ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଔଷଧୀୟ ଗୁଣରେ ଭରପୂର
ସେଆର କରନ୍ତୁ

ଔଷଧୀୟ ଗୁଣରେ ଭରପୂର

ଔଷଧୀୟ ଗୁଣରେ ଭରପୂର ବୃକ୍ଷ

ଯୁଆଣି

ଏହାକୁ କିଏ ନ ଜାଣେ। ଔଷଧୀୟ ଗୁଣରେ ଭରପୂର ଯୁଆଣି। ଖାଦ୍ୟ ପ୍ରସ୍ତୁତିରେ ଯୁଆଣିର ବ୍ୟବହାରକେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ପେଟ ଜନିତ ସମସ୍ୟା ମଧ୍ୟ ଦୂର କରେ। ଯୁଆଣି ପାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୂରା ଶରୀରକୁ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଯୁଆଣି ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ।

ଉପକାରିତା

  • ଯୁଆଣି ପାଣିକୁ ପ୍ରତିଦିନ ପିଇଲେ ମଧୁମେହ ହେବାର ଆଶଙ୍କା ବହୁ ପରିମାଣରେ କମିଯାଏ
  • ହାର୍ଟ ସମସ୍ୟା ପାଇଁ ଏହା ଖୁବ୍ ଉପଯୋଗୀ
  • ପ୍ରତିଦିନ ସକାଳେ ଖାଲି ପେଟରେ ଯୁଆଣି ପାଣି ପିଇବା ଦ୍ୱାରା ଦାନ୍ତ ସମସ୍ୟା ଦୂର ହୋଇଥାଏ। ମୁଖ ଦୁର୍ଗନ୍ଧ ବି ଦୂର ହୋଇଥାଏ
  • ହଜମ ସମସ୍ୟା ଥିଲେ ଏହି ପାଣି ପିଇଲେ ପାଚନ ଶକ୍ତି ବଢ଼େ
  • ଯଦି ଆପଣ ମୋଟା ହୋଇ ଯାଉଛନ୍ତି, ତେବେ ଜୁଆଣୀ ପାଣି ପିଅନ୍ତୁ। କାରଣ ଏହା ଶରୀରର ମେଟାବୋଲିଜିମ୍ ବଢ଼ାଏ ଏବଂ ଶରୀର ଓଜନ ହ୍ରାସ କରାଏ
  • କେବଳ ପେଟ ଜନିତ ସମସ୍ୟା ନୁହେଁ, ଏହି ପାଣି ପିଇଲେ ଥଣ୍ଡା ଓ କଫ ମଧ୍ୟ ଭଲ ହୁଏ। ଆଜମା ସମସ୍ୟା ଥିଲେ ମଧ୍ୟ ଦୂର ହୁଏ
  • ଅତ୍ୟଧିକ ଥଣ୍ଡା କାରଣରୁ ଯଦି କାଶ ହେଉଥାଏ, ତା’ହେଲେ ଯୁଆଣି ପାଣିରେ ଅଳ୍ପ କଳା ଲୁଣ ପକାଇ ପିଇଲେ ଆରାମ ମିଳେ
  • ବଦଳୁଥିବା ଜୀବନଚର୍ଯ୍ୟା ପାଇଁ ଅନେକଙ୍କୁ ରାତିରେ ନିଦ ହେଉ ନାହିଁ। ସେମାନେ ଶୋଇବା ପୂର୍ବରୁ ଗୋଟେ କପ୍ ଯୁଆଣି ପାଣି ପିଅନ୍ତୁ। କିଛିଦିନ ଅଭ୍ୟାସ ପରେ ଏ ସମସ୍ୟା ଆଉ ରହିବ ନାହିଁ

