ହୋମ / ଶକ୍ତି / ପରିବେଶ / ଆଳୁ ଓ ଶାଗୁରେ ତିଆରି EnviGreen Bag ପ୍ଲାଷ୍ଟିକ ଠାରୁ ପରିବେଶକୁ ରକ୍ଷା କରିବ
ସେଆର କରନ୍ତୁ

ଆଳୁ ଓ ଶାଗୁରେ ତିଆରି EnviGreen Bag ପ୍ଲାଷ୍ଟିକ ଠାରୁ ପରିବେଶକୁ ରକ୍ଷା କରିବ

ପ୍ଲାଷ୍ଟିକ ଠାରୁ ପରିବେଶକୁ ରକ୍ଷା

ଆଳୁ ଓ ଶାଗୁରେ ତିଆରି EnviGreen Bag

ଆମ ଦେଶରେ ସର୍ବତ୍ର ବିଦ୍ୟମାନ ପଲିଥିନ ମୁଣି, ଯାହାକୁ ଲୋକମାନେ ଇଆଡ଼େ ସିଆଡ଼େ ଫିଙ୍ଗି ଦେଇଥାନ୍ତି। ତାହା ପଡ଼ିଆରେ ତଥା ରାସ୍ତା ଘାଟ ଓ ନାଳ ନର୍ଦ୍ଦମା ସବୁ ଆଡ଼େ ପଡ଼ିଥାଏ। ପରିବେଶ ପାଇଁ ଏକ ଘୋର ଆତଙ୍କ ! କାରଣ ଏହା ହଜାରେ ବର୍ଷ ପରେ ବି ନା ପଚିବ ନା ସଢ଼ିବ।

ପଡ଼ିଆରେ ଗାଈଗୋରୁ ଚରିଲା ବେଳେ ଇଆଡ଼େ ସିଆଡ଼େ ପଡ଼ିଥିବା ପଲିଥିନ ମୁଣି ଗିଳିଦେଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ମାଙ୍ଗାଲୋର ଜନ୍ମିତ ଅଶ୍ଵଥ ହେଗଡେ ଏବେ ଏପରି ଏକ ଜୈବିକ କ୍ୟାରିବ୍ୟାଗ ପ୍ରସ୍ତୁତ କରିଛନ୍ତି ଯାହାକୁ ଗିଳିଦେଲେ ଗାଈଗୋରୁଙ୍କର କିଛି ବି କ୍ଷତି ହେବନି। ଭାରତର ଅଧିକାଂଶ ସହରରେ ପ୍ଲାଷ୍ଟିକ ବ୍ୟାଗକୁ ଆଂଶିକ ବା ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି; କିନ୍ତୁ ତା'ର କୌଣସି ଉପଯୁକ୍ତ ବିକଳ୍ପ ନାହିଁ । ୨୦୧୨ରେ ମାଙ୍ଗାଲୋର ନଗର ନିଗମ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ, ବିକ୍ରୟ, ଓ ବିତରଣକୁ ନିଷିଦ୍ଧ କଲା। କିନ୍ତୁ କୌଣସି ବିକଳ୍ପର ବିନା ପ୍ରସ୍ତୁତିରେ ଏଇ ନିଷ୍ପତ୍ତିଟି ନିଆଯାଇଥିଲା। ସମସ୍ତେ ତ ଏକ କିଲୋ ଚିନି ଆଣିବା ପାଇଁ ୫ ରୁ ୧୦ ଟଙ୍କା ଦେଇ ବ୍ୟାଗଟିଏ କିଣିପାରିବେନି । ତା'ଛଡ଼ା ଯେଉଁମାନେ ବ୍ୟାଗ ନେବାକୁ ଭୁଲି ଯାଇଥିବେ - ସାଧାରଣ ନାଗରିକଙ୍କର ଏଇ ସମସ୍ୟା ୨୫ ବର୍ଷୀୟ ଅଶ୍ଵଥ ହେଗଡେଙ୍କୁ ଘାରିଲା।

ପ୍ଲାଷ୍ଟିକ ଠାରୁ ପରିବେଶକୁ ରକ୍ଷା

ସମ୍ପ୍ରତି କାତାରରେ ରହୁଛନ୍ତି ପ୍ରବାସୀ ଭାରତୀୟ ଉଦ୍ୟୋଗୀ ହେଗଡେ। ଏ ସମସ୍ୟା ଉପରେ ୪ ବର୍ଷ ଗବେଷଣା କଲା ପରେ ଅଶ୍ଵଥ ପ୍ରତିଷ୍ଠା କଲେ EnviGreen ନାମରେ ଏକ କମ୍ପାନୀ, ଯାହା ପ୍ରସ୍ତୁତ କରେ ପର୍ଯ୍ୟାବରଣ ଅନୁକୂଳ ସଢ଼ିପାରୁଥିବା ଶତପ୍ରତିଶତ ଜୈବିକ କ୍ୟାରିବ୍ୟାଗ। ଏଗୁଡ଼ିକ ଦେଖିବାକୁ ପ୍ଲାଷ୍ଟିକ ବ୍ୟାଗପରି କିନ୍ତୁ ପ୍ରାକୃତିକ ଶ୍ଵେତସାର ଓ ଜୈବ ତେଲରେ ପ୍ରସ୍ତୁତ। ସାଧାରଣ ତାପମାନରେ ଏକ ଗ୍ଳାସ ପାଣିରେ ଏହାକୁ ବୁଡ଼ାଇ ରଖିଲେ ଏକ ଦିନ ମଧ୍ୟରେ ମିଳାଇ ଯାଇଥାଏ। ଫୁଟନ୍ତା ପାଣିରେ ୧୫ ସେକେଣ୍ଡ ଭିତରେ ତରଳି ଯାଏ। ଯେତେବେଳେ ଏହାକୁ ଫିଙ୍ଗାଯାଇଥାଏ ପ୍ରାକୃତିକ ଉପାୟରେ ୧୮୦ ଦିନରୁ କମ ସମୟ ମଧ୍ୟରେ ସଢ଼ି ଯାଏ ଏବଂ ପରିବେଶର କିଛି କ୍ଷତି କରିନଥାଏ। ଏହାକୁ ପଶୁମାନେ ଖାଇଦେଲେ କିଛି ବି କ୍ଷତି ହୋଇନଥାଏ।

ଏହାର ମୂଲ୍ୟ ପ୍ଲାଷ୍ଟିକ ବ୍ୟାଗଠାରୁ ସାମାନ୍ୟ ଅଧିକ । ଗୋଟିଏ ୧୩x୧୬ ଇଞ୍ଚ Envi ବ୍ୟାଗର ଦାମ ୩ ଟଙ୍କା ପଡ଼ିବ ଯେତେବେଳେକି ସେହି ସାଇଜର ପ୍ଲାଷ୍ଟିକ ବ୍ୟାଗର ଦାମ ୨ ଟଙ୍କା ପଡ଼ିଥାଏ। କର୍ଣ୍ଣାଟକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ବ୍ୟାଗର ବ୍ୟବହାରକୁ ଅନୁମୋଦନ କରିଛନ୍ତି। ସାଧାରଣ ପ୍ଲାଷ୍ଟିକ ବ୍ୟାଗ ପରି ଏହାକୁ ଜଳାଇଲେ ଏଥିରୁ କୌଣସି ବିଷାକ୍ତ ବାଷ୍ପ ବାହାରେ ନାହିଁ କିମ୍ବା ଏହା ଉତ୍ତପ୍ତ ଲୁହାରେ ଅଠା ଭଳି ଲାଖି ଯାଏନା। ଏହି EnviGreen ବ୍ୟାଗ କେନ୍ଦ୍ରୀୟ ପ୍ଲାଷ୍ଟିକ ଇଞ୍ଜିନିୟରିଂ ସଂସ୍ଥାନ ଏବଂ Sriram Institute for Industrial Research ଦ୍ଵାରା ପରୀକ୍ଷିତ ଏବଂ ସଂପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ। ଅଶ୍ଵଥ ଏହି ବ୍ୟାଗ ଗୋଟିଏ ଗରମ ପାଣିରେ ବୁଡ଼ାଇ ତାକୁ ଖାଇ ଦେଖାଇଛନ୍ତି ଯେ ଏହାକୁ ଖାଇ ବି ହେବ।

୬୦ ଜଣଙ୍କୁ ନେଇ ଗଠିତ ତାଙ୍କ ଟିମ ଦ୍ଵାରା ଅଶ୍ଵଥ ବେଙ୍ଗାଲୁରୁରେ ଏକ କାରଖାନା ପ୍ରତିଷ୍ଠା କରିଛନ୍ତି ଯାହାକି ମାସକୁ ୧୦୦୦ ମେଟ୍ରିକ ଟନ ବ୍ୟାଗ ଉତ୍ପାଦନ କରିଥାଏ।

ବର୍ତ୍ତମାନ କମ୍ପାନୀ ଭାରତରେ ଉତ୍ପାଦର ସଂପୂର୍ଣ୍ଣ ବିକ୍ରୟ ବ୍ୟବସ୍ଥା ଆରମ୍ଭ କରିନାହିଁ କିନ୍ତୁ କାତାର ଓ ଆବୁଧାବିରେ ଏଗୁଡ଼ିକ ମିଳିପାରୁଛି।

ଏହି EnviGreen bag ମିଳିବା ପରେ ଅନେକ ଉପଭୋକ୍ତା ଯେଉଁମାନେ ପର୍ଯ୍ୟାବରଣ ପାଇଁ ଚିନ୍ତା କରନ୍ତି ଆଶ୍ଵସ୍ତ ହେବେ କାରଣ ଏହା ପରିବେଶ ସୁରକ୍ଷା ଏବଂ ଦୈନନ୍ଦିନ ଜୀବନରେ ସ୍ଵାଚ୍ଛନ୍ଦ୍ୟ ମଧ୍ୟରେ ଏକ ସମନ୍ଵୟ ଆଣିପାରିବ।

ଆଧାର, ଟୀମ ଓଡିଆ, ଯୌର ଷ୍ଟୋରି

3.04761904762
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top