অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହରମୋନ୍ଥେରାପି, କେମୋଥେରାପି ଓ ରେଡିଓଥେରାପି

ହରମୋନ୍ଥେରାପି, କେମୋଥେରାପି ଓ ରେଡିଓଥେରାପି

ହରମୋନ୍ଥେରାପି କ’ଣ

ହରମୋନ୍ଥେରାପି ପାଇଁ ଯେଉଁ ଔଷଧ ବ୍ୟବହାର କରାଯାଏ, ତା’ର ନାମ ଟାମୋକ୍ସିଫେନ୍ (Tamoxifen)। ଏହା ଏକ ଅତ୍ୟନ୍ତ ନିରାପଦ ଔଷଧ । ଏହାକୁ ଦିନରେ ୨୦ ମିଲିଗ୍ରାମ(20 mg.)କରି ପ୍ରତିଦିନ ଖିଆଯାଇଥାଏ । ଚିକିତ୍ସକ ରୋଗୀକୁ ଏହି ଔଷଧ ୫ ବର୍ଷ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଏହି ଔଷଧ ସେବନ ଦ୍ଵାରା ରୋଗୀ ଶରୀରରେ ଉଷ୍ମତା ଅନୁଭବ କରିପାରନ୍ତି । ସମୟେ ସମୟେ ଏହାର ପ୍ରଭାବରେ ଯୋନିରୁ ରକ୍ତସ୍ରାବ ହୋଇଥାଏ । ଏହାହେଲେ ତୁରନ୍ତ ଚିକିତ୍ସକଙ୍କୁ ଜଣାଇବା ଉଚିତ୍ । ଆଜିକାଲି ଆହୁରି ଉଚ୍ଚମାନର ଔଷଧ (aromatase inhibitors) ବାହାରିଲାଣି । ବେଳେବେଳେ ରୋଗୀଙ୍କୁ ଦିଆଯାଉଛି । ER, PR, her ର new test କରାଯାଇ ହରମୋନ୍ ଚିକିତ୍ସା କରାଯାଏ ।

କେମୋଥେରାପି କ’ଣ ?

କର୍କଟ ରୋଗକୁ ଔଷଧ ଦ୍ଵାରା ଚିକିତ୍ସା କରିବା ପଦ୍ଧତିକୁ କେମୋଥେରାପି କୁହାଯାଏ । ଏହା ସାଧାରଣତଃ ଇଞ୍ଜେକ୍ସନ । ଏହାକୁ ଶରୀରରେ ପ୍ରୟୋଗ କରିବାର ବିଧି ଅତ୍ୟନ୍ତ କଠିନ ହୋଇଥିବାରୁ ଚିକିତ୍ସକ, ରୋଗୀକୁ ଏହି ଔଷଧ କିପରି ଓ କେତେବେଳେ ନେବ, ତାହା ପୂର୍ବରୁ ସୂଚନା ଦେଇଥାନ୍ତି । ରୋଗୀ, ଏହି ଔଷଧ ନେବାର ସମୟ, ମାତ୍ରା ଏବଂ ବ୍ୟବଧାନ, ଚିକିତ୍ସକଙ୍କ ଠାରୁ ସ୍ପଷ୍ଟଭାବେ ବୁଝିନେବା ଉଚିତ୍ । ବେଳେ ବେଳେ କେମୋଥେରାପି ଅତ୍ୟନ୍ତ ଖର୍ଚ୍ଚବହୁଳ ହୋଇଥାଏ । ଯେଉଁମାନେ ଏହି ଔଷଧ କିଣିବା ପାଇଁ ସକ୍ଷମ ନୁହଁନ୍ତି, ସେମାନଙ୍କୁ ଦେଶରେ ଥିବା ବହୁ ସମାଜସେବୀ ସଂସ୍ଥା ସ୍ୱଳ୍ପ ମୂଲ୍ୟରେ ଏହି ଔଷଧ ଯୋଗାଇ ଦେଇଥାଆନ୍ତି । ଏହି କ୍ଷେତ୍ରରେ ସମାଜସେବୀ ସଂସ୍ଥାମାନଙ୍କ ପାଖକୁ ଡାକ୍ତରଙ୍କ ସୁପାରିଶ ଦରକାର ପଡେ ।

