ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଖାଦ୍ୟ ଓ ବୃଦ୍ଧି
ସେଆର କରନ୍ତୁ

ଖାଦ୍ୟ ଓ ବୃଦ୍ଧି

ଖାଦ୍ୟ ଓ ବୃଦ୍ଧିର ସୂଚନା

ଉପକ୍ରମ

ମୃତ୍ୟୁ ମୁଖରେ ପଡୁଥିବା ସବୁ ଶିଶୁଙ୍କ ଭିତରୁ ଅଧାରୁ ଅଧିକ ମନ୍ଦପୁଷ୍ଟି ଯୋଗୁଁ ମୃତ୍ୟୁବରଣ କରିଥା’ନ୍ତି । ମନ୍ଦପୁଷ୍ଟି ଯୋଗୁଁ ସେମାନେ ରୋଗ ପ୍ରତିରୋଧ କରିପାରନ୍ତି ନାହିଁ । ନିକୃଷ୍ଟ ଧରଣର ଖାଦ୍ୟ , ବାରମ୍ବାର ରୋଗ ଏବଂ ଯତ୍ନରେ ଅବହେଳା କଲେ ଶିଶୁ ମନ୍ଦପୁଷ୍ଟି ହୋଇଥାଏ ।

ଯଦି ଜଣେ ମହିଳା ଗର୍ଭଧାରଣ ସମୟରେ ମନ୍ଦପୁଷ୍ଟି ହୋଇଥାଏ ବା ତା’ର ଶିଶୁ ପ୍ରଥମ ଦୁଇ ବର୍ଷରେ ମନ୍ଦପୁଷ୍ଟିର ଶିକାର ହୋଇଥାଏ , ତେବେ ସେହି ଶିଶୁର ଶାରୀରିକ ଓ ମାନସିକ ବୃଦ୍ଧି ତଥା ବିକାଶ ଧୀର ହୋଇପାରେ । ବୟସ ବଢିଲେ ବି ଏହା ଆଉ ସୁଧୁରି ନଥାଏ – ବାକି ଜୀବନ ସାରା ତାକୁ ଭୋଗିବାକୁ ପଡିଥାଏ ।

ଯତ୍ନ , ସୁରକ୍ଷିତ ପରିବେଶ , ପୁଷ୍ଟିକର ଖାଦ୍ୟ ତଥା ରୋଗରୁ ରକ୍ଷା ପାଇବା ପାଇଁ ମୌଳିକ ସ୍ୱାସ୍ଥ୍ୟ ସେବା ପାଇବା ଶିଶୁର ଅଧିକାର । ଏହା ଫଳରେ ସେମାନଙ୍କର ବୃଦ୍ଧି ଓ ବିକାଶ ବେଶ୍ ଶୀଘ୍ର ହୋଇଥାଏ ।

ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର

୧. ଛୋଟ ପିଲାର ବୃଦ୍ଧି ଠିକ ଭାବରେ ହେବା ସହ ଓଜନ ଶୀଘ୍ର ବଢିବା ଉଚିତ । ଜନ୍ମଠାରୁ ଦୁଇ ବର୍ଷ ହେବା ଯାଏଁ ପରାଇ ମାସରେ ଶିଶୁର ଓଜନ ମାପିବା ଜରୁରୀ । ଯଦି କ୍ରମାଗତ ଦୁଇ ମାସ ଧରି ଶିଶୁର ଓଜନ ନବଢେ ତେବେ ଶିଶୁର କିଛି ଅସୁବିଧା ରହିଥିବାର ସୂଚନା ମିଳେ ।

୨. ଛଅ ମାସ ବୟସର ଯାଏଁ କେବଳ ମା’କ୍ଷୀର ହିଁ ଶିଶୁର ଖାଦ୍ୟ ଓ ପାନୀୟ । ଏହା ପରେ ଶିଶୁକୁ ମା’କ୍ଷୀର ସହ ଅନ୍ୟ ଖାଦ୍ୟ ଦେବା ଆବଶ୍ୟକ ।

୩. ଛଅ ମାସରୁ ଦୁଇ ବର୍ଷ ମଧ୍ୟରେ ଶିଶୁକୁ ମା’କ୍ଷୀର ଦେବା ସହ ଦିନକୁ ପାଞ୍ଚ ଥର ଅନ୍ୟ ଖାଦ୍ୟ ଖାଇବାକୁ ଦେବା ଦରକାର ।

୪. ରୋଗ ପ୍ରତିରୋଧ କରିବା ଏବଂ ଆଖିରେ ଅସୁବିଧାରୁ ରକ୍ଷା ପାଇବା ପାଇଁ ଶିଶୁମାନଙ୍କୁ ଜୀବସାର କ ଦେବା ଦରକାର । ଅନେକ ଫଳ ଓ ପାରିବା , ତେଲ , ଅଣ୍ଡା , କ୍ଷୀରଜାତ ପଦାର୍ଥ , ଜୀବସାର ମିଶା ଖାଦ୍ୟ , ମା’କ୍ଷୀର ବା ଜୀବସାର କ ବଟିକାରୁ ଏହା ମିଳିପାରିବ ।

୫. ଶିଶୁର ଶାରୀରିକ ତଥା ମାନସିକ ଦକ୍ଷତାକୁ ଠିକ ରଖିବା ପାଇଁ ଲୁହାଯୁକ୍ତ ଖାଦ୍ୟ ଦରକାର । ଲୁହା ମୁଖ୍ୟତଃ କଲିଜା , ଚର୍ବିଯୁକ୍ତ ମାଂସ , ଅଣ୍ଡା ଏବଂ ଲୁହାମିଶା ଖାଦ୍ୟରୁ ମିଳିଥାଏ ।

୬. ଶିଶୁର ଶିଖିବାର ଅକ୍ଷମତା ଓ ଧୀର ବିକାଶକୁ ରୋକିବା ପାଇଁ ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ଦରକାର ।

୭. ରୋଗାକ୍ରାନ୍ତ ଥିବା ସମୟରେ ଶିଶୁଟି ନିୟମିତ ଖାଇବା ଜାରି ରଖିବା ଜରୁରୀ । ରୋଗରୁ ଭଲ ହେବାପରେ ଏକ ସପ୍ତାହ ପାଇଁ ଦିନକୁ ସେ ଥରେ ଲେଖାଏଁ ଅଧିକ ଖାଇବା ଉଚିତ ।

ସହାୟକ ସୂଚନା

ଛୋଟ ପିଲାର ବୃଦ୍ଧି ଠିକ ଭାବରେ ହେବା ସହ ଓଜନ ଶୀଘ୍ର ବଢିବା ଉଚିତ

ଜନ୍ମଠାରୁ ଦୁଇ ବର୍ଷ ହେବା ଯାଏଁ ପ୍ରତି ମାସରେ ଶିଶୁର ଓଜନ ମାପିବା ଜରୁରୀ ଯଦି କ୍ରମାଗତ ଦୁଇ ମାସ ଧରି ଶିଶୁର ଓଜନ ନବଢେ ତେବେ ଶିଶୁର କିଛି ଅସୁବିଧା ରହିଥିବାର ସୂଚନା ମିଳେ

ନିୟମିତ ଓଜନ ବଢୁଥିଲେ ଶିଶୁଟିର ବୃଦ୍ଧି ଓ ବିକାଶ ଠିକ ଭାବରେ ହେଉଥିବାର ସୂଚନା ଦିଏ । ପ୍ରତିଥର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ସମୟରେ ଶିଶୁର ଓଜନ ମାପିନେବା ଉଚିତ ।

ପ୍ରଥମ ଛଅ ମାସରେ କେବଳ ମା’କ୍ଷୀର ଖାଉଥିଲେ ଶିଶୁର ବୃଦ୍ଧି ଠିକ ଭାବରେ ହୋଇଥାଏ । ସ୍ତନ୍ୟପାନ ଶିଶୁକୁ ସାଧାରଣ ରୋଗରୁ ରକ୍ଷା କରିଥାଏ । ଶାରୀରିକ ଏବଂ ମାନସିକ ବୃଦ୍ଧି ଓ ବିକାଶରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ମା’କ୍ଷୀର ଖାଉନଥିବା ଶିଶୁ କୌଣସି କଥାକୁ ମା’କ୍ଷୀର ଖାଉଥିବା ଶିଶୁ ଭଳି ସହଜରେ ଶିଖିପାରନ୍ତି ନାହିଁ ।

ଦୁଇମାସ ଧରି ଶିଶୁର ଓଜନ ନବଢିଲେ , ତାକୁ ଅଧିକ ଖାଦ୍ୟ ବା ଅଧିକ ପୁଷ୍ଟିକର ଖାଦ୍ୟ ଦେବା ଆବଶ୍ୟକ ସେ ଅସୁସ୍ଥ ହୋଇଥାଇପାରେ ବା ତା’ର ଅଧିକ ସ୍ନେହ , ଯତ୍ନ ଦରକାର । ବାପାମା’ ତଥା ସ୍ୱାସ୍ଥ୍ୟକର୍ମୀ ଯଥାଶୀଘ୍ର ଏହି ସମସ୍ୟାର କାରଣ ଖୋଜି ବାହାର କରିବା ଦରକାର ।

ପ୍ରତ୍ୟକ ଛୋଟ ପିଲାଙ୍କ ବୃଦ୍ଧିର ରେଖାଚିତ୍ର ରହିବା ଜରୁରୀ । ଏହି ରେଖାଚିତ୍ର ଉପରେ ଶିଶୁର ପ୍ରତି ଥରର ଓଜନକୁ ବିନ୍ଦୁ ଦେଇ ଚିହ୍ନଟ କରନ୍ତୁ ଏବଂ ଏହି ବିନ୍ଦୁଗୁଡିକୁ ଗାର ପକାଇ ଯୋଡନ୍ତୁ । ଏହି ରେଖାଟି ଶିଶୁର ବୃଦ୍ଧିକୁ ସୁଚାଇବ । ରେଖାଟି ଉପର ଆଡକୁ ଗଲେ ଶିଶୁଟି ଭଲ ଅଛି । ରେଖାଟି ଭୂସମାନ୍ତର ବା ତଳମୁହାଁ ରହିଲେ କିଛି ଅସୁବିଧା ନିଶ୍ଚୟ ରହିଛି ।

ଶିଶୁର ଓଜନ ନିୟମିତ ଭାବେ ନବଢିଲେ ବା ଯଥେଷ୍ଟ ବଢୁ ନଥିଲେ , କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବା ଦରକାର :

  • ଶିଶୁଟି ଯଥେଷ୍ଟ ଥର ଖାଉଛି କି ? ଶିଶୁ ଦିନକୁ ୩ରୁ ୫ ଥର ଖାଇବା ଦରକାର । ଅକ୍ଷମ ଶିଶୁଙ୍କ ଖାଇବା ପାଇଁ ଅଧିକ ସାହାଯ୍ୟ ଓ ସମୟ ଦରକାର ହୋଇପାରେ
  • ଶିଶୁଟି ଯଥେଷ୍ଟ ପରିମାଣର ଖାଦ୍ୟ ଖାଉଛି କି ? ଶିଶୁଟି ତାକୁ ଦିଆଯାଇଥିବା ଖାଦ୍ୟ ଖାଇସାରିବା ପରେ ଆହୁରି ମାଗିଲେ ତାକୁ ଦେବା ଦରକାର
  • ଶିଶୁର ଖାଦ୍ୟରେ ବୃଦ୍ଧି ବା ଶକ୍ତି ସହାୟକ ଖାଦ୍ୟ ବେଶ୍ କମ୍ ଅଛି କି ? ଶିଶୁର ବୃଦ୍ଧି ପାଇଁ ମାଂସ , ମାଛ , ଅଣ୍ଡା , ବିନ୍ ବାଦାମ , ଶସ୍ୟ ଓ ଡାଲିଜାତୀୟ ଖାଦ୍ୟ ଆବଶ୍ୟକ । ଲାଲ ପାମ୍ ତେଲ ବା ଅନ୍ୟ ଜୀବସାର ମିଶା ଖାଇବା ତେଲଗୁଡିକ ଶକ୍ତି ଯୋଗାଇବାର ଭଲ ଉତ୍ସ ।
  • ଶିଶୁ ଖାଇବାକୁ ମନା କରୁଛି କି? ଖାଦ୍ୟର ସ୍ଵାଦ ତାକୁ ଭଲ ନାଲାଗିଲେ ଅଲଗା ଖାଦ୍ୟ ଦେବା ଉଚିତ । ଧୀରେ ଧୀରେ ନୂଆ ଖାଦ୍ୟ ଆରମ୍ଭ କରିବା ଉଚିତ ।
  • ଶିଶୁ ଅସୁସ୍ଥ ଅଛି କି ? ଅସୁସ୍ଥ ଶିଶୁକୁ ଅଳ୍ପ ଏବଂ ଅଧିକ ଥର ଖାଇବାକୁ ଦେବା ଜରୁରୀ । ସୁସ୍ଥ ହେବା ପରେ ସପ୍ତାହେ ପାଇଁ ଦିନକୁ ଥରେ ଅଧିକ ଖାଇବାକୁ ଦେବା ଦରକାର । ଛୋଟ ଶିଶୁକୁ ଅତିକମ୍ ରେ ସପ୍ତାହେ ପାଇଁ ଥରେ ଅଧିକ ସ୍ତନ୍ୟପାନ କରାଇବା ଦରକାର । ଶିଶୁଟି ବାରମ୍ବାର ସୁସ୍ଥ ରହିଲେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବା ଉଚିତ ।
  • ରୋଗ ପ୍ରତିରୋଧ ପାଇଁ ଶିଶୁଟି ଜୀବସାର କ ଥିବା ଖାଦ୍ୟ ଯଥେଷ୍ଟ ପାଉଛି କି ? ମା’କ୍ଷୀରରେ ପ୍ରଚୁର ପରିମାଣର ଜୀବସାର କ ଥାଏ । କଲିଜା , ଅଣ୍ଡା , କ୍ଷୀରଜାତ ପଦାର୍ଥ , ଲାଲ ପାମ୍ ତେଲ , ହଳଦିଆ ଓ କମଳା ଜାତୀୟ ଫଳ ଏବଂ ଅଧିକାଂଶ ସବୁଜ ପାଣିପାରିବାରେ ମଧ୍ୟ ଏହା ରହିଛି । ଅଧିକାଂଶ ବିକାଶମୁଖୀ ଦେଶରେ ଶିଶୁକୁ ଏହି ଖାଦ୍ୟ ଯଥେଷ୍ଟ ମିଳୁନଥିବାରୁ ତାଙ୍କର ବର୍ଷକୁ ଦୁଇଥର ଜୀବସାର କ ବଟିକା ଖାଇବା ଦରକାର ହୁଏ ।
  • ଶିଶୁକୁ ବୋତଲରେ ମା’କ୍ଷୀରର ବିକଳ୍ପ ହେଉଛି କି ? ଛଅମାସରୁ କମ୍ ବୟସର ଶିଶୁ ପାଇଁ କେବଳ ମା’କ୍ଷୀର ହିଁ ସବୁଠାରୁ ଭଲ ଖାଦ୍ୟ । ୬ରୁ ୨୪ ମାସ ଯାଏଁ ଅଧିକାଂଶ ପୋଷଣର ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ ସ୍ତନ୍ୟପାନ ଜାରି ରଖିବା ଉଚିତ । ଯଦି ଶିଶୁ ଅନ୍ୟ କ୍ଷୀର ଖାଉଥାଏ , ତେବେ ବୋତଲ ଅପେକ୍ଷା ଗୋଟିଏ ପରିଷ୍କାର , ଖୋଲା କପ୍ ରେ ତାହା ଖୁଆଇବା ଉଚିତ ।
  • ଖାଦ୍ୟ ଓ ପାଣି ପରିଷ୍କାର ଅଛି କି ? ପାଣି ଅପରିଷ୍କାର ଥିଲେ ଶିଶୁ ବାରମ୍ବାର ରୋଗାକ୍ରାନ୍ତ ହେବ । କଞ୍ଚା ଖାଦ୍ୟଗୁଡିକ ଧୁଆ ବା ରନ୍ଧା ହେବା ଜରୁରୀ । ରନ୍ଧାଖାଦ୍ୟକୁ ଡେରି ଯାଏଁ ନରଖି ଶୀଘ୍ର ଖାଇଦେବା ଉଚିତ । ବଳକା ଭଲକରି ପୁଣି ଗରମ କରିବା ଦରକାର ।

କୌଣସି ଗୋଟିଏ ସୁରକ୍ଷିତ ଉତ୍ସରୁ ପାଣି ନେବା ଜରୁରୀ । ନିୟମିତ ରକ୍ଷଣାବେକ୍ଷଣ ହେଉଥିବା , ନିୟନ୍ତ୍ରିତ ଓ କ୍ଳୋରିନଯୁକ୍ତ ଜଳଯୋଗାଣ ବ୍ୟବସ୍ଥାରୁ ପରିଷ୍କାର ପିଇବା ପାଣି ମିଳିପାରିବ । ନଳକୂଅ , ହାତପମ୍ପ , ସୁରକ୍ଷିତ ଝରଣା ବା କୂଅରୁ ମଧ୍ୟ ପରିଷ୍କାର ପାଣି ମିଳିପାରିବ । ପୋଖରୀ , ନାଳ , ଝରଣା , କୂଅ ବା ଟାଙ୍କିରୁ ପାଣି ଆଣିଲେ ତାକୁ ବିଶୋଧିତ କରିବା ପାଇଁ ଫୁଟାଇବା ଜରୁରୀ ।

  • ମଳକୁ ପାଇଖାନାରେ ପକା ହେଉଛି ବା ପୋତି ଦିଆଯାଉଛି କି ? ଯଦି ଏହା କାରାଯାଉ ନାହିଁ , ତେବେ ଶିଶୁଟି ବାରମ୍ବାର କୃମି ତଥା ଅନ୍ୟ ରୋଗର ଶିକାର ହେବ । ସ୍ୱାସ୍ଥ୍ୟକର୍ମୀଙ୍କଠାରେ କୃମିର ଔଷଧ ମିଳିପାରିବ ।
  • ଶିଶୁଟି ଅଧିକାଂଶ ସମୟରେ ଏକା ବା କେଉଁ ବଡ ପିଲାର ଯତ୍ନରେ ରହୁଛି କି ? ଯଦି ଏପରି ହେଉଥାଏ , ତେବେ ଶିଶୁକୁ ବଡମାନଙ୍କଠାରୁ ଅଧିକ ଯତ୍ନ ମିଳିବା ଦରକାର । ବିଶେଷ କରି ଖାଇବା ସମୟରେ ଏହା ଜରୁରୀ ।

ଛଅ ମାସ ବୟସର ହେବା ଯାଏଁ କେବଳ ମା’କ୍ଷୀର ହିଁ ଶିଶୁର ଖାଦ୍ୟ ଓ ପାନୀଯ

ଏହା ପରେ ଶିଶୁକୁ ମା’କ୍ଷୀର ସହ ଅନ୍ୟ ଖାଦ୍ୟ ଦେବା ଆବଶ୍ୟକ

ଜନ୍ମ ପରେ ପ୍ରଥମ କେତେ ମାସ ଶିଶୁ ପ୍ରତି ବିପଦର ସମ୍ଭାବନା ବେଶୀ ଥାଏ । ଏହି ସମୟରେ କେବଳ ମା’କ୍ଷୀର ହିଁ ଶିଶୁକୁ ତରଳ ଝାଡା ତଥା ଅନ୍ୟ ସାଧାରଣ ରୋଗରୁ ରକ୍ଷା କରିଥାଏ । ପ୍ରାୟ ଛଅ ମାସ ବେଳକୁ ଶିଶୁକୁ ଅନ୍ୟ ଖାଦ୍ୟ ଓ ପାନୀୟ ଦେବା ଦରକାର ପଡେ । ଏହା ସହିତ ସ୍ତନ୍ୟପାନ ଦୁଇ ବର୍ଷ ଯାଏଁ ଜାରି ରଖିବା ଉଚିତ ।

ଯଦି ଛଅ ମାସରୁ କମ୍ ବୟସର ଶିଶୁର ଓଜନ ବଢୁନାହିଁ , ତେବେ ତାକୁ ଅଧିକ ଥର ସ୍ତନ୍ୟପାନ କରାଇବା ଆବଶ୍ୟକ ।

  • ଛଅ ମାସରୁ କମ୍ ବୟସର ସ୍ତନ୍ୟପାନ କରୁଥିବା ଶିଶୁର ଅନ୍ୟ କୌଣସି ତରଳ ଖାଦ୍ୟର ଆବଶ୍ୟକତା ନାହିଁ । ଏପରି କି ପାଣି ମଧ୍ୟ ନୁହେଁ ।
  • ସ୍ତନ୍ୟପାନ କରୁଥିବା ଶିଶୁର ଓଜନ ଯଦି ବଢୁନଥାଏ ତେବେ ସେ ଅସୁସ୍ଥ ଅଛି ବା ଯଥେଷ୍ଟ ମା’କ୍ଷୀର ପାଇପାରୁନାହିଁ । ଜଣେ ସ୍ୱାସ୍ଥ୍ୟକର୍ମୀ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ ଏବଂ କିପରି ଅଧିକ ସ୍ତନ୍ୟପାନ କରାଇ ହେବ ସେ ବିଷୟରେ ମାଆକୁ ପରାମର୍ଶ ଦେଇପାରିବେ ।

ପ୍ରାୟ ଛଅ ମାସ ବୟସରୁ ଶିଶୁକୁ ମା’କ୍ଷୀର ସହ ଅନ୍ୟ ଖାଦ୍ୟ ଦେବା ଆବଶ୍ୟକ । ଏଗୁଡିକୁ ପୂରକ ଖାଦ୍ୟ କୁହାଯାଏ । ଶିଶୁର ଖାଦ୍ୟରେ ରନ୍ଧା ଓ ଚୋପାଛଡା ପାରିବା ଚକଟା , ଶସ୍ୟ , ଡାଲି ଓ ଫଳ , ଅଳ୍ପ ତେଲ ଏବଂ ଜୀବସାର ଓ ଖଣିଜ ଲବଣ ପାଇଁ ମାଛ , ଅଣ୍ଡା , କୁକୁଡା ବା କ୍ଷୀରଜାତ ପଦାର୍ଥ ରହିବା ଦରକାର । ଯେତେ ଅଧିକ ପ୍ରକାରର ଖାଦ୍ୟ ଦିଆଯିବ ସେତେ ଭଲ ।

  • ୬ ରୁ ୧୨ ମାସର ଶିଶୁ ଅନ୍ୟ ଖାଦ୍ୟ ଖାଇବା ଆଗରୁ ଯଥେଷ୍ଟ ସ୍ତନ୍ୟପାନ କରିବା ଉଚିତ ।
  • ଛଅ ମାସ ବୟସ ପରେ ଶିଶୁଟି ଅନ୍ୟ ଖାଦ୍ୟ ଖାଇବା ଏବଂ ଗୁରୁଣ୍ଡିବା ଆରମ୍ଭ କରୁଥିବାରୁ ସଂକ୍ରମଣର ସମ୍ଭାବନା ବଢିଯାଏ ସେଥିପାଇଁ ଉଭୟ ଶିଶୁର ହାତ ଓ ତା’ର ଖାଦ୍ୟକୁ ପରିଷ୍କାର ରଖିବା ଜରୁରୀ ।
  • ୧୨ ରୁ ୨୪ ମାସ ବୟସର ଶିଶୁକୁ ଖାଇସାରିବା ପରେ ବା ତା’ଇଚ୍ଛା ଅନୁସାରେ ସ୍ତନ୍ୟପାନ କରାଇବା ଉଚିତ ।

ଛଅ ମାସରୁ ଦୁଇ ବର୍ଷ ମଧ୍ୟରେ ଶିଶୁକୁ ମା’କ୍ଷୀର ଦେବା ସହ ଦିନକୁ ପାଞ୍ଚ ଥର ଖାଇବାକୁ ଦେବା ଦରକାର ।

ପ୍ରଥମ ଦୁଇ ବର୍ଷରେ ନିକୃଷ୍ଟ ଖାଦ୍ୟ ଖାଇଲେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଧୀର ହୋଇଯାଏ ଏବଂ ସାରା ଜୀବନ ପାଇଁ ସହ ଅସୁବିଧାରେ ପଡେ । ଶିଶୁର ଉତ୍ତମ ବୃଦ୍ଧି ଓ ସ୍ୱାସ୍ଥ୍ୟ ପାଇଁ ମାଂସ , ମାଛ , ଡାଲି , ଶସ୍ୟ , ଅଣ୍ଡା , ଫଳ ଏବଂ ପାରିବା ଭଳି ବିଭିନ୍ନ ପ୍ରକାର ପୋଷଣଯୁକ୍ତ ଖାଦ୍ୟ ସହ ମା’କ୍ଷୀର ଦେବା ଆବଶ୍ୟକ ।

ବୟସ୍କଙ୍କ ତୁଳନାରେ ଶିଶୁର ପାକସ୍ଥଳୀ ଛୋଟ । ଏକା ଥରେ ସେ ବହୁତ ଖାଇପାରିବ ନାହିଁ । କିନ୍ତୁ ଶକ୍ତି ଓ ଶରୀର ଗଠନ ସହାୟକ ଖାଦ୍ୟ ଶିଶୁର ବେଶୀ ଦରକାର । ତେଣୁ ଆବଶ୍ୟକତା ପୂରଣ କରିବା ପାଇଁ ଶିଶୁ ଅଧିକ ଥର ଖାଇବା ଜରୁରୀ ।

  • ସମ୍ଭବ ହେଲେ ଶିଶୁର ଖାଦ୍ୟରେ ଚକଟା ପାରିବା , ଅଳ୍ପ ଛେଚା ହୋଇଥିବା ମାଂସ , ଅଣ୍ଡା ବା ମାଛ ରହିବା ଉଚିତ । ଲାଲ ପାମ୍ ତେଲ ବା ଅନ୍ୟ ଜୀବସାରଯୁକ୍ତ ତେଲ ଅଳ୍ପ ପରିମାଣରେ ମିଶା ଯାଇପାରେ ।

ସମସ୍ତଙ୍କୁ ଗୋଟିଏ ପାତ୍ରରେ ଖାଇବାକୁ ଦିଆଗଲେ ଶିଶୁ ଯଥେଷ୍ଟ ଖାଦ୍ୟ ପାଇ ନପାରେ । ଶିଶୁ ପାଇଁ ସ୍ଵତନ୍ତ୍ର ଥଳିଆ ବା ଗିନା ରଖିବା ଉଚିତ । ଫଳରେ ସେ କେତେ ପରିମାଣର ଖାଦ୍ୟ ଖାଇଲା ବାପାମା’ ବା ଯତ୍ନକାରୀ ଜାଣିପାରିବେ ।

ଛୋଟ ପିଲାକୁ ଖାଇବା ପାଇଁ ଉତ୍ସାହିତ କରିବା ଦରକାର ଏବଂ ଖାଇବାରେ ତାକୁ ସାହାଯ୍ୟ କରିବା ଆବଶ୍ୟକ । ଅକ୍ଷମ ପିଲାକୁ ଖାଇବାପିଇବା ପାଇଁ ଅଧିକ ସାହାଯ୍ୟ ଦରକାର ହୋଇପାରେ ।

ରୋଗ ପ୍ରତିରୋଧ ଓ ଆଖିର ସୁରକ୍ଷା ପାଇଁ ଶିଶୁକୁ ଜୀବସାର କ ଦେବା ଦରକାର । ଅନେକ ଫଳ ଓ ପାରିବା , ତେଲ , ଅଣ୍ଡା , କ୍ଷୀରଜାତ ଖାଦ୍ୟ , ମା’କ୍ଷୀର ବା ବାଟିକାରୁ ଏହା ମିଳିପାରେ

ଛଅ ମାସର ହେବା ଯାଏଁ ଶିଶୁ ମା’କ୍ଷୀରରୁ ଯଥେଷ୍ଟ ପରିମାଣର ଜୀବସାର କ ରହିବା ଦରକାର । ଛଅ ମାସ ବା ତା’ଠୁ ବଡ ଶିଶୁକୁ ଜୀବସାର କ ପାଇଁ ଅନ୍ୟ ଖାଦ୍ୟ ବା ଅନୁପୂରକ ଖାଦ୍ୟ ଦରକାର । ଜୀବସାର କ ପାଇଁ ଅନ୍ୟ ଖାଦ୍ୟ ବା ଅନୁପୂରକ ଖାଦ୍ୟ ଦରକାର ।

ଜୀବସାର କ କଲିଜା , ଅଣ୍ଡା , କ୍ଷୀରଜାତ ଖାଦ୍ୟ , ମାଛତେଲ , ପାଚିଲା ଆମ୍ବ ଓ ଅମୃତଭଣ୍ଡା , ହଳଦିଆ ଶାକରକନ୍ଦା , ସବୁଜ ପନିପରିବା ତଥା ଗାଜର ଆଦିରୁ ମିଳିପାରିବ ।

ଜୀବସାର କ ଅଭାବରେ ଅନ୍ଧାରକଣା ରୋଗ ହେବାର ଭୟ ରହିଥାଏ । ସନ୍ଧ୍ୟା ଓ ରାତିରେ ଦେଖିବାରେ ଶିଶୁର ଯଦି ଅସୁବିଧା ହେଉଥାଏ , ତେବେ ତାର ଅଧିକ ପରିମାଣର ଜୀବସାର କ ଦରକାର ପଡିପାରେ । ଶିଶୁକୁ ଜୀବସାର କ ବଟିକା ଦେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନେବା ଉଚିତ ।

କେତେ ଦେଶରେ ତେଲ ଓ ଅନୁଆ ଖାଦ୍ୟରେ ଜୀବସାର କ ମିଶା ହୋଇଥାଏ । ଜୀବସାର କ ବଟିକା ବା ପାଣି ଔଷଧ ଆକାରରେ ମିଳେ । ଅନେକ ଦେଶରେ ଛଅ ମାସରୁ ପାଞ୍ଚ ବର୍ଷ ଯାଏଁ ସମସ୍ତ ଶିଶୁଙ୍କୁ ବର୍ଷକୁ ଥରେ ବା ଦୁଇଥର ଜୀବସାର କ ବଟିକା ବଣ୍ଟା ହୋଇଥାଏ ।

ତରଳ ଝାଡା ଓ ମିଳିମିଳା ରୋଗ ଶିଶୁର ଦେହରୁ ଜୀବସାର କ ପରିମାଣ କମାଇ ଦିଏ । ଜୀବସାର କ ଭରଣା କରିବା ପାଇଁ ଅଧିକ ଥର ସ୍ତନ୍ୟପାନ କରାଇବା ଦରକାର ଏବଂ ଛଅ ମାସରୁ ବଡ ଶିଶୁକୁ ଅଧିକ ଫଳ , ପାରିବା , ଅଣ୍ଡା , କଲିଜା ଓ ଦୁଗ୍ଧଜାତ ପଦାର୍ଥ ଖାଇବାକୁ ଦେବା ଦରକାର । ୧୪ ଦିନରୁ ଅଧିକ ସମୟ ଧରି ତରଳ ଝାଡା ହେଉଥିଲେ ବା ମିଳିମିଳା ହୋଇଥିଲେ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରୁ ଜୀବସାର କ ବଟିକା ଆଣି ଶିଶୁକୁ ଖାଇବାକୁ ଦେବା ଉଚିତ ।

ଶିଶୁର ଶାରୀରିକ ତଥା ମାନସିକ ଦକ୍ଷତାକୁ ଠିକ ରଖିବା ପାଇଁ ଲୁହାଯୁକ୍ତ ଖାଦ୍ୟ ଦରକାର ଲୁହା ମୁଖ୍ୟତଃକଲିଜା, ଚର୍ବିଯୁକ୍ତ ମାଂସ, ମାଛ , ଅଣ୍ଡା ଏବଂ ଲୁହାମିଶା ଖାଦ୍ୟରୁ ମିଳିଥାଏ ।

ଖାଦ୍ୟରେ ଲୁହାର ଅଭାବରୁ ରକ୍ତହୀନତା ହୁଏ । ଏହା ଶିଶୁର ଶାରୀରିକ ଓ ମାନସିକ ବିକାଶରେ ବାଧା ଆଣିପାରେ । ରକ୍ତହୀନତାର ଲକ୍ଷଣଗୁଡିକ ହେଲା ଜିଭ , ହାତପାପୁଲି ଓ ଓଠର ଭିତର ପାଖ ଶେତା ଦେଖାଯିବା , ହାଲିଆ ଲାଗିବା ଓ ଅଣନିଶ୍ଵାସୀ ଲାଗିବା । ରକ୍ତହୀନତା ହେଉଛି ପୃଥିବୀର ଖାଦ୍ୟ ଅଭାବଜନିତ ସବୁଠାରୁ ସାଧାରଣ ରୋଗ ।

  • ସାମାନ୍ୟ ରକ୍ତହୀନତା ମଧ୍ୟ ଶିଶୁ ଓ ଛୋଟ ପିଲାଙ୍କ ବୌଦ୍ଧିକ ବିକାଶରେ ବାଧା ସୃଷ୍ଟି କରିପାରେ ।
  • ଦୁଇ ବର୍ଷରୁ କମ ବୟସର ଛୋଟ ଶିଶୁଙ୍କ ରକ୍ତହୀନତା ହେଲେ ତାଙ୍କ ଦେହର ସନ୍ତୁଳନ ବିଗିଡିଯାଏ । ଫଳରେ ଶିଶୁଟି ଲାଜକୁଳା ଓ ଭୟାଳୁ ହୋଇଯାଏ । ଶିଶୁର ଭାବ ଆଦାନପ୍ରଦାନ କରିବାରେ ଦକ୍ଷତା କମିଯାଏ ଏବଂ ବୌଦ୍ଧିକ ବିକାଶରେ ବାଧା ଆଣିପାରେ । ଗର୍ଭବତୀ ଥିବା ସମୟରେ ରକ୍ତହୀନତା ଦେଖାଦେଲେ ରକ୍ତସ୍ରାବକୁ ଗୁରୁତର କରିଥାଏ ଏବଂ ପ୍ରସବ ସମୟରେ ସଂକ୍ରମଣ ହେବାର ଭୟ ରହେ । ତେଣୁ ରକ୍ତହୀନତା ମାତୃମୃତ୍ୟୁର ଗୋଟିଏ ମୁଖ୍ୟ କାରଣ ହୁଏ । ରକ୍ତହୀନତା ଥିବା ମା’ର ଶିଶୁ ସାଧାରଣତଃ କମ୍ ଓଜନର ହେବା ସହ ରକ୍ତହୀନତା ଭୋଗିଥାଏ । ଗର୍ଭବତୀ ମହିଳାଙ୍କୁ ଅଧିକା ଲୁହା ବଟିକା ଦେଲେ ଉଭୟ ମହିଳା ଓ ଶିଶୁ ଲାଭ ପାଇଥା’ନ୍ତି ।

କଲିଜା , ଚର୍ବିଯୁକ୍ତ ମାଂସ , ଅଣ୍ଡା ଓ ଡାଲି ଜାତୀୟ ଖାଦ୍ୟରେ ଯଥେଷ୍ଟ ପରିମାଣର ଲୁହା ଥାଏ । ଲୁହାମିଶା ଖାଦ୍ୟ ମଧ୍ୟ ରକ୍ତହୀନତାରୁ ରକ୍ଷା କରିଥାଏ ।

ମେଲେରିଆ ଓ କୃମି ରୋଗ ରକ୍ତହୀନତା କରିପାରନ୍ତି ବା ତାକୁ ବଢେଇ ଦିଅନ୍ତି ।

  • ଗ୍ରହଣୀୟ କୀଟନାଶକରେ ବୁଡା ଯାଇଥିବା ମଶାରୀ ଟାଣି ଶୋଇବା ଦ୍ଵାରା ମେଲେରିଆକୁ ରୋକାଯାଇ ପାରିବ ।
  • କୃମି ସଂକ୍ରମଣ ଅଧିକ ଥିବା ଅଞ୍ଚଳର ଶିଶୁମାନେ ଉପଯୁକ୍ତ କୃମିରୋଧୀ ଔଷଧ ବର୍ଷକୁ ଦୁଇ ତିନି ଥର ଖାଇବା ଉଚିତ । ଉତ୍ତମ ପରିମଳ ଅଭ୍ୟାସ କୃମି ରୋକିଥାଏ । କୃମି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପିଲାମାନେ ପାଇଖାନା ଆଖପାଖରେ ଖେଳିବା ଉଚିତ ନୁହେଁ , ଭଲ ଭାବରେ ଗୋଡାହାତ ଧୋଇବା ଏବଂ ଜୋତା ପିନ୍ଧିବା ଉଚିତ ।

ଶିଶୁର ଶିଖିବାର ଅକ୍ଷମତା ଓ ଧୀର ବିକାଶକୁ ରୋକିବା ପାଇଁ ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ଦରକାର

ଶିଶୁର ବୃଦ୍ଧି ଓ ବିକାଶ ପାଇଁ ଅଳ୍ପ ପରିମାଣର ଆୟୋଡିନ ଆବଶ୍ୟକ । ଗର୍ଭବତୀ ଥିବାବେଳେ ମା’ର ଆୟୋଡିନ ଅଭାବ ହୋଇଥିଲେ ଜନ୍ମ ବେଲାରୁ ଶିଶୁର ମାନସିକ ଦକ୍ଷତା କିମ୍ବା ଶୁଣିବା ବା କଥା କହିବାର କ୍ଷମତା କମ ରହିପାରେ । ଜନ୍ମ ପରେ ଯଦି ସେ ଯଥେଷ୍ଟ ପରିମାଣର ଆୟୋଡିନ ନପାଏ ତେବେ ତା’ର ଶାରୀରିକ ବା ମାନସିକ ବିକାଶ ଧୀର ହୋଇପାରେ ।

ଖାଦ୍ୟରେ ଆୟୋଡିନର ଅଭାବ ହେଲେ ଗଲା ଫୁଲିଥାଏ । ଏହା ଗଳଗଣ୍ଡ ରୋଗର ସଙ୍କେତ । ଗଳଗଣ୍ଡରେ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କର ଗର୍ଭନଷ୍ଟ ହୋଇପାରେ କିମ୍ବା ମୃତଶିଶୁ ବା ମସ୍ତିସ୍କ ବିକୃତି ଥିବା ଶିଶୁ ପ୍ରସବର ସମ୍ଭାବନା ବେଶୀ ଥାଏ ।

ଗର୍ଭବତୀ ମହିଳା ଓ ଶିଶୁଙ୍କର ଆୟୋଡିନ ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କ ଖାଦ୍ୟରେ ସାଧାରଣ ଲୁଣ ବଦଳରେ ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ଭଲ । ଯଦି ଆୟୋଡିନଯୁକ୍ତ ଲୁଣ ନମିଳେ , ତେବେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆୟୋଡିନ ଅନୁପୂରକ ଆଣିବା ଆଉଚିତ ।

ରୋଗାକ୍ରାନ୍ତ ଥିବା ସମୟରେ ଶିଶୁଟି ନିୟମିତ ଖାଇବା ଜାରି ରଖିବା ଜରୁରୀ । ରୋଗରୁ ଭଲ ହେବା ପରେ ଏକ ସପ୍ତାହପାଇଁ ଦିନକୁ ସେ ଥରେ ଲେଖାଏଁ ଅଧିକ ଖାଇବା ଉଚିତ ।

ଅସୁସ୍ଥ ଥିବା ବେଳେ , ବିଶେଷ କରି ତରଳ ଝାଡା ଓ ମିଳିମିଳା ରୋଗ ହେଉଥିଲେ , ଶିଶୁର ଭୋକ କମିଯାଇଥାଏ । ସେ ଖାଉଥିବା ଖାଦ୍ୟକୁ ଶରୀର ମଧ୍ୟ ଠିକ ଗ୍ରହଣ କରିପାରେ ନାହିଁ । ଯଦି ଏ ପ୍ରକାର ଅସୁବିଧା ବର୍ଷକ ଭିତରେ ବାରମ୍ବାର ହୁଏ , ତେବେ ଶିଶୁର ବୃଦ୍ଧି ଧୀର ହୁଏ ବା ବନ୍ଦ ହୋଇଯାଏ ।

ଅସୁସ୍ଥ ଶିଶୁକୁ ଖାଇବା ପାଇଁ ଉତ୍ସାହିତ କରିବା ଜରୁରୀ । ଏହା ଅବଶ୍ୟ ବେଶ୍ କଷ୍ଟକର । କାରଣ ଶିଶୁକୁ ମୋତେ ଭୋକ ନାଲାଗୁ ଥାଇପାରେ । କିନ୍ତୁ ପିଲାକୁ ଅଳ୍ପ ଅଳ୍ପ ଖାଦ୍ଯ ବାରମ୍ବାର ବା ଯେତେବେଳେ ସୁବିଧା ଦେବାକୁ ପଡିବ । ଅତିରିକ୍ତ ସ୍ତନ୍ୟପାନ ସବୁଠାରୁ ବେଶୀ ଜରୁରୀ ।

ଅସୁସ୍ଥ ଶିଶୁକୁ ବେଶ୍ ଅଧିକ ପିଇବା ଉତ୍ସାହିତ କରିବା ଆବଶ୍ୟକ । ତରଳ ଝାଡା ହେଉଥିବା ଶିଶୁ ପାଇଁ ଜଳଶୂନ୍ୟତା ଗୋଟିଏ ଜଟିଳ ସମସ୍ୟା । ଯଥେଷ୍ଟ ପରିମାଣର ତରଳ ପାନୀୟ ପିଇବା ଦ୍ଵାରା ଜଳଶୂନ୍ୟତା ରୋକାଯାଇ ପାରିବ ।

ଯଦି କିଛିଦିନ ଧରି ଶିଶୁ ଅସୁସ୍ଥ ରହେ ଏବଂ ତାକୁ ଭୋକ ନଲାଗେ , ତେବେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଇବା ଜରୁରୀ । ଅସୁସ୍ଥ ହେବାର ପୂର୍ବ ଓଜନ ଫେରି ନଆସିବା ଯାଏଁ ଶିଶୁ ପୂରାପୂରି ରୋଗମୁକ୍ତ ହୋଇନାହିଁ ବୋଲି ଧରିବାକୁ ହେବ ।

ଆଧାର :Unicef

2.90243902439
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top