ହୋମ / ଶକ୍ତି / ପରିବେଶ / ଜଳବାୟୁ ପରିବର୍ତ୍ତନ ବିପଦରେ ଓଡିଶା
ସେଆର କରନ୍ତୁ

ଜଳବାୟୁ ପରିବର୍ତ୍ତନ ବିପଦରେ ଓଡିଶା

ଜଳବାୟୁ ପରିବର୍ତ୍ତନ ବିପଦରେ ଓଡିଶା ର ସୂଚନା

ଭୂଉତ୍ତପ୍ତୀକରଣ ପ୍ରକ୍ରିୟାରେ ଓଡିଶାର ପରିବେଶ ସମସ୍ୟା

ବର୍ତ୍ତମାନ ପୃଥିବୀର ସମସ୍ତ ଦେଶ ପ୍ରାୟ ଗ୍ରହଣ କଲେଣି ଯେ ପୃଥିବୀର ଉତ୍ତାପ ଧୀରେ ଧୀରେ ବଢୁଛି ଏବଂ ଏଥିଯୋଗୁଁ ପୃଥିବୀର ଜଳବାୟୁରେ ଆଖିଦୃଶିଆ ପରିବର୍ତ୍ତନ ହେଉଛି ଏହି ପରିବର୍ତ୍ତନ ସମସ୍ତ ମାନବ ସମାଜ ପାଇଁ କାଳ ହେବାକୁ ଯାଉଛି  । ଆଜି ଆଲୋଚନା କରିବା କାହିଁକି ଏ ପରିବର୍ତ୍ତନ କ’ଣ ଏ ପରିବର୍ତ୍ତନ, ଏଥିପାଇଁ ଦାୟୀ କିଏ, ଏଥିରୁ ମୁକ୍ତି ମିଳିପାରିବ କି, ଆମ ଓଡିଶାବାସୀ ଏହାଯୋଗୁଁ ଏବେ କିପରି ପ୍ରଭାବିତ ହେଉଛେ ଏବଂ ସୁଦୂର ଭବିଷ୍ୟତରେ କିପରି ପ୍ରଭାବିତ ହେବା ଇତ୍ୟାଦି ଇତ୍ୟାଦି

ବିଶ୍ଵ ପାଣିପାଗ ସଂସ୍ଥା ଏବଂ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ସଂସ୍ଥା ଦ୍ଵାରା ପ୍ରତିଷ୍ଠିତ ଆଇ.ପି.ସି.ସି (ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପାନେଲ ଫର୍ କ୍ଲାଇମେଟ ଚେଞ୍ଜ) ର ବୈଜ୍ଞାନିକମାନଙ୍କ ମତରେ ଭୂଉତ୍ତପ୍ତୀକରଣ ଏବଂ ତଦ୍ ଜନିତ ଜଳବାୟୁ ପରିବର୍ତ୍ତନ ପୃଥିବୀ ପୃଷ୍ଠରେ ମଣିଷ କାର୍ଯ୍ୟକଳାପର ପରିଣାମ ଅଟେ  ।

ଆମେ ଜାଣୁ ପୃଥିବୀରେ ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ହେଉଛି  । ୧୮୩୦ ମସିହାରେ ଜନସଂଖ୍ୟା ମାତ୍ର ୧୦୦ କୋଟି ଥିଲାବେଳେ ତାହା ୧୯୩୦ ରେ ୨୦୦ କୋଟି, ୧୯୬୦ରେ ୩୦୦ କୋଟି, ୧୯୭୫ରେ ୪୦୦ କୋଟି, ୧୯୮୬ରେ ୫୦୦ କୋଟି, ୨୦୦୦ ମସିହାରେ ୬୦୦ କୋଟି ହୋଇ ବର୍ତ୍ତମାନ ୬୬୦ କୋଟିରେ ପହଞ୍ଚିଛି  ଏବଂ ୨୦୫୦ ସୁଦ୍ଧା ତାହା ୯୦୦ କୋଟି ହେବାର ସମ୍ଭାବନା ହେବାର ସମ୍ଭାବନା ଅଛି  । ଏହି ସମୟ ମଧ୍ୟରେ ଜୀବନ ଧାରାରେ ଦ୍ରୁତ ପରିବର୍ତ୍ତନ ହୋଇଛି ଯଥା : ଶିକ୍ଷା ଓ ଶିଳ୍ପ ପ୍ରସାର, କଳକାରଖାନା, ରାସ୍ତାଘାଟ, ଯାନବାହାନ, କୋଠାବାଡି, ସହରୀକରଣ, ଖଣିଜ ଉତ୍ତୋଳନ, ଶକ୍ତି ଉତ୍ପାଦନ ଇତ୍ୟାଦି କ୍ଷେତ୍ରରେ ପ୍ରଭୃତ ପରିବର୍ତ୍ତନ ହେଉଛି  । ବିଶେଷତଃ ବିଗତ ୨୦ ବର୍ଷ ମଧ୍ୟରେ ଭାରତରେ ଏହି ପ୍ରକ୍ରିୟାରେ ଗତି ଅତି ମାତ୍ରାରେ ବଢିଯାଇଛି  । ଏହି ସମସ୍ତ କାର୍ଯ୍ୟପାଇଁ ଆମେ ପୃଥିବୀର ସମସ୍ତ ସମ୍ପଦକୁ ମାତ୍ରାଧିକ ଆହରଣ କରିବାରେ ଲାଗିଛୁ  । ଆମ ଆଖି ଆଗରେ ଜଙ୍ଗର ସମ୍ପଦ ଧୀରେ ଧୀରେ ଲୋପ ପାଇବାକୁ ଲାଗିଲାଣି : ଜଙ୍ଗଲର ଜୀବଜନ୍ତୁ ବିପନ୍ନ ହେବାକୁ ଲାଗିଲେଣି ; ଜଳସମ୍ପଦର ଅଭାବ ହେଲାଣି ; ମାଟି, ଗୋଡି, ବାଲି, ପଥର ଖଣିଜ ସମ୍ପଦର ଅତ୍ୟଧିକ ବ୍ୟବହାର ହେଉଛି  । କୋଇଲା, ପେଟ୍ରୋଲର ଅତ୍ୟଧିକ ବ୍ୟବହାରରେ ଅଙ୍ଗାରକାମ୍ଳ ସମେତ ଅନେକ ସବୁଜ ବାଷ୍ପ (ଯଥା : ମିଥେନ, ନାଇଟ୍ରସ ଆକ୍ସାଇଡ, ସଏଫସି) ବାୟୁମଣ୍ଡଳରେ ଭରିହୋଇଗଲାଣି  । ଆଜି ଜଳ, ସ୍ଥଳ, ବାୟୁସବୁ ପ୍ରଦୂଷିତ  । ପୃଥିବୀର ଭୌତିକ, ରାସାୟନିକ ଏବଂ ଜୈବିକ ସ୍ଥିତି ଅତ୍ୟନ୍ତ ଅସନ୍ତୁଳିତ  । ବାୟୁମଣ୍ଡଳରେ ମାତ୍ରାଧିକ ସବୁଜ ଗ୍ୟାସ ପୃଥିବୀକୁ ଘୋଡାଇ ରଖିବାରୁ ପୃଥିବୀପୃଷ୍ଠରୁ ପ୍ରତିଫଳିତ ଉତ୍ତପ୍ତ ସୂର୍ଯ୍ୟରଶ୍ମୀ ବାୟୁମଣ୍ଡଳ ବାହାରକୁ ଯାଇନପାରି ଏକ ସବୁଜଗୃହ ପରିସ୍ଥିତି ସୃଷ୍ଟିକରି ପୃଥିବୀପୃଷ୍ଠ ଏବଂ ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧି କରିବାରେ ସକ୍ଷମ ହେଉଛି ପୃଥିବୀର ବିକାଶମୂଳକ ବେଗସହ ତାଳଦେଇ ଏହା ଆହୁରି ବଢି ଚାଲିବ ଏବଂ ପୃଥିବୀ ଆହୁରି ଉତ୍ତପ୍ତ ହେବାରେ ଲାଗିବ  ।

ଆଇପିସିସି ବୈଜ୍ଞାନିକମାନଙ୍କ ମତରେ ଗତ ଶହେ ବର୍ଷ ମଧ୍ୟରେ ପୃଥିବୀରେ ହାରାହାରି ଉତ୍ତାପ ୦.୭୪ ସେଲସିୟସ ବଢିଛି  ଏବଂ ବର୍ତ୍ତମାନର ଶିଳ୍ପ ବିକାଶ ପ୍ରକ୍ରିୟା ଜାରିରହିଲେ ଆସନ୍ତା ଶହେ ବର୍ଷ ମଧ୍ୟରେ ପୃଥିବୀର ଉତ୍ତାପ ୧.୪ ଡିଗ୍ରୀରୁ ୫.୭ ଡିଗ୍ରୀ ସେଲସିୟସ ବଢିବାର ଆଶଙ୍କା କରାଯାଉଛି  । ଅଙ୍ଗାର ଜାତୀୟ ଜାଳେଣିର ବହୁଳ ବ୍ୟବହାର ସହ ଅନ୍ୟାନ୍ୟ କେତେକ କାର୍ଯ୍ୟମଧ୍ୟ ଉତ୍ତାପ ବଢାଇବାରେ ସାହାଯ୍ୟ କରୁଛି  । ଯଥା ; ଦ୍ରୁତ ଜଙ୍ଗଲକ୍ଷୟ, ଆର୍ଦ୍ରଭୂମିର ବିଲୋପ, କୋଠାବାଡି ଏବଂ ରାସ୍ତାଘାଟ ନିର୍ମାଣ ଉତ୍ତାପ ବୃଦ୍ଧିରେ ସାହାଯ୍ୟ କରୁଛନ୍ତି  । ଜଙ୍ଗଲକ୍ଷୟ ଯୋଗୁଁ ବାୟୁମଣ୍ଡଳରେ ସଞ୍ଚିତ ହେଉଥିବା ଅଧିକ ଅଙ୍ଗାରକାମ୍ଳ ଗ୍ୟାସ ଫଟୋସିନଥେସିସ୍ ପ୍ରକ୍ରିୟାରେ ବିନିଯୋଗ ହୋଇନପାରି ବଳକା ରହିଯାଉଛି ଏବଂ ଉତ୍ତାପ ବୃଦ୍ଧିରେ ସାହାଯ୍ୟ କରୁଛି  ।

ଉତ୍ତାପବୃଦ୍ଧି ଯୋଗୁଁ ସମସ୍ତ ସ୍ଥଳଭାଗ, ଜଳଭାଗ ଓ ବାୟୁମଣ୍ଡଳର ବ୍ୟବସ୍ଥା ଏବଂ ପ୍ରକ୍ରିୟାରେ ପରିବର୍ତ୍ତନ ହେଉଛି  । ସ୍ଥଳଭାଗରେ ଉତ୍ତାପ ବୃଦ୍ଧି ଯୋଗୁଁ ଉଷ୍ଣ ପ୍ରବାହ ଏବଂ ଅଂଶୁଘାତମୃତ୍ୟୁ ଦେଖିବାକୁ ମିଳୁଛି  । ସ୍ଥଳଭାଗର ବାୟୁପ୍ରବାହରେ ମଧ୍ୟ ପରିବର୍ତ୍ତନ ହେଉଛି  । ମେରୁଅଞ୍ଚଳ ତଥା ଅତି ଉଚ୍ଚ ପର୍ବତମାଳା (ହିମାଳୟ, ତିବ୍ ବତ, ଆଲପସ୍, କିଲିମାୱ୍ୟାରୋ) ଅଞ୍ଚଳରେ ଯୁଗଯୁଗ ଧରି ଜମାଟ ବାନ୍ଧିଥିବା ଘନବରଫ ତରଳିବାକୁ ଆରମ୍ଭ କରିଛି  । ଆଶଙ୍କା କରାଯାଉଛି ଏକବିଂଶ ଶତାବ୍ଦୀର ଶେଷ ଆଡକୁ ଆର୍କଟିକ ଏବଂ ଗ୍ରୀନଲାଣ୍ଡରୁ ସମସ୍ତ ବରଫ ତରଳିଯାଇପାରେ  । ସେହି ପରି ଆଣ୍ଟାର୍କଟିକା ତଥା ହିମାଳୟ ଏବଂ ତଦ୍ ବତ ମାଳଭୂମି ଅଞ୍ଚଳରୁ ମାତ୍ରାଧିକ ବରଫ ତରଳୁଛି  । ଏହି ବରଫ ତରଳିବା ସହ ପୃଥିବୀ ପୃଷ୍ଠର ଅନେକ ସ୍ଥିତି ଏବଂ ପ୍ରକ୍ରିୟା ପ୍ରଭାବିତ ହେବ, ଯଥା : ସମୁଦ୍ରର  ଜଳରାଶି ବୃଦ୍ଧି ଏବଂ ଖାଲୁଆ, ତଟବର୍ତ୍ତୀ ଅଞ୍ଚଳ ସମୁଦ୍ର ଦ୍ଵାରା ଜଳମଗ୍ନ, ମେରୁଅଞ୍ଚଳର ଜୀବଜନ୍ତୁ, ଯଥା : ପୋଲାର ବିୟର, ସିଲ୍, ୱାଲରସ ଇତ୍ୟାଦିର ବିଲୋପ ଇତ୍ୟାଦି  । ସେହିପରି ସମୁଦ୍ର ଏବଂ ବାୟୁମଣ୍ଡଳ ଉତ୍ତପ୍ତ ହେଲେ ସାମୁଦ୍ରିକ ସ୍ରୋତ ଓ ବାୟୁ ପ୍ରବାହରେ ପରିବର୍ତ୍ତନ ହୋଇ ଲଘୁଚାପ, ବାତ୍ୟା, ଘୂର୍ଣ୍ଣିଝଡର ମାତ୍ରା ଏବଂ ବେଗ ବଢିବାସହ ବର୍ଷାରେ ପ୍ରଭାବ ପକାଇବ  । କେବେ ଅତି ବର୍ଷା ଓ କେବେ ଅଳ୍ପ ବର୍ଷା ବା ଅନିୟମିତ ବର୍ଷା ହୋଇ ବନ୍ୟା, ମରୁଡି ଭଳି ସମସ୍ୟାସୃଷ୍ଟି କରିବ  । ଏସବୁ ପ୍ରକ୍ରିୟା ଖାଦ୍ୟ ସଂକଟ ସୃଷ୍ଟି କରିବ  । ଉତ୍ତାପ ବୃଦ୍ଧି ଯୋଗୁଁ ନୂଆ ନୂଆ ବୀଜାଣୁ, ପୋକ, ମଶାର ପ୍ରାବଲ୍ୟ ଯୋଗୁଁ ନୂଆ ନୂଆ ରୋଗର ଆଶଙ୍କା ଦେଖାଦେବ  । ଜଳର ଅତି ବ୍ୟବହାର ବା ଅନୁଚିତ ବ୍ୟବହାର ଯୋଗୁଁ ଜଳସମସ୍ୟା ଉଗ୍ର ରୂପ ଧାରଣ କରିବ  । ଜଙ୍ଗଲକ୍ଷୟ ଯୋଗୁଁ ନାନା ପ୍ରକାର ଜୀବଜନ୍ତୁ ଲୋପ ହେବେ  । ଏସମସ୍ତ ଘଟଣା ଆମ ଦୈନନ୍ଦିନ ଜୀବନରେ ଅନୁଭବ କରୁଛେ, କିନ୍ତୁ କେହି ପ୍ରସ୍ତୁତ ନୁହନ୍ତି ବର୍ତ୍ତମାନର ସୁଖ ସମୃଦ୍ଧ ଜୀବନଶୈଳୀ ଛାଡି ପୃଥିବୀର ଅସନ୍ତୁଳନ ପ୍ରକ୍ରିୟା ପ୍ରତି ନଜର ଦେବାକୁ  । କୋଇଲା ବ୍ୟବହାର କମାଇବାକୁ  । ଅବସ୍ଥା ଏମିତି ହେଲାଣି ଯେ ଯଦି ଦିନେ ଦୁଇଦିନ କୋଇଲା ଏବଂ ପେଟ୍ରୋଲ ବନ୍ଦକରିଦିଆଯାଏ ପୃଥିବୀର ଶିଳ୍ପ ବ୍ୟବସ୍ଥା ଏବଂ ଜୀବନଶୈଳୀ ଅସ୍ତବ୍ୟସ୍ତ ହୋଇଯିବ  । ପୃଥିବୀ ପୃଷ୍ଠର ଯାହା କ୍ଷତି ହେଲେ ମଧ୍ୟ ଆମେ ଜାଣି ଶୁଣି ନିଜର କ୍ଷତି ହେବାକୁ ଚାହୁଁନାହୁଁ  । ଯାହା ହେବ ଦେଖାଯିବ ମାନସିକତା କାମକରୁଛି  । ଆମେ ଭାବୁ ବୈଜ୍ଞାନିକମାନେ ଅଛନ୍ତି  । କିଛି ନୂଆ ବ୍ୟବସ୍ଥା କରି ଆମର ଜୀବନ ଶୈଳୀକୁ ଅକ୍ଷୁର୍ଣ୍ଣ ରଖିବେ  । ଏଇ ପରିପ୍ରେକ୍ଷୀରେ ଦେଖିବା ଓଡିଶାର ଅବସ୍ଥା  । ଜଳବାୟୁରେ ପରିବର୍ତ୍ତନ ହେଉଛି କି, ଆମେ ଏହାଦ୍ଵାରା ପ୍ରଭାବିତ ହେଉଛେ କି ଏବଂ ଓଡିଶାର ଆର୍ଥିକ ଅବସ୍ଥାରେ ଏହା ପ୍ରଭାବ ପକାଇବକି ? ଅନ୍ୟଦେଶ ବା ଅନ୍ୟ ଅଞ୍ଚଳ ଭଳି ଓଡିଶାରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିସହ ପ୍ରଗତିର ବେଗ ବଢିଚାଲିଛି  । ବିଶେଷତଃ ବିଗତ ଦଶନ୍ଧିରେ (୧୯୬୮-୨୦୦୮) ଆଖିଦୃଶିଆ ବିକାଶ ହେଉଛି  । ଆମର ଅନେକ ଇସ୍ପାତ ପ୍ରକଳ୍ପ, ଆଲୁମିନିୟମ ପ୍ରକଳ୍ପ, ତାପଜ ବିଦ୍ୟୁତ କେନ୍ଦ୍ର, ରାସ୍ତାଘାଟ, ଯାନବାହାନ, ସହର, ଖଣି ଖାଦାନ ହୁହୁ ବଢି ଚାଲିଛି  । ସମସ୍ତ ପ୍ରକାର ପୃଥିବୀ ସମ୍ପଦ ଉପରେ ଆମର ରାଜ୍ ବଢିବଢି ଚାଲୁଛି  । ସେହି ଅନୁସାରେ ସମ୍ପଦର କ୍ଷୟ ହେଉଛି ଏବଂ ଓଡିଶାର ପରିବେଶରେ ଅସନ୍ତୁଳନ ଦେଖାଗଲାଣି  । ଜଳ, ସ୍ଥଳ, ଆକାଶ ବର୍ତ୍ତମାନ ଦୂଷିତହେବାରେ ଲାଗିଲାଣି  । ବିଗତ ଦଶନ୍ଧି (୧୯୯୮-୨୦୦୮) ର ଘଟଣାବଳୀକୁ ଲକ୍ଷ୍ୟକଲେ ଆମେ ଜାଣିପାରିବା ଯେ ଭୂଉତ୍ତପ୍ତୀକରଣ ଏବଂ ଜଳବାୟୁ ପରିବର୍ତ୍ତନ ଆମକୁ କିପରି ହ୍ରାସ କଲାଣି  ।

ଓଡିଶାର ବେଳାଭୂମି

(ଭାରତର ପୂର୍ବ-ପଶ୍ଚିମ ଓ ଦକ୍ଷିଣ ଭାଗର ୭୬୦୦ କି.ମି. ସମୁଦ୍ରତଟୀୟ ଉପକୂଳ ମଧ୍ୟରୁ ଓଡିଶାରେ ପ୍ରାୟ ୪୮୦ କି.ମି. ସାମୁଦ୍ରିକ ବେଳାଭୂମି ଅଛି  । ଦକ୍ଷିଣରେ ଗୋପାଳପୁରଠାରୁ ପୂର୍ବରେ ଦୀଘା ପର୍ଯ୍ୟନ୍ତ ଏହା ବ୍ୟାପି ରହିଛି  । ଭାରତ ସରକାରଙ୍କ ଅତି ସମ୍ବେଦନଶୀଳ ସରକାରଙ୍କ ସାମରିକ ଓ ପ୍ରତିରକ୍ଷା ବିଭାଗର ଅନୁଷ୍ଠାନ ଓଡିଶା ଉପକୂଳରେ ଅଛି )

ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଅଞ୍ଚଳରେ ସମୁଦ୍ର କୁଳ ଲଙ୍ଘୁଛି  । ଓଡିଶାର ସମୁଦ୍ରକୁଳ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଥିବାବେଳେ ଏହାଦ୍ଵାରା କେବଳ ବେଳାଭୂମି ଇଲାକାର ଅଧିବାସୀଙ୍କ ପାଇଁ ବିପଦ ସୃଷ୍ଟି ହୋଇନି, ରାଜ୍ୟର ବିଖ୍ୟାତ କଇଁଛ ଅଣ୍ଡାଦାନ ବାଲୁକା ଶର୍ଯ୍ୟା ମଧ୍ୟ ବିପଦର ସମ୍ମୁଖୀନ ହୋଇଛି  । ଲକ୍ଷ ଲକ୍ଷ ଧୀବର ଏବଂ ଚାଷୀଙ୍କର ଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି  । ଗତ ୪ ବର୍ଷ ହେଲା ମୃତ୍ତିକା କ୍ଷୟ ହେଉନ ମାତ୍ରାରେ ବଢିଚାଲିଛି ଏହାକୁ ରୋକା ନଗଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ପରିବେଶବିତ୍ ମାନେ ଆଶଙ୍କା କରୁଛନ୍ତି  ।

ଓଡିଶାର ଉପକୂଳର ୪୭୬ କିଲୋମିଟର କୁଳ ସାମୁଦ୍ରିକ ଲହଡି ଦ୍ଵାରା କ୍ଷୟ ହେଉଛି ବୋଲି ୨୦୦୬ ମସିହାରେ ଭାରତ ସରକାରଙ୍କ ଗୋଆସ୍ଥିତ ଏନଆଇଓ ଏକ ସର୍ବେକ୍ଷଣରେ ସୂଚନା ଦେଇଥିଲା ଓଡିଶା ଉପକୂଳର ଦେବୀ ମୁହାଣ ଗହୀରମଥା ଏବଂ ଋଷିକୁଲ୍ୟା ମୁହାଣରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ ରିଡେଲ କଇଁଛ ପ୍ରତିବର୍ଷ ଅଣ୍ଡାଦାନ କରନ୍ତି  । ଆମ ରାଜ୍ୟକୁ  ପୃଥିବୀର ୫୦ ଭାଗ କଇଁଛ ଅଣ୍ଡା ଦେବା ପାଇଁ ଆସନ୍ତି  । ଯଦି ସାମୁଦ୍ରିକ ବାଲୁକା ଶର୍ଯ୍ୟା କ୍ଷୟକୁ ରୋକା ନଯାଏ ତେବେ ଏହି ବିରଳ ପ୍ରାକୃତିକ ଐତିହ୍ୟ ଓଡିଶାରୁ ଲୋପ ପାରିବା କିଛି ବିଚିତ୍ର ନୁହଁ  । କେବଳ ଏତିକି ନୁହଁ ରାଜ୍ୟ ସରକାର ୧୨ଟୀ ବୃହତ୍ତମ ବନ୍ଦର ପ୍ରତିଷ୍ଠା ପାଇଁ ଯେଉଁ ପ୍ରସ୍ତାବ ରଖିଛନ୍ତି ସେତେବେଳେ ସମସ୍ୟା ଅଧିକ ଜଟିଳ ହେବାର ଆଶଙ୍କା ରହିଛି  । ଏକ ଆକଳନରୁ ଜଣାପଡିଛି ଯେ ପୁରୀ ବେଳାଭୂମି ୪/୫ ବର୍ଷ ଭିତରେ ୭୦ ପ୍ରତିଶତ ଖାଇଯାଇଛି  । ପୁରୀର ସମୁଦ୍ର କୂଳ ଖାଇବାର କାରଣ ହେଉଛି ଚିଲିକାର ନୂଆ ମୁହାଣ  । ୨୦୦୦ ମସିହାରେ ସ୍ଥାପନ କରାଯାଇଥିବା ଏହି ମୁହାଣ ଏବେ ବଢିବାରେ ଲାଗିଛି  । ଏହା କଡରେ ନୂଆ କରି ସୃଷ୍ଟି ହେଉଥିବା ଆଉ ଏକ ପ୍ରାକୃତିକ ମୁହାଣ ସହିତ ମିଶିଯିବାର ସମ୍ଭାବନା ରହିଛି  । ଯଦି ଚିଲିକା ମୁହାଣ ବେଶି ଚଉଡା ହୋଇଯାଏ ତେବେ ଚିଲିକାର ଜୈବ ବିବିଧତା ଲୋପ ପାଇଯିବ  । ବିରଳ ଇରାୱାଡି ଡଲଫିନ ଏହି ହ୍ରଦ ଛାଡି ସବୁଦିନ ପାଇଁ ଚାଲିଯିବେ  । ବିଦେଶରୁ ଆଉ ଲକ୍ଷ ଲକ୍ଷ ପକ୍ଷୀ ଚିଲିକା ହ୍ରଦକୁ ଆସିବେ ନାହିଁ   । ଏହାଦ୍ଵାରା ପର୍ଯ୍ୟଟନ କ୍ଷେତ୍ର ଉପରେ ଏହାର ସିଧାସଳଖ ପ୍ରଭାବ ପଡିବା ସହିତ ହଜାର ହଜାର ଲୋକଙ୍କ ଜୀବିକା ବିପନ୍ନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି  । ବନ୍ଦର, ନୂଆ ମୁହାଣ ଖୋଲାଯିବା ଏବଂ ବ୍ରାହ୍ମଣୀ ଓ ମହାନଦୀ ଉପରେ ବନ୍ଧବାଦ ନିର୍ମାଣ କରାଯିବା ଯୋଗୁଁ ବେଳାଭୂମି ଖାଉଥିବା ଅନୁମାନ କରାଯାଉଛି  । ହୀରାକୁଦ ଓ ରେଙ୍ଗାଲି ବନ୍ଧ ଦ୍ଵାରା ପଟୁମାଟି ଆଉ ନିଷ୍କାସନ ହୋଇ ନପାରି ସେଠାରେ ଜମା ହୋଇ ରହୁଛି  । ଏହାଦ୍ଵାରା ସମୁଦ୍ର କୂଳର ବାଲୁକା ଶଯ୍ୟା ନିର୍ମାଣରେ ବାଧା ଉପୁଜୁଛି  ।

ଏନଆଇଓ  ସର୍ବେକ୍ଷଣରୁ ଜଣାପଡିଛି ଯେ ଗତ ୩୦ ବର୍ଷ ମଧ୍ୟରେ ଗହୀରମଥା ବାଲୁକା ଶଯ୍ୟା ଖାଇଯାଇଛି  । ୧୯୬୬ ମିସିହାରେ ପାରାଦ୍ଵୀପ ବନ୍ଦର ନିର୍ମାଣ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି  । ୧୯୭୧ ମସିହା ବାତ୍ୟା ପରେ ଜଙ୍ଗଲ ବିଭାଗ ବ୍ୟାପକ ଭାବରେ ଝାଉଁ ଗଛ ସମୁଦ୍ର କୂଳରେ ରୋପଣ କରିଥିଲେ  । ଏହାଦ୍ଵାରା ଓଡିଶା ଉପକୂଳର ବିରାଟକାୟ ବାଲୁକା ସ୍ତୁପଗୁଡିକ ନଷ୍ଟ ହୋଇଯାଇଥିଲା ବୋଲି କିଛି ପରିବେଶବିତ ମତଦେଇଛନ୍ତି  । ବାଲୁକା ସ୍ତୁପ କ୍ଷୟ କାରଣରୁ ଉପକୂଳ ଏବେ ସୁନାମୀ, ବାତ୍ୟା ଏବଂ ଜୁଆରଠାରୁ ସୁରକ୍ଷିତ ନୁହଁ ବୋଲି କୁହାଯାଉଛି  । ରାଜ୍ୟ ସରକାର ଅନେକ ବୈଜ୍ଞାନିକ ଏବଂ ପରିବେଶବିତଙ୍କ ସହିତ ଆଲୋଚନା ଚଳାଇଥିଲେ ବି ସମୁଦ୍ର କୂଳ ଖାଇବାର ସଠିକ କାରଣ ଠାବ କରାଯାଇ ପାରୁ ନାହିଁ  । ସରକାରଙ୍କ ପକ୍ଷରୁ ସି ୱାଲ, ଜିଓ ଟ୍ୟୁବ ଏବଂ ଝାଉଁ ଜଙ୍ଗଲ ସୃଷ୍ଟି କରାଯିବା ଭଳି ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ସମସ୍ୟାକୁ ସୁଧାରି ପାରିବ ନାହିଁ ବୋଲି ମତ ଦେଉଥିବାବେଳେ ଘଟଣାର ଏକ ସ୍ଥାୟୀ ସମାଧାନ ଜରୁରୀ ହୋଇପଡିଛି  । ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ବୈଜ୍ଞାନିକ, ପରିବେଶବିତ, ବୁଦ୍ଧିଜୀବି, ମତ୍ସ୍ୟଜୀବୀ, ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକ ପ୍ରତିନିଧିଙ୍କୁ ସାମିଲ କରି ବିସ୍ତୃତ ଆଲୋଚନା ନିମନ୍ତେ ଏକ ସ୍ଵତନ୍ତ୍ର କାର୍ମଶାଳାର ଆୟୋଜନ କରାଯିବା ପାଇଁ ଓଡିଶା ବନ୍ୟପ୍ରାଣୀ ସମିତି ସମେତ ଅନ୍ୟାନ୍ୟ ସଙ୍ଗଠନ ଦାବି ଉଠାଉଛନ୍ତି  ।

ସଂଗୃହୀତ – ନବକିଶୋର ମହାଲିକ

ଜାନୁୟାରୀରେ ୩୬ ଡିଗ୍ରୀ, ଆଗକୁ କେତେ

୨୦୦୯ ମସିହା ଜାନୁୟାରୀମାସରେ ୧୨୭ ବର୍ଷର ସମସ୍ତ ରେକର୍ଡ ଭଙ୍ଗକରି ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି  । ଜାନୁୟାରୀ କ’ଣ ପୂର୍ବେ ମାର୍ଚ୍ଚମାସ ଯାଏ ମଧ୍ୟ ଏତେ ଅଧିକ ତାପମାତ୍ରା ଦେଖାନଥିଲା କି ଶୁଣାନଥିଲା   । ଦୋଳପର୍ବ ପରେ ସାମାନ୍ୟ ଗରମ ଅନୁଭୂତ ହୋଇ ଗ୍ରୀଷ୍ମଋତୁ ଆସୁଥିଲା  । ମାତ୍ର ଏବେ ଜାନୁୟାରୀରୁ ତାପମାତ୍ରା  ବୃଦ୍ଧି ନିଶ୍ଚିତ ଭାବେ ଆମ ପାଇଁ ଉଦବେଗଜନକ ତଥ୍ୟ  । ଆଗକୁ ମଇ, ଜୁନ ମାସ ଅଛି, ସେତେବେଳକୁ ଅବସ୍ଥା କ’ଣ ହେବ ସେ ନେଇ ଏବେ ବିଭିନ୍ନ ମହଲରେ ବିଚାର ଆଲୋଚନା ହେଉଛି  । ଅତ୍ୟଧିକ ତାପମାତ୍ରା ହିଁ ଜୀବଜଗତ ପାଇଁ କ୍ଷତିକାରକ, ଏହା ଅଧିକଭାବେ ବୃଦ୍ଧି ନପାଉ ଏହା ସମସ୍ତେ କାମନା କରନ୍ତି ମାତ୍ର ଏହା ଯେ ବୃଦ୍ଧି ନପାଇବ ସେ ସମ୍ପର୍କରେ ଆମେ ନିଶ୍ଚିତ ଭବିଷ୍ୟବାଣୀ ଦେଇପାରିବା ନାହିଁ   । ବଢୁଥିବା ତାପମାତ୍ରାକୁ ରୋକିବାର ବାଟ କ’ଣ  ?

ପୃଥିବୀର ଚରିତ୍ର ହେଉଛି ପରିବର୍ତ୍ତନ  । ଏହାର ଭୂଭାଗଠାରୁ ଆରମ୍ଭ କରି ପାଣିପାଗ ଯାଏ ସବୁ ପରିବର୍ତ୍ତନର ଧାରାରେ ଚାଲିଆସିଛି  । ଦିନେ ଯେଉଁଠି ଟେଥିସ ନାମକ ଗଭୀର ସାଗର ଠିକା ଏବେ ସେଠାରେ ଠିଆ ହୋଇଛି ହିମାଳୟ ପର୍ବତମାଳା, ୨୫ କୋଟି ବର୍ଷ ତଳେ ଥିବା ଖଣ୍ଡିକିଆ ଭୂଖଣ୍ଡ ପାଞ୍ଜିଆ ପରିବର୍ତ୍ତୀକାଳରେ ଭାଙ୍ଗି ଛୋଟବଡ ଖଣ୍ଡରେ ରୂପାନ୍ତରିତ ହୋଇ ଗଠନ କରିଛି ବିଭିନ୍ନ ଦେଶ ମହାଦେଶ  । ଆଣ୍ଟ୍ରେଟିକାର ବରଫଭୂଖଣ୍ଡରେ ଦିନେ ଘଞ୍ଚଜଙ୍ଗଲ ଥିଲା ଓ ବରଫର ଚିହ୍ନବର୍ଣ୍ଣ ନଥିଲା ତଥା ୧୦ ହଜାର ବର୍ଷ ତଳେ ସମଗ୍ର ଆଫ୍ରିକା ଓ ୟୁରୋପ ମହାଦେଶରେ ବରଫର ଆସ୍ତରଣ ମାଡିରହିଥିବା ଭଳି ତଥ୍ୟ ଅବିଶ୍ଵାସ ମନେ ହେଉଥିଲେ ମଧ୍ୟ ସତ୍ୟ  । ସେହିଭଳି ବର୍ତ୍ତମାନର ବରଫ ଭୂଖଣ୍ଡ ଗ୍ରୀନଲ୍ୟାଣ୍ଡରେ ଏବେକାର ଅବସ୍ଥା ଲାଗିରହିଲେ  କିଛି ଦିନ ମଧ୍ୟରେ ବରଫ ଉଭେଇଯିବା ସେଠାରେ କୋବି ଓ ପନିପରିବା ଚାଷ କରାଯାଇପାରିବ  ବୋଲି ବୈଜ୍ଞାନିକମାନେ ଘୋଷଣା କରିବା ସାଧାରଣ ଲୋକଙ୍କୁ ଚକିତ କରିଛି  । ଏସବୁ ଘଟିବାକୁ ଯାଉଛି କେବଳ ପାଣିପାଗର ପରିବର୍ତ୍ତନ, ପ୍ରମୁଖ ଭାବେ ବର୍ତ୍ତମାନ ପୃଥିବୀର ତାପମାତ୍ରା ବୃଦ୍ଧିପାଇବା ପାଇଁ  ।

ତେବେ ହଠାତ୍ ପାଣିପାଗ ବଦଳିଲା କାହିଁକି, ଏହାକୁ ରୋକିବା ସମ୍ଭବ କି ? ଏ ସମ୍ପର୍କରେ ଏବେ ଗଭୀରଭାବରେ ଚିନ୍ତାକରିବା, ଜାଣିବାର ଆବଶ୍ୟକତା ରହିଛି  । ତାପମାତ୍ରା ବୃଦ୍ଧି ଦୁଇଟିକାରଣରୁ ଘଟିଥାଏ – ଗୋଟିଏ ହେଉଛି ପ୍ରାକୃତିକ ଓ ଅନ୍ୟଟି ମାନବୀୟ  । ପ୍ରକୃତିକଭାବେ ଆଗ୍ନେୟଗିରିରୁ ଅଗ୍ନିଉଦ୍ ଗିରଣ, ସାମୁଦ୍ରିକ ଉଷ୍ମବାୟୁ ଏଲ-ନିନୋର ପ୍ରଚଳନ ଦ୍ଵାରା କେତେକ ଅଞ୍ଚଳରେ ହଠାତ୍ ତାପମାତ୍ରାରେ ବୃଦ୍ଧି ଘଟିଥାଏ  । ମାତ୍ର ବର୍ତ୍ତମାନର ତାପମାତ୍ରା ବୃଦ୍ଧି ପ୍ରମୁଖଭାବେ ମାନବର କାର୍ଯ୍ୟପାଇଁ ହେଉଛି  । ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ ଆକ୍ସାଇଡ ଭଳି କେତେକ ଗ୍ୟାସ ପ୍ରମୁଖଭାବେ ସୂର୍ଯ୍ୟରଶ୍ମିକୁ ଧରିରଖିବାରେ ସହାୟତା କରିଥାଏ  । ପୃଥିବୀର ସୂର୍ଯ୍ୟଙ୍କଠାରୁ ଆସୁଥିବା ଶତକଡା ୫୧ ଭାଗ ରଶ୍ମି ହିଁ ଭୂମି ସ୍ପର୍ଶ କରେ ଅବଶିଷ୍ଟ ବାଟରୁ ପ୍ରତିଫଳିତ ହୋଇଯାଏ କିମ୍ବା ମେଘମାଳା, ବାୟୁସ୍ତର ଇତ୍ୟାଦିଦ୍ଵାରା ଶୋଷିତ ହୋଇଯାଇଥାଏ  । ଭୂମିସ୍ପର୍ଶ  କରୁଥିବା ସୂର୍ଯ୍ୟରଶ୍ମି ଫେରିଯିବା ବେଳେ ଏସବୁ ଗ୍ୟାସର ବାୟୁମଣ୍ଡଳରେ ପ୍ରାବଲ୍ୟ ପାଇଁ ଫେରିନପାରି ବାୟୁମଣ୍ଡଳରେ ଅଟକି ଏହାକୁ ଅଧିକ ଉତ୍ତପ୍ତ କରିଥାଏ  । ଶିଳ୍ପ ବିପ୍ଲବ ପରେ ଇତିମଧ୍ୟରେ ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରୁଥିବା ଏହୁ ସବୁଗ୍ୟାସର ପରିମାଣ ଶତକଡା ୫୦ ଭାଗ ବୃଦ୍ଧି ପାଇଛି  । ଗତ ଶତାବ୍ଦୀରେ ପୃଥିବୀରେ ଲୋକସଂଖ୍ୟାର  ଆହେତୁକ ବୃଦ୍ଧି, କଳକାରଖାନା ଅଭିବୃଦ୍ଧି ତଥା ଉଦ୍ଭିଦ ସମ୍ପଦର ବିଲୋପ ପାଇଁ ତାପମାତ୍ରା ୦.୬ ଡିଗ୍ରୀ ସେଲସିୟସ ବଢିଥିବାବେଳେ ଚଳିତ ଶତାବ୍ଦୀରେ ଏହା ୪ ଡିଗ୍ରୀରୁ ଅଧିକ ବଢିବାର ସମ୍ଭାବନା ଦେଖାଦେଇଛି  । ୧୯୫୦-୫୧ ରେ ଆମ ଦେଶରେ ମଟରଗାଡି ସଂଖ୍ୟା ମାତ୍ର ୩ ଲକ୍ଷ ୬୦ ହଜାର ଥିବାବେଳେ ୨୦୧୦ ମଧ୍ୟରେ ଏହି ସଂଖ୍ୟା ୧୦ କୋଟି ହେବାକୁ ଯାଉଛି  । କଳକାରଖାନା ସଂଖ୍ୟା ସେହିଭଳି ବଢିଛି  । ଏଥିରୁ ସ୍ପଷ୍ଟ ଅଙ୍ଗାରକାମ୍ଳ ଓ ଅନ୍ୟ ତାପଗ୍ରହଣକାରୀ ଗ୍ୟାସ ବାୟୁମଣ୍ଡଳରେ ହିଁ ମିଶୁଛି  । ତେଣୁ ବାୟୁମଣ୍ଡଳ ଉତ୍ତପ୍ତ ହେବାସହ  ଏଥିରେ ସ୍ଥିରତା ରହୁନାହିଁ  । ଏଥିପାଇଁ ପାଣିପାଗ ପରିବର୍ତ୍ତିତ ହେବାରେ ଲାଗିଛି  । ମଣିଷର ସୂକ୍ଷ୍ମ ଶରୀର ୪୨ଡିଗ୍ରୀ ସେଲସିୟସ ତାପମାତ୍ରା ସହ୍ୟ କରିପାରିବ  । ମାତ୍ର ଏହା ୫୦ ଡିଗ୍ରୀ ପାଖାପାଖି ଏବେ ଅନେକ ସ୍ଥାନରେ ହୋଇ ବହୁ ବିପତ୍ତି ଆମ ଉପରକୁ ଟାଣି ଆଣିଛି  । ୧୯୯୮ ମସିହାରେ ଏହିଭଳି ଅବସ୍ଥା ପାଇଁ ରାଜ୍ୟର ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା  । ଚଳିତବର୍ଷ ଜାନୁୟାରୀ ମାସର ତାପମାତ୍ରା ୩୬ ଡିଗ୍ରୀ ହେବା ଅନେକଙ୍କୁ ଭୟଭୀତ କରିଛି  ।

ପାଇକମାଳ ଅଞ୍ଚଳ ମରୁଭୁମି ହେବ

ବିଗତ ୧୦୫ ବର୍ଷରେ ପାଇକମାଳ ସମ୍ମୁଖୀନ ହୋଇଛି ୪୫ଟି ମରୁଡି  । ବିଜ୍ଞାନର ପ୍ରଗତି ସହ ଆଧୁନିକତା ଓ ସହରୀ ସଭ୍ୟତାର ଛାପ ସର୍ବତ୍ର ଦେଖାଯାଇଛି  । ଆଧୁନିକତା ଯୋଗୁଁ ମଣିଷର ଜୀବନଯାପନ ଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଦେଖାଯାଇଥିଲେ ହେଁ ବରଗଡ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପାଇକମାଳ ବ୍ଲକର ଆଦିବାସୀ ସମ୍ପ୍ରଦାୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଛି  ବୋଲି ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ଵବିଦ୍ୟାଳୟ ନୂଆଦିଲ୍ଲୀ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରେ ସୂଚନା ଦିଆଯାଇଛି  । ଏଥିରେ ଦର୍ଶାଯାଇଛି ଯେ ୧୯୯୬ ରୁ ୨୦୦୭ ମଧ୍ୟରେ ପାଇକମାଳରେ ଅନିୟମିତ ବର୍ଷା ୧୫୦% ବୃଦ୍ଧି ପାଇଥିବା ସମୟରେ ଜଳକ୍ଲିଷ୍ଟତା ୩୦୦% ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ୩୦୦% ବୃଦ୍ଧି ପାଇଛି  । ସାମଗ୍ରିକ ରୂପେ ଏହି ସମୟ ମଧ୍ୟରେ ପାଇକମାଳ ବ୍ଲକରେ କ୍ଲାଇମେଟିକ ଷ୍ଟ୍ରେସ ୨୨୫% କୁ ବୃଦ୍ଧି ପାଇଥିବା ଏଥିରେ ଦର୍ଶାଯାଇଛି  । ବର୍ଷାରେ ଅନିୟମିତତା, ତାପମାତ୍ରା ବୃଦ୍ଧି, ଜଙ୍ଗଲ ଅବକ୍ଷୟ ଓ କ୍ରମାଗତ ଭୂତଳ ଜଳସ୍ତର ହ୍ରାସ ପାଇକମାଳ ଅଞ୍ଚଳରେ ଜଳବାୟୁର ପରିବର୍ତ୍ତନର ସୂଚନା ଦିଏ   । ୧୯୯୬ ରେ ପାଇକମାଳ ବ୍ଲକରେ ୭୨ ଦିନରେ ୧୨୩୭ ମିଲିମିଟର ବର୍ଷା ହୋଇଥିଲା  । ୨୦୦୬ ରେ ମାତ୍ର ୬୦ ଦିନ ବର୍ଷା ହେବା ସାଙ୍ଗକୁ ୧୯୯୩ ମିଲିମିଟର ବର୍ଷା ହୋଇଥିଲା  । ଅର୍ଥାତ୍ ଏହି ସମୟ ମଧ୍ୟରେ ୧୨ ଟି ବର୍ଷା ଦିନ ହ୍ରାସ ପାଇଥିଲା ପୂର୍ବାପେକ୍ଷା ଅଧିକ ବୃଷ୍ଟିପାତ ହୋଇଥିଲେ ହେଁ ବର୍ଷାଦିନ ହ୍ରାସ ପାଇବାରୁ ତାହା ଜଙ୍ଗଲ ଓ ଚାଷ ପାଇଁ ଲାଭଦାୟକ ହୋଇପାରୁ ନାହିଁ   ।

ସଂଗୃହୀତ – ଡଃ ପ୍ରମୋଦ କୁମାର ମହାପାତ୍ର

ପୁରୀ ନିକଟ ସମୁଦ୍ର ସ୍ଥଳଭାଗମୁହାଁ ହେଉଛି କାହିଁକି ?

ପୁରୀ-କୋଣାର୍କ ବେଳାଭୂମିର କେତେକ ସ୍ଥାନରେ ସମୁଦ୍ର ସ୍ଥଳଭାଗ ଆଡକୁ ମାଡିଆସି ଏକ ଆତଙ୍କିତ ଅବସ୍ଥା ସୃଷ୍ଟି କରିଛି  । ତେବେ ଏପରି ଘଟୁଛି କାହିଁକି  ? ଭୂବୈଜ୍ଞାନିକଙ୍କର ଏଥିନେଇ ମତ କ’ଣ  ? ପୁରୀ – କୋଣାର୍କ ବେଳାଭୂୟ ଭୂତଳରେ ଲୁକାୟିତ ଥିବା ୨୪୦୦ ମିଟର ଗଭୀର ସେଡିମେଣ୍ଟାରୀବେସିନ୍ ଉପରେ ଅବସ୍ଥିତ  । ପୃଥିବୀର ମାଧ୍ୟାକର୍ଷଣ ଓ ଚୁମ୍ବକୀୟ ଶକ୍ତି ତଥା କୋଣାର୍କ ପାଖରେ କରାଯାଇଥିବା କୃତ୍ରିମ ଭୂକମ୍ପର ଅନୁଶୀଳନ କରି ବେସିନ ସମ୍ବନ୍ଧରେ ପ୍ରାଥମିକ ତଥ୍ୟ ସଂଗ୍ରହ କରାଯାଇଛି  । ବେସିନ ତଳେ ୧୫୦୦  ମିଟର ମୋଟା ଦୁର୍ବଳ ଗ୍ରାନାଇଟ ଓ ତା’ ତଳେ ମେଣ୍ଟାଲ ମିଶ୍ରିତ ଆଗ୍ନେୟଶିଳାର ସନ୍ଧାନ ମିଳିଛି  । ଭୂତ୍ଵକର ଓଜନ ବଢିଯିବାରୁ ସ୍ଥଳଭାଗ ନିମ୍ନଗାମୀ ଓ କ୍ଷୟହେବାର ସମ୍ଭାବନା ଦେଖା ଦେଇଛି  । ମେଣ୍ଟାଲମିଶ୍ରିତ ଆଗ୍ନେୟଶିଳା ବେସିନର ପଶ୍ଚିମ ସୀମାକୁ ଅତିକ୍ରମ କରି ପୁରୀ ତଳେ ଥିବା ଭୂତ୍ଵକକୁ ଓଡିଶାର ପ୍ରଧାନ ଭୂଖଣ୍ଡଠାରୁ ଅଲଗା କରିଦେଇଛି  । ଏହାର ସବିଶେଷ ଅନୁଧ୍ୟାନ ଓ ବେଳାଭୂମିର ଦୁର୍ବଳ ଅଂଶଗୁଡିକ ଚିହ୍ନିତ କରିବାପାଇଁ ଏ ଅଞ୍ଚଳର ଯଥୋପଯୁକ୍ତ ଭୂତାତ୍ତ୍ଵିକ ସର୍ବେକ୍ଷଣ ଶୀଘ୍ର କରାଯିବାର ଆବଶ୍ୟକତା ରହିଛି  । ଏ ସମ୍ପର୍କରେ ବରିଷ୍ଠ ଭୂତତ୍ତ୍ଵବିତ୍ ତଥା ଭାରତୀୟ ଭୂତାତ୍ତ୍ଵିକ ଦର୍ବେକ୍ଷଣ ସଂସ୍ଥାର ଅବସରପ୍ରାପ୍ତ ଇଉପିଏମହାନିର୍ଦ୍ଦେଶକ ପ୍ରମୋଦନାଥ ନାୟକଙ୍କ ସ୍ଵତନ୍ତ୍ର ଆଲୋଚନା  ।

ଓଡିଶା ଉପକୂଳରେ ପୁରୀ ଓ ଅନ୍ୟାନ୍ୟ କେତେକ ସ୍ଥାନରେ ସମୁଦ୍ର ସ୍ଥଳଭାଗକୁ ମାଡିଆସୁଛି  । ପୂର୍ଣ୍ଣିମା ଓ ଅମାବାସ୍ୟାରେ ଉଚ୍ଚ ଜୁଆର ଢେଉକୁ ମାପକାଠି କରି ଅସ୍ଥିର ସମୁଦ୍ରଜଳର ଉଚ୍ଚତା ମାପିବାପାଇଁ ଜଣେ ସ୍ଵନାମଧନ୍ୟ ବୈଜ୍ଞାନିକଙ୍କୁ ଅନୁରୋଧ କରାଯାଇଥିଲା  । ତାଙ୍କ ମତରେ ୨୦୦୬ ମସିହା ତୁଳନାରେ ୨୦୦୭ ମସିହା ବର୍ଷାଦିନରେ ଜଳସ୍ତର ପ୍ରାୟ ୪ ଫୁଟ ଅଧିକ ଥିଲା  । ଉଚ୍ଚଜଳସ୍ତର ଓ ଉଚ୍ଚଶକ୍ତି ସମ୍ପନ୍ନ ଲହରୀ ଆଘାତରେ ବେଳାଭୂମି ଓ ରାସ୍ତା ନଷ୍ଟ ହୋଇ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଥିଲା  । କେତେକ ପରିବେଶବିତ୍ ଙ୍କ ମତରେ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ହେବାରୁ ମେରୁ ଦେଶର ବରଫ ଆବରଣ ଓ ଉଚ୍ଚପାର୍ବତ୍ୟ ଉପତ୍ୟକାରେ ଥିବା ହିମଖଣ୍ଡ ତରଳି ଯାଇ ଜଳସ୍ତରର ଉଚ୍ଚତା ବୃଦ୍ଧି ପାଇଛି  । ଏହା ହୋଇଥିଲେ ପୃଥିବୀର ତଥା ଓଡିଶା ଉପକୂଳର ସମସ୍ତ ସ୍ଥାନରେ ଜଳର ଉଚ୍ଚତା ବୃଦ୍ଧି ପାଇଛି  । ଏହା ହୋଇଥିଲେ ପୃଥିବୀର ତଥା ଓଡିଶାର ଉପକୂଳର ସମସ୍ତ ସ୍ଥାନରେ ଜଳର ଉଚ୍ଚତା ବୃଦ୍ଧି ପାଇଥାନ୍ତା  । ନିର୍ଦ୍ଧିଷ୍ଟ କେତେକ ସ୍ଥାନରେ ଉଚ୍ଚ ଜୁଆର ଯୋଗୁଁ ବେଳାଭୂମିର ଅବକ୍ଷୟ ହେଉଥିବାରୁ ସେହି ସବୁସ୍ଥାନରେ ସ୍ଥଳଭାଗ ଉଚ୍ଚତାରେ ସାମାନ୍ୟ ପରିବର୍ତ୍ତନ ଏକ କାରଣ ହୋଇପାରେ  । ଲେଖକ ଏହି ମର୍ମରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଓ ଓଡିଶା ପ୍ରକଳ୍ପର ଉପମହାନିର୍ଦ୍ଦେଶକଙ୍କୁ ୨୦୦୭ ସେପ୍ଟେମ୍ବର ମାସରେ ଚିଠି ଲେଖିଥିଲା  । ଏହା ପରେ ଓଡିଶା ପ୍ରକଳ୍ପର ଭୂତତ୍ତ୍ଵବିତ୍ ମାନେ ପୁରୀ-କୋଣାର୍କ ଗସ୍ତ କରିଥିଲେ ସେମାନଙ୍କ ମତରେ ବେଳାଭୂମିର ଉନ୍ନୟନ ପାଇଁ ଝାଉଁବନ୍ତୀ ଓ ହେନ୍ତାଳବନ କାଟିଦେବା ଓ ନିଷିଦ୍ଧ ଜୋନରେ ଘର ତିଆରି କରିବା ପ୍ରମୁଖ କାରଣ ହୋଇପାରେ  । ତାହାଛଡା ଭୂପୃଷ୍ଠରେ ଅନ୍ୟକୌଣସି କାରଣ ଦେଖିବାକୁ ମିଳିଲା ନାହିଁ   । ଭୂତଳ ପରୀକ୍ଷା କରିବାକୁ ହେଲେ ଭୂଭୌତିକବିତ୍ ମାନଙ୍କର ସହାୟତା ଦରକାର ପଡିବ, କିନ୍ତୁ ତାହା ସମୟ ସାପେକ୍ଷ  ।

ଓଡିଶା ବାହାରେ ଥିବା ସଂସ୍ଥାମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ନକରି ଓଡିଶା ସରକାରଙ୍କ ଭୂତତ୍ତ୍ଵ ବିଭାଗ ଦ୍ଵାରା ଭୂଭୌତିକ ସର୍ବେକ୍ଷଣ କାମ ଆରମ୍ଭ କରିବା ପାଇଁ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରିଥିଲି  । ତାହା ଏବେ ମଧ୍ୟ ବିଚାରାଧୀନ ଅଛି  । ବର୍ଷା ଋତୁରେ ଏ ପ୍ରକାର ବିପର୍ଯ୍ୟୟ ଘଟୁଥିବାରୁ ସେହି ସମୟରେ ଗୋଟିଏମାସ କାମ କରିଥିଲେ କିଛି ଉପାଦେୟ ତଥ୍ୟ ମିଳିଥାଆନ୍ତା  ।

୨୦୦୮ ମସିହା ବର୍ଷାଋତୁରେ ସମୁଦ୍ର ଉଗ୍ରରୂପ ଧାରଣ କରିଛି  । ପୁନରାୟ ଚେନ୍ନାଇ ଓ ଗୋଆ ବିଶେଷଜ୍ଞ ମାନେ ପୃଥିବୀର ଆଭ୍ୟନ୍ତରୀଣ ପ୍ରକ୍ରିୟାକୁ ସନ୍ଦେହ କରୁଛନ୍ତି ବୋଲି ସମାଜ ସମ୍ବାଦରୁ ଜଣାପଡୁଛି  । ଏହାଛଡା ପୁରୀ ସମୁଦ୍ର କୂଳରେ ଥିବା ଅଧିକାଂଶ କୋଠାଘର ଉତ୍ତର ଦିଗକୁ ଆପାତତଃ ଢଳି ପଡିଥିବା ମନେହୁଏ   । ଏହା ଅତି ସାମାନ୍ୟ ହେଲେ ମଧ୍ୟ ହେୟଜ୍ଞାନ କରିବା ବିପଜ୍ଜନକ । ସମୁଦ୍ର ଜଳର ଉଚ୍ଚତାରେ ବୃଦ୍ଧି ଓ ଉଚ୍ଚାକୋଠାଘର ଢଳିବା କାରଣକୁ ଜାଣିବାକୁ ହେଲେ ଯଥୋପଯୁକ୍ତ ଭୂଭୌତିକ ଗବେଷଣା କରି ପୃଥିବୀର ଆଭ୍ୟନ୍ତରୀଣ ପ୍ରକ୍ରିୟା ଅନୁଧ୍ୟାନ କରିବା ସମିଚୀନ  । ତାହା ସମ୍ଭବ ପର ହେଉ ନ ଥିବାରୁ ଅନ୍ୟକାମ ପାଇଁ କରାଯାଇଥିବା ପୁରୁଣା ସର୍ବେକ୍ଷଣ ରିପୋର୍ଟକୁ ଆଧାର କରି ଏଠାରେ କେତେକ ତଥ୍ୟ ଉପସ୍ଥାପନା କରାଯାଇଛି

ଭୂତାତ୍ତ୍ଵିକ ତଥ୍ୟ

ପୁରୀ – କୋଣାର୍କ ଅଞ୍ଚଳର ବୁଜର ଗ୍ରାଭିଟୀମାନଚିତ୍ରର କେତେକ ଅଂଶରୁ ମାଟିତଳେ ଲୁଚି ରହିଥିବା ଗୋଟିଏ ସେଡିମେଣ୍ଟାରୀ ବେସିନ ନଜରକୁ ଆସେ  । ପ୍ରାୟ ୨୪୦୦ ମିଟର ବେସିନ ଭିତରେ କମ୍ ସାନ୍ଧ୍ରତା ଥିବା ସେଡିମେଣ୍ଟ ପୂର୍ଣ୍ଣ ହୋଇ ଯାଇଥିବାରୁ ଗ୍ରାଭିଟୀକଣ୍ଟରୁ  ବେସିନ ସୀମାରେଖାଠାରୁ କ୍ରମଶଃ କମିଯାଇ ଗଭୀରତମ ଅଂଶରେ ସର୍ବନିମ୍ନ ହୋଇଯାଇଛି  । ବେସିନର ଆକୃତି ଅଣ୍ଡାପରି, ଏହା ଅଧିକାଂଶ ବେସିନର ସ୍ଵାଭାବିକ  ଆକୃତି  ।

ଉତ୍ତରପଟର ସୀମାରେଖା ପିପିଲିର ଦକ୍ଷିଣରେ ଥିବା ଏକନମ୍ବର ରତନଚିରା ନଦୀପାଖରେ  ଚିହ୍ନଟ କରିବାରେ ଅସୁବିଧା ନାହିଁ  । ସେହି ସୀମାରେଖା ପିପିଲିଠାରୁ ନିମାପଡା ପର୍ଯ୍ୟନ୍ତ ଲମ୍ବିଯାଇଛି  । ନିମାପଡା ପାଖରେ ଗ୍ରାଭିଟୀକଣ୍ଟୁର ଦେଖିଲେ ଦୁଇଗୋଟି ଫଲ୍ଟ ନଜରକୁ ଆସେ  । ଅନ୍ୟ ଭୂଭୌତିକ ଉପାୟ ପ୍ରୟୋଗକରି ଫଲ୍ଟ ଚିହ୍ନଟ କରାଯାଇଛି  । ଦକ୍ଷିଣଦିଗରେ ସମୁଦ୍ର ଭିତରେ ଥିବା ସୀମାଟି ଅସ୍ପଷ୍ଟ  । ତେଣୁ ସମୁଦ୍ର ଉପକୂଳ ବେସିନରେ ଥିବା ସ୍ତରୀଭୂତ  ଶିଳା ଦ୍ଵାରା ନିୟନ୍ତ୍ରିତ ବୋଲି ମନେ କରାଯାଏ  ।

ବେସିନର ପଶ୍ଚିମପଟ ସୀମା ମହତ୍ତ୍ଵପୂର୍ଣ୍ଣ  । ସେଠାରେ ଅଣ୍ଡାକୃତି ସୀମା ବିଶେଷଭାବେ ପରିବର୍ତ୍ତନ ହୋଇଯାଇଛି  । ବିଶେଷ ଶିଳା ବାସଲଟିକ୍ ଗାବ୍ରୋ ହୋଇପାରେ   । ଏହା ଭୂତ୍ଵକର ଅଂଶ ବିଶେଷ ଅର୍ଥାତ୍ ସେଡିମେଣ୍ଟାରୀ ବେସିନଠାରୁ ପୁରୁଣା ହୋଇପାରେ  । ମାତ୍ର ଆକୃତି ପ୍ରକୃତି ଦିଗରୁ ବିଚାର କରି ଦେଖିଲେ ଏହା ବେସିନ ହେବା ପରେ ଭୂଗର୍ଭରୁ ଉତ୍ ଥିତ ହୋଇ ଭୂତ୍ଵକ ଓ ବେସିନର ସ୍ତରୀଭୂତ ଶିଳାକୁ କାଟି ଦେଇଛି  । ସାକ୍ଷୀଗୋପାଳ ଓ ଚନ୍ଦନପୁର ମଝିରେ ଶିଳାଟି ଆଗଭୀର ଅଞ୍ଚଳରେ ଥିଲେ ମଧ୍ୟ ପୂର୍ବ ଓ ଦକ୍ଷିଣପୂର୍ବ ଅଞ୍ଚଳରେ ବେସିନର ତଳଭାଗରେ ଅଛି  । ଆଗ୍ନେୟଶିଳା ଯୋଗୁଁ ପୁରୀ ଭୂଖଣ୍ଡ ଉତ୍ତରଦିଗକୁ ପ୍ରଧାନ ଭୂଖଣ୍ଡଠାରୁ ବିଚ୍ଛିନ୍ନ ହୋଇଗଲା  ପରି ମନେ ହେଉଛି  । ତେଣୁ ଏହାର ବିଶେଷ ଅନୁଧ୍ୟାନ ଆବଶ୍ୟକ ହାଲୁକା ସେଡିମେଣ୍ଟ ପରିବର୍ତ୍ତେ ଅଧିକ ସାନ୍ଧ୍ରତାଥିବା ଶିଳାଥିବା ସନ୍ଦେହ କରାଯାଉଛି  । ମ୍ୟାଗ୍ନେଟିକ ମ୍ୟାପରେ ଠିକ୍ ସେହିସ୍ଥାନରେ ପୃଥିବୀର ଚୁମ୍ବକୀୟ ଶକ୍ତିରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି  । ବିଶେଷ ଶିଳା ବାସଲଟିକ୍ ଗାବ୍ରୋ ହୋଇପାରେ  । ଏହା ଭୂତ୍ଵକର ଅଂଶ ବିଶେଷ ଅର୍ଥାତ୍ ସେଡିମେଣ୍ଟାରୀ ବେସିନଠାରୁ ପୁରୁଣା ହୋଇପାରେ  । ମାତ୍ର ଆକୃତି ପ୍ରକୃତି ଦିଗରୁ ବିଚାର କରି ଦେଖିଲେ ଏହା ବେସିନ ହେବା ପରେ ଭୂଗର୍ଭରୁ ଉତ୍ ଥିତ ହୋଇ ଭୂତ୍ଵକ ଓ ବେସିନର ସ୍ତରୀଭୂତ ଶିଳାକୁ କାଟି ଦେଇଛି  । ସାକ୍ଷୀଗୋପାଳ ଓ ଚନ୍ଦନପୁର ମଝିରେ ଶିଳାଟି ଆଗଭୀର ଅଞ୍ଚଳରେ ଥିଲେ ମଧ୍ୟ ପୂର୍ବ ଓ ଦକ୍ଷିଣପୂର୍ବ ଅଞ୍ଚଳରେ ବେସିନର ତଳଭାଗରେ ଅଛି  । ଆଗ୍ନେୟଶିଳା ଯୋଗୁଁ ପୁରୀ ଭୂଖଣ୍ଡ ଉତ୍ତରଦିଗକୁ ପ୍ରାଧାନ ଭୂଖଣ୍ଡଠାରୁ ବିଚ୍ଛିନ୍ନ ହୋଇଗଲା ପରି ମନେ ହେଉଛି  । ତେଣୁ ଏହାର ବିଶେଷ ଅନୁଧ୍ୟାନ ଆବଶ୍ୟକ  ।

କୃତ୍ରିମ ଭୂକମ୍ପ ସୃଷ୍ଟି କରି ସେଡିମେଣ୍ଟାରୀ ବେସିନକୁ ନିମାପଡା ଓ କୋଣାର୍କ ପାଖରେ ପରୀକ୍ଷା କରଯାଇଥିଲା  । ଭୁପୃଷ୍ଠର ୫୦୦ ମିଟର ତଳ ପର୍ଯ୍ୟନ୍ତ କ୍ଵାଟରନାରୀ ସେଡିମେଣ୍ଟ  । ୫୦୦ରୁ ୧୨୫୦ ମିଟର ପର୍ଯ୍ୟନ୍ତ ସ୍ତରୀଭୂତ ଟର୍ସିୟାରୀ ଶିଳା ଓ ତା’ତଳେ ୨୪୦୦ ମିଟର ପର୍ଯ୍ୟନ୍ତ ଆଗ୍ନେୟଲାର୍ଭା ମିଶ୍ରିତ ସ୍ତରୀଭୂତ ଶିଳା  । ବେସିନରେ ତଳଭାଗରେ ଗ୍ରାନାଇଟ ଶିଳା ପର୍ଯ୍ୟନ୍ତ ନରମ ଅବକ୍ଷିପ୍ତ ଶିଳା ଥିବାରୁ ସେଠାରେ ତୈଳ ଥିବା ସନ୍ଦେହ କରାଯାଏ  । ଗୋପ ପାଖରେ ଅଗଭୀର ନଳକୂଅରୁ ଗ୍ୟାସ ନିରଗୀତ ହେଉଥିବାରୁ ଗ୍ୟାସଭଣ୍ଡାର ଥିବା ସମ୍ଭାବନା ଦୃଢୀଭୂତ ହୋଇଛି  ।

କୋଣାର୍କ ପାଖରେ ଗ୍ରାନାଇଟ ଦେଢ କିଲୋମିଟର ମୋଟା ଥିବା ସ୍ଥଳେ ତା’ତଳେ ଭୂତ୍ଵକ ବାସାଲଟ୍  ମାତ୍ର ୩ କିଲୋମିଟର ମୋଟା  । ତା’ତଳେ ଥିବା ସ୍ତରୀଭୂତ ଆଗ୍ନେୟ ଶିଳାରେ ଭୂକମ୍ପନ  ତରଙ୍ଗର ପରିବେଗ ସେକେଣ୍ଡରେ ୭ କିଲୋମିଟରରୁ ବେଶି  ।

ଭୂତ୍ଵକର ପ୍ରକାର ଭେଦ ଓ ସାମୁଦ୍ରିକରଣ

ସାଧାରଣତଃ  ସ୍ଥିରଥିବା ମହାଦେଶୀୟ ଭୂତ୍ଵକରେ ଦୁଇଟି ସ୍ତରଥାଏ  । ଉପରଭାଗରେ ୧୦ କିମି ଗ୍ରାନାଇଟ ଓ ତଳଭାଗରେ ପ୍ରାୟ ୨୦ କି.ମି. ବାସଲଟ ; ତା’ତଳେ ଭୂତ୍ଵକର ସୀମା   । ମୋହୋ ବା ମୋହୋରୋଭିଷିକ ଡିସକାଉଣ୍ଟିଉଟୀ  । ମହାସାଗରୀୟ  ଭୂତ୍ଵକରେ କେବଳ ବାସଲଟିକ୍ ଗାବ୍ରୋ ଶିଳା ଥାଏ  । ୧୦/୧୨ କିମି ଗ୍ରାବୋ ପରେ ‘ମୋହୋ’ – ଯାହା ଭୂତ୍ଵକକୁ ପୃଥିବୀର ମ୍ୟାଣ୍ଟାଲଠାରୁ ଅଲଗା କରିଥାଏ  । ମ୍ୟାଣ୍ଟଲ ତଳଭାଗରେ ଅଧିକ ଚାପ ଓ ଉତ୍ତାପ ଯୋଗୁଁ ଅଲଟ୍ରାବେସିନ ଶିଳା ଅର୍ଦ୍ଧତରଳ ଅବସ୍ଥାରେ ଥାଏ  । ଭୂତ୍ଵକ ଓ ମ୍ୟାଣ୍ଟଲର ଆକୃତି ଭୂକମ୍ପ ତରଙ୍ଗ ପରିବେଗ ଦ୍ଵାରା ନିର୍ଣ୍ଣୟ କରାଯାଏ  । ତରଙ୍ଗର ପରିବେଗ ପ୍ରତି ସେକେଣ୍ଡରେ ଗ୍ରାନାଇଟ ଭିତରେ ୫ କି.ମି. ବାସଲଟରେ ୬.୨ କିମି, ଓ ମ୍ୟାଣ୍ଟଲ ଭିତରେ ୮.୨ କିମି  । ଗ୍ରାନାଇଟ, ବାସଲଟ, ଗାବ୍ରୋ ଓ ମ୍ୟାଣ୍ଟଲ ଶିଳା ପରସ୍ପରଠାରୁ ଅଲଗା ହୋଇ ରହିଥାଆନ୍ତି  । ବିଶେଷତଃ ମ୍ୟାଣ୍ଟଲ ଶିଳା ‘ମୋହୋ’ ଅତିକ୍ରମ କରେ ନାହିଁ  । ମାତ୍ର ଆଭ୍ୟନ୍ତରୀଣ ପ୍ରକ୍ରିୟା ଦ୍ଵାରା ମ୍ୟାଣ୍ଟଲ ଓ ଭୂତ୍ଵକ ମିଶିଗଲେ ମିଶ୍ରିତ ଶିଳାର ପରିବେଗ ସେକେଣ୍ଡରେ ୭ କିମିରୁ ଉର୍ଦ୍ଧ୍ଵ ହୋଇଯାଏ  । ମହାଦେଶୀୟ ସ୍ଥଳଭାଗର ବିଶେଷତ୍ଵ ଗ୍ରାନାଇଟ ଶିଳା ; ଓ ଗ୍ରାନାଇଟ ଉପରେ ସ୍ଥଳଭାଗର ସ୍ଥାୟିତ୍ଵ ନିର୍ଭର କରେ  । ଟେକ୍ ଟୋନିକ୍  ପ୍ରକ୍ରିୟା ଯୋଗୁଁ ଗ୍ରାନାଇଟ ପତଳା ହୋଇଗଲେ  । ଏହାର ତଳପଟରେ ଥିବା ବାସଲଟରେ ଅର୍ଦ୍ଧତରଳ ମ୍ୟାଣ୍ଟଲ ପ୍ରବେଶ କରେ  । କେତେକ ସ୍ଥାନରେ ଗ୍ରାନାଇଟ ସ୍ତରକୁ ଭେଦକରି ମ୍ୟାଣ୍ଟଲ ମିଶ୍ରିତ ବାସଲଟ ଭୁପୃଷ୍ଠ  ଉପରକୁ ଉଠିଆସେ  ।

ଫଳରେ ଭୂତ୍ଵକର ସାନ୍ଧ୍ରତା ବଢିଯାଇ ତାହା ନିମ୍ନଗାମୀ ହୋଇଯାଏ  । ସମୁଦ୍ର ପାଖରେ ଏହି ପ୍ରକ୍ରିୟାହେଲେ ସମୁଦ୍ରକୂଳ ଅତିକ୍ରମ କରି ସ୍ଥଳଭାଗକୁ ମାଡିଆସେ  । ଏହାହିଁ  ସାମୁଦ୍ରିକରଣ ପ୍ରକ୍ରିୟା  । ନିମାପଡା ପାଖରେ ୩.୫ କିଲୋମିଟର ଗ୍ରାନାଇଟ ଓ ୬.୫ ବାସଲଟ ତଳେ ମିଶ୍ରିତଶିଳା  ଅଛି  ।ଅଳ୍ପ ଦୂରରେ କୋଣାର୍କ ପାଖରେ ୧.୫ କି.ମି. ଗ୍ରାନାଇଟ ୩ କି.ମି ବାସଲଟ ତଳେ ମିଶ୍ରିତ ଶିଳାଥିବା ସଙ୍କେତ ମିଳୁଛି  । ପୁରୀ ପାଖରେ ଏହାହିଁ  ହୋଇଥିଲେ ମଧ୍ୟ ସେଠାରେ ମିଶ୍ରିତ ଶିଳା ବେସିନ ତଳେ ସୀମାବଦ୍ଧ ନ ହୋଇ ଉପରକୁ ଉଠିଆସିଛି  ।

ଭୂତତ୍ତ୍ଵବିଦ୍ ମାନଙ୍କ ମତରେ ଜୁରାସିକ୍ ସମୟରେ ବଙ୍ଗୋପସାଗର ଜନ୍ମ ହୋଇଥିଲା  । ସେତେବେଳେ ଅର୍ଥାତ୍ ୧୦୦ ନିୟୁତ ବର୍ଷତଳେ ପୁରୀପାଖରେ ସାମୁଦ୍ରିକରଣ ପ୍ରକ୍ରିୟା ସକ୍ରିୟ ଥିଲା  । ସାକ୍ଷୀଗୋପାଳ ପାଖରେ ଥିବା ଆଗ୍ନେୟଶିଳା ସେହି ସମୟରେ ସଞ୍ଚାଳନ ହୋଇଥିଲେ ଏହା ବିପଦସଙ୍କଟ ଧରି ନିଆଯାଇପାରେ   ।

ଆଂଶିକ ସାମୁଦ୍ରିକରଣ ଯୋଗୁଁ ବଙ୍ଗୋପସାଗର ଶେଲଫ ଓ ବେଳାଭୂମିର ସୃଷ୍ଟି  । ଏହା ସଦ୍ୟ ସୃଷ୍ଟି ହୋଇଥିଲେ କେତେକ ସ୍ଥାନରେ ଭୂତ୍ଵକ ଦୁର୍ବଳ ଅବସ୍ଥାରେ ଥାଇପାରେ  । ସେସବୁ ସ୍ଥାନରେ ସମୁଦ୍ରକୂଳ ଲଂଘନ କରିବା ଅସମ୍ଭବ ନୁହେଁ  । ସ୍ଥଳଭାଗକୁ ମାଡି ଆସିଲେ ମଧ୍ୟ ଭୂତ୍ଵକ ତଳେ ପରିବର୍ତ୍ତନ ହେଲେ ବଙ୍ଗୋପସାଗର ଦକ୍ଷିଣ ଆଡକୁ ଘୁଞ୍ଚିଯାଇପାରେ  । ମନେ ରଖିବାକୁ ହେବ ଯେ, ସାମୁଦ୍ରିକରଣ ଖୁବ୍ ଧୀରେ ଧୀରେ ହୋଇଥାଏ  । ଏହା ଋତୁପରିବର୍ତ୍ତନ ଉପରେ ନିର୍ଭର କରେ ନାହିଁ  । ପୁରୀ ସମୁଦ୍ର କୂଳରେ କେବଳ ବର୍ଷାଋତୁରେ ବେଳାଭୂମିର ଅଧିକ ଅବକ୍ଷୟ ହେଉଛି  । ଏ ପରିସ୍ଥିତିରେ ଉପରକୁ ଉଠିଆସିଥିବା ମିଶ୍ର ଆଗ୍ନେୟଶିଳା ଉପରେ ଦୃଷ୍ଟି ରଖିବା ଆବଶ୍ୟକ  । ଏହି ଶିଳାର ତଳ ଓ ଉପର ପଟ ଦେଇ ବର୍ଷାଦିନରେ ଜଳ ପ୍ରବେଶ କଲେ ତାହା ପୁରୀ ଭୂଖଣ୍ଡକୁ ଅସ୍ଥିର କରିପାରେ  । ଏ ସବୁଦୃଷ୍ଟିରୁ ଆଗ୍ନେୟଶିଳାର ଭୂତଳସ୍ଥିତ ଓ ବୟସ ନିର୍ଦ୍ଧାରଣ କରିବା ନିତାନ୍ତ ଆବଶ୍ୟକ  । ଏ ସନ୍ଦର୍ଭରେ ଉଦ୍ଧାର କରାଯାଇଥିବା ମାନଚିତ୍ର ତଥ୍ୟ ଗତ ଶତାବ୍ଦୀର ଷାଠିଏ ଦଶକରେ ତିଆରି କରାଯାଇଥିଲା  । ପଚାଶବର୍ଷ ଭିତରେ ପୁରୀ ଅଞ୍ଚଳରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇ ଯାଇଛି  । ସରହ୍ରଦ ଅଦୃଶ୍ୟ ହେବା ସଙ୍ଗେ ସଙ୍ଗେ ସାମଙ୍ଗ ହ୍ରଦ ସଙ୍କୁଚିତ ହୋଇଯାଇଛି  । ବଳିଆପଣ୍ଡା ପଶ୍ଚିମଦିଗ ଓ ଅନ୍ୟାନ୍ୟ ଦୁର୍ବଳ ସ୍ଥାନରେ ସାମୁଦ୍ରିକରଣ ସ୍ପର୍ଶକାତର ଅବସ୍ଥାରେ ଅଛି  । ଏ ସମସ୍ତ ସ୍ଥାନରେ ଅନୁଧ୍ୟାନ କରିବା ପୂର୍ବରୁ ଉନ୍ନତ ମାଗ୍ନେଟୋମିଟର ଦ୍ଵାରା ସର୍ଭେ କରିବା ଦରକାର  । କୃତ୍ରିମ ଭୂକମ୍ପନ ଓ ବିଦ୍ୟୁତ ପ୍ରୟୋଗ କରି ଭୂତଳରେ ଥିବା ସ୍ତରୀଭୂତ ଶିଳା ପରୀକ୍ଷା କଲାପରେ ଭୂତଳର ଚିତ୍ର ସ୍ପଷ୍ଟ ଜଣାପଡିବ  ।

କୂଳଲଙ୍ଘୁଛି ସମୁଦ୍ର ; ଉପକୂଳ ଅଞ୍ଚଳରେ ଆତଙ୍କ

ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ବାଲିକୁଦା, ଏରସମା ଓ କୁଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଗତ କିଛିବର୍ଷ ହେବ ସମୁଦ୍ର କୂଳଲଙ୍ଘି ଚାଲଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି  ।

ଲୁଣା ଘେରିବନ୍ଧ କର୍ମକର୍ତ୍ତାଙ୍କ କହିବା ଅନୁସାରେ ଗତ ଦୁଇବର୍ଷ ମଧ୍ୟରେ ଏରସମା ବ୍ଲକର ସମୁଦ୍ର ତଟବର୍ତ୍ତୀ ଆମ୍ବିକି, ଗଡବିଶିନିପୁର ଓ ପଦ୍ମପୁର ଆଦି ପଞ୍ଚାୟତର ପ୍ରାୟ ଦୁଇହଜାର ହେକ୍ଟର ଜମିରେ ସମୁଦ୍ର ଗର୍ଭରେ ଲୀନ ହୋଇସାରିଲାଣି  । ଏଥିସହିତ ସମୁଦ୍ର ଜୁଆର ଲୁଣା ଘେରିବନ୍ଧରେ ମଧ୍ୟ ମାଡ ହୋଇ ବ୍ୟାପକ କ୍ଷତି ଘଟାଉଛି   । ସେହିପରି ବ୍ୟାପକ ଝାଉଁବଣ ଜଙ୍ଗଲ ସୃଷ୍ଟି କରାଯାଇଥିବା ଉକ୍ତ ଅଞ୍ଚଳର ଶିଆଳିଠାରେ ମଧ୍ୟ ଗତ ଦେଢବର୍ଷ ମଧ୍ୟରେ ପ୍ରାୟ ତିନିଶହ ମିଟର ସ୍ଥଳଭାଗକୁ ସମୁଦ୍ର ଖାଇ ସାରିଛି  । ଅନ୍ୟପକ୍ଷରେ, ଶିଆଳିଠାରେ ଥିବା ଏକ ନିରୀକ୍ଷଣ ଗୃହ ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ଦେଖାଦେଇଛି  ।

ଝାଉଁ ଜଙ୍ଗଲ ଯୋଗୁଁ ଗତ ଚାରିପାଞ୍ଚ ବର୍ଷ ତଳେ ଶିଆଳିଠାରେ ଶୀତଦିନେ ବହୁ ପର୍ଯ୍ୟଟକ ତଥା ସ୍କୁଲ, କଲେଜରୁ ଆସୁଥିବା ପିକନିକ୍ ଦଳଙ୍କର ଭିଡ ଲାଗୁଥିଲା  । ସମୁଦ୍ରକୂଳ ଲଙ୍ଘିବା ପରେ ଧୀରେ ଧୀରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି  । ଏହି ପରିପ୍ରେକ୍ଷୀରେ  ଜଗତସିଂହପୁର ଜିଲ୍ଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳ ବ୍ୟାପକ କ୍ଷୟ ହୋଇଚାଲିଥିବା ଘଟଣାର ଅନୁଧ୍ୟାନ କରିବା ପାଇଁ ଏକ ସ୍ଵତନ୍ତ୍ର ପ୍ରତିନିଧି ଦଳ ଜଗତସିଂହପୁର ଜିଲ୍ଲାରେ ପହଞ୍ଚି ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରି ଫେରିଛନ୍ତି  । ଉକ୍ତ ପ୍ରତିନିଧି ଦଳରେ ଉତ୍କଳ ବିଶ୍ଵବିଦ୍ୟାଳୟର ଭୂଗୋଳ ବିଭାଗର ଅଧ୍ୟାପକ ଗୋପାଳ କୁମାର ପଣ୍ଡା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର କାଳିଚରଣ ସାହୁ, ଓସଡମାର ବୈଷୟିକ ପରାମର୍ଶଦାତା ଏସ.ଏମ.ବେହେରା  । ଓଏସଆରଏସସିର ବୈଜ୍ଞାନିକ ପି.କୁମାର ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ଜେ.ପି ଚାନ୍ଦ ପ୍ରମୁଖ ସାମିଲ ହୋଇ ବିଭିନ୍ନ ବାବଦରେ ଅନୁଧ୍ୟାନ କରିଥିଲେ  । ପ୍ରତିନିଧି ଦଳର ସୂଚନା ଅନୁସାରେ ଓଡିଶା ଉପକୂଳର ୪୮୦ କି.ମି. ରୁ ପ୍ରାୟ ୧୦୭ କି.ମି. ସମୁଦ୍ର ଗର୍ଭରେ ଲୀନ ହୋଇଚାଲିଥିବାର ଦେଖାଯାଇଛି  । ସୁନାମୀ ପରବର୍ତ୍ତୀ ଅବସ୍ଥାରେ ଲଘୁଚାପ ଯୋଗୁଁ ସମୁଦ୍ର ଅଧିକ କୂଳ ଲଙ୍ଘୁଥିବା ଲକ୍ଷ୍ୟ କରାଯାଉଛି  । ତେବେ ଆଜି ପର୍ଯ୍ୟନ୍ତ ଏହାର ସୁରକ୍ଷା ପାଇଁ ନିର୍ଦ୍ଧିଷ୍ଟ ଉପାୟ ସ୍ଥିର କରାଯାଇନଥିଲେ ହେଁ ଅଧିକ ଗବେଷଣା ଜାରି ରହିଛି  । କେନ୍ଦ୍ରୀୟ ପ୍ରତିନିଧି ଦଳ ଉପକୂଳ ଅଞ୍ଚଳରେ ଗଭୀର କୂପ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି  । ସରକାର ତୁରନ୍ତ ଏହାର ପ୍ରତିକାର ବିଧାନ କରିବା ପାଇଁ ବାଲିକୁଦା ବ୍ଲକ ସବୁଜିମା ପରିବେଶ ସମିତିର ସଭାପତି ଅମର ପ୍ରସାଦ ମହାନ୍ତି, ବୀର ନାରାୟଣ ପାତ୍ର ଓ ରଜାବଲ୍ଲି ବେଗ ଦାବି କରିଛନ୍ତି  ।

ସଂଗୃହୀତ – ସୌଜନ୍ୟ – ସମାଜ

ଓଡିଶାରେ ସମୁଦ୍ରର କୂଳଲଂଘନ ଉଗ୍ର ହେବ

ଏବେ ଓଡିଶାର ସମୁଦ୍ର ବେଳାଭୂମି ଅବକ୍ଷୟ ନେଇ ଅନେକ କଥା ପଢିବାକୁ ଏବଂ ଶୁଣିବାକୁ ମିଳୁଛି  । ଟିଭିରେ ବେଳାଭୂମିର ଦୃଶ୍ୟ ଏବଂ ଆଲୋଚନା ସହ ଦୈନିକ ଖବରକାଗଜମାନଙ୍କରେ ବିବରଣୀ ପ୍ରକାଶ ପାଉଛି  । ସରକାରୀ ସ୍ତରରେ ମଧ୍ୟ ତନାଘନା ଚର୍ଚ୍ଚା, ନିରାକରଣ ପାଇଁ ପ୍ରସ୍ତୁତି ଏବଂ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ଖୋଲିବା ପାଇଁ ପ୍ରସ୍ତାବ ଆସିଲାଣି  । ବାହାର ରାଜ୍ୟରୁ ବଡ ବଡ ଦକ୍ଷ ଅନୁଭବୀ ବୈଜ୍ଞାନିକ ସରକାରଙ୍କ ଆମନ୍ତ୍ରଣରେ ସାରା ଉପକୂଳ ଘୂରି ବୁଲିଲେଣି  । ଗୋଆର ଏନଆଇଓଠାରୁ ଆରମ୍ଭ ଅକ୍ରିୟ ପୁନାର ସିପିଡବ୍ଲ୍ୟୁଆରଏସ୍ ଏବଂ ଚେନ୍ନାଇସ୍ଥିତ ତିନିଟି ସଂସ୍ଥାର ସାମୁଦ୍ରିକ ବୈଜ୍ଞାନିକମାନେ ଅନେକ ପ୍ରକାର ସମ୍ଭାବନା ଯୋଗୁଁ ଓଡିଶା ଉପକୂଳ କ୍ଷୟ ହେବା କହୁଛନ୍ତି  ଏବଂ ଉପକୂଳ ସୁରକ୍ଷା ପାଇଁ ଉପଦେଶ ଦେଉଛନ୍ତି  । ଦୁଃଖର କଥା ଓଡିଶାରେ ୪୮୦ କି.ମି ଲମ୍ବ ବେଳାଭୂମି ଯୁଗଯୁଗ ଧରି ନାନା ପ୍ରାକୃତିକ ବିପତ୍ତି ଲାଗି ରହିଥିବା ସତ୍ତ୍ୱେ ଆମେ ଓଡିଶାରେ ଗୋଟିଏ ଉପଯୁକ୍ତ ଗବେଷଣା ଅନୁଷ୍ଠାନ ଖୋଲିପାରିଲେ ନାହିଁ, ତେଣୁ ଆମକୁ ବାହାର ଦକ୍ଷତା ଆମଦାନୀ କରିବାକୁ ପଡୁଛି  । ସୁଖର କଥା ସରକାର ଏବେ ଉପକୂଳ ସମସ୍ୟା ପରିଚାଳନା ପାଇଁ ଏକ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ଖୋଲିବା ପାଇଁ ଚିନ୍ତା କରୁଛନ୍ତି  । ଏ ସଂସ୍ଥା ଶାସକୀୟ ସଂସ୍ଥା ନହୋଇ ଏକ ଗବେଷଣାମୂଳକ ସଂସ୍ଥା ହୋଇ ଦକ୍ଷ ଉପକୂଳ ପରିଚାଳନା ବୈଜ୍ଞାନିକ ସୃଷ୍ଟି କଲେ ଓଡିଆମାନେ ତାଙ୍କର ଦକ୍ଷତା ବାହାରେ ବିକ୍ରି କରିପାରିବେ  । ଏଥିପାଇଁ ଆନ୍ତରିକ ଉଦ୍ୟମ ଦରକାର  ।

ବେଳାଭୂମି ଅବକ୍ଷୟ

୨୦୦୮ ମସିହା ସେପ୍ଟେମ୍ବର ମାସ ସୁଦ୍ଧା ମିଳିଥିବା ଖବରରୁ ଜଣାପଡେ ଉତ୍ତରରେ ସୁବର୍ଣ୍ଣରେଖା ନଦୀ ମୁହାଣଠାରୁ ଆରମ୍ଭକରି ଜଳକା – ବୁଢାବଳଙ୍ଗ – କାଂସବାଂସ ନଦୀମୁହାଣ, ହଁସୁଆ ନଦୀମୁହାଣ, ମହାନଦୀ – ଜମ୍ବୁମୁହାଣ, ପାରାଦ୍ଵୀପ ବନ୍ଦର – ଭାରତୀୟ ତୈଳ ବିଶୋଧନାଗାର, ଜଟାଧାର – ଅଳକା – ଦେବୀମୁହାଣ, ପ୍ରାଚୀ – କାଦୁଅ ମୁହାଣ, ଚନ୍ଦ୍ରଭାଗା, କୁଶଭଦ୍ରା ମୁହାଣ, ପୁରୀ – ମଙ୍ଗଳାକଟ ମୁହାଣ, ଚିଲିକା କୃତ୍ରିମ ମୁହାଣ, ଗୋପାଳପୁର ଓ ବାହୁଦା ନଦୀ ମୁହାଣ ଇତ୍ୟାଦି ଅଞ୍ଚଳରେ ସମୁଦ୍ରକୂଳ ଲଙ୍ଘିବା ଜାରି ରହିଛି  । ୪୮୦ କିମି ବେଳାଭୂମିରୁ ପ୍ରାୟ ୨୫ ଭାଗ ଅଞ୍ଚଳରେ କୂଳ ଅବକ୍ଷୟ ଯୋଗୁଁ ଲୋକଙ୍କ ମନରେ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି  । ଆଗରୁ ରାଜନଗର ବ୍ଲକର ସାତଭାୟା – ପେଣ୍ଠା ଅଞ୍ଚଳକୁ ଛାଡିଦେଲେ ପ୍ରକୃତିକ ଉପାୟରେ କୂଳ ଅବକ୍ଷୟ ସମ୍ବନ୍ଧରେ କୌଣସି ଖବର ମିଳିନଥିଲା  । ଯାହାକିଛି କୂଳ ଅବକ୍ଷୟ ଜଣାଥିଲା ତାହା ସମୁଦ୍ରକୂଳରେ ମଣିଷକୃତ କାର୍ଯ୍ୟ ଯୋଗୁଁ ବନ୍ଦରର ଉତ୍ତରପାର୍ଶ୍ଵରେ କୂଳ ଅବକ୍ଷୟ ହୋଇଥିଲା ଏବଂ ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚରେ ପଥରବନ୍ଧ କରାଯାଇ ଏହାକୁ ରୋକା ଯାଇପାରିଥିଲା  । ସେହିପରି ଚିଲିକାର ସିପକୁଦଠାରେ ୨୦୦୦ ମସିହାରେ କୃତ୍ରିମ ମୁହାଣ ଖୋଳାଯିବାରୁ ମୁହାଣର ଦକ୍ଷିଣରେ ସମୁଦ୍ର ପୋତି ହେବା ସହ ମୁହାଣର ଉତ୍ତରରେ କୂଳଖାଇବା ଖବର ମିଳିଲା  । ବର୍ତ୍ତମାନ ମୁହାଣଟି ଉତ୍ତର ଅଞ୍ଚଳରୁ ଖାଇ ଓସାରିଆ ହୋଇସାରିଲାଣି ଏବଂ ଏହି ଉତ୍ତର ଅଞ୍ଚଳ ଧୀରେ ଧୀରେ ନଷ୍ଟ ହେବ ବୋଲି ଆଶଙ୍କା ହେଲାଣି  । ଏଇବର୍ଷ ଅଗଷ୍ଟ ମାସ ୧ ତାରିଖରେ ଏହାର ଏକ କିଲୋମିଟର ଉତ୍ତରକୁ ଗବକୁଣ୍ଡଠାରେ ସମୁଦ୍ର ଧସେଇ ପଶି କୋକୁଆଭୟ ସୃଷ୍ଟି କରିଛି  । ଏହି ଦୁଇଟି ଉଦାହରଣ ମଣିଷର ଉପକୂଳରେ ଖନନ କମ ସହ ସମ୍ପୃକ୍ତ  । ଏହା ସହିତ ଏକ ତୃତୀୟ ଉଦାହରଣ ଯୋଡାଯାଇପାରେ, ଯଥା –ପୁରୀ ନିକଟ ମଙ୍ଗଳାକଟ ମୁହାଣ  । ଏଠି ମଧ୍ୟ ମୁହାଣ ଉତ୍ତର ଦିଗ ଖାଇଖାଇ ଯାଉଛି  । ଏ ତିନିଟି ଉଦାହରଣରେ ମଣିଷରେ ମଣିଷର କାମ ସହ ସମୁଦ୍ରକୂଳରେ ପ୍ରବାହିତ ଉତ୍ତରାମୁଖୀ ଉପକୂଳ ସ୍ରୋତର ପ୍ରତିକ୍ରିୟା ଯୋଗୁ କୌଣସି ଖନନର ଦକ୍ଷିଣକୁ ସମୁଦ୍ର ପୋତିହେଉଛି ଏବଂ ଉତ୍ତରରେ ଅବକ୍ଷୟ ହେଉଛି  ।

ଓଡିଶାର ନଦୀମୁହାଣମାନଙ୍କୁ  ଲକ୍ଷ୍ୟ କଲେ ଦେଖାଯିବ ଜେ ନଦୀ ମୁହାଣଗୁଡିକ ଉତ୍ତରଦିଗକୁ ଅନ୍କା ହୋଇ ପ୍ରବାହିତ ହେଉଛନ୍ତି  । ନଦୀ ମୁହାଣ ଏବଂ ଉତ୍ତରାମୁଖୀ ଉପକୂଳ ସ୍ରୋତ କ୍ରିୟା –ପ୍ରତିକ୍ରିୟା ଯୋଗୁଁ ମୁହାଣ ସାମନାରେ ବାଲିବନ୍ଧ ସୃଷ୍ଟି ହୋଇ ନଦୀ ମୁହାଣ ଉତ୍ତରାମୁଖୀ ହେବା ସହ ଛୋଟବଡ ହ୍ରଦ ସୃଷ୍ଟି ହୋଇଛି, ଯଥା ବାହୁଦୀ ନଦୀର ମୁହାଣରେ ଛୋଟ ଚିଲିକା, ଋଷିକୁଲ୍ୟା ଯୋଗୁଁ ଚିଲିକା ହ୍ରଦ, ଦେବୀନଦୀ, ମୁହାଣରେ ବୋଇତକୁଳିଆ  ହ୍ରଦ, ଅଳକା ମୁହାଣରେ ଜଟାଧାର ହ୍ରଦ, ମହାନଦୀ ମୁହାଣରେ ହୁକିତୋଳା ବେ ଇତ୍ୟାଦି ଏହାର ପ୍ରମାଣ ଅଟେ  । କୁଶଭଦ୍ରା ନଦୀ ମୁହାଣ ଆଗରେ ବିସ୍ତୀର୍ଣ୍ଣ ବାଲିବନ୍ଧ ସୃଷ୍ଟି ଯୋଗୁଁ ନଦୀ ମୁହାଣରେ ଜଳ ଅବରୁଦ୍ଧ ରହି ପୁରୀ – କୋଣାର୍କ ବେଳାଭୂମିରେ କ୍ଷତିସାଧନ କରୁଛି  । ଏ ସମସ୍ତ ଘଟଣା ଉତ୍ତରାମୁଖୀ ସାମୁଦ୍ରିକ ଉପକୂଳ ସ୍ରୋତର ପ୍ରଭାବ ଯୋଗୁଁ ସମ୍ଭବ ହୋଇଛି  ।

୨୦୦୬ ମସିହା ପର୍ଯ୍ୟନ୍ତ ସାତଭାୟା – ପେଣ୍ଠା ଅଞ୍ଚଳ ବ୍ୟତୀତ, ସାମୁଦ୍ରିକ ଉପକୂଳ କ୍ଷୟ ସମ୍ବନ୍ଧରେ କୌଣସି ଖବର ପ୍ରକାଶ ପାଇନଥିଲା  । ୨୦୦୭ ମସିହା ମେ ମାସ ମଧ୍ୟଭାଗରୁ ଆରମ୍ଭ ହେଲା ଆଖିଦୃଶିଆ ଉପକୂଳ ଅବକ୍ଷୟ ବା ସମୁଦ୍ରର କୂଳ ଲଙ୍ଘନ  । ବିଶେଷତଃ ପୁରୀ ଏବଂ ଗୋପାଳପୁରର ସୌଖିନ ବେଳାଭୂମିରେ ସମୁଦ୍ରର କୂଳ ଲଙ୍ଘନ ତଥା ଅବକ୍ଷୟ  । ପୁରୀରେ ବେଳାଭୂମି ରାସ୍ତା ଖାଇଗଲା ଏବଂ ନିକଟରେ ଥିବା ବଡବଡ ହୋଟେଲ ଓ କୋଠା ନିକଟରେ ସମୁଦ୍ରର ଢେଉ ଆସିବାରୁ ସମସ୍ତେ ଛାନିଆ ହେଲେ  । ଗୋପାଳପୁରରେ ସେହି ଅବସ୍ଥା, ବଡ ବଡ ହୋଟେଲର  କାନ୍ଥବାଡ ସମୁଦ୍ର ଢେଉରେ ଭୁଶୁଡି ପଡିଲା  । ପ୍ରଥମଥର ପାଇଁ ସରକାର ତଥା ଓଡିଶାବାସୀଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଆକର୍ଷଣ କରି ସମୁଦ୍ର ଯେ ଆତଙ୍କ ସୃଷ୍ଟି କରିପାରେ ଏହା ସମସ୍ତଙ୍କୁ ଚକିତ କଲା  । ବନ୍ୟା, ବାତ୍ୟା ପରି ସମୁଦ୍ରର କୂଳ ଲଙ୍ଘନ ଏକ ପ୍ରଧାନ ପ୍ରାକୃତିକ ବିପତ୍ତି ରୂପେ ଉଭା ହେଲା  । ଏହି ଦୁଇ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ବ୍ୟତୀତ ୨୦୦୭ ବର୍ଷାଋତୁରେ ଅନ୍ୟାନ୍ୟ ଜାଗାରେ ଏହି ସମସ୍ୟା ଦୃଷ୍ଟି ଆକର୍ଷଣ କଲା, ଯଥା- ଗଞ୍ଜାମର ପୋଡମପେଟା, ଚନ୍ଦ୍ରଭାଗା କୋଣାର୍କ ଅଞ୍ଚଳ, ଭାରତୀୟ ତୈଳ ବିଶୋଧନାଗାର ଅଞ୍ଚଳ, ଜମ୍ବୁ ମୁହାଣ ଏବଂ ରାଜନଗର ବ୍ଲକର ପେଣ୍ଠା – ସାତଭାୟା ଅଞ୍ଚଳର ଉପକୂଳ ସମସ୍ୟା  ପ୍ରମୁଖ ରୂପ ନେଲା   । ପ୍ରକାଶଥାଉକି ପୁରୀ ସହରର ଉପକୂଳ କ୍ଷୟ ଦୁଇଟି କାରଣରୁ ସମ୍ଭବ ହୋଇଥିଲା, ଯଥା – ମୌସୁମୀଜନିତ ସାମୁଦ୍ରିକ ଝଡ ଏବଂ ଯମୁନା ନଦୀ ମୁହାଣ ପରିବର୍ତ୍ତନ ଯୋଗୁଁ ଉତ୍ତରପାର୍ଶ୍ଵରେ କୂଳ ଅବକ୍ଷୟ  । ପାଠକଙ୍କୁ ଜଣାଇ ଦିଆଯାଉଛି ଯେ ଯମୁନା ନଦୀ ମୁହାଣର ଅବସ୍ଥା କୁଶଭଦ୍ରା ନଦୀ ମୁହାଣ ସହ ତୁଳନୀୟ  ଯଦିଓ କୁଶଭଦ୍ରା ନଦୀ ମୁହାଣର ଅବସ୍ଥା ଏହାଠାରୁ ଆକାରରେ ବହୁତ ବେଶୀ  । ୨୦୦୭ ମସିହାରେ ଜୁଲାଇରୁ ସେପ୍ଟେମ୍ବର ମାସ ବ୍ୟାପି ବର୍ଷା ଏବଂ ତୁହାକୁ ତୁହା ଲଘୁଚାପ ଯୋଗୁ କୂଳ ଅବକ୍ଷୟ ବହୁତ ସମୟ ଧରି ଜାରିତ ରହିଲା  । ବର୍ଷାଋତୁ ଶେଷ ହେବାରୁ ସମୁଦ୍ର ଶାନ୍ତ ହେଲା  ଏବଂ କୁଳ ଅବକ୍ଷୟ ବନ୍ଦ ହୋଇଗଲା  । ଲକ୍ଷ୍ୟ କରିବାର କଥା ଯେ ୨୦୦୭ ମସିହାରେ ସମୁଦ୍ର ପୂର୍ବସୀମା ଡେଇଁ ସ୍ଥଳଭାଗ ନିକଟକୁ ମାଡିଆସିଲା, ଅର୍ଥାତ୍ ସମୁଦ୍ରରେ ଜଳରାଶି ବୃଦ୍ଧି ଅନୁଭୂତ ହେଲା  ।

୨୦୦୭ ନଭେମ୍ବର ମାସରେ ବର୍ଷାଋତୁ ପରେ ରାମଚଣ୍ଡୀଠାରେ କୁଶଭଦ୍ରା ନଦୀର ମୁହାଣ ପରିବର୍ତ୍ତନ ହେଲା  । ସେଥିପାଇଁ ରାମଚଣ୍ଡୀ ମନ୍ଦିରର ଉତ୍ତରକୁ ଦୁଇ କିଲୋମିଟର ଦୂରରେ ସାହୁ ଖଣତାଠାରେ ପୁରୀ-କୋଣାର୍କ  ବେଳାଭୂମି ରାସ୍ତାର ଅବକ୍ଷୟ ଆରମ୍ଭ ହେଲା  । ଏଠିକାର ଅବକ୍ଷୟ ନଦୀଜନିତ ଅବକ୍ଷୟ ଅଟେ  । ଏଠାରେ ସମୁଦ୍ରର ଢେଉ କୂଳରେ ବାଡେଇ ହେଉନାହିଁ  । ଏଠାରେ ଉପକୂଳ ସ୍ରୋତରେ ପ୍ରବାହରେ ଏକ ବଡଧରଣର ବାଲିବନ୍ଧ ସୃଷ୍ଟି ହୋଇ କୁଶଭଦ୍ରା ନଦୀକୁ ସମୁଦ୍ରରେ ମିଶିବାରେ ପ୍ରତିବନ୍ଧକ ସୃଷ୍ଟି କରିଛି  । ଏତଦ୍ଦ୍ଵାରା ନଦୀ ମୁହାଣ ଉତ୍ତରମୁହାଁ ହୋଇ ସମାନ୍ତରାଳ ଭାବେ ପ୍ରବାହିତ ହୋଇ ସମୁଦ୍ରରେ ମିଶିବାକୁ ରାସ୍ତା ଖୋଜୁଛି ଏବଂ ସୁବିଧା ଅନୁସାରେ ଦୁର୍ବଳ ଜାଗାରେ ମୁହାଣ ସୃଷ୍ଟି କରୁଛି  । କୁଶଭଦ୍ରା ନଦୀର ଏକ ସ୍ଥିର ମୁହାଣ ନାହିଁ   । ଏକଦା ଏହା ରାମଚଣ୍ଡୀ ମନ୍ଦିରର ଉପରପାର୍ଶ୍ଵରେ ରହି ମନ୍ଦିର ଖାଇବାକୁ ଆରମ୍ଭ କଲା ମନ୍ଦିର ସୁରକ୍ଷା ପାଇଁ ମନ୍ଦିରର ଚାରିପଟେ ଏକ ଶକ୍ତ ପଥର ବନ୍ଧ  ତିଆରି ହେଲା  । କୁଶଭଦ୍ରା ନଦୀ ପଥରବନ୍ଧର ବାହାରେ ବୁଲିବୁଲି ନୂଆ ମୁହାଣ ଖୋଜିବାକୁ ଲାଗିଲା ଏବଂ ନଦୀ କାଳକ୍ରମେ ମନ୍ଦିରର ଦୁଇ କିଲୋମିଟର ତଳେ ପୁରୀ-କୋଣାର୍କ ବେଳାଭୂମିକୁ ରାସ୍ତାକୁ ସ୍ପର୍ଶ କରି ଖାଇବାକୁ ଲାଗିଲା  । ଏହା କୂଳ ଅବକ୍ଷୟର ଏକ ବିଶେଷ ଘଟଣା ମନେରଖିବାକୁ ହେବ ଯେ ଏଠି ସମୁଦ୍ର କୂଳ ଖାଉନି, ବରଂ କୁଶଭଦ୍ରା ନଦୀ ସମୁଦ୍ରକୁ ରାସ୍ତା ନପାଇ ଉପକୂଳ ରାସ୍ତା ଖାଇବାକୁ ବାଧ୍ୟ ହେଉଛି  । ନଦୀ ମୁହାଣର ସ୍ଥିରତା ଆଣିପାରିଲେ ପୁରୀ-କୋଣାର୍କ ରାସ୍ତାକୁ ସୁରକ୍ଷା  ଦିଆଯାଇପାରିବ  । ୨୦୦୮ ମସିହା ବର୍ଷାଦିନ ଆରମ୍ଭ, ପୁଣି ଲଘୁଚାପଜନିତ ସମୁଦ୍ରର ଉଗ୍ରରୂପ  ଦେଖାଦେଲା  । ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ପୁରୀରେ ସମୁଦ୍ର ପୁଣି ରାସ୍ତା ଉପରକୁ ମାଡିଆସିଲା  । ଚିଲିକା କୃତ୍ରିମ ମୁହାଣର ଉତ୍ତରକୁ ଦୁର୍ବଳ ସ୍ଥାନରେ ସମୁଦ୍ର ଢେଉର ଆଘାତରେ ଗବକୁଣ୍ଡଠାରେ ସମୁଦ୍ର ଧସେଇ ପଶିଲା  । ସେଇ ଅଞ୍ଚଳର ବାସିନ୍ଦାମାନେ ଆତଙ୍କିତ ହେଲେ  । ଖବରକାଗଜରେ ଲେଖା ବାହାରିଲା ଚିଲିକା ସମୁଦ୍ରରେ ମିଶିଯିବ  । ଅବଶ୍ୟ ଏହା ହେଲା ନାହିଁ  । ସମୁଦ୍ର ଶାନ୍ତ ହେଲାପରେ ଆଉ ଅଘଟଣ  ଘଟିନାହିଁ, କିନ୍ତୁ ଆସନ୍ତାବର୍ଷ ମାନଙ୍କରେ କ’ଣ ହେବ କହିହେବ ନାହିଁ  । ଚିଲିକା ଉପକୂଳ ବର୍ତ୍ତମାନ ଏକ ଆପଦପୂର୍ଣ୍ଣ ଅଞ୍ଚଳ  । ଚିଲିକା କୃତ୍ରିମ ମୁହାଣର ଉତ୍ତରପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ମନେହୁଏ  । ୨୦୦୮ ମସିହା ଅଗଷ୍ଟ ମାସରେ ଅନେକ ନୂଆ ଜାଗାରେ ସମୁଦ୍ର କୂଳ ଅବକ୍ଷୟ ଘଟଣା ପ୍ରକାଶ ପାଇଛି, ଯଥା- ବାଲେଶ୍ଵର ଜିଲ୍ଲାରେ ବହୁତ ସ୍ଥାନ, ମାର୍ଶାଘାଇ ଅଞ୍ଚଳର ଅନେକ ସ୍ଥାନ ଏବଂ ଗଞ୍ଜାମର କେତେକ ସ୍ଥାନ  । ଅଗଷ୍ଟ ଶେଷ ଆଡକୁ ବର୍ଷାର ଅଭାବ ଯୋଗୁଁ କୂଳ ଅବକ୍ଷୟ କ୍ଷଣିକ ଶାନ୍ତ ପଡିଲା  । ସେପ୍ଟେମ୍ବର ମଧ୍ୟଭାଗରେ ପୁଣି ହଠାତ୍ ଲଘୁଚାପ ଏବଂ ଡିପ୍ରେସନ ଯୋଗୁଁ ପ୍ରବଳ ବର୍ଷା  ହେଲା   । ଏହାର ପ୍ରଭାବରେ ସାତଭାୟା ଏବଂ କନିକା ଅଞ୍ଚଳର ସମୁଦ୍ର ମାଡି ଆସିବାର ଖବର ମିଳିଛି  । ଏଥିରୁ ଜଣାପଡୁଛି  ସମୁଦ୍ରର କୂଳ ଲଙ୍ଘନ ସାମୁଦ୍ରିକ ଝଡ ସହ ସିଧାସଳଖ ସମ୍ପୃକ୍ତ  । ଏଠି ପ୍ଲେଟ ଟେକ୍ଟୋନିକ୍ ବା ସୁନାମୀ ଯୋଗୁଁ ସମୁଦ୍ର କୂଳ ଲଙ୍ଘନ କାମ କରିବ ନାହିଁ   । ଅନେକ ବିବରଣୀରୁ ଜଣାପଡୁଛି ଯେ ଉପକୂଳ ଅଞ୍ଚଳରେ ସମୁଦ୍ର ଜଳ ତା’ର ପୂର୍ବସୀମା ଲଙ୍ଘନ କରିଛି  । ଅର୍ଥାତ୍ ସମୁଦ୍ର ଜଳରାଶିରେ ବୃଦ୍ଧି ଘଟିଛି  । ତେଣୁ ଜୁଆର ସୀମାରେଖା ପରିବର୍ତ୍ତନ ଘଟିଛି  । ବର୍ତ୍ତମାନ ନିମ୍ନ ଜୁଆର ସୀମାରେଖା ପରିବର୍ତ୍ତନ ଘଟିଛି  । ବର୍ତ୍ତମାନ ନିମ୍ନ ଜୁଆର ପାଟଣା ଓ ଉଚ୍ଚ ଜୁଆର ପତନର ସମୀକ୍ଷା ଦରକାର ଏବଂ ଏହା ବିଶ୍ଵ ଉତ୍ତପ୍ତୀକରଣ (ଗ୍ଲୋବାଲ ୱାର୍ମିଂ) ସହ ସମ୍ପର୍କ ଅଛି କି ନା ଅନୁଧ୍ୟାନ ଯୋଗ୍ୟ  । ମୋ ମତରେ ଗ୍ଲୋବାଲ ୱାର୍ମିଂ ଏବଂ ତତ୍ ଜନିତ ପୃଥିବୀର ଅନେକ ବରଫାବୃତ ଅଞ୍ଚଳରେ ବରଫ ତରଳିବା ଏକ ଗ୍ରହଣୀୟ ଘଟଣା  । ଏଥିଯୋଗୁଁ ସମୁଦ୍ରରେ ଜଳ ବୃଦ୍ଧି ନିଶ୍ଚୟ ହେଉଛି  । ତେଣୁ ମୌସୁମୀ ଝଡ ସମୟରେ ଏହି ବର୍ଦ୍ଧିତ ଜଳରାଶି ଆହୁରି ଅଧିକ ସ୍ଥଳ ଆଡକୁ ପ୍ରବେଶ କରି ଉପକୂଳ ଅବକ୍ଷୟର କାରଣ ହେଉଛି  ।

ଉପରୋକ୍ତ ଘଟଣାକୁ ବିଶ୍ଳେଷଣ କଲେ ଓଡିଶାର ଉପକୂଳ ଅବକ୍ଷୟକୁ ତିନିପ୍ରକାରରେ ଶ୍ରେଣୀଭୁକ୍ତ କରାଯାଇପାରେ, ଯଥା – (୧) ବର୍ଷାଋତୁରେ ଲଘୁଚାପଜନିତ ଉଗ୍ର ସମୁଦ୍ରର ଧ୍ଵଂସକାରୀ ପ୍ରକ୍ରିୟା ଯୋଗୁଁ କୂଳ ଲଙ୍ଘନ ଏବଂ ଅବକ୍ଷୟ ହେଉଛି  । ବର୍ଷାଋତୁ ଶେଷ ହେଲେ ସମୁଦ୍ର ଶାନ୍ତ ପଡିବାରୁ କୂଳ ଅବକ୍ଷୟ ବନ୍ଦ ହେଉଛି  । ସାମୁଦ୍ରିକ ଝଡ ପ୍ରଭାବରୁ ପୁରୀ ବେଳାଭୂମିର ଅବକ୍ଷୟ ଦୃଶ୍ୟ ଦେଖାଯାଇଛି  । (୨) ସମୁଦ୍ର କୂଳରେ ମଣିଷକୃତ ଖନନ କାର୍ଯ୍ୟ ଯୋଗୁଁ ଉପକୂଳ ସାମୁଦ୍ରିକ ସ୍ରୋତର ପ୍ରତିକ୍ରିୟା ସ୍ୱରୂପ ଦକ୍ଷିଣପାର୍ଶ୍ଵରେ ବାଲିବନ୍ଧ ସୃଷ୍ଟି ଏବଂ ଉତ୍ତରପାଖରେ କୂଳରେ ଅବକ୍ଷୟ ହେଉଛି  । ପୁରୀ ବେଳାଭୂମି ମଙ୍ଗଳାକଟ୍ ର ମୁହାଣ ପରିବର୍ତ୍ତନ ଦୃଶ୍ୟ ଦେଖାଯାଇଛି  । ଏହି ମୁହାଣ ଉତ୍ତରାମୁଖୀ ହୋଇ ପୁରୀର କେତେକ ହୋଟେଲ ଏବଂ ବେଳାଭୂମି ଖାଇଯାଇଛି  । (୩) କୁଶଭଦ୍ରା ନଦୀ ମୁହାଣରେ ସମୁଦ୍ରକୃତ ବାଲିବନ୍ଧ ସୃଷ୍ଟି ଯୋଗୁଁ ନଦୀର ଜଳ ସମୁଦ୍ରକୁ ସୁବିଧାରେ ନିଷ୍କାସନ ହୋଇନପାରି  ସମୁଦ୍ରରେ ମିଶିବା ପାଇଁ ଏଠିସେଠି  ବାଟ ଖୋଜୁଛି ଏବଂ ନଦୀସ୍ରୋତ ଦିଗପରିବର୍ତ୍ତନ କରି ପୁରୀ-କୋଣାର୍କ ବେଳାଭୂମି ରାସ୍ତାରେ ଧକ୍କା ଖାଇ ରାସ୍ତା ନଷ୍ଟ କରୁଛି  । ଏହି ଅବକ୍ଷୟ ସମୁଦ୍ର ଯୋଗୁଁ ନୁହେଁ  । କୁଶଭଦ୍ରା ନଦୀ ମୁହାଣରେ ରାସ୍ତା ଅବକ୍ଷୟ ତଥା ସମୁଦ୍ର କୂଳ ବାଲିବନ୍ଧ ଭାଙ୍ଗି ସମୁଦ୍ରରେ ମିଶିବା ଦୃଶ୍ୟ ଦେଖାଯାଇଛି  ।

ଅନେକ ବ୍ୟକ୍ତି ତଥା ବିଶେଷଜ୍ଞ କୂଳ ଅବକ୍ଷୟ ପାଇଁ ଅନେକ କାରଣ ଥାଇପାରେ ବୋଲି ମତବ୍ୟକ୍ତ କରିଛନ୍ତି, ଯଥା- ପ୍ଲେଟ ଟେକ୍ଟୋନିକ୍, ସୁନାମୀ, ସାମୁଦ୍ରିକ ଝଡ ତଥା ଗ୍ଲୋବାଲ ୱାର୍ମିଂ  । ଏଥିମଧ୍ୟରୁ ପ୍ଲେଟ ଟେକ୍ଟୋନିକ୍ ଏବଂ ସୁନାମୀର କୌଣସି ପ୍ରଭାବ ନାହିଁ  ବୋଲି ଏହି ଲେଖକ ଅନୁଭବ କରନ୍ତି  । ବର୍ଷାଋତୁରେ  ସାମୁଦ୍ରିକ ଝଡର ମୁଖ୍ୟ ଭୂମିକା ରହିଛି, ଯେହେତୁ ସାମୁଦ୍ରିକ ଝଡ ଯୋଗୁଁ କୂଳରେ ଅବକ୍ଷୟ ନଜରକୁ ଆସୁଛି, ଅନ୍ୟ ସମୟରେ ନାହିଁ   । ସମୁଦ୍ରରେ ଦେଖାଦେଇଥିବା ବର୍ଦ୍ଧିତ ଜଳରାଶି  ଗ୍ଲୋବାଲ ୱାର୍ମିଂ ଯୋଗୁଁ ସମ୍ଭବ ବୋଲି ଅନୁଭବ କରାଯାଇପାରେ  । ଏହି ବର୍ଦ୍ଧିତ ଜଳରାଶି ସାମୁଦ୍ରିକ ଝଡ ଦ୍ଵାରା ସ୍ଥଳଭାଗର ଅଧିକ ଉପରକୁ ମାଡିଆସି ଅବକ୍ଷୟର ସାହାଯ୍ୟ କରୁଛି  । କୂଳ ଲଙ୍ଘନ ଓ କୂଳ ଅବକ୍ଷୟ ଏଣିକି ପ୍ରତିବର୍ଷ ଦେଖିବାକୁ ମିଳିବ  । ଆଗକୁ ହୁଏତ ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଇପାରେ  । ତେଣୁ ଏ ସମସ୍ୟାର ସମାଧାନ ପାଇଁ ସୁଚିନ୍ତିତ ଯୋଜନା ଦରକାର  । ଏଠାରେ କିଛି ବ୍ୟବସ୍ଥାର ସୂଚନା ଦିଆଯାଇଛି – ପୁରୀ ଗୋପାଳପୁର ଭଳି ଧନାଢ୍ୟ ପର୍ଯ୍ୟଟନସ୍ଥଳୀରେ ସୁଦୃଢ ସାମୁଦ୍ରିକ ବନ୍ଧ ଦରକାର ଛୋଟଛୋଟ ଜନବସତି ସମୁଦ୍ରକୂଳରୁ ହଟିବା ଉଚିତ  ହେବ  । ସମୁଦ୍ରକୂଳଠାରୁ ୧ କିଲୋମିଟର ଅଞ୍ଚଳରେ କୌଣସି ଜନବସତି ସ୍ଥାପନ ନହେବା ଉଚିତ  । ସ୍ଥାନୀୟ ମୃତ୍ତିକା ଦେଖି ଘନ ହେନ୍ତାଳ ଜଙ୍ଗଲ ବା ଝାଉଁ ଜଙ୍ଗଲ ସୃଷ୍ଟି ହେବା ନିହାତି ଜରୁରୀ   । ସମୁଦ୍ର ସହ ସମ୍ପର୍କ ରଖି ମନୁଷ୍ୟକୃତ କାର୍ଯ୍ୟର ଉପକୂଳ ସାମୁଦ୍ରିକ ସ୍ରୋତ ସହ ପ୍ରତିକ୍ରିୟାକୁ ବିଚାରକୁ ନେଇ ସୁରକ୍ଷା ବ୍ୟବସ୍ଥା ଦରକାର  । କୁଶଭଦ୍ରା ନଦୀ ମୁହାଣର ସମୁଦ୍ର ସହ ସଂଯୋଗ ପାଇଁ ସ୍ଥାୟୀ ବ୍ୟବସ୍ଥା ହେବା ଦରକାର  । ଗ୍ଲୋବାଲ ୱାର୍ମିଂକୁ ଆଖିରେ ରଖି ଅତିକମ୍ ରେ ୫୦ ବର୍ଷ ପାଇଁ ଯୋଜନା କାରାଯିବା ଦରକାର  ।

ଏକଥା ସତ ଯେ ସମୁଦ୍ର ଯୁଗେ ଯୁଗେ କୂଳ ଲଙ୍ଘିଛି  । ଓଡିଶା ଉପକୂଳରେ ଏହାର ପ୍ରମାଣ ରହିଛି  । ମଣିଷ ସଭ୍ୟତାର ସୃଷ୍ଟି ପୂର୍ବରୁ ଓଡିଶାରେ ସମୁଦ୍ର ପୁରୀ ଜିଲ୍ଲାରେ ପିପିଲି ଯାଏ ବ୍ୟାପିଥିଲା  । ତାହା ଧୀରେ ଧୀରେ ଅପସରି ପୁରୀ ପାଖରେ ପହଞ୍ଚିଛି  । ମଣିଷକୃତ ଗ୍ଲୋବାଲ ୱାର୍ମିଂ ଯୋଗୁଁ ଉଷ୍ଣତା ତ୍ୱରାନ୍ୱିତ ହୋଇ ସମୁଦ୍ର ପୁଣି କୂଳ ଲଙ୍ଘନ କରିବା ମନେହୁଏ  । ଭବିଷ୍ୟତ କହିବ ଏହା କେତେ ସମୟ ପାଇଁ ଏବଂ କେତେଦୂର ଯାଏ କୂଳ ଲଙ୍ଘନ କରିବ   ।

ସଂଗୃହୀତ – ଶ୍ରୀ ନବକିଶୋର ମହାଲିକ

ଓଡିଶାରୁ ଶୀତ ହଜିଯାଇଛି

ହଜିଲା ଦିନର ଶୀତୁଆ ସକାଳ ସାତ ସପନ ହେଲାଣି  । ମାଘ ମାସରେ ବାଘ ପରି ଆସୁଥିବା ଜାଡ ଆଜି ସ୍ଵପ୍ନ ଭଳି ଲାଗୁଛି  । ଫଟା ଓଠରେ ଅଧ ଖଣ୍ଡିଆ ହସ ଆଉ ଦେଖିବାକୁ ମିଳୁନାହିଁ  । ହେଁସ, କତରା, କମ୍ବଳ, ରେଜେଇ ଠାକ ଉପରେ ଉଈଙ୍କର ଆହାର ହେବା ଛଡା ଅନ୍ୟ କିଛି କାମରେ ଲାଗୁନାହିଁ  । ଏହା ହେଉଛି ଆମ ରାଜ୍ୟର କଥା  ।

ନିର୍ଦ୍ଧାରିତ ସମୟରେ ଶୀତ ନ ଆସିବାର କାରଣ ପରିବେଶଗତ ବିଭ୍ରାଟ  । କେବଳ ଓଡିଶା ନୁହେଁ ସମଗ୍ର ଭାରତରେ ପରିବେଶଗତ ବିଭ୍ରାଟ ଯୋଗୁ ପାଣିପାଗରେ ଅନିୟମିତତା ଦେଖାଦେଇଛି  । ଏବେ ଭାରତରୁ ଚୀନ ପର୍ଯ୍ୟନ୍ତ ଏସିଆର ଏକ ବିରାଟ ଅଞ୍ଚଳ ଉପରେ ଧୂସର ବାଦଲର ଏକ ମୋଟା ଆସ୍ତରଣ ଜମିଥିଲା  । ବେଶ କିଛି ଦିନ ରହିବା ପରେ ଏହା କ୍ରମଶଃ ଅପସରି ଯାଇଛି  । ଶୀତ ବିଳମ୍ବିତ ହେବାର ଏହା ଏକ ମୁଖ୍ୟକାରଣ ବୋଲି କୁହାଯାଉଛି  । କଳକାରଖାନା ଓ ଯାନବାହାନରୁ ନିର୍ଗତ ଧୂଆଁ ଏହି ପ୍ରକ୍ରିୟା ପାଇଁ ମୁଖ୍ୟତଃ ଦାୟୀ  । ଏହା ସହିତ ବ୍ୟାପକ ଜଙ୍ଗଲ ହାଣି ଓ କ୍ରମବର୍ଦ୍ଧିଷ୍ଣୁ ବାୟୁ ପ୍ରଦୂଷଣ ପରିସ୍ଥିତିକୁ ଜଟିଳ କରୁଛି  । ଫଳରେ ଭାରତ ସମେତ ଅଧିକାଂଶ ଦେଶ ଏକପ୍ରକାର ଶ୍ଵାସରୁଦ୍ଧ ଅବସ୍ଥାରେ ପହଞ୍ଚିଛନ୍ତି   ।

ବିଶ୍ଵର ତାପମାତ୍ରା ବୃଦ୍ଧି ଘଟଣା ଆଉ କାହାକୁ ଅଜଣା ନାହିଁ   । ଏହାର କାରଣ ବିଷୟରେ ମଧ୍ୟ ସମସ୍ତେ ଅବଗତ  । ତେବେ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଏହି ଧୂସର ବାଦଲ ଆସ୍ତରଣ ପ୍ରସଙ୍ଗକୁ ବିଶ୍ଵ ତାପମାତ୍ରା ବୃଦ୍ଧି ସହ ଯୋଡିଛି  । ୟୁଏନଇପି ମତରେ ଧୂସର ବାଦଲ ଆସ୍ତରଣ ପାଇଁ ୟୁଏନଇପି  ଯେଉଁ କାରଣ ଦର୍ଶାଉଛି  ତାହା ଯେତିକି ଅବାନ୍ତର ସେତିକି ବିବାଦୀୟ  । ପରୋକ୍ଷରେ ଏହା ଧନୀ ଓ ନିର୍ଦ୍ଧନ ରାଷ୍ଟ୍ରଙ୍କ ମଧ୍ୟରେ ପରିବେଶ ପ୍ରଦୂଷଣ ପ୍ରସଙ୍ଗରେ ଏକ ବିଭେଦ ସୃଷ୍ଟି କରିଛି  । ୟୁଏନଇପି ରିପୋର୍ଟ ଅନୁସାରେ ଭାରତ ଓ ଏସିଆର ଅଧିକାଂଶ ରାଷ୍ଟ୍ରରେ କାଠ, ଘସି, କୋଇଲା ଆଦି ଯେଉଁ ପାରମ୍ପରିକ ଜାଳେଣି ବ୍ୟବହୃତ  ହେଉଛି ତାହା ବାଯୁମଣ୍ଡଳରେ ଧୂସର ଧୂମ୍ରାଭ ଆସ୍ତରଣ ସୃଷ୍ଟିର ମୁଖ୍ୟକାରଣ  । ଏହି ଯୁକ୍ତିକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ମଧ୍ୟ ଦୃଢ ଭାବେ ସମର୍ଥନ କରୁଛନ୍ତି  । ଅପରପକ୍ଷରେ ଭାରତ ଓ ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରସମୂହ ଏହି ଅଭିଯୋଗକୁ ଖଣ୍ଡନ କରି ପାଶ୍ଚାତ୍ୟ ରାଷ୍ଟ୍ରଙ୍କର ଏହା ଏକ ଚାଲ ବୋଲି ପାଲଟା ଅଭିଯୋଗ କରୁଛନ୍ତି  । ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଯୁକ୍ତି ହେଉଛି ଭାରତ, ଚୀନ, କେନ୍ଦ୍ର ଏସିଆ, ଦକ୍ଷିଣ ଆମେରିକା ଓ ଆଫ୍ରିକାରେ ଏବେ ଧୂସର ବାଦଲ ଆସ୍ତରଣ ସୃଷ୍ଟି ହେଉଛି  ଏବଂ ସେଠାକାର ଲୋକଙ୍କ ପାରମ୍ପରିକ  ଇନ୍ଧନ ବ୍ୟବହାର ଅଭ୍ୟାସ ଏଥିପାଇଁ ଦାୟୀ   ।

ଯେଉଁସବୁ ରାଷ୍ଟ୍ର ବା ଅଞ୍ଚଳକୁ ଏଥିପାଇଁ ଦାୟୀ କରାଯାଉଛି ତାହା ବିକାଶଶୀଳ ଓ ଜନବହୁଳ  । ସେସବୁ ଅଞ୍ଚଳର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ  । ଆଜି ନୁହେଁ, କାହିଁ କେଉଁକାଳରୁ ସେମାନେ ଘସି, କାଠ, କୋଇଲା ଭଳି ପାରମ୍ପରିକ ଜାଳେଣି ବ୍ୟବହାର କରି ଆସୁଛନ୍ତି  । ହଠାତ୍ ଆକାଶରେ ଧୂସର ବାଦଲ ଆସ୍ତରଣ ଦେଖାଦେବା ପଛରେ ପ୍ରକୃତ ରହସ୍ୟ କ’ଣ ତାହାର ସବିଶେଷ ଅନୁସନ୍ଧାନ ନ କରି ଦୋଷ ଲଦିଦେବା ଠିକ୍ ହେବ ନାହିଁ  । ବିଜ୍ଞାନ କହୁଛି ଯେ ବାୟୁମଣ୍ଡଳରେ ଧୂଳିକଣା, ଧୂଆଁ ଅଳନ୍ଧୁ ଏବଂ ଅନ୍ୟାନ୍ୟ ପ୍ରଦୂଷିତ ଉପାଦାନ ମିଶିଲେ ଧୂସର ବାଦଲ ସୃଷ୍ଟି ହୁଏ  । ଏହା ଏକ ସ୍ଥାନୀୟ ପ୍ରକ୍ରିୟା ; ବର୍ଷା ଓ ପବନ ଦ୍ଵାରା ତାହା ଅପସରି ଯାଏ  । ଜୀବଜଗତ ଓ ପରିବେଶ ପାଇଁ ଏହା କ୍ଷତିକାରକ ହୋଇଥିଲେ  ମଧ୍ୟ ବିଶ୍ଵ ତାପମାତ୍ରା ବୃଦ୍ଧିକୁ ତ୍ୱରାନ୍ୱିତ କରି ନଥାଏ  ।

ତେବେ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଓ ୟୁଏନଇପି ଏହି ଅଭିଯୋଗ ଆଣିବା ପୂର୍ବରୁ ଆତ୍ମାସମୀକ୍ଷା କରିବା ଆବଶ୍ୟକ  । ପାଶ୍ଚାତ୍ୟ ଧନାଢ୍ୟ ରାଷ୍ଟ୍ରରେ କଳକାରଖାନା ଓ ଯାନବାହାନ ଚଳାଚଳ ପାଇଁ ଯେଉଁ ଇନ୍ଧନ ବ୍ୟବହୃତ ହେଉଛି ତାହା ସବୁ ପରିଷ୍କାର ବା ପ୍ରଦୂଷଣମୁକ୍ତ ନୁହେଁ  । ତା’ହୋଇଥିଲେ ଆମେରିକା ଓ ୟୁରୋପର ସହରାଞ୍ଚଳ ଆକାଶରେ ଧୂଆଁଧୂଳିର ଆସ୍ତରଣ ଦେଖାଯାଉନଥାନ୍ତା  । ପରିଷ୍କୃତ ଇନ୍ଧନ ପ୍ରସ୍ତୁତ ଓ ବ୍ୟବହାର ପାଇଁ ଯେଉଁ ଜ୍ଞାନ କୌଶଳ ତଥା ଅର୍ଥ ଦରକାର ତାହା ବିକାଶଶୀଳ ରାଷ୍ଟ୍ରଙ୍କ ପାଖରେ ନାହିଁ   । ସେ ସୁବିଧା ସୁଯୋଗ ଥିଲେ ବିକାଶଶୀଳ ରାଷ୍ଟ୍ରଙ୍କ ପ୍ରତି ଏଭଳି ଆକ୍ଷେପର ଅବକାଶ ରହନ୍ତା ନାହିଁ   । ସେ ସୁବିଧା ସୁଯୋଗ ଥିଲେ ବିକାଶଶୀଳ ରାଷ୍ଟ୍ରଙ୍କ ପ୍ରତି ଏଭଳି ଆକ୍ଷେପର ଅବକାଶ ରହନ୍ତା ନାହିଁ   । ଗରିବ ଲୋକ ଅଧିକ ପ୍ରଦୂଷଣକାରୀ ବୋଲି ଯେଉଁ ଚିରାଚରିତ ଧାରଣା ଅଛି  ତାହା ମଧ୍ୟ ଠିକ୍ ନୁହେଁ   । ଉପଭୋଗ ଓ ଆହରଣ ଦୃଷ୍ଟିରୁ ଧନୀକବର୍ଗ ବିଶେଷତଃ ଧନାଢ୍ୟ, ବିକଶିତ ରାଷ୍ଟ୍ରମାନେ ଏବେ ପରିବେଶର ମୁଖ୍ୟ ପ୍ରଦୂଷଣକାରୀ  । ସେମାନଙ୍କ ସୁଖ ସ୍ଵାଚ୍ଛନ୍ଦ୍ୟ ପାଇଁ ବିଶ୍ଵର ବିଭିନ୍ନ ଭାଗରୁ ଅବିଚାରିତ ଭାବେ ଖଣିଜ ଉତ୍ତୋଳନ, ଜଙ୍ଗଲ ଛେଦନ ସହ ନାନା ପରିବେଶଗତ ବିଭ୍ରାଟ ସୃଷ୍ଟି ହେଉଛି  । ଅତଏବ ପ୍ରଦୂଷଣ ପ୍ରସଙ୍ଗରେ ଆନ୍ତର୍ଜାତିକ ଚୁକ୍ତିକୁ କାର୍ଯ୍ୟକାରୀ କରିବ ସହ ଧନାଢ୍ୟ ଶିଳ୍ପୋନ୍ନତି ରାଷ୍ଟ୍ରମାନେ ପ୍ରଥମେ ଆତ୍ମସମୀକ୍ଷା କରିବା ଜରୁରୀ  ।

“ପୃଥିବୀର ପ୍ରଦୂଷଣ ବୃଦ୍ଧି ପାଇଁ ନିର୍ଦ୍ଧିଷ୍ଟ କୌଣସି ଅଞ୍ଚଳ ବା ଜନଗୋଷ୍ଠୀକୁ ଦାୟୀ କରିଦେଲେ ସମସ୍ୟାର ସମାଧାନ ହେବନାହିଁ  । ଏଥିପାଇଁ ସମ୍ମିଳିତ ଉଦ୍ୟମ ତଥା ପ୍ରତିକାର ଲୋଡା  । ଗୋଟିଏ ଇଲାକାର ପ୍ରଦୂଷଣ ସେ ଇଲାକା ପାଇଁ ଯେତିକି ବିପଦ, ବିଶ୍ଵର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଅନୁରୂପ ବିପଜ୍ଜନକ  । ଏଥିପାଇଁ ଚିନ୍ତନ ଓ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି  । ”

ସଂଗୃହୀତ – ଶ୍ରୀ ସଂଗ୍ରାମ କେଶରୀ ନାୟକ

ଆଧାର : ବିଜ୍ଞାନ ଓ ପରିବେଶ ବିକାଶ ସମିତି

2.92307692308
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top