অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟିକା କରଣ

ଟିକା କରଣ

ଟିକା

ଟିକା ଏକ ଜୈବିକ ତିଆରି ପଦାର୍ଥ ଯାହା ଏକ ନିର୍ଦ୍ଦିଷ୍ଟ ରୋଗ ନିମନ୍ତେ ପ୍ରତିରୋଧ ଶକ୍ତି ବଢାଏ । ରୋଗ ସୃଷ୍ଟିକାରୀ ଜୀବାଣୁ ସହ ଟିକାର ସାମଞ୍ଜସ୍ୟ ରହେ । ଏହା ଦୂର୍ବଳ ବା ମୃତ ଜୀବାଣୁରୁ, ଏହାର ବାହ୍ୟ ପ୍ରୋଟିନରୁ (Surface protein) ଓ ଏହାର ବିଷରୁ ପ୍ରସ୍ତୁତ କରାଯାଏ ।

ଏହାକୁ ଏଜେଣ୍ଟ କୁହାଯାଇପାରେ । ଏହି ଏଜେଣ୍ଟ ଶରୀରର ପ୍ରତିରୋଧ ବିଭାଗକୁ ଉତ୍ତେଜିତ କରାଏ ଯାହା ଦ୍ଵାରା ଏହି ବାହ୍ୟ ପଦାର୍ଥକୁ ଚିହ୍ନି ଶରୀର ମନେ ରଖେ ଓ ପରବର୍ତ୍ତୀ ସମୟରେ ଏହା ଶରୀରରେ ପ୍ରବେଶ କଲେ ନଷ୍ଟ କରିଦିଏ।

ଟିକା ଦୁଇ ପ୍ରକାର ଅଛି : -

  1. ପ୍ରାକ-ରୋଗ ଟିକା ।
  2. ଚିକିତ୍ସା ନିମିତ୍ତ ଟିକା ।

ଭବିଷ୍ୟତରେ ରୋଗ ସୃଷ୍ଟିକାରୀ ଜୀବାଣୁ ଦ୍ଵାରା ରୋଗ ନ ହେବା ନିମନ୍ତେ ପ୍ରାକ ରୋଗ ଟିକା ଦିଆଯାଏ । କର୍କଟ ରୋଗ ଚିକିତ୍ସା ନିମନ୍ତେ ଟିକା ପ୍ରସ୍ତୁତି ଗବେଷଣା ଚାଲିଛି । ଏଡ଼ୱାର୍ଡ ଜେନର ୧୭୯୬ ମସିହାରେ ଟିକା ବା ଭାକସିନ ପ୍ରଥମେ ପ୍ରସ୍ତୁତ କରିଥିଲେ ।

ଆନ୍ତ୍ରିକ ଜ୍ଵର ଟିକା

ଆନ୍ତ୍ରିକ ଜ୍ୱର ଟିକା ଏକ ପ୍ରକାର ଟିକା ଯାହା ଆନ୍ତ୍ରିକ ଜ୍ୱର ବା ଟାଇଫଏଡ ରୋଗକୁ ପ୍ରତିରୋଧ କରେ । ଦୁଇ ପ୍ରକାର ଟିକା ମିଳେ ଯଥା: ପାଟିରେ ଦିଆଯାଉଥିବା ଜୀବନ୍ତ ଟିକା ନାମ ଟିୱାଇ୨୧ଏଓ, ଭିଆଇ କାପସୁଲାର ପଲିସାକାରାଇଡ ଟିକା ଯାହା ଇଞ୍ଜେକସନ ଆକାରରେ ଦିଆଯାଉଥିବା ସବ ୟୁନିଟ ଟିକା । ଏହି ଟିକା ୩୦ ରୁ ୮୦ % କାର୍ଯ୍ୟକ୍ଷମ ୩ ବର୍ଷ ପର୍ଯ୍ୟନ୍ତ।

ଏହି ରୋଗ ପ୍ରବଣ ଇଲାକାରେ ସବୁ ପିଲାଙ୍କୁ ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ସୁପାରିସ କରୁଛି । ସଙ୍କଟାପନ୍ନ ଲୋକଙ୍କୁ ମଧ୍ୟ ଦେବାକୁ ସୁପାରିସ କରାଯାଉଛି । ଟିକା ଅଭିଯାନ ମଧ୍ୟ କରିବାଦ୍ୱାରା ରୋଗ ମଡ଼କ ପ୍ରତିରୋଧ କରାଯାଇପାରେ । ପ୍ରତି ୧ ରୁ ୭ ବର୍ଷରେ ଥରେ ଟିକା ଦେବାକୁ ପରାମର୍ଶ ଦିଆଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ରୋଗ ପ୍ରବଣ ଇଲାକାକୁ ଯାଉଥିବା ଲୋକଙ୍କୁ ଏହି ଟିକା ନେବାକୁ ପରାମର୍ଶ ଦିଆଯାଏ ।

ପ୍ରଚଳିତ ଟାଇଫଏଡ ଟିକା ଅତି ନିରାପଦ । ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଏଚଆଇଭି/ଏଆଇଡିଏସରେ ଇଞ୍ଜେକସନ ଦେଲେ ମଧ୍ୟ ଏହା ନିରାପଦ ଓ ଲକ୍ଷଣ ନ ବାହାରିବା ପର୍ଯ୍ୟନ୍ତ ଦିଆଯାଇପାରେ । ଗର୍ଭାବସ୍ଥାରେ ଏହି ଟିକାର ଭୂମିକା ସ୍ପଷ୍ଟ ହୋଇନି । ୧୮୯୬ରେ ଆଲମ୍ରୋଥ ଏଡ‌ୱାର୍ଡ ରାଇଟ, ରିଚାର୍ଡ ଫିଫର ଓ ଉଇଲହେମ କୋଲେ ପ୍ରଥମେ ଏହି ଟିକା ପ୍ରସ୍ତୁତ କରିଥିଲେ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ନୂତନ ସଂସ୍କରଣ ଟିକା ଅଧୁନା ଦେବାକୁ ସୁପାରିସ କରାଯାଉଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ୨୦୧୪ ସୁଦ୍ଧା ଏହାର ହୋଲସେଲ ମୂଲ୍ୟ ୪.୪୪ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଟିକାର ମୂଲ୍ୟ ୨୫ରୁ ୫୦ ଡଲାର ।

ଇନଫ୍ଲୁଏଞ୍ଜା ଟିକା

ଇନଫ୍ଲୁଏଞ୍ଜା ଟିକା ଏକ ପ୍ରକାର ଟିକା ଯାହା ଇନଫ୍ଲୁଏଞ୍ଜା ରୋଗରୁ ସୁରକ୍ଷା ନିମନ୍ତେ ଦିଆଯାଏ । ପ୍ରତି ଦୁଇ ବର୍ଷରେ ଥରେ ଏହି ଟିକାର ନୂଆ ସଂସ୍କରଣ ତିଆରି ହୁଏ ଯେହେତୁ ଇନଫ୍ଲୁଏଞ୍ଜା ଭୂତାଣୁଶୀଘ୍ର ପରିବର୍ତ୍ତିତ ହୁଏ । ଅଧିକାଂଶ ଟିକା ସାମାନ୍ୟରୁ ଉଚ୍ଚ ସୁରକ୍ଷା ପ୍ରଦାନ କରେ କିନ୍ତୁ ଏହା ପ୍ରତି ବର୍ଷ ବଦଳେ । ୬୫ ବର୍ଷୀୟ ଲୋକଙ୍କ ଠାରେ ଏହାର କାର୍ଯ୍ୟକାରୀତା ଦୁର୍ବଳ । ଏହି ରୋଗ ଯୋଗୁ ହାରାହାରି ଅଧା ଦିନର କାମହାନୀ ହୁଏ । ଟିକା ନେଇଥିବା ପିଲାଙ୍କ ସଂସ୍ପର୍ଶରେ ଆସୁଥିବା ପିଲାଙ୍କର ମଧ୍ୟ ସୁରକ୍ଷା ହୁଏ ।

ଉଭୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ମିଳିତ ଭାବରେ ସମସ୍ତଙ୍କୁ ୬ମାସ ବୟସ ପରେ ବାର୍ଷିକ ଥରେ ଏହି ଟିକା ନେବାକୁ ସୁପାରିସ କରନ୍ତି । ବିଶେଷତଃ ଗର୍ଭାବସ୍ଥାରେ, ୬ ମାସରୁ ୫ ବର୍ଷ ବୟସ ମଧ୍ୟରେ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ସ୍ଥାନୀୟ ଆମେରିକା ଲୋକ ଓ ସ୍ୱାସ୍ଥ୍ୟକର୍ମୀ ମାନେ ନିତାନ୍ତ ଏହି ଟିକା ନେବା ଉଚିତ ।

ଏହି ଟିକା ସାଧାରଣତଃ ନିରାପଦ । ୫ ରୁ ୧୦% ପିଲାଙ୍କର ଜ୍ୱର ମାଂସପେଶୀ ଯନ୍ତ୍ରଣା ହୁଏ ଓ ଥକ୍କା ଲାଗେ । ଅଧିକ ବୟସର ଲୋକଙ୍କ ଭିତରେ ଏକ ନିୟୁତରେ ଜଣକୁ ଗୁଲେନ-ବାରେ ସିଣ୍ଡ୍ରୋମହୁଏ । ଅଣ୍ଡା ପ୍ରତି ଅତ୍ୟଧିକ ଆଲର୍ଜି (ଆନାଫାଇକ୍‌ସିସ୍) ଥିବା ଲୋକ‌ଙ୍କୁ ଓ ପୂର୍ବ ସଂସ୍କରଣ ଥିବା ଟିକା ଦେବାକୁ ନିଷେଧ କରାଯାଏ । ଦୁଇ ପ୍ରକାର ଟିକା ମିଳେ, ନିଷ୍କ୍ରିୟ ଓ ଦୁର୍ବଳ ଭୂତାଣୁ । ଗର୍ଭିଣୀମାନଙ୍କୁ ନିଷ୍କ୍ରିୟ ଭୂତାଣୁ ଟିକା ଦିଆଯାଏ । ଏହା ତିନି ଆକାରରେ ମିଳେ : ମାଂସପେଶୀରେ ଇଞ୍ଜେକସନ, ନାକ ସ୍ପ୍ରେ ବା ଫୁଆରା ଆକାର ବା ଚର୍ମ ମଧ୍ୟଭାଗରେ ଦିଆଯାଉଥିବା ଇଞ୍ଜେକସନ ଆକାର ।

ଇନଫ୍ଲୁଏଞ୍ଜା ନିମନ୍ତେ ଟିକା ଦେବା ୧୯୩୦ରେ ଆରମ୍ଭ ହେଲେ ମଧ୍ୟ ଆମେରିକାରେ ବ‌ହୁଳ ଭାବରେ ସନ ୧୯୪୫ରେ ଆରମ୍ଭ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।  ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୫.୨୫ ଡଲାର ଥିଲା ।  ଆମେରିକାରେ ଏହାର ମୂଲ୍ୟ୨୫ ଆମେରିକୀୟ ଡଲାରରୁ କମ୍ ।

ଏଚଆଇବି ଟିକା

ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଟାଇପ ବି ଟିକା ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଟାଇପ ବି ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଦିଆଯାଏ । ଯେଉଁ ଦେଶମାନଙ୍କରେ ଏହି ଟିକା ନିୟମିତ ଭାବରେ ଦିଆଯାଏ ସେଠାରେ ଏହି ରୋଗ ୯୦ %ରୁ ଅଧିକ କମିଯାଇଛି । ଏହା ଫଳରେ ମେନିଞ୍ଜାଇଟିସ୍, ନିମୋନିଆ ଓ ଏପିଗ୍ଲୋଟାଇଟିସ ରୋଗ ହାର କମିଛି ।

ଉଭୟ ଡବ୍ଲ୍ୟୁଏଚଓ ଓ ସେଣ୍ଟର ଫର ଡିଜିଜ କଣ୍ଟ୍ରୋ ଆଣ୍ଡ ପ୍ରିଭେନ୍‌ସନ୍ ଏହି ଟିକା ନେବାପାଇଁ ସୁପାରିସ କରନ୍ତି । ଛଅ ମାସ ବୟସ ପୁରିବା ପୂର୍ବରୁ ୨ ବା ୩ ଡୋଜ ଦେବା ଉଚିତ । ପ୍ରଥମ ଡୋଜ ୬ ସପ୍ତାହ ବୟସ ବେଳେ ଓ ଆଉ ପରବର୍ତ୍ତୀ ଡୋଜ ୪ ସପ୍ତାହ ଅନ୍ତରରେ ଅନ୍ୟ ଡୋଜ ଦେବାକୁ ଉପଦେଶ ଦିଆଯାଏ । ଦୁଇ ଡୋଜ ଦେଲେ ପରେ ଆଉ ଏକ ଡୋଜ ଦେବାକୁ ଉପଦେଶ ଦିଆଯାଏ । ମାଂସପେଶୀରେ ଇଞ୍ଜେକସନ୍ ଆକାରରେ ଏହା ଦିଆଯାଏ ।

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ନାହିଁ । ଇଞ୍ଜେକସନ ଦେବା ସ୍ଥାନରେ ୨୦ ରୁ ୨୫ % ଲୋକଙ୍କର କଷ୍ଟ ହୁଏ ଓ ୨ % ଲୋକଙ୍କର ଜ୍ୱର ହୁଏ ।ସାଂଘାତିକ ଆଲର୍ଜୀ ପ୍ରତିକ୍ରିୟା ହେବାର ସୂଚନା ନାହିଁ । ଏହି ଟିକା ସ୍ୱତନ୍ତ୍ର ଭାବେ ମିଳେ ଓ ଅନ୍ୟ ଟିକା ଯେପରିକି ଡିଫଥେରିଆ/ଟିଟାନସ୍/ପର୍ଟୁସିସ୍ ଟିକା ଓ ହେପାଟାଇଟିସ ବି ଟିକା ସ‌ହିତ ମିଶ୍ରିତ ଭାବରେ ମିଳେ । ଅଧୁନା ସମସ୍ତ ଏଚଆଇବି ଟିକା ମିଶ୍ରିତ ଟିକା ଭାବରେ ମିଳୁଛି ।

ପ୍ରାଥମିକ ଏଚଆଇବି ଟିକା ସନ ୧୯୭୭ରେ ପ୍ରସ୍ତୁତ ହୋଇଥିଲା ଓ ପରେ ସନ ୧୯୯୦ରେ ଏହାକୁ ବଦଳେଇ ଅଧିକ ପ୍ରଭାବୀ ଟିକା ତିଆରି କରାଗଲା । ସନ ୨୦୧୩ରେ ଏହାକୁ ୧୮୪ ଦେଶରେ ନିୟମିତ ହିସାବରେ ଦିଆଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଗୋଟିଏ ଏଚଆଇବି ମିଶ୍ରିତ ପେଣ୍ଟାଭାଲେଣ୍ଟ ଟିକାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୧୫.୪୦ ଆମେରିକୀୟ ଡଲାର ଥିଲା । ଆମେରିକାରେ ଡୋଜ ପିଛା ଏହାର ମୂଲ୍ୟ ୨୫ ରୁ ୫୦ ଡଲାର ।

ଏଚପିଭି ଟିକା

ହ୍ୟୁମ୍ୟାନ ପାପିଲୋମା ଭୂତାଣୁ (ଏଚପିଭି) ଟିକା ଏକ ପ୍ରକାର ଟିକା ଯାହା କେତେକ ପ୍ରକାର ହ୍ୟୁମ୍ୟାନ ପାପିଲୋମା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରେ ।ମିଳୁଥିବା ଟିକା ୨ ବା ୪ ବା ୯ ପ୍ରକାର ଏଚପିଭି ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ । ସବୁ ପ୍ରକାର ଟିକା ଅତି କମ୍‌ରେ ଏଚପିଭି ୧୬ ଓ ୧୮ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ ଯେହେତୁ ଏହି ଦୁଇ ପ୍ରକାର ଭୂତାଣୁ ଜରାୟୁ ଗ୍ରୀବା କର୍କଟ ରୋଗ ସଙ୍କଟର କାରଣ ହୋଇପାରେ । ଏହି ଟିକା ଯୋଗୁ ୭୦ % ଜରାୟୁ ଗ୍ରୀବା କର୍କଟ, ୮୦% ମଳାଶୟ କର୍କଟ, ୬୦ % ଯୋନୀପଥ କର୍କଟ, ୪୦ % ମହିଳା ଯୋନୀ କର୍କଟ ଓ ସମ୍ଭବତଃ କେତେକ ମୁଖ କର୍କଟ ରୋଗରୁ ସୁରକ୍ଷା ମିଳେ ।

ନିୟମିତ ଟିକାକରଣ ସ‌ହିତ ଏଚପିଭି ଟିକା ସବୁ ସକ୍ଷମ ଦେଶରେ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି । ବୟସ ଅନୁପାତରେ ଦୁଇ ବା ତିନି ଡୋଜ ଟିକା ଦେବା ଆବଶ୍ୟକ । ଝିଅମାନଙ୍କୁ ୯ ରୁ ୧୩ ବର୍ଷ ବୟସ ମଧ୍ୟରେ ଟିକା ଦେବା କଥା । ଏହି ଟିକା ଅତି କମ୍‌ରେ ୮ ବର୍ଷ ସୁରକ୍ଷା ଦିଏ । ଟିକା ନେବା ପରେ ମଧ୍ୟ ଜରାୟୁଗ୍ରିବା କର୍କଟ ସ୍କ୍ରୀନିଙ୍ଗ (Cervical cancer screening) କରିବା ଆବଶ୍ୟକ । ଥରେ ସଂକ୍ରମିତ ହୋଇସାରିଲା ପରେ ଟିକା ଦେଲେ ଅକାମୀ ହୋଇଯାଏ ।

ଏଚପିଭି ଟିକା ବ‌ହୁତ ନିରାପଦ । ଇଞ୍ଜେକସନ ସ୍ଥାନରେ ୮୦ % ଲୋକଙ୍କର କଷ୍ଟ ହୁଏ । ସେହି ସ୍ଥାନଟି ଫୁଲିଯାଇପାରେ, ଲାଲ ଦେଖାଯାଏ ଓ ଜ୍ୱର ହୋଇପାରେ । ଗୁଲେନ-ବାରେ ସିଣ୍ଡ୍ରୋମ ସ‌ହିତ କୌଣସି ଲିଙ୍କ ମିଳିନାହିଁ ।

ପ୍ରଥମ ଏଚପିଭି ଟିକା ସନ ୨୦୦୬ରେ ମିଳିଲା । ସନ ୨୦୧୪ ସୁଦ୍ଧା ୫୮ ଟି ଦେଶ ଏହାକୁ ନିୟମିତ ଭାବରେ ଦେଉଛନ୍ତି ବିଶେଷତଃ ଝିଅମାନଙ୍କୁ । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଡୋଜ ପିଛା ୪୭ ଆମେରିକୀୟ ଡଲାର ଥିଲା । ଆମେରିକାରେ ଏହାର ମୂଲ୍ୟ ୨୦୦ ଡଲାର ଅପେକ୍ଷା ଅଧିକ । ବିକାଶଶୀଳ ଦେଶମାନଙ୍କରେ ଏହା ଲାଭଜନ‌କ ହୁଏ ।

କଲେରା ଟିକା

କଲେରା ଟିକା କଲେରା ରୋଗ ପ୍ରତିଷେଧ ନିମନ୍ତେ ସୁଫଳ ଦିଏ ।  ଜନ୍ମର ୬ ମାସ ମଧ୍ୟରେ ଏହା ୮୫ % କାର୍ଯ୍ୟକାରୀ ହୁଏ ଓ ଏକ ବର୍ଷ ପର୍ଯ୍ୟନ୍ତି ୬୦ % କାର୍ଯ୍ୟକାରୀ ହୁଏ । ଦୁଇ ବର୍ଷ ପରେ ଏହାର କାମ ୫୦ %ରୁ କମ ହୁଏ । ଜନ ସଂଖ୍ୟାର ଯଥେଷ୍ଟ ଲୋକ ଟିକା ନେଲେ ବାକି ଟିକା ନ ନେଇଥିବା ଲୋକ ଗୋଷ୍ଠୀ ଇମ୍ମ୍ୟୁନିଟିର ଉପକାରୀତା ପାଆନ୍ତି । ରୋଗ ସଂକଟ ଥିବା ସ୍ଥାନମାନଙ୍କରେ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ସ‌ହିତ ଏହା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରନ୍ତି । ପାଟିରେ ଦିଆଯାଉଥିବା ଟିକାର ଦୁଇ ବା ତିନି ଡୋଜ ଦେବାକୁ ସୁପାରିସ କରାଯାଏ । ପୃଥିବୀର କେତେକ ସ୍ଥାନରେ ଇଞ୍ଜେକସନ ଆକାରର ଟିକା ମିଳେ ।

ପାଟି ଟିକା ସାଧାରଣତଃ ନିରାପଦ । ସାମାନ୍ୟ ପେଟ କଷ୍ଟ ବା ତରଳ ଝାଡ଼ା ହୋଇପାରେ । ଇମ୍ମ୍ୟୁନିଟି ଅଭାବ ଥଲେ ଓ ଗର୍ଭାବସ୍ଥାରେ ମଧ୍ୟ ଏହା ନିରାପଦ । ଷାଠିଏଟି ଦେଶରେ ଏହାର ବ୍ୟବ‌ହାର ନିମନ୍ତେ ଲାଇସେନ୍ସ ମିଳିଛି । କଲେରା ହେଉଥିବା ଦେଶମାନଙ୍କରେ ଏହି ଟିକା ଶସ୍ତାରେ ମିଳେ ।

୧୮୦୦ଶ ଶତାବ୍ଦୀର ଶେଷ ଭାଗରେ ପ୍ରଥମ କଲେରା ଟିକା ବିକଶିତ ହୋଇଥିଲା । ଲାବୋରେଟୋରିରେ ତିଆରି ହୋଇଥିବା ସେହି ଟିକା ବ୍ୟାପକ ଭାବେ ବ୍ୟବ‌ହୃତ ହୋଇଥିଲା । ପାଟିରେ ଦିଆଯାଉଥିବା ଟିକା ବା ପାଟି ଟିକା ୧୯୯୦ ମସିହାରେ ପ୍ରବର୍ତ୍ତନ କରାଯାଇଥିଲା । ମୌଳିକ ସ୍ୱାସ୍ଥ୍ୟ ଶୃଙ୍ଖଳା ନିମନ୍ତେ ଆବଶ୍ୟକ ଔଷଧ ଚିଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠାନ ଏହାକୁ ଅତି ଆବଶ୍ୟକ ମାନ୍ୟତା ଦେଇଛି । ଆମେରିକାରେ ଏହି ଟିକା ବାବଦ ଖର୍ଚ୍ଚ 0.୧ ରୁ ୪.0 ଡଲାର ମଧ୍ୟରେ ଲାଗେ ।

ଗାଲୁଆ ଟିକା

ଗାଲୁଆ ଟିକା (ଇଂରାଜୀରେ Mumps vaccines) ଗାଲୁଆ ରୋଗକୁ ନିରାପଦରେ ପ୍ରତିରୋଧ କରେ । ଅଧିକାଂଶ ଲୋକଙ୍କୁ ଟିକା ଦେଇଦେଲେ ରୋଗ ଜଟିଳତା ହ୍ରାସ ପାଏ ।  ଜନସଂଖ୍ୟାରେ ୯୦ % ଲୋକଙ୍କୁ ଟିକା ଦେଲେ ୮୫ % ଫଳପ୍ରଦ ହୁଏ । ଦୀର୍ଘକାଳୀନ ପ୍ରତିଷେଧ ନିମନ୍ତେ ଦୁଇ ଡୋଜ ଟିକା ଦରକାର ହୁଏ । ପ୍ରାରମ୍ଭିକ ଡୋଜ ୧୨ ରୁ ୧୮ ମାସିଆ ପିଲାକୁ ଦେବାକୁ ସୁପାରିସ କରାଯାଏ । ଦ୍ୱିତୀୟ ଡୋଜ ପିଲାଙ୍କୁ ୨ ରୁ ୬ ବର୍ଷ ହୋଇଥିଲା ବେଳେ ଦିଆଯାଏ ।  ଇମ୍ମ୍ୟୁନିଟି ନ ଥାଇ ରୋଗୀ ସଂସ୍ପର୍ଶରେ ଆସିଲେ ବି ଟିକା ଦେଲେ ଉପକାର ମିଳେ ।

