ହୋମ / ଶକ୍ତି / ଶ୍ରେଷ୍ଠ ପ୍ରଚଳନ / ଭାରତୀୟ ଗବେଷଣାଗାର ସୁପରିଚାଳନା
ସେଆର କରନ୍ତୁ

ଭାରତୀୟ ଗବେଷଣାଗାର ସୁପରିଚାଳନା

ଭାରତୀୟ ଗବେଷଣାଗାର ସୁପରିଚାଳନା ର ସୂଚନା

ଉପକ୍ରମ

ଭାରତୀୟ ଗବେଷଣାଗାର କହିଲେ ମୁଖ୍ୟତଃ ଦେଶର ଚାରୋଟି ପ୍ରମୁଖ ଗବେଷଣା ସଂଗଠନକୁ ଇଙ୍ଗିତ କରେ  । ସେଗୁଡିକ ହେଲା  - ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ , ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ , ଭାରତୀୟ ମହାକାଶ ଗବେଷଣା ସଂଗଠନ ଓ ଭାବା ଆଣବିକ ଗବେଷଣା କେନ୍ଦ୍ର  । ଏତତବ୍ୟତୀତ ବିଭିନ୍ନ ବିଶ୍ଵବିଦ୍ୟାଳୟ ତଥା ରାଜ୍ୟ ସରକାରନାକ ଦ୍ଵାରା ପରିଚାଳିତ ଅନେକ ଗବେଷଣାଗାର ମଧ୍ୟ ରହିଛି    ।  ମୁଖ୍ୟ ଗବେଷଣା ସଂଗଠକମାନଙ୍କ ମଧ୍ୟରେ ଆଇ ଏସ ଆର ଓ ବା ଇସ୍ରୋର ଗବେଷଣା ବିଷୟ ମହାକାଶ ଗବେଷଣା ତଥା ଉତକ୍ଷେପଣ ପ୍ରଯୁକ୍ତି ବିଦ୍ୟା ଆଦିରେ କ୍ରିଯାଶୀଳ   ।  ବି ଏ ଆର ସି , ସେହିପରି ଆଣବିକ ଗବେଅନା ଓ ସାର୍ବଜନୀନ କ୍ଷେତ୍ରରେ ଆଣବିକ ଶକ୍ତି ର ଉପଯୋଗ ଉପରେ ପ୍ରାଥମିକ ଗୁରୁତ୍ଵ ପ୍ରଦାନ କରେ   ।  ଡି ଆର ଡି ଓ  ର ଗବେଷଣା ବିଷୟବସ୍ତୁ ଅନେକ  ଭାବରେ ପ୍ରସାରିତ ଓ ଏଥିରେ ମୁଖ୍ୟତଃ ପ୍ରତିରକ୍ଷା ସମ୍ବନ୍ଧୀୟ ଜ୍ଞାନକୌଶଳର ବିକାଶ ଅଗ୍ରାଧିକାର ଲାଭ କରିଥାଏ   ।  ଏମାନଙ୍କ ତୁଳନାରେ ସି ଏସ ଆଇ ଆର ର ଗବେଷଣା ପରିସର ଭିତରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରାୟ ଆଧିକାଂଶ ବିଷୟ ସ୍ଥାନ ଲାଭ କରିଛନ୍ତି ଏବଂ ସାରା ଦେଶରେ ୩୭ ଟି ଗବେଷଣାଗାର ପ୍ରତିଷ୍ଠିତ ହୋଇ କାର୍ଯ୍ୟ କରୁଛନ୍ତି   ।

ଗବେଷଣାର ଶ୍ରେଣୀ ବିଭାଗ

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଗବେଷଣାକୁ ସାଧାରଣତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଏ  , ଯଥା  - ମୌଳିକ ଗବେଷଣା  , ପ୍ରୟୋଗାତ୍ମକ ଗବେଅନା ଓ ବିକାଶମୂଳକ ଶୈଳ୍ପିକ ଗବେଷଣା   । ମୌଳିକ ଗବେଷଣା କୌଣସି ପ୍ରାକୃତିକ ପ୍ରକ୍ରିୟା ସଂପର୍କରେ ଅନୁଧ୍ୟାନ ଓ ସେଥିରୁ ନୂତନ ତଥ୍ୟର ଉନ୍ମୋଚନ ଦିଗରେ କାର୍ଯ୍ୟ କରେ   । ଏଥିରୁ ଯେଉଁ ତତ୍ଵ ଆବିଷ୍କୃତ ହୁଏ ଏବଂ ତଥ୍ୟ ଆହରିତ ହୁଏ , ତାହାର ବ୍ୟବହାରିକତା ଉପରେ ଅନୁଧ୍ୟାନ ପ୍ରୟୋଗାତ୍ମକ ଗବେଷଣାଗାର ପରିସରଭୁକ୍ତ   । ବିକାଶମୂଳକ ଶୈଳ୍ପିକ ଗବେଷଣା ପୂର୍ବୋକ୍ତ ଦୁଇ ଗବେଷଣାଲବ୍ଧ ଜ୍ଞାନ ଓ ଅନୁଭୂତିକୁ ବ୍ୟବହାର କରି ନୂତନ ପଦ୍ଧତି (ପ୍ରୋସେସ ) ଓ ପ୍ରଯୁକ୍ତି (ଟେକନୋଲୋଜି) ଉଦ୍ଭାବନ କରେ  ।  ଏହି ଉଦ୍ଭାବିତ ଜ୍ଞାନକୌଶଳ ନିଜର ପ୍ରାସଙ୍ଗିକତା ଭିତ୍ତିରେ ସମାଜର ଉତ୍ପାଦନ କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ହୁଏ   ।

ମୌଳିକ /ପ୍ରୋୟୋଗାତ୍ମକ ଗବେଅନା ସାଧାରଣତଃ ସେଥିପାଇଁ ସୁନିର୍ଦ୍ଧିଷ୍ଟ ଗବେଷଣାଗାର ତଥା ବିଭିନ୍ନ ବିଶ୍ଵବିଦ୍ୟାଳୟ ମାଧ୍ୟମରେ ସଂଗଠିତ ହୁଏ   । ଶୈଳ୍ପିକ ଗବେଷଣା ପ୍ରତିଷ୍ଠାନମାନଙ୍କରେ ମଧ୍ୟ ମୌଳିକ/ପ୍ରୟୋଗାତ୍ମକ ଗବେଷଣାର ଆବଶ୍ୟକତା ଏଡାଇ ଦେଇ ହୁଏ ନାହିଁ  । କାରଣ , ପଦ୍ଧତି ଓ ପ୍ରଯୁକ୍ତି ସମ୍ବନ୍ଧିତ ଯେଉଁସବୁ ପ୍ରକଳ୍ପ ଏପରି ସଂସ୍ଥାର କାର୍ଯ୍ୟକାରୀ ହୁଏ , ସେଥିପାଇଁ ନିର୍ଦ୍ଧିଷ୍ଟ ବିଷୟ ଉପରେ ମୌଳିକ ତଥା ପ୍ରୟୋଗାତ୍ମକ ଗବେଅନା ଆବଶ୍ୟକ ହୁଅନ୍ତି   । ମୌଳିକ ଗବେଷଣା ଗବେଷଣାଗାରର ବୈଜ୍ଞାନିକମାନଙ୍କ ଜ୍ଞାନର ଗୁଣାତ୍ମକ ଅଭିବୃଦ୍ଧି ସାଧନ କରିଥାଏ ଓ ଗବେଷଣାର ଭିତ୍ତିଭୂମିକୁ ସୁଦୃଢ କରିଥାଏ   ।  ଏହି ପରିପ୍ରେକ୍ଷୀରେ ଶୈଳ୍ପିକ ଗବେଷଣାଗାର ଗୁଡିକୁ ଗବେଷଣା ଓ ବିକାଶ (ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ) ସଂସ୍ଥା ଭାବେ ଚିହ୍ନିତ କରାଯାଏ   । ଏପରି ଗବେଷଣାଗାରମାନଙ୍କ ପରିଚାଳନା ସବୁବେଳେ ଏକ ଆହ୍ଵାନ ଭାବେ ଆସେ   । କାରଣ , ସେ କ୍ଷେତ୍ରରେ ଭିନ୍ନ ଭିନ୍ନ ବିଭାବର ସମନ୍ଵୟ ଆବଶ୍ୟକ ହୋଇଥାଏ   ।

ପରିଚାଳନାର ମୁଖ୍ୟ ବିଭାବ  :- କୌଣସି ବ୍ୟବସାୟିକ ସଂସ୍ଥା  , କଳକାରଖାନା ବା ସରକାରୀ/ବେସରକାରୀ ଦପ୍ତରର ପରିଚାଳନା ତୁଳନାରେ ଏକ ଗବେଷଣାଗାରର ପରିଚାଳନା ରେ ତତ୍ଵଗତ ତଥା ଗୁଣାତ୍ମକ ପାର୍ଥକ୍ୟ ରହିଛି   ।  କାରଣ ଗବେଷଣାଗାରର ଏକ ସୃଜନଶୀଳ ପ୍ରକ୍ରିୟାର ନିୟନ୍ତ୍ରଣ କରାଯାଏ   । ଗୋଟିଏ ଗବେଷଣାଗାର ପୃଥିବୀର ଯେ କୌଣସି ସ୍ଥାନରେ ପ୍ରତିଷ୍ଠିତ ହୋଇଥାଉ ନା କାହିଁକି , ତାର ପରିଚାଳନା ପାଇଁ କେତେକ ସାଧାରଣ ନିୟମ ଓ ସୂତ୍ର ରହିଛି   । ଯେଉଁସବୁ ମୁଖ୍ୟ ବିଭାବ ଗବେଷଣାଗାର ପରିଚାଳନାକୁ ପ୍ରଭାବିତ କରିଥାନ୍ତି , ସେଗୁଡିକ ହେଲା  :-

  • ଗବେଷଣାଗାରର ଦ୍ରୁଷ୍ଟି ଓ ଲକ୍ଷ୍ୟ (ଭିଜନ ଓ ମିସନ)
  • କୌଶଳଗତ ଯୋଜନା ଓ କାର୍ଯ୍ୟକାରୀ ଯୋଜନା
  • ଗବେଷଣାର ବିଭାଗ ଓ ପ୍ରକଳ୍ପ ପରିଚାଳନା
  • ଗବେଷଣାର ସମ୍ବଳ
  • ନେତୃତ୍ଵ
  • ଭବିଷ୍ୟତ ପାଇଁ ଯୋଜନା ଓ ପରିବର୍ତ୍ତନ – ପରିଚାଳନା

ଦ୍ରୁଷ୍ଟି ଓ ଲକ୍ଷ୍ୟ  :- ଏକ ଗବେଷଣାଗାର ପାଇଁ ତାର ଦ୍ରୁଷ୍ଟି ବା ଭିଜନ ହେଉଛି  - ପ୍ରତିଷ୍ଠାନ ଟି କଣ ହେବାକୁ ଚାହେଁ ଓ କିପରି ଭାବରେ ଏହା ସାମାଜିକ କ୍ଷେତ୍ରକୁ ପ୍ରଭାବିତ କରିବ , ତାହାର ଏକ ପରିପ୍ରକାଶ  । ଦ୍ରୁଷ୍ଟି ଭିତରେ ଏପରି କିଛି ଆହ୍ଵାନ ରହିଥାଏ  , ଯାହା ପ୍ରତିଷ୍ଠାନର କାର୍ଯ୍ୟକ୍ରମକୁ ଅନୁପ୍ରେରିତ କରେ   । ଅନ୍ୟ ପକ୍ଷରେ ଲକ୍ଷ୍ୟ ବା ମିସନ ଗବେଅନାଗାରର ଉଦ୍ଦେଶ୍ୟକୁ ସଂଜ୍ଞାୟିତ କରେ  ।  ଏହା କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଏକ ମାର୍ଗଦର୍ଶକ ସଦୃଶ   । ଗବେଷଣାଗାରର ବିଭିନ୍ନ କାର୍ଯ୍ୟକ୍ରମକୁ ଏହା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ   । ସୁପରିଚାଳନା ସକାଶେ ଏକ ଗବେଷଣାଗାରର ଦ୍ରୁଷ୍ଟି ଓ ଲକ୍ଷ୍ୟ ଖୁବ ପ୍ରାଞ୍ଜଳ ଭାବେ ପ୍ରକାଶିତ ହେବା ଆବଶ୍ୟକ   ।

କୌଶଳଗତ ଯୋଜନା ଓ କାର୍ଯ୍ୟକାରୀ ଯୋଜନା  : - ଗବେଷଣା ପ୍ରତିଷ୍ଟନ ଲକ୍ଷ୍ୟ ଅନୁଯାୟୀ ତାର କୌଶଳଗତ ଯୋଜନା ସ୍ଥିରୀକୃତ ହୋଇଥାଏ  । ପ୍ରତିଷ୍ଠାନ କିପରି ତାର ଲକ୍ଷ୍ୟ ସାଧନ କରିପାରିବ ସେ ଦିଗରେ ନିଜର କୃତିତ୍ଵ ପ୍ରଦର୍ଶନ କରିବ ,  ଏହା କୌଶଳଗତ ଯୋଜନାରେ ପ୍ରତିଫଳିତ ହୋଇଥାଏ   ।  ଏପରି ଯୋଜନା  ୩ ବର୍ଷ , ୫ ବର୍ଷ ,ବା  ୧୦ ବର୍ଷ ପାଇଁ କରାଯାଇପରେ   । କୌଶଳଗତ ଯୋଜନାକୁ କାର୍ଯ୍ୟକାରୀ କରିବା ଯେଉଁସବୁ ଉପାୟ ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଏ , ତାହା କାର୍ଯ୍ୟକାରୀ ଯୋଜନା ଅନ୍ତର୍ଭୁକ୍ତ   । ଏଥିରେ ଗବେଷଣାଗାରର ବିଶେଷଜ୍ଞ ଦଳ , ପ୍ରଶାସନ ତଥା ଅନ୍ୟ ସହଯୋଗୀ ବିଭାଗ ସମ୍ପୃକ୍ତି ରହନ୍ତି   । କାର୍ଯ୍ୟକାରୀ ଯୋଜନା ମାଧ୍ୟମରେ ଗବେଷଣାର ବାହାର ସଂସ୍ଥାମାନଙ୍କ ସହିତ ସଂପର୍କ ରକ୍ଷା କରିଥାଏ   ।

ଗବେଷଣା ବିଭାଗ ଓ ପ୍ରକଳ୍ପ ପରିଚାଳନା  :- କୌଶଳଗତ ଯୋଜନା ଓ କାର୍ଯ୍ୟକରି ଯୋଜନାକୁ କ୍ରିୟାଶୀଳ କରିବା ପାଇଁ ଏକ ଗବେଷଣା ପ୍ରତିଷ୍ଠାନର ବିଭାଗୀକାରଣ ଆବଶ୍ୟକ ହୁଏ   ।  ଗବେଷଣାଗାର ପରିଚାଳନା ଏକ ଜଟିଳ ପ୍ରକ୍ରିୟା ହୋଇଥିବା ଯୋଗୁଁ ଏହାକୁ ସୁଗମ କରିବା ପାଇଁ ସାଧାରଣତଃ ବିଷୟବସ୍ତୁ ଓ କାର୍ଯ୍ୟଭିତ୍ତିରେ ଅନେକ ବିଭାଗ ସୃଷ୍ଟି କରାଯାଇଥାଏ   । ପ୍ରତ୍ୟେକ ଗବେଷଣା ବିଭାଗରେ ନିର୍ଦ୍ଧିଷ୍ଟ ବିଶେଷଜ୍ଞତା ସମ୍ପର୍ଣ୍ଣ ବୈଜ୍ଞାନିକମାନେ ସମ୍ମିଳିତ ହୋଇ କାର୍ଯ୍ୟ କରନ୍ତି   । ଯାହାଫଳରେ ନିର୍ଦ୍ଧିଷ୍ଟ ବିଷୟ ଉପରେ ଅଧିକ ପାରଦର୍ଶିତା ହାସଲ କରିବା ସମ୍ଭବ ହୁଏ   ।  ଗୋଟିଏ ଗବେଷଣା ବିଭାଗରେ କେତେଜଣ ବୈଜ୍ଞାନିକ କାମ କରିବେ , ତାହା ଗବେଷଣାଗାରର ଲକ୍ଷ୍ୟ ବା ମିସନ ଉପରେ ନିର୍ଭର କରେ   । ଗୋଟିଏ ବିଭାଗରେ ଖୁବ କମ ଅଧିକ ବିଶେଷଜ୍ଞ କାର୍ଯ୍ୟ କରିବା ସୁଫଳ ଦେଇପାରେ ନାହିଁ  ।

ଗୋଟିଏ ଗବେଷଣା ଓ ବିକାଶ (ଆର ଆଣ୍ଡ ଡି)  ପ୍ରତିଷ୍ଠାନରେ ବିକାଶମୂଳକ ଗବେଷଣା ଅଗ୍ରାଧିକାର ପାଇଥାଏ   । କାରଣ ଏହା ପ୍ରତିଷ୍ଠାନର ଲକ୍ଷ୍ୟ ସହିତ ସମ୍ପୃକ୍ତ  ।ସେହି ତୁଳନାରେ ମୌଳିକ ଓ ପ୍ରୟୋଗାତ୍ମକ ଗବେଷଣା ଗୁରୁତ୍ଵ ପାଇବ , ତାହା ପରିଚାଳନାଗତ ଦୂରଦ୍ରୁଷ୍ଟି ଦ୍ଵାରା ପ୍ରତିଫଳିତ ହୁଏ  ।  ବିଭିନ୍ନ ଶ୍ରେଣୀର ଗବେଷଣା ଭିତରେ ଅନୁପାତ ସାଂପ୍ରତିକ ଓ ଭବିଷ୍ୟତର ଆବଶ୍ୟକତାକୁ ଦ୍ରୁଷ୍ଟିରେ ରାଖୀ ସ୍ଥିର କରାଯାଇଥାଏ  ।  ମୌଳିକ ଓ ପ୍ରୟୋଗାତ୍ମକ ଗବେଷଣା ପ୍ରକଳ୍ପଗୁଡିକ ସାଧାରଣତଃ ସମ୍ପୃକ୍ତ ଗବେଷଣା ବିଭାଗ ଭିତରେ କାର୍ଯ୍ୟ କରନ୍ତି  ।  ଅନ୍ୟ ପକ୍ଷରେ ବିକାଶମୂଳକ ଶୈଳ୍ପିକ ଗବେଷଣା ପ୍ରକଳ୍ପମାନଙ୍କ ପରିସର ଅଧିକ ବିସ୍ତୁତ   ।  ଅନେକ ସମୟ ଏହା ଗୋଟିଏ ବିଭାଗ ଭିତରେ କାର୍ଯ୍ୟକାରୀ ହେବ ସମ୍ଭବ ହୁଏ ନାହିଁ   ।  ସେଥିପାଇଁ ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଏକ ପ୍ରକଳ୍ପ ପ୍ରଚାଳନ ଦଳ ବା ପ୍ରୋଜେକ୍ଟ ଟିମ ଗଠନ କରାଯାଏ   ।  ଏକ ପ୍ରକଳ୍ପ ଦଳର ସଠିକ ଗଠନ ଓ ଦଳ ଭିତରେ ସମନ୍ଵୟ ସ୍ଥାପନ ପ୍ରକଳ୍ପର ସଫଳତା ପାଇଁ ଅନିର୍ବାର୍ଯ୍ୟ   ।

ଏକ ଗବେଷଣା ପ୍ରକଳ୍ପର ପ୍ରବନ୍ଧନ ବା ପରିଚାଳନାକୁ ନେଇ ଆଧୁନିକ କାଳରେ ଅନେକ ତତ୍ଵ ଓ ନିର୍ଦେଶ ଉପସ୍ଥାପିତ ହୋଇଛି   ।  ଏହି ପ୍ରବଂଧରେ ତାର ବିଶଦ ଆଲୋଚନା ସମ୍ଭବ ନୁହେଁ   ।  ତେବେ ଗୋଟିଏ ପ୍ରକଳ୍ପଦଳ ଓ ତାର ନେତୃତ୍ଵ ପ୍ରକଳ୍ପ – ପରିଚାଳନା ପାଇଁ ଏକ ଯୁକ୍ତିଯୁକ୍ତ ନିଦର୍ଶ ଅବଲମ୍ବନ କରିବା ଆବଶ୍ୟକ   ।  ପ୍ରକଳ୍ପର ଅବଧାରଣା ଠାରୁ ଆରମ୍ଭ କରି ତାର ସମାପ୍ତି ପର୍ଯ୍ୟନ୍ତ ପ୍ରକଳ୍ପ – କାର୍ଯ୍ୟକ୍ରମକୁ ସାଧାରଣତଃ ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରାଯାଏ   ଓ ସେମାନଙ୍କ ଭିତରେ ଥିବା ଆନ୍ତଃସଂପର୍କକୁ ମଧ୍ୟ ଚିହ୍ନିତ କରାଯାଇଥାଏ  । ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ଆବଶ୍ୟକୀୟ ଆର୍ଥିକ ଓ ମାନବ ସମ୍ବଳର ଉପଯୋଗକୁ ନେଇ ପ୍ରକଳ୍ପର ଯୋଜନା ନିର୍ଦ୍ଧାରିତ ହୁଏ   । ବିଶେଷତଃ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଭୂମିକା ମଧ୍ୟ ନିର୍ଦ୍ଧିଷ୍ଟ କରାଯାଇଥାଏ  । ପ୍ରକଳ୍ପର କାର୍ଯ୍ୟନିର୍ବାହକୁ ନିୟମିତ ପର୍ଯ୍ୟବେକ୍ଷଣ କରିବା ସହିତ ତାର ଅଗ୍ରଗତିର ଯଥାବିଧି ସମୀକ୍ଷା କରାଯିବା ପରିଚାଳନାର ଏକ ମୁଖ୍ୟ ବିଭବ   ।  ଆଧୁନିକ ପ୍ରକଳ୍ପ- ପରିଚାଳନା ତତ୍ଵ କେବଳ ପ୍ରକଳ୍ପର ଯାନ୍ତ୍ରିକ ଢାଞ୍ଚା କୁ ପ୍ରାଧାନ୍ୟ ଦିଏ ନାହିଁ   , ତା ସହିତ ଚାଲିଥିବା ମାନବୀୟ ପ୍ରକ୍ରିୟା ଯଥା – ପ୍ରକଳ୍ପ ଦଳରେ ଦହଯୋଗ ଓ ଆଦାନପ୍ରଦାନକୁ ମଧ୍ୟ ଯଥେଷ୍ଟ ଗୁରୁତ୍ଵ ଦିଏ   ।

ଗବେଷଣାର ସମ୍ବଳ :- ଗବେଷଣାର ମୁଖ୍ୟ ସମ୍ବଳ ହେଉଛି ଏହାର ମାନବ ସମ୍ବଳ , ଯାହାକୁ ଏକ ସମର୍ଥ ଓ ଉଚ୍ଚମାନର କାର୍ଯ୍ୟନିର୍ବାହୀ ଗୋଷ୍ଠୀ ବ ଦଳ ଭାବେ ବିବେଚନା କରାଯାଇପାରେ   ।  ଏତତବ୍ୟତୀତ ଗବେଷଣାର ସାଧନ , ଯଥା – ଗବେଷଣାର ଯନ୍ତ୍ରପାତି , ଉପକରଣ ଓ ସେସବୁର ପ୍ରତିଷ୍ଠା ଓ ପ୍ରଚାଳନା ଦିଗରେ ଉପଯୁକ୍ତ ବ୍ୟବସ୍ଥା ଇତ୍ୟାଦିକୁ ଅନ୍ୟତମ ସମ୍ବଳ ଭାବେ ଗ୍ରହଣ କରାଯାଏ  । ଶେଷରେ ଆର୍ଥିକ ସମ୍ବଳ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ସମ୍ବଳ , ଯାହା ବ୍ୟତିରେକେ କୌଣସି ଗବେଷଣା କାର୍ଯ୍ୟକ୍ରମ ସମ୍ଭବ ନୁହେଁ   ।

ମାନବ –ସମ୍ବଳ ପରିପ୍ରେକ୍ଷୀରେ ଗବେଷଣାଗାରରେ ନିୟୋଜିତ କାର୍ଯ୍ୟନିର୍ବାହୀ ଗୋଷ୍ଠୀ ଭିତରେ ଉପଯୁକ୍ତ ଜ୍ଞାନ ବା ଅନୁଭୂତି ଆବଶ୍ୟକ  । ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ମାନବ ସମ୍ବଳକୁ ଶକ୍ତିଶାଳି କରିଥାଏ  ।  ଗୋଟିଏ ଗବେଷଣାଗାରରେ ବୈଜ୍ଞାନିକ /ଇଞ୍ଜିନିୟରମାନେ ହେଉଛନ୍ତି କାର୍ଯ୍ୟନିର୍ବାହୀ ଗୋଷ୍ଠୀର ମେରୁଦଣ୍ଡ ଭଳି  ।  ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଗଭୀର ଜ୍ଞାନ ରହିବା ଯେପରି ଜରୁରୀ , ଅନେକ ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କର ପର୍ଯ୍ୟାପ୍ତ ଅନୁଭବ ରହିବା ମଧ୍ୟ ଆବଶ୍ୟକ   ।  ମାବନ –ସମ୍ବଳର ସୁପରିଚାଳନା ପାଇଁ ନିମ୍ନୋକ୍ତ ବିଭାବଗୁଡିକ ପ୍ରଣିଧାନଯୋଗ୍ୟ   ।

  • ବୈଜ୍ଞାନିକମାନଙ୍କ ର ସୃଜନଶୀଳତାର ସୁରକ୍ଷା ଓ ଅଭିବୃଦ୍ଧି ସକାଶେ ଏକ ଯଥାର୍ଥ ଗବେଷଣା ପରିବେଶ ପ୍ରତିଷ୍ଠା   ।
  • ବୈଜ୍ଞାନିକ ତଥା ଯାନ୍ତ୍ରିକ କାର୍ଯ୍ୟଗୋଷ୍ଠୀର ଦକ୍ଷତା ଅଭିବୃଦ୍ଧି ଦିଗରେ ପ୍ରଶିକ୍ଷଣର ବ୍ୟବସ୍ଥା   ।
  • ବୈଜ୍ଞାନିକମାନଙ୍କ ପାଇଁ ଜାତୀୟ ତଥା ଅନ୍ତର୍ଜାତିକ ସ୍ତରରେ ମତ ଆଦାନପ୍ରଦାନର ସୁଯୋଗ  ।
  • ବୈଜ୍ଞାନିକଙ୍କ ସମେତ କାର୍ଯ୍ୟଗୋଷ୍ଠୀର ବୃତ୍ତିଗତ ଅଗ୍ରଗତି ଦିଗରେ ଉପଯୁକ୍ତ ମୂଲ୍ୟାୟନ ବ୍ୟବସ୍ଥା   ।
  • କୌଣସିପ୍ରକାରର ପାତର –ଅନ୍ତରକୁ ପ୍ରଶୟ ନ ଦେଇ ସମଗ୍ର କାର୍ଯ୍ୟଗୋଷ୍ଠୀ ପାଇଁ ସମ୍ମାନଜନକ ସ୍ଥାନ ନିରୂପଣ  ।

ଗବେଷଣା ପାଇଁ ଆବଶ୍ୟକୀୟ ଯାନ୍ତ୍ରିକ ସାଧନ ଭିତରେ ଗବେଷଣା ଗୃହ , ଯନ୍ତ୍ରପାତି ପରିମାପକ ତଥା ପରୀକ୍ଷଣ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ  । ପ୍ରତ୍ୟେକ ଗବେଷଣା ପ୍ରକଳ୍ପର ଆବଶ୍ୟକତା ଅନୁଯାୟୀ ଏହିସବୁ ସାଧନ ବୈଜ୍ଞାନିକମାନଙ୍କ ପାଇଁ ଉପଲବ୍ଧ ହେବା ବିଧେୟ   ।  ଅନେକ କ୍ଷେତ୍ରରେ ବିଶେଷ ଯନ୍ତ୍ରପାତି ଓ ପରିମାପକର ପ୍ରୟୋଜନ ଆସିଥାଏ   ।  ଓ ସେସବୁ ପ୍ରୟୋଜିତ ପ୍ରକଳ୍ପମାନଙ୍କ ଅନୁଦାନକୁ ଉପଯୋଗ କରି କ୍ରୟ କରାଯାଏ  । ଗୋଟିଏ ଗବେଷଣାଗାରରେ ବିଭିନ୍ନ କ୍ଷେତ୍ରରେ ଲୋଡା ହେଉଥିବା ସାଧନର ବିକାଶ ଓ ଉନ୍ନତିକରଣ ଗବେଷଣାର ମାନକୁ ପ୍ରଭାବିତ କରେ  । ସମସ୍ତ ଗବେଷଣା ସାଧନର କିପରି ସର୍ବାଧିକ ସଦୁପଯୋଗ ହୋଇପାରିବ ,ସେଦିଗରେ ଦ୍ରୁଷ୍ଟିଦେବା ସଫଳ ପରିଚାଳନାର ଅନ୍ୟତମ ଲକ୍ଷଣ   ।

ଆର୍ଥିକ ସମ୍ବଳ ହେଉଛି ଗବେଷଣା ପାଇଁ ଏକ ମୁଖ୍ୟ ଉପାଦାନ   ।  ଭାରତରେ ଡି ଆ ଡି ଓ , ବି ଏ ଆର ସି ଓ ଇସ୍ରୋ ଭଳି ସଂଗଠନମାନେ ମୁଖ୍ୟତଃ ସରକାରୀ ଅନୁଦାନ ଦ୍ଵାରା ପରିପୃଷ୍ଠ ହୁଅନ୍ତି  ।  ସି ଏସ ଆର ଆର ଭଳି ବହୁମୁଖ୍ୟ ଗବେଷଣା ସଂଗଠନରେ ଗବେଷଣାଗାରମାନଙ୍କ ଆର୍ଥିକ ସମ୍ବଳ ସରକାରୀ ଅନୁଦାନ ତଥା ନିଜସ୍ୱ ଅର୍ଜନ ଦ୍ଵାରା ପରିପୂରିତ ହେବାର ନିୟମ ରହିଛି  ।  ଏହି ନିଜସ୍ୱ ଅର୍ଜନ ଗବେଷଣାଗାରର ବାର୍ଷିକ ବ୍ୟୟର ଏକ ବିଶିଷ୍ଟ ଅଂଶ   ।  ଏହି ଅଂଶଟି ବାହାରର ପ୍ରଯୋଜକ ସଂସ୍ଥା ଓ ଶିଳ୍ପୋଦ୍ୟୋଗମାନଙ୍କ ଦ୍ଵାରା ପ୍ରୟୋଜିତ ପ୍ରକଳ୍ପମାନଙ୍କ ମାଧ୍ୟମରେ ପ୍ରାପ୍ତ  ହୁଏ  ।  ଏହି ପ୍ରୟୋଜିତ ପ୍ରକଳ୍ପସବୁ ସାଧାରଣତଃ ବିକାଶମୂଳକ ଓ ଦେଶର ଶୈଳ୍ପିକ ଉତ୍ପାଦନ ପ୍ରକ୍ରିୟା ସହିତ ଜଡିତ   ।  ଗୋଟିଏ ଗବେଷଣାଗାର କେତେ ମାତ୍ରାରେ ଏହି ପ୍ରୟୋଜିତ ପ୍ରକଳ୍ପମାନଙ୍କୁ ଆକର୍ଷିତ କରିପାରୁଛି ଓ ତାହାକୁ ସଫଳ ଭାବେ କାର୍ଯ୍ୟକାରୀ କରିପାରୁଛି , ତାହା ଉପରେ ଗବେଷଣାଗାର ସାମର୍ଥ୍ୟ ଓ ମର୍ଯ୍ୟାଦା ଅନେକ ଭାବରେ ନିର୍ଭରଶୀଳ  । ସାମଗ୍ରିକ ଭାବେ ଦେଖିଲେ ଏକ ଗବେଷଣା ପ୍ରତିଷ୍ଠାନରେ ମୌଳିକ ଗବେଷଣା , ପ୍ରୟୋଗାତ୍ମକ ଗବେଷଣା ଓ ବିକାଶମୂଳକ ଶୈଳ୍ପିକ ଗବେଷଣା ପାଇଁ କିପରି ଭାବେ ଆର୍ଥିକ ସମ୍ବଳକୁ ସନ୍ତୁଳିତ ଭାବେ ପ୍ରୟୋଜିତ କରାଯାଇପାରୁଛି , ତାହା ପରିଚାଳନାଗତ ସାମର୍ଥ୍ୟ ପରିଚୟ ଦିଏ   ।

ନେତୃତ୍ଵ   :- ଏକ ଗବେଷଣାଗାରରେ ନେତୃତ୍ଵ ସାଧାରଣତଃ ତିନି ଶ୍ରେଣୀର  । ଗୋଟିଏ ହେଉଛି ସର୍ବୋଚ୍ଚ ନେତୃତ୍ଵ , ଯାହାକି ପ୍ରତିଷ୍ଠାନର ମୁଖ୍ୟ ବା ନିର୍ଦ୍ଦେଶକ ଦ୍ଵାରା ସଂପାଦିତ ହୁଏ   ।  ପରବର୍ତ୍ତୀ ଶ୍ରେଣୀର ନେତୃତ୍ଵ ହେଉଛି , ପ୍ରତିଷ୍ଠାନର ବିଭିନ୍ନ ବିଭାଗର ମୁଖ୍ୟମାନଙ୍କୁ ନେଇ  ।  ଆଉ ଏକ ସ୍ତରର ନେତୃତ୍ଵ ବିଭିନ୍ନ ପ୍ରକଳ୍ପ –ମୁଖ୍ୟ ବା ପ୍ରୋଜେକ୍ଟ ଲିଡରମାନଙ୍କ ମାଧ୍ୟମରେ କାର୍ଯ୍ୟକରି ହୁଏ   ।  ଏହି ତିନିଶ୍ରେଣୀର ନେତୃତ୍ଵ ଭିତରେ ରହିଥିବା ଆନ୍ତଃସଂପର୍କ ଓ ସମନ୍ଵୟ ଗବେଷଣାଗାର ପରିଚାଳନାକୁ ବିଶେଷ ଭାବେ ପ୍ରଭାବିତ କରେ  । ନେତୃତ୍ଵର ଭୂମିକା ଏ କ୍ଷେତ୍ରରେ ପୂର୍ବନିର୍ଦ୍ଧାରିତ ବା ଚିରାଚରିତ ନୁହେଁ   । ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଅଣୁଦେଶ ପ୍ରଶାସନର ବିଭିନ୍ନ ସ୍ତର ଦେଇ ପରିପାଳିତ ହୋଇଥାଏ   । ଶିଳ୍ପ ପ୍ରତିଷ୍ଠାନମାନଙ୍କର ନେତୃତ୍ଵ ଶିଳ୍ପ ପରିଚାଳନା ଓ ଉତ୍ପାଦନକୁ ଭିତ୍ତି କରି ଗଠିତ ହୋଇଥାଏ   , କିନ୍ତୁ ଗବେଷଣା ଭଳି ଏକ ସୃଜନଶୀଳ ପ୍ରକ୍ରିୟାର ପରିଚାଳନା ପାଇଁ ତାର ନେତୃତ୍ଵ ପ୍ରତ୍ୟେକ ସ୍ତରରେ ସୃଷ୍ଟି ହେବା ଆବଶ୍ୟକ   ।

ପ୍ରତିଷ୍ଠାନ ପରିଚାଳନା ପରିପ୍ରେକ୍ଷୀରେ ନେତୃତ୍ଵକୁ ବେଶ କିଛି ଧାରଣା ସୃଷ୍ଟି ହୋଇଛି   । ସେହି ଅନୁଯାୟୀ ନେତୃତ୍ଵକୁ ବିଭିନ୍ନ ପ୍ରକାର ଭେଦରେ ଚିହ୍ନିତ କରାଯାଇପରେ  , ଯଥା  -

  • ଚାପମୂଳକ
  • ପ୍ରାଧିକାରିକ
  • ସମ୍ବନ୍ଧିତ
  • ଗଣତାନ୍ତ୍ରିକ
  • ଗତି ନିର୍ଦ୍ଧାରକ
  • ଶିକ୍ଷାଦାୟକ
  1. ଚାପମୂଳକ ନେତୃତ୍ଵ ଅବିଳମ୍ବେ କାର୍ଯ୍ୟନିର୍ବାହ ପାଇଁ ଚାପ ସୃଷ୍ଟି କରେ   ।  ଏହା ଆଦେଶ ପାଳନକୁ ଅଗ୍ରାଧିକାର ଦିଏ   ।  କୌଣସି ସଂକଟ ସମୟରେ ଏପରି ନେତୃତ୍ଵ ଫଳପ୍ରଦ , କିନ୍ତୁ ଦୀର୍ଘକାଳୀନ ଭିତ୍ତିରେ ଏହା ନକରାତ୍ମକ ହୋଇଯାଏ   ।
  2. ପ୍ରାଧିକାରୀକ ନେତୃତ୍ଵ ସଂସ୍ଥା ପାଇଁ ଆହ୍ଵାନ ଓ ଅନୁପ୍ରେରଣା ସୃଷ୍ଟି କରିପାରେ   ।  ଏହାର ଯଥାର୍ଥ ପ୍ରୟୋଗ ଅଗ୍ରଗତି ଓ ଅଭିବୃଦ୍ଧି ଦିଗରେ ସହାୟକ ହୁଏ   । ଏହାର ସାମଗ୍ରିକ ପ୍ରଭାବ ସକାରତ୍ମକ   ।
  3. ସମ୍ବନ୍ଧିତ ନେତୃତ୍ଵ  ସମନ୍ଵୟ ସୃଷ୍ଟି କରିବାକୁ ଚେଷ୍ଟିତ ହେଉ  ।  ଏହା କାର୍ଯ୍ୟନିର୍ବାହୀ ଦଳ ମାଧ୍ୟରେ ଅଧିକ ଯୋଗାଯୋଗକୁ ଗୁରୁତ୍ଵ ଦିଏ ଓ ପରିଚାଳନାରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରେ  ।  ଏପରି ନେତୃତ୍ଵର ସାମଗ୍ରିକ ପ୍ରଭାବ ସକାରାତ୍ମକ  ।
  4. ଗଣତାନ୍ତ୍ରିକ ନେତୃତ୍ଵ ଅଂଶଗ୍ରହଣ ମାଧ୍ୟମରେ ସହମତ ସୃଷ୍ଟି କରେ  । ଏହା କର୍ମଚାରୀମାନଙ୍କୁ ମତକୁ ସମ୍ମାନ ଦିଏ   । ବିଭିନ୍ନ ପ୍ରକଳ୍ପଦଳ ଭିତରେ ସହଯୋଗର ବାତାବରଣ ସୃଷ୍ଟି କରେ  । ସାମଗ୍ରିକ ଭାବେ ଏହାର ପ୍ରଭାବ ସକାରାତ୍ମକ   ।
  5. ଗତି ନିର୍ଦ୍ଧାରିତ ନେତୃତ୍ଵ କାର୍ଯ୍ୟକ୍ଷେତ୍ରରେ ଅତ୍ୟୁଜ ମାନ ନିର୍ଦ୍ଧାରଣ ପାଇଁ ଚେଷ୍ଟା କରେ ଓ ଅତିଶୀଘ୍ର ଫଳପ୍ରାପ୍ତି ପାଇଁ ଆଶା ରଖେ   ।  ଏହା ଯଦିଓ କିଛିଟା ଉତ୍ସାହ ସୃଷ୍ଟି କରେ  , ସାମଗ୍ରିକ ଭାବେ ଏହାର ପ୍ରଭାବ ନକାରାତ୍ମକ    ।
  6. ଶିକ୍ଷାଦାୟକ ନେତୃତ୍ଵ ଭବିଷ୍ୟତ ପାଇଁ କାର୍ଯ୍ୟଗୋଷ୍ଠୀର ବିକାଶ ଦିଗରେ ସହାୟକ ହୁଏ  । ପ୍ରତିଷ୍ଠାନ ଭିତରେ ଏହା ସୌହାର୍ଦ୍ଧ୍ୟ ଓ ସଚେତନତା ବାତାବରଣ ସୃଷ୍ଟି କରିପାରେ   ।  କର୍ମଚାରୀମାନଙ୍କୁ ନିଜର ଦକ୍ଷତା ବୃଦ୍ଧି ଦିଗରେ ଅନୁପ୍ରେରିତ କରେ   । ସାମଗ୍ରିକ ଭାବେ ଏହାର ପ୍ରଭାବ ସକାରାତ୍ମକ  ।

ଗୋଟିଏ ଗବେଷଣାଗାରରେ ବିଭିନ୍ନ ସ୍ତରର ନେତୃତ୍ଵ ଯେ ଏହି ପ୍ରକାର ନେତୃତ୍ଵ ଭିତରୁ ଯେ କୌଣସି ଗୋଟିଏକୁ ବାଛିନେବ – ସେପରି କୌଣସି କଥା ନାହିଁ   । ବ୍ୟାବହାରିକ କ୍ଷେତ୍ରରେ ନେତୃତ୍ଵ ଏକାଧିକ ପ୍ରକାରର ସମ୍ମିଶ୍ରଣ ହୋଇପରେ , କିନ୍ତୁ ନେତୃତ୍ଵ ଚାପମୂଳକ ବା ଗତି ନିର୍ଦ୍ଧାରିକ ହେବା ଉଚିତ ନୁହେଁ   ।  ଅନେକ ପ୍ରତିଷ୍ଠାନରେ ନିଷ୍ପତ୍ତି ନେବାର କ୍ଷମତା ନେତୃତ୍ଵର ସର୍ବୋଚ୍ଚ ସ୍ତରରେ କେନ୍ଦ୍ରୀଭୂତ ହୋଇଥାଏ   । ଏହା ନେତୃତ୍ଵର ଅନ୍ୟ ସ୍ତରମାନଙ୍କୁ ନିଷ୍ପତ୍ତି ନେବାର ସୁଯୋଗକୁ ଦୂରେଇ ରଖେ   ।  ପ୍ରକାରନ୍ତେ ଏହା ଏକ ଚାପମୂଳକ ନେତୃତ୍ଵରେ ରୂପାନ୍ତରିତ ହୋଇ ପ୍ରତିଷ୍ଠାନରେ ଏକ ଚାପଗ୍ରସ୍ତ ବାତାବରଣ ସୃଷ୍ଟି କରେ  ।  ଏହା କୌଣସି ଗବେଷଣାଗାର ପାଇଁ ଶୁଭଙ୍କର ନୁହେଁ   ।  ତେଣୁ ନିଷ୍ପତ୍ତିରେ ବିଭିନ୍ନ ସ୍ତରର ନେତୃତ୍ଵ ର ଅଂଶଗ୍ରହଣ ଓ ସହଯୋଗ ଭିତ୍ତିରେ କାର୍ଯ୍ୟ ସମ୍ପାଦନ ଗବେଷଣାଗାର ପରିଚାଳନା ଆଦର୍ଶ ଭାବେ ଗୃହିତ ହେବା ସୀମାଚୀନ  ।

ଭବିଷ୍ୟତ ପାଇଁ ଯୋଜନା ଓ ପରିବର୍ତ୍ତନ – ପରିଚାଳନା  :- ଏକ ଗବେଷଣା ପ୍ରତିଷ୍ଠାନ ନିଜର ଲକ୍ଷ୍ୟପୂରଣ ଦିଗରେ ନିରବଚ୍ଛିନ୍ନ ଭାବେ ଭବିଷ୍ୟତ ପାଇଁ ଯୋଜନା କରିବା ଖୁବ ଗୁରୁତ୍ଵପୂର୍ଣ୍ଣ   । ଏହାର ଅର୍ଥ – ଆବଶ୍ୟକ ସମୟରେ ଗବେଷଣା ପାଇଁ ସଠିକ ସାଧନ ଓ ନେତୃତ୍ଵ ଉପଲବ୍ଧ ହେବା  । କାର୍ଯ୍ୟଗୋଷ୍ଠୀ ଭିତରୁ କେହି ଅବସର ଗ୍ରହଣ କାଲେ ବା ସ୍ଥାନାନ୍ତରିତ ହେଲେ , ସେମାନଙ୍କ ସ୍ଥାନପୂରଣ ପାଇଁ ମଧ୍ୟ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକ   ।  ଏହାଛଡା ଗବେଷଣାଗାରରେ ନୂତନ ପିଢିର ଗବେଷକ ଓ ସହଯୋଗୀ କର୍ମଚାରୀଙ୍କ ନିଯୁକ୍ତି ତଥା ପ୍ରଶିକ୍ଷଣ ମଧ୍ୟ ଭବିଷ୍ୟତ ଯୋଜନାର ଅନ୍ୟ ଏକ ଦିଗ ସାମଗ୍ରିକ ଭାବେ ଜ୍ଞାନ ଓ ଦକ୍ଷତାର ଅଭିବୃଦ୍ଧି ଗବେଷଣାଗାରର ଲକ୍ଷ୍ୟପୂରଣ ଦିଗରେ ସହାୟକ ହୋଇଥାଏ   ।

ଭବିଷ୍ୟତର ଆହ୍ଵାନ ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକ୍ରମରେ ଅନେକ ପରିବର୍ତ୍ତନ ସମ୍ଭାବନା ରଖେ   । ଏହାର କାରଣ ଅର୍ଥନୈତିକ ତଥା ଶୈଳ୍ପିକ ପରିବେଶରେ ପରିବର୍ତ୍ତନ ଘଟି ଚାଲିଥାଏ  । ଏପରି ପରିବର୍ତ୍ତନ ସହିତ ପ୍ରତିଷ୍ଠାନଟି କିପରି ଖାପ ଖୁଆଇ ଆଗେଇପାରିବ , ତାହାର ସୂତ୍ର ହେଉଛି “ ପରିବର୍ତ୍ତନ ପରିଚାଳନା   “  । ଗୋଟିଏ ପ୍ରତିଷ୍ଠାନରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ଦିଗରେ ଅନେକ ସମସ୍ୟା ସାମ୍ନାକୁ ଆସେ   । ଏହାର ମୁଖ୍ୟ କାରଣ ହେଉଛି ଯଥା ସ୍ଥିତି ବଜାୟ ରଖିବାର ପ୍ରବଣତା   । ପରିବର୍ତ୍ତନକୁ ବିରୋଧ କେବଳ କର୍ମଚାରୀମାନଙ୍କ ଠାରୁ ଆସେନାହିଁ , ଏହା ପ୍ରତିଷ୍ଠାନର ନିଜସ୍ୱ ସ୍ଥିତିରୁ ମଧ୍ୟ ଆସିଥାଏ   ।  କର୍ମଚାରୀଙ୍କ ଭିତରେ ଆଶଙ୍କା ଜାଗ୍ରତ ହୁଏ- କାଳେ ସେମାନଙ୍କର ରହିଥିବା ସୁବିଧାସୁଯୋଗ ଛିନ୍ନ ହୋଇଯିବ   । ପ୍ରତିଷ୍ଠାନ ମଧ୍ୟ ନିଜର ନିୟମ କାନୁନ ଭିତରେ ବାନ୍ଧି ହୋଇଥାଏ  । ତେଣୁ ପରିବର୍ତ୍ତନକୁ ସ୍ଵାଗତ କରିବାରେ ବାଧା ସୃଷ୍ଟି ହୁଏ   । ଏହିସବୁ ବାଧାକୁ ଅତିକ୍ରମ କରିବା ପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରାଯାଏ  , ତାହା ପରିବର୍ତ୍ତନ ପରିଚାଳନା ଅନ୍ତର୍ଭୁକ୍ତ   ।

ଏହି ପରିପ୍ରେକ୍ଷୀରେ ପ୍ରଥମ ବିଚାରଟି ହେଉଛି କର୍ମଚାରୀଙ୍କ ବ୍ୟବହାର ବା ମତିଗତିରେ ପରିବର୍ତ୍ତନ ଆଣିବା  । ଏହା କେବଳ ସମ୍ଭବ ହୋଇପାରେ କର୍ମଚାରୀଙ୍କ ସହିତ ଆଦାନପ୍ରଦାନ ପ୍ରତିଷ୍ଠା ମାଧ୍ୟମ ରେ  । ଏହାଫଳରେ ବ୍ୟକ୍ତି ସହିତ ଦଳର ସଂପର୍କ ନିୟନ୍ତ୍ରିତ ହୁଏ ଓ କାର୍ଯ୍ୟଦଳ ଭିତରେ ପରିବର୍ତନ ପାଇଁ ସଚେତନା ସୃଷ୍ଟି ହୁଏ   । ଏତତବ୍ୟତୀତ କାର୍ଯ୍ୟାବସ୍ଥା ;ଅର୍ଥାତ କର୍ମଜୀବନରେ ଉନ୍ନତି ଘଟିଲେ , ତାହା ପରିବର୍ତ୍ତନ ଦିଗରେ ଦ୍ରୁଷ୍ଟିଭଙ୍ଗୀକୁ ସକାରାତ୍ମକ କରେ   ।

ପରିବର୍ତ୍ତନ ଦିଗରେ ଆଉ ଗୋଟିଏ ବିଚାର ହେଉଛି – ଗବେଷଣାତ୍ମକ  ତଥା ଅନ୍ୟାନ୍ୟ “ କାର୍ଯ୍ୟକଳ୍ପ” (ଜବ ଡିଜାଇନ) ଉପରେ ଗୁରୁତ୍ଵ ଆରୋପ  । ସରଲ ଭାବେ କହିଲେ କାର୍ଯ୍ୟକଳ୍ପ ହେଉଛି – କିପରି ଭାବେ କାର୍ଯ୍ୟଟି ପରିଚାଳିତ ହେବ , ଅର୍ଥାତ ତାର ଯାନ୍ତ୍ରିକ ତଥା ସାଂଗଠନିକ ଆବଶ୍ୟକତାକୁ କିପରି ପୂରଣ କରିହେବ ଓ ସେଥିପାଇଁ କେତେ ମାନବ ସମ୍ବଳ ନିୟୋଜିତ ହେବ  । ଅନେକ ଚିନ୍ତାବିତଙ୍କ ମତରେ କାର୍ଯ୍ୟକଳ୍ପର କେବଳ ଯାନ୍ତ୍ରିକ ଦିଗକୁ ଗୁରୁତ୍ଵ ଦେଲେ  , ଏହା କାର୍ଯ୍ୟଦଳ ଭିତରେ ବିରୋଧ ସୃଷ୍ଟି କରେ  । ତେଣୁ କାର୍ଯ୍ୟକଳ୍ପର ସାମାଜିକ ଦିଗକୁ , ଅର୍ଥାତ କାମଚାରୀଙ୍କ ଭିତରେ ଅଭିପ୍ରେରଣା କୁ ମଧ୍ୟ ବିଚାରକୁ ନେବାକୁ ହେବ  । ସାମାଜିକ ଓ ଯାନ୍ତ୍ରିକ ବିଭାବ ଭିତରେ ସମନ୍ଵୟ ଆସିପାରିଲେ , ଭବିଷ୍ୟତରେ ପରିବର୍ତ୍ତନ ପାଇଁ ପଥ ସୁଗମ ହୋଇପାରିବ   ।

ଆଧାର : ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ

3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top