ବାୟୁମଣ୍ଡଳର କ୍ଷଣିକ ଅବସ୍ଥାକୁ ପାଗ କୁହାଯାଏ । ଏହା ପରିବର୍ତ୍ତନଶୀଳ । ଖରା ମେଘା ବର୍ଷା ପବନର ସାମୟିକ ପରିବର୍ତ୍ତନ ପାଗର ନିୟାମକ । ଗ୍ରୀଷ୍ମ ଋତୁରେ ଦିନେ ଦିନେ ସକାଳୁ ପବନ ସ୍ଥିର ହୋଇଯାଏ , ଗଛ ପତ୍ରବି ହଲେ ନାହିଁ , ଖରା ଖୁବ୍ ଜୋରରେ ମାଡି ଆସେ । ରହି ହୁଏ ନାହିଁ । ମଝିରେ ମଝିରେ ଦିନେ ଦିନେ ମେଘ ଘୋଡେଇ ଦିଏ । ସୂର୍ଯ୍ୟ ଦିଶନ୍ତି ନାହିଁ । ପୁଣି ମୁଣ୍ଡଫଟା ଖରା ହୁଏ । ଦକ୍ଷିଣା ପବନ ସୁ ସୁ ହୋଇ ବହେ । କେବେ କେମିତି ଛୋଟ ଅସରାଏ ବର୍ଷା ହୋଇଯାଏ । ପୁଣି ଖରା ହୁଏ କେତେବେଳେ କେମିତି ସନ୍ଧ୍ୟାବେଳେ ସୁଲୁସୁଲିଆ ଥଣ୍ଡା ପବନ ବହେ ; ଝାଳ ମରିଯାଏ ମନ ଖୁସି ଲାଗେ ।
ଆଷାଢ ଓ ଶ୍ରାବଣ ମାସରେ କଳାହାଣ୍ଡିଆ ମେଘା ଘୋଟି ଆସେ । ଖୁବ୍ ବର୍ଷା ହୁଏ । ଦିନେ ଦିନେ ଆକାଶ ସାରାଦିନ ମେଘାଚ୍ଛନ୍ନ ରହେ ; ସୂର୍ଯ୍ୟ ମୋତେ ଦେଖାଦିଅନ୍ତି ନାହିଁ । ବର୍ଷା ହୋଇପାରେ ବା ନପାରେ । ଭାରି ଗରମ ଲାଗେ । ବର୍ଷା ହୋଇଗଲା ପରେ ଥଣ୍ଡା ଲାଗେ । ଆକାଶ ଫା ଦେଖାଯାଏ । ପୁଣି ମେଘା ଉଠେଇ , ବଉଦ ଚାଲି ବର୍ଷା ହୋଇଯାଏ । ପୁଣି ଆକାଶ ସଫା ହୋଇଯାଏ ।
ଶୀତଦିନ ସକାଳେ କାକର ପଡେ , ଦିନେ ଦିନେ ଟାଣ କୁହୁଡି ହୁଏ । ବାଟ ଘାଟ ଦେଖାଯାଏ ନାହିଁ । ଦୁଇ ତିନି ଘଣ୍ଟା ପରେ କୁହୁଡି ଯାଇ ଟାଣ ଖରା ହୁଏ ; ସଫା ଓ ଶୁଖିଲା ପାଗ ହୁଏ ।
ଏହିପରି ପ୍ରତ୍ୟକ ଦିନ ବାୟୁମଣ୍ଡଳର ଅବସ୍ଥା ପରିବର୍ତ୍ତନ ହେତୁ ତାର ଫଳାଫଳ ବଦଳୁଥାଏ । ଏହାକୁ ପାଗ କୁହାଯାଏ । ବାୟୁମଣ୍ଡଳର ସାମୟିକ ଅବସ୍ଥା ହିଁ ପାଗ । ଯଥା – ଖରା ପାଗ , ମେଘୁଆ ପାଗ , ହେମାଳିଆ ପାଗ , କୁହୁଡିଆ ପାଗ । ଏହା କ୍ଷଣିକ ଚିର ପରିବର୍ତ୍ତନଶୀଳ ।
କୌଣସି ଜାଗାର ପାଣି (ଜଳ) ପବନ (ବାୟୁ) ର ହାରାହାରି ଫଳରୁ ପ୍ରସୂତ ଅବସ୍ଥାକୁ ସେହି ସ୍ଥାନର ଜଳବାୟୁ ବୋଲି କୁହାଯାଏ । ଇଂରାଜୀରେ ଏହାକୁ କ୍ଲାଇମେଟ କୁହାଯାଏ । କ୍ଲାଇମେଟ ଲେଜି ଶବ୍ଦଟି ଦୁଇଟି ଗ୍ରୀକ ଶବ୍ଦ – କ୍ଲାଇମା ଓ ଲୋଗସ୍ ସମାହାର । ସାଧାରଣ ଭାବେ ଏହା ପୃଥିବୀର ପରିସର ବିଜ୍ଞାନକୁ ବୁଝାଏ । ସୂର୍ଯ୍ୟ ପାଗ ଓ ଜଳବାୟୁର ମୂଳ ନିୟାମକ । ସୌର ଶକ୍ତି ପୃଥିବୀର କୌଣିକ ଅବସ୍ଥିତି ଓ ଦୂରତା ଅନୁସାରେ ଭିନ୍ନ ହୋଇଥାଏ । ସୌରତାପ ପ୍ରଭାବରୁ ତାପମାନ ପରିବର୍ତ୍ତିତ ହୁଏ । ବିଭିନ୍ନ ସ୍ତରରେ ଚାପର ପରିବର୍ତ୍ତନ ଘଟେ ବାୟୁ ପ୍ରବାହ , ଦିଗ , ବେଗ ଓ ପରିମାଣ ବଦଳେ । ଏଥିରୁ ସୃଷ୍ଟି ହୁଏ ବିଭିନ୍ନ ଅବସ୍ଥା । ବସ୍ତୁତଃ ସୌର ତାପର ପ୍ରଭାବ ହେତୁ ପୃଥିବୀ ପୃଷ୍ଠରେ ସୃଷ୍ଟି ହେଉଥିବା ଅବସ୍ଥାକୁ ଜଳବାୟୁ କୁହାଯାଏ । ଯଥା ମୌସୁମୀ ଜଳବାୟୁ , ସମଶୀତୋଷ୍ଣ ଜଳବାୟୁ , ହିମ ମଣ୍ଡଳୀୟ ଜଳବାୟୁ । ଓଡିଶାର ଜଳବାୟୁ ଉଷ୍ମ ଓ ଆର୍ଦ୍ର । ବିଭିନ୍ନ ସ୍ଥାନର ଜଳ ଓ ବାୟୁର ପରିବର୍ତ୍ତନକୁ ସ୍ପଷ୍ଟକରି ବ୍ୟାଖ୍ୟା କରିବା ବିଜ୍ଞାନକୁ ଜଳବାୟୁ ବିଜ୍ଞାନ କୁହାଯାଏ ।
ବାୟୁମଣ୍ଡଳର ତାପମାନ, ବାୟୁଚାପ , ବାୟୁ ପ୍ରବାହ , ଆର୍ଦ୍ରତା , ମେଘା ଓ ବୃଷ୍ଟିର ସାମୟିକ ଅବସ୍ଥା ପାଗ ସୁଚାଇଥାଏ । ଏହିସବୁ ଗୁଡିକର ଦୀର୍ଘକାଳୀନ ହାରାହାରି ଅବସ୍ଥା ଜଳବାୟୁ ସ୍ଥିର କରିଥାଏ । ଏଣୁ ଏହି ଉପାଦାନଗୁଡିକ ପାଗ ଓ ଜଳବାୟୁର ଉପାଦାନ ଅଟନ୍ତି । ଏହିସବୁ ଉପାଦାନର ଚର୍ଚ୍ଚା ପୂର୍ବରୁ ବାୟୁମଣ୍ଡଳ ବିଷୟରେ ସାମାନ୍ୟ ଧାରଣା ଏକାନ୍ତ ଆବଶ୍ୟକ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 7/22/2020