ପ୍ରତିବର୍ଷ ପ୍ରାୟ ୧୭ ଲକ୍ଷ ଶିଶୁ ବିଭିନ୍ନ ରୋଗରେ ମରନ୍ତି । ସହଜରେ ମିଳୁଥିବା ଟିକା ସାହାଯ୍ୟରେ ଏହି ରୋଗଗୁଡିକର ପ୍ରତିରୋଧ କରିହେବ । ଶିଶୁମାନଙ୍କୁ ପ୍ରତିରୋଧୀ କରିଦେଲେ ସେମାନେ ମୃତ୍ୟୁ ବା ଅକ୍ଷମତା ଆନୁଥିବା ଅନେକ ଗୁରୁତର ରୋଗରୁ ରକ୍ଷା ପାଇପାରିବେ । ଏହି ସୁରକ୍ଷା ପାଇବା ସବୁ ପିଲାଙ୍କର ଅଧିକାର ।
ପ୍ରତିଟି ଝିଅ ଓ ପୁଅଙ୍କୁ ପ୍ରତିରୋଧକ୍ଷମ କରାଇବା ଦରକାର । ନିଜକୁ ଓ ସେମାନଙ୍କର ଶିଶୁମାନଙ୍କୁ ଧନୁଷ୍ଟଙ୍କାର ରୋଗରୁ ମୁକ୍ତ ରଖିବା ପାଇଁ ଗର୍ଭବତୀ ମହିଳାମାନଙ୍କୁ ଏହି ରୋଗ ପାଇଁ ପ୍ରତିରୋଧକ୍ଷମ କରିବା ଜରୁରୀ ।
ଶିଶୁର କାହିଁକି , କେବେ , କେଉଁଠି ଓ କେତେଥର ପ୍ରତିରୋଧିକରଣ କରାଯିବା ଦରକାର ତାହା ସବୁ ବାପାମା’ ଜାଣିବା ଉଚିତ । ସବୁ ବାପାମା’ ଏହା ମଧ୍ୟ ଜାଣିବା ଉଚିତ ଯେ ପିଲା ଅସୁସ୍ଥ ଥିଲେ , ତା’ର କିଛି ଅକ୍ଷମତା ରହିଥିଲେ ବା ସେ ମନ୍ଦପୁଷ୍ଟ ହୋଇଥିଲେ ବି ତା’ର ଟିକା ନେବାରେ କୌଣସି ବିପଦ ନାହିଁ ।
ଜୀବନର ପ୍ରଥମ ବର୍ଷରେ ପ୍ରତି ପିଲା ପାଇଁ କେତେକ ପ୍ରତିରୋଧୀକାରୀ ଟିକା ଦରକାର
ଜୀବନର ପ୍ରଥମ ଅବସ୍ଥାରେ ହିଁ ପିଲାମାନଙ୍କୁ ପ୍ରତିରୋଧକ୍ଷମ କରାଇବା ଜରୁରୀ । ଲହରାକାଶରେ ମାରୁଥିବା ପିଲାଙ୍କ ଭିତରୁ ଅଧା , ପୋଲିଓରେ ମରୁଥିବା ପିଲାଙ୍କର ଏକତୃତୀୟାଂଶ ଏବଂ ମିଳିମିଳା ମୃତ୍ୟୁର ଚଉଠେ ଏକ ବର୍ଷରୁ କମ୍ ବୟସର ପିଲା ହୋଇଥା’ନ୍ତି ।
ଶିଶୁମାନେ ପୂରା ସଂଖ୍ୟାରେ ଟିକା ନେବା ଜରୁରୀ , ନହେଲେ ତାଙ୍କର ପ୍ରତିରୋଧୀକରଣ କାମ ଦେଇନପାରେ ।
ଜୀବନର ପ୍ରଥମ ବର୍ଷରେ ଶିଶୁକୁ ସୁରକ୍ଷା ଯୋଗାଇବା ପାଇଁ ତଳ ସାରଣୀ ଅନୁସାରେ ଟିକା ଦେବା ଜରୁରୀ । ସାରଣୀରେ ନିର୍ଦ୍ଧିଷ୍ଟ କରାଯାଇଥିବା ବୟସରେ ବା ତା’ର ଅଳ୍ପ ଦିନ ଭିତରେ ଦିଆଗଲେ ଟିକାଗୁଡିକ ସର୍ବାଧିକ ଫଳପ୍ରଦ ହୁଏ ।
ଯଦି କୌଣସି କାରଣରୁ ପିଲା ପ୍ରଥମ ବର୍ଷରେ ତା’ର ଟିକା କ୍ରମ ପୂରା କରିନାହିଁ , ତେବେ ଯେତେ ଶୀଘ୍ର ସମ୍ଭବ ତା’ର ପ୍ରତିରୋଧୀକରଣ କରାଇବା ଜରୁରୀ । ଜାତୀୟ ଟିକାଦାନ ଦିବସଗୁଡିକରେ ଏହା କରାଯାଇ ପାରିବ ।
କେତେ ଦେଶରେ ଶିଶୁର ଏକ ବର୍ଷ ବୟସ ପରେ ମଧ୍ୟ ଅତିରିକ୍ତ ମାତ୍ରାର ଟିକା ନେବାର ସୁଯୋଗ ଦିଆଯାଏ । ଏହି ଅଭିବର୍ଦ୍ଧକ ଟିକା ଆହୁରି ବେଶୀ ସୁରକ୍ଷା ଯୋଗାଇଥାଏ ।
ଶିଶୁର ପ୍ରତିରୋଧୀକରଣ ପାଇଁ ସମୟ ସାରଣୀ
ବୟସ |
କେଉଁ ଟିକା ଦିଆଯିବ |
ଜନ୍ମ ବେଳେ |
ବି.ସି.ଜି. ପୋଲିଓ ଏବଂ କେତେକ ଦେଶରେ ହେପାଟାଇଟସ୍ ବି |
୬ ସପ୍ତାହ |
ଡି.ଟି.ପି., ପୋଲିଓ ଏବଂ କେତେକ ଦେଶରେ ହେପାଟାଇଟସ୍ ବି ଓ ଏଚ୍.ଆଇ.ବି. |
୧୦ ସପ୍ତାହ |
ଡି.ଟି.ପି., ପୋଲିଓ ଏବଂ କେତେକ ଦେଶରେ ହେପାଟାଇଟସ୍ ବି ଓ ଏଚ୍.ଆଇ.ବି. |
୧୪ ସପ୍ତାହ |
ଡି.ଟି.ପି., ପୋଲିଓ ଏବଂ କେତେକ ଦେଶରେ ହେପାଟାଇଟସ୍ ବି ଓ ଏଚ୍.ଆଇ.ବି. |
୯ ମାସ |
ମିଳିମିଳା (ଶିଳ୍ପାୟିତ ଦେଶମାନଙ୍କରେ ୧୨ ରୁ ୧୫ ମାସ ) ଏବଂ ଦେଶରେ ପିତ୍ତ ଜ୍ଵର , ଗାଲୁଆ ଓ ଜର୍ମାନ ମିଳିମିଳା |
* ବିଭିନ୍ନ ଦେଶରେ ଏହି ସମୟ ସାରଣୀ କିଛି ଅଲଗା ହୋଇପାରେ ।
* ବି.ସି.ଜି. କେତେ ପ୍ରକାରର ଯକ୍ଷ୍ମା ଓ କୁଷ୍ଠ ରୋଗ ବିରୋଧରେ ଆଂଶିକ ସୁରକ୍ଷା ଦିଏ । ଡି.ପି.ଟି. କଣ୍ଠଅଳତି (ଡିପ୍ ଥେରିଆ) , ଲହରାକାଶ (ପର୍ ଟୁସିସ୍) ଓ ଧନୁଷ୍ଟଙ୍କାର (ଟିଟାନସ୍) ବିରୋଧରେ ସୁରକ୍ଷା ଯୋଗାଏ ।
ପ୍ରତିରୋଧୀ ହୋଇନଥିବା ଶିଶୁ ରୋଗରେ ପଡିବାର , ସବୁଦିନ ପାଇଁ ଅକ୍ଷମ ବା ମନ୍ଦପୁଷ୍ଟ ହେବାର ଏବଂ ଜୀବନ ହରାଇବାର ସମ୍ଭାବନା ବେଶୀ ।
ଟିକାଦାନ ପିଲାମାନଙ୍କୁ ଶୈଶବର କିଛି ମାରାତ୍ମକ ରୋଗରୁ ବଞ୍ଚାଇଥାଏ । ଶାରୀରିକ ଅକ୍ଷମତାଯୁକ୍ତ ପିଲାଙ୍କ ସମେତ ସବୁ ପିଲା ଟିକା ନେବା ଦରକାର । ଟିକା ପାଟିରେ ବା ଇଞ୍ଜେକ୍ସନରେ ଦିଆଯାଇପାରେ ଏବଂ ତାହା ପିଲାଙ୍କୁ ପ୍ରତିରୋଧକ୍ଷମ କରିଥାଏ । ରୋଗ ବିରୋଧରେ ଲଢିବା ପାଇଁ ପିଲା ଦେହର ସୁରକ୍ଷା ବ୍ୟବସ୍ଥାକୁ ଟିକା ସକ୍ରିୟ କରାଏ । କିନ୍ତୁ ରୋଗ ହେବା ଆଗରୁ ଦିଆଯାଇଥିଲେ ହିଁ ଟିକା କାମ କରିବ ।
ପ୍ରତିରୋଧୀ ନ ହୋଇଥିବା ପିଲା ମିଳିମିଳା , ଲହରାକାଶ ଓ ଅନ୍ୟ ରୋଗରେ ପଡିବାର ଭୟ ଅଧିକ । ଏସବୁ ରୋଗରେ ମୃତ୍ୟୁର ସମ୍ଭାବନା ରହିଥାଏ । ଏସବୁ ରୋଗରୁ ଭଲ ହୋଇଥିବା ପିଲା ଦୁର୍ବଳ ହୋଇଯାଏ । ତା’ଦେହର ବୃଦ୍ଧି ଠିକ୍ ହୁଏନାହିଁ ବା ସେ ସବୁଦିନ ପାଇଁ ବିକଳାଙ୍ଗ ହୋଇପାରେ । ପରେ ସେ ମନ୍ଦପୁଷ୍ଟି ବା ଅନ୍ୟ ରୋଗ ଯୋଗୁଁ ଜୀବନ ହରାଇ ପାରେ ।
ମଦପୁଷ୍ଟି , ମାନସିକ ଅନଗ୍ରସରତା ଏବଂ ଶୁଣିବା ଓ ଦେଖିବାରେ ଦୁର୍ବଳତା ଆଦିର ଏକ କାରଣ ହେଉଛି ମିଳିମିଳା । ତାହା ବିରୁଦ୍ଧରେ ସବୁ ପିଲାଙ୍କୁ ପ୍ରତିରୋଧୀ କରାଇବା ଉଚିତ । ତିନି ଦିନରୁ ବେଶୀ ସମୟ ଜ୍ଵର ରହିବା , ଦେହରେ ଫଳିଯିବା , କାଶହେବା , ନାକରୁ ପାଣି ବୋହିବା ବା ଆଖି ଲାଲ ପଡିବା ହେଉଛି ମିଳିମିଳାର ଲକ୍ଷଣ । ମିଳିମିଳାରେ ମୃତ୍ୟୁ ମଧ୍ୟ ହୋଇପାରେ ।
ସବୁ ଅଞ୍ଚଳର ସବୁ ପିଲାଙ୍କୁ ପୋଲିଓ ପ୍ରତିରୋଧୀ କରାଯିବା ଦରକାର । ହାତ ବା ଗୋଡ ନରମ ହୋଇ ଝୁଲିବା ବା ଅଚଳ ହୋଇଯିବା ପୋଲିଓର ଲକ୍ଷଣ । ପ୍ରତି ୨୦୦ ପିଲାଙ୍କ ଭିତରୁ ଜଣେ ପୋଲିଓ ଯୋଗୁଁ ସାରା ଜୀବନ ପାଇଁ ବିକଳାଙ୍ଗ ହୋଇଯାଏ ।
ଧନୁଷ୍ଟଙ୍କାର ବୀଜାଣୁ ଅପରିଷ୍କାର କ୍ଷତ ଜାଗାରେ ବଢେ ଏବଂ ପ୍ରତିରୋଧୀ ନହୋଇଥିବା ପିଲା ପାଇଁ ମାରାତ୍ମକ ହୁଏ ।
କେତେ ଦେଶରେ ହେପାଟାଇଟିସ୍ ବି ବହୁତ ଦେଖାଯାଏ । ସେଠାରେ ପିଲାଙ୍କୁ ପ୍ରତିରୋଧୀ ନକରାଇଲେ ଦଶ ଶତାଂଶ ଯାଏଁ ପିଲାଙ୍କ ଦେହରେ ଏହି ସଂକ୍ରମଣ ସାରା ଜୀବନ ପାଇଁ ରହିଯାଏ । ସଂକ୍ରମିତ ପିଲାମାନେ ବୟସ୍କ ଅବସ୍ଥାରେ ଯକୃତ କର୍କଟ ରୋଗର ଶିକାର ହେବାର ସମ୍ଭାବନା ଅଧିକ ଥାଏ ।
କିଛି ଦେଶରେ ପିତ୍ତ ଜ୍ଵର ମହାମାରୀ ରୂପ ନିଏ ଏବଂ ଅନେକ ପିଲାଙ୍କ ଜୀବନ ପ୍ରତି ବିପଦ ଆଣେ । ଟିକା ସାହାଯ୍ୟରେ ଏହି ରୋଗର ପ୍ରତିରୋଧ କରାଯାଇ ପାରିବ ।
ହିମୋଫିଲସ୍ ଇନ୍ ଫ୍ଲୁଏଞ୍ଜା (ବି) ବା ଏଚ.ଆଇ.ବି. ବୀଜାଣୁ ଜନିତ ଫୁସ୍ ଫୁସ୍ ପ୍ରଦାହ (ନିମୋନିଆ) କେତେ ଦେଶରେ ଅନେକ ପିଲାଙ୍କ ଜୀବନ ନିଏ । ଏହି ବୀଜାଣୁ ଶୈଶବ ମସ୍ତିସ୍କଝିଲ୍ଲୀ ପ୍ରଦାହ (ମେନିଞ୍ଜାଇଟିସ୍) ମଧ୍ୟ କରାଇପାରେ । ସବୁ ପିଲାଙ୍କ ପାଇଁ ଏବଂ ବିଶେଷ ଭାବରେ ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏହା ଏକ ଅତି ବିପଦଜନକ ଜୀବାଣୁ । ଏଚ.ଆଇ.ବି. ଟିକା ଏହି ମୃତ୍ୟୁକୁ ରୋକିପାରିବ ।
ମା’ର କ୍ଷୀର ଓ ଜନ୍ମର ପରେ ପରେ ଝରୁଥିବା କଷଦୁଧ , ଫୁସ୍ ଫୁସ୍ ପ୍ରଦାହ , ତରଳ ଝାଡା ଓ ଅନ୍ୟ ରୋଗଠାରୁ ସୁରକ୍ଷା ଯୋଗାଏ । ମା’କ୍ଷୀର ଖାଉଥିବା ପିଲା ଏହି ସୁରକ୍ଷା ପାଇଥାଏ । ଜୀବସାର କ ସଂକ୍ରମଣ ଏବଂ ଅନ୍ଧତ୍ଵର ପ୍ରତିରୋଧ କରିବାରେ ସାହାଯ୍ୟ କରେ । ମା’କ୍ଷୀର , କଲିଜା , ମାଛ , କ୍ଷୀରଜାତ ଖାଦ୍ୟ , ହଳଦିଆ ଓ ନାରଙ୍ଗୀ ରଙ୍ଗର କିଛି ଫଳ ଓ ପାରିବା ଏବଂ କିଛି ସବୁଜ ପତ୍ରଜାତୀୟ ପାରିବା ଆଦିରେ ଜୀବସାର କ ରହିଥାଏ । ଏହାର ଅଭାବ ଥିବା ଅଞ୍ଚଳରେ ଟିକାଦେବା ସମୟରେ ବା ପ୍ରତିରୋଧିକରଣ ଦିନମାନଙ୍କରେ ଛଅ ମାସରୁ ଅଧିକ ବୟସର ପିଲାମାନଙ୍କୁ ଜୀବସାର କ ପାଣି ବା ବଟିକା ଖୁଆଇବା ଉଚିତ । ଜୀବସାର କ ମିଳିମିଳାର ଚିକିତ୍ସା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ
ସାଧାରଣ ଅସୁସ୍ଥତା, ଅକ୍ଷମତା ବା ମନ୍ଦପୁଷ୍ଟି ଥିଲେ ମଧ୍ୟ କୌଣସି ପିଲାର ପ୍ରତିରୋଧୀକରଣ କରାଯାଇ ପାରିବ
ଟିକା ଦିଆହେବା ଦିନରେ ପିଲାର ଜ୍ଵର , କାଶ , ଝାଡା ବା ଆଉ କିଛି ସାଧାରଣ ଅସୁସ୍ଥତା ଥିଲେ ବାପାମା ତାକୁ ଟିକା ଦିଅନ୍ତି ନାହିଁ । ଟିକା ନନେବାରେ ଏହା ଗୋଟିଏ ବଡ କାରଣ । କିନ୍ତୁ ଏଭଳି ସାଧାରଣ ଅସୁସ୍ଥତାରେ ଟିକା ନେବା ପୂରା ନିରାପଦ ।
କେବେ କେବେ କେହି ସ୍ୱାସ୍ଥ୍ୟକର୍ମୀ ମନ୍ଦପୁଷ୍ଟ ବା ଅକ୍ଷମତାଯୁକ୍ତ ପିଲାଙ୍କୁ ଟିକା ନଦେବା ପାଇଁ ପରାମର୍ଶ ଦିଅନ୍ତି । ତାହା କିନ୍ତୁ ଠିକ୍ ନୁହେଁ ମନ୍ଦପୁଷ୍ଟ ବା ଅକ୍ଷମତା ପିଲାମାନେ ଟିକା ନେବାରେ କିଛି ବିପଦ ନାହିଁ ।
ଇଞ୍ଜେକ୍ସନ୍ ନେବା ପରେ ପିଲାଟିଏ କାନ୍ଦିପାରେ ବା ତାକୁ ଜ୍ଵର ହୋଇପାରେ । ଇଞ୍ଜେକ୍ସନ୍ ନେବା ଜାଗାଟି ଫୁଲିପାରେ ବା ଫଳିଯାଇପାରେ । ଏହା ସାଧାରଣ କଥା । ପିଲାକୁ ଅଳ୍ପ ସମୟ ଛଡାରେ କ୍ଷୀର ପିଆନ୍ତୁ ବା ଯଥେଷ୍ଟ ଖାଦ୍ୟ ଓ ପାଣି ଦିଅନ୍ତୁ । ଜ୍ଵର ଯଦି ବେଶୀ ହୁଏ ତେବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଅନ୍ତୁ ।
ମନ୍ଦପୁଷ୍ଟ ପିଲାଙ୍କ ପାଇଁ ମିଳିମିଳା ଅତି ମାରାତ୍ମକ ହୋଇପାରେ । ତେଣୁ ତାଙ୍କୁ ମିଳିମିଳା ପ୍ରତିରୋଧୀ ଟିକା ଦେବା ଜରୁରୀ । ଅତି ମାତ୍ରାରେ ମନ୍ଦପୁଷ୍ଟ ପିଲାଙ୍କ ପାଇଁ ଏହା ବେଶୀ ଦରକାର ।
ସବୁ ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ରୋଗ ପ୍ରତିରୋଧୀ କରାଯିବା ଉଚିତ ଆଗରୁ ପ୍ରତିରୋଧୀ ହୋଇଥିଲେ ମଧ୍ୟ ତାଙ୍କର ଅତିରିକ୍ତ ଧନୁଷ୍ଟଙ୍କାର ଆବିଷ ଟିକା ଦରକାର ହୋଇପାରେ । ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରନ୍ତୁ ।
ପୃଥିବୀର ଅନେକ ଅଞ୍ଚଳରେ ମା’ମାନେ ଅସ୍ଵାସ୍ଥ୍ୟକର ପରିବେଶରେ ପ୍ରସବ କରୁଥିବାରୁ ଉଭୟ ମା ଓ ପିଲା ପାଇଁ ଧନୁଷ୍ଟଙ୍କାର ରୋଗର ବିପଦ ଆସେ । ଏହା ହେଉଛି ସଦ୍ୟଜାତ ଶିଶୁଙ୍କର ମୃତ୍ୟୁର ଏକ ମୁଖ୍ୟ କାରଣ ।
ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ପ୍ରତିରୋଧୀ କରାଯାଇ ନଥିଲେ ଏବଂ ଏହି ରୋଗର ଜୀବାଣୁ ତାଙ୍କ ଦେହକୁ ଆସିଲେ ତାଙ୍କର ଜୀବନହାନୀର ଭୟ ରହେ ।
ଧନୁଷ୍ଟାଙ୍କାର ଜୀବାଣୁ ଅପରିଷ୍କାର କ୍ଷତରେ ବଢେ । ପିଲା ଜନ୍ମ ପରେ ମଇଳା ଛୁରୀରେ ନାଡି କାଟିଲେ ବା କଟା ନାଡିର ମୁଣ୍ଡରେ କିଛି ମଇଳା ଲାଗିଲେ ଏହି ଜୀବାଣୁ ବଢେ । ଛୁରୀକୁ ସଫା କରି , ପାଣିରେ ଫୁଟାଇ ବା ନିଆଁରେ ଗରମ କରି , ଥଣ୍ଡାକରି ନାଡି କାଟିବା ଉଚିତ । ଜନ୍ମର ଏକ ସପ୍ତାହ ପର ଯାଏଁ ପିଲାର ନାଡି ମୁଣ୍ଡ ସଫା ରଖିବା ଜରୁରୀ ।
ସବୁ ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାର ପ୍ରତିରୋଧୀ କରାଯିବା ଉଚିତ । ଏହା ଉଭୟ ମା’ ଓ ପିଲାକୁ ନିରାପଦ ରଖେ ।
ଗର୍ଭବତୀ ମହିଳାଙ୍କ ପାଇଁ ଧନୁଷ୍ଟଙ୍କାର ଟିକା ନେବା ନିରାପଦ । ସେମାନେ ଏହି ଟିକା ନେବାର ସମୟ କ୍ରମ ହେଉଛି ।
ପ୍ରଥମ ପାନ : ଗର୍ଭଧାରଣ କଥା ଜଣାପଡିବା ସମୟରେ
ଦ୍ଵିତୀୟ ପାନ : ପ୍ରଥମ ପାନର ଏକ ମାସ ପରେ , କିନ୍ତୁ ପ୍ରସବ ଦିନର ଅନ୍ତତଃ ଦୁଇ ସପ୍ତାହ ପୂର୍ବରୁ ।
ତୃତୀୟ ପାନ : ଦ୍ଵିତୀୟ ପାନ ୬ରୁ ୧୨ ମାସ ପରେ କିମ୍ବା ପରବର୍ତ୍ତୀ ଗର୍ଭ ସମୟରେ ।
ଚତୁର୍ଥ ପାନ : ତୃତୀୟ ପାନର ବର୍ଷେ ପରେ ବା ପରବର୍ତ୍ତୀ ଗର୍ଭ ସମୟରେ ।
ପଞ୍ଚମ ପାନ : ଚତୁର୍ଥ ପାନର ଏକ ବର୍ଷ ପରେ ବା ପରବର୍ତ୍ତୀ ଗର୍ଭ ସମୟରେ ।
ପ୍ରତିରୋଧୀ କରାଯାଉଥିବା ପ୍ରତି ଲୋକ ପାଇଁ ନୂଆ ବା ବିଶୋଧିତ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରିବା ଜରୁରୀ ଲୋକମାନେ ଏହା ଦାବି କରିବା ଦରକାର ।
ଠିକ୍ ଭାବରେ ବିଶୋଧିତ ହୋଇନଥିବା ଛୁଞ୍ଚି ବା ଉପକରଣ ଗୁରୁତର ରୋଗର କାରଣ ହୋଇପାରେ । ପରିବାର ଭିତରେ ମଧ୍ୟ ଏକା ଛୁଞ୍ଚି ବା ସିରିଞ୍ଜ ବ୍ୟବହାର କଲେ ଏଭଳି ରୋଗର ଭୟ ରହିଥାଏ ।
ଗୋଟିଏ ଜାଗାରେ ଅତ୍ୟଧିକ ଲୋକ ରହୁଥିଲେ ରୋଗ ଶୀଘ୍ର ବ୍ୟାପିପାରେ । ଗହଳି ଅବସ୍ଥାରେ, ବିଶେଷ କରି ଶରଣାର୍ଥୀ ଶିବିରରେ ବା ବିପର୍ଯ୍ୟୟ ପରିସ୍ଥିତିରେ , ରହୁଥିବା ପିଲାଙ୍କର ପ୍ରତିରୋଧୀକରଣ ଅତି ଜରୁରୀ । ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର
ଜରୁରୀକାଳୀନ ବା ଅନ୍ୟ ପରିସ୍ଥିତିରେଲୋକମାନେ ଘର ଛାଡି ପଳାଇବାକୁ ବାଧ୍ୟ ହୁଅନ୍ତି , ସେ ସମୟରେ ସଂକ୍ରାମକ ରୋଗ ମଧ୍ୟ ବ୍ୟାପିଥାଏ । ତେଣୁ ୧୨ ବର୍ଷରୁ କମ୍ ବୟସର ସବୁ ବିସ୍ଥାପିତ ପିଲାଙ୍କୁ ସାଙ୍ଗେ ସାଙ୍ଗେ ଟିକା ଦେବା ଉଚିତ । ମିଳିମିଳା ପାଇଁ ଏହା ବିଶେଷ ଭାବରେ ଦରକାର ଏବଂ ଅସ୍ଥାୟୀ ରହିବା ଜାଗାର ପ୍ରବେଶ ଦ୍ଵାରରେ ହିଁ ଏହି ଟିକା ଦେବା ଜରୁରୀ ।
ଏଭଳି ଜରୁରୀକାଳୀନ ଟିକାଦାନ ପାଇଁ ଥରେ ମାତ୍ର ବ୍ୟବହାର କରିହେଉଥିବା ସିରିଞ୍ଜ କାମରେ ଲଗାଇବା ଉଚିତ ।
ମନ୍ଦପୁଷ୍ଟ ବା ଅସ୍ଵାସ୍ଥ୍ୟକର ପରିବେଶରେ ରହୁଥିବା ପିଲାଙ୍କ ପାଇଁ ମିଳିମିଳା ବେଶୀ ମାରାତ୍ମକ ହୁଏ ।
ପିଲାବେଳର ଟିକାଦେବା କ୍ରମ ଯଦି ଅଧାରେ ବାଧା ପାଇଥାଏ , ତେବେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ଜାତୀୟ ନୀତି ଅନୁସାରେ ତାହା ପୂରା କରାଯାଇ ପାରିବ ।
ଆଧାର :Unicef
Last Modified : 7/1/2020