କେମୋଥେରାପି ଦ୍ଵାରା ପାର୍ଶ୍ଵପ୍ରତିକ୍ରିୟା

କେମୋଥେରାପି ପ୍ରୟୋଗ ଦ୍ଵାରା ରୋଗୀର ପାର୍ଶ୍ଵ ପ୍ରତିକ୍ରିୟା (side effect) ଭିନ୍ନ ଭିନ୍ନ ରୋଗୀଙ୍କର ଭିନ୍ନ ଭିନ୍ନ ଦେଖାଯାଏ । ଏହା ନିରାନନ୍ଦ ପ୍ରତିକ୍ରିୟା ସୃଷ୍ଟି କରିପାରେ । କେତେକ ରୋଗୀଙ୍କୁ ବାନ୍ତି ଓ କୋହି ଦେଖାଇବା, ତରଳ ଝାଡା ହେବା, ଦୁର୍ବଳ ଅନୁଭବ କରିବା ଏବଂ ତଳିପେଟରେ ଦରଜ ଇତ୍ୟାଦି ଅନୁଭବ କରିଥାଆନ୍ତି । ମାତ୍ର ଏହି ଲକ୍ଷଣଗୁଡିକ ସାତ ଦିନ ମଧ୍ୟରେ ଚାଲିଯାଇଥାଏ । ଦରକାର ପଡିଲେ ଏହି ଲକ୍ଷଣଗୁଡିକର ଚିକିତ୍ସା ପାଇଁ ଚିକିତ୍ସକ ଔଷଧ ଦେଇଥାଆନ୍ତି । ଏତଦ୍ବ୍ୟତୀତ ରୋଗୀର ମୁଣ୍ଡରୁ ଚୂଳ ଉପୁଡିଯାଏ । ମାତ୍ର କେମୋଥେରାପି ପଦ୍ଧତି ସଂପୂର୍ଣ୍ଣ ହେଲାପରେ ପୁଣି ଚୂଳ ଉଠିଯାଏ । ଆହୁରି ମଧ୍ୟ ରୋଗୀର ପରିସ୍ରା ଗାଢ ହଳଦିଆ କିମ୍ବା ଲାଲ ହୋଇଥାଏ ଏବଂ ନଖଗୁଡିକ ନୀଳ କିମ୍ବା କଳା ବର୍ଣ୍ଣ ହୋଇଯାଇପାରେ । ଏଥିପାଇଁ ରୋଗୀ ଭୟଭୀତ ହେବା ଉଚିତ ନୁହେଁ ।

କେମୋଥେରାପି ବେଳେ ସାବଧାନତା

କେମୋଥେରାପି ପୂର୍ବରୁ  ଚିକିତ୍ସକ, ରୋଗୀର ରକ୍ତରେ ଥିବା ହେମୋଗ୍ଲୋବିନ ଓ ଶ୍ଵେତ ରକ୍ତ କଣିକା (white blood cell)କୁ ପରୀକ୍ଷା କରିଥାଆନ୍ତି । କାରଣ କେମୋଥେରାପି ଦ୍ଵାରା ଏହି ଉଭୟ ରକ୍ତ କଣିକା କମିଯାଆନ୍ତି । ଯଦି ସବୁ ଠିକ୍ ଥାଏ କେମୋଥେରାପି ପଦ୍ଧତି ଚାଲୁ ରଖାଯାଏ । ତଥାପି ରୋଗୀର ଅବସ୍ଥା ଦେଖି ଚିକିତ୍ସକ କେମୋଥେରାପି ଇଞ୍ଜେକ୍ସନକୁ କିଛି ଦିନ ପାଇଁ ବନ୍ଦ ରଖିଥାଆନ୍ତି ।