ଏହା ଅତି ନିରାପଦ ଟିକା ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ଅତି ସାମାନ୍ୟ । ଇଞ୍ଜେକସନ ଦେବା ସ୍ଥାନରେ ସାମାନ୍ୟ ଜ୍ୱର, କଷ୍ଟ ଓ ଫୁଲା ହୋଇପାରେ । କ୍ୱଚିତ ଉଲ୍ଲେଖନୀୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ସ୍ନାୟବିକ ପ୍ରଭାବ ଭଳି ପ୍ରକ୍ରିୟାକୁ ଟିକା ସାଥୀରେ ଯୋଡ଼ିବା ନିମନ୍ତେ ପ୍ରମାଣ ମିଳୁନି । ଇମ୍ମ୍ୟୁନିଟି ଅଭାବ ଥିଲେ ଓ ଗର୍ଭାବସ୍ଥାରେ ଏହି ଟିକା ଦେବା ଉଚିତ ନୁହେଁ । ଗର୍ଭାବସ୍ଥାରେ ଟିକା ନେଇଥିବା ମହିଳାଙ୍କର ଜନ୍ମିତ ଶିଶୁ ଉପରେ କୌଣସି ଖରାପ ଫଳପ୍ରଦ ହେବା ଲିଖିତ ନାହିଁ । ଚିକେନ ଜୀବକୋଷରେ ଏହି ଟିକା ପ୍ରସ୍ତୁତ ହେଉଥିଲେହେଁ ଅଣ୍ଡା ଆଲର୍ଜିଥିବା ଲୋକଙ୍କର କୌଣସି ଅସୁବିଧା ହୁଏନାହିଁ ।

ଅଧିକାଂଶ ବିକଶିତ ଦେଶ ଓ ଅନେକ ବିକାଶଶୀଳ ଦେଶମାନଙ୍କର ଟିକା ପ୍ରୋଗ୍ରାମରେ ଏମ‌ଏମ‌ଆର ନାମରେ ମିଳିମିଳା ଟିକା ଓ ରୁବେଲା ଟିକା ସ‌ହିତ ଗାଲୁଆ ଟିକା ଅନ୍ତର୍ଭୁକ୍ତ ଥାଏ ।  ପୂର୍ବୋକ୍ତ ଟିକା ସ‌ହିତ ହାଡ଼ଫୁଟି ଟିକା ମିଶେଇ ଏମ‌.ଏମ‌.ଆର.ଭି. ନାମରେ ମିଳୁଛି । ୨୦୦୫ ମସିହାରେ ୧୧୦ ଦେଶ ଏହି ଟିକା ପ୍ରଚଳନ କରୁଥିଲେ । ବିସ୍ତୃତ ଟିକା ଦିଆଯାଉଥିବା ଇଲାକାମାନଙ୍କରେ ଏହି ରୋଗ ହାର ୯୦ % କମିଛି । ଏକ ପ୍ରକାର ଟିକା ଅଧା ବିଲିଅନ ସଂଖ୍ୟାରେ ଦିଆଯାଇଛି ।

୧୯୪୮ରେ ଲାଇସେନ୍ସ ପାଇଥିବା ଗାଲୁଆ ଟିକା ସ୍ୱଳ୍ପ କାଳ ନିମନ୍ତେ ଫଳପ୍ରଦ ହେଉଥିଲେ । ୧୯୬୦ ଦଶକରେ ଉନ୍ନତ ଟିକା ବଜାର ନିମନ୍ତେ ତିଆରି ହେଲା । ପ୍ରାରମ୍ଭରେ ନିଷ୍କ୍ରିୟ ଟିକା ତିଆରି ହେଉଥିଲା କିନ୍ତୁ ପରେ ଦୁର୍ବଳ ଜୀବନ୍ତ ଟିକା ତିଆରି ହେଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୌଳିକ ସ୍ୱାସ୍ଥ୍ୟ ପ୍ରଣାଳୀରେ ଆବଶ୍ୟକ ହେଉଥିବା ଔଷଧ ଚିଠା ମଧ୍ୟରେ ଏହାର ନାମ ଲିଖିତ ଅଛି । ୨୦୦୭ ସୁଦ୍ଧା ଅନେକ ପ୍ରକାର ଟିକା ଉପଲବ୍ଧ ହେଉଛି ।

ଜଳାତଙ୍କ ଟିକା

ଜଳାତଙ୍କ ଟିକା ଏକ ପ୍ରକାର ଟିକା ଯାହା ଜଳାତଙ୍କ ରୋଗକୁ ପ୍ରତିରୋଧ କରିବାକୁ ଦିଆଯାଏ ।  ଅନେକ ପ୍ରକାରର ଏହି ଟିକା ମିଳୁଛି ଓ ସମସ୍ତ ଟିକା ବିପଦମୁକ୍ତ ଓ ପ୍ରଭାବଶାଳୀ । କୁକୁର ଓ ବାଦୁଡ଼ି କାମୁଡ଼ା ପୂର୍ବରୁ ଓ ଭୂତାଣୁ ସଂସ୍ପର୍ଶରେ ଆସିବାର କିଛି ଦିନ ପର ପର୍ଯ୍ୟନ୍ତ ଏହା ଦିଆଯାଏ । ତିନି ଡୋଜ ନେବା ପରେ ଦୀର୍ଘ କାଳ ନିମନ୍ତେ ଏହା କାର୍ଯ୍ୟକ୍ଷମ ରହେ । ମାଂସପେଶି ମଧ୍ୟରେ ବା ଚର୍ମରେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ । ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଏହା ସ‌ହିତ ଜଳାତଙ୍କ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦିଆଯାଏ । ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ସଂସ୍ପର୍ଶ ପୂର୍ବରୁ ଦେବାକୁ ସୁପାରିସ କରାଯାଏ । ମାନବ ଓ ଅନ୍ୟ ପଶୁମାନଙ୍କଠାରେ ଏହି ଟିକା କାର୍ଯ୍ୟକ୍ଷମ ଥାଏ । କୁକୁରଙ୍କୁ ଏହି ଟିକା ଦେଲେ ମାନବକୁ ସଂକ୍ରମଣ ହୋଇପାରେ ନାହିଁ ।

ସମସ୍ତ ବୟସରେ ଏହି ଟିକା ନେବା ବିପଦମୁକ୍ତ । ପ୍ରାୟ ୩୦ ରୁ ୩୫% ଲୋକଙ୍କର ଇଞ୍ଜେକସନ ନେଇଥିବା ସ୍ଥାନ ଲାଲ ହୋଇଯାଏ ଓ କଷ୍ଟ ହୁଏ । ପ୍ରାୟ ୫ରୁ ୧୦ % ଲୋକଙ୍କର ଜ୍ୱର, ମୁଣ୍ଡବଥା, ବା ଅଇ ହୁଏ । ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଏହା ନେବାକୁ କୌଣସି ନିଷେଧ ନାହିଁ । ଅଧିକାଂଶ ଟିକାରେ ଥିମେରୋସାଲ ନ ଥାଏ । ମୁଖ୍ୟତଃ ଏସିଆ ଓ ଲାଟିନ ଆମେରିକାରେ ସ୍ନାୟୁ ତନ୍ତୁରୁ ପ୍ରସ୍ତୁତ କରାଯାଉଥିବା ଟିକା ସ୍ୱଳ୍ପ ପ୍ରଭାବୀ ଓ ଅଧିକ ପାର୍ଶ୍ୱ ପ୍ରତିକ୍ରିୟାଶୀଳ ଥାଏ । ଏହାର ବ୍ୟବ‌ହାରକୁ ଡବ୍ଲ୍ୟୁ.ଏଚ.ଓ ସୁପାରିସ କରିନାହିଁ ।

ପ୍ରଥମ ଜଳାତଙ୍କ ଟିକା ୧୮୮୫ରେ ପରିଚିତ ହୋଇଥିଲା ଓ  ୧୯୦୮ରେ ଉନ୍ନତ ଟିକା ଆସିଥିଲା । ପୃଥିବୀରେ ନିୟୁତ ନିୟୁତ ଲୋକ ଏହି ଟିକା ନେଉଛନ୍ତି ଓ ପ୍ରତିବର୍ଷ ପ୍ରାୟ ୨୫୦,୦୦୦ଲୋକ ମୃତ୍ୟୁ ମୁଖରୁ ରକ୍ଷା ପାଉଛନ୍ତି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।  ୨୦୧୪ଅନୁସାରେ ଗୋଟିଏ କୋର୍ଷର ହୋଲସେଲ ମୂଲ୍ୟ ୪୪ ରୁ ୭୮ଆମେରିକୀୟ ଡଲାର । ଆମେରିକାରେ ଗୋଟିଏ କୋର୍ଷର ମୂଲ୍ୟ ୭୫୦ ଡଲାର ।

ଜାପାନୀ ଏନ‌କେଫାଲାଇଟିସ୍ ଟିକା

ଜାପାନୀ ଏନ‌କେଫାଲାଇଟିସ୍ ଟିକା ଯାହା ଜାପାନୀ ଏନ‌କେଫାଲାଇଟିସ୍ ରୋଗରୁ ସୁରକ୍ଷା ପ୍ରଦାନ କରେ । ଏହି ଟିକା ୯୦% ରୁ ଅଧିକ କାର୍ଯ୍ୟକାରୀ ହୁଏ । ଏହାର ପ୍ରଭାବ ସମୟକ୍ରମେ କମିଯାଏ ଓ ଏହି ସୀମା ନିର୍ଦ୍ଧାରିତ ହୋଇପାରି ନାହିଁ । ଏହା ଇଞ୍ଜେକସନ୍ ଆକାରରେ ଚର୍ମ ତଳେ ବା ମାଂସପେଶୀରେ ଦିଆଯାଏ ।

ଜାପାନୀ ଏନ‌କେଫାଲାଇଟିସ୍ ରୋଗ ସମସ୍ୟା ପ୍ରବଣ ଇଲାକାରେ ଏହା ନିୟମିତ ଟିକା ହିସାବରେ ଦିଆଯାଏ । ଟିକା ସଂସ୍କରଣ ଅନୁସାରେ ଗୋଟିଏ ବା ଦୁଇଟି ଟିକା ଡୋଜ ଦିଆଯାଏ । ଅଧିକ ଡୋଜ ସାଧାରଣତଃ ଆବଶ୍ୟକ ହୁଏ ନାହିଁ । ଏଚଆଇଭି/ଏଡସ୍ ରୋଗୀ ଓ ଗର୍ଭିଣୀମାନଙ୍କୁ ନିଷ୍କ୍ରିୟ ଟିକା ଦିଆଯାଏ । ଏହି ରୋଗ ହେଉଥିବା ଇଲାକାକୁ ଭ୍ରମଣ କରିବାକୁ ଯାଉଥିବା ଟୁରିଷ୍ଟମାନଙ୍କୁ ଟିକା ନେବାକୁ ଉପଦେଶ ଦିଆଯାଏ । ଏହି ଟିକା ଆପାତ‌ତଃ ନିରାପଦ । ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ କଷ୍ଟ ଓ ଲାଲ ଦେଖାଯାଇପାରେ । ୨୦୧୫ ସୁଦ୍ଧା ୧୫ ପ୍ରକାର ଟିକା ମିଳୁଛି । କେତେକ ଟିକା ରିକମ୍ବିନାଣ୍ଟ ଡିଏନଏଟେକ୍‌ନିକ୍‌ରେ, କେତେକ ଦୁର୍ବଳ ଭୂତାଣୁ ଓ ଅନ୍ୟ କେତେକ ନିଷ୍କ୍ରିୟ ଭୂତାଣୁ ସାହାଯ୍ୟରେ ପ୍ରସ୍ତୁତ କରାଯାଉଛି ।

