ସେଆର କରନ୍ତୁ

ହଳଦୀ

ହଳଦୀର ଔଷଧୀୟ ଗୁଣ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ଉପକ୍ରମ

ହଳଦୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ତିନିପ୍ରକାରର, ସାଧାରଣ ହଳଦୀ, କର୍ପୂର ହଳଦୀ ଓ ବଣ ହଳଦୀ ।

ଏହାଛଡ଼ା ଦାରୁ ହଳଦୀ ନାମରେ ଆଉ ଏକ ପ୍ରକାର ହଳଦୀ ମଧ୍ୟ ରହିଛି, ଯାହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଦାରୁହଳଦୀର ଗୁଣ ଏହାଠାରୁ ପୃଥକ୍।

ହଳଦୀ ଗଛ ଦେଖିବାକୁ ଗଦଗଛ ପରି ଓ ପତ୍ର ମଧ୍ୟ ଗଦ ପତ୍ର ପରି। ସାରୁ ଫଳିଲାପ୍ରାୟ ଏହା ମାଟି ତଳେ ଫଳିଥାଏ । ପତ୍ରକୁ ମକଚି ଶୁଙ୍ଘିଲେ ହଳଦୀ ପରି ବାସ୍ନା ହୁଏ । ଓଡ଼ିଶାର କନ୍ଧମାଳରେ ଚାଷ ହେଉଥିବା ହଳଦୀ ଗୁଣ ଓ ରଙ୍ଗପାଇଁ ପ୍ରସିଦ୍ଧ।

ହଳଦୀରେ ଥିବା ଜୈବରାସାୟନିକ ପଦାର୍ଥ

"କୁରକୁମିନ୍" ନାମରେ ଏକ ହଳଦିଆ ରଙ୍ଗର ବର୍ଣ୍ଣକ ବା ରଞ୍ଜକ ହଳଦିର ପ୍ରମୁଖ ଉପାଦାନ। ଏଥିସହିତ ଥାଏ ଏକ ସୁବାସିତ ଉଦବାୟୀ ତୈଳ। ସେଥିପାଇଁ ହଳଦିପତ୍ରରେ ଗୁଡ଼ାଇ ଏଣ୍ଡୁରୀ ପିଠା ତିଆରି କଲେ ସେଥିରୁ ଏକ ଆମୋଦିତ କ୍ଷୁଧାଉଦ୍ରେକ କାରୀ ବାସ୍ନା ବାହାରିଥାଏ।

ଶାସ୍ତ୍ରୋକ୍ତ ଗୁଣ

କଟୁ ମିଶ୍ରିତ ତିକ୍ତ ରସ। ଶୀତଳ, ଶାନ୍ତି କାରକ, ବର୍ଣ୍ଣ ବର୍ଦ୍ଧକ, ରକ୍ତ ପରିଷ୍କାରକ, ଦାହ ନିବାରକ, ନିଦ୍ରାକର, କୃମି ବିନାଶକ, ଚର୍ମଦୋଷ ନାଶକ, ରକ୍ତଦୃଷ୍ଟି, ପିତ୍ତଜ ଦୋଷ, ବମନ, ବାତଜ ରୋଗ ନାଶକ ଓ ବିଷ ବିନାଶକ। ମାତ୍ରା ଚାରି ଅଣାରୁ ଏକ ଭରି। ବାହ୍ୟ ବ୍ୟବହାର ଆବଶ୍ୟକତା ଅନୁସାରେ କରା ଯାଇଥାଏ।

ଔଷଧୀୟ ବ୍ୟବହାର

  • ଏହାର ମୂଳକୁ ମୁଖ୍ୟତଃ ଔଷଧ ରୂପରେ ବ୍ୟବହାର କରାଯାଏ । ହଳଦୀ ଗଛର ଏହି ଚେରକୁ ହିଁ ହଳଦୀ କୁହାଯାଏ, ଯାହା କଞ୍ଚା ଓ ଶୁଖାଇ ବ୍ୟବହାର କରାଯାଏ ।
  • ପିଲା ହେଉ କି ବୁଢ଼ା ପ୍ରତିଦିନ କିଛି କିଛି କଞ୍ଚା ହଳଦୀ ରସ ପାନ କଲେ ଦେହର କାନ୍ତି ବୃଦ୍ଧି ହୁଏ ଓ ଦେହରୁ ରୋଗ ଦୂର ହୁଏ। ବଟା ହଳଦୀ ଦେହରେ ଲଗାଇଲେ କୌଣସି ଚର୍ମରୋଗ ହୁଏ ନାହିଁ ଓ ରାତିରେ ଶୋଇବା ଆଗରୁ ଲଗାଇ ଶୋଇଲେ ଭଲ ନିଦ ହୁଏ ।
  • ମେହ ରୋଗରେ ବରକ୍ଷୀର ସହିତ ହଳଦୀ ଗୁଣ୍ଡ ମିଶାଇ ସେବନ କଲେ ଉପକାର ମିଳେ ।
  • ଶୀତପିତ୍ତ, ପିତ୍ତଜ ରୋଗ ଓ ଆମବାତରେ କଞ୍ଚା ହଳଦୀ ରସ ଗୁଡ଼ ସହିତ ସେବନ କଲେ ଲାଭ ମିଳେ ।
  • ଯାବତୀୟ ଚର୍ମରୋଗ ଯଥା, ବ୍ରଣ, ବଥ, ବାଗୀ, ଭଗନ୍ଦର, ମଚଳା ଆଦିରେ ହଳଦୀଗୁଣ୍ଡକୁ ଅଥବା କଞ୍ଚା ହଳଦୀ ରସକୁ ଗୋମୂତ୍ରସହିତ ସେବନ କରାଯାଏ। ବଟା ହଳଦୀ ସହିତ ନିମ୍ବପତ୍ର ବାଟି ଦେହରେ ମାରିଲେ ମଧ୍ୟ ଅନେକ ପ୍ରକାରର ଚର୍ମରୋଗ ଓ କୃମିରେ ଉପକାର ମିଳେ । ଚର୍ମରୋଗରେ ମଧ୍ୟ ହଳଦୀ ଓ ଦୁବ ଏ ଦୁଇ ଦ୍ରବ୍ୟକୁ ବାଟି ଲଗାଯାଏ ।

ହଳଦୀ ଗୁଣ୍ଡ

  • ସ୍ଥାବର ଓ ଜଙ୍ଗମ ଉଭୟ ପ୍ରକାର ବିଷ ନାଶ କରିବା ପାଇଁ ବଟା ହଳଦୀକୁ ଗାଈଘିଅ ସହିତ ସେବନ କରାଯାଏ। ସର୍ପବିଷ ନାଶ ପାଇଁ ବଟା ହଳଦୀକୁ ଗାଈଘିଅ, ମହୁ ଓ ସୈନ୍ଧବ ଲବଣ ମିଶାଇ ସେବନ କରାଯାଏ । ଜୋକ ବିଷ ନିବାରଣାର୍ଥେ ବଟାହଳଦୀ ଓ ଲୁଣର ସ୍ଥାନୀୟ ପ୍ରୟୋଗ କରାଯାଏ ।
  • ହାଡ଼ ଭଙ୍ଗାରେ ବଟା ହଳଦୀ ସହିତ ଚୂନ ମିଶାଇ ଗରମ କରି ଲଗାଯାଏ ।
  • ଉଦରସ୍ଥ ଓ ବାହ୍ୟ ବିଷକୁ ବିନାଶ କରିବାପାଇଁ ହଳଦୀ ଓ ଗୋଲ ମରିଚକୁ ଜଳରେ ସିଝାଇ ଛାଣି ପାନ କରାଯାଏ। ଏହାଛଡା ଏଥିପାଇଁ ବଟାହଳଦୀକୁ ଦେହରେ ବୋଳିଦିଆଯାଏ ଓ ପାଣିରେ ଗୋଳାଇ ପାନ କରାଯାଏ ।
  • ପରିସ୍କାର ଧୋବକନାକୁ ବଟା ହଳଦୀ ଗୋଳା ଜଳରେ ଭେଦାଇ ଚିପୁଡ଼ି ଆଖି ଉପରେ ରଖିଲେ ଓ ଆଖି ପୋଛିଲେ ଆଖି ଧରାରେ ଉପକାର ମିଳେ ।

ଆଧାର -

"Curcuma longa information from NPGS/GRIN"

"www.orissabigyanacademy.nic.in"

3.03846153846
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top