ହୋମ / ଶକ୍ତି / ପରିବେଶ / ଓଡିଶାର ମୃତ୍ତିକା
ସେଆର କରନ୍ତୁ

ଓଡିଶାର ମୃତ୍ତିକା

ଓଡିଶାରେ ବିଭିନ୍ନ ମୃତ୍ତିକା ସମ୍ବନ୍ଧରେ ସୂଚନା ।

ମୃତ୍ତିକା ସୃଷ୍ଟି

ଯେଉଁ ମୂଳ କାରଣ ଗୁଡିକ ଦ୍ଵାରା ପ୍ରଭାବିତ ହୋଇ ଭିନ୍ନ ଭିନ୍ନ ମୃତ୍ତିକା ସୃଷ୍ଟି ହୁଏ ସେଗୁଡିକ ହେଲା -

  1. ଜନକ ଶିଳା ଓ ଖଣିଜ
  2. ଜଳବାୟୁ
  3. ଜୈବ ପ୍ରଭାବ (ପ୍ରାଣୀ ଓ ଉଦ୍ଭିଦ)
  4. ପୃଥିବୀ ପୃଷ୍ଠର ସ୍ଥଳ ବିଶେଷର ବିବରଣୀ
  5. ସ୍ଥାନର କ୍ରମାବନିତ

ବିଭିନ୍ନ ଅଞ୍ଚଳର ଅବସ୍ଥିତି ଅନୁସାରେ ଏହି ମୂଳକାରଣ ଗୁଡିକ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଏଗୁଡ଼ିକର ପ୍ରଭାବରେ ଅନେକ ବର୍ଷଧରି ମୃତ୍ତିକା ଅବୟବର କ୍ରମ ବିକାଶ ଘଟି ଭିନ୍ନ ଭିନ୍ନ ମୃତ୍ତିକା ସୃଷ୍ଟି ହୁଏ ।

ଓଡିଶାର ଭୂଭାଗ

ଓଡିଶା ରାଜ୍ୟ ଭାରତର ପୂର୍ବାଞ୍ଚଳରେ ଉଷ୍ଣମଣ୍ଡଳୀୟ ଭୂଭାଗରେ ଅବସ୍ଥିତ । ଏହାର ହାରାହାରି ବାର୍ଷିକ ବୃଷ୍ଟିପାତ ୧୫୦୦ ମି.ମି. । ବର୍ଷ ମଧ୍ୟରେ ହାରାହାରି ୬୫ ଦିନ ବୃଷ୍ଟିପାତ ହୁଏ । ଜୁନ୍ , ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରାୟ ୧୨୨୦ ମି.ମି. ବର୍ଷା ହୁଏ । ବର୍ଷର ହାରାହାରି ତାପମାତ୍ରା ୨୬. ସେଲ୍ ସିଅସ ସ୍ଥଳବିଶେଷ ଉପରେ ନିର୍ଭର କରି ଓଡିଶାର ଭୂଭାଗକୁ ୪ଟି ବିଭାଗରେ ବିଭକ୍ତ କରାଯାଇଛି । ଯଥା : -

  1. ଉତ୍ତରସ୍ଥ ମାଳଭୂମି
  2. କେନ୍ଦ୍ରୀୟ ଉଚ୍ଚଭୂମି
  3. ପୂର୍ବଘାଟ ପାର୍ବତ୍ୟଭୂମି
  4. ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ

ମୃତ୍ତିକା

ଭୂଭାଗରେ ଗ୍ରାନାଇଟ, ପେଗ୍ମାଟାଇଟ, ଖଣ୍ଡୋଲାଇଟ, ଚାର୍ କୋନାଇଟ, ବାଲିପଥର, ପ୍ଳେଟ, ଲାଟେରାଇଟ ପ୍ରଭୃତି ବିଭିନ୍ନ ପ୍ରକାର ଶିଳା ଦେଖିବାକୁ ମିଳେ । ଏଗୁଡ଼ିକର ଅପକ୍ଷୟ ଘଟି ମୂଳଜନକ ପଦାର୍ଥ ସୃଷ୍ଟି ହେବାପରେ ଉଷ୍ଣମଣ୍ଡଳୀୟ ଜଙ୍ଗଲ, ବୃକ୍ଷଲତା ଓ ପ୍ରାଣୀମାନଙ୍କର ପ୍ରଭାବ ଓ ଅନ୍ୟାନ୍ୟ ପ୍ରାକୃତିକ ପରିବେଶର ପ୍ରଭାବରେ ବିଭିନ୍ନ ମୃତ୍ତିକା ସୃଷ୍ଟି ହୋଇଛି । ସେହି ମୃତ୍ତିକା ଗୁଡିକ ହେଲା –

  1. ଲାଲ୍ ମୃତ୍ତିକା
  2. ଏହି ଶ୍ରେଣୀର ମୃତ୍ତିକାରେ ଲୌହ ଅକସାଇଡ କର୍ଦ୍ଦମର ବହୁଳତା ହେତୁ ରଙ୍ଗ ଲାଲ ଦେଖାଯାଏ । ଏଗୁଡିକ ବୟନ ମଧ୍ୟମ, ଦାନାଗଠନ ଦୁର୍ବଳ, ଜଳସାରଣ ଶକ୍ତି, ସ୍ୱଳ୍ପ । ଜୈବିକ ପଦାର୍ଥ ସ୍ୱଳ୍ପରୁ ମଧ୍ୟମ । ପ୍ରତିକ୍ରିୟା ଅମ୍ଳୀୟ । କେଓଲିନାଇଟ ଓ ଲାଲାଇଟ ସହିତ ବହୁଳ ପରିମାଣର ହାଇଡ୍ରସ ଅକସାଇଡ କର୍ଦ୍ଦମ ରହିଥାଏ । ଏଗୁଡ଼ିକର ଫସଲ ଉତ୍ପାଦିକା ଶକ୍ତି କମ୍ । ଧାନ, ମକା, ମାଣ୍ଡିଆ, ମେସ୍ତା, ହରଡ, ଚିନାବାଦାମ ଅଳସୀ, ସୋୟାବିନ, କପା, ସୋରିଷ ପ୍ରଭୃତି ଫସଲ ଚାଷ ପାଇଁ ଏହା ଉପଯୁକ୍ତ । କୋରାପୁଟ, କଳାହାଣ୍ଡି, ଫୁଲବାଣୀ, ସମ୍ବଲପୁର, କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ବିସ୍ତୃତ ଭାବରେ ରହିଛି ।

  3. ଲାଟେରାଇଟ ବା ଗେରୁଆ ମୃତ୍ତିକା
  4. ଲୌହ ଓ ଆଲୁମିନିୟମ ଅକସାଇଡର ବହୁଳତା ହେତୁ ଏଗୁଡ଼ିକର ରଙ୍ଗ ଗେରୁଆ । ପୃଷ୍ଠତଳରୁ ୨ମିଟର ଗଭୀରତା ମଧ୍ୟରେ ମାଙ୍କଡା ପଥର ସ୍ତର ଥାଏ । ଏହି ମାଙ୍କଡା ପଥରକୁ ଖଣ୍ଡ ଖଣ୍ଡ କରି କାଟି ଆଣି ବାହାରେ ରଖିଲେ ତାହା କଠିନ ହୋଇଯାଏ । ଏଗୁଡିକୁ ଘରର କାନ୍ଥ, ଚଟାଣ ନିର୍ମାଣ ପାଇଁ ବ୍ୟବହାର କରାଯାଏ । ଚଟାଣିଆ ଭୂମିରେ ସୃଷ୍ଟି ହୋଇଥିବା ଲାଟେରାଇଟ ମୃତ୍ତିକାଗୁଡିକ ସାଧାରଣତଃ ଅଗଭୀର ।

    ଏହି ମୃତ୍ତିକା ହାଲୁକା ବୟନ ବିଶିଷ୍ଟ । ଶୁଷ୍କ ଓ ଆଂଶିକ ଆର୍ଦ୍ର ଅବସ୍ଥାରେ ହୁଗୁଳା । ଏହାର ଜଳ ଭେଦ୍ୟତା ଖୁବ୍ ଅଧିକ, କିନ୍ତୁ ଜଳ ଧାରଣ ଶକ୍ତି ଖୁବ୍ କମ୍ । ମୃତ୍ତିକାରେ କେଓଲିନାଇଟ ଏବଂ ହାଇଡ୍ରିସ ଅକସାଇଡ କର୍ଦ୍ଦମର ପ୍ରାଧାନ୍ୟ ଦେଖାଯାଏ । ମୃତ୍ତିକା ଗୁଡିକ ମଧ୍ୟଭଳିରୁ ଅଧିକ ଅମ୍ଳୀୟ । ଜୈବ ପଦାର୍ଥ, ଗ୍ରହଣୀୟ ଫସଫରସ୍, କାଲସିଅମ, ମାଗ୍ନେସିୟମ, ମଲିବଡେନିମ୍, ବୋରନ୍ ପ୍ରଭୃତି ଅଭାବ ଥିବାରୁ ଏଗୁଡ଼ିକର ମୋଟାମୋଟି ଉତ୍ପାଦିକା ଶକ୍ତି କମ୍ । ଚୂନଜାତୀୟ ପଦାର୍ଥ , ଜୈବିକ ଖତ ଓ ଯଥେଷ୍ଟ ଫସଫେଟ୍ ସାର ପ୍ରୟୋଗ କରି ଏହାର ଉତ୍ପାଦିକା ଶକ୍ତିର ଉନ୍ନତି ସାଧନ କରାଯାଇପାରେ । ଧାନ, ମୁଗ, ଚଣା, ହରଡ, ଚିନାବାଦାମ, ବିଲାତିଆଳୁ , ମକା, ବାଜରା ପ୍ରଭୃତି ଫସଲ ଚାଷ କରାଯାଏ । ଏହା ଗଞ୍ଜାମ, ପୁରୀ, କଟକ ଓ ଢେଙ୍କାନାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ବିସ୍ତୃତ ଭାବରେ ରହିଛି ।

  5. ଲାଲ୍ – ହଳଦିଆ ମୃତ୍ତିକା
  6. ଉଚ୍ଚ ଗଡାଣିଆ ଭୂମିର ମୃତ୍ତିକା ପାଣ୍ଡରା ଲାଲ ରଙ୍ଗର ଦେଖାଯାଏ । କିନ୍ତୁ ଉପତ୍ୟକା ଭଳି ଭୂମିର ମୃତ୍ତିକା ଗୁଡିକ ହେଲା ହଳଦିଆ – ଲାଲ ଦେଖାଯାଏ । ଆଲୁମିନିୟମ ଗେଙ୍ଗୁଟି ବା ବକସାଇଟ ଗେଙ୍ଗୁଟି ଗୋଡି ମୃତ୍ତିକା ସହିତ ମିଶି ରହିଥିବାର ଦେଖାଯାଏ । ଆର୍ଦ୍ର ଅବସ୍ଥାରେ ମୃତ୍ତିକା ଅଠାଳିଆ ଚିକିଟା । ଉପମୃତ୍ତିକାରେ ଅଧିକ କର୍ଦ୍ଦମ ଥିବାରୁ ମୃତ୍ତିକାର ଜଳଭେଦ୍ୟତା କମ୍ । ଏହି ମୃତ୍ତିକା ଗୁଡିକ ମଧ୍ୟଭଳି ଅମ୍ଳୀୟ । ମୃତ୍ତିକାରେ ଆଲୁମିନିୟମ ଅକସାଇଡ ଓ କେଓଲିନାଇଟ କର୍ଦ୍ଦମର ବହୁଳତା ଦେଖାଯାଏ । ଜୈବିକ ପଦାର୍ଥ କମ୍ ଥାଏ । ତେଣୁ ମୃତ୍ତିକା ଦାନା ଗଠନ ଓ ସଂରଚନା ନିକୃଷ୍ଟ ଧରଣର । ଏହି ପ୍ରକାର ମୃତ୍ତିକାରେ ଫସ୍ ଫରସ୍ , ଗ୍ରହଣୀୟତା କମ ଏବଂ ଉତ୍ପାଦିକା ଶକ୍ତି ମଧ୍ୟ କମ୍ । ଧାନ, ମାଣ୍ଡିଆ, ହରଡ, ଚିନାବାଦାମ, ମୁଗ, ବୁଟ ପ୍ରଭୃତି ଫସଲ ଚାଷ କରାଯାଏ । ସୁନ୍ଦରଗଡ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ଏହି ମୃତ୍ତିକା ଦେଖାଯାଏ । ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ପଶ୍ଚିମାଞ୍ଚଳରେ ମଧ୍ୟ ଏହି ମୃତ୍ତିକା ରହିଛି ।

  7. ତ୍ରିକୋଣ ଭୂମିସ୍ଥ ଅବବାହିକା ମୃତ୍ତିକା
  8. ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ପ୍ରଭୃତି ବଡ ବଡ ନଦୀ ଓ ସେମାନଙ୍କର ଶାଖାନଦୀ ଗୁଡିକର ତ୍ରିକୋଣଭୂମି ଅଞ୍ଚଳରେ ଅବବାହିକା ମୃତ୍ତିକା ଦେଖାଯାଏ । ସମୁଦ୍ର ଉପକୂଳଠାରୁ ୫୦/୬୦ କିଲୋମିଟର ଭିତର ପର୍ଯ୍ୟନ୍ତ ଏହି ମୃତ୍ତିକା ପରିବ୍ୟାପ୍ତ ।

    ନଦୀକୂଳକୁ ଲାଗିଥିବା ଅଞ୍ଚଳରେ ମୃତ୍ତିକା ଗୁଡିକ ସାଧାରଣତଃ ବାଲିଆ, ବାଲି ଦୋରସା ପଟୁ ଦୋରସା ପ୍ରଭୃତି ହାଲୁକା ବୟନ ଶ୍ରେଣୀଭୁକ୍ତ । କିନ୍ତୁ କୂଳଠାରୁ ଅପେକ୍ଷାକୃତ ଦୂରରେ ଅବସ୍ଥିତ ମୃତ୍ତିକା ଗୁଡିକ ପଟୁମଟାଳ, ମଟାଳ ଦୋରସା ବା ମଟାଳ, ବୟନ ଶ୍ରେଣୀଭୁକ୍ତ । ମୃତ୍ତିକାର ରଙ୍ଗ ହାଲୁକା ଧୂସର । ବନ୍ୟା ପ୍ଲାବିତ ମୃତ୍ତିକା ଗୁଡିକରେ ଅଧିକ ଜୈବିକ ପଦାର୍ଥ ଥାଏ । ତେଣୁ ଯବକ୍ଷାରଜାନ, ଫସଫରସ୍, ପଟାସ ପ୍ରଭୃତି ଉପାଦାନ ଫସଲକୁ ସହଜରେ ମିଳିପାରେ । ମୃତ୍ତିକା ଗୁଡିକର ବୟନ ଭେଦରେ ଧାନ, ନଳିତା, ଆଖୁ, ମକା, ମୁଗ, ବିରି, ରାଶି ସୋରିଷ, ଚିନାବାଦାମ, ଆଳୁ ପ୍ରଭୃତି ଅନେକ ପ୍ରକାର ଫସଲ ଚାଷ କରାଯାଇପାରେ ଏବଂ ଭଲ ଉତ୍ପାଦନ ମିଳେ ।

  9. ସମୁଦ୍ର ଉପକୂଳବର୍ତ୍ତୀ ଲବଣାକ୍ତ ମୃତ୍ତିକା
  10. ମୂଳତଃ ଏଗୁଡିକ ଅବବାହିକା ମୃତ୍ତିକା । କିନ୍ତୁ ସମୁଦ୍ର ଲୁଣିପାଣିର ପ୍ରଭାବରୁ ଲବଣାକ୍ତ ମୃତ୍ତିକାରେ ପରିଣତ ହୋଇଛନ୍ତି । ଦ୍ରବୀଭୂତ ଲବଣ ଗୁଡିକ ମଧ୍ୟରେ ସୋଡିୟମ ଓ ମାଗ୍ନେସିଅମ୍ ସଲଫେଟ ଓ କ୍ଳୋରାଇଟ ବହୁଳ ଭାବରେ ଥାଏ । କାଲସିଅମ ଓ ପଟାସିଅମ୍ କ୍ଳୋରାଇଡ ଓ ସଲଫେଟ ଅଳ୍ପମାତ୍ରାରେ ଥାଏ । ଦ୍ରବଣୀୟ ଚୋରେଟ୍ ମଧ୍ୟ ଅଧିକ ମାତ୍ରାରେ ରହିଥାଏ । ଏହି ମୃତ୍ତିକା ଗୁଡିକର ପ୍ରତିକ୍ରିୟା ନିରପେକ୍ଷ କିମ୍ବା ଅମ୍ଳୀୟ ଥିବାର ଦେଖାଯାଏ । ଚିଲିକା ହ୍ରଦ ଉପକୂଳ ଅଞ୍ଚଳରେ କେତେକ ସ୍ଥାନରେ ଲୁଣୀ କ୍ଷାରୀ ମୃତ୍ତିକା ଦେଖାଯାଏ । ବର୍ଷା ଋତୁରେ ଲବଣତା ହ୍ରାସ ପାଏ କିନ୍ତୁ ପୁଣି ଶୀତଦିନେ ଓ ଖରାଦିନେ ଲବଣତା ବୃଦ୍ଧି ପାଏ । ସବୁ ପ୍ରକାର ବୟନ ଥିବା ମୃତ୍ତିକା ସମୁଦ୍ର ଉପକୂଳ ଅଞ୍ଚଳରେ ଦେଖାଯାଏ । ଲୁଣୀ ସହଣି ଶକ୍ତି ଥିବା ଧାନ, ମାଣ୍ଡିଆ, ସୋରିଷ , କୁସୁମୀ, ବିଲାତି ବାଇଗଣ ପ୍ରଭୃତି ଚାଷ କରାଗଲେ ଭଲ ଉତ୍ପାଦନ ମିଳେ ।

  11. କଳାମାଟି
  12. ମୃତ୍ତିକାରେ ମୁକ୍ତ ଚୂନଖଣ୍ଡ ରହିଥାଏ । ମୃତ୍ତିକାର କାଲସିଅମ ପରିପୃକ୍ତତା ଅଧିକ । ତେଣୁ କାଲସିଅମ ହ୍ୟୁମସ୍ ସହିତ ମିଶି କାଲସିଅମ ହ୍ୟୁମେଟ୍ ସୃଷ୍ଟି କରେ ଏବଂ ଏହା ଆବରଣ ଭଳି କର୍ଦ୍ଦମ କଣିକାଗୁଡିକ ଉପରେ ଲାଖି ରହେ । ଏହା ମୃତ୍ତିକାକୁ କଳା ରଙ୍ଗ ପ୍ରଦାନ କରେ ଏବଂ ଦାନାଗଠନ ଓ ସଂରଚନା ଉନ୍ନତ କରେ । ଏହି ମୃତ୍ତିକାଗୁଡିକ ସାମାନ୍ୟ କ୍ଷାରୀୟ । ମୃତ୍ତିକାଗୁଡିକ ମଟାଳ ଦୋରସା ବା ମଟାଳ ଶ୍ରେଣୀର ଏବଂ ମଣ୍ଡମରିଲୋନାଇଟ ବା ସ୍ନେକଟାଇଟ ଜାତୀୟ କର୍ଦ୍ଦମର ବହୁଳତା ଦେଖାଯାଏ। ତେଣୁ ଶୁଷ୍କ ଅବସ୍ଥାରେ ବଡ ବଲ ଫାଟ ସୃଷ୍ଟିହୁଏ । ଜଳ ପରିପୃକ୍ତ ହେଲେ ମୃତ୍ତିକା ବହୁତ ସଂପ୍ରସାରିତ ହୁଏ । ମୃତ୍ତିକାର ଜଳଧାରଣ ଶକ୍ତି ଅଧିକ ଏବଂ ଜଳ ନିଷ୍କାସନ ଶକ୍ତି କମ୍ । ଧନାତ୍ମକ ଆୟନ ବିନିମୟ ଶକ୍ତି ଅଧିକ । ତେଣୁ ଉତ୍ପାଦିକା ଶକ୍ତି ଅଧିକ । ଧାନ, ଗହମ, ଆଖୁ, କପା, ସୋରିଷ, ବୁଟ, ଜୁଆର, ମକା, ପ୍ରଭୃତି ବିଭିନ୍ନ ଫସଲ ଉତ୍ପାଦନ କରାଯାଇପାରେ । କଳାହାଣ୍ଡି ଜିଲ୍ଲାର ଭବାନିପାଟଣା, ଖରିଆର, ବଲାଙ୍ଗିର, ଜିଲ୍ଲାର ଲୋଇସିଙ୍ଗା, ସମ୍ବଲପୁର ଜିଲ୍ଲାର ବିନିକା, କୋରାପୁଟ ଜିଲ୍ଲାର ମାଳାକାନାଗିରି ଓ ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ଅଞ୍ଚଳରେ କଳା ମୃତ୍ତିକା ରହିଛି ।

  13. ମିଶ୍ରିତ ଲାଲ – କଳା ମୃତ୍ତିକା
  14. ଏହି ପ୍ରକାର ମୃତ୍ତିକା ମୁଖ୍ୟତଃ ଲାଲ ମୃତ୍ତିକା ଦୃଷ୍ଟିଗୋଚର ହେଉଥିବା ଅଞ୍ଚଳରେ ନିମ୍ନ ସମତଳ ଭୂମିରେ ସୃଷ୍ଟିହୁଏ । ଉଚ୍ଚଢାଲୁ ଜମିରୁ ଚୂନ ଓ ସୂକ୍ଷ୍ମ କର୍ଦ୍ଦମ ତଥା ହ୍ୟୁମସ୍ ଧୋଇ ହୋଇ ଆସି ନିମ୍ନ ସମତଳ ଭୂମିରେ ଅବକ୍ଷିପ୍ତ ହେବା ଫଳରେ କାଳକ୍ରମେ ଲାଲମିଶା କଳାମାଟି ସୃଷ୍ଟିହୁଏ । ଏହି ମୃତ୍ତିକା ଗୁଡିକ ମୁଖ୍ୟତଃ ମଟାଳ ଦୋରସା ଓ ମଟାଳ ବୟନ ଶ୍ରେଣୀର । ଜୈବିକ ପଦାର୍ଥ ଯଥେଷ୍ଟ ଥାଏ ଏବଂ ପ୍ରତିକ୍ରିୟା ନିରପେକ୍ଷ ରହିଥାଏ । ଧନାତ୍ମକ ଆୟନା ବିନିମୟ ଶକ୍ତି ଏବଂ ଜଳଧାରଣ ଶକ୍ତି ମଧ୍ୟ ଅପେକ୍ଷାକୃତ ଅଧିକ, ଦାନା ଗଠନ ଉନ୍ନତମାନର । କିନ୍ତୁ କଳାମାଟି ଭଳି ଏତେ ବଡ ବଡ ଫାଟ ସୃଷ୍ଟି ହୁଏନାହିଁ । କିମ୍ବା ଆର୍ଦ୍ର ଅବସ୍ଥାରେ ଏତେ ଚିକିଟା ନୁହେଁ । ତେଣୁ ମୃତ୍ତିକା ଗୁଡିକ ବେଶ ଉତ୍ପାଦନକ୍ଷମ । ଧାନ, ମକା, ଆଖୁ, ଜୁଆର, ବାଜରା, ବୁଟ, ମଟର, ସୋରିଷ ରାଶି ଧୂଆଁପତ୍ର କପା, ଲଙ୍କାମରିଚ ପ୍ରଭୃତି ଅନେକ ଫସଲ ପାଇଁ ଏହା ଉପଯୁକ୍ତ । ସମ୍ବଲପୁର ବଲାଙ୍ଗିର କଳାହାଣ୍ଡି, ଗଞ୍ଜାମ, କୋରାପୁଟ, ଫୁଲବାଣୀ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ କେତେକ ଅଞ୍ଚଳରେ ସ୍ଥାନୀୟ ଭାବରେ ଦେଖାଯାଏ ।

  15. ବାଦାମି ଜଙ୍ଗଲ ମୃତ୍ତିକା
  16. ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳରେ ଏହି ପ୍ରକାର ମୃତ୍ତିକା ସୃଷ୍ଟିହୁଏ । ନିୟମିତ ଡାଳପତ୍ର ପଡି ଅପଘଟନ ହୋଇ ପୃଷ୍ଠ ମୃତ୍ତିକାରେ ଜୈବ ଅମ୍ଳ ସୃଷ୍ଟିକରେ । ଜୈବ ଅମ୍ଳ ପ୍ରଭାବରେ ଲୌହ ଦ୍ରବଣୀୟ ହୋଇ ଲୌହ ଅକସାଇଡର ପରିମାଣ ବୃଦ୍ଧିକରେ । ଲୌହ ଅକସାଇଡ ଓ ବିପଚିତ ଜୈବ ପଦାର୍ଥ ମିଶି ମୃତ୍ତିକାକୁ ବାଦାମି ରଙ୍ଗ ପ୍ରଦାନ କରେ । ମୃତ୍ତିକା ଗୁଡିକ ସାଧାରଣତଃ ମଧ୍ୟ ଭଳି ଅମ୍ଳୀୟ । ଜୈବ ପଦାର୍ଥ ଅଧିକ ଥିବାରୁ ଏଗୁଡିକ ହାଲୁକା ଓ ସଛିଦ୍ର । ପାଣି ସହଜେ ନିଗିଡିଯାଏ । ମୃତ୍ତିକା ଗୁଡିକ ସାଧାରଣତଃ ଉର୍ବର । ବୌଦ୍ଧ, ଫୁଲବାଣୀ, ଗଞ୍ଜାମ, ଓ କୋରାପୁଟ, ଜିଲ୍ଲାର ଉଚ୍ଚ ମାଳ ଅଞ୍ଚଳରେ ଏହି ପ୍ରକାର ମୃତ୍ତିକା ଦେଖିବାକୁ ମିଳେ । ଫଳ ଉଦ୍ୟାନ ପାଇଁ ଏହି ମୃତ୍ତିକା ବିଶେଷ ଉପଯୁକ୍ତ । ଅଦା, ହଳଦୀ, ସପୁରୀ, ଗୋଲମରିଚ, କଫି ଅର୍ଥକାରୀ ଫସଲ ମଧ୍ୟ ଲାଭଜନକ ଭାବରେ ଚାଷ କରାଯାଏ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.7
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top