୧୯୩୦ ରେ ପ୍ରଥମେ ଜାପାନୀ ଏନ‌କେଫାଲାଇଟିସ୍ ଟିକା ଉପଲବ୍ଧ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥାନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଆମେରିକାରେ ଗୋଟିଏ ଟିକା କୋର୍ଷର ମୂଲ୍ୟ ୧୦୦ ରୁ ୨୦୦ ଡଲାର ।

ଟିଟାନସ୍ ଟିକା

ଟିଟାନସ୍ ଟିକା ବା ଟିଟାନସ୍ ଭାକ୍‌ସିସନ ବା ଟିଟାନସ୍ ଟକ୍‌ସଏଡ (TT) ଏକ ପ୍ରକାର ଟିକା ଯାହା ଟିଟାନସ୍ ରୋଗର ପ୍ରତିଷେଧ ନିମନ୍ତେ ଦିଆଯାଏ । ଶିଶୁ ଅବସ୍ଥରେ ୫ ମାତ୍ରା ବା ଡୋଜ ଦିଆଯାଏ ଓ ତାପରେ ପ୍ରତି ଦଶ ବର୍ଷରେ ଥରେ ଦିଆଯାଏ । ତିନି ଡୋଜ ପରେ ପ୍ରାୟ ସମସ୍ତେ ଇମ୍ମ୍ୟୁନ ହୋଇଯାଆନ୍ତି । ନିୟମିତ ଟିକା ନେଉ ନଥିଲେ ଖଣ୍ଡିଆ/ଆଘାତ ହେବାର ୪୮ ଘଣ୍ଟା ମଧ୍ୟରେ ଅଧିକ ଏକ ଡୋଜ ଟିକା ଦିଆଯାଏ । ସମ୍ପୁର୍ଣ୍ଣ ଇମ୍ମ୍ୟୁନାଇଜେସନ ନ ହୋଇଥିଲେ ସଙ୍କଟାପନ୍ନ କେଶରେ ଟିଟାନସ୍ ଆଣ୍ଟିଟକ୍‌ସିନ ଦିଆଯାଏ । ଗର୍ଭିଣୀ ମହିଳାଙ୍କର ଟିକା ନେବା ନିଶ୍ଚିତ କରିବା କଥା, ନ ହୋଇଥିଲେ ଟିକା ନେଲେ ନିଓନାଟାଲ ଟିଟାନସ୍ ପ୍ରତିରୋଧ ହୁଏ ।

ଗର୍ଭାବସ୍ଥାରେ ବା ଏଚଆଇଭି/ଏଡ୍‌ସ୍ ଥିଲେ ମଧ୍ୟ ଏହି ଟିକା ସମ୍ପୁର୍ଣ୍ଣ ନିରାପଦ । ଟିକା ନେବା ପରେ ୨୫ ରୁ ୮୫ % ଲୋକଙ୍କର ଇଞ୍ଜେକସନ ନେବା ସ୍ଥାନରେ ଲାଲ ପଡ଼ିଯାଏ ଓ କଷ୍ଟ ହୁଏ । ଜ୍ୱର, ଥକ୍କା ଲାଗିବା, ସାମାନ୍ୟ ପେଶୀ ଯନ୍ତ୍ରଣା ୧ % ଲୋକଙ୍କର ହୁଏ । ଅତ୍ୟଧିକ ଆଲର୍ଜି ପ୍ରତିକ୍ରିୟା ହୁଏ ଲକ୍ଷେରେ ଜଣକୁ ।

କେତେଗୁଡ଼ିଏ ମିଶ୍ରିତ ଟିକା ମିଳେ: ଡିଟିଏପି ଓ ଟିଡିଏପି (DTaP and Tdap) ଯେଉଁଥିରେ ଡିଫଥେରିଆ, ଟିଟାନସ୍, ଓ ପର୍ଟୁସିସ୍ ଟିକା; ଡିଟ ଓ ଟିଡି ଯେଉଁଥିରେ ଡିଫଥେରିଆ ଓ ଟିଟାନସ୍ ଟିକା ଦିଆଯାଏ । ଡିଟିଏପି ଓ ଡିଟି ଟିକା ୭ ବର୍ଷ ବୟସରୁ କମ ପିଲାଙ୍କୁ ଦିଆଯାଏ ଓ ଟିଡିଏପି ଓ ଟିଡି ୭ ବା ତଦୁର୍ଦ୍ଧ୍ୱ ବୟସରେ ଦିଆଯାଏ ।[୩] ଇଂରାଜୀରେ ଛୋଟ ଡି(d) ଓ ଛୋଟ ପି(p) ଅଳ୍ପ ଶକ୍ତିର ଡିଫଥେରିଆ ଓ ପର୍ଟୁସିସ୍ ଟିକାକୁ ବୁଝାର ।

ଟିଟାନସ୍ ଟିକା ସନ ୧୯୨୭ରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଆମେରିକାରେ ସନ ୧୯୪୦ରେ ଉପଲବ୍ଧ ହେଲା ।  ଏହି ଟିକା ଦେବା ଫଳରେ ଟିଟାନସ୍ ରୋଗ ୯୫ % କମିଗଲା ।  ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୦.୧୭ ରୁ ୦.୬୫ ଆମେରିକିୟ ଡଲାର ଥିଲା । ଆମେରିକାର ଏହାର ମୂଲ୍ୟ ୨୫ ରୁ ୫୦ ଡଲାର ।

ଡିଫ୍‌ଥେରିଆ ଟିକା

ଡିଫ୍‌ଥେରିଆ ଟିକା ଏକ ଟିକା ଯାହା ଡିଫଥେରିଆ ରୋଗ ଜନ୍ମାଉଥିବା କୋରାଇନୋବ୍ୟାକ୍ଟେରିଅମ ଡିଫଥେରି ଜୀବାଣୁ ବିରୁଦ୍ଧରେ ପ୍ରୟୋଗ କରାଯାଏ । ଏହି ଟିକା ଦେବାଦ୍ୱାରା ପୃଥିବୀରେ ସନ୧୯୮୦ରୁ ସନ ୨୦୦୦ ମଧ୍ୟରେ ଏହି ରୋଗ ସଂଖ୍ୟା ୯୦% କମିଛି । ତିନି ପ୍ରାରମ୍ଭିକ ଡୋଜ ଦେବାପରେ ଏହା ୯୫% କାର୍ଯ୍ୟକାରୀ ହୋଇଥାଏ ।  ଏହାର ପ୍ରଭାବ ୧୦ ବର୍ଷ ପର୍ଯ୍ୟନ୍ତ ରହେ ଓ ତାପରେ ଆଉ ଗୋଟିଏ ବୁଷ୍ଟର ଡୋଜ ଆବଶ୍ୟକ ହୁଏ । ଛଅ ସପ୍ତାହ ବୟସରେ ଏହି ଟିକା ଦେବା ଆରମ୍ଭ କରାଯାଏ ଓ ପ୍ରତି ୪ ସପ୍ତାହରେ ଗୋଟିଏ ଡୋଜ ଦିଆଯାଇ ମୋଟ ୩ ଡୋଜ ଦିଆଯାଏ ।

ଡିଫ୍‌ଥେରିଆ ଟିକା ଅତି ନିରାପଦ । କ୍ୱଚିତ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୋଇପାରେ।  ଗୋଟିଏ ଆବୁ ସେହି ସ୍ଥାନରେ ଦେଖାଯାଇପାରେ ଯାହା କିଛି ସପ୍ତାହ ପର୍ଯ୍ୟନ୍ତ ରହେ ।[୩] ଦୁର୍ବଳ ଇମ୍ମ୍ୟୁନିଟି ଥିଲେ ବା ଗର୍ଭାବସ୍ଥାରେ ଏହା ନିରାପଦ ଥାଏ ।

ଡିଫ୍‌ଥେରିଆ ପ୍ରତିରୋଧ ନିମନ୍ତେ କେତେକ ମିଶ୍ରିତ ଟିକା ଦିଆଯାଉଛି । ଟେଟାନସ୍ ଟକ୍‌ସଏଡ୍ ସ‌ହିତ ମିଶିଲେ ଡିଟି ଟିକା, ଓ ପର୍ଟୁସିସ୍ ଟିକା ସାଥିରେ ମିଶିଲେ ଡିପିଟି ଟିକା ନାମ ଦିଆଯାଏ । ସନ ୧୯୭୪ରୁ ଏହାକୁ ଡବ୍ଲ୍ୟୁ.ଏଚ.ଓ ସ୍ୱିକୃତୀ ଦେଇଛି । ପୃଥିବୀର ପ୍ରାୟ ୮୪% ଲୋକ ଏହି ଟିକା ନେଇ ସାରିଛନ୍ତି । ଏହା ଇଞ୍ଜେକସନ ଆହାରରେ ମାଂସପେଶୀରେ ଦିଆଯାଏ । ଏହି ଟିକାକୁ ଥଣ୍ଡାରେ ରଖାଯାଏ କିନ୍ତୁ ବରଫ ଭଳି ନୁହେଁ ।

ଡିଫ୍‌ଥେରିଆ ଟିକା ସନ ୧୯୨୩ରେ ପ୍ରସ୍ତୁତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଟକ୍‌ସଏଡ୍ ମିଶ୍ରିତ ଟିକାର ମୂଲ୍ୟ ସନ ୨୦୧୪ରେ ଡୋଜ ପିଛା ୦.୧୨ ରୁ ୦.୯୯ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୨୫ ଡଲାର ।

ନିମୋକୋକାଲ ଟିକା

ନିମୋକାକାଲ ଟିକା ଏକ ପ୍ରକାର ଟିକା ଯାହା ସ୍ଟ୍ରେପ୍ଟୋକୋକସ୍ ନିମୋନି ବିରୁଦ୍ଧରେ କାମ କରେ । ଏହାର ବ୍ୟବ‌ହାରଦ୍ୱାରା କେତେକ ନିମୋନିଆ, ମେନିଞ୍ଜାଇଟିସ ଓ ସେପ୍ସିସ ରୋଗ ପ୍ରତିରୋଧ ହୁଏ । ଦୁଇ ପ୍ରକାର ଟିକା ମିଳୁଛି: ନିମୋକୋକାଲ କଞ୍ଜୁଗେଟ ଟିକା ଓ ନିମୋକୋକାଲ ପଲିସାକାରାଇଡ ଟିକା । ଏହି ଟିକା ମାଂସପେଶୀରେ ବା ଚର୍ମତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ପିଲାଙ୍କୁ ନିୟମିତ ଟିକାକରଣ ସମୟରେ କଞ୍ଜୁଗେଟ ଟିକା ଦେବାକୁ ସୁପାରିସ କରିଛି । ଏହ ମଧ୍ୟରେ ଏଚାଆଇଭି/ଏଆଇଡିଏସ ଅନ୍ତର୍ଭୁକ୍ତ । ତିନିରୁ ଚାରି ଡୋଜ୍ ଦେଲେ ସାଂଘାତିକ ରୋଗମାନଙ୍କରୁ ୭୧ ରୁ ୯୩ % ସୁରକ୍ଷା ମିଳେ ।ସୁସ୍ଥ ଲୋକଙ୍କୁ ପଲିସାକାରାଇଡ ଦେଲେ କାର୍ଯ୍ୟକ୍ଷମ ହୁଏ କିନ୍ତୁ ଇମ୍ମ୍ୟୁନିଟି ଅଭାବ ଥିବା ଲୋକ ବା ୨ ବର୍ଷ ବୟସରୁ କମ ପିଲାଙ୍କ କ୍ଷେତ୍ରରେ କାର୍ଯ୍ୟକ୍ଷମ ହୁଏନି ।

ସାଧାରଣତଃ ଏହା ଏକ ନିରାପଦ ଟିକା । ପ୍ରାୟ ୧୦ % ପିଲାଙ୍କର ଇଞ୍ଜେକସନ ନେବା ସ୍ଥାନ ଲାଲ ଦେଖାଯାଏ, ଜ୍ୱର ହୁଏ ଓ ନିଦରେ ପରିବର୍ତ୍ତନ ହୁଏ । ଅତ୍ୟଧିକ ଆଲର୍ଜି କ୍ୱଚିତ ହୁଏ ।

ସନ ୧୯୮୦ରେ ପ୍ରଥମ ନିମୋକୋକାଲ ଟିକା ପ୍ରସ୍ତୁତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୧୭ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୨୫ ରୁ ୧୦୦ ଡଲାର ।

ପୋଲିଓ ଟିକା

ପୋଲିଓ ଟିକା ପୋଲିଓମାୟେଲାଇଟିସ (ପୋଲିଓ) ରୋଗ ପ୍ରତିରୋଧ ନିମନ୍ତେ ଉଦ୍ଦିଷ୍ଟ ।  ଏହାର ଏକ ପ୍ରକାର ଟିକା ନିଷ୍କ୍ରିୟ ପୋଲିଓ ଭୂତାଣୁ ବ୍ୟବ‌ହାର କରେ ଓ ଇଞ୍ଜେକସନ ଆକାରରେ ଦିଆଯାଏ , ଅନ୍ୟଟି ଦୁର୍ବଳ ଭୂତାଣୁ ବ୍ୟବ‌ହାର କରେ ଓ ପାଟିରେ ଖାଇବାକୁ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ପିଲାଙ୍କୁ ଏହି ଟିକା ଦେବାକୁ ସୁପାରିସ କରେ ।  ପୃଥିବୀର ଅଧିକାଂଶ ସ୍ଥାନରୁ ଏହି ଦୁଇ ପ୍ରକାର ଟିକା ପୋଲିଓ ରୋଗ ନିର୍ମୂଳ କରିଦେଇଛି, ଓ ରୋଗୀ ସଂଖ୍ୟା ପ୍ରତି ବର୍ଷ କମିଯାଇ ସନ ୧୯୮୮ରେ ହୋଇଥିବା ୩୫୦,୦୦୦ରୁ କମିଯାଇ ସନ ୨୦୧୪ରେ ୩୫୯ ହୋଇଛି ।

ନିଷ୍କ୍ରିୟ ଟିକା ଅତ୍ୟନ୍ତ ନିରାପଦ । ଇଞ୍ଜେକସନ୍ ଦେବା ସ୍ଥାନ ସାମାନ୍ୟ ଲାଲ ଦେଖାଯାଏ ଓ କଷ୍ଟ ଅନୁଭବ ହୁଏ । ମୁଖ ପୋଲିଓ ଟିକା ନେଇ ଏକ ନିୟୁତ ଡୋଜରେ ୩ ଜଣକୁ ପାରାଲିଟିକ ପୋଲିଓମାୟେଲାଇଟିସ ହୁଏ । ଗର୍ଭାବସ୍ଥାରେ ଓ ସୁସ୍ଥ ଏଚ‌ଆଇଭି/ଏଆଇଡିଏସ ଲୋକଙ୍କ ନିମନ୍ତେ ମଧ୍ୟ ଦୁଇଟିଯାକ ଟିକା ସାଧାରଣତଃ ନିରାପଦ ।

ପ୍ରଥମ ପୋଲିଓ ଟିକା ନିଷ୍କ୍ରିୟ ଥିଲା । ଏହା ସନ ୧୯୫୫ରେ ଜୋନାସ୍ ସଲ୍‌କ୍ ପ୍ରସ୍ତୁତ କରିଥିଲେ ଓ ୧୯୫୫ରେ ବ୍ୟବ‌ହୃତ ହେଲା । ପାଟି ପୋଲିଓ ଟିକା ଆଲ୍‌ବର୍ଟ ସାବିନ ପ୍ରସ୍ତୁତ କରିଥିଲେ ଓ ବ୍ୟବସାୟିକ ଭିତ୍ତିରେ ପ୍ରଥମେ ସନ ୧୯୬୧ରେ ବ୍ୟବ‌ହୃତ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୨୫ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ନିଷ୍କ୍ରିୟ ଟିକାର ମୂଲ୍ୟ ୨୫ ରୁ ୫୦ ଡଲାର ।

ବିସିଜି ଟିକା

ବ୍ୟାସିଲସ୍ କ୍ୟାଲମେଟ-ଗେରିନ (ବିସିଜି) ଟିକା ଏକ ପ୍ରକାର ଟିକା ଯାହା ପ୍ରାଥମିକ ଭାବରେ ଯକ୍ଷ୍ମା ରୋଗ ବିରୁଦ୍ଧରେ ଦିଆଯାଉଥିଲା । ଯକ୍ଷ୍ମା ପ୍ରବଣ ଦେଶମାନଙ୍କରେ ସୁସ୍ଥ ଶିଶୁକୁ ଜନ୍ମ ହେବା ପରେ ଯେତେ ଶିଘ୍ର ହୋଇପାରେ ଗୋଟିଏ ମାତ୍ରା/ଡୋଜ ଦେବାକୁ ସୁପାରିସ କରାଯାଏ । ଯକ୍ଷ୍ଣା ପ୍ରବଣ ନ ଥିବା ସ୍ଥାନମାନଙ୍କରେ ଉଚ୍ଚ ସଙ୍କଟାପନ୍ନ ଶିଶୁକୁ ଟିକା ଦିଆଯାଏ ଓ ସନ୍ଦେହ ଜନ‌କ ଲୋକ‌କୁ ପରୀକ୍ଷା କରି ଚିକିତ୍ସା କରାଯାଏ । ଯକ୍ଷ୍ମା ରୋଗ ନ ଥିବା ବୟଃପ୍ରାପ୍ତ ଲୋକ ଯିଏ କି ଆଗରୁ ଟିକା ନେଇନାହିଁ ଓ ବାରମ୍ବାର ଡ୍ରଗ-ଅବରୋଧକାରୀ ଯକ୍ଷ୍ମା ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଟିକା ଦିଆଯାଏ ।

ଏହି ଟିକାର ସୁରକ୍ଷାକାରୀ ପ୍ରଭାବ ହାରରେ ତାରତମ୍ୟ ଥାଏ; ଏହା ୧୦ ରୁ ୨୦ବର୍ଷ ପର୍ଯ୍ୟନ୍ତ ଥାଏ । ପିଲାଙ୍କ ମଧ୍ୟରୁ ଏହାଦ୍ୱାରା ୨୦ % ସୁରକ୍ଷା ପାଆନ୍ତି ଓ ସଂକ୍ରମିତ ହୋଇଥିବା ପିଲାଙ୍କ ମଧ୍ୟରୁ ଅଧା ପିଲାଙ୍କୁ ରୋଗ ହେବାରୁ ରକ୍ଷା ମିଳେ । ଏହି ଟିକା ଇଞ୍ଜେକସନ ଆକାରରେ ଚର୍ମରେ ଦିଆଯାଏ । ଅଧିକ ମାତ୍ରା ବା ଡୋଜ ଦେଲେ କିଛି ଅଧିକ ଉପକାର ହେବାର ପ୍ରମାଣ ନାହିଁ । କେତେକ ପ୍ରକାରର ମୂତ୍ରାଶୟ କର୍କଟକୁ ଏହାଦ୍ୱାରା ଚିକିତ୍ସା କରାଯାଏ ।

କ୍ୱଚିତ ଗମ୍ଭୀର ଧରଣର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ଇଞ୍ଜେକସନ ଦିଆଯାଇଥିବା ସ୍ଥାନ ଲାଲ ପଡ଼ିଯାଏ, ଫୁଲିଯାଏ ଓ ସେଠାରେ ସାମାନ୍ୟ ଯନ୍ତ୍ରଣା ହୁଏ । ଗୋଟିଏ ଛୋଟ ଘାଆ (ulcer) ହୋଇପାରେ ଯାହା ଶୁଖିଗଲା ପରେ ସ୍କାର ରହିଯାଏ । ଇମ୍ମ୍ୟୁନିଟି ଅଭାବ ଥିଲେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ହୁଏ । ଗର୍ଭାବସ୍ଥାରେ ଏହାର ବ୍ୟବ‌ହାର ବିପଦମୁକ୍ତ ନୁହେଁ । ଏହା ପ୍ରଥମେ ମାଇକୋବ୍ୟାକ୍ଟେରିଅମ ବୋଭିସ ଜୀବାଣୁରୁ ତିଆରି କରାଯାଉଥିଲା ଯାହା ଗାଈମାନଙ୍କଠାରେ ହେଉଥିଲା । ଟିକାରେ ଏହି ଜୀବାଣୁ ଜୀବନ୍ତ ଓ ଦୁର୍ବଳ ହୋଇ ଥାଆନ୍ତି ।

ବିସିଜି ପ୍ରଥମେ ସନ ୧୯୨୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହୃତ ହେଲା ।  ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୧୬ଆମେରିକୀୟ ଡଲାର । ଆମେରିକାରେ ଏହାର ମୂଲ୍ୟ ୧୦୦ ରୁ ୨୦୦ ଡଲାର । ପ୍ରତି ବର୍ଷ ପ୍ରାୟ ୧୦୦ ନିଯୁତ ପିଲାଙ୍କୁ ଏହି ଟିକା ଦିଆଯାଏ ।

ମିଳିମିଳା ଟିକା

ମିଳିମିଳା ଟିକା ଏକ ଟିକା ଯାହା ମିଳିମିଳା ରୋଗର ପ୍ରତିଷେଧ ଭାବରେ ଅତି ଉପାଦେୟ ଅଟେ । ନଅ ମାସ ବୟସ ବେଳେ ଗୋଟିଏ ଡୋଜ ଦେଲେ ୮୫ % ପିଲା ଇମ୍ମ୍ୟୁନ ହୋଇଯାଆନ୍ତି ଓ ୧୨ ମାସ ବୟସ ବେଳେ ଆଉ ଏକ ଡୋଜ ଦେବା ପରେ ୯୫% ପିଲା ଇମ୍ମ୍ୟୁନ ହୋଇଯାଆନ୍ତି । ଗୋଟିଏ ଡୋଜ ଟିକା ଦେବାପରେ ଇମ୍ମ୍ୟୁନିଟି ନ ହେବା ପିଲା ଦ୍ୱିତୀୟ ଡୋଜ ପରେ ଇମ୍ମ୍ୟୁନିଟି ପାଇଯାଆନ୍ତି । ଦେଖାଯାଇଛି, ଜନସଂଖ୍ୟାର ୯୩ % ରୁ ଅଧିକ ଲୋକ ଟିକା ନେଲେ ମିଳିମିଳା ଆଉ ହୁଏ ନାହିଁ, କିନ୍ତୁ ଟିକା ଦେବା କମିଗଲେ ଆଉ ଥରେ ସେଠାରେ ରୋଗ ହୁଏ । ଏହି ଟିକାର ପ୍ରଭାବ ବ‌ହୁତ ବର୍ଷ ପର୍ଯ୍ୟନ୍ତ ରହେ । ସମୟକ୍ରମେ ଟିକାର ପ୍ରଭାବ କମିଯିବା ନିଶ୍ଚିତ ନୁହେଁ । ମିଳିମିଳା ରୋଗୀ ସଂସ୍ପର୍ଷରେ ଆସିବାର ଦୁଇ ଦିନ ମଧ୍ୟରେ ଟିକା ଦେଲେ ମଧ୍ୟ କାର୍ଯ୍ୟକାରୀ ହୁଏ ।

ଏହି ଟିକା ବିପଦଶୂନ୍ୟ ଅଟେ ଏପରିକି ଏଚ.ଆଇ.ଭି. ସଂକ୍ରମଣ ଥିଲେ ମଧ୍ୟ । ପାର୍ଶ୍ୱପ୍ରତିକ୍ରିୟା ଅତି ସାଧାରଣ ଓ ସାମାନ୍ୟ । ଟିକା ନେବା ପରେ ସାମାନ୍ୟ ଜ୍ୱର ଓ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ କଷ୍ଟ ହୁଏ । ଏକ ଲକ୍ଷ ଲୋକରେ ଜଣକୁ ଆନାଫାଇଲାକ୍‌ସିସ ହୁଏ । ଗୁଲେନ-ବାରି ସିଣ୍ଡ୍ରୋମ, ଅଟିଜ୍ମ ଓ ପ୍ରଦାହିତ ଖାଦ୍ୟନଳୀ ରୋଗ(inflammatory bowel disease) ବଢ଼ିଯାଏ ନାହିଁ ।

