ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ବର୍ଷାଦିନେ ଶିଶୁଙ୍କ ଯତ୍ନ
ସେଆର କରନ୍ତୁ

ବର୍ଷାଦିନେ ଶିଶୁଙ୍କ ଯତ୍ନ

ବର୍ଷାଦିନେ ଶିଶୁଙ୍କ ଯତ୍ନ ର ସୂଚନା

ଉପକ୍ରମ

ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି  । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ  । ଏହି ସଂକ୍ରାମକ ରୋଗଗୁଡିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି  । ବର୍ଷାଋତୁରେ ଦେଖାଦେଉଥିବା ସଂକ୍ରାମକ ରୋଗଗୁଡିକ ହେଲା : ସିଜନାଲ୍ ଫ୍ଲୁ, କମନ୍ କୋଲ୍ଡ, ତରଳ ଝାଡାବାନ୍ତି, ଲାଳରକ୍ତ ଝାଡା, ଆମାଶୟ, ଜଣ୍ଡିସ୍, ଟାଇଫଏଡ, ଡେଙ୍ଗୁ, ମ୍ୟାଲେରିଆ, ଫ୍ୟାଲେରିଆ । ଓଡିଶାରେ ଗତ ୩/୪ ବର୍ଷ ଧରି ଟିଙ୍କଜାତୀୟ ପୋକ କାମୁଡିବା ଦ୍ଵାରା ମଧ୍ୟ ସ୍କ୍ରବ ଟାଇଫସ୍ ଏହି ଋତୁରେ ହୋଇଥାଏ  । ଚର୍ମ ଓ ଶ୍ଵାସର ଆଲର୍ଜି ଅଧିକତର ଏହି ଋତୁରେ ଦେଖାଯାଏ  । ଅତ୍ୟଧିକ ଆରଦ୍ରତା ଯୋଗୁ ଚର୍ମର ଫଙ୍ଗାଲ୍ ଇନ୍ ଫେକ୍ସନ ହୋଇଥାଏ  । ଚାଳନ୍ତୁ ଜାଣିବା ଉପରୋକ୍ତ ରୋଗଗୁଡିକର ସାଧାରଣ ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କରେ  ।

ସିଜନାଲ୍ ଫ୍ଲୁ

ଏହା ସାଧାରଣତଃ ନିଃଶ୍ଵାସ ପ୍ରଶ୍ଵାସ ଦ୍ଵାରା ବ୍ୟାପିଥାଏ  । ଭାଇରସ୍ ଦ୍ଵାରା ଏହି ରୋଗ ହୋଇଥାଏ  । ଜ୍ଵର, ଛିଙ୍କ, ଥଣ୍ଡା, ମୁଣ୍ଡବିନ୍ଧା, ଗୋଡହାତ ବିନ୍ଧା ଏବଂ ହାଲିଆ ଲାଗିବା ଏହି ରୋଗର ଲକ୍ଷଣ  । କମନ୍ କୋଲ୍ଡ ସାଧାରଣତଃ ୩-୫ ଦିନ ମଧ୍ୟରେ ଭଲ ହୋଇଯାଏ  । ଉତ୍ତମ ଖାଦ୍ୟ, ଓଆରଏସ୍ ପାଣି, ବିଶ୍ରାମ ଓ ପାରାସିଟାମଲଏବଂ ସାଧାରଣ ଥଣ୍ଡା ଔଷଧରେ ଏହି ରୋଗ ଭଲ ହୋଇଥାଏ  । ଏଥିରେ କୌଣସି ଆଣ୍ଟିବାଇଟିକ୍ ର ଆବଶ୍ୟକତା ନାହିଁ  । ସିଜନାଲ୍ ଫ୍ଲୁ କିନ୍ତୁ ପୁଷ୍ଟିହୀନ ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ପିଲାଙ୍କ ପାଇଁ ମାରାତ୍ମକ ହୋଇପାରେ  । ଏହି ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତା ଶିଶୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍  ।

ପ୍ରତିକାର

ମୁହଁ ବା ନାକରେ ହାତ ଲଗାଇବା ପୂର୍ବରୁ ହାତସଫା କରନ୍ତୁ  । ଘର ଭିତରକୁ ମୁକ୍ତ ବାୟୁ ଚଳାଚଳ ଓ ସୂର୍ଯ୍ୟକିରଣ ଆସିବାକୁ ଦିଅନ୍ତୁ  ।  ଥଣ୍ଡା, କାଶରେ ସଂକ୍ରମିତ ବ୍ୟକ୍ତି ପିଲାକୁ ଧରନ୍ତୁ ନାହିଁ  । ପିଲାର ମୁହଁକୁ ଚାହିଁ ଛିଙ୍କ କିମ୍ବା କାଶନ୍ତୁ ନାହିଁ  । ସିଜନାଲ୍ ଫ୍ଲୁ ପାଇଁ ଫ୍ଲୁଟିକା ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ନେଇପାରିବେ  । ଅତିକମ୍ ବୟସର ଶିଶୁ, ଆଲର୍ଜି ଓ ପୁଷ୍ଟିହୀନ ପିଲାଙ୍କ ପାଇଁ ଏହା ନିହାତି ଜରୁରୀ  ।

ତରଳ ଝାଡା ଓ ଲାଳରକ୍ତ ଝାଡା

ଏହା ସାଧାରଣତଃ ଦୂଷିତ ଜଳ ଓ ଖାଦ୍ୟ ଦ୍ଵାରା ବ୍ୟାପିଥାଏ  । ଏହାର ଲକ୍ଷଣ ଜ୍ଵର, ପତଳା ଝାଡା, ବାନ୍ତି, କମ୍ ପରିସ୍ରା, ପେଟ ଫମ୍ପାଇବା  । ଏଥିରେ ଶରୀରର ଜଳୀୟ ଅଂଶ କମିବା ଦ୍ଵାରା କିଡନୀ ଉପରେ ପ୍ରଭାବ ପଡିଥାଏ  । ଓଆରଏସ୍ ବାରମ୍ବାର ଅଳ୍ପ ଅଳ୍ପ ପରିମାଣରେ ପିଇ  ଜଳୀୟ ଅଂଶ ବଜାୟ ରଖିବା ଏହି ରୋଗର ମୁଖ୍ୟ ଚିକିତ୍ସା  ।

ଲାଳରକ୍ତ ଝାଡ଼ାର ଲକ୍ଷଣ

ଜ୍ଵର, ମୁଣ୍ଡବିନ୍ଧା, ପେଟକାଟିବା, ଅଳ୍ପ ଅଳ୍ପ ପରିମାଣରେ ବାରମ୍ବାର ଲାଳରକ୍ତ ଝାଡା ହେବା ସହ ହାଲିଆ ଲାଗିଥାଏ  । ଏହା ସାଧାରଣତଃ ବ୍ୟାକ୍ଟେରିଆ ଦ୍ଵାରା ହୋଇଥାଏ  । ଓଆରଏସ୍ ଓ ଆଣ୍ଟିବାୟୋଟିକ୍ ଏହାର ମୁଖ୍ୟ ଚିକିତ୍ସା  ।

ଆମାଶୟ ଲକ୍ଷଣ

ଜ୍ଵର, ମୁଣ୍ଡବିନ୍ଧା, ବାନ୍ତି, ପେଟକାଟିବା, ଅତି ଦୁର୍ଗନ୍ଧ ଖଇରିଆ ରଙ୍ଗର ଝାଡା (ପ୍ୟାନରୁ ସହଜରେ ନଛାଡିବା) ହୋଇଥାଏ  । ଓଆରଏସ୍ ଓ ମେଟ୍ରୋନିଡାଜୋଲ ଏହାର ମୁଖ୍ୟ ଚିକିତ୍ସା  ।

ଟାଇଫଏଡ ଲକ୍ଷଣ : ଜ୍ଵର ଧୀରେ ଧୀରେ ଅଧିକରୁ ଅଧିକତର ହେବା, ପେଟ ଫମ୍ପାଇବା, ଜିଭ ଉପରେ ଧଳା ପରସ୍ତ ଦେଖାଦେବା, ଭୋକ ନ ହେବା, ହାଲିଆ ଲାଗିବା, ପିଲାଙ୍କର ସମୟ ସମୟରେ ପତଳା ଝାଡା ହେବା ଏହାର ଲକ୍ଷଣ  । ସାଲମେଲା ବ୍ୟାକ୍ଟେରିଆ ଏହାର କାରକ ଜୀବାଣୁ  । ସାଧାରଣ ଭାବେ ଜ୍ଵର ୪/୫ ଦିନ ନ ଛାଡିବା ବା ବିନା ଥଣ୍ଡା, କାଶରେ ଜ୍ଵର ଲାଗି ରହିଲେ ଏହି ରୋଗକୁ ସନ୍ଦେହ କରାଯାଏ  । ଉତ୍ତମ ଖାଦ୍ୟ, ଓଆରଏସ୍ ଓ ଆଣ୍ଟି ବାୟୋଟିକ୍ କୋର୍ସ ୧୦ – ୧୪ ଦିନ ର୍ହାର ଚିକିତ୍ସା ଅଟେ  ।

ଜଣ୍ଡିସ୍

ସାଧାରଣତଃ ହେପାଟାଇଟସ୍ ‘ଏ’ ବା ‘ଇ’ ଦ୍ଵାରା ଏହା ହୋଇଥାଏ  । ଜ୍ଵର ହେବା, ବାନ୍ତି ବାନ୍ତି ଲାଗିବା, ବିଲକୁଲ ଭୋକ ନ ଲାଗିବା, ହାଲିଆ ଲାଗିବା, ପରିସ୍ରା ହଳଦିଆ ହେବା, ଧୀରେ ଧୀରେ ଆଖି ଓ ଦେହ ହଳଦିଆ, ଡାହାଣପଟ ପେଟ କାଟିବା ଓ ଦରଜ ହେବା ଏହି ରୋଗର ଲକ୍ଷଣ  । ଏହାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ  । ବିଶ୍ରାମ, ଗ୍ଲୁକୋଜ ପାଣି, କମ୍ ପ୍ରୋଟିନ ଓ ସ୍ନେହସାରଯୁକ୍ତ ଖାଦ୍ୟ, ଭିଟାମିନ୍ ଏହାର ସଫଳ ଚିକିତ୍ସା  । ଅତ୍ୟଧିକ ଶୋଇ ରହିବା ଓ ରାତିରେ ନିଦ ନ ହେବା, ଦେହ ଅତ୍ୟଧିକ ହଳଦିଆ ହେବା  