ସେଆର କରନ୍ତୁ

ସୂର୍ଯ୍ୟ

ସୂର୍ଯ୍ୟଙ୍କର ଗଠନ ଓ ଗତି ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ସୂର୍ଯ୍ୟର ଅବସ୍ଥିତ

ସୂର୍ଯ୍ୟ ହେଉଛି ଏକ ନକ୍ଷତ୍ର, ଏହା ସୌରଜଗତର ମଧ୍ୟଭାଗରେ ଅବସ୍ଥିତ । ଏହା ପାଖା ପାଖି ଗୋଲକ ଆକାରର ଓ ଏକାଧିକ ଉତପ୍ତ ବାଷ୍ପ (ପ୍ଲାଜମା) କୁ ନେଇ ଗଠିତ । ଏହାର ପରିସର ୧୩୯୨୦୦୦ କିମି. । ପୃଥିବୀର ୧୦୯ ଗୁଣ । ଏହାର ବସ୍ତୁତ୍ଵ ପ୍ରାୟ ୨x୧୦୩୦କିଗ୍ରା, ଯାହା ପୃଥିବୀ ର ୩୩୦୦୦୦ ଗୁଣ । ସମ୍ପୂର୍ଣ୍ଣ ସୌର ଜଗତର ୯୯.୮୬% ବସ୍ତୁତ୍ଵ ସୂର୍ଯ୍ୟର । ସୂର୍ଯ୍ୟ ୪ ଭାଗ ରୁ ପ୍ରାୟ ୩ ଭାଗ ଉଦଜାନ ଓ ବଳକା ଅଧିକାଂଶ ଭାଗ ହିଲିଅମ ଓ ଓଜନିଆ କଣିକା ଯଥା ଅମ୍ଳଜାନ, ଅଂଗାରକାମ୍ଲ, ଲୌହ , ନିଅନ୍ ଆଦି କୁ ନେଇ ଗଠିତ ।

ଆଲୋକ ଓ ଗତି

କୌଣସି ବସ୍ତୁଠାରୁ ଆଲୋକ ଆସି ଆମ ଆଖିରେ ପଡ଼ିଲେ ଆମେ ସେହି ବସ୍ତୁକୁ ଦେଖିପାରୁ । ବସ୍ତୁ ଉପରୁ ଆଲୋକ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ । କାରଣ ଆଲୋକର ନିର୍ଦ୍ଦିଷ୍ଟ ବେଗ ରହିଛି । ଆମେ ଚାଲି ଚାଲି ଗଲେ ଏକ ଘଣ୍ଟାରେ ଯିବା ୧୦ କି ୧୨ କିଲୋମିଟର । ସାଇକେଲ ଚଢି ଗଲେ ଏକ ଘଣ୍ଟାରେ ଯିବା ୨୦ କିଲୋମିଟର । ବସ୍ ରେ ଗଲେ ଏକ ଘଣ୍ଟାରେ ଯିବା ୫୦ କିଲୋମିଟର । ଟ୍ରେନ୍ ଏକ ଘଣ୍ଟାରେ ଯାଏ ୧୦୦ କିଲୋମିଟର । ଉଡାଜାହାଜ ଏକ ଘଣ୍ଟାରେ ଯାଏ ୫୦୦ କିଲୋମିଟର । କିନ୍ତୁ ଆଲୋକ ମାତ୍ର ଏକ ସେକେଣ୍ଡରେ ଯାଏ ୩ ଲକ୍ଷ କିଲୋମିଟର । ସତ କହିଲେ ଆଲବର୍ଟ ଆଇନଷ୍ଟାଇନଙ୍କ ମତରେ ଆଲୋକର ବେଗ ସର୍ବାଧିକ । ତଥାପି ଆଲୋକର ବେଗ ଯେତେ ହେଉନା କାହିଁକି ଅସୀମ ନୁହେଁ । ଅର୍ଥାତ୍ ଆଲୋକ କିଛି ଦୂରତା ଅତିକ୍ରମ କରିବା ସକାଶେ ସମୟ ଦରକାର । ସେଇୟା ହୁଏ । ସୂର୍ଯ୍ୟଠାରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ ।

ସୁର୍ଯ୍ୟଠାରୁ ଆମ ପୃଥିବୀର ଦୂରତା ୧୫ କୋଟି କିଲୋମିଟର । ସୂଯ୍ୟପୃଷ୍ଠରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ ପ୍ରାୟ ୫୦୦ ସେକେଣ୍ଡ ବା ୮ ମିନିଟ୍ ୨୦ ସେକେଣ୍ଡ ସମୟ ଲାଗେ । ତେଣୁ ଯେଉଁ ସୁର୍ଯ୍ୟକୁ ଆମେ ଦେଖୁ, ତାହା ସେତେବେଳର ସୁର୍ଯ୍ୟ ନୁହେଁ । ବରଂ ୮ ମିନିଟ୍ ୨୦ ସେକେଣ୍ଡ ତଳର ସୁର୍ଯ୍ୟ । ସକାଳ ୮ଟା ବେଳେ ସୂର୍ଯ୍ୟପୃଷ୍ଠରୁ ବାହାରିଥିବା ଆଲୋକ ୮ ମିନିଟ୍ ୨୦ ସେକେଣ୍ଡ ପରେ ଅର୍ଥାତ୍ ୮ଟା ୮ ମିନିଟ୍ ୨୦ ସେକେଣ୍ଡ ବେଳେ ଆସି ଆମଠାରେ ପହଁଞ୍ଚେ । ତେଣୁ ଆମେ ସବୁବେଳେ ୮ ମିନିଟ୍ ୨୦ ସେକେଣ୍ଡ ତଳର ବାସି ସୂର୍ଯ୍ୟ ଦେଖୁ । ପୃଥିବୀରେ ରହି ବର୍ତ୍ତମାନର ସୂର୍ଯ୍ୟକୁ ବର୍ତ୍ତମାନ ଦର୍ଶନ କରିବାର ଭାଗ୍ୟ ଆମର ନାହିଁ । ବର୍ତ୍ତମାନର ସୂର୍ଯ୍ୟକୁ ଦର୍ଶନ କରିବା ସକାଶେ ଆମକୁ ପୁଣି ୮ ମିନିଟ୍ ୨୦ ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ ।

କୋଟି କୋଟି ସୂର୍ଯ୍ୟ

ଆମେ ଯାହାକୁ ସୂର୍ଯ୍ୟ ବୋଲି କହୁ, ତାହା ବାସ୍ତବରେ ଗୋଟିଏ ବିଶାଳ ନିଆଁପେଣ୍ଡୁ । ତେବେ ସେହି ନିଆଁପେଣ୍ଡୁ ଆମ ପାଇଁ ସବୁକିଛି । ଆମ ଜୀବନ, ଆମର ପ୍ରାଣ । କାହିଁକି ନା, ସୂର୍ଯ୍ୟର ଆଲୋକ ଓ ଉତ୍ତାପ ବିନା ଆମେ ବଞ୍ଚିରହିବା ଅସମ୍ଭବ । ତେଣୁ ସୂର୍ଯ୍ୟ ନଥିଲେ ଆମର ଅସ୍ଥିତ୍ଵ ନଥାନ୍ତା । ସୂର୍ଯ୍ୟ ସହିତ ପୃଥିବୀ ଭଳି ଆହୁରି ୭ଟା ଗ୍ରହ, ବାମନ ଗ୍ରହ, ଧୂମକେତୁ, ଗ୍ରହାଣୁ ଓ ଉପଗ୍ରହମାନଙ୍କୁ ନେଇ ଗଠିତ ପରିବାରକୁ କୁହାଯାଏ 'ସୌରଜଗତ' । ଆମ ସୌରଜଗତର ମୁଖ୍ୟ ହେଉଛି ସୂର୍ଯ୍ୟ। ସମୁଦାୟ ସୌରଜଗତରେ ଏକମାତ୍ର ନକ୍ଷତ୍ର ହେଉଛି ସୂର୍ଯ୍ୟ । କିନ୍ତୁ, ସତ କହିଲେ, ଆମ ବିଶ୍ଵରେ କୋଟି କୋଟି ସୂର୍ଯ୍ୟ ଅଛନ୍ତି। କିନ୍ତୁ ସେଗୁଡ଼ିକ ଆମଠାରୁ ଅନେକ ଅନେକ ଦୂରରେ ରହିଥିବାରୁ ସେମାନଙ୍କର ଉତ୍ତାପ ଓ ଆଲୋକକୁ ଆମେ ଅନୁଭବ କରିପାରୁ ନାହିଁ । ରାତିରେ ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରାଗୁଡ଼ିକ ମଧ୍ୟ ଆମର ସୂର୍ଯ୍ୟ ପରି ଗୋଟିଏ ଗୋଟିଏ ନକ୍ଷତ୍ର । ଆମେ ୭ ପରେ ଗୋଟିଏ ଶୂନ ଲେଖିଲେ ହେବ ସତୁରୀ । ଆମେ ୭ ପରେ ଦୁଇଟା ଶୂନ ଲେଖିଲେ ହେବ ସାତଶହ । ସେହିପରି ଆମେ ୭ ପରେ ୨୨ ଟା ଶୂନ ଲେଖିଲେ ଯେଉଁ ବିଶାଳ ସଂଖ୍ୟା ହେବ, ବିଶ୍ଵରେ ଅତି କମ୍ ରେ ସେତିକି ସଂଖ୍ୟକ ସୁର୍ଯ୍ୟ ଥିବାର ପ୍ରମାଣ ମିଳିଛି । ସେମାନଙ୍କ ଭିତରୁ କେତେକ ସୁର୍ଯ୍ୟ ଆମ ସୁର୍ଯ୍ୟ ତୁଳନାରେ ଛୋଟ । କିନ୍ତୁ ଅନେକ ସୂର୍ଯ୍ୟ ଆମ ସୂର୍ଯ୍ୟ ତୁଳନାରେ ଢେର୍ ବଡ଼ ବଡ଼ । ବିଶ୍ଵରେ ଅନେକ ସୂର୍ଯ୍ୟ ଅଛନ୍ତି, ଯାହାର ଆକାର ଆମ ସୂର୍ଯ୍ୟର ଆକାରର ପ୍ରାୟ ୪୦୦ ଗୁଣ ହେବ ।

ଆଧାର -

"Handbook of Space Astronomy and Astrophysics 2nd edition"

3.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top