଂଲଣ୍ଡ ବିରୁଦ୍ଧରେ ଲଢୁଥାନ୍ତି । ଏ ଦୁଇ ଦେଶର ଟାଣୁଆ ନେତାଙ୍କ ସହିତ ସୁଭାଷଙ୍କ ସମ୍ପର୍କ ଥାଏ । ଏହାର ସଦବ୍ୟବହାର କରିବାକୁ ହେବ । ରୁଷିଆର ସମର୍ଥନ ହାସଲ କରିବାକୁ ହେବ । ଜାପାନ ସେ ଯାଏ ଯୁଦ୍ଧରେ ଯୋଗ ଦେଇନଥାଏ । ସୁଭାଷ ଜାଣିଥାନ୍ତି, ଯେ କୌଣସି ଦିନ ଜାପାନ ଇଂରେଜଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବ । ଜାପାନ ଇଂରେଜ ଶତ୍ରୁ ହେଲେ ଭାରତର ସୁବିଧା । ନିଜର ଘନିଷ୍ଠ ସହଯୋଗୀ ଶଙ୍କରଲାଲଙ୍କୁ ସୁଭାଷ ଜାପାନ ପଠାଇଲେ । ଜାପାନରେ ଥିବା ବିପ୍ଳବୀ ଭାରତୀୟ ଓ ଯାପନୀ ନେତାଙ୍କ ସହ ସମ୍ପର୍କ ଥିଲା ଉଦ୍ଦେଶ୍ୟ । ବିପ୍ଳବୀ ରାସବିହାରୀ ବୋଷ ସେତେବେଳେ ଜାପାନରେ ଥାନ୍ତି । ଶଙ୍କରଲାଲ ତାଙ୍କୁ ମଧ୍ୟ ଭେଟିବେ ।

ଜେଲଖାନରୁ ମୁକୁଳି ସୁଭାଷ ଦୁର୍ଦାନ୍ତ ଇଂରେଜ ସରକାରଙ୍କ ଶୂନ୍ୟ ଦୃଷ୍ଟିକୁ ଏଡାଇ ସୁଭାଷ ଯେପରି ବିଦେଶକୁ ପଳାଇପାରେଲେ ତାର ତୁଳନା ଆଧୁନିକ ପୃଥିବୀ ଇତିହାସରେ ନାହିଁ ।

ସୁଭାଷ ଗାଏବ୍

ଜେଲ ଭିତରେ ଥାଏ କିପରି ନିଜର ଯୋଜନାକୁ କାର୍ଯ୍ୟକାରୀ  କରିହେବ ? ନିଜର ସମସ୍ତ ଇଚ୍ଛାଶକ୍ତିକୁ ଠୁଳ କରିବା ପାଇଁ ସୁଭାଷ ଜେଲ ଭିତରେ ତିନି ମାସ ଧ୍ୟାନ, ପ୍ରାର୍ଥନା କରିଥିଲେ । ଫଳରେ ତାଙ୍କର ଆତ୍ମବଳ ବଢିଲା । ୧୯୪୦ ଅକ୍ଟୋବର ୧ ସୁଭାଷ ସରକାରଙ୍କୁ ଜଣାଇଦେଲେ ଯେ ତାଙ୍କୁ ଖଲାସ କରାନଗଲେ ସେ ଆମରଣ ଅନସନ କରିବେ । ଗାନ୍ଧୀଜୀଙ୍କ ପନ୍ଥା । ଇଂରେଜ ସରକାର ତାଙ୍କ କଥା ନ ଶୁଣିବାରୁ ମାସକ ପରେ ଅନସନ ଆରମ୍ଭ ହେଲା ।

ଇଂରେଜ ସରକାର ଆତଙ୍କିତ ହେଲେ । ଯଦି ସୁଭାଷଙ୍କର କିଛି ହୋଇଯାଏ  ତେବେ ଲୋକଙ୍କୁ ସମ୍ଭାଳି ହେବ ନାହିଁ । ୧୯୪୦ ଡିସେମ୍ବର ପାଞ୍ଚ ତାରିଖ ଦିନ ସୁଭାଷ ଜେଲରୁ ବାହାରିଲେ । ଏଣିକି ଘରେ ରହିବେ କିନ୍ତୁ ଗୃହବନ୍ଦୀ ଭାବେ । ପଦାକୁ ଗୋଡ କାଢିବା ମନା । ଘର ଚାରିପଟେ କଡା ପୋଲିସ ପହରାର ବ୍ୟବସ୍ଥା ହୋଇଗଲା ।

ଏଣିକି ଯୋଜନା ଅନୁସାରେ କାମ ଆରମ୍ଭ ହୋଇଗଲା । ସୁଭାଷଙ୍କ ଘନିଷ୍ଟ ବନ୍ଧୁ ମିଆଁ ଆକରବ ସାହା ସୁଭାଷଙ୍କୁ ଦେଖା କରିବାକୁ ଆସୁଥାନ୍ତି । ତାଙ୍କ ହାତରେ ଉତ୍ତର ଭାରତର ମୁସଲମାନମାନେ ପିନ୍ଧୁଥିବା ପୋଷାକ ମଗାହେଲା । ଏହା ପରେ ତାଙ୍କର ପୁତୁରା ଶିଶିର,ଦ୍ଵଜେନ୍ଦ୍ରନାଥ,  ଅରବିନ୍ଦ ଏବଂ ଝିଆରୀ ଇଲାଙ୍କୁ ସୁଭାଷ ଯୋଜନା କ’ଣ ବୁଝାଇଦେଲେ ।

୧୯୪୧ ଜାନୁଆରୀ ୧୭ ତାରିଖ ରାତି ସାଢେ ଗୋଟାଏ ରେ ସୁଭାଷ ମୁସଲମାନ ପୋଷାକ ପିନ୍ଧି ଶିଶିରଙ୍କ କାରରେ କଲିକତା ଛାଡିଲେ । କଲିକତାରୁ ସିଧା ଧାନବାଦ ଗଲେ । ଧାନବାଦରେ ଶିଶିରଙ୍କ ବଡ ଭାଇ ଘରେ ଦିନଟା କଟାଇଦେଲେ । ରାତିରେ ଆମୋ ଷ୍ଟେସନ କୁ ଚାଲିଲେ । ସେଠୁ କାଲକା ମେଲ ଧରି ଦିଲ୍ଲୀରେ ଯାଇ ପହଞ୍ଚିଲେ ଜାନୁଆରୀ ୧୮ରେ ।  ପରଦିନ ଫ୍ରଣ୍ଟିୟର ମେଲ ଯୋଗେ ଗଲେ ପେଶୱାର ।

ପେଶୱାରରେ ନିଜକୁ ଜିଆ ଉଡ୍ଡୀନ ନାମରେ ପରିଚୟ ଦେଇ ସୁଭାଷଙ୍କ ତାଜ ହୋଟେଲରେ ରହିଲେ । ଲକ୍ଷ୍ୟ କାବୁଲରେ ପହଞ୍ଚିବା । ବନ୍ଧୁ ଭଗବତ ରାମ, ଆବିଦ ଖାଁ ଓ ବାଟ ଦେଖିଥିବା ଜଣେ ସ୍ଥାନୀୟ ଲୋକକୁ ଧରି ସମସ୍ତେ ଗାଡିରେ ଭାରତ ସୀମାନ୍ତ ପର୍ଯ୍ୟନ୍ତ ଗଲେ । ଆଫଗାନର ପାହାଡିଆ, ଆଦିବାସୀ ଅଞ୍ଚଳରେ ପାଦରେ ଚଳିବାକୁ ପଡିଲା । ତିନିଦିନ କାଳ ବଣଜଙ୍ଗଲରେ ଚାଲି ଚାଲି ସେମାନଙ୍କୁ କାବୁଲରେ ପହଞ୍ଚିଲେ । ଜାନୁଆରୀ ୨୭ ତାରିଖାରେ ସୁଭାଷଙ୍କର କଲିକତା କୋର୍ଟରେ ହାଜର ହେବାକୁ ଥାଏ । ସେ କାହିଁକି ଆସିଲେ ନାହିଁ ସେ ବିଷୟରେ ଖୋଳତାଳ ଚାଲିଲା । କେଇ ଘଣ୍ଟା ଭିତରେ ବିଜୁଳି ପରି ଖବର ବ୍ୟାପୀଗଲା । ଯେ ସୁଭାଷ ଉଭାନ ! ନେତାଜୀ କଲିକତା ଛାଡିବାର ଦଶଦିନ ପରେ ବ୍ରିଟିଶ ସି.ଆ.ଡି. ବିଭାଗ ଖିନଭିନ କରି ସମଗ୍ର ଭାରତବର୍ଷରେ ନେତାଜୀଙ୍କୁ ଖୋଜି ପାଇଲେ ନାହିଁ ।

କାବୁଲରେ ପହଞ୍ଚି ରୁଷିଆ ଦୂତାବାସ ସହିତ ଯୋଗାଯୋଗ କରିବାକୁ ସୁଭାଷ ବହୁ ଚେଷ୍ଟା କଲେ । ସଫଳ ହେଲେ ନାହିଁ  । ତେବେ ଫେବୃଆରି ୨ ତାରିଖ ଦିନ ଜର୍ମାନ ଦୂତାବାସ ସହିତ କଥାବାର୍ତ୍ତା ହେଲା । ଦୂତାବାସ ଜର୍ମାନ ସରକାରଙ୍କୁ ପଚାରି କିଛି ବାଟ ବାହାର କରିବା ବୋଲି ପ୍ରତିଶ୍ରୁତି ଦେଲେ । ସତକୁ ସତ ଫେବୃୟାରୀ ୫ ତାରିଖରେ ଖବର ଆସିଲା ଯେ ଜର୍ମାନ ସରକାର ତାଙ୍କୁ କାବୁଲରୁ ବର୍ଲିନ ନେଇଯିବାର ବ୍ୟବସ୍ଥା କରୁଛନ୍ତି ।

ସୁଭାଷ ଓ ଭଗତରାମ  ଗୋଟିଏ ପାନ୍ଥଶାଳାରେ ରହୁଥିଲେ । ଦେଖିଲେ ଜାଗାଟା ନିରାପଦ ନୁହେଁ । ନିଜକୁ ଆଫଗାନ ଗୋଇନ୍ଧା ବିଭାଗର ଜଣେ କର୍ମଚାରୀ ବୋଲି କହୁଥିବା ଲୋକଟିଏ ସୁଭାଷଙ୍କୁ ବାରମ୍ବାର ଧମକାଉଥିଲା । ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୁଭାଷ ସୁନା ହାତଘଡିଟି ଦେଇଥିଲେ । ତା’ ପରେ ଭଗତରାମଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଗଲା । ଖବର ମିଳିଲାଯେ ଉଭୟ ଇତାଲୀ ଓ ଜର୍ମାନ ସୁଭାଷଙ୍କୁ ରୁଷିଆ ବାଟେ ବର୍ଲିନ ନେଇଯିବାର ବ୍ୟବସ୍ଥା କରୁଛନ୍ତି । ଅଲାଣ୍ଡୋ ମୋଜାଟା ନାମକ ଜଣେ ଇଟାଲୀୟ ରାଷ୍ଟ୍ରଦୂତର ଛଦ୍ମନାମରେ ସୁଭାଷ ରୁଷିଆରେ ପ୍ରବେଶ କଲେ ।

ମାର୍ଚ୍ଚ ୨୮ରେ ଅଲାଣ୍ଡୋ ମୋଜାଟା ମସ୍କୋରେ ପହଞ୍ଚିଲେ । ଏପ୍ରିଲ ୩ରେ ମସ୍କୋଊ ଉଡାଜାହାଜ ଯୋଗେ ବର୍ଲିନ ଗଲେ , ଜର୍ମାନ, ବିଶେଷତଃ ନାଜୀ ଦଳର ଭରତବର୍ଷ ସମସ୍ୟା ପ୍ରତି ସହାନୁଭୂତି ନ ଥାଏ । ତେବେ ସେମାନେ ସୁଭାଷଙ୍କ ପ୍ରତି ଆକୃଷ୍ଟ ହେଲେ । ଜର୍ମାନ ସରକାର ଭାରତବର୍ଷ ପାଇଁ ଏକ ସ୍ଵତନ୍ତ୍ର ବିଭାଗ ଖୋଲିଲା । ଏହା ଏକ ଉଲ୍ଲେଖଯୋଗ୍ୟ ଘଟନା  ।

ନେତାଜୀଙ୍କର ଜନ୍ମ

କିଏ ଗାନ୍ଧୀଜିଙ୍କୁ ମହାତ୍ମା କହିଥିଲେ, ନେହରୁଙ୍କୁ ପଣ୍ଡିତ ବୋଲିଳ କିଏ ପ୍ରଥମେ ସମ୍ବୋଧନ କଲେ ତାର ମୂଳ ଲୋକକୁ ଜଣାନଥାଏ । ମହାତ୍ମା କହିଲେ ଲୋକେ ଜଣକୁ ବୁଝାନ୍ତି । ନେତାଜୀ କହିଲେ ଜଣକର ଚିତ୍ର ସେମାଣଙ୍କ ଆଖି ଆଗକୁ ଭାସିଆସେ । ତାଙ୍କୁ କିଏ ଏ ନାଆଁଟି ଦେଲା ସେ କଥା ଆମେ ଯାବିଆ ଉଚିତ କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ସମମାମୟିକ ଭାରତବର୍ଷ ୩୮ କୋଟି ଲୋକ ଏଇ ନାଆଁଟିକୁ ଗ୍ରହଣ କରିନେଲେ । ସତେ ଯେପରି ବାପା, ମାଆ ନାଆଁ ରଖିଥିଲେ ନେତାଜୀ !

ସବୁଠୁ ବିସ୍ମୟର ବିଷୟ, ଜର୍ମାନରେ ତାଙ୍କୁ ପ୍ରଥମେ ନେତାଜୀ ବୋଲି ସମ୍ବୋଧନ କରାଯାଇଥିଲା ।

ଜର୍ମାନରେ ପହଞ୍ଚିବାର ତିନିଦିନ ପରେ ସୁଭାଷ ଜର୍ମାନ ସରକାରଙ୍କ ପାଖରେ ଗୋଟିଏ ସ୍ମାରକପତ୍ର ପେଶ କଲେ । ସ୍ମାରକପତ୍ର ପ୍ରସ୍ତାବଗୁଡିକ ସ୍ଵାଧୀନ ଭାରତ କେନ୍ଦ୍ରରେ ଦେଶପ୍ରେମୀ ଭାରତୀୟଙ୍କ ସହିତ ଆଲୋଚନା ପରେ ଗୃହିତ ହୋଇଥିଲା । ବର୍ଲିନ ଠାରେ ସ୍ଥାପିତ ସ୍ଵାଧୀନ କେନ୍ଦ୍ରରେ ପ୍ରଥମ ବୈଠକ ଗୋଟିଏ ସ୍ଵାଧୀନ ଭାରତକେନ୍ଦ୍ର ପ୍ରତିଷ୍ଟିତ ହେଉ । ୟୁରୋପର ଭାରତର ସ୍ଵାଧୀନତା ସଂଗ୍ରାମକୁ ସଂଗଠିତ କରିବା ଦିଗରେ ଏହି କେନ୍ଦ୍ର କାମ କରିବା ।  ଦ୍ଵିତୀୟରେ ଗୋଟିଏ  ଭାରତୀୟ ବାହୀନ ଗଠନ କରାଯାଉ ।  ଜର୍ମାନ ସୈନ୍ୟବାହିନୀ ସହିତ ମିଶି ଏମାନେ ଭାରତବର୍ଷର ଉତ୍ତର ପଶ୍ଚିମ ସୀମାନ୍ତରେ ଗଣ୍ଡୋଗଳ କରିବେ । ରେଡିଓ ଜରିଆରେ ବିଭିନ୍ନ ଭାରତୀୟ ଭାଷାରେ ଭାରତୀୟଙ୍କୁ ଭାଷଣ ଦେବାର ସୁଯୋଗ ଜର୍ମାନ ସରକାର ଦେଲେ । ତୃତୀୟତଃ, ଜର୍ମାନ ସରକାର ଭାରତକୁ ଏକ ସ୍ଵାଧୀନ ରାଷ୍ଟ୍ର ବୋଲି ଘୋଷଣା କରୁ ।

ଦେଶର ପୂର୍ଣ୍ଣ ସ୍ଵାଧୀନତା କଂଗ୍ରେସର ଲକ୍ଷ୍ୟ ବୋଲି ପ୍ରସ୍ତାବ ୧୯୨୯ ଡିସେମ୍ବରରେ କଂଗ୍ରେସ ଅଧିବେଶନରେ ଗ୍ରହୀତ ହେବା ପରେ ୧୯୩୦ ଜାନୁଆରୀ ୨୬ ତାରିଖ ଭାରତର ସ୍ଵାଧୀନତା ଦିବସ ବୋଲି ଘୋଷଣା କଲେ । ସେହିଦିନୁ ଜାନୁଆରୀ ୨୬କୁ ସ୍ଵାଧୀନତା ଦିବସ ରୂପେ ପାଳନ କରୁଥିଲେ । ସୁଭାଷଙ୍କର ପ୍ରଥମ ଦୁଇଟି ପ୍ରସ୍ତାବ ଜର୍ମାନ ସରକାରଙ୍କୁ ପ୍ରଭାବିତ କଳା । ବର୍ଲିନ ସ୍ଵାଧୀନ ଭାରତ କେନ୍ଦ୍ରରେ ନେତାଜୀ ୧୯୪୩ ମସିହା୨୬ ଜାନୁଆରୀ ଦିନ ଭାରତର ସ୍ଵାଧୀନତା ଉପଲକ୍ଷେ ଉପସ୍ଥିତ ଭାରତବାସୀଙ୍କୁ ଉଦବୋଧନ ଦେଲେ । ଗଣତନ୍ତ୍ରଦିବସର ପାଞ୍ଚବର୍ଷ ପୂର୍ବରୁ ବର୍ଲିନସରେ “ଜନ ଗଣ ମନ “ ଗାନ କରି ନେତାଜୀ ଜାନୁଆରୀ ୨୬ ତାରିଖ ଦିନଟିକୁ ବିଦେଶ ମାଟିରେ ଭାରତର ସ୍ଵାଧୀନତା ଦିବସ ରୂପେ ପାଳନ କରିଥିବା ବିସ୍ମୟକର । କୂଟନୀତି ମିଶନର ମର୍ଯ୍ୟାଦା ଦେଇ ତୁରନ୍ତ ଏକ ସ୍ଵାଧୀନ ଭାରତକେନ୍ଦ୍ର ପ୍ରତିଷ୍ଟିତ ହେଲା । ହିନ୍ଦୁସ୍ଥାନୀ, ବଙ୍ଗଳା, ତାମିଲ, ତେଲୁଗୁ, ଭାଷାରେ ଜର୍ମାନ ରେଡିଓରୁ ପ୍ରଚାର ବ୍ୟବସ୍ଥା ମଧ୍ୟ ହୋଇଗଲା ।

