অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜେନେରିକ୍ ଔଷଧ

ଜେନେରିକ୍ ଔଷଧ ପ୍ରସ୍ତୁତି

ସମ୍ପ୍ରତି ଅନେକ ରୋଗୀ ଦୋକାନରେ ଜେନେରିକ୍ ଔଷଧ ମିଳୁ ନଥିବା ଦର୍ଶାଇଛନ୍ତି । ଆଉ ଯେଉଁଠି ବି ମିଳୁଛି, ଦୋକାନୀ ବିରକ୍ତିର ସହିତ ଏହା ଦେଉଛନ୍ତି । କାରଣ ନାମୀ କମ୍ପାନୀ ତୁଳନାରେ ଏହାର ଦର କମ୍ । କୌଣସି ରୋଗର ଚିକିତ୍ସା ପାଇଁ ଗବେଷଣା ପରେ ସଲଟ ବା ରାସାୟନିକ ପ୍ରସ୍ତୁତ କରାଯାଇ ଏହାକୁ ଔଷଧ ରୂପ ଦିଆଯାଏ । ଏହି ରାସାୟନିକ ପ୍ରସ୍ତୁତିର ଅଧିକାର  ଗବେଷକ କମ୍ପାନୀ ପାଖରେ କିଛି ବର୍ଷ ପାଇଁ ଥାଏ । ଦେଶରେ ଏହାର ଅବଧି କୋଡିଏ ବର୍ଷ । ପୃଥିବୀ  ବିଭିନ୍ନ ସ୍ୱାସ୍ଥ୍ୟ ଅଭିବୃଦ୍ଧି ରାଷ୍ଟ୍ରରେ ଏହା ଦଶରୁ ତିରିଶ ବର୍ଷ ପର୍ଯ୍ୟନ୍ତ ରହିଛି । ଏହି ଅବଧି ଭିତରେ ଗବେଷକ କମ୍ପାନୀ ବା ଅଧିକାର  କିଣିଥିବା କମ୍ପାନୀ ଉକ୍ତ ରାସାୟନିକରୁ ପ୍ରସ୍ତୁତ ଔଷଧ ବିକ୍ରି କରିପାରିବେ । କିନ୍ତୁ କୋଡିଏ ବର୍ଷ ପରେ ଏହି ରାସାୟନିକ ପ୍ୟାଟେଣ୍ଟ ମୁକ୍ତ ହୋଇଯିବାରୁ ଏହାକୁ ଜେନେରିକ୍ କୁହାଯାଏ । ପରବର୍ତ୍ତୀ ସମୟରେ ସରକାରୀ ଅନୁମୋଦିତ ଭାବରେ କମ୍ପାନୀ ମାନେ ଏହାକୁ ଅଲଗା ବ୍ରାଣ୍ଡର ଔଷଧ ଭାବେ ବିକ୍ରି କରିଥାନ୍ତି । ଏହି ଔଷଧ ପେଟେଣ୍ଟ ମୁକ୍ତ ହେବା ପରେ ମଧ୍ୟ କେତେକ କମ୍ପାନୀ ଏହାକୁ ଚଢ଼ା ଦରରେ ଛାଡ଼ନ୍ତି । କିନ୍ତୁ ଜେନେରିକ୍ ପ୍ରସ୍ତୁତ କରୁଥିବା କମ୍ପାନୀ ଏହାକୁ କମ୍ ଦରରେ ବଜାର ପଠାନ୍ତି । ତେଣୁ ଏହି ଜେନେରିକ୍ ଔଷଧକୁ ମହଙ୍ଗା ଏବଂ ବ୍ରାଣ୍ଡେଡ ଔଷଧର ବିକଳ୍ପ  ଭାବେ ନିଆଯାଏ ।

ସମାନ ରାସାୟନିକ ଉପାଦାନ ଥିବା  ସତ୍ତ୍ୱେ ଏହି ଜେନେରିକ ଔଷଧ ବ୍ରାଣ୍ଡେଡ ଠାରୁ କିପରି ଶସ୍ତାରେ ମିଳେ । ଏହାର କାରଣ ହେଉଛି ଜେନେରିକ ଔଷଧ ଦର ସ୍ଥିର କରିବାର ଭୂମିକା ସରକାରଙ୍କ ହାତରେ ରହିଥାଏ । କିନ୍ତୁ ନାମୀଦାମୀ କମ୍ପାନୀର ଔଷଧର ଦର ନିୟନ୍ତ୍ରଣ କମ୍ପାନୀ ହାତରେ ଥାଏ । ସେହିପରି ଜେନେରିକ ଔଷଧର ପ୍ରଚାର ପ୍ରସାର ପାଇଁ କମ୍ପାନୀ ଗୁଡ଼ିକ ଆଗଭର ହୋଇ ନଥାନ୍ତି । କିନ୍ତୁ ବ୍ରାଣ୍ଡେଡ ଔଷଧ ପାଇଁ ପ୍ରଚୁର ବିଜ୍ଞାପନ ଓ ଆନୁଷଙ୍ଗିକ ଖର୍ଚ୍ଚ ହୋଇଥାଏ । ପ୍ରମାଣ ସ୍ଵରୂପ, ରକ୍ତ କର୍କଟ ନିମନ୍ତେ ଗ୍ଲବେଭେକ୍ ବ୍ରାଣ୍ଡର ଔଷଧ ନିମିତ୍ତ ମାସକୁ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ଵ ଖର୍ଚ୍ଚ ହେଉଥିବାବେଳେ ଏହାର ଜେନେରିକ ବ୍ରାଣ୍ଡ୍ ବଜାରରେ ଏଗାର ହଜାର ଭିତରେ ମିଳିଥାଏ । ସେହିପରି ପେଟ ପାଇଁ ଦରକାର ହେଉଥିବା ପାଣ୍ଡୋପ୍ରୋଜୋଲର ଦଶଟି ବଟିକାର ଦର ବଜାରରେ ବେଳେବେଳେ ଶହେ ଟଙ୍କା ପଡ଼ୁଥିବାବେଳେ ଏହାର ଜେନେରିକ ମୂଲ୍ୟ ହେଉଛି ଦଶ ଟଙ୍କା । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ, ଡାକ୍ତରମାନେ ବିନା ଦ୍ଵିଧାରେ ରୋଗୀପାଇଁ ସମ୍ପୂର୍ଣ୍ଣ ରୂପେ ଜେନେରିକ ଔଷଧ ଲେଖିଲେ ଚିକିତ୍ସା ପାଇଁ ରୋଗୀର ସମସ୍ତ ଖର୍ଚ୍ଚ ପାଖାପାଖି ସତୁରୀ ପ୍ରତିଶତ କମିଯାଏ । ଲୋକଙ୍କ ପାଖରେ ଠିକ୍ କମ୍ପୋଜିସନ। ଓ ସଠିକ ମାତ୍ରାର ଜେନେରିକ ଔଷଧ ପାଇଁ ସରକାର ଡାକ୍ତରଖାନା ପରିସରରେ ଜେନେରିକ୍ ମେଡ଼ିସିନ ଷ୍ଟୋର  ବା ଜନ ଔଷଧ କେନ୍ଦ୍ର ଖୋଲିଛନ୍ତି।

ସରକାରୀ ବେବସ୍ଥା

ଭାରତରେ ସଂପ୍ରତି ୮୫୦ଟି ଜନ ଔଷଧ କେନ୍ଦ୍ର ରହିଛି । ଉତ୍ତରପ୍ରଦେଶରେ ଏହା ୧.୬୨ ଓ ଦିଲ୍ଲୀରେ ୧୬ଟି । ଅନେକ ବଡ଼୍ କମ୍ପାନୀ ଉଭୟ ବ୍ରାଣ୍ଡେଡ ଓ ଜେନେରିକ ଔଷଧ ତିଆରି କରିଥାନ୍ତି । ନିକଟରେ କେନ୍ଦ୍ରୀୟ ଔଷଧ ନିୟନ୍ତ୍ରଣ ସଂସ୍ଥା ଦ୍ଵାରା କରାଯାଇଥିବା ମାନ ପରୀକ୍ଷଣରେ ୬୦ ପ୍ରତିଶତ ଔଷଧ ଫେଲ ମାରିଛି । ଯାହା ଭିତରେ ରହିଛି ଯନ୍ତ୍ରଣାନିବାରକ କମ୍ବିଫ୍ଲେମ୍, ଆଣ୍ଟିକୋଲ୍ଡ ମେଡ଼ିସିନ, ଡିକୋଲ୍ଡ ଟୋଟାଲ, ଆଣ୍ଟି ଆଲର୍ଜିକ, ସେଟିରିଜିନ ଓ ଆଣ୍ଟି ବାୟୋଟିକ

ସିଫ୍ରୋପ୍ଲାକ୍ସାସିନ ଏବଂ ଅଫ୍ଲକ୍ସାସିନ ଆଦି । ଯେତେବେଳେ ନାମୀ ବ୍ରାଣ୍ଡର ଔଷଧର ମାତ୍ରାର ସଠିକତା ରହିପାରୁନି ସେତେବେଳେ ଜେନେରିକ ଔଷଧ ତିଆରି କରୁଥିବା ଛୋଟ କମ୍ପାନୀ ଉପରେ ସନ୍ଦେହ ରହିବା ଶତ ପ୍ରବୃତ୍ତ କଥା । ତେବେ ଏ କ୍ଷେତ୍ରରେ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ମତ ଅଲଗା । ଭାରତର ଔଷଧ ବଜାରର ସ୍ଥିତି ସାଙ୍ଗକୁ ଲୋକଙ୍କ ଆର୍ଥିକ କ୍ଷେତ୍ର ଯାହା ଏହାକୁ ଦୃଷ୍ଟିରେ ରଖି କମ ମୂଲ୍ୟ ବିଶିଷ୍ଟ ଔଷଧ ପ୍ରସ୍ତୁତି ହେବା ସହ ଦୋକାନ ମଧ୍ୟ ବଢ଼ିବା କଥା । ସଂସ୍ଥାର କହିବାନୁଯାୟୀ, ସରକାର ଔଷଧ ନିୟନ୍ତକଙ୍କ ସଂଖ୍ୟା ବଢ଼ାଇ ବଜାରରେ ଔଷଧର ନିୟମିତ ଯାଞ୍ଚ କରିବା ଜରୁରୀ । ବର୍ତ୍ତମାନ  ଭାରତରେ ୧୮୦୦ ଔଷଧ ନିୟନ୍ତ୍ରକ ଅଛନ୍ତି ; କିନ୍ତୁ ଦରକାର ହେଉଛନ୍ତି ଅନ୍ୟୁନ ୩୦୦୦ । ସରକାରୀ କ୍ଷେତ୍ରରେ ମଧ୍ୟ ସ୍ଵୀକାରୋକ୍ତି ଜଣାଯାଇଛି ଯେ ଦେଶରେ ମାତ୍ର ୦.୦୧ ପ୍ରତିଶତ ଔଷଧର ମାନ ପରୀକ୍ଷା ହୋଇଥାଏ । ତେବେ ପୁରୁଣାକାଳିଆ ବ୍ୟବସ୍ଥାକୁ ଛାଡ଼ି ଡ୍ରଗ୍ସ ବିଭାଗକୁ କେମିକାଲ ଓ ପେଟ୍ରୋଲିୟମ ମନ୍ତ୍ରାଳୟ ବଦଳରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନକୁ ଆଣିବା କଥା । ସେହିପରି ରାଜ୍ୟରେ ଔଷଧର ଗୁଣାତ୍ମକ  ମାନ ପରୀକ୍ଷା ପାଇଁ ପରୀକ୍ଷାଗାର ଜରୁରୀ । ସେହିପରି ଜୀବନରକ୍ଷାକାରୀ ଗୁରୁତ୍ଵପୂର୍ଣ୍ଣ ଔଷଧ ଗୁଡ଼ିକର ମୂଲ୍ୟ ନ ବଢ଼ିବା ପାଇଁ ସରକାରୀ କ୍ଷେତ୍ରରେ ନୀତି ନିର୍ବାରଣ ରହିବା ଜରୁରୀ ।

ଅଧିକାଂଶ ହୁଏତ ଜାଣିନଥିବେ ଭାରତରେ ସର୍ବାଧିକ  ଜେନେରିକ ଔଷଧ ପ୍ରସ୍ତୁତ ହୋଇଥାଏ । ଅନେକ ଆଫ୍ରିକୀୟ ରାଷ୍ଟ୍ରକୁ ଏହା ନିୟମିତ ପଠା ଯାଉଛି । ପାଖାପାଖି ପ୍ରତିବର୍ଷ ୪୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଔଷଧ ଭାରତ ବିଦେଶରେ ଥିବା ଅନ୍ୟ ରାଷ୍ଟ୍ରକୁ ପଠାଇଛି । ବ୍ରିଟେନ, ଜାପାନ ଇଟାଲୀ ପରି ଦେଶରେ ସରକାରୀ ପଞ୍ଜୀକରଣ ପୃସ୍ତିକାରେ ଡାକ୍ତରମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ଦେଖି ସମସ୍ତ ତଥ୍ୟ ଲେଖନ୍ତି; ଯେଉଁଥିରେ ଡାକ୍ତରଙ୍କ ରେଜିଷ୍ଟ୍ରେସନ ନଂ ସହିତ ଯୋଗାଯୋଗ ନଂ ମଧ୍ୟ ଥାଏ । ଭାରତର ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ପରି ରାଜ୍ୟର ସରକାରୀ ବ୍ୟବସ୍ଥାରେ ଜେନେରିକ ଔଷଧ ଲୋକପ୍ରିୟ ହୋଇଛି । ବର୍ତ୍ତମାନର ସ୍ଵାସ୍ଥ୍ୟନୀତି ଅନୁସାରେ ସଂପ୍ରତି ପ୍ରାୟ ୭୦୦ ସାଧାରଣ ଔଷଧ ଅର୍ଥାତ ଅତ୍ୟଧିକ ଆବଶ୍ୟକ ହେଉଥିବା ଔଷଧର ଦରକୁ କମାଇ ଦିଆଯାଇଛି । ବଜାରରେ ନାମୀ ଦାମୀ ଓ ଜେନେରିକ ଔଷଧ ଚିହ୍ନିବାର ପ୍ରଥମ ଫରକ । ହେଉଛି ମୂଲ୍ୟର ବ୍ୟବଧାନ । କାରଣ ଜେନେରିକ ଔଷଧର ମୂଲ୍ୟ ବହୁତ କମ ।

ସଂଗୃହିତ : ଡାକ୍ତର ଉମେଶଚନ୍ଦ୍ର ପାତ୍ର ଏସ୍‌ସିବି ମେଡ଼ିକାଲ କଲେଜ, କଟକ

Last Modified : 1/7/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate