ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ସର୍ପ ଦଂଶନଜନିତ ସାବଧାନତା
ସେଆର କରନ୍ତୁ

ସର୍ପ ଦଂଶନଜନିତ ସାବଧାନତା

ସର୍ପ ଦଂଶନଜନିତ ସାବଧାନତା ର ସୂଚନା

ସର୍ପ ଦଂଶନଜନିତ

ବିଷାକ୍ତ ଓ ବିଷହୀନ ଏହିପରି ଦୁଇ ପ୍ରକାର ସାପ ଥାଆନ୍ତି  । କେତେକ ସାପ ସ୍ଥଳ ଭାଗ ଓ ଗଛ ଆଦିରେ ରହୁଥିବା ବେଳେ ଅନ୍ୟ କେତେକ ପାଣିରେ ରହିଥାନ୍ତି  । ସାପ ଶୀତଳ ରକ୍ତ ବିଶିଷ୍ଟ ପ୍ରାଣୀ ହୋଇଥିବାରୁ ଶୀତଦିନେ ଗାତରେ ଏବଂ ଖରାଦିନେ ଓ ବର୍ଷା ଦିନରେ ଗାତା ବାହାରେ ରହିଥାଏ  । ସାଧାରଣତଃ ମୂଷା, ବେଙ୍ଗ ଓ ଛୋଟ ଜନ୍ତୁ, ଚଢେଇଛୁଆ ଓ ଅଣ୍ଡା ଇତ୍ୟାଦି ଖାଇବା ପାଇଁ ଏହା ଘରେ ଓ ଖଳାବାଡିରେ, ଜମି ହିଡରେ, ବୁଦାରେ ଓ ହୁଙ୍କା ମାନଙ୍କରେ ଥାଏ  । ଅକସ୍ମାତ ଗୋଡ ପଡିଗଲେ ଆଘାତ ଆସିଲେ କାମୁଡିଥାଏ  । ସାଧାରଣତଃ ନାଗ, ଗୋଖର, ରଣା, ତମ୍ପ, ଚିତି, ବୋଡା, ଗଛରେ ରହୁଥିବା ରାଟଲସାପ ଇତ୍ୟାଦି ଶତାଧିକ ବିଷଯୁକ୍ତ ଅଟନ୍ତି  । ସେମାନଙ୍କ ମଧ୍ୟରେ ତମ୍ପ, ନାଗ, ଗୋଖର ଓ ରଣା ସାପ ପ୍ରାୟତଃ କାମୁଡିଲେ ଓ ତା’ର କୌଣସି ଠିକ ଚିକିତ୍ସା ନ କଲେ ମୃତ୍ୟୁ ହୋଇଥାଏ  ।

ଆମ ଦେଶ ଓ ରାଜ୍ୟ ଏକ ମୌସୁମୀ ପ୍ରଧାନ ଓ କୃଷିକର୍ମ ଯୁକ୍ତ ଅଞ୍ଚଳ ରୂପେ ପରିଗଣିତ  । ସାଧାରଣତଃ ଲୋକମାନେ ଜୀବନ ଧାରଣ ପାଇଁ ଜମିବାଡି, ବଣ ଜଙ୍ଗଲ ଓ ବାହାର ସ୍ଥାନରେ କାମ କରିଥାନ୍ତି  । ଅନେକ ସମୟରେ ଗାଁ ଗଣ୍ଡା ଓ ସହରର ବସ୍ତିରେ ତଳୁଆ, ପାଣି ପଶିଯାଉଥିବା ଓ ଘରଟି ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜନ୍ତୁଜୁନ୍ତାଙ୍କ ଠାରୁ ବନ୍ଦ ନ ହୋଇ ପାରୁଥିବା ଦେଖାଯାଇଥାଏ  । ଏହାଦ୍ୱାରା ଘର ମଧ୍ୟରେ ଓ ବାହାରେ ବିଶେଷତଃ ବର୍ଷା ଓ ଧାନ ତଥା ଅନ୍ୟ ଫସଲ ଅମଳ ସମୟରେ ମୂଷା ଓ ଅନ୍ୟାନ୍ୟ କୀଟ ଏବଂ ତୃଣଭୋଜୀ ଛୋଟ ପ୍ରାଣୀମାନେ ବୃଦ୍ଧି ପାଇଥାନ୍ତି  । ସେମାନଙ୍କୁ ଖାଇବା ପାଇଁ ସାପମାନେ ମଧ୍ୟ ଘରକୁ ପଶିଥାଆନ୍ତି  । ବିଲରେ କାମ କରିବା ବେଳେ, ଅନ୍ଧାରରେ ବାହାରକୁ ଗଲା ବେଳେ, ରାତିରେ ଚଟାଣରେ ଶୋଇଥିବା ବେଳେ ଓ ବହୁ ସମୟରେ ଅସାବଧାନତାରୁ ସର୍ପ ଦଂଶନ ହୋଇଥାଏ  । ଆମ ପରମ୍ପରାରେ ସାପମାନଙ୍କୁ ବିଶେଷତଃ ‘ନାଗ’ ଭାବରେ ପୂଜା କରାଯାଇଥାଏ  । ଶିବଙ୍କ ବେକରେ ସାପ ଶୋଭାପାଇଥାନ୍ତି  ।

ସରକାରୀ ଆକଳନ

ସମ୍ପ୍ରତି ସରକାରୀ ଆକଳନରୁ ଜଣାଯାଇଛି ଯେ, ୨୦୧୫ – ୧୬ ରୁ ୨୦୧୭-୧୮ ତିନିବର୍ଷ ମଧ୍ୟରେ ବିଭିନ୍ନ ବିପର୍ଯ୍ୟୟ ଯୋଗୁ ମୋଟ ୪୬୮୯ ଜଣ ପ୍ରାଣ ହରାଇଥିବା ବେଳେ ସେଥିରୁ କେବଳ ସାପ କାମୁଡା ଯୋଗୁ ୧୭୧୬ ଜଣଙ୍କର ଅର୍ଥାତ ୩୭% ଭାଗ ସାପ କାମୁଡାରୁ ମରିଛନ୍ତି  । ୨୦୧୫-୧୬ ରେ ଏହା ୪୪୬ ଥିବା ବେଳେ, ୨୦୧୭-୧୮ ରେ ସାପ କାମୁଡା ଯୋଗୁ ୬୭୬ ଜଣ ମରିଛନ୍ତି  । ଏହା ୫୬% ବୃଦ୍ଧି ପାଇଛି  ।

ରାଜ୍ୟରେ ସାପକାମୁଡାଜନିତ ମୃତ୍ୟୁ ସଂଖ୍ୟା ବାଲେଶ୍ଵରରେ ସର୍ବାଧିକ ୧୬୮ ରହିଥିବା ବେଳେ ଗଞ୍ଜାମରେ ୧୪୭ ଓ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ପ୍ରତ୍ୟକ ୧୪୫ ଜଣ ରହିଛି  । ମୋଟ ସାପକାମୁଡାଜନିତ ମୃତ୍ୟୁର ୮୫ ଭାଗ ମେ ଠାରୁ ଅକ୍ଟୋବର ଏହି ୬ ମାସ ମଧ୍ୟରେ ହୋଇଥାଏ  । ଏହି ସମୟରେ ବର୍ଷା ଓ ବନ୍ୟା ହେଉଥିବାରୁ ଏହି ସଂଖ୍ୟା ଅଧିକ ହୋଇଥାଏ  । ଗତ ତିନିବର୍ଷରେ ମୃତ୍ୟୁସଂଖ୍ୟା ମଧ୍ୟରୁ ଜୁଲାଇରେ ସର୍ବାଧିକ ୩୧୪ ଜଣ, ଅଗଷ୍ଟରେ ୩୦୬, ଜୁନରେ ୨୮୧, ସେପ୍ଟେମ୍ବରରେ ୨୫୩, ମେରେ ୧୫୬ ଓ ଅକ୍ଟୋବରରେ ୧୫୪ ଜଣ ମରିଥିବା ରେକର୍ଡ ରହିଛି  । ଏହି ସଂଖ୍ୟା ବେସରକାରୀ ଭାବେ ଅଧିକ ହୋଇପାରେ  ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ୨୦୧୭-୧୮ରେ ମୋଟ ୧୧ ହଜାର ୧ ଜଣ ଚିକିତ୍ସିତ ହୋଇଛନ୍ତି  । ସେହିରୁ ୬୯୬ ଜଣ ମୃତ୍ୟୁବରଣ କରିଛନ୍ତି  । ଏତେ ସଂଖ୍ୟକ ସାପ କାମୁଡାକୁ ରୋକିବା ଓ ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ଯୋଜନା-ଜଙ୍ଗଲ ଓ ପରିବେଶ ବିଭାଗ, ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ନେଇ କରୁଥିବାର ଜଣାପଡିଛି  । ଅନ୍ୟ ବିପର୍ଯ୍ୟୟଜନିତ ମୃତ୍ୟୁ ପରି ଏହା ଜଣାପଡୁ ନ ଥିଲେ ହେଁ ସର୍ବାଧିକ ସଂଖ୍ୟାର ମୃତ୍ୟୁ ଏହା ଯୋଗୁ ହିନ ହେଉଛି  ।

ସେହିପରି ଆମ ଦେଶରେ ପ୍ରତିବର୍ଷ ସାପକାମୁଡା ୪୬୦୦୦ ଲୋକ ମୃତ୍ୟୁବରଣ କରିଥାନ୍ତି  । ଏହାଠାରୁ ଅଧିକ ସଂଖ୍ୟାର ମୃତ୍ୟୁରିପୋର୍ଟ ହୋଇ ନ ଥାଏ  । ସାରା ବିଶ୍ଵରେ ମଧ୍ୟ ପ୍ରତିବର୍ଷ ୧ ଲକ୍ଷରୁ ଅଧିକ ଲୋକ ସର୍ପାଘାତଜନିତ ମୃତ୍ୟୁବରଣ କରିଥାନ୍ତି  । ଏହା ମଧ୍ୟରୁ ଅଧାଲୋକଙ୍କର ମୃତ୍ୟୁ ଆମ ଦେଶରେ ଘଟେ  ।

ସାରା ବିଶ୍ଵରେ ପ୍ରତିବର୍ଷ ୧୨୦ ଲକ୍ଷରୁ ୫୫୦ ଲକ୍ଷ ପର୍ଯ୍ୟନ୍ତ ସର୍ପାଘାତ ହୋଇଥାଏ ଓ ତନ୍ମଧ୍ୟରୁ ୪ ଲକ୍ଷ ୨୧ ହଜାରରୁ ୧୮ ଲକ୍ଷ ୪୧ ହଜାର ବିଷାକ୍ତ ସର୍ପ ଦଂଶନ ହୋଇଥାଏ  । ଏଥିରୁ ୨୦,୦୦୦ରୁ ୧ ଲକ୍ଷ ପର୍ଯ୍ୟନ୍ତ ମୃତ୍ୟୁମୁଖରେ ପଡିଥାନ୍ତି  ।

ବିଷାକ୍ତ ଓ ବିଷହୀନ ଏହିପରି ଦୁଇ ପ୍ରକାର ସାପ ଥାଆନ୍ତି  । କେତେକ ସାପ ସ୍ଥଳ ଭାଗ ଓ ଗଛ ଆଦିରେ ରହୁଥିବା ବେଳେ ଅନ୍ୟ କେତେକ ପାଣିରେ ରହିଥାନ୍ତି  । ସାପ ଶୀତଳ ରକ୍ତ ବିଶିଷ୍ଟ ପ୍ରାଣୀ ହୋଇଥିବାରୁ ଶୀତଦିନେ ଗାତରେ ଏବଂ ଖରାଦିନେ ଓ ବର୍ଷା ଦିନରେ ଗାତ ବାହାରେ ରହିଥାଏ  । ସାଧାରଣତଃ ମୂଷା, ବେଙ୍ଗ ଓ ଛୋଟ ଜନ୍ତୁ, ଚଢେଇଛୁଆ ଓ ଅଣ୍ଡା ଇତ୍ୟାଦି ଖାଇବା ପାଇଁ ଏହା ଘରେ ଓ ଖଳାବାଡିରେ, ଜମି ହିଡରେ, ବୁଦାରେ ଓ ହୁଙ୍କାମାନଙ୍କରେ ଥାଏ  । ଅକସ୍ମାତ ଗୋଡ ପଡିଗଲେ ଆଘାତ ଆସିଲେ କାମୁଡିଥାଏ  ।

ସାଧାରଣତଃ ନାଗ, ଗୋଖର, ରଣା, ତମ୍ପ, ଚିତି, ବୋଡା, ଗଛରେ ରହୁଥିବା ରାଟଲସାପ ଇତ୍ୟାଦି ଶତାଧିକ ବିଶଯୁକ୍ତ ଅଟନ୍ତି  । ସେମାନଙ୍କ ମଧ୍ୟରେ ତମ୍ପ, ନାଗ, ଗୋଖର ଓ ରଣା ସାପ ପ୍ରାୟତଃ କାମୁଡିଲେ ଓ ତା’ର କୌଣସି ଠିକ ଚିକିତ୍ସା ନ କଲେ ମୃତ୍ୟୁ ହୋଇଥାଏ  । ସାପ କାମୁଡାର ୮୦% ବିଷହୀନ ସାପ ଯଥା ଧଣ୍ଡ, ଢମଣା, କାଣ୍ଡନଳ ସାପ ଦ୍ଵାରା ହୋଇଥାଏ  । ମାତ୍ର ବିଷହୀନ ହେଉ ବା ବିଷଯୁକ୍ତ ହେଉ ସାପ କାମୁଡିଲେ କାଳ ବିଳମ୍ବ ନ କରି ଚିକିତ୍ସା କରାଇବା ଉଚିତ  ।

ଯଦିଓ ଝଡାଫୁଙ୍କା, ଗଦ ଓ ଜାରମହୁରା ଆଦି ଦ୍ଵାରା ଓ ମନ୍ଦିରକୁ ଯାଇ ପାଣି ଢାଳିବା ପରି ଅନେକ ଆବହମାନ କାଳରୁ ପ୍ରଚଳିତ ବ୍ୟବସ୍ଥା ଇତ୍ୟାଦି ଅନୁପଯୋଗୀ ବୋଲି କହିହେବ ନାହିଁ  । ତଥାପି ସେସବୁର ସମୟ ନଷ୍ଟ ନ କରି ଚିକିତ୍ସା ମାଧ୍ୟମରେ ସାପକାମୁଡାଜନିତ ମୃତ୍ୟୁକୁ ୧୦୦% ଏଡାଯାଇପାରିବ  ।

ପ୍ରଥମତଃ ସାପଟିକୁ ଚିହ୍ନିବାକୁ ପଡିବ, ଅନେକ କ୍ଷେତ୍ରରେ ଏହା ହୋଇପାରି ନ ଥାଏ  । କେଉଁ ସ୍ଥାନକୁ କାମୁଡିଛି, ମୁହଁ, ମୁଣ୍ଡ ଉପର ଭାଗ ଶରୀର ହୋଇଥିଲେ ବିପଦପୂର୍ଣ୍ଣ  । ଗୋଡ କିମ୍ବା ହାତ ହୋଇଥିଲେ ବେଳେବେଳେ ଲୁଗା ବା ଦଉଡି ଦ୍ଵାରା ଗଣ୍ଠି ପକାଇ ଦିଅନ୍ତି ଓ ପଟି ବାନ୍ଧନ୍ତି  । ଏହା ବିଷକୁ ସହଜରେ ରକ୍ତରେ ମିଶିବାକୁ ଦେଇ ନ ଥାଏ  । ମାତ୍ର ଏହା ମଧ୍ୟ ବିପଦପୂର୍ଣ୍ଣ ହୋଇଥାଏ, କାରଣ ଖୋଲିବା ସଙ୍ଗେ ସଙ୍ଗେ ଏହା ଖୁବ୍ ଶୀଘ୍ର ରକ୍ତରେ ମିଶିଯାଏ  । ବନ୍ଧା ଯାଇଥିବା ସ୍ଥାନଟି ରକ୍ତ ସଞ୍ଚାରଣ ଅଭାବରୁ ଗୋଦରା ହୋଇଯାଏ  । ସାପର ବିଷ ମୁଖ୍ୟତଃ ୨ ପ୍ରକାରର – ଗୋଟିଏ ପ୍ରକାର ହେଉଛି ରକ୍ତକୁ ପାଣି ଫଟେଇ ଦିଏ ଓ ଅକାମୀ କରି ପକାଏ – ହିମୋଲାଇଟିକ ଫଳରେ ଶକ୍ ଓ ମୃତ୍ୟୁ ହୋଇଥାଏ  । ଅନ୍ୟଟି ସ୍ନାୟୁ ବିନାଶ କାରୀ ବା ନ୍ୟୁରୋଜେନିକ, ଏହା ଦ୍ଵାରା ସ୍ନାୟୁ ଅକାମି ହୋଇ ମୃତ୍ୟୁ ହୋଇଥାଏ  । ଅନେକ ସମୟରେ ଦୁଇ ପ୍ରକାରର ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ  । ନାଗ, ଗୋଖର, ଚିତି ସ୍ନାୟୁ ବିଷଯୁକ୍ତ, ବୋଡା ରକ୍ତ ନଷ୍ଟକାରୀ ବିଷଯୁକ୍ତ ଓ ରଣା ଏବଂ ତମ୍ପ ଉଭୟ ବିଷଯୁକ୍ତ ଅର୍ଥାତ ରଣା ଅଧିକ ସ୍ନାୟୁ ଓ ତମ୍ପ ଅଧିକ ରକ୍ତ ବିଷଯୁକ୍ତ ହୋଇଥାଏ  ।

ପ୍ରଥମତଃ କାମୁଡିଥିବା ସ୍ଥାନକୁ ଭଲ ଭାବରେ ଦେଖିଲେ ଜଣାଯାଏ ଯେ ଦୁଇଟି ପାଖାପାଖି ସମାନ ଭାବେ ଛୁଞ୍ଚି ଫୋଡିବା ପରି ଚିହ୍ନ ଥାଏ  । ଏହାକୁ କାମୁଡା ଚିହ୍ନ କୁହାଯାଏ  । ସାପଟି ଯଦି ବହୁ ଦିନ ହେଲା ଆଘାତ ନ କରି ରହନ୍ତି ତା’ହେଲେ ଅଧିକ ବିଷ ଝଡିଥାଏ  । ପୁନଶ୍ଚ ଯଦି ଭଲ ଭାବେ ଓ ଜୋର ସହିତ କାମୁଡିଥାଏ ତା’ହେଲେ ଅଧିକ ବିଷ ଛାଡିଥାଏ  । ଅତ୍ୟଧିକ ରାଗରେ ଫଣାଟେକି ଖୁବ୍ ବେଗରେ କାମୁଡିଲେ ମଧ୍ୟ ଅତ୍ୟଧିକ ବିଷ ଯାଇଥାଏ  । ସାପର ଦାନ୍ତ ଦୁଇଟି ଓ ଏହା ଆମର ଇଞ୍ଜେକ୍ଶନ ଛୁଞ୍ଚି ପରି କାମ କରିଥାଏ  । ତା’ର ଥିବା ବିଷ ଗ୍ରନ୍ଥିରୁ ଗାଢ ଓ ତରଳ ବିଷ ଶରୀର ମଧ୍ୟକୁ ଦାନ୍ତ ଦେଇ ପ୍ରବେଶ କରିଥାଏ  । ଦାନ୍ତ (ବିଷଦାନ୍ତ) ରେ କଣା ଥାଏ  । କେଳା ଓ ସାପୁଆମାନେ ବିଷଧର ସାପ ଧରିବା ପରେ ତା’ର ବିଷଦାନ୍ତ ଭାଙ୍ଗିଦେଇଥାନ୍ତି  । ସାପୁଆ କେଳାମାନେ ମଧ୍ୟ ଗାଁ ଗହଳି ଓ ସହର ବଜାରରେ ସାପ ଖେଳାଇ, ଗଦ ଜରମହୁରା ତଥା ଡେଉଁରିଆ ବିକି ଜୀବନ ନିର୍ବାହ କରୁଥିଲେ  । ଏବେ ଏହା ଆଇନତଃ ବନ୍ଦ ହୋଇଛି  । ଭୁବନେଶ୍ୱର ‘ପଟିଆ’ ସାପମାନଙ୍କର ଏକ ପ୍ରମୁଖ ସ୍ଥାନ ଥିଲା  ।

ଏହିପରି ଚିହ୍ନ ଥିଲେ ଓ ସାପ କାମୁଡିବାର ଜଣାପଡିଲେ ସଙ୍ଗେ ସଙ୍ଗେ ସମୟ ନଷ୍ଟ ନ କରି ଡାକ୍ତରଖାନାରେ ଚିକିତ୍ସା କରାଇବା ଉଚିତ  । ଯଦି ୧୦୦% ଜଣାପଡେ ଯେ ସାପଟି ବିଷାକ୍ତ ନୁହେଁ ତା’ହେଲେ ମଧ୍ୟ ଅତିକମ୍ ରେ ଟିଟାନସ୍ ଇଞ୍ଜେକ୍ଶନ ତିନେ ନେବା ଉଚିତ ଓ ରକ୍ତ ପରୀକ୍ଷା କରାଇନେବା ଦରକାର  । ଏଥି ନିମନ୍ତେ ଗୋଟିଏ ନୂଆ ୫ ମି.ଲି. ସିରିଞ୍ଜରେ ୫ ମି.ଲି. ରକ୍ତ ଟଣାଯାଇ ରଖାଯାଇଥାଏ  । ଏହି ରକ୍ତ ଜମାଟ ବାନ୍ଧୁଛି ନା ନାହିଁ ଦେଖାଯାଏ   । ରକ୍ତ ଜମାଟ ନ ବାନ୍ଧିଲେ ସାପ ବିଷ ଯୁକ୍ତ ହୋଇଛି ବୋଲି ଜଣାଯାଏ  । ଏହାକୁ ଡବ୍ଲ୍ୟୁସିଟି ପରୀକ୍ଷା କୁହାଯାଏ  । ପ୍ରକାରାନ୍ତେ ସାପ  ବିଷର ପରୀକ୍ଷା ମଧ୍ୟ କରାଯାଇପାରିବ, ମାତ୍ର ଏହା ଏଠାରେ ଉପଲବ୍ଧ ନୁହେଁ  ।

ସଂଗୃହୀତ – ଡା. ରାମଚନ୍ଦ୍ର ରାଉତ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top