ହୋମ / ଶକ୍ତି / ପରିବେଶ / ଜଳ ସୁରକ୍ଷା ଆଜିର ଆବଶ୍ୟକତା
ସେଆର କରନ୍ତୁ

ଜଳ ସୁରକ୍ଷା ଆଜିର ଆବଶ୍ୟକତା

ଜଳ ସୁରକ୍ଷା ଆଜିର ଆବଶ୍ୟକତା କାହିକି

ଉପକ୍ରମ

କୁହାଯାଏ ଜଳ ହିଁ ଜୀବନ। ପୁଣି ଲୋକକଥାରେ ଅଛି ପାଣି ପିଇବ ଛାଣି ପଇସା ନେବ ଗଣି। ଆମ ଜନଜୀବନ, ସଂସ୍କୃତି ଆଉ ଅର୍ଥନୀତି ସହ ଜଳ ଏପରି ଭାବେ ଜଡିତ ଯେ ଜଳ ବିନା କେବଳ ଜୀବନ ନୁହେଁ ବରଂ ସଭ୍ୟତାର ବିକାଶ ମଧ୍ୟ ଅସମ୍ଭବ ବୋଲି ପ୍ରତ୍ୟୟମାନ ହୁଏ। କିନ୍ତୁ ବର୍ତମାନ ଜଳର ଉତମ ପରିଚାଳନା ଅଭାବରୁ ମାନବ ସଭ୍ୟତାର ଅସ୍ତିତ୍ୱ ନେଇ ଆଶଙ୍କା ଦେଖା ଦେଲାଣି।

ପୃଥିବୀର ମୋଟ୍ ଜଳଭାଗରୁ ୯୭% ଜଳ ସମୁଦ୍ରରେ ଲୁଣିପାଣି ରୂପେ ରହିଅଛି। ଆଉ ୩ ଭାଗରୁ ୨ ଭାଗ ବରଫରୂପେ। ଯେଉଁ ମାତ୍ର ୧ ଭାଗ ଜଳ ମଧୁର ଜଳ ରୂପେ ବିଦ୍ୟମାନ ତାହା ହିଁ ହେଉଛି ସମଗ୍ର ମାନବ ଜାତିର ସକଳ ସଂଚାର ଆଧାର। ପରିବର୍ତିତ ପରିସ୍ଥିତିରେ ଜନସଂଖ୍ୟାର ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ଜଙ୍ଗଲ କ୍ଷୟ, ଜଳସ୍ରୋତର ପ୍ରଦୂଷଣ ଇତ୍ୟାଦି କାରଣ ପାଇଁ ଏହି ଜଳର ଉତ୍ସ ଦିନକୁ ଦିନ ପ୍ରଭାବିତ ହେବାରେ ଲାଗିଛି। ଆଉ ତୁରନ୍ତ ଏହାର ଉତମ ପରିଚାଳନା ଓ ସୁରକ୍ଷା ଜରୁରୀ ହୋଇପଡିଛି।

ମହାତ୍ମାଗାନ୍ଧୀ କହନ୍ତି

ଜାତିର ପିତା ମହାତ୍ମାଗାନ୍ଧୀ ଏକଦା କହିଥିଲେ ଯେ, ପ୍ରକୃତି ଆମ ସମସ୍ତଙ୍କର ଆବଶ୍ୟକତା ପାଇଁ ଅନେକ ଜିନିଷ ସାଇତି ରଖିଛି ମାତ୍ର ସେସବୁ ଆମର ଲୋଭର ଚାହିଦା ମେଂଟାଇବା ପାଇଁ କେବେବି ସକ୍ଷମ ନୁହେଁ। ଗାନ୍ଧିଜୀ ଏ କଥା କହିବାର ଅନେକ ବର୍ଷ ବିତିଗଲା ପରେ ବି ଏକଥାର ମାନେ ଏବେବି ବଳବତର ରହିଛି। ଆଉ ମଧୁର ଜଳ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ରୂପେ ଲାଗୁ ହେବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ମଣିଷର ଜୈବିକ ଆବଶ୍ୟକତା ମେଂଟାଇବାକୁ ଦୈନିକ ପ୍ରାୟ ୨୦ ଲିଟର ଜଳର ଆବଶ୍ୟକତା ପଡେ। ଅବଶ୍ୟ ଗାଧୋଇବା କିମ୍ବା ଲୁଗା ସଫା କରିବା ପରି କାର୍ଯ୍ୟକ୍ରମକୁ ଏ ହିସାବରୁ ବାଦ ଦେବାକୁ ପଡିବ। ପୃଥିବୀର ଜନସଂଖ୍ୟା ପ୍ରାୟ ୭୦୦ କୋଟିରେ ପହଁଚିଥିଲାବେଳେ ଏତିକି ଜନସଂଖ୍ୟା ପାଇଁ ଦୈନିକ ମୁଣ୍ଡପିଛା ୨୦ ଲିଟର ଜଳ ଯୋଗାଡ କରିବା ହୁଏତ କଷ୍ଟକର କାମ ନୁହେଁ। ମାତ୍ର ଅନିୟମିତ ଏବଂ ଅସ୍ୱାଭାବିକ ଜଳ ପରିଚାଳନା ହିଁ ବର୍ତମାନ ବିପର୍ଯ୍ୟୟର କାରଣ ହୋଇଛି। ଉପଯୁକ୍ତ ଜଳ ପରିଚାଳନାର ଅଭାବରେ ଅବସ୍ଥା କ’ଣ ହୁଏ ତାହା ସୋମାଲିଆ, ରୁଆଣ୍ଡା, ବୁରୁଣ୍ଡି, ନାଇଜେରିଆର ଦୁର୍ଭିକ୍ଷରୁ ଜଣାପଡିଛି। ଆଉ ଓଡ଼ିଶାର ସଂଖ୍ୟାଧିକ ଜିଲ୍ଲାରେ ଦେଖାଯାଇଥିବା ଅଳ୍ପ ବୃଷ୍ଟି କିମ୍ବା ଅନାବୃଷ୍ଟି ମଧ୍ୟ ଏହାର ଜ୍ୱଳନ୍ତ ଉଦାହରଣ।

ଜଳ ସଂରକ୍ଷଣ ପାଇଁ  ଆମ ମାନସିକତା

ଜଳ ସଂରକ୍ଷଣକୁ ନେଇ ଯେଉଁ ପ୍ରଥମ ଏବଂ ପ୍ରଧାନ ପ୍ରତିବନ୍ଧକ ଦେଖାଦିଏ ତାହା ହେଉଛି ଆମ ମାନସିକତା। ହୁଏତ ଜଳ ସଂରକ୍ଷଣକୁ ନେଇ ବ୍ୟାପକ ନୀତିର ଆବଶ୍ୟକତା ରହିଛି ଆଉ ଏଥିପାଇଁ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ନୀତି ବି ପ୍ରଣୟନ କରାଯାଇଛି। ଭୂତଳ ଜଳ ସଂରକ୍ଷଣ, ବର୍ଷାଜଳ ଅମଳ ଆଦି ଏକକୁ ଆରକ ଯୋଜନା ବାହାରିଛି। ମାଟିତଳ ଜଳର ସ୍ତର ବଢ଼ୁ କି ନବଢ଼ୁ ମାଟି ଉପରେ କିନ୍ତୁ ସିମେଂଟର ଚାଦର ବିଛାଡି ହୋଇ ପଡୁଛି। ମୃତିକାର ଶ୍ୱାସରୋଧ ହୋଇଛି। ସହରର ଟାଙ୍କିରେ ପାଣି ଭର୍ତି ହେବାକୁ ମାଟିର ଛାତିକୁ ବେଶି ବେଶି ଚିରିବାକୁ ପଡୁଛି।

ଗାଁରେ ବି ଅବସ୍ଥା ସେଇଆ, ପିଇବା ପାଣି ମୁନେ୍ଦ ପାଇଁ ହାତେ ଓଢ଼ଣା ଟାଣି ସ୍ତ୍ରୀଲୋକଟିଏ ମାଇଲିଏ ରାସ୍ତା ପାରି ହେଉଛି। ଖରାରେ ମୁହଁ ପୋଡି ଯାଉଛି, ପାଦରୁ ଚମ ଛାଡି ଯାଉଛି। ଗ୍ରୀଷ୍ମ ଦିନ ଆସିଲେ ଜଳକଷ୍ଟ ବଢିଯାଉଛି ଏପରିକି ପାଣିକୁ ନେଇ ମରାମରି ଯାଏ କଥା ଯାଉଛି। କୂଅ ଚାରିପାଖରେ ବାଡ ବସୁଛି।

ଜଳ ସୁରକ୍ଷାରେ ଆମର କି ଅବଦାନ

ଦେଶ ଆଉ ରାଜ୍ୟ ନୀତି ପ୍ରଣୟନ କରିବା ଠିକ୍ ଅଛି। ମାତ୍ର ନୀତିକୁ କାର୍ଯ୍ୟକାରୀ କରିବାରେ ଆମେ କେବେ ସହଯୋଗ କରିଛନ୍ତି କି? ରାସ୍ତା କଡର ନଳ ଖରାପ ହୋଇ ପାଣି ବହି ଚାଲିଥିଲେ ଆମେ ଦେଖି ନଦେଖିଲା ପରି ଚାଲିିଯାଆନ୍ତି। ମ୍ୟୁନିସିପାଲଟି ପାଣି ଟାଙ୍କି ରାସ୍ତାରେ ଯାଉଥିବା ବେଳେ ପାଣି ଝରି ଚାଲିଥିଲେବି ଆମେ ସନ୍ତର୍ପଣରେ ତା କଡ଼ ଦେଇ ଚାଲିଯାଉ। ଆମ ଭିତରୁ ଅନେକ ଗିଲାସେ ପାଣିରୁ ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରନ୍ତି ଆଉ ପୁଣି ସେଇ ଗିଲାସେ ଜଳ ସହ ରାତିରେ ଶୋଇବାକୁ ଯାଆନ୍ତି। କିନ୍ତୁ ଗୋଟିଏ ଗ୍ଲାସ୍ ଜଳ ତିଆରି କରିବାକୁ ପୃଥିବୀ ଆଉ ସୂର୍ଯ୍ୟ ମଧ୍ୟରେ ଯେଉଁ ନିରନ୍ତର ପ୍ରକ୍ରିୟା ଚାଲେ ହୁଏତ ଆମେ ତାହା ବୁଝିବାକୁ ଅକ୍ଷମ। ସେ ପ୍ରକ୍ରିୟାରେ ମଣିଷର ଯୁକ୍ତାତ୍ମକ ଯୋଗଦାନ କିଛି ନାହିଁ କହିଲେ ଚଳେ। ମାତ୍ର ବିକାଶ ନାଁରେ ଜଙ୍ଗଲ କାଟିବା, ଜଳାଶୟ ପୋତି ଦେଇ ନଦୀର ପଥ ପରିବର୍ତନ କରି ଏବଂ ଜମି ଉପରେ କଂକ୍ରିଟ ଚଟାଣ ବିଛାଇ ଦେଇ ଆମେ ପ୍ରାକୃତିକ ପ୍ରକ୍ରିୟାରେ କେବଳ ବାଧା ହିଁ ସୃଷ୍ଟି କରୁଛେ। ଆଉ ଜଳଚକ୍ର ଏବଂ ଜଳସ୍ତରକୁ ଏହା ଖୁବ୍ ଦ୍ରୁତ ଗତିରେ ପ୍ରଭାବିତ କରୁଛି।

ଜଳ ଆମ ଅର୍ଥନୀତି, କୃଷିକ୍ଷେତ୍ର, ସ୍ୱାସ୍ଥ୍ୟ, ସହରୀକରଣ ତଥା ସଂସ୍କୃତିକୁ ପ୍ରଭାବିତ କରିଛି ସତ ମାତ୍ର ଅନେକ ସମୟରେ ଏହାର ସଂରକ୍ଷଣ, ଅମଳ ଏବଂ ପରିଚାଳନାକୁ ନେଇ ଆମ ମାନସିକତାକୁ ପ୍ରଭାବିତ କରିପାରିନାହିଁ। ଜଳ ସଂରକ୍ଷଣ ଏବଂ ପରିଚାଳନାକୁ ନେଇ ପ୍ରାୟ ସମସ୍ତ କାର୍ଯ୍ୟକ୍ରମ, ଭାଷଣ, ପ୍ରବନ୍ଧ କିମ୍ବା ଚର୍ଚ୍ଚାରେ ହିଁ ସୀମିତ ରହିଛି କହିଲେ ଭୁଲ ହେବନାହିଁ।

ଶେଷ କଥା

ଜୀବନର ଯେଉଁ ସବୁ କ୍ଷେତ୍ରରେ ଜଳର ଉପଯୋଗିତା ରହିଛି ଏବଂ କମି ଆସୁଥିବା ଜଳ ଏହି ସବୁ କ୍ଷେତ୍ର ଉପରେ କି ପ୍ରଭାବ ପକାଇବ ତାହା ଏବେଠୁ ଆକଳନ କରିବା ଦରକାର ହୋଇପଡିଛି। ଯଦି ଜଳ ସଂରକ୍ଷଣ ଏବଂ ଉପଯୁକ୍ତ ବ୍ୟବହାର ଉପରେ ଧ୍ୟାନ ଦିଆନଯିବ ତେବେ ଏକାଧିକ କ୍ଷେତ୍ରରେ ଆମର ଆଗାମୀ ପିଢି ଯଥେଷ୍ଟ ଅସୁବିଧାରେ ପଡିବେ। ଲିଙ୍ଗ, ଧର୍ମ, ଜାତି ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ପୃଥିବୀର ଯେଉଁ ସ୍ୱପ୍ନ ଆମେ ଦେଖିଛେ ତାହା ସଫଳ ରୂପାୟନ ଆହୁରି ବିଳମ୍ବିତ ହେବ। ଆଉ ଏହି ବିଳମ୍ବ ପାଇଁ ଆମର ପରବର୍ତୀ ପିଢ଼ି ଆମକୁ ସିଧା ସଳଖ ଦାୟୀ କରିବେ। (ପି.ଆଇ.ବି)

ଆଧାର :-ଲେଖକଙ୍କ ମତାମତ ନିଜସ୍ୱ।

3.18032786885
Jhasaban sahu Feb 15, 2018 02:27 PM

ମୋ ମାତ ରେ ଉପକ୍ରମ ଓ ଶେଶକଥବ ଆଉ ତିକେ ବର୍ନନା କଲେ ଭଲ ହୁଅନ୍ତା

Sagarika Bardhan May 19, 2016 03:01 PM

ଆମ ଜୀବନ ରେ ଜଳର ମହତ୍ଵ ବହୁତ । ଜଳ ହିଁ ଆମର ଜୀବନ ଏହି ସୂଚନା ବହୁତ ଉପଯୋଗୀ ଯାହା ଦ୍ଵାରା ପ୍ରତ୍ୟେକ ଲୋକ ଜଳ ସଂରକ୍ଷଣ ପ୍ରତି ସତର୍କ ହୋଇପାରିବେ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top