ହୋମ / ଶକ୍ତି / ପରିବେଶ / ବୁନ୍ଦାଏ ଜଳ ମୁଲ୍ୟବାନ
ସେଆର କରନ୍ତୁ

ବୁନ୍ଦାଏ ଜଳ ମୁଲ୍ୟବାନ

ବିଶ୍ଵ ଜଳ ଦିବସ ଉପଲକ୍ଷେ ପାଣିର ବିଶେଷତ୍ଵ ସମ୍ବନ୍ଧୀୟ ତଥ୍ୟ ଦିଆଯାଇଛି ।

ଜଳ ହିଁ ଜୀବନ

waterଜଳ ହିଁ ଜୀବନ । ଏ କଥାଟି ଏଥିପାଇଁ ତାତ୍ପର୍ଜ୍ୟପୂର୍ଣ୍ଣ ଯେ , ମନୁଷ୍ୟଠାରୁ ଆରମ୍ଭ କରି ପଶୁପକ୍ଷୀ , କୀଟପତଙ୍ଗ, ବୃକ୍ଷଲତା ସମସ୍ତେ ବଞ୍ଚିବା ପାଇଁ ପାଣି ଉପରେ ନିର୍ଭର ଶୀଳ । ଜଳ ବିନା ଜୀବନର କଳ୍ପନା କରିହୁଏ ନାହିଁ । ପାଣି ନ ରହିଲେ ପୃଥିବୀ ପୃଷ୍ଠ ଶୁଷ୍କ ରୁକ୍ଷ ଓ ଟାଙ୍ଗର ହୋଇଯିବ । ସବୁଜିମା ଲୁପ୍ତ ହୋଇଯିବ । ଘରୋଇ ବ୍ୟବହାର ଠାରୁ ଆରମ୍ଭ କରି କୃଷି, ଶିଳ୍ପ ପ୍ରତ୍ୟେକ କ୍ଷେତ୍ରରେ ଜଳର ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ । ବିଶ୍ଵ ଅର୍ଥନୀତି ଅନେକାଂଶରେ ଜଳ ଉପରେ ନିର୍ଭର ଶୀଳ । କିନ୍ତୁ ଆମର ଅପରିଣାମଦର୍ଶିତା ପାଇଁ ପରିବେଶର ଦ୍ରୁତ ଅବକ୍ଷୟ ହେବା ସହିତ ଜଳ ସଙ୍କଟ ସୃଷ୍ଟି ହେଉଛି । ସବୁଜ ଜଙ୍ଗଲ ନଷ୍ଟକରି ଆମେ କଂକ୍ରିଟ ଜଙ୍ଗଲ ସୃଷ୍ଟି କରୁଛେ , ଯେଉଁଥିପାଇଁ ଜଳଚକ୍ର ବାଧାପ୍ରାପ୍ତ ହେଉଛି । ଠିକ ସମୟରେ ଉପଯୁକ୍ତ ପରିମାଣର ବର୍ଷା ହେଉନାହିଁ । କେଉଁଠି ବାଦଲ ଫଟା ବର୍ଷା ହୋଇ ଧନଜୀବନ ନଷ୍ଟ ହେଉଛି ତ ପୁଣି କେଉଁଠି ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହେଉଛି ।

ଜଳ ପାଇଁ ଗଛର ଭୂମିକା

ବର୍ଷା କରାଇବାରେ ଗଛର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗଛ ଗୁଡିକ ମୃତ୍ତିକାରୁ ଜଳ ସଂଗ୍ରହ କରି ବଢନ୍ତି । ପୁନଶ୍ଚ ସେହି ପାଣି ଗଛର ପତ୍ରରୁ ଉତସ୍ଵେଦନ ପ୍ରକ୍ରିୟାରେ ଜଳୀୟବାଷ୍ପ ଉପରେ ବାୟୁମଣ୍ଡଳକୁ ଯାଇ ନୂତନ ବାଦଲ ସୃଷ୍ଟି କରେ । ବର୍ଷା ହୁଏ । ଜଙ୍ଗଲ ଧ୍ଵଂସ ହେବା ଦ୍ଵାରା ପର୍ଯ୍ୟାପ୍ତ ପରିମାଣର ଜଳ ବାଷ୍ପୀଭୂତ ହୋଇ ନ ପାରିବା ଯୋଗୁଁ ବର୍ଷା ବି ଯଥେଷ୍ଟ ପରିମାଣର ହୁଏନାହିଁ । ପୁଣି ଗଛ ନ ରହିବା ଫଳରେ ଗଛର ଚେର ବାଟ ଦେଇ ମାଟି ତଳକୁ ବର୍ଷାଜଳ ଯାଇପାରେ ନାହିଁ । ଭୂତଳ ଜଳ ଭଣ୍ଡାର ପୂର୍ଣ୍ଣ ହୋଇପାରେ ନାହିଁ । ଏବେ ଗ୍ରୀଷ୍ମରୁତୁରେ ଆମ ଆଖପାଖରେ କୂଅ, ନଳକୂଅ ପ୍ରଭୃତିର ଜଳସ୍ତର ହ୍ରାସ ପାଇବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ଏହା ଖାଲି ଆମ ଅଞ୍ଚଳ ରାଜ୍ୟ, ବା ଦେଶରେ ନୁହେଁ , ସମଗ୍ର ବିଶ୍ଵର ସମସ୍ୟା । ଭୂତଳ ଜଳସ୍ତର ଯେଉଁ ମାତ୍ରାରେ ହ୍ରାସ ପାଉଛି , ଆସନ୍ତା ଅଳ୍ପ କିଛି ବର୍ଷ ମଧ୍ୟରେ ଏହା ସମଗ୍ର ବିଶ୍ଵରେ ଏକ ଉତ୍କଟ ପରିସ୍ଥିତି ସୃଷ୍ଟି କରିବ ।

ପୃଥିବୀ ପୃଷ୍ଠରେ ଜଳର ଭୂମିକା

ପୃଥିବୀର ଏକ ଭାଗ ସ୍ଥଳ ଓ ତିନିଭାଗ ଜଳ । କିନ୍ତୁ ବିଡମ୍ବନାର ବିଷୟ ପୃଥିବୀର ସମୁଦାୟ ଜଳର ୯୭ଭାଗ ଜଳ ଲବଣାକ୍ତ । ମାତ୍ର ୩ଭାଗ ବିଶୁଦ୍ଧ ଜଳ। ୩ପ୍ରତିଶତ ବିଶୁଦ୍ଧ ଜଳ ମଧ୍ୟରୁ ୬୮.୭ ପ୍ରତିଶତ ହିମ ଓ ତୁଷାର ଖଣ୍ଡ ଆକାରରେ ରହିଛି । ୩୦.୧ ପ୍ରତିଶତ ଭୂତଳ ଜଳ ଭାବରେ ରହିଛି । ମାତ୍ର ୦.୩ ପ୍ରତିଶତ ଜଳ ନଦୀ, ହ୍ରଦମାନଙ୍କରେ ଥିବାବେଳେ ୦.୯ ପ୍ରତିଶତ ଅନ୍ୟାନ୍ୟ ଭାବରେ ରହିଛି । ଏଥିରୁ ସ୍ପଷ୍ଟ ଅନୁମେୟ ଦୈନଦିନ ଆବଶ୍ୟକତା ପାଇଁ ଆମେ ଦରକାର କରୁଥିବା ବିଶୁଦ୍ଧ ଜଳ କେତେକ ସୂକ୍ଷ୍ମ ଓ ଦୁଷ୍ପ୍ରାପ୍ୟ । ପୃଥିବୀର ଅନେକ ଅଞ୍ଚଳ ରହିଛି , ଯେଉଁଠାରେ ଲୋକମାନେ ପିଇବା ପାଣି ଟିକିଏ ପାଇଁ କୋଶକୋଷ ଦୂରକୁ ଯାଇଥାନ୍ତି । ମୁଣ୍ଡରେ ମୁଣ୍ଡେଇ ପାଣି ଆଣିଥାନ୍ତି । ଚୁଆ ଖୋଳି ଗୋଳିଆ ପାଣି ନେଇ ଶହଶହ ମଣିଷ ତୃଷ୍ଣା ମେଣ୍ଟାଇଥାନ୍ତି । କେଉଁଠି କେମିତି ଜଳ ଟିଏ ଥିଲେ , ତା’ ଆଗରେ ଗରା, ବାଲଟିର ଲମ୍ବା ଲାଇନ ଲାଗିଥାଏ । ପାଣି ଟୋପେ ପାଇଁ ପୃଥିବୀର କୋଟିକୋଟି ଲୋକ ଡହଳ ବିକଳ ହୁଅନ୍ତି । ପାଣି ପାଇଁ ଅନେକ ସ୍ଥାନରେ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଥାଏ । ଏବେ ତ ପାଣି ପାଇଁ ରାଜ୍ୟ ରାଜ୍ୟ , ଦେଶ ଦେଶ ମଧ୍ୟରେ ବିବାଦ ଦେଖାଯାଉଛି । କୁହାଯାଉଛି , ପାଣି ପାଇଁ ପୃଥିବୀରେ ତୃତୀୟ ବିଶ୍ଵଯୁଧ୍ୟ ହେବ । ଜାତିସଙ୍ଘର ପୂର୍ବତ୍ତନ ସେକ୍ରେଟାରୀ ଜେନେରାଲ କୋଫି ଆନ୍ନାନ ଓ ବୁଟ୍ରୋସ ବସ ଘାଲି ଭବିଷ୍ୟବାଣୀ କରି କହିଥିଲେ ପାଣି ପାଇଁ ପ୍ରତିଯୋଗୀତା ଯୋଗୁଁ ମଧ୍ୟପ୍ରାଚ୍ୟ ଓ ବିଶ୍ଵର ଅନେକ ଅଞ୍ଚଳରେ ଯୁଧ୍ୟ ହେବ ।

ଜଳ ସଙ୍କଟ

ଏକ ଆକଳନରୁ ଜଣାଯାଏ , ୨୦୧୫ ମସିହା ସୁଦ୍ଧା ବିଶ୍ଵ ଜନସଙ୍ଖ୍ୟାର ଅର୍ଦ୍ଧାଧିକ ଲୋକ ଜଳସଙ୍କଟକୁ ସାମ୍ନା କରିବେ । ଏକଥା ମଧ୍ୟ କୁହାଯାଇଛି ଯେ ୨୦୩୦ ମସିହା ବେଳକୁ ପୃଥିବୀର ଅନେକ ଅଞ୍ଚଳରେ ଜଳର ଚାହିଦା ଯୋଗାଣ ଠାରୁ ୫୦ପ୍ରତିଶତ ଅଧିକ ହୋଇଯିବ । ଜନସଂଖ୍ୟା ବୃଦ୍ଧି ଓ ଜଳ ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପର ଅଭାବ ଯୋଗୁ ୨୦୧୫ ମସିହା ସୁଦ୍ଧା ଆଫ୍ରିକାର ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ , ମଧ୍ୟପ୍ରାଚ୍ୟ, ଉତ୍ତର ଓ ଦକ୍ଷିଣ ଚାଇନା , ଦକ୍ଷିଣ ଆମେରିକା ଓ ଭାରତ ଉତ୍କଟ ଜଳାଭାବକୁ ସାମ୍ନା କରିବେ । ୨୦୫୦ ମସିହା ବେଳକୁ ବିଶ୍ଵରେ ତୃଷ୍ଣା ମେଣ୍ଟାଇବା ପାଇଁ ପାଣି ଆଦୌ ମିଳି ନ ପାରେ ।

ଜଳର ସଞ୍ଚୟ

ଏତେସବୁ ବାସ୍ତବତା ଓ ଆଶଙ୍କା ସତ୍ତ୍ୱେ ଆମେ ଅବିଚାରିତ ଭାବରେ ଜଳ ନଷ୍ଟ କରିଥାଉ । ଆବଶ୍ୟକତା ତୁଳନାରେ ଅଧିକ ପାଣି ଅପଚୟ କରିଥାଉ ଘରଠାରୁ ରାସ୍ତାକଡରେ ପାଣି ପାଇପ ଓ କୂଳରୁ ପାଣି ଝରିବା ଦୃଶ୍ୟ ପ୍ରତିଦିନ ଆମ ଦୃଷ୍ଟିକୁ ଆସୁଥିଲେ ମଧ୍ୟ ସେଥିପ୍ରତି ଦ୍ରୁଷ୍ଟି ନ ଦେଇ ଆମେ ବିପଦକୁ ଆମନ୍ତ୍ରଣ କରୁଛେ । ସେହିପରି ନଦୀ, ଝରଣା, ହ୍ରଦ, ପୋଖରୀ ଜଳକୁ ଆମେ ଅବାଧରେ ପ୍ରଦୂଷିତ କରିଥାଉ । ସହରାଞ୍ଚଳରେ କଳକାରଖାନା ଓ ପାଇଖାନା ନାଳଗୁଡିକର ବର୍ଜ୍ୟବସ୍ତୁ ନଦୀଜାଲ ଓ ହ୍ରଦମାନଙ୍କୁ ଛଡାଯିବା ଦ୍ଵାରା ପାଣି ଦୂଷିତ ହୋଇଥାଏ । ଭାରତ, ଚାଇନା, ନେପାଳ, ଇରାକ, ଆଦି ଅନେକ ଅର୍ଦ୍ଧବିକଶିତ ଦେଶମାନଙ୍କରେ କଳକାରଖାନାର ପଚା ଜଳ ଆବର୍ଜନା ଓ ବିଷାକ୍ତ ପଦାର୍ଥ ସିଧାସଳଖ ପ୍ରାକୃତିକ ଜଳାଧାରାକୁ ଛାଡିଦିଆଯାଏ । ଜଳ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହୋଇ ବିଶ୍ଵରେ ପ୍ରତିଦିନ ୧୪,୦୦୦ ଲୋକ ମୃତ୍ୟୁବରଣ କରିଥାନ୍ତି । ଭାରତରେ ଏହି ସଂଖ୍ୟା ୫୮୦ ମାତ୍ର ୫୦ବର୍ଷ ପୂର୍ବେ ବିଶ୍ଵାସ କରାଯାଉଥିଲା, ଜଳ ଅସରନ୍ତି ଜଳ ସଙ୍କଟ କଥା କେହି ଅନୁମାନ କରିପାରୁ ନଥିଲେ । ସେ ସମୟରେ ବିଶ୍ଵ ଜନସଂଖ୍ୟା ବର୍ତ୍ତମାନ ଜନସଂଖ୍ୟାର ଅଧା ଥିଲା । ଶିଳ୍ପ ସହରାଞ୍ଚଳର ବିକାଶ ଏତେ ମାତ୍ରାରେ ହୋଇ ନଥିଲା । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି , ଶିଳ୍ପାୟନ ଓ ସହରୀକରଣ ପାଣିର ବ୍ୟବହାରକୁ ବଢାଇଦେଇଛି । ପୃଥିବୀରେ ମିଳୁଥିବା ବିଶୁଦ୍ଧ ଜଳର ୭୦ ପ୍ରତିଶତ ଜଳ କୃଷି କାର୍ଯ୍ୟରେ ବ୍ୟବହାର କରାଯାଏ । ୨୦ପ୍ରତିଶତ ଶିଳ୍ପରେ ୮ପ୍ରତିଶତ ଘରୋଇ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ୨ପ୍ରତିଶତ ଜଳ ମନୋରଞ୍ଜନ ଓ ପରିବେଶ କାର୍ଯ୍ୟରେ ଲାଗିଥାଏ । କିନ୍ତୁ ଆମେ ମନଇଛା ଜଳକୁ ବ୍ୟବହାର କରି ନଷ୍ଟ କରିବା ସହିତ ଅଦୁରଦର୍ଶୀ ଭାବରେ ଜଳକୁ ଦୂଷିତ କରିବା ଯୋଗୁ ଜଳସଙ୍କଟ ସୃଷ୍ଟି ହେଉଛି । ଜଳ ସୀମିତ ହୋଇଥିବାରୁ ଜଳ ଅମଳ ଓ ସଂରକ୍ଷଣ ପାଇଁ ବିଶ୍ଵସ୍ତରରେ ଉଦ୍ୟମରେ ଆବଶ୍ୟକତା ରହିଛି । ବୁନ୍ଦାଏ ଜଳ ବି ଅତ୍ୟନ୍ତ ମୁଲ୍ୟବାନ । ତେଣୁ ବିଶୁଦ୍ଧ ଜଳର ସୁନୀୟନ୍ତ୍ରିତ ପରିଚାଳନା ପାଇଁ ଯଥାର୍ଥ ନୀତି, ଯୋଜନା ଓ କାର୍ଜ୍ୟକ୍ରମ ଗ୍ରହଣ କରାଯିବା ଉଚ୍ଚିତ । ଆମ ଉତ୍ତରପିଢି ପାଇଁ ଜଳ ସଂରକ୍ଷିତ ରଖିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ଵ ହେବା ଉଚିତ ।

ଆଧାର: ଲକ୍ଷ୍ମୀକାନ୍ତ ଦଳେଇ,ସଶାଙ୍କ ନିବାସ, ବାଲିଘାଟ, ପୁରୀ

2.89655172414
Niranjan Senapati Apr 26, 2017 03:48 PM

ଆମେ ସମସ୍ତେ ଜାଣିଚୁ କି ଜଳ ବହୁତ ମୂଲ୍ୟବାନ କିନ୍ତୁ ଆମେ ତାହା ଗୁରୁତ୍ଵା ଦେଉନାହୁଁ.ବିକାସପିଡିଆ ରେ ପ୍ରକାଶ ହୋଇଥିବା ଏହି ବିଷୟ ଆମକୁ ବହୁତ ସଚେତନ କରୁଛି .

Priyadarshan Rath Feb 24, 2017 04:50 PM

ଜଳ ଏକ ଉତ୍ତମ ଦ୍ରାବକ ହୋଇଥିବାରୁ ଏହାକୁ ‘ସାର୍ବଜନୀନ ଦ୍ରାବକ’ କୁହାଯାଏ । ଏଥିରେ ଅଧିକାଂଶ ପଦାର୍ଥ ଯଥା ଲବଣ, ଚିନୀ, ଅମ୍ଳ, କ୍ଷାର, ଗ୍ୟାସ ଇତ୍ୟାଦି ଦ୍ରବୀଭୂତ ହୋଇପାରେ ।

ଦେବବ୍ରତ ବେହେରା Mar 22, 2016 04:34 PM

ଜଳ ହିଁ ଜୀବନ ତେଣୁ ଆସନ୍ତୁ ଆମେ ସମସ୍ତେ ଜଳକୁ ସଞ୍ଚୟକରିବା ଏବଂ ମୁଲ୍ୟବାନ ଜୀବନ ବଞ୍ଚାଇବା

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top