অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାୟୁ ପ୍ରଦୂଷଣ ସାଂଘାତିକ

ବାୟୁ ପ୍ରଦୂଷଣ

ରାଜଧାନୀରେ ବାୟୁ ପ୍ରଦୂଷଣ ଆଉ ନିୟନ୍ତ୍ରଣରେ ନାହିଁ। ବାୟୁ ପ୍ରଦୂଷଣ ଯୋଗୁଁ ରାଜଧାନୀବାସୀ ବିଭିନ୍ନ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ହେଲେଣି। ଏପରିକି ଦିଲ୍ଲୀ ଓ ମୁମ୍ବାଇ ଭଳି ସହରର ବାୟୁ ପ୍ରଦୂଷଣକୁ ଭୁବନେଶ୍ୱର ଟକ୍କର ଦେଲାଣି। ଏବେଠୁ ଯଦି ପରିସ୍ଥିତିକୁ ନିୟନ୍ତ୍ରଣ କରା ନ ଯାଏ ତେବେ ସ୍ଥିତି ସାଂଘାତିକ ହେବ। ଏହିଭଳି ସତର୍କ ବାଣୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଏମ୍‌ସି ଓ ବିଡିଏକୁ ଦିଆଯାଇଛି। କିପରି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଅଣାଯିବ ସେଥିପାଇଁ ବୋର୍ଡ ପକ୍ଷରୁ ୪ଟି କ୍ୟାଟେଗୋରିରେ ଗାଇଡଲାଇନ୍‌ ଜାରି କରାଯାଇଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ କ’ଣ କ’ଣ ପଦକ୍ଷେପ କେତେ ଦିନ ମଧ୍ୟରେ ନିଆଯିବ ସେନେଇ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁଯାୟୀ, ଏକ ମିଟର କ୍ୟୁବ୍‌ ବାୟୁରେ ୧୦୦ମାଇକ୍ରୋଗ୍ରାମ୍‌ ପର୍ଯ୍ୟନ୍ତ ଧୂଳିକଣା ରହିଲେ ତାହା ଶରୀର ପାଇଁ କ୍ଷତିକାରକ ନୁହେଁ। କିନ୍ତୁ ରାଜଧାନୀରେ ପ୍ରାୟ ସମସ୍ତ ସ୍ଥାନରେ ଧୂଳିକଣା ମାତ୍ର ୧୮୦ରୁ ୨୦୦ ମାଇକ୍ରୋଗ୍ରାମ୍‌ରେ ପହଞ୍ଚିଲାଣି। ତେଣୁ ଏବେଠୁ ଭୁବନେଶ୍ୱରର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବାକୁ ପଦକ୍ଷେପ ନିଆଯାଉଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାଧାରଣତଃ ଶୀତ ଋତୁରେ ବାୟୁରେ ଧୂଳିକଣା ମାତ୍ରା ବଢ଼ିଥାଏ। କିନ୍ତୁ ଭୁବନେଶ୍ୱରରେ ଖରା ଦିନେ ବି ଧୂଳିକଣା ମାତ୍ରା ୧୮୦ ମାଇକ୍ରୋଗ୍ରାମରୁ ଅଧିକ ରହୁଛି। ଏହା ବର୍ଷକୁ ବର୍ଷ ବଢୁଥିବାରୁ ରାଜଧାନୀ ପାଇଁ ଚିନ୍ତାର ବିଷୟ ପାଲଟିଛି। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିଛି। ଏଥିରେ ରାଜଧାନୀର ଭିତ୍ତିଭୂମି କିପରି ସଜାଡ଼ିଲେ ପ୍ରଦୂଷଣ ନିୟନ୍ତ୍ରଣରେ ରହିବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସପ୍ତାହକରୁ ଆରମ୍ଭ କରି ୬ମାସ ମଧ୍ୟରେ କେଉଁ ଭିତ୍ତିଭୂମି କିପରି ସଜଡ଼ା ଯିବ ସେନେଇ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଗାଡ଼ିରୁ ଧୂଆଁ ନିୟନ୍ତ୍ରଣ, ରାସ୍ତାରେ ଧୂଳି ଉଡ଼ିବା ଏବଂ ଅନ୍ୟାନ୍ୟ ଭାସମାନ କଣିକା ଉଡ଼ିବା ନିୟନ୍ତ୍ରଣ କରିବା, ଆବର୍ଜନାକୁ ପୋଡ଼ିଲେ ବାହାରୁଥିବା ଧୂଆଁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯେପରି ନିୟନ୍ତ୍ରଣରେ ରହିବ, ନିର୍ମାଣ ଏବଂ ଉଚ୍ଛେଦ ସମୟରେ ଯେପରି ବାୟୁ ପ୍ରଦୂଷଣ ନ ହେବ ସେଥିପାଇଁ ବିଭିନ୍ନ ନିୟମାବଳୀ ଜାରି କରାଯାଇଛି।

ଏଥିରେ ଅଣ ପାର୍କିଂ ଅଞ୍ଚଳରେ କୌଣସି ପରିସ୍ଥିତିରେ ବି ଗାଡ଼ି ପାର୍କିଂ କରିବାକୁ ଅନୁମତି ନ ଦେବାକୁ କୁହାଯାଇଛି। ୭ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଭିଡ଼ ରାସ୍ତାରେ ଯେପରି ଟ୍ରାଫିକ୍‌ ଜାମ୍‌ ନ ହେବ ସେଥିପାଇଁ ତିନି ମାସ ମଧ୍ୟରେ ରାସ୍ତା ପ୍ରଶସ୍ତୀକରଣ କରିବାକୁ କୁହାଯାଇଛି। ଆଉ ୬ ମାସ ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାରେ ଉନ୍ନତିକରଣ କରିବା ସହ ଅଧିକ ଏକ୍ସପ୍ରେସ୍‌ ଓ୍ଵ ଏବଂ ବାଇପାସ୍‌ ନିର୍ମାଣ କରିବାକୁ କୁହାଯାଇଛି। ୬ମାସ ମଧ୍ୟରେ ଏନେଇ କାଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ରାସ୍ତାରେ ଧୂଳି ଉଡ଼ିବା ଏବଂ ଅନ୍ୟାନ୍ୟ ଭାସମାନ କଣିକା ଉଡ଼ିବା ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ କରିଡର୍‌ରେ ୯୦ ଦିନ ମଧ୍ୟରେ ସବୁଜିମା ସୃଷ୍ଟି କରିବା ସହ ରାସ୍ତାରେ କୌଣସି ଖାଲଖମା ନ ରଖିବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ଟ୍ରାଫିକ ପୋଷ୍ଟରେ ଓ୍ଵାଟର ଫାଉଣ୍ଟେନ୍‌ କରିବା ସହ ବିଭିନ୍ନ ଖୋଲା ସ୍ଥାନ, ବଗିଚା, ସ୍କୁଲ ଏବଂ ଆବାସିକ ଅଞ୍ଚଳରେ ସବୁଜିମା ସୃଷ୍ଟି କରିବାକୁ କୁହାଯାଇଛି। ୬ମାସ ମଧ୍ୟରେ ସମସ୍ତ ରାସ୍ତାର ଦୁଇ ପାର୍ଶ୍ୱ ଖାଲି ସ୍ଥାନକୁ ବି ପିଚୁ ଦ୍ୱାରା ଆଚ୍ଛାଦିତ କରିବାକୁ କୁହାଯାଇଛି।

ଆବର୍ଜନା ଓ ବାଇଓମାସ୍‌ରୁ ଧୂଆଁ ନିର୍ଗତ ବନ୍ଦ କରିବା ପାଇଁ ତିନି ମାସ ମଧ୍ୟରେ ବିଭିନ୍ନ ସ୍ଥାନରୁ ଆବର୍ଜନା, ବାଇଓମାସ୍‌, କ୍ରପ୍‌ ରେସିଡ୍ୟୁ ଆଦିକୁ ନିୟମିତ ଉଠାଇବା ଦରକାର। ଏହାସହ ୬ମାସ ମଧ୍ୟରେ ରାଜଧାନୀ ଓ ଏହା ଆଖପାଖ ଅଞ୍ଚଳରେ ଯେପରି କାଠି କୁଟା ଏବଂ ଅନ୍ୟାନ୍ୟ କୃଷିଯାତ ସାମଗ୍ରୀ ଯେପରି ପୋଡ଼ା ନ ହେବ ସେଥିପାଇଁ ପଦକ୍ଷେପ ନିଆଯିବ।

ଏହାବ୍ୟତୀତ ରାଜଧାନୀରେ ନିର୍ମାଣ ଓ ଉଚ୍ଛେଦ ଆଇନ ଲାଗୁ କରିବାକୁ କୁହାଯାଇଛି। ଏଥିରେ ବିଭିନ୍ନ ନିର୍ମାଣ ସାମଗ୍ରୀ ନେବା ଆଣିବା କରିବା ସମୟରେ, କୋଠା ନିର୍ମାଣ କାର୍ଯ୍ୟ କଲାବେଳେ ଯେପରି ଧୂଳିକଣା ନ ଉଡ଼ିବ ସେଥିପାଇଁ ପଦକ୍ଷେପ ନିଆଯିବ। ଏହାସହିତ ନିର୍ମାଣ ସାମଗ୍ରୀଗୁଡ଼ିକ ବନ୍ଦ କରି ନେବାକୁ କୁହାଯାଇଛି।

ଆଧାର: ଶକ୍ତି ବିଭାଗ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate