ହୋମ / ଶକ୍ତି / ପରିବେଶ / ମୃତ୍ତିକା ବିଜ୍ଞାନ (ମାଟି ଓ ମାଟିର ଗୁଣ)
ସେଆର କରନ୍ତୁ

ମୃତ୍ତିକା ବିଜ୍ଞାନ (ମାଟି ଓ ମାଟିର ଗୁଣ)

ମୃତ୍ତିକାର ବିଜ୍ଞାନ ଓ ମାଟିର ଗୁଣ ସମ୍ବନ୍ଧରେ ସୂଚନା ।

ଉପକ୍ରମ

ମୃତ୍ତିକା ଏକ ପ୍ରାକୃତିକ ବସ୍ତୁ । ଏହା ପୃଥିବୀ ପୃଷ୍ଠରେ ଚତୁର୍ଦ୍ଦିଗରେ ବ୍ୟାପ୍ତ । ପ୍ରତ୍ୟକ ଜୀବଜନ୍ତୁ ଓ ବୃକ୍ଷଲତା ପ୍ରତ୍ୟକ ବା ପରୋକ୍ଷ ଭାବରେ ଖାଦ୍ୟ ଓ ଆଶ୍ରୟ ପାଇଁ ମୃତ୍ତିକା ଉପରେ ନିର୍ଭରଶୀଳ । ‘ମା’ ଭଳି ଏହା ସମଗ୍ର ଜୀବଜଗତକୁ କୋଳରେ ଆଶ୍ରୟ ଦେଇଛି । ତେଣୁ ଏହାର ଅନ୍ୟ ନାମ ‘ମାଟି’ । କେଉଁଠି ଏହି ମୃତ୍ତିକା ବୃକ୍ଷଲତା ଶୂନ୍ୟ ଟାଙ୍ଗର ବା ମରୁଭୁମି ହୋଇ ପଡିରହିଛି ତ ଆଉ କେଉଁଠି ଏହା ଉପରେ ସବୁଜ ଘନ ବନାନି, ତୃଣଭୂମି ବା ଫସଲ ବଢି ଉଠିଛି । ଗଛଲତା ବଢିବା ପାଇଁ ଏହା ହେଉଛି ଏକ ପ୍ରାକୃତିକ ଆଧାର । ଏହା ଗଛର ଚେରକୁ ଧାରଣ କରେ ଓ ଓ ଗଛକୁ ଦୃଢଭାବରେ ଧରିରଖେ । ଗଛ ବଢିବା ପାଇଁ ଆବଶ୍ୟକ ଜଳ ଓ ଖାଦ୍ୟ ଉପାଦାନ ଏହା ଯୋଗାଇଥାଏ । ଉର୍ବର ମୃତ୍ତିକାରେ ଗଛଲତା ଭଲ ବଢେ ଓ ଜୀବଜନ୍ତୁଙ୍କ ପାଇଁ ଅଧିକ ଖାଦ୍ୟ ମିଳେ । ମନୁଷ୍ୟ ସମାଜ ପାଇଁ ଆବଶ୍ୟକ ଜଳ ଓ ଖାଦ୍ୟ ଉପାଦାନ ଏହା ଯୋଗାଇଥାଏ । ଉର୍ବର ମୃତ୍ତିକାରେ ଗଛଲତା ଭଲ ବଢେ ଓ ଜୀବଜନ୍ତୁଙ୍କ ପାଇଁ ଅଧିକ ଖାଦ୍ୟ ମିଳେ । ମନୁଷ୍ୟ ସମାଜ ପାଇଁ ଆବଶ୍ୟକ ପଦାର୍ଥ ଅଧିକ ସୁଲଭ ହୁଏ । ଏଣୁ ଭଲ ମୃତ୍ତିକା ଥିବା ଅଞ୍ଚଳରେ ଘନ ଜନବସତି ଦେଖାଯାଏ । ଅତୀତରେ ଅନେକ ପୁରାତନ ସଭ୍ୟତା ପୃଥିବୀ ପୃଷ୍ଠରେ ଭଲ ଉର୍ବର ମୃତ୍ତିକା ଥିବା ଅଞ୍ଚଳରେ ଗଢି ଉଠିଥିଲା । କିନ୍ତୁ କାଳକ୍ରମେ ମୃତ୍ତିକା କ୍ଷୟ ଓ ଏହାର ଅପବ୍ୟବହାର ହେତୁ ମୃତ୍ତିକାର ଗଛଲତା ଧାରଣ ଶକ୍ତି ନଷ୍ଟ ହେଲା ଏବଂ ସେହିସବୁ ଘନ ଜନବସତି ଓ ସଭ୍ୟତା ଲୋପ ପାଇଗଲା । ଏଣୁ ସଭ୍ୟତା ତିଷ୍ଠି ରହିବା ପାଇଁ ମୃତ୍ତିକାର ରକ୍ଷଣାବେକ୍ଷଣ ଅପରିହାର୍ଯ୍ୟ ।

ବାସଗୃହ, ରାସ୍ତାଘାଟ ଓ ବନ୍ଧବାଡ ନିର୍ମାଣ ପାଇଁ ଏହାକୁ ମୂଳ ପଦାର୍ଥ ଭାବରେ ବ୍ୟବହାର କରାଯାଏ । ଗୃହ ନିର୍ମାଣ ପାଇଁ ଇଟା, ଟାଇଲ ପ୍ରଭୃତି ମାଟିରୁ ତିଆରି ହୁଏ । ଅତୀତରେ ରନ୍ଧନ ଓ ଭୋଜନ ପାତ୍ର ମୁଖ୍ୟତଃ ମାଟିରୁ ତିଆରି ହେଉଥିଲା । ଏବଂ ଏବେ ମଧ୍ୟ ହେଉଛି । କିନ୍ତୁ ମୃତ୍ତିକାର ସବୁଠାରୁ ବେଶି ଉପାଦେୟତା ହେଉଛି ଚାଷ କାର୍ଯ୍ୟ ଓ ଫସଲ ଉତ୍ପାଦନ ପାଇଁ ଏହାର ବିନିଯୋଗ । ଚାଷରୁ ଆମେ ଖାଦ୍ୟ, ବସ୍ତ୍ର, ଗୃହ, ଉପକରଣ, ଜାଳେଣି ପ୍ରଭୃତି ପାଉ । ଚାଷପାଇଁ ମୃତ୍ତିକା ଅପରିହାର୍ଯ୍ୟ । ମୃତ୍ତିକା ଭଲଥିଲେ ଏବଂ ତାହାର ଉତ୍ତମ ପରିଚାଳନା ଓ ରକ୍ଷଣାବେକ୍ଷଣ କଲେ ଅଧିକ ଫସଲ ଉତ୍ପାଦନ ସମ୍ଭବ ହୋଇପାରେ । ସବୁ ସ୍ଥାନରେ ମୃତ୍ତିକା ଏକାଭଳି ନୁହେଁ, ଏଣୁ ଏହାର ଫସଲ ଉତ୍ପାଦନ ଶକ୍ତି ସମାନ ନୁହେଁ । ଏହି ବିଭିନ୍ନତାର କାରଣ ମୃତ୍ତିକାର ସୃଷ୍ଟି ଗଠନ ଓ ବିଭିନ୍ନ ଭୌତିକ ତଥା ରାସାୟନିକ ଗୁଣ ଉପରେ ନିର୍ଭର କରେ ।

ମୃତ୍ତିକାର ଉତ୍ପତ୍ତି ଓ ଗଠନ ଭୌତିକ ଏବଂ ରାସାୟନିକ ପ୍ରକୃତି, ବିଭିନ୍ନତା ଓ ଶ୍ରେଣୀବିଭାଗ ତଥା କୃଷି ଉତ୍ପାଦନ ପାଇଁ ଏହାର ବ୍ୟବହାର ଇ ପରିଚାଳନା ସମ୍ବନ୍ଧୀୟ ବିଷୟଗୁଡିକ ମୃତ୍ତିକା ବିଜ୍ଞାନର ଅନ୍ତର୍ଭୁକ୍ତ ।

ମୃତ୍ତିକାରେ ଉଦ୍ଭିଦ ବୃଦ୍ଧିର ମାଧ୍ୟମ

ଉଦ୍ଭିଦ ମାଟିରେ ବଢେ । ମାଟି ଏହାର ବୃଦ୍ଧି ଓ ବିକାଶ ପାଇଁ ଉପଯୁକ୍ତ ମାଧ୍ୟମ । ଉଦ୍ଭିଦ ବୃଦ୍ଧି ପାଇଁ ମୃତ୍ତିକା ନିମ୍ନଲିଖିତ ଭୂମିକା ପୂରଣ କରିଥାଏ ।

  1. ମଞ୍ଜିରୁ ଗଜା ହେବା ପାଇଁ ଆବଶ୍ୟକ ଆର୍ଦ୍ରତା ଓ ଉଷ୍ମତା ଯୋଗାଇଦିଏ ।
  2. ମୃତ୍ତିକାର ଛିଦ୍ରରେ ଚେର ବଢେ । ଚେରକୁ ମୃତ୍ତିକା ଦୃଢଭାବରେ ଧରି ରଖେ । ତେଣୁ ଗଛ ଭୂମି ଉପରେ ସିଧାହୋଇ ବଢେ ।
  3. ଗଛର ପ୍ରସ୍ଵେଦନ କ୍ରିୟା ଓ ଆଲୋକ ସଂଶ୍ଳେଷଣ ତଥା ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ଜଳ ଯୋଗାଇଥାଏ ।
  4. ଗଛର ବୃଦ୍ଧିପାଇଁ ଆବଶ୍ୟକ ଖାଦ୍ୟ ଉପାଦାନ ମୃତ୍ତିକାରୁ ମିଳେ ।
  5. ମୃତ୍ତିକାସ୍ଥ ଛିଦ୍ରରେ ଚଳାଚଳ ହେଉଥିବା ବାୟୁରୁ ଅମ୍ଳଜାନ ଚେରର ଶ୍ଵାସକ୍ରିୟା ପାଇଁ ମିଳେ ।
  6. ଉଦ୍ଭିଦ ବୃଦ୍ଧିରେ ସାହାଯ୍ୟ କରୁଥିବା ଅଣୁଜୀବମାନଙ୍କୁ ମୃତ୍ତିକା ଆଶ୍ରୟ ଓ ଖାଦ୍ୟ ଯୋଗାଇଦେଇ ପରୋକ୍ଷ ଭାବରେ ଉଦ୍ଭିଦ ବୃଦ୍ଧିରେ ସାହାଯ୍ୟ କରେ ।

ମୃତ୍ତିକାର ସ୍ୱରୂପ

ମୃତ୍ତିକାର ଯେଉଁ ଉପରିଭାଗ ଆମେ ପ୍ରତ୍ୟହ ଦେଖୁଛେ ତାହା କେବଳ ମୃତ୍ତିକାର ପୃଷ୍ଠତଳ । କିନ୍ତୁ ମୃତ୍ତିକାର ସ୍ୱରୂପ ସମ୍ବନ୍ଧରେ ଜାଣିବାକୁ ହେଲେ ତାହାର ସମ୍ପୂର୍ଣ୍ଣ ଅବୟବର ପର୍ଯ୍ୟବେକ୍ଷଣ କରିବା ଆବଶ୍ୟକ । ଯେକୌଣସି ମୃତ୍ତିକାର ତିନି ଦିଗରେ ଅର୍ଥାତ୍ ଉଭୟ ଭୂସମାନ୍ତର ଦିଗ ଓ ଉଚ୍ଚତା ବା ଗଭୀରତା ଦିଗରେ ବିସ୍ତୃତି ରହିଛି । ପୃଥିବୀ ପୃଷ୍ଠର କଠିନ ଶିଳା – ସ୍ତରକୁ ଆବୋରି ରହିଥିବା ଅକଠିନ ନରମ ବା ହୁଗୁଳାସ୍ତରକୁ ଭୂ – ଆବରଣ କୁହାଯାଏ । ଭୂ – ଆବରଣ ସ୍ଥଳବିଶେଷରେ ମାତ୍ର ଅଳ୍ପ କେତେ ସେଣ୍ଟିମିଟର ବା ବହୁ ମିଟର ବହଳ ଥିବାର ଦେଖାଯାଏ । ନିମ୍ନସ୍ଥ କଠିନ ଶିଳାସ୍ତରର ଅପକ୍ଷୟ ଯୋଗୁଁ ମୃତ୍ତିକା ସୃଷ୍ଟିହୋଇ ସ୍ଵ - ସ୍ଥାନରେ ଜମି ରହିଥାଏ । କିମ୍ବା ଅନ୍ୟ ସ୍ଥାନରୁ ଜଳପ୍ରବାହ, ବାୟୁ ପ୍ରବାହ ପ୍ରଭୃତି ପ୍ରାକୃତିକ ଶକ୍ତି ଦ୍ଵାରା ବା କୃତ୍ରିମ ଉପାୟରେ ସ୍ଥାନାନ୍ତରିତ ହୋଇ ଆସି ଜମି ରହିଥାଏ । ଭୂ – ଆବରଣର ଉପରିସ୍ଥ ପୃଷ୍ଠରୁ ଏକ ବା ଦୁଇମିଟର ଗଭୀର ପର୍ଯ୍ୟନ୍ତ ସ୍ତରକୁ ମୃତ୍ତିକା କୁହାଯାଏ।

କୌଣସି ସ୍ଥାନରେ ରାସ୍ତା ବା ବନ୍ଧ ତିଆରି ପାଇଁ ମାଟି ବା ପୁଷ୍କରିଣୀ ଅବା କୂଅ ଖୋଳିବା ସମୟରେ ଭୂ-ଆବରଣ ଏବଂ ମୃତ୍ତିକା ଆବକ୍ଷୟର ସ୍ୱରୂପ ଦେଖିହୁଏ ।

ଅନ୍ୟସ୍ଥାନରୁ ପରିବାହିତ ହୋଇଆସି ନିମ୍ନଭୂମି ବା ନଦୀ ଅବବାହିକା ଅଞ୍ଚଳରେ ବହୁବର୍ଷଧରି ଜମି ରହିବା ଦ୍ଵାରା ସ୍ଥଳବିଶେଷରେ ଭୂ – ଆବରଣ ଏତେ ଗଭୀର ଥାଏ ଯେ ନିମ୍ନସ୍ଥ ଶିଳାସ୍ତର ପରିଦୃଷ୍ଟ ହୁଏ ନାହିଁ । କିନ୍ତୁ ସ୍ଵ - ସ୍ଥାନରେ ଶିଳାଅପକ୍ଷୟ ହେତୁ ସୃଷ୍ଟି ହୋଇଥିବା ଭୂ – ଆବରଣ ଏତେ ଗଭୀର ନଥାଏ । କଠିନ ଶିଳାସ୍ତର ଉପରେ ଭଗ୍ନଶିଳା ଖଣ୍ଡ ଓ ସୂକ୍ଷ୍ମ ଖଣିଜ ପଦାର୍ଥର ଏକ ସ୍ତର ରହିଥାଏ । ଏହି ସ୍ତରକୁ ମୃତ୍ତିକା ସୃଜନକାରୀ ମୂଳପଦାର୍ଥ କୁହାଯାଏ । ଏହି ମୂଳପଦାର୍ଥରୁ କାଳକ୍ରମେ ଜୀବ ପ୍ରକ୍ରିୟାଦ୍ଵାରା ସୋଲମ୍ ବା ମୃତ୍ତିକା ସୃଷ୍ଟି ହୁଏ ।

ମୃତ୍ତିକା ବା ସୋଲମ୍ ସ୍ତରଟି ମୂଳସୃଜନକାରୀ ପଦାର୍ଥ ସ୍ତରଠାରୁ ଅନେକାଂଶରେ ଭିନ୍ନ ।

  1. ମୃତ୍ତିକା ସ୍ତରଟି ବାୟୁ , ଉତ୍ତାପ, ଜଳ ପ୍ରଭୃତି ପ୍ରାକୃତିକ ଶକ୍ତିମାନଙ୍କ ଘନିଷ୍ଠ ସଂସ୍ପର୍ଶରେ ଆସି ଅଧିକ କ୍ଷୟଭୂତ ହୋଇଥାଏ ଏବଂ ଏଥିରେ ଥିବା ଖଣିଜ ପଦାର୍ଥ ଖଣ୍ଡଗୁଡିକ ଅଧିକ ସୂକ୍ଷ୍ମ ।
  2. ବିଭିନ୍ନ ପ୍ରକାର କ୍ଷୁଦ୍ର ଜୀବଜନ୍ତୁ, ଉଦ୍ଭିଦର ଚେର ଓ ଅଣୁଜୀବ ଏହା ମଧ୍ୟରେ ଥାଇ ସେମାନଙ୍କର ଜୈବିକ ପ୍ରକ୍ରିୟା ଦ୍ଵାରା ଏହାକୁ ରୂପାନ୍ତରିତ କରିଥାଆନ୍ତି ଓ ଜୈବ ପଦାର୍ଥ ଖଣିଜ ପଦାର୍ଥ ସହ ସଂଶ୍ଳିଷ୍ଟ ହୋଇ ରହିଥାଏ ।
  3. ଏହା ମଧ୍ୟରେ ନିର୍ଦ୍ଧିଷ୍ଟ କ୍ରମରେ ସଜ୍ଜିତ ହୋଇଥିବା କେତେକ ଭୂ – ସମାନ୍ତର ମୃତ୍ତିକା ସ୍ତର ଥାଏ ।

ପୃଷ୍ଠ – ମୃତ୍ତିକା ଓ ଇଉପିଏ – ମୃତ୍ତିକା

ଉପରୁ ୧୫ – ୨୦ ସେଣ୍ଟିମିଟର ଗଭୀର ପର୍ଯ୍ୟନ୍ତ ଉପର ସ୍ତରକୁ ପୃଷ୍ଠ – ମୃତ୍ତିକା କୁହାଯାଏ । ଅନେକ ସ୍ଥଳରେ ବାରମ୍ବାର କର୍ଷଣ ଦ୍ଵାରା ମୃତ୍ତିକା ପୃଷ୍ଠରେ ଗୋଟିଏ ସ୍ତର ସୃଷ୍ଟି ହୁଏ । ଏହାକୁ ହଳ ସିଆର ସ୍ତର କୁହାଯାଏ । ପୃଷ୍ଠ ମୃତ୍ତିକାର ନିମ୍ନରେ ଥିବା ଅନ୍ୟ ସ୍ତରଗୁଡିକ ଉପମୃତ୍ତିକା ଅନ୍ତର୍ଭୁକ୍ତ କରାଯାଏ । ହଳ ସିଆର ମୃତ୍ତିକା କର୍ଷଣ ଦ୍ଵାରା ବାରମ୍ବାର ଅନ୍ତର୍ଭୁକ୍ତ କରାଯାଏ । ଚାଷୀ ସାଧାରଣତଃ ଏହି ହଳ ସିଆରକୁ ଅଧିକ ଗୁରୁତ୍ଵ ଦିଏ । ନିମ୍ନରେ ପୃଷ୍ଠ – ମୃତ୍ତିକା ଓ ଉପ – ମୃତ୍ତିକାର ପ୍ରକୃତିଗତ ତୁଳନା କରାଯାଇଛି ।

ପୃଷ୍ଠ – ମୃତ୍ତିକା

ଉପ – ମୃତ୍ତିକା

(୧) ପୃଷ୍ଠ ମୃତ୍ତିକାରେ ଅଧିକ ସଂଖ୍ୟାରେ ଜିଆ, ଜନ୍ଦା, ପିମ୍ପୁଡି, ବ୍ୟାକ୍ଟେରିଆ, କବକ କରଣ କବକ ଇତ୍ୟାଦି ଖାଲି ଆଖିକୁ ଦେଖାଯାଉ ନଥିବା ଓ ଦେଖା ଯାଉଥିବା ଜୀବ ଓ ଅଣୁଜୀବ ଦେଖାଯାନ୍ତି । ଏହି ସ୍ତରରେ ଅଧିକ ସଂଖ୍ୟାରେ ଚେର ରହିଥାଏ ।

(୧) ଏ ମୃତ୍ତିକାରେ ଜିଆ ଓ ଅନ୍ୟାନ୍ୟ ଜୀବଜନ୍ତୁ ତଥା ଉଦ୍ଭିଦ ଚେର କମ୍ ସଂଖ୍ୟାରେ ଥାଆନ୍ତି କେବଳ ବଡ ବଡ ଗଛର ଚେର ଉପ ମୃତ୍ତିକାର ଅଧିକ ଗଭୀରକୁ ପ୍ରବେଶ କରିଥାଏ ।

 

(୨) ଜୈବ ପଦାର୍ଥ ଅର୍ଥାତ୍ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଦେହାବଶେଷ ନିୟମିତ ମିଶୁଥାଏ ଓ ବିଗଳିତ ହେଉଥାଏ । ଅଧିକ ଜୈବ ପଦାର୍ଥ ମିଶି ରହିଥିବାରୁ ଏହା ଗାଢ ଦେଖାଯାଏ ।

(୨) କେବଳ ପୃଷ୍ଠ ମୃତ୍ତିକାରେ ବିଗଳିତ ହେଉଥିବା ଜୈବ ପଦାର୍ଥର ସୂକ୍ଷ୍ମ ଅଂଶରୁ ଅଳ୍ପ କିଛି ଏହି ସ୍ତର ମଧ୍ୟକୁ ପ୍ରବେଶକରେ । ତେଣୁ ଏହାର ରଙ୍ଗ ମୁଖ୍ୟତଃ ଖଣିଜ ପଦାର୍ଥର ରଙ୍ଗ ଉପରେ ନିର୍ଭରକରେ ଓ ହାଲୁକା ଦେଖାଯାଏ ।

(୩) ମୃତ୍ତିକା କର୍ଷଣ, ଖତ ସାର ପ୍ରୟୋଗ ମଞ୍ଜିବୁଣା , ଖୁସାଖୁସି କରିବା ଆଦି କାର୍ଯ୍ୟ ଏହି ସ୍ତରରେ ସମାହିତ ହୁଏ । ଗଛର ବୃଦ୍ଧି ଓ ଗୁଣ ଦ୍ଵାରା ଅଧିକ ପ୍ରଭାବିତ ହୁଏ ।

(୩) ଏହି ସ୍ତର ଚାଷକାର୍ଯ୍ୟ ଦ୍ଵାରା ବିଶେଷ ଅଦଳ ବଦଳ ହୁଏ ନାହିଁ । ବଡଗଛ , ଫଳଗଛ ଗୁଡିକର ବୃଦ୍ଧି ଉପ – ମୃତ୍ତିକାର ଗୁଣ ଓ ପ୍ରକୃତି ଦ୍ଵାରା ଅଧିକ ପ୍ରଭାବିତ ହୁଏ ।

(୪) ଅଧିକ ଜୈବ ପଦାର୍ଥ ମିଶୁଥିବାରୁ ଓ ଚାଷ ହେଉଥିବାରୁ ଏହି ସ୍ତରର ମୃତ୍ତିକା ହୁଗୁଳା ଓ ଫସ୍ ଫସିଆ ରହେ ।

(୪) କର୍ଷଣ ହେଉନଥିବାରୁ ଏବଂ ଜୈବ ପଦାର୍ଥର ପରିମାଣ ନଗଣ୍ୟ ଥିବାରୁ ଏହି ସ୍ତରର ମୃତ୍ତିକା ଅଧିକ ସାନ୍ଧ୍ର ।

(୫) ସବୁବେଳେ ଚାଷ ହେଉଥିବା ଉପର ମୃତ୍ତିକା ଗୋଟିଏ ସମଗୁଣ ସମ୍ପନ୍ନ ସ୍ତର । କିନ୍ତୁ ଚାଷ ପଡିଆ ପଡିଥିବା ମୃତ୍ତିକାରେ ଏକାଧିକ ସ୍ତର ଦେଖାଯାଇଥାଏ ।

(୫) ଉପମୃତ୍ତିକା ମଧ୍ୟରେ ସାଧାରଣତଃ ଅନେକଗୁଡିଏ ମୃତ୍ତିକା ସ୍ତର ପରିଦୃଷ୍ଟ ହୁଏ ।

 

ମୃତ୍ତିକା ସଂଜ୍ଞା

ପ୍ରାକୃତିକ ପ୍ରକ୍ରିୟା ଦ୍ଵାରା ଅପକ୍ଷୟୀଭୂତ ଶିଳା ଓ ଖଣିଜ ପଦାର୍ଥ ତଥା ସଜୀବ, ନିର୍ଜୀବ ଓ ବିପରୀତ ଜୈବ ପଦାର୍ଥକୁ ନେଇ ଗଠିତ ଭୂପୃଷ୍ଠସ୍ଥ ନରମା ଓ ହାଲୁକା ଆସ୍ତରଣକୁ ମୃତ୍ତିକା କୁହାଯାଏ । ମୃତ୍ତିକା ଏକ ଜୀବନ୍ତ ବସ୍ତୁ ।

ମୃତ୍ତିକାର ସୃଷ୍ଟି

ମୃତ୍ତିକାର ସୃଷ୍ଟି, ଦୁଇଟି ପର୍ଯ୍ୟାୟରେ ସଂଘଟିତ । ଯଥା –

  1. ଶିଳା ଅପକ୍ଷୟ ଓ ସ୍ତୁପୀକରଣ ।
  2. ମୃତ୍ତିକା ଅବୟବର ବିକାଶ ।

ଶିଳା ଅବକ୍ଷୟ ଓ ଅବକ୍ଷୟୀଭୂତ ପଦାର୍ଥର ସ୍ତୁପୀକରଣ

ବିଭିନ୍ନ ପ୍ରାକୃତିକ କ୍ଷୟକାରିଣୀ ଶକ୍ତିମାନଙ୍କର ସଂସ୍ପର୍ଶରେ ଆସି ଶିଳା ଏବଂ ତତ୍ ସନ୍ନିହିତ ଖଣିଜ ପଦାର୍ଥମାନଙ୍କର ଅପକ୍ଷୟ ଘଟେ । ଏହି ଅପକ୍ଷୟ ଦୁଇପ୍ରକାର ଯଥା: -

  • ଭୌତିକ ଅବକ୍ଷୟ ଓ
  • ରାସାୟନିକ ଅବକ୍ଷୟ ।
  • ଭୌତିକ ଅବକ୍ଷୟ
  • ଏହି ପ୍ରକାର ଅବକ୍ଷୟ ହେତୁ ଶିଳା ଖଣ୍ଡବିଖଣ୍ଡିତ ହୁଏ ଏବଂ ଏହାର ଆକାର ତଥା ଆକୃତିରେ ପରିବର୍ତ୍ତନ ଘଟେ । ଶିଳା ସନ୍ନିହିତ ଖଣିଜ ପଦାର୍ଥ ସ୍ଥାନଚ୍ୟୁତ ହୋଇପାରେ । କିନ୍ତୁ ଖଣିଜର ରାସାୟନିକ ପରିବର୍ତ୍ତନ ଘଟେ ନାହିଁ । ଭୌତିକ ଅପକ୍ଷୟ ନିମ୍ନଲିଖିତ ଅଭିକର୍ତ୍ତା ମାନଙ୍କ ଦ୍ଵାରା ସଂଘଟିତ ହୁଏ ।

    1. ଉତ୍ତାପ – ଉତ୍ତପ୍ତ ହେଲେ ଶିଳା ଓ ସନ୍ନିହିତ ଖଣିଜ ପଦାର୍ଥ ସଂପ୍ରସାରିତ ହୁଏ ଏବଂ ଶୀତଳ ହେଲେ ସଙ୍କୁଚିତ ହୁଏ । ସୂର୍ଯ୍ୟତାପରେ ଉତ୍ତପ୍ତ ଶିଳା ବକ୍ଷରେ ବର୍ଷାଜଳ ପଡି ହଠାତ୍ ଶୀତଳ ହେଲେ ଅତିବେଗରେ ସଙ୍କୁଚନ ଘଟି ଫାଟ ସୃଷ୍ଟିହୁଏ । ଶିଳା ସନ୍ନିହିତ ବିଭିନ୍ନ ଖଣିଜ ପଦାର୍ଥର ସଂପ୍ରସାରଣ ଓ ସଙ୍କୁଚନ ବେଗର ତାରତମ୍ୟ ମଧ୍ୟ ଶିଳା ବିଭାଜନ ଓ ଖଣିଜ ପଦାର୍ଥ ଖଣ୍ଡର ସ୍ଥାନଚ୍ୟୁତ ଘଟାଏ।
    2. ବୃଷ୍ଟିପାତ ଓ ଜଳପ୍ରବାହ - ଶିଳା ବକ୍ଷକୁ ଆଘାତ କରୁଥିବା ବର୍ଷାଜଳ ଟୋପା ଶିଳାବକ୍ଷରୁ କ୍ଷୁଦ୍ର ଖଣ୍ଡମାନ ଖସାଇଦିଏ । ପ୍ରବାହିତ ଜଳସ୍ରୋତ ଭଗ୍ନ ଶିଳାଖଣ୍ଡକୁ ବହିନିଏ । ଜଳସ୍ରୋତ ଦ୍ଵାରା ଠେଲି ହୋଇଯାଉଥିବା ଶିଳାଖଣ୍ଡଗୁଡିକ ପରସ୍ପର ସହିତ ଓ ଶଯ୍ୟା ସହିତ ସଙ୍ଘାତ ଓ ଘର୍ଷଣ ଫଳରେ ଆହୁରି କ୍ଷୁଦ୍ରକ୍ଷୁଦ୍ର ଖଣ୍ଡରେ ବିଭାଜିତ ହୁଏ ।
    3. ମାଧ୍ୟାକର୍ଷଣ – ମାଧ୍ୟାକର୍ଷଣ ବଳଦ୍ଵାରା ଆକର୍ଷିତ ହୋଇ ବଡ ବଡ ଶିଳାଖଣ୍ଡ ଉଚ୍ଚସ୍ଥାନରୁ ଗଡି ଗଡି ଅନ୍ୟ ଶିଳା ସହିତ ଘର୍ଷଣ ହେବା ଦ୍ଵାରା ଶିଳା କ୍ଷୁଦ୍ରରୁ କ୍ଷୁଦ୍ର ଖଣ୍ଡରେ ପରିଣତ ହୁଏ।
    4. ଜୀବଜନ୍ତୁ ଓ ବୃକ୍ଷଲତା - ମୂଷା, ଭୃଙ୍ଗକୀଟ ପ୍ରଭୃତି ପ୍ରାଣୀମାନେ ଶିଳା ବକ୍ଷରେ ଗର୍ତ୍ତକରି ରହନ୍ତି ଏବଂ ଚେର ମଧ୍ୟ ଶିଳାସ୍ତରରେ ଫାଟ ବା ଫାଙ୍କ ଦେଇ ବଢିଥାଏ । ଫଳରେ ଶିଳା ଅବକ୍ଷୟ ଘଟିଥାଏ ।
    5. ବାୟୁ ପ୍ରବାହ - ପବନରେ ଉଡିଆସୁଥିବା ଅନ୍ୟାନ୍ୟ ଦ୍ରବ୍ୟ, ଶିଳା ଦେହରେ ବାଡେଇ ହେବା ଦ୍ଵାରା ଶିଳା କିଛି ପରିମାଣରେ ଭାଙ୍ଗିଯାଏ ଏବଂ ଏହା କ୍ରମେ ପାଣି ଓ ପବନ ଦ୍ଵାରା ଅନ୍ୟ ସ୍ଥାନକୁ ବହିଯାଏ ।
  • ରାସାୟନିକ ଅବକ୍ଷୟ
  • ଏହାଦ୍ଵାରା ମୂଳ ପଦାର୍ଥର ରାସାୟନିକ ପରିବର୍ତ୍ତନ ଘଟେ । ଅନେକ ଖଣିଜ ଲବଣ ସଂପୂର୍ଣ୍ଣ ଦ୍ରବିଭୂତ ହୋଇଯାଆନ୍ତି, ଅନ୍ୟ କେତେକ ଖଣିଜ ଲବଣର ଉପାଦାନ ସଂରଚନାରେ ଆଂଶିକ ପରିବର୍ତ୍ତନ ବା ରୂପାନ୍ତର ଘଟିଥାଏ । ଅବଶେଷରେ କେତେକ ନୂତନ ଖଣିଜ ପଦାର୍ଥର ଉଦ୍ଭବ ହୁଏ । ରାସାୟନିକ ଅବକ୍ଷୟ ନିମ୍ନଲିଖିତ ରାସାୟନିକ ପ୍ରକ୍ରିୟା ଦ୍ଵାରା ସଂଘଟିତ ହୁଏ ।

    • ଜାରଣ – ବିଭିନ୍ନ ଖଣିଜ ଉପାଦାନ ଅମ୍ଳଜାନ ସହିତ ମିଶି ଏହାର ଜାରିତ ପଦାର୍ଥ ସୃଷ୍ଟି କରନ୍ତି ।
    • ଉଦ୍ ଜାରଣ - ବିଭିନ୍ନ ଉପାଦାନ ଜଳ ସହିତ ମିଶି ଉଦ୍ ଜାରିତ ହୁଅନ୍ତି ।
    • ଅଙ୍ଗରଣ –
      1. କାର୍ବୋନେସନ - ଅଙ୍ଗାରକାମ୍ଳ ଗ୍ୟାସ ଜଳ ସହିତ ମିଶିଲେ କାର୍ବୋନିକ ଅମ୍ଳ (H2CO3) ସୃଷ୍ଟି ହୁଏ । ଏହି ଅମ୍ଳ ଚୂନାପଥରକୁ ଦ୍ରବିଭୂତ କରିଦିଏ।
      2. CaCo3 + H2CO3 - Ca (HCO3)2

      3. ଜାରଣ - ଲୌହ ପିଣ୍ଡ ଜଳୀୟ ବାଷ୍ପ ଓ ଅମ୍ଳଜାନ ସଂସ୍ପର୍ଶରେ ଆସିଲେ କଳଙ୍କି ଲାଗେ ।
      4. 4FeO + O2 – 2Fe2O3

      5. ଉଦ୍ ଜାରଣ - ମୂଳ ଖଣିଜ ସହିତ କେତେ ଜଳ ଅଣୁର ସଂଯୋଗ ଘଟେ ଓ ନୂଆ ଖଣିଜ ଉଦ୍ଭବ ହୁଏ ।
      6. 2FeO + O3 – 2Fe2O3.3H2O

      7. ହାଇଡ୍ରୋଲିସିସ -ଜଳର ଅଣୁ ରାସାୟନିକ ପ୍ରକ୍ରିୟାରେ ଉଦ୍ ଜାନ ଅଣୁ (H+) ଓ OH- ରେ ପରିଣତ ହୁଏ । ଖଣିଜ ପଦାର୍ଥ OH-ସହିତ ରାସାୟନିକ କ୍ରିୟା କରି ନୂଆ ପ୍ରକାର ଖଣିଜ ସୃଷ୍ଟି କରେ ।
      8. KA1.Si3O3 + H+ + OH- - HA1 (Si3O8 +KOH)

ଜୀବଜନ୍ତୁ, ଉଦ୍ଭିଦ ତଥା ଅଣୁଜୀବମାନେ ବିଭିନ୍ନ ପ୍ରକାର ଅମ୍ଳାକ୍ତ ରାସାୟନିକ ପଦାର୍ଥ ନିଜ ଶରୀରରୁ ନିର୍ଗତ କରନ୍ତି । ଜୈବିକ ପଦାର୍ଥର ବିପଚନ ଓ ଅପଘଟନ ସମୟରେ ବିଭିନ୍ନ ପ୍ରକାର ଜୈବିକ ଅମ୍ଳ ଓ କାର୍ବୋନିକ ଅମ୍ଳ ନିର୍ଗତ ହୁଏ । ଏଗୁଡିକ ରାସାୟନିକ ଅପକ୍ଷୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ ।

ଶିଳା ଅବକ୍ଷୟ ଯୋଗୁ ଯେଉଁ ଖଣ୍ଡବିଖଣ୍ଡିତ ପଦାର୍ଥ ଓ ଅପଘଟିତ ବା ରୂପାନ୍ତରିତ ପଦାର୍ଥ ସୃଷ୍ଟି ହୁଏ ତାହା ସ୍ଵସ୍ଥାନରେ ବର୍ଷ ବର୍ଷ ଧରି ଜମିରହେ କିମ୍ବା ବିଭିନ୍ନ ପ୍ରାକୃତିକ ଶକ୍ତି ଯଥା : ଜଳ ପ୍ରବାହ, ବାୟୁପ୍ରବାହ ଦ୍ଵାରା ଅଥବା ଜୀବଜନ୍ତୁମାନଙ୍କ ଦ୍ଵାରା ସ୍ଥାନାନ୍ତରିତ ହୋଇ ଅନ୍ୟ ସ୍ଥାନରେ ଜମା ହୁଏ । ବହୁବର୍ଷ ଧରି ଏକ ସ୍ଥାନରେ ଜମି ରହିଥିବା କ୍ଷୟୀଭୁତ ଖଣିଜ ପଦାର୍ଥ ମୃତ୍ତିକା ସୃଜନକାରୀ ମୂଳ ପଦାର୍ଥର ଭୂମିକା ଗ୍ରହଣ କରେ । ଏହା ମଧ୍ୟରୁ ମୃତ୍ତିକା ଆବୟବର କ୍ରମବିକାଶ ଘଟେ ।

ମୃତ୍ତିକା ଅବୟବ କ୍ରମବିକାଶ

ମୃତ୍ତିକା ସୃଜନକାରୀ ମୂଳପଦାର୍ଥ ପ୍ରାକୃତିକ ଅପକ୍ଷୟକାରୀ ଶକ୍ତିମାନଙ୍କ ସଂସ୍ପର୍ଶରେ ଆସି ଅଧିକ ସୂକ୍ଷ୍ମତା ପ୍ରାପ୍ତ ହୁଏ ଏବଂ ବିଭିନ୍ନ ଆକାର ପ୍ରକାର ଓ ରାସାୟନିକ ସଂଘଠନ ଥିବା ଖଣିଜ କଣିକା ସୃଷ୍ଟି ହୁଏ । କେତେକ ଖଣିଜ ଦ୍ରବିଭୂତ ଲବଣ ଭାବରେ ରହିଥାଏ । ଏହିସବୁ ଅପକ୍ଷୟୀଭୁତ ପଦାର୍ଥକୁ ମୋଟାମୋଟି ଭାବେ ଅଜୈବିକ ପଦାର୍ଥ କୁହାଯାଏ । କାଳକ୍ରମେ ସ୍ତୁପୀଭୁତ ଅଜୈବିକ ପଦାର୍ଥ ଉପରେ ସାନବଡ ଉଦ୍ଭିଦ ଜନ୍ମନ୍ତି ଓ ବିଭିନ୍ନ ପ୍ରକାର ଅଣୁଜୀବ ଓ ଜିଆ, କୀଟ ପ୍ରଭୃତି ଜୀବଜନ୍ତୁ ଏହା ମଧ୍ୟରେ ବାସକରନ୍ତି । ସେହି ଉଦ୍ଭିଦ ଓ ଜୀବଜନ୍ତୁମାନଙ୍କର ଦେହାବଶେଷ ଅଜୈବ ପଦାର୍ଥ ସହିତ ମିଶେ ଓ ଅଣୁଜୀବ ମାନଙ୍କ ଦ୍ଵାରା ବିପଚନ ହେବା ଫଳରେ ଅତିସୂକ୍ଷ୍ମ ଜୈବ ପଦାର୍ଥ ବା ହ୍ୟୁମସ୍ ରେ ପରିଣତ ହୁଏ । ଜୈବ ପଦାର୍ଥର ବିପଚନ ବେଳେ କେତେକ ଅମ୍ଳ ନିର୍ଗତ ହୁଏ । ଅମ୍ଳ ସଂସ୍ପର୍ଶରେ ଆସି ଅଜୈବ ପଦାର୍ଥ ଅଧିକ ଅପକ୍ଷୟ ହୁଏ ଏବଂ ସୂକ୍ଷ୍ମ କର୍ଦ୍ଦମ , ପଟୁକଣିକା ପ୍ରଭୃତି ସୃଷ୍ଟି ହୁଏ । ସୂକ୍ଷ୍ମ ଜୈବ ପଦାର୍ଥ ଓ ହ୍ୟୁମସ୍ ର ଅଧିକ ଭାଗ ପୃଷ୍ଠ ସ୍ତରର ଅଜୈବ ପଦାର୍ଥ ସହିତ ଘନିଷ୍ଠ ଭାବରେ ମିଶି ରହେ । ତେଣୁ ପୃଷ୍ଠସ୍ଥ ସ୍ତରଯି ଗାଢ ଧୂସର ରଙ୍ଗ ଧାରଣ କରେ । ବୃଷ୍ଟି ଜଳର ଅନ୍ତସ୍ରବଣ ଫଳରେ ଦ୍ରବୀଭୂତ ଲବଣ ଏବଂ ସୂକ୍ଷ୍ମ ଜୈବ ପଦାର୍ଥ କିଛି ପରିମାଣରେ ତଳସ୍ତରକୁ ପ୍ରବେଶ କରେ । ସୂକ୍ଷ୍ମ କର୍ଦ୍ଦମ ମଧ୍ୟ ଉପର ସ୍ତରକୁ ନିମ୍ନସ୍ତରକୁ ଅପସାରିତ ହୁଏ । ଯେଉଁ ସ୍ତରରୁ ଉପରୋକ୍ତ ଅପସାରଣ ଘଟେ ସେହି ସ୍ତରକୁ ଅବକ୍ଷପୀତ ସ୍ତର ଏବଂ ଯେଉଁ ସ୍ତରରେ ପୁଣି ତାହା ପୁଞ୍ଜିଭୂତ ହୋଇ ରହେ ତାକୁ ଅବକ୍ଷପୀତ ସ୍ତର କୁହାଯାଏ । ଅବକ୍ଷପୀତ ସ୍ତରର ରଙ୍ଗ ଫିକା ଓ ଏହା କମ୍ ସାନ୍ଧ୍ର ଥିବାର ପରିଲକ୍ଷିତ ହୁଏ । ଅବକ୍ଷିପ୍ତ ସ୍ତରର କର୍ଦ୍ଦମ ପ୍ରଭୃତି ସୂକ୍ଷ୍ମ ପଦାର୍ଥ ଜମି ରହୁଥିବାରୁ ତାହା ଅଧିକ ସାନ୍ଧ୍ର ଓ ଗାଢ ରଙ୍ଗ ଦେଖାଯାଏ । ଏହିପରି କେତେକ ଭୂସମାନ୍ତର ସ୍ତରର ଉଦ୍ଭବ ହୁଏ ଏବଂ ମୃତ୍ତିକା ଅବୟବର କ୍ରମବିକାଶ ଘଟେ । ଶିଳା ଓ ଖଣିଜର ଅପକ୍ଷୟ, ଜୈବ ପଦାର୍ଥ ମିଶ୍ରଣ ଓ ବିପଚନ ଭୂସମାନ୍ତର ସ୍ତରଗୁଡିକର ଉଦ୍ଭବ ପ୍ରଭୃତି ପ୍ରାକୃତିକ ପ୍ରକ୍ରିୟା ଅବିଶ୍ରାନ୍ତ ଭାବରେ ଚାଲିଥାଏ ।

ଉପରୋକ୍ତ ପ୍ରକ୍ରିୟାଗୁଡିକ ଦୀର୍ଘକାଳ ଚାଲୁ ରହିଲେ ଭୂପୃଷ୍ଠରୁ ୧ ବା ୨ ମିଟର ଗଭୀରତା ମଧ୍ୟରେ ମଧ୍ୟରେ କେତେକ ନିର୍ଦ୍ଧିଷ୍ଟ ପ୍ରକୃତି ବିଶିଷ୍ଟ ଭୂସମାନ୍ତର ସ୍ତର ବିକଶିତ ହୁଏ । ସମ୍ପୂର୍ଣ୍ଣ ବିକଶିତ ମୃତ୍ତିକା ଅବୟବର ଗଠନ ପାଇଁ ହଜାର ହଜାର ବର୍ଷ ଲାଗିଯାଏ । ଯଦିଓ ମୃତ୍ତିକା ଗଠନ ଏକ ଚିର ପ୍ରବାହମାନ ପ୍ରାକୃତିକ ପ୍ରକ୍ରିୟା ତଥାପି ସଂପୂର୍ଣ୍ଣ ବିକଶିତ ମୃତ୍ତିକାର ଅବୟବରେ ବିଶେଷ କିଛି ପରିବର୍ତ୍ତନ ପରିଲକ୍ଷିତ ହୁଏ ନାହିଁ, କାରଣ ମୃତ୍ତିକା ଗଠନର ବିଭିନ୍ନ ପ୍ରକ୍ରିୟାଗୁଡିକ ସାମ୍ୟବସ୍ଥା ପର୍ଯ୍ୟାୟରେ ରହିଥାଆନ୍ତି ।

ମୃତ୍ତିକା ସୃଷ୍ଟି ଅପକ୍ଷୟକାରୀ ବିଘଟନକାରୀ ପ୍ରକ୍ରିୟାରେ ଆରମ୍ଭ ହୋଇ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ସଂପୂର୍ଣ୍ଣ ହୁଏ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top