କଂଗ୍ରେସ ର ତ୍ରିରଙ୍ଗା ପତାକା ଉପରେ ଲମ୍ଫ ପ୍ରଦାନ କରୁଥିବା ବାଘ ଛାପ ବିଶିଷ୍ଟ ପତାକାକୁ ସ୍ଵାଧୀନ ଭାରତ କେନ୍ଦ୍ରରେ ଭାରତର ଜାତୀୟ ପତାକା ରୂପେ ଗ୍ରହଣ କରାଗଲା । ରବୀନ୍ଦ୍ରନାଥଙ୍କ “ଜନ ଗଣ ମନ” ସଙ୍ଗୀତ କୁ ଜାତୀୟ ସଂଗୀତ ମର୍ଯ୍ୟାଦା ଦିଆଗଲା । ପ୍ରଥମେ “ଜନ ଗଣ ମନ” ୨୯ ମେ ହାମବର୍ଗ ଠାରେ ଗାନ କରାଯାଇଥିଲା । ଜନ ଗଣ ମନ ପରେ ଜର୍ମାନର ଜାତୀୟ ସଂଗୀତ ଗାନ ହେଲା  । ହାମ୍ବଗର ମେୟର ନେତାଜୀଙ୍କୁ ଉକ୍କସିତ ସମ୍ବର୍ଦ୍ଧନା ଜଣାଇଥିଲେ । ଭାରତ ବର୍ଷର ଜାତୀୟ ସଂଗୀତ ସୁଭାଷଙ୍କ ଦ୍ଵାରା ସୁଦୂର ବର୍ଲିନରେ ଉଦଘାଟିତ ହୋଇଥିବା ହୋଇଥିବା ତତ୍ପର୍ଯ୍ୟ ର ବିଷୟ ।

ଜର୍ମାନରେ ହିଁ ସ୍ଵାଧୀନ ଭାରତ କେନ୍ଦ୍ରର ସଭ୍ୟମାନେ ସୁଭାଷଙ୍କୁ ନେତାଜୀ ବୋଲି ଶ୍ରଦ୍ଧାରେ ଡାକୁଥିଲେ । ଶିଖିଲା ପତ୍ରକୁଦରେ ନିଆଁ ଟିକିଏ ଲଗାଇ ଦେଲେ ତାହା ଯେପରି ବ୍ୟାପିଯାଏ । ଭାରତବର୍ଷରେ ଏହି ନାମରେ ସେହିପରି ବ୍ୟାପିଗଲା ।

ଜର୍ମାନର ସ୍ଵାଧୀନ ଭାରତ କେନ୍ଦ୍ରରେ ଭାରତୀୟମାନେ ପରସ୍ପରକୁ ଭେତିଳେ “ ହାଲୋ “ ବା ଗୁଡ ମର୍ଣ୍ଣି  ନ କହି “ ଜୟ ହିନ୍ଦ” କହି ପରସ୍ପର କୁ ଅଭିବାଦନ କରୁଥିଲେ । ହିନ୍ଦ ଅର୍ଥ ଭାରତ । ଜୟହିନ୍ଦ – ଭାରତର ଜୟ ହେଉ । ପରେ ଆଜାଦ ହିନ୍ଦ ଫୌଜରେ “ ‘ଜୟ ହିନ୍ଦ’ ଚଳିଲା । ଭାରତବର୍ଷରେ ମଧ୍ୟ “ ଜୟହିନ୍ଦ “ ଜନପ୍ରିୟ ହୋଇଛି ।

ସ୍ଵାଧୀନ ଭାରତ କେନ୍ଦ୍ର ପାଇଁ ଯେଉଁ ଅର୍ଥବ୍ୟୟ ହେଉଥାଏ ତାହା ଜର୍ମାନ ସରକାର ବହନ କରୁଥିଲେ । ନେତାଜୀ ତାକୁ ଋଣ ଭାବେ ଗ୍ରହଣ କରୁଥିଲେ ବନ୍ଧୁ ଠାରୁ ଦାନ ନୁହେଁ , ଋଣ ଗ୍ରହଣ କରିବା ଶୋଭାପାଏ । ସ୍ଵାଧିନତା ପାଇବା ପରେ ଭାରତ ସବୁ ଋଣ ପରିଶୋଧ କରିଦେବ ବୋଲି ସୁଭାଷ କହିଥିଲେ । ଏ କଥା କୁ କିଏ ଗୁଟୁତ୍ଵ ହେଉ ନ ଦେଉ ସୁଭାଷ ଖୁବ ଗୁରୁତ୍ଵ ହେଉଥିଲେ । ୧୯୪୪ରେ ଋଣ ପରିଶୋଧର ପ୍ରଥମ କିସ୍ତି ସ୍ୱରୂପ ଜାପାନରୁ ଜର୍ମାନକୁ ପଚାଶ ଲକ୍ଷ ୟେନ ପଠାଇଥିଲେ ।

ଇଂଲଣ୍ଡ ଓ ଆମେରିକା ବିରୁଦ୍ଧରେ ଜାପାନ ଯୁଦ୍ଧଘୋଷଣା କଲା ପରେ ନେତାଜୀ ଅନୁଭବ କଲେ ଯେ ଦକ୍ଷିଣ ପୂର୍ବ ଏସିଆକୁ କର୍ମକ୍ଷେତ୍ର ଘୁଞ୍ଚାଇ ନେଲେ ଏହାର ଅଧିକ ପ୍ରଭାବ ପଡିବ । ଏହି କଥା ମନରେ ରାଖୀ ସେ ଜାପାନ ରାଷ୍ଟ୍ରଦୂତ ଓ ଜାପାନ ସରକାର ସହିତ ଯୋଗାଯୋଗ ସ୍ଥାପନ କଲେ । ମେ ୧୯୪୨ରେ ନେତାଜୀ ହିଟଲରଙ୍କୁ ଭେଟିଲେ । ହିଟଲର ତାଙ୍କର ଯୋଜନାକୁ ପସନ୍ଦ କଲେ ଓ ପ୍ରତିଶ୍ରୁତି ଦେଲେ ଯେ ସୁଭାଷ ଏସିଆ ଚାଲିଗଲେ ଜର୍ମାନ ତାର ସାହାଯ୍ୟ ବଜାୟ ରଖିବ ।

ନେତାଜୀ କିପରି ନିରାପଡାରେ ଜାପାନ ନିଆଯିବ ସେ ବିଷୟରେ ଜର୍ମାନ ଓ ଜାପାନ ସରକର କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ । ତଦନୁସାରେ  ନେତାଜୀ ଓ ଆବିଦ ହାସାନ ଜର୍ମାନ ଛାଡିଲେ । ମାଜାଗାସକାର ଠାରେ ସମୁଦ୍ର ମଝିରେ ଜାପାନ ଜାହାଜ ଦୁହିଁ ଙ୍କୁ ପାଛୋଟି ନେଲା । ମଝି ଦରିଆରେ ଶତ୍ରୁ ଦୃଷ୍ଟିକୁ ଏଡି ଗୋଟିଏ ଜାହାଜରୁ ଆଉ ଗୋଟିଏ ଜାହାଜକୁ ଯିବା ବଡ ବିପଦଜନକ ବ୍ୟାପାର ଦେଶ ପାଇଁ ବିପଦ ସହିତ ଖେଳିବାକୁ ଖାତିର କରୁନ ଥିଲେ ନେତାଜୀ  ।

ଜାପାନରେ ନେତାଜୀ

ଜାପାନ ଦ୍ଵିତୀୟ ମହାଯୁଦ୍ଧକୁ ଡେଇଁବା ଫଳରେ ଯୁଦ୍ଧ ଏକ ଗୁରୁତ୍ଵପୂର୍ଣ୍ଣ ମୋଡ ନେଲା । ଆମେରିକାର ଗୁରୁତ୍ଵପୂର୍ଣ୍ଣ ନୌଘାଟି ପର୍ଲ ହର୍ବାର ଉପରେ ଜାପାନ ୧୯୪୧ ଡିସେମ୍ବର ୭ ତାରିଖରେ ଆକ୍ରମଣ କଲା । ଜଳ,ସ୍ଥଳ, ଓ ଆକାଶ ମାର୍ଗରୁ ଆକ୍ରମଣ କରି ହଂକଂକୁ ମାତ୍ର ତିନି ସପ୍ତାହରେ ଅଧିକାର କରିନେଲା । ବିଶ୍ଵରେ ସର୍ବାଧିକ ରବର ଉତ୍ପାଦନକାରୀ ମାଳୟ ଦୁଇ ମାସ ଭିତରେ ଜାପାନର ଅଧୀନ ହେଲା । ଇଂରେଜଙ୍କର ଅଜେୟ ନୌଘାଟି ସିଙ୍ଗାପୁର ଅଧିକାର କରିନେବା ଫଳରେ ବିଶ୍ଵରେ ଆତଙ୍କ ଖେଳିଗଲା । ଶ୍ୟାମଦେଶ ମଧ୍ୟ ଜାପାନ ଅକ୍ତିଆରକୁ ଆସିଥାଏ । ଜାପାନର ଏହି ବିପୁଳ ସାଫଲ୍ୟ ଯୁଦ୍ଧର ଅଗ୍ରଗତି ସହିତ ଧୀରେ ଧୀରେ ମଉଳିଲା ।

୧୯୪୩ ମେ ୬ ତାରିଖରେ ଜାପାନୀ ଜାହାଜ ସାବାଙ୍ଗରେ ପହଞ୍ଚିଲା । ସେଠାରେ ଗୋଟିଏ ଉଡାଜାହାଜରେ ନେତାଜୀ ଟୋକିଓ ଅଭିମୁଖେ ବାହାରିଲେ । ସାଇଗନ, ମାନିଲା ପ୍ରଭୁତି ଅଟକି ମେ ୧୬ ତାରିଖରେ ଟୋକିଓରେ ପହଞ୍ଚିଲେ । ଟୋକିଓରେ ତାଙ୍କୁ ଇମ୍ଫିରିଆଲ ହୋଟେଲରେ ରଖାଗଲା ।

ଟୋକିଓରେ ପହଞ୍ଚିବା ଦିନଠୁ କାମ ଆରମ୍ଭ ହୋଇଗଲା । ପହଞ୍ଚିବା ପରଦିନ ନେତାଜୀ ଜାପାନର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ  ଆଲୋଚନା କଲେ ।  ଭାରତର ସ୍ଵାଧୀନତା ପାଇଁ ତାଙ୍କର ବ୍ୟାକୁଳତା , ନିଷ୍ଠା ଓ ଯୋଜନା ସମସ୍ତଙ୍କୁ ପ୍ରଭାବିତ କଲା । ରାସବିହାରୀ ବୋଷଙ୍କୁ ଭେଟି ସୁଭାଷ ପୂର୍ବ ଏସିଆରେ ଚାଲିଥିବା ଭାରତର ମୁକ୍ତି ଆନ୍ଦୋଳନ ସମ୍ପର୍କରେ ଖବର ସଂଗ୍ରହ କଲେ । ଜାପାନରେ ପ୍ରଧାନମନ୍ତ୍ରୀ ଟୋଜୋଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ସୁଭାଷଙ୍କ ଉତ୍ସାହ, ତେଜ ଓ ଯୋଜନା ଟୋଜୋଙ୍କୁ ମୁଗଧ କଲା । ଚାରିଦିନ ପରେ ଦୁଇ ନେତା ଆଉଥିରେ ଆଲୋଚନା କାରୀ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ । ଏହା ପରେ ନେତାଜୀଙ୍କୁ ଗୋଟିଏ ସଭାକୁ ନିମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ଟୋଜୋ ତାଙ୍କର ଦୀର୍ଘ ବକ୍ତୁତା ଭିତରେ କହିଥିଲେ “ ଭାରତବର୍ଷ ଯେ ଆଜି ଯାଏ ବ୍ରିଟିଶ ଅଧୀନରେ ନିର୍ଯ୍ୟାତିତ ହୋଇ ରହିଛି  ସେ କଥା ଆମକୁ ଉତ୍ୟକ୍ତ କରୁଅଛି । ଭାରତ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି ଏବଂ ତାର ସ୍ଵାଧୀନତା ସଂଗ୍ରାମରେ ସ୍ଵାଧୀନତା ଲାଭକରି ସମୃଦ୍ଧ ପଥରେ ଅଗ୍ରସର ହେବାକୁ ଭାରତବର୍ଷ କୁ ଆଉ ଅଧିକ କାଳ ଅପେକ୍ଷା କରିବାକୁ ପଡିବ ନାହିଁ ।

ନେତାଜୀ ଜାପାନରେ ଅଛନ୍ତି ବୋଲି ୧୯୪୩ ଜୁନ ୧୯ ତାରିଖ ଦିନ ଜାପାନ ସରକାରୀ ଭାବେ ଘୋଷଣା ହେଲା । ଜାପାନୀ ଓ ବିଦେଶୀ ସାମ୍ବାଦିକଙ୍କର ଏକ ବଡ ସମ୍ମିଳନୀରେ ସୁଭାଷ କହିଥିଲେ –

“ ଭାରତ ଓ ବର୍ମାରେ ଥିବା ବ୍ରିଟିଶ ଜେଲରେ ମୁଁ ଅନେକ ବର୍ଷ ଅତିବାହିତ କରିଛି । କିନ୍ତୁ ଭାରତବର୍ଷର କୌଣସି ଜେଲଖାନାରେ ଅକର୍ମଣ୍ୟ ଭାବେ ପଡି ନ ରହି ମୁଁ ଆଜି ଆପଣମାନଙ୍କ ସାମ୍ନାରେ ଛିଡା ହୋଇଛି । ମୋ ଦେଶରେ ଆନ୍ଦୋଳନ ଏକ ଜ୍ଵଳନ୍ତ ରୂପ ଧରି ନୂତନ ଭାବେ ବହିଯାଇଛି , ଏ ଘୋଷଣାଟି ତାହାରି ସଙ୍କେତ । “

“ବ୍ରିଟିଶ ସାମ୍ରାଜ୍ୟବାଦ ଫଳରେ ଭାରତବର୍ଷର ନୈତିକ ଆୟୋଗତି ଘଟୁଛି , ସଂସ୍କୃତି ଧ୍ଵଂସ ହେଉଛି ।  ଦେଶ ଅର୍ଥନୈତିକ ଦାରିଦ୍ର୍ୟ କବଲାରେ ପଡିଛି ଓ ଦାସତ୍ଵ ଶୃଙ୍ଖଳ ପିନ୍ଧିଛି । ତେଣୁ ଭାରତବାସୀ ବ୍ରିଟିଶ ଜୁଆଳିକୁ ଫିଙ୍ଗିଦେବା ପାଇଁ ବଦ୍ଧପରିକର ହେବାର ଆଶ୍ଚର୍ଯ୍ୟ କଣ /

“ବିଶ୍ଵର ତ୍ରିଶକ୍ତି (ଜର୍ମାନ , ଇତାଲୀ , ଜାପାନ ) ଆମର ଚିରଶତ୍ରୁ ଇଂଲଣ୍ଡ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ଭାରତ ମୁକ୍ତି ସଂଗ୍ରାମକୁ ବିଶେଷ ସାହାଯ୍ୟ କରିଛନ୍ତି । କେବଳ ଆମ ପ୍ରତି ସହାନୁଭୁତିଶୀଳ ହୋଇ ନୁହେଁ , ଭାରତର ମୁକ୍ତି ସଂଗ୍ରାମକୁ ସକ୍ରିୟ ସାହାଯ୍ୟ କରି ସେମାନେ ଆମର କୃତଜ୍ଞତାଭାଜନ ହୋଇଛନ୍ତି । “

“କିନ୍ତୁ ଆମ ସ୍ଵାଧୀନତାର ମୂଲ୍ୟ ପାଇଁ ଆମକୁ ହିଁ ରକ୍ତ ଦେବାକୁ ପଡିବ । ଯେଉଁ ସ୍ଵାଧୀନତାକୁ ଆମେ ଆମର ତ୍ୟାଗ ଓ ପରିଶ୍ରମ ବଳରେ ଅର୍ଜନ କରିବୁ , ଆମ ନିଜ ବଳରେ ଆମେ ତାକୁ ରକ୍ଷା କରିବାକୁ ସମର୍ଥ ହେବୁ । “

“ ଯେତେବେଳେ ବହୁ ସଂଖ୍ୟକ ଭାରତବାସୀ ନୀଆଁକୁ ଡେଇଁ ପାରିବେ ସେତେବେଳେ ସ୍ଵାଧୀନ ହେବା ପାଇଁ ସେମାନଙ୍କର ଯୋଗ୍ୟତା ଆସିଯିବା । “

କିଛିବର୍ଷ ଧରି ରାସ ବିହାରୀ ବୋଷ ପ୍ରଭୁତିଙ୍କ ଉଦ୍ୟମ ଫଳରେ ଭାରତୀୟ ମୁକ୍ତି ସଂଗ୍ରାମ ଜାପାନ ମାଟିରେ ମୁଣ୍ଡ ତେକୁଥିଲା । ନା ନା କାରଣରୁ ତାହା ମଉଳି ଆସୁଥାଏ । ୧୯୪୩ ମେ ୬ ତାରିଖରେ ନେତାଜୀ ଜାପାନରେ ପାଦ ଦେଲେ । ତାଙ୍କୁ ଜାପାନ ପ୍ରଧାନମନ୍ତ୍ରୀ ଟୋଜୋଙ୍କର ସମର୍ଥନ ମିଳିଲା । ତଥାପି ତାଙ୍କର ଦୁଇମାସ ରହଣି ଭିତରେ ସୁଭାଷ ଯେପରି ଭାବେ ଭାରତୀୟ ମୁକ୍ତି ସଂଗ୍ରାମକୁ ଜୀବନ୍ୟାସ ଦେଇ ଛିଡା କରାଇଦେଲେ ତାହା ଆଶ୍ଚର୍ଯ୍ୟଜଣକ । ପୂର୍ବରୁ ଆଜାଦ୍ ହିନ୍ଦ ଫୌଜ ବା ଇଣ୍ଡିଆନ ନ୍ୟାସନାଲ ଆର୍ମି ଗାଢା ସାରିଥାଏ । ୧୯୪୨ ଅକ୍ଟୋବର ୨ ତାରିଖ ମହାତ୍ମାଗାନ୍ଧିଙ୍କର ଜନ୍ମ ଦିବସ ଦିନ ଫୌଜର ସିଙ୍ଗାପୁର ଶାଖାରେ ପ୍ରବଳ ଉତ୍ସାହ । ସେଦିନ ଜାପାନ ସରକାର ଆଜାଦ ହିନ୍ଦ ଫୌଜକୁ ସ୍ବୀକୃତି ଦେବ ବୋଲି ସମସ୍ତେ ଆଶା କରୁଥିଲେ । ମାତ୍ର ସେଦିନ ଏ ସ୍ବୀକୃତି ମିଳିଲା ନାହିଁ । ଆଜାଦ ହିନ୍ଦ ଫୌଜର ନେତାମାନଙ୍କୁ ଗୋଟିଏ ଧକ୍କା ହେଲା । ସେମାନଙ୍କ ଭିତରେ ପରସ୍ପର ପ୍ରତି ସନ୍ଦେହ ଆସିଲା । ସମସ୍ତେ ଦବିଗଲେ ।  ଶେଷରେ ଆଜାଦ୍ ହିନ୍ଦ ଫୌଜ ଭାଙ୍ଗିଲା ।

ଏହି ସମୟରେ ଖବର ପହଞ୍ଚିଲାଯେ ନେତାଜୀ ଜାପାନ ଆସୁଛନ୍ତି । ଏ ଖବର ମୁମୁଷ ଭାରତୀୟ ସଂଗଠନରେ ପ୍ରାଣସଂଚାର କଳା । ନେତାମାନେ ମତଭେଦ ଓ ପରସ୍ପର  ପ୍ରତି ସନ୍ଦେହ ଭୁଲି ଏକାଠି ହୋଇଗଲେ । ସମସ୍ତେ ଉତ୍ସାହର ସହିତ ଅପେକ୍ଷା କଲେ ନେତାଜୀଙ୍କୁ । ଭାରତର ମୁକ୍ତି ସଂଗ୍ରାମ ପାଇଁ ପୂର୍ବ ଏସିଆରେ ଯାହାସବୁ କରାଯାଇଛି ସେ ବିଷୟ ରାସବିହାରୀ ସୁଭାଷଙ୍କୁ ବୁଝାଇ ଦେଲେ । ଅଳ୍ପକାଳ ପରେ ରାସବିହାରୀଙ୍କର ମୃତ୍ୟୁ ହେଲା । ମୃତ୍ୟୁ ପୂର୍ବରୁ ସେ କହିଥିଲେ ଯେ ସୁଭାଷଙ୍କର ନେତୃତ୍ଵରେ ଆଜାଦ୍ ହିନ୍ଦ ଫୌଜ ର ଜଣେ ଶୃଙ୍ଖଳିତ ସୈନିକ ଭାବେ ଲଢିବା ତାଙ୍କ ଜୀବନର ପରମ ସୌଭାଗ୍ୟର ବିଷୟ ଥିଲା ।

ସୁଭାଷ ଜାପାନରେ ପହଞ୍ଚିବାର ଦୁଇମାସ ଭିତରେ ଆଜାଦ୍ ହିନ୍ଦ ଫୌଜ ସଂଗଠନ ଛିଡା ହୋଇଗଲା । ଦୁଇମାସ ପରେ ସେ ସିଙ୍ଗାପୁର ଗଲେ । ସିଙ୍ଗାପୁର ବିମାନଘାଟିରେ ଆଜାଦ ହିନ୍ଦ ଫୌଜର ସମସ୍ତ ଅଫିସର ନେତାଜୀଙ୍କୁ ସ୍ଵାଗତ କରିବାକୁ ଏକାଠି ହୋଇଥାନ୍ତି । ପୂର୍ବ ଏସିଆରେ ଭାରତୀୟ ମୁକ୍ତି ଆନ୍ଦୋଳନର ସ୍ଵାକୃତି ନେବା ସୁଭାଷ ଚନ୍ଦ୍ର ଆଜାଦ ହିନ୍ଦ ଫୌଜର ସର୍ବୋଚ୍ଚ କମାଣ୍ଡର ଭାବେ ୧୯୪୩ ଅଗଷ୍ଟ ୨୫ ଦିନ ଦାୟିତ୍ଵ ଗ୍ରହଣ କଲେ ।

ଆଜାଦ୍ ହିନ୍ଦ ଫୌଜ

୧୯୪୩ ମେ’ ମାସରେ ନେତାଜୀ ଜାପାନରେ ପହଞ୍ଚିଲେ । ଅଗଷ୍ଟ ମାସକୁ ଆନୁଷ୍ଠାନିକ ଭାବେ ଆଜାଦ ହିନ୍ଦ ଫୌଜ ମୁଣ୍ଡ ଟେକିଲା । କେଡେ ଦ୍ରୁତ ଭାବେ ସେ କାମ କରୁଥିଲା ଏହାହିଁ ତାର ଜ୍ଵଳନ୍ତ ଦୃଷ୍ଟାନ୍ତ । ପୂର୍ବ ଏସିଆର ଏତେଗୁଡିଏ ଦେଶକୁ ଅଳ୍ପକାଳ ଭିତରେ ଏକମୁଖୀ କରାଇବା ପରି ଅସମ୍ଭବ ପ୍ରାୟ ବ୍ୟାପାରକୁ ନେତାଜୀ ସହଜ କରିଦେଲେ । ୧୯୪୩ ଜୁଲାଇ 20ରେ ବର୍ମାର ସ୍ଵାଧୀନତା ଉତ୍ସବରେ ଯୋଗ ଦେବା ପାଇଁ ରେଙ୍ଗୁଣ ଯାଇଥିବା ଅବସରରେ ନେତାଜୀ ବର୍ମାର ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ନେତୃବର୍ଗଙ୍କ ସହିତ ବିସ୍ତୁତ ଆଲୋଚନା କରିଥିଲେ । ଆଜାଦ ହିନ୍ଦ ଫୌଜ ବର୍ମାକୁ ଏକ ଘାଟୀ ରୂପେ ବ୍ୟବହାର କରିବା କଥାରେ ବର୍ମାର ନେତାମାନେ ରାଜି ହୋଇଗଲେ । ଅଗଷ୍ଟ ୪ରେ ରେଙ୍ଗୁନ ସେ ଶ୍ୟାମଦେଶର ରାଜଧାନୀ ବ୍ୟାଙ୍କକ ଗଲେ । ଶ୍ୟାମଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର କଥାବାର୍ତ୍ତା ହେଲା । ଆଜାଦ ହିନ୍ଦ ଫୌଜ ଶ୍ୟାମଦେଶ ଭିତରେ ନିର୍ବିଘ୍ନରେ ଗତି କରିପାରିବ ବୋଲି ପ୍ରଧାନମନ୍ତ୍ରୀ ରାଜି ହୋଇଗଲେ ।

ବ୍ୟାଙ୍କକ୍ ରୁ ଅଗଷ୍ଟ ୯ରେ ଉଡାଜାହାଜ ଯୋଗେ ସାଇଗନ ଗଲେ । ସେଠି ଜାପାନ ନେତାଙ୍କ ସହିତ ଚୁଡାନ୍ତ ଆଲୋଚନା ହୋଇଗଲା । ସେତେବେଳକୁ ନେତାଜୀ ଆଜାଦ ହିନ୍ଦ ଫୌଜ କୁ ଭାରତର ସୀମାନ୍ତ ଭିତରେ ପୁରାଇବାର ଯୋଜନା କରୁଥାନ୍ତି । ଇଣ୍ଡୋଚାଇନାରେ ବାସ କରୁଥିବା ବିଶିଷ୍ଟ ଭାରତୀୟଙ୍କ ସହିତ ମଧ୍ୟ ଆଲୋଚନା ହେଲା । ନେତାଜୀ ଜାଣିଥିଲେ,ସେ ବିଳମ୍ବରରେ ଜାପାନରେ ପହଞ୍ଚିଛନ୍ତି । ଜାପାନ ମଧ୍ୟ ବିଳମ୍ବରେ ଦ୍ଵିତୀୟ ମହାଯୁଦ୍ଧରେ ଯୋଗ ଦେଇଛି । ତେଣୁ ଯାହା କରିବାକୁ ହେବ ଅତିଶୀଘ୍ର ।

ଆଜାଦ ହିନ୍ଦ ଫୌଜର ସଂଖ୍ୟା ଥିଲା ତିରିଶ ହଜାର । ଫୌଜ କେଉଁମାନଙ୍କୁ ନେଇ ଗାଢା ହେଲା ? ଯୁଦ୍ଧବନ୍ଦୀ ଭାରତୀୟ ସୈନିକ ଓ ପୂର୍ବ ଏସିଆରେ ରହୁଥିବା ଭାରତୀୟ ଯୁବକଙ୍କୁ ନେଇ । ସେତେବେଳେ ପୂର୍ବ ଏସିଆର ଭାରତୀୟଙ୍କ ସଂଖ୍ୟା ତିରିଶ ଲକ୍ଷ । ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଗଠିତ ହୋଇଥିଲା ଏହି ଫୌଜ । ସେତେବେଳେ ଅବିଭକ୍ତ ଭାରତବର୍ଷର ଏଇ ଆଠ ଭାଗ ଲୋକ ମନ ଭିତରେ ସୁଭାଷଙ୍କୁ ସ୍ଵାଧୀତନା ସଂଗ୍ରାମର ସେନାପରି ଭାବେ ଗ୍ରହଣ କରିଥିଲେ । ନେତାଜୀଙ୍କର ଅତୁଳନୀୟ ସାଫଲ୍ୟ । ଯେଉଁ ଭାରତୀୟ ସୈନିକମାନେ ଯୁଦ୍ଧ ପାଇଁ ମତାଇବା ମୁସ୍କିଲ ସମସ୍ୟା ଥିଲା କାରଣ ସେମାନେ ଥିଲେ ଇଂରେଜ ସରକାରଙ୍କ ସୈନିକ । ସୈନ୍ୟ ବିଭାଗରେ ପ୍ରବେଶ କଲାଦିନ ଇଂରେଜ ସରାକରଙ୍କ ପ୍ରତି ଅନୁଗତ ରହିବେ ବୋଲି ସେମାନେ ଶପଥ ନେଇଥିଲେ । ଶପଥ ଭଙ୍ଗ କରିବା ଜଣେ ସୈନିକ ପକ୍ଷରେ ଘୋର ନୈତିକ ଅପରାଧ । ତା ଛଡା ଇଂରେଜ ସରକାରଙ୍କ ସୈନ୍ୟ ହିସାବରେ ଇଂରେଜ ବିରୁଦ୍ଧରେ ଲଢେଇ କରି ଧରାପଡିଲେ ମୃତ୍ୟୁ ହିଁ ଏକମାତ୍ର ଦଣ୍ଡ । ଇଂରେଜମାନେ ଭାରତୀୟ ପୋଲିସ ଓ ଭାରତୀୟ ସୈନ୍ୟବାହିନୀ ସାହାଯ୍ୟରେ ଭାରତକୁ ଦମନ କରି ରଖିଥିଲେ । ସୁଭାଷଙ୍କ ବ୍ୟକ୍ତିତ୍ଵ ଓ ଉତ୍ସାହବାଣୀ ଦ୍ଵାରା ପ୍ରଭାବିତ ହୋଇ ଯୁଦ୍ଧବନ୍ଦୀମାନେ ଆଜାଦ ହିନ୍ଦ ଫୌଜରେ ମିଶିବା ଏକ ଅଦ୍ଭୁତ ଘଟନା । ଏ ଘଟଣାଟି ବ୍ରିଟିଶ ସରକାରଙ୍କୁ ଦବେଇ ଦେଲା ।  ଯଦି ଭାରତୀୟ ସୈନିକମାନେ ଧୋକା ଦେଲେ ତେବେ ସେମାନଙ୍କୁ ଆଉ ବିଶ୍ଵାସ କଣ ? ଯଦି ଭାରତୀୟ ସୈନିକ ଉପରେ ଇଂରେଜ ନିର୍ଭର କରିପାରିବ ନାହିଁ , ତେବେ ଏତେବଡ ଦେଶକୁ ଚଳାଇବା ସମ୍ଭବ ନୁହେଁ । ତେଣୁ ଇଂରେଜ ମାନେ ଭାରତ ସହିତ ସଦ ଭାବ ରଖି ଚାଲିଯିବା ଭଲ । ଆଜାଦ ହିନ୍ଦ ଫୌଜ ଇଂରେଜମାନଙ୍କୁ ଜିଣି ନଥିଲା । ମାତ୍ର ଏହା ଯେ ଗଢା ଯାଇପାରିଲେ , ତା ଦେଖି ଇଂରେଜଙ୍କ ଦମ୍ଭ ଭାଙ୍ଗିଗଲା । ସେମାନେ ଅନୁଭବ କଲେ ଯେ ଭାରତକୁ ଭାରତୀୟ ସୈନ୍ୟ ଓ ଭାରତୀୟ ପୋଲିସ ଦ୍ଵାରା ଜବତ କରି ରଖିବାର ବିପଦ ଅଛି । ଭାରତକୁ ସ୍ଵାଧୀନତା ଅର୍ପଣ କରାଯିବାର ଏହା ଏକ ବଡ କାରଣ ।

ସୁଭାଷ କେଉଁ ଉଚ୍ଚତାର ନେତା ଓ ଦ୍ରଷ୍ଟା ଥିଲେ , ଆଜାଦ ହିନ୍ଦ ଫୌଜର ଝାନ୍ସୀ ରାଣୀ ରେଜିମେଣ୍ଟ ଗଠନରୁ ତାର ସୂଚନା ମିଳେ । ସିଙ୍ଗାପୁରରେ ନେତାଜୀ ଡକ୍ଟର ଲକ୍ଷ୍ମୀ ସାହାଗଲଙ୍କୁ ଡକାଇଲେ । ଲକ୍ଷ୍ମୀଙ୍କ ବାପା ମାଡ୍ରାସର ଜଣେ ଆଡଭୋକେଟ ଓ ମାଆ ଭାରତରେ ନାରୀ ଜାଗରଣ ଆନ୍ଦୋଳନ ସହିତ ଜଡିତ ଥିଲେ । ୧୯୪୧ରେ ସିଙ୍ଗାପୁର ଯାଇ ସେଠାରେ ଚିକିତ୍ସା କରୁଥାନ୍ତି । ଦ୍ଵିତୀୟ  ମହାଯୁଦ୍ଧ ପର୍ଯ୍ୟନ୍ତ ସିଙ୍ଗାପୁର ଇଂରେଜଙ୍କର ଏକ ଉପନିବେଶ ଥାଏ । ୧୯୪୨ରେ ଜାପାନ ସିଙ୍ଗାପୁରକୁ ଅଧିକାର କରିନେଲା । ଏହା ପରେ ଲକ୍ଷ୍ମୀ ମାଳୟରୁ ପଳାଇ ଆସୁଥିବା ଭାରତୀୟ ଶରଣାର୍ଥୀ ସେବା କରୁଥାନ୍ତି । ଭାରତୀୟ ସ୍ଵାଧୀତନା ସଂଘ ତରଫରୁ ଭାରତ ସପକ୍ଷରେ ପ୍ରଚାରରେ ମଧ୍ୟ ମାତିଥାନ୍ତି ।

ଲକ୍ଷ୍ମୀ ସାହଗଲଙ୍କୁ ଡକାଇ ନେତାଜୀ ଭାରତୀୟ ନାରୀଙ୍କୁ ନେଇ ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ସମ୍ମ୍ନାନାର୍ଥେ ଗୋଟିଏ ମହିଳା ରେଜିମେଣ୍ଟ ଗଢିବାକୁ ନିର୍ଦ୍ଦେଶ ଦେଲେ । ଯେତେବେଳେ ସୁଭାଷ ଆଇ.ଏନ.ଏ. କମିଟିରେ ଏଇ ପ୍ରସ୍ତାବ ପକାଇଲେ ସଭ୍ୟମାନେ ତଟସ୍ଥ । କେବଳ ନାରୀମାନଙ୍କୁ ନେଇ ଗୋଟିଏ ସୈନ୍ୟଦଳ ବୋଧହୁଏ ପୃଥିବୀରେ କେଉଁଠି ଗଠିତ ହୋଇନାହିଁ । ତେବେ ନେତାଜୀ ଏପରି ରେଜିମେଣ୍ଟ ଗଠନ କରିବାର ତାତ୍ପର୍ଯ୍ୟ ବୁଝାଇଦେବା ପରେ ସମସ୍ତେ ଗ୍ରହଣ କରିନେଲେ । ଲକ୍ଷ୍ମୀଙ୍କୁ ଦମ୍ଭ ଦେବା ପାଇଁ ସେ କହିଥିଲେ ସମସ୍ତେ ତାହା ଗ୍ରହଣ କରିନେଲେ । ଲକ୍ଷ୍ମୀଙ୍କୁ ଦମ୍ଭ ଦେବା ପାଇଁ ସେ କହିଥିଲେ ଯେ ଭାରତୀୟ ନାରୀମାନେ ଦେଶ ସମ୍ଭାଳିବାକୁ ଆଗେଇ ନ ଆସିବା ପର୍ଯ୍ୟନ୍ତ ଦେଶ ଉଠିପାରିବ ନାହିଁ  । ସ୍ଵାଧୀନତା ଉପରେ ନାରୀ, ପୁରୁଷ ଉଭୟଙ୍କର ଅଧିକାର । ତେଣୁ ଉଭୟେ ସ୍ଵାଧୀନତା ପାଇଁ ଲଢିବା ଆବଶ୍ୟକ ।ଭାରତୀୟ ନାରୀର ଦୁଇଟା ବନ୍ଧନ । ଗୋଟିଏ ବନ୍ଧନରେ ଭାରତୀୟ ସମାଜ ସେମାନଙ୍କୁ ବାନ୍ଧିଛି । ଦ୍ଵିତୀୟରେ ଇଂରେଜମାନେ ସେମାନଙ୍କୁ ବାନ୍ଧିଛନ୍ତି । ତେଣୁ ସ୍ଵାଧୀନତା ପାଇଁ ସେମାନଙ୍କୁ ଅଧିକ ଲଢିବାକୁ ପଡିବ । ଯେମିତି ଲଡିଥିଲେ ସେଇ ମହାନ ନାରୀ ଝାନ୍ସିର ରାଣୀ ଲକ୍ଷ୍ମୀବାଈ ।

ଲକ୍ଷ୍ମୀ ସାହଗଲ ସୁଭାଷଙ୍କ ପ୍ରସ୍ତାବକୁ ମାନିନେଲେ । ତେବେ କେଇଜଣ ନାରୀ ରେଜିମେଣ୍ଟରେ ମିଶିବା ପାଇଁ ଆଗଭର ହେବେ ସେ ବିଷୟରେ ତାଙ୍କର ସନ୍ଦେହ ଥିଲା । ସୁଭାଷ ତାଙ୍କୁ ବୁଝାଇଦେଲେ ଯେ ଭାରତରେ ଚାଷୀ ମୁଲିଆ ଶ୍ରେଣୀର ସ୍ତ୍ରୀ ଲୋକେ କଠିନ ପରିଶ୍ରମ କରନ୍ତି । ଶ୍ରମିକ, ଖଟିଖିଆ ନାରୀମାନେ ଭାରତବର୍ଷର ମେରୁଦଣ୍ଡ । ଦୁଃଖ କଷ୍ଟ ସହିବା ଶକ୍ତି ସେମାନଙ୍କର ଅସୀମ । ଦେଶ ମାତୃକାକୁ ବନ୍ଧନ ମୁକ୍ତ କରିବା ପାଇଁ ସେମାନଙ୍କୁ ଡାକରା ଦେଲେ ସେମାନେ ଅବଶ୍ୟ ଶୁଣିବେ । ମଧ୍ୟବିତ୍ତ ପରିବାରର ସ୍ତ୍ରୀ ଲୋକେ କୁଣ୍ଠିତ ହୋଇପାରନ୍ତି । ଲକ୍ଷ୍ମୀ କହନ୍ତି , ନେତାଜୀ ଅନୁମାନ ବିଲକୁଲ ଠିକ ଥିଲା । ରବର ଚାଷରେ ନିଯୁକ୍ତ ଥିବା ମାଲେସିଆର ଭାରତୀୟ ଶ୍ରମିକ ସ୍ତ୍ରୀ ଓ ଭଉଣୀମାନେ ଆଗ୍ରହରେ ଝାନ୍ସି ରାଣୀ ରେଜିମେଣ୍ଟରେ ଯୋଗ ଦେଲେ । ମଧ୍ୟବିତ୍ତ ପରିବାରର ସ୍ତ୍ରୀ ଲୋକେ ପ୍ରଥମକୁ କୁଣ୍ଠିତ ଥିଲେ । ମାତ୍ର ନେତାଜୀଙ୍କ ଆହ୍ଵାନ ସେମାନଙ୍କର ପ୍ରତିରୋଧ ଭାଙ୍ଗିଦେଲା । ସୁଭାଷଙ୍କ ବ୍ୟକ୍ତିତ୍ବ ଓ କଥାରେ ଏପରି ଏକ ଯାଦୁ ଶକ୍ତି ଥିଲା ଯେ ଲୋକେ ତାଙ୍କ କଥା ମାନି ନେଉଥିଲେ ।

ପରେ ଝାନ୍ସି ରାଣୀଙ୍କର ରେଜିମେଣ୍ଟ କେତେକ ସୈନିକ ଇଂରେଜଙ୍କ ଦ୍ଵାରା ବନ୍ଦୀ ହୋଇଥିଲେ । ସେମାନଙ୍କୁ ଜେରା କରୁଥିବା ବ୍ରିଟିଶ ଗୋଇନ୍ଦା ବିଭାଗର ଅଫିସର ସେମାନଙ୍କ ସ୍ପଷ୍ଟ ଓ ନିର୍ଭୀକ ଉତ୍ତର ସୂନୀ ସ୍ତମ୍ଭୀଭୂତ ହୋଇଥିଲେ। ଏହି ଅଫିସରଙ୍କର ହୃଦବୋଧ ହୋଇଗଲା । ଯେ ଆଜାଦ ହିନ୍ଦ ଫୌଜର ଜାପାନ ସରକାରଙ୍କର ଏକ ସଖୀ କଣ୍ଢେଇ ନଥିଲା । ସେମାନେ ଅନୁଭବ କାଲେ ଯେ ଫୌଜ ଥିଲା ନେତାଜୀଙ୍କ ଦ୍ଵାରା ଅନୁପ୍ରାଣିତ ଓ ଭାରତର ମୁକ୍ତି ସ୍ଵପ୍ନ ଦେଖୁଥିବା ଏକ ଶୃଙ୍ଖଳିତ ସେନାବାହିନୀ  ।

ବାସ୍ତବିକ ! ଫୌଜ ନେତାଜୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ବଢିଥିଲା । ଗୋଟିଏ ସେନାବାହିନୀ କୁ ଉଦବୁଦ୍ଧ କରିବାର ବିରଳ ଜନ୍ମଗତ ପ୍ରତିଭା ତାଙ୍କର ଥିଲା । ୧୯୪୩ ଅଗଷ୍ଟ ୨୫ର ଆନୁଷ୍ଠାନିକ ଭାବେ ଆଜାଦ ହିନ୍ଦ ଫୌଜର ମୁଖ୍ୟ ନିର୍ଦ୍ଦେଶକ ହେବା ଉପଲକ୍ଷେ ଯେ କହିଥିଲେ , “.......... ମୁଁ ମୋର ୩୮ କୋଟି ଦେଶବାସୀଙ୍କ ସେବକ ଭାବେ ନିଜକୁ ବିବେଚନା କରୁଛି । ଏହି ଭୂମିକା ପୂରଣପାଇଁ ଆମକୁ ଏକ ସେନାବାହିନୀ ରୂପେ ସଂଗଠିତ ହେବାକୁ ପଡିବ । ସ୍ଵାଧୀନତା ଏହାର ଧ୍ରୁବଲକ୍ଷ୍ୟ । ଛାଡି ଦେବା ସମୟରେ ଆଜାଦ ହିନ୍ଦ ଫୌଜର ଇସ୍ପାତ କାନ୍ଥ ପରି ଅଟଳ ରହିବା ଏବଂ ମାର୍ଚିଙ୍ଗ କଲା ବେଳେ ଷ୍ଟିମ ରୋଲର ପରି ମାଡିଯିବ । ........ ଆମର ଜନ୍ମଗତ ଅଧିକାର ସ୍ଵାଧୀନତା ଠାରୁ ପୃଥିବୀର କୌଣସି ଶକ୍ତି ଆମକୁ ଆଉ ଅଧିକ କାଳ ବଞ୍ଚିତ କରିପାରିବ ନାହିଁ ।

“ ସାଥିଗଣ !ଆମ କାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀ ବଡଲାଟ କୋଠାରେ ଭାରତର ଜାତୀୟ ପତାକା ନ ଉଡାଇବା ପର୍ଯ୍ୟନ୍ତ ଆମ ସଂଗ୍ରାମ ଶେଷ ହେବ ନାହିଁ  । ରାଜଧାନୀ ଲାଲକିଲ୍ଲାଠାରେ ଆଜାଦ ହିନ୍ଦ ଫୌଜର ବିଜୟ ସୂଚକ ମାର୍ଛ ନ ହେବା ଯାଏ ଆମର ବିଶ୍ରାମ ନାହିଁ । “ ଦିଲ୍ଲୀ ଚଲୋ “ ଆୱାଜ ଦେଇ ଆଗେଇ ଚାଲ ‘

ଆଜାଦ ହିନ୍ଦ ଫୌଜ ଭାରତର ସୀମାନ୍ତ ଭିତରକୁ ପଶିବ । ଏ ଦିଗରେ ଜାପାନ ସାମରିକ ବାହୀନ ସାହାଯ୍ୟ କରିବେ , ଏଇଥିଲା ଯୋଜନା । ନେତାଜୀ ଜାଣିଥିଲେ ଯେ ଫୌଜ ଥରେ ଭାରତ ସୀମା ଭିତରେ ପଶିଲେ ଭାରତର ଜନସାଧାରଣ ଓ ବ୍ରିଟିଶ ବାହିନୀରେ ଥିବା ଭତାତୀୟ ସୈନ୍ୟ ତାଙ୍କୁ ସାହାଯ୍ୟ କରିବେ । ସେତିକି ବେଳେ ଗାନ୍ଧିଜୀ ‘ ଭାରତ ଛାଡ “ ଡାକରା ଦେଇଥାନ୍ତି । ତାହା ଜାଣି ନେତାଜୀ ଆନନ୍ଦିତ ହୋଇଗଲେ ।

ଆଜାଦ ହିନ୍ଦ ସରକାର

ପ୍ରତ୍ୟେକ ସରକାରର ସୈନ୍ୟବାହିନୀ ଥାଏ । ତେବେ ଆଜାଦ ହିନ୍ଦ ଫୌଜଟି କେଉଁ ସରକାରର ? ଏ ପ୍ରଶ୍ନର ଉତ୍ତର ସ୍ୱରୂପ ନେତାଜୀ ଅସ୍ଥାୟୀ ଆଜାଦ ହିନ୍ଦ  ସରକାର ଗଠନ କଲେ । ସେ ନିଜେ ଏହାର ମୁଖ୍ୟ ଭାବେ ରହିଲେ ।

୧୯୪୩ ଅକ୍ଟୋବର ୨୧ ତାରିଖ ଦିନ ସିଙ୍ଗାପୁର ଠାରେ ପୂର୍ବ ଏସିଆରେ ସକ୍ରିୟ ସବୁ ଭାରତୀୟ ନେତା ଏକାଠି ହୋଇଥାନ୍ତି ।  ଏହି ଗୁରୁତ୍ଵପୂର୍ଣ୍ଣ ସଭାରେ ନେତାଜୀ ଅସ୍ଥାୟୀ ଆଜାଦ ହିନ୍ଦ  ସରକାର ଗଠନ ବିଷୟ ଘୋଷଣା କରି ଏକ ଲିଖିତ ଭାଷଣ ପାଠ କରିଥିଲେ । ତାହା ଏହିପରି –

“ ୧୭୫୭ରେ ବଙ୍ଗଳାରେ ଇଂରେଜଙ୍କ ଦ୍ଵାରା ପ୍ରଥମ ପରାଜୟର ସ୍ଵାଦ ଚାଖିବା ପରେ ଶହେ ବର୍ଷ ଧରି ଭାରତୀୟମାନେ ଇଂରେଜଙ୍କ ବିରୁଦ୍ଧରେ ଅନେକ କଠୋର ସଂଗ୍ରାମ କରିଛନ୍ତି । ଏହି ଶହେବର୍ଷର ବୀରତ୍ଵପୂର୍ଣ୍ଣ ସଂଗ୍ରାମ ଓ ଆତ୍ମୋତ୍ସର୍ଗର ଇତିହାସ ପୃଥିବୀରେ ବିରଳ । ଏହି ଇତିହାସ ପୃଷ୍ଠାରେ ବଙ୍ଗଳାର ସିରାଜଦ୍ଦୌଲା, ମୋହନ ଲାଲ , ଦକ୍ଷିଣ ଭାରତର ହାଇଦର ଅଲ୍ଲୀ, ଟିପୁ ସୁଲତାନ , ମହାରାଷ୍ଟ୍ରର ଅପା ସାହେବ ଭୋନସଲେ , ପେଶୱା ବାଜିରାଓ , ପଞ୍ଜାବର ସର୍ଦ୍ଦାର ଅତାରୀୱାଲା ଏବଂ ରାଣୀ ଲକ୍ଷ୍ମୀବାଈ , ତନ୍ତିଆ ଟୋପେ ଇତ୍ୟାଦିଙ୍କ ନାମ ଚିରକାଳ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ । ଇଂରେଜମାନେ ଯେ ସମଗ୍ର ଭାରତବର୍ଷ ପ୍ରତି ଘୋର ବିପଦ କାରଣ ଏକଥା ଦୁର୍ଭାଗ୍ୟବଶତଃ ଆମ ପୂର୍ବପୁରୁଷମାନେ ପ୍ରଥମରୁ ବୁଝି ପାରିନଥିଲେ । ତେଣୁ ସେମାନେ ଏକାଠି ମିଶି ଶତ୍ରୁର ମୁକାବିଲା କଲେନାହିଁ  । ଶେଷରେ ଯେତେବେଳେ ଭାରତୀୟ ଲୋକେ ବାସ୍ତବତା ବୁଝିପାରିଲେ , ସେମାନେ ୧୮୫୭ରେ ବାହାଦୂର ଶାହାଙ୍କ ପତାକା ତଳେ ଏକାଠି ହୋଇ ଲଢିଲେ ।ଏହାହିଁ ଥିଲା ସ୍ଵାଧୀନ ଭାରତୀୟଙ୍କର ଶେଷ ସଂଗ୍ରାମ । “

“୧୮୫୭ପରେ ଇଂରେଜମାନେ ଭାରତୀୟଙ୍କୁ ବଳପୂର୍ବକ ନିରସ୍ତ୍ର କରିଦେଲେ । ନିର୍ଦ୍ଦୟ ଆଚରଣ ଦ୍ଵାରା ସେମାନଙ୍କୁ ଭୟବିତ କରି ରଖାଗଲା  । ସେମାନେ ଇଂରେଜଙ୍କୁ ଯୋଡହସ୍ତ ହୋଇ ରହିଲେ । ମାତ୍ର ତାହା ଅଳ୍ପ କାଳ ପାଇଁ । ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସ ଜନ୍ମଲାଭ କରନ୍ତେ ଦେଶବାସୀଙ୍କ ମନରେ ନୂଆ ଜାଗରଣ ଦେଖାଗଲା । ୧୮୮୫ରୁ ପ୍ରଥମ ମହାଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଭାରତୀୟମାନେ ସେମାନଙ୍କ ହୃତ ସ୍ଵାଧୀନତା ଫେରିପାଇବା ପାଇଁ ପ୍ରଚାର , ଆନ୍ଦୋଳନ , ବିଦେଶୀବସ୍ତ୍ର ଜିନିଷ ବର୍ଜନ ଠାରୁ ଆରମ୍ଭ କରି ଭଙ୍ଗାରୁଜା , ଆତଙ୍କବାଦ ଓ ଶେଷରେ ଶସସ୍ତ୍ର ବିପ୍ଲବର ଆଶ୍ରୟ ନେଇଛନ୍ତି । କିନ୍ତୁ ସେମାନଙ୍କ ବିଫଳତାର ସ୍ମ୍ଯତି ସେମାନଙ୍କୁ ଚେଙ୍କି ଦେଉଥାଏ । ଭାରତୀୟମାନେ ଗୋଟିଏ ନୂତନ ବାଟ ଖୋଜୁଥାନ୍ତି ।  ଏହି ସମୟରେ ମହାତ୍ମା ଗାନ୍ଧି ସେମାନଙ୍କ ସମ୍ମୁଖରେ ଆସହଯୋଗ ଓ ଆଇନ ଅମାନ୍ୟ ଦ୍ଵାର ଖୋଲିଦେଲେ । “

“ ଏହାଦ୍ଵାରା ଭାରତବାସୀ ଯେ କେବଳ ସେମାନଙ୍କର ରାଜନୈତିକ ଶକ୍ତିରେ ପରିଣତ ହୋଇଛନ୍ତି । ବର୍ତ୍ତମାନ ସେମାନଙ୍କର ଗୋଟିଏ ସ୍ଵର ସୁଭୁଛି ଓ ଏକ ମନରେ ସେମାନେ ଗୋଟିଏ ଲକ୍ଷ୍ୟ ଉପରେ ଦୃଷ୍ଟି ରଖିଛନ୍ତି । ୧୯୩୭-୧୯୩୯ ଯାଏ ରାଜ୍ୟ ମାନଙ୍କରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଶାସନ କରୁଥିଲା ।ଶାସନ ପରିଚାଳନାରେ ଭାରତୀୟମାନଙ୍କର ଯୋଗ୍ୟତା ସେମାନେ ଏତଦ୍ଵାର ଦେଖାଇ ଦେଇଛନ୍ତି । ବର୍ତ୍ତମାନ ଦ୍ଵିତୀୟ ମହାଯୁଦ୍ଧ ଆରମ୍ଭରୁ ମୁକ୍ତିଲାଭ ପାଇଁ ଭାରତର ଶେଷ ସଂଗ୍ରାମ ବେଳା ଉପଗତ ।“

“  ଭାରତବାସୀଙ୍କ ଉପରେ ନିର୍ମମ ଅତ୍ୟାଚାର କରି ସେମାନଙ୍କ ଉପରେ ପ୍ରତାରଣାର ଜାଲ ବିଛେଇ , ଇଂରେଜମାନେ ସେମାନଙ୍କ ହୃଦୟରେ ନୈରାଶ୍ୟ ଭରି ଦେଇଛନ୍ତି । ଯେଉଁ ସରକାର ଲୋକଙ୍କୁ ଲୁଣ୍ଠନ କରେ ଓ ଅନାହାରରେ ମାରିବାକୁ ଛାଡିଦିଏ ତାର ଶାସନ କରିବାର ଅଧିକାର ନାହିଁ । ଇଂରେଜମାନେ ଭାରତୀୟଙ୍କୁ ଶୁଭେଚ୍ଛା ସମ୍ପୁର୍ଣ୍ଣଭାବେ ହରାଇଛନ୍ତି । ଏହି ଅତ୍ୟାଚାରୀଙ୍କ ଶାସନ ଧ୍ଵଂସ କରିବା ପାଇଁ ଶେଷ ଅଗ୍ନିସଂଯୋଗ ଦରକାର ପଡୁଛି । ଭାରତର ମୁକ୍ତିବାହିନୀ ଏଇ ଶେଷ ଅଗ୍ନିସଂଯୋଗ କରିବ । “

“ ଭାରତ ପାଇଁ ସ୍ଵାଧୀନତା ସୂର୍ଯ୍ୟଦୟ ସମୟ ଉପଗତ । ସେମାନଙ୍କର ନିଜର ଏକ ଅସ୍ଥାୟୀ ସରକାର ଗଠନ କରିବା ଭାରତବାସୀଙ୍କ କର୍ତ୍ତବ୍ୟ । ସେଇ ସରକାରର ପତାକା ତଳେ ଏକଜୁଟ ହୋଇ ଭାରତ ତାର ଶେଷ ସଂଗ୍ରାମ ଲଢିବ । କିନ୍ତୁ ଭାରତବର୍ଷରେ ଅସ୍ଥାୟୀ ସରକାର ଗଢିବା ସମ୍ଭବ ନୁହେଁ । ପୁଣି ପୂର୍ବ ଏସିଆରେ ଭାରତୀୟ ସ୍ଵାଧୀନତା ସଂଘ ଦେଶରେ ଥିବା ସବୁ ଦେଶପ୍ରେମୀଙ୍କ ସହଯୋଗରେ ଏକାମ କରିବ । ଅସ୍ଥାୟୀ ଆଜାଦ ହିନ୍ଦ ସରକାର ଗଢିବା ଓ ତାର ଫୌଜ ସାହାଯ୍ୟରେ ସ୍ଵାଧୀନତାରେ ପାଇଁ ଶେଷ ସଂଗ୍ରାମ କରିବା ସଂଘ ର କାମ । “

“ ଅସ୍ଥାୟୀ ସରକାର ସମସ୍ତ ଭାରତୀୟଙ୍କ ସମର୍ଥନ ଦାବୀ କରେ । ସବୁ ନାଗରିକଙ୍କୁ ସମାନ ଅଧିକାର ଓ ସମାନ ସୁଯୋଗ ଦେବାକୁ ତଥା ନାଗରିକଙ୍କ ଧାର୍ମିକ ସ୍ଵାଧୀନତା ବଜାୟ ରଖିବାକୁ ଏ ସରକାର ପ୍ରତିଶ୍ତୃତିବଦ୍ଧ । “

ସୁଭାଷଙ୍କ ଏହି ଭାଷଣ ପୂର୍ବ ଏସିଆରେ ଥିବା ସବୁ ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା । ହଜାର ହଜାର ଭାରତୀୟ ନେତାଙ୍କୁ ଅକୁଣ୍ଠିତ ଚିତ୍ତରେ ଧନ ଦାନ କଲେ । ସ୍ତ୍ରୀ ଲୋକେ ପିନ୍ଧିଥିବା ଶୁଣାଗହଣା ଆନନ୍ଦ ମନରେ ଦେଇଦେଲେ । ଅସ୍ଥାୟୀ  ତେବେ ଆଜାଦ ହିନ୍ଦ ସରକାର ଜାପାନ , ଜର୍ମାନ, ଇଟାଲୀ, କ୍ରୋଆଟିଆ , ଥାଇଲାଣ୍ଡ, ଓ ବର୍ମାରେ ସ୍ବୀକୃତି ପାଇଲା ।

ଅସ୍ଥାୟୀ ସରକାର ରାଜ୍ୟଲାଭ

୧୯୪୩  ନଭେମ୍ବର ୫ରେ ଟୋକିଓ ଠାରେ ଜାପାନର ପ୍ରଧାନମନ୍ତ୍ରୀ । ଜେନେରାଲ ଟୋଜୋ ପୂର୍ବ ଏସିଆ ଦେଶମାନଙ୍କର ଏକ ବୈଠକ ଡକାଇଥାନ୍ତି । ଏଥିରେ ଶ୍ୟାମଦେଶର ଯୁବରାଜ , ବର୍ମାର ପ୍ରଧାନମନ୍ତ୍ରୀ , ଓ ଜାତୀୟତାବାଡି ଚୀନର ମୁଖ୍ୟ ଯୋଗ ଦେଇଥିଲେ । ଏକ ଅସ୍ଥାୟୀ ସରକାର ମୁଖ୍ୟ ଭାବେ ନେତାଜୀ ଏହି ବୈଠକକୁ ନିମନ୍ତ୍ରିତ ହୋଇଥିଲେ । ସମସ୍ତେ ତାଙ୍କୁ ପୂର୍ବ ଏସିଆର ନେତା ଭାବେ ଆନ୍ତରିକ ସ୍ବୀକୃତୀ ଜଣାଇ ସମ୍ମାନ କରିଥିଲେ । ସେତେବେଳେ ଆଣ୍ଡାମାନ ଓ ନିକୋବର ଦ୍ଵୀପ ଦୁଇଟିକୁ ଜାପାନ ସରକାର ଅଧିକାର କରିନେଇଥାଏ । ସୁଭାଷ ଜାପାନର ପ୍ରଧାନମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେଲେ ଯେ ଜାପାନ ସରକରା ଏହି ଦୁଇଟି ଦ୍ଵୀପକୁ ଅସ୍ଥାୟୀ ସ୍ଵାଧୀନ ଭାରତ ସରକାରଙ୍କୁ ସମର୍ପଣ କରନ୍ତୁ । ଏହି ଦୁଇ ଦ୍ଵୀପ ଅଧିକାର କରିବା ପରେ ଅସ୍ଥାୟୀ ଭାରତ ସରକରା ଭାରତବର୍ଷକୁ ଅଧିକାର କରିବା ପାଇଁ ଉତ୍ସାହ ପାଇବ  ।

ପ୍ରସ୍ତାବଟିକୁ ଆଗ୍ରହରେ ମାନିନେଲେ ପ୍ରଧାନମନ୍ତ୍ରୀ ଜେନେରାଲ ଟୋଜୋ ସେଇ ବୈଠକରେ କହିଥିଲେ , “ ମୁଁ ଘୋଷଣା କରିବାକୁ ଚାହେଁ ଯେ ଆଣ୍ଡାମାନ, ନିକୋବର ଦ୍ଵୀପ ଦୁଇଟିକୁ ଜାପାନ ସରକରା ଅସ୍ଥାୟୀ ସ୍ଵାଧୀନ ଭାରତ ସରକାରଙ୍କୁ ନିକଟରେ ହସ୍ତାନ୍ତର କରିଦେବ । “

ବୈଠକ ସାରିବା ପରଦିନ ଟୋକିଓ ଠାରେ ଗୋଟିଏ ସଭାରେ ନେତାଜୀ କହିଥିଲେ , “ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିବା ପ୍ରଥମ ଭୂଖଣ୍ଡ ଆଣ୍ଡାମାନ, ନିକୋବରକୁ ନିଜର ଭାବେ ଫେରି ପାଇବା ଭାରତୀୟ ପକ୍ଷରେ ଏକ ପ୍ରତୀକ । ଏ ଦୁଇଟି ଦ୍ଵୀପକୁ ଅଧିକାର କରି ଅସ୍ଥାୟୀ ଭାରତୀୟ ସରକାର କେବଳ ନିଆଁକୁ ନୁହେଁ , ବାସ୍ତବରେ ଗୋଟିଏ ଜାତୀୟ ସରକାର ହୋଇଛି । ଆଣ୍ଡାମନରେ ଭାରତର ରାଜନୈତିକ ବନ୍ଦୀମାନେ ଦୀର୍ଘକାଳ ରହିଆସୁଛି । ତେଣୁ ପ୍ରଥମେ ଏଇ ଦ୍ଵୀପ ମୁକ୍ତ ହେବାର ଏକ ସାଙ୍କେତିକ ତତ୍ପର୍ଜ୍ୟ ରହିଛି । ………. ଯେପରି ଫରାସୀ ବିପ୍ଲବ ବେଳେ ପ୍ୟାରିସର ବାଷ୍ଟିଲ ପ୍ରଥମେ ମୁକ୍ତ ହୋଇଥିଲା ଓ ସେଠାକାର ବନ୍ଦିମାନେ ସ୍ଵାଧୀନ ହେଲେ , ସେହିପରି ଆମର ସ୍ଵାଧୀନତା ସଂଗ୍ରାମରେ ଆଣ୍ଡାମନ ପ୍ରଥମେ ମୁକ୍ତ ହୋଇଛି । ଏଇଠି ଆମର ଦେଶପ୍ରେମୀମାନେ ବନ୍ଦୀ ହୋଇ କଷ୍ଟ ଭୋଗିଛନ୍ତି । ଆଣ୍ଡାମାନ ପରେ ଭାରତବର୍ଷ ଗୋଟିଏ ଗୋଟିଏ ଅଂଶ ବିଦେଶୀ କବଳରୁ ମୁକ୍ତ ହେବେ । ଆମ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ସ୍ୱରୂପ ଆଣ୍ଡାମାନର ନୂଆ ନାମ ରଖିଛୁ – ଶହୀଦ ଏବଂ ନିକୋବରର ନୂଆ ନାମ – ସ୍ଵରାଜ ।

ଫୌଜର ଭାରତ ପ୍ରବେଶ

ଭାରତ ସୀମାନ୍ତରେ ଅବସ୍ଥିତ ଇମ୍ଫାଲ (ବର୍ତ୍ତମାନ ମଣିପୁରର ରାଜଧାନୀ ) ଉପରେ ଆକ୍ରମଣ କରିବାର ଯୋଜନା ଜାପାନ ସେନାବାହିନୀ କରୁଛନ୍ତି ବୋଲି ୧୯୪୩ ଅଗଷ୍ଟ ୨୬ରେ ଜାପାନ ସାମରିକ ମୁଖ୍ୟ ନେତାଜୀଙ୍କୁ ଖବର ଦେଲେ । ଏହାର ସୁଯୋଗ ନେବାକୁ ନେତାଜୀ ଆଜାଦ ହିନ୍ଦ ଫୌଜ କୁ ସଂଗଠିତ କରାଇଲେ । ସେ ଜାଣିଥିଲେ ଯେ ଇମ୍ଫାଲରେ ଆଜାଦ ହିନ୍ଦ ଫୌଜର ପ୍ରବେଶ ଭାରତୀୟଙ୍କ ମନରେ ଉନ୍ମାଦନା ସୃଷ୍ଟି କରିବ । ସେପ୍ଟେମ୍ବର ମାସରେ ବଛା ବଛା ଅଫିସର ଓ ସୈନିକମାନେ ଅସ୍ତ୍ର ଶସ୍ତ୍ର ସହିତ ବର୍ମା ସୀମା ଇମ୍ଫାଲ ଆଡକୁ ଅଗ୍ରସର ହେବାକୁ ପ୍ରସ୍ତୁତ ହେଲେ ।

ଡିସେମ୍ବର ମାସରେ ନେତାଜୀ ଜାକର୍ତ୍ତା, ବୋର୍ଣ୍ଣଓ ଓ ସୁମିତ୍ରା ଗସ୍ତ କରି ସେଠାକାର ଭାରତୀୟମାନଙ୍କୁ ସଂଗ୍ରାମ ପାଇଁ ସଂଗଠିତ କରାଇଲେ ।

ଜାପାନ ସରକାର ସହିତ ଚୁଡାନ୍ତ ମନ୍ତ୍ରଣା କରି ୧୯୪୪ ଫେବୃୟାରି ୩ ତାରିଖ ଦିନ ଇମ୍ଫାଲ ଆକ୍ରମଣ କରିବାକୁ ଯାତ୍ରାରମ୍ଭ କରୁଥିବା ଫୌଜର ଏକ ବାହିନୀକୁ ଭାଷଣଦେଇ ନେତାଜୀ କରିଥିଲେ “ରକ୍ତ ରକ୍ତକୁ ଡାକୁଛି । ଉଠ,ଆଉ ଆମର ସମୟ ନାହିଁ । ସାମ୍ନାରେ ଯେଉଁ ରାସ୍ତା ଦେଖୁଛ ତାକୁ ତୁମର ପୂର୍ବ ପୁରୁଷ ନିର୍ମାଣ କରିଥିଲେ । ଅସ୍ତ୍ର ଉଠାଅ ଓ ସେଇ ପଥରେ ଆଗେଇ ଚାଲ । “

ଆମେ ଶତ୍ରୁସେନାଙ୍କ ଭୀତରେ ପଶି ସେମାନଙ୍କୁ ଧ୍ଵଂସ କରିବା କିମ୍ବା ଯଦି ଇଶ୍ଵର ଚାହୁଁ ଥାନ୍ତି , ଶହୀଦର ମୃତ୍ୟୁ ଲଭିବା । ଅନ୍ତିମ ନିଦ୍ରାରେ ଶୋଇଯିବା ପୂର୍ବରୁ ସେଇ ପଥ ଚୁମ୍ବନ କରିବା , ଯେଉଁ ପଥ ଦିଲ୍ଲୀଯାଏ ଲମ୍ବିଛି । ଦିଲ୍ଲୀକୁ ପଥ ସ୍ଵାଧିନତାର ପଥ । ଦିଲ୍ଲୀ ଚଲୋ ।

ସିଙ୍ଗାପୁରରୁ ଇମ୍ଫାଲ ୧୧୦୦ମାଇଲ । ଅରଣ୍ୟପଥରେ ଏତେବାଟ ସୈନ୍ୟମାନେ ପାଦରେ ଚାଲିଥିଲେ । ସୈନ୍ୟଙ୍କୁ ବାରଣ କରିବା ପରେ ନେତାଜୀ ଅନେକ ସମୟରେ ସେମାନଙ୍କ ସହିତ ବୁଲୁଥିଲେ ।

ନେତାଜୀଙ୍କ ଦେଶପ୍ରେମ , ନିଷ୍ଠା ଓ ବିଚକ୍ଷଣ ସାଂଗଠନିକ ଦକ୍ଷତା ଦ୍ଵାରା ପ୍ରଭାବିତ ହୋଇ ଜାପାନ ସରକାର ତାଙ୍କୁ ଜାପାନର ସର୍ବୋଚ୍ଚ ବେସାମରିକ ପଦବୀରେ ଭୂଷିତ କରିବା ପାଇଁ ଇଚ୍ଛାପ୍ରକାଶ କଲେ । ନେତାଜୀ ନମ୍ରତାର ସହ ଦର୍ଶାଇଲେ ଯେ ଏ ସମ୍ମାନ ସ୍ଵାଧୀନ ଭାରତର ରାଷ୍ଟ୍ରମୁଖ୍ୟଙ୍କୁ ଶୋଭା ପାଆନ୍ତା ଭାରତୀୟ ସେବକ ରୂପେ ସେ କେବଳ ଏକ ଅସ୍ଥାୟୀ ସରକାରର ନେତୃତ୍ଵ ଗ୍ରହଣ କରିଛନ୍ତି । ତେଣୁ ଏ ଉପାଧି ଗ୍ରହଣ କରିବା ତାଙ୍କ ସପକ୍ଷରେ ଉଚିତ ହେବ ନାହିଁ ।

ଇମ୍ଫାଲ ଅଧିକାର ଲକ୍ଷ୍ୟ ନେଇ ଅଗ୍ରସର ହେଉଥିବା ଆଜାଡ ହିନ୍ଦ ଫୌଜ ୧୯ ମାର୍ଚ୍ଚ ୧୯୪୪ରେ ଭାରତ ସୀମାନ୍ତ ଅତିକ୍ରମ କରିଗଲେ । ଦେଶ ମାଟିରେ ପାଦ ଦେବା ମାତ୍ରେ ଫୌଜ ଶରୀରରେ ଅପୂର୍ବ ଶିହରଣ ଖେଳିଗଲା । ସେମାନେ ଆବେଗରେ ତଳେ ଶୋଇଯାଇ ମାତୃଭୂମିକୁ ଚୁମ୍ବନ କଲେ । ଭାରତର ଜାତୀୟ ପତାକା ସେଠାରେ ଉଡାଗଲା । ପାଲେଳ ଠାରେ ଅବସ୍ଥିତ ବ୍ରିଟିଶ  ବାହିନୀ ସହିତ ଫୌଜର ଗରିଲା ବାହିନୀଙ୍କର ବୀରତ୍ଵପୂର୍ଣ୍ଣ ସଂଗ୍ରାମ ହୋଇଥିଲା । ବ୍ରିଟିଶ ବାହିନୀ ତୁଳନାରେ ଫୌଜ ବାହିନୀର ସୈନ୍ୟ ସଂଖ୍ୟା କମ, ଫୌଜ ହାତରେ ଖାଦ୍ୟ ସାମଗ୍ରୀ , ଉତ୍ତମ ଅସ୍ତ୍ରଶସ୍ତ୍ର ର ଅଭାବ । ତଥାପି ନେତାଜୀ ଙ୍କର ସହଯୋଗୀ ଆବିଦ ହାସାନ ବୀରତ୍ଵପୂର୍ଣ୍ଣ ଭାବେ ଦକ୍ଷତାର ସହିତ ଫୌଜ ସୈନ୍ୟଙ୍କ ପରିଚାଳନା କରିଥିଲେ ।

ମଣିପୁରର ମଏରାଙ୍ଗ ସହର ଫୌଜ କବଳକୁ ଆସିଗଲା । ଅନେକ ସ୍ଥାନୀୟ ଦେଶପ୍ରେମୀ ଫୌଜକୁ ସହାୟ ହେଲେ । ମଏରାଙ୍ଗ ଇମ୍ଫାଲ ଠାରୁ ୨୭ ମାଇଲ ଦୂର । ସେଇଠି ୧୯୪୪ ଏପ୍ରିଲ ୧୪ ତାରିଖ ଦିନ ଆଇ.ଏନ.ଏର କର୍ଣ୍ଣେଲ ମଲ୍ଲିକ ଭାରତ ମାଟିରେ ପ୍ରଥମ କରି ତ୍ରିରଙ୍ଗା ପତାକା ଉଡାଇଥିଲେ । ଅଢେଇମାସ ପାଇଁ ଆଜାଦ ହିନ୍ଦ ସରକାର ଦ୍ଵାରା ଅଧିକୃତ ଅଞ୍ଚଳ ହେଡକ୍ଵାଟର ମଏରାଙ୍ଗ ରହିଲା । ନେତାଜୀଙ୍କ ଦ୍ଵାରା ସ୍ଥାପିତ ଅସ୍ଥାୟୀ ଆଜାଦ ହିନ୍ଦ ସରକାରର ରୌପ୍ୟ ଜୟନ୍ତୀ ୧୯୬୮ ଅକ୍ଟୋବର ୨୧ ତାରିଖ ଦିନ ଭାରତ ସରକାର ଉତ୍ସାହର ସହିତ ମଏରାଙ୍ଗ ଠାରେ ପାଳନ କରଥିଲେ । ଏହାପରେ ଇମ୍ଫାଲର ପାଳି ପଡିଲା । ଜାପାନ ଇମ୍ଫାଲ ସହରକୁ ସବୁ ରାସ୍ତା ଘାଟ ବନ୍ଦ କରି ଦେଇଥାଏ । ସେମାନଙ୍କର ଏ କୌଶଳ କିନ୍ତୁ କାମ ଦେଲା ନାହିଁ । ଇଂରେଜ ଓ ଆଜାଦ ହିନ୍ଦ ଫୌଜର ଦୁର୍ଭାଗ୍ୟ ଯେ ଇମ୍ଫାଲ ଅଞ୍ଚଳରେ ମେ ମାସରେ ଲଗାଣ ବର୍ଷା ହେଲା  ।

ଜଙ୍ଗଲିଆ ରାସ୍ତା ଇମ୍ଫାଲ ପଣି କାଦୁଅରେ ପୂର୍ଣ୍ଣ ହୋଇଗଲା । ପ୍ରକୃତି ପ୍ରତିକୂଳ ହେବାର ଜାପାନୀ ଓ ଫୌଜ ସୈନ୍ୟମାନେ ବାଧ୍ୟ ହୋଇ ପଛଘୁଞ୍ଚା ଦେଲେ । ଓ ଜାପାନ ପାଇଁ ଏହା ଥିଲା ଏକ ବଡ ଶକ୍ତ ଧକା । ଜୁଲାଇ ୧୮ ତାରିଖରେ ଜାପାନୀ ସୈନ୍ୟଙ୍କୁ ପଳାଇ ଆସିବାର ନିର୍ଦ୍ଦେଶ ଦିଆଗଲା ।

ନେତାଜୀ କିନ୍ତୁ ଦମ୍ଭ ଓ ଆତ୍ମବିଶ୍ଵାସ ହରାଇ ନଥାନ୍ତି । ଇମ୍ଫାଲ ଅଞ୍ଚଳରେ ଲଢେଇ କରି ଫେରିଥିବା ଫୌଜ ଏକତ୍ରିତ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ଯେଉଁ ମାନେ ଯୁଦ୍ଧ କ୍ଷେତ୍ରରେ ବୀରତ୍ଵ ପ୍ରଦର୍ଶନ କରିଥିଲେ ଗୋଟିଏ ସ୍ଵତନ୍ତ୍ର ଉତ୍ସବରେ ନେତାଜୀ ସେମାନଙ୍କୁ ପଦକ ପ୍ରଦାନ କଲେ । ଏହି ଅବସରରେ ସେ କହିଥିଲେ ଯେ ପ୍ରକୃତି ପ୍ରତିକୁଲାଳ ହେବାରୁ ଫୌଜ ବାଧ୍ୟ ହୋଇ ପଛଘୁଞ୍ଚା ଦେଇଛି । ମାତ୍ର ସେମାନଙ୍କୁ ପରବର୍ତ୍ତୀ ସଂଗ୍ରାମ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।

ବର୍ମାରେ ଆଜାଦ ହିନ୍ଦ ଫୌଜର ଅବିଶ୍ରାନ୍ତ ସଂଗ୍ରାମ ଇଂରେଜ ସରକାର ମୁଣ୍ଡ ବ୍ୟଥାର କାରଣ ହେଲା । ଇଂରେଜ ସରକାରଙ୍କ ଭାରତୀୟ ସୈନିକ ଙ୍କ ଉପରେ ଏହାର କୁ ପ୍ରଭାବ କାହାକୁ ଅଜଣା ନଥିଲା । ଯଦି ଭାରତୀୟ ସୈନିକ ଭିତରୁ କେତେକ ବାହାରେ ଯାଇ ଇଂରେଜ ସରକାର ବିରୁଦ୍ଧରେ ଲଢିଲେ । ତେବେ ଭାରତୀୟ ସୈନିକଙ୍କୁ ଆଉ କି ବିଶ୍ଵାସ । ଫୌଜ କୁ ଉଚିତ ଶିକ୍ଷା ଦେବାକୁ ସ୍ଥିର କରି ୧୯୪୫ ଏପ୍ରିଲରେ ବ୍ରିଟିଶ ସେନା ବାହିନୀ ରେଙ୍ଗୁନ ଆଡକୁ ମାଡିଚାଲିଲେ  । ଇଂରେଜ ବାହିନୀ ଜୋରଦାର ଆକ୍ରମଣ କରିବାକୁ ଆସୁଛି ବୋଲି ଖବର ମିଳିଗଲା   ।  ଜାପାନ ଜେନେରାଲ ନିର୍ଦ୍ଦେଶ ଦେଲେ ଯେ ରେଙ୍ଗୁନ କୁ ଖାଲି କରିବାକୁ ପଡିବ । ଉଡାଜାହାଜ ଯୋଗେ ରେଙ୍ଗୁନ ଛାଡିବାକୁ ନେତାଜୀଙ୍କୁ ଅନୁରୋଧ କରାଗଲା । ମାତ୍ର ସେ ରାଜି ହେଲେ ନାହିଁ । ଝାନ୍ସି ରାଣୀ ରେଜିମେଣ୍ଟର ସବୁ ସୈନିକ ପ୍ରଥମେ ରେଙ୍ଗୁନ ବାହାରକୁ ଗଲେ  । ଟ୍ରକ ମାନଙ୍କରେ ଆଜାଦ ହିନ୍ଦ ଫୌଜରେ ସବୁ ସୈନିକଙ୍କୁ ପଠାଇସାରି ନେତାଜୀ ରେଙ୍ଗୁନ ଛାଡିଲେ । ରେଙ୍ଗୁନ ଛାଡିବା ବେଳେ ସ୍ଥାନୀୟ ଭାରତୀୟ ଓ ଶୁଭକାମୀ ବର୍ମା ବାସୀଙ୍କୁ କହିଥିଲେ, “ ବର୍ମାରେ ଥିବା ମୋର ଦେଶବାସୀ ଆପଣ ମାନେ ମାତୃଭୂମି ପ୍ରତି ଯେଉଁ କର୍ତ୍ତବ୍ୟ ପ୍ରଦର୍ଶନ କରିଛନ୍ତି ତା’ର ପ୍ରଶଂସା ସାରା ପୃଥିବୀ କରିବ । ବିଶେଷ କରି ମୁଁ ମୋର ପ୍ରଧାନ କର୍ମ ପୀଠ ରୂପେ ବର୍ମାକୁ ବାଛିନେବା ପରେ ଆପଣ ମାନେ ଯେଉଁ ନିସ୍ଵାର୍ଥପର ତ୍ୟାଗର ଦୃଷ୍ଟାନ୍ତ ଦେଖାଇଛନ୍ତି ସେ କଥା ମୁଁ ବଞ୍ଚିଥିବା ଯାଏଁ କଦାପି ଭୁଲି ପାରିବି ନାହିଁ । ବର୍ମା ଛାଡିବାକୁ ମୋର ଆଦୌ ଇଚ୍ଛା ନାହିଁ, କିନ୍ତୁ ମୋତେ ସଂଗ୍ରାମ ଚାଲୁ ରଖିବାକୁ ହେବ  ।....  ମୁଁ ଜଣେ ଜାତଆଶାବାଦୀ ।  ଭାରତ ଖୁବ ଶୀଘ୍ର ମୁକ୍ତ ହେବ –ଏଥିରେ ମୋର ଅଟଳ ବିଶ୍ଵାସ । ଅନୁରୋଧ କରୁଛି ଆପଣ ମାନେ ମଧ୍ୟ ଏଇ ଆଶା ପୋଷଣ କରନ୍ତୁ” ।

“  ମୁଁ ସବୁବେଳେ କହିଛି, ଭୋର ପୂର୍ବରୁ ସମୟ ସବୁଠାରୁ ଅନ୍ଧକାରର ସମୟ । ଆମେ ବର୍ତ୍ତମାନ ଘୋର ଅନ୍ଧକାର ଭିତରେ ଗତି କରୁଛୁ । ତେଣୁ ପର୍ଚ୍ଚା ହେବାକୁ ଡେରିନାହିଁ  । ଭାରତର ସ୍ଵାଧୀନତା ନିଶ୍ଚିତ ।“

ନେତାଜୀ ଙ୍କର ସୁରକ୍ଷା ପ୍ରତି ତିକ୍ଷ୍ନ ଦୃଷ୍ଟି ରଖୀ ଛଅ ଶହ ସୈନ୍ୟ ତାଙ୍କ ସହିତ ରହିଲେ । ବ୍ରିଟିଶ ବାହିନୀ ପେବୁକୁ ଅଧିକାର କରିନେବା ପୂର୍ବରୁ ନେତାଜୀ ସୈନ୍ୟଙ୍କ ଗହଣରେ ପେଗୁ ଅତିକ୍ରମ କରିଗଲେ । ତାଙ୍କ ଉପରେ ଆକାଶରୁ ବୋମା ମାଡ ହେଉଥାଏ  । ସୈନ୍ୟମାନେ ତାଙ୍କୁ ଉଡାଜାହାଜ ଯୋଗେ ଚାଲିଯିବାକୁ ଅନୁରୋଧ କଲେ । ମାତ୍ର ସେ ରାଜି ହେଲେନି । ବଣ ଜଙ୍ଗଲ ଭିତରେ ଚାଲି ଓ ଭରା ନଦୀ ସବୁ ପହଁରି ପହଁରି ପାରିହୋଇ ସେମାନେ ମୋଉଳମେନରେ ପହଞ୍ଚିଲେ । ସେଠାରେ ଆଉ ହଜାରେ ଫୌଜ ସୈନ୍ୟ ନେତାଜୀଙ୍କ ସହିତ ଯୋଗ ଦେଲେ  । ମୋଉଳମେନରୁ ଟ୍ରେନ ଯୋଗେ ସମସ୍ତେ ବ୍ୟାଙ୍କକ ଚାଲିଲେ । ବ୍ୟାଙ୍କକ ରେ ନେତାଜୀ ଝାନ୍ସି ରେଜିମେଣ୍ଟ ର ସୈନିକଙ୍କୁ ମାଳୟ ଓ ସିଙ୍ଗାପୁରରେ ଥିବା ନିଜ ନିଜ ଘରକୁ ପଠାଇ ଦେଲେ । ସେ ନିଜେ ୧୯୪୫ ଜୁନରେ ଫୌଜ ପାଇଁ ନିରାପଦ ମାଳୟ ଓ ସିଙ୍ଗାପରୁ ଚାଲିଲେ ।

ଜାତିର ଜନକ

୧୯୪୫ ଜୁନ, ଜୁଲାଇରେ ମାଳୟ ଓ ସିଙ୍ଗାପୁରରୁ ବେତାର ଯୋଗେ ଭାରତବାସୀଙ୍କ ନିକଟରେ ଅନେକଥର ତାଙ୍କର ବକ୍ତବ୍ୟ ପ୍ରଚାର କରିଛନ୍ତି । ବିଶେଷତଃ ଗାନ୍ଧୀ ଓ କଂଗ୍ରେସ ନେତାଙ୍କୁ ବଡଲାଟ ୱାଭେଲଙ୍କ କୌଶଳପୂର୍ଣ୍ଣ ପରାମର୍ଶରେ ଫସି ନଯାଇ ଇଂରେଜ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ ଚାଲୁ ରଖିବାକୁ ଅନୁରୋଧ କରୁଥିଲେ ।

ସୁଭାଷ ଭାରତବର୍ଷରେ ଥିବା ପର୍ଯ୍ୟନ୍ତ ଗାନ୍ଧୀଙ୍କ ସହିତ ତାଙ୍କର ମତଭେଦ ଜଣାଶୁଣା । ମାତ୍ର ବିଦେଶକୁ ଯିବା ପରେ ଗାନ୍ଧୀଜୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ଭକ୍ତି ଅନେକ ବଢିଯାଇଥିବା ପରି ମନେହୁଏ । ୧୯୪୧ ଆରମ୍ଭରେ ସୁଭାଷ ଭାରତ ଛାଡିଲେ । ୧୯୪୨ ଅଗଷ୍ଟରେ ଗାନ୍ଧୀଜୀ “ ଭାରତ ଛାଡ “  ଡାକରା ଦେଲେ ।  ଗାନ୍ଧୀଜୀଙ୍କର ଏ ପଦକ୍ଷେପ ସୁଭାଷଙ୍କୁ ସନ୍ତୁଷ୍ଟ କରିଥିଲା । ଏହା ପରଠାରୁ ଗାନ୍ଧୀଜୀ ଙ୍କ ପ୍ରତି ତାଙ୍କର ଅଧିକ ଶ୍ରଦ୍ଧା , ଭକ୍ତି, ଆସିବା ସ୍ଵାଭାବିକ ।

ପୂର୍ବରୁ ରେଙ୍ଗୁନ ରେଡିଓରୁ ମହାତ୍ମାଙ୍କୁ ‘ ଜାତିର ଜନକ ‘ ବୋଲି ନେତାଜୀ ଏକାଧିକ ବାର ସମ୍ବୋଧନ କରିଥିଲେ  । ଜେଲ ଭିତରେ ଥିବା କାଳରେ କସ୍ତୁରବାଙ୍କ ମୃତ୍ୟୁ ହୋଇଥାଏ । । ଏହି ଉପଲକ୍ଷେ ୧୯୪୪ରେ ନେତାଜୀ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଯେଉଁ ବେତାର ପ୍ରଚାର କରିଥିଲେ ତାହା ମର୍ମସ୍ପର୍ଶୀ । ଗାନ୍ଧୀଜୀଙ୍କୁ ସମ୍ବୋଧନ କରି ସେ କହିଥିଲେ, “ ବ୍ରିଟିଶ ହାଜତରେ ଶ୍ରୀମତୀ କସ୍ତୁରବା’ଙ୍କ ଦେହତ୍ୟାଗ ପରେ ଦେଶବାସୀ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଆତଙ୍କିତ ହେବା ସ୍ଵାଭାବିକ । ......... ଭାରତ ବାହାରେ ଥିବା ଭାରତବାସୀ ମନେକରନ୍ତି, ଦେଶରେ ବର୍ତ୍ତମାନ ଯେଉଁ ଜଣ ଜାଗରଣ ଦେଖା ଦେଇଛି ଆପଣ ହିଁ ତାହାର ସ୍ରଷ୍ଟା । ୧୯୪୨ ଅଗଷ୍ଟରେ ଆପଣ ‘ଭାରତ ଛାଡ ‘ଡାକରା ଦେବାର ଯେଉଁ ସାହାସିକ ସଂକଳ୍ପ ନେଲେ ତା ‘ଫଳରେ ଦେଶପ୍ରେମୀଙ୍କର ଆପଣଙ୍କ ପ୍ରତି ଶ୍ରଦ୍ଧା ଶହେଗୁଣ ବଢିଯାଇଛି । “

“ଆମେ ଯେଉଁ ଅସ୍ଥାୟୀ ସରକାର ଏଠି ପ୍ରତିଷ୍ଠା କରିଛୁ, ସେ ବିଷୟରେ ମୋର କିଛି କହିବାର ଅଛି । ସଶସ୍ତ୍ର ସଂଗ୍ରାମୀ ମାଧ୍ୟମରେ ବ୍ରିଟିଶ ଜୁଆଳୀରୁ ଭାରତ ମୁକ୍ତ କରିବା ଅସ୍ଥାୟୀ ସରକାରର ଏକମାତ୍ର ଲକ୍ଷ୍ୟ । ଥରେ ଆମର ଶତ୍ରୁ ଦେଶରୁ ବହିଷ୍କୃତ ହେଲେ ଓ ଦେଶରେ ଶାନ୍ତି ଶୃଙ୍ଖଳା ବିରାଜିଲେ ଅସ୍ଥାୟୀ ସରକାରର ଲକ୍ଷ୍ୟ ପୂରଣ ହୋଇଯିବ । ଆମର ତ୍ୟାଗ ଓ ଦୁଃଖକଷ୍ଟ ବରଣର ଯେଉଁ ଏକମାତ୍ର ପୁରଷ୍କାର ପାଇଁ ଆମେ ଆଶାୟୀ , ତାହା ହେଉଛି ମାତୃଭୂମିର ସ୍ଵାଧୀନତା । “

“ ଯଦି ଦେଶରେ ଥିବା ଆମରା ଭାଇମାନେ ସେମାନଙ୍କ ଉଦ୍ୟମ ବଳରେ ଦେଶରୁ ମୁକ୍ତ କରିବାର ସମର୍ଥ ହୁଅନ୍ତି ତେବେ ଆମେମାନେହିଁ ସବୁଠାରୁ ଅଧିକ ସୁଖୀ ହେବୁ । କିମ୍ବା ଆପଣଙ୍କର ‘ଭାରତ ଛାଡ ‘ ଡାକରାକୁ ବ୍ରିଟିଶ ସରକାର ମାନିନେଲେ ଆମ ଆନନ୍ଦର ସୀମା ରହିବା ନାହିଁ  । ମାତ୍ର ଏ ଦୁଇଟି ଯାକ ସମ୍ଭବ ନୁହେଁ ଓ ସଶସ୍ତ୍ର ସଂଗ୍ରାମ ଅପରିହାର୍ଯ୍ୟ ବୋଲି ବିଶ୍ଵାସ କରୁଥିବାର ଆମେମାନେ ଆଗେଇ ଚାଲିଛୁ । ଭାରତବର୍ଷର ସ୍ଵାଧୀନତାର ଶେଷଯୁଦ୍ଧ ଆରମ୍ଭ ହୋଇଯାଇଛି ।ଆଜାଦ୍ ହିନ୍ଦ ଫୌଜର ସୈନିକମାନେ ବର୍ତ୍ତମାନ ଭାରତ ମାଟିରେ ସାହସର ସହିତ ଲଢୁଛନ୍ତି । ....... ଶେଷ ଇଂରେଜକୁ ଫିଙ୍ଗିଦେଇ ଆମର ଜାତୀୟ ତ୍ରିରଙ୍ଗା ପତାକା ଦିଲ୍ଲୀର ବଡଲାଟ ଭବରେ ନ ଉଡାଇବା ପର୍ଯ୍ୟନ୍ତ ତାହା ଚାଲୁ ରହିବ  । “

ହେ ଜାତିର ଜନକ !  ଭାରତବର୍ଷର ଏଇ ପବିତ୍ର ମୁକ୍ତ ଯୁଦ୍ଧ ପାଇଁ ଆମେମାନେ ଆପଣଙ୍କର ଆଶ୍ରିବାର୍ଡ ଓ ଶୁଭକାମନା ଭିକ୍ଷା କରୁଛୁ ।“

ସୁଭାଷ ଅବାଟରେ ଯାଉଛନ୍ତି ବୋଲି ଗାନ୍ଧିଜୀ କହୁଥିଲେ ମାତ୍ର ତାଙ୍କର ଦେଶପ୍ରେମ ଓ ନିଷ୍ଠାକୁ କଦାପି ସନ୍ଦେହ କରିନାହାନ୍ତି । ଶେଷଆଡକୁ ସୁଭାଷଙ୍କ ପ୍ରତି ତାଙ୍କର ସେହ୍ନ ବଢିଥିଲା ପରି ମନେ ହୁଏ । ବିମାନ ଦୁର୍ଘଟଣାରେ ସୁଭାଷଙ୍କ ମୃତ୍ୟୁ ଖବର ତାଙ୍କୁ ଖୁବ ବ୍ୟଥିତ କରିଥିଲା । ସୁଭାଷ ଏ ଭଳି ମରି ନ ପାରନ୍ତି ବୋଲି କୋଟି କୋଟି ସାଧାରଣ ଭାରତୀୟ ପରି ଗାନ୍ଧିଜୀ ମଧ୍ୟ ବିଶ୍ଵାସ କରୁଥିଲେ । ସୁଭାଷଙ୍କୁ ମୃତ ବୋଲି କହିବା ତାଙ୍କ ମତରେ ଏକ ଷଡଯନ୍ତ୍ର । ତାଙ୍କର ଶୁଦ୍ଧକ୍ରିୟା ନ କରିବାକୁ ସେ ନେତାଜୀଙ୍କ କୁଟୁମ୍ବକୁ ପରାମର୍ଶ ଦେଇଥିଲେ ।

ନେତାଜୀ ମୃତ ବୋଲି ପ୍ରଚାରିତ ହେବା ପରେ ୧୯୪୬ ଫ୍ରେବୃଆରି ତିନି ତାରିଖରେ ଗାନ୍ଧିଜୀ ତାଙ୍କର ‘ହରିଜନ’ ପତ୍ରିକା ଲେଖିଥିଲେ,”ଆଜାଦ ହିନ୍ଦ ଫୌଜର ମୋହିନୀ ଶକ୍ତି ଆମ ସମସ୍ତ ଆଚ୍ଛନ୍ନ କରିଛି । ନେତାଜୀଙ୍କ ନାମ ଶ୍ରବଣରେ ଆମେମାନେ ସମ୍ମୋହିତ । ଦେଶପ୍ରେମୀ ଭାବେ ସେ ଅଦ୍ଵିତୀୟ । ସବୁ କାର୍ଯ୍ୟ ଭିତରେ ତାଙ୍କର ସାହସ ଫୁଟି ଦେଶସେ “  ।

ନେତାଜୀଙ୍କ ସାଥି ସାହଗଲ ଓ ଶହନୱାଜ ଗାନ୍ଧିଜୀ ଙ୍କୁ ୧୯୪୬ରେ ବୁଝାଇଥିଲେ ଯେ ନେତାଜୀ ମୃତ । ଗାନ୍ଧିଜୀ ସେ ଦୁହେଁଙ୍କୁ କହିଥିଲେ, ତୁମେ ମାନେ ମତେ ଯାହା କୁହନା କାହିଁକି ମୋର ଅନ୍ତରର ଅନ୍ତରତମ ପ୍ରଦେଶରୁ ମୁଁ ବିଶ୍ଵାସ କରେ, ନେତାଜୀ ଏବେ ବି ଜୀବିତ । “

ଗାନ୍ଧିଜୀ ଙ୍କର ଏକ ଉକ୍ତିଟି ପରିଷ୍କାର କରିଦିଏ ଯେ ନେତାଜୀ ତାଙ୍କ ଅନ୍ତରର ଗଭୀରତମ ପ୍ରଦେଶରେ ସ୍ଥାନ ପାଇଥିଲେ ।

ନେତାଜୀଙ୍କର ମୃତ୍ୟୁ ବେଳକୁ ତାଙ୍କ ପାଖରେ ହବିବୁର ରହେମାନଙ୍କ ଠାରୁ ଶୁଣିବା ପରେ ବାପୁ ଏକଥା ବିଶ୍ଵାସ କଲେ  ।

ଜାପାନର ପରାଜୟ

ଜାପାନ ସେନାବାହିନୀ ଓ ଆଜାଦ ହିନ୍ଦ ଫୌଜ ଇମ୍ଫାଲରୁ ହଟି ଆସିବା ପରେ ଠାରେ ଏକ ରାତ୍ରିଭୋଜିରେ ନେତାଜୀ ଓ ଜାପାନ ନୌସେନାର କମାଣ୍ଡର ଏକତ୍ରିତ ହୋଇଥିଲେ । ଏହି ଜାପାନ କମାଣ୍ଡର ନେତାଜୀ ଙ୍କୁ ସୂଚନା ଦେଇଥିଲେ ଯେ ଯୁଦ୍ଧର ଗତିବିଧି ଜାପାନ ପାଇଁ ଅନୁକୂଳ ନୁହେଁ । ଭାରତର ସ୍ଵାଧୀନତା ପାଇଁ ସୁଭାଷ ଋଷିଆର ସାହାଯ୍ୟ ନେବା ଉଚିତ । ଋଷିଆ ସହିତ ସେ କଥାବାର୍ତ୍ତା କରିବାକୁ ନେତାଜୀ ଚାହାନ୍ତି ବୋଲି ନେତାଜୀ ଟୋକିଓରେ ଜାପାନର ପ୍ରଧାନମନ୍ତ୍ରୀ ଜଣାଇଲେ । ତାଙ୍କୁ ଏ ଦିଗରେ ନିରୂତ୍ସାହିତ କଲା ।