କେମୋଥେରାପି ସମୟରେ ନିମ୍ନଲିଖିତ ସାବଧାନତା ଅବଲମ୍ବନ କରିବା ଉଚିତ୍

ଜ୍ଵର : କେମୋଥେରାପି ନେବା ସମୟରେ ରୋଗୀର ଶରୀର ସଂକ୍ରମଣ (Infection)ହେବାର ସମ୍ଭାବନା ଥାଏ । ଯଦି ରୋଗୀ ଅତ୍ୟଧିକ ଜ୍ଵରରେ ପୀଡିତ ହୁଏ, ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ । ସେତେବେଳେ ରୋଗୀକୁ ଡାକ୍ତରଖାନାରେ ରଖି ଆଣ୍ଟିବାଇଓଟିକ୍ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରାଯାଏ । ଏହି ସମୟରେ ଜ୍ଵର କ୍ଷତିକାରକ ସଙ୍କେତ ହୋଇଥିବାରୁ ଏହାକୁ ଶୀଘ୍ର ନିୟନ୍ତ୍ରଣାଧୀନ କରିବା ଉଚିତ୍ ।

ନିମ୍ନଲିଖିତ ବିଷୟ ପ୍ରତି ରୋଗୀ ବିଶେଷକରି ଧ୍ୟାନ ଦେବା ଉଚିତ୍ ।

କେମୋଥେରାପି ସମୟରେ   ସାବଧାନତା :

  1. ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ।
  2. ଫଳଜାତୀୟ ଖାଦ୍ୟ ଖାଇବା ପୂର୍ବରୁ ଭଲଭାବେ ଧୋଇ ପରିଷ୍କାର କରି ଖାଆନ୍ତୁ ।/li>
  3. ସିଝା କିମ୍ବା ବିଶୋଧିତ ପାଣି ପିଅନ୍ତୁ ।
  4. ଖାଇବା ପୂର୍ବରୁ ଭଲ ଭାବରେ ହାତ ମୁହଁ ପରିଷ୍କାର କରି ଖାଆନ୍ତୁ ।
  5. ନରମ ବ୍ରସ୍ ବ୍ୟବହାର କରି ଦାନ୍ତ ଓ ପାଟିରେ ଯତ୍ନ ନିଅନ୍ତୁ ।
  6. ଅଙ୍ଗୁଳିର ନଖ ବଢାନ୍ତୁ ନାହିଁ ଓ କାଟିଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ ।
  7. ଲୋକଗହଳିକୁ ଯାଆନ୍ତୁ ନାହିଁ । ତଦ୍ୱାରା ରୋଗୀ ସଂକ୍ରମିତ ହେବାର ଆଶଙ୍କା ଦୂର ହୋଇଥାଏ ।
  8. ଦେହକୁ ଅଯଥା ଅପରିଷ୍କାର ଲୋମ ଯଥା କାଖ ସନ୍ଧି, ଜଙ୍ଘ ସନ୍ଧି ଇତ୍ୟାଦି ସଫା କରିବା ପାଇଁ ବ୍ଲେଡ୍ ବଦଳରେ ଲୋସନ୍ ବ୍ୟବହାର କରନ୍ତୁ ।
  9. ଚର୍ମକୁ ନ ବାଧିଲାପରି ସରଳ ସ୍ନାନ ପଦ୍ଧତି ଅନୁସରଣ କରନ୍ତୁ ।
  10. ଦେହରେ କୌଣସି ଜାଗାରେ ବଥ ବା ବ୍ରଣ ହେଲେ ତାକୁ ଛିଡାନ୍ତୁ ନାହିଁ  ।

କର୍କଟ ରୋଗ ଚିକିତ୍ସା ସମୟରେ ଖାଦ୍ୟ

ଉତ୍ତମ  ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଖାଆନ୍ତୁ । କର୍କଟ ରୋଗୀ ଖାଦ୍ୟ ଖାଇବା ସମୟରେ ବାନ୍ତି ଅନୁଭବ କଲେ, ଖାଇବାର ବ୍ୟବଧାନ କମାଇ ଅଳ୍ପ ଅଳ୍ପ କରି ବେଶିଥର ଖାଇବା ଉଚିତ୍ । ତନ୍ମଧ୍ୟରେ ତରଳ ଖାଦ୍ୟର ପରିମାଣ ଅଧିକ ହେବା ବାଞ୍ଛନୀୟ । ଯଦି ଚିକିତ୍ସକ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ନିର୍ଦ୍ଧାରିତ କରି ନଥାନ୍ତି ତାହାହେଲେ ଅଧିକ ପରିମାଣରେ ଫଳ, ଅଣ୍ଡା, କଞ୍ଚା ମଟର ଦାନା, ମାଛ, ମାଂସ ଏବଂ କ୍ଷୀର ଇତ୍ୟାଦି ଖାଇପାରନ୍ତି । ଖାଦ୍ୟ ଖାଇବା ପୂର୍ବରୁ କିଛି ସମୟ ଚାଲିଲେ ରୋଗୀର କ୍ଷୁଧା ଓ ଖାଦ୍ୟ ରୁଚି ବଢିଥାଏ । ଏପରି କୌଣସି ଖାଦ୍ୟ ଯାହା ଅରୁଚିକର ବୋଧହେବ, ତାହାକୁ କ୍ଷୀର କିମ୍ବା ଫଳରସ ସହିତ ଖାଇବେ । ରୋଗୀ ପାଇଁ ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ ।

କେମୋଥେରାପି ସମୟରେ ମାସିକ ଋତୁସ୍ରାବ

କେମୋଥେରାପି ସମୟରେ ମାସିକ ଋତୁସ୍ରାବ ବନ୍ଦ ହୋଇଗଲେ କିମ୍ବା ଅନିୟମିତ ହେଲେ ଭୟ କରନ୍ତୁ ନାହିଁ । କାରଣ କେମୋଥେରାପିରେ ଥିବା ଉପାଦାନଗୁଡିକ ବସ୍ତୁତଃ ମାସିକ ଋତୁସ୍ରାବକୁ ପ୍ରଭାବିତ କରିଥାଆନ୍ତି । ଅଳ୍ପବୟସ୍କା ସ୍ତ୍ରୀଲୋକମାନଙ୍କର ପ୍ରାୟ କିଛି ମାସ ପରେ ପୁଣି ଋତୁସ୍ରାବ ନିୟମିତ ହୋଇଥାଏ । ମାତ୍ର ବୟସ୍କା ଲୋକମାନଙ୍କ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ  ।

କେମୋଥେରାପି ଦ୍ଵାରା କେଶ ଉପୁଡିବା

କେମୋଥେରାପି ନେବା ସମୟରେ କେଶ ଉପୁଡିବା ଏକ ସାଧାରଣ ପ୍ରତିକ୍ରିୟା ହୋଇଥିବା ବେଳେ ସବୁ ରୋଗୀଙ୍କ କ୍ଷେତ୍ରରେ ଏହା ହୋଇନପାରେ । ମାତ୍ର କେଶ ଉପୁଡି ଗଲେ ମଧ୍ୟ ଚିକିତ୍ସାର ସମାପ୍ତି ପରେ ଏହା ପୁଣି ଉଠିଥାଏ । ଏହି କେଶର ପରିଚର୍ଯ୍ୟା ପାଇଁ କମ୍ ପ୍ରତିକ୍ରିୟାଶୀଳ (mild sampo) ସାମ୍ପୋ ଓ ନରମ ପାନିଆ ବ୍ୟବହାର କରିବା ଉଚିତ୍ । କେଶ ଉପୁଡୁଥିବା ସମୟରେ ନକଲି ପରଚୂଳା (wig) ବ୍ୟବହାର କଲେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଷ୍ଟାଇଲ୍କୁ  ରକ୍ଷାକରାଯାଇପାରେ ।

କେମୋଥେରାପି ସମୟରେ ଦୈନଦିନ କାର୍ଯ୍ୟ

ସାଧାରଣତଃ ବହୁ ରୋଗୀ କେମୋଥେରାପି ସମୟରେ ମଧ୍ୟ ନିଜର ଦୈନଦିନ କାର୍ଯ୍ୟ ସୁରୁଖୁରୁରେ କରିପାରନ୍ତି । ଏହା ରୋଗୀର ସାମର୍ଥ୍ୟ ଓ ଜୀବନଚର୍ଯ୍ୟା ଉପରେ ନିର୍ଭର କରେ । ରୋଗୀ ନିଜେ ବାସକରୁଥିବା ସହରରେ ଏହି ଚିକିତ୍ସା କରିପାରନ୍ତି । ଯଦି ସେଠାରେ ଅଭିଜ୍ଞ ଚିକିତ୍ସକଙ୍କର ଉପଲବ୍ଧି ନହୁଏ ଏଥିପାଇଁ ରୋଗୀକୁ ମୂଳ ଚିକିତ୍ସା କରୁଥିବା ଚିକିତ୍ସକଙ୍କ ପାଖରୁ ଏକ ପରାମର୍ଶ ପତ୍ର (prescription) ଆଣିବାକୁ ପଡିଥାଏ । କାରଣ ରୋଗୀର ରୋଗ ବିଷୟରେ ବିଶଦ ଭାବେ ସେ ହିଁ ଜାଣିଥାଆନ୍ତି । ପ୍ରଥମ କେମୋଥେରାପି ସମୟରେ ତା’ର ମାତ୍ରା ଓ ପାର୍ଶ୍ଵ ପ୍ରତିକ୍ରିୟା ସମ୍ପର୍କରେ ରୋଗୀ ନିଜେ ସଚେତନ ରହିବା ଆବଶ୍ୟକ । ରକ୍ତ ପରୀକ୍ଷାର ସଠିକ୍ ଫଳାଫଳ ନିର୍ଣ୍ଣୟ ପରେ ହିଁ ରୋଗୀକୁ କେମୋଥେରାପି ଦିଆଯାଏ  ।

କେମୋଥେରାପିର ସମୟ ବ୍ୟବଧାନ

କେମୋଥେରାପିର ସମୟ ବ୍ୟବଧାନ, କର୍କଟ ରୋଗୀର ସ୍ଥିତି ଏବଂ ଦିଆଯାଉଥିବା ଔଷଧ ପରେ ନିର୍ଭର କରେ । ସାଧାରଣତଃ କେମୋଥେରାପି ପ୍ରତି ତିନି ବା ଚାରି ସପ୍ତାହରେ କରାଯାଏ । ଯଦି CMF କେମୋଥେରାପି ନିଆଯାଉଥାଏ, ତେବେ ଆଠଦିନ ଅନ୍ତରରେ ତିନି ସପ୍ତାହ ମଧ୍ୟରେ ଦୁଇଟି ଇଞ୍ଜେକ୍ସନ୍ ନେବା ଉଚିତ୍ । ମାତ୍ର କେତେକ ରୋଗୀଙ୍କୁ ଅନ୍ୟ ବ୍ୟବସ୍ଥା ଅନୁଯାୟୀ କେମୋଥେରାପି ଦିଆଯାଇଥାଏ । ଯାହାର ନାମ CAF । ଏହି ବ୍ୟବସ୍ଥା ଅନୁଯାୟୀ କେମୋଥେରାପି ତିନି ସପ୍ତାହ ଅନ୍ତରରେ କେବଳ ଥରେ ଦିଆଯାଇଥାଏ । ଯାହାର ପ୍ରତିକ୍ରିୟାରେ କେଶ ଗୁଡିକ ଅସ୍ଥାୟୀଭାବେ ସମ୍ପୂର୍ଣ୍ଣ ଉପୁଡିଯାଇଥାଏ । ଏହି ପଦ୍ଧତିରେ ଚିକିତ୍ସକଙ୍କ ଦ୍ଵାରା ନିର୍ଦ୍ଧାରିତ କେମୋ ଠିକ୍ ସମୟରେ ନେବା ନିତାନ୍ତ ଜରୁରୀ । ଯଦି ରୋଗୀ କୌଣସି କାରଣରୁ ଏଥିରେ ବ୍ୟତିକ୍ରମ କରେ ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ୍ ।

ରେଡିଏସନ୍ ଥେରାପି କଣ

କର୍କଟ ରୋଗରେ ଆକ୍ରାନ୍ତ ସ୍ଥାନରେ ସ୍ଵତନ୍ତ୍ର ରଶ୍ମିକୁ ପ୍ରବେଶ କରାଇ କର୍କଟ ରୋଗସୃଷ୍ଟିକାରୀ କୋଷ ଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟକରବା ପ୍ରଣାଳୀକୁ ରେଡିଏସନ୍ ଥେରାପି ବା ରଶ୍ମି ଚିକିତ୍ସା କୁହାଯାଏ । ଏହି ପଦ୍ଧତି ଦ୍ଵାରା ରୋଗୀର ସଂକ୍ରମିତ ସ୍ଥାନରେ ମେସିନ୍ ସାହାଯ୍ୟରେ ଏକ ସ୍ଵତନ୍ତ୍ର ରଶ୍ମି ପକାଯାଏ । ଚିକିତ୍ସାପାଇଁ ରୋଗୀକୁ ଏକ ସ୍ଵତନ୍ତ୍ର ଧରଣର ନିର୍ମିତ କୋଠରୀରେ ରଖାଯାଏ । ତା’ ପାଖରେ କୌଣସି ଆତ୍ଜୀୟ ସ୍ଵଜନ ଏପରିକି ନିଜର ଚିକିତ୍ସକ ମଧ୍ୟ ରୁହନ୍ତି ନାହିଁ । ମାତ୍ର ଚିକିତ୍ସକ ପାର୍ଶ୍ଵବର୍ତ୍ତୀ କୋଠରୀରେ  ଥାଇ ରୋଗୀକୁ ଟି.ଭି. ରେ ଦେଖି ଚିକିତ୍ସା କରିଥାନ୍ତି । ଏହି ପାର୍ଶ୍ଵବର୍ତ୍ତୀ କୋଠରୀଟି ରୋଗୀରହିବା କୋଠରୀଠାରୁ କାଚଦ୍ଵାରା ଅଲଗା କରାଯାଇଥାଏ । ଯଦ୍ୱାରା ଚିକିତ୍ସକ ଚିକିତ୍ସା ସମୟରେ ରୋଗୀକୁ ଦେଖି ପାରନ୍ତି । ଏହି ଚିକିତ୍ସା ପ୍ରତିଦିନ ପ୍ରାୟ ତିନି/ଚାରି ମିନିଟ୍ ଧରି ଚାଲିଥାଏ । ଯେଉଁ ସବୁ ସ୍ତନ କର୍କଟ ରୋଗୀମାନଙ୍କର ସ୍ତନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥାଏ, ସେମାନଙ୍କ ପାଇଁ ଏ ଚିକିତ୍ସା ପ୍ରାୟ ଛଅ ସାତ ସପ୍ତାହ ପର୍ଯ୍ୟନ୍ତ ଦରକାର ପଡିଥାଏ । ସମୟେ ସମୟେ ସମ୍ପୂର୍ଣ୍ଣ ସ୍ତନ ଉଚ୍ଛେଦ ହୋଇଥବା ରୋଗୀ ପାଇଁ ରେଡିଏସନ୍ ଥେରାପି ଆବଶ୍ୟକ ହୋଇନଥାଏ । ପୁନର୍ବାର ଦ୍ଵିତୀୟ ଥର ପାଇଁ ଯଦି ଏ ରୋଗ ଦେଖାଯାଏ ତେବେ ରେଡିଏସନ୍ ଥେରାପିର ଦରକାର ପଡିଥାଏ । କାଖରେ ଗୁଳାପାଇଁ ଏହା ନିହାତି ଦରକାର ।

ରେଡିଏସନ୍ ଥେରାପିର ବିଧି ବ୍ୟବସ୍ଥା

ସାଧାରଣତଃ ରେଡିଏସନ୍ ଥେରାପି ସପ୍ତାହରେ ପାଞ୍ଚ ଥର କରି ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ । ରୋଗୀକୁ ଶନିବାର ଓ ରବିବାର ଦୁଇଟି ଦିନ ବିଶ୍ରାମ ଦିଆଯାଏ । ଏଇଥି ପାଇଁ  ରୋଗୀକୁ ପ୍ରତିସପ୍ତାହରେ ପାଞ୍ଚଦିନ ଚିକିତ୍ସିତ ହେବା ବାଧ୍ୟତାମୂଳକ ଅଟେ । ସର୍ବୋପରି ଏହି ଚିକିତ୍ସା ସକାଳ ଆଠଟାରୁ ସନ୍ଧ୍ୟା ପାଞ୍ଚଟା ତିରିଶ ଭିତରେ ହୋଇଥାଏ । ଏହି ଚିକିତ୍ସା ସମୟରେ ରୋଗୀକୁ କିଛି ମିନିଟ୍ ପାଇଁ ଚିକିତ୍ସିତ ହେଉଥିବା କୋଠରୀରେ ଏକୁଟିଆ ରହିବାକୁ ପଡିଥାଏ । ସେଥିପାଇଁ ରୋଗୀ ଆଦୌ ଭୟଭୀତ ହେବାର କାରଣ ନାହିଁ । ରେଡିଏସନ୍ ଥେରାପି ପରେ ପରେ ରୋଗୀ ସ୍ତନ ଉପରେ ସ୍ପର୍ଶଜନିତ ଭିନ୍ନ ଅନୁଭବ କରିଥାଆନ୍ତି ଓ ସ୍ତନଟି କଳା ପଡିଯାଇଥାଏ । ଏହାଛଡା ରୋଗୀ ବାନ୍ତି ଓ ଦୁର୍ବଳତା ଅନୁଭବ କରିପାରେ ।

ରେଡିଏସନ୍ ଥେରାପିର କାର୍ଯ୍ୟକାରିତା

ରେଡିଏସନ୍ ରଶ୍ମିଦ୍ଵାରା କର୍କଟ ରୋଗଗ୍ରସ୍ତ କୋଷ ଗୁଡିକ ନଷ୍ଟହେବା ସହିତ ସେମାନଙ୍କ ସଂଖ୍ୟା ବହୁପରିମାଣରେ କମିଯାଏ । ଏଠାରେ କୁହାଯାଇପାରେ ଯେ ଶରୀରରେ ଥିବା ଯେକୌଣସି ସାଧାରଣ କୋଷ ଗୁଡିକରେ ଏହି ସ୍ଵତନ୍ତ୍ର ରଶ୍ମିକୁ ସହନ କରିବା ଶକ୍ତି ଥାଏ । ତଥାପି ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସାଧାରଣ କୋଷଗୁଡିକ ଖୁବ୍ କମ୍ ଦିନରେ ପୂର୍ବାବସ୍ଥାକୁ ଫେରିଆସନ୍ତି । ସେଇଥିପାଇଁ ରେଡିଏସନ୍ ଚିକିତ୍ସା ପାଞ୍ଚରୁ ସାତ ସପ୍ତାହ ପର୍ଯ୍ୟନ୍ତ ସୀମିତ ରଖାଯାଏ ।

ରେଡିଏସନ୍ ଥେରାପିର ଯୋଜନା

ରେଡିଏସନ୍  ଚିକିତ୍ସକ ରୋଗୀକୁ ଭଲଭାବରେ ପରୀକ୍ଷା ନିରୀକ୍ଷା କରି ରେଡିଏସନ୍ ପଦ୍ଧତି, ପାର୍ଶ୍ଵପ୍ରତିକ୍ରିୟା, ସମୟ, ବ୍ୟବଧାନ ଓ ଉପକାରିତା ବିଷୟରେ ପ୍ରାଞ୍ଜଳଭାବେ ବୁଝାଇଥାନ୍ତି । ଚିକିତ୍ସା ଆରମ୍ଭ ପୂର୍ବରୁ ସଂକ୍ରମିତ ସ୍ଥାନ ଠାରୁ ଅଧିକ କେତେ ସ୍ଥାନରେ ରେଡିଏସନ୍  ପ୍ରୟୋଗ କରାଯିବ, ତାହା ମପାଚୁପା ହୋଇ ସ୍ଥିର କରାଯାଏ । ଏହାର ଉଦ୍ଦେଶ୍ୟ କମ୍ପ୍ୟୁଟରାଇଜଡ୍ ଚିକିତ୍ସା ପଦ୍ଧତି ଦ୍ଵାରା ସଂକ୍ରମିତ କୋଷ ଗୁଡିକୁ ଯଥାସମ୍ଭବ ନଷ୍ଟ କରିବା ସହିତ ଭଲଥିବା କୋଷଗୁଡିକୁ ସୁରକ୍ଷା ପ୍ରଦାନ କରିବା ଜଣାପଡିଥାଏ । ଏହି ଚିକିତ୍ସାରେ ବ୍ୟବହାର ହେଉଥିବା ଯନ୍ତ୍ରପାତି ଗୁଡିକ ପୂରାପୂରି ସିଲ୍ କରାଯାଇଥାଏ । ଯାହାଦ୍ୱାରା  ଏହାର ପ୍ରଭାବ, ଚିକିତ୍ସକ, ନର୍ସ କିମ୍ବା ରୋଗୀର ସମ୍ପର୍କୀୟମାନଙ୍କ ଉପରେ ପଡିପାରେ ନାହିଁ  । ଏହି ଚିକିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ଯନ୍ତ୍ରଣାବିହୀନ । ଚିକିତ୍ସା ପରେ ରୋଗୀ, ଅନ୍ୟମାନଙ୍କ ସହିତ ମିଶିବା ପାଇଁ ବାରଣ ନଥାଏ । ଚିକିତ୍ସକ ପ୍ରତି ସପ୍ତାହରେ ରୋଗୀକୁ ପରୀକ୍ଷା କରି ଚିକିତ୍ସାର ଅଗ୍ରଗତି ଓ ପାର୍ଶ୍ଵପ୍ରତିକ୍ରିୟା ବିଷୟରେ ଅନୁଧ୍ୟାନ କରିଥାନ୍ତି ।

