ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସ୍ଵାଧୀନତା ସଂଗ୍ରାମ ଓ ମା’ ରମାଦେବୀ
ସେଆର କରନ୍ତୁ

ସ୍ଵାଧୀନତା ସଂଗ୍ରାମ ଓ ମା’ ରମାଦେବୀ

ସ୍ଵାଧୀନତା ସଂଗ୍ରାମ ଓ ମା’ ରମାଦେବୀ ଭୂମିକା ବିଷୟରେ ସୂଚନା I

ଭାରତର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶା ନୀରବଦ୍ରଷ୍ଟା ନହୋଇ ଅନ୍ୟ ରାଜ୍ୟ ମାନଙ୍କ ଭଳି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ବିଶେଷତଃ ୧୮୫୭ ମସିହାରୁ ୧୯୪୨ ମସିହା ପର୍ଯ୍ୟନ୍ତ ଜାତୀୟ ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟରେ ଉତ୍କଳର ସୁଯୋଗ୍ୟ ସନ୍ତାନମାନେ ଆପଣାର ଅସୀମ ତ୍ୟାଗ ଏବଂ ଅପୂର୍ବ ବୀରତ୍ଵ ପ୍ରଦର୍ଶନ କରିଥିବା କଥା ଇତିହାସରୁ ଜଣାଯାଏ । ଦେଶମାତୃକାର ସ୍ଵାଧୀନତା ପାଇଁ ବହୁ ବୀର ସନ୍ତାନ ଆତ୍ମବଳୀ ଦେଇଛନ୍ତି ଏବଂ ଅନେକ କାରାଗାରର ଅନ୍ଧକାର କୋଠରୀ ମଧ୍ୟରେ ବିଦେଶୀ ଶାସକଙ୍କ କର୍ମଚାରୀ ମାନଙ୍କ ଦ୍ଵାରା ନିର୍ଯ୍ୟାତିତ ହୋଇ କାଳାତିପାତ କରିଛନ୍ତି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେ କି ବ୍ରିଟିଶ ଶାସନର ଅନ୍ତର୍ଭୁକ୍ତ ହୋଇଥିଲା। ସର୍ବଶେଷରେ ଏଠାରେ ୧୮୫୭ ମସିହା ପ୍ରଥମ ସ୍ଵାଧୀନତା ସଂଗ୍ରାମର ବହୁ ପୂର୍ବରୁ ଅର୍ଥାତ୍ ୧୮୧୭ ମସିହାରେ ପାଇକ ବିଦ୍ରୋହ ଓ ୧୮୩୫ରେ ଘୁମୁସର ବିଦ୍ରୋହ ଆରମ୍ଭ ହୋଇଥିଲା।

ଜାତୀୟ କଂଗ୍ରେସର ମହାସ୍ରୋତରେ ଓଡ଼ିଶା ସାମିଲ

କିନ୍ତୁ ଜାତୀୟ କଂଗ୍ରେସର ମହାସ୍ରୋତରେ ଓଡ଼ିଶା ସାମିଲ ହେଲା ୧୯୨୦ ମସିହାରେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନେତୃତ୍ଵ ଉକ୍ତ ମହାସ୍ରୋତରେ ସାମିଲ ହେବା ପାଇଁ ଆମ୍ଭମାନଙ୍କୁ ଉତ୍ସାହିତ କରିଥିଲା । ଫଳତଃ ଓଡ଼ିଶାବାସୀ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତଛାଡ଼ ଆନ୍ଦୋଳନରେ ଆବଶ୍ୟକୀୟ ଭୂମିକା ଗ୍ରହଣ କରିବା ସମ୍ଭବ ହେଲା । ସେତେବେଳେ ଓଡ଼ିଶାରେ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ବିଶ୍ୱନାଥ ଦାସ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନୀଳକଣ୍ଠ ଦାସ, ନନ୍ଦକିଶୋର ଦାସ, ନିତ୍ୟାନନ୍ଦ କାନୁନ୍‌ଗୋ, ସୁରେନ୍ଦ୍ରନାଥ ଦ୍ଵିବେଦୀ, ଆଚାର୍ଯ୍ୟ ହରିହର, ଯଦୁମଣି ମଙ୍ଗରାଜ ଓ ଆହୁରି ଅନେକ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ । କଂଗ୍ରେସର କାର୍ଯ୍ୟକ୍ରମ, ଗାନ୍ଧିଜୀଙ୍କ ବାର୍ତ୍ତା ଓ ବିଦେଶୀ ସରକାରର ଦୌରାମ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଜାତୀୟ କବି ବାଞ୍ଛାନିଧି ମହାନ୍ତି, ବୀର କିଶୋର ଦାସ ଓ ବାଗ୍ନୀ ବିଶ୍ଵନାଥ କର ଆଦି ଉଲ୍ଲେଖନୀୟ ଭୂମିକା ଗ୍ରହଣ କଲେ ।

ରମାଦେବୀଙ୍କ ଭୂମିକା

ତତ୍କାଳୀନ ଇଂରେଜ ରାଜତ୍ଵ କାଳରେ ଭାରତ ଭୂଖଣ୍ଡର ଅନ୍ୟାନ୍ୟ ରାଜ୍ୟ ସଦୃଶ ଓଡ଼ିଶାର ସାଧାରଣ ନାଗରିକ ମାନେ ନାନା ଭାବରେ ଶୋଷଣ ଓ ଅତ୍ୟାଚାରରେ ଅଣନିଃଶ୍ଵାସୀ ହୋଇଥିଲେ । ଓଡ଼ିଶାରେ ବିଦେଶୀ ସରକାରଙ୍କ ବାହୁ ଛାୟା ତଳେ ଆରାମରେ ଥିବା ଗଡ଼ଜାତର ରାଜା ମାନେ ଓ ମୋଗଲବନ୍ଦୀର ଜମିଦାର ମାନେ ପ୍ରଜା ମାନଙ୍କୁ ଶୋଷଣ କରୁଥିଲେ । ଅନ୍ୟାୟ ଟିକସ ଅସୁଲ, ମନ ମୁଖୀ ଶାସନ, ନାରୀ ଧର୍ଷଣ, ବେଠି ବେଗାରି, ମିଥ୍ୟା ମୋକଦ୍ଦମା ଆଳରେ ଶାସ୍ତିବିଧାନ ଓ ବ୍ୟକ୍ତି ବିଶେଷଙ୍କୁ ନାନାଦି ଲାଞ୍ଛନା ପ୍ରଦାନ କରି ପ୍ରଜାମାନଙ୍କର ଆର୍ଥିକ, ମାନସିକ ଓ ସାମାଜିକ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଅତିଷ୍ଠ ପ୍ରଜାବର୍ଗ କେତେକ ଗଡ଼ଜାତ ଅଂଚଳରେ ସୃଷ୍ଟି କଲେ ପ୍ରଜାମଣ୍ଡଳ ଆନ୍ଦୋଳନ ।

ଏହି ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାବାସୀ କେବଳ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼େଇ କରି ନଥିଲେ । ସେମାନେ ସେସମୟର ପ୍ରଜାପୀଡ଼କ ରାଜା, ଜମିଦାର ତଥା ଚାଟୁକାର କର୍ମଚାରୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।

ସତ କହିଲେ, ସ୍ଵାଧୀନତା ଏକ ଜନ୍ମଗତ ଅଧିକାର  ପ୍ରତି ମନୁଷ୍ୟର । ଅରଣ୍ୟ, ପର୍ବତର ଆଦିବାସୀଙ୍କ ଠାରୁ ଆରମ୍ଭ କରି ସହରର ବିଶିଷ୍ଟ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ଏବଂ ଗରିବ ଚାଷୀ ମୂଲିଆଠାରୁ ଆରମ୍ଭ କରି ଘର କୋଣର ବୋହୁ-ଝିଅମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଅଧିକାର  ପ୍ରାପ୍ତି ପାଇଁ ହୋଇ ପଡ଼ିଥିଲେ ବ୍ୟାକୁଳ । ସେଥିପାଇଁ ଓଡ଼ିଶାବାସୀଙ୍କୁ ସହିବାକୁ ପଡ଼ିଛି ଅସୀମ ଦୁଃଖ, ଯନ୍ତ୍ରଣା ଓ ନିର୍ଯ୍ୟାତନା । ଏପରିକି ଏହି ସ୍ଵାଧୀନତା ହାସଲ ପାଇଁ ଶହୀଦ ହୋଇଛନ୍ତି ଜୟୀ ରାଜଗୁରୁ, ଲକ୍ଷ୍ମଣ ନାୟକ, ରଘୁମହାନ୍ତି, ଦିବାକର ପରିଡ଼ା ଓ ଆହୁରି ଅନେକ ସ୍ଵାଧୀନତା ସଂଗ୍ରାମୀ ।

ସେତିକି ନୁହେଁ, ସ୍ଵାଧୀନତା ସଂଗ୍ରାମରେ ଗୋପବନ୍ଧୁ । ଚୌଧୁରୀଙ୍କ ପତ୍ନୀ ପୂଜ୍ୟ ରମା ଦେବୀ, ନବକୃଷ୍ଣ ଚୌଧୁରୀଙ୍କ ପତ୍ନୀ ମାଳତୀ ଚୌଧୁରୀ, ସରଳା ଦେବୀ, ଜାନକୀ ଦେବୀ, ଗୋଦାବରୀ ଦେବୀ ଓ କୁନ୍ତଳା କୁମାରୀଙ୍କ ଅବଦାନ ଅନବଦ୍ୟ । ୧୯୨୨ ମସିହା ମାର୍ଚ୍ଚ ୨୨ ତାରିଖ ଦିନ ଭାରତ ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ଗାନ୍ଧିଜୀ କଟକରେ ଗୋଟିଏ ମହିଳା ସଭାର ଆହ୍ଵାନ କରିଥିଲେ । ଏହି ସଭାରେ ରମା ଦେବୀଙ୍କର ପ୍ରଥମ ଦେଖାହୁଏ ଗାନ୍ଧିଜୀଙ୍କ ସହିତ । ରମାଦେବୀ ନିଜେ ଅରଟରେ କାଟିଥିବା ସୂତାମୋଡ଼ା ଗୋଟିଏ ଉପହାର ଦେଇଥିଲେ ଗାନ୍ଧିଜୀଙ୍କୁ । ସେଠାରେ ଗାନ୍ଧିଜୀଙ୍କ ଭାଷଣରେ ଅନୁପ୍ରାଣିତ ହେଲେ ରମାଦେବୀ, ଫଳରେ ସେ ପ୍ରକାଶ୍ୟ ଭାବରେ ଯୋଗଦାନ କଲେ ଆନ୍ଦୋଳନରେ ।

ଜଗତସିଂହପୁରସ୍ଥ ଅଳକା ନଦୀ କୂଳରେ ପ୍ରତିଷ୍ଠା ହେଲା ଅଳକା ଆଶ୍ରମ । ସେତେବେଳେ ଶହ ଶହ ସ୍କୁଲ କଲେଜର ଛାତ୍ର ଗାନ୍ଧିଜୀଙ୍କ ଡାକରାରେ ଲମ୍ଫ ପ୍ରଦାନ କଲେ ଆନ୍ଦୋଳନକୁ ଏହିସବୁ ଛାତ୍ରମାନଙ୍କୁ ଅଳକା ଆଶ୍ରମରେ ରଖାଯାଇ ଶିକ୍ଷା ଦେବାର ବ୍ୟବସ୍ଥା ହେଲା ।  ଅରଟରେ ସୂତା କାଟିବା, ରୋଗୀ ସେବା କରିବା ଓ ଦୀନଦରିଦ୍ରଙ୍କ ଯତ୍ନ ନେବା ଆଦି କାର୍ଯ୍ୟରେ ତାଲିମ ଦିଆଗଲା ଅନ୍ତେବାସୀମାନଙ୍କୁ । ଏହି ଶତାଧିକ  ଛାତ୍ରକର୍ମୀ ମାନଙ୍କ ଖାଇବା-ପିଇବା, ରହିବା-ଶୋଇବା ଏବଂ ଶିକ୍ଷା ଓ ସ୍ଵାସ୍ଥ୍ୟ ରକ୍ଷାର ଦାୟିତ୍ଵ ନେଇଥିଲେ ସ୍ଵୟଂ ରମାଦେବୀ । ସେଥିପାଇଁ ଅଳକା ଆଶ୍ରମର କର୍ମୀମାନେ ରମାଦେବୀଙ୍କୁ ମା’ ବୋଲି ସମ୍ବୋଧନ କରୁଥିଲେ । ମା’ ସମ୍ବୋଧନ ରମାଦେବୀଙ୍କୁ ଅଭିଭୂତ କରାଇଥିଲା । ଆନ୍ଦୋଳନ ଶେଷ ହେଲା, ଭାରତବର୍ଷ ସ୍ଵାଧୀନ ହେଲା ଏବଂ ଚିରଦିନ ପାଇଁ ଓଡ଼ିଶା ମାଟିରେ ରମାଦେବୀ – ମା’ ରମାଦେବୀ ନାମରେ ହେଲେ ସୁପରିଚିତା ।

୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରୁ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଲା ଭାରତବର୍ଷରେ । ଉପକୂଳ ଅଞ୍ଚଳରେ ଲବଣ ସତ୍ୟାଗ୍ରହ ଅପୂର୍ବ ସଫଳତା ଲାଭ କଲା । ଗୁଜୁରାଟର ଦାଣ୍ଡିକୁ ଲବଣ ସତ୍ୟାଗ୍ରହ ପାଇଁ ଗାନ୍ଧିଜୀଙ୍କର ପ୍ରସିଦ୍ଧ ଦାଣ୍ଡିଯାତ୍ରା ଆରମ୍ଭ ହୁଏ । ସେହିପରି ଓଡ଼ିଶାର ବାଲେଶ୍ଵରସ୍ଥ ଇଞ୍ଚୁଡ଼ିରେ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ଵରେ ଲୁଣମରା ଆନ୍ଦୋଳନ ମଧ୍ୟ ଆରମ୍ଭ ହେଲା । ଏହି । ଆନ୍ଦୋଳନ ପାଇଁ ଶହ ଶହ ଲୋକ ମାଡ଼ ଖାଇଲେ ଓ ଜେଲ୍ ଗଲେ । ଏସବୁକୁ ଭୂକ୍ଷେପ ନକରି ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ଯୁବା । ମହିଳା ରମାଦେବୀ ଲୁଣ ମରା ଅଭିଯାନରେ ସାମିଲ ହେଲେ । ରମାଦେବୀ ଇଞ୍ଚୁଡ଼ିରୁ ଗଲେ କୁଜଙ୍ଗ । ସେ କୁଜଙ୍ଗ ରାଣୀଙ୍କୁ ଲୁଣମରା ଅଭିଯାନରେ ସାମିଲ କଲେ, କ୍ରମେ ଶହ ଶହ କୁଳଭୂଆଶୁଣିମାନେ ଘରୁ ବାହାରି ଆସିଲେ ରାଜ ରାସ୍ତାକୁ ଏବଂ ସମସ୍ତେ ରମାଦେବୀଙ୍କ ସହଗାମିନୀ ହେଲେ । ଆଶ୍ଚର୍ଯ୍ୟ କଥା ଘର କୋଣରେ ରହୁଥିବା ଅପାଠୁଆ, ଦରପାଠୁଆ ଏବଂ ଲଜ୍ଜାଶୀଳା ଗୃହିଣୀମାନେ ରମାଦେବୀଙ୍କ କଥାରେ ପ୍ରଭାବିତ ହୋଇ ଯୋଗଦେଲେ ଆନ୍ଦୋଳନରେ । ସେମାନଙ୍କ ସରଳ ମନରେ ମା’ ରମାଦେବୀ ସୃଷ୍ଟି କଲେ ଅପୂର୍ବ ରାଷ୍ଟ୍ର ପ୍ରେମ । କେବଳ ରାଷ୍ଟ୍ର ପ୍ରେମ ନୁହେଁ - ପ୍ରଗାଢ଼ ଆତ୍ମ ବିଶ୍ଵାସ ସରଳା ଗାଉଁଲୀ ଝିଅ ବୋହୁଙ୍କ ମନରେ ବସା ବାନ୍ଧିଲା ନିବିଡ଼ ଭାବରେ । ଏହା ନିଃସନ୍ଦେହରେ ଏକ ବିସ୍ମୟକର ଘଟଣା ।

କୌଣସି କଥାକୁ କାନରେ ଶୁଣିବା କିମ୍ବା ବହିପତ୍ରରେ ପଢ଼ିବା ଅପେକ୍ଷା ପ୍ରତ୍ୟକ୍ଷ ଭାବରେ ସ୍ଵଚକ୍ଷୁରେ ଦେଖିବା  ଦ୍ଵାରା କଥାଟା ମନୁଷ୍ୟ ମନକୁ ବିଶେଷ ଭାବେ ସ୍ପର୍ଶ କରେ । ବିଶ୍ୱାସର ଭାବଧାରା କ୍ରମେ ସୁସ୍ପଷ୍ଟ ହୁଏ । ରମାଦେବୀ ଥିଲେ ଏକ ସପ୍ତାନ୍ତ ପରିବାରର ଝିଅ ଏବଂ ବୋହୁ । ଧନ ସଂପତ୍ତିର ଅଭାବ ନଥିଲା । ଅଥଚ ଧଳା ଖଦଡ଼ ଲୁଗା ପିନ୍ଧି ଓ ହାତରେ ଦୁଇପଟ ପାଣିକାଚ ନାଇ ଏବଂ ମୁଣ୍ଡରେ ଓଢ଼ଣା ପକାଇ ଜଣେ ସାଧାରଣ ଘରର ସ୍ତ୍ରୀ ରୂପରେ ଯେତେବେଳେ ଉଭା ହେଲେ ଗାଉଁଲୀ ଝିଅ ବୋହୁଙ୍କ ସମ୍ମୁଖରେ ଏବଂ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାଷାରେ ସେମାନଙ୍କ ସମ୍ମୁଖରେ ଉପସ୍ଥାପିତ କଲେ ତତ୍କାଳୀନ ବିଦେଶୀ ସରକାରର ଅତ୍ୟାଚାର ଓ ଅନାଚାର କାହାଣୀମାନ, ସେତେବେଳେ ଗାଁର ସରଳା ମହିଳାଗଣ ରମାଦେବୀଙ୍କ କଥାରେ ପ୍ରଭାବିତ ହେଲେ । କେବଳ ପ୍ରଭାବିତ ହେଲେ ନାହିଁ, ତାଙ୍କର ପଦାଙ୍କ ଅନୁସରଣ କଲେ । ସେମାନେ ଜାଣିଲେ ଆନ୍ଦୋଳନ କରିବା ଅର୍ଥ ହୋହାଲ୍ଲା କରିବା ନୁହେଁ । ଶାନ୍ତି ଓ ଅହିଂସାକୁ ପାଥେୟ କରି ନିଜର ଅସୁବିଧା ଓ ଅଭିଯୋଗକୁ ଉପସ୍ଥାପିତ କରିବା ସହ ନିଜେ ଗଠନମୂଳକ କାର୍ଯ୍ୟ କରିବା ଏକାନ୍ତ ଆବଶ୍ୟକ । ଝିଅବୋହୁମାନେ ଅରଟରେ ସୂତା କାଟିଲେ ଓ ଜାତି ଅଜାତି ଭାବ ଭୁଲି ଅନ୍ୟର ସେବା କରିବା ମନୋବୃତ୍ତିରେ ନିଜକୁ  ମନେଇ ନେଲେ ।

ନଭେମ୍ବର ମାସ ୮ ତାରିଖରେ ଲୁଣମରା ଆନ୍ଦୋଳନ ୧୯୩୦ ମସିହା ନଭେମ୍ବର ମାସ ୮ ତାରିଖରେ ଲୁଣମରା ଆନ୍ଦୋଳନ ପାଇଁ ରମାଦେବୀ କାରାବରଣ କଲେ । ସେହିପରି ୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଦ୍ଵିତୀୟବାର କାରାବରଣ କରିଥିଲେ ରମାଦେବୀ । ୧୯୩୪ ମସିହାରେ ଗାନ୍ଧିଜୀଙ୍କର ପ୍ରସିଦ୍ଧ ହରିଜନ ଯାତ୍ରା ଆରମ୍ଭ ହୁଏ । ବାପୁଜୀ ସେବର୍ଷ ମେ ମାସରେ ସମ୍ବଲପୁର ବାଟ ଦେଇ ଓଡ଼ିଶାରେ ପହଞ୍ଚିଲେ । ହଜାର ହଜାର ଲୋକଙ୍କର ସମାବେଶ ହେଲା । ସେତେବେଳେ ଓଡ଼ିଶା ଶାଖାର ସମ୍ପାଦକ ଦାୟିତ୍ଵ ତୁଲାଉଥିଲେ ରମାଦେବୀ ଅତି ନିଖୁଣ ଭାବରେ । ହରିଜନ ବସ୍ତା ସଫେଇ ଓ ସେମାନଙ୍କର ମନୋବୃତ୍ତିର ପରିବର୍ତ୍ତନ ଏହି ଯାତ୍ରାର ମୂଳଲକ୍ଷ୍ୟ । ଗାନ୍ଧିଜୀଙ୍କ ସହ ସେତେବେଳେ ଏହି ପଦଯାତ୍ରାରେ ଥିଲେ ଠକ୍କରବାପା, ମୀରାବେନ, ପ୍ରଭାବତୀ ଦେବୀ, ଗୋପବନ୍ଧୁ ଚୌଧୁରୀ ଓ ମା’ ରମାଦେବୀ । ଏହି ପଦଯାତ୍ରା ସମୟରେ ରମାଦେବୀ ଗାନ୍ଧିଜୀଙ୍କ ସହ ଖୋଲା ଖୋଲି କଥାବାର୍ତ୍ତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେସମୟରେ ରମାଦେବୀ ହରିଜନ ପାଣ୍ଠିକୁ ତାଙ୍କର ୧୫୦ ଭରି ଓଜନର ସୁନା ଗହଣା ମୁକ୍ତ ହସ୍ତରେ ଦାନ କରିଥିଲେ ।

ଗାନ୍ଧିଜୀ ରମାଦେବୀଙ୍କ ନେତୃତ୍ଵରେ ହୋଇଥିବା ହରିଜନ ଯାତ୍ରା କାର୍ଯ୍ୟରେ ଅତ୍ୟନ୍ତ ପ୍ରୀତ ହୋଇ ଉଛୁସିତ ପ୍ରଶଂସା କରିଥିଲେ । ନିଜର ମନକଥା ଗାନ୍ଧିଜୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିବାର ଶୁଣାଯାଏ । ରମାଦେବୀ ଗାନ୍ଧିଜୀଙ୍କ ପ୍ରଭାବରେ ସ୍ଵାଧୀନତା ଆନ୍ଦୋଳନରେ । ଯୋଗ ଦେଇ ଜାତି, ଧର୍ମ ବନ୍ଧନରୁ ନିଜକୁ ଉର୍ଦ୍ଧ୍ଵରେ ରଖି କାର୍ଯ୍ୟ କରିଗଲେ ଚିରଦିନ ପାଇଁ । ଏପରିକି ନ୍ୟାୟ ବିଚାରରେ ସେ ପୁରୁଷ ନାରୀ ମଧ୍ୟରେ ପ୍ରଭେଦ ଦେଖୁନଥିଲେ । ଗାଁଗହଳରେ ଅଶିକ୍ଷିତ, ଗରିବ, ଉପୀଡ଼ିତ ଏବଂ ରୋଗୀଙ୍କ ମୁହଁରେ ହସ ଫୁଟାଇବା ଲାଗି ସେ ଆପ୍ରାଣ ଚେଷ୍ଟା କରୁଥିଲେ । ସେ କଦାପି ହତୋତ୍ସାହ ନହୋଇ ଧୈର୍ଯ୍ୟ ଓ ସାହସର ସହିତ କାର୍ଯ୍ୟ କରିଥିଲେ ସାରା ଜୀବନ । ଓଡ଼ିଶାର ନାରୀ ମାନଙ୍କ ମନରେ ସେ ବିପ୍ଳବର ମଞ୍ଜିବୁଣି ଦେଇଥିଲେ ସ୍ୱାଧୀନତା ସଂଗ୍ରାମ ସମୟରେ । ସେହିପରି ହରିଜନ କଲ୍ୟାଣ, ମୌଳିକ ଶିକ୍ଷା ପ୍ରଦାନ ଓ ଗ୍ରାମ ସଂଗଠନ ପାଇଁ ସର୍ବଦା ବ୍ୟସ୍ତ ରହୁଥିଲେ ।

ଜୀବନବ୍ୟାପୀ କରିଥିବା ସେବା ଓ ତ୍ୟାଗ ପାଇଁ ତାଙ୍କୁ ୧୯୮୧ ରେ ଯମୁନାଲାଲ ବଜାଜ୍ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । କଟକ ସହରଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ସତ୍ୟଭାମାପୁରରେ ଏକ ସପ୍ତାନ୍ତ ବଂଶରେ ସେ ଜନ୍ମଲାଭ କରିଥିଲେ ୧୮୯୯ ମସିହା ଡିସେମ୍ବର ୩ ତାରିଖରେ । କିନ୍ତୁ ସେ ଆଜି ନାହାନ୍ତି ଆମ ଗହଣରେ । ୧୯୮୫ ମସିହା ଜୁଲାଇ ୨୨ ତାରିଖ ଦିନ ସେ ଚାଲି ଯାଇଛନ୍ତି ଅଫେରା ରାଇଜକୁ । ବିଂଶ ଶତାବ୍ଦୀର ଶକ୍ତି ସ୍ୱରୂପିଣୀ ମା’ ରମାଦେବୀ ଓଡ଼ିଆ ଜାତିର ଚିର ନମସ୍ୟା । ସେ ଆମ ପାଇଁ ଅଭୁଲା ସ୍ମୃତି ।

ସହାୟକ ପୁସ୍ତକ – ଗୋଲୋକ ବିହାରୀ ବିଶୋଇ ‘ବିଂଶ ଶତାବ୍ଦୀର ବିଂଶ ଓଡ଼ିଆ’  ଏସ୍.-୩/୬୦୩ । ନୀଳାଦ୍ରି ବିହାର, ଭୁବନେଶ୍ଵର-୨୧

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top