ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ଅସରନ୍ତି ସୌରଶକ୍ତି
ସେଆର କରନ୍ତୁ

ଅସରନ୍ତି ସୌରଶକ୍ତି

ଅସରନ୍ତି ସୌରଶକ୍ତି ର ସୂଚନା

ଉପକ୍ରମ

ଦେଶରେ  ଦିନକୁ  ଦିନ  ବିଦ୍ୟୁତ  ଚାହିଦା  ବୃଦ୍ଧି  ପାଉଛି   । ସମୟ  ପ୍ରକାର  ଶକ୍ତି  ମଧ୍ୟରେ  ସୁବିଧା  ଓ  ସହଜରେ  ବିଦ୍ୟୁତ  ଶକ୍ତି   ବ୍ୟବହାର  ହୋଇପାରୁଥିବାରୁ   ଏହାର  ଏହାର  ଆବଶ୍ୟକତା  ହେଉଛି  ସର୍ବାଧିକ   । ବାସ୍ତବରେ  ଏହା  ହେଉଛି  ଗୋଟିଏ  ପ୍ରମୁଖ  ଆନୁଷ୍ଠାନିକ  ବସ୍ତୁ   । ଶିଳ୍ପ ଓ  କୃଷି   ଉତ୍ପାଦନ  ବୃଦ୍ଧି  ସହିତ  ଦେଶର  ବିକାଶ  ଏହା  ଉପରେ   ନିର୍ଭର  କରୁଛି   । ଯେଉଁ  ଦେଶରେ  ଜଣ ପିଛା  ହାରାହାରି  ବିଦ୍ୟୁତ   ବ୍ୟବହାର  ଅଧିକ , ସେହି  ଦେଶର  ବିକାଶ  ହାର  ଅଧିକ  ବୋଲି  ଜଣାପଡିଛି  । ଏହି  ଦୃଷ୍ଟିରୁ  ଦେଖିଲେ  ଭାରତର ସ୍ଥିତି  ସେତେଟା   ଉଜ୍ଜ୍ଵଳ  ନୁହେଁ   । ଆମ  ଦେଶରେ  ଜଣପିଛା  ହାରାହାରି  ବିଦ୍ୟୁତ  ବ୍ୟବହାର  ୧,୦୧୦ ୟୁନିଟ  ହୋଇଥିବା  ବେଳେ  ବିକଶିତ  ଦେଶରେ  ଏହା  ୧୦,୦୦୦ ୟୁନିଟରୁ   ଅଧିକ   । ଆମଦେଶରେ  ଏ  ପର୍ଯ୍ୟନ୍ତ  ପ୍ରାୟ  ୩୦ ପ୍ରତିଶତ  ଲୋକ  ବିଦ୍ୟୁତ  ସୁବିଧାରୁ  ବଞ୍ଚିତ  ଅଛନ୍ତି   । ଦେଶ  ସ୍ଵାଧୀନତା  ଲାଭ  କଲାବେଳକୁ  ବିଦ୍ୟୁତ  ଉତ୍ପାଦନ  କ୍ଷମତା  ୧,୩୬୨  ମେଗାୱାଟ  ଥିବାବେଳେ  ୨୦୧୭ ମସିହା  ମାର୍ଚ୍ଚ  ସୁଦ୍ଧା  ଏହା  ୩,୧୯,୬୦୬  ମେଗାୱାଟରେ   ପହଞ୍ଚିଛି   । ଏହା  ସତ୍ତ୍ୱେ  ଆମର  ଚାହିଦା  ପୂରଣ  ହୋଇପାରୁ  ନାହିଁ   । ଉଦାହରଣସ୍ୱରୂପ , ୨୦୧୫ – ୧୬ ମସିହାରେ   ଆମର  ବିଦ୍ୟୁତ  ଚାହିଦା  ୧୧,୧୪,୪୦୮ ନିୟୁତ  ୟୁନିଟ  ଥିବାବେଳେ  ୧୦,୯୦,୮୫୬  ୟୁନିଟ   ଉପଲବ୍ଧ   ହୋଇଥିଲା   ।

ବିଦ୍ୟୁତ  କେନ୍ଦ୍ର  ସ୍ଥାପନ

ଦେଶର  ବର୍ଦ୍ଧିଷ୍ଣୁ  ବିଦ୍ୟୁତ  ଚାହିଦାକୁ   ମେଣ୍ଟାଇବା  ପାଇଁ  ଆମକୁ  ନୂଆ  ନୂଆ  ବିଦ୍ୟୁତ  କେନ୍ଦ୍ର  ସ୍ଥାପନ  କରିବାକୁ  ପଡିବ   । ଆମ  ଦେଶରେ  ବିଭିନ୍ନ  ଉତ୍ସରୁ  ଉତ୍ପାଦିତ  ବିଦ୍ୟୁତର  ୬୭ ପ୍ରତିଶତ  ହେଉଛି  ତାପଜ  ବିଦ୍ୟୁତ , ଯାହା  କୋଇଲା  ଭଳି  ଜୀବାଶ୍ମ  ଇନ୍ଧନର  ଦହନରୁ  ଉତ୍ପାଦିତ   ହେଉଛି  ଏବଂ  ଏହା  ଶସ୍ତା  ମଧ୍ୟ   । ଏଣୁ  ଅଧିକ  ତାପଜ  ବିଦ୍ୟୁତ  କେନ୍ଦ୍ର  ସ୍ଥାପନ  କରିହେବ   । କିନ୍ତୁ  ଅସୁବିଧା  ହେଉଛି  ଏଥିରୁ  ନିର୍ଗତ  ଅଙ୍ଗାରକାମ୍ଳ   ଗ୍ୟାସ , ଯାହା  ହେଉଛି  ଜାଗତିକ  ତାପମାତ୍ରା  ବୃଦ୍ଧି  ଓ  ତଜ୍ଜନିତ   ଜଳବାୟୁ   ପରିବର୍ତ୍ତନର  ମୁଖ୍ୟ  କାରଣ   । ବାଯୁମଣ୍ଡଳକୁ  ଅଙ୍ଗାରକାମ୍ଳର  ଉତ୍ସର୍ଜନକୁ  ହ୍ରାସ  କରିବା  ପାଇଁ   ବିଭିନ୍ନ  ଦେଶ  ପ୍ୟାରିସ  ରାଜିନାମାରେ  ଅଙ୍ଗାକାରବଦ୍ଧ  ଅଛନ୍ତି   । ଭାରତ  ମଧ୍ୟ  ଏଥିରେ  ସ୍ଵାକ୍ଷର  କରି  ଏହାକୁ  ମଞ୍ଜୁରୀ   ଦେଇଛି   । ଏହାର  ଅର୍ଥ  ହେଉଛି , ଆମକୁ  ନୂତନ  ତାପଜ  ବିଦ୍ୟୁତ  କେନ୍ଦ୍ର  ନିର୍ମାଣରେ  ଅଙ୍କୁଶ   ଲଗାଇବାକୁ  ପଡିବ   । ସୂଚନାଯୋଗ୍ୟ   ଯେ  ଅଙ୍ଗାରକାମ୍ଳ  ଉତ୍ସର୍ଜନରେ  ଚାଇନା , ଯୁକ୍ତରାଷ୍ଟ୍ର   ଆମେରିକା ଓ  ରୁଷିଆ  ପରେ  ଭାରତର  ସ୍ଥାନ  ହେଉଛି   ଚତୁର୍ଥ   । ତାହାହେଲେ   ବିକଳ୍ପ  କ’ଣ  ? ଅନ୍ୟ  ପାରମ୍ପରିକ  ଶକ୍ତି  ଉତ୍ସ  ହେଉଛି  ଜଳବିଦ୍ୟୁତ  ଓ  ଆଣବିକ  ବିଦ୍ୟୁତ    । ମାତ୍ର  ବିଭିନ୍ନ   କାରଣ  ଯୋଗୁ  ଏଗୁଡିକ  କ୍ଷେତ୍ରରେ   ଅଧିକ  ବିସ୍ତାର   ସମ୍ଭବ  ହେଉନାହିଁ   ।

