ହୋମ / ସ୍ଵାସ୍ଥ୍ୟ / ଆୟୁଷ / ନିରୋଗର ମନ୍ତ୍ର ଆୟୁର୍ବେଦ
ସେଆର କରନ୍ତୁ

ନିରୋଗର ମନ୍ତ୍ର ଆୟୁର୍ବେଦ

ନିରୋଗର ମନ୍ତ୍ର ଆୟୁର୍ବେଦ ଉପରେ ସୂଚନା

ଉପକ୍ରମ

କାର୍ତ୍ତିକଭିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଧନ୍ଵନ୍ତରୀଙ୍କ ଜୟନ୍ତୀ ପାଳନ କରାଯାଏ । ଆୟୁର୍ବେଦର ଜନକ ଭଗବାନ୍ ଧନ୍ଵନ୍ତରୀ କୁଆଡ଼େ ଏହି ଦିନ ଦେବାସୁରଙ୍କ ସମୁଦ୍ର ମନ୍ଥନରୁ ଆବିର୍ଭୂତ ହୋଇଥିଲେ । ତାଙ୍କର ଜନ୍ମତିଥିକୁ ଧନ୍ଵନ୍ତରୀ ତ୍ରୟୋଦଶୀ ବା ସଂକ୍ଷେପରେ ଧନ ତ୍ରୟୋଦଶୀ କୁହାଯାଏ । ଅନ୍ୟ ରାଜ୍ୟରେ ତାହା ଅପଭ୍ରଂଶ ହୋଇ ଧନ ତେରସରେ ପରିଣତ ହୋଇଛି । ଗତବର୍ଷଠାରୁ ଆମ ଦେଶରେ ଏହି ଦିବସକୁ ଆୟୁର୍ବେଦ ଦିବସ ରୂପେ ପାଳନ କରାଯାଉଛି । କୁହାଯାଏ। ଧନ୍ଵନ୍ତରୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅବତାର । ସେ ଚତୁର୍ଦ୍ଧାମୂରତି। ତାଙ୍କର ଗୋଟିଏ ହାତରେ ଶଙ୍ଖ, ଗୋଟିଏ ହାତରେ ଔଷଧୀୟ ଗୁଳ୍ମ, ଗୋଟିଏ ହାତରେ ଅମୃତ କଳସ ଏବଂ ଅନ୍ୟ ହାତରେ ଥାଏ। ଆୟୁର୍ବେଦ ଶାସ୍ତ୍ର (ବା ଭିନ୍ନ ମତ ଅନୁସାରେ ବରଦମୁଦ୍ରା) ।

ସ୍ୱର୍ଗବୈଦ୍ୟ ଧନ୍ଵନ୍ତରୀ

ଧନ୍ଵନ୍ତରୀ ହେଉଛନ୍ତି ସ୍ୱର୍ଗବୈଦ୍ୟ । ପୃଥିବୀରୁ ଜରାବ୍ୟାଧି ଦୂରକରିବା ପାଇଁ ସେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥଲେ । ସେ ହେଉଛନ୍ତି ଆୟୁର୍ବେଦର ପ୍ରବର୍ଭକ । ମଣିଷ କେଉଁ ଆଦିମକାଳରୁ ନୀରୋଗ ଓ ଦୀର୍ଘୟୁ ହେବା ପାଇଁ ଉଦ୍ୟମ କରିଆସିଛି । ମଣିଷ ନୀରୋଗ ରହିଲେ ଧର୍ମ, ଅର୍ଥ ଆଦି ଚତୁର୍ବର୍ଗ ଲାଭ କରିପାରିବ । ତେଣୁ କୁହାଯାଇଛି- ‘ଧର୍ମାର୍ଥକାମମୋକ୍ଷାଣାମାରୋଗ୍ୟ” ମୂଳମୁତ୍ତମମ୍ I”

ଆଧୁନିକ ଚିକିତ୍ସା ଓ ଆୟୁର୍ବେଦ

ଅଧୁନା ବିଶ୍ଵରେ ଆଧୁନିକ ଚିକିତ୍ସା ବିଜ୍ଞାନ କାୟା ବିସ୍ତାର କରିଚାଲିଛି । ତେବେ ଆଧୁନିକ ଚିକିତ୍ସା ସହିତ ଆମ ଦେଶରେ ଆୟୁଷ ଚିକିତ୍ସା (ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଏବଂ ହୋମିଓପାଥି)ର ସ୍ଥିତି ମଧ୍ୟ ଅତୁଟ ରହିଛି। ଆୟୁଷ ଚିକିତ୍ସାର ପ୍ରଥମ ବିଭାଗ ହେଲା ଆୟୁର୍ବେଦ । ଏହା ପ୍ରାଚୀନ ଭାରତୀୟ ଚିକିତ୍ସାବିଜ୍ଞାନ । ଅଥର୍ବବେଦରେ ଆୟୁର୍ବେଦର ବିଶେଷ ବର୍ଣ୍ଣନା ମିଳେ । ତେବେ ରାମାୟଣ, ମହାଭାରତ ଏବଂ ଅନ୍ୟାନ୍ୟ ପୁରାଣରେ ମଧ୍ୟ ଆୟୁର୍ବେଦର ବର୍ଣ୍ଣନା ମିଳେ । ଆୟୁର୍ବେଦର ପ୍ରମୁଖ ଗ୍ରନ୍ଥଗୁଡିକ ହେଲା ଚରକସଂହିତା, ସୁଶ୍ରୁତସଂହିତା, ବାଗଭଟ୍ଟଙ୍କ ଅଷ୍ଟାଙ୍ଗ ନିଘଣ୍ଟୁ, ଆଚାର୍ଯ୍ୟ ମାଧବକରଙ୍କ ମାଧବ ନିଦାନ, ଶାରଙ୍ଗାଧରଙ୍କ ଶାରଙ୍ଗଧର ସଂହିତା ଏବଂ ଆଚାର୍ଯ୍ୟ ଭାବମିଶ୍ରଙ୍କ ଭାବପ୍ରକାଶ । ଆୟୁର୍ବେଦ ତ୍ରିଦୋଷ ଯଥା ବାତ, ପିତ୍ତ ଓ କଫରେ ପ୍ରଶମନ ଉପରେ ଗୁରୁତ୍ଵ ଆରୋପ କରେ । ସେହିପରି ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ଳ ସପ୍ତ ଧାତୁ ଓ ମଳ ମୂତ୍ର ପ୍ରଭୃତିକୁ ଚିକିତ୍ସାରେ ସାମିଲ କରାଯାଇଛି । ଏଗୁଡିକର ସମତାରେ ଶରୀର ନୀରୋଗ ରହେ ଏବଂ ବିଷମତାରେ ରୋଗ ହୁଏ ବୋଲି ଆୟୁର୍ବେଦ କୁହେ । ଆୟୁର୍ବେଦ ଔଷଧ ପ୍ରସ୍ତୁତି ପାଇଁ ତିନୋଟି ମୁଖ୍ୟ ଉତ୍ସ ହେଉଛି: , ଉଦ୍ଭିଦ,ଖଣିଜ ଏବଂ ପ୍ରାଣିଜ । ଏଗୁଡିକ ପ୍ରକୃତିରୁ ମିଳିଥାଏ । ତେଣୁ ପ୍ରକୃତିର ସୁରକ୍ଷାରେ ଆୟୁର୍ବେଦର ସୁରକ୍ଷା ସମ୍ଭବ ।

ବାଲ୍ୟ, କୈଶୋର, ଯୌବନ ଓ ଜରା ଏହି ଚାରି ଅବସ୍ଥାକୁ ନେଇ ଦେଖାଯାଉଥିବା ସ୍ୱତନ୍ତ୍ର ବ୍ୟାଧିପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଆୟୁର୍ବେଦରେ ରହିଛି । ଉଦାହରଣ ସ୍ୱରୂପ ବାଲ୍ୟକାଳର ବ୍ୟାଧି ପାଇଁ ବାଳାନନ୍ଦ ବଟୀ, କୈଶୋର ଏବଂ ଯୁବାବସ୍ଥାରେ ଦେଖାଯାଉଥିବା ବ୍ୟାଧି ପାଇଁ କର୍ପୂରାଦି ମୋଦକ, ଚନ୍ଦ୍ରୋଦ୍ୱୟ ମକରଧ୍ଵଜ ଏବଂ ବାର୍ଦ୍ଧକ୍ୟାବସ୍ଥାରେ ଦେଖାଯାଉଥିବା ବାତବ୍ୟାଧି ପାଇଁ ଗୁଗୁଳ ଜାତୀୟ ଔଷଧ ଶ୍ରେଷ୍ଠ । ସେହିପରି ଭିନ୍ନ ଭିନ୍ନ ବିଭାଗ ବା ସଂସ୍ଥାନ ପାଇଁ ଭିନ୍ନ ଔଷଧର ପରିକଳ୍ପନା କରାଯାଇଛି । ଉଦାହରଣ ସ୍ୱରୂପ ପରିପାକ ବିଭାଗର ରୋଗ ଅମ୍ଳପିତ୍ତ ପାଇଁ ଅବିପତ୍ତିକର ଚୂର୍ଣ୍ଣ ଏବଂ ଶ୍ଵାସ ସଂସ୍ଥାନର ବ୍ୟାଧି ଥଣ୍ଡାକାଶ, ଶ୍ଵାସ ପାଇଁ ଲକ୍ଷ୍ମୀବିଳାସ ରସ, ଶ୍ଵାସକୁଠାର ଇତ୍ୟାଦି । ଆୟୁର୍ବେଦ କେବଳ ରୋଗର ଚିକିତ୍ସା କରେନାହିଁ। ରୋଗ ନ ହେବା ପାଇଁ ପ୍ରତିରୋଧକ ଶକ୍ତିବୃଦ୍ଧିର ପରାମର୍ଶ ଦିଏ । ନୀରୋଗ ଜୀବନ ପାଇଁ ଦିନଚର୍ଯ୍ୟ ଓ ଋତୁଚର୍ଯ୍ୟ ଉପରେ ମଧ୍ୟ ଆୟୁର୍ବେଦର ଗୁରୁତ୍ଵ ଦିଏ । ମାତୃଗର୍ଭରେ ଭ୍ରୁଣ୍ଡ ସୃଷ୍ଟିଠାରୁ ବୃଦ୍ଧାବସ୍ଥା ପଯ୍ୟନ୍ତ ସମସ୍ତପ୍ରକାର ବ୍ୟାଧିର ବର୍ଗୀକରଣ କରି ଏକ ସ୍ୱୟଂସିଦ୍ଧ ଚିକିତ୍ସା ବିଜ୍ଞାନ ରୂପେ ଏହା ପ୍ରତିଷ୍ଠିତ ହୋଇପାରିଛି ।

ଆଜିକାଲି ସମସ୍ତ ପ୍ରକାର ଜୀବନଶୈଳୀ ରୋଗ ପାଇଁ ନିରାପଦ ଓ ବିଶ୍ଵାସଯୋଗ୍ୟ ଚିକିତ୍ସା ହେଉଛି ଆୟୁର୍ବେଦ । ଦିନକୁ ଦିନ ଦେଶବିଦେଶରେ ଆୟୁର୍ବେଦ ଓ ଯୋଗର ଆଦର ବଢିବାରେ ଲାଗିଛି । ଲୋକମାନେ ବେଳେବେଳେ ମତ ଦିଅନ୍ତି ଭସ୍ମଜାତୀୟ ବା ଧାତୁରୁ ପ୍ରସ୍ତୁତ ଔଷଧ ବୃକ୍କ ସମସ୍ୟା ସୃଷ୍ଟି କରେ । ଏହା ଠିକ୍ ନୁହେଁ । ଯଦି ଦ୍ରବ୍ୟଗୁଡିକର ଶୋଧନମାରଣ ଠିକ୍ ରୂପେ ହୋଇଥିବ, ଭସ୍ମଗୁଡିକ ବିଧି ଅନୁସାରେ ପ୍ରସ୍ତୁତ ହୋଇଥିବ ତେବେ ଶରୀର ଉପରେ କୌଣସି କୁପ୍ରଭାବ ପକାଇବ ନାହିଁ। ସମ୍ପ୍ରତି ଆୟୁର୍ବେଦର ପଞ୍ଚକର୍ମ ଚିକିତ୍ସା ଓ କ୍ଷାରସୂତ୍ର ଚିକିତ୍ସା ବିଶ୍ୱରେ ଆଦରଲାଭ କରିଛି । ମେଦବହୁଳତା, ମଧୁମେହ, ରକ୍ତଚାପ, ନିଦ୍ରାହୀନତା, ଯୌନ ଅକ୍ଷମତା, ଏକ୍‌ଜିମା, ସୋରିଆସିସ୍ ପରି ରୋଗ ଏବଂ ସମସ୍ତପ୍ରକାର ବାତବ୍ୟାଧି କ୍ଷେତ୍ରରେ ରୋଗୀମାନେ ଆୟୁର୍ବେଦ ଚିକିତ୍ସାରୁ ସୁଫଳ ପାଉଛନ୍ତି । ଆୟୁର୍ବେଦ ପାଇଁ ବିଶ୍ଵରେ ଆମ ଦେଶର ସ୍ୱତନ୍ତୁ ପରିଚୟ ରହିଛି । ଆମ ରାଜ୍ୟରେ ମଧ୍ୟ ଆୟୁର୍ବେଦର ସ୍ଥିତି ଯେ ସୁଦୃଢ ଏହା ଆମେ ଗର୍ବର ସହିତ କହିପାରିବା ।

ସଂଗୃହିତ : ଡା. ବାସୁଦେବ ପ୍ରଧାନ,ନୋଡାଲ ଅଫିସର, ଆୟୁଷ,

3.08
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top