ହୋମ / ସ୍ଵାସ୍ଥ୍ୟ / ଆୟୁଷ / ଆଘାତଜନିତ ପୀଡା
ସେଆର କରନ୍ତୁ

ଆଘାତଜନିତ ପୀଡା

ଆଘାତଜନିତ ପୀଡା ର ସୂଚନା

ଉପକ୍ରମ

ଯେଉଁପରିପ୍ରେକ୍ଷୀରେ  ଏହାର  ଅବତାରଣା,  ତାହାହେଉଛି   କୌଣସି  ବସ୍ତୁଦ୍ଵାରା  ବାହାରୁ  ଶରୀରର  କୌଣସି  ଅଙ୍ଗରେ  ମାଡ  ହେବାର  ଅବସ୍ଥା   । ତେଣୁ  ଏହାର  ପରିଣାମ  ନିର୍ଭର  କରୁଛି  ଆଘାତପ୍ରାପ୍ତ  ନିର୍ଦ୍ଧିଷ୍ଟ  ଅଙ୍ଗ  ବା  ଅଂଶ  ଓ  ଆଘାତର   ଶକ୍ତି  ଉପରେ   । ‘ପ୍ରତ୍ୟକ୍ଷ – ଶରୀର  ବିଜ୍ଞାନ’  ଦୃଷ୍ଟିରୁ, ଶରୀର   ବାହାରୁ   ଭିତର   ପର୍ଯ୍ୟନ୍ତ   ଯେ  ସବୁ  ତନ୍ତୁରେ  ଅଙ୍ଗପ୍ରତ୍ୟଙ୍ଗାଦି   ସୃଷ୍ଟି  ହୋଇଛି   ତାହା  କୋମଳ, ଜଟାକାର,  କଠିନ  ଓ  ଅତିକୋମଳ  ତନ୍ତୁମାନଙ୍କୁ  ନେଇ    । ଯଥା : ଚର୍ମ,  ମାଂସପେଶୀ, ମାଂସରଜ୍ଜୁ, ସ୍ନାୟୁ, ଅସ୍ଥି  ଆବରଣ, ଗ୍ରନ୍ଥି, ଅସ୍ଥି ଓ  ଅତି   କୋମଳ  ପ୍ରାଣଧାରକ  ଅଙ୍ଗପ୍ରତ୍ୟଙ୍ଗ   । ପୁନଶ୍ଚ  ଧାରୁଆ, ମୁନିଆ,  ଦନ୍ଥରା ଓ  ମୁଣ୍ଡା  ଇତ୍ୟାଦି  ଜିନିଷ  ଦ୍ଵାରା  ବିଭିନ୍ନ  ପ୍ରକାରର   ଆଘାତ  ସୃଷ୍ଟି  ହୋଇଥାଏ   । ଏହିସବୁ  ବିଭିନ୍ନ  ଧରଣର  ଅସ୍ତ୍ରଦ୍ଵାରା   ଭିନ୍ନଭିନ୍ନ  କିସମର  ତନ୍ତୁଦ୍ଵାରା  ଗଠିତ  ଶରୀରାଂଶ  ଉପରେ  ଆଘାତଜନିତ  ଫଳ  ଭିନ୍ନ  ଭିନ୍ନ  ପ୍ରକାରର  ଓ  ତାହା  ଉପରେ  ଜୀବନ୍ତ  ଶରୀରର  ପ୍ରତିକ୍ରିୟା  ଆନୁପାତିକଭାବରେ  ମଧ୍ୟ  ନାନାପ୍ରକାରର   ।

ହୋମିଓପାଥି  ଔଷଧର  ବ୍ୟବହା

ଏହିସବୁ  ଦିଗକୁ  ଲକ୍ଷ୍ୟରଖି  ହୋମିଓପାଥି  ଔଷଧର   ବ୍ୟବହାର  ନିର୍ଦ୍ଧିଷ୍ଟ   ହୁଏ  । ଯଥା : ମୁଣ୍ଡା  ଜିନିଷଦ୍ଵାରା  ଆଘାତ  ପାଇଁ  ଏକୋନାଇଟ, ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ, ସିମ୍ଫାଇଟମ୍ , ନ୍ୟାଟ୍ରମସଲଫ ରୁଟା ବ୍ୟବହାର  ହେଲେ, ଧାରୁଆ  ଅସ୍ତ୍ରଦ୍ଵାରା  ଆଘାତପାଇଁ  ଷ୍ଟାଫିସାଗ୍ରିୟା, ହାଇଫେରିକାମ୍, ଏଲିୟାମ  ସିପା ଆଦି  ପ୍ରୟୋଜନ   । ମୁନିଆ  ଜିନିଷଦ୍ଵାରା  ଆଘାତ  ହୋଇଥିଲେ   ଲିଡମ, ହାଇପେରିକମ୍, ସାଇଲିସିଆଆନାଗାଲିସ କଥା   ଚିନ୍ତା  କରିବା   ବିଧେୟ  । ଦନ୍ଥରା  ଜିନିଷ  ହୋଇଥିଲେ   ଆର୍ଣ୍ଣିକା, କାଲେଣ୍ଡୁରା, ହାଇପେରିକମ୍ କଥା  ସବୁବେଳେ   ମନେ  ରଖିବା   କଥା  ।

ପୁନଶ୍ଚ   ଆଘାତ  ଦ୍ଵାରା  ବାହ୍ୟଚର୍ମ  ଅକ୍ଷତ  ଥିଲେ   ଏକୋନାଇଟ, ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ, ନ୍ୟାଟ୍ରମସଲଫ, ସିମ୍ଫାଇଟମ୍ ଓ  ରୁଟା କଥା  ଯେପରି   ମନରେ   ଆଣିବାକୁ  ହେବ,  କ୍ଷତ   ହୋଇଥିଲେ  ଏକୋନାଇଟ, ଆର୍ଣ୍ଣିକା, କାଲେଣ୍ଡୁରା, ହାଇପେରିକମ୍ ଓ ଲିଡମ   ଆଦି  କଥା  ମଧ୍ୟ  ସେହିଭଳି  ଚିନ୍ତା  କରିବାକୁ  ପଡିବ  ।

ମାଂସପେଶୀରେ  ଆଘାତ  ହୋଇଥିଲେ   ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ କଥା   ଯେପରି  ଆମେ  ଚିନ୍ତାକରୁ,  ଜଟାକାର  ତନ୍ତୁ  ପାଇଁ   ସେହିପରି  ରସଟକ୍ସ ଓ  ରୁଟା ଆଦି  ଆଗ୍ରାଧିକାର  ଭିତ୍ତିରେ  ବ୍ୟବହାରର  ପ୍ରୟୋଜନ   ଆସିଥାଏ  । ସ୍ନାୟୁଗତ  ଆଘାତ  ପାଇଁ  ଏକୋନାଇଟ, ଏଲିୟାମସିପା,  ଲିଡମ୍ ହାଇପରକାମ୍ ର ଯେପରି  ତୁଳନା  ନାହିଁ  ସେହିପରି  ଅସ୍ଥି ଆବରଣ  ପାଇଁ  ରୁଟା ଓ  ଅସ୍ଥି  ପାଇଁ  ସିମ୍ପାଇଟମ  ଭଳି   ଔଷଧର  ସ୍ଥାନାଧିକାର  କରିବା  ଭଳି  ଔଷଧ  କାହିଁ  ? ଗ୍ରନ୍ଥି ର  ଆଘାତ  ପର  ଅବସ୍ଥା  ପାଇଁ  କୋନିୟମ  ଯେପରି  ଅମୋଘ  ମୁଣ୍ଡ  ପାଇଁ  ସେହିପରି  ନେଟ୍ରାମସଲଫର  ପଟ୍ଟାନ୍ତର   ନାହିଁ   । ହେଲେ  ମଧ୍ୟ,  ଆଘାତ  ଯେତେବେଳେ   ଶରୀର   ଉପରେ  ଏକ  ବାହ୍ୟ  ବସ୍ତୁର  ସଙ୍ଘାତ,  ତେଣୁ  ଉପଯୁକ୍ତ  ଆଲୋଚନା   ପରିପ୍ରେକ୍ଷୀରେ   ଆର୍ଣ୍ଣିକା  ଓ  ହାଇପରିକମ୍ ର  ବ୍ୟବହାର  ସବୁଠାରୁ  ଅଧିକ  ଓ  ସ୍ଵତନ୍ତ୍ର   । ସତେ   ଯେପରି   ଏହି  ଦୁଇଟି   ଔଷଧକୁ   ଛାଡିଦେଲେ  ହୋମିଓପାଥିକ  ମତରେ  ଆଘାତର   ଚିକିତ୍ସା   ହୋଇପାରେନା   । କାରଣ, ଯେ  କୌଣସି  ଆଘାତ   ପ୍ରଥମେ   ଉପରିସ୍ଥ  କୋମଳ   ତନ୍ତୁ  ଓ  ସ୍ନାୟୁ  ତନ୍ତୁକୁ   କ୍ଷତିଗ୍ରସ୍ତ  କରେ   । କିନ୍ତୁ  ବଡକଥା  ହେଉଛି, ଆଘାତ  ପରେ   ଅନେକ   ସମୟରେ  ଶରୀରର  ପ୍ରଥମ   ପ୍ରତିକ୍ରିୟା  ହେଉଛି   Shock  ବା  ଆଘାତର   ଅବସନ୍ନତା  । ତେଣୁ,  ଯାହାବା  ଅବସ୍ଥା  ଥାଉନା   କାହିଁକି  ଏକୋନାଇଟ – ୨୦୦ ରୁ  ୨/୪ ପାନ  ୧୫ ମିନିଟ୍  ଅନ୍ତରରେ   ଦେବା  ଉଚିତ  ।

ଏକୋନାଇଟ ଠାରୁ  Shock  ବା  ଆଘାତପର  ଅବସନ୍ନତା  ପାଇଁ   ଆଉ  ଶକ୍ତିଶାଳୀ  ଔଷଧ  କିଛି  ହୋଇପାରେନା  ପ୍ରାଥମିକ  ଅବସ୍ଥାରେ   । ତାହାଛଡା   ଆଖିଉପରେ  ମାଡ  ହେଲେ  ଏହା  ଯଦି  ପ୍ରଥମରୁ   ପ୍ରୟୋଗ  କରନ୍ତି, ତାହାହେଲେ  କୌଣସି  ପ୍ରକାରର   ଆଘାତଜନିତ   ଚକ୍ଷୁ  ପୀଡା  ହେବାର  ସମ୍ଭାବନାକୁ  ସୁରୁଖୁରୁରେ  ଏଡାଇ  ଦେଇହେବ  ।  ଏହାପରେ  ଯଦି  ଆକ୍ଷିପତା  ବା  ତାହାରି  ଭିତର  ଅଂଶରେ  ମଲା  ରକ୍ତ   ଜମିଥିବ ବା ନେଳି   ପଡିଥିବ   ତାହାହେଲେ  ଆର୍ଣ୍ଣିକା ହିଁ  ଔଷଧ   । ଏହା  ସହିତ   ମୁଣ୍ଡବିନ୍ଧା  ରହି  ଆଖି  ବିନ୍ଧୁଥିଲେ  ରୁଟା । ତଥାପି   ଦରଜ   ରହିଗଲେ  ସିମ୍ପାଇଟମ ଦେଇ  ଦେଖନ୍ତୁ   ଆଖି  ଡାକ୍ତରଙ୍କ   ପାଖକୁ   ଯିବାର   ଆବଶ୍ୟକତା   ରହିଛି  କି  ନାହିଁ  ।

ଯେ  କୌଣସି  ଆଘାତ   ପରେ   ଯଦି  ମଲା  ରକ୍ତ  ଜମି   ଚର୍ମ   ନେଳି  ପଡି  ଯାଇଥିବ  ପ୍ରଥମେ  ଆର୍ଣ୍ଣିକା  ହିଁ  ଦିଅନ୍ତୁ  । ଦେଖିବେ  ପ୍ରଥମେ  ଦରଜ   କମିଯାଇ   ଧୀରେ  ଧୀରେ   ଚର୍ମ   ପରିଷ୍କାର   ହୋଇଯିବ  । ଯଦି   ଆଘାତ  ବହୁତ   ଜୋରଦାର   ଧରଣର   ହୋଇ  ଭିତର   ତନ୍ତୁଗୁଡିକର  ମଧ୍ୟ  କ୍ଷୟକ୍ଷତି   ଘଟି   ଦରଜଟା   ଭିତରେ  ମାଲୁମ   ହେଉଥିବ  ଓ  ମଲା  ରକ୍ତ  ତଥାପି  ରହିଥିବ  ତାହାହେଲେ   ସଲଫ୍ୟୁରିକ  ଏସିଡ୍ ଦେବେ   । ଏଥିସହିତ  ଗୋଟିଏ  କଥା   କହି  ରଖିବା  ଉଚିତ  ହେବ  ଯେ,  କେତେକ  ଲୋକଙ୍କର  ଧାତୁ  ଏପତି  ଯେ  ସାମାନ୍ୟତମ   ଆଘାତ   ଲାଗିଲେ  ମଧ୍ୟ  ଦେହ  ଉପରେ   ଦାଗ  ରହିଯାଏ,  ଆଘାତର  ଛାପ  ରହିଯାଏ   ଏବଂ  ତାହା  ଯିବାକୁ   ଢେର   ସମୟ  ଲାଗେ   । ଏ  କ୍ଷେତ୍ରରେ   ବୋଭିଷ୍ଟା (ଯାହାର  ପ୍ରୟୋଗ   ସାଧାରଣତଃ  କେହି  କରି  ନ ଥାନ୍ତେ)  ଦେଇ  ଦେଖନ୍ତୁନା,  ତାହାହେଲେ   ହୋମିଓପାଥି  କ’ଣ  ତାହା  ଅଙ୍ଗେ   ଲିଭେଇବେ  । ପୁନଶ୍ଚ  କୌଣସି  ଆଘାତରେ  କ୍ଷତ  ହେଲେ,  ପ୍ରଥମେ  ତାହାକୁ   ହାଇପେରିକମ୍ Q ରେ   ସଫାକରି  ପଟ୍ଟି  ବାନ୍ଧି   ଦେବେ   । ହାଇପେରିକମ୍ ର  କ୍ରିୟା   ବିଶେଷଭାବରେ   ସ୍ନାୟୁ  ତନ୍ତୁ  ଉପରେ  ହୋଇଥିବାରୁ   ଏହାର  ପ୍ରୟୋଗରେ  ଆଘାତଜନିତ  ବ୍ୟଥା   ଅତିଶୀଘ୍ର   ଦୂର  ହେବା   ସଙ୍ଗେ  ସଙ୍ଗେ  କ୍ଷତ  ମଧ୍ୟ  ଶୁଖିଯାଏ   ।

ଅନେକ  କାଲେଣ୍ଡୁରା Q ବ୍ୟବହାର  କରିବାକୁ   ଉପଦେଶ   ଦିଅନ୍ତି  । ଏହା  କିନ୍ତୁ   କୌଣସି  କ୍ଷତରେ   ପୂଜ  ହେଲା   ପରେ  ହିଁ  ବ୍ୟବହାର  କରିବାର  କଥା   । ନଚେତ୍  ସଦ୍ୟ  କ୍ଷତରେ  ବ୍ୟବହାର  କଲେ  ପୂଜ  ହେବାର  ସମ୍ଭାବନା   ଥାଏ   । ପରୀକ୍ଷା  କରି  ଦେଖନ୍ତୁନା   । ନିଜର  ଅଭିଜ୍ଞତା  ଠାରୁ  ବଡ  କଥା   କିଛି  ନାହିଁ  ।

ଯଦି  ଅଧିକ  ରକ୍ତ  କ୍ଷରଣ  ହେଉଥାଏ  କୌଣସି  କ୍ଷତରୁ,  ତାହାହେଲେ  ଆମଲିକା Q ରେ  କ୍ଷତ  ଧୋଇ  ଫେରମଫସ୍ – 3X ଚୂର୍ଣ୍ଣକୁ  ତା  ଉପରେ   ଦେଇ  ପଟ୍ଟି  ବାନ୍ଧି  ଦିଅନ୍ତୁ   । ଦେଖିବେ  ସବୁ  ଠିକ୍ ଠାକ୍    ।

ଆଘାତ   ବିଷୟରେ   ଭାବିଲାବେଳେ   ସାଧାରଣତଃ   ମକଚି  ଯିବା  ବା  ହଠାତ୍  ମୋଡି  ହୋଇଯିବା  କଥା  ପ୍ରଥମେ  ଆମ   ଦୃଷ୍ଟିକୁ   ଆସେ   । ଏହାର  ଚିକିତ୍ସା  ମଧ୍ୟ  ଠିକ୍  ସେହିଭଳି    । ପ୍ରଥମେ  ଆର୍ଣ୍ଣିକା ଖାଇବାକୁ   ଦେବେ  ସେଠାରେ  ମଲା  ରକ୍ତ  ଜମିଯାଇ   ନେଳି  ପଡି  ଯାଇଥିବ  ଓ  ଅଧକପ୍  ଶୀତଳ  ଜଳରେ  ୩୦ ଟୋପା  ଆର୍ଣ୍ଣିକା  Q  ମିଶାଇ   କନା  ଭିଜାଇ  ପଟ୍ଟି  ବାନ୍ଧିଦେବେ  । ବିଶେଷ  ଭାବରେ  କଟି  ଓ  ବଳାଗଣ୍ଠି   ପାଇଁ  ଲିଡିମପାଲର   ଅନୁରୂପ  ବ୍ୟବହାର   ଶୀଘ୍ର  ଉପଶମ  ଦେବ  । ଯଦି  ଆଘାତ  ସ୍ଥାନ  ଫୁଲି  ଯାଇଥାଏ ଓ  ଉପଯୁକ୍ତ  ଚିକିତ୍ସା   ବିଶେଷ  ଫଳଦାୟକ  ନ ହୁଏ, ୨୪ ରୁ  ୪୮ ଘଣ୍ଟା  ପରେ  ବ୍ରାୟୋନିଆ ଖାଇବାକୁ  ଦିଅନ୍ତୁ   । ଏହିସବୁ  ଔଷଧ  ୬-୨୦୦  ଶକ୍ତି  ପର୍ଯ୍ୟନ୍ତ  ୩-୪ ଘଣ୍ଟାରୁ   ଆରମ୍ଭ  କରି  ୮ ଘଣ୍ଟା   ଅନ୍ତରରେ   ଅବସ୍ଥାଭେଦରେ  ଦିଆଯିବା  ଉଚିତ   । ଏସବୁ  ସତ୍ତ୍ୱେ   ୧୦-୧୨ ଘଣ୍ଟା   ମଧ୍ୟରେ  ଯଦି  ବ୍ୟଥା  ଓ  ଫୁଲା  ନକମେ   ବା  ବଢେ,  ତାହାହେଲେ  X – Ray କରିନେବେ  ଏବଂ  ଯଦି  ଦେଖନ୍ତି  କୌଣସି  ହାଡ ତଦ୍ଦ୍ଵାରା  କ୍ଷତିଗ୍ରସ୍ତ  ହୋଇଥାଏ  (ସାମାନ୍ୟଠାରୁ  ଆରମ୍ଭ  କରି  ସମ୍ପୂର୍ଣ୍ଣଭାବରେ ) ତାହାହେଲେ  ସ୍ଥାନଟିକୁ   ସଞ୍ଚାଳନରୁ   ବନ୍ଦ  ରଖିବା  ପାଇଁ   ପ୍ଲାଷ୍ଟର  ପଟ୍ଟି  ଦେବେ  ଓ  ସିମ୍ପାଇଟମ – ୬ ଦିନକୁ  ୪ ଥର  କରି  ଖାଇବେ  ଓ  ମଝିରେ  ମଝିରେ  ହାଇପେରିକମ୍ – ୨୦୦ ରୁ  ପାନେ   ପାନେ  ଦେବେ,  ଦିନକୁ  ଥରେ  ବ  ଦୁଇଥର   ।

ଶେଷରେ  ଗୋଟିଏ   କଥା  କହିବା  ଜରୁରୀ   ମନେକରେ  । ଆଜିକାଲି   ଯାନବାହନର  ଯେଭଳି  ଗତି ଓ  ଆରୋହୀମାନଙ୍କର  ମତୁଆଲା   ଚାଳନା, ସେଥିରେ   ତତଜନିତ   ଆଘାତର  ମାତ୍ରା  ଦିନକୁ  ଦିନ  ବଢିବାରେ  ଲାଗିଛି   । ତେଣୁକରି   ସର୍ବଦା  ନିକଟରେ  ଏକୋନାଇଟ – ୨୦୦ ଓ  ଆର୍ଣ୍ଣିକା – ୨୦୦ର ଦୁଇଟି  ଶିଶି  ଡ୍ରାଇଭିଂ  ଲାଇସେନସ  ଭଳି  ପାଖରେ  ରଖିଥିବେ   । କୌଣସି  ଦୁର୍ଘଟଣା  ଘଟିବା  ସଙ୍ଗେସଙ୍ଗେ  ପ୍ରତି  ପନ୍ଦର  ମିନିଟରେ   ଏକୋନାଇଟ – ୨୦୦ ରୁ  ୪/୫ଟି  ଗୁଳି  ୪ ଥର  ଖାଇନେବେ  ଓ  ତାହାପରେ   ପ୍ରତି  ପନ୍ଦର  ମିନିଟରେ   ଆର୍ଣ୍ଣିକା – ୩୦ ରୁ ୪ ଥର  ଖାଇ  କୌଣସି   ବିଶେଷଜ୍ଞଙ୍କର   ପରାମର୍ଶ  ଲୋଡିବେ  । କାରଣ  ଏଭଳି  ଦୁର୍ଘଟଣାରେ  ମସ୍ତିସ୍କ  ଆଘାତର  ସମ୍ଭାବନା  ହିଁ  ଅଧିକ   ।

ଔଷଧର  ଆଘାତ  କ୍ଷେତ୍ରରେ   ଉପଯୋଗୀ  ବିଶିଷ୍ଟ  ଲକ୍ଷଣ

ଏଥିସହିତ  ସାଧାରଣ  ଜ୍ଞାତବ୍ୟପାଇଁ   କେତେକ   ଔଷଧର  ଆଘାତ  କ୍ଷେତ୍ରରେ   ଉପଯୋଗୀ  ବିଶିଷ୍ଟ  ଲକ୍ଷଣ  ପ୍ରଦାନ  କରାଗଲା :

  1. ଏକୋନାଇଟ : ଆଘାତ  ପାଇବା  ପରେ  ପରେ  ଏହାକୁ  ବ୍ୟବହାର  କଲେ   କ୍ଷତଜନିତ   ମାନସିକ  ଧକ୍କାକୁ  ପ୍ରତିରୋଧ   କରାଯାଇପାରେ   । ଅତ୍ୟଧିକ  ଯନ୍ତ୍ରଣା  ଓ  ତୃଷାଥାଇ  ପ୍ରବଳ  ଜ୍ଵର  ହୋଇ  ରୋଗୀ  ଅତ୍ୟନ୍ତ   ଅସ୍ଥିର, ଆତଙ୍କିତ  ଓ ଭୟାର୍ତ୍ତ  ହୋଇପଡିଲେ  ଓ  ସମସ୍ତ  ଲକ୍ଷଣ  ସନ୍ଧ୍ୟା  ଓ  ରାତ୍ରି  କାଳରେ  ବୃଦ୍ଧି  ପାଉଥିଲେ  ଏହା  ବିଶେଷ  ଫଳପ୍ରଦ   । ବିଭିନ୍ନ  ପ୍ରକାର  ଅସ୍ତ୍ରୋପ୍ରଚାର  ପରେ  ଏହାକୁ  ସେବନ   କଲେ  ଅସ୍ତ୍ରୋପ୍ରଚାରଜନିତ  କମ୍ପ  ନ ହେବାର   ସମ୍ଭାବନା   ଥାଏ   ।
  2. ଆର୍ଣ୍ଣିକାମଣ୍ଟ : ପଡିଯିବା  କିମ୍ବା  ଧାର  ନ ଥିବା  କୌଣସି  ଅସ୍ତ୍ରଦ୍ଵାରା  ଶରୀରରେ  ଆଘାତ  ହେବାଦ୍ଵାରା  ଯେ  କୌଣସି  ପ୍ରକାରର   କ୍ଷତପାଇଁ  ଏହା  ବ୍ୟବହାର୍ଯ୍ୟ   । ବିଶେଷତଃ   କୋମଳ  ଅଂଶରେ  ଆଘାତଜନିତ  ରକ୍ତ  ଜମିଥିଲେ  ଏହା  ବିଶେଷ   ଫଳପ୍ରଦ   । ସମଗ୍ର  ଶରୀର   ଦରଜ  ରହିବାଦ୍ଵାରା   ଶୋଇଥିବା   ସ୍ଥାନ  କଠିନ   ବୋଧହୁଏ  ଓ  ଯନ୍ତ୍ରଣା  ଯୋଗୁଁ  ରୋଗୀ  ବାରମ୍ବାର  ସ୍ଥାନ  ପରିବର୍ତ୍ତନ   କରେ   । ଏହାକୁ   ସେବନ   କଲେ  କ୍ଷତ  ସ୍ଥାନରୁ   ରକ୍ତସ୍ରାବ  ବନ୍ଦ  ହୋଇଯାଏ   । ଆଘାତଜନିତ   ପୁରାତନ   ଶାରୀରିକ  ବିଲକ୍ଷଣ   ପାଇଁ  ଏହା  ଏକ  ପ୍ରମୁଖ  ଔଷଧ   ।
  3. କ୍ୟାଲେଣ୍ଡୁରା : ଯେ  କୌଣସି  ପ୍ରକାରର  ଅସ୍ତ୍ର  (ଧାରୁଆ, ମୁନିଆ  ବା  ଧାର  ନ  ଥିବା) ଦ୍ଵାରା  ଶରୀରର   ମାଂସପେଶୀ   ବହୁଳ   ସ୍ଥାନ  ଆଘାତ   ଫଳରେ  ବିଦୀର୍ଣ୍ଣ  ହୋଇ  ଯାଇଥିଲେ , ଏହା  ନୂତନ  ତନ୍ତୁ   ସୃଷ୍ଟି  କରିବାରେ  ସାହାଯ୍ୟ   କରିବା  ସଙ୍ଗେ  ସଙ୍ଗେ   କ୍ଷତ  ସ୍ଥାନରେ  ପୂଜ  ସୃଷ୍ଟିକୁ  ପ୍ରତିରୋଧ   କରେ  । କ୍ଷତ  ସ୍ଥାନ  ଦରଜ   ରହି  ଚତୁଃପାର୍ଶ୍ଵ  ଲାଲ୍  ପଡିଯାଏ  ଓ  ଅତ୍ୟଧିକ  ଜ୍ଵର   ସହିତ   ପ୍ରବଳ  ଯନ୍ତ୍ରଣା  ହୁଏ   ।  ଏହାର  ମୂଳଅର୍କ   କିମ୍ବା  ଲୋସନକୁ  କ୍ଷତସ୍ଥାନ  ପୂଜ  ହୋଇଥିଲେ  ସଫା  କରିବାପାଇଁ   ବ୍ୟବହାର  କରାଯାଏ  ଓ  ଶକ୍ତିକୃତ   ଔଷଧକୁ  ସେବନ  କରାଯାଏ   ।
  4. ରସଟକ୍ସ : ଅତ୍ୟଧିକ  ଓଜନିଆ  ପଦାର୍ଥ   ଉଠାଇବା  ଦ୍ଵାରା  ଶରୀରର   କୌଣସି  ଅଙ୍ଗ  ଆଘାତପ୍ରାପ୍ତ  ହେଲେ  କିମ୍ବା  କୌଣସି  କାରଣରୁ  ରକା  ପଶି  ଯାଇଥିଲେ,  ବିଶେଷତଃ  ମାଂସପେଶୀ  ଓ  ଅସ୍ଥି  ସଂଯୋଜକ   ରଜ୍ଜୁ  ଆଘାତପ୍ରାପ୍ତ   ହୋଇଥିଲେ   ଏହା  ବ୍ୟବହାର୍ଯ୍ୟ  । କ୍ଷତ  ଓ  ଯନ୍ତ୍ରଣା  ଯୋଗୁଁ  ରୋଗୀଠାରେ  ଅତ୍ୟନ୍ତ  ଶାରୀରିକ  ଅସ୍ଥିରତା  ପ୍ରକାଶ  ପାଏ   । କ୍ଷତସ୍ଥାନ  ସମେତ  ସମଗ୍ର  ଶରୀର  ଦରଜ  ହେଉଥିଲେ  ଓ  ବିଶ୍ରାମ ସମୟରେ  ଏବଂ  ଥଣ୍ଡା  ଉପଚାରରେ  ଯନ୍ତ୍ରଣା  ବୃଦ୍ଧିପାଇ  କିଛି  ସମୟ ଚଲାବୁଲା  ପରେ  ଓ  ଗରମ  ପ୍ରୟୋଗରେ  ହ୍ରାସ   ପାଉଥିଲେ  ଏହା  ବିଶେଷ  ଫଳପ୍ରଦ   ।
  5. ହାଇପେରିକମ୍ : ଶରୀରର  ସ୍ନାୟୁବହୁଳ  ସ୍ଥାନ , ଯଥା : ଗୋଡ ଓ ହାତର  ଆଙ୍ଗୁଳି,  ହାତ  ପାପୁଲି ଓ ପାଦ  ନଖମୂଳ  ଇତ୍ୟାଦି  ସ୍ଥାନରେ   ଆଘାତ   ହୋଇଥିଲେ  ଅଥବା  କୌଣସି  ମୁନିଆଁ  ପଦାର୍ଥ,  କଣ୍ଟା  କିମ୍ବା  ଜନ୍ତୁ   କାମୁଡିବା  ଦ୍ଵାରା   କ୍ଷତ   ହୋଇ  ପ୍ରବଳ  ଯନ୍ତ୍ରଣା  ହେଉଥିଲେ  ଏହା  ବିଶେଷଭାବେ   ବ୍ୟବହୃତ   ହୁଏ   । ଏହାର   ମୂଳଅର୍କ   ବା  ଲୋସନକୁ  କ୍ଷତସ୍ଥାନ  ପରିଷ୍କାର   କରିବାପାଇଁ   ବ୍ୟବହାର   କରାଯାଏ   ।
  6. ଲିଡମପାଲ : ତୀକ୍ଷ୍ନ  ମୁନଯୁକ୍ତ   ଅସ୍ତ୍ର  ଯଥା : କଣ୍ଟା, କାଚ  ମୁନ  ଅଥବା  ଜନ୍ତୁ  କାମୁଡିବାଦ୍ଵାରା   କ୍ଷତ  ହୋଇ   ଆଘାତ  ସ୍ଥାନ  ଥଣ୍ଡା  ରହିବା  ସତ୍ତ୍ୱେ  ଥଣ୍ଡା   ଉପଚାରରେ  ଯନ୍ତ୍ରଣା   ଉପଶମ   ହେଉଥିଲେ   ଏହା  ଫଳପ୍ରଦ  । ଆଘାତ  ଫଳରେ  ଆଖିପତା  ବା  ଡୋଳାରେ  ରକ୍ତ  ଜମାଟ   ବାନ୍ଧିଥିଲେ   ଏହାକୁ   ବ୍ୟବହାର  କରାଯାଏ  । ବଳାଗଣ୍ଠି   ମକଚି  ହୋଇ  କଷ୍ଟ  ହେଉଥିଲେ  ଏଥିରେ   ଉପଶମ   ମିଳେ   ।
  7. ହାମାମେଲିସ୍ : ପଡିଯିବାଦ୍ଵାରା  କିମ୍ବା   ଅନ୍ୟ  କୌଣସି  କାରଣରୁ   କ୍ଷତ  ହୋଇ  ପ୍ରଚୁର   କାଳିଚିଆ  ରକ୍ତସ୍ରାବ   ହେଉଥିଲେ  ଓ  ଆକ୍ରାନ୍ତ   ସ୍ଥାନ  ଅତ୍ୟଧିକ  ଦରଜ  ହୋଇଥିଲେ  ଏହାର  ବ୍ୟବହାର  ଦ୍ଵାରା  ରକ୍ତସ୍ରାବ   ବନ୍ଦହୋଇ   ବ୍ୟଥା   ଦୂର  ହୁଏ   । ଆଘାତ  ଦ୍ଵାରା ଆଖି  ଡୋଳାରେ  ରକ୍ତ  ଜମାଟ  ବାନ୍ଧିଥିଲେ   ଏହା  ଦୂର   କରେ  ।
  8. ଷ୍ଟାଫିସାଗ୍ରିୟା : କାଚ  କିମ୍ବା  ତୀକ୍ଷ୍ନ  ଧାରା  ଥିବା  ଅସ୍ତ୍ରଦ୍ଵାରା  କ୍ଷତ  ହୋଇ  ଅତିଶୟ   ଯନ୍ତ୍ରଣା  ହେଉଥିଲେ  ଏହା  ଫଳପ୍ରଦ   । ବିଭିନ୍ନ  ପ୍ରକାର  ଅସ୍ତ୍ରୋପ୍ରଚାର   ପରବର୍ତ୍ତୀ   କୌଣସି  କୁପ୍ରଭାବ  ପାଇଁ  ଏହାକୁ  ସାଧାରଣତଃ   ବ୍ୟବହାର   କରାଯାଏ   ।
  9. ରୁଟା : ଶରୀରର   କୌନୀ  ଗଣ୍ଠି   ବା  ହାତରେ  ଆଘାତଜନିତ   ଅତ୍ୟନ୍ତ  ଦରଜ  ଓ  ଯନ୍ତ୍ରଣା  ହେବାଦ୍ଵାରା  ରୋଗୀ   ଅସ୍ଥିର   ହୋଇ  ବାରମ୍ବାର  ସ୍ଥାନ  ପରିବର୍ତ୍ତନ  କରୁଥିଲେ  ଏହାର  ବ୍ୟବହାର  ଫଳରେ  ଦରଜ  ଓ  ପୀଡାରୁ  ଉପଶମ   ମିଳେ   । ଏହା  ବିଶେଷଭାବରେ   ଅସ୍ଥି   ଆବରଣ  ଉପରେ  କାର୍ଯ୍ୟ  କରିଥାଏ   ।
  10. ସିମ୍ପାଇଟମ୍ : ଦୁର୍ଘଟଣା  ଯୋଗୁଁ   ହାଡ  ଭାଙ୍ଗି  ଯାଇଥିଲେ  ଭଙ୍ଗା  ଅଙ୍ଗକୁ   ଠିକ୍ ଭାବେ   ସ୍ଥିର  ରଖିବାପରେ   ଏହି  ଔଷଧ   ବ୍ୟବହାର  କଲେ   ଭଗ୍ନହାଡ   ଶୀଘ୍ର  ଯୋଡି   ହୋଇଯାଏ   ଓ  କ୍ଷତଜନିତ  ଯନ୍ତ୍ରଣା  ଦୂର  ହୁଏ   । ଆଖିଡୋଳାରେ   ମାଡ  ବସି  ଯନ୍ତ୍ରଣା  ହେଲେ  ଓ  ଅଙ୍ଗର  କଟା  ହୋଇଥିବା  ସ୍ଥାନରେ  ଦୀର୍ଘଦିନ  ଧରି  ଯନ୍ତ୍ରଣା  ହେଉଥିଲେ   ଏହାଦ୍ଵାରା  ଉପଶମ  ମିଳେ   ।
  11. ଇତିନାସିଆ : ବିଷାକ୍ତ  କୀଟଦଂଶନ  ଦ୍ଵାରା  କ୍ଷତପାଇଁ   ଏହା  ଅବ୍ୟର୍ଥ   ଔଷଧ   । ପୁରାତନ   କ୍ଷତ  ସ୍ଥାନରୁ  ଦୁର୍ଗନ୍ଧଯୁକ୍ତ  ପୂଜ   ବାହାରି   ରୋଗୀ  ବହୁତ  ଦୁର୍ବଳ   ହୋଇ   ପଡିଥିଲେ   ଓ  ସର୍ବଦା  ଶୀତଭାବ  ରହି  ବାନ୍ତି  ଲାଗୁଥିଲେ   ଏହା  ବ୍ୟବହାର୍ଯ୍ୟ  । ଏହାର  ମୂଳଅର୍କ  ବା  ଲୋସନ୍  ଦ୍ଵାରା  ମଧ୍ୟ  ଘା  ସଫା  କରାଯାଏ   ।
  12. ଏପିସ୍ ମେଲ୍ : ବିଷାକ୍ତ  କୀଟଦଂଶନ  ଫଳରେ  କ୍ଷତ  ସ୍ଥାନ  ଫୁଲି   ଦରଜ  ହୋଇ   ବିନ୍ଧୁଥିଲେ  ଏହା  ପ୍ରୟୋଗ  କରାଯାଏ   । ଅତ୍ୟଧିକ  ଜ୍ଵାଳାଯନ୍ତ୍ରଣା  ସତ୍ତ୍ୱେ   ତୃଷାହୀନତା  ଏହାର  ନିର୍ଦ୍ଦେଶକ  ଲକ୍ଷଣ   ।
  13. ଆଲିୟମ  ସେପା : ଚକ୍ଷୁରେ  ଆଘାତ   ଲାଗିଲେ   ତଥା  କଟା   ହୋଇଥିବା  ଅଙ୍ଗର   ଥୁଣ୍ଟା   ଅଂଶରେ  ଦୀର୍ଘ  ଦିନଧରି   ସ୍ନାୟବିକ   ଯନ୍ତ୍ରଣା  ଲାଗିରହିଲେ   ଏହା  ବ୍ୟବହାଆର୍ଯ୍ୟ
  14. ନାଟ୍ରମ୍ ସଲଫ : ମୁଣ୍ଡରେ  ଆଘାତ  ହୋଇଥିଲେ  ‘ଆର୍ଣ୍ଣିକା’  ପରେ  ଏହା  ବ୍ୟବହାର୍ଯ୍ୟ   । ବିଶେଷକରି   ଆଘାତ  ପରେ   ମୁଣ୍ଡ  ଓଜନିଆ   ରହୁଥିଲେ,  ଭ୍ରମ  ହେଉଥିଲେ  ବା  ବେଳେବେଳେ   ମୂର୍ଚ୍ଛା  ଯାଉଥିଲେ  ଏହା  ମହାର୍ଘ  ।
  15. କାନ୍ଥାରିସ୍ : ପୋଡିହୋଇ   କିମ୍ବା  ଗରମ  ପାଣି  ପଡି   ଫୋଟକା  ହୋଇ  ଅତ୍ୟଧିକ  ଜ୍ଵାଳା  ହେଉଥିଲେ  ଏହା  ଏକ  ଅବ୍ୟର୍ଥ  ଔଷଧ   । କ୍ଷତସ୍ଥାନ  ଲାଲ୍ ପଡି  କୁଣ୍ଡାଇ  ହୁଏ  ଓ  ଥଣ୍ଡା  ପ୍ରୟୋଗରେ  ଉପଶମ  ମିଳେ  । ପୋଡିଯିବା  ସଙ୍ଗେ  ସଙ୍ଗେ  ଏହାର  ଲୋସନକୁ   ବ୍ୟବହାର   କଲେ  ଅଧିକ  ଫୋଟକା  ଓ  ପୂଜ   ହେବାର  ସମ୍ଭାବନା   କମ୍  ହୁଏ   । ସାଘାଂତିକ   ପୋଡି  ହୋଇଥିବା  ରୋଗୀର   ଚିକିତ୍ସା   କାଳରେ  ଯଦି  ମୂତ୍ରଯନ୍ତ୍ରଣା  ଆରମ୍ଭ  ହୁଏ, ଏହାର  ପ୍ରୟୋଗ  ଆବଶ୍ୟକ   ।
  16. ଆରସେନିକ  ଆଲବମ୍ : ପୋଡା  ଘା’  ଦୀର୍ଘ  ଦିନ  ରହି  ପାଚିବାକୁ  ଆରମ୍ଭ  କଲେ  ଓ  କ୍ଷତ  ସ୍ଥାନରେ   ହେଉଥିବା  ଜ୍ଵାରା  ଗରମ  ଉପଚାରରେ  ହ୍ରାସ  ପାଉଥିଲେ  ଏହାକୁ  ସେବନ  କରିବା  ବିଧେୟ   । ଆଭ୍ୟନ୍ତରୀଣ  ଜ୍ଵାଳାଭାବ   ସହ  ଅତ୍ୟଧିକ  ତୃଷା  ହୁଏ,  କିନ୍ତୁ  ରୋଗୀ  କମ୍  ବ୍ୟବଧାନରେ  ଅଳ୍ପପାଣି  ପିଇବାକୁ   ଇଚ୍ଛା  କରେ  । ରୋଗୀ  ଅତ୍ୟନ୍ତ   ଅବସ, ଆତଙ୍କିତ, ଅସ୍ଥିର   ଓ  ଭୟାର୍ତ୍ତ  ହୋଇପଡେ   ।
  17. କଷ୍ଟିକମ୍ : ଦୀର୍ଘଦିନର   ପୋଡା  ଘା’  ସ୍ଥାନରେ   କୌଣସି  ଅସୁବିଧା  ହୋଇ  ଆକ୍ରାନ୍ତ   ସ୍ଥାନ  ଦରଜ  ରହିଲେ   ବା  ପୁନର୍ବାର   ପାଚିଲେ ; ବହୁଦିନ   ଧରି  ପୋଡା  ଘା’ ନ  ଶୁଖିଲେ   ଏହା  ଆବଶ୍ୟକ  ହୁଏ   । ପୋଡା  ଘା’  ଚିକିତ୍ସା  ସମୟରେ  ଏହାକୁ   ସେବନ   କଲେ   ଅତ୍ୟଧିକ  ଘା’  ଦାଗ  ତଥା  ମାଂସପେଶୀର  ବିକୃତି  ହ୍ରାସ  ପାଇଥାଏ  ଏବଂ  ଅଙ୍ଗପ୍ରତ୍ୟଙ୍ଗ  ବଙ୍କା  ହୁଏ  ନାହିଁ  ।
  18. ଆର୍ଟିକାୟୁରେନସ୍ : କ୍ଷତସ୍ଥାନ  ଅତ୍ୟଧିକ  କୁଣ୍ଡେଇ   ହୋଇ   ଜଳାପୋଡା  ହେବା  ଏହାର  ମୁଖ୍ୟ  ଲକ୍ଷଣ   । ଘା’  ହୋଇଥିବା   ସ୍ଥାନରେ   ଏହାର  ଲୋସନ୍  ବା  ଲିନିମେଣ୍ଟକୁ   ବ୍ୟବହାର   କଲେ   ଭଲ  ଫଳ  ମିଳେ   ।
  19. ହିପାରସଲଫ : ଆକ୍ରାନ୍ତ  ସ୍ଥାନ   ଅତ୍ୟଧିକ  ଦରଜ   ହୋଇ   ସେଥିରେ   ପୂଜ  ହେବା   ଲକ୍ଷଣ  ଦେଖାଗଲେ  ଓ  ରୋଗୀଠାରେ   ଶୀତଭାବସହ  ବିରକ୍ତି   ଜନ୍ମିଲେ  ଏହା  ବ୍ୟବହାର୍ଯ୍ୟ   ।
  20. ସିକେଲିକର୍ : କ୍ଷତସ୍ଥାନ  ଥଣ୍ଡା  ଓ  ବଧିରା  ହୋଇ  ନୀଳବର୍ଣ୍ଣ   ଧାରଣ   କଲେ  ଓ  ପଚି  ଯାଇଥିଲେ  ଏହା  ବ୍ୟବହୃତ   ହୁଏ   । ଏଥିସହ   ଦେହ  ଭିତରେ  ପ୍ରବଳ  ଜ୍ଵାଳା  ଭାବ  ଅନୁଭୂତ  ହୁଏ   ।
  21. ସାଇଲିସିଆ : ଆକ୍ରାନ୍ତ  ସ୍ଥାନରୁ   ପତଳା  ଓ  ଗନ୍ଧଯୁକ୍ତ  ପୂଜସ୍ରାବ  ହେଉଥିଲେ  ଓ  କ୍ଷତ  ନୀଳ  ଘା’ରେ  ପରିଣତ  ପୂଜ  ବା  ପାଣି  ନିର୍ଗତ  ହେଉଥିଲେ   ଏହା   ଉତ୍ତମ  ଫଳ   ଦିଏ  । ଶରୀରରେ  କୌଣସି   କଣ୍ଟା   ରହି  ଯାଇଥିଲେ   ଏହାର  ଉଚ୍ଚଶକ୍ତି   ତାହାକୁ   ବାହାର  କରିଦିଏ   । ଏନାଗାଲିସର  ମଧ୍ୟ  ଏହି  ଶକ୍ତି  ଅଛି   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

2.93103448276
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top