୧୯୪୫ ଅଗଷ୍ଟ ଆରମ୍ଭରେ ଜାପାନ ଆତ୍ମସମର୍ପଣ କରିବା ବୋଲି ଶୁଣାଗଲା । ନେତାଜୀ ପୁଣି ଥରେ ଋଷିଆ ଯିବାକୁ ଚାହିଁଲେ । ମାତ୍ର ଜାପାନ ସରକାର ଜାପାନ ସରକାର ରାଜି ହେଲେନି । ନିଜ ସରକାରଙ୍କ ନୀତି ପ୍ରତି ଭୁଖେପ ନ କରି ଫିଲଡ ମାର୍ଶାଲ କାଉଣ୍ଟ ଟେରାଉଛି ନେଆଜିଙ୍କୁ ସାହାଯ୍ୟ କରିବାକୁ ସ୍ଥିର କଲେ  । ୧୯୪୫ ଅଗଷ୍ଟ ୬ ତାରିଖ ଦିନ ଆମେରିକା ପ୍ରଥମ କରି ଗୋଟିଏ ପରମାଣୁ ବୋମା ହିରୋସମା ଉପରେ ପକାଇଲେ । ହିରୋସିମା ସଂପୂର୍ଣ୍ଣ ଭାବରେ ଧ୍ଵଂସ ହେଲା । ସଙ୍ଗେସଙ୍ଗେ ଲକ୍ଷେ ଜାପାନୀ ମଲେ । କିଛି ମାସ ପରେ ଅଧାପୋଡା ଲକ୍ଷେ । ତିନିଦିନ ପରେ ନାଗାସାକୀ ଉପରେ ଦ୍ଵିତୀୟ ବୋମା ପଡିଲା । ସମଗ୍ର ପୃଥିବୀ ସ୍ତବ୍ଧ ହୋଇଗଲେ । ୭୫୦୦୦ ପୁଣି ପାଉଁଶ ହୋଇଗଲେ । ସରକାରୀ ଭାବେ ଅଗଷ୍ଟ ୧୫ ତାରିଖ ଦିନ ଜାପାନ ଆତ୍ମସମର୍ପଣ  ଘୋଷିତ ହେବା ପରେ ନେତାଜୀଙ୍କ ମନ୍ତ୍ରୀ ମଣ୍ଡଳ ଜରୁରୀ ବୈଠକ ବସିଲା । ସର୍ବସମ୍ମତି କ୍ରମେ ସ୍ଥିର ହେଲା ଯେ , ସିଙ୍ଗାପୁରରେ ରହିବା ନେତାଜୀଙ୍କ ପକ୍ଷରେ ବିପଦ ଜନକ ହୋଇଥିବାରୁ ସେ ତୁରନ୍ତ ସିଙ୍ଗାପରୁ ଛାଡିବେ । ଏପରି ଜରୁରୀ ପରିସ୍ଥିତିରେ କ’ଣ କରିବାକୁ ହେବ ସେ ବିଷୟରେ ରାତିସାରା ନେତାଜୀ ସହକର୍ମୀ ମାନଙ୍କ ସହିତ ପରାମର୍ଶ କଲେ । ସିଙ୍ଗାପରୁ ଛାଡିବା ଆଇ.ଏନ.ଏ. ସୈନିକ ମାନଙ୍କୁ ଉଦବୋଧନ ଦେଇ କହିଥିଲେ –ଆମର ଏଇ ଅଦ୍ଭୁତ ପୂର୍ବ ଘଡିସନ୍ଧି ମୂହୁର୍ତ୍ତରେ ତମମାନଙ୍କୁ ମୋର କେବଳ ପଦେ କହିବାକୁ ଅଛି । ଏଇ ସାମୟିକ ବିଫଳତାରେ ଭାଙ୍ଗିପଡ ନାହିଁ .............. ଭାରତବର୍ଷ ଭାଗ୍ୟ ବିଷୟରେ କାହା ମନରେ ଲେଶମାତ୍ର ଶଂସୟ ନ ରହୁ । ପୃଥିବୀର କୌଣସି ଶକ୍ତି ଭାରତକୁ ଆଉ ପରାଧୀନ ରଖିପାରିବ ନାହିଁ । ଦେଶ ଅଚିରେ ସ୍ଵାଧୀନତା ଲାଭ କରିବ । ଜୟହିନ୍ଦ !୧୯୪୫ ଅଗଷ୍ଟ ୧୫ ତାରିଖ ଦିନ ନେତାଜୀ ଏକ ଉଦବୋଧନ ଦେଇଥିଲେ । ଠିକ ଦୁଇବର୍ଷ ପରେ ଅଗଷ୍ଟ ୧୫ ଦିନ ଭାରତ ସ୍ଵାଧୀନତା ପାଇଲା ।

ତିନି ଜଣ ଘନିଷ୍ଟ ସହଯୋଗୀ କର୍ଣ୍ଣେଲ ହବିବୁର ରହେମନ , କର୍ଣ୍ଣେଲ ପ୍ରୀତମ ସିଂହ ଓ, କର୍ଣ୍ଣେଲ ଆୟାର ଙ୍କ ସହିତ ଦିନ ଦଶଟା ବେଳେ ଗୋଟିଏ ବୋମା ନିକ୍ଷେପକାରୀ ବିମାନରେ ନେତାଜୀ ସିଙ୍ଗାପରୁ ଛାଡିଲେ ଓ ପରିଓଳି ପହଞ୍ଚିଲେ ବ୍ୟାଙ୍କଗରେ । ନେତାଜୀଙ୍କ ଆଗମନ ବାର୍ତ୍ତା ବ୍ୟାଙ୍କଗରେ ଭାରତୀୟ ମଧ୍ୟରେ ବିଜୁଳି ବେଗରେ ଖେଳିଗଲା । ନେତାଜୀ କୁଆଡେ ଯାଉଛନ୍ତି ଓ ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ ଜାଣିବା ପାଇଁ ଭାରତୀୟଙ୍କର ପ୍ରବଳ ଭିଡ ହେଲା । ନେତାଜୀ ସ୍ଥାନୀୟ ସାମରିକ ଓ ବେସାମରିକ ଅଫିସରଙ୍କ ସହିତ ଆଲୋଚନା କଲେ  । ସାଧାରଣ ଲୋକଙ୍କୁ ଭେଟିଲେ । ପାହାନ୍ତା ପର୍ଯ୍ୟନ୍ତ ବ୍ୟସ୍ତ ରହି ଟିକିଏ ବିଶ୍ଵାମ ନେଇ ସକାଳୁ ସାଇଗନ ଅଭିମୁଖେ ବାହାରିଲେ ।

ସାଇଗନ ଦକ୍ଷିଣ ଭିଏତନାମର ଏକ ବିଶିଷ୍ଟ ବନ୍ଦରନଗର  । ଏହା ବର୍ତ୍ତମାନ ହୋଚି ମିନ ସହର ନାମରେ ପରିଚିତ । ଅଗଷ୍ଟ ୧୭ ତାରିଖ ସକାଳୁ କର୍ଣ୍ଣେଲ ହବିବୁର, ରହେମନ, କର୍ଣ୍ଣେଲ ଗୁଲଜାରା ସିଂହ, କର୍ଣ୍ଣେଲ ପ୍ରୀତମ ସିଂହ, ମେଜର ଆବିଦ ହାସନ ରେଙ୍ଗୁନ ଲିଗର ଜେନେରାଲ ସେକ୍ରେଟାରୀ ଦେବନାଥ ଦାସ ଏବଂ ଆଉ କେତେଜଣଙ୍କୁ ସାଙ୍ଗରେ ଧରି ଦୁଇଟି ବିମାନରେ ନେତାଜୀ ସାଇଗନ ବାହାରିଲେ । ଜର୍ମାନ ରୁ ଜାପାନ ପର୍ଯ୍ୟନ୍ତ ବୁଡାଜାହାଜରେ ଜେତାଜୀଙ୍କର ନବେଦିନ କାଳ ଦୁଃସାହାଶିକ ଯାତ୍ରାର ଏକମାତ୍ର ଭାରତୀୟ ସାଥି ଥିଲେ ମେଜର ଆବିଦ ହାସନ ।

ଯୁଦ୍ଧରେ ପରାସ୍ତ ହୋଇଥିବାରୁ ଜାପାନ ସୁଭାଷଙ୍କୁ ସାହାଯ୍ୟ କରିବାକୁ ଅକ୍ଷମହେଲା  । ସୁଭାଷଙ୍କର ଋଷିଆ ସହିତ ଯୋଗାଯୋଗ ଥାଏ । ସୁଭାଷଙ୍କୁ ଋଷିଆ ଅଧିକୃତ ମାଞ୍ଚୁରିଆରେ ପହଞ୍ଚାଇ ଦେବାର ପ୍ରତିଶ୍ରୁତି ଜାପାନ କର୍ତ୍ତୁପକ୍ଷ ଦେଇଥିନ୍ତି  ।

ସେହି ଉଦ୍ଦେଶ୍ୟରେ ସେ ସାଇଗଲରେ ପହଞ୍ଚିଲେ ବିମାନଘାଟିରେ ଗୋଟିଏ ବୋମା ନିକ୍ଷେପକାରୀ ବିମାନ ଉଡିବାକୁ ପ୍ରସ୍ତୁତ ଥାଏ । ତେବେ ସେଠାରେ ସୁଭାଷ ତାଙ୍କର ସହଯୋଗୀଙ୍କୁ ଯେପରି ବ୍ୟବହାର କରାଗଲା ତାହା ଅପ୍ରତ୍ୟାଶିତ । କେହି ପଦେ ଭଲକଥା କହିଲେ ନାହିଁ  । ସେମାନଙ୍କୁ ଶୋଷ ହେଉଥାଏ ,ଗ୍ଳାସ ପାଣି କେହି ଯାଚିଲେ ନାହିଁ । ଜାପାନୀ କର୍ତ୍ତୁପକ୍ଷ ରୋକଠୋକ ଶୁଣାଇଦେଲେ, ଗୋଟିଏ ସିଟ କେବଳ ନେତାଜୀଙ୍କ ପାଇଁ ଅଛି । ତାଙ୍କ ସାଙ୍ଗରେ ଆଉ କେହି ଯାଇପାରିବେ ନାହିଁ । ସହକର୍ମୀମନେ ସ୍ତବ୍ଧ ହେଲେ । ବିମାନ ଛାଡିବା ଉପରେ । କୌଣସି ଅନୁରୋଧ ଶୁଣାଗଲା  ନାହିଁ । କୁହାଗଲା ,ଯଦି ଚାହାନ୍ତି ସୁଭାଷ ଏକୁଟିଆ ଚାଲନ୍ତୁ  । ମୁହୁତ୍ତକ ମଧ୍ୟରେ ସୁଭାଷଙ୍କୁ ସିଦ୍ଧନ୍ତ ନେବାକୁ ହେଲା । ରହିଲେ ଅଳ୍ପଦିନ ମଧ୍ୟରେ ଇଂରେଜ ଆମେରିକା ସୈନ୍ୟ ତାଙ୍କୁ ଧରିବେ । ବନ୍ଦୀ ହେବା ପରେ ସେ କିଛି କରିପାରିବେ ନାହିଁ  । ସୁଭାଷ ଏକାକୀ ଯାତ୍ରା କରିବାକୁ ଆଗେଇଗଲେ । ଶେଷ ମୁହୁତ୍ତରେ  ଆଉ ଗୋଟିଏ ଅଧିକା ସିଟ ମିଳିଲା । ସେଠି ବସିଲେ ହବିବୁର ରହେମନ  ।

ଦୁଇ ଦିନ ପର୍ଯ୍ୟନ୍ତ ନେତାଜୀ ଙ୍କର କିଛି ଖବର ନ ପାଇ ସହକର୍ମୀ ମାନେ ବ୍ୟସ୍ତ ହୋଇପଡିଲେ । ଜଣେ ସହକର୍ମୀ ତାଙ୍କ ପାଖକୁ ଯାଇପାରିବେ ବୋଲି ଅଗଷ୍ଟ ୧୯ ତାରିଖ ଦିନ ଜାପାନ କର୍ତ୍ତୁପକ୍ଷ ଜଣାଇଲେ । ବାହାରିଲେ କର୍ଣ୍ଣେଲ ଆୟାର  । କର୍ଣ୍ଣେଲ ଆୟାର ବିମାନରେ ବସିବାର କିଛି ସମୟ ପରେ ତାଙ୍କର ଜାପାନୀ ବନ୍ଧୁ ସୂଚନା ଦେଲେ ଯେ ନେତାଜୀ ବଡ ଅସୁବିଧାରେ ପଡିଛନ୍ତି  । ବାଟରେ ବିମାନ ତେଲ ନେବାପାଇଁ ଓହ୍ଲାଇବା ପରେ କର୍ଣ୍ଣେଲ ଆୟାରଙ୍କୁ କୁହାଗଲା ଯେ ନେତାଜୀ ମୃତ । କର୍ଣ୍ଣେଲଙ୍କ ମୁଣ୍ଡରେ ଆକାଶ ଛିଣ୍ଡିପଡିଲା  । ସେ କହିଲେ ଯେ ନେତାଜୀଙ୍କ ମୃତ ଶରୀର ନ ଦେଖିବା ପର୍ଯ୍ୟନ୍ତ ପୂର୍ବ ଏସିଆର କୌଣସି ଭାରତୀୟ ଏକଥା ବିଶ୍ଵାସ କରିବା ନାହିଁ  । ଅଗଷ୍ଟ ୨୨ ତାରିଖ ଦିନ ଟୋକିଓରେ ଜାପାନର ବୈଦେଶିକ ବିଭାଗର ଅଫିସରମାନେ ଲୋତକପୂର୍ଣ୍ଣ ଚକ୍ଷୁରେ ବିମାନ ଦୁର୍ଘଟଣାରେ ନେତାଜୀ ମରିଛନ୍ତି ବୋଲି କର୍ଣ୍ଣେଲଙ୍କୁ ଜଣାଇ ଦେଲେ । ଅଗଷ୍ଟ ୨୩ ତାରିଖରେ ନେତାଜୀଙ୍କ ମୃତ୍ୟୁ ସମ୍ବାଦ ଟୋକିଓ ରେଡିଓ ଘୋଷଣା କଲା  ।  କର୍ଣ୍ଣେଲଙ୍କ କଥା ଠିକ ଥିଲା । ପୂର୍ବ ଏସିଆର ଭାରତୀୟ ଶ୍ରୋତା ଏକଥା ବିଶ୍ଵାସ କଲେ ନାହିଁ  ।

ମୃତ ନା ଜୀବିତ

ନେତାଜୀ ୧୯୪୫ ଅଗଷ୍ଟ ବିମାନ ଦୁର୍ଘଟଣାରେ କ’ଣ ସତରେ ପ୍ରାଣ ହରାଇଥିଲେ ? ନେତାଜୀଙ୍କ ପରି ଆଧୁନିକ କାଳରେ କୌଣସି ମହାନ ବ୍ୟକ୍ତିତ୍ଵ ସମ୍ପର୍କରେ ଏପରି ପ୍ରଶ୍ନକୁ ନେଇ ଘମାଘୋଟ ତର୍କ ହୋଇନାହିଁ – ଯେପରି ନେତାଜୀଙ୍କ କ୍ଷେତ୍ରରେ ହୋଇଛି । ନୂଆନୂଆ ତାଙ୍କର ଶତ୍ରୁ ମିତ୍ର ଉଭୟେ ଏ ଘଟନାକୁ ଅସ୍ଵୀକାର କଲେ । ନେତାଜୀଙ୍କ ଅନୁରକ୍ତମାନଙ୍କ ମନୋଭାବ- ପିଲାଦିନୁ ନିଆଁ ଖେଳିବା ଯାହା ଅଭ୍ୟାସ ସେ ପୁଣି ନିଆଁରେ ପଡିଗଲେ । ଦୁଃ ! ଶତ୍ରୁ ମାନେ ଭାବୁଥିବେ ଏଇଟା ଭୀଷଣ ଭାବେ ଚତୁର ସୁଭାଷଙ୍କର ଆଉ ଏକ ଚାଲ । ମିତ୍ର ମାନେ ଅବଶ୍ୟ ଶତ୍ରୁଙ୍କର କିପରି ସନ୍ଦେହକୁ ମୋଟାମୋଟି ମାନିନେଲେ ।

ଭାରତବର୍ଷରେ ମହାତ୍ମା ଗାନ୍ଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଟି ପର୍ଯ୍ୟନ୍ତ (କେଇ ଜଣ ରାଜନୈତିକ ପ୍ରତିଦ୍ଵନ୍ଦୀଙ୍କୁ ବାଦ ଦେଲେ )କେହି ସୁଭାଷଙ୍କ ମୃତ୍ୟୁକୁ ବିଶ୍ଵାସ କଲେ ନାହିଁ । ବ୍ରିଟିଶ, ଆମେରିକାନ ଗୁଇନ୍ଦା ସଂସ୍ଥା ଠାରୁ ସେମାନଙ୍କ ନେତା ପର୍ଯ୍ୟନ୍ତ କେହି ନେତାଜୀ ମୃତ୍ୟୁ ସମ୍ପର୍କରେ ନିଶ୍ଚିତ ନ ଥିଲେ ।

ଗୋଟିଏ ମତ ନେତାଜୀ ଋଷିଆ ଚାଲିଗଲେ । ଯିବା ପୂର୍ବରୁ ବିଶ୍ଵସ୍ତ ବନ୍ଧୁ ହବିବୁର ରହେମାନଙ୍କୁ ନେତାଜୀ ନିଆଁରେ ପୋଡିଗଲେ ମନଗଡା କାହାଣୀ ପ୍ରଚାର କରିବାକୁ କହିଗଲେ । ସୁଭାଷ ଥିଲେ ଆଇ.ଏନ.ଏ.କମାଣ୍ଡର । କମାଣ୍ଡରଙ୍କ ନିର୍ଦ୍ଦେଶକୁ ହବିବ ମାନିବା ସ୍ଵାଭାବିକ । ଯଦି ସୁଭାଷ ମରିଗଲେ ତେବେ ତାଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ଅଗଷ୍ଟ ୨୩ ତାରିଖଦିନ ଯାଇ ଜାପାନ ସରକାର ରେଡିଓ ମାଧ୍ୟମରେ ଏ ସମ୍ବାଦ ପ୍ରଚାର କଲେ କାହିଁକି । ପୁଣି ନେତାଜୀଙ୍କ ମୃତ ଶରୀରର କୌଣସି ଫଟୋ ଜାପାନ ସରକାର ବା କେହି ଉଠାଇ ନାହାନ୍ତି  ।

ସୁଭାଷଙ୍କ ବଡ ଭାଇ ଶରତ ବୋଷ କହନ୍ତି ଯେ ଅନ୍ତଦ୍ଧାନ ହେବାପରେ ସେ ଚୀନ ଦେଶକୁ ଚାଲିଗଲେ । ନେତାଜୀଙ୍କର ଘନିଷ୍ଟ ସହଯୋଗୀ ଓ ଆଇ.ଏନ.ଏ.ମେଜର ସହନୱାଲଙ୍କ ନେତୃତ୍ଵରେ ସୁଭାଷଙ୍କ ମୃତ୍ୟୁ ବିଷୟ ତଦନ୍ତ କରିବାକୁ ୧୯୫୬ ଏପ୍ରିଲରେ ଗୋଟିଏ ତଦନ୍ତ କମିଟି ଗଢାହୋଇଥିଲା  । ଏହି ତିନି ଜଣିଆ କମିଟିରେ ସୁଭାଷଙ୍କର ଆଉ ଜଣେ ବଡ ଭାଇ ସୁରେଶ ବୋଷ (ଶିଶିର ବୋଷଙ୍କ ବାପା) ସଭ୍ୟ ଥିଲେ । ବିମାନ ଦୁର୍ଘଟଣାରେ ସୁଭାଷଙ୍କ ମୃତ୍ୟୁ ଘଟିଛି ମର୍ମରେ କମିଟିର ନିଷ୍ପତି ପ୍ରତିବାଦ କରି ସୁରେଶ ବୋଷ ଇସ୍ତଫା ଦେଲେ । ସୁଭାଷଙ୍କ ମୃତ୍ୟୁ ବିଷୟରେ ଅନୁସନ୍ଧାନ କରିବାକୁ  ୧୯୭୦ରେ ଖୋସଲା କମିଶନ ବସିଲା । ଏହି କମିଶନ ଆଗରେ ସାକ୍ଷ୍ୟ ଦେଇ ଅନେକ କହିଥିଲେ ଯେ ୧୯୪୫ ଅଗଷ୍ଟ ୧୮ରେ ତାଇପେ ଠାରେ କୌଣସି ବିମାନ ଦୁର୍ଘଟନା ହୋଇନାହିଁ  । ଏଥିରୁ ଏ କମିଶନର ସିଦ୍ଧାନ୍ତ କେତେଦୂର ସମସ୍ତଙ୍କର ଗ୍ରହଣ ଯୋଗ୍ୟ ହୋଇଥିବା ତାହା ଅନୁମାନ କରାଯାଇପାରେ  ।