ଅଶ୍ଵଗନ୍ଧା

ଅଶ୍ଵଗନ୍ଧା ଏକ ପ୍ରସିଦ୍ଧ ଭାରତୀୟ ବନୌଷଧି ରୂପେ ବହୁ ପ୍ରାଚୀନ କାଳରୁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଆସୁଛି । ଏହାର ପ୍ରତ୍ୟେକ ଅଂଶ ଯଥା ଚେର, ପତ୍ର, ଫଳ, ମଞ୍ଜି ପ୍ରଭୁତି ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ମଧ୍ୟ ମୁଖ୍ୟତଃ ଏହାର ଚେର ବହୁଳ ପରିମାଣରେ ଉପଯୋଗ ହୋଇଥାଏ । ବିଶେଷତଃ, ଶାରୀରିକ ଓ ମାନସିକ ଦୁର୍ବଳତା ତଥା ପୌରୁଷହାନି ସମସ୍ୟାରେ ଏହି ଚେରରୁ ପ୍ରସ୍ତୁତ ଔଷଧ ସେବନ କରିବାର ବିଧି ରହିଛି । ଭାରତର ଶୁଷ୍କ ପ୍ରଦେଶମାନନ୍କାରେ ମୁଖତଃ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏହାକୁ ବହୁଳ ପରିମାଣରେ ଏବେ ଚାଷ କରାଯାଉଛି । ଆଫଗାନିସ୍ତାନ , ଶ୍ରୀଲଙ୍କା ଓ ପାକିସ୍ତାନରେ ମଧ୍ୟ ଏହି ଗଛ ଦେଖାଯାଏ ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଆୟୁର୍ବେଦର ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ଅଶ୍ଵଗନ୍ଧାକୁ ତିକ୍ତ ତଥା କଷାୟ ରସଯୁକ୍ତ , ଉଷ୍ଣବୀର୍ଯ୍ୟ , ବଳକାରକ, ଅନ୍ତ୍ୟନ୍ତ ଶୁକ୍ରବର୍ଦ୍ଧକ, ରସାୟନ, ତ୍ରିଦୋଷନାଶକ , ଶୋଥ ଓ କ୍ଷୟହର ବୋଲି ବର୍ଣ୍ଣନା କରାଯାଇଛି । ପ୍ରାଚୀନ କାଳରୁ ଅଶ୍ଵଗନ୍ଧାକୁ ପୌରୁଷ ଶକ୍ତି ନିମିତ୍ତ ସେବନ କରିବାର ବିଧି ରହିଛି । ସାଧାରଣତଃ ଯୌନ ଅକ୍ଷମତା , ନଫୁସକତା, ସାଧାରଣ ଦୁର୍ବଳତା , ଆଣ୍ଠୁଗଣ୍ଠିବାତ, ଅନିଦ୍ରା ରୋଗ , ନିମ୍ନ ରକ୍ତଚାପ ଏବଂ ଉନ୍ମାଦ ବା ମସ୍ତିସ୍କ ବିକୃତି ରୋଗରେ ଅଶ୍ଵଗନ୍ଧା ସେବନ କରିବା ପାଇଁ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି । ଅଶ୍ଵଗନ୍ଧା ଚେରର ଚୂର୍ଣ୍ଣ ଦୁଗ୍ଧ ସହ ନିୟମିତ ସେବଳ କଲେ ବଳ , ବୀର୍ଯ୍ୟ ବୃଦ୍ଧି ପାଇ ଶରୀରରେ ଶକ୍ତି ଶ୍ରୁତ୍ତି ଆସିଥାଏ । ଏହା ସେବନ କଲେ ଶରୀରର ସଠିକ ବିକାଶ ସହିତ ଶରୀର ହୃଷ୍ଟପୃଷ୍ଟ ହୋଇଥାଏ । ନିୟମିତ ଅଶ୍ଵଗନ୍ଧା ଚେରର ଚୂର୍ଣ୍ଣ କିମ୍ବା କ୍ଵାଥ ସେବନ କରିବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି, ଓ ସ୍ମରଣଶକ୍ତି ବୃଦ୍ଧି ପାଏ । ଆବାଳ- ବୃଦ୍ଧ –ବନିତା ଯାଏ ସବୁ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଉତ୍ତମ ଶକ୍ତିବର୍ଦ୍ଧକ ଟନିକ ଭଳି କାର୍ଯ୍ୟକରେ । ସ୍ତ୍ରୀମାନଙ୍କ ଠାରୁ ଏହା ଗର୍ଭଧାରଣର କ୍ଷମତା ବୃଦ୍ଧି କରେ ଓ ପ୍ରସବ ପରବର୍ତ୍ତୀ ମାତୃକ୍ଷୀର ପରିମାଣ ବୃଦ୍ଧିକରେ । ଏହାର ପତ୍ର ଓ ଫଳ ମଧ୍ୟ ଅନେକ କାମରେ ଆସିଥାଏ ।

ପାତାଳ ଗରୁଡ

ପ୍ରାଚୀନ କାଳରୁ ଭାରତବର୍ଷ ପାତାଳ ଗରୁଡର ବ୍ୟବସାୟିକ ଔଷଧୀୟ ବ୍ୟବହାର ପରମ୍ପରା ରହିଆସିଛି । ଭାବପ୍ରକାଶ ନିଘଣ୍ଟୁ , ରାଜନିଘଣ୍ଟୁ ଓ ସୁଶ୍ରୁତ ସଂହିତା ପ୍ରଭୁତି ଆୟୁର୍ବେଦର ପ୍ରସିଦ୍ଧ ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ସର୍ପଗନ୍ଧା (ପାତାଳ ଗରୁଡ ) ର ଔଷଧୀୟ ଗୁଣ- କର୍ମ- ପ୍ରୟୋଗ- ସମ୍ବନ୍ଧରେ ସବିଶେଷ ବିବରଣୀ ଦେଖିବାକୁ ମିଳେ । ବିଶେଷତଃ ଉଚ୍ଚ ରକ୍ତଚାପ , ଅନିଦ୍ରା ରୋଗ ଓ ମାନସିକରୋଗ ପ୍ରଭୁତି ଜଟିଳ ରୋଗଗୁଡିକର ଉପଶମ ପାଇଁ ଏହାକୁ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ । ପ୍ରାକୃତିକ ରୂପେ ବଣଜଙ୍ଗଲରୁ ମିଳୁଥିବା ପାତଳଗରୁଡ, ବଜାରର ଔଷଧୀୟ ଚାହିଦା ପୂରଣ ପାଇଁ ଯଥେଷ୍ଟ ନଥିବାରୁ ଏହାର କୃଷିକାରଣ ପାଇଁ ସମ୍ପ୍ରତି ବିଶେଷଧ୍ୟାନ ଦିଆଯାଉଛି । ବର୍ତ୍ତମାନ ଏହା ଭାରତ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ସୂଚୀ ଅନୁଯାୟୀ ବିରଳ ତଥା ପ୍ରତିବନ୍ଧକ ଉଦ୍ଭିଦ ଶ୍ରେଣୀଭୁକ୍ତ ଅଟେ  ।

ଔଷଧୀୟ ପ୍ରୟୋଗ

ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ସର୍ପଗନ୍ଧା (ପାତାଳଗରୁଡ) ଏହାର ବହୁମୂଖୀ ପ୍ରଭାବଶାଳୀ ଔଷଧୀୟ ବିଶେଷତ୍ଵ ଯୋଗୁଁ କେତେକ ଅତି ଜଟିଳ ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଆସୁଛି  । ମୁଖ୍ୟତଃ ଉଚ୍ଚ ରକ୍ତଚାପ, ଅନିଦ୍ରା ରୋଗ ଏବଂ ତୀବ୍ର ଉନ୍ମାଦ ଭଳି ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ଏହା ଅତ୍ୟନ୍ତ ପ୍ରଭାବଶାଳି ପ୍ରମାଣିତ ହୋଇଛି  । ଏହାର ମୁଖ୍ୟ ପ୍ରଭାବ ମସ୍ତିଷ୍କସ୍ଥିତ କେନ୍ଦ୍ରୀୟ ସ୍ନାୟୁ ସଂସ୍ଥାନ ଉପରେ ପଡିଥିଲା  । ଔଷଧୀୟ ଗୁଣ- କର୍ମ ଦୃଷ୍ଟିରୁ ଏହା ଏକ ଉତ୍ତମ ପ୍ରସାମକ ଏବଂ ନିଦ୍ରାକର ବନୌଷଧି  । ଏହି ପ୍ରଶାମକ ଗୁଣ ହେତୁ ଏହା ସ୍ନାୟୁସମୂହର ଉତ୍ତେଜନାକୁ ଶାନ୍ତ କରି ବାତିକ ଉନ୍ମାଦ, ଅନିଦ୍ରା ଓ ଅନ୍ୟାନ୍ୟ ମାନସିକ ବିକାଶ ଦୂର କରିବା ବିଷହର , ଜ୍ଵରହର ଏବଂ ଗର୍ଭାଶୟ ଉତ୍ତେଜକ ଗୁଣ ମଧ୍ୟ ଧାରଣ କରିଥାଏ । ବିହାର ଓ ଓଡିଶାରେ ଗ୍ରାମାଞ୍ଚଳର ଲୋକେ ଏହାକୁ ପାଗଳାମି ରୋଗର ଚିକିତ୍ସାରେ ବହୁଳ ଉପଯୋଗ କରନ୍ତି  । ଏହାଛଡା ସର୍ପାଘାତଜନିତ ବିଷ ଓ ଅନ୍ୟାନ୍ୟ ଜାନ୍ତବ ବିଷଜନିତ ପାଇଁ ଏହାର ୪ ଗ୍ରାମ ମୂଳ ସହିତ ୨୧ଟି ଗୋଲମରୀଚ ମିଶାଇ ପାଣିରେ ବାଟି ସର୍ପ ଦୃଷ୍ଟବ୍ୟକ୍ତିଙ୍କୁ ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ ପିଆଇଲେ ସର୍ପ ବିଷ ନଷ୍ଟ ହୁଏ । ଏହି ଚିକିତ୍ସା ମଧ୍ୟ ଉଚ୍ଚରକ୍ତଚାପ ପ୍ରଶମିତ କରିଥାଏ । ଏହାକୁ ଉପଯୋଗ କରିବା ଦ୍ଵାରା ଶିରଃଶୂଳ , ଭ୍ରମ ଓ ଜ୍ଵର ମଧ୍ୟ ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ  ।

ସୁଇଜରଲ୍ୟାଣ୍ଡ ସିଲର ଓ ମୂଳର ନାମକ ବୈଜ୍ଞାନିକଦ୍ୱୟ ୧୯୫୨ ମସିହାରେ ସର୍ପଗନ୍ଧା (ପାତାଳ ଗରୁଡ) ଚେରରେ ଥିବା ପ୍ରମୁଖ ଆଲକାଲଏଡ ରିସରପାଇନ ଆବିଷ୍କାର କରିଥିଲେ । ସମ୍ପ୍ରତି ଏହି ବନୌଷଧିର କ୍ରମବର୍ଦ୍ଧଷ୍ଣୁ ଚାହିଦାକୁ ବିଚାରକୁ ନେଲେ ଏହି ଔଷଧୀୟ ଗୁଳ୍ମର କୃଷିକରଣର ସମୀଚୀନତା ଉପଲ୍ଲବ୍ଧି କରିହୁଏ  ।

ଭୁଇଁନିମ୍ବ

ଆୟୁର୍ବେଦ ଚିକିତ୍ସକ ମାନେ ଏହାର ମହତ୍ଵପୂର୍ଣ୍ଣ ଔଷଧୀୟ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛନ୍ତି । ସାଧାରଣ ଜନତାଙ୍କ ମଧ୍ୟରେ ଦେଶୀୟ ଚିକିତ୍ସାରେ ମଧ୍ୟ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି । ଆଧୁନିକ ଚିକିତ୍ସାରେ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ଏହାର ବହୁଳ ଉପଯୋଗୀତା ଦୃଷ୍ଟିରୁ ଏହାର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ତେଣୁ ଏହାକୁ ବ୍ୟବଶାୟିକ ଭିତ୍ତିରେ ଚାଷ କରାଗଲେ ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାରେ ଏହା ନିଶ୍ଚିତ ଭାବରେ ସହାୟକ ହୋଇପାରିବ ।

ଭୁଇଁନିମ୍ବ ଗଛର ପଞ୍ଚଙ୍ଗାରେ ଆଣ୍ଡ୍ରୋଗ୍ରାଫୋଲାଇଡ ୨ରୁ ୨.୫ ପ୍ରତିଶତ ମାତ୍ରାରେ ଏହାଏ । ଏହା ବ୍ୟତିତ, ଏହିଗଛରେ ଫ୍ଲେବନାଇଡସ , ଫିନାଇଲପ୍ରୋ ପେଟାଇଡସ ଥାଏ ଏହିସବୁ କ୍ଷାରାଭ ତତ୍ତ୍ଵ ଯୋଗୁଁ ଏହାର ଔଷଧୀୟ ଗୁଣ ଶୀର୍ଷରେ ଥାଏ । ଆୟୁର୍ବେଦୀୟ ଚିକିତ୍ସାରେ ଏହାକୁ ମୁଖ୍ୟତଃ ଯକୃତ ସମ୍ବନ୍ଧୀୟ ରୋଗ , କୃମିରୋଗ , ରକ୍ତହୀନତା , ଜ୍ଵର ଓ ପେଟ ରୋଗରେ ବ୍ୟବହାର କରାଯାଏ । ଶୁଷ୍କ ପଞ୍ଚାଙ୍ଗ ବ୍ୟତୀତ ବଜାରରେ kalmegh mother tincture ମଧ୍ୟ ମିଳିଥାଏ ।

ପିପ୍ପଳୀ

ଔଷଧି ବିଶେଷ

ଶୁଷ୍କ ପିପ୍ପଳୀ ଫଳରେ ୧ ପ୍ରତିଶତ ଉଡନଶୀଳ ତୈଳଥାଏ ଯେଉଁଥିରେ ପ୍ରାୟ ୫ରୁ ୬.୪ ପ୍ରତିଶତ ପାଇପରିନ , ପାଇପରୀଡୀନ ଏବଂ ଏକ କାଟୁ ରାଳ “ ଚାଭିସିନ “ ରହିଥାଏ । ଏହା ବ୍ୟତୀତ , ଏଥିରେ ଷ୍ଟାର୍ଚ୍ଚ ଓ ସ୍ନେହ ଉପାଦାନ ମଧ୍ୟ ମିଳିଥାଏ ।

ଔଷଧୀୟ ଗୁଣ ଓ ପ୍ରୟୋଗ

ବହୂ ପ୍ରାଚୀନ କାଳରୁ ଆମ ଦେଶରେ ପିପ୍ପଳୀ ଏକ ଅତ୍ୟାବଶ୍ୟକ ବନୌଷଧି ଭାବରେ ବ୍ୟବହୃତ ହୋଇଆସୁଛି । ଔଷଧୀୟ ଗୁଣ ଦୃଷ୍ଟିରୁ ଏହାର ଶୁଖିଲା ଫଳ ତୀବ୍ରକଟୁ, ଉଷ୍ମ , ଅଗ୍ନିବର୍ଦ୍ଧକ , କଫନାଶକ , ଶକ୍ତିବର୍ଦ୍ଧକ ଓ ଜୀବାଣୁ ପ୍ରତିରୋଧ ଅଟେ । ଏହା ମୁଖ୍ୟତଃ କାଶ ଓ ଶ୍ଵାସ ପ୍ରଭୁତି ଶ୍ଵସନ ସଂସ୍ଥାନଗତ ରୋଗର ଚିକିତ୍ସାରେ ସେବନ କରାଯାଇଥାଏ । ଉପରୋକ୍ତ ଔଷଧୀୟ ଗୁଣ ଦୃଷ୍ଟିରୁ ଏହାକୁ ଆନାହ , ଅଗ୍ନିମାଦ୍ୟ , କାଶ, ଶ୍ଵାସ, ଉଦରଶୂଳ , ଆମବାତ ପ୍ରଭୁତି ଚିକିତ୍ସାରେ ବ୍ୟବହାର କରାଯାଏ । ମହୁ ସହ ଏହାର ଚୂର୍ଣ୍ଣ ସେବଳ କଲେ ପୁରୁଣା କାଶ, ଶ୍ଵାସ , ସ୍ଵରଭଙ୍ଗ ଓ ହିକ୍କା ରୋଗ ଭଲ ହୋଇଥାଏ । ଏହିସବୁ ବହୁବିଧ ଔଷଧୀୟ ଉପଯୋଗୀତା ଦୃଷ୍ଟିରୁ ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗରେ ଏହାର ଚାହିଦା ବେଶୀ । ଆୟୁର୍ବେଦରେ ବର୍ଣ୍ଣିତ ତ୍ରିକଟୁ “ ର ତିନିଗୋଟି ଉପାଦାନ ମଧ୍ୟରେ ଶୁଣ୍ଠି , ଗୋଲମରିଚ , ବ୍ୟତୀତ ପିପ୍ପଳୀ ଅନ୍ୟତମ ଅଟେ । ଏହାର ମୂଳକୁ ବିଷ ଖଣ୍ଡନକାରୀ ଔଷଧ ଭାବେ ପ୍ରସ୍ତୁତି କରାଯାଏ ।

ତୁଳସୀ

ଔଷଧୀୟ ଗୁଣ ଓ ପ୍ରୟୋଗ ଦୃଷ୍ଟିରୁ ତୁଲସୀ ବୃକ୍ଷ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ । ଏହାର ଔଷଧୀୟ ଗୁଣ ବିଷୟରେ ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ବିସ୍ତୁତ ଭାବେ ବର୍ଣ୍ଣନା କରାଯାଇଛି । ଏହାର ପତ୍ରର ସ୍ଵରସ ଉଷ୍ଣ ,ଋକ୍ଷ କଫନିଃସାରକ, ଶୀତହର , ବାତହର, ସ୍ଵେଦଜନନ , ଦୀପନ , କୃମିଘ୍ନ , ଦୁର୍ଗନ୍ଧନାଶକ ଓ ଜୀବାଣୁନାଶକ ଅଟେ । କାସ, ଶ୍ଵାସ , ପାର୍ଶ୍ଵଶୂଳ , ବିଷମ ଜ୍ଵର ବା ମ୍ୟାଲେରିଆ ବିଷବିକାର ଏବଂ ପାଚନଗତ ବିକାର ଚିକିତ୍ସା କ୍ଷେତ୍ରରେ ଏହାର ଉପଯୋଗ କରାଯାଏ । ଏହିସବୁ ରୋଗମାନଙ୍କରେ ଅନ୍ୟ ଔଷଧିସହ ଏହାର ସ୍ଵରସକୁ ଅନୁପାନ ରୂପେ ପ୍ରୟୋଗ କରାଯାଏ । ଏହାର ବୀଜ ମଧୁର ସ୍ନିଗ୍ଧ , ଶୀତ ଏବଂ ମୁତ୍ରଜନନ ହୋଇଥିବାରୁ ମୁତ୍ରକ୍ରଚ୍ଚ ବା ମୁତ୍ରକଷ୍ଟ ରୋଗରେ ସେବନ କରାଯାଏ । ଏହାଛଡା କିଡନୀ ଷ୍ଟୋନ ରୋଗ ଏବଂ ହୃଦଯନ୍ତ୍ର ସମ୍ବନ୍ଧୀୟ ରୋଗରେ ବ୍ୟବହାର ହୋଇଥାଏ । ଏହାର ରସ ସେବନରେ ରକ୍ତରୁ କୋଲେଷ୍ଟେରୋଲର ମାତ୍ରା କମିଥାଏ । ଏହା ମଧ୍ୟ anti stress agent ଭାବରେ ବ୍ୟବହୃତ ହୋଇଥାଏ । ଚର୍ମରୋଗ, କୃମିରୋଗ , କୀଟଦଂସନ , କର୍ଣ୍ଣଶୂଳ ଓ ବ୍ରଣ ପ୍ରକ୍ଷାଳନ ନିମିତ୍ତ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ଏହା ଛଡା, ସମ୍ପ୍ରତି ବଡ ବଡ ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥାମାନେ କାଶ ନିବାରକ ସିରପ ଔଷଧରେ ମଧ୍ୟ ତୁଳସୀ ସ୍ଵରସ ବ୍ୟବହାର କରୁଛନ୍ତି । କେତେକ ହାର୍ବାଲ ଟି ପ୍ରସ୍ତୁତକାରୀ ସଂସ୍ଥାମାନେ ମଧ୍ୟ ହାର୍ବାଲ ଡ୍ରିଙ୍କସ ଓ ହାର୍ବାଲ ଟିରେ ତୁଳସୀ ସ୍ବରସ ପ୍ରୟୋଗ କରୁଛନ୍ତି । ଏସବୁର ଚାହିଦା ଓ ଆଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ୟବସାୟିକ ଭିତ୍ତିରେ ଉନ୍ନତ ପ୍ରଣାଳୀରେ ତୁଳସୀ ଚାଷ କରାଗଲେ ରପ୍ତାନି ମାଧ୍ୟମରେ ଏଥିରୁ ପ୍ରଚୁର ଆର୍ଥିକ ଲାଭ ମିଳିପାରିବ ।

ନିମ୍ବ

ନିମ୍ବ ବୃକ୍ଷର ସମସ୍ତ ଅଂଶ ଔଷଧୀୟ ଗୁଣ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ । ନିମ୍ବର ପତ୍ର ଶୋଥହର , ତ୍ଵଚା ପାଇଁ ଉତ୍ତେଜକ , ଚର୍ମରୋଗ , କୀଟନାଶକ , ବ୍ରଣଶୋଧକ, ବ୍ରଣ ରୋପକ , ଗର୍ଭରୋଧକ ଉତ୍ତେଜକ, କୁଷ୍ଠଘ୍ନ ଗୁଣଯୁକ୍ତ ଅଟେ । ନିମ୍ବ ବୃକ୍ଷର ସମସ୍ତ ଅଂଶ ଅପେକ୍ଷା ଏହାର ତୈଳ ଅଧିକ ପ୍ରଭାବଶାଳି ଅଟେ । ଯାଦୁ, କାଚ୍ଛୁ କୁଣ୍ଡିଆ, ଶ୍ଵେତକୁଷ୍ଠ , କୁଷ୍ଠରୋଗ ଏବଂ ଏକଜିମା ପ୍ରଭୃତି ଚର୍ମରୋଗରେ ଏହି ତୈଳର ପ୍ରୟୋଗ ଅତ୍ୟନ୍ତ ହିତକର । ଆଜିକାଲି ଅନେକ ହର୍ବାଲ ସାମଗ୍ରୀ ପ୍ରସ୍ତୃତକାରୀ କମ୍ପାନୀମାନେ ନିମ୍ବ ତେଲରୁ ବିଭିନ୍ନ ଜୀବାଣୁନାଶକ ସାବୁନ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୃତ କରୁଛନ୍ତି । ବିଦେଶକୁ ମଧ୍ୟ ନିମ୍ବ ତେଲ ପ୍ରଚୁର ମାତ୍ରାରେ ରପ୍ତାନି କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଉଛି ।

ଏହା ଛଡା ନିମ୍ବ ବୃକ୍ଷର ପତ୍ର ଏକ ଉତ୍ତମ ଜୈବ କୀଟନାଶକ ଭାବରେ ପରିବେଶ ପାଇଁ ଅନୁକୂଳ ପ୍ରମାଣିତ ହୋଇଥାଏ । ଦେଶୀୟ ଚିକିତ୍ସାରେ ଏହାର ସମସ୍ତ ଅଂଶକୁ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ ।

ଗୁଳୁଚୀଲତା

ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ଗୁଳୁଚୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଯେ ଗୁଳୁଚୀ କଟୁ , ଉଷ୍ଣ ତ୍ରିଦୋଷଘ୍ନ ରସାୟନ, ବଲ୍ୟ, ଜ୍ଵରହାର , ଦୀପନ, ମୁତ୍ରଜନନ ଚର୍ମରୋଗ ଇତ୍ୟାଦି ରୋଗର ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ । ବିଷମଜ୍ଵର ବା ମ୍ୟାଲେରିଆ ଏବଂ ଯେ କୌଣସି ପୁରୁଣା ଜ୍ଵରରେ ଏହାର କ୍ଵାଥ ସେବନ କରାଯାଏ । ଜୀର୍ଣ୍ଣଜ୍ଵରରେ ଏହାର କ୍ଵାଥରେ ଛୋଟ ପିପ୍ପଳୀ କିମ୍ବା ମହୁ ମିଶାଇ ସେବନ କରାଯାଏ । ଏହାଦ୍ଵାରା ଜ୍ଵର, କଫ ପ୍ଳୀହୀ ବୃଦ୍ଧି ଏବଂ ଅରୁଚି ଆଦି ବିକାର ଦୂର ହୋଇଥାଏ । ପ୍ରମେହ ଓ ମୁତ୍ର ରୋଗରେ ଏହାର ସ୍ବରାସ ପ୍ରୟୋଗ କରାଯାଏ ।

ବିଡଙ୍ଗ

ଏହା ଏକ ଉତ୍ତମ କୃତିଘ୍ନ, ବା କୀଟନାଶକ , ରକ୍ତଶୋଧକ , ବାତହର ଏବଂ ରସାୟନ ଗୁଣଯୁକ୍ତ ବନୌଷଧି ଅଟେ । ମୁଖ୍ୟତଃ ସ୍ପୀତକୃମି ପାଇଁ ଏହା ଅତ୍ୟୁତ୍ତମ ଔଷଧ ଅଟେ ।ଛୋଟ ପିଲାଙ୍କ ସମସ୍ତ ରୋଗ ପାଇଁ ଏହା ଉତ୍ତମ ଔଷଧ ଅଟେ । । ବିଶେଷତଃ ଆଧ୍ୟାନ ବା ପେଟ ଗ୍ୟାସ ହେଲେ ଶୂଳ ବା ପେଟଯନ୍ତ୍ରଣା , କୁପଚନ ଏବଂ ଅଗ୍ନିମାଦ୍ୟ ପ୍ରଭୃତି ରୋଗରେ ଦୁଗ୍ଧରେ ଏହାକୁ ସିଝାଇ ସେହି ଦୁଗ୍ଧକୁ ରୋଗୀକୁ ପିଆଇଲେ ଉପରୋକ୍ତ ସମସ୍ୟା ଦୂର ହୋଇଥାଏ । ଗୁଣ୍ଡାମାଳା ରୋଗରେ ବାଇବିଡଙ୍ଗକୁ ଗୁଗୁଳ, ଶଙ୍ଖଭସ୍ମ ମହୁ ତଥା ଘିଅ ସହିତ ଦେଲେ ବିଶେଷ ଉପଶମ ମିଳେ । ଏହାଛଡା, ଜୈବିକ କୀଟନାଶକ ତଥା କପଡା ରଙ୍ଗ କରିବାରେ ମଧ୍ୟ ପ୍ରୟୋଗ କରାଯାଇଥାଏ । ମୁଖ୍ୟତଃ ଏହାର କୀଟନାଶକ ଓ ଗର୍ଭନିରୋଧକ ଉପଯୋଗୀତା ପାଇଁ ଏହାର କୃଷିକଣ ଚାହିଦା ସମ୍ଭାବନା ଯଥେଷ୍ଟ ଅଧିକ ଅଟେ ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top