অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଙ୍ଗାରୁ ମା’ ଯତ୍ନ

ଜାତୀୟ ସ୍ୱାସ୍ଥ୍ୟ ମିଶନ

ଶିଶୁମୃତ୍ୟୁ ହାର ହ୍ରାସ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି କଙ୍ଗାରୁ ମଦର କେୟାର ସେଣ୍ଟର ବା କଙ୍ଗାରୁ ମା’ ଯତ୍ନ କେନ୍ଦ୍ର। ଏହି କେନ୍ଦ୍ରରେ ମା’ ମାନେ ସେମାନଙ୍କର ଶିଶୁଙ୍କୁ କଙ୍ଗାରୁ ଶୈଳୀରେ ଯତ୍ନ ନେବେ। କଙ୍ଗାରୁ ଯେପରି ତା’ର ପେଟରେ ଥିବା ଥଳିରେ ଶାବକକୁ ରଖି ବଢାଇଥାଏ, ଠିକ୍ ସେହିପରି ମା’ ମାନେ ନବଜାତକକୁ ଏକ ଥଳିରେ ରଖି ବେକରେ ଝୁଲାଇବେ । ଏହାଫଳରେ ଶିଶୁଟି ସିଧାସଳଖ ଭାବେ ମା’ର ସ୍ପର୍ଶ ପାଇବା ସହ ସହଜରେ ସ୍ତନ୍ୟପାନ କରିପାରିବ । ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଏହି ଅଭିନବ ପ୍ରାୟାସ ଗୋଟିଏ ପକ୍ଷରେ ଶିଶୁର ଯତ୍ନକୁ ସୁନିଶ୍ଚିତ କରୁଥିବା ବେଳେ ଅନ୍ୟପକ୍ଷରେ ସ୍ତନ୍ୟପାନକୁ ସହଜ କରାଇପାରିବ ।

ଶିଶୁମୃତ୍ୟୁ ହାର

ରାଜ୍ୟରେ ପ୍ରତି ୧୦୦୦ ନବଜାତକଙ୍କ ମଧ୍ୟରୁ ୩୭ଜଣଙ୍କର ମୃତ୍ୟୁ ଘଟୁଛି । ସେହିପରି ପ୍ରତି ୧୦୦୦ ଶିଶୁ (୧ ବର୍ଷରୁ କମ୍)ଙ୍କ ମଧ୍ୟରେ ୫୧ ଜଣଙ୍କର ମୃତ୍ୟୁ ଘଟୁଛି । ୨୦୧୩ରେ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ପୁଲ ରେଜିଷ୍ଟ୍ରେଶନ ସର୍ଭେ(ଏସଆରଏସ) ରେ ଉପରୋକ୍ତ ତଥ୍ୟ ମିଳିଛି । ତେଣୁ ରାଜ୍ୟରେ ଶିଶୁ ମୃତ୍ୟୁ ଖାସ୍ କରି ନବଜାତ ମୃତ୍ୟୁ ହାରରେ ଅଙ୍କୁଶ ଲଗାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆରମ୍ଭ କରିଛି କଙ୍ଗାରୁ ମଦର କେୟାର ସେଣ୍ଟର ବା କଙ୍ଗାରୁ ମା’ ଯତ୍ନ କେନ୍ଦ୍ର । ସମଗ୍ର ରାଜ୍ୟରେ ଏହି କେନ୍ଦ୍ର ଖୋଲିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରାଯାଇଛି ।

ରାଜ୍ୟର ୩ ମେଡିକାଲ କଲେଜ ସହିତ ଜିଲା ସଦରମହକୁମା ଡାକ୍ତରଖାନା, କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଡାକ୍ତରଖାନାରେ ଏହି କେନ୍ଦ୍ର ଖୋଲାଯିବ । ଭଦ୍ରକ, ଝାରଶୁଗୁଡା ଓ କୋରଫୁଟ ଜିଲାରେ ଏହି କେନ୍ଦ୍ର କାର୍ଯ୍ୟ ଆରମ୍ଭ କରିଛି । କଟକ ଶିଶୁଭବନ ଓ ଏସସିବି ମେଡିକାଲରେ ମଧ୍ୟ ଏହି କେନ୍ଦ୍ର ଖୋଲାଯିବାକୁ ଜୋରଦାର ଉଦ୍ୟମ ଚାଲିଛି । ଶିଶୁଭାବନରେ ୧୦ବେଡ୍ ଓ ଏସସିବିରେ ୬ବେଡ୍ ବିଶିଷ୍ଟ କେନ୍ଦ୍ର ଖୋଲାଯିବାକୁ ବ୍ୟବସ୍ଥା କରାଯିବ ।  ଡାକ୍ତରଖାନାର ଏସଏନସିୟୁକ ଲାଗି କରି ଏହି କେନ୍ଦ୍ର ନିର୍ମାଣ କରାଯିବ ।

କଙ୍ଗାରୁ ଯୋଜନା

କଙ୍ଗାରୁକୁ ଅନୁସରଣ କରି ଏହି ଯୋଜନାର ରୂପରେଖ ଦିଆଯାଇଛି । କାରଣ କଙ୍ଗାରୁ ଛୁଆ କୁଦି କରି ବାହାରକୁ ନ ବାହାରିବା ପର୍ଯ୍ୟନ୍ତ ସେ ତା’ ମା’ ଥଳି ଭିତରେ ସୁରକ୍ଷିତ ଭାବେ ରହିଥାଏ । ଉକ୍ତ ଯୋଜନାରେ  ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି । ଯଥା ମା’ ବେକରେ ଏକ ଥଳି ରଖାଯିବ । ମା’ର ଦୁଇସ୍ତନ ମଧ୍ୟରେ ଛୁଆ ଝୁଲି କରି ରହିବ । ପ୍ରଥମତଃ ମା’ ଚଲା ବୁଲା କରିବା ସମୟରେ ମଧ୍ୟ ଛୁଆ ଆରାମରେ ସ୍ତନ୍ୟ ପାନ କରିପାରୁଥିବା । ଏହାଦ୍ଵାରା ଛୁଆକୁ ଅନେକ ଉପକାର ମିଳିପାରିବ । ଯଥା ଅପରିପକ୍ଵ ଶିଶୁ ହୋଇଥିବାରୁ ଶିଶୁକୁ ଥଣ୍ଡା ରୋଗ ହୋଇଥାଏ । ମା’ ସହିତ ସ୍କିନ୍ ଟୁ ସ୍କିନ୍ ଆଟାଚମେଣ୍ଟ ବା ଚର୍ମକୁ ଚର୍ମ ମିଳାଇ ରହିବା ଦ୍ଵାରା ଶିଶୁକୁ ବେବି ୱାର୍ମର ଭଳି ଉଷୁମ ମିଳିଥାଏ । ଏହାବାଦ୍ ଶିଶୁ ସହିତ ମା’ର ସମ୍ପର୍କ ଅଧିକ ନିବିଡ ହୋଇଥାଏ । ଘଣ୍ଟା ଘଣ୍ଟା ଧରି ମା’ ବେକରେ ଶିଶୁ ଝୁଲି ରହିବା ଫଳରେ ଶିଶୁ ସ୍ଵାଭାବିକ ଡଙ୍ଗରେ ସୁସ୍ଥ ହୋଇଥାଏ । ଏହି ପ୍ରକ୍ରିୟା ଉଭୟ ମା’ ଓ ଶିଶୁ ଉପରେ ମାନସିକ ଓ ବୌଦ୍ଧିକ ପ୍ରଭାବ ପକାଇଥାଏ । କାରଣ ଶିଶୁଟି ଅପରିପକ୍ଵ ହୋଇଥିବାରୁ ପ୍ରାୟ ସମୟ ଚିତ୍କାର କରି କାନ୍ଦିଥାଏ । ତେଣୁ ମା’ ଓ ଶିଶୁ ପୋଡି ହୋଇ ରହିବା ଫଳରେ ଉଭୟଙ୍କୁ ଶାନ୍ତି ପ୍ରାପ୍ତ ହୋଇଥାଏ । କଙ୍ଗାରୁ ମା’ ଯତ୍ନ ଏକ ଚମତ୍କାର ଯୋଜନା । ଉଭୟ ମା’ ଓ ଶିଶୁଙ୍କୁ ଚର୍ମକୁ ଚର୍ମ ଲଗାଇ ରଖିବା ଦ୍ଵାରା ଶିଶୁର ଓଜନ ବଢିଥାଏ । ଶିଶୁଟି ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା ପାଇଥାଏ । ମା’ ଛାତିରେ ପିଲାକୁ ବାନ୍ଧି ରଖିଥିବାରୁ ମା’ ସ୍ତନରୁ ଅଧିକ କ୍ଷୀର କ୍ଷରଣ ହୋଇଥାଏ ।  ଏପରି କି କଙ୍ଗାରୁ ମା’ ଯୋଜନାରେ ଟ୍ରେନ୍ ଓ ବସ୍ ଯାତ୍ରା ସମୟରେ ଅଗ୍ରାଧିକାର ଭିତ୍ତିରେ ସୁବିଧା ଦିଆଯାଉଛି । ବମ୍ବେରେ ଏହି ସୁବିଧା ଉପଲବ୍ଧ ହୋଇଥିବା ବେଳେ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରାଯିବାକୁ ଉଦ୍ୟମ ଚାଲିଛି ।

ନିକଟରେ ବ୍ରହ୍ମପୁର ମେଡିକାଲ କଲେଜରେ କଙ୍ଗାରୁ ମା’ ଯୋଜନାରେ ଏକ ପ୍ରଶିକ୍ଷଣ କର୍ମଶାଳାର ଆୟୋଜନ କରଯାଇଥିଲା । ଡାକ୍ତର ଦେଇଥିବା ସୂଚନାନୁଯାୟୀ, ରାଜ୍ୟରେ ସମୁଦାୟ ଶିଶୁ ଜନ୍ମର ଏକ ତୃତୀୟାଂଶ ହେଉଛି ଅପରିପକ୍ଵ ଓ କମ୍ ଓଜନର ଶିଶୁ । ଯେଉଁ ମାନଙ୍କର ବଞ୍ଚିବାର ସମ୍ଭାବନା କମ୍ ଥାଏ । ସେମାନେ ନାନାଦି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ଯଥା ହୋଇପୋଥର୍ମିଆ ବା ଶନିପାତ ରୋଗ ହୋଇଥାଏ । ଏ କ୍ଷେତ୍ରରେ ମା’ ଯଦି ନିଜ ଶିଶୁଙ୍କୁ ଛାତିରେ ୨୪ ଘଣ୍ଟା ବାନ୍ଧି ରଖିଥାଏ ତେବେ ଉକ୍ତଶିଶୁ ଖୁବ୍ ଶୀଘ୍ର ଶନିପାତରୁ ଆରୋଗ୍ୟଲାଭ କରିଥାଏ । ଯଦି କେତେକ କ୍ଷେତ୍ରରେ ଶିଶୁଙ୍କୁ ଜନ୍ମ ଦେଇ ମା’ ସଂକଟାପନ୍ ଅବସ୍ଥାରେ ଆଇସିୟୁକୁ ଯାଇଥାନ୍ତି ସେ କ୍ଷେତ୍ରରେ ଶିଶୁର ବାପା ବା ଅନ୍ୟ ଅଭିଭାବକ ଏହି କାର୍ଯ୍ୟ ସମ୍ପନ୍ନ କରିପାରିବେ ।

ଆଧାର - ସ୍ୱାସ୍ଥ୍ୟ ବିଭାଗ, ଓଡିଶା ସରକାର

Last Modified : 12/28/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate