ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଉପକାରୀ କୋଳଥ ଓ ରଙ୍ଗ କଣିକାଯୁକ୍ତ ଚାଉଳ
ସେଆର କରନ୍ତୁ

ଉପକାରୀ କୋଳଥ ଓ ରଙ୍ଗ କଣିକାଯୁକ୍ତ ଚାଉଳ

ଉପକାରୀ କୋଳଥ ଓ ରଙ୍ଗ କଣିକାଯୁକ୍ତ ଚାଉଳ ସମ୍ବନ୍ଧରେ ସୂଚନା ।

କୋଳଥର ଉପକାରିତା

ମୁଗ, ବିରି ପରି କୋଳଥ ଏକ ଡାଲି ଜାତୀୟ ରବି ଫସଲ। ଏହି ଡାଲି ଯେତିକି ସ୍ୱାଦିଷ୍ଠ ସେତିକି ସ୍ୱାସ୍ଥ୍ୟପ୍ରଦ। ତେବେ ଏହା ପଶୁମାନଙ୍କ ଆହାର ହୋଇଥିବାରୁ ଏହି ଡାଲି ଖାଇବାକୁ କେତେକ ନାପସନ୍ଦ କରିଥା’ନ୍ତି। ତଥାପି ଏହାର ଆଦର କିଛି କମ୍‌ ନୁହେଁ। ପ୍ରୋଟିନ୍‌, ଆଇରନ୍‌ ଏବଂ କାର୍ବୋହାଇଡ୍ରେଟ୍‌ସରେ ଏହା ଭରପୂର। ଏହା ମେଦବହୁଳତା ତଥା ଓଜନ ହ୍ରାସ କରିଥାଏ। ଏଥିରେ ଥିବା ଫାଇବର୍‌ ରକ୍ତଚାପ ଏବଂ ରକ୍ତଶର୍କରା ନିୟନ୍ତ୍ରଣରେ ସହାୟକ ହୋଇଥାଏ। ମହିଳାମାନଙ୍କ ମାସିକ ସମସ୍ୟାକୁ ଏହା ଦୂର କରେ, ଥଣ୍ଡା ଜ୍ୱରରୁ ମଧ୍ୟ ଆରାମ ଦିଏ। ଆୟୁର୍ବେଦିକ୍‌ ଔଷଧରେ କୋଳଥର ବିଭିନ୍ନ ପ୍ରୟୋଗ ରହିଛି। ଭାରତରେ ଏହାର ଚାଷବାସ ବେଶ୍‌ ପୁରୁଣା। ଭାରତରୁ ଏହା ଦକ୍ଷିଣପୂର୍ବ ଏସିଆ ଏବଂ ଆଫ୍ରିକା ଯାଇଥିବା କୁହାଯାଏ। ଏବେ ଜାଣନ୍ତୁ କୋଳଥର କିଛି ଔଷଧୀୟ ଉପଚାର।

ଉପକାରିତା

  • କୋଳଥର କାଢ଼ା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ବାତ ସମସ୍ୟା ଦୂର ହୁଏ। ତେବେ ଏହି କାଢ଼ାରେ ଗୋଲମରିଚ ଗୁଣ୍ଡ ପକାଇ ପିଇବା ଦ୍ୱାରା ଗଳା ସମସ୍ୟାରୁ ରକ୍ଷା ମିଳେ।
  • କୋଳଥ ଡାଲି ଖାଇବା ଦ୍ୱାରା ଅନେକ ପେଟରୋଗର ଉପଶମ ହୁଏ।
  • ଏହାର କାଢ଼ାରେ ହେଙ୍ଗୁ ଏବଂ ଶୁଣ୍ଠିଗୁଣ୍ଡ ସହ ସାମାନ୍ୟ ଲୁଣ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣା ଦୂରହୁଏ।
  • ଅତିସାର ଭୋଗୁଥିବା ରୋଗୀଙ୍କ ପାଇଁ କୋଳଥର କଅଁଳିଆ ପତ୍ରର ରସ ଉପକାରୀ ସିଦ୍ଧ ହୋଇଛି।
  • ଶ୍ୱାସରୋଗୀ ମାନଙ୍କ ପାଇଁ କୋଳଥ ଉପକାରୀ। ଏହାକୁ ପାଣିରେ ଭଲ ଭାବରେ ସିଝାଇ ସେଥିରେ ସାମାନ୍ୟ ସୈନ୍ଧବ ଲବଣ ଏବଂ ହଳଦୀ ମିଶାଇ ତାକୁ ଛାଣି ଶ୍ୱାସରୋଗୀକୁ ପିଇବାକୁ ଦେଲେ ଉପକାର ହୋଇଥାଏ। ଏହା ଦିନକୁ ତିନି ଚାରିଥର ପିଇବାକୁ ଦେବା ଦରକାର।
  • କୋଳଥ, ପାଷାଣଭେଦୀ ଏବଂ ଗୋଖାରୁର କାଢ଼ା ପ୍ରସ୍ତୁତ କରି ସକାଳେ ଏବଂ ସନ୍ଧ୍ୟାରେ ପିଇବା ଦ୍ୱାରା କିଛି ସପ୍ତାହ ମଧରେ ପଥରୀ ରୋଗ ଦୂର ହୋଇଥାଏ। ଏହା ପରିସ୍ରା ସହ ଧୀରେ ଧୀରେ ବାହାରି ଆସିଥାଏ। କୋଳଥ ଡାଲି ଖାଇବା ଦ୍ୱାରା ମଧ୍ୟ ପଥରୀ ସମସ୍ୟା ଦୂର ହୁଏ। ଏଥିରେ ଥିବା ଭିଟାମିନ୍‌-ଏ ପଥରୀକୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ। ଥରେ ପଥରୀରେ ପୀଡ଼ିତ ହୋଇଥିବା ରୋଗୀଠାରେ ପୁଣିଥରେ ଏହା ହେବାର ସମ୍ଭାବନା ଥାଏ। ତେଣୁ ଏହା ଭଲ ହେବା ପରେ ମଧ୍ୟ ମଝିରେ ମଝିରେ କୋଳଥ ସେବନ କରିବା ଦରକାର।
  • କୋଳଥ ଗଛରେ ରହିଛି ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ। ତ୍ୱଚାରେ ତୈଳକୁ ହ୍ରାସ କରିବା ପୁଣି ପରିସ୍ରା ବୃଦ୍ଧି କରିବାର ଗୁଣ ଏହାର ରହିଛି। ଏହା ତରଳ ଝାଡ଼ା, ହେମରେଜ୍‌, ହେମୋରଏଡ୍‌ ପରି ସମସ୍ୟା ଦୂର କରିଥାଏ।
  • କୋଳଥକୁ ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଋତୁକାଳୀନ ଯନ୍ତ୍ରଣା ଏବଂ ଲ୍ୟୁକୋରିୟା ପରି ସମସ୍ୟା ଦୂର ହୁଏ। ଅନିୟମିତ ଋତୁସ୍ରାବ ହେଉଥିଲେ କୋଳଥର ସୁପ୍‌ ପ୍ରସ୍ତୁତ କରି ପିଇବା ଦ୍ୱାରା ଲାଭ ମିଳିଥାଏ।
  • ଲିଭର୍‌ ଦୁର୍ବଳ ଥିବା ବ୍ୟକ୍ତି ପାଇଁ କୋଳଥ ଡାଲି ଉପକାରୀ।
  • କିଛି କୋଳଥ ନେଇ ପାଣିରେ ସିଝାନ୍ତୁ। ଏହି ପାଣିର ସେବନ ଜ୍ୱର ରୋଗକୁ ହ୍ରାସ କରେ।
  • କୋଳଥକୁ ଚୂନା କରି ରଖନ୍ତୁ। ସେହି ଚୂନାରୁ ପ୍ରତିଦିନ ଦୁଇ ଚାମଚ ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ।
  • ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ମେଦ ହ୍ରାସ ଘଟିଥାଏ। ଦୈନିକ ୧୦୦ ଗାମ୍‌ର କୋଳଥଡାଲି ଖାଇବା ଦ୍ୱାରା ମାସକ ମଧ୍ୟରେ ମୋଟାପଣ କମିଯାଏ।
  • ଗୋଟେ ଲିଟର ପାଣିରେ ୫୦ ଗ୍ରାମ୍‌ କୋଳଥ ମିଶାଇ ତାକୁ ଭଲ ଭାବେ ଫୁଟାନ୍ତୁ। ପାଣି ମରି ମରି ଯେତେବେଳେ ମାତ୍ର ଏକ ଚତୁର୍ଥାଂଶ ପାଣି ରହିବ ତାକୁ ଓହ୍ଲାଇ ଛାଣି ଦିଅନ୍ତୁ। ଏଥିରେ ଆବଶ୍ୟକତାଳ ଅନୁଯାୟୀ ସୈନ୍ଧବ ଲବଣ ଏବଂ ଅଧଚାମଚ ଶୁଣ୍ଠିଚୂନା ପକାନ୍ତୁ। ଏହାକୁ ପିଇବା ଦ୍ୱାରା ବାତଜ୍ୱରରୁ ଆରାମ ମିଳିଥାଏ।
  • ଚିକିତ୍ସା ବିଶେଷଜ୍ଞଙ୍କ ମତରେ ଶ୍ୱାସ ଏବଂ କଫରୋଗରେ କୋଳଥ ସେବନ ଲାଭଦାୟକ ହୋଇଥିଲେ ମଧ୍ୟ ଶ୍ୱାସରୋଗୀର କଫ ଯଦି ଶୁଷ୍କ ହୋଇଯାଏ ତେବେ ଏହା ସେବନ କରିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ଅଧିକ କ୍ଷତି ଘଟିଥାଏ। ଗର୍ଭବତୀ ମହିଳାମାନେ କୋଳଥ ନ ଖାଇବା ଭଲ। ଅତ୍ୟଧିକ ଅମ୍ଳ ପୀଡ଼ିତ ବ୍ୟକ୍ତି କୋଳଥ ନଖାଇବା ଉଚିତ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

ଚାଉଳର ସ୍ୱାସ୍ଥ୍ୟ ଉପକାରୀ ଗୁଣ

ସମୟର ପରିବର୍ତ୍ତନ ଅନୁସାରେ ଆମ ଖାଦ୍ୟ ଶୈଳୀର ମଧ୍ୟ ପରିବର୍ତ୍ତନ ହୋଇଛି । ଚାଉଳକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରୁଥିବା ଦେଶରେ ରଙ୍ଗ କଣିକାଯୁକ୍ତ ଚାଉଳର ବ୍ୟବହାର ବଢ଼ିବାରେ ଲାଗିଛି । ଏହି ଚାଉଳ ଲାଲ, ବାଇଗଣି ଏବଂ କଳାରଙ୍ଗର ହୋଇଥାଏ । ଚାଉଳର ଉପରି ଭାଗରେ ଆପେନ୍ଥାସିୟାନିନସ୍ ଏବଂ ପ୍ରୋସିୟାନିଡିନ୍ ଭଳି ଫେନୋଲିକସ୍ ପଦାର୍ଥର ଆସ୍ତରଣ ଯୋଗୁଁ ଏହା ରଙ୍ଗିନ୍ ହୋଇଥାଏ । ଏହି ଚାଉଳର ବହୁତ ସ୍ଵାସ୍ଥ୍ୟ ଉପକାରୀ ଗୁଣ ଥିବାରୁ ସ୍ଵାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ଏହା ପ୍ରତି ଆକୃଷ୍ଟ ହେଉଛନ୍ତି । ଆସନ୍ତୁ ଏହାର ସ୍ଵାସ୍ଥ୍ୟଭିତ୍ତିକ ଗୁଣବତ୍ତା ବିଷୟରେ ଜାଣିବା ।

ଉପକାରୀତା

  • ଏହି ଚାଉଳରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟସ୍ ପଦାର୍ଥ ଯଥା ;ଆନ୍ଥୋସିୟାନିନନ୍, ଗାମାଓରାଇଜାନଲ, ଫେନୋଲିକ୍ ଏସିଡ୍ ଫ୍ଲାଭନଏଡସ୍, ଭିଟାମିନ-ଇ ଅଛି ଯାହା ଶରୀରରେ ମୁକ୍ତ ଅଣୁ ପ୍ରତିକ୍ରିୟାରେ ବାଧା ସୃଷ୍ଟିକରି କୋଷମାନଙ୍କୁ ନଷ୍ଟ ହେବାରୁ ବଞ୍ଚାଇଥାଏ । ପରୋକ୍ଷରେ ଏହା ଆୟୁବୃଦ୍ଧିର ଦରକୁ ହ୍ରାସ କରାଇଥାଏ ଏବଂ କର୍କଟ ଭଳି ରୋଗକୁ ବିରୋଧ କରିଥାଏ ।
  • ଏହି ଚାଉଳରେ ଥିବା ଆନ୍ଥୋସିୟାନିନନ୍ ଭଳି ଫେନୋଲିକ ପଦାର୍ଥ ରକ୍ତରେ ଥିବା ଖରାପ କୋଲୋଷ୍ଟୋରେଲର ମାତ୍ରାକୁ କମ କରିବାରେ ସାହାଯ୍ୟ କରେ ଏବଂ ଧମନୀରେ ପଟିକା ସୃଷ୍ଟିରେ ବାଧାପ୍ରାପ୍ତ କରିଥାଏ । ଜଦ୍ଦ୍ଵାରା ହୃଦୟର ସ୍ଵାସ୍ଥ୍ୟ ଭଲ ରହେ ଏବଂ ହୃଦଘାତର ଆଶଙ୍କାକୁ ଏଡାଇ ହୋଇଥାଏ ।
  • ମ୍ୟାଗନେସିୟମର ଗନ୍ତାଘର ଥିବା ଏହି ଚାଉଳ ଉତ୍ତମ ହାଡ ଗଠନରେ ସାହାଯ୍ୟ କରିଥାଏ ଏବଂ ଆଲର୍ଜି ଭଳି ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଦେଇଥାଏ । ଦୈନନ୍ଦିନ ଜୀବନର ତନ୍ତୁ ପୋଷଣର ଆବଶ୍ୟକତା ଏହି ଚାଉଳ ମଧ୍ୟ ପୂରଣ କରିଥାଏ ।
  • ରିପୋର୍ଟରୁ ଜଣାପଡିଛି ଯେ ଏହି ଚାଉଳରେ ଥିବା ଆନ୍ଥୋସିୟାନିନନ୍ ଆଲଡୋଜ ରିଡକ୍ଟେଜ ଏନଜାଇମର କାମକୁ ବାଧାପ୍ରାପ୍ତ କରାଇ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ଡାଇବେଟିସ୍ ୨ର ଆଶଙ୍କାକୁ ମଧ୍ୟ କମାଇଥାଏ ।
  • ଗବେଷଣାରୁ ଜଣାପଡିଛି ଯେ ଏଥିରେ ଭିଟାମିନ୍ ବି-୬ ର ପରିମାଣ ଧଳା ଉଳ ଅପେକ୍ଷା ଅଧିକ ଥାଏ ଯାହା ଶରୀରରେ ସେରୋଟୋନିନ୍ ସୃଷ୍ଟି କରିଥାଏ ଯାହାଦ୍ଵାରା ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିଥାଏ ।
  • ଏହା ଆଇରନ୍‌, ଜିଙ୍କ, କ୍ୟାଲସିୟମ୍, କପର ମଙ୍ଗାନିଜ୍ ଭଳି ଖଣିଜପଦାର୍ଥରେ ଭରପୂର ଥିବା ଏହି ଚାଉଳ ରକ୍ତହୀନତାରୁ ରକ୍ଷା କରି ଉତ୍ତମ ସ୍ଵାସ୍ଥ୍ୟ ଗଠନ କରିଥାଏ । ଏତେସବୁ ସ୍ୱାସ୍ଥ୍ୟ ଉପକାରୀ ଗୁନଥିବା ଏବଂ ପ୍ରଚୁର ଆଣ୍ଟିଅ’କ୍ସିଦାଣ୍ଟ ପଦାର୍ଥ ଥିବା ଏହି ରଙ୍ଗକଣିକା ଯୁକ୍ତ ଉଳର ଡାଉନନ୍ଦିନ ଜୀବନର ବ୍ୟବହାର ଏକ ଉତ୍ତମ ଓ ସୁସ୍ଥ ଶରୀର ଗଠନ ଯେ ଅପରିହାର୍ଯ୍ୟ କହିଲେ ଅତୁୟକ୍ତି ହେବ ନାହିଁ ।

ସଂଗୃହିତ : ଡ଼ଃ ପ୍ରିୟଦର୍ଶିନୀ ସଂଘମିତ୍ରା, ଡ଼ଃ ରାମେଶ୍ଵର ପ୍ରସାଦ ସାହ, ବୈଜ୍ଞାନିକ, ଜାତୀୟ ଧାନ ଗବେଷଣା ଅନୁଷ୍ଠା, କଟକ

2.71428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top