ସେଆର କରନ୍ତୁ

ଟିକାକରଣ

ଟିକାକରଣ ସମ୍ପର୍କରେ ଏଠାରେ ସୂଚନା ମିଳିବ

ଏଚଆଇବି ଟିକା

ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଟାଇପ ବି ଟିକା ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଟାଇପ ବି ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଦିଆଯାଏ । ଯେଉଁ ଦେଶମାନଙ୍କରେ ଏହି ଟିକା ରୁଟିନ ଭାବରେ ଦିଆଯାଏ ସେଠାରେ ଏହି ରୋଗ ୯୦ %ରୁ ଅଧିକ କମିଯାଇଛି । ଏହା ଫଳରେ ମେନିଞ୍ଜାଇଟିସ୍, ନିମୋନିଆ ଓ ଏପିଗ୍ଲୋଟାଇଟିସ ରୋଗ ହାର କମିଛି ।

ଉଭୟ ଡବ୍ଲ୍ୟୁଏଚଓ ଓ ସେଣ୍ଟର ଫର ଡିଜିଜ କଣ୍ଟ୍ରୋ ଆଣ୍ଡ ପ୍ରିଭେନ୍‌ସନ୍ ଏହି ଟିକା ନେବାପାଇଁ ସୁପାରିସ କରନ୍ତି । ଛଅ ମାସ ବୟସ ପୁରିବା ପୂର୍ବରୁ ୨ ବା ୩ ଡୋଜ ଦେବା ଉଚିତ । ପ୍ରଥମ ଡୋଜ ୬ ସପ୍ତାହ ବୟସ ବେଳେ ଓ ଆଉ ପରବର୍ତ୍ତୀ ଡୋଜ ୪ ସପ୍ତାହ ଅନ୍ତରରେ ଅନ୍ୟ ଡୋଜ ଦେବାକୁ ଉପଦେଶ ଦିଆଯାଏ । ଦୁଇ ଡୋଜ ଦେଲେ ପରେ ଆଉ ଏକ ଡୋଜ ଦେବାକୁ ଉପଦେଶ ଦିଆଯାଏ । ମାଂସପେଶୀରେ ଇଞ୍ଜେକସନ୍ ଆକାରରେ ଏହା ଦିଆଯାଏ ।

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ନାହିଁ । ଇଞ୍ଜେକସନ ଦେବା ସ୍ଥାନରେ ୨୦ ରୁ ୨୫ % ଲୋକଙ୍କର କଷ୍ଟ ହୁଏ ଓ ୨ % ଲୋକଙ୍କର ଜ୍ୱର ହୁଏ ।ସାଂଘାତିକ ଆଲର୍ଜୀ ପ୍ରତିକ୍ରିୟା ହେବାର ସୂଚନା ନାହିଁ । ଏହି ଟିକା ସ୍ୱତନ୍ତ୍ର ଭାବେ ମିଳେ ଓ ଅନ୍ୟ ଟିକା ଯେପରିକି ଡିଫଥେରିଆ/ଟିଟାନସ୍/ପର୍ଟୁସିସ୍ ଟିକା ଓ ହେପାଟାଇଟିସ ବି ଟିକା ସ‌ହିତ ମିଶ୍ରିତ ଭାବରେ ମିଳେ । ଅଧୁନା ସମସ୍ତ ଏଚଆଇବି ଟିକା ମିଶ୍ରିତ ଟିକା ଭାବରେ ମିଳୁଛି ।

ପ୍ରାଥମିକ ଏଚଆଇବି ଟିକା ସନ ୧୯୭୭ରେ ପ୍ରସ୍ତୁତ ହୋଇଥିଲା ଓ ପରେ ସନ ୧୯୯୦ରେ ଏହାକୁ ବଦଳେଇ ଅଧିକ ପ୍ରଭାବୀ ଟିକା ତିଆରି କରାଗଲା । ସନ ୨୦୧୩ରେ ଏହାକୁ ୧୮୪ ଦେଶରେ ରୁଟିନ ହିସାବରେ ଦିଆଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଗୋଟିଏ ଏଚଆଇବି ମିଶ୍ରିତ ପେଣ୍ଟାଭାଲେଣ୍ଟ ଟିକାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୧୫.୪୦ ଆମେରିକୀୟ ଡଲାର ଥିଲା । ଆମେରିକାରେ ଡୋଜ ପିଛା ଏହାର ମୂଲ୍ୟ ୨୫ ରୁ ୫୦ ଡଲାର ।

ଏଚପିଭି ଟିକା

ହ୍ୟୁମ୍ୟାନ ପାପିଲୋମା ଭୁତାଣୁ (ଏଚପିଭି) ଟିକା ଏକ ପ୍ରକାର ଟିକା ଯାହା କେତେକ ପ୍ରକାର ହ୍ୟୁମ୍ୟାନ ପାପିଲୋମା ଭୁତାଣୁ ସଂକ୍ରମଣକୁ ପ୍ରତିରୋଧ କରେ । ମିଳୁଥିବା ଟିକା ୨ ବା ୪ ବା ୯ ପ୍ରକାର ଏଚପିଭି ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ । ସବୁ ପ୍ରକାର ଟିକା ଅତି କମ୍‌ରେ ଏଚପିଭି ୧୬ ଓ ୧୮ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ ଯେହେତୁ ଏହି ଦୁଇ ପ୍ରକାର ଭୁତାଣୁ ଜରାୟୁ ଗ୍ରୀବା କର୍କଟ ରୋଗ ସଙ୍କଟର କାରଣ ହୋଇପାରେ । ଏହି ଟିକା ଯୋଗୁ ୭୦ % ଜରାୟୁ ଗ୍ରୀବା କର୍କଟ, ୮୦% ମଳାଶୟ କର୍କଟ, ୬୦ % ଯୋନୀପଥ କର୍କଟ, ୪୦ % ମହିଳା ଯୋନୀ କର୍କଟ ଓ ସମ୍ଭବତଃ କେତେକ ମୁଖ କର୍କଟ ରୋଗରୁ ସୁରକ୍ଷା ମିଳେ । ଅଧିକନ୍ତୁ ଏଚପିଭି ୪ ଓ ୯ ଟିକା ଯୋଗୁ ଯୋନୀ ୱାର୍ଟରୁ ସୁରକ୍ଷା ମିଳେ ।

ରୁଟିନ ଟିକାକରଣ ସ‌ହିତ ଏଚପିଭି ଟିକା ସବୁ ସକ୍ଷମ ଦେଶରେ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି । ବୟସ ଅନୁପାତରେ ଦୁଇ ବା ତିନି ଡୋଜ ଟିକା ଦେବା ଆବଶ୍ୟକ । ଝିଅମାନଙ୍କୁ ୯ ରୁ ୧୩ ବର୍ଷ ବୟସ ମଧ୍ୟରେ ଟିକା ଦେବା କଥା । ଏହି ଟିକା ଅତି କମ୍‌ରେ ୮ ବର୍ଷ ସୁରକ୍ଷା ଦିଏ । ଟିକା ନେବା ପରେ ମଧ୍ୟ ଜରାୟୁଗ୍ରାବା କର୍କଟ ସ୍କ୍ରୀନିଙ୍ଗ କରିବା ଆବଶ୍ୟକ । ଥରେ ସଂକ୍ରମିତ ହୋଇସାରିଲା ପରେ ଟିକା ଦେଲେ ଅକାମୀ ହୋଇଯାଏ ।

ଏଚପିଭି ଟିକା ବ‌ହୁତ ନିରାପଦ । ଇଞ୍ଜେକସନ ସ୍ଥାନରେ ୮୦ % ଲୋକଙ୍କର କଷ୍ଟ ହୁଏ । ସେହି ସ୍ଥାନଟି ଫୁଲିଯାଇପାରେ, ଲାଲ ଦେଖାଯାଏ ଓ ଜ୍ୱର ହୋଇପାରେ । ଗୁଲେନ-ବାରେ ସିଣ୍ଡ୍ରୋମ ସ‌ହିତ କୌଣସି ଲିଙ୍କ ମିଳିନାହିଁ ।

ପ୍ରଥମ ଏଚପିଭି ଟିକା ସନ ୨୦୦୬ରେ ମିଳିଲା । ସନ ୨୦୧୪ ସୁଦ୍ଧା ୫୮ ଟି ଦେଶ ଏହାକୁ ରୁଟିନ ଭାବରେ ଦେଉଛନ୍ତି ବିଶେଷତଃ ଝିଅମାନଙ୍କୁ । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଡୋଜ ପିଛା ୪୭ ଆମେରିକୀୟ ଡଲାର ଥିଲା । ଆମେରିକାରେ ଏହାର ମୂଲ୍ୟ ୨୦୦ ଡଲାର ଅପେକ୍ଷା ଅଧିକ । ବିକାଶଶୀଳ ଦେଶମାନଙ୍କରେ ଏହା ଲାଭଜନ‌କ ହୁଏ ।

କଲେରା ଟିକା

କଲେରା ଟିକା କଲେରା ରୋଗ ପ୍ରତିଷେଧ ନିମନ୍ତେ ସୁଫଳ ଦିଏ । ଜନ୍ମର ୬ ମାସ ମଧ୍ୟରେ ଏହା ୮୫ % କାର୍ଯ୍ୟକାରୀ ହୁଏ ଓ ଏକ ବର୍ଷ ପର୍ଯ୍ୟନ୍ତି ୬୦ % କାର୍ଯ୍ୟକାରୀ ହୁଏ । ଦୁଇ ବର୍ଷ ପରେ ଏହାର କାମ ୫୦ %ରୁ କମ ହୁଏ । ଜନ ସଂଖ୍ୟାର ଯଥେଷ୍ଟ ଲୋକ ଟିକା ନେଲେ ବାକି ଟିକା ନ ନେଇଥିବା ଲୋକ ଗୋଷ୍ଠୀ ଇମ୍ମ୍ୟୁନିଟିର ଉପକାରୀତା ପାଆନ୍ତି । ରୋଗ ସଂକଟ ଥିବା ସ୍ଥାନମାନଙ୍କରେ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ସ‌ହିତ ଏହା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରନ୍ତି । ପାଟିରେ ଦିଆଯାଉଥିବା ଟିକାର ଦୁଇ ବା ତିନି ଡୋଜ ଦେବାକୁ ସୁପାରିସ କରାଯାଏ । ପୃଥିବୀର କେତେକ ସ୍ଥାନରେ ଇଞ୍ଜେକସନ ଆକାରର ଟିକା ମିଳେ ।

ପାଟି ଟିକା ସାଧାରଣତଃ ନିରାପଦ । ସାମାନ୍ୟ ପେଟ କଷ୍ଟ ବା ତରଳ ଝାଡ଼ା ହୋଇପାରେ । ଇମ୍ମ୍ୟୁନିଟି ଅଭାବ ଥଲେ ଓ ଗର୍ଭାବସ୍ଥାରେ ମଧ୍ୟ ଏହା ନିରାପଦ । ଷାଠିଏଟି ଦେଶରେ ଏହାର ବ୍ୟବ‌ହାର ନିମନ୍ତେ ଲାଇସେନ୍ସ ମିଳିଛି । କଲେରା ହେଉଥିବା ଦେଶମାନଙ୍କରେ ଏହି ଟିକା ଶସ୍ତାରେ ମିଳେ ।

୧୮୦୦ଶ ଶତାବ୍ଦୀର ଶେଷ ଭାଗରେ ପ୍ରଥମ କଲେରା ଟିକା ବିକଶିତ ହୋଇଥିଲା । ଲାବୋରେଟୋରିରେ ତିଆରି ହୋଇଥିବା ସେହି ଟିକା ବ୍ୟାପକ ଭାବେ ବ୍ୟବ‌ହୃତ ହୋଇଥିଲା । ପାଟିରେ ଦିଆଯାଉଥିବା ଟିକା ବା ପାଟି ଟିକା ୧୯୯୦ ମସିହାରେ ପ୍ରବର୍ତ୍ତନ କରାଯାଇଥିଲା । ମୌଳିକ ସ୍ୱାସ୍ଥ୍ୟ ଶୃଙ୍ଖଳା ନିମନ୍ତେ ଆବଶ୍ୟକ ଔଷଧ ଚିଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠାନ ଏହାକୁ ଅତି ଆବଶ୍ୟକ ମାନ୍ୟତା ଦେଇଛି । ଆମେରିକାରେ ଏହି ଟିକା ବାବଦ ଖର୍ଚ୍ଚ 0.୧ ରୁ ୪.0 ଡଲାର ମଧ୍ୟରେ ଲାଗେ ।

 

ଗାଲୁଆ ଟିକା

ଗାଲୁଆ ଟିକା ଗାଲୁଆ ରୋଗକୁ ନିରାପଦରେ ପ୍ରତିରୋଧ କରେ । ଅଧିକାଂଶ ଲୋକଙ୍କୁ ଟିକା ଦେଇଦେଲେ ରୋଗ ଜଟିଳତା ହ୍ରାସ ପାଏ । ଜନସଂଖ୍ୟାରେ ୯୦ % ଲୋକଙ୍କୁ ଟିକା ଦେଲେ ୮୫ % ଫଳପ୍ରଦ ହୁଏ । ଦୀର୍ଘକାଳୀନ ପ୍ରତିଷେଧ ନିମନ୍ତେ ଦୁଇ ଡୋଜ ଟିକା ଦରକାର ହୁଏ । ପ୍ରାରମ୍ଭିକ ଡୋଜ ୧୨ ରୁ ୧୮ ମାସିଆ ପିଲାକୁ ଦେବାକୁ ସୁପାରିସ କରାଯାଏ । ଦ୍ୱିତୀୟ ଡୋଜ ପିଲାଙ୍କୁ ୨ ରୁ ୬ ବର୍ଷ ହୋଇଥିଲା ବେଳେ ଦିଆଯାଏ । ଇମ୍ମ୍ୟୁନିଟି ନ ଥାଇ ରୋଗୀ ସଂସ୍ପର୍ଶରେ ଆସିଲେ ବି ଟିକା ଦେଲେ ଉପକାର ମିଳେ ।

ଏହା ଅତି ନିରାପଦ ଟିକା ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ଅତି ସାମାନ୍ୟ । ଇଞ୍ଜେକସନ ଦେବା ସ୍ଥାନରେ ସାମାନ୍ୟ ଜ୍ୱର, କଷ୍ଟ ଓ ଫୁଲା ହୋଇପାରେ । କ୍ୱଚିତ ଉଲ୍ଲେଖନୀୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ସ୍ନାୟବିକ ପ୍ରଭାବ ଭଳି ପ୍ରକ୍ରିୟାକୁ ଟିକା ସାଥୀରେ ଯୋଡ଼ିବା ନିମନ୍ତେ ପ୍ରମାଣ ମିଳୁନି । ଇମ୍ମ୍ୟୁନିଟି ଅଭାବ ଥିଲେ ଓ ଗର୍ଭାବସ୍ଥାରେ ଏହି ଟିକା ଦେବା ଉଚିତ ନୁହେଁ । ଗର୍ଭାବସ୍ଥାରେ ଟିକା ନେଇଥିବା ମହିଳାଙ୍କର ଜନ୍ମିତ ଶିଶୁ ଉପରେ କୌଣସି ଖରାପ ଫଳପ୍ରଦ ହେବା ଲିଖିତ ନାହିଁ । ଚିକେନ ଜୀବକୋଷରେ ଏହି ଟିକା ପ୍ରସ୍ତୁତ ହେଉଥିଲେହେଁ ଅଣ୍ଡା ଆଲର୍ଜି ଥିବା ଲୋକଙ୍କର କୌଣସି ଅସୁବିଧା ହୁଏନାହିଁ । ଅଧିକାଂଶ ବିକଶିତ ଦେଶ ଓ ଅନେକ ବିକାଶଶୀଳ ଦେଶମାନଙ୍କର ଟିକା ପ୍ରୋଗ୍ରାମରେ ଏମ‌ଏମ‌ଆର ନାମରେ ମିଳିମିଳା ଟିକା ଓ ରୁବେଲା ଟିକା ସ‌ହିତ ଗାଲୁଆ ଟିକା ଅନ୍ତର୍ଭୁକ୍ତ ଥାଏ । ପୂର୍ବୋକ୍ତ ଟିକା ସ‌ହିତ ହାଡ଼ଫୁଟି ଟିକା ମିଶେଇ ଏମ‌.ଏମ‌.ଆର.ଭି. ନାମରେ ମିଳୁଛି । ୨୦୦୫ ମସିହାରେ ୧୧୦ ଦେଶ ଏହି ଟିକା ପ୍ରଚଳନ କରୁଥିଲେ । ବିସ୍ତୃତ ଟିକା ଦିଆଯାଉଥିବା ଇଲାକାମାନଙ୍କରେ ଏହି ରୋଗ ହାର ୯୦ % କମିଛି । ଏକ ପ୍ରକାର ଟିକା ଅଧା ବିଲିଅନ ସଂଖ୍ୟାରେ ଦିଆଯାଇଛି । ସନ ୧୯୪୮ରେ ଲାଇସେନ୍ସ ପାଇଥିବା ଗାଲୁଆ ଟିକା ସ୍ୱଳ୍ପ କାଳ ନିମନ୍ତେ ଫଳପ୍ରଦ ହେଉଥିଲେ । ୧୯୬୦ ଦଶକରେ ଉନ୍ନତ ଟିକା ବଜାର ନିମନ୍ତେ ତିଆରି ହେଲା । ପ୍ରାରମ୍ଭରେ ନିଷ୍କ୍ରିୟ ଟିକା ତିଆରି ହେଉଥିଲା କିନ୍ତୁ ପରେ ଦୁର୍ବଳ ଜୀବନ୍ତ ଟିକା ତିଆରି ହେଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୌଳିକ ସ୍ୱାସ୍ଥ୍ୟ ପ୍ରଣାଳୀରେ ଆବଶ୍ୟକ ହେଉଥିବା ଔଷଧ ଚିଠା ମଧ୍ୟରେ ଏହାର ନାମ ଲିଖିତ ଅଛି । ୨୦୦୭ ସୁଦ୍ଧା ଅନେକ ପ୍ରକାର ଟିକା ଉପଲବ୍‌ଧ ହେଉଛି ।

ଉତ୍ସ : Hviid A, Rubin S, Mühlemann K (March 2008). "Mumps".

ଜଳାତଙ୍କ ଟିକା

ଜଳାତଙ୍କ ଟିକା ଏକ ପ୍ରକାର ଟିକା ଯାହା ଜଳାତଙ୍କ ରୋଗକୁ ପ୍ରତିରୋଧ କରିବାକୁ ଦିଆଯାଏ । ଅନେକ ପ୍ରକାରର ଏହି ଟିକା ମିଳୁଛି ଓ ସମସ୍ତ ଟିକା ବିପଦମୁକ୍ତ ଓ ପ୍ରଭାବଶାଳୀ । କୁକୁର ଓ ବାଦୁଡ଼ି କାମୁଡ଼ା ପୂର୍ବରୁ ଓ ଭୂତାଣୁ ସଂସ୍ପର୍ଶରେ ଆସିବାର କିଛି ଦିନ ପର ପର୍ଯ୍ୟନ୍ତ ଏହା ଦିଆଯାଏ ।ତିନି ଡୋଜ ନେବା ପରେ ଦୀର୍ଘ କାଳ ନିମନ୍ତେ ଏହା କାର୍ଯ୍ୟକ୍ଷମ ରହେ । ମାଂସପେଶି ମଧ୍ୟରେ ବା ଚର୍ମରେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ । ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଏହା ସ‌ହିତ ଜଳାତଙ୍କ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦିଆଯାଏ । ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ସଂସ୍ପର୍ଶ ପୂର୍ବରୁ ଦେବାକୁ ସୁପାରିସ କରାଯାଏ । ମାନବ ଓ ଅନ୍ୟ ପଶୁମାନଙ୍କଠାରେ ଏହି ଟିକା କାର୍ଯ୍ୟକ୍ଷମ ଥାଏ । କୁକୁରଙ୍କୁ ଏହି ଟିକା ଦେଲେ ମାନବକୁ ସଂକ୍ରମଣ ହୋଇପାରେ ନାହିଁ । ସମସ୍ତ ବୟସରେ ଏହି ଟିକା ନେବା ବିପଦମୁକ୍ତ । ପ୍ରାୟ ୩୦ ରୁ ୩୫% ଲୋକଙ୍କର ଇଞ୍ଜେକସନ ନେଇଥିବା ସ୍ଥାନ ଲାଲ ହୋଇଯାଏ ଓ କଷ୍ଟ ହୁଏ । ପ୍ରାୟ ୫ରୁ ୧୦ % ଲୋକଙ୍କର ଜ୍ୱର, ମୁଣ୍ଡବଥା, ବା ଅଇ ହୁଏ । ଭୁତାଣୁ ସଂସ୍ପର୍ଶରେ ଆସିବା ପରେ ଏହା ନେବାକୁ କୌଣସି ନିଷେଧ ନାହିଁ । ଅଧିକାଂଶ ଟିକାରେ ଥିମେରୋସାଲ ନ ଥାଏ । ମୁଖ୍ୟତଃ ଏସିଆ ଓ ଲାଟିନ ଆମେରିକାରେ ସ୍ନାୟୁ ତନ୍ତୁରୁ ପ୍ରସ୍ତୁତ କରାଯାଉଥିବା ଟିକା ସ୍ୱଳ୍ପ ପ୍ରଭାବୀ ଓ ଅଧିକ ପାର୍ଶ୍ୱ ପ୍ରତିକ୍ରିୟାଶୀଳ ଥାଏ । ଏହାର ବ୍ୟବ‌ହାରକୁ ଡବ୍ଲ୍ୟୁ.ଏଚ.ଓ ସୁପାରିସ କରିନାହିଁ ।

ପ୍ରଥମ ଜଳାତଙ୍କ ଟିକା ସନ ୧୮୮୫ରେ ପରିଚିତ ହୋଇଥିଲା ଓ ସନ ୧୯୦୮ରେ ଉନ୍ନତ ଟିକା ଆସିଥିଲା । ସାରା ପୃଥିବୀରେ ନିୟୁତ ନିୟୁତ ଲୋକ ଏହି ଟିକା ନେଉଛନ୍ତି ଓ ପ୍ରତିବର୍ଷ ପ୍ରାୟ ୨୫୦,୦୦୦ଲୋକ ମୃତ୍ୟୁ ମୁଖରୁ ରକ୍ଷା ପାଉଛନ୍ତି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ଅନୁସାରେ ଗୋଟିଏ କୋର୍ଷର ହୋଲସେଲ ମୂଲ୍ୟ ୪୪ ରୁ ୭୮ଆମେରିକୀୟ ଡଲାର । ଆମେରିକାରେ ଗୋଟିଏ କୋର୍ଷର ମୂଲ୍ୟ ୭୫୦ ଡଲାର ।

ଉତ୍ସ : "Rabies vaccines: WHO position paper"

ଟିଟାନସ୍ ଟିକା

ଟିଟାନସ୍ ଟିକା ବା ଟିଟାନସ୍ ଭାକ୍‌ସିସନ ବା ଟିଟାନସ୍ ଟକ୍‌ସଏଡ (TT) ଏକ ପ୍ରକାର ଟିକା ଯାହା ଟିଟାନସ୍ ରୋଗର ପ୍ରତିଷେଧ ନିମନ୍ତେ ଦିଆଯାଏ । ଶିଶୁ ଅବସ୍ଥରେ ୫ ମାତ୍ରା ବା ଡୋଜ ଦିଆଯାଏ ଓ ତାପରେ ପ୍ରତି ଦଶ ବର୍ଷରେ ଥରେ ଦିଆଯାଏ । ତିନି ଡୋଜ ପରେ ପ୍ରାୟ ସମସ୍ତେ ଇମ୍ମ୍ୟୁନ ହୋଇଯାଆନ୍ତି । ନିୟମିତ ଟିକା ନେଉ ନଥିଲେ ଖଣ୍ଡିଆ/ଆଘାତ ହେବାର ୪୮ ଘଣ୍ଟା ମଧ୍ୟରେ ଅଧିକ ଏକ ଡୋଜ ଟିକା ଦିଆଯାଏ । ସମ୍ପୁର୍ଣ୍ଣ ଇମ୍ମ୍ୟୁନାଇଜେସନ ନ ହୋଇଥିଲେ ସଙ୍କଟାପନ୍ନ କେଶରେ ଟିଟାନସ୍ ଆଣ୍ଟିଟକ୍‌ସିନ ଦିଆଯାଏ । ଗର୍ଭିଣୀ ମହିଳାଙ୍କର ଟିକା ନେବା ନିଶ୍ଚିତ କରିବା କଥା, ନ ହୋଇଥିଲେ ଟିକା ନେଲେ ନିଓନାଟାଲ ଟିଟାନସ୍ ପ୍ରତିରୋଧ ହୁଏ ।

ଗର୍ଭାବସ୍ଥାରେ ବା ଏଚଆଇଭି/ଏଡ୍‌ସ୍ ଥିଲେ ମଧ୍ୟ ଏହି ଟିକା ସମ୍ପୁର୍ଣ୍ଣ ନିରାପଦ । ଟିକା ନେବା ପରେ ୨୫ ରୁ ୮୫ % ଲୋକଙ୍କର ଇଞ୍ଜେକସନ ନେବା ସ୍ଥାନରେ ଲାଲ ପଡ଼ିଯାଏ ଓ କଷ୍ଟ ହୁଏ । ଜ୍ୱର, ଥକ୍କା ଲାଗିବା, ସାମାନ୍ୟ ପେଶୀ ଯନ୍ତ୍ରଣା ୧ % ଲୋକଙ୍କର ହୁଏ । ଅତ୍ୟଧିକ ଆଲର୍ଜି ପ୍ରତିକ୍ରିୟା ହୁଏ ଲକ୍ଷେରେ ଜଣକୁ ।

କେତେଗୁଡ଼ିଏ ମିଶ୍ରିତ ଟିକା ମିଳେ: ଡିଟିଏପି ଓ ଟିଡିଏପି (DTaP and Tdap) ଯେଉଁଥିରେ ଡିଫଥେରିଆ, ଟିଟାନସ୍, ଓ ପର୍ଟୁସିସ୍ ଟିକା; ଡିଟ ଓ ଟିଡି ଯେଉଁଥିରେ ଡିଫଥେରିଆ ଓ ଟିଟାନସ୍ ଟିକା ଦିଆଯାଏ । ଡିଟିଏପି ଓ ଡିଟି ଟିକା ୭ ବର୍ଷ ବୟସରୁ କମ ପିଲାଙ୍କୁ ଦିଆଯାଏ ଓ ଟିଡିଏପି ଓ ଟିଡି ୭ ବା ତଦୁର୍ଦ୍ଧ୍ୱ ବୟସରେ ଦିଆଯାଏ । ଇଂରାଜୀରେ ଛୋଟ ଡି(d) ଓ ଛୋଟ ପି(p) ଅଳ୍ପ ଶକ୍ତିର ଡିଫଥେରିଆ ଓ ପର୍ଟୁସିସ୍ ଟିକାକୁ ବୁଝାର ।

ଟିଟାନସ୍ ଟିକା ସନ ୧୯୨୭ରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଆମେରିକାରେ ସନ ୧୯୪୦ରେ ଉପଲବ୍‌ଧ ହେଲା । ଏହି ଟିକା ଦେବା ଫଳରେ ଟିଟାନସ୍ ରୋଗ ୯୫ % କମିଗଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୦.୧୭ ରୁ ୦.୬୫ ଆମେରିକିୟ ଡଲାର ଥିଲା । ଆମେରିକାର ଏହାର ମୂଲ୍ୟ ୨୫ ରୁ ୫୦ ଡଲାର ।

ଉତ୍ସ : "Tetanus vaccine: WHO position paper"

ପୋଲିଓ ଟିକା

ପୋଲିଓ ଟିକା ପୋଲିଓମାୟେଲାଇଟିସ (ପୋଲିଓ) ରୋଗ ପ୍ରତିରୋଧ ନିମନ୍ତେ ଉଦ୍ଦିଷ୍ଟ । ଏହାର ଏକ ପ୍ରକାର ଟିକା ନିଷ୍କ୍ରିୟ ପୋଲିଓ ଭୁତାଣୁ ବ୍ୟବ‌ହାର କରେ ଓ ଇଞ୍ଜେକସନ ଆକାରରେ ଦିଆଯାଏ , ଅନ୍ୟଟି ଦୁର୍ବଳ ଭୁତାଣୁ ବ୍ୟବ‌ହାର କରେ ଓ ପାଟିରେ ଖାଇବାକୁ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ପିଲାଙ୍କୁ ଏହି ଟିକା ଦେବାକୁ ସୁପାରିସ କରେ । ପୃଥିବୀର ଅଧିକାଂଶ ସ୍ଥାନରୁ ଏହି ଦୁଇ ପ୍ରକାର ଟିକା ପୋଲିଓ ରୋଗ ନିର୍ମୂଳ କରିଦେଇଛି, ଓ ରୋଗୀ ସଂଖ୍ୟା ପ୍ରତି ବର୍ଷ କମିଯାଇ ସନ ୧୯୮୮ରେ ହୋଇଥିବା ୩୫୦,୦୦୦ରୁ କମିଯାଇ ସନ ୨୦୧୪ରେ ୩୫୯ ହୋଇଛି ।

ନିଷ୍କ୍ରିୟ ଟିକା ଅତ୍ୟନ୍ତ ନିରାପଦ । ଇଞ୍ଜେକସନ୍ ଦେବା ସ୍ଥାନ ସାମାନ୍ୟ ଲାଲ ଦେଖାଯାଏ ଓ କଷ୍ଟ ଅନୁଭବ ହୁଏ । ମୁଖ ପୋଲିଓ ଟିକା ନେଇ ଏକ ନିୟୁତ ଡୋଜରେ ୩ ଜଣକୁ ପାରାଲିଟିକ ପୋଲିଓମାୟେଲାଇଟିସ ହୁଏ । ଗର୍ଭାବସ୍ଥାରେ ଓ ସୁସ୍ଥ ଏଚ‌ଆଇଭି/ଏଆଇଡିଏସ ଲୋକଙ୍କ ନିମନ୍ତେ ମଧ୍ୟ ଦୁଇଟିଯାକ ଟିକା ସାଧାରଣତଃ ନିରାପଦ ।

ପ୍ରଥମ ପୋଲିଓ ଟିକା ନିଷ୍କ୍ରିୟ ଥିଲା । ଏହା ସନ ୧୯୫୫ରେ ଜୋନାସ୍ ସଲ୍‌କ୍ ପ୍ରସ୍ତୁତ କରିଥିଲେ ଓ ୧୯୫୫ରେ ବ୍ୟବ‌ହୃତ ହେଲା । ପାଟି ପୋଲିଓ ଟିକା ଆଲ୍‌ବର୍ଟ ସାବିନ ପ୍ରସ୍ତୁତ କରିଥିଲେ ଓ ବ୍ୟବସାୟିକ ଭିତ୍ତିରେ ପ୍ରଥମେ ସନ ୧୯୬୧ରେ ବ୍ୟବ‌ହୃତ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୨୫ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ନିଷ୍କ୍ରିୟ ଟିକାର ମୂଲ୍ୟ ୨୫ ରୁ ୫୦ ଡଲାର ।

ଉତ୍ସ : "Polio vaccines: WHO position paper, January 2014."

3.5
ଆଫ୍ରୀନ ଜଫର Feb 26, 2016 01:08 PM

ଏହି ଇନଫରର୍ମେଶନ ସାହାଯ୍ୟ କର ଓ ଦରକାରୀ ଅଟେ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top