ଆଜିବି ଓଡିଶାରେ ଏମିତି କେତେକ ଅଞ୍ଚଳ ଅଛି ଯେଉଁଠି ବିଦ୍ୟୁତ ଆଲୋକ ଦେଖିବା ସାତସପନ । ସଂଧା ହୋଇଗଲେ କିରୋସିନ ଡିବି ହେଉ କି ଲଣ୍ଠନ ପାଲଟିଯାଏ ସେମାନଙ୍କର ଏକମାତ୍ର ସାହାଭରସା । କିନ୍ତୁ କ୍ରମେ ଏହି ଦୁର୍ଗମ ଅଞ୍ଚଳଗୁଡିକରେ ବିଦ୍ୟୁତ ଆଲୋକର ସ୍ଥାନ ନେଇଛି ସୋଲାର ଲାଇଟ ।
ଦେଶସ୍ଵାଧୀନ ହେବାର ଏତେ ବର୍ଷ ଅତିକ୍ରାନ୍ତ କରିସାରି ଥିଲେହେଁ ଆଜିବି ଓଡିଶାରେ ଏମିତି କେତେକ ଅଞ୍ଚଳ ଅଛି ଯେଉଁଠି ବିଦ୍ୟୁତ ଆଲୋକ ଦେଖିବା ସାତ ସପନ । ସନ୍ଧ୍ୟା ହୋଇଗଲେ କିରୋସିନ ଡିବି ହେଉ ବା ଲଣ୍ଠନ ପାଲଟିଯାଏ ସେମାନଙ୍କର ଏକମାତ୍ର ସାହାଭରସା । କିନ୍ତୁ କ୍ରମେ ଏହି ଦୁର୍ଗମ ଅଞ୍ଚଳଗୁଡିକରେ ବିଦ୍ୟୁତ ଆଲୋକର ସ୍ଥାନ ନେଇଛି ସୋଲାର ଲାଇଟ । ତେବେ ଏହି ସୋଲାର ଲାଇଟ ହିତାଧିକାରୀ ମାନଙ୍କ ଅଭାବକୁ କେତେଦୂର ପୂରଣ କରିପାରିଛି ତଥା ଅନ୍ଧାରୀ ଜୀବନ ବିତାଉଥିବା ଲୋକମାନଙ୍କୁ କେମିତି ଆଲୋକ ପ୍ରଦାନ କରୁଛି , ତାହାକୁ ନେଇ ଏହି ଉପସ୍ଥାପନା ।
ବଣପାହାଡ ଘେରା କେନ୍ଦୁଝର ଜିଲାରେ ଅନେକ ଏମିତି ଦୁର୍ଗମ ଗ୍ରାମ ରହିଛି ଯେଉଁଠି ବିଜୁଳି ସାତସପନ । ଏଭଳି ଦୁଇଟି ଗ୍ରାମ ହେଉଛି ହାଟଡ଼ିହି ବ୍ଲକ ଅନ୍ତର୍ଗତ ବାଲିପାଲ ପଞ୍ଚାୟତର ମଲ୍ଲୀପଶି ଓ ସରମୁଣ୍ଡେଇ ଗ୍ରାମ । ଏହି ଗ୍ରାମକୁ ବଣ ପାହାଡିଆ ରାସ୍ତାରେ ବହୁ ବାଟ ଚାଲି ଯିବାକୁ ପଡୁଥିବାରୁ ଡଙ୍ଗା ଜରିଆରେ ମଧ୍ୟ ଲୋକମାନେ ଯାତାୟାତ କରିଥାନ୍ତି । ଏଣୁ ରାତି ହେଲେ ବନ୍ୟପ୍ରାଣୀ , ସରୀସୃପଙ୍କ ଭୟ ରହିଥାଏ । ଡିବି ବା ଲଣ୍ଠନ ଆଲୋକରେ ଏମାନଙ୍କ ରାତି ବିତେ । ଏହାରେ ସମସ୍ତେ ଗରିବ ଆଦିବାସୀ ଶ୍ରେଣୀର ହୋଇଥିବାରୁ କିରୋସିନ ଟୋପାଏ ପାଇଁ ମଧ୍ୟ ଏମାନେ ଅସୁବିଧା ଭୋଗୁଥାନ୍ତି । ଏଣୁ ଏମାନଙ୍କ ପାଇଁ ଆଲୋକର ଅବଶ୍ୟକତା ଅଧିକ ଥିଲା । କିନ୍ତୁ ଏଠାରେ ବିଜୁଳି ଆଲୋକ ଯୋଗାଇବା ସୁବିଧାଜନକ ନଥିବାରୁ ଶେଷରେ 2011-12 ମସିହାରେ ଏହି ଗ୍ରାମରେ “ ଓରେଡା” ପକ୍ଷରୁ ସୋଲାର ଲାଇଟ ବ୍ୟବସ୍ଥା କରାଯାଇ ଆଲୋକ ଯୋଗାଇ ଦିଆଯାଇଛି । ମଲ୍ଲୀପଶି ଗ୍ରାମରେ ସମୁଦାୟ 136 ଟି ପରିବାର ରହୁଥିବା ବେଳେ ସେଠାକାର ପ୍ରତି ଘରକୁ ସୋଲାର ଲାଇଟ ଯୋଗାଇ ଦିଆଯିବା ସହ ଗ୍ରାମ ମଧ୍ୟ 9 ଟି ଷ୍ଟ୍ରିଟ ଲାଇଟ ଲଗାଯାଇଛି । ସେହିପରି ସରମୁଣ୍ଡେଇ ଗ୍ରାମରେ ସମୁଦାୟ 48ଟି ପରିବାରଙ୍କୁ ସୋଲାର ଲାଇଟ ଯୋଗାଇ ଦିଆଯାଇଥିବା ବେଳେ 8 ଟି ଷ୍ଟ୍ରିଟ ଲାଇଟ ଲଗାଯାଇଛି । ସୋଲାର ଲାଇଟ ଦ୍ଵାରା ଉପକୃତ ହୋଇଥିବା ଏହି ଦୁଇ ଗ୍ରାମବାସୀଙ୍କ ମତାନୁସାରେ ଏବେ ସେମାନଙ୍କର ଜୀବନଯାପନ ସହଜ ହୋଇଯାଇଛି । ଆଗରୁ ସେମାନେ ରାତିରେ ପଡାକୁ ବାହାରିପାରୁ ନ ଥିଲେ । ଅନ୍ଧାର ରାତିରେ ବନ୍ୟପ୍ରାଣୀ ଭୟ ରହୁଥିଲା । କିନ୍ତୁ ଏବେ ସୋଲାର ଲାଇଟଦ୍ଵାରା ସେମାନେ ରାତିରେ ବେଶ ସୁବିଧାରେ ଚଳପ୍ରଚଳ କରିପାରୁଛନ୍ତି । ସେହିପରି ଲାଇଟ ବ୍ୟବସ୍ଥାଦ୍ଵାରା ସେମାନଙ୍କ ପିଲାମାନେ ରାତିରେ ବି ପାଠ ପଢି ପାରୁଛନ୍ତି । କେବଳ ଏହି ଦୁଇଟି ଗାଁ ନୁହେଁ ହଦଗଡ ଅଞ୍ଚଳରେ ଥିବା ଦଳକି , ପିତାନାଉ , ସଜନାପା ଆଦି ବଣପାହାଡ ଘେରା ଗ୍ରାମରେ ବି ସୋଲାର ଲାଇଟ ବ୍ୟବସ୍ଥା ହୋଇସାରିଛି । କିନ୍ତୁ ସୋଲାର ଲାଇଟିଦ୍ଵାରା ଏହି ଗ୍ରାମବାସୀ ଉପକୃତ ହେଲେ ବି ଏହା ଅନେକ ସମୟରେ ବିଶେଷକରି ବର୍ଷାଦିନରେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରି ନ ଥାଏ । ଓରେଡା ସଂସ୍ଥା ପକ୍ଷରୁ ସେମାନଙ୍କୁ ମିଳୁଥିବା ସୋଲାର ହୋମ ଲାଇଟ ବ୍ୟବସ୍ଥାରେ ମାତ୍ର ଦୁଇଟି ବଲ ଜଳାଇବାର ବ୍ୟବସ୍ଥା ରହିଛି । କିନ୍ତୁ ବର୍ଷାଦିନେରେ ଖରା ଅଭାବରୁ ସୋଲାର ପ୍ଳେଟ ଚାର୍ଜ ହୋଇପାରେ ନାହିଁ । ଫଳରେ ଅନେକ ସମୟ ରାତିରେ ସେମାନଙ୍କୁ ଅନ୍ଧାରରେ ରହିବାକୁ ପଡିଥାଏ । ସେହିପରି ଖରାଦିନେ ସେମାନେ ଫ୍ୟାନ କି ଟିଭି ଚଳାଇପାରନ୍ତି ନାହିଁ । କାରଣ ଏଥିପାଇଁ ଏକ ପ୍ରକାର ସ୍ଵତନ୍ତ୍ର ସୋଲାର ଫ୍ୟାନ କିଣିବାକୁ ପଡେ, ଯାହାକି ସେମାନେ ଅର୍ଥାଭାବରୁ କିଣିପାରନ୍ତି ନାହିଁ । ସେହିପରି ବ୍ୟାଟେରୀ ଖରାପ ହୋଇଗଲେ ବା ୱାରେଣ୍ଟି ପିରିୟଡ ସରିଗଲେ ମରାମତି ବା ନୂଆ କିଣିବାକୁ ସେମାନଙ୍କୁ ପଡିଥାଏ । କିନ୍ତୁ ଯେହେତୁ ଏହା ବ୍ୟୟବହୁଳ ସେଥିପାଇଁ ଅନେକେ ଏହାକୁ କିଣିପାରନ୍ତି ନାହିଁ । ଏଣୁ ବ୍ୟାଟେରୀ ଖରାପ ହୋଇଗଲେ ଏହା ବନ୍ଦ ହୋଇଯାଏ । ତା ଛଡା ଓରେଡା ପକ୍ଷରୁ 5 ବର୍ଷର ମରାମତି ଦାୟିତ୍ଵ ନିଆଯାଇଥିବାବେଳେ ଏହାପରେ ଗ୍ରାମବାସୀ ବହୁ ଅସୁବିଧା ଭୋଗୁଥାନ୍ତି । ସହରଠାରୁ ବହୁ ଦୂରରେ ଥିବାରୁ ଏବଂ ଯାତାୟତ ସୁବିଧା ନ ଥିବାରୁ ଠିକ ସମୟରେ ଏହାର ମରାମତି ବି ସେମାନେ କରିପାରନ୍ତି ନାହିଁ । ଏଣୁ ସରକାରଙ୍କ ପକ୍ଷରୁ ଏହି ଗାଁଗୁଡିକରେ ସୋଲାର ପାୱାର ପ୍ଳାଣ୍ଟ ସ୍ଥାପନ କରାଗଲେ ଗ୍ରାମବାସୀ ଅଧିକ ଉପକୃତ ହୋଇପାରନ୍ତେ । କାରଣ ପାୱାର ପ୍ଳାଣ୍ଟ ଦ୍ଵାରା ସେମାନେ ଫ୍ୟାନ , ଟିଭି, ଫ୍ରିଜ , ପାଣିପମ୍ଫ ଆଦୀଦ ବ୍ୟବହାର କରିପାରିବେ ।
ସୌରାଲୋକ ଦ୍ଵାରା ଆଲୋକିତ ହୋଇଥିବା ଅନ୍ୟ ଏକ ଗ୍ରାମ ହେଉଛି କୋରାପୁଟ ଜିଲ୍ଲାର ମହାଦେଇପୁଟ ପଞ୍ଚାୟତର ଲାଲଗୁଡା ଗାଁ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦେଶ ସ୍ଵାଧିନତା ପାଇବାର ଏତେ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଗ୍ରାମଟି ବହୁ ବର୍ଷ ଧରି ଅନ୍ଧାରରେ ରହିଥିବାବେଳେ ଗତ 6 ମାସ ପୂର୍ବେ କୋରାପୁଟ ପ୍ରଗତି ଅନୁଷ୍ଠାନର ସହାୟତାରେ ସୌରଲୋକ ମାଧ୍ୟମରେ ଏହି ଗ୍ରାମ ଆଲୋକିତ ହୋଇପାରିଛି । କୋରାପୁଟ ଜିଲ୍ଲାର ପାହାଡ଼ ପର୍ବତ ଘେରା ଏହି ଦୁର୍ଗମ ଗ୍ରାମରେ ରହନ୍ତି ଆଦିବାସୀ ପରିଜା ସମ୍ପ୍ରଦାୟର ୧୪ ଟି ପାରିବାରେ ପ୍ରାୟ ୬୦ ରୁ ଊର୍ଦ୍ଦ୍ଵ ଲୋକ । ସରକାରଏନକେ ପକ୍ଷରୁ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ନେଇ ବିଜୁ ଗ୍ରାମ୍ୟ ଜ୍ୟୋତି , ରାଜୀବ ଗାନ୍ଧୀ ବିଦ୍ୟୁତ ଯୋଜନା ଭଳି ବିଭିନ୍ନ ଯୋଜନା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବାବେଳେ ଏହି ଗ୍ରାମରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ନଥିବାରୁ ବର୍ଷ ବର୍ଷ ଧରି କିରୋସିନ ଡିବିରି ଆଲୋକରେ ଗ୍ରାମବାସୀ ଜୀବନ ବିତେଇବା ସଂଧା ସମୟରୁ ଜଙ୍ଗଳୀ ଜନ୍ତୁଙ୍କୁ ଭୟରେ ମୁକ୍ତି ପାଇବା ପାଇଁ ସମସ୍ତ ଗ୍ରାମବାସୀ ନିଜ ନିଜ ଘର ତାଟିକବାଟ ପକାଇ ଦେଉଥିବା ଗ୍ରାମର ଜେନ ବ୍ୟକ୍ତି ହଋ ଗାଦବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ଦୁଇଟି ସାହିକୁ ନେଇ ଗଠିତ ଏହି ଗ୍ରାମରେ ପ୍ରଗତି ଅନୁଷ୍ଠାନ ତରଫରୁ ସୌରଲୋକ ମଧ୍ୟରେ ସମସ୍ତଙ୍କ ଘରେ ଦୁଇଟି ଲେଖାଏଁ ବଲବ ଲଗାଯାଇଥିବାବେଳେ ଗ୍ରାମ ରାସ୍ତାରେ ବି ଦୁଇଟି ସୋଲାର ଲାଇଟି ଲଗାଯାଇଛି । ସୌରାଲୋକ ଦ୍ଵାରା ଲୋକେ ନିଜ ମୋବାଇଲ ଚାର୍ଜ ସହ ରେଡିଓ ଆଦି ବିଭିନ୍ନ ସାମଗ୍ରୀ ମଧ୍ୟ ବ୍ୟବହାର କରିପାରୁଛନ୍ତି । ଏହାର ସତ୍ତ୍ୱେ ସୌରାଲୋକରେ ଆଲୋକିତ ହୋଇଥିବା ଲାଲଗୁଡା ଗ୍ରାମରେ ବର୍ଷାଦିନେ ସପ୍ତାହ ଧରି ଆକାଶରେ ମେଘାର ଆସ୍ତରଣ ଯୋଗୁଁ ଲୋକେ ଉପଯୁକ୍ତ ସୌରାଲୋକ ନ ପାଇ ପ୍ରତ୍ୟେକ ଘରେ ଅବଶ୍ୟକ ଦୁଇଟି ବଲବ ବଦଳରେ ମାତ୍ର ଗୋଟିଏ ବଲବ ଲଗାଇଥାନ୍ତି । ଏପରିକି ବେଳେବେଳେ ସୌରାଲୋକ ନ ପାଇ ଡିବିରି ଲଗାଇବାକୁ ବି ସେମାନେ ବାଧ୍ୟ ହୋଇଥାନ୍ତି ବୋଲି ଉକ୍ତ ସେମାନେ ବାଧ୍ୟ ହୋଇଥାନ୍ତି ବୋଲି ଉକ୍ତ ଗ୍ରାମର କେତେଜଣ ବାସିନ୍ଦା ପ୍ରକାଶ କରିଛନ୍ତି । ପ୍ରଗତି ଅନୁଷ୍ଠାନ ତରଫରୁ ଗ୍ରାମକୁ ଯୋଗାଇ ଦିଆଯାଉଥିବା ସୌରାଲୋ କୀଟ ମୂଲ୍ୟ ୩୫୦୦ ଟଙ୍କା ପଡୁଥିବାରୁ ସମସ୍ତ ପାରିବାର ଏହାକୁ କିଣିବା ସମ୍ଭବ ପର ହୋଇ ନଥାଏ । କାରଣ ଏହି ଗ୍ରାମର ଅଧିକାଂଶ ପରିବାର ଗରିବ ଶ୍ରେଣୀର । ବିଭିନ୍ନ ପ୍ରକାରର ପନିପରିବା ଚାଷ କରିବା ହେଉଛି ଏମାନଙ୍କର କୁଳବେଉସା । ଚାଷ ପାଇଁ ଗ୍ରାମଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଝରଣା ଉପରେ ଏମାନେ ନିର୍ଭର କରିଥାନ୍ତି । ସେହିପରି ଏହି ଗାଁରୁ ମୁଖ୍ୟରାସ୍ତାକୁ ସଂଯୋଗ କରିବା ପାଇଁ ମାତ୍ର ୩ କିମି ଦୂରତା ହୋଇଥିଲେ ହେଁ ସବୁଦିନିଆ ରାସ୍ତା ନିର୍ମାଣ ହୋଇନ ଥିବାରୁ ଗ୍ରାମବାସୀଙ୍କୁ ଏବେ ବି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ସରକାରୀ ସ୍ତରରେ ଇଲେକ୍ଟ୍ରିକାଲ ଟ୍ରେନିଂ ଅଫିସର ଭାବେ କାମ କରିବା ସହିତ ଘରୋଇ ଲୋରାଳ ଏନର୍ଜି ଉପରେ ଟ୍ରେନିଂ ନେଉଥିଲେ । ସୋଲାର ସିଷ୍ଟମରେ କାମ କରିବା ପ୍ରତି ଆଗ୍ରହ ବଢିବାକୁ ଚାକିରିରୁ ଅବସର ନେବା ପରେ ଏବେ ତାଙ୍କର ସଂପୂର୍ଣ୍ଣ ସମୟ କେବଳ ଏହି ଲାଇନରେ କାମ କରିବାକୁ ହିଁ କଟୁଛି । ଆଜିକୁ ପ୍ରାୟ ୪/୫ ବର୍ଷ ହେବ ସୋଲାର ସିଷ୍ଟମ ଉପରେ କାମ କରି ସେ ବହୁ ଦକ୍ଷତା ହାସଲ କରିସାରିଲେଣି । ତାଙ୍କ କହିବା ଅନୁଯାୟୀ – ସୋଲାର ପ୍ରୋଜେକ୍ଟ ନିହାତି ଭାବରେ ଏକ ସଫଳ ପ୍ରୋଜେକ୍ଟ । ଅଶି ମସିହା ବେଳରୁ ଭାରତକୁ ଏହି ପ୍ରୋଜେକ୍ଟ ଆସିଥିଲେ ହେଁ ଓଡିଶାରେ ପ୍ରାୟତଃ ୧୯୯୭-୯୮ ବେଳକୁ ସୋଲାର ସିଷ୍ଟମ ଉପର କାମ କରିବା ଆରମ୍ଭ ହୋଇଥିଲା । ୟା, ଭିତରେ ଭୁବନେଶ୍ଵର , କଟକ, ରାଉକେଲା, ସମ୍ବଲପୁର , ଢେଙ୍କାନାଳ , କୋରାଫୁଟ , ଟିଟିଲାଗଡ , ପାଟଣାଗଡ , କେନ୍ଦୁଝର , ଆଦି ସ୍ଥାନରେ ସୋଲାର ପ୍ରୋଜେକ୍ଟ ଉପରେ କାମ କରାଯାଇ ସଫଳତା ମିଳିସାରିଛି । ବିଶେଷ କରି ପଶ୍ଚିମ ଓଡିଶା ପଟେ , ଯଦି ଏହି ପ୍ରୋଜେକ୍ଟ ଉପରେ ଅଧିକ ଗୁରୁତ୍ଵ ଦିଆଯାନ୍ତା ତାହେଲେ ଆହୁରି ଅଧିକ ସଫଳତା ମିଳିପାରନ୍ତା । କାରଣ ଏଠାରେ ଖରା ବହୁତ ଭଲ ହୋଇଥାଏ । ସେତେ ବେଶି ମେଘୁଆପାଗ ନଥାଏ , ଯାହାଦ୍ଵାରା ସୋଲାର ପ୍ୟାନେଲ ଜରିଆରେ ବ୍ୟାଟେରୀ ଖୁବ ଶୀଘ୍ର ଭଲ ଭାବ ଚାର୍ଜ ହୋଇ ସୂର୍ଯ୍ୟାଲୋକ ବ୍ୟବହାର କରି କାମ କରିବା ନିହାତି ଭାବେ ଏକ ବିକଳ୍ପ ପନ୍ଥା । ତେବେ ଏହି ସୋଲାର ସିଷ୍ଟମର ପ୍ରାୟତଃ ସବୁ କିଛି ପଜେଟିଭ ଥିବା ବେଳେ କେବଳ ବ୍ୟୟ ବହୁଳ ଯୋଗୁ ଗରିବ ଶ୍ରେଣୀର ଲୋକଙ୍କ ପକ୍ଷରେ ବ୍ୟବହାର କରିବା ଟିକେ କଷ୍ଟସାଧ୍ୟ ହୋଇଥାଏ । ଯେମିତି ୪୦ ୱାଟବିଶିଷ୍ଟ ସୋଲାର ପ୍ୟାନେଲ ଏବଂ ବ୍ୟାଟେରୀର ମୂଲ୍ୟ ୧୮ ରୁ୧୯ ହଜାର ଭିତରେ ପଡିଥିବା ବେଳେ ଏକ କିଲୋୱାଟ ବିଶିଷ୍ଟ ସୋଲାର ଫ୍ୟାନ ରେ ଏବଂ ବ୍ୟାଟେରୀ କିଣିବାକୁ ଦେଢଲକ୍ଷ ଟଙ୍କା ପାଖା ପାଖି ପଡିଯାଏ । ୪୦ ୱାଟର ପ୍ୟାନେଲ ଦ୍ଵାରା ଏକ କାଳୀନ ୪ଟି ବଲ ଜଳିବାର ସୁବିଧା ରହିଛି । ତା ଛଡା ଏଥିରେ ଯଦି ଇନଭେଟର ଲଗାଯାଏ ତା ହେଲେ ଫ୍ୟାନବି ଆରମରେ ବୁଲିପାରିବ । ଖରା ଖୁବ ଭଲ ହୋଇ ବ୍ୟାଟେରୀ ଠିକ ଠାକ ଚାର୍ଜ ହୋଇଗଲେ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ସୋଲାର ଲାଇଟ ଖୁସିରେ ଜାଲିପାରିବ । ସକାରାତ୍ମକ ଦ୍ରୁଷ୍ଟି କୋଣରୁ ଦେଖିଲେ ସୋଲାର ଲାଇଟ ବ୍ୟବହାର କରିବା ଦ୍ଵାରା ବିଦ୍ୟୁତ ଶକ୍ତି ବହୁପରିମାଣରେ ସଞ୍ଚୟ ହୋଇପାରିବ । ଏହାର ବ୍ୟବହାର ସଂପୂର୍ଣ୍ଣ ନିରାପଦ । ଏଥିରେ ନିଆଁ ଲାଗିବାର ଆଦୈ ସମ୍ଭାବନା ନାହିଁ । ବିଧିବଦ୍ଧ ଭାବେ ଏହାକୁ ଚାର୍ଜ କରିବା ଦରକାର ନାହିଁ । ଏହା ଅଟୋମେଟିକ ଚାର୍ଜ ହେବା ସହ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ବି ନାହିଁ । ଖରାଦିନେ କଂକ୍ରିଟ ଛାତରେ ସୂର୍ଯ୍ୟକିରଣ ପଡି ଉତ୍ତାପ ବିକିରଣ ଫଳରେ ବାୟୁମଣ୍ଡଳକୁ ଉତ୍ତପ୍ତ କରିଥାଏ । କିନ୍ତୁ ଛାତ ଉତ୍ତାପରୁ ରକ୍ଷା ପାରିବା ସହ ବାୟୁମଣ୍ଡଳରେ ଉତ୍ତାପ ମଧ୍ୟ କମିଯାଏ । ସେହିପରି ବ୍ୟାଟେରୀ ଥରେ ଚାର୍ଜ ହୋଇ ଜିବା ପରେ ଏହାକୁ ମାସେ ପରେ ବି ଏଥିରୁ ଆପଣ ସୌରାଲୋକ ପାଇପାରିବେ କାରଣ ବ୍ୟାଟେରୀରେ ଏକ ଟ୍ରିକଲ ଚର୍ଜିଙ୍ଗ ମୋଡ ଥାଏ , ଯାହା ସୂର୍ଯ୍ୟାଲୋକକୁ ପ୍ରିଜର୍ଭ କରି ବହୁ ଦିନ ପର୍ଯ୍ୟନ୍ତ ରଖିପାରେ । ସେହିପରି ଘର ବାହାରେ ରଖାଯାଉଥିବା ସୋଲାର ପ୍ୟାନେଲରେ ଏମିତି ଏକ ହିଟ ପ୍ରୁଫ ଲଗାଯାଇଥାଏ , , ଯାହାକି ବର୍ଷା ପାଣି ସୂର୍ଯ୍ୟଙ୍କର ପ୍ରଖର କିରଣ କିମ୍ବା କୁଆପଥର ମାଡରେ ବି ସହଜରେ ନଷ୍ଟହୋଇ ନଥାଏ । ତେଣୁ ଏତେ ସବୁ ସୁବିଧା ଯୋଗୁଁ ସୋଲାର ପ୍ରୋଜେକ୍ଟ ବ୍ୟବହାର କରିବା ସହଜସାଧ୍ୟ ହୋଇଥାଏ । କିନ୍ତୁ ଏଥିରେ ଥିବା ଦୁଇଟି ମାତ୍ର ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ଏହି ପ୍ରକଳ୍ପକୁ ବ୍ୟବହାର କରିବା ଟିକେ ବ୍ୟୟ ବହୁଳ ହୋଇଥାଏ । ତା ଛଡା ଏଥିରେ ବ୍ୟବହାର କରାଯାଉଥିବା ବ୍ୟାଟେରୀକୁ ପ୍ରାୟତଃ ୫ ବର୍ଷ କିମ୍ବା ୱାରେଣ୍ଟି ପିରିୟଡ ସରିଯିବା ପରେ ବଦଳାଇବାକୁ ପଡିଥାଏ । ସେହି ପରି ବର୍ଷାଦିନେ ଖରା ବେଶି ହେଉ ନଥିବାରୁ ବ୍ୟାଟେରୀ ଟିକେ ଭଲରେ ଚାର୍ଜ ହୋଇପାରେ ନାହିଁ । ଯଦିବା ଚାର୍ଜ ହୁଏ , ସେଥିରେ ଅବଶ୍ୟକ ପରିମାଣରେ ଆଲୋକ ମିଳିପାରେ ନାହିଁ ; ଯାହାକି ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ବିଶେଷକରି ବିଦ୍ୟୁତ ଆଲୋକର ବ୍ୟବସ୍ଥା ନ ଥିବା ଅଞ୍ଚଳରେ ଲୋକମାନଙ୍କ ପକ୍ଷେ ଟିକେ କଷ୍ଟସାଧ୍ୟ ହୋଇଥାଏ । ଭାବିଷ୍ୟତରେ ଯଦି ସରକାରଙ୍କ ତରଫରୁ ସୋଲାର ପ୍ରୋଜେକ୍ଟ କ୍ଷେତ୍ରରେ ଆହୁରି କିଛି ନୂତନତା ଅଣାଯାଇପାରନ୍ତା ତଥା ସବସିଟିରେ ଲୋକଙ୍କୁ ଏହି ସୋଲାର ଲାଇଟ ପ୍ରଦାନ କରଯାଇପାରନ୍ତା , ତା ହେଲେ ଏ ସମସ୍ୟାର ବି ସମାଧାନ ହୋଇପାରନ୍ତା ଔ ଅଧିକରୁ ଅଧିକ ଲୋକେ ଉପକୃତ ହୋଇପାରନ୍ତେ ।
ସୌରଶକ୍ତି ବର୍ତ୍ତମାନ ସମୟରେ ବିଦ୍ୟୁତର ସର୍ବୋତ୍ତମ ବିକଳ୍ପ ଉତ୍ସ ଭାବେ ବେଶ ପରିଚିତ । ଯେଉଁ ଠାରେ ବିଦ୍ୟୁତ ବ୍ୟବସ୍ଥା ପହଞ୍ଚିପାରିନି କିମ୍ବା ନିୟମିତ ବିଦ୍ୟୁତ ସରବରାହ ସମ୍ଭବ ହେଉନି ସେ କ୍ଷେତ୍ରରେ ସୌରଲୋକ ଅତ୍ୟାବଶ୍ୟକ ଏବଂ ନିର୍ଭରଯୋଗ୍ୟ ବିକଳ୍ପ ଭାବେ ବେଶ ଆଦୃତ । ସୌରାଲୋକ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ଦିଗରେ ଏବଂ ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ଜୀବନରେ ଆଲୋକ ଆଣିବା ଦିଗରେ ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ କାର୍ଯ୍ୟରତ । ଓଡିଶା ସରକାରଙ୍କ “ ଓରେଡା “ ଦୀର୍ଘଦିନରୁ ଏଭଳି କାର୍ଯ୍ୟ କରିଆସୁଥିବା ବେଶ ଜଣାଶୁଣା । ସେହିପରି ଏକ ବେସରକାରୀ ସଂସ୍ଥା ତରଫରୁ ଏଲଏବିଏଲ ( (ଲାଇଟିଂ ଏ ବିଲିୟନ ଲାଇଭ୍ସ / ଶତସହସ୍ର ଜୀବନରେ ଆଲୋକ ) ମାଧ୍ୟମରେ ସୌର ଲଣ୍ଠନ ଚାର୍ଜ ଷ୍ଟେସନ ଯୋଗାଇ ଦିଆଯାଇଛି । ଏଥିରେ ଗୋଟିଏ ସ୍ଥାନରେ ଷ୍ଟେସନ ବସାଯାଏ ଏବଂ ସେଠାରେ ଏକକାଳୀନ ପ୍ରାୟ ୫୦/୬୦ଟି ସୋଲାର ଲଣ୍ଠନ ଚାର୍ଜ କରାଯାଇ ହିତାଧିକାରୀଙ୍କୁ ଲଣ୍ଠନ ବ୍ୟବହାର ପାଇଁ ଦିଆଯାଇଥାଏ । ଏହି ବ୍ୟବସ୍ଥାରେ ସଂପୂର୍ଣ୍ଣ ପ୍ରକଳ୍ପଟିକୁ ମାଗଣାରେ ଲୋକଙ୍କ ପାଖରେ ଦାତବ୍ୟ ଅନୁଷ୍ଠାନ ସହାୟତାରେ ପହଞ୍ଚାଯାଇଥାଏ । ମୟୂରଭଞ୍ଜ , ଜିଲ୍ଲାର ଠାକୁରମୁଣ୍ଡା, କରଞ୍ଜିଆ , ଯଶିପୁର ଆଦି ବ୍ଲକର କେତେକ ଗାଁ ଏଭଳି ବ୍ୟବସ୍ଥା ହେବା ସହ କୋରାପୁଟ , ରାୟଗଡା, ବାଲେଶ୍ଵର, ଗଜପତି , କନ୍ଧମାଳ ଆଦି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁବିଧ ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହାଛଡା ସରକାରଙ୍କ ଦ୍ଵାରା (ଆରଇସି)ତରଫରୁ ମୟୂରଭଞ୍ଜ ଜିଲ୍ଲାର କେତେକ ବିଦ୍ୟୁତ ଅପହଞ୍ଚ ଗ୍ରାମରେ ସୋଲାର ମାଇକ୍ରୋଗ୍ରୀଡ ଓ ସୋଲାର ପାୱାର ପ୍ଳାଣ୍ଟ ମାଧ୍ୟମରେ ପ୍ରାୟ ୯୦୦ ପରିବାର ନିକଟରେ ଘରୋଇ ଆଲୋକ ପହଞ୍ଚାବାରେ ବ୍ୟବସ୍ଥା କରାଯାଇଛି । ସେହିପରି ଯଶିପୁର ବ୍ଲକ ଶିମିଳିପାଳ ଆଭ୍ୟନ୍ତରରେ ଥିବା ଗୁଡଗୁଡିଆ, ଗ୍ରାମପଞ୍ଚାୟତର ବିଲାପଘା , ସାନକାଶିରା , ବଡକାଶିରା ଆଦି ଗ୍ରାମରେ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନ (ଆରଆରଡିଓ) ଦ୍ଵାରା ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଏସବୁ ବାଦ ଠାକୁରମୁଣ୍ଡା ବ୍ଲକରେ ଆରସିଡିସି ନାମକ ଏକ ସଂଗଠନ ଅକ୍ସଫାମ ଇଣ୍ଡିଆ ସହାୟତାରେ ଭାଲିଆଡାଳଆରଏଲ ବେଣୁଆଦର ସାହିର ସୋଲାର ବ୍ୟବସ୍ଥାରେ ଜଳାଶ୍ରୟରୁ ପାଣି ଉଠାଇ ଚାଷ କାର୍ଯ୍ୟ କରୁଛନ୍ତି । ସେହିପରି ମଶାଘାଟି, ପାଲବଣି, କିଶୁନସାହି , ଢେଙ୍କିଶାଳ ସାହି, ହରିଡାଘୁଟୁ, ଆଦି ସ୍ଥାନରେ ସାମୁହିକ ବ୍ୟବହାର ପାଇଁ ଗୋଟିଏ ଲାଇଟ ପୋଷ୍ଟ ସହିତ ସେଠାକାର ଗୋଟିଏ ଘରକୁ ୨ ଟି ବଲ ଓ ମୋବାଇଲ, ଚାର୍ଜ ପାଇଁ ସୁବିଧା ଉପଲ୍ଲବ୍ଧ କରାଯାଇଛି । ଅପରପକ୍ଷେ ଠାକୁରମୁଣ୍ଡା, ସାହାରାପଡା , ବାଂଶପାଳ , ନୀଳଗିରି ସମେତ ଆଉ କେତେକ ବ୍ଲକରେ ବି ପ୍ରତି ଘରକୁ ୨ ଟି ସୋଲାର ଲାଇଟ ମୋବାଇଲ ଚାର୍ଜ ସହ ଉନ୍ନତ ରୋଷେଇ ଚୁଲା (ଧୂମବିହୀନ ) ଯୋଗାଇ ଦିଆଯାଇଛି ।
ସୌରାଲୋକ ପାଇଁ ସାଧାରଣତଃ ବ୍ୟାଟେରୀ , ସୋଲାର ପ୍ୟାନେଲ , ଚାର୍ଜ କଣ୍ଟ୍ରୋଲର , ତାର ଓ ବଲବ ଆଦି ବ୍ୟବହୃତ ହୋଇଥାଏ । ଛୋଟ ଛୋଟ ପ୍ୟାନେଲ ଯଥା – ୩ ୱାଟ, ୫ ୱାଟ ପ୍ୟାନେଲ ବ୍ୟବହାରକରି ଗ୍ରାମାଞ୍ଚଳରେ ମୋବାଇଲ ଚାର୍ଜ, ଛୋଟ ବଲବ ବା ଏଲଇଡି ଜଳାଉଥିବାର ଦେଖିବାକୁ ମିଳୁଛି । ସୋଲାର ବ୍ୟବସ୍ଥାରେ ଦୈନିକ ବ୍ୟାଟେରୀ ଚାର୍ଜ ହେବା ପରେ ରାତିରେ ୫ରୁ ୬ ଘଣ୍ଟା ଆଲୋକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ । ସୋଲାର ଲଣ୍ଠନ କ୍ଷେତ୍ରରେ ୮ ଘଣ୍ଟା ଚାର୍ଜ କାଲେ ୪ ଘଣ୍ଟା ବ୍ୟବହାର ପାଇଁ କୁହାଯାଏ । ଏପରିକି ସୋଲାରରେ ଉଭୟ ଡିସି/ଏସି ବ୍ୟବସ୍ଥାରେ କରେଣ୍ଟ ଦିଆଯାଇପାରିବ । ଫଳରେ ଆଲୋକ ସମେତ ବଡ ବଡ ମେସିନ , ପାଣିପମ୍ଫ , ଆଦି ମଧ୍ୟ ସହଜରେ ଚଳାଇହେବ । ବର୍ତ୍ତମାନ ଏହା ଅନେକ ଅଞ୍ଚଳରେ କାର୍ଯ୍ୟକାରୀ ହୋଇସାରିଲାଣି । ସେହିପରି ଆବଶ୍ୟକ କ୍ଷେତ୍ରରେ ଘରୋଇ ଆଲୋକଠାରୁ ଆରମ୍ଭକରି ମାଇକ୍ରୋଗ୍ରୀଡ, ପାୱାରଗ୍ରୀଡ ମାଧ୍ୟମରେ ଜୀବନ ଜୀବିକା ପ୍ରକଳ୍ପ ତଥା ବଡ ବଡ କମ୍ପାନୀମଧ୍ୟ ସୌରଶକ୍ତି ବଲରେ ବିଭିନ୍ନ ଉପକରଣ ଆଦି ଚଳାଇପାରିବେ ।
ଖରାଦିନେ ସୌରାଲୋକ ବ୍ୟବହାରରେ ବିଶେଷ ଅସୁବିଧା ହୋଇ ନଥାଏ । କିନ୍ତୁ ବର୍ଷାଦିନେ ଟିକିଏ ସତର୍କତା ଆବଶ୍ୟକ । ସବୁଦିନ ଖରାହେଉ ନ ଥିବାରୁ ଅବଶ୍ୟକ ସ୍ଥଳେ ବା ବର୍ଷାଦିନେ କମ ଲାଇଟ ଏବଂ କମ ସମୟ ବ୍ୟବହାର କରିବାକୁ କୁହାଯାଇଥାଏ । ବ୍ୟାଟେରୀ ଚାର୍ଜ ଅତି ତଳକୁ ଚାଲିଗଲେ ପୁଣି ରିଚାର୍ଜ କରିବା କଷ୍ଟକର ବ୍ୟାପାର ହୋଇଥାଏ । ମାତ୍ର ବର୍ଷା ସତ୍ତ୍ୱେ ବା ସୂର୍ଯ୍ୟ ଆକାଶରେ ଦେଖାନ ଯିବା ସତ୍ତ୍ୱେ ପ୍ୟାନେଲର ବ୍ୟାଟେରୀ ଚାର୍ଜ କରିବାର କ୍ଷମତା ରହିଛି । ବ୍ୟାଟେରୀ କମ୍ପାନୀଗୁଡିକ ଏବେ ୫ ବର୍ଷ ବା ଅଧିକ ବର୍ଷ ମଧ୍ୟ ଗ୍ୟାରେଣ୍ଟି ପ୍ରଦାନ କରୁଥିବାରୁ ଭବିଷ୍ୟତରେ ସୌରଲୋକ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇପାରିବା ସମ୍ଭାବନା ଅଛି । ଶେଷରେ ଏତିକି କହିବାକୁ ହେବାଯେ କିରୋସିନ ଉପରେ ସବସିଟି ହ୍ରାସ କରାଯାଇ ସୋଲାର ଉପକରଣ ବ୍ୟବହାର ପାଇଁ ମଧ୍ୟ ସରକାର ଅଧିକ ସବସିଟ ଯୋଗାଇଦେବା ଆବଶ୍ୟକ ।
ଆଧାର – ଧରିତ୍ରୀ
Last Modified : 12/10/2019