କାର୍ଯ୍ୟ ନିର୍ବାହୀ କମିଟି ସଭ୍ୟମାନଙ୍କର ପ୍ରତିନିଧିତ୍ଵ କରୁଥିବାରୁ ସାଧାରଣ ପରିଷଦ ପାଖରେ ଉତ୍ତରଦାୟୀ ରହିବେ । କାର୍ଯ୍ୟନିର୍ବାହୀ କମିଟିରେ ସଦସ୍ୟ ନଥିବା କୌଣସି ସମିତି ସଭ୍ୟଙ୍କର ଯଦି କୌଣସି ଉପାଦେୟ କାର୍ଯ୍ୟକ୍ରମ ବିଷୟରେ ମତାମତ ଦେବାର ଆବଶ୍ୟକତା ପଡ଼େ, ତେବେ କାର୍ଯ୍ୟନିର୍ବାହୀ କମିଟି ତାଙ୍କୁ ବୈଠକକୁ ଆସି ମତାମତ ଦେବା ପାଇଁ ଆମନ୍ତ୍ରଣ କରିପାରିବେ ।
କାର୍ଯ୍ୟନିର୍ବାହୀ କମିଟି ଯେଉଁ ସୂଚନା ସଭ୍ୟମାନଙ୍କୁ ଜଣାଇବାକୁ ଚାହୁଁଛନ୍ତି ତାହା ସୂଚନା ବୋର୍ଡ (ବିଜ୍ଞାପନ ପଟା)ରେ ପ୍ରଦର୍ଶନ କରିବେ । ସଭାପତି ପ୍ରତି ୧୫ ଦିନରେ ଥରେ ଗୋଟିଏ ଦିନ ଧାର୍ଯ୍ୟ କରିବେ ଏବଂ ଏହି ଦିନ ସେ ସଭ୍ୟମାନଙ୍କୁ ସାକ୍ଷାତ କରିବେ । ଗ୍ରାମ୍ୟ ବନ ସହାୟକ ଗ୍ରାମବାସୀଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇବା, ଗ୍ରାମବାସୀ ଏବଂ କାର୍ଯ୍ୟନିର୍ବାହୀ କମିଟି ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ସହିତ ନିର୍ଦ୍ଦିଷ୍ଟ ଭାବେ ବୈଷୟିକ କିମ୍ବା ପ୍ରଶାସନିକ ନିଷ୍ପତ୍ତିକୁ ଗ୍ରାମବାସୀଙ୍କୁ ଜଣାଇବେ ।
ସଭ୍ୟ ସଚିବ କାର୍ଯ୍ୟନିର୍ବାହୀ କମିଟି ଓ କ୍ଷେତ୍ର ପରିଚାଳନା ସଂସ୍ଥା ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ସହିତ ‘ବନ ସଂରକ୍ଷଣ ସମିତି’ ଓ ପ୍ରକଳ୍ପ କର୍ତ୍ତୁପକ୍ଷଙ୍କ ନିକଟରେ ଦାୟୀ ରହିବେ । ଗ୍ରାମ୍ୟବନ ସହାୟକ ବନ ସଂରକ୍ଷଣ ସମିତିର ଆକାଂକ୍ଷାକୁ ସଭ୍ୟ ସଚିବ ଓ କ୍ଷେତ୍ର ପରିଚାଳନା ସଂସ୍ଥାକୁ ଜଣାଇବେ । ପରିସ୍ଥିତିକୁ ଦେଖି ସ୍ଵେଚ୍ଛାସେବୀ ପ୍ରତିନିଧିମାନେ ନିଜର ଦକ୍ଷତା ଏବଂ ସୁସମ୍ପର୍କକୁ ଉପଯୋଗ କରି କ୍ଷେତ୍ର ପରିଚାଳନା ସଂସ୍ଥାକୁ ପ୍ରକଳ୍ପର ଆଭିମୁଖ୍ୟ ପୂରଣ ଦିଗରେ ସହାୟକ ହେଉଥିବା ପରାମର୍ଶ ପ୍ରଦାନ କରିବେ । କ୍ଷେତ୍ର ପରିଚାଳନା ସଂସ୍ଥା ମୁଖ୍ୟ, କାର୍ଯ୍ୟନିର୍ବାହୀ କମିଟିର ସଭାପତି ଓ ସଭ୍ୟମାନଙ୍କର ପରାମର୍ଶ, ଦାବୀ ଓ ଅଭିଯୋଗକୁ ଦୃଷ୍ଟିଦେବେ ।
ଯଦିଓ ‘ବନ ସଂରକ୍ଷଣ ସମିତି’ ମୁଖ୍ୟତଃ ଜଙ୍ଗଲ ବିଭାଗ ସହାୟତାରେ ଗଠନ କରାଯାଇଛି କିନ୍ତୁ ପ୍ରକଳ୍ପର ସାମୁହିକ ଲକ୍ଷ୍ୟ । ପୂରଣ ଦିଗରେ ସହାୟକ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ କାର୍ଯ୍ୟକାରୀ କରିପାରିବେ । କାର୍ଯ୍ୟକାରୀ କମିଟି ଅନ୍ୟାନ୍ୟ ବିଭାଗ ସହ ସମନ୍ଵୟ ରକ୍ଷାକରି ସାଧାରଣ ପରିଷଦର ଅନୁମୋଦନ କ୍ରମେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ । ସଭାପତି ସମିତି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ପାରିବେ । ସଭାପତି ଏବଂ ସଭ୍ୟସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରେ ‘ବନ ସଂରକ୍ଷଣ ସମିତି’ର ପ୍ରତିନିଧିତ୍ଵ କରିବାର ଦାୟିତ୍ଵ ଅନ୍ୟ କୌଣସି କମିଟି ସଦସ୍ୟଙ୍କୁ ଦିଆଯାଇପାରିବ । ‘ବନ ସଂରକ୍ଷଣ ସମିତି’ର ସଭ୍ୟମାନଙ୍କୁ ବିଭିନ୍ନ ସମ୍ମିଳନୀ, ଆଲୋଚନାଚକ୍ର ଓ ତାଲିମ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଏ । କମିଟିର ସଭାପତି ପଞ୍ଚାୟତ ସମିତି, ଜଳକମିଟି ଆଦି ବିଭିନ୍ନ ସଙ୍ଗଠନ ସହିତ ସୁସମ୍ପର୍କ ରକ୍ଷା କରି ସେମାନଙ୍କୁ ‘ବନ ସଂରକ୍ଷଣ ସମିତି’ର କାର୍ଯ୍ୟକ୍ରମ ବିଷୟରେ ଜଣାଇଥାନ୍ତି ।
ବେଳେବେଳେ ‘ବନ ସଂରକ୍ଷଣ ସମିତି’ ସଭ୍ୟମାନଙ୍କ ମଧ୍ୟରେ କିମ୍ବା ଅନ୍ୟ ବନ ସଂରକ୍ଷଣ ସମିତି ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ସମସ୍ୟା ଉପୁଜିଥାଏ । ଯାହାଫଳରେ ‘ବନ ସଂରକ୍ଷଣ ସମିତି’ର ସ୍ଥିତି ନେଇ ଆଶଙ୍କା ଦେଖାଯାଏ । ଜଙ୍ଗଲର ସୀମା ନିର୍ଦ୍ଧାରଣ, ଫୌଜଦାରୀ ଓ ଦେୱାନୀ ଆଦି ସମସ୍ୟା ଯୋଗୁଁ ଆଇନଗତ ବିବାଦ ସୃଷ୍ଟି ହୋଇଥାଏ । ସେହିପରି, ସାମାଜିକ ପ୍ରଥା ଏବଂ ଧର୍ମ ବିଶ୍ୱାସକୁ ନେଇ ବିବାଦ ଦେଖାଯାଇ ପାରେ । ଏଥିସହିତ ଆୟକାରୀ କାର୍ଯ୍ୟକ୍ରମ ଏବଂ ଗଛପତ୍ର କଟାକଟି ନେଇ ବୈଷୟିକ ସମସ୍ୟା ସୃଷ୍ଟି ହୁଏ । ଏସବୁର ବିବାଦ ସମାଧାନ ପାଇଁ ‘ବନ ସଂରକ୍ଷଣ ସମିତି’ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ ।
ବନ ସଂରକ୍ଷଣ ସମିତିର ଅନ୍ତର୍ବିବାଦ
ବ୍ୟକ୍ତିଗତ ସ୍ଵାର୍ଥ, ଖର୍ଚ୍ଚ ଓ ଲାଭ ଭାଗବଣ୍ଟା, ପାଣ୍ଠି ବିନିଯୋଗରେ ଅନିୟମିତତା ଏବଂ ପ୍ରତିନିଧି ବାଛିବା ନେଇ ସମିତିରେ ସଭ୍ୟମାନଙ୍କ ମଧ୍ୟରେ ବିବାଦ ଓ ମନାନ୍ତର ଦେଖାଦେଇ ପାରେ । ସାଧାରଣ ପରିଷଦର ନିୟମିତ ବୈଠକ ଦ୍ଵାରା ଗ୍ରାମ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରାଯିବ । ଏ ପ୍ରକାର ବିବାଦଗୁଡ଼ିକୁ ଗ୍ରାମ୍ୟ ବନ ସହାୟକ ସଭାପତିଙ୍କ ଦୃଷ୍ଟିକୁ ଆଣିବା ପରେ କାର୍ଯ୍ୟନିର୍ବାହୀ ବୈଠକରେ ଆଲୋଚନା ହୋଇ ଏହାର ସମାଧାନ କରିବାକୁ ଚେଷ୍ଟା କରାଯିବ ।
ଅନ୍ୟ ‘ବନ ସଂରକ୍ଷଣ ସମିତି’ କିମ୍ବା ଅନ୍ୟ ଗ୍ରାମ ସହିତ ବିବାଦ
ଜଙ୍ଗଲସୀମା କିମ୍ବା ଜଙ୍ଗଲ ପ୍ରବେଶ ନିଷେଧ ନେଇ ଗ୍ରାମ ମଧ୍ୟରେ କିମ୍ବା ‘ବନ ସଂରକ୍ଷଣ ସମିତି’ ଅନ୍ୟ ବନ ସଂରକ୍ଷଣ ସମିତି ସହିତ ବିବାଦ ଦେଖାଦେଇ ପାରେ । ସଂପୃକ୍ତ ଗ୍ରାମର ନେତୃବୃନ୍ଦ ମାନଙ୍କ ସହିତ ବିଚାର ଆଲୋଚନା ଦ୍ୱାରା ଏହି ବିବାଦଗୁଡ଼ିକୁ ସମାଧାନ କରାଯାଇଥାଏ । କ୍ଷେତ୍ର ପରିଚାଳନା ସଂସ୍ଥା ଉଭୟ ପକ୍ଷର ବୈଠକ ଡକାଇ ସଭାପତି, ସଭ୍ୟସଚିବ, ଗ୍ରାମ୍ୟ ବନ ସହାୟକ ଏବଂ ସ୍ଵେଚ୍ଛାସେବୀ ମାନଙ୍କ ଉପସ୍ଥିତିରେ ବିବାଦ ସମାଧାନ କରିବାକୁ ଚେଷ୍ଟା କରିବେ । ବିବାଦ ସମାଧାନ ନ ହେଲେ ଗ୍ରାମସଭା ପ୍ରତିନିଧି, ତହସିଲ ପ୍ରତିନିଧି, କ୍ଷେତ୍ର ପରିଚାଳନା ସଂସ୍ଥା ମୁଖ୍ୟ ଓ ସ୍ଵେଚ୍ଛାସେବୀଙ୍କୁ ନେଇ ଖଣ୍ଡୀୟ ପରିଚାଳନା ସଂସ୍ଥା ଏକ କମିଟି ଗଠନ କରିବେ । କମିଟି ଯାହା ନିଷ୍ପତ୍ତି ନେବ ତାକୁ ସମସ୍ତେ ମାନିବାକୁ ବାଧ୍ୟ ।
‘ବନ ସଂରକ୍ଷଣ ସମିତି”, ପ୍ରକଳ୍ପ ମାଧ୍ୟମରେ ସଂପାଦିତ କାର୍ଯ୍ୟକ୍ରମ ଗୁଡ଼ିକୁ ଠିକ୍ ମାର୍ଗରେ ନେବା ପାଇଁ ନିଜସ୍ଵ ତଦାରଖ ଓ ମୂଲ୍ୟାୟନ ବ୍ୟବସ୍ଥା କରିବେ । ଏହା ସହିତ ପ୍ରକଳ୍ପ ତରଫରୁ ମଧ୍ୟ ଏହି କାର୍ଯ୍ୟ କରାଯିବ ।
ତଥ୍ୟ ସଂକଳନ ଓ ଏହାର ପରିଚାଳନା
‘ବନ ସଂରକ୍ଷଣ ସମିତି’ର କାର୍ଯ୍ୟକଳାପ ଏବଂ ଯୋଜନାର ବିଭିନ୍ନ ଦିଗ ବିଷୟରେ ବ୍ୟାପକ ତଥ୍ୟ ସଂଗ୍ରହ କରାଯାଇ ନିୟମିତ ରେକର୍ଡ଼ ରଖାଯିବ । ଯୋଜନାର କାର୍ଯ୍ୟାଦେଶ, ସମିତି ବୈଠକର ପୁଙ୍ଖାନୁପୁଙ୍ଖ ବିବରଣୀ, ସମିତିର ଇତିହାସ ବିଷୟରେ ନିୟମିତ ତଥ୍ୟ ରଖାଯିବ । ଏଥିସହିତ ଲୋକସଂଖ୍ୟାର ବିବରଣୀ, ସମିତିର ସଭ୍ୟ ମାନଙ୍କ ଓ ଗ୍ରାମର ଅର୍ଥନୈତିକ ସ୍ଥିତି, ଗ୍ରାମ ଜଙ୍ଗଲର ନକ୍ସା, କେତେପାଣ୍ଠି ଆସିଲା କେତେ ଖର୍ଚ୍ଚହେଲା, ଯୋଜନାରୁ ମିଳୁଥିବା ଲାଭ ଓ ବିଭିନ୍ନ କାର୍ଯ୍ୟକାରିତା ନେଇ ନିୟମିତ ତଥ୍ୟ ସଂରକ୍ଷଣ କରାଯିବ।
ସଫଳତା ସୂଚକ
ସୂଚକ ମାଧମରେ ‘ବନ ସଂରକ୍ଷଣ ସମିତି' ସଫଳତାର ଆକଳନ କରାଯିବ । ମୂଲ୍ୟାୟନ ପଦ୍ଧତିରେ ସମିତିଗୁଡ଼ିକୁ ନମ୍ବର ଦିଆଯିବ । ୭୫ ରୁ ଅଧିକ ନମ୍ବର ରଖିଥିବା ସମିତି ବହୁତ ଦକ୍ଷ ବା (କ) ବର୍ଗର ବୋଲି କୁହାଯିବ । ସେହିପରି ୫୦ ରୁ ୭୪ ମଧ୍ୟରେ ନମ୍ବର ରହିଲେ କେବଳ ଦକ୍ଷ ବା (ଖ) ବର୍ଗର ବୋଲି କୁହାଯିବ । ୩୦ ରୁ ୪୯ ମଧ୍ୟରେ ନମ୍ବର ପାଇଥିବା ସମିତିକୁ (ଗ) ବର୍ଗର ବୋଲି ଧରାଯିବ । ୩୦ ରୁ କମ୍ ନମ୍ବର ପାଇଥିବା ସମିତିକୁ ଅକାମୀ ଘୋଷଣା କରାଯିବ।
ସଫଳତା ଆକଳନ ବେଳେ ନିମ୍ନଲିଖୁତ ବିଷୟ ଗୁଡ଼ିକୁ ବିଚାର କରାଯିବ ।
କାର୍ଯ୍ୟନିର୍ବାହୀ କମିଟିରୁ ଦୁଇଜଣ ଲେଖାଏଁ ସଭ୍ୟଙ୍କୁ ବାଛି ଗ୍ରାମ୍ୟ ବନ ସହାୟକ ସହିତ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ତାଲିମ୍ ଦିଆଯିବ । ତାଲିମ୍ ପାଇଲା ପରେ ତଥ୍ୟ ସଂଗ୍ରହ କରି ତାକୁ ଦଲିଲ୍ କରାଯିବ । ଗ୍ରାମ୍ୟ ବନ ସହାୟକ ସେମାନଙ୍କୁ ତଥ୍ୟ ସଂଗ୍ରହରେ ସାହାଯ୍ୟ କରିବେ । ସ୍ଵେଚ୍ଛାସେବୀ ସଂଗଠନ କର୍ମୀ ତଥ୍ୟ ଠିକ୍ ଅଛି କି ନାହିଁ ତାର ସତ୍ୟାସତ୍ୟ ଦେଖି ମତାମତ ଦେବେ । ଜନସାଧାରଣଙ୍କ ଯାଞ୍ଚ ପାଇଁ ସଭ୍ୟସଚିବ ଏବଂ ଗ୍ରାମ୍ୟ ବନ ସହାୟକ ତଥ୍ୟ ସଠିକ ଭାବେ ସଂଗ୍ରହ କରିବେ । ଖଣ୍ଡୀୟ ପରିଚାଳନା ସଂସ୍ଥାର ମୁଖ୍ୟ ତାଙ୍କ କାର୍ଯ୍ୟାଳୟରୁ ବନ ସଂପ୍ରସାରଣ ଅଧିକାରୀଙ୍କୁ ତଦାରଖ ପାଇଁ ପଠାଇବେ ।
ଯୋଗାଯୋଗ ଓ ପ୍ରଚାର
ଆପାତତଃ କୌଣସି ଏକ ଗ୍ରାମରେ ଗୋଟିଏ କାର୍ଯ୍ୟକ୍ରମ ସଫଳ ହେଲେ ତାହା ତାର ପାଖାପାଖ ଗ୍ରାମକୁ ଜଣା ନ ଥାଏ । ତେଣୁ ଏକ ଯୋଗାଯୋଗ ବ୍ୟବସ୍ଥା ଦରକାର ଯେମିତି କି ‘ବନ ସଂରକ୍ଷଣ ସମିତି’ର ସଫଳତାକୁ ଜାଣିହେବ ଏବଂ ତା ଦ୍ଵାରା ଅନୁପ୍ରାଣିତ ହୋଇ ଅନ୍ୟମାନେ କାର୍ଯ୍ୟ କରିବେ । ଗଣମାଧ୍ୟମକୁ ସେ ସଫଳତାର ଖବର ପ୍ରକାଶ ପାଇଁ ଦିଆଯିବ । ଏହି ବ୍ୟବସ୍ଥା ଦ୍ଵାରା ପ୍ରକଳ୍ପ ସମ୍ବନ୍ଧରେ ଲୋକମାନଙ୍କ ମନରେ ଉପଯୁକ୍ତ ମନୋଭାବ ସୃଷ୍ଟି ହେବ । ସଫଳ କାର୍ଯ୍ୟକ୍ରମର ପ୍ରଚାର ହେଲେ ଲୋକମାନେ ଜଙ୍ଗଲ, ବଣ୍ୟଜନ୍ତୁ, ପ୍ରାକୃତିକ ସମ୍ପଦ ଆଦିର ଗୁରୁତ୍ଵ ଉପଲବ୍ଧ କରିବେ ଏବଂ ଅନ୍ୟ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ପ୍ରସାର କରାଇବେ ।
ବାହ୍ୟ ଯୋଗାଯୋଗ ଓ ପ୍ରଚାର
କ୍ଷେତ୍ର ପରିଚାଳନା ସଂସ୍ଥା ଓ ‘ବନ ସଂରକ୍ଷଣ ସମିତି' ଏହାର ସଫଳତା ବିଷୟରେ ପ୍ରଚାର ଓ ପ୍ରସାର କରିବାକୁ ଚେଷ୍ଟା କରିବେ । ଖଣ୍ଡୀୟ ପରିଚାଳନା ସଂସ୍ଥା ମୁଖ୍ୟକୁ ଜଣାଇ ଖବର ପ୍ରକାଶ ପାଇଁ ଗଣମାଧ୍ୟମକୁ ଅଥବା ଛୋଟ ଛୋଟ ପୁସ୍ତିକା ମାଧ୍ୟମରେ ନିଜର ସଫଳତାକୁ ପ୍ରଚାର କରିବେ ।
ସେ ଅଞ୍ଚଳର କଳାକାରଙ୍କ ସହାୟତାରେ ଲୋକ ସଙ୍ଗୀତ ଓ ଲୋକ ନୃତ୍ୟ ମାଧ୍ୟମରେ ଯୋଜନାର ସଫଳତାକୁ ଉପସ୍ଥାପନ କରାଯିବ ।
ଆଭ୍ୟନ୍ତରିଣ ଯୋଗାଯୋଗ
‘ବନ ସଂରକ୍ଷଣ ସମିତି’ର ଅଫିସ / ବୈଠକ ସ୍ଥାନରେ ବିଜ୍ଞାପନ ଫଳକ ରହିବ । ସେଥିରେ ସମସ୍ତ ସୂଚନା ଓ ନିଷ୍ପତ୍ତି ପ୍ରଦର୍ଶନ କରାଯିବ ।
ଗ୍ରାମବାସୀମାନଙ୍କର ଆବଶ୍ୟକତାକୁ ବିଚାରକୁ ନେଇ ଜଙ୍ଗଲ ସମ୍ପଦର ସୁପରିଚାଳନା କରିବା ମୁଖ୍ୟତଃ ବନ ସଂରକ୍ଷଣ ସମିତିର ମନୋବୃତ୍ତି ଓ ଦକ୍ଷତା ଉପରେ ନିର୍ଭରଶୀଳ । ଏଥିପାଇଁ ସମିତିର ଦକ୍ଷତା ବୃଦ୍ଧି ଉପରେ ପ୍ରକଳ୍ପ ତରଫରୁ ବିଶେଷ ଧ୍ୟାନ ଦିଆଯାଇଛି ।
ଖାଲି ଗୋଟିଏ ସମିତି ଗଠନ କରିଦେଲେ ଜଙ୍ଗଲର ଅଭିବୃଦ୍ଧି ହେବା ସମ୍ଭବ ନୁହେଁ । ଏଥିପାଇଁ ସେମାନଙ୍କର ମନୋବୃତ୍ତିରେ ପରିବର୍ତ୍ତନ ଆଣିବା ସଙ୍ଗେ ସଙ୍ଗେ ଜଙ୍ଗଲର ସୁପରିଚାଳନା ନିମନ୍ତେ ସେମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯିବା ଆବଶ୍ୟକ । ଏଣୁ ବନ ସଂରକ୍ଷଣ ସମିତିର ସଭ୍ୟମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଓ ପରିଦର୍ଶନ ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।
ପ୍ରତ୍ୟେକ ବନଖଣ୍ଡରେ ଦକ୍ଷତା ଭିତ୍ତିରେ ଜଣେ ସଭାପତି, ଉପସଭାପତି, ଗ୍ରାମ୍ୟ ସହାୟକ, କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟ, ସ୍ଵେଚ୍ଛାସେବୀଙ୍କୁ ନେଇ ଏକ ଦଳଗଠନ କରାଯିବ ଯାହାକି ଖଣ୍ଡୀୟ ପରିଚାଳନା ସଂସ୍ଥା ସହାୟକ ମୁଖ୍ୟଙ୍କ ଦ୍ଵାରା ପରିଚାଳିତ ହେବ । ଯୋଜନା ପରିଚାଳନା ପରାମର୍ଶ ଦାତାଙ୍କ ଦ୍ଵାରା ନିଯୁକ୍ତ କ୍ଷେତ୍ର ବିଶେଷଜ୍ଞ ମଧ୍ୟ ଏହାର ସଭ୍ୟ ରହିବେ । ଏହି ମଣ୍ଡଳୀ ଦ୍ଵାରା ପ୍ରତ୍ୟେକ ସମିତିକୁ ଆଲୋଚନା ମାଧ୍ୟମରେ ଉତ୍ସାହିତ କରାଯିବ । ଗ୍ରାମ୍ୟ ବନ ସହାୟକ ଏବଂ କୋଷାଧ୍ୟକ୍ଷଙ୍କ ପାଇଁ ସ୍ଵତନ୍ତ୍ର ତାଲିମ ବ୍ୟବସ୍ଥା ରହିବ । ନୂତନ ପଦ୍ଧତି ଓ ବିଧିବ୍ୟବସ୍ଥା ବିଷୟରେ ଜଣାଇ ଦିଆଯିବ ।
କ୍ଷେତ୍ର ପରିଚାଳନା ସଂସ୍ଥା ନିଜର ଦପ୍ତର କିମ୍ବା କୌଣସି ଏକ ବନ ସଂରକ୍ଷଣ ସମିତିରେ ବାର୍ଷିକ କର୍ମଶାଳା ଆୟୋଜନ କରିବେ । ସମିତିର କାର୍ଯ୍ୟନିର୍ବାହୀ ସଭ୍ୟ ଓ ଅନ୍ୟ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । କର୍ମଶାଳାରେ ଗ୍ରାମ୍ୟ ବନ ସହାୟକ କିମ୍ବା ସମିତି ମୁଖ୍ୟମାନେ ବିଗତ ବର୍ଷର ସଫଳତା ବିଷୟରେ ତଥ୍ୟ ଉପସ୍ଥାପନ କରିବେ । ସମିତି ମୁଖ୍ୟମାନେ କର୍ମଶାଳାରୁ ଅନ୍ୟ ସମିତିର କାର୍ଯ୍ୟକ୍ରମ ବିଷୟରେ ଜାଣିବେ ।
Last Modified : 7/8/2020