ସେଆର କରନ୍ତୁ

ଆଖି

ଆଖି ମଣିଷର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଆଖିର ଯତ୍ନ ନେବା ନିହାନ୍ତି ଜରୁରୀ ।

ଉପକ୍ରମ

ଆଖି ହେଉଛି ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରରେ ଥିବା ଏକ ଅଙ୍ଗ । ଏହା ଦେଖିବାରେ ସାହାଯ୍ୟ କରିଥାଏ । ଆଖିର ଆଗ ପରଦା ବା କରନିଆ ପୁରାପୁରୀ କାଚପରି ସ୍ଵଛ । ତା ପଛକୁ ଗୋଟାଏ କୋଠରୀ । ସେଥିରେ ପାଣି ଭଳି ଦ୍ରବ୍ୟ ଭରି ରହିଥାଏ । ତା ପଛକୁ ଗୋଟାଏ ମାଂସପେଶୀର ଗୋଲାକାର ପରଦା - ଆଇରିସ । ସେ ପରଦାର ଠିକ୍ ମଝିରେ ଫାଙ୍କଟାଏ ଥାଏ । ତାକୁ ପିଉପିଲ କୁହାଯାଏ ।

ଏହି ପିଉପିଲଟି ଠିକ୍ କେମେରାର ସର୍ଟର ଭଳି କାମ କରେ । ବେଶୀ ଆଲୁଅରେ ଛୋଟ ହୋଇଯାଏ ଓ କମ୍ ଆଲୁଅ ହେଲେ ମେଲା ହୋଇଯାଏ । ତା ପଛକୁ ଲେନ୍ସ ଓ ଲେନ୍ସ ପଛକୁ ଭିଟ୍ରିଯାସ ହ୍ୟୁମାର ତା ପଛକୁ ରେଟିନା ଥାଏ । ଆଲୁଅ ପ୍ରଥମେ ଆଖିର କରନିଆ ଦେଇ ଲେନ୍ସ ପାର ହେଲା ବେଳକୁ ଆଲୁଅ କଣା ସବୁ ସମାନ୍ତରାଳ ହୋଇ ଯାଆନ୍ତି । ସେସବୁ ସମାନ୍ତରାଳ ଆଲୁଅ ରେଟିନା ଦେହରେ ପଡ଼ିଲେ ରେଟିନାର ବିଭିନ୍ନ ପ୍ରକାରର ଜୀବକୋଷମାନେ ଉତ୍ତେଜିତ ହୁଅନ୍ତି ।

ଆଖିରେ ଆଲୁଅ

ଆଲୁଅ ଧରିବା ପାଇଁ ଆଖିର ରେଟିନାରେ ପ୍ରାୟ ୧୩୭ ନିୟୁତ ଜୀବକୋଷ ଥାଏ । ତା ମଧ୍ୟରୁ ୧୩୦ ନିୟୁତ ଖାଲି କଳା ଓ ଧଳା ଚିହ୍ନିବା ପାଇଁ ଲମ୍ବା ଲମ୍ବା ଜୀବକୋଷ ଓ ସାତ ନିୟୁତ ପିରାମିଡ ଭଳି ଜୀବକୋଷ ରଙ୍ଗୀନ ଆଲୁଅ ଧରି ରଖିବା ପାଇଁ । ଏଇ ଦୁଇପ୍ରକାର ଜୀବକୋଷମାନଙ୍କ ପାଇଁ ମଣିଷ ସବୁପ୍ରକାରର ଆଲୁଅ ସହଜରେ ବାରିପାରେ । ଲମ୍ବା ଲମ୍ବା ଜୀବକୋଷ ବା ରଡମାନେ ରେଟିନା ସାରା ବିଛାଡି ହୋଇ ରହିଥାନ୍ତି। ମାତ୍ର ପିରାମିଡ ଭଳି ଜୀବକୋଷ ମାନେ କେବଳ ଗୋଟାଏ ଜାଗାରେ ଠୁଳ ହୋଇ ରହିଥାନ୍ତି । ସେଇ ଜାଗାଟି ହେଲା ଫୋବିଆ - ଗୋଟାଏ ମୁଗ ଆକାରର ଖାଲି ଜାଗା । ଯେତେ ଆଲୁଅ ଆଖିର ଲେନ୍ସ ଦେଇ ଆସେ ତାର ଫୋକସ ବିନ୍ଦୁ ହେଲା ଏଇ ଫୋବିଆ । ଖୁବ୍ ପାଖ ଜିନିଷକୁ ଦେଖିବା ପାଇଁ ଏଇ ଫୋବିଆ ହେଉଛି ଦାୟୀ । ରେଟିନାର ଜୀବକୋଷମାନଙ୍କରେ ଆଲୁଅ ପଡ଼ିଲେ ନାନା ପ୍ରକାର ରାସାୟନିକ ପ୍ରତିକ୍ରିୟା ହୋଇଯାଏ । ସେଇ ପ୍ରତିକ୍ରିୟା ହେଲେ ସେମାନଙ୍କ ଦେହରେ ବିଦ୍ୟୁତ ପ୍ରବାହ ହୁଏ । ସେ ବିଦ୍ୟୁତ ପ୍ରବାହ ଆଖିର ସ୍ନାଯୁକୁ ଯାଇ ମସ୍ତିସ୍କରେ ଥିବା ଅକ୍ସିପିଟେଲ ଲୋବକୁ ଯାଏ। ସେଠାରେ ମସ୍ତିସ୍କ ଏ ସବୁକୁ ବିଶ୍ଳେଷଣ କରି ମଣିଷକୁ କଣ ଦେଖିଲା ବୋଲି ଜଣାଇଦିଏ । ରଙ୍ଗୀନ ଆଲୁଅ ଦେଖିଲାବେଳେ ମଧ୍ୟ ସେହିପରି ରାସାୟନିକ ପ୍ରତିକ୍ରିୟା ଓ ବିଦ୍ୟୁତ୍ ପ୍ରବାହ ହୁଏ । ମାତ୍ର ଏ ପ୍ରତିକ୍ରିୟା ଏତେ ସୂକ୍ଷ୍ମ ଓ କିଟିମିଟିଆ ଯେ, ଟିକିଏ କିଛି ଖରାପ ହେଲେ ରଙ୍ଗିନ ଜିନିଷ ଦେଖିବାରେ ଅସୁବିଧା ହୁଏ । ଅଳ୍ପ ବହୁତ ଆଠ ଜଣକରେ ଜଣଙ୍କର କିଛି ନା କିଛି ଅସୁବିଧା ଥାଏ ରଙ୍ଗିନ ଜିନିଷ ଦେଖିବା ପାଇଁ । ଆଲୁଅ କମି ଯିବା କ୍ଷଣି ଅନ୍ଧାରରେ ରଙ୍ଗିନ ଜିନିଷ ଦେଖି ହୁଏ ନାହିଁ । ସବୁ ପ୍ରାୟ ଧୂସରିଆ ଦେଖା ଯାଆନ୍ତି କାରଣ ଆଖିର କୋନ ଜୀବକୋଷମାନେ ଅନ୍ଧାରରେ କିଛି କାମ କରି ପାରନ୍ତି ନାହିଁ । କେବଳ ଲମ୍ବା ଜୀବକୋଷ - ରଡମାନେହିଁ କାମ କରନ୍ତି ।

ମଣିଷ ପିଲା ଥିଲାବେଳେ କେବଳ ଆଲୁଅ ବା ଅନ୍ଧାର ବୁଝି ପାରିଥାଏ । ପାଖ ଜିନିଷକୁ ଦେଖି ପାରେ ନା । ଦୁଇଟି ଆଖିର ଲୟ ବଦ୍ଧତା ନ ଥାଏ। ଧିରେ ଧିରେ ବଢିଗଲା ପରେ ଦୁଇଟି ଆଖି ଠିକ୍ ଭାବରେ ଦେଖେ ଓ ଲୟବଦ୍ଧତା ବଢେ। ଝାପ୍ସା ଆଲୁଅରେ ପିଲାମାନେ ପଢି ପାରନ୍ତି ବଡ଼ ମାନେ ପାରନ୍ତି ନାହିଁ। ତାର କାରଣ ହେଲା ପିଲାବେଳେ ଆଖିର ମାଂସପେଶୀ ସବୁ ଖୁବ୍ ତାଜା ଥାଏ ଓ ଭଲ କାମ କରିପାରେ । ଆଖି ଦିନକୁ ପ୍ରାୟ ୧୦,୦୦୦ ଥର ଘୁରି ବୁଲେ । ଏଥିରୁ ଆଖିର ମାଂସପେଶୀର ଶକ୍ତିର କଳନା କରାଯାଇପାରେ।

ଆଖି ପୂର୍ଣ୍ଣ ବିଶ୍ରାମ

ଶୋଇଗଲାପରେ ଆଖି ପୂର୍ଣ୍ଣ ବିଶ୍ରାମ ପାଏ। ମାତ୍ର ଚେଇଁଥିଲାବେଳେ ମଧ୍ୟ ଟିକିଏ ଟିକିଏ ; ଯଦିଓ ଖୁବ୍କମ୍ ସମୟ ପାଇଁ ଆଖିମିଟିକା ମାରିବା ସମୟଟାରେ ଆଖି ବିଶ୍ରାମ ନେଇଥାଏ । ବେଳେବେଳେ ଦୁଇଆଖି ପାଳି କରି କାମ କରନ୍ତି । ଗୋଟିଏ ଆଖି ନବେ ଭାଗ କାମ କଲାବେଳେ ଅନ୍ୟଟି ଅଳସେଇ ଯାଏ । ଏହିପରି ଦୁଇଆଖି ଶରୀରପାଇଁ ଅନବରତ କାମ କରିଥାଏ। ଆଖିର ଲୁହରେ ଲାଇସୋଜାଇମ ମଧ୍ୟ ଅଛି - ଏହା ଆଖିର ପ୍ରତିରକ୍ଷା ବ୍ୟବସ୍ଥା। କୌଣସି ଜୀବାଣୁ ଆସିଲେ ତାକୁ ମାରିଦେବା ପାଇଁ ଏହା କାମରେ ଲାଗେ।

ସୁସ୍ଥ ଆଖି ପାଇଁ ଏଥିରୁ ନିବୃତ/ ରୁହନ୍ତୁ

  1. ଅବଧି ଶେଷ ହୋଇଥିବା ଔଷଧ ବ୍ୟବହାର କରିବା:
  2. ଆଖିରେ ଅବଧି ଶେଷ ହୋଇଯାଇଥିବା ତଥା ଖରାପ ହୋଇଯାଇଥିବା ଔଷଧ ବ୍ୟବହାର କରିବା ଦ୍ୱାରା ଆଖି କୁଣ୍ଡାଇ ହେବା ସହ ଆଲର୍ଜି ପରି ପ୍ରୋବ୍ଲେମ୍‌ ହୋଇଥାଏ । ତେଣୁ ଯେବେ ବି ଆଖିରେ ଡ଼୍ରପ ପକାଉଛନ୍ତି ସେତେବେଳେ ଔଷଧଟି ଏକ୍ସପାଇଆର ହୋଇଛି କି ନାହିଁ ଚେକ୍‌ ପରି ନିଅନ୍ତୁ ।

  3. ଭଲ କାଜଲ ନଲଗାଇବା:
  4. ଆଖିରେ ଯଦି ଝିଅମାନେ କାଜଲ ଲଗାଉଛନ୍ତି ତେବେ ଭଲ କାଜଲର ବ୍ୟବହାର କରନ୍ତୁ । ଏପରିକି ଆଉ କାହାର କାଜଲ ବ୍ୟବହାର କରିବା ଉଚିତ୍‌ ନୁହେଁ । ଏହାଦ୍ୱାରା ଆଖିରେ ଇନ୍‌ଫେକ୍ସନ୍‌ ଏବଂ ଆଲର୍ଜି ହେବା ସହ ଆଖିର ପାଓ୍ୱାର ମଧ୍ୟ କମ୍‌ ହୋଇଯାଇଥାଏ ।

  5. ଆଖିର ମେକ୍‌ଅପ୍‌ ବାହାର ନକରିବା:
  6. ରାତିରେ ଶୋଇବା ପୂର୍ବରୁ ଆଖିରେ କରିଥିବା ମେକ୍‌ଅପ୍‌କୁ ବାହାର କରି ନିଅନ୍ତୁ । ଏହାଦ୍ୱାରା ଏଥିରେ ଥିବା ରାସାୟନିକ ପଦାର୍ଥ ଆଖି ଉପରେ ଖରାପ ପ୍ରଭାବ  ପକାଇ ଥାଏ। ଏହାଦ୍ୱାରା ଆଖି କୁଣ୍ଡାଇ ହେବା ସହ, ଆଲର୍ଜି, ଇନ୍‌ଫେକ୍ସନ, ଘା’ ଏବଂ ଆଖି ଲାଲ ହୋଇଥାଏ ।

  7. କମ୍ପୁଟର ପରଦାକୁ ବାରମ୍ୱାର ଦେଖିବା ବା ଲଗାତାର ଦେଖିବା:
  8. ସବୁଦିନ କମ୍ପ୍ୟୁଟର, ମୋବାଇଲ କିମ୍ୱା ଟିଭିର ପରଦାକୁ ଲଗାତାର ଭାବେ ବହୁ ଘଣ୍ଟା ଧରି ଚାହିଁ ରହିବା ଦ୍ୱାରା ଆଖି ଖରାପ ହେବାର ସମ୍ଭାବନା ରହିଥାଏ । ଏଥିରୁ ବଞ୍ଚିବା ପାଇଁ ପ୍ରତି ୨୦ ମିନିଟ୍‌ରେ କିଛି ସମୟ ଧରି ଆଖିକୁ ବିରାମ ଦିଅନ୍ତୁ । ଏପରିକି ସ୍କ୍ରିନ୍‌ଠାରୁ ୨ ଫୁଟ ଦୂରରେ ରୁହନ୍ତି ।

  9. ଆଖି ପରୀକ୍ଷା ନକରିବା:
  10. ଯଦି ଆପଣଙ୍କ ଆଖିରେ ଚଷମା ଲଗାଇଛନ୍ତି କିମ୍ୱା ଆପଣଙ୍କ ଆଖିରେ କଷ୍ଟ ହେଉଛି, ତେବେ ଯଥାଶିଘ୍ର ଏହାର ଚେକ୍‌ଅପ୍‌ କରାଇ ନିଅନ୍ତୁ ।

  11. ଅନ୍ୟ କାହାର ଚଷମା ବ୍ୟବହାର କରିବା:
  12. ଆଖିର ନମ୍ୱର ଅନୁଯାୟୀ ଅଲଗା-ଅଲଗା ଚଷମା ନିର୍ମାଣ କରାଯାଇଥାଏ । ଯଦି କେବେ ଆପଣ ଅନ୍ୟ କାହାର ଚଷମା ବ୍ୟବହାର କରୁଛନ୍ତି ସାବଧାନ ରୁହନ୍ତି । ଏହାଦ୍ୱାରା ମୁଣ୍ଡବିନ୍ଧା, ଆଖିରେ ପାଓ୍ୱାର କମ୍‌ ହେବାର ସମ୍ଭାବନା ରହିଛି ।

  13. ଆଖି ମକଚିବା:
  14. ହାତରେ ଆଖିକୁ ମକଚନ୍ତୁ ନାହିଁ । ଏହାଦ୍ୱାରା ହାତରେ ଥିବା ବ୍ୟାକ୍ଟେରିଆ ଆଖିରେ ଅତି ସହଜରେ ଚାଲିଯାଇଥାଏ । ଏହାଦ୍ୱାରା ଆଖିରେ ଇନ୍‌ଫେକ୍ସନ୍‌ ଏବଂ ଆଲର୍ଜିର ସମ୍ଭାବନା ଆଢ଼ିଯାଇଥାଏ ।

  15. ଚଷମା ନଲଗାଇବା:
  16. ବାହାରକୁ ବାହାରିବା ସମୟରେ କିମ୍ୱା ବାଇକ୍‌ ଚଳାଇବା ସମୟରେ ଆଖିରେ ଧୂଳି ଏବଂ କିଡ଼ା ଚାଲି ଯାଇଥାନ୍ତି। ଏହାଦ୍ୱାରା ଆଖି ଖରାପ ହୋଇଥାଏ ।

  17. ଆଖି ନଧୋଇବା:
  18. ଦିନରେ ଅତି କମ୍‌ରେ ୨ କିମ୍ୱା ୩ ଥର ସଫା ପାଣିରେ ଆଖି ଧୂଅନ୍ତୁ । ନଚେତ୍‌ ଆଖିରେ ଇନ୍‌ଫେକ୍ସନ୍‌ର ଆଶଙ୍କା ବଢ଼ି ଯାଇଥାଏ । ଆଖି ଖରାପ ହୋଇଥାଏ ।

ଆଖି ଥକାପଣ ଦୂରର ସହଜ ଉପାୟ

ଅତ୍ୟାଧୁନିକ ଟେକ୍ନୋଲୋଜି ଦୁନିଆରେ ଲୋକ ନିଜ ଅଧିକାଂଶ ସମୟମୋବାଇଲ, ଲାପ୍‌ଟପ୍‌, ଟିଭି ଆଦି ଦେଖି କାଟୁଛନ୍ତି । ଖାଲି ମନୋରଞ୍ଜନ ନୁହେଁ ଏବେ ପାଖାପାଖି ପ୍ରାୟ ସବୁ ଲୋକ କର୍ମକ୍ଷେତ୍ରରେ କମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା ଧରି କାର୍ଯ୍ୟ କରୁଛନ୍ତି । ଏହାର ସିଧାସଳଖ ପ୍ରଭାବ ପଡୁଛି ଆଖି ଉପରେ । ଫଳରେ ଆଖିରୁ ପାଣି ବାହାରିବା, କୁଣ୍ଡାଇ ହେବା, କଳାଦାଗ ପରି ସମସ୍ୟା ଦେଖା ଯାଉଛି । ଯଦି ଏହାର ଚିକିତ୍ସାରେ ଅବହେଳା କରାଯାଏ ତେବେ ଆଖି ପରି ଅମୂଲ୍ୟ ସମ୍ପଦ ହରାଇବାର ମଧ୍ୟ ସମ୍ଭାବନା ରହୁଛି ।

ସନ୍ତୁଳିତ ଖାଦ୍ୟପଦାର୍ଥ ସହ ଆଖିର ବ୍ୟାୟାମ ନିୟମିତ କଲେ ଆଖିର ଥକାପଣ ଦୂର ହେବ । ଆମେ କିଛି ସହଜ ଟିପ୍ସ ଏଠାରେ ଦେଉଛୁ, ଯାହାଦ୍ୱାରା ଆପଣଙ୍କ ଆଖିକୁ ଆରାମ ମିଳିବ ।

  • ସନ୍ତୁଳିତ ଖାଦ୍ୟପଦାର୍ଥର ଅଭାବରେ ଆଖି ଥକା ଥକା ଲାଗେ । ତେଣୁ ଅଧିକରୁ ଅଧିକ ଫଳ ଓ ପନିପରିବା ଖାଆନ୍ତୁ । ଆଖି ସୁସ୍ଥ ରହିବା ସହ ଥକାପଣ ଦୂର ହେବ।
  • ଆଖିକୁ ଆରାମ ଦେବା ପାଇଁ ଗଭୀର ଓ ପର୍ଯ୍ୟାପ୍ତ ମାତ୍ରାର ନିଦ ଆବଶ୍ୟକ । ନିଦ ଅଭାବରୁ ଆଖି ତଳ କଳାଦାଗ ହେବା ସହ ଆଖି ଉପର ଦରଜ ହୋଇଥାଏ । ତେଣୁ ୭ରୁ ୮ ଘଣ୍ଟା ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ନା କେବଳ ଆପଣଙ୍କ ଆଖି ସୁସ୍ଥ ରହିବ ବରଂ ଶରୀରର ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ଭାବରେ ହେବ।
  • ଦୁଇ ହାତକୁ ଘଷନ୍ତୁ । ଆଖି ବନ୍ଦ କରି ହାତକୁ ଆଖି ଉପରେ ରଖନ୍ତୁ । ଏହା ପରେ ଆଖି ଖୋଲି ଡୋଳାକୁ ଚାରିପଟକୁ ବୁଲାନ୍ତୁ, ପୁଣି ଆଖି ବନ୍ଦ କରି ଦୀର୍ଘ ନିଶ୍ୱାସ ନିଅନ୍ତୁ । ଏହାଦ୍ୱାରା ଆଖି ଉପରେ ପଡିଥିବା ପ୍ରଭାବ ଦୂର ହେବ ଏବଂ ହାଲ୍‌କା ଲାଗିବ ।
  • ଦୁଇଟି ଚାମଚକୁ ଥଣ୍ଡା ପାଣିରେ ବୁଡାନ୍ତୁ । କିଛି ସମୟ ପରେ ଦୁଇ ଚାମଚକୁ ଓଲଟା କରି ଆଖି ଉପରେ ଏକ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ । ଚାମଚରୁ ମିଳୁଥିବା ଥଣ୍ଡା ଆଖିର ଥକାପଣ ଦୂର କରେ ।
  • ଥଣ୍ଡା କ୍ଷୀରରେ ତୁଳାକୁ ଭିଜାଇ ରଖନ୍ତୁ । ସେଇ କ୍ଷୀରଭିଜା ତୁଳାକୁ ୧୦ରୁ୧୫ ମିନିଟ୍‌ ପାଇଁ ଆଖି ଉପରେ ରଖି ଶୁଅନ୍ତୁ । ଏହାଦ୍ୱାରା ଆଖିକୁ ଆରାମ ମିଳିବା ସହ କଳାଦାଗ ମଧ୍ୟ ଦୂର  ହେବ ।

ଆଧାର -

  • ଦ  ଅରଗାନାଇଜେସନ ଅଫ ରେଟିନା ଆଣ୍ଡ ଭିଜୁଆଲ ସିଷ୍ଟମ
  • ସ୍ୱାସ୍ଥ୍ୟ ବ୍ୟୁରୋ
0.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top