ସୌରଶକ୍ତି

ତାପଜ  ବିଦ୍ୟୁତର   ବିକଳ୍ପ   ଭାବେ   ବର୍ତ୍ତମାନ   ସୌରଶକ୍ତି   ଦେଖାଦେଇଛି   ।ସୂର୍ଯ୍ୟକିରଣରୁ  ସିଧାସଳଖ  ବିଦ୍ୟୁତ  ଉତ୍ପାଦନ  ପ୍ରକ୍ରିୟା   ଆବିଷ୍କୃତ  ହୋଇଛି   । ସିଲିକନ  ଚିପ୍ ରୁ  ନିର୍ମିତ   ସୌର  ବ୍ୟାଟେରି  ସାହାଯ୍ୟରେ  ଏହା  ସମ୍ଭବ  ହେଉଛି   । ଏହି  ପ୍ରଯୁକ୍ତି  ବିଦ୍ୟାର  ବିକାଶ  ଫଳରେ  ଏହାର  ଉପକରଣ  ଓ  ଯନ୍ତ୍ରପାତିଗୁଡିକର  ମୂଲ୍ୟ   ହ୍ରାସ  ପାଇଛି  ଏବଂ  ସୌର  ବିଦ୍ୟୁତର  ଉତ୍ପାଦନ  ଖର୍ଚ୍ଚ  ଅନ୍ୟ  ଉତ୍ସରୁ   ଉତ୍ପାଦନ  ଖର୍ଚ୍ଚ  ସହ  ପ୍ରାୟ  ସମାନ  ରହୁଛି   । ପରିବେଶ  ଉପରେ  ଏହାର  କୁପ୍ରଭାବ ନ ଥିବାରୁ  ଏହାର  ବିକାଶ  ପାଇଁ   ସମଗ୍ର  ପୃଥିବୀରେ  ଚେଷ୍ଟା  ଚାଲିଛି   । ୨୦୧୬ ମସିହା  ଶେଷ  ସୁଦ୍ଧା  ପୃଥିବୀର  ମୋଟ  ସୌର  ବିଦ୍ୟୁତ  କ୍ଷମତା  ହେଉଛି  ୨,୯୪,୬୯୦ ମେଗାୱାଟ   । କେବଳ  ସାହାରା  ମରୁଭୂମିରୁ  ଯେତିକି  ସୌରଶକ୍ତି  ଉପଲବ୍ଧ  ହେବ , ତାହା  ସମଗ୍ର   ୟୁରୋପର  ବିଦ୍ୟୁତ   ଚାହିଦା  ପୂରଣ  କରିପାରିବ  ବୋଲି  ଇଞ୍ଜିନିୟରମାନେ   ଆକଳନ  କରିଛନ୍ତି    ।

ଜବାହରଲାଲ  ନେହୁର  ଜାତୀୟ  ସୌର  ଅଭିଯାନ

ଭାରତରେ  ସୌରଶକ୍ତିର  ବିକାଶ  ପାଇଁ  ସରକାର  ୨୦୧୦  ମସିହାରୁ  ‘ ଜବାହରଲାଲ  ନେହୁର  ଜାତୀୟ  ସୌର  ଅଭିଯାନ ’ କାର୍ଯ୍ୟକ୍ରମ   ଆରମ୍ଭ  କରିଛନ୍ତି   ।ଆରମ୍ଭରୁ  ୨୦୨୨  ମସିହା  ସୁଦ୍ଧା  ଏହି  କାର୍ଯ୍ୟକ୍ରମରେ  ୨୦,୦୦୦  ମେଗାୱାଟ  ବିଦ୍ୟୁତ  ଉତ୍ପାଦନର  ଲକ୍ଷ୍ୟ  ଥିଲେ  ସୁଦ୍ଧା  ବର୍ତ୍ତମାନ  ଏହାକୁ   ଏକ  ଲକ୍ଷ୍ୟ  ମେଗାୱାଟ  ପର୍ଯ୍ୟନ୍ତ  ବୃଦ୍ଧି   କରାଯାଇଛି   । ୨୦୨୦  ମସିହା  ସୁଧା  ୪୦,୦୦୦ ମେଗାୱାଟ  କ୍ଷମତାର  ସୌର  ପ୍ରକଳ୍ପ   ସ୍ଥାପନ   ପାଇଁ   ସରକାର  ଦେଇଥିବା  ବ୍ୟୟ  ଅଟକଳକୁ   ରାଷ୍ଟ୍ରପତି  ଏହି  ବର୍ଷ  ମାର୍ଚ୍ଚ  ମାସରେ  ସ୍ଵୀକୃତି  ଦେଇଛନ୍ତି   । ୨୦୧୭ ମସିହା  ଏପ୍ରିଲ  ୬ ତାରିଖ  ସୁଦ୍ଧା  ଦେଶର  ସୌର  ବିଦ୍ୟୁତ   କ୍ଷମତା  ୧୨,୨୮୦ ମେଗାୱାଟ  ଅଛି  । ସୂଚନାଯୋଗ୍ୟ   ଯେ  ତାମିଲନାଡୁର  ରାମନାଥପୁରମ୍  ନିକଟବର୍ତ୍ତୀ   କାମୁଥିଠାରେ  ୬୪୮ ମେଗାୱାଟ  କ୍ଷମତାବିଶିଷ୍ଟ   ପୃଥିବୀର  ବୃହତ୍ତମ  ସୌର  ବିଦ୍ୟୁତ  କେନ୍ଦ୍ର  ଗତବର୍ଷ  ସେପ୍ଟେମ୍ବର   ମାସରେ  କାର୍ଯ୍ୟକାରୀ   ହୋଇଛି   । ଏହି  ବର୍ଷ  ଅଗଷ୍ଟ  ମାସ  ସୁଦ୍ଧା  ମଧ୍ୟପ୍ରଦେଶର  ରେୱା ଜିଲ୍ଲାରେ  ଏହାଠାରୁ  ବଡ  ୭୫୦  ମେଗାୱାଟ   କ୍ଷମତାର   ସୌର   କେନ୍ଦ୍ର   ସ୍ଥାପିତ   ହେବ   ।

ଆନ୍ତର୍ଜାତୀୟ  ଶକ୍ତି  ସଞ୍ଚାର  ଏକ  ରିପୋର୍ଟ  ଅନୁଯାୟୀ  ୨୦୧୫  ମସିହାରେ  ପୃଥିବୀରେ  ୧,୫୩,୦୦୦ ମେଗାୱାଟ  କ୍ଷମତାର  ଅକ୍ଷୟ  ଶକ୍ତି  କେନ୍ଦ୍ର ସ୍ଥାପିତ   ହୋଇଛି   ଏବଂ  ଏଥିମଧ୍ୟରେ  ସୌର  ବିଦ୍ୟୁତର  କ୍ଷମତା  ହେଉଛି  ୪୯, ୦୦୦ ମେଗାୱାଟ   । ସୌର  ବିଦ୍ୟୁତ  ଉତ୍ପାଦନରେ  ବର୍ତ୍ତମାନ  ପୃଥିବୀରେ  ଏସିଆ  ମହାଦେଶ  ଆଗୁଆ  ଅଛି  ଏବଂ  ଏସିଆ  ମହାଦେଶରେ  ଚାଇନା   ସର୍ବାଗୋ ରହିଛି   । ପ୍ୟାରିସ  ରାଜିନାମାର  ସର୍ତ୍ତ  ପୂରଣ  କରିବା  ପାଇଁ   ଭାରତ  ସରକାର  ଚେଷ୍ଟା   ଚଳାଇଛନ୍ତି   । ଦେଶର   ସମସ୍ତ  ରେଳଷ୍ଟେସନ  ଓ  ଷ୍ଟାଡିୟମରେ  ସୌର   ବିଦ୍ୟୁତ  ବ୍ୟବହାର  ପାଇଁ  ଗୁରୁତ୍ଵ  ଦିଆଯାଇଛି  । ପରୀକ୍ଷାମୂଳକ  ଭାବେ  ସୌରଶକ୍ତି  ସାହାଯ୍ୟରେ   ଗାଡି ମୋଟର  ଚାଲିଲାଣି   । ଏହାକୁ  ବ୍ୟବସାୟିକ  ଭାବେ  ସମ୍ଭବ  କରିବା  ପାଇଁ  ଗବେଷଣା   ଚାଲିଛି   । ସୌର  ବିଦ୍ୟୁତର  ଗୋଟିଏ  ଅସୁବିଧା  ହେଉଛି  ଯେ  ଏଥିପାଇଁ  ଅଧିକ  ଜାଗା   ଦରକାର   ହୋଇଥାଏ   ।  ଏକ  ମେଗାୱାଟ   ବିଦ୍ୟୁତ   କେନ୍ଦ୍ର  ସ୍ଥାପନ  ପାଇଁ  ପାଞ୍ଚ  ଏକର  ଜାଗା  ଆବଶ୍ୟକ   । କୃଷି  ଜମିରେ  ଏହାକୁ  ସ୍ଥାପନ  କଲେ   ଲାଭ  ନାହିଁ   । ଏଣୁ  ପରିମାଣର  ଅଣକୃଷି  ଜମି  ଉପଲବ୍ଧ   ହେଲେ  ଏହାକୁ  ସ୍ଥାପନ  କରିବା  ଲାଭଜନକ  ହେବ   ।  ଏହି  କାରଣରୁ   ବଡ  ବଡ  କୋଠାଘର  ଛାତ  ଉପରେ  ସୌରଫଳକ  ସ୍ଥାପନ  କରି  ସୌରଶକ୍ତି  ଉତ୍ପାଦନ  କରିବା  ପାଇଁ  ଗୁରୁତ୍ଵ  ଦିଆଯାଉଛି   । ସରକାର  ବଡ  ବଡ  ସରକାରୀ  କୋଠା  ଓ  ଡାକ୍ତରଖାନା   ଛାତ  ଉପରେ   ସୌର  ବ୍ୟାଟେରି   ସ୍ଥାପନ  କରି  ନିଜ  ନିଜର  ବିଦ୍ୟୁତ  ଚାହିଦା  ପୂରଣ  କରିବା  ପାଇଁ  ପରାମର୍ଶ  ଦେଇଛନ୍ତି   । ଏକ  କିଲୋୱାଟ  ସୌର  ବିଦ୍ୟୁତ  ଉତ୍ପାଦନ  ପାଇଁ  ବାର  ବର୍ଗମିଟର  ଛାତ  ଦରକାର   ହୋଇଥାଏ   । ଓଡିଶା  ସରକାର  ନିକଟରେ  ଓଡିଶା  ଅକ୍ଷୟ  ଶକ୍ତି  ନୀତି – ୨୦୧୬ ପ୍ରକାଶ  କରିଛନ୍ତି  । ଏଥିରେ  ୨୦୨୨  ମସିହା  ସୁଦ୍ଧା  ୨,୭୫୦ ମେଗାୱାଟ  କ୍ଷମତାର  ଅକ୍ଷୟଶକ୍ତି   ଉତ୍ପାଦନର  ଲକ୍ଷ୍ୟ  ରଖିଛନ୍ତି   । ଏହା  ମଧ୍ୟରେ  ୨,୨୦୦ ମେଗାୱାଟର  ସୌର  ବିଦ୍ୟୁତ   ଅନ୍ତର୍ଭୁକ୍ତ  । ବର୍ତ୍ତମାନ  ଓଡିଶାରେ  ସୌର  ବିଦ୍ୟୁତ  କ୍ଷମତା   ହେଉଛି  ୬୭.୫ ମେଗାୱାଟ   । ନିଜ  ଘର  ଛାତ  ଉପରେ  ସୌର  ବ୍ୟାଟେରି  ସ୍ଥାପନ  କରିବା  ପାଇଁ  ଓଡିଶା  ସରକାର  ରିହାତି  ଘୋଷଣା  କରିଛନ୍ତି   । ଏକ  କିଲୋୱାଟ  କ୍ଷମତାର  ସୌର  ବ୍ୟାଟେରି  ଲଗାଇବା  ପାଇଁ  ପ୍ରାୟ  ୮୦ ହଜାର  ଟଙ୍କା  ଖର୍ଚ୍ଚ   ହେଉଥିବାବେଳେ   ସରକାର  ଏଥିରେ  ୩୦ ପ୍ରତିଶତ  ରିହାତି  ଦେଉଛନ୍ତି   । କେବଳ  ସରକାର  ଯୋଜନା  କଲେ  ହେବ  ନାହିଁ , ଏଥିପାଇଁ   ଜନସାଧାରଣଙ୍କ  ସହଯୋଗ  ଆବଶ୍ୟକ  । ନିଜ  ନିଜ   ଘରର  ଛାତ   ଉପରେ   ସୌର  ବ୍ୟାଟେରି  ସ୍ଥାପନ  କରି  ସେଥିରୁ   ନିଜର  ବିଦ୍ୟୁତ  ଆବଶ୍ୟକତା  ପୂରଣ  କରିବା  ପାଇଁ   ପଦକ୍ଷେପ   ନେବା  ଉଚିତ   ।

ସଂଗୃହିତ :ଇଂ . ମାୟାଧର  ସ୍ଵାଇଁ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top