ଏହି ଟିକା ଏକ‌କ ଭାବରେ ନିଜ ନାମରେ ମିଳେ ତ‌ଥା ଅନ୍ୟାନ୍ୟ ଟିକା ସ‌ହିତ ମିଶି ମଧ୍ୟ ମିଳେ ଯେପରିକି ଏମ୍.ଏମ୍.ଆର. ଟିକା ଯେଉଁଁଥିରେ ମିଳିମିଳା ଟିକା, ମମ୍ପ୍ସ ଟିକା ଓ ରୁବେଲା ଟିକା ଥାଏ ଓ ଏମ.ଏମ.ଆର.ଭି. ଟିକା ଯେଉଁଥିରେ ମିଳିମିଳା ଟିକା, ମମ୍ପ୍ସ ଟିକା, ରୁବେଲା ଟିକା ଓ ଭାରିସେଲା ଟିକା ଥାଏ । ସବୁ ପ୍ରକାର ଟିକାରେ ଏହା ଉତ୍ତମ ରୂପେ କାମ କରେ । ଯେଉଁ ଦେଶମାନଙ୍କରେ ଏହି ରୋଗ ବ‌ହୁଳ ଭାବରେ ହୁଏ ସେଠାରେ୯ ମାସ ବ‌ୟସ ବେଳେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରେ । ଯେଉଁ ଦେଶରେ ଏହା ସାଧାରଣତଃ ହୁଏ ନାହିଁ ସେଠାରେ ୧୨ ମାସ ବୟସ ବେଳେ ଦେବା ଯୁକ୍ତିଯୁକ୍ତ ମନେ ହୁଏ । ଏହି ଟିକା ଜୀବନ୍ତ ଟିକା ଅଟେ । ଏହା ଶୁଷ୍କ ପାଉଡର ଆକାରରେ ମିଳେ ଓ ଇଞ୍ଜେକସନ ଜଳ ସ‌ହିତ ମିଶେଇ ଚର୍ମ ତଳେ ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ରକ୍ତ ପରୀକ୍ଷା କରି ଏହି ଟିକାର କାର୍ଯ୍ୟକାରୀତା ସିଦ୍ଧ କରିହୁଏ ।

ସନ ୨୦୧୩ ସୁଦ୍ଧା ପୃଥିବୀରେ ୮୫ % ପିଲା ଟିକା ନେଇସାରିଛନ୍ତି । ସନ ୨୦୦୮ରେ ୧୯୨ଟି ଦେଶରେ ଦୁଇ ଡୋଜ ଟିକା ଦିଆ ହୋଇଛି । ଏହା ପ୍ରଥମେ ସନ ୧୯୬୩ରେ ଆରମ୍ଭ କରାଯାଇଥିଲା । ସନ ୧୯୭୧ରେ ପ୍ରଥମେ ଏମ.ଏମ.ଆର. ଉପଲବ୍ଧ ହେଲା । ସନ ୨୦୦୫ରେ ଏହା ସ‌ହିତ ହାଡ଼ଫୁଟି ଟିକା ମିଶାଗଲା ଓ ଏମ.ଏମ.ଆର.ଭି. ଇଞ୍ଜେକ୍‌ସନ ଆକାରରେ ଦିଆଗଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକା ଅନୁସାରେ ମୌଳିକ ସ୍ୱାସ୍ଥ୍ୟ ତନ୍ତ୍ରର ଏକ ଅତ୍ୟାବଶ୍ୟକ ଔଷଧ । ଏହି ଟିକା ଅତି ଦାମିକା ନୁହେଁ ।

ମେନିଙ୍ଗୋକୋକାଲ ଟିକା

ମେନିଙ୍ଗୋକୋକାଲ ଟିକା ଯେ କୌଣସି ଟିକାକୁ ବୁଝାଏ ଯାହା ନାଇସେରିଆ ମେନିଞ୍ଜାଇଟିଡିସ୍‌ ସଂକ୍ରମଣକୁ ପ୍ରତିରୋଧ କରେ । ଟିକାର ବିଭିନ୍ନ ସଂସ୍କରଣ ମିଳୁଛି ଯାହା କେତେକ ବା ସମସ୍ତ ମେନିଙ୍ଗୋକୋକସ୍ ଏ, ସି, ଡବ୍ଲ୍ୟୁ ଓ ୱାଇ ବିରୁଦ୍ଧରେ କାର୍ଯ୍ୟକ୍ଷମ ହୁଏ । ଏହି ଟିକା ଗୁଡ଼ିକ ୮୫ ରୁ ୧୦୦% କାର୍ଯ୍ୟକ୍ଷମ ହୁଅନ୍ତି । ଏହି ଟିକା ବ‌ହୁଳ ଭାବରେ ଦେଲେ ମେନିଞ୍ଜାଇଟିସ୍ ଓ ସେପ୍‌ସିସ୍ରୋଗୀ ସଂଖ୍ୟା କମିଯାଏ । ଏହି ଟିକା ମାଂସପେଶୀରେ ବା ଚର୍ମତଳେ ଦିଆଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶ ଦେଉଛି ଯେ ଯେଉଁଠାରେ ମଧ୍ୟମ ବା ଅତ୍ୟଧିକ ରୋଗ ହେଉଛି ବା ବାରମ୍ବାର ପ୍ରକୋପ ହେଉଛି ସେଠାରେ ନିୟମିତ ଟିକାକରଣ ଆବଶ୍ୟକ । ସ୍ୱଳ୍ପ ସଙ୍କଟାପନ୍ନ ଦେଶମାନଙ୍କରେ କେବଳ ଅଧିକ ସଂକଟ ଥିବା ଜାଗାରେ ଟିକା ଦେବା ଉଚିତ । ଆଫ୍ରିକା ମେନିଞ୍ଜାଇଟିସ ବେଲ୍ଟରେ ୧ ରୁ ୩୦ ବର୍ଷ ବୟସ୍କ ସମସ୍ତ ଲୋକଙ୍କୁ ମେନିଙ୍ଗୋକୋକାଲ ଏ କଞ୍ଜୁଗେଟ ଟିକା ଦେବାକୁ ଚେଷ୍ଟା କରା  କାନାଡ଼ା ଓ ଆମେରିକାରେ ସବୁ କିଶୋର ବୟସର ଲୋକଙ୍କୁ ଓ ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ନିୟମିତ ଭାବରେ ସମସ୍ତ ୪ ପ୍ରକାର ଟିକା ଦିଆଯାଉଛି । ମକ୍କାକୁ ଯାଇ ହଜ କରିବାକୁ ଯାଉଥିବା ଲୋକଙ୍କୁ ଏହି ଟିକା ଦେବା ଆବଶ୍ୟକ ।

ଏହି ଟିକା ସାଧାରଣତଃ ନିରାପଦ । କେତେକ ଲୋକଙ୍କର ଟିକା ନେବା ସ୍ଥାନ ଫୁଲିଯାଏ ଓ ଲାଲ ଦେଖାଯାଏ । ଗର୍ଭାବସ୍ଥାରେ ମଧ୍ୟ ଏହାର ବ୍ୟବ‌ହାର ବିପଦମୁକ୍ତ ଜଣାଯାଏ । ନିୟୁତ ଲୋକରେ ଜଣକର ଅତ୍ୟଧିକ ଆଲର୍ଜି ହୁଏ ।

ପ୍ରଥମ ମେନିଙ୍ଗୋକୋକାଲ ଟିକା ୧୯୭୦ରେ ମିଳିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହାର ଡୋଜ ପିଛା ହୋଲସେଲ ମୂଲ୍ୟ ୨୦୧୪ରେ ୩.୨୩ ରୁ ୧୦.୭୭ ଆମେରିକୀୟ ଡଲାର । ଆମେରିକାରେ ଏହାର ମୂଲ୍ୟ ଗୋଟେ କୋର୍ଷ ପିଛା ୧୦୦ ରୁ ୨୦୦ ଡଲାର ।

ରୁବେଲା ଟିକା

ରୁବେଲା ଟିକା, ଏକ ପ୍ରକାର ଟିକା ଦିଆଯାଏ ରୁବେଲା ବା ଜର୍ମାନ ମିଳିମିଳା ରୋଗ ପ୍ରତିରୋଧ ନିମନ୍ତେ । ଗୋଟିଏ ଡୋଜ ଦେବାର ୨ ସପ୍ତାହ ପରେ ଏହାର ପ୍ରଭାବ ୯୫% କେଶରେ ଆରମ୍ଭ ହୁଏ । ଉଚ୍ଚ ହାରରେ ଏହି ଟିକା ଦିଆଯାଉଥିବା ଦେଶମାନଙ୍କରେ ରୁବେଲା ବା ଜନ୍ମଗତ ରୁବେଲା ସିଣ୍ଡ୍ରୋମ ଆଉ ଦେଖାଯାଉ ନାହିଁ । ପିଲାମାନଙ୍କୁ ଏହି ଟିକା ଦିଆ ନ ଯାଉଥିବା ସ୍ଥାନମାନଙ୍କରେ ରୁବେଲା ରୋଗ ହେବା ସମ୍ଭାବନା ଅଧିକ ହୁଏ ବିଶେଷତଃ ଟିକା ନ ନେଇଥିଲେ ବା ରୋଗୀ ସଂସ୍ପର୍ଶରେ ନ ଆସିଥିଲେ । ଏଥି ନିମନ୍ତେ ୮୦ %ରୁ ଅଧିକ ଲୋକ ଏହି ଟିକା ନେବା ଆବଶ୍ୟକ ।

ନିୟମିତ ଟିକାକରଣରେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ସୁପାରିସ କରୁଛି । ସମସ୍ତ ଲୋକଙ୍କୁ ଟିକା ଦିଆଯାଇ ନ ପାରିଲେ ଅତି କମରେ ଗର୍ଭସମ୍ପନ୍ନ ବୟସରେ ଏହି ଦେବା ଉଚିତ । ଏହା ଗର୍ଭାବସ୍ଥାରେ ଓ ଇମ୍ମ୍ୟୁନିଟି ଅଭାବ ଥିବା ଲୋକଙ୍କୁ ଦେବା ଉଚିତ ନୁହେ । ଜୀବନବ୍ୟାପି ସୁରକ୍ଷା ନିମନ୍ତେ ଗୋଟିଏ ଡୋଜ ଯଥେଷ୍ଟ ହେଲେ ମଧ୍ୟ ୨ ଡୋଜ ଦିଆଯାଉଛି ।

ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୁଏ । ସାମାନ୍ୟ ଜ୍ୱର, ରାସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ ଫୁଲା ଓ ଲାଲ ଦେଖାଯାଏ । ମହିଳାମାନଙ୍କର ଟିକା ନେବାର ଏକରୁ ତିନି ସପ୍ତାହ ପରେ ଗଣ୍ଠି ଯନ୍ତ୍ରଣା ହୁଏ । ଅତ୍ୟଧିକ ଆଲର୍ଜି କ୍ୱଚିତ ହୁଏ । ଏହି ଟିକା ଏକ‌କ ଭାବରେ ମିଳେ ଓ ମିଶ୍ରିତ ଭାବରେ ମଧ୍ୟ ମିଳେ । ମିଶ୍ରିତ ଟିକାରେ ଏହା ସ‌ହିତ ମିଳିମିଳା ଟିକା, ଏମଏମଆର ଟିକା ଓ ମମ୍ପ୍‌ସ୍ ଟିକା ଥାଏ ବା ମିଳିମିଳା, ମମ୍ପ୍‌ସ୍, ଭାରିସେଲା ଓ ଏମଏମଆରଭି ଟିକା ଥାଏ ।

ସନ ୧୯୬୯ରେ ରୁବେଲ ଟିକା ପ୍ରଥମେ ଲାଇସେନ୍‌ସ ପାଇଥଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ୨୦୦୯ ସୁଦ୍ଧା ୧୩୦ଟି ଦେଶ ଏହାକୁ ନିୟମିତ ଟିକାକରଣ ଅନ୍ତର୍ଭୁକ୍ତ କରିସାରିଲେଣି । ଏମଏମଅର ଟିକାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୦.୨୪ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଟିକାର ମୂଲ୍ୟ ୫୦ ରୁ ୧୦୦ ଡଲାର ।

ରୋଟାଭୂତାଣୁ ଟିକା

ରୋଟାଭୂତାଣୁ ଟିକା ଏକ ପ୍ରକାର ଟିକା ଯାହା ରୋଟାଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦିଏ । ଏହି ରୋଟାଭୂତାଣୁ ପିଲାଙ୍କଠାରେ ସାଙ୍ଘାତିକ ତରଳ ଝାଡ଼ା କରାଏ । ଏହି ଟିକାଦ୍ୱାରା ବିକାଶଶୀଳ ଦେଶମାନଙ୍କରେ ୧୫ ରୁ ୩୪ % ଓ ବିକଶିତ ଦେଶମାନଙ୍କରେ ୩୭ ରୁ ୯୬% ସୁରକ୍ଷା ମିଳେ ସାଙ୍ଘାତିକ ତରଳ ଝାଡ଼ାରୁ । ଏହି ଟିକା ଯୋଗୁ ପିଲାଙ୍କର ତରଳ ଝାଡ଼ାର ମୃତ୍ୟ ସଙ୍କଟ କମିଯାଏ । ଶିଶୁମାନଙ୍କୁ ଟିକା ଦେଲେ ବଡ଼ ମାନଙ୍କର ଓ ଟିକା ନ ନେଇଥିବା ଲୋକଙ୍କର ମଧ୍ୟ ରୋଗ ହାର କମିଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିୟମିତ ଟିକାକରଣରେ ଏହି ଟିକାକୁ ସାମିଲ କରିବା ନିମନ୍ତେ ସୁପାରିସ କରେ ବିଶେଷତଃ ଯେଉଁ ଇଲାକାରେ ଏହି ରୋଗ ବିଶେଷ ଭାବରେ ଦେଖାଯାଏ । ଏହି ଟିକା ଦେବା ସ‌ହିତ ସ୍ତନ୍ୟପାନ, ହସ୍ତପ୍ରକ୍ଷାଳନ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କରିବା ଉଚିତ । ଏହି ଟିକା ପାଟିରେ ଦିଆଯାଏ; ଦୁଇ ବା ତିନି ଡୋଜ ଆବଶ୍ୟକ ହୁଏ । ପ୍ରାୟ ୬ ବର୍ଷ ବ‌ୟସରେ ଏହି ଟିକା ଦେବା ଉଚିତ ।

ଏହି ଟିକାର ନିରାପତ୍ତା ଉତ୍ତମ । ଏଚଆଇଭି/ଏଆଇଡିଏସ ଥିଲେ ମଧ୍ୟ ଏହି ଟିକା ଦିଆଯାଏ । ପୂର୍ବରୁ ବାହାରିତିବା ଟିକାର ଏକ ସଂସ୍କରଣଦ୍ୱାରା ଇଣ୍ଟସ୍‌ସସେପସନ ରୋଗ ହେବା କଥା ଉଠିଥିଲା ଯାହା ଏବେକାର ଟିକାରେ ହେଉନାହିଁ । ଏହି ସମ୍ଭାବ୍ୟ ସଙ୍କଟ ଯୋଗୁ ଇଣ୍ଟସ୍‌ସସେପସନ ରୋଗ ଥିଲେ ଏହି ଟିକା ଦେବାକୁ ସୁପାରିସ କରାଯାଉ ନ ଥିଲା । ଦୁର୍ବଳୀକୃତ ଭୂତାଣୁ ନେଇ ଏ ଟିକା ପ୍ରସ୍ତୁତ କରାଯାଏ ।

ସନ ୨୦୦୬ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକା ଉପଲବ୍ଧ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥାନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୬.୯୬ ରୁ ୨୦.୬୬ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଟିକାର ମୂଲ୍ୟ ୨୦୦ ଡଲାରରୁ ବେଶୀ ।  ସନ ୨୦୧୩ ସୁଦ୍ଧା ଦୁଇ ପ୍ରକାର ଟିକା ରୋଟାରିକ୍‌ସ୍ ଓ ରୋଟାଟେକ ମିଳିଲେ ମଧ୍ୟ ଅନ୍ୟ କେତେକ ପ୍ରକାର ଟିକା କିଛି ଦେଶମାନଙ୍କରେ ମିଳେ ।

ଲହରା କାଶ ଟିକା

ଲହରା କାଶ ଟିକା ଏକ ପ୍ରକାର ଟିକା ଯାହା ଲହରା କାଶ ବା ହୁପିଙ୍ଗ କଫ୍‌ରୁ ସୁରକ୍ଷା ଦିଏ । ଏହା ଦୁଇ ପ୍ରକାର ମିଳେ : ସମୁଦାୟ ଜୀବକୋଷ ଟିକା ଓ କୋଷନିହୀନ ଟିକା । ସମୁଦାୟ ଜୀବକୋଷ ଟିକା ପ୍ରାୟ ୭୮ % ଓ କୋଷନିହୀନ ଟିକା ୭୧ ରୁ ୮୫ % ପ୍ରଭାବଶାଳୀ । ଟିକାମାନଙ୍କର ଉପାଦେୟତା ପ୍ରତି ବର୍ଷ ୨ରୁ ୧୦% କମୁଛି ବିଶେଷତଃ କୋଷବିହୀନ ଟିକା । ଗର୍ଭାବସ୍ଥାରେ ଟିକା ଦେଲେ ଶିଶୁକୁ ସୁରକ୍ଷା ମିଳେ ।  ୨୦୦୨ରେ ଏହି ଟିକା ଯୋଗୁ ଅଧ ନିୟୁତ ଜୀବନ ରକ୍ଷା ପାଇଯାଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ସମସ୍ତ ପିଲାମାନଙ୍କୁ ଏହି ଟିକା ଦେବାକୁ ଓ ନିୟମିତ ଟିକା ଭାବରେ ଦେବାକୁ ସୁପାରସ କରନ୍ତି । ଏଚାଆଇଭି/ଏଆଇଡିଏସ ଥିଲେ ମଧ୍ୟ ଏହି ଟିକା ଦିଆଯାଇପାରେ । ୬ ସପ୍ତାହ ବୟସରୁ ଆରମ୍ଭ କରି ୩ ଡୋଜ ଦେବାକୁ ସୁପାରିସ କରାଯାଏ । ବଡ଼ ପିଲା ଓ ଯୁବକମାନଙ୍କୁ ଅଧିକ ଡୋଜ ଦିଆଯାଇପାରେ । ଏହା ଅନ୍ୟ ଟିକା ସ‌ହିତ ମିଶ୍ରିତ ଭାବରେ ମିଳେ ।

ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ କୋଷନିହୀନ ଟିକା ବିକଶିତ ଦେଶମାନଙ୍କରେ ସାଧାରଣତଃ ବ୍ୟବ‌ହୃତ ହୁଏ । ସମୁଦାୟ ଜୀବକୋଷ ଟିକା ନେଉଥିବା ୧୦ ରୁ ୫୦% ଲୋକଙ୍କର ଟିକା ନେବା ସ୍ଥାନ ଲାଲ ହୋଇଯାଏ ଓ ଜ୍ୱର ହୁଏ । ୧ % ପିଲାଙ୍କର ଜ୍ୱର ଜନିତ ବାତ ହୁଏ ଓ ଦୀର୍ଘ ସମୟ ଧରି କାନ୍ଦନ୍ତି । କୋଷନିହୀନ ଟିକା ନେଲେ ସାମୟିକ ବାହୁ ଫୁଲା ହୁଏ କିନ୍ତୁ ଏହା ବିପଦଜନ‌କ ନୁହେଁ । ଉଭୟ ପ୍ରକାର ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ହୁଏ ବିଶେଷତଃ ସମୁଦାୟ ଜୀବକୋଷ ଟିକା ନେଲେ କିନ୍ତୁ ବୟସ କମ ଥିଲେ ଅଳ୍ପ ପ୍ରତିକ୍ରିୟା ହୁଏ । ସମୁଦାୟ ଜୀବକୋଷ ଟିକା ୬ ବର୍ଷ ବୟସ ପରେ ଦେବା ଉଚିତ ନୁହେଁ । ଦୀର୍ଘକାଳିନ ସ୍ନାୟୁଗତ ସମସ୍ୟା ଏହି ଟିକା ସ‌ହିତ ହୁଏ ନାହିଁ ।

ଲହରା କାଶ ଟିକା ୧୯୨୬ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଗୋଟିଏ ଟିକା ସଂସ୍କରଣରେ ଟିଟାନସ୍, ଲହରା କାଶ, ପୋଲିଓ, ଓ ଏଚଆଇବି ଟିକାର ମୂଲ୍ୟ ଡୋଜ୍ ପିଛା ୧୫.୪୧ ଡଲାର ଥିଲା ।

ହାଡ଼ଫୁଟି ଟିକା

ହାଡ଼ଫୁଟି ଟିକା ବା ଭାରିସେଲା ଟିକା ବା ଚିକେନପକ୍ସ ଟିକା, ଏକ ପ୍ରକାର ଟିକା ଯାହା ହାଡ଼ଫୁଟି ରୋଗକୁ ପ୍ରତିରୋଧ କରେ । ଗୋଟିଏ ଡୋଜ ନେଲେ ମଧ୍ୟମ ଧରଣର ରୋଗ ୯୫ % ଓ ସାଙ୍ଘାତିକ ରୋଗ ୧୦୦% ପ୍ରତିରୋଧ ହୁଏ । ଗୋଟିଏ ଡୋଜ ଅପେକ୍ଷା ଦୁଇ ଡୋଜ ଅଧିକ ପ୍ରଭାବଶାଳୀ ହୁଏ । ରୋଗୀ ସଂସ୍ପର୍ଶରେ ଆସିବାର ୫ ଦିନ ମଧ୍ୟରେ ଇମ୍ମ୍ୟୁନିଟି ନ ଥିବା ଲୋକ ଟିକା ନେଲେ ଅଧିକାଂଶ ରୋଗ ପ୍ରତିରୋଧ ହୋଇଯାଏ । ଗୋଟିଏ ସ୍ଥାନର ଅଧିକାଂଶ ଲୋକ ଟିକା ନେଲେ ବାକି ଅନ୍ୟ ଲୋକମାନଙ୍କର ରୋଗ ପ୍ରତିରୋଧ ହୋଇଯାଏ । ଚର୍ମ ତଳ ଇଞ୍ଜେକସନଆକାରରେ ଏହା ଦିଆଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ଅନୁସାରେ ନିୟମିତ ଟିକାକରଣ ମାଧ୍ୟମରେ ଅନ୍ତ‌ତଃ ୮୫% ଲୋକ ଏହି ଟିକା ନେବା ଆବଶ୍ୟକ । କେବଳ ୨୦ ରୁ ୮୦% ଲୋକ ଟିକା ନେଇଥିଲେ ଅଧିକ ଲୋକଙ୍କୁ ଅତିକ୍ରାନ୍ତ ବୟସରେ ଏହି ରୋଗ ହୁଏ ଓ ସାଂଘାତିକ ହୋଇପାରେ । ଏକ ବା ଦୁଇ ଡୋଜ ନେବାକୁ ପରାମର୍ଶ ଦିଆଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ୧୨ ଓ ୧୫ ମାସ ବୟସରେ ଦୁଇ ଡୋଜ ଦେବାକୁ ପରାମର୍ଶ ଦିଆଯାଏ । ୨୦୧୨ ସୁଦ୍ଧା ଅଧିକାଂଶ ୟୁରୋପ ଦେଶ ସମସ୍ତ ପିଲାମାନଙ୍କୁ ବା ସଙ୍କଟରେ ଥିବା ପିଲାଙ୍କୁ ଟିକା ଦେବାକୁ ସୁପାରିସ କରାଯାଇଥିଲେ ମଧ୍ୟ, ସବୁ ଦେଶ ଏହାର ଅଧିକ ମୂଲ୍ୟ ଯୋଗୁ ଯୋଗେଇ ପାରିଲେନି ।

ଏହି ଟିକା ଅତି ନିରାପଦ । ଇଞ୍ଜେକସନ ନେଇଥିବା ସ୍ଥାନରେ ସାମାନ୍ୟ କଷ୍ଟ, ଜ୍ୱର ଓ ରାସ ହୋଇପାରେ । କ୍ୱଚିତ ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହୁଏ ଓ ଏହା ହୁଏ ବିଶେଷତଃ ଦୁର୍ବଳ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ । ଏଚଆଇଭି/ଏଆଇଡିଏସ ଥିବା ଲୋକଙ୍କୁ ସାବାଧାନତା ସ‌ହକାରେ ଦିଆଯାଏ ।  ଗର୍ଭାବସ୍ଥାରେ ଏହା ଦେବା ମନା କିନ୍ତୁ ଏହା ନେଇଥିବା କିଛି ମହିଳାଙ୍କର ଅସୁବିଧା ହୋଇନାହିଁ ।  ଟିକା ଏକ‌କ ଭାବେ ମିଳେ ବା ଏମଏମଆର ସ‌ହିତ ମିଶ୍ରିତ ଭାବେ ମିଳେ ।  ଏହା ଜୀବନ୍ତ ଦୁର୍ବଳ ଭୂତାଣୁ ନେଇ ପ୍ରସ୍ତୁତ କରାଯାଏ ।

ସନ ୧୯୮୪ରେ ହାଡ଼ଫୁଟି ଟିକା ବ୍ୟବସାୟୀଖ ଭିତ୍ତିରେ ମିଳିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକାର ମୂଲ୍ୟ ୧୦୦ ରୁ ୨୦୦ଡଲାର ।

ହେପାଟାଇଟିସ ବି ଟିକା

ହେପାଟାଇଟିସ ବି ଟିକା ଏକ ଟିକା ଯାହା ହେପାଟାଇଟିସ ବି ପ୍ରତିରୋଧ ନିମନ୍ତେ ଦିଆଯାଏ । ଏହାର ପ୍ରଥମ ଡୋଜ ଜନ୍ମର ୨୪ ଘଣ୍ଟା ମଧ୍ୟରେ ଦେବାକୁ ସୁପାରିସ କରାଯାଏ ଓ ଏହା ପରେ ୨ ବା ୩ଟି ଅଧିକ ଡୋଜ ଦିଆଯାଏ । ପ୍ରିମାଚ୍ୟୁର ଶିଶୁ ବା ଅସାମୟିକ ଶିଶୁଙ୍କୁ ଦିଆଯାଏ, ଇମ୍ମ୍ୟୁନିଟି ଅଭାବ ଥିବା ଓ ଏଚଆଇଭି ଥିବା ଲୋକଙ୍କୁ ମଧ୍ୟ ଦିଆଯାଏ । ସୁସ୍ଥ ଲୋକଙ୍କୁ ଦେଲେ ୯୫ % ଶିଶୁଙ୍କୁ ସୁରକ୍ଷା ମିଳେ ।

ଉଚ୍ଚ ଆଶଙ୍କା ଥିବା ଲୋକାଙ୍କର ଟିକା ନେବା ପରେ ତାହା କାମ କଲା କି ନାହିଁ ଜାଣିବା ନିମନ୍ତେ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ ଅଧିକ ଡୋଜ ଦେବା ଦରକାର ହୁଏ କିନ୍ତୁ ଅଧିକାଂଶ ଲୋକଙ୍କର ଦରକାର ହୁଏ ନାହିଁ । ହେପାଟାଇଟିସ ଭୂତାଣୁ ସଂମ୍ପର୍କରେ ଆସିଥିବା, ଟିକା ନ ନେଇଥିବା ଲୋକଙ୍କୁ ଟିକା ଦେବା ସ‌ହିତ ହେପାଟାଇଟିସ ବି ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦେବା ଉଚିତ । ଏହି ଟିକା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ । ଗୁଲେନ-ବାରେ ସିଣ୍ଡ୍ରୋମ ସ‌ହିତ ଏହାର କୌଣସି ଲିଙ୍କ ନାହିଁ । ରିକୋମ୍ବିନାଣ୍ଟ ଡିଏନଏ ଟେକନିକ ସାହାଯ୍ୟରେ ଏହି ଟିକା ପ୍ରସ୍ତୁତ କରାଯାଏ । ଏହି ଟିକା ସ୍ୱତନ୍ତ୍ର ଓ ଅନ୍ୟ ଟିକା ସ‌ହିତ ମିଶ୍ରିତ ଭାବେ ଉପଲବ୍ଧ ହୁଏ ।

ଆମେରିକାରେ ଏହି ଟିକା ୧୯୮୧ରେ ଅନୁମୋଦିତ ହୋଇଥିଲା । ଏହାର ନିରାପଦ ସଂସ୍କରଣ ୧୯୮୬ରେ ବାହାରିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ୨୦୧୪ରେ ଏହାର ହୋଲସେଲ ମୂଲ୍ୟ 0.୫୮ ରୁ ୧୩.୨0 ଆମେରିକୀୟ ଡଲାର ଥିଲା ।  ଆମେରିକାରେ ଏହାର ମୂଲ୍ୟ ୫୦ ରୁ ୧୦୦ ଆମେରିକିୟ ଡଲାର ।

ହେପାଟାଇଟିସ୍ ଏ ଟିକା

ହେପାଟାଇଟିସ୍ ଏ ଟିକା ଏକ ପ୍ରକାର ଟିକା ଯାହା ହେପାଟାଇଟିସ ଏ ରୋଗକୁ ପ୍ରତିରୋଧ କରେ । ଏହା ୯୫ % ଲୋକଙ୍କଠାରେ ଅତି କମରେ ୧୫ ବର୍ଷ ଓ ପ୍ରାୟ ଆଜୀବନ ପ୍ରଭାବଶାଳୀ ରହେ । ଏକ ବର୍ଷ ବୟସ ପରେ ଦୁଇ ଡୋଜ ଦେବାକୁ ସୁପାରିସ କରାଯାଏ । ଏହା ଇଞ୍ଜେକସନ ଆକାରରେ ମାଂସପେଶୀରେ ଦିଆଯାଏ ।

ହେପାଟାଇଟିସ୍ ଏ ରୋଗ ମଧ୍ୟମ ଧରଣର ହେଉଥିବା ଇଲାକାରେ ଡବ୍ଲ୍ୟୁଏଚଓ (WHO) ସମସ୍ତଙ୍କୁ ଟିକା ଦେବାକୁ ସୁପାରିସ କରେ । ଅତି ସାଧାରଣ ଭାବରେ ହେଉଥିବା ସ୍ଥାନରେ ପିଲାଦିନୁ ଇମ୍ମ୍ୟୁନିଟି ତିଆରି ହେଉଥିବା ଯୋଗୁ ସମସ୍ତଙ୍କୁ ଟିକା ଦେବା ଅନାବଶ୍ୟକ । କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରେଭେନସନ୍ ସବୁ ପିଲାଙ୍କୁ ଓ ସଙ୍କଟାପନ୍ନ ସବୁ ବ‌ୟଃପ୍ରାପ୍ତ (ବୟସ୍କ) ଲୋକଙ୍କୁ ଟିକା ଦେବାକୁ ଉପଦେଶ ଦେଉଛି ।

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଇଞ୍ଜେକସିନ ନେଇଥିବା ସ୍ଥାନରେ ୧୫ % ପିଲାଙ୍କର ଓ ଅଧା ସଂଖ୍ୟକ ବଡ଼ ମଣିଷଙ୍କର କଷ୍ଟ ହୁଏ ।ଅଧିକାଂଶ ଟିକା ନିଷ୍କ୍ରିୟ ଥାଆନ୍ତି ଓ ଅଳ୍ପ କେତେକ ଦୁର୍ବଳ ଭୂତାଣୁ ଥାଆନ୍ତି । ଦୁର୍ବଳ ଭୂତାଣୁ ଟିକା ଗର୍ଭାବସ୍ଥାରେ ଓ ଇମ୍ମ୍ୟୁନିଟି ଅଭାବ ଥିବା ଲୋକଙ୍କୁ ଦେବାକୁ ମନାକରାଯାଏ । ହେପାଟାଇଟିସ୍ ବି ବା ଟାଇଫଏଡ ଟିକା ସ‌ହିତ ହେପାଟାଇଟିସ୍ ଏ ଟିକା ମିଶେଇ କେତେକ ମିଶ୍ରିତ ଟିକା ଉପଲବ୍ଧ ହେଉଛି ।

ପ୍ରଥମ ହେପାଟାଇଟିସ୍ ଏ ଟିକା ସନ ୧୯୯୧ରେ ୟୁରୋପରେ ଓ ସନ ୧୯୯୫ରେ ସ୍ୱିକୃତି ପାଇଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଆମେରିକାରେ ଏହାର ମୂଲ୍ୟ ୫୦ ରୁ ୧୦୦ ଡଲାର ।

ୟେଲୋ ଫିଭର ଟିକା

ୟେଲୋ ଫିଭର ଟିକା ଏକ ପ୍ରକାର ଟିକା ଯାହା ୟେଲୋ ଫିଭର ରୋଗରୁ ସୁରକ୍ଷା ପ୍ରଦାନ କରେ । ଏହା ଏକ ଭୂତାଣୁ ଜନିତ ରୋଗ ଯାହା ଆଫ୍ରିକା ତ‌ଥା ଦକ୍ଷିଣ ଆମେରିକାରେ ଦେଖାଯାଏ । ଏହି ଟିକା ନେବାରେକ ମାସ ମଧ୍ୟରେ ୯୯% ଲୋକଙ୍କର ଇମ୍ମ୍ୟୁନିଟି ଆସିଯାଏ । ଏହି ଟିକା ଦାନ କରି ବିସ୍ତୃତ ମଡ଼କ ରୋକିହୁଏ । ମାଂସପେଶୀ ଇଞ୍ଜେକସନ ବା ଚର୍ମତଳ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।

ଏହି ରୋଗ ପ୍ରବଣ ସମସ୍ତ ଦେଶରେ ନିୟମିତ ଟିକାକରଣ ସମୟରେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ସଂସ୍ଥା ସୁପାରିସ କରିଛି । ଏହି ଟିକା ୯ରୁ ୧୨ ମାସ ବୟସରେ ଦେବା ଉଚିତ ।ଏହି ରୋଗ ହେଉଥିବା ଯାଗାକୁ ଯାଉଥିବା ଲୋକ ଟିକା ନେବା ଉଚିତ । ସାଧାରଣତଃ ପ୍ରଥମ ଡୋଜ ପରେ ଆଉ ଟିକା ଆବଶ୍ୟକ ହୁଏନାହିଁ ।

ୟେଲୋ ଫିଭର ଟିକା ସାଧରଣତଃ ନିରାପଦ । ଲକ୍ଷଣ ବିହୀଣ ଏଚଆଇଭି ସଂକ୍ରମଣ ଥିଲେ ଏହା ନିରାପଦ । ସାମାନ୍ୟ ମୁଣ୍ଡବଥା, ମାଂସପେଶୀ ଯନ୍ତ୍ରଣା, ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ, ଜ୍ୱର ଓ ରାସ ହୋଇପାରେ । ଏନ ନିୟୁତ ଟିକା ଦେଲେ ୮ ଜଣକୁ ସାଙ୍ଘିତିକ ଆଲର୍ଜି ଓ ୩ ଜଣଙ୍କର ଅଙ୍ଗ ଫେଲ ହେବା ସମ୍ଭାବନା ଥାଏ । ଗର୍ଭାବସ୍ଥାରେ ଏହା ନିରାପଦ, ତେଣୁ ସଂକ୍ରମଣ ସଂଭାବନା ଥିଲେ ଏହା ଦେବା ଉଚିତ । ଦୁର୍ବଳ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ ଦେବା ଉଚିତ ନୁହେଁ ।

ୟେଲୋ ଫିଭର ଟିକା ୧୯୩୮ରେ ପ୍ରଥମେ ବ୍ୟବ‌ହୃତ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ପ୍ରତି ଡୋଜ ପିଛା ୪.୩୦ ରୁ ୨୧.୩୦ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକାର ମୂଲ୍ୟ ୫୦ ରୁ ୧୦୦ ଡଲାର ।  ଦୁର୍ବଳିକୃତ ୟେଲୋ ଫିଭର ଭୂତାଣୁରୁ ଏହି ଟିକା ପ୍ରସ୍ତୁତ କରାଯାଏ ।

ଆଧାର - ସ୍ୱାସ୍ଥ୍ୟ ବିଭାଗ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate