ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଅସୁସ୍ଥ ଶିଶୁର ଚିହ୍ନଟକରଣ ଅଙ୍ଗନୱାଡି କର୍ମୀଙ୍କ ଭୂମିକା
ସେଆର କରନ୍ତୁ

ଅସୁସ୍ଥ ଶିଶୁର ଚିହ୍ନଟକରଣ ଅଙ୍ଗନୱାଡି କର୍ମୀଙ୍କ ଭୂମିକା

ଗୋଷ୍ଠୀର ଲୋକମାନଙ୍କୁ ପ୍ରଥମେ ସାକ୍ଷାତ କରିବାପାଇଁ ଅଙ୍ଗନୱାଡି କର୍ମୀଙ୍କୁ ଗୃରୁତ୍ଵପୂର୍ଣ୍ଣ ଭୂମିକା ଅବଲମ୍ବନ କରିବାକୁ ପଡିବ

ଉପକ୍ରମ

ଗୋଷ୍ଠୀର ଲୋକମାନଙ୍କୁ ପ୍ରଥମେ ସାକ୍ଷାତ କରିବାପାଇଁ ଅଙ୍ଗନୱାଡି କର୍ମୀଙ୍କୁ ଗୃରୁତ୍ଵପୂର୍ଣ୍ଣ ଭୂମିକା ଅବଲମ୍ବନ କରିବାକୁ ପଡିବ । ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟରେ କିମ୍ବା ପିତାମାତାଙ୍କଠାରୁ ଖବର ପାଇ ଅଙ୍ଗନୱାଡି କର୍ମୀ ଅସୁସ୍ଥ ଶିଶୁଙ୍କର ସମ୍ପର୍କରେ ଆସିଥାନ୍ତି । ଏହିସବୁ କ୍ଷେତ୍ରରେ ଅଙ୍ଗନୱାଡି କର୍ମୀ ଏକ ଅର୍ଥପୂର୍ଣ୍ଣ ପ୍ରାଥମିକ ପରୀକ୍ଷା କରିବେ ଏବଂ କୌଣସି ବିପଦସଂକେତକୁ ଯଦି ଥାଏ  ଦେଖିଲେ ।

ଅସୁସ୍ଥ ଶିଶୁର ଚିହ୍ନଟକରଣ

ଶିଶୁର ଅସୁସ୍ଥତାକୁ ଆକଳନରେ ଅଙ୍ଗନୱାଡି କର୍ମୀ ଭୂମିକା -

ଅଙ୍ଗନୱାଡି କର୍ମୀ ମା’ଙ୍କୁ ଶିଶୁର ଅସୁବିଧା ବିଷୟରେ ନିଶ୍ଚୟ ପଚାରିବେ ଏବଂ ସାଧାରଣ ବିପଦସଂକେତ ପାଇଁ ଶିଶୁକୁ ଯାଞ୍ଚ କରିବେ । ତାପରେ ସେ ୪ଟି ମୁଖ୍ୟ ଲକ୍ଷଣ ବିଷୟରେ ପଚାରିବେ ।  କାଶ ବା କଷ୍ଟକର ଶ୍ଵାସକ୍ରିୟା, ତରଳଝାଡା, ଜ୍ଵର କିମ୍ବା କାନରେ ଅସୁବିଧା ଇତ୍ୟାଦି । ଯେଉଁ ଶିଶୁର ଏକ ବା ଏକାଧିକ ମୁଖ୍ୟ ଲକ୍ଷଣ ଥିବ ତେବେ ଏହା  ଗୁରୁତ୍ଵର ଅସୁବିଧାର ବୁଝାଇବ। ଯେତେବେଳେ ଗୋଟିଏ ମୁଖ୍ୟ ଲକ୍ଷଣଥିବ ତେବେ ଅସୁସ୍ଥତାକୁ ବର୍ଗୀକରଣ କରିବାରେ ସାହାଯ୍ୟ କରିବାପାଇଁ ପ୍ରଶ୍ନ ପଚାରିବେ । ଶିଶୁକୁ ପୁଷ୍ଟିହୀନତା ଏବଂ ରକ୍ତହୀନତା ପାଇଁ ଯାଞ୍ଚ କରାଇବେ । ଶିଶୁର ପ୍ରତିଷେଧକ ସ୍ଥିତିକୁ ମଧ୍ୟ ଯାଞ୍ଚ କରିବେ ଏବଂ ମା’ କହିଥିବା ଅନ୍ୟାନ୍ୟ ଅସୁବିଧା ଗୁଡିକୁ ମଧ୍ୟ ଦେଖିବେ ।

ଅଙ୍ଗନୱାଡି କର୍ମୀ ଅସୁସ୍ଥ ଶିଶୁଠାରେ କେଉଁସବୁ ବିପଦଲକ୍ଷଣ ଗୁଡିକୁ ଦେଖିବେ-

ଶିଶୁଠାରେ ସାଧାରଣ ବିପଦସଂକେତ ଅଛି ଯଦି –

  • ଶିଶୁ ମା’ କ୍ଷୀର କିମ୍ବା କୌଣସି ପାନୀୟ ପାଇପାରୁ ନାହିଁ ।
  • ଶିଶୁ ସବୁକିଛି ବାନ୍ତି କରିଦେଉଛି ।
  • ଶିଶୁକୁ ବାତ ମାରୁଛି ।
  • ଶିଶୁ ଅଳଶୁଆ କିମ୍ବା ଅଚେତ୍ ଅଛି ।

ସାଧାରଣ ବିପଦସଂକେତ ଥିବା ଶିଶୁର ଗୁରୁତ୍ଵର ଅସୁବିଧା ଥାଇପାରେ । ଅଧିକାଂଶ ଶିଶୁ ଯାହାର ଗୋଟିଏବି ସାଧାରଣ ବିପଦସଂକେତ ଥିବ ତାକୁ ତୁରନ୍ତ ଚିକିତ୍ସାଳୟକୁ ପ୍ରେରଣ କରିବା ଆବଶ୍ୟକ ।

ରୋଗ ଓ ଅସୁସ୍ଥତାରେ ପ୍ରାଥମିକ ଚିହ୍ନଟିକରଣରେ ଅଙ୍ଗନୱାଡି କର୍ମୀଙ୍କ ଭୂମିକା -

ଅଙ୍ଗନୱାଡି କର୍ମୀ ହେଉଛନ୍ତି ପ୍ରଥମବ୍ୟକ୍ତି ଯାହାକୁ ଗୋଷ୍ଠୀର ସଦସ୍ୟମାନେ ପ୍ରଥମେ ଯୋଗାଯୋଗ କରିବେ । ଏବଂ ସେହି ଜଣେ ପରାମର୍ଶଦାତ୍ରୀ ଏବଂ ମାର୍ଗ ଦର୍ଶିକା ରୂପେ ଶିଶୁମାନଙ୍କର ସ୍ୱାସ୍ଥ୍ୟର ଉନ୍ନତିରେ ଅଂଶଗ୍ରହଣ କରିଥାନ୍ତି । ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ହୋଇପାରିଲେ ଶିଶୁମାନଙ୍କର ଯେକୌଣସି ଅସୁସ୍ଥତାକୁ ଭଲଭାବରେ ଚିକିତ୍ସା କରାଯାଇ ପାରିବ ।  ଶିଶୁମାନଙ୍କଠାରେ ଅସୁସ୍ଥତା ଏବଂ ରୋଗର ପ୍ରାଥମିକ ଚିହ୍ନଟି କରଣରେ ଅଙ୍ଗନୱାଡି କର୍ମୀ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

ଶୈଶବ କାଳୀନ ଅକ୍ଷମତାର ପ୍ରାଥମିକ ଚିହ୍ନଟିକରଣ ?

ଶୈଶବସ୍ଥାରେ ଶିଶୁର ସ୍ୱାସ୍ଥ୍ୟର ସ୍ଥିତି ତାର ଶରୀର ଏବଂ ଚତୁଃପାର୍ଶ୍ଵସ୍ଥ ପରିବେଶ ମଧ୍ୟରେ ଲଗାତାର ସମ୍ପର୍କ ଯୋଗୁଁ ଘଟିଥାଏ । ଶିଶୁର ଭିନ୍ନକ୍ଷମ ହେବାର କାରଣ ମଧ୍ୟ ଏହାଯୋଗୁ ଘଟିପାରେ । ଭାରତରେ ସ୍ୱଳ୍ପଶିକ୍ଷା ଏବଂ ପ୍ରଚଳିତ ଅନ୍ଧବିଶ୍ଵାସ  ଯୋଗୁଁ ଶିଶୁମାନେ ସମାଜର ମୁଖ୍ୟ ସ୍ରୋତରେ ମିଶିପାରୁନାହାଁନ୍ତି ।

ପ୍ରାଥମିକ ଅବସ୍ଥାରୁ ଶୈଶବକାଳୀନ ଅକ୍ଷମତାକୁ ଚିହ୍ନଟ କରିବା ଆବଶ୍ୟକ

ଶିଶୁସ୍ଵାସ୍ଥ୍ୟର ଉନ୍ନତିପାଇଁ ଆଶୁ ଚିହ୍ନଟି କରଣ ଗୁରୁତ୍ଵପୂର୍ଣ୍ଣ । ପ୍ରଗତିଶୀଳ ରାଷ୍ଟ୍ରର ଶିଶୁମାନଙ୍କର ସ୍ଥିତି ବିଶ୍ଲେଷଣ ଏହା ଉପରେ ଗୁରୁତ୍ଵ ଦିଏ, ଅଧିକାଂଶ ଭିନ୍ନକ୍ଷମ ଶିଶୁଙ୍କର ଚିହ୍ନଟିକରଣ ହେବାବେଳକୁ ଏତେ ଡେରି ହୋଇଥାଏ ଯେ ଜଟିଳତା ଘଟି ମୂଳ ଭିନ୍ନକ୍ଷମତାକୁ ବଢାଇ ଆଉ ଏକ ନୂଆ ଅସୁବିଧା ଆରମ୍ଭ କରିଦିଏ । ଯାହାଶିଶୁ ବିକାଶକୁ ଏବଂ ପରିବାର ଓ ସମାଜସହ ତାର ସମ୍ପର୍କକୁ ବାଧାଦିଏ । ପ୍ରାଥମିକ ଅବସ୍ଥାରେ ଶିଶୁମାନଙ୍କର ଅକ୍ଷମତାର ଚିହ୍ନଟିକରଣ ଲାଭପ୍ରଦ ହୋଇଥାଏ । ଜୈବିକ/ଶାରୀରିକ ସ୍ତରରେ ପ୍ରାଥମିକ ଚିକିତ୍ସା କେତେକ କ୍ଷେତ୍ରରେ ଯେପରିକି ଜନ୍ମଗତ ମୋତିଆବିନ୍ଦୁ, ପିଲାଇଲ୍ କିଟୋନ୍ ୟୁରିଆ ଓ  ଖର୍ବକାୟ ଶରୀର ପରି ଅକ୍ଷମତାକୁ କମ୍ କରିବାରେ ଏପରିକି ଦୂରେଇ ଦେବାରେ ସାହାଯ୍ୟକରେ । ମାନସିକ ଏବଂ ସାମାଜିକ ସ୍ତରରେ ପିତାମାତା, ଉଦିପନାମୂଳକ ପରିବେଶ ଏବଂ ସୁବିଧା ଯୋଗାଇ ପ୍ରଥମରୁ ଶିଶୁମାନଙ୍କୁ ବିକଶିତ ହେବାପାଇଁ ସୁଯୋଗ ଦେଇଥାନ୍ତି ଫଳରେ ଭିନ୍ନକ୍ଷମ ଶିଶୁମାନେ ପୂର୍ଣ୍ଣ ମାତ୍ରାରେ ବିକାଶ ଲାଭ କରିଥାନ୍ତି । ଏହି ଅର୍ଥରେ "ମୂଳହୁଁ" ସାବଧାନ ହେଲେ ବିପଦନପଡଇ ଭଲେଁ

ଶୈଶବବସ୍ଥାରେ ଅକ୍ଷମତାକୁ ଯଥାଶିଘ୍ର ଚିହ୍ନଟ କରିବାରେ ଅଙ୍ଗନୱାଡି କର୍ମୀଙ୍କର ଭୂମିକା

ଅଙ୍ଗନୱାଡି କର୍ମୀ ତାଙ୍କର ଦୈନନ୍ଦିନ କାର୍ଯ୍ୟର ଅଂଶରୂପେ ଗର୍ଭବତୀ ମହିଳା, ପ୍ରସୂତୀ ମାଆ, ନବଜାତ ଏବଂ ଛୋଟଶିଶୁ ମାନଙ୍କ ସହିତ ଯୋଗାଯୋଗ ରଖିବେ । ଯାହାକି ବିଭିନ୍ନ ସ୍ତରରେ ଶୈଶବକାଳୀନ ଅକ୍ଷମତାକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ସେ ଯେ କେବଳ ଶିଶୁମାନଙ୍କଠାରେ ଥିବା କୌଣସି ଅକ୍ଷମତାକୁ ଚିହ୍ନଟ କରିବେ ତାନୁହେଁ, ଗର୍ଭବତୀ ମହିଳାଙ୍କଠାରେ ବିପଦଲକ୍ଷଣ ଏବଂ ସଂକଟାପୂର୍ଣ୍ଣ ଶିଶୁ ଗୁଡିକ ମଧ୍ୟ ଚିହ୍ନଟ କରିପାରିବେ । ଜୀବନର ପ୍ରଥମ ୬ ବର୍ଷ ମଧ୍ୟରେ ହେଉଥିବା ବିକାଶ ଉପରେ ଅଙ୍ଗନୱାଡି କର୍ମୀ ନଜର ରଖିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

ଗର୍ଭବତୀ ମହିଳାଙ୍କଠାରେ କେଉଁସବୁ ବିପଦଲକ୍ଷଣକୁ ଅଙ୍ଗନୱାଡି କର୍ମୀ ଦୃଷ୍ଟିଦେବେ

ଗର୍ଭବତୀ ମହିଳାଙ୍କଠାରେ ଦେଖାଯାଉଥିବା ଅନେକ ବିପଦଲକ୍ଷଣ ଭବିଷ୍ୟତରେ ଶିଶୁ ଭିନ୍ନକ୍ଷମ ହେବାର ସତର୍କ ସୂଚନା ଦେଇ ଥାଏ-ସେଗୁଡିକ ହେଲା

ମା'  ଯଦି ୧୮ବର୍ଷରୁ କମ୍ କିମ୍ବା ୩୫ ବର୍ଷରୁ ଅଧିକ ହୋଇଥାନ୍ତି ବା ତାଙ୍କର  ୩ରୁ ଅଧିକ ସନ୍ତାନ ଥାନ୍ତି ।

  • ତାଙ୍କର ଶେଷ ଶିଶୁଟି ୨ ବର୍ଷ ବୟସରୁ କମ୍ ହୋଇଥାଏ ।
  • ପୂର୍ବ ଗର୍ଭାବସ୍ଥାରେ ତାଙ୍କର ଅତିଶୟ ରକ୍ତକ୍ଷମ ହୋଇଥିଲେ ।
  • ତାଙ୍କର ପୂର୍ବଶିଶୁ ମୃତ ଅବସ୍ଥାରେ ଜନ୍ମ ହୋଇଥିଲେ ବା ଜନ୍ମପରେ ପରେ ମୃତ୍ୟୁ ହୋଇଥିଲେ ।
  • ତାଙ୍କ ପୂର୍ବଶିଶୁ ଛୋଟ ହୋଇଥିଲେ ବା ଜନ୍ମ ସମୟରେ ୨.୫ କେ.ଜିରୁ କମ୍ ହୋଇଥିଲେ ।
  • ପୂର୍ବ ପ୍ରସବ ବହୁତ କଷ୍ଟକର ହୋଇଥିଲେ ।
  • ସେ ପୂର୍ବ ପ୍ରସବରେ ଯାଆଁଳା ଶିଶୁ ଜନ୍ମ କରିଥାନ୍ତି ଏବଂ ଏବେ ଗର୍ଭରେ ସଂଖ୍ୟାଧିକ ଭୃଣ ଥିଲେ ।
  • ତାଙ୍କର ଉଚ୍ଚତା ୧୪୫ ସେ.ମି ରୁ କମ୍ଥିଲେ ।
  • ତାଙ୍କର ଓଜନ ଯଦି ୫କେ.ଜିରୁ କମ୍ ବା ୮୦ କେ.ଜିିରୁ ଅଧିକଥିଲେ ।
  • ଶେଥା ଏବଂ କ୍ଳାନ୍ତି ଦିଶୁଥିଲେ ।
  • ଯକ୍ଷ୍ମା ମ୍ୟାଲେରିଆ, ମଧୁମେହ, ହୃଦରୋଗ, ବୃକକ୍ ରୋଗ, ମିଳିମିଳା ଏବଂ ଗାଲୁଆ ରୋଗରେ ଆକ୍ରାନ୍ତ ଥିଲେ ।
  • ଗର୍ଭାବସ୍ଥାରେ ହାତ, ପାଦ, ଗୋଡ ଏବଂ ମୁହଁ ଫୁଲିଥିଲେ ।

ସଂକଟାପୂର୍ଣ୍ଣ ଶିଶୁମାନଙ୍କୁ ଚିହ୍ନଟ କରିବା ପାଇଁ ଅଙ୍ଗନଓ୍ବାଡି କର୍ମୀ ନିମ୍ନଲିଖିତ ଲକ୍ଷଣ ପ୍ରତି ଦୃଷ୍ଟି ଦେବେ ।

  • ଯେଉଁ ଶିଶୁ ମାନଙ୍କର ଓଜନ ଜନ୍ମ ସମୟରେ ୨.୫ କେ.ଜିରୁ କମ୍ ଥିବ ।
  • ଯେଉଁ ଶିଶୁ ଜନ୍ମ ପରେ ସଙ୍ଗେ ସଙ୍ଗେ କାନ୍ଦେ ନାହିଁ ।
  • ଯେଉଁ  ଶିଶୁ ଜନ୍ମ ସମୟରେ ନୀଳ ଦେଖାଯାଉଥିବ ବା ସେମାନଙ୍କର ନଖ ଏବଂ ଅଗ୍ରଭାଗ ଗୁଡିକ ନୀଳ ଦେଖାଯାଉଥିବ।
  • ଯେଉଁ ଶିଶୁଙ୍କଠାରେ କ୍ଷୀର ଶୋଷିବା ପ୍ରତିକ୍ରିୟା ବହୁତ ଦୁର୍ବଳ ଥାଏ । ଏବଂ ସେଥିରେ ସମୟ ଅନୁସାରେ ଉନ୍ନତି ପରିଲିକ୍ଷିତ ନହେଲେ ।
  • ଜୋରରେ ଶବ୍ଦ ହେଲେ ଯେଉଁ ଶିଶୁ ପ୍ରତିକ୍ରିୟା ଦେଖାଏ ନାହିଁ ।
  • ଯେଉଁ ଶିଶୁମାନଙ୍କର ଶରୀର ଅଙ୍ଗ ପ୍ରତ୍ୟେକ ଗୁଡିକ ଠିକ୍ ଭାବେ ଗଠନ ହୋଇନଥାଏ କିମ୍ବା ଆଦୌ ନଥାଏ ।
  • ମାନସିକ ଅନଗ୍ରସରତା, ବାକ୍ ଏବଂ ଶବଚ୍ଚ ଶକ୍ତି ବାଧିତ, ଦୃଷ୍ଟିହୀନତା ଏବଂ ଶାରୀରିକ ଅକ୍ଷମତାର ଇତିହାସ ଥିବା ପରିବାରରେ ଜନ୍ମିତ ଶିଶୁ ।

୫ ବର୍ଷରୁ କମ୍ ବୟସର ଶିଶୁଙ୍କର ବିକାଶକୁ ଅଙ୍ଗନୱାଡି କର୍ମୀ କିପରି ନଜର ରଖିପାରିବେ ?

ଅଙ୍ଗନୱାଡି କର୍ମୀ ଶିଶୁମାନଙ୍କର ମୋଟାମୋଟି ବୃଦ୍ଧି ଓ ବିକାଶ ଉପରେ ନଜର ରଖିବେ ଏବଂ ସେମାନଙ୍କର ବିକାଶର ମାଇଲ୍ ଖୁଣ୍ଟ ଗୁଡିକ ଯଥା ସମୟରେ ଘଟୁଛି କି ନାହିଁ ଦୃଷ୍ଟି ଦେବେ -

  • ଶିଶୁର ସାଧାରଣ ସ୍ଵାସ୍ଥ୍ୟ ପ୍ରତି ଦୃଷ୍ଟି ରଖନ୍ତୁ ।
  • ଶିଶୁ ପୁଷ୍ଟିହୀନ ହେବା ଉଚିତ୍ ନୁହେଁ ତେଣୁ ଅଙ୍ଗନଓ୍ବାଡି କର୍ମୀ ଯେପରି ଯଥେଷ୍ଟ ପରିମାଣରେ ଅଧିକ ଥର ଖାଦ୍ୟ ଖାଇବ ଦୃଷ୍ଟି ଦେବେ ।
  • ଆଖିକୁ ପରିଷ୍କାର  ରଖିବା ଉଚିତ୍ । ଆଖିରୁ ପାଣି ଗଡିବା, ଶୁଖିଲା ହେବା ବା ପୂଜହେବା ଉଚିତ୍ ନୁହେଁ ।
  • ଶିଶୁର ପ୍ରତିଷେଧକ ଟୀକାକରଣ ସମ୍ପୂର୍ଣ୍ଣ ହେବା ଉଚିତ୍ ।
  • ଶିଶୁଯେପରି ବାରମ୍ବାର କାନବିନ୍ଧା ଏବଂ ମୁଣ୍ଡବିନ୍ଧା ହେବାର ଅଭିଯୋଗ କରୁନଥିବ । * ଶିଶୁର କାନରେ ପୂଜା ହେବା ଉଚିତ୍ ନୁହେଁ ।
  • § ଶିଶୁ ବୟସାନୁଯାୟୀ ନିମ୍ନ କାମ ଗୁଡିକ କରିପାରୁଥିବା ଆବଶ୍ୟକ ।

¨      ୯ ମାସ ବେଳକୁ ବସିବା ଆରମ୍ଭ କରିବ ।

¨      ୧୮ ମାସ ବେଳକୁ ନିଜେ ନିଜେ ଚାଲିବାକୁ ଆରମ୍ଭ କରିବ ।

¨      ୨ ବର୍ଷ ବେଳକୁ ଏକ ପଦବିଶିଷ୍ଟ ସାଧାରଣ ଶବ୍ଦ ଥିବା ବାକ୍ୟ ଏକାଥରକେ କହିପାରୁଥିବ ।

¨      ୨୧/୨ ରୁ ୩ବର୍ଷ ମଧ୍ୟରେ ୩ରୁ ୪ଟି ଶବ୍ଦ ଥିବା ବାକ୍ୟ ଏକାଥରେ କହିପାରୁଥିବ ।

ତରଳଝାଡାର  ପରିଚାଳନା

ତରଳଝାଡା କଣ ?

ବାରମ୍ବାର ପାଣିଆ ଝାଡା ହେବାକୁ ତରଳଝାଡା କୁହାଯାଏ । ଯଦି ଶିଶୁର ଦିନକୁ ୩ ବା ତହିଁରୁ ଅଧିକ ଥର ପାଣିଆ ଝାଡା ହୁଏ ତାକୁ ତରଳଝାଡା (ଡାଇରିଆ) କୁହାଯାଏ । ସ୍ଵାଭାବିକ ଶିଶୁମାନଙ୍କର ଅପେକ୍ଷା ପୁଷ୍ଟିହୀନ ଶିଶୁମାନଙ୍କ ଠାରେ ତରଳଝାଡା ଅଧିକ ହୋଇଥାଏ । ଦେହରୁ ଜଳୀୟ ଅଂଶ ନିଷ୍କାସିତ କରି ଦେହକୁ ଶୁଷ୍କକରଣ କରି ଡାଇରିଆ ଶିଶୁମାନଙ୍କର ମୃତ୍ୟୁର କାରଣ ହୋଇଥାଏ ।  ଯଦି ଡାଇରିଆ ଦୁଇ ସପ୍ତାହରୁ ଅଧିକ ଦିନ ଲାଗିରୁହେ ଏହାକୁ ଅବରିତ ଡାଇରିଆ କୁହାଯାଏ  । ଏଭଳି କ୍ଷେତ୍ରରେ ଶିଶୁକୁ ତୁରନ୍ତ ଦୃଷ୍ଟିଦେଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର/ ଚିକିତ୍ସାଳୟକୁ ପ୍ରେରଣ କରିବା ଉଚିତ୍ ।

ମଳସହିତ ରକ୍ତ ପଡୁଥିଲେ ପିଲାର ଅତିସାର ହୋଇଛି ବୋଲି ଜଣାପଡେ । ଏବଂ ତାକୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ଦରକାର ।

ତରଳ ଝାଡା କାରଣ :

ତରଳ ଝାଡାର ସମ୍ଭାବ୍ୟ କାରଣ ଗୁଡିକ ହେଉଛି :

  • ଅପରିଷ୍କାର ଏବଂ ଅସ୍ଵାସ୍ଥ୍ୟକର ଅବସ୍ଥା/ ପରିବେଶ
  • ଅସୁରକ୍ଷିତ ପିଇବା ପାଣି
  • ପୁଷ୍ଟିହୀନତା
  • ଅସ୍ଵାସ୍ଥ୍ୟକର  ଖୁଆଇବା ପଦ୍ଧତି
  • ମସଲା ଏବଂ ତେଲିଆ ଖାଦ୍ୟ ଅଧିକ ଖାଇବା
  • ଶିଶୁକୁ ବୋତଲରେ ଖୁଆଇବା
  • ଜୀବାଣୁ/ଭୂତାଣୁ ସଂକ୍ରମଣ
  • ବ୍ୟକ୍ତିଗତ ପରିଷ୍କାର/ ପରିଛନ୍ନତା ଅଭାବ
  • ଅପରିଷ୍କାର ଏବଂ ଅସ୍ଵାସ୍ଥ୍ୟକର ପରିବେଶରେ ତରଳଝାଡା ସଂକ୍ରମଣ ହେଉଥିବା ଜୀବାଣୁ ରହିଥାଏ ।

ଅଙ୍ଗନୱାଡି କର୍ମୀ କିପରି ତରଳଝାଡାକୁ ଆକଳନ କରିବେ

ଗୋଟିଏ ଶିଶୁକୁ ତରଳଝାଡା ପାଇଁ ଆକଳନ କରିବାକୁ ହେଲେ ଦେଖିବେ –

  • ଶିଶୁଟିକୁ କେତେଦିନ ଧରି ତରଳଝାଡା ହେଉଛି
  • ଶିଶୁର ଝାଡାରେ ରକ୍ତ ପଡୁଥିଲେ ଅତିସାର ହେଉଛି ଏବଂ
  • ଜଳଶୁଷ୍କତାର ଲକ୍ଷଣ

ଅଙ୍ଗନୱାଡି କର୍ମୀ ତରଳ ଝାଡା ହେଉଥିବା ଶିଶୁଠାରୁ କେଉଁ ସବୁ ବିପଦଲକ୍ଷଣକୁ ଦେଖିବେ ?

ତରଳଝାଡା ହେଉଥିବା ଶିଶୁ ଗଲେ ଅଙ୍ଗନୱାଡି କର୍ମୀ ନିମ୍ନଲିଖିତ ବିପଦସଙ୍କୁଳ ଲକ୍ଷଣ ଗୁଡିକୁ ଦେଖିବେ ।

  • ଅନେକଥର ପାଣିଝାଡା ହେବା
  • ଝାଡାରେ ରକ୍ତ ପଡିବା
  • ଦୁଇ ସପ୍ତାହରୁ ଅଧିକ ଦିନ ତରଳଝାଡା
  • ବାରମ୍ବାର ବାନ୍ତି
  • ଜ୍ଵର ରହିବା
  • ଅତ୍ୟଧିକ ଶୋଷ
  • ପିଇବାର ଅକ୍ଷମତା
  • ଖାଦ୍ୟପ୍ରତି ଅନିଚ୍ଛା
  • ଆଖି କୋରଡିଆ
  • ନିଦୁଆ ବା ଅଚେତନ ଅବସ୍ଥା

ତରଳଝାଡା ହେଉଥିବା ଶିଶୁଠାରେ ଯଦି ଉପରୁକ୍ତ ଲକ୍ଷଣ ଦେଖାଯାଏ ତେଣୁ ତାକୁ ତୁରନ୍ତ ଡାକ୍ତରଖାନା/ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବେ ।

ତରଳଝାଡାର ପରିଚାଳନା ପାଇଁ ମନେରଖିବା କଥା –

  • ସାଧାରଣତଃ ତରଳଝାଡା କିଛିଦିନ ମଧ୍ୟରେ ଆପେ ଆପେ ଭଲହୋଇଥାଏ
  • ତରଳଝାଡା ହେଉଥିବା ଶିଶୁକୁ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ବଟିକା, ଆଣ୍ଟିବାୟୋଟିକ୍ କିମ୍ବା ଅନ୍ୟ କୌଣସି ଔଷଧ ଦିଅନ୍ତୁ ନାହିଁ ।
  • ଲଗାତାର ତରଳଝାଡା ହେଉଥିବା ଶିଶୁକୁ ଡାକ୍ତରଥାନାକୁ ଚିକିତ୍ସାପାଇଁ ପ୍ରେରଣ କରିବା ଉଚିତ୍

ତରଳଝାଡା ହେଉଥିବା ଶିଶୁର ଆକଳନ

 

କ୍ରନଂ .

ସୂଚକ

ଜଳଶୁଷ୍କତା ନାହିଁ

କିଛି ମାତ୍ରାରେ ଜଳଶୁଷ୍କତା

ଅତିଶୟ ଜଳଶୁଷ୍କତା

୧.

ସାଧାରଣ ଅବସ୍ଥା

ସୁସ୍ଥ, ଚଞ୍ଚଳିଆ

ଅସ୍ଥିର/ଚିଚିଡିଆ

ନିଦୁଆ କିମ୍ବା ଅଚେତ୍

୨.

ଆଖି

ସ୍ଵାଭାବିକ

କୋରଡିଆ

ଅତିକୋରଡିଅ ଓ ଶୁଖିଲା

୩.

ଶୋଷ(ଶିଶୁକୁ ପାଣି ପିଇବାକୁ ଦେବା)

ସ୍ଵାଭାବିକ୍ ଭାବରେ ପିଏ, ଶୋଷିଲା ନଥାଏ

ଶୋଷିଲା, ବ୍ୟଗ୍ରତା

ସହ ପିଇଥାଏ

ବେଶି ପିଇପାରେ ନାହିଁ କିମ୍ବା ଆଦୌ ପିଏନାହିଁ

୪.

ଚମକୁ ଚିମୁଟି ଟାଣିବା

ପୂର୍ବ ଅବସ୍ଥାକୁ ସାଙ୍ଗେ ସାଙ୍ଗେ ଫେରିଯାଏ ।

ଧିରେ ପୂର୍ବ ଅବସ୍ଥାକୁ ଫେରେ

ଖୁବ୍ ଧିରେ ଅବସ୍ଥାକୁ ଫେରେ

୫.

ଚିକିତ୍ସା

ଘରେଥିବା ବିଭିନ୍ନ ପାନୀୟ ଏବଂ (ଓଆରଏସ୍) ଦେବା

ଓ.ଆର.ଏସ୍ ଏବଂ ଘରୋଇ ଚିକିତ୍ସା

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଳୟକୁ ପ୍ରେରଣ

 

 

ତରଳଝାଡାରେ ଆକ୍ରାନ୍ତ ହୋଇଥିବା ସମୟରେ ଶିଶୁର ଖାଦ୍ୟ କଣ ହେବା ଦରକାର ?

ତରଳଝାଡାରେ ଆକ୍ରାନ୍ତ ହୋଇଥିବା ଶିଶୁକୁ ଅଧିକ ଥର ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଦରକାର । ଅଧିକ ପରିମାଣର ପାନୀୟ ମଧ୍ୟ ଦେବା ଦରକାର ।  ଯଦି ଶିଶୁର ବୟସ ୬ ମାସରୁ କମ୍ ଥାଏ ଏବଂ କେବଳ ମା’କ୍ଷୀର ଖାଉଥାଏ ତେବେ ଶିଶୁକୁ ମା’କ୍ଷୀର ସହିତ ଓ.ଆର.ଏସ୍ ଦିଅନ୍ତୁ । ଯଦି ଶିଶୁର ବୟସ ୬ ମାସରୁ ଅଧିକ ହୋଇଥାଏ ତେବେ ଓ.ଆର.ଏସ୍ ଏବଂ ଅନ୍ୟାନ୍ୟ ଘରୋଇ ପାନୀୟ ଯଥା – ଚାଉଳ କାଞ୍ଜି, ଦହିପାଣି(ଚହ୍ଲା), ଚିନିଲୁଣ ସହିତ ଲେମ୍ବୁପାଣି, ଡାଲିପାଣି, ପରିବାସିଝା ପାଣି, ଫଳରସ (ବିନା ଚିନିରେ)ସଫା ପିଇବା ପାଣି କିମ୍ବା ଆଞ୍ଚଳିକ ଉପଲବ୍ଧ ଅନ୍ୟାନ୍ୟ ପାନୀୟ ଦେଇ ପାରିବେ ।

ଯଦି ଶିଶୁ ସାଧାରଣ ପରିମାଣର ଖାଦ୍ୟ ଖାଇପାରୁ ନଥିବ ତାହେଲେ ତାକୁ ସ୍ୱଳ୍ପ ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ କରି ଖାଦ୍ୟ ଦିଅନ୍ତୁ । ଶିଶୁକୁ ମଧ୍ୟ ବହଳିଆ ଖାଦ୍ୟ ଯେପରିକି ଖେଚୁଡି, ଦଲିଆ, ସୁଜି କିମ୍ବା ଖିରୀ ଓ ଇଡଲୀ ଆଦି ଦେଇ ପାରିବେ । ଯଦି ତରଳଝାଡା ବନ୍ଦ ନହୁଏ, ଶିଶୁକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଅନ୍ତୁ ।

ତରଳ ଝାଡାକୁ ଘରେ କିପରି ଚିକିତ୍ସା କରିବେ ।

ତରଳଝାଡାର ଘରୋଇ ଚିକିତ୍ସାରେ

  • ଘରୋଇ ଉପଲବ୍ଧ ପାନୀୟ ଗ୍ରହଣ – ତରଳଝାଡା ହୋଇଥିବା ଶିଶୁକୁ ଘରେ ଉପଲବ୍ଧ ଥିବା ବିଭିନ୍ନ ପାନୀୟ, ଅତିରିକ୍ତ ମାତ୍ରାରେ ଦେବା ଦରକାର । ଯେପରିକି (ତୋରାଣି, ପଇଡ ପାଣି, ଅଳ୍ପଚିନିର ହାଲକା ଚା, ପରିଷ୍କାର ନିରାପଦ ପାନୀୟ ଜଳ, ପାଣିଆ ଡାଲି, ଘୋଳ ଦହି ଏବଂ ମା’କ୍ଷୀର (ଯଦି ଶିଶୁ ସ୍ତନ୍ୟପାନ କରୁଥାଏ )
  • ପାନୀୟକୁ ପତଳା କରନ୍ତୁ ନାହିଁ ଯଦି ବହଳିଆ ଥାଏ, ପାନୀୟ ପିଆଇ ସାରିବା ପରେ ଶିଶୁକୁ କିଛି ପାଣି ପିଇବାକୁ ଦିଆଯାଇ ପାରେ । ଯଦି ଶିଶୁ ବାନ୍ତିକରେ ୧୦ମିନିଟ୍ ଅପେକ୍ଷା କରନ୍ତୁ, ପୁଣି ପିଇବାକୁ ଦିଅନ୍ତୁ କିନ୍ତୁ ଏଥର ପୂର୍ବ ଅପେକ୍ଷା ଧିରେ ଧିରେ ପିଆନ୍ତୁ ।
  • ମୌକ୍ଷିକ (ଭକ୍ଷଣୀୟ)ପୁନଃ ଜଳୀକରଣ ଚିକିତ୍ସା

ଓ.ଆର.ଏସ୍ ଏକ ଜୀବନ ରକ୍ଷକ ପାନୀୟ, ତରଳଝାଡାରେ ଯେଉଁ ଜଳୀୟ ଅଂଶ ଦେହରୁ ଚାଲିଯାଏ ତାର ଭରଣା କରିବା ପାଇଁ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କ ପାଇଁ (ନବଜାତ ଶିଶୁ ସମେତ )ଏହାଫଳପ୍ରଦ ହୋଇଥାଏ । ଓ.ଆର.ଏସ୍ କୁ ପାଣିରେ ଭଲଭାବେ ମିଶାଇ ଦ୍ରବଣ ପ୍ରସ୍ତୁତ କରି ଶିଶୁକୁ ଦେବା ଆବଶ୍ୟକ ।

  • ଖାଦ୍ୟ ପେୟ ଚାଲୁରଖିବା – ଡାଇରିଆ ଥିବା ଶିଶୁ ଖାଦ୍ୟ ପେୟ ଚାଲୁ ରଖିବା ଆବଶ୍ୟକ । ଡାଇରିଆ ଆରୋଗ୍ୟ ହେବାପରେ ଶିଶୁକୁ ଅନ୍ତତଃ ୨ ସପ୍ତାହ ଯାଏଁ ଦୈନିକ ଅତିରିକ୍ତ ଗୋଟିଏ ଭୋଜନ ଦେବାଡ ଦରକାର । ପିଲାକୁ ଖୁଆଇବା ମା’ ବନ୍ଦ କରିବା ଅନୁଚିତ୍ ।
  • ସ୍ତନ୍ୟପାନ ଚାଲୁ ରଖିବା – ତରଳ ଝାଡା ହେଉଥିବା ଶିଶୁ ପାଇଁ ମା’ କ୍ଷୀର ସର୍ବୋତ୍ତମ ଖାଦ୍ୟ ଓ ପାନୀୟ । ଏହା ଡାଇରିଆର ପରିମାଣ ଏବଂ ମାରାତ୍ମକତାକୁ କାମାଇ ଦିଏ । ସ୍ଵାଭାବିକ ଠାରୁ ଅଧିକ ସମୟ ଯାଏଁ ଏବଂ ଅଧିକ ଥର ସ୍ତନ୍ୟପାନ କରାନ୍ତୁ ।

ଓ.ଆର.ଏସ୍ ଦ୍ରବଣ କିପରି ପ୍ରସ୍ତୁତ କରିବେ


 

ଓ.ଆର.ଏସ୍ ଦ୍ରବଣ ପ୍ରସ୍ତୁତ କରିବା ପାଇଁ ଅଙ୍ଗନୱାଡି କର୍ମୀ ନିମ୍ନୋକ୍ତ ପଦ୍ଧତିକୁ ନିଶ୍ଚୟ ଅନୁସରଣ କରିବେ ।

  • ଓ.ଆର.ଏସ୍ ଦ୍ରବଣ ପ୍ରସ୍ତୁତ କରିବା ପୂର୍ବରୁ ଏହାର ଖୋଳ ଉପରେ ଲେଖାଥିବା ନିର୍ଦ୍ଦେଶାବାଳୀକୁ ଭଲଭାବେ ପଢନ୍ତୁ ।
  • ଏକ ପରିଷ୍କାର ପାତ୍ର ୫ ଗ୍ଲାସ୍ (ଏକ ଲିଟର)ନିରାପଦପାନୀୟ ଜଳ ନିଅନ୍ତୁ ।
  • ଏକ ପ୍ୟାକେଟ୍ ଓ.ଆର.ଏସ୍ ଲବଣ ସେହି ୧ ଲିଟର ପାଣିରେ ପକାନ୍ତୁ ।
  • ଏହାକୁ ଭଲଭାବରେ ମିଶାଇ ଶିଶୁକୁ ପିଆଇବା ଆରମ୍ଭ କରନ୍ତୁ ।
  • ପ୍ରଥମ ୪ ଘଣ୍ଟା, ତଳେ ବାକ୍ସରେ ବୟସ ଅନୁସାରେ ଦିଆଯାଇଥିବା ମାତ୍ରରେ ଏହି ଦ୍ରବଣ ଶିଶୁକୁ ପିଆନ୍ତୁ ।
  • ପ୍ରଥମ ୪ ଘଣ୍ଟାରେ ଓ.ଆର.ଏସ୍ ଦ୍ରବଣ ଦିଆଯିବା ପରିମାଣ

    • ନବଜାତ ଶିଶୁ (୪ମାସ) -୨ କପ୍ (୨୦୦ -୪୦୦ ମି.ଲି)
    • ନବଜାତ (୪ମାସରୁ -୧ବର୍ଷ )- ୩-୪ କପ୍) ୪୦୦-୭୦୦ ମି.ଲି.)
    • ଶିଶୁ (୧-୨ ବର୍ଷ)-୫-୬ କପ୍ (୭୦୦-୯୦୦ ମି.ଲି.)
    • ଶିଶୁ (୨- ୫ବର୍ଷ)- ୬-୮ କପ୍ (୯୦୦-୧୪୦୦ ମି.ଲି.)

     

    ଓ.ଆର.ଏସ୍ ଦ୍ରବଣ ଦେଲାବେଳେ ମନେରଖିବା କଥା :

    • ଓ.ଆର.ଏସ୍ ଦ୍ରବଣ ଧିରେ ଧିରେ ଦିଅନ୍ତୁ । ଯେତେଥର ଶିଶୁର ତରଳଝାଡା ହେଉଛି କିମ୍ବା ତାକୁ ଶୋଷ ଲାଗୁଛି । ତାକୁ ଏହି ପାଣି ଦିଅନ୍ତୁ ।
    • ଯଦି ଶିଶୁ ଅନୁମୋଦିତ ପରିମାଣଠାରୁ ଅଧିକ ପିଇବାକୁ ଚାହୁଁଛି ତେବେ ତାକୁ ପିଇବାକୁ ଦିଅନ୍ତୁ ।
    • ଯଦି ଛୁଆ ବାନ୍ତି କରୁଛି ତେବେ ୧୦ମିନିଟ୍ ଅପେକ୍ଷା କରନ୍ତୁ । ତା ପରେ ପୁଣି ଓ.ଆର.ଏସ୍ ଦ୍ରବଣ ଦିଅନ୍ତୁ ।
    • ଶିଶୁ ସ୍ଵାଭାବିକ ଭାବରେ ପରିସ୍ରା କରିବାପାଇଁଅ ଏବଂ ସ୍ଵାଭାବିକ ଦିଶିବା ଯାଏଁ ଓ.ଆର.ଏସ୍ ଦ୍ରବଣ ପିଆଇବା ଚାଲୁ ରଖନ୍ତୁ ।
    • ସବୁଦିନେ ସଦ୍ୟ ଓ.ଆର.ଏସ୍ ଦ୍ରବଣ ପ୍ରସ୍ତୁତ କରନ୍ତୁ ।
    • ୪ ଘଣ୍ଟା ବିତିବା ପରେ ଶିଶୁର ଅବସ୍ଥା ଅଙ୍ଗନୱାଡି କର୍ମୀ କିମ୍ବା ଏ.ଏନ୍.ଏମ୍ ପୁନର୍ବାର ଆକଳନ କରିବା ପରେ ବିହିତ ଚିକିତ୍ସା କରି ପାରିବେ ।

    ଆଧାର - Women and Child Development Department

    "ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାର"

    3.75
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top