ରେଡିଏସନ୍ ଥେରାପି ସମୟରେ ସାବଧାନତା

ରେଡିଏସନ୍ ଥେରାପି ଦ୍ଵାରା କିଛିଟା ଚର୍ମରୋଗକୁ ଉପେକ୍ଷା କରାଯାଇପାରେନା । ପ୍ରାରମ୍ଭିକଭାବେ ରୋଗୀର ଚର୍ମରେ ଉଷୁମ ରହିବା, ଲାଲ ପଡିବା, କୁଣ୍ଡେଇ ହେବା, ସ୍ପର୍ଶକାତରତା ଇତ୍ୟାଦି ହୋଇଥାଏ । ତା’ପରେ ଏହାର ରଙ୍ଗ କଳା ପଡିଯାଏ । କେତେକ  ରୋଗୀଙ୍କ ପକ୍ଷରେ ଚର୍ମ ଶୁଖିଲା ଓ କଠିନ ହୋଇଯାଏ । ସମୟେ ସମୟେ ଚର୍ମରୁ କାତି ଛାଡିଥାଏ । ରେଡିଏସନ୍ ଚିକିତ୍ସାରେ ଥିବା ସମୟରେ ରୋଗୀ ସମ୍ପୂର୍ଣ୍ଣ ଗାଧୋଇ ପାରିବେ; କିନ୍ତୁ ସାବୁନ୍, ତେଲ, କ୍ରିମ୍ ବା ଅନ୍ୟ କୌଣସି ପ୍ରସାଧାନ ସମାଗ୍ରୀ ବ୍ୟବହାର କରିବେ ନାହିଁ । ଗାଧୋଇବା ସମୟରେ ଆକ୍ରାନ୍ତ ଚର୍ମକୁ ଘଷିବା ଉଚିତ୍ ନୁହେଁ । ଚିକିତ୍ସା ସମୟରେ ଢିଲା ବ୍ଲାଉଜ୍ ଓ ଢିଲା ବ୍ରା ପିନ୍ଧିବା ଉଚିତ୍। ରେଡିଏସନ୍ ଥେରାପି ଚିକିତ୍ସା ଚାଲୁ ରହିଥିବା ବେଳେ ସ୍ତନ ଭିତରେ ଥିବା ମାଂସପେଶୀ ଗୁଡିକ କଠିନ ଓ ସ୍ଥାଣୁ ହୋଇଯାଏ । ଏହା ମାସ ମାସ ଧରି ଏପରିକି କେତେକବର୍ଷ ପର୍ଯ୍ୟନ୍ତ ମଧ୍ୟ ଏହି ଅବସ୍ଥାରେ ରହିଯାଏ ।

ଆଧାର

sambad

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate