ହୋମ / ଶକ୍ତି / ପରିବେଶ / ଜଳବାୟୁ ପରିବର୍ତ୍ତନ – ଭାରତରେ ଭୂମିକା
ସେଆର କରନ୍ତୁ

ଜଳବାୟୁ ପରିବର୍ତ୍ତନ – ଭାରତରେ ଭୂମିକା

ଜଳବାୟୁ ପରିବର୍ତ୍ତନ – ଭାରତରେ ଭୂମିକା ର ସୂଚନା

ଜଳବାୟୁ ପରିବର୍ତ୍ତନ

(ମିଳିତ ଜାତିସଂଘର  ଏକ ବିବରଣୀରୁ ଜଣାଯାଏ ଆସନ୍ତା ୨୦-୩୦ ବର୍ଷ ମଧ୍ୟରେ ଭାରତର ଉତ୍ତାପ ବୃଦ୍ଧି ଜନିତ କ୍ଷୟକ୍ଷତି ବ୍ୟାପକ ହେବ  । ଫଳରେ ଭାରତରେ ମରୁଡି, ବନ୍ୟା ଓ ଘୂର୍ଣ୍ଣିବାତ୍ୟା ପ୍ରବଳରୁ ପ୍ରବଳତ୍ତର ହେବାର ସମ୍ଭାବନା ଅଧିକ ହେବ)

ତିନି ଦଶନ୍ଧିରୁ ବେଶୀ ହେବ କେତେକ ବୈଜ୍ଞାନିକ ଓ ବିଶେଷଜ୍ଞ ପୃଥିବୀର ଉଷ୍ଣତା ଏବଂ ତାପମାତ୍ରା ବୃଦ୍ଧିର କୁପରିଣାମ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ଚେତାବନୀ ଶୁଣାଇ ଆସୁଛନ୍ତି  । ଅନ୍ୟ ଦିଗରେ କେତେକ ବିଶେଷଜ୍ଞ ଭିନ୍ନମତ ପୋଷଣ କରି ଏହା ସ୍ଵାଭାବିକ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି  । ଦୁଇଟି ଗୋଷ୍ଠୀ ନିଜର ମତାମତ ସପକ୍ଷରେ ଯଥେଷ୍ଟ ତଥ୍ୟର ଅବତାରଣା କରୁଛନ୍ତି  । ଏହି ପରସ୍ପର ବିରୋଧୀ ମତାମତ ବିଭିନ୍ନ ଦେଶର ନୀତି ନିର୍ଦ୍ଧାରକମାନଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପକାଇଥିବାର ମନେହୁଏ ନାହିଁ   । କିଛିଦିନ ତଳେ ଯେତେବେଳେ ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି ଅଲ୍ ଗୋର ‘ଦ ଇନ୍ କନ୍ ଭିନିଏଣ୍ଟ୍ ଟ୍ରୁଥ୍’ ପ୍ରାମାଣିକ ଚଳଚ୍ଚିତ୍ର ମାଧ୍ୟମରେ ପୃଥିବୀର ପରିବେଶ ପ୍ରତି ବିପଦର ସଙ୍କେତ ବିଷୟରେ ଅପ୍ରିୟ ସତ୍ୟଟିକୁ ଦୃଷ୍ଟିଗୋଚର କରାଇଲେ, ତାହା ବୁଦ୍ଧିଜୀବି ଓ ସାଧାରଣ ନାଗରିକ ମାନଙ୍କ ମନରେ ଆଲୋଡନ ସୃଷ୍ଟିକଲା  । ଗୋଟିଏ ନୀରସ ବିଷୟବସ୍ତୁ ଉପରେ ନିର୍ମିତ ଏହି ଚଳଚ୍ଚିତ୍ର ସମସ୍ୟାଟି ଉପରେ ସମସ୍ତଙ୍କର ଆଗ୍ରହ ସୃଷ୍ଟିକରିପାରିଲା, କିନ୍ତୁ ଜଳବାୟୁ ପରିବର୍ତ୍ତନ ବିଷୟରେ ବିକଶିତ ଓ ବିକାଶଶୀଳ ଦେଶଗୁଡିକର ଦୃଷ୍ଟିକୋଣ, ଆଭିମୁଖ୍ୟ, ମନୋବୃତ୍ତିରେ ମୌଳିକ ମତାନ୍ତର ବର୍ତ୍ତମାନ ପ୍ରତୀୟମାନ   ।

ଏହି ପରିପ୍ରେକ୍ଷୀରେ ଭାରତ କ’ଣ ଚାହେଁ  ?

ଏ ବିଷୟରେ ଏହାର ନୀତି କ’ଣ ? ନିକଟ ଅତୀତରେ ପୂର୍ବତନ ବିଦେଶ ସଚିବ ଶ୍ୟାମ ଶରଣ ସି.ଆଇ.ଆଇ.ର ଏକ ସଭାରେ ଜଳବାୟୁ ପରିବର୍ତ୍ତନରେ ବହୁପକ୍ଷୀୟ ଆଲୋଚନାରେ ଭାରତର ଭୂମିକା ସମ୍ବନ୍ଧରେ ଏକ ସାରଗର୍ଭକ ଭାଷଣ ଦେଇଥିଲେ  । ତାଙ୍କ ମତ ଅନୁସାରେ ଜଳବାୟୁ ପରିବର୍ତ୍ତନର ବିପଦ କାଳ୍ପନିକ ନୁହେଁ, ବରଂ ବାସ୍ତବ, ଗୁରୁତର ଏବଂ ଭୟାବହ  । ଏହା କୁପ୍ରଭାବ ଭବିଷ୍ୟତରେ ସାମାଜିକ ସୁଯୋଗରୁ ବଞ୍ଚିତ, ବିଶେଷକରି ବିକାଶଶୀଳ ଦେଶର ଦରିଦ୍ର ନାଗରିକମାନଙ୍କ ଉପରେ ପଡିବ  । ଏ ସମସ୍ୟାର ସମାଧାନ ଅବିଳମ୍ବେ ନହେଲେ ପୃଥିବୀ ଏକ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେବ- ବୋଧହୁଏ ଆମ ଜୀବଦ୍ଦଶାରେ  । ଏହି ବିପଦର ସମ୍ମୁଖୀନ ହେବା ପାଇଁ ଭାରତର ରଣକୌଶଳ କ’ଣ  ? ଅସଲ କଥା ହେଉଛି, ଭାରତର ସାମଗ୍ରିକ ନିର୍ଗମନ ବିଶ୍ଵ ଆକଳନର ମାତ୍ର ୪%, ସେ ତୁଳନାରେ ଆମେରିକାର ନିର୍ଗମନ ହାର ୨୦% ଏବଂ ଚୀନର ୧୬% । ଭାରତବର୍ଷର ମୁଣ୍ଡପିଛା କାର୍ବନ ଡାଇଅକସାଇନ ନିର୍ଗମନ ୧.୧ ଟନ ଥିଲାବେଳେ ଆମେରିକାରେ ତାହା ୨୦ଟନ ରୁ ଉର୍ଦ୍ଧ୍ଵ  । କେବଳ ସେତିକି ନୁହେଁ, ଭାରତରେ ବାର୍ଷିକ ଡି.ଜି.ପି.ବୃଦ୍ଧି ୮ ପ୍ରତିଶତରୁ ଉର୍ଦ୍ଧ୍ଵ ଥିବାବେଳେ ଶକ୍ତିର ବ୍ୟବହାରରେ ମାତ୍ର ୪ ପ୍ରତିଶତ ବୃଦ୍ଧି ଘଟିଛି  । ବହୁପକ୍ଷୀୟ ସମ୍ମିଳନୀରେ ଭାରତର ମତାମତ ହେଉଛି  ପ୍ରଦୂଷଣକୁ କ୍ଷତିପୂରଣ ଦେବାର, ଖର୍ଚ୍ଚ ବହନ କରିବାର ନୀତିର କାର୍ଯ୍ୟକାରିତା । ଗତ ଦେଢଶହ ବର୍ଷ (୧୮୫୦-୨୦୦୦ମସିହା) ର ଇତିହାସକୁ ପର୍ଯ୍ୟବେକ୍ଷଣ କଲେ ଦେଖାଯିବ ଯେ କାର୍ବନ ଡାଇଅକସାଇଡ ନିର୍ଗମନରେ ଆମେରିକାର ଅଂଶ ୩୦%, ୟୁରୋପୀୟ ୟୁନିୟନର ୨୭%, ଚୀନ୍ ର ୭.୩% ଏବଂ ଭାରତର ତାପମାତ୍ରା ୨%  । ଏହି ପୃଷ୍ଠଭୂମିରେ ଆନ୍ତର୍ଜାତିକ ସ୍ତରରେ ବୁଝାମଣା ହୋଇଥିଲା ଯେ ନିର୍ଗମନ ହ୍ରାସ କରିବା ବିକଶିତ ଦେଶଗୁଡିକର ଐତିହାସିକ ଦାୟିତ୍ଵ  । ତଦନୁଯାୟୀ କିଓଟୋ ପ୍ରୋଟୋକଲ୍ ରେ ସେହି ବୁଝାମଣାକୁ ଆନୁଷ୍ଠାନିକ ଭାବେ ଆଇନସଙ୍ଗତ କରାଯାଇଛି  । ନିର୍ଗମନ ହ୍ରାସର ନିର୍ଦ୍ଧିଷ୍ଟ ପରିମାଣ ଲକ୍ଷ୍ୟ ୨୦୧୨ ପର୍ଯ୍ୟାୟ ପର୍ଯ୍ୟନ୍ତ କରାଯାଇଛି  । ଏବଂ ୨୦୧୨ ପରବର୍ତ୍ତୀ କାଳର ହ୍ରାସ ହାର ମାତ୍ରାବୃଦ୍ଧିର ପରିକଳ୍ପନା କରାଯାଇଛି  । ଅନ୍ୟ ଅର୍ଥରେ ବୁଝାମଣାର ପରିସରରେ ବିକାଶଶୀଳ ଦେଶଗୁଡିକରେ ନିର୍ଗମନ ହ୍ରାସ ପାଇଁ କୌଣସି ଆଇନଗତ ବାଧ୍ୟବାଧକତା ବା ଲକ୍ଷ୍ୟନଥିଲା  । ବରଂ ବିକଶିତ ଦେଶଗୁଡିକରେ ଆର୍ଥିକ ସାହାଯ୍ୟ ବୈଷୟିକ ଜ୍ଞାନ କୌଶଳ ହସ୍ତାନ୍ତର ମାଧ୍ୟମରେ ବିକାଶଶୀଳ ଦେଶଗୁଡିକର ନିର୍ଗମନ ହ୍ରାସ ମାତ୍ରା ବୃଦ୍ଧିର ପରିକଳ୍ପନା କରାଯାଇଛି  । ଅନ୍ୟ ଭାଷାରେ ବର୍ତ୍ତମାନ ସ୍ଥିତିରେ ଭାରତବର୍ଷ ପାଇଁ ନିର୍ଗମନ ହ୍ରାସର କୌଣସି ଆଇନଗତ ବାଧ୍ୟବାଧକତା କିମ୍ବା ଚୁକ୍ତିବଦ୍ଧତା ନାହିଁ   । ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ଯେଉଁ ଆଲୋଚନା ଚାଲିଛି, ତାହା କେବଳ ୨୦୧୨ ପରବର୍ତ୍ତୀ କାଳର ବିକଶିତ ଦେଶମାନଙ୍କର ପରୀକ୍ଷାଯୋଗ୍ୟ, ପରିମାପକ୍ଷମ ନିର୍ଗମନ ହ୍ରାସର ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ  ।

ଆମେଇକା ଓ ଜାପାନ ପ୍ରଭୃତି ଦେଶ ସଂପ୍ରତି ଯୁକ୍ତି କରୁଛନ୍ତି  ଯେ ଚୀନ୍ ଓ ଭାରତ ଭଳି ପ୍ରଦୂଷଣ ଦେଶଗୁଡିକ ଯଦି କିଓଟୋ ପ୍ରୋଟୋକୋଲ୍ ନିର୍ଦ୍ଦେଶାବଳୀ ପରିଧିର ବାହାରେ ରହିବେ  ତେବେ ବିକଶିତ ଦେଶଗୁଡିକର ନିର୍ଗମନ ହ୍ରାସର ସମସ୍ତ ଉଦ୍ୟମ ବ୍ୟର୍ଥ ହେବ  । ବିକଶିତ ଦେଶଗୁଡିକର ମତ : ଏହା ଫଳରେ ସେମାନଙ୍କର ପ୍ରତିଯୋଗିତାମୂଳକ ପରିସ୍ଥିତି ରହିବ ନାହିଁ  ଓ ବେକାରୀ ସମସ୍ୟା ଉପୁଜିବ, କାରଣ ଧନଶାଳୀ ଦେଶଗୁଡିକରେ ତୁଳନାତ୍ମକ ଭାବେ ଉତ୍ପାଦନ ମୂଲ୍ୟ ହାର ଅଧିକ ହେବ  । ଭାରତର ଯୁକ୍ତି ହେଲା, ଏଗୁଡିକ ବାହ୍ୟ ବିଷୟର ଅବତାରଣା   । ଆମର ଶିଳ୍ପକରଣ ଓ ଅର୍ଥନୈତିକ ପ୍ରଗତି ଜୀବନଧାରଣର ମାନବୃଦ୍ଧି ବଞ୍ଚିରହିବା ପାଇଁ ଜରୁରୀ  । ଏହା ବିକଶିତ ଦେଶର ଜୀବନଶୈଳୀ ଓ ଜୀବନ ଧାରଣର ମାନଠାରୁ ପୃଥକ୍  । ସେଠାରେ ଜୀବନ ଶୈଳୀର ସାମାନ୍ୟତମ ପରିବର୍ତ୍ତନରେ ଜୀବନ ସଂଘର୍ଷର ସଙ୍କଟ ଉପୁଜିବ ନାହିଁ, କିନ୍ତୁ ଭାରତର ପ୍ରଗତିର ଯାତ୍ରାରେ ପ୍ରତିବନ୍ଧକର ଅର୍ଥ, କୋଟିକୋଟି ଲୋକଙ୍କୁ ସାମାନ୍ୟତମ ସୁବିଧାର ବଞ୍ଚିତ କରିବା  । ଆମେରିକା ବା ଜର୍ମାନର ହାଇୱେରେ ଯାନବାହାନର ସ୍ପିଡର କଟକଣା ଓ ଭାରତର ଜନସାଧାରଣଙ୍କୁ ବିଜୁଳି ଉପଲବ୍ଧରେ କଟକଣା ଏକ କଥା ନୁହେଁ  । ବିକଶିତ ଦେଶମାନଙ୍କରେ ଅନ୍ୟ ଏକ ପ୍ରସ୍ତାବ ହେଉଛି, ପ୍ରଚୁର ଶକ୍ତି ବିନିଯୋଗ ହେଉଥିବା ଶିଳ୍ପଗୁଡିକରେ, ଯଥା- ଶକ୍ତି, ଲୁହା, ସିମେଣ୍ଟ, ଯାନବାହାନ ଇତ୍ୟାଦିରେ କାର୍ବନ ହ୍ରାସର ଏକ ବିଶ୍ଵ ମାନକ ନିର୍ଦ୍ଧାରଣ କରିବା  । ଭାରତ ଏ ପ୍ରସ୍ତାବର ବିରୋଧକରେ  । କାରଣ ଏହା ଫଳରେ ବିକଶିତ ଦେଶଗୁଡିକ ସହିତ ବିକାଶଶୀଳ ଦେଶମାନଙ୍କର ବାଣିଜ୍ୟ ବାଧାପ୍ରାପ୍ତ ହେବ, ଦେଶଗୁଡିକ ପରସ୍ପରର ସମକକ୍ଷ ହେବାର ରହିବ ନାହିଁ   । ଏହା ମୁକ୍ତ ବାଣିଜ୍ୟ ବିରୋଧୀ ହେବ  ।

ନିକଟରେ ଇଣ୍ଡୋନେସିଆର ବାଲିଠାରେ ହୋଇଥିବା ସମ୍ମିଳନୀରେ ବିକଶିତ ଦେଶଗୁଡିକର ଆର୍ଥିକ ସହାୟତା କିମ୍ବା ଟେକ୍ନୋଲୋଜିର ହସ୍ତାନ୍ତର ସହିତ ସର୍ତ୍ତମୂଳକ ନିର୍ଗମନ ହ୍ରାସ ଜଡିତ ନୁହେଁ ବୋଲି ପୁନରାବୃତ୍ତି କରାଯାଇଛି  । ଭାରତ ଚାହେଁ, ବିକଶିତ ଦେଶଗୁଡ଼ିକର ଜଳବାୟୁ ପରିବର୍ତ୍ତନ ଜନିତ ବିଶ୍ଵବ୍ୟାପୀ କାର୍ଯ୍ୟକ୍ରମରେ ସହଯୋଗ ଓ ସହାୟତା ଏବଂ ସୁଲଭ ମୂଲ୍ୟରେ ଟେକ୍ନୋଲୋଜି ଉପଲବ୍ଧ, ସବୁଜ ଟେକ୍ନୋଲୋଜିର ପ୍ରସାର  ।

ଏହାର ଅର୍ଥ ନୁହେଁ ଯେ ଭାରତ ଆନ୍ତର୍ଜାତୀୟ ସ୍ତରରେ ଦାୟିତ୍ଵ ସଂପନ୍ନ ରାଷ୍ଟ୍ର ଭାବେ ଜଳବାୟୁ ପରିବର୍ତ୍ତନର ସାମୂହିକ ପ୍ରଚେଷ୍ଟାରେ ନିଜର ଅବଦାନରୁ ନିବୃତ୍ତ ରହିବ   । ବରଂ ଏଥି ସହିତ ନିଜ ପ୍ରଗତିର ଯାତ୍ରାକୁ ଅବ୍ୟାହତ ରଖିବାକୁ ଚାହେଁ  । ଗତବର୍ଷ ଜର୍ମାନୀରେ ଅନୁଷ୍ଠିତ ହୋଇଥିବା ଜି-୮ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରତିଶ୍ରୁତି ଦେଇଥିଲେ ଯେ ଦ୍ରୁତ ପ୍ରଗତି ହେତୁ ଭାରତରେ କାର୍ବନ ନିର୍ଗମନର ହାର ସ୍ଵଳ୍ପକାଳ ପାଇଁ ବୃଦ୍ଧି ପାଇପାରେ, କିନ୍ତୁ କୌଣସି ସମୟରେ ଏହା ବିକଶିତ ଦେଶଗୁଡିକର ମୁଣ୍ଡପିଛା ନିର୍ଗମନ ହାର ଠାରୁ ଅଧିକ ହେବ ନାହିଁ   । ପରିବେଶ ଅନୁକୂଳ ନୂତନ ସବୁଜ ଟେକ୍ନୋଲୋଜିରେ ଆଗ୍ରହ ଓ ଗ୍ରହଣ ଭାରତର ନୀତି ରହିବ   । ଭାରତ ଚାହେଁ ବିକଶିତ ଦେଶମାନେ ସେଭଳି ଜ୍ଞାନକୌଶଳ ବିନା ସର୍ତ୍ତରେ ଜୀବଜଗତର ମଙ୍ଗଳ ପାଇଁ, ପରିବେଶର ସୁରକ୍ଷା ପାଇଁ ବିକାଶଶୀଳ ଦେଶଗୁଡିକୁ ଦିଅନ୍ତୁ  ।

ଆନ୍ତର୍ଜାତିକ ସ୍ତରରେ ସମାଧାନମୂଳକ ଆଲୋଚନାର ରୂପରେଖ ଭବିଷ୍ୟତରେ ଯାହା ହେଉନା କାହିଁକି ପରିବେଶ ହିତକାରକ ପ୍ରଗତିର ଧାରା ହେବ ଭାରତର ରଣକୌଶଳ  । ଦେଶର ବିକାଶ ନିମନ୍ତେ ପରିବେଶ ଅନୁକୂଳ ବୈଷୟିକ ଟେକ୍ନୋଲୋଜି ଅପରିହାର୍ଯ୍ୟ  । ଜୀବାଶ୍ମ ଶକ୍ତି ବା ପେଟ୍ରୋଲ କିମ୍ବା ଗ୍ୟାସ ଉପରେ ସମ୍ପୂର୍ଣ୍ଣ ନିର୍ଭର ଆତ୍ମଘାତୀ ହେବ କହିଲେ ଅତ୍ୟୁକ୍ତି ହେବନାହିଁ   । ଏଥିପାଇଁ ନୀତି ନିର୍ଦ୍ଧାରକଙ୍କୁ ସମୀକ୍ଷା କରି ନୂତନ ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି – ଜୀବାଶ୍ମ ଶକ୍ତି ପରିବର୍ତ୍ତେ ଅଣ – ଜୀବାଶ୍ମ ଶକ୍ତିର ପ୍ରୟୋଗ, ନବୀକରଣକ୍ଷମ ଶକ୍ତିର ପ୍ରଚାଳନ, ପାରମ୍ପରିକ ଶକ୍ତିର ବ୍ୟବହାର ପରିବର୍ତ୍ତେ ଅଣ – ପାରମ୍ପରିକ ଶକ୍ତିର ଉପଯୋଗ ଭଳିର ରଣକୌଶଳ ବସ୍ତୁତ୍ଵ ଜଳବାୟୁ ଅନୁକୂଳ ହେବ  ।

ଏଥିପାଇଁ ବିକଳ୍ପ – ଅଣୁଶକ୍ତି, ବାୟୁଶକ୍ତି, ସୌର ଶକ୍ତି, ପ୍ରଭୃତିର ପ୍ରୟୋଗ ସହିତ ଶକ୍ତି ଉତ୍ପାଦନ ଓ ବିତରଣରେ ଦ୍କାଃୟତା ବୃଦ୍ଧିର ଆବଶ୍ୟକତା ବିକଳ୍ପଗୁଡିକ ବର୍ତ୍ତମାନ ପରିସ୍ଥିତିରେ ମିଳିବାରେ ସମ୍ଭାବନା ବେଶୀ  । ଶକ୍ତି ସଂଚାରଣରେ ଅଯଥା ନଷ୍ଟ ହେଉଥିବା ଅଂଶର ସଦୁପଯୋଗ କରିବାର ବ୍ୟବସ୍ଥା ହେବା ବାଞ୍ଛନୀୟ  । ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ ଦ୍ରବ୍ଯଗୁଡିକରେ ଦକ୍ଷତାରେ ସୁଧାର ଆଣିବା ନିହାତି ଜରୁରୀ  ।

ଜଳବାୟୁ ପରିବର୍ତ୍ତନର ମୁକାବିଲା

ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାପାଇଁ ଭାରତର କାର୍ଯ୍ୟକ୍ରମ ଏକ ସୁଚିନ୍ତିତ ଯୋଜନା  । ଏଥିରେ ରହିବ ଜାତୀୟ ସୌର ଶକ୍ତିମିଶନ, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ ମିଶନ, ବନୀକରଣ ଯୋଜନା  । ସରକାରଙ୍କ କାର୍ଯ୍ୟକ୍ରମରେ ସହଯୋଗ, ସମର୍ଥନ କରିବେ ଜନସାଧାରଣ, ଘରୋଇ ଉଦ୍ୟୋଗ  । ପ୍ରୟୋଜନ ଗଠନମୂଳକ, ଆନୁଷ୍ଠାନିକ ଶକ୍ତିର ଉପଯୋଗ ଓ ସୁପରିଚାଳନା  । ଭାରତ ଜଳବାୟୁ ପରିବର୍ତ୍ତନଜନିତ ସଂଗ୍ରାମରେ ବିଶ୍ଵନେତୃତ୍ଵ  ନେବାପାଇଁ ସକ୍ଷମ  । ଆମେ ଏକ ଉନ୍ନତ ସଭ୍ୟତା ଓ ସାମାଜିକ ବିକାଶ ପଦ୍ଧତିର ଉତ୍ତରାଧିକାରୀ  । ଆମର  ଦୈନନ୍ଦିନ ଜୀବନର ଶୈଳୀରେ ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ଵ ଦିଆଯାଏ   । ପ୍ରକୃତିର ଦମନ ପରିବର୍ତ୍ତେ ଯତ୍ନ କରିବା ଆମ ସଭ୍ୟତାର ବାଣୀ  । ପ୍ରକୃତି ସହିତ ଭାରସାମ୍ୟ ଓ ପ୍ରଗତି ଯାତ୍ରାର ଦିଗ ନିଶ୍ଚୟ କରିବା ଆମମାନଙ୍କ ବୁଦ୍ଧି, ବିଜ୍ଞତା ଓ ଦୂରଦୃଷ୍ଟି ଉପରେ ନିର୍ଭର କରେ  ।

ଆଧାର : ବିଜ୍ଞାନ ଓ ପରିବେଶ ବିକାଶ ସମିତି

2.78571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top