অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଲେରିଆରୁ ସୁରକ୍ଷା

ଉପକ୍ରମ

ମଣିଷକୁ ପ୍ରାୟ ୫୦ହଜାର ବର୍ଷରୁ ଊର୍ଦ୍ଧ୍ଵକାଳ ଧରି ପ୍ରଭାବିତ କରିଆସୁଛି ମ୍ୟାଲେରିଆ   । ଏଯାବତ୍ ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ଏହାର ସମ୍ପୂର୍ଣ୍ଣ ବିଲୋପ ସମ୍ଭବ ହୋଇପାରିନାହିଁ  । ଏହି ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଥାଏ  ।

ପ୍ଲାଜମୋଡିୟମ ନାମକ ପରଜୀବୀ ଦ୍ଵାରା ମ୍ୟାଲେରିଆ ହୋଇଥାଏ  । ମ୍ୟାଲେରିଆକାରକ ମାଈ ଆନୋଫିଲିସ ମଶା ସାଧାରଣତଃ ସୂର୍ଯ୍ୟାସ୍ତ ପରେ ବିଶେଷକରି ରାତିରେ କାମୁଡେ  । କେତେକ କ୍ଷେତ୍ରରେ ମ୍ୟାଲେରିଆ ଭିତରେ ଭିତରେ ବଢିଥାଏ  । ଏପରି ସ୍ଥିତିରେ ଅଧିକ ଜ୍ଵର ନହୋଇ ଦୁର୍ବଳତା ଅନୁଭବ ହୋଇଥାଏ ଏବଂ ରୋଗୀର ହିମୋଗ୍ଲୋବିନ ପରିମାଣ କମିଯାଇ ହଠାତ୍ ସେ ରକ୍ତହୀନତାରେ ଆକ୍ରାନ୍ତ ହୁଏ  । ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ମ୍ୟାଲେରିଆ ବେଶୀ ବ୍ୟାପୁଥିବାର ଦେଖାଯାଏ  । ଆକ୍ରାନ୍ତ ପ୍ରତ୍ୟକ ବ୍ୟକ୍ତିଙ୍କ ଶରୀରର ପ୍ରତିକ୍ରିୟା ଭିନ୍ନଭିନ୍ନ ହୋଇଥାଏ  । ମଶା କାମୁଡାରେ ସଂକ୍ରମଣ ହୋଇ ଏହି ରୋଗ ହେଉଥିଲେ ବି କେତେକ ଲୋକ ଅଛନ୍ତି, ଯେଉଁ ମାନଙ୍କ ଉପରେ ମଶା କାମୁଡାର କୌଣସି ପ୍ରଭାବ ପଡେନାହିଁ  । ଅର୍ଥାତ୍- ଶରୀର ଦୁର୍ବଳ ଥିଲେ ସଂକ୍ରମଣ ବ୍ୟାପେ  । ମ୍ୟାଲେରିଆ ଆକ୍ରାନ୍ତ କଲେ ସମୟାନ୍ତରରେ ହଠାତ୍ କମ୍ପ ସହ ଜ୍ଵର ଆସିବା, ଝାଳ ବୋହିଯିବା ପରେ ଦୁର୍ବଳ ଲାଗିବା ଆଦି ସାଧାରଣ ଲକ୍ଷଣ  । ଏପରି ହେଲେ ତୁରନ୍ତ ରକ୍ତ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ  । ଔଷଧର କୋର୍ସ ସମ୍ପୂର୍ଣ୍ଣ କରିବା ଆବଶ୍ୟକ  । ନଚେତ୍ ମ୍ୟାଲେରିଆ ଲେଉଟିବାର ଆଶଙ୍କା ରହିଛି  ।

ମଶା ଦାଉରୁ ମୁକ୍ତି ପାଆନ୍ତୁ

ମସା ଘଉଡାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାର ରାସାୟନିକ ତରଳ ପଦାର୍ଥର ରିଫିଲ, କଏଲ ଆଦି ମିଳୁଛି  । ହେଲେ, ଏଗୁଡିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ  । ଏହା ବଦଳରେ ଏସବୁ ବ୍ୟବହାର କରିପାରିବେ  ।

  • ଘରେ କର୍ପୂର ଜଳାନ୍ତୁ  । ଜଳାଇବା ସମୟରେ ୧୦ ମିନିଟ୍ କବାଟ, ଝରକା ବନ୍ଦ କରିଦେବେ  । ଏହାପରେ ଖୋଲିଦେଲେ ମଶା ପଳାଇବେ  ।
  • ରସୁଣର କଡା ବାସ୍ନା ମଶାଙ୍କୁ ଦୂରେଇ ରଖେ  । ତେଣୁ ଦେହରେ ରସୁଣ ରସ ମାରିପାରନ୍ତି  ।
  • ଲାଭେଣ୍ଡର ତେଲରେ ବାସ୍ନାରେ ମଶା ପଳାନ୍ତି  । ଏହାକୁ ଫ୍ରେଶନର ଭାବେ ବ୍ୟବହାର କରି ମଶା ଦାଉରୁ ମୁକ୍ତି ପାଇପାରିବେ  ।
  • ମଶା ପାଇଁ ବ୍ୟବହାର କରୁଥିବା ରିଫିଲ୍ ରେ ନୀଳଗିରି ତେଲ ଏବଂ ଲେମ୍ବୁରସ ମିଶାଇ ରଖନ୍ତୁ  ।
  • ନିମ୍ବ ତେଲକୁ ହାତ, ପାଦରେ ଲଗାନ୍ତୁ ନଚେତ ନଡିଆ ତେଲରେ ନିମ୍ବ ତେଲ ମିଶାଇ ଦୀପ ଜଳାନ୍ତୁ  । ମଶା ରହିବେ ନାହିଁ  ।
  • ଘରେ ପୋଦିନା ପତ୍ରର ରସ ସିଞ୍ଚନ କରନ୍ତୁ  । ଏହାର ରସ ମଧ୍ୟ ଦେହରେ ଲଗାଇଲେ ମଶା କାମୁଡେବେନି  ।
  • ତୁଳସୀ ଗଛ ମଶାକୁ ଦୂରେଇ ରଖେ । ତୁଳସୀ ପତ୍ରର ରସ ଦେହରେ ଲଗାଇଲେ ଏହା ମଧ୍ୟ ମଶାଠାରୁ ସୁରକ୍ଷା ଦେବ ।

ଚିକିତ୍ସା ଅପେକ୍ଷା ପ୍ରତିଷେଧକ ଜରୁରୀ

  • ଘର ଭିତରେ ଏବଂ ଆଖପାଖ ସ୍ଥାନରେ ପାଣି ଜମିବାକୁ ନଦେଲେ ମଶା ସୃଷ୍ଟି ହୋଇପାରିବ ନାହିଁ   ।
  • ମଶା ଜୋର ହେଉଥିବା ସମୟରେ ବିଶେଷକରି ରାତିରେ ଯଥାସମ୍ଭବ ଘର ଭିତରେ ରହିବାର ଚେଷ୍ଟା କରନ୍ତୁ   । ମଶାରି ବ୍ୟବହାର କରିବା ଉଚିତ  । ପରମେଥ୍ରିନଯୁକ୍ତ ମଶାରି ବେଶୀ ସୁରକ୍ଷିତ ରଖେ  । ପୋଷାକରେ ମଧ୍ୟ ପରମେଥ୍ରିନ ଲଗାଇଦେଲେ ମଶା ପାଖକୁ ଆସିବେ ନାହିଁ  ।
  • ଶରୀରର ଅଧିକାଂଶ ଭାଗ ଆବୃତ ହୋଇ ରହୁଥିବା ପୋଷାକ ପିନ୍ଧିଲେ ମଶା କାମୁଡି ପାରିବେ ନାହିଁ  । ଡିଟ୍ କିମ୍ବା ପିକାରିଡିନ୍ ଯୁକ୍ତ କୀଟରୁ ସୁରକ୍ଷା ଦେଉଥିବା କ୍ରିମ୍  ବ୍ୟବହାର କରନ୍ତୁ  । ଏହା କେବଳ ମୁହଁ ଓ ଆଖିକୁ ବାଦ୍ ଦେଇ ଲଗାଯାଇପାରେ  ।

କେତେକ ଅସାବଧାନତା

  • ମ୍ୟାଲେରିଆ ପରି ଅସୁସ୍ଥତା କ୍ଷେତ୍ରରେ ଏହାକୁ ସାଧାରଣ ଜ୍ଵର ଭାବି ଅନେକ ମନକୁ ମନ ଔଷଧ ଖାଇଦିଅନ୍ତି  । ଏହା ବିପଜ୍ଜନକ ହୋଇପାରେ  । ଆସ୍ପିରିନ ଜାତୀୟ ଔଷଧ ଖାଇବା ଆଦୌ ଉଚିତ  ନୁହେଁ  । କେତେକ ଯନ୍ତ୍ରଣା ନିବାରକ ଔଷଧ ମଧ୍ୟ ଖାଇବା ମନା  । କାରଣ, ଯଦି ଡେଙ୍ଗୁ ଆକ୍ରାନ୍ତ କରିଥାଏ, ତେବେ ଏହି ଔଷଧ ଖାଇବା ଦ୍ଵାରା ପ୍ଲେଟଲେଟସ ଅଭାବ ହୋଇ ଶରୀରରୁ ରକ୍ତସ୍ରାବ ଆରମ୍ଭ ହୋଇଯାଏ  ।
  • ଜ୍ଵର ହେଲେ ମଧ୍ୟ ଆଣ୍ଟିବାୟୋଟିକ୍ସ ଖାଇବା ଅନେକଙ୍କର ଅଭ୍ୟାସ  । ଏହାଦ୍ଵାରା ଶରୀରର ରୋଗପ୍ରତିରୋଧକ ଶକ୍ତି ଏହା ଉପରେ ନିର୍ଭରଶୀଳ  ହୋଇଯାଏ ଏବଂ କେତେକ ସ୍ଥଳେ ଉପକାରୀ ବ୍ୟାକ୍ଟେରିଆ ବି ନଷ୍ଟ ହୋଇଯାନ୍ତି   ।
  • ଜ୍ଵର ହୋଇଥିବା ରୋଗୀଙ୍କୁ ବହୁବାର ଚାଦର ଘୋଡାଇ ଶୋଇବାକୁ କୁହାଯାଏ  । ଏହାଦ୍ଵାରା ଝାଳ ବୋହି ଜ୍ଵର ଛାଡିଯିବ ବୋଲି ଧାରଣା ରହିଛି  । କିନ୍ତୁ ଏଥିରେ ଶରୀରର ତାପ ବଢେ  । ତେଣୁ ରୋଗୀଙ୍କୁ ଖୋଲା, ସତେଜ ପବନ ବାଜିବା ପରି ସ୍ଥାନରେ ରଖନ୍ତୁ  । ଗାଧୋଇବା ସମ୍ଭବ ନହେଲେ ଓଦା ଗାମୁଛାରେ ପୋଛିଦେବା ଉଚିତ  । ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହିତ ଆରାମ ଲାଗିଥାଏ  ।

ଏଯାବତ୍ ମ୍ୟାଲେରିଆର କୌଣସି ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇପାରେନାହିଁ  । ଚଳିତ ବର୍ଷ ସୁଦ୍ଧା ଆରଟିଏସ୍ (ଯାହା ମସ୍କିରିକ୍ସ ନାମରେ ପରିଚିତ) ଟିକା ପ୍ରସ୍ତୁତ ହୋଇ ଘାନା, ମାଲାୱି ଏବଂ କେନିଆରେ ଆରମ୍ଭ ହେବାର ଥିଲା  । ତେବେ ପରେ ଏହି କାର୍ଯ୍ୟକ୍ରମ ବର୍ଷ ଶେଷକୁ ଘୁଞ୍ଚାଇ ଦିଆଯାଇଛି ଏବଂ ତିନୋଟି ମଧ୍ୟରୁ କୌଣସି ଗୋଟିଏ ଦେଶରେ ହେବାର ସୂଚନା ମିଳିଛି  । ପୂର୍ବରୁ ୨୦୧୧ ମସିହାରେ ଏହି ଟିକା ପ୍ରସ୍ତୁତି ଚାଲିଥିବା ବେଳେ ୨୦୧୫ ମସିହା ସୁଦ୍ଧା ଏହା ଲାଇସେନ୍ସ ପାଇ ବ୍ୟବହାର ଉପଯୋଗୀ ହେବ ବୋଲି ଚର୍ଚ୍ଚା ହେଇଥିଲା, ଯାହା ପୁଣି ବିଳମ୍ବିତ ହୋଇଯାଇଛି  ।

ସଂଗୃହୀତ – ଡାକ୍ତର ନିରଞ୍ଜନ ତ୍ରିପାଠୀ

 

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate