ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସ୍ଵାଧୀନତା ସଂଗ୍ରାମୀ ମାଧବଚନ୍ଦ୍ର ରାଉତରାୟ
ସେଆର କରନ୍ତୁ

ସ୍ଵାଧୀନତା ସଂଗ୍ରାମୀ ମାଧବଚନ୍ଦ୍ର ରାଉତରାୟ

ସ୍ଵାଧୀନତା ସଂଗ୍ରାମୀ ମାଧବଚନ୍ଦ୍ର ରାଉତରାୟ ବିଷୟରେ ସୂଚନା I

ସଂଗ୍ରାମୀ ମାଧବଚନ୍ଦ୍ର ରାଉତରାୟ ପରିଚୟ

ସଂଗ୍ରାମୀ ମାଧବଚନ୍ଦ୍ର ରାଉତରାୟ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଘମାରୀ ଗ୍ରାମର ଏକ ସପ୍ତାନ୍ତ ଖଣ୍ଡାୟତ ପରିବାରରେ ୧୯୨୩ ମସିହାରେ  ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଦୀନବନ୍ଧୁ ରାଉତ ରାୟ । ତୁଳସୀ ଦୁଇପତ୍ରରୁ ବାସିଲା ଭଳି ମାଧବଚନ୍ଦ୍ର ବାଲ୍ୟକାଳରୁ ଅତ୍ୟନ୍ତ ଅମାୟିକ, ମେଧାବୀ ଏବଂ ଶାନ୍ତ ଚରିତ୍ରର ବାଳକ ଥିଲେ । ମାମୁଁ ଘର ଗ୍ରାମରେ ପ୍ରାଥମିକ ଶିକ୍ଷା ଲାଭ କରି ପୁରୁଣା ଭୁବନେଶ୍ଵରସ୍ଥିତ ପ୍ରସିଦ୍ଧ ଭକ୍ତ ମଧୁ ବିଦ୍ୟାପୀଠରୁ ୧୯୪୦ ମସିହାରେ ମାଟ୍ରିକ୍ୟୁଲେସନ ପାଶ୍ କରିବା ପରେ ସେ ଉଚ୍ଚଶିକ୍ଷା ପାଇଁ ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜରେ ନାଁ ଲେଖାଇଥିଲେ ।

ପୁରୀରେ କଲେଜଛାତ୍ର ଥିବା ଅବସ୍ଥାରେ ସେ ଗାନ୍ଧିଜୀଙ୍କ ଆହ୍ଵାନରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସଂଗଠିତ ଭାରତଛାଡ଼ ଆନ୍ଦୋଳନରେ ଝାସ ଦେଇଥିଲେ । ସଂଗ୍ରାମୀ ମାଧବଚନ୍ଦ୍ର ସେହି ସମୟଠାରୁ କଲେଜ ଶିକ୍ଷାରେ ଡୋରି ବାନ୍ଧି ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବିରୁଦ୍ଧରେ ବ୍ରିଟିଶ ସରକାରଙ୍କ କଠୋର ଦମନ ନୀତି ପ୍ରୟୋଗର କଡ଼ା ସମାଲୋଚନା କରି ବକୃତା ଦେଉଥିବାରୁ ସେ ବ୍ରିଟିଶ ପୋଲିସ୍‌ର ରୋଷ ଦୃଷ୍ଟିରେ ପଡ଼ିଥିଲେ ।

ରାଜନୀତିରେ ଭୂମିକା

ଭାରତ ସ୍ଵାଧୀନତା ଲାଭ କରିବା ପରେ ୧୯୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରି ସଂଗ୍ରାମୀ ମାଧବଚନ୍ଦ୍ର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୫୨ ମସିହାରୁ ୧୯୫୭ ମସିହା ପର୍ଯ୍ୟନ୍ତ ଖୋର୍ଦ୍ଧାର ବିଧାୟକ ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଖୋର୍ଦ୍ଧା ଅଞ୍ଚଳର ରାସ୍ତାଘାଟ ଓ ପ୍ରାଥମିକ ଶିକ୍ଷାର ଉନ୍ନତି, ନୂତନ ପୋଷ୍ଟ ଅଫିସ ଏବଂ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ସେ ବିଶେଷ ଦୃଷ୍ଟି ଦେଇଥିଲେ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ନବକୃଷ୍ଣ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ଡଃ ରାଧାନାଥ ରଥ ଏବଂ କମ୍ୟୁନିଷ୍ଟ ନେତା ସ୍ଵର୍ଗତଃ ଗଙ୍ଗାଧର ପାଇକରାୟଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ରହିଥିଲା।

ସମାଜସେବା କାର୍ଯ୍ୟରେ ନିୟୋଜିତ

ଭୋଟ ରାଜନୀତି ପ୍ରତି ବୀତସ୍ପୃହ ମାଧବଚନ୍ଦ୍ର କାଳକ୍ରମେ ସକ୍ରୀୟ ରାଜନୀତିରୁ ଦୂରେଇ ଯାଇ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ନିଜର ଜନ୍ମସ୍ଥାନ ବାଘମାରୀ ଗ୍ରାମରେ ୟୁ:ପି: ସ୍କୁଲର ସେ ପ୍ରତିଷ୍ଠାତା ସଭାପତି ଥିଲେ । ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ସଂଗ୍ରାମୀ ଭତ୍ତା ବା ପେନସନ୍ ପ୍ରଦାନ କରିବା ପାଇଁ ସେ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପିତ କରିଥିଲେ । ଓଡ଼ିଶା ପ୍ରଦେଶ ସ୍ୱାଧୀନତା ସଂଗ୍ରାମୀ ସେବା ସଂଘର କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ ହୋଇ ସ୍ଵର୍ଗତଃ ମାଧବଚନ୍ଦ୍ର ସ୍ଵାଧୀନତା ସଂଗ୍ରାମୀମାନଙ୍କ ସଂଗଳ ନିମିତ୍ତ କାର୍ଯ୍ୟ କରୁଥିଲେ । ଓଡ଼ିଶାରେ କୃଷି ଓ କୃଷକର ଉନ୍ନତି ନିମିତ୍ତ ‘ଭାରତ କୃଷକ ସମାଜ’ ଓଡ଼ିଶା ଶାଖାର ରାଜ୍ୟ ସଂଗଠକ ଭାବେ ସେ ଦୀର୍ଘଦିନ କାର୍ଯ୍ୟ କରିଥିଲେ । ସମାଜରେ ଦଳିତ ମାନଙ୍କ ନ୍ୟାୟସଂଗତ ଅଧୁକାର ହାସଲ ପାଇଁ ଗଠିତ “ସମାଜ ସଂଯୋଜକ ମଣ୍ଡଳୀ’ ଅନୁଷ୍ଠାନ ସହ ସେ ଗଭୀର ଭାବେ ସଂପୃକ୍ତ ଥିଲେ ।

ଏତଦ୍ ବ୍ୟତୀତ ସେ ଉତ୍କଳ ବାହିନୀ’ ସଂଗଠନର ଉପସଭାପତି, ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟ ଏବଂ ଓଡ଼ିଶା ଖଣ୍ଡାୟତ, କ୍ଷତ୍ରିୟ ମହାସଭାର କର୍ମକର୍ତ୍ତା ଥିଲେ । ସ୍ୱର୍ଗତଃ ମାଧବଚନ୍ଦ୍ର ଖୋର୍ଦ୍ଧା ଅଞ୍ଚଳର ସୁବିଖ୍ୟାତ ତାପଙ୍ଗ ଦଳବେହେରା ବଂଶର ଜାମାତା ଥିଲେ ଏବଂ ନିଜକୁ ଜଣେ ନିଷ୍ଠାପର, ଜନପ୍ରିୟ ଓ ଆଦର୍ଶ ନେତା ଭାବରେ ପ୍ରତିଷ୍ଠିତ କରିପାରିଥିଲେ ।

ପରଲୋକ

ସ୍ଵର୍ଗତଃ ମାଧବଚନ୍ଦ୍ର ରାଉତରାୟ ଜାନୁଆରୀ ମାସ ୧୦ ତାରିଖ ୨୦୦୨ ମସିହାରେ ନଶ୍ଵର ଶରୀର ତ୍ୟାଗ କରି ପରଲୋକ ଗମନ କରିଥିଲେ । ସ୍ୱର୍ଗତଃ ରାଉତରାୟ ଏକାଧାରରେ ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଦକ୍ଷ ଜନନାୟକ, ସମାଜସେବୀ ଏବଂ ଅମାୟିକ ବ୍ୟକ୍ତିତ୍ଵ ଭାବେ ଖୋର୍ଦ୍ଧା ଅଞ୍ଚଳରେ ସୁପରିଚିତ ଥିଲେ ।

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top