କେଉଁ ଆଦିମ କାଳରୁ ମନୁଷ୍ୟମାନଙ୍କ ପାଇଁ ‘ ଲୁହା ’ ଏକ ଅତ୍ୟାବଶ୍ୟକ ଏବଂ ଅପରିହାର୍ଯ୍ୟ ବସ୍ତୁ ରୂପେ ପରିଗଣିତ ହୋଇଆସିଛି । ଘର ତିଆରି କରିବା, ଘରର ସମସ୍ତ କାର୍ଯ୍ୟ ସମ୍ପାଦନ କରିବା, ଚାଷ କରିବା, ନଦୀ ସମୁଦ୍ରରେ ଗମନାଗମନ କରିବା ଏବଂ ପରିବହନ ପାଇଁ ‘ଲୁହା’ ଏକ ଅନନ୍ୟ ବସ୍ତୁ ରୂପେ ବ୍ୟବହୃତ ହେଉଛି । ପୁରାଣର ପୃଷ୍ଠା ଲେଉଟାଇଲେ ତ୍ରେତୟା ଓ ଦ୍ଵାପର ଯୁଗରେ ମଧ୍ୟ ଲୁହାର ବ୍ୟବହାର ଥିବା ଆମେ ଜାଣିପାରୁଛେ । ଏହି ଲୁହା ଏକ ମୁକ୍ତ ଧାତୁ ନୁହେଁ, ମିଶ୍ର ଧାତୁ ରୂପେ ଭୂଭାଗର ନିମ୍ନରେ ଗଚ୍ଛିତ ହୋଇ ରହିଛି । ଖ୍ରୀ.ପୂ. ୧୮୦୦ ରୁ ଖ୍ରୀ.ପୂ.୧୭୦୦ ମଧ୍ୟରେ ବେବିଲୋନ ଓ ତାହାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ (ହିଟାଇଟ ନାମକ) ଲୋକମାନେ ଲୁହାପଥର ତରଳେଇ ଲୁହାର ବ୍ୟବହାର କରିବା ଜାଣିଥିଲେ । ପାରସ୍ୟରେ ମଧ୍ୟ ସେହି କୌଶଳରେ ଲୁହାର ଉତ୍ପାଦନ କରାଯାଉଥିଲା । ଯେଉଁ ଆର୍ଯ୍ୟମାନେ ପାରସ୍ୟରୁ ହିନ୍ଦୁକୁଶ ପାର ହୋଇ ଭାରତକୁ ପ୍ରବେଶ କରୁଥିଲେ, ସେମାନେ ଲୁହାର ବ୍ୟବହାର ଜାଣିଥିଲେ ।
ଖ୍ରୀ.ପୂ. ୧୦୦୦ ମସିହା ବେଳକୁ ଭାରତର ଉତ୍ତର – ପଶ୍ଚିମାଞ୍ଚଳ, ବିଶେଷ କରି ଗାନ୍ଧାର ଅଞ୍ଚଳରେ ଲୁହାର ବ୍ୟବହାର ହେବାର ପ୍ରମାଣ ମିଳିପାରିଛି । ସେହି ଅଞ୍ଚଳରେ ଜଙ୍ଗଲ ସଫା କରିବାକୁ ଲୁହାର କୁରାଢୀ ବ୍ୟବହୃତ ହୋଇଥିବା ଅନୁମାନ କରାଯାଏ । ଲୁହାର ଅସ୍ତ୍ରଶସ୍ତ୍ର ବ୍ୟବହାର ଦ୍ଵାରା ଆର୍ଯ୍ୟମାନେ ମୂଳ କୃଷ୍ଣକାୟ ଭାରତୀୟମାନଙ୍କୁ ପରାସ୍ତ କଲେ ଏବଂ କୁରାଢୀ ଦ୍ଵାରା ଜଙ୍ଗଲ ସଫାକରି ଅଧିକ ଚାଷୋପଯୋଗୀ ଜମି କରିପାରିଥିଲେ । ତେଣୁ ଲୁହା ଯେ ମନୁଷ୍ୟ ପାଇଁ ଏକାନ୍ତ ଆବଶ୍ୟକ, ଏଥିରେ ଦ୍ଵିରୁକ୍ତି ନାହିଁ । ଆଜିର ଏହି ବିଜ୍ଞାନ ଯୁଗରେ ଲୁହାର ଚାହିଦା ବହୁ ଗୁଣରେ ବଢିଯାଇଛି । ଭାରତ ଏକ ଧାତବ ଲୌହପିଣ୍ଡର ଉତ୍ପାଦନକାରୀ ତଥା ରପ୍ତାନିକାରୀ ଦେଶ ରୂପେ ପରିଚିତ । କାରଣ ଏଠାରେ ଭୂମି ତଳେ ଉଚ୍ଚମାନର ଧାତବପିଣ୍ଡ ଗଚ୍ଛିତ ଅଛି ଏବଂ ଦକ୍ଷ ଖଣିଜ ବିଜ୍ଞାନ ବିଶାରଦମାନେ ମଧ୍ୟ ଏଠାରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ପୃଥିବୀରେ ଭାରତର ସ୍ଥାନ ପୃଷ୍ଠରେ ରହିଛି । ବର୍ତ୍ତମାନ ଖଣିଜପିଣ୍ଡରୁ ମୁଲ୍ୟବାନ ଖଣିଜ ବ୍ୟବହାର କଲା ସମୟରେ ଶତକଡା ୧୦ରୁ ୧୫ ଭାଗ ଧାତବପିଣ୍ଡ ବ୍ୟବହାର କରାଯାଇ ନ ପାରି ସେଗୁଡିକ ବର୍ଜ୍ୟବସ୍ତୁ ରୂପେ ପଡି ରହୁଛି । ସେହି ବର୍ଜ୍ୟବସ୍ତୁଗୁଡିକର ପରିବେଶ ଉପରେ ଅନେକ କୁପ୍ରଭାବ ପଡୁଛି । ତେଣୁ ସେଗୁଡିକର ସଦୁପଯୋଗ କରି କେତେ ଅଧିକ ପରିମାଣରେ ବିନିଯୋଗ କରାଯାଇପାରିବ, ତାହାହିଁ ଏହି ସନ୍ଦର୍ଭର ମୂଳ ଉଦ୍ଦେଶ୍ୟ ।
ଭାରତବର୍ଷରେ ଥିବା ଲୌହପିଣ୍ଡର ମାନ ମଧ୍ୟମ ସ୍ତରର । ଯେଉଁ ହେମାଟାଇଟ ଲୌହପିଣ୍ଡରେ ଲୌହର ପରିମାଣ ଶତକଡା ୫୮ ଭାଗ ଥାଏ, ଆମ ଦେଶରେ ତାହା ଖଣିରୁ ଉତ୍ତୋଳନ କରି ବ୍ୟବହାର ଯୋଗ୍ୟ ପାଇଁ ନିଆଯାଏ । ଆମ ଦେଶରେ ପ୍ରଚୁର ପରିମାଣର ଲୌହପିଣ୍ଡ ଗଚ୍ଛିତ ଅଛି ସତ; କିନ୍ତୁ ଅନ୍ୟାନ୍ୟ ପ୍ରଗତିଶୀଳ ଦେଶରେ ବ୍ୟବହୃତ ହେଉଥିବା ମାରୁତ ଚୁଲାର କାର୍ଯ୍ୟଦକ୍ଷତା ଆମ ଦେଶଠାରୁ ଯଥେଷ୍ଟ ଉଚ୍ଚମାନର ବୋଲି ପ୍ରତିପାଦିତ ହୋଇଛି । ଏହାର ମୁଖ୍ୟ କାରଣ, ଆମ ଦେଶର ଧାତବ ପିଣ୍ଡରେ ଆଲୁମିନା ଏବଂ ବାଲି ପରି ଖାଦର ପରିମାଣ ଅଧିକ ରହିଛି । ବାସ୍ତବରେ ଏହି ଖାଦଦ୍ଵୟର ଅନୁପାତ ଧାତବପିଣ୍ଡରେ ଏକ ଠାରୁ କମ୍ ରହିବା ଆବଶ୍ୟକ । କିନ୍ତୁ ଭାରତର ହେମାଟାଇଟ ଲୌହପିଣ୍ଡର ଏହି ଅନୁପାତଟି ଯଥେଷ୍ଟ ଅଧିକ ଥାଏ (> ୧.୫) । ଲୌହପିଣ୍ଡରେ ଅଧିକ ପରିମାଣରେ ଆଲୁମିନା ରହିଲେ ମାରୁତଚୁଲାର ଯାନ୍ତ୍ରିକ କୌଶଳରେ ଏହାର ପ୍ରଭାବ ପଡିଥାଏ । ଏହାର ପ୍ରତିକୂଳ ପ୍ରଭାବ ଅନେକ ପୁସ୍ତକରେ ଦର୍ଶାଯାଇଛି । ଏକ ହିସାବରୁ ଜଣାଯାଇଛି ଯେ ୧ ଟନ ଉତ୍ତପ୍ତ ଧାତୁ ପାଇବା ପାଇଁ ଆଲୁମିନାର ପରିମାଣ ଯଦି ନିର୍ଦ୍ଧିଷ୍ଟ ପରିମାଣରୁ ୧ ଭାଗ ବଢିଯାଏ, ତେବେ କୋକ୍ ର ପରିମାଣ ନିର୍ଦ୍ଧିଷ୍ଟ ପରିମାଣରୁ ୨୫ ରୁ ୩୦ କେ.ଜି. ବଢିଯିବ । ସେହିପରି ଚୂନପଥର ପରିମାଣ ୩୦ କେ.ଜି. ଏବଂ ଲୌହମଳର ପରିମାଣ ୪୦ କେ.ଜି. ବଢିଯିବ । ଯାହାଦ୍ଵାରା ଧାତୁ ଉତ୍ପାଦନର ପରିମାଣ ଶତକଡା ୪ ଭାଗ କମିଯାଏ । ସେହିପରି ଆଲୁମିନା ପରିମାଣ କମ୍ ଥିଲେ ଉତ୍ପାଦନର ପରିମାଣ ଯଥେଷ୍ଟ ବଢିଯାଏ ।
ଲୌହ ଏବଂ ଇସ୍ପାତ କାରଖାନାର ଚାହିଦା ନିମନ୍ତେ ସାଧାରଣତଃ ନିମ୍ନ ଓ ମଧ୍ୟମ ସ୍ତରର ଧାତବ ପିଣ୍ଡର ଗୁଣାତ୍ମକ ମାନକୁ ବିଭିନ୍ନ ଉପାୟରେ ବଢାଇ ଦିଆଯାଇଥାଏ । ପ୍ରତ୍ୟକ ଲୌହ ଧାତବ ପିଣ୍ଡର ଗୁଣାତ୍ମକ ମାନକୁ ବିଭିନ୍ନ ଉପାୟରେ ବଢାଇ ଦିଆଯାଇଥାଏ । ପ୍ରତ୍ୟକ ଲୌହ ଧାତବ ପିଣ୍ଡର ନିଜସ୍ଵ ଗୁଣ ରହିଛି । ତେଣୁ ପ୍ରତ୍ୟକ ଧାତବ ପିଣ୍ଡ ପାଇଁ ଅଲଗା ଅଲଗା ଶୁଦ୍ଧିକରଣ ପ୍ରକ୍ରିୟା ବ୍ୟବହାର କରାଯାଇଥାଏ । ଧାତବ ପିଣ୍ଡରେ ଥିବା ଖାଦର ପ୍ରକୃତି ଉପରେ ଶୁଦ୍ଧିକରଣ ପ୍ରକ୍ରିୟା ନିର୍ଭର କରିଥାଏ । ଭାରତବର୍ଷରେ ସାଧାରଣତଃ ଶୋଧନ ଏବଂ ବିଭକ୍ତିକରଣ ଉପାୟ ଦ୍ଵାରା ଶୁଦ୍ଧିକରଣ ହୋଇଥାଏ; କିନ୍ତୁ ପୃଥିବୀର ଅନ୍ୟାନ୍ୟ ଦେଶରେ ଉନ୍ନତତର ପ୍ରଣାଳୀ ଯଥା ଚୁମ୍ବକୀୟ ଭାଷମାନ ଓ ସ୍ତମ୍ଭ ଭାଷମାନ ପ୍ରଣାଳୀରେ ସୂକ୍ଷ୍ମତମ କଣିକାଗୁଡିକୁ ପୃଥକ କରାଯାଇଥାଏ । ଭାରତରେ ବ୍ୟବହୃତ ଶୋଧନ ପ୍ରଣାଳୀରେ କେବଳ ଧାତବ ପିଣ୍ଡରେ ଲାଗିଥିବା ସୂକ୍ଷ୍ମ କାଦୁଅ କଣିକାକୁ ଅଲଗା କରିହୁଏ, ଯାହାଦ୍ଵାରା କେବଳ ଶତକଡା ୩୦ ଭାଗ ଖାଦ ଧାତୁପିଣ୍ଡରୁ ବାହାରିଥାଏ । ତେଣୁ ଧାତବ ପିଣ୍ଡରୁ ଖାଦର ପରିମାଣ ଯଥେଷ୍ଟ କମ୍ କରିବା ପାଇଁ ଧାତବ ପିଣ୍ଡରେ ବ୍ୟବହୃତ ହେଉଥିବା ଆଧୁନିକ ପ୍ରଣାଳୀମାନ ବ୍ୟବହାର କରିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଗବେଷଣାଗାରଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ହେମାଟାଇଟ ଧାତବ ପିଣ୍ଡ ଉତ୍ପନ୍ନ କରୁଥିବା ଅଧିକାଂଶ ଲୌହଖଣିରେ ଶୋଧନଗାରମାନ ଥାଏ । ଏହି ଶୋଧନଗାରରୁ (- ୪୦ + ୧୦ ମି.ମି.) ଆକାରର ବଡ ବଡ ଲୌହଖଣ୍ଡ ଏବଂ (- ୧୦ + ୦.୧୫୦ ମି.ମି.) ର ଛୋଟ ଛୋଟ ଲୌହଖଣ୍ଡ ବାହାରିଥାଏ । ସେଗୁଡିକ ଯଥାକ୍ରମେ ମାରୁତ ଚୁଲା ଏବଂ ସିଣ୍ଟରିଂ ପ୍ଳାଣ୍ଟରେ ବ୍ୟବହୃତ ହୋଇଥାଏ । ଏହି ବଡ ଏବଂ ଛୋଟ ଲୌହଖଣ୍ଡଦୁଡିକ ଅତି ସାଧାରଣ ଉପାୟରେ ତିଆରି ହୋଇଥାଏ । ସେଗୁଡିକ ହେଲା – ଖଣ୍ଡ ଖଣ୍ଡ କରିବା, ଧୋଇବା ଏବଂ ଚାଲୁଣି ଦ୍ଵାରା ଭାଗ ଭାଗ କରିବା । ଏହି ହେମାଟାଇଟ ଧାତବ ପିଣ୍ଡର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଏହାକୁ ସାଧାରଣତଃ ଧୁଆଯାଇଥାଏ । ଭାରତରେ ପ୍ରତ୍ୟକ ବର୍ଷ ପ୍ରାୟ ୩୬ ମିଲିଅନ ଟନ ଲୌହ ଧାତବ ପିଣ୍ଡକୁ ଏହିପରି ଧୋଇବା ଦ୍ଵାରା ପ୍ରାୟ ୨୬ ମିଲିଅନ ଟନ ଉତ୍କୃଷ୍ଟ ଧାତବ ପିଣ୍ଡ ମିଳିଥାଏ ଏବଂ ଏହା ଲୁହା ଓ ଇସ୍ପାତ ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଏହି ବିଶୋଧିତ ଧାତବର ବଡ ବଡ ଏବଂ ଛୋଟ ଛୋଟ ଖଣ୍ଡଗୁଡିକ ଇସ୍ପାତ କାରଖାନାକୁ ପଠାଇ ଦିଆଯାଇଥାଏ । କିନ୍ତୁ ଅତି ସୂକ୍ଷ୍ମ କଣିକାଗୁଡିକ, (ଯେଉଁଗୁଡିକ କି ଆକାରରେ ୦.୧୫ ମି.ମି. ଠାରୁ ମଧ୍ୟ ଛୋଟ)ର ଆଜି ପର୍ଯ୍ୟନ୍ତ କୌଣସି ଉପଯୋଗ କରାଯାଇ ପାରିନାହିଁ । ଏଗୁଡିକ ବର୍ଜ୍ୟବସ୍ତୁ ଭାବରେ ଖଣିର ଶେଷଭାଗରେ ଥିବା ପୋଖରୀ ଭଳି ନିମ୍ନସ୍ଥାନରେ ପକାଇ ଦିଆଯାଇଥାଏ । ଏତେ ପରିମାଣର ସୂକ୍ଷ୍ମ କଣିକା ବାହାରିବାର କାରଣ ହେଉଛି ଆମ ଦେଶରେ ଥିବା ଲୌହ ଧାତବ ପିଣ୍ଡଗୁଡିକ ନରମ ଏବଂ ସହଜରେ ଚୂର୍ଣ୍ଣୀଭୂତ ହୋଇଯାଉଥିବା ଯୋଗୁଁ ବିଶୋଧନ ସମୟରେ ଅଧିକ ପରିମାଣର କ୍ଷୁଦ୍ର କଣିକାମାନ ଉତ୍ପନ୍ନ ହୋଇଥାଏ ।
ଦେଖାଯାଇଛି ଯେ ଭାରତରେ ପ୍ରତ୍ୟକ ବର୍ଷ ପ୍ରାୟ ୧୦ ମିଲିଅନ ଟନ ଏହିପରି ସୂକ୍ଷ୍ମ ଲୌହ କଣିକା ସୃଷ୍ଟି ହେଉଛି, ଯେଉଁଥିରେ ଶତକଡା ୫୦ ରୁ ୬୦ ଭାଗ ଲୁହାର ପରିମାଣ ରହିଥାଏ । ଏଥିରେ କିନ୍ତୁ ଅଧିକ ପରିମାଣର ବାଲି ଏବଂ ଆଲୁମିନା ଭାଗ ଥିବାରୁ ଏହା ସିଧାସଳଖ ଲୁହା ଏବଂ ଇସ୍ପାତ ତିଆରିରେ ବ୍ୟବହାର କରାଯାଇପାରୁନାହିଁ । ବିଶେଷ କରି ଏ ପର୍ଯ୍ୟନ୍ତ ଏହାକୁ ବ୍ୟବହାର ଉପଯୋଗୀ ଏବଂ ଏହାର ବ୍ୟବହାର କୌଶଳ ଜଣା ନ ଥିବାରୁ ଏଗୁଡିକ ଏ ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ରୂପରେ ଫୋପାଡି ଦିଆଯାଉଛି । ଏଗୁଡିକ ରଖିବା ପାଇଁ ବହୁତ ସ୍ଥାନ ଦରକାର ହେବା ସହ ଏହା ପରିବେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ।
ପ୍ରାକ୍ କଳନା କରାଯାଇଛି ଯେ ଦେଶରେ ଲୁହାର ଉତ୍ପାଦନ ଅଧିକ ହେବାକୁ ଥିବାରୁ ଲୌହ ଧାତବ ପିଣ୍ଡର ଉତ୍ତୋଳନ ଏବଂ ତଦ୍ଦ୍ଵାରା ସୃଷ୍ଟି ହେଉଥିବା ସୂକ୍ଷ୍ମ ଲୌହ କଣିକାର ପରିମାଣ ମଧ୍ୟ ଆହୁରି ଅଧିକ ହେବ । ଭାରତରେ ଇସ୍ପାତ କାରଖାନା ସଂଖ୍ୟା ବଢିଚାଲିଛି ; ଯାହାପାଇଁ ଉତ୍କୃଷ୍ଟ ଧାତବ ପିଣ୍ଡ ଆବଶ୍ୟକ ହେଉଛି । ଓଡିଶା, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ, ମହାରାଷ୍ଟ୍ର ପରି ପ୍ରଦେଶଗୁଡିକରେ ଇସ୍ପାତ କାରଖାନା ତିଆରି ପାଇଁ ଯୋଜନା ହୋଇଛି । ସେଥିପାଇଁ ସହାୟତା ଓ ଯୋଜନା ମଧ୍ୟ ହୋଇସାରିଛି । କିଛି ବର୍ଷ ମଧ୍ୟରେ ଏଥିପାଇଁ ୩୦୦୦ ବିଲିଅନ ଟଙ୍କାର ଆଞ୍ଚଳିକ ସହାୟତା ମିଳିବାର କଳ୍ପନା କରାଯାଉଛି । ଏହି ପରିପ୍ରେକ୍ଷୀରେ ଦେଶରେ ମଧ୍ୟ ନୂଆ କାରଖାନା ତିଆରି ପାଇଁ ଚୁକ୍ତିପତ୍ର ଧାର୍ଯ୍ୟ ହୋଇଛି । ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ନୂତନ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ କେତେକ ଆନ୍ତର୍ଜାତିକ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଘୋଷଣା କରିସାରିଛନ୍ତି । ଏହାଦ୍ଵାରା ଉତ୍କୃଷ୍ଟ କଞ୍ଚାମାଲର ଆବଶ୍ୟକତା ଆହୁରି ବଢିଯିବ ।
ଆହୁରି ମଧ୍ୟ ଆନୁମାନ କରାଯାଉଛି ଯେ ଇସ୍ପାତ କାରଖାନାଗୁଡିକରେ ଉତ୍ପାଦନ ପ୍ରକ୍ରିୟାରେ ଆଧୂନିକୀକରଣ ଦ୍ଵାରା ଉତ୍ପାଦନର ପରିମାଣ ବଢିଯିବ । ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି ଯେ ୨୦୨୦ ସୁଦ୍ଧା ୨୦୦ ମେଗାଟନ ଇସ୍ପାତ ଉତ୍ପାଦନ ହେବ । ଏହି ଲକ୍ଷ୍ୟ ହାସଲ କରିବାକୁ ଆସନ୍ତା ଦଶନ୍ଧିରେ ଲୌହ ପିଣ୍ଡର ଉତ୍ପାଦନ ୫୦୦ ମିଲିଟନ ହେବାର କଳ୍ପନା କରାଯାଉଛି । ଗୋଟେ ପଟେ ଭାରତର ଲୌହ କାରଖାନା ଗୁଡିକର ସଂଖ୍ୟା ବଢି ଚାଲିଥିବା ବେଳେ ଅନ୍ୟ ପକ୍ଷରେ ଭୂନିମ୍ନସ୍ଥ ଉଚ୍ଚମାନର ଲୌହ ଧାତବ ପିଣ୍ଡର ପରିମାଣ କ୍ରମଶଃ କମି କମି ଆସୁଛି । ଯେତେ ଅଧିକ ଧାତବ ପିଣ୍ଡ ଉତ୍ପାଦନ କରାଯିବ, ସେତେ ଅଧିକ ଲୌହକଣିକା ମଧ୍ୟ ସୃଷ୍ଟି ହେବ । ଏହି ଲୌହ କଣିକାକୁ ଗଚ୍ଛିତ ରଖିବା ଏବଂ ବ୍ୟବହାର କରିବାରେ ଆଗାମୀ ଦିନରେ ବର୍ତ୍ତମାନ ତାହା ବୈଜ୍ଞାନିକମାନଙ୍କ ପାଇଁ ଏକ ଆହ୍ଵାନ ରୂପେ ଠିଆ ହୋଇଛି ।
ଏହି ପରିସ୍ଥିତିରେ ବୈଜ୍ଞାନିକ ପଦ୍ଧତିରେ ଯାନ୍ତ୍ରିକ ପ୍ରକ୍ରିୟା ଦ୍ଵାରା ଆମକୁ ଏହି ବର୍ଜ୍ୟ କ୍ଷୁଦ୍ରତମ ଲୌହ କନିକାରୁ କିଛିଟା ଲୁହା ଆହରଣ ନିମନ୍ତେ ଚେଷ୍ଟା କରିବାକୁ ପଡିବ, ଯାହା ଇସ୍ପାତ ତିଆରିରେ ବ୍ଯବହ୍ରୁତ ହୋଇପାରିବ । ଏହା କରିବା ଦ୍ଵାରା କେବଳ ଯେ ଅଧିକ ଇସ୍ପାତ ଆମେ ପାଇପାରିବା ତାହା ନୁହେଁ, ପ୍ରାକୃତିକ ଖଣିଜ ପଦାର୍ଥର ସଂରକ୍ଷଣ ମଧ୍ୟ ହୋଇପାରିବ ଏବଂ ପରିବେଶ ପ୍ରଦୂଷଣ ମଧ୍ୟ କମିଯିବ । ତେଣୁ ନୂତନ କୌଶଳ ପ୍ରୟୋଗ କରି ଏହି କ୍ଷୁଦ୍ରତମ ଲୌହ କଣିକାକୁ ଉପଯୋଗ କରିବା ଏକାନ୍ତ ଆବଶ୍ୟକ ।
ଭାରତର ବିଭିନ୍ନ ବିଶୋଧନାଗାରରୁ ଉତ୍ପନ୍ନ ହେଉଥିବା ଲୌହ କଣିକାର ପରିମାଣ ସାରଣୀ (୧) ରେ ଦର୍ଶାଯାଇଛି । ଏହି କ୍ଷୁଦ୍ର ଲୌହ କଣିକାରେ କି କି ପ୍ରକାରର ମାନ ରହିଛି, ତାହା ସାରଣୀ (୨) ରେ ଦର୍ଶାଯାଇଛି । ଏହା ଦେଖାଯାଉଛି ଯେ ପ୍ରତ୍ୟକ ଖଣିରୁ ଉତ୍ପାଦିତ ଏହି କ୍ଷୁଦ୍ର କଣିକାର ମାନ ଅନ୍ୟଠାରୁ ପୃଥକ୍ ଅଟେ ।
ଭାରତର ବିଭିନ୍ନ ବିଶୁଦ୍ଧିକରଣ କାରଖାନାରେ ଉତ୍ପାଦିତ ହେଉଥିବା ଲୌହକଣିକା
ବିଶୁଦ୍ଧିକରଣ କାରଖାନା |
ଉତ୍ପାଦନ – ବର୍ଷକୁ ମେ. ଟନ ଆକାରରେ |
ଲୁହା % |
ଦଇତାରି |
୦.୩ |
୬୦.୦ |
ବଇଲାଡିଲା – ୧୪ |
୧.୨ |
୬୨.୮ |
ବଇଲାଡିଲା – ୫ |
୦.୫ |
୬୧.୨ |
ବରସୁଆଁ |
୦.୬ |
୫୨.୫ |
କିରିବୁରୁ |
୧.୬ |
୬୦.୪ |
ଡୋନିମଲାଇ |
୧.୦ |
୫୭.୯ |
ମେଘହାଟୁବୁରୁ |
୦.୬ |
୬୦.୦ |
ବୋଲାନି |
୦.୪ |
୫୯.୮ |
ନୂଆମୁଣ୍ଡି |
୦.୭୫ |
୫୮.୧ |
କୁଦ୍ରେମୁଖ |
୧୫.୦ |
୨୬.୬ |
ବର୍ତ୍ତମାନ ଏହି ବିଶୁଦ୍ଧିକରଣ ପ୍ରକ୍ରିୟାଋ ବନ୍ଦ ଅଛି ।
ସାରଣୀ – ୨
ଲୌହ କଣିକାର ସମ୍ପୂର୍ଣ୍ଣ ରାସାୟନିକ ସଂଗଠନ
ଉପାଦାନ |
ଦଇତାରି |
ବଇଲାଡିଲା |
ବରସୁଆଁ |
କିରିବୁରୁ |
ଡୋନିମଲାଇ |
ମେଘାହାଟୁବୁରୁ |
ବୋଲାନି |
ନୂଆମୁଣ୍ଡି |
ଲୁହା |
୫୯.୮ |
୬୧.୨ |
୫୨.୫ |
୬୦.୩ |
୫୭.୯ |
୫୭.୮ |
୫୯.୩ |
୨୬.୮ |
ସିଲିକା |
୨.୩୦ |
୬.୮୪ |
୭.୮୨ |
୨.୯୬ |
୬.୪୨ |
୪.୦୦ |
୪.୧ |
୫୧.୨ |
ଆଲୁମିନା |
୪.୫୨ |
୨.୮୧ |
୯.୮୮ |
୪.୯୬ |
୬.୨୮ |
୮.୩୦ |
୪.୮ |
୧.୮୨ |
ମାଙ୍ଗାନିଜ ଅକସାଇଡ |
୦.୦୮ |
୦.୮ |
୦.୧ |
୦.୧୨ |
୦.୦୮ |
୦.୦୩ |
୦.୦୩ |
୦.୦୮ |
କ୍ୟାଲସିୟମ ଅକସାଇଡ |
୦.୦୯ |
୦.୧୧ |
୦.୧୧ |
୦.୧୪ |
୦.୧୨ |
୦.୦୮ |
୦.୦୯ |
୦.୧୧ |
ମ୍ୟାଗ୍ନେସିୟମ ଅକସାଇଡ |
୦.୦୬ |
୦.୦୫ |
୦.୦୭ |
୦.୦୭ |
୦.୦୫ |
୦.୦୪ |
୦.୦୬ |
୦.୦୬ |
ଲସ୍ |
୭.୦ |
୨.୩୪ |
୭.୪୦ |
୫.୧୦ |
୩.୯୦ |
୫.୨୦ |
୫.୨ |
୪.୦୫ |
ସାରଣୀରୁ ଅନୁମାନ କରାଯାଇପାରେ କି ଶତକଡା ୫୦ ରୁ ୬୦ ଅଂଶ ଥିବା ଲୌହକୁ ଆମେ ଫୋପାଡି ଦେଇଥାଉ । ଅନ୍ୟ ଦେଶର ଇସ୍ପାତ କୌଶଳକୁ ଲକ୍ଷ୍ୟ କଲେ ଆମେ ଜାଣିପାରିବା ଯେ ପୃଥିବୀର ପ୍ରାୟ ଅଧିକାଂଶ ଦେଶରେ ୩୦ – ୪୦ ଭାଗ ଲୌହପିଣ୍ଡରୁ ଇସ୍ପାତ ତିଆରି ହୋଇଥାଏ । ଯେହେତୁ ସେ ଦେଶର ଲୌହପଥରରେ ଲୁହା ଭାଗ କମ୍, ତେଣୁ ସେମାନେ ଆଧୁନିକ ବିଶୁଦ୍ଧିକରଣ ପ୍ରକ୍ରିୟା ଦ୍ଵାରା ଇସ୍ପାତ ତିଆରି କରିବାକୁ ବାଧ୍ୟ ହୋଇଥାନ୍ତି ; କିନ୍ତୁ ଏହା ଆମ ଦେଶରେ କରାଯାଇ ନ ଥାଏ । ଏସବୁ କ୍ଷୁଦ୍ରତମ କଣିକାର ସଦୁପଯୋଗ ଏକାନ୍ତ ଆବଶ୍ୟକ । ଆମ ଦେଶରେ କ୍ଷୁଦ୍ରତମ ଲୌହ କଣିକାର ଉତ୍ପାଦନ ପ୍ରଣାଳୀ ଚିତ୍ର – ୧ ରେ ଦର୍ଶାଯାଇଛି ।
ଲୌହ କ୍ଷୁଦ୍ର କଣିକାମାନଙ୍କରୁ ଯାନ୍ତ୍ରିକ ପ୍ରକ୍ରିୟା ଦ୍ଵାରା ଲୌହ ଆହରଣ କରିବା ପୂର୍ବରୁ, ଏଥିରେ ମିଶି ରହିଥିବା ସହ ପଦାର୍ଥ ଏବଂ ସେଗୁଡିକର ପୃଥକୀକରଣ ପ୍ରକ୍ରିୟା ବିଷୟରେ ଜାଣିବା ନିହାତି ଆବଶ୍ୟକ । ଲୌହପିଣ୍ଡ କ୍ଷୁଦ୍ରକଣିକାରେ ରହିଛି । ଲୁହା, ବାଲି ଏବଂ ଆଲୁମିନା ସ୍ତର । ଏକ୍ସରେ ଡିଫ୍ରାକସନ ଏବଂ ମାଇକ୍ରୋଗ୍ରାଫିକ ଅନୁସନ୍ଧାନ ପରେ ସେଥିରେ ଥିବା ବିଭିନ୍ନ ଆନୁଷଙ୍ଗିକ ପଦାର୍ଥଗୁଡିକୁ ସାରଣୀ – ୩ରେ ଦର୍ଶାଯାଇଛି । ମୋଟାମୋଟି ଭାବରେ ସବୁଠାରେ ହେମାଟାଇଟ ଓ ଗୋଇଥାଇଟ ଅଧିକ ଥିବାର ଜଣାଯାଇଛି । ବାଲି ଏବଂ ଆଲୁମିନା ମଧ୍ୟ ରହିଛି ; କିନ୍ତୁ ଏହାର ପରିମାଣ ବିଭିନ୍ନ ଖଣିରୁ ଉତ୍ପାଦିତ କ୍ଷୁଦ୍ର କଣିକାରେ ଅଲଗା ପରିମାଣରେ ଥିବା ଲକ୍ଷ୍ୟ କରାଯାଇଛି ।
ଏହା ଛଡା ଉଭୟ ବାଲି ଏବଂ ଆଲୁମିନା, ଯାହାକି ଲୌହର ବିଶୁଦ୍ଧିକରଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ, ତାହା ମଧ୍ୟ ବିଭିନ୍ନ ମାଧ୍ୟମରେ ଲୌହ ସହିତ ସଂଶ୍ଳିଷ୍ଟ ହୋଇଥାଏ । ଉଭୟ ବାଲି ଓ ଆଲୁମିନା ଏବଂ ଲୌହ ସମସ୍ତେ ପୃଥକ ପୃଥକ ଭାବରେ ରହିବା ଦରକାର । କିନ୍ତୁ ଅନେକ ବୈଜ୍ଞାନିକ ପଦ୍ଧତିମାନଙ୍କରୁ ସୂଚନା ମିଳିଥାଏ ଯେ ଏହି ତିନୋଟି ବସ୍ତୁ ପ୍ରାୟ ଅଲଗା ହୋଇନଥାନ୍ତି । କେଉଁ କେଉଁ ଖଣିର ଲୌହ ଭାଗ ଶତକଡା ୫୦ରୁ ୬୦ ଭାଗ ଅଲଗା ଥିଲା ବେଳେ ଆଉ କେତେକ ଖଣିରେ ସେମାନେ ପରସ୍ପର ବାନ୍ଧି ହୋଇ ରହିଥାଆନ୍ତି ।
ଉଦାହରଣ ସ୍ୱରୂପ ବରସୁଆଁ ଖଣିରେ ମିଳୁଥିବା ଲୌହକଣିକା ୭୫ – ୨୧୦ ମାଇକ୍ରୋନସ ଆକାରରେ ଅଲଗା ଥିବା ବେଳେ ବଲାଣି ଖଣିରେ ଏହା ୧୫୦-୪୨୦ ମାଇକ୍ରୋନସ ଆକାରରେ ଅଲଗା ଥାଏ । ଅନେକ ପରୀକ୍ଷା ନିରୀକ୍ଷା ପରେ ଜଣାଯାଇଛି ଯେ ଲୌହପିଣ୍ଡରେ ଲୌହ କଣିକାରୁ ଆଲୁମିନା ଜନିତ ଖଣିକୁ ଅଲଗା କରିବା କଷ୍ଟସାଧ୍ୟ । ଆଉ ଏହି ଖଣିଜ ପ୍ରାୟ ସମସ୍ତ ଲୌହପିଣ୍ଡର କଣିକାରେ ରହିଛି ।
ସାରଣୀ – ୩
ବିଭିନ୍ନ ଲୌହକଣିକାରେ ରହିଥିବା ଖଣିଜ ପଦାର୍ଥ
ବରସୁଆଁ |
ବୋଲାଣି |
ନୂଆମୁଣ୍ଡି |
ଦଇତାରି |
କିରିବୁରୁ |
ହେମାଟାଇଟ |
ହେମାଟାଇଟ |
ହେମାଟାଇଟ |
ହେମାଟାଇଟ |
ହେମାଟାଇଟ |
ଗୋଇଥାଇଟ |
ମାଟ୍ରାଇଟ |
କ୍ଵାର୍ଜ |
ମ୍ୟାଗ୍ନେଟାଇଟ |
ମ୍ୟାଗ୍ନେଟାଇଟ |
କ୍ଵାର୍ଜ |
ଗୋଇଥାଇଟ |
ଗୋଇଥାଇଟ |
ଗୋଇଥାଇଟ |
ଗୋଇଥାଇଟ |
କାଉଲିନାଇଟ |
କ୍ଵାର୍ଜ |
ଗିବସାଇଟ |
ଲିମୋନାଇଟ |
ଲିମୋନାଇଟ |
ଗିବସାଇଟ |
ଗିବସାଇଟ |
କାଓଲିନାଇଟ |
ଗିବସାଇଟ |
କ୍ଵାର୍ଜ |
ମଣ୍ଟୋ – ମୋରିଲୋନାଇଟ |
ମଣ୍ଟୋ – ମୋରିଲୋନାଇଟ |
------ |
କାଓଲିନାଇଟ |
------ |
ଲୌହ ପିଣ୍ଡ କ୍ଷୁଦ୍ର କଣିକାର ସଂଶ୍ଳେଷଣ ପ୍ରକ୍ରିୟା : ଏହି ଲୌହ କଣିକାରେ ମିଶି ରହିଥିବା ଖଣିଜମାନଙ୍କର ସାଧାରଣତଃ ଆପେକ୍ଷିକ ସାନ୍ଧ୍ରତା ଏବଂ ଚୁମ୍ବକୀୟ ଧର୍ମର ଉଲ୍ଲେଖଯୋଗ୍ୟ ବୈସାଦୃଶ୍ୟ ରହିଛି । ତେଣୁ ସାନ୍ଧ୍ରତା ଏବଂ ଚୁମ୍ବକୀୟ ଅଲଗିକରଣ ପ୍ରକ୍ରିୟା ଦ୍ଵାରା ଏହି ଲୌହପିଣ୍ଡର ଲୌହଭାଗ ଉନ୍ନତ କରିହେବ । ଏହାଦ୍ଵାରା ଲୌହଖଣିଜକୁ ମଧ୍ୟ ଅନ୍ୟାନ୍ୟ ଖାଦ ଯଥା ଆଲୁମିନା ଓ ବାଲିଠାରୁ ମୁକ୍ତ କରାଯାଇପାରିବ । ଉପଯୁକ୍ତ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ଭାସମାନ ପ୍ରଣାଳୀଦ୍ଵାରା ମଧ୍ୟ ଏହା ସମ୍ଭବ ହୋଇପାରିବ । ମୋଟାମୋଟି ଭାବରେ ଦେଖିବାକୁ ଗଲେ ଲୌହପିଣ୍ଡର ଭୌତିକ ଏବଂ ରାସାୟନିକ ଧର୍ମକୁ ବିଚାରକୁ ନେଇ ବିଭିନ୍ନ ପ୍ରକ୍ରିୟା ଦ୍ଵାରା ଏଥିରେ ଥିବା ଲୌହ କଣିକାଗୁଡିକର ଉପଯୋଗ ପାଇଁ ପ୍ରୟାସ ହେଉଛି । ସେମାନଙ୍କ ମଧ୍ୟରୁ କେତେଗୁଡିଏ ପ୍ରକ୍ରିୟା ନିମ୍ନରେ ଦର୍ଶାଯାଇଛି ।
ଜଳଚକ୍ର ପ୍ରକ୍ରିୟା : ପରୀକ୍ଷାରୁ ଜଣାଯାଇଛି ଯେ ବିଭିନ୍ନ ଲୌହଖଣ୍ଡଗୁଡିକୁ ବିଭିନ୍ନ ଆକାରର ବିଭକ୍ତ କରାଗଲେ ଜଣାଯିବ ଯେ ବାଲି ଏବଂ ଆଲୁମିନା ଅତି ନିମ୍ନ ଆକାରର ଭାଗରେ ରହିଥାଏ । ତେଣୁ ଲୌହକଣିକାରୁ ଖାଦ ଯଥା ବାଲି ଏବଂ ଆଲୁମିନାକୁ ବାହାର କରିବା ପାଇଁ ଜଳଚକ୍ର ପ୍ରକ୍ରିୟା ବ୍ୟବହାର କରାଯାଏ । ଏହି ପ୍ରକ୍ରିୟାରେ ଜଳଚକ୍ରର ଉପରିଭାଗରେ ଥିବା ଖାଦଗୁଡିକ ବାହାରିଯାଇଥାଏ । ଫଳରେ ଆମେ ଶୁଦ୍ଧ ଲୁହାଭାଗ ପାଇଥାଉ । ଜଳଚକ୍ର ପ୍ରକ୍ରିୟା ବିଭିନ୍ନ ପ୍ରସଙ୍ଗ ଉପରେ ନିର୍ଭର କରିଥାଏ । ଯଥା ତାହାର ବ୍ୟାସ, ଚାପ ଏବଂ ଲୌହକଣିକାର ଖଣିଜ ବିଜ୍ଞାନ । ଉଦାହରଣ ସ୍ୱରୂପ ବୋଲାନୀ ଖଣିର ଲୌହକୁ ୫୮% ରୁ ୬୪ – ୬୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଭିନ୍ନ ଖଣିରୁ ଉତ୍ପନ୍ନ ହେଉଥିବା ସୂକ୍ଷ୍ମ ଲୌହକଣିକାର ଫଳାଫଳ ଚିତ୍ର – ୨ ରେ ଦର୍ଶାଯାଇଛି । ପ୍ରାୟ ସବୁ କ୍ଷେତ୍ରରେ ଦେଖାଯାଇଛି, ଏହାର ଲୌହଭାଗ ୬୦% ଏବଂ ପୁନଃପ୍ରାପ୍ତି ପ୍ରାୟ ୫୦ – ୬୦ ଭାଗ ରହିଥାଏ । ବିଭିନ୍ନ ପରୀକ୍ଷାରୁ ଜଣାଯାଇଛି ଯେ ଅଧିକ ହେମାଟାଇଟ ଥିବା ଲୌହକଣିକାରେ ଜଳଚକ୍ର ପ୍ରକ୍ରିୟା ଦ୍ଵାରା ଅଧିକ ମାତ୍ରାରେ ଲୌହ ଭାଗ ଉଦ୍ଧାର କରାଯାଇଥାଏ । କିନ୍ତୁ ଲିମୋନାଇଟ ଓ ଗୋଇଥାଇଟରେ ଥିବା ଲୌହକଣିକାରେ କମ୍ ଲୌହଭାଗ ଉଦ୍ଧାର କରାଯାଏ ।
ଚୁମ୍ବକୀୟ ଅଲଗୀକରଣ : ଭାରତର ବିଭିନ୍ନ ଲୌହଖଣି ବିଶୋଧନାଗାର ଗୁଡିକରେ ସୃଷ୍ଟି ହୋଇଥିବା କ୍ଷୁଦ୍ରକଣିକାର ଶୁଦ୍ଧିକରଣ ଚୁମ୍ବକୀୟ ଅଲଗୀକରଣ ପ୍ରକ୍ରିୟା ଦ୍ଵାରା ମଧ୍ୟ ସମ୍ଭବ ହୋଇପାରୁଛି । ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ ଯେଉଁ ଖଣିର ଲୌହକଣିକାରେ ହେମାଟାଇଟ ଓ ବାଲିଭାଗ ଅଧିକ ଥାଏ ଏବଂ ଆଲୁମିନା ଭାଗ କମ୍ ଥାଏ । ସେହି କ୍ଷେତ୍ରରେ ଚୁମ୍ବକୀୟ ପ୍ରକ୍ରିୟା ବ୍ୟବହାର କରାଯାଇଥାଏ । କିନ୍ତୁ ଯେଉଁ ଲୌହକଣିକାରେ ଗୋଇଥାଇଟ ଓ କାଦୁଅ ପରିମାଣ ଅଧିକ ଥାଏ, ସେହି କ୍ଷେତ୍ରରେ ଚୁମ୍ବକୀୟ ଅଳଗୀକରଣ ପ୍ରକ୍ରିୟା ଭଲ କାମ ଦେଇ ନ ଥାଏ । ଲୌହ ପିଣ୍ଡରେ ରହିଥିବା ବିଭିନ୍ନ ଖଣିଜ ପଦାର୍ଥର ଚୁମ୍ବକୀୟ ପ୍ରବୃତ୍ତି ସାରଣୀ – ୪ ରେ ଦର୍ଶାଯାଇଛି ।
ସାରଣୀ – ୪
ଭାରତର ବିଭିନ୍ନ ଖଣିଜପଦାର୍ଥ ଲୌହକଣିକାର ଚୁମ୍ବକୀୟ ପ୍ରବୃତି
ବିଭିନ୍ନ ଭାରତର ପଦାର୍ଥ |
ଚୁମ୍ବକୀୟ ପ୍ରବୃତି |
ହେମାଟାଇଟ, |
୫୦୦୦ – ୧୦୦୦୦ |
ଗୋରଥାଇଟ, FeO OH |
୧୦୦୦୦ – ୧୨୦୦୦ |
ଲିମୋନାଇଟ, FeO-OH |
୪୦୦୦ |
ମ୍ୟାଗ୍ନେଟାଇଟ, |
୧୦୦୦ – ୨୦୦୦ |
କୋରୁଣ୍ଡମ |
ବିକର୍ଷଣ |
ଗିବ୍ ସାଇଟ୍ |
ବିକର୍ଷଣ |
ଡାଇଅସ୍ପୋର |
ବିକର୍ଷଣ |
କାଓନିଲାଇଟ |
ବିକର୍ଷଣ |
ଇଲାଇଟ |
ବିକର୍ଷଣ |
ମଣ୍ଟମୋରିଲୋନାଇଟ |
ବିକର୍ଷଣ |
କ୍ଵାର୍ଜ |
ବିକର୍ଷଣ |
ଯେହେତୁ ଚୁମ୍ବକୀୟ ପ୍ରବୃତ୍ତି ଅନ୍ୟ ଖଣିଜପଦାର୍ଥଠାରୁ ଲୌହର ଭିନ୍ନ ଥାଏ, ତେଣୁ ଚୁମ୍ବକୀୟ ଅଲଗିକରଣ ଦ୍ଵାରା ଆମେ ଭଲ ଲୌହଭାଗ ଓ ଲୌହର ପୁନଃପ୍ରାପ୍ତି ପାଇଥାଉ । ଏହି ପ୍ରକ୍ରିୟା ଛତିଶଗଡ ଏବଂ ଗୋଆରୁ ନିର୍ଗତ ହେଉଥିବା ଲୌହ କଣିକାରୁ ଲୌହ ଭାଗକୁ ବୃଦ୍ଧି କରିବାରେ ସଫଳତାର ସହ କାର୍ଯ୍ୟ କରୁଛି । ପରୀକ୍ଷାରୁ ଜଣାଯାଇଛି ଯେ ବାରସୁଆଁ ଖଣିର ନିମ୍ନମାନର ଲୌହ କଣିକାକୁ ଚୁମ୍ବକୀୟ ଅଲଗିକରଣ ପ୍ରକ୍ରିୟାରେ ବିଶୋଧନ କରାଯାଇ ଭଲ ଫଳ ମିଳି ପାରିଛି । ଏହାର ଲୌହପ୍ରାପ୍ତି ଶତକଡା ୫୨ରୁ ୬୩କୁ ବୃଦ୍ଧି କରାଯାଇ ପାରିଛି । ଏହାର ରାସାୟନିକ ସଂଗଠନ, ସାରଣୀ – ୫ରେ ଦର୍ଶାଯାଇଛି । ସେହିପରି ଏହା ମଧ୍ୟ ଦେଖାଯାଇଛି କି ନୂଆମୁଣ୍ଡି ଖଣିର ଲୌହକଣିକାକୁ ଚୁମ୍ବକୀୟ ଅଲଗିକରଣ ଦ୍ଵାରା ଶତକଡା ୫୪ ଭାଗରୁ ଶତକଡା ୬୩ ଭାଗ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିଛି ।
ସାରଣୀ – ୫
ବାରସୁଆଁ କ୍ଷୁଦ୍ର ଲୌହକଣିକାର ଚୁମ୍ବକୀୟ ଅଲଗିକରଣ ଫଳାଫଳ
ଉତ୍ପାଦ |
ଲୌହଭାଗ |
ସିଲିକା % |
ଆଲୁମିନା% |
କ୍ଷୟ ଭାଗ% |
ଚୁମ୍ବକୀୟ |
୬୨.୭ |
୧.୪୪ |
୪.୫୨ |
୪.୯୬ |
ମଧ୍ୟମ |
୫୩.୦ |
୩.୪୫ |
୧୦.୩୦ |
୯.୧ |
ପ୍ରତିଚୁମ୍ବକୀୟ |
୪୭.୨ |
୪.୪୯ |
୧୫.୯୭ |
୧୦.୬୭ |
ମୂଳ ପଦାର୍ଥ |
୫୫.୨ |
୨.୭୧ |
୯.୧୮ |
୭.୩୭ |
ଚୁମ୍ବକୀୟ ଧାରଣ ପ୍ରଣାଳୀ : ଏହା ଏକ ନୂଆ ପ୍ରଣାଳୀ । ଭୁବନେଶ୍ୱରରେ ଥିବା ଖଣିଜ ଏବଂ ପ୍ରଯୁକ୍ତି ପ୍ରତିଷ୍ଠାନାଗାରରେ ଅନୁସନ୍ଧାନ କରି ଦେଖାଯାଇଛି ଯେ ଶୁଦ୍ଧ ଲୌହକଣିକା ଯଥା – ମ୍ୟାଗ୍ନେଟାଇଟ କିମ୍ବା ରାସାୟନିକ ପଦ୍ଦହତି ଦ୍ଵାରା ପ୍ରସ୍ତୁତ ମ୍ୟାଗ୍ନେଟାଇଟ ମିଶାଇଲେ ଚୁମ୍ବକୀୟ ପ୍ରବୃତିର ଗୁଣ ବୃଦ୍ଧି ଘଟିଥାଏ । ଦେଖାଯାଇଛି ଯେ ଏହି ସୂକ୍ଷ୍ମ ମ୍ୟାଗ୍ନେଟାଇଟ ପକାଇବା ଦ୍ଵାରା ଏହା ନିର୍ଦ୍ଧିଷ୍ଟ ବସ୍ତୁ ଉପରେ ପ୍ରଥମେ ଏକ ଆସ୍ତରଣ ସୃଷ୍ଟି କରିଥାଏ । ତାହାପରେ ଏହାକୁ ଚୁମ୍ବକୀୟ ପ୍ରକ୍ରିୟା ଦ୍ଵାରା ଖାଦ ଅଂଶଠାରୁ ଅଲଗିକରଣ କରାଯାଏ । ସୂକ୍ଷ୍ମ ଲୌହ କଣିକାରେ ପରୀକ୍ଷା କରି ଦେଖାଯାଇଛି ଯେ ଏହା କେବଳ ଲୌହଭାଗ ଉପରେ ହିଁ ଆସ୍ତରଣ ସୃଷ୍ଟି କରିଥାଏ ଏବଂ ଏହାର ଚୁମ୍ବକୀୟ ପ୍ରବୃତ୍ତି କରିଥାଏ । ଏହା ମଧ୍ୟ ଦେଖାଯାଇଛି ଯେ ହେମାଟାଇଟ ଖଣିଜ, ଯାହା ସାଧାରଣତଃ ୧୨୦୦୦ – ୧୪୦୦୦ ଚୁମ୍ବକୀୟ ଶକ୍ତିରେ ଅଲଗିକରଣ ହୋଇଥାଏ, ଏହି ପ୍ରକ୍ରିୟା ଦ୍ଵାରା ମାତ୍ର ୮୦୦୦ ଚୁମ୍ବକୀୟ ଶକ୍ତି ଦ୍ଵାରା ଅଲଗା କରାଯାଇପାରିବ । ଏହି ପ୍ରଣାଳୀକୁ ବିଭିନ୍ନ ସୂକ୍ଷ୍ମ ଲୌହ କଣିକାରେ ପ୍ରୟୋଗ କରି ୫୦ରୁ ୫୫ ଭାଗ ଥିବା ଲୌହର ମାନକୁ ଅତି ସହଜରେ ୬୪ – ୬୬୫ ଭାଗ ମାନବୃଦ୍ଧି କରାଯାଇପାରିଛି । ଏହି ପଦ୍ଧତି କେଉଁଭଳି ଭାବରେ କାର୍ଯ୍ୟ କରେ, ତାହା ଚିତ୍ର – ୩ରେ ଦର୍ଶାଯାଇଛି ।
ଭାସମାନ ପ୍ରଣାଳୀ : ଭାସମାନ ପ୍ରଣାଳୀରେ ଲୌହକଣିକା ସହିତ ବିଭିନ୍ନ ଯୁକ୍ତାତ୍ମକ କିମ୍ବା ବିଯୁକ୍ତାତ୍ମକ ବିଶିଷ୍ଟ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ଲୌହ ଅଂଶକୁ ବାଲି ଏବଂ ଆଲୁମିନା ଠାରୁ ଅଲଗା କରାଯାଇଥାଏ । ଭାସମାନ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ, ଯାହାକି ଲୁହା କିମ୍ବା ବାଲି ଓ ଆଲୁମିନାକୁ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ । ପରୀକ୍ଷା ନିରୀକ୍ଷା କରି ଦେଖାଯାଇଛି ଯେ ଶର୍କରା ଅଂଶ ଥିବା ପଦାର୍ଥଗୁଡିକ ଲୌହଅଂଶକୁ ଦବାଇବାରେ ଏବଂ ଆମିନ୍ ପରି ଏକ ରାସାୟନିକ ପଦାର୍ଥ ବାଲିକୁ ବାନ୍ଧି ରଖିବା ପାଇଁ ବ୍ୟବହାର କରାଯାଇଥାଏ । ଏହା ଛଡା ଭାସମାନ ପଦ୍ଧତିରେ ଓଲିକ ଏସିଡ୍, ସଲଫୋନେଟ ଏବଂ ସଲଫେଟ ପରି କେତେକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଇଥାଏ । ବ୍ରାଜିଲ, ଚୀନ ଏବଂ ପୃଥିବୀର ଅନେକ ଦେଶରେ ଥିବା ଖଣିର ଲୌହଖଣ୍ଡରେ ବାଲି ଅଂଶକୁ ଆମିନ୍ ବ୍ୟବହାର କରି ଭାସମାନ ପ୍ରଣାଳୀରେ ଅଲଗା କରି ଲୁହାର ମାନ ବୃଦ୍ଧି ହେଉଥିଲେ ମଧ୍ୟ ଭାରତର ଲୌହ କଣିକାରେ ଏହାର ବ୍ୟବହାର କଷ୍ଟସାଧ୍ୟ ହୋଇଥାଏ । ଏହାର କାରଣ ଭାରତୀୟ ଲୌହଖଣ୍ଡ ଆଲୁମିନାଯୁକ୍ତ । ସୂକ୍ଷ୍ମ ଲୌହକଣିକାରେ ହେମାଟାଇଟ ଭାଗଠାରୁ ଗୋଇଥାଇଟ, ଲିମୋନାଇଟ ଏବଂ କାଦୁଅର ଭାଗ ଅଧିକ ଥାଏ । ପରୀକ୍ଷା କରି ଜଣାଯାଇଛି ଯେ ଓଲିକ୍ ଏସିଡ୍ ବ୍ୟବହାର କରି ସୂକ୍ଷ୍ମ ଲୌହ କଣିକାର ମାନବୃଦ୍ଧି କରାଯାଇପାରୁଛି । ଏହା ଦେଖାଯାଇଛି ଯେ ଭାସମାନ ପଦ୍ଧତି ପ୍ରୟୋଗ କରି ଶତକଡା ୫୭ ଭାଗ ଲୌହରୁ ଶତକଡା ୬୫ ଭାଗ ଲୌହପ୍ରାପ୍ତି କରିହେଉଛି । ଭାସମାନ ପଦ୍ଧତି ଅପେକ୍ଷା ସ୍ତମ୍ଭ ଭାସମାନ ପଦ୍ଧତି ଅତି ଉଚ୍ଚକୋଟୀର । ଏହାର କାରଣ ହେଲା, ଏହା ସାଧାରଣ ଭାସମାନ ପଦ୍ଧତି ଅପେକ୍ଷା କ୍ଷୁଦ୍ର ଫୋଟକା ସୃଷ୍ଟି କରିଥାଏ । ଏଠାରେ ଅଲଗା ଧୋଇବା ପ୍ରକ୍ରିୟା ସୃଷ୍ଟିକରି ଲୌହ କଣିକାର ମାନ ବୃଦ୍ଧି କରାଯାଇପାରିଛି । ଏହି ପ୍ରଣାଳୀଟି ମଧ୍ୟ ଖଣିଜ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନରେ ଉଦ୍ଭାବନ କରାଯାଇଛି । ବର୍ତ୍ତମାନ ଏହି ଶୁଦ୍ଧିକରଣ ପ୍ରକ୍ରିୟା ଜିନ୍ଦଲ, ଟାଟା ଓ ଯେ.ଏସ୍.ପି.ଏଲ୍. ଖଣିରୁ ନିର୍ଗତ ହେଉଥିବା ସୂକ୍ଷ୍ମ କଣିକାରେ ବ୍ୟବହାର ହେବାକୁ ଯାଉଛି ।
ସମସ୍ୟା ଏବଂ ତାହାର ସମାଧାନ : ସୂକ୍ଷ୍ମ ଲୌହକଣିକାର ଉତ୍ପନ୍ନ ଯୋଗୁଁ ସାଧାରଣ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଖଣିରୁ ଉତ୍ପାଦନ କରିବା ସମୟରେ ଏହି ସୂକ୍ଷ୍ମ କଣିକାଗୁଡିକ ବାୟୁମଣ୍ଡଳରେ ମିଶି ବାୟୁକୁ ପ୍ରଦୂଷିତ କରିଥାଆନ୍ତି । ତେଣୁ ଏହି ସ୍ଥାନରେ ରହୁଥିବା ଲୋକମାନେ ଶ୍ଵାସଜନିତ ହୃଦ୍ ଘାତ ପ୍ରଭୃତି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଏହି ସୂକ୍ଷ୍ମ ଲୌହକଣିକାଗୁଡିକ ବର୍ଷା ଜଳ ସହ ମିଶି ଆଖପାଖ ନାଳ, ନଦୀ ଏବଂ ପୁଷ୍କରିଣୀରେ ପଡି ସେହି ଜଳକୁ ଦୂଷିତ କରିଥାଆନ୍ତି । କଣିକାଗୁଡିକୁ ସ୍ଵତନ୍ତ୍ର ଭାବରେ ତିଆରି ହୋଇଥିବା ଏକ ପୋଖରୀ କିମ୍ବା ଖାଲ ଜାଗାରେ ପକାଇ ଦିଆଗଲେ ଆସ୍ତେ ଆସ୍ତେ ଏହି ଜଳଯୁକ୍ତ କ୍ଷୁଦ୍ରକଣିକାଗୁଡିକର ଜଳୀୟଅଂଶ ତଳକୁ ଯାଇ ଭୂତଳ ଜଳକୁ ମଧ୍ୟ ଅଶୁଦ୍ଧ କରିଥାଏ । ଯାହା ଫଳରେ ନିକଟବର୍ତ୍ତୀ ଅଞ୍ଚଳର ପରିବେଶ, ଗଛପାତ୍ର ଏବଂ ପଶୁପକ୍ଷୀଙ୍କ ଉପରେ ଅନେକ ପ୍ରଭାବ ପକାଇଥାଏ । ଏହା ଦେଖାଯାଇଛି ଯେ ଲୌହପିଣ୍ଡକୁ ବିଶୋଧନ କଳା ବେଳେ ସେଥିରୁ ସୃଷ୍ଟି ହେଉଥିବା କ୍ଷୁଦ୍ର କଣିକାକୁ ପୋଖରୀ ଆକାରର ଜାଗାରେ ରଖିବା ଏକ ବଡ ସମସ୍ୟା ହୋଇ ଠିଆହୋଇଛି । ବାନ୍ଧି ରଖିବା ପାଇଁ ଏକ ନୂତନ ପୋଖରୀ ତିଆରି କରିବା ଅତ୍ୟନ୍ତ ଖର୍ଚ୍ଚସାପେକ୍ଷ । ଦିନକୁଦିନ ଏହି କ୍ଷୁଦ୍ର କଣିକାର ପରିମାଣ ବୃଦ୍ଧି ଘଟିବା ହେତୁ ସଂରକ୍ଷଣ କରିବା ନିମନ୍ତେ ସ୍ଥାନର ଅଭାବ ପରିଲକ୍ଷିତ ହେଉଅଛି ।
ଏସବୁ ସମସ୍ୟାର ଗୋଟିଏ ସମାଧାନ ହୋଇପାରିବ, ଯଦି ବୈଜ୍ଞାନିକ ଉପାୟରେ ଏହି ଲୌହ କଣିକାକୁ ଆମେ ଉପଯୁକ୍ତ ଭାବରେ ବ୍ୟବହାର କରିପାରିବା । ଲୌହ ଓ ଇସ୍ପାତ ବ୍ୟବହାରରେ ଯଦି ଶତକଡା ୫୦ରୁ ୬୦ ଭାଗ ବ୍ୟବହାର କରିପାରନ୍ତେ, ତେବେ ଆମ ଇସ୍ପାତ କାରଖାନାଗୁଡିକରେ ଆଗକୁ ଥିବା କଞ୍ଚାମାଲର ଅଭାବ କିଛିଟା ଅନ୍ତତଃ ପୂରଣ କରାଯାଇପାରନ୍ତା । ଆଗକୁ ଆମକୁ ଉନ୍ନତ ଧରଣର ବାଇଦୟାନିକ ପ୍ରଣାଳୀ ବ୍ୟବହାର କରିବାକୁ ପଡିବ । ଯାହାଦ୍ୱାରା ଅଳ୍ପ ଖର୍ଚ୍ଚରେ ଏହି ଲୌହ କଣିକାରେ ସଦୁପଯୋଗ ହୋଇପାରିବ । ଏହା ଏକ ଜରୁରୀ ପଦକ୍ଷେପ । ଇସ୍ପାତ ତିଆରିରେ ବ୍ୟବହାର ଛଡା ଆମେ ଏହି ଲୌହ କଣିକାକୁ ଅନ୍ୟ ବର୍ଜ୍ୟବସ୍ତୁ ସହ ମିଶାଇ ଇଟା ତିଆରି କରି ଘର କାମରେ ବ୍ୟବହାର କରିପାରିବା । ଆଧୁନିକ ପ୍ରଣାଳୀରେ ଦେଖାଯାଇଛି ଯେ ଏହାର କିଛି ଅଂଶ ସିମେଣ୍ଟ ତିଆରିରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ସୂକ୍ଷ୍ମ କଣିକାରେ ବାନ୍ଧି ରଖିବାର କ୍ଷମତା ରହିଛି । ତେଣୁ ଏହାର ମଧ୍ୟ ସଦୁପଯୋଗ ହେବା ନିତାନ୍ତ ଆବଶ୍ୟକ । ବୈଜ୍ଞାନିକମାନେ ନିଜର ସାଧନା ବଳରେ ଅନେକ ଅସାଧ୍ୟ କାର୍ଯ୍ୟର ସମାଧାନ କରିପାରିଛନ୍ତି । ତେଣୁ ଏହି ଲୌହ କଣିକାକୁ ବ୍ୟବହାର ଉପଯୋଗୀ କରି ପରିବେଶକୁ ଏହାର ପ୍ରଦୂଷଣରୁ ମୁକ୍ତ ରଖିବାପାଇଁ ଅଭିନବ ବୈଜ୍ଞାନିକ ପ୍ରଣାଳୀ ଯେ ନିଶ୍ଚୟ ଆଗକୁ ଆସିବା, ଏଥିରେ ସନ୍ଦେହ ନାହିଁ । ଆଜି ଏହା ଏକ ବର୍ଜ୍ୟବସ୍ତୁ ; କିନ୍ତୁ କାଲି ଏହା ଏକ ସମ୍ପତ୍ତି ରୂପେ ପରିଗଣିତ ହେବ । ଏହାଦ୍ଵାରା ଏକ ଜାତୀୟ ସମ୍ପତ୍ତିର ସୁରକ୍ଷା ହୋଇପାରିବ, ଏଥିରେ କୌଣସି ସନ୍ଦେହ ନାହିଁ ।
ଉପସଂହାର : ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ଜଣାଯାଇଛି ଯେ ବିଭିନ୍ନ ଖଣିରୁ ବାହାରୁଥିବା ଲୌହ କଣିକାମାନ ଅତ୍ୟନ୍ତ ସୂକ୍ଷ୍ମ ; କିନ୍ତୁ ଏଠାରେ ପ୍ରାୟ ଶତକଡା ୫୦ – ୬୦ ଭାଗ ଲୌହ ଅଂଶ ରହିଥାଏ । ଗବେଷଣାରୁ ଜଣାଯାଇଛି ଯେ ଏହା ସାଧାରଣତଃ ଜଳଚକ୍ର ପ୍ରକ୍ରିୟା, ଭାସମାନ ପ୍ରକ୍ରିୟା, ଚୁମ୍ବକୀୟ ଅଲଗିକରଣ ଏବଂ ସ୍ତମ୍ଭ ଭାସମାନ ପ୍ରକ୍ରିୟା ଦ୍ଵାରା ଲାଭବାନ ଉପାୟରେ ସେଥିରୁ ଅତି ଉଚ୍ଚମାନର ଲୌହ ସଂଗ୍ରହ କରାଯାଇପାରିବ । ଏହାଦ୍ଵାରା ଲୌହ ଭାଗର ପରିମାଣ ମୋଟାମୋଟି ୬୧ – ୬୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ଏବଂ ଏହା ଆଗକୁ ଗଢି ଉଠୁଥିବା ଇସ୍ପାତ ଶିଳ୍ପରେ ଯେ ଏକ କଞ୍ଚାମାଲ ରୂପେ ବ୍ୟବହାର କରାଯାଇପାରିବ, ଏଥିରେ କୌଣସି ଦ୍ଵିରୁକ୍ତି ନାହିଁ । ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଲୌହ କଣିକାରୁ କେଉଁଭଳି ଭାବରେ ଉଚ୍ଚ ମାନବିଶିଷ୍ଟ ଲୌହଭାଗ ଉଦ୍ଧାର କରାଯିବ ଏବଂ ଏଥିରୁ ନିର୍ଗତ ହେଉଥିବା ଖାଦ ଅଂଶ କେଉଁ ଭଳି ଭାବରେ ଆମର ହିତ ପାଇଁ ବ୍ୟବହାର କରାଯାଇପାରିବ, ସେଥିପାଇଁ ଯତ୍ନବାନ ହେବା ନିହାତି ଆବଶ୍ୟକ ।
ସଂଗୃହୀତ – ଡକ୍ଟର ବିଶ୍ଵେଶ୍ଵର ଦାଶ, IMMT
Last Modified : 12/7/2019