କେହି କେହି କହନ୍ତି ନେତାଜୀ ପଶ୍ଚିମବଙ୍ଗର ଗୋଟିଏ ଆଶ୍ରମରେ ସନ୍ୟାସୀ ଭାବେ ଆତ୍ମଗୋପନ କରିଛନ୍ତି (ବା ଥିଲେ ୧୯୭୫ ବେଳକୁ) । ଆଉ କାହାର ବିଶ୍ଵାସ ଯେ ନେତାଜୀଙ୍କୁ ଷ୍ଟାଲିନ ଗୁଳି କରି ମାରିଥିଲେ । କେତେକ ନେହରୁଙ୍କ ଶବ ପାଖରେ ସୁଭାଷଙ୍କୁ ସନ୍ୟାସୀ ବେଶରେ ଦେଖିଥିଲେ ବୋଲି ଦାବି କରନ୍ତି ।

ସୁଭାଷଙ୍କୁ ନେଇ ଯେତେ କଳ୍ପନା, ଯେତେ କାହାଣୀ ଓ ଯେତେ ଅନୁସନ୍ଧାନ ହୋଇଛି ତାଭିତରୁ ସତ୍ୟକୁ ଠାବ କରିବା ମୁସ୍କିଲ ବ୍ୟାପାର ।  ଏକବିଂଶ ଶତାବଦ୍ଦୀ ଆରମ୍ଭରେ ନମ୍ରତାର ସହିତ କୁହାଯାଇପାରେ ଯେ ଯଦିବା ସେ ଦିନର ବିମାନ ଦୁର୍ଘଟଣାରେ ନେତାଜୀ ପ୍ରାଣ ହରାଇଥିଲେ ଏ ପର୍ଯ୍ୟନ୍ତ ସେ ବଞ୍ଚିନଥିବା ସମ୍ଭବ ନୁହେଁ । ଅଯୋଦ୍ଧାରେ ବାସ କରୁଥିବା ଭଗବାନ ଜୀ ବାବା ନାମକ ସାଧୁ ଛଦ୍ମ ବେସୀ ନେତାଜୀ ବୋଲି ସନ୍ଦେହ କରାଯାଉଥିଲା । ୧୯୮୫ରୁ ଏହି ସାଧୁଙ୍କର ମୃତ୍ୟୁ ହେଲାଣି । ଭଗବାନଜୀ ବାବାଙ୍କର ଚେହେରା ନେତାଜୀଙ୍କ ଭଳି ଥିଲା । ଖ୍ରୀଷ୍ଟାବ୍ଦ ୨୦୦୩ ଶେଷ ଭାଗରେ ବାବା ଓ ନେତାଜୀଙ୍କର ହସ୍ତାକ୍ଷର ପରୀକ୍ଷା କରି ଦୁହେଁ ଙ୍କ ହସ୍ତାକ୍ଷର ଜଣେ ବ୍ୟକ୍ତିର ବୋଲି ସିଦ୍ଦାନ୍ତ କରାଯାଇଛି । ଫଳରେ ଭଗବାନଜୀ ବାବା ନେତାଜୀ ଥିଲେ ବୋଲି ଅନୁମାନ ହେବା ସ୍ଵାଭାବିକ । ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉଦଘାଟନ ଉଦ୍ଦେଶ୍ୟରେ ନବଗଠିତ କମିଟିର ରିପୋର୍ଟ ନିକଟରେ ପ୍ରକାଶ ପାଇବ ବୋଲି ଆସା କରାଯାଉଛି ।

ଏ କଥା ସ୍ଵାଭାବିକ ଯେ ଭାରତର ଆବେଗ ମନ୍ଥୀତ ହୃଦୟ ତାର ଏହି ବିପ୍ଳବୀ ବୀର ପୁତ୍ରଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ  । ଯେତେକାଳ ଭାରତମାତା ଦୁର୍ଦଶାଗ୍ରସ୍ତ ଥିବେ (ଅନନ୍ତ କାଳ ପାଇଁ ତାଙ୍କୁ ଏହି ଅବସ୍ଥାରେ ରଖିବାକୁ ଆମ ରାଜନିଜ୍ଞମାନେ ବଦ୍ଧପରିକର )ଏବଂ ଯେପର୍ଯ୍ୟନ୍ତ ଭାରତମାତାଙ୍କ ଦୁର୍ଦଶା ଦେଖି ଜଣେ ଭାରତୀୟ ଉତ୍ତ୍ୟକ୍ତ ହେଉଥିବେ , ତାହା ଦୂର କରିବାକୁ ବ୍ୟାକୁଳ ହେଉଥିବେ, ସେ ପର୍ଯ୍ୟନ୍ତ ସୁଭାଷ ଭାରତୀୟଙ୍କ ହୃଦୟରେ ବଞ୍ଚିରହିବେ ।

ସୁଭାଷଙ୍କ ବିମାନ

ସୁଭାଷଙ୍କ ବିମାନ ସାଇଗନ ଛାଡି ଟାଇୱାନ ରାଜଧାନୀ ଟାଇପା ଠାରେ ଅବତରଣ କରିଥିଲା । ବିମାନ ପୁଣି ଉଡାଣ ଆରମ୍ଭ କରିବା ବେଳେ ଆକସ୍ମିକ ଭାବେ ତଳକୁ ଖସିପଡିଲା । ସୁଭାଷ ଗୁରୁତର ଭାବେ ଜଖମ ହେଲେ । ଏହା ଅଗଷ୍ଟ ୧୮ତାରିଖର ଘଟନା । ତାଙ୍କୁ ଡାକ୍ତରଖାନା ନିଆଗଲା । ପାଖରେ ହବିବୁର ରହେମନ ଥାଆନ୍ତି  । ସେଇଦିନ ପ୍ରାଣତ୍ୟାଗ ପୂର୍ବରୁ ସୁଭାଷ ହବିବୁକୁ କହିଥିଲେ – ହବିବ !ମତେ ଲାଗୁଛି, ମୋର ଶୀଘ୍ର ମୃତ୍ୟୁ ହେବ । ଶେଷ ପର୍ଯ୍ୟନ୍ତ ମୁଁ ଭାରତବର୍ଷର ସ୍ଵାଧୀନତା ପାଇଁ ସଂଗ୍ରାମ କରିଛି । ମୋ ଦେଶବାସୀଙ୍କୁ କହିବ , ଭାରତ ଶୀଘ୍ର ସ୍ଵାଧୀନତା ଲାଭ କରିବ । ସ୍ଵାଧୀନ ଭାରତ ଦୀର୍ଘଜୀବି ହେଉ ! ଏଇ କେଇ ପଦ କଥା ଥିଲା ତାଙ୍କର ଶେଷ କଥା ।

ଅଗଷ୍ଟ ୨୦ରେ ଟାଇପା ଠାରେ ତାଙ୍କର ଶବଦାହ ହୋଇଥିଲା । ସେପ୍ଟମ୍ବର ପାଞ୍ଚ ତାରିଖରେ ନେତାଜୀଙ୍କ ଚିତାଭସ୍ମ ଟୋକିଓ ଆଣାଯାଇ ରେଙ୍କୋଜୀ ମନ୍ଦିରରେ ଯତ୍ନର ସହିତ ରଖାଯାଇଛି । ରେଙ୍କୋଜୀ ଏକ ବୌଦ୍ଧ ମନ୍ଦିର । ରେଙ୍କୋଜୀ ଅର୍ଥ ପଦ୍ମଜ୍ୟୋତି  । ଅନେକ ଭାରତୀୟଙ୍କ ମଧ୍ୟରୁ ତିନିଜଣ ବିଶିଷ୍ଟ ନେତା ରେଙ୍କୋଜୀ ମନ୍ଦିରକୁ ଯାଇଛନ୍ତି । ପରିଦର୍ଶନ ଖାତାରେ ତିନି ନେତାଙ୍କ ମନ୍ତବ୍ୟ ଗୋଟିଏ ମାର୍ବଲ ଫଳକରେ ଲିପିବଦ୍ଧ ହୋଇ ମନ୍ଦିର ନିକଟରେ ନେତାଜୀଙ୍କ ମୃତ୍ତି ପାଖରେ ରଖାଯାଇଛି ।  ୧୯୫୭ରେ ପ୍ରଧାନ ମନ୍ତ୍ରୀ ପଣ୍ଡିତ ନେହେରୁ ରେଙ୍କୋଜୀ ଯାଇ ପରିଦର୍ଶନ ଖାତାରେ ଲେଖିଥିଲେ- ବୁଦ୍ଧଙ୍କର ବାର୍ତ୍ତା ମାନବସମାଜରେ ଶାନ୍ତି ପ୍ରତିଷ୍ଠା କରୁ । ପଣ୍ଡିତଜୀ ଏହି ବାକ୍ୟଟି ମାର୍ବଲ ଫଳକରେ ଲିପିବଦ୍ଧ ହୋଇଛି । ବର୍ଷକ ପରେ ୧୯୫୮ରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହି ମନ୍ଦିରକୁ ଯାଇଥିଲେ । ସେ ଲେଖି ଆସିଛନ୍ତି,” ଏ ମନ୍ଦିରକୁ ଦର୍ଶନରେ ଆସି ଓ ନେତାଜୀଙ୍କର ପବିତ୍ର ଚିତାଭସ୍ମକୁ ପ୍ରାଥନା କରିବାର ସୁଯୋଗ ପାଇ ମୁଁ ଆନନ୍ଦ ଅନୁଭବ କରୁଛି ।“ ୧୯୬୯ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧିଙ୍କ ମନ୍ତବ୍ୟ ସେ ଫଳକରେ ଲିପିବଦ୍ଧ ହୋଇଛି । ଶ୍ରୀମତୀ ଗାନ୍ଧି କହିଛନ୍ତି- ନେତାଜୀଙ୍କ ଜ୍ୟୋତି ଆମକୁ ସତ୍ୟ ଆଡକୁ ଆଗେଇ ନେଉ ଓ ଶାଶ୍ଵତ ଶାନ୍ତି ପ୍ରଦାନ କରୁଥାଉ ।

ପରିଦର୍ଶନ ମନ୍ତବ୍ୟ ପଣ୍ଡିତଜୀ କାହିଁକି ନେତାଜୀଙ୍କ ସମ୍ପର୍କରେ ନୀରବ ରହିଲେ ସେଥିପାଇଁ ତାଙ୍କୁ କେତେକ ସମାଲୋଚନା କରିଛନ୍ତି । ନେତାଜୀ ମରିନାହାନ୍ତି ଓ ରେଙ୍କୋଜୀ ମନ୍ଦିରର ଚିତାଭସ୍ମ ତାଙ୍କର ନୁହେଁ ବୋଲି ଅନେକ ଭାରତୀୟ ସ୍ଵର ଉଟେଇଥଲେ । ଏହି ସ୍ଵରକୁ ସମ୍ମାନକରୀ ପଣ୍ଡିତ ଜୀ ହୁଏତ ନେତାଜୀଙ୍କ ବିଷୟରେ କିଛି କହିଲେ ନାହିଁ  ।

ନେତାଜୀଙ୍କ ସ୍ଵପ୍ନର ଭାରତ

ସ୍ଵାଧୀନ ଭାରତରେ ଏକ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇ ବୋଲି ନେତାଜୀ ଇଛା କରୁଥିଲେ । ତେବେ ଏ ସାମ୍ୟବାଦ କୌଣସି ଦେଶକୁ ଅନୁକରଣ କରି ଗଢା ହେବ ନାହିଁ । ଭାରତୀୟ ପରମ୍ପରା ଓ ସଂସ୍କୃତି ସହିତ ପଦ ମିଳେଇ ଭାରତୀୟ ସାମ୍ୟବାଦ ଗଢିଉଠିବା ଦରକାର । ଇଂରେଜ ଆଗମନ ପୂର୍ବରୁ ଭାରତବର୍ଷ ଚାଷୀଙ୍କର ଦେଶ ଥିଲା । ସ୍ଵାଧୀନ ଭାରତରେ ଗାଁ ଗୁଡିକୁ ଆତ୍ମନିର୍ଭରଶୀଳ କରି ଗଢିବାକୁ ହେବ । ଚାଷକୁ ଗୁରୁତ୍ଵଦେବା ସହିତ ଉନ୍ନତ ଆଧୁନିକ ଚାଷ ପ୍ରଣାଳୀର ବିନିଯୋଗ କରାଯିବ । ଶିଳ୍ପର ଉନ୍ନତି ବିନାଚାଷର ଉନ୍ନତି ସମ୍ଭବ ନୁହେଁ  ।

ସ୍ଵାଧୀନ ଭାରତରେ ଜାତିଭେଦ କଳଙ୍କ ରହିବ ନାହିଁ । ସମ୍ପ୍ରଦାୟିକ ବିଭେଦ ଦୂର ହେବ । ନେତାଜୀ ଏପରି ଉପଦେଶ ଦେଇ ନାହାନ୍ତି, କାର୍ଯ୍ୟରେ କରି ଦେଖାଇଛନ୍ତି । ମୁସଲମାନଙ୍କ ଭିତରୁ ତାଙ୍କର ଅନେକ ଅନ୍ତରଙ୍ଗବନ୍ଧୁ ଓ ବିଶ୍ଵସ୍ତ ସହଯୋଗୀ ଥିଲେ ।

ଶାସନ ସମ୍ପର୍କରେ ନେତାଜୀଙ୍କ ମତ ହେଉଛି,ପ୍ରତିରକ୍ଷା, ବୈଦେଶିକନୀତି ଓ ଅନ୍ୟ ଜାତୀୟ ସମସ୍ୟା ବ୍ୟାପର ବୁଝିବା କେନ୍ଦ୍ର ସରକାରଙ୍କ ଦାୟିତ୍ଵ । ନିଜ ରାଜ୍ୟରେ ଉନ୍ନତି ଦାୟିତ୍ଵ ରାଜ୍ୟବାସୀ ଗ୍ରହଣ କରିବେ ।

ନେତାଜୀଙ୍କ ଦୃଢ ମତଯେ ସରଳହିନ୍ଦୁସ୍ଥାନୀ ଭାରତର ଜାତୀୟ ଭାଷା ହେବା ଉଚିତ । ଏ ଭାଷାରେ ସଂସ୍କୃତ ବା ଆରବିକର ପ୍ରାଧାନ୍ୟ ରହିବ ନାହିଁ  । ଟ୍ରେନ,ଡକ୍ତର,ଟେଲିଗ୍ରାଫ ପ୍ରଭୁତି ଲୋକେ ବୁଝୁଥିବା ଇଂରାଜୀ ଶବ୍ଦକୁ ହିନ୍ଦୁସ୍ଥାନୀଭାଷା ଗ୍ରହଣ କରିନେବ  । ସବୁ ପ୍ରାଦେଶିକ ଭାଷାର ଲିପି ହେବ ଦେବନାଗରୀ ଲିପି  । ସାରା ଦେଶରେ ଗୋଟିଏ ଲିପି ଚଳିବାର ଅନେକ ଉପକାର  । ଆଜାଦ ହିନ୍ଦ ଫୌଜରେ ଯୋଗ ଦେଉଥିବା ସ୍ତ୍ରୀ ପୁରୁଷମାନେ ସରଳ ହିନ୍ଦୁସ୍ଥାନୀରେ ଏକ ତିନିମାସିଆ କୋର୍ସ କରୁଥିଲେ । ଏହା ଫଳରେ ହିନ୍ଦୀ ମାତୃଭାଷା ହୋଇନଥିବା ମାଡ୍ରାସି , ବଙ୍ଗାଳୀ ମାନେ ହିନ୍ଦୁସ୍ଥାନୀରେ ସାଧାରଣ ଭାବେ ଦକ୍ଷ ହେଉଥିଲେ  । ଆଜାଦ ହିନ୍ଦ ସୈନ୍ୟଙ୍କ ପ୍ରତି ନିର୍ଦ୍ଦେଶ ହିନ୍ଦୁସ୍ଥାନୀରେ ଦିଆଯାଉଥିଲା । ଗେଜେଟ ଖବର କାଗଜ ହିନ୍ଦୁସ୍ଥାନୀ ଭାଷାରେ ବାହାରୁ ଥିଲା ।

ଭାରତବର୍ଷ କୁ ଐକ୍ୟବଧ କରିବା ନେତାଜୀଙ୍କ ମହାନ ସାଫଲ୍ୟ  । ଭାଷା, ଜାତି,ଧର୍ମ, ନିର୍ବିଶେଷରେ ସେ ତିରିଶ ଲକ୍ଷ ପୂର୍ବ ଏସିୟ ଭାରତୀୟଙ୍କୁ କିଣି ନେଇଥିଲେ । ନେତାଜୀଙ୍କ ନାମ ଶ୍ରବଣରେ ସମଗ୍ର ଭାରତବାସୀ ହୃଦୟରେ ସ୍ଵାଧୀନତା ପୂର୍ବରୁ ଓ ସ୍ଵାଧିତନା ପରେ ଉନ୍ମାଦନା ଖେଳିଯାଉଥିଲା । ତାଙ୍କର ଆଇ.ଏନ.ଏ ଇଂରେଜ ବାହିନୀ ଦ୍ଵାରା ପରାଜିତ ହେଲା । ଦିଲ୍ଲୀରେ ତ୍ରିରଙ୍ଗା ପତାକା ଉଡାଇବାର ସ୍ଵପ୍ନ ତାଙ୍କର ଅପୂର୍ଣ୍ଣ ରହିଲା । ତେବେ ନେତାଜୀ କ’ଣ ଜଣେ ବିଫଳ ମଣିଷ  । ଏପରି ଭାବିବା ଏକ ବଡ ଭ୍ରମ  । ବହୁ ଜାତି,ଧର୍ମଓ ଭାଷାର ଏହି ବିଶାଳ ଦେଶକୁ ଯେଉଁ ବହୁ କମ ବ୍ୟକ୍ତି ଏକଟା ସୂତ୍ରରେ ବାନ୍ଧି ପଡ଼ିଛନ୍ତି, ସେମାନଙ୍କ ମଧ୍ୟରେ ନେତାଜୀ ଉଜ୍ଵଳ ଦିଶନ୍ତି । ଏ କାମ କେଡେ ଜଟିଳ ତାହା ସ୍ବାଧିତନତାର ୫୦ ବର୍ଷପରେ ତାହା ବୁଝବାକୁ ସଚେତନ ଭାରତୀୟଙ୍କୁ ବାକି ନାହିଁ  । ନେତାଜୀଙ୍କ ଦେଶପ୍ରେମ,ଦେଶପାଇଁ ନିଆଁକୁ ଡେଇଁ ପଡିବାର ପ୍ରସ୍ତୁତି ଇତ୍ୟାଦି ବିଷୟ ଚର୍ଚା ହେଉଥିଲେ ଭାରତକୁ ଐକ୍ୟବଧ ରଖିବା ସହଜ ହେବ ।

ଆଧାର:ସୁଭାଷ ଚନ୍ଦ୍ର ବୋଷ . ଲେଖକ : ଶରତ କୁମାର ମହାନ୍ତି , ପ୍ରକାଶକ :ଅଗ୍ରଦୂତ , ପଞ୍ଚମ ସଂସ୍କରଣ :୨୦୧୫

କଟକରେ ବାଲ୍ୟ କାଳ

3.8
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top