অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପୋଷା ପ୍ରାଣୀଙ୍କ ଯତ୍ନ

ଉପକ୍ରମ

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ନିଜର ଜୀବନ ଓ ଜୀବିକା ସହ ସମଗ୍ର ଜୀବ ଜଗତ ଓ ଓତପ୍ରୋତ ଭାବେ ଜଡିତ । ଆମକୁ ସାହାଯ୍ୟ କରିବା ସହିତ ପରିବେଶର ସନ୍ତୁଳନ ରକ୍ଷା କରିବା ଦିଗରେ ବିଭିନ୍ନ ପ୍ରାଣୀଙ୍କ ଅବଦାନ ମଧ୍ୟ ବେଶ୍ ଗୁରୁତ୍ଵପୂର୍ଣ୍ଣ । ନିଜର ଗୃହପାଳିତ ପ୍ରାଣୀ ଗାଈ – ବଳଦ, ଛେଳିମେଣ୍ଢା, କୁକୁଡା, ଘୁଷୁରି ଆଦି ଆମକୁ ଯେପରି ବିଭିନ୍ନ ପ୍ରାଣୀଜ ପୁଷ୍ଟିସାର ଦୁଗ୍ଧ, ମାଂସ ଓ ଅଣ୍ଡା ଯୋଗାଇ ଦେବା ସହିତ ସେମାନଙ୍କଠାରୁ ପରିତ୍ୟକ୍ତ ମାଲା ଭୂମିର ବା ଜମିର ଶ୍ରେଷ୍ଠ ଉର୍ବରକ ଖାଦ୍ଯ ଭାବେ ବ୍ୟବହାର ହୋଇଥାଏ । ସେହିଭଳି ବିଭିନ୍ନ ପୋଷା ପ୍ରାଣୀ କୁକୁର, ବିଲେଇ, ରଙ୍ଗବେରଙ୍ଗର ପକ୍ଷୀ ମଧ୍ୟ ସମଗ୍ର ମାନବ ସମାଜରେ ବିଶ୍ଵସ୍ତ ପ୍ରାଣୀ ଭାବେ ବିଶେଷ ଆଦୃତ ଲାଭ କରିପାରିଛନ୍ତି । ଆଜିକାଲି ଭାରାକ୍ରାନ୍ତ ମନୁଷ୍ୟ ସମାଜରେ ପରସ୍ପର ମଧ୍ୟରେ ତ୍ୟାଗ ଓ ପ୍ରେମର ଭାବ ଧୀରେ ଧୀରେ କମିଯିବା ସଙ୍ଗେ ସଙ୍ଗେ ବିଷଯୁକ୍ତ ଖାଦ୍ୟ ଖାଇବା ଯୋଗୁ ଆଜି ମାନସିକ ସ୍ତରରେ ବିକାର ଭାବ ଅନୁଭବ ସହିତ ବିଭିନ୍ନ ବ୍ୟାଧି ଯଥା – ହୃଦରୋଗ, ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଯକୃତ ଓ କିଡନୀ ରୋଗ, କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି ।

ମନୁଷ୍ୟର ଚିର ସହଚର ସାଥି

ଅବସର ସମୟ, ବୃଦ୍ଧାବସ୍ଥାଓ ରୋଗଗ୍ରସ୍ତ ଅବସ୍ଥାରେ ବିଭିନ୍ନ ପୋଷ୍ୟ ପ୍ରାଣୀ କୁକୁର, ବିଲେଇ, ଶୁଆଶାରୀ ଆଦି ମନୁଷ୍ୟର ସହଚର ପ୍ରାଣୀ ଭାବେ ଆମକୁ ମାନସିକ ଶାନ୍ତି ପ୍ରଦାନ କରିବା ସହିତ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଦୟା, ଭଲ ପାଇବା ଆଦି ସୃଷ୍ଟି କରିବା ଦିଗରେ ଯଥେଷ୍ଟ ସହାୟକ ହୋଇଥାନ୍ତି । ଭଲ ପାଇବା ପାଇଁ କେବଳ ଯେ ମଣିଷଟିଏ ଦରକାର, ତାହା ନୁହେଁ । କିଏ ଭଗବାନଙ୍କୁ ଭଲ ପାଏ ତ କିଏ ଜୀବଜନ୍ତୁକୁ । ଏହି ଭଲ ପାଇବା ହିଁ ମଣିଷକୁ ଶିଖାଏ ତ୍ୟାଗ କରିବାର ସ୍ଵଭାବ । ମନୁଷ୍ୟର ଚିର ସହଚର ସ୍ଵଭାବ । ମନୁଷ୍ୟର ଚିର ସହଚର ସାଥି ଭାବେ କୁକୁର ଆମକୁ ସୁରକ୍ଷା ପ୍ରଦାନ, ଆମୋଦ ପ୍ରମୋଦ, ଖେଳ କସରତ ଆଦିରେ ମଧ୍ୟ ସାହାଯ୍ୟ କରିଥାଏ । ଆଜିକାଲି ପ୍ରାୟ ପ୍ରତ୍ୟକ ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ମଧ୍ୟ ପୋଷା କୁକୁର ବିଲେଇଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଗରୁ ଏହି ପୋଷା କୁକୁର ପାଳନ କେବଳ ଉଚ୍ଚ ଆୟ ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ମଧ୍ୟବିତ୍ତ ପରିବାର ମଧ୍ୟ କୁକୁର, ବିଲେଇ ଓ ଅନ୍ୟାନ୍ୟ ପୋଷା ପ୍ରାଣୀ ପାଳନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ଯୁବପିଢି ମଧ୍ୟ ପୋଷା କୁକୁର ପାଳନ କେବଳ ଯେ ବ୍ୟବସାୟିକ ଭିତ୍ତିରେ ଆପଣେଇଛନ୍ତି ତାହା ନୁହେଁ, ଏହା ଏକ ସୌଖୀନ ଓ ଆଭିଜାତ୍ୟର ପ୍ରତୀକ ଭାବେ ଗ୍ରହଣ କରିନେଇଛନ୍ତି । ସେଥିପାଇଁ ସେମାନଙ୍କ ଚିକିତ୍ସା ଓ ଲାଳନ ପାଳନ ବାବଦରେ ମଧ୍ୟ ଯଥେଷ୍ଟ ପଇସା ବିନିଯୋଗ କରୁଛନ୍ତି । ବିଲେଇ ମଧ୍ୟ ପରିବାରର ଅନ୍ୟତମ ସଦସ୍ୟ ପାଲଟିଛି । ଗାଁ ଗଣ୍ଡାରେ ପରିବାରରେ ଲୋକଙ୍କ ମେଳରେ ରହିବାକୁ ପସନ୍ଦ କରୁଥିବା ବିଲେଇ ପାଲଟିଛି ଏକ ଅନ୍ୟତମ ଫେଶନ ସାମଗ୍ରୀ । ତେବେ କେବଳ ଗାଁ ବିଲେଇ ନୁହେଁ, ଫେଶନ ପାଇଁ ଦରକାର ପାର୍ସିଆନ ବିଲେଇ ଭଳି ବିଦେଶୀ ବିଲେଇ । ବିଦେଶୀ ଜୀବନଜନ୍ତୁ ଗୁଡିକର ଦାମ୍ ଅଧିକ ହୋଇଥିଲେ ମଧ୍ୟ ଏଗୁଡିକ ପୋଷା ମଣେଇବା ଓ ଚିକିତ୍ସା କରିବା ସହଜସାଧ୍ୟ ।

ପୋଷା କୁକୁରଙ୍କ ସୁରକ୍ଷା ନିମନ୍ତେ

ସାଧାରଣତଃ ପୋଷା କୁକୁର ଓ ବିରାଡିମାନେ ଅଧିକ ଉତ୍ତାପ ଏବଂ ଆର୍ଦ୍ରତାକୁ ସହ୍ୟ କରି ପାରନ୍ତି ନାହିଁ । ସେଥିପାଇଁ ସେମାନଙ୍କଠାରେ ବିଭିନ୍ନ ଶାରୀରିକ ପ୍ରତିକ୍ରିୟା ସୃଷ୍ଟି ହେବା ସହିତ ଖାଦ୍ୟ ଖାଇବା ଲାଗି ଇଚ୍ଛାଶକ୍ତି କମି ଯାଇଥାଏ । ତେଣୁ ନିମ୍ନଲିଖିତ କେତୋଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କଲେ, ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍ ରହିବା ସହିତ ସେମାନେ ଆରାମରେ ରହିପାରିବେ ।

  • ଉତ୍ତପ୍ତ ଚଟାଣ ଉପରେ ବେଶି ସମୟ କୁକୁର ବା ବିରାଡିକୁ ବାନ୍ଧି ରଖନ୍ତୁ ନାହିଁ । କାରଣ ସେମାନଙ୍କ ସୂକ୍ଷ୍ମପାଦ ପୋଡିଯିବା ସହିତ ଶାରୀରିକ ଉତ୍ତାପ ମଧ୍ୟ ବୃଦ୍ଧି ଯୋଗୁ ଅଂଶୁଘାତରେ ପୀଡିତ ହେବାର ଆଶଙ୍କା ଥାଏ ।
  • ଗାଡି ବା କାର୍ ପାର୍କିଂ କରିବା ସମୟରେ କୁକୁରକୁ ଗାଡି ମଧ୍ୟରେ କାଚ ଖୋଲା ଥିଲେ ମଧ୍ୟ ଆପଣଙ୍କ ଅଗୋଚରରେ ବେଶି ସମୟ ଛାଡିଯିବା ଉଚିତ ନୁହେଁ । କାରଣ ଏ ସମୟରେ ମାତ୍ରାଧିକ ଉତ୍ତାପ ଖୁବ୍ ଶୀଘ୍ର ବୃଦ୍ଧି ପାଇବା ଯୋଗୁ ପ୍ରାଣୀ ମୃତ୍ୟୁମୁଖରେ ପଡିବାର ଆଶଙ୍କା ଥାଏ ।
    ଆମ ଭଳି ପୋଷା କୁକୁରକୁ ଥଣ୍ଡା ସମୟରେ ବା ପ୍ରାପ୍ତ ସକାଳେ ଓ ସନ୍ଧ୍ୟାବେଳେ ବ୍ୟାୟାମ କରାଇବା ଆବଶ୍ୟକ । ଉତ୍ତାପ ଓ ଆର୍ଦ୍ରତା ବୃଦ୍ଧି ସମୟରେ ଖାଇବା ପୂର୍ବରୁ ଓ ପରେ ବ୍ୟାୟାମ କରାଇବା ଅନୁଚିତ ।
  • ସମୁଦ୍ର କୂଳରେ ନୁଲାଇବା ସମୟରେ କୁକୁରଙ୍କୁ ପାଣିରେ ପହଁରାଇବା ପରେ ଛାଇ ଓ ଥଣ୍ଡା ସ୍ଥାନରେ ରଖି ଯଥେଷ୍ଟ ପରିଷ୍କାର ପାଣି ପିଇବାକୁ ଦେବା ଆବଶ୍ୟକ ।
  • ଯେତେବେଳେ ପୋଶ କୁକୁରକୁ ସାଥିରେ ନେଇ ବାହାରକୁ ଯାଉଛନ୍ତି, ସେତେବେଳେ ପରିଷ୍କାର ଥଣ୍ଡା ପିଇବା ପାଣି ପିଇବାକୁ ଦିଅନ୍ତୁ । ସେଥିପାଇଁ ସାଥିରେ ଥର୍ମୋକୁଲ ମଧ୍ୟ ନେଇ ପାରିବେ ।
  • ପୋଷା କୁକୁର ବା ବିରାଡି ପାଳିଥିବା ଘରର ଝରକା କବାଟ ଖୋଲା ରଖନ୍ତୁ । ଯଦ୍ଦ୍ଵାରା ମଳୟ ପବନ ଯାତାୟାତ କରିବା ଦ୍ଵାରା ସେମାନେ ସୁସ୍ଥ ଓ ଆରାମ ଅନୁଭବ କରିବେ ।
  • ଲମ୍ବା ଓ ଘନ ବାଳ ଥିବା କୁକୁରଙ୍କ ଲୋମ ସବୁ ଚର୍ମଠାରୁ ୧ ଇଞ୍ଚ ଦୂରତା ରଖି କାଟି ଦିଅନ୍ତୁ । ଯାହାଫଳରେ ସେମାନଙ୍କ ଶାରୀରିକ ଉତ୍ତାପ ବୃଦ୍ଧି ହ୍ରାସ ପାଇ ପାରିବ ଏବଂ ଲୋମରେ ବୃଦ୍ଧି ହ୍ରାସ ପାଇ ପାରିବ ଏବଂ ଲୋମରେ ଟିଙ୍କ ଓ ଇଙ୍କୁଣି ଅଛନ୍ତି କି ନାହିଁ ତାହା ଆପଣଙ୍କ ନଜରରେ ଆସିବ । ଚର୍ମ ପର୍ଯ୍ୟନ୍ତ ଲୋମ କଦାପି କାଟନ୍ତୁ ନାହିଁ । କାରଣ ଏହା ଗରମ ବା ଅନ୍ୟ ସମୟରେ ସୁରକ୍ଷା ପ୍ରଦାନରେ ସାହାଯ୍ୟ କରିବ ।
  • ବାହ୍ୟ ଉତ୍ତାପ ବୃଦ୍ଧି ବା ଗରମ ସମୟରେ ବୟସ୍କ ବୃଦ୍ଧି ବା ଗରମ ସମୟରେ ବୟସ୍କ ଓ ମୋଟା କୁକୁର ବା ବିରାଡିକୁ ବାହାରକୁ ଛାଡନ୍ତୁ ନାହିଁ । କାରଣ ଏ ସମୟରେ ସେମାନଙ୍କର ହୃଦକ୍ରିୟା ଓ ଶ୍ଵାସକ୍ରିୟା ଉପରେ ଯଥେଷ୍ଟ ପ୍ରତିକ୍ରିୟା ପ୍ରଭାବ ପକାଇଥାଏ ।
  • ଯେତେବେଳେ ପୋଷା କୁକୁର ବା ବିରାଡିକୁ ଘରେ ଛାଡି ବାହାରକୁ ଯାଉଛନ୍ତି । ସେତେବେଳେ ସେମାନଙ୍କ ପାଖରେ ଯଥେଷ୍ଟ ପିଇବା ପାଣି ରଖି ଯାଆନ୍ତୁ । ଏବଂ ଯଦି ସୁବିଧା ଥାଏ, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କାର୍ଯ୍ୟକ୍ଷମ କରି ଯାଆନ୍ତୁ ।
  • ମନୁଷ୍ୟଙ୍କ ଭଳି କୁକୁର ଓ ବିଲେଇ ଝାଳ ମାଧ୍ୟମରେ ନିଜର ଶାରୀରିକ ଉତ୍ତାପ କମାଇବା ପାଇଁ ସକ୍ଷମ ହୋଇ ନ ଥାନ୍ତି । ସେମାନଙ୍କଠାରେ ଅଂଶୁଘାତ ଦେଖାହେଲେ – ସେମାନେ ଲାଞ୍ଜ ଘନ ଘନ ହଲାନ୍ତି । ଖୁବ୍ ଜୋରରେ ଧଇଁସଇଁ ହୁଅନ୍ତି । ଆଖି ଲାଲ ପଡେ । ପାଟିରୁ ଫେଣ ପରି ଲାଳ ନିର୍ଗତ ହୁଏ । ବାରମ୍ବାର ପରିସ୍ରା କରନ୍ତି । କାମୁଡିବାକୁ ପଛାନ୍ତି ନାହିଁ କିମ୍ବା ଚୁପଚାପ ରୁହନ୍ତି । ଏଭଳି ଲକ୍ଷଣ ଦେଖାଦେଲେ ପ୍ରତି ୩ରୁ ୪ ମିନିଟ୍ ବ୍ୟବଧାନରେ ସେମାନଙ୍କ ଶରୀରରେ ପାଣି ଢାଳନ୍ତୁ ବା ସିଞ୍ଚନ କରନ୍ତୁ ଏବଂ ପଙ୍ଖା ନିକଟରେ ରଖନ୍ତୁ । ଏ ସମୟରେ କୁକୁରକୁ ପାଣି ଭିତରେ ବା ବରଫା ପାଣିରେ ବୁଡାଇ ରଖନ୍ତୁ ନାହିଁ ।

ମନେ ରଖନ୍ତୁ – ଖରାଦିନେ କୁକୁରଙ୍କୁ ଥଣ୍ଡା ଓ ଆରାମଦାୟକ ପରିବେଶ ମଧ୍ୟରେ ରଖିବା ସହିତ ଯଥେଷ୍ଟ ପିଇବା ପାଣି ପିଇବାକୁ ଦିଅନ୍ତୁ ।

ସଂଗୃହୀତ – ଡା.ବୀର କିଶୋର ପରିଡା

Last Modified : 6/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate