ସେଆର କରନ୍ତୁ

ମେଲେରିଆ

ମେଲେରିଆ ବିଷୟରେ ଜାଣିବା କଥା

ମୁଖ୍ୟ ସନ୍ଦେଶ

ମେଲେରିଆ  ଗୋଟିଏ  ସାଂଘାତିକ  ରୋଗ ଓ  ଏହା  ମଶା  କାମୁଡାରୁ  ବ୍ୟାପିଥାଏ   । ପ୍ରତି  ବର୍ଷ  ସାରା  ପୃଥିବୀରେ ୩୦ ରୁ  ୫୦ କୋଟି  ଲୋକ  ମେଲେରିଆରେ  ଆକ୍ରାନ୍ତ  ହୋଇଥା’ନ୍ତି  ଏବଂ  ପ୍ରାୟ  ୧୦ ଲକ୍ଷ  ଶିଶୁ  ଏଥିରେ  ମରିଥା’ନ୍ତି   । ମେଲେରିଆ  ପ୍ରବଣ  ଅଞ୍ଚଳରେ  ଶିଶୁ  ମୃତ୍ୟୁ  ଏବଂ  ଦୁର୍ବଳ  ସ୍ଵାସ୍ଥ୍ୟର  ମୁଖ୍ୟ  କାରଣ  ହେଉଛି  ମେଲେରିଆ   ।

ମେଲେରିଆ  ଗର୍ଭବତୀ  ମହିଳାଙ୍କ  ପାଇଁ  ମଧ୍ୟ  ବହୁତ  ବିପଦଜନକ   । ଏହାଦ୍ୱାରା  ରକ୍ତହୀନତା , ଗର୍ଭପାତ , ମୃତଶିଶୁ ଜନ୍ମ , କମ୍ ଓଜନର  ଶିଶୁ  ଜନ୍ମ  ଏବଂ  ମାତୃମୃତ୍ୟୁ  ହୋଇଥାଏ    ।

ମେଲେରିଆର  ପ୍ରତିଷେଧକ  ଏବଂ  ଆଶୁ  ଚିକିତ୍ସା  ଦ୍ଵାରା  ଅନେକ  ଜୀବନ  ବଞ୍ଚାଯାଇ  ପାରିବ   ।

ଯାହା  ଜାଣିବା  ହେଉଛି  ପ୍ରତ୍ୟକ ପରିବାର  ଓ  ଗୋଷ୍ଠୀର  ଅଧିକାର

୧. ମେଲେରିଆ  ମଶା  କାମୁଡାରୁ  ହୁଏ  । ଉପଯୁକ୍ତ  କୀଟନାଶକଯୁକ୍ତ  ମଶାରୀରେ  ଶୋଇଲେ  ମଶା  କାମୁଡାରୁ  ରକ୍ଷା  ମିଳିଥାଏ   ।

୨. ମେଲେରିଆ  ବ୍ୟାପିଥିବା  ଅଞ୍ଚଳରେ  ଶିଶୁଙ୍କ  ପ୍ରତି  ବହୁତ  ବିପଦ  ରହିଛି  । ଶିଶୁକୁ  ଜ୍ଵର  ହେବା  ମାତ୍ରେ  ଜଣେ  ପ୍ରଶିକ୍ଷିତ  ସ୍ୱାସ୍ଥ୍ୟକର୍ମୀଙ୍କ  ଦ୍ଵାରା  ପରୀକ୍ଷା  କରିବା  ଏବଂ  ଯେତେଶୀଘ୍ର  ସମ୍ଭବ  ମେଲେରିଆ  ରୋଗର  ଚିକିତ୍ସା  ଆରମ୍ଭ  କରିବା  ଜରୁରୀ   ।

୩. ଗର୍ଭବତୀ  ମହିଳାଙ୍କ  ପାଇଁ  ମେଲେରିଆ  ବହୁତ  ବିପଦଜନକ   । ଏହି  ରୋଗ  ବ୍ୟାପିଥିବା   ଅଞ୍ଚଳରେ  ସ୍ଵାସ୍ଥ୍ୟକର୍ମୀଙ୍କ  ପରାମର୍ଶ  ଅନୁସାରେ  ଗର୍ଭବତୀ  ମହିଳା  ମେଲେରିଆ  ଔଷଧ  ଖାଇବା   ଉଚିତ   ।

୪. ମେଲେରିଆ  ହୋଇଥିବା  ବା  ସେଥିରୁ  ଭଲ  ହୋଇଥିବା  ଶିଶୁକୁ  ଯଥେଷ୍ଟ  ପରିମାଣର  ଖାଦ୍ୟ  ଓ  ପାନୀୟ  ଦେବା  ଜରୁରୀ   ।

୫. ଗୋଷ୍ଠୀ ବା  ପରିବା  ମିଶି  ମଶାଙ୍କ  ସଂଖ୍ୟା  କମାଇବା  ଦିଗରେ  ଚେଷ୍ଟା  କରିପାରିବେ    ।

ମେଲେରିଆ  ମଶା   କାମୁଡାରୁ  ହୁଏ  ।

ଉପଯୁକ୍ତ  କୀଟନାଶକଯୁକ୍ତ  ମଶାରୀରେ   ଶୋଇଲେ  ମଶା  କାମୁଡାରୁ  ରକ୍ଷା  ମିଳିଥାଏ  ।

ଗୋଷ୍ଠୀର  ସମସ୍ତେ , ବିଶେଷ  କରି  ଶିଶୁ  ଓ  ଗର୍ଭବତୀ  ମହିଳାମାନେ , ମଶା  ଦାଉରୁ  ରକ୍ଷା  ପାଇବା  ଜରୁରୀ   । ପାହାନ୍ତା  ଓ  ସନ୍ଧ୍ୟା  ସମୟରେ  ବେଶୀ  ମଶା  ହେଉଥିବାରୁ  ସେତିକିବେଳେ  ସୁରକ୍ଷା  ବ୍ୟବସ୍ଥା  କରିବା  ଦରକାର   ।

ଉପଯୁକ୍ତ  କୀଟନାଶକରେ  ବୁଡା ଯାଇଥିବା  ମଶାରୀ , ପରଦା ଏବଂ  ବିଛଣାରେ  ମଶା  ବସିଲେ  ମରିଯାଆନ୍ତି   । ଏଥିପାଇଁ  ସ୍ଥାୟୀ  ଭାବରେ  ବା  ନିୟମିତ  ଭାବରେ  ବୁଡା  ଯାଉଥିବା  ସ୍ଵତନ୍ତ୍ର  ବିଛଣା , ମଶାରୀ  ବା ପରଦା  ବ୍ୟବହାର  କରିବା  ଉଚିତ   । ସାଧାରଣତଃ  ବର୍ଷାଦିନ  ଆରମ୍ଭରୁ  ବା  ପ୍ରତି  ଛଅମାସରେ  ଏବଂ  ତିନିଥର  ସଫା  କରିବା  ପରେ ମଶାରୀକୁ  ପୁଣି  ଥରେ  କୀଟନାଶକରେ  ବୁଡାଇବା  ଦରକାର  ହୁଏ   । ଏସବୁ  ବିଷୟରେ  ସ୍ୱାସ୍ଥ୍ୟକର୍ମୀ  କହିପାରିବେ   ।

ଶିଶୁ  ଓ ଛୋଟ  ପିଲା  ମଶାରୀ  ଭିତରେ  ଶୋଇବା ଜରୁରୀ  । ମଶାରୀ  ଯଦି  ବହୁତ  ଦାମ୍  ହୋଇଥାଏ  ତେବେ  ଗୋଟିଏ  ବଡ  ମଶାରୀ କିଣି  ସେଥିରେ  ଛୋଟ ପିଲାଙ୍କୁ  ଶୁଆଇବା ଦରକାର  । ମା’କ୍ଷୀର  ଖାଉଥିବା  ଛୋଟ  ଶିଶୁ  ମା’ ସହ ମଶାରୀ  ଶୋଇବା  ଆବଶ୍ୟକ  ।

ବର୍ଷସାରା  ଏପରିକି  ମଶା  ନଥିବା  ସମୟରେ  ବି ମଶାରୀ  ବ୍ୟବହାର   କରିବା  ଉଚିତ   ।

ମଶାରୀ  ବ୍ୟବହାର  କରି  ନପାରିଲେ  ଅନ୍ୟ  ଉପାୟ  କିଛି  ସାହାଯ୍ୟ  କରିପାରେ   :

  • ଉପଯୁକ୍ତ  କୀଟନାଶକ  ଲଗା  ପରଦା , ଲୁଗା  କିମ୍ବା ଚାଦର  ଦୁଆର  ମୁହଁରେ  ଝୁଲାଇ  ରଖିବେ   ।
  • ଦୁଆର  ଓ  ଝରକାରେ  ପରଦା  ଲଗାଇବେ   ।
  • ମଶା  ଧୂପ  ବ୍ୟବହାର  କରିପାରିବେ   ।
  • ସନ୍ଧ୍ୟା  ହେବା  ମାତ୍ରେ ପୂରାହାତ  ଜାମା  ଓ ପୂରା ପ୍ୟାଣ୍ଟ  ପିନ୍ଧିବେ   । ବିଶେଷ  କରି  ଶିଶୁ ଓ  ଗର୍ଭବତୀ  ମହିଳାଙ୍କ  ପାଇଁ  ଏହା  ବହୁତ  ଗୁରୁତ୍ଵପୂର୍ଣ୍ଣ   ।

ମେଲେରିଆ  ବ୍ୟାପିଥିବା  ଅଞ୍ଚଳରେ   ଶିଶୁଙ୍କ  ପ୍ରତି  ବହୁତ  ବିପଦ  ରହିଛି   ।

ଶିଶୁକୁ  ଜ୍ଵର ହେବା  ମାତ୍ରେ  ଜଣେ  ପ୍ରଶିକ୍ଷିତ  ସ୍ଵାସ୍ଥ୍ୟକର୍ମୀଙ୍କ  ଦ୍ଵାରା  ପରୀକ୍ଷା  କରିବା  ଏବଂ  ଯେତେଶୀଘ୍ର  ସମ୍ଭବ  ମେଲେରିଆ  ରୋଗର  ଚିକିତ୍ସା  ଆରମ୍ଭ   କରିବା  ଜରୁରୀ  ।

ଘରେ  କାହାକୁ  ଜ୍ଵର  ହୋଇଥିଲେ  ବା  ଶିଶୁ  ଖାଇବାକୁ  ଇଚ୍ଛା  ନକରିବା , ବାନ୍ତି  କରିବା  ବା  ଘୁମାଇବା  ଆଦି  ଲକ୍ଷଣ  ଦେଖାଇଲେ  ତାକୁ  ମେଲେରିଆ  ହୋଇ  ଥାଇପାରେ   ।

ଶିଶୁକୁ  ମେଲେରିଆ  ଜ୍ଵର  ହୋଇଥିଲେ  ସାଙ୍ଗେ  ସାଙ୍ଗେ  ଜଣେ   ତାଲିମପ୍ରାପ୍ତ   ସ୍ଵାସ୍ଥ୍ୟକର୍ମୀଙ୍କ  ଦ୍ଵାରା  ମେଲେରିଆ  ଔଷଧ  ଦେବା  ଜରୁରୀ   । ମେଲେରିଆ  ହୋଇଥିବା  ଶିଶୁକୁ  ଦିନାକା  ଭିତରେ  ଚିକିତ୍ସା  ନକଲେ  ସେ  ମରିଯାଇପାରେ   । କେଉଁ ପ୍ରକାର  ଚିକିତ୍ସା  ଦରକାର  ଓ  ତାହା  କେତେ  ଦିନ  ଧରି  ଚାଲିବ  ସେ  ବିଷୟରେ  ଜଣେ  ସ୍ୱାସ୍ଥ୍ୟକର୍ମୀ  କହିପାରିବେ   ।

ମେଲେରିଆ  ହୋଇଥିବା  ଶିଶୁର  ଜ୍ଵର  ଛାଡି  ଆସୁଥିଲେ  ବି  ସେ  ପୂରା  ମାତ୍ରାର  ଔଷଧ  ଖାଇବା  ଜରୁରୀ   । ପୂରା  ଔଷଧ ନଖାଇଲେ ପରେ  ମେଲେରିଆ  ଆହୁରି  ସାଂଘାତିକ   ହୋଇପାରେ ଓ  ଚିକିତ୍ସା  କରିବା  କଷ୍ଟକର  ହୋଇପାରେ   ।

ଔଷଧ  ଦେଲା  ପରେ  ବି  ଯଦି  ମେଲେରିଆର  ଲକ୍ଷଣ  ରହିଥାଏ  ତେବେ  ଶିଶୁକୁ  ସାଙ୍ଗେ ସାଙ୍ଗେ  ଡାକ୍ତରଖାନା  ନେବା  ଆବଶ୍ୟକ   । ଏହାର  ଅନ୍ୟ  କାରଣ  ଥାଇପାରେ  :

  • ଶିଶୁ  ଯଥେଷ୍ଟ   ପରିମାଣର  ଔଷଧ  ଖାଉନାହିଁ
  • ମେଲେରିଆ  ଛଡା  ଆଉ  କିଛି  ରୋଗ  ରହିଛି
  • ଔଷଧ  ପ୍ରତିରୋଧି  ମେଲେରିଆ  ହୋଇଛି , ତେଣୁ  ଅଲଗା  ଔଷଧ  ଦରକାର   ।

ଜ୍ଵର  ହୋଇଥିବା  ଶିଶୁକୁ  ସମ୍ଭବ  ଥଣ୍ଡା  ରଖିବ :

  • ଥଣ୍ଡା  ପାଣିରେ  ପୋଛିଦେଇ  ବା  ଗାଧୋଇ  ଦେଇ
  • ଶିଶୁକୁ  ପତଳା   ଲୁଗା  ଘୋଡାଇଦେଇ  ।

ଗର୍ଭବତୀ  ମହିଳାଙ୍କ  ପାଇଁ ମେଲେରିଆ  ବହୁତ  ବିପଦଜନକ  ।

ଏହି  ରୋଗ  ବ୍ୟାପିଥିବା  ଅଞ୍ଚଳରେ  ସ୍ୱାସ୍ଥ୍ୟକର୍ମୀଙ୍କ  ପରାମର୍ଶ  ଅନୁସାରେ  ଗର୍ଭବତୀ  ମହିଳା  ମେଲେରିଆ  ଔଷଧ  ଖାଇବା  ଉଚିତ   ।

ଅନ୍ୟମାନଙ୍କ  ତୁଳନାରେ  ଗର୍ଭବତୀ  ମହିଳାଙ୍କୁ  ମେଲେରିଆ  ବେଶୀ  ସହଜରେ  ହୋଇଥାଏ   । ଗର୍ଭଧାରଣ  ବେଳେ , ବିଶେଷ  କରି ପ୍ରଥମ  ଗର୍ଭ  ସମୟରେ , ଏହି  ରୋଗ  ବହୁତ  ବିପଦଜନକ  ହୋଇପାରେ   । ଏହାଦ୍ୱାରା  ରକ୍ତହୀନତା , ଗର୍ଭପାତ , ଅବିକଶିତ  ବା  ମଲାଛୁଆ  ଜନ୍ମ  ହୋଇଥାଏ   । ମେଲେରିଆ  ହୋଇଥିବା  ମା’ର  ଶିଶୁ  ଜନ୍ମ  ବେଳେ  କମ୍  ଓଜନର  ହୋଇଥାଏ  । ତା’ର  ତେଣୁ  ପ୍ରଥମ  ବର୍ଷରେ  ସଂକ୍ରମଣ  ବା  ମୃତ୍ୟୁର  ସମ୍ଭାବନା  ଅଧିକ  ଥାଏ   ।

ଗର୍ଭବତୀ  ମହିଳା  ପରାମର୍ଶ  ଅନୁସାରେ  ମେଲେରିଆ  ଔଷଧ  ଖାଇବା  ଉଚିତ  ।

ସବୁ  ମେଲେରିଆ  ଔଷଧ  ଗର୍ଭବତୀ  ମହିଳାଙ୍କ  ପାଇଁ  ନିରାପଦ  ନୁହେଁ   । ନିରାପଦ  ଔଷଧ  ବିଷୟରେ   ସ୍ୱାସ୍ଥ୍ୟକର୍ମୀ  ସୂଚନା  ଦେଇପାରିବେ   ।

ମଶା  କାମୁଡାରୁ  ରକ୍ଷା  ପାଇବା  ପାଇଁ  ଗର୍ଭବତୀ  ମହିଳା  ନିୟମିତ  ମଶାରୀ  ଭିତରେ  ଶୋଇବା  ଜରୁରୀ  ।

ମେଲେରିଆର  ଲକ୍ଷଣ  ଦେଖାଯିବା  ମାତ୍ରେ  ମୃତ୍ୟୁ  ରୋକିବା  ପାଇଁ  ଗର୍ଭବତୀ  ମହିଳାଙ୍କୁ  ସାଙ୍ଗେ  ସାଙ୍ଗେ  ଚିକିତ୍ସା  କରିବା  ଆବଶ୍ୟକ  ।

ମେଲେରିଆ  ହୋଇଥିବା  ଗର୍ଭବତୀ  ମହିଳା  ସ୍ଵାସ୍ଥ୍ୟକର୍ମୀଙ୍କ  ପାଖରୁ  ଜୀବସାର କ ଓ ଲୁହା  ବଟିକା  ଖାଇବା  ଆବଶ୍ୟକ   ।

ଖାଦ୍ୟ  ଓ  ପାନୀୟ

ମେଲେରିଆ  ହୋଇଥିବା  ବା  ସେଥିରୁ  ଭଲ  ହୋଇଥିବା  ଶିଶୁକୁ  ଯଥେଷ୍ଟ  ପରିମାଣର  ଖାଦ୍ୟ  ଓ  ପାନୀୟ  ଦେବା  ଜରୁରୀ   ।

ମେଲେରିଆ  ହେଲେ  ଶିଶୁର  ଅନେକ  ଶକ୍ତି  ଅପଚୟ  ହୋଇଥାଏ  ଓ ଦେହରୁ  ଜଳୀୟ  ଅଂଶ  ଚାଲିଯାଏ   । ଏଥିପାଇଁ  ଶିଶୁକୁ  ଯଥେଷ୍ଟ  ପରିମାଣର  ଓ  ବାରମ୍ବାର  ଖାଦ୍ୟ  ପାନୀୟ  ଦେବା  ଜରୁରୀ   ।

ଅନେକ  ଥର  ମା’କ୍ଷୀର  ଦେଲେ  ଜଳଶୂନ୍ୟତା  ହୋଇନଥାଏ  ଏବଂ  ମେଲେରିଆ  ଭଳି  ରୋଗ  ବିରୁଦ୍ଧରେ  ଲଢିବା  ପାଇଁ  ଶକ୍ତି  ମିଳିଥାଏ  । ମେଲେରିଆ  ହୋଇଥିବା  ଶିଶୁ  ଯେତେ  ଥର  ସମ୍ଭବ  ମା’କ୍ଷୀର  ଖାଇବା  ଉଚିତ   ।

ଗୋଷ୍ଠୀ  ଓ  ପରିବାର  ମିଶି  ମଶାଙ୍କ  ସଂଖ୍ୟା  କମାଇବା  ଦିଗରେ  ଚେଷ୍ଟା  କରିପାରିବେ   ।

ବାରମ୍ବାର  ମେଲେରିଆ  ହେଲେ  ଶିଶୁର  ବୃଦ୍ଧି  ଓ  ମସ୍ତିସ୍କର  ବିକାଶ  ବାଧା  ପାଇଥାଏ  । ରକ୍ତହୀନତା  ମଧ୍ୟ  ହୋଇଥାଏ  । ଅନେକ  ଥର  ମେଲେରିଆ  ହୋଇଥିବା  ଶିଶୁକୁ  ରକ୍ତହୀନତା  ପାଇଁ  ପରୀକ୍ଷା  କରିବା  ଦରକାର   ।

ପୋଖରୀ , ସନ୍ତସନ୍ତିଆ ଜମି , ନାଳ , ଖାଲୁଆ  ଅଞ୍ଚଳ  ଏବଂ  ଲମ୍ବା  ଘାସ  ଓ  ବୁଦାରେ  ଥିବା  ଜଳୀୟ  ଅଂଶ  ଆଦିରେ  ମଶା  ବଢିଥା’ନ୍ତି   । ଝରଣା  କୂଳ , ପାଣି ଟାଙ୍କି , ଧାନ  ଜମି  ଆଦିରେ   ମଧ୍ୟ  ଏମାନେ   ବଢନ୍ତି    ।

ମଶାଙ୍କ  ସଂଖ୍ୟା  କମିପାରିବ :

  • ପାଣି  ଜମି  ରହୁଥିବା  ଅଞ୍ଚଳକୁ   ପୋତି  ଦେଇ  ବା  ନାଳ  କାଟି  ପାଣି  ବାହାର  କରିଦେଲେ
  • ପାଣି  ଟାଙ୍କିକୁ  ଢାଙ୍କି  ରଖିଲେ
  • ଘର  ଚାରିପାଖରୁ  ଅନାବନା  ଘାସ ବୁଡା  ସଫା  କରିଦେଲେ

ସାରା  ଗୋଷ୍ଠୀକୁ   ମେଲେରିଆ  ପ୍ରଭାବିତ  କରିଥାଏ  । ତେଣୁ  ସମସ୍ତେ  ଏକାଠି  ମିଶି  ମଶା  ବଢିବା  ଜାଗାକୁ  ସଫା  କରିପାରିବେ  ଏବଂ  ନିୟମିତ  ଭାବରେ  ମଶାରୀକୁ  କୀଟନାଶକରେ  ବୁଡାଇପାରିବେ   । ମେଲେରିଆ  ନିରାକରଣ  ଓ ନିୟନ୍ତ୍ରଣ  ପାଇଁ  ଗୋଷ୍ଠୀ  ସେ  ଅଞ୍ଚଳର  ସମସ୍ତ  ସ୍ୱାସ୍ଥ୍ୟକର୍ମୀ  ଓ  ରାଜନୈତିକ  ନେତାଙ୍କ  ସହାୟତା  ନେବେ   ।

ଆଧାର :UNICEF

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top