ହୋମ / ଶକ୍ତି / ପରିବେଶ / ଜଙ୍ଗଲ ସଂରକ୍ଷଣ
ସେଆର କରନ୍ତୁ

ଜଙ୍ଗଲ ସଂରକ୍ଷଣ

ଜଙ୍ଗଲ କିପରି ସଂରକ୍ଷଣ କରିପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଜଙ୍ଗଲ ସମ୍ପଦ କହିଲେ ଆମ୍ଭେ ଆମ ଚାରିପଟେ ଦେଖାଯାଉଥିବା ସଂରକ୍ଷିତ ଓ ଅସଂରକ୍ଷିତ ବଣବୁଦା ଓ ଜଙ୍ଗଲକୁ ବୁଝିଥାଉ । ଏକଦା ମଣିଷ ଅନ୍ୟ ବନ୍ୟପ୍ରାଣୀଙ୍କ ପରି ଜଙ୍ଗଲରେ ବାସ କରୁଥିଲା। କାଳକ୍ରମେ ସେ ଏକ ସାମାଜିକ ପ୍ରାଣୀ ଭାବରେ ସମାଜ ଗଠନ କରି ବସତି ସ୍ଥାପନ କଲା । କେତେକ ଜଙ୍ଗଲୀ ବୃକ୍ଷଲତାକୁ ଉପଯୋଗୀ ଭାବି ସେଗୁଡ଼ିକର ଚାଷବାସ କଲା ଓ ବନ୍ୟପ୍ରାଣୀଙ୍କୁ ଗୁହପାଳିତ ପଶୁଭାବେ ରଖିଲା । ଏହାସରେ ମଣିଷ ସବୁବେଳେ ଜଙ୍ଗଲ ଉପରେ ନିର୍ଭର କରି ସେଥିରୁ ବିଭିନ୍ନ ପ୍ରକାରର ଦ୍ରବ୍ୟ, ଯଥା- କାଠ, ପତ୍ର, ଫଳ, ମୂଳ, ଫୁଲ, ଔଷଧ, ପଶୁ, ପକ୍ଷୀ ଇତ୍ୟାଦି ସଂଗ୍ରହ କରି ନିଜର ଆବଶ୍ୟକତା ମେଣ୍ଟାଇ ପାରିଲା । ଆଜି ମଧ୍ୟ ଦେଶର ଲକ୍ଷ ଲକ୍ଷ ଲୋକ ବିଶେଷତଃ ଆଦିବାସୀମାନେ ଜଙ୍ଗଲ ମଧ୍ୟରେ ଓ ଜଙ୍ଗଲତଳି ଅଞ୍ଚଳରେ ବାସ କରି ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି । ତେଣୁ ଜଙ୍ଗଲ ଆମର ଏକ ଗୁରୁତ୍ଵପୂର୍ଣ୍ଣ ସମ୍ପଦ ବୋଲି ପରିଗଣିତ । ଜଙ୍ଗଲ ହେଉଛି ଜୈବବିବିଧତାର ଏକ ପ୍ରମୁଖ ଉତ୍ସ । ଜୈବବିବିଧତା କହିଲେ ସାଧାରଣତଃ ଗୋଟିଏ ସ୍ଥାନରେ ବାସ କରୁଥିବା ସମସ୍ତ ପ୍ରକାରର ପ୍ରାଣୀ, ଉଦ୍ଭିଦ ଓ ଅଣୁଜୀବଙ୍କୁ ବୁଝାଇଥାଏ। ଜଙ୍ଗଲ ପରିବେଶରେ ଅପେକ୍ଷାକୃତ କମ୍ ଜାଗାରେ ଅନେକ ପ୍ରକାରର ଜୀବଜନ୍ତୁ ଓ ବୃକ୍ଷଲତା ଦେଖାଯାଇଥାନ୍ତି । କିନ୍ତୁ ଆମର କାର୍ଯ୍ୟକଳାପ ହେତୁ ଜଙ୍ଗଲ ଅତି ଦ୍ରୁତ ଗତିରେ କ୍ଷୟ ହେବାରେ ଲାଗିଛି ଏବଂ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ହ୍ରାସ ପାଉଛି । କଳକାରଖାନା, ରାସ୍ତାଘାଟ, ରେଳ ଲାଇନ, ଜନବସତି ଓ ଚାଷପାଇଁ ଜଙ୍ଗଲ ସଫା ହେବା ଦ୍ଵାରା ବଡ ବଡ଼ ଘଞ୍ଚ ଜଙ୍ଗଲ ଖଣ୍ଡ ବିଖଣ୍ଡିତ ହେଉଛି । ଫଳତଃ କେତେକ ପ୍ରାଣୀ ଯଥା- ଚିତାବାଘ (Cheetah), ବଣୁଆ,ଗଧ, କସ୍ତୁରୀମୃଗ, ଚିଲ ଇତ୍ୟାଦି ପୃଥିବୀପୃଷ୍ଠରୁ ଲୋପ ପାଇବାକୁ ବସିଲେଣି । ସେହିପରି ଅନେକ ପ୍ରକାରର ଔଷଧୀୟ ଗୁଳ୍ମ ଓ ବୃକ୍ଷଲତା ଏବଂ ଅନ୍ୟ ଗଛ ମଧ୍ୟ କ୍ରମଶଃ ଜଙ୍ଗଲରୁ ହଜି ଗଲେଣି । ଏହି ପରିବେଶରେ ବହୁ ଅବାଞ୍ଛିତ ପରିବର୍ତ୍ତନର କାରଣ ହୋଇପଡ଼ିଛି । ଏଥିପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ଆମ ପାଇଁ ଏକ ଆହ୍ଵାନରୂପେ ଦେଖାଦେଇଛି ।

କେଉଁ ଜଙ୍ଗଲରେ କେଉଁ ପ୍ରକାରର ବୃକ୍ଷଲତା ଦେଖାଯିବ ତାହା ସେଠାକାର ମୃତ୍ତିକା, ବୃଷ୍ଟିପାତ, ଜଳବାୟୁ ଓ ସାମଗ୍ରିକ ପରିବେଶ ଦ୍ଵାରା ନିର୍ବାରିତ ହୋଇଥାଏ/ ଘନତା ଓ ଅନୁକୂଳ ପରିବେଶ ହେତୁ ଜଙ୍ଗଲରେ ଅନେକ ପ୍ରକାରର ବନ୍ୟଜନ୍ତୁ ବାସ କରିଥାନ୍ତି । ସେମାନଙ୍କ ସଂଖ୍ୟା, ଖାଦ୍ୟଶୃଙ୍ଖଳ ଓ ଖାଦ୍ୟ ଜାଳି ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

ସହର, ଗ୍ରାମାଞ୍ଚଳ ଓ ଜଙ୍ଗଲରେ ବସବାସ କରୁଥିବା ଲୋକମାନେ ଜଙ୍ଗଲ ଉପରେ ସମପରିମାଣରେ ନିର୍ଭରଶୀଳ ନୁହନ୍ତି, କିନ୍ତୁ ଏମାନଙ୍କୁ ଜଙ୍ଗଲ ସମ୍ପଦର ଅଂଶୀଦାର ଭାବରେ ପରିଗଣିତ କରାଯାଏ । ଏହା ବ୍ୟତୀତ ଜଙ୍ଗଲ  ସମ୍ପଦର ଅନ୍ୟ କେତେକ ଅଂଶୀଦାର ମଧ୍ୟ ରହିଛନ୍ତି । ଯଥା- ଜଙ୍ଗଲ ବିଭାଗ, ପ୍ରକୃତିପ୍ରେମୀ ଓ ଶିଳ୍ପପତି ।

ଆଦିବାସୀ ଓ ସହର ତଳି ଅଞ୍ଚଳର ଗାଁମାନଙ୍କରେ ବାସ କରୁଥିବା ଲୋକମାନେ ଜଙ୍ଗଲ ଉପରେ ବିଶେଷଭାବେ ନିର୍ଭରଶୀଳ । ଏମାନେ ଜଙ୍ଗଲରୁ ଖାଦ୍ୟ, କାଠ, ପତ୍ର, ଜଙ୍ଗଲଜାତ ଫଳ, ଫୁଲ, ମହୁ, ଝୁଣା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ପାଇଁ ଚାରା ଇତ୍ୟାଦି ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ସେମାନଙ୍କ ଘର ତିଆରି ପାଇଁ ଦରକାର ପ୍ରାୟ ସମସ୍ତ ଉପାଦାନ, ଔଷଧୀୟ ଗୁଳ୍ମ ଓ ପଶୁମାନଙ୍କ ମାଂସ ମଧ୍ୟ ସେମାନେ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ।

ସହରବାସୀମାନେ ପରୋକ୍ଷ ଭାବରେ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟଦ୍ଵାରା ଉପକୃତ ହୋଇଥାନ୍ତି । ଏମାନେ ଜଙ୍ଗଲରୁ ସଂଗୃହୀତ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଔଷଧ ବ୍ୟବହାର କରିଥାନ୍ତି ଓ କାଠରେ ନିଜ ଘରର କବାଟ, ଝରକା ଓ ଆସବାବପତ୍ର ଆଦି ତିଆରି କରିଥାନ୍ତି । ଫଳରେ ଦିନକୁ ଦିନ ଜଙ୍ଗଲ ସମ୍ପଦ କ୍ରମଶଃ ସଙ୍କୁଚିତ ହେଉଛି ଓ ମୁଣ୍ଡପିଛା ଜଙ୍ଗଲର ଆୟତନ କମିବାରେ ଲାଗିଛି । ଅନେକ ଅଞ୍ଚଳରେ ଜଙ୍ଗଲ ସଫା ହୋଇଯିବା ପରେ ସେହି ଜାଗାରେ ଶାଗୁଆନ, ଫାସି, ଇଉକାଲିପଟାସ୍ ଭଳି ଏକା ପ୍ରକାରର ବୃକ୍ଷରୋପଣ କରାଯିବା ଦ୍ଵାରା ଜୈବବିବିଧତା ହ୍ରାସ ପାଇବା ସହ ଜଙ୍ଗଲ ପରିସଂସ୍ଥାର କ୍ଷତି ଘଟୁଛି ଓ ମୁଭିକାର ମାନ ମଧ୍ୟ କମିଯାଉଛି । ମୃତ୍ତିକାରେ ଥିବା ଅଗଣିତ ଅଣୁଜୀବ ଓ ପ୍ରାଣୀ ଜୀବଜଗତରୁ ମରିହଜି ଯାଉଛନ୍ତି ।

ଜଙ୍ଗଲ ବିଭାଗ ଜଙ୍ଗଲ ସମ୍ପଦର ମାଲିକଭାବେ ଏହାକୁ ନିୟନ୍ତ୍ରଣ କରିଥାଏ । ଜଙ୍ଗଲର ସୁରକ୍ଷା ପାଇଁ ବନବାସୀମାନଙ୍କ ଦ୍ଵାରା ଗତାନୁଗତିକ ଭାବରେ ଜଙ୍ଗଲ ସମ୍ପଦର ବ୍ୟବହାରକୁ ସୀମିତ ରଖିବାକୁ ବିଭାଗ ତରଫରୁ ଚେଷ୍ଟା କରାଯାଉଛି । କିନ୍ତୁ ଜଙ୍ଗଲର ଅଧିବାସୀମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ଏବଂ ଦୈନନ୍ଦିନ ଜୀବନ ଅନେକାଂଶରେ ଜଙ୍ଗଲ ଦ୍ଵାରା ପ୍ରଭାବିତ ହୋଇଥାଏ । ସେମାନଙ୍କୁ ବିକଳ୍ପ ଆୟର ପକ୍କା ନ ଯୋଗାଇ ଜଙ୍ଗଲରେ ସେମାନଙ୍କ ପ୍ରବେଶ ଓ ଜଙ୍ଗଲଜାତ ପଦାର୍ଥର ସଂଗ୍ରହ ବନ୍ଦ କରିଦେଲେ ବହୁ ଅସୁବିଧା ହେବ । ଅନ୍ୟ ପକ୍ଷରେ ଜଙ୍ଗଲ ବିଭାଗ ବନବାସୀମାନଙ୍କୁ ଜଙ୍ଗଲ ସମ୍ପଦର ଭାଗୀଦାର ଭାବେ ବିବେଚନା କରି ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ସମ୍ପଦର ଉନ୍ନତି ଘଟାଇଲେ ତାହା ଦୀର୍ଘମିଆଦୀ ସୂତ୍ରରେ ଫଳପ୍ରଦ ହୋଇପାରିବ।

ବହୁ ଶିଳ୍ପ ସଂସ୍ଥାରେ ଜଙ୍ଗଲଜାତ ପଦାର୍ଥକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଅନେକ ପ୍ରକାରର ବ୍ୟବହାରଯୋଗ୍ୟ ପଦାର୍ଥ ଉତ୍ପାଦନ କରାଯାଉଛି । କାଗଜ, କାଠ, ଖେଳ ଉପକରଣ ଓ କବିରାଜୀ ଔଷଧ ପ୍ରସ୍ତୁତ  କରୁଥିବା ଶିଳ୍ପସଂସ୍ଥାଗୁଡ଼ିକ ଜଙ୍ଗଲଜାତ କଞ୍ଚାମାଲ ବ୍ୟବହାର କରିଥାନ୍ତି । ଫଳରେ ଜଙ୍ଗଲ ସମ୍ପଦର ଦ୍ରୁତକ୍ଷୟ ଘଟୁଛି ।

ପ୍ରକୃତିପ୍ରେମୀ ଓ ସମାଜ ପାଇଁ କାମ କରୁଥିବା ଶ୍ଵେଚ୍ଛାସେବୀମାନଙ୍କର ପ୍ରଚେଷ୍ଟା ଫଳରେ ଜଙ୍ଗଲ ସଂରକ୍ଷଣ ଓ ନୂତନ ପ୍ରାକୃତିକ ଜଙ୍ଗଲ ସୃଷ୍ଟି କେତେକାଂଶରେ ଫଳପ୍ରଦ ହେଉଛି । ଜନସଚେତନତା ଓ ସରକାରୀ ଭଦ୍ୟମ ମାଧ୍ୟମରେ ଏମାନେ ଅନେକ ପ୍ରକାରର ଲୁପ୍ତପ୍ରାୟ ପ୍ରାଣୀ ଓ ଭର୍ଜିବର ସଂରକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହିତ ଆରମ୍ଭ କରିପାରିଛନ୍ତି । ଏହି ଉଦ୍ୟମ ମଧ୍ୟରୁ ଗନ୍ଧମାର୍ଦ୍ଦନ ସୁରକ୍ଷା, କାଜିରଙ୍ଗା ଗଣ୍ଡା, ଚିଲିକାରେ ଚଢ଼େଇ ସୁରକ୍ଷା ଅନ୍ୟତମ ।

ଜଙ୍ଗଲ ସମ୍ପଦର ଅବକ୍ଷୟ ଓ ସଂକୋଚନ ପାଇଁ ଅନେକ କ୍ଷେତ୍ରରେ ଆଦିବାସୀ ଓ ଜଙ୍ଗଲତଳି ଅଞ୍ଚଳରେ ବସବାସ କରୁଥିବାଲୋକମାନଙ୍କୁ ମୁଖ୍ୟତଃ ଦାୟୀ କରାଯାଉଛି । ସେଥ୍ ପାଇଁ ସେମାନଙ୍କୁ ଜଙ୍ଗଲରୁ ଗଛ କାଟିବା, ଶିକାର କରିବା ଓ ଜଙ୍ଗଲରେ ସେମାନଙ୍କ ରୂହପାଳିତ ପଶୁମାନଙ୍କୁ ଚରାଇବାକୁ ପ୍ରାୟତଃ ବାରଣ କରାଯାଇଛି । କିନ୍ତୁ ଆମ୍ଭେ ସମସ୍ତେ ଏହି ପ୍ରାକୃତିକ ସମ୍ପଦର କ୍ଷୟ ପାଇଁ ସମଭାବରେ ଦାୟୀ / ପ୍ରତ୍ୟକ୍ଷ ଭାବରେ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରୁଥିବା ଲୋକଙ୍କୁ ସଂରକ୍ଷିତ ଜଙ୍ଗଲରେ ପଶିବାକୁ ବାରଣ କଲେ ସମସ୍ୟାର ସମାଧ୍ୟାନ ହୋଇପାରିବ ନାହିଁ। ବରଂ ଏହାଦ୍ଵାରା ସେମାନଙ୍କର ଆର୍ଥିକ ସ୍ଥିତି ଭୁ ଶୁଡ଼ି ପଡ଼ିବ ଓ ନିଜର ପେଟ ପୋଷିବାପାଇଁ ସେମାନେ କୌଣସି ଆଇନ କାନୁନ ନ ମାନି ଜଙ୍ଗଲ ସମ୍ପଦର ବ୍ୟବହାର କରିବେ । ଅନ୍ୟପକ୍ଷରେ ସେମାନଙ୍କୁ ସାମିଲ କରି ଓ ଜଙ୍ଗଲ ସଂରକ୍ଷଣ ଦ୍ଵାରା ହେଉଥ‌ିବା ଲାଭାଶରୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରି ଜଙ୍ଗଲ ସମ୍ପଦର ସୁପରିଚାଳନା ଓ ଦୀର୍ଘମିଆଦୀ ସଂରକ୍ଷଣ କରାଯାଇପାରିବ । ଏଥ‌ିପାଇଁ ଭାରତ ସରକାରଙ୍କ ସାମାଜିକ ବନ ପ୍ରକଳ୍ପ ଓ ଯୁଗ୍ମ ଜଙ୍ଗଲର ପରିଚାଳନା ଆଦି ଯୋଜନା ରହିଛି।

ସାମାଜିକ ବନ ପ୍ରକଳ୍ପ

ଅଶୀ ଦଶକରେ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା। ଅଣ ଜଙ୍ଗଲ ଜମିରେ ଜନସାଧାରଣଙ୍କ ସହଯୋଗରେ ସାମାଜିକ ବନ ସୃଷ୍ଟି କରିବା । ଏହି ପ୍ରକଳ ସାହାଯ୍ୟରେ ରାସ୍ତାକଡ଼, କେନାଲ୍ ଓ ନଦୀବନ୍ଧ, ନଦୀପଠାରେ ଥିବା ସରକାରୀ ଜମି, ଅନାବାଦୀ ଏବଂ ଗୋଚର ଜମିରେ  ଚାରାରୋପଣ କରାଯାଇ ବନସ୍ତୁଷ୍ଟି କରାଯାଇପାରିଛି। ଏପରିକି ବିନା ମୁଲ୍ୟରେ ଲୋକମାନଙ୍କୁ ଜଙ୍ଗଲ ବିଭାଗ ଦ୍ଵାରା ଚାରା ଯୋଗାଇ ଦିଆଯାଇ ସେମାନଙ୍କର ନିଜ ଜମିରେ ଗଛ ଲଗାଇବା ଓ ବନସ୍ତୁଷ୍ଟି କରିବାପାଇଁ ପ୍ରୋସ୍ଥା ହିତ କରାଯାଇପାରିଛି। ସାମାଜିକ ବନ ପ୍ରକଳ୍ପ ଦ୍ଵାରା ଆଶାନୁରୂପ ସଫଳତା ମିଳି ନ ଥିଲେ ମଧ୍ୟ ଏହାଦ୍ଵାରା ବୃକ୍ଷରୋପଣ ଓ ଅଣଜଙ୍ଗଲ ଜମିରେ ଜଙ୍ଗଲ ସୃଷ୍ଟିକରିବା ପାଇଁ ଜନସଚେତନତା ବୃଦ୍ଧି ପାଇଛି । ଏହି ପ୍ରକଳ୍ପର ସୁଫଳ ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନ ହତାରେ ଓ ରାସ୍ତା କଡ଼ରେ ବୃକ୍ଷରୋପଣୀ ଏବଂ କେନାଲ ବନ୍ଧରେ ନଡି଼ଆ ଗଛ ରୋପଣ ଭାବରେ ଦେଖିବାକୁ ମିଳୁଛି।

ଯୁଗ୍ମ ଜଙ୍ଗଲ ପରିଚାଳନା

ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରାଯାଇଛି । ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଜଙ୍ଗଲ ପରିଚାଳନା ଯୋଜନାରେ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଅଂଶୀଦାରମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି ! ସେମାନଙ୍କର ଅଧିକାରକୁ ଅସ୍ପୃଶ ରଖିବା ସହିତ ସେମାନଙ୍କ ଜରିଆରେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ସେଥିପାଇଁ ସଂରକ୍ଷିତ ଜଙ୍ଗଲଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା ଗଠନ କରାଯାଇ ସେଥିରେ ଗ୍ରାମବାସୀମାନଙ୍କ ଦ୍ଵାରା ମନୋନୀତ ପାଞ୍ଚରୁ ଦଶଜଣ ଲୋକଙ୍କୁ ସଭ୍ୟ ଭାବେ ନିଆଯାଉଛି। ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ, ସଂଗ୍ରହ ଓ ଶୁଳ୍କ ଆଦାୟ ଇତ୍ୟାଦି କ୍ଷେତ୍ରରେ ଜଡିତ କରାଯାଉଛି । ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେ ସଙ୍ଗେ ସେମାନଙ୍କର ସାମୁହିକ ଉନ୍ନତି ପାଇଁ ସେଠାକାର ଜଙ୍ଗଲରୁ ଲଢ଼ ଶୁକ୍କର ଏକ ଅଂଶ ଖର୍ଚ୍ଚ କରାଯାଉଛି । ଫଳରେ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ବନ୍ୟପ୍ରାଣୀ ସଂରକ୍ଷଣ

ଘଞ୍ଚ ଜଙ୍ଗଲର ଅଭାବ, ପରିସ୍ଥାନ ବିଖଣ୍ଡୀକରଣ, ଜଙ୍ଗଲ ସମ୍ପଦର ଅବକ୍ଷୟ ଓ ଆମର ଅତ୍ୟଧିକ ହସ୍ତକ୍ଷେପ ହେତୁ ଅନେକ ପ୍ରକାରର ଉପକାରୀ ପ୍ରାଣୀ ଓ ଉଦ୍ଭିଦ ପୃଥିବୀ ପୃଷ୍ଠରୁ ଅପସରି ଗଲେଣି । ଆହୁରି ଅନେକ ବର୍ତ୍ତମାନ ଅସୁରକ୍ଷିତ ଓ ଲୁପ୍ତପ୍ରାୟ ଅବସ୍ଥାରେ ରହିଛନ୍ତି । ତେଣୁ ସେମାନଙ୍କର ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି ।  ଏଥିପାଇଁ International Union for Conservation of Nature and Natural Resources — IUCN ନାମକ ଏକ ଆନ୍ତର୍ଜାତୀୟ ସଂସ୍ଥା ଗଠିତ ହୋଇଛି । ଏହି ସଂସ୍ଥା ବିପନ୍ନ ଜାତି (Threatened Species)ର ବନ୍ୟଜୀବଙ୍କୁ ନିମ୍ନୋକ୍ତ ବର୍ଗରେ ବିଭକ୍ତ କରିଛନ୍ତି :

  1. ବିଲୁପ୍ତ ଜାତି (Extinct species):
  2. ଏହି ଜୀବମାନେ ଅନ୍ୟୂନ 50 ବର୍ଷ ହେଲା ଅଦୃଶ୍ୟ ହୋଇଯାଇଛନ୍ତି ଓ ଏମାନେ ପୃଥିବୀପୃଷ୍ଠରୁ ଅପସରି ଗଲେଣି ବୋଲି ବିଚାର କରାଯାଉଛି । ଭାରତର ଚିତାବାଘ ଟାସମାନିଆ ବାଘ, ପାହାଡ଼ୀ ଛେଳି, ମେରୁ ଅଞ୍ଚଳର ବାଘ ଆଦି ଏହାର ଅନ୍ତର୍ଭୁକ୍ତ । ତାଛଡ଼ା ଭାରତ ମହାସାଗରର ମରିସସ ଦ୍ଵୀପରେ ଦେଖାଯାଉଥିବା ପକ୍ଷୀ ଡୋଡୋ ନିକଟ ଅତୀତରେ ଲୋପ ପାଇଯାଇଛି । ସେହିପରି ବିରାଟ ବକ୍ରଦନ୍ତ ଯୁକ୍ତ ଲୋମଶ ହସ୍ତୀ ବା ମାମଥା ପରି ବହୁ ଜୀବ ବିଲୁପ୍ତ ହୋଇଯାଇଛନ୍ତି ।

  3. ଲୁପ୍ତପ୍ରାୟ ଜାତି (Endangered species):
  4. ଏହି ଜୀବମାନଙ୍କର ସଂଖ୍ୟା ଅତି ମାତ୍ରାରେ କମିଗଲାଣି ଓ ନିକଟ ଭବିଷ୍ୟତରେ ଏମାନେ ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବୃହତକାୟ ପାଣ୍ଡା, ଦୁଇ ଶିଙ୍ଗବିଶିଷ୍ଟ ଗଣ୍ଡା , ପାତାଳ ଗରୁଡ଼ ଗଛ, କମଣ୍ଡଳୁ ଗଛ, ପିଚର ଗଛ, ଏକ ଶିଙ୍ଗବିଶିଷ୍ଟ ଗଣ୍ଡା ଓ ଗ୍ରେଟ୍ ଇଣ୍ଡିଆନ୍ ବୁଷ୍ଟାର୍ଡ୍ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ ।

  5. ଅସୁରକ୍ଷିତ ଜାତି (Vulnerable species):
  6. ଏହି ଜୀବମାନଙ୍କର ଶିକାର ଓ ବ୍ୟବହାର ଅତି ମାତ୍ରାରେ ହେଉଥିବାରୁ ଏବଂ ଏମାନଙ୍କର ସଂରକ୍ଷଣ ପାଇଁ କୌଣସି ବିଶେଷ ପଦକ୍ଷେପ ନିଆଯାଉ ନଥିବାରୁ ଏହି ଜାତିମାନଙ୍କୁ ଅସୁରକ୍ଷିତ ବା ଭେଦ୍ୟ ଜାତି ବୋଲି କୁହାଯାଉଛି । ଏହି ଜାତିମାନେ ଭବିଷ୍ୟତରେ ବିଲୁପ୍ତ ହେବାର ଆଶଂକା ସୃଷ୍ଟି ହୋଇଛି । ଅନେକ ପ୍ରକାରର ଔଷଧୀୟ ଗୁଳ୍ମ, ସରୀସୃପ ଓ ତୃଣଭୋଜୀ ପ୍ରାଣୀ ଏହାର ଅନ୍ତର୍ଭୁକ୍ତ ।

  7. ଦୁର୍ଲଭ ଜାତି (Rare species):
  8. ଏହି ଜାତିର ଖୁବ କମ୍ ସଂଖ୍ୟକ ଜୀବ ପୃଥିବୀପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ରହିଛନ୍ତି । ଏମାନଙ୍କର ସଂଖ୍ୟା ବୃଦ୍ଧି ଅତି ମନ୍ଥର ଗତିରେ ହେଉଥିବାରୁ ଏମାନଙ୍କର ସଂରକ୍ଷଣ ପାଇଁ ବିଶେଷ ପ୍ରକାର ପଦକ୍ଷେପ ଦରକାର । ସାରା ପୃଥିବୀରେ କେବଳ ଆସାମର ମାନସ ଜାତୀୟ ଉଦ୍ୟାନରେ ଦେଖାଯାଉଥିବା ସୁବର୍ଣ୍ଣ ମର୍କଟ ଏହାର ଏକ ଉଦାହରଣ ।

  9. କମ୍ ଜଣାଥିବା ଜାତି (Insufficiently known species):
  10. ଏହି ଜାତିର ଜୀବମାନେ ମାନବ ସମାଜଠାରୁ ବହୁତ ଦୂରରେ ଥିବାର ଆଶଙ୍କା କରାଯାଏ । ଗଭୀର ସମୁଦ୍ରରେ ଏବଂ ମଣିଷଅପହଞ୍ଚ ଦ୍ଵୀପଗୁଡ଼ିକରେ ଥିବା ଜୀବଜନ୍ତୁ ଓ ବୃକ୍ଷରାଜି ଏହାର ଅନ୍ତର୍ଭୁକ୍ତ ।

ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଆଇନକାନୁନ ଓ ଅନ୍ୟାନ୍ୟ ବ୍ୟବସ୍ଥା

1966 ମସିହାରୁ ଆଇ.ୟୁ.ସି.ଏନ. ତରଫରୁ ବିପନ୍ନ ଜାତିମାନଙ୍କର ଏକ ଚିଠା ପୁସ୍ତକ ‘ରେଡ୍ ଡାଟା ବୁକ୍’ (Red Data Book ) ଆକାରରେ ପ୍ରସ୍ତୁତ  କରାଯାଇ ପୃଥିବୀର ସବୁ ଦେଶକୁ ଯୋଗାଇ ଦିଆଯାଇଛି । ଏହାକୁ ଆଧାରକରି ଜୀବଜାତିମାନଙ୍କର  ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଉଦ୍ୟମ କରାଯାଉଛି । ଏଥିପାଇଁ ଆଇନ କାନୁନ ମଧ୍ୟ ପ୍ରଣୟନ କରାଯାଇଛି । ଜନସାଧାରଣଙ୍କ ସଚେତନତା ତଥା ପ୍ରଚେଷ୍ଟା ଓ ଅଂଶୀଦାରମାନଙ୍କ ଉଦ୍ୟମ ତଥା ଦାୟିତ୍ଵବୋଧ ଦ୍ଵାରା  ହିଁ ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ସମ୍ଭବ ।

ଜଙ୍ଗଲ ସମ୍ପଦର ସୁରକ୍ଷା ଓ ଜନହିତରେ ଏହାର ସକାରାତ୍ମକ ବ୍ୟବହାର ପାଇଁ ଆମଦେଶରେ 1927 ମସିହାରେ ଜଙ୍ଗଲ ଆଇନ (Forest Act ) ଓ 1988ରେ  ଜାତୀୟ ଜଙ୍ଗଲ ନୀତି (National Forest Policy) ପ୍ରଣୟନ କରାଯାଇଛି । ଏହାବ୍ୟତୀତ 1972 ମସିହାରେ ବନ୍ୟଜୀବ ସୁରକ୍ଷା ଆଇନ  (Wildlife Protection Act) ପ୍ରଣୟନ କରାଯାଇ 1991 ମସିହାରେ ଏହାର ସଂଶୋଧନ କରାଯାଇଛି । ଏହି ଆଇନ ଅନୁସାରେ ବନ୍ୟଜନ୍ତୁ ଶିକାର ନକରିବା, ବନ୍ୟଜୀବମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଓ ବନ୍ୟଜନ୍ତୁଙ୍କୁ ଜୀବିତ ଅବସ୍ଥାରେ ଧରିବା ବା ତାଙ୍କୁ ଶିକାର କଲେ ଦଣ୍ଡବିଧ୍ୟାନର ବ୍ୟବସ୍ଥା ରହିଛି । 2004 ମସିହାରେ ଭାରତ ସରକାର ଜୈବବିବିଧତା ସଂରକ୍ଷଣ ପାଇଁ ଜାତୀୟ ଜୈବବିବିଧତା  ଆଇନ (National Biodiversity Act) ପ୍ରଣୟନ କରିଛନ୍ତି । ଏହି ଆଇନରେ ଜୈବବିବିଧତାର ସଂରକ୍ଷଣ ସହିତ ପରିସ୍ଥାନ (Habitat) ସଂରକ୍ଷଣ ଓ କୃଷିବିବିଧତା (Agrobiodiversity) ସଂରକ୍ଷଣର ବ୍ୟବସ୍ଥା ରହିଛି । ତା’ ଛଡା ଜାତୀୟ ଉଦ୍ୟାନ (National Park ), (Botanic Garden),ଚିଡ଼ିଆଖାନା (Zoo), ପ୍ରାଣୀ ଉଦ୍ୟାନ  (Animal Park), ଅଭୟାରଣ୍ୟ (Sanctuary) ଓ ସଂରକ୍ଷିତ ଜୀବମଣ୍ଡଳ (Biosphere Reserve) ଆଦି ମାଧ୍ୟମରେ ଜୈବବିବିଧତା ସଂରକ୍ଷଣର ବ୍ୟବସ୍ଥା ମଧ୍ୟ ରହିଛି

ଆମ ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତର କନିକା ଏକ ଜାତୀୟ ଉଦ୍ୟାନ, ଏହାକୁ ସଂରକ୍ଷିତ ଜୀବମଣ୍ଡଳ କରିବାର ପ୍ରସ୍ତାବ ରହିଛି । ଏଠାରେ କୁମ୍ଭୀର ସଂରକ୍ଷଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବା ସଙ୍ଗେ ସଙ୍ଗେ ବିଭିନ୍ନ ଜାତିର ଚଢ଼େଇମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ସ୍ନାନ ଭାବରେ ପରିଗଣିତ ହୋଇଛି । ସେହିପରି ପରିବ୍ରାଜୀ ବିଦେଶୀ ପକ୍ଷୀମାନଙ୍କ ସମାଗମ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଚିଲିକାର ନଳବଣ ଅଞ୍ଚଳକୁ ଏକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ ଓ ଏକ ସଂରକ୍ଷିତ ଜୀବମଣ୍ଡଳ ଭାବରେ ଚିହ୍ନିତ ହୋଇଛି ।

ରାଜ୍ୟ ବାହାରେ ମଧ୍ୟ ଅନେକ ସ୍ଥାନ ବନ୍ୟଜନ୍ତୁ ସଂରକ୍ଷଣ ନିମିତ୍ତ ସୁରକ୍ଷିତ ହୋଇଛି | ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ସୁନ୍ଦରବନ (ମହାବଳ ବାଘ ସଂରକ୍ଷଣ), ଆସାମର କାଜିରଙ୍ଗା (ଗଣ୍ଡା ସଂରକ୍ଷଣ), ଗୁଜୁରାଟର ଭରତପୁର (ଚଢ଼େଇ ସଂରକ୍ଷଣ) ଓ ଉତ୍ତର ପ୍ରଦେଶର କରେ ବଟ୍ ଜାତୀୟ ଉଦ୍ୟାନ (ବାଘ ସଂରକ୍ଷଣ) ଅନ୍ୟତମ |

ଜାତୀୟ ସ୍ତରରେ ବନ୍ୟଜୀବ ସମିତି (National Wildlife Committee), ଭାରତୀୟ ବନ୍ୟଜୀବ ପରିଷଦ (Indian Board of Wildlife), ଜାତୀୟ ଜୈବବିବିଧତା ପରିଷଦ (National Biodiveristy Board), ଓ ବିଶ୍ଵ ବନ୍ୟଜୀବ ପାଣ୍ଠି  (World Wildlife Fund), ଇତ୍ୟାଦି ସଂସ୍ଥା ବନ୍ୟ ସମ୍ପଦ ଓ ବନ୍ୟଜନ୍ତୁ ସଂରକ୍ଷଣ କରିବାପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଉଛନ୍ତି ।

ବନ୍ୟ ସମ୍ପଦ ପରିଚାଳନାରେ ଜନସାଧାରଣଙ୍କ ଭୂମିକା

ଜନସାଧାରଣାଙ୍କ ଧାରଣା, ଜୋଯ ଜଙ୍ଗଲ ସମ୍ପଦ କେବଳ ସରକାରଙ୍କର ଓ ଏଥିରେ ସେମାନଙ୍କର କୌଣସି ଅଧିକାର ନାହିଁ। କିନ୍ତୁ ଜନଚେତନା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରାୟତଃ ଅସମ୍ଭବ । ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ବିଶ୍ଵ ଜଳବାୟୁ ତଥା ସ୍ଥାନୀୟ ଜଳବାୟୁରେ କେଉଁସବୁ । ପରିବର୍ତ୍ତନ ହେବ ଓ ତାହା ଆମର ଜୀବନଧାରାକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ । ଏଠାରେ ବିଗତ ବର୍ଷମାନଙ୍କରେ କେତେକ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିବିଶେଷ ଏବଂ ସଂସ୍ଥା ଦ୍ଵାରା ବନ୍ୟ ସମ୍ପଦ ସଂରକ୍ଷଣ ପାଇଁ ହୋଇଥିବା ଆନ୍ଦୋଳନର ଦୃଷ୍ଟାନ୍ତ ଦିଆଯାଇପାରେ । 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କ ଦ୍ଵାରା କଟାଯାଉଥିବା ଗଛଗୁଡ଼ିକୁ ରକ୍ଷା କରିବା ପାଇଁ ଘରୱାଲ ଜିଲ୍ଲାର ରେନି (Reni) ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଏହା ଚିପକୋ (Chilipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ଵ ନେଇଥୁଲେ । ସେ ଲୋକମାନଙ୍କ ପାଇଁ ଓ ଜଳବାୟୁ ସୁରକ୍ଷା ପାଇଁ ଜଙ୍ଗଲ ସମ୍ପଦର ଆବଶ୍ୟକତା ବିଷୟରେ ଯଥେଷ୍ଟ ଜନସଚେତନତା ସୃଷ୍ଟି କରି ପାରିଥିଲେ । ତେଣୁ ଠିକାଦାରମାନେ ଯେତେବେଳେ ଗଛ କାଟିବାକୁ ଆସିଲେ ଆବାଳ ବୃଦ୍ଧବନିତା ସମସ୍ତ ଗ୍ରାମବାସୀ ଏକାଠି ହୋଇ ସେଠାରେ ରହିଥିବା ଗଛଗୁଡ଼ିକୁ କୁଣ୍ଢାଇ ଧରିଲେ ଓ ସେମାନଙ୍କୁ ଗଛ କାଟିବାକୁ ଦେଲେନାହିଁ । ଫଳତଃ ଗଛଗୁଡ଼ିକୁ ରକ୍ଷା କରାଯାଇପାରିଲା ଓ ସେହି ଜଙ୍ଗଲରେ ଆଉ ଠିକାଦାରମାନଙ୍କୁ ଗଛକାଟିବା ପାଇଁ ଅନୁମତି ଦିଆଗଲା ନାହିଁ । ଚିପକୋ ଆନ୍ଦୋଳନ ପରି 1983 ମସିହାରେ କର୍ଣ୍ଣାଟକରେ ‘ଆସିକୋ ଆନ୍ଦୋଳନ'ର ସୂତ୍ରପାତ ହୋଇଥିଲା । ‘ଆପ୍ପିକୋ'ର ଅର୍ଥ ମଧ୍ୟ କୁଣ୍ଢାଇ ଧରିବା । ଏହି ଆନ୍ଦୋଳନ କ୍ରମଶଃ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲୋକମାନେ ସେମାନଙ୍କ ଅଞ୍ଚଳର ଜଙ୍ଗଲର ସୁରକ୍ଷା ପାଇଁ ଆଗଭର ହେଲେ । ପଶ୍ଚିମବଙ୍ଗର ଆରାବରି (Arabaril) ଅଞ୍ଚଳର ଶାଳ ଜଙ୍ଗଲ ସଂରକ୍ଷଣ, କେରଳର ପେରିୟାର ଜଙ୍ଗଲ (Periyar) ସଂରକ୍ଷଣ ଇତ୍ୟାଦି ଏହାର ଜ୍ଵଳନ୍ତ ଉଦାହରଣ ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

3.2
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top