ସେଆର କରନ୍ତୁ

ସ୍ତନ

ଉପକ୍ରମ

ସ୍ତନ ମାନବ ଛାତିର ବାମ ଓ ଡାହାଣ ପାର୍ଶ୍ଵରେ ଥାଏ ଯେଉଁଥିରେ ସ୍ତନ ଗ୍ରନ୍ଥି ଥାଏ । ମହିଳା ସ୍ତନରୁ କ୍ଷୀର ବାହାରେ ଯାହା ନବଜାତ ଶିଶୁ ପାନ କରେ । ପୁରୁଷ ଓ ମହିଳା ଉଭୟଙ୍କର ସ୍ତନ ସମାନ ଭୃଣ ତନ୍ତୁରୁ ବିକଶିତ ହୁଏ । ଯୌନ ପରିପକ୍ଵତା (Puberty) ଆସିଲେ ମହିଳାମାନଙ୍କର୍ ଯୌନ ହରମୋନ ଏସ୍ଟ୍ରୋଜେନ କ୍ଷରଣ ହୁଏ ଯାହା ସ୍ତନ ବିକଶିତ କରାଏ । ପୁରୁଷମାନଙ୍କର ଟେସ୍ଟୋସ୍ଟେରନ ହରମୋନ ଆଧିକ୍ୟ ଯୋଗୁ ସ୍ତନର ବିକାଶ ହୁଏ ନାହିଁ । ଏହି କାରଣ ଯୋଗୁ ମହିଳାମାନଙ୍କର ସ୍ତନ ଉନ୍ନତ ଦେଖାଯାଏ । ହରମୋନମାନଙ୍କର ବିଭିନ୍ନ ଜଟିଳ ଆନ୍ତଃକ୍ରିୟା ଶରୀରରେ ହେବା ଯୋଗୁ ଗର୍ଭାବସ୍ଥାରେ ସ୍ତନ ତନ୍ତୁ ଅଧିକ ଓ ବିକଶିତ ହୁଏ ଯାହାଦ୍ଵାରା କ୍ଷୀର ବାହାରିବା ସମ୍ଭବ ହୁଏ । ପ୍ରୋଜେସ୍ଟେରନ, ଏସ୍ଟ୍ରୋଜେନ ଓ ପ୍ରୋଲାକ୍ଟିନ ନାମକ ତିନୋଟି ହରମୋନ ଯୋଗୁ ଋତୁ ଚକ୍ରରେ (Menstrual cycle) ସ୍ତନ ଓ ଜରାୟୁରେ ପରିବର୍ତ୍ତନ ଦେଖାଯାଏ[୨] । ସ୍ତନରେ ୧୫ ରୁ ୨୦ଟି ଲୋବ (Lobe) ବା ଭାଗ ଥାଏ । ସ୍ତନ ଚର୍ମ ତଳେ ଚର୍ବି ତନ୍ତୁ ରହି ଲୋବମାନଙ୍କୁ ଘୋଡ଼େଇ ରଖି ତାହାରା ଆକାର ଓ ଆକୃତି ପ୍ରଦାନ କରେ । ପ୍ରତ୍ୟକ ଭାଗ ଅନେକ ଉପଭାଗରେ ବିଭକ୍ତ ହୋଇଥାଏ ଓ ଉପ ବିଭାଗରେ ସ୍ତନ ଗ୍ରନ୍ଥି ଥାଏ ଯାହା ଶେଷରେ କ୍ଷୁଦ୍ର ଥଳୀରେ ପରିଣତ ହୁଏ । ଗ୍ରନ୍ଥିରୁ ହରମୋନ ସଙ୍କେତ ପାଇ କ୍ଷୀର କ୍ଷରଣ ହୁଏ ଓ ଏହି କ୍ଷୁଦ୍ର ଥଳୀରେ ଜମା ହୋଇ ରହେ ।

ଶରୀର ଗଠନ ବିଜ୍ଞାନ

କର୍ମ ଅନୁଯାୟୀ ସ୍ତନ ଗଠନ

ସ୍ତନ ମଧ୍ୟ ଭାଗରେ ଗୋଟିଏ ଗୋଲାକାର ଇଟା ରଙ୍ଗର ବା ଇଷତ ଲାଲ (Pink) ରଙ୍ଗର ସ୍ଥଳ ଏରିଓଲା Areola) ଦେଖାଯାଏ ଯାହାର ଠିକ ମଝିରେ ସ୍ତନାଗ୍ର ବା ନିପ୍ଲ (Nipple) ଥାଏ । ଏହି ସ୍ତନାଗ୍ରରୁ ଶିଶୁ ପିଇବା ନିମନ୍ତେ କ୍ଷୀର ଝରିଆସେ । ସ୍ତନ ଭିତରେ ଅନେକ ଗୁଡ଼ିଏ ଲୋବ୍ୟୁଲ ଥାଏ ଯାହା କ୍ଷୁଦ୍ର ନଳୀ ସ‌ହ (Duct) ସଂଯୁକ୍ତ ଥାଏ । ସ୍ତନ‌କୁ ମାମାରି ଗ୍ତନ୍ଥି ବା ମାମାରି ଗ୍ଲାଣ୍ଡ କ‌ହନ୍ତି ଓ ଏହା ଅପୋକ୍ରାଇନ (Apocrine) ଜାତୀୟ ଗ୍ରନ୍ଥି । ଏହି କ୍ଷୀର ପ୍ରସ୍ତୁତକାରୀ ସ୍ତନର କାର୍ଯ୍ୟକାରୀ ଏକକ ଥାଏ ଯାହାକୁ ଟି.ଡି.ଏଲ.ୟୁ. କହନ୍ତି । ସ୍ତନରେ ଚର୍ବି ମିଶା କ୍ଷୀର ପ୍ରସ୍ତୁତ ହୁଏ । ଏହି ମାମାରି ଗ୍ଲାଣ୍ଡ ସ୍ତନ ଭିତରେ ଭର୍ତ୍ତି ହୋଇଥାଏ । ନିପ୍ଲର ୨୦ ମି.ମି. ବ୍ୟାସାର୍ଧରେ କ୍ଷୀରବାହି ନଳୀ ଥଏ । ଶେଷ ନଳୀଗୁଦିକ ମିଶି ୪ ରୁ ୮ଟି ଲାକ୍ଟିଫେରସ ନଳୀ ହୋଇ ନିପ୍ଲକୁ କ୍ଷୀର ଆଣେ । ନାରୀର କ୍ଷୀର ବାହାରୁଥିବା ସ୍ତନରେ ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୨ ଓ କ୍ଷୀର ନ ବାହାରୁଥିବା ନାରୀର ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୧ । ସଂଯୋଗକାରୀ ତନ୍ତୁ (Connective tissue: Collagen and elastin), ଧଳା ଚର୍ବି ଓ ଝୁଲେଇ ରଖିବା ନିମନ୍ତେ କୁପର ଲିଗାମେଣ୍ଟ ଇତ୍ୟାଦି ସ୍ତନରେ ଥାଏ । ସ୍ତନକୁ ଛାତିର ଟି ୪, ଟି ୫ ଓ ଟି୬ ସ୍ନାୟୁ ସ୍ପର୍ଶ ଶକ୍ତି ଯୋଗାଏ । ନିପ୍ଲ ଓ ଏରିଓଲା ସ୍ଥାନ ଟି ୪ ସ୍ନାୟୁ ଦ୍ଵାରା ଯୋଗାଣ ହୁଏ ।[

ପ୍ରକୃତ ଗଠନ

ଛାତିରେ ଥିବା ପେକ୍ଟୋରାଲିସ୍ ମେଜର ମାଂସପେଶୀ ଉପରେ ସ୍ତନ ଥାଏ ଓ ଏହା ୨ୟ୍ ପଞ୍ଜରାଠାରୁ ୬ଷ୍ଠ ପଞ୍ଜରା ପର୍ଯ୍ୟନ୍ତ ବ୍ୟାପିଥାଏ । ସମ୍ମୁଖରେ କ୍ଲାଭିକ୍ଲ ଅସ୍ଥିଠାରୁ ତଳକୁ ମଝି ଅସ୍ଥିର ମଧ୍ୟ ଭାଗ ପର୍ଯ୍ୟନ୍ତ୍ ଲମ୍ବିଥାଏ ଓ ଓସାର ବାଗରେ ଏହା କାଖ ସିଧା ପର୍ଯ୍ୟନ୍ତ ଥାଏ । ସ୍ତନରେ ବିଭିନ୍ନ ପ୍ରକାରର ତନ୍ତୁ ଥାଏ, ମୂଖ୍ୟତଃ ଗ୍ଲାଣ୍ଡ ଓ ଚର୍ବି ଥାଏ ।

ସ୍ତନ ଏକ କୋନ ଭଳି ଦେଖାଯାଏ । ଓ ଏହା ଶିର୍ଷରେ ସ୍ତନାଗ୍ର ଥାଏ । ଚର୍ମ ତଳେ ଚର୍ବି ଆସ୍ତରଣ ଓ ତା ତଳେ ସୁପରଫିସିଆଲ୍ ଫାସା (Superficial fascia) ଥାଏ । ବୟଃପ୍ରାପ୍ତ ସ୍ତନରେ ୧୪ ରୁ ୧୮ ଟି ଲାକ୍ଟିଫେରସ୍ ଲୋବ ଥାଏ ଓ ତାହାକୁ ଘଞ୍ଚ ଫାସା ଘେରି ରହିଥାଏ, ଯାହା ଏହାକୁ ଟେକି ଧରେ । ସ୍ତନ ଗ୍ଲାଣ୍ଡ ଏସ୍ଟ୍ରୋଜେନ ଦ୍ଵାରା ସାହାଯ୍ୟ ପାଏ, ତେଣୁ ଋତୁ ବନ୍ଦ ପରେ ଏସ୍ଟ୍ରୋଜେନ କ୍ଷରଣ ନ ହେବାରୁ ଏହି ଗ୍ଲାଣ୍ଡ ଶୁଖିଯାଏ । ତା ପରେ ସ୍ତନରେ କେବଳ ଚର୍ବି, ଫାସା ଓ ଚର୍ମ ରହେ ।

ଆକାର ଅନୁସାରେ ସ୍ତନର ଓଜନ ଅଧ କିଲୋରୁ ଏକ କିଲୋ ପର୍ଯ୍ୟନ୍ତ ହୁଏ । ଚର୍ବି ଓ ଗ୍ଲାଣ୍ଡ ଅନୁପାତ ବୟସ ଅନୁସାରେ, ଗର୍ଭାବସ୍ଥାରେ ଓ ସ୍ତନ୍ୟ ପାନ ସମୟରେ ଭିନ୍ନ ଭିନ୍ନ ହୁଏ ।

କର୍ମ ପଦ୍ଧତି ଓ ସ୍ଵାସ୍ଥ୍ୟ

ଶିଶୁର ଖାଦ୍ୟ ଦୁଧ ତିଆରି କରି ତାହାକୁ ଖାଦ୍ୟ ଯୋଗାଣ କରିବା ସ୍ତନର ମୂଖ୍ୟ କାମ । ଉପଯୁକ୍ତ ଦୁଧ ପ୍ରସ୍ତୁତ କରିବା ନିମନ୍ତେ ସ୍ତନ ଅଧିକ ଉତ୍ତାପ ଆବଶ୍ୟକ କରେ ଯାହା ତାହାର ଗୋଲ ଆକାର ଯୋଗୁ ସମ୍ଭବ ହୁଏ । ଏହି ଆକାର ଯୋଗୁ ଉତ୍ତାପ ଅଧିକ ରହେ । ନବଜାତ ଶିଶୁ ସ୍ତନ୍ୟପାନ ସମୟରେ ଏହି ଗୋଲାକାର ଯୋଗୁ ଶ୍ଵାସରୁଦ୍ଧ ହୁଏ ନାହିଁ । ସିମ୍ପାଞ୍ଜି ଭଳି ସମତଳ ଛାତି ହେଲେ ଶିଶୁର ନାକ ଚାପି ହୋଇଯାଆନ୍ତା । ଅନ୍ୟ ପ୍ରାଣୀମାନଙ୍କର ପାଟି ଗୋଜିଆ ହୋଇ ଆଗକୁ ବାହାରି ଥିବାରୁ ଚଟକା ଛାଟି ଥିଲେ ମଧ୍ୟ କିଛି ଅସୁବିଧା ହୁଏ ନାହିଁ । ଶିଶୁ ମୁହଁ ଗଠନ ଯୋଗୁ ସ୍ତନର ଆକାର ଗୋଲାକାର ହୋଇଛି ।

ଗର୍ଭାଧାନ ଓ ପ୍ରସବ ପରବର୍ତ୍ତୀ ସମୟରେ ଦୁଧ ତିଆରି ହେବା ଛଡ଼ା ଅନ୍ୟ ସମୟରେ ମଧ୍ୟ ଦୁଧ ତିଆରି ହୁଏ ଯେପରି ମାନସିକ ରୋଗ ନିମନ୍ତେ ଦିଆଯାଉଥିବା କେତେକେ ଔଷଧର ପାର୍ଶ୍ଵକ୍ରିୟା ଯୋଗୁ ସ୍ଵତଃ ଦୁଧସ୍ରାବ ବା ଗାଲାକ୍ଟୋରିଆ (galactorrhea) ହୁଏ, ଅତ୍ୟଧିକ ଶାରୀରିକ ଚାପ, ଏଣ୍ଡୋକ୍ରାଇନ ରୋଗ ଯୋଗୁ ହୁଏ । ସଦ୍ୟଜାତ ଶିଶୁର ସ୍ତନରୁ ମଧ୍ୟ ଦୁଧ କ୍ଷରଣ ହୁଏ କାରଣ ମାତୃଗର୍ଭରେ ଥିବାବେଳେ ମାଆ ଦେହରେ ପ୍ରବାହିତ ପ୍ରୋଲାକ୍ଟିନ ଓ ଅକ୍ସିଟୋସିନ ଭଳି ହରମୋନ ଶିଶୁ ଦେହରେ ମଧ୍ୟ ପ୍ରବାହିତ ହେଉଥାଏ । ପୁରୁଷମାନଙ୍କ ଦେହରେ ସ୍ତନ ଥିଲେ ମଧ୍ୟ ପୁଂ-ହରମୋନ ଟେସ୍ଟୋସ୍ଟେରନ ହରମୋନ ଯୋଗୁ ଦୁଧ ତିଆରି ସମ୍ଭବ ହୁଏ ନାହିଁ । ଯଦି ପୁରୁଷର ସ୍ତନରୁ ଦୁଧ ବାହାରେ ତେବେ ତାହା ପିଟିଇଟାରି ଗ୍ଲାଣ୍ଡର କୌଣସି ରୋଗ ଯୋଗୁ ହୁଏ ।

ସ୍ତନ ରୋଗ

ମହିଳା ମୃତ୍ୟୁ କାଋଣ ମଧ୍ୟରୁ ସ୍ତନ କର୍କଟ ରୋଗ ଏକ ମୂଖ୍ୟ କାରଣ ଅଟେ । ଏହା ବ୍ୟତିତ ମାସ୍ଟାଇଟିସ, ମାସ୍ଟାଲଜିଆ ଓ ଫାଇବ୍ରୋସିସ୍ଟିକ ପରିବର୍ତ୍ତନ ଇତାଦି ଅନେକ ରୋଗ ହୁଏ ।

ଉତ୍ସ :      Introduction to the Human Body, Fifth Edition. John Wiley & Sons, Inc.: New York, 2001

3.14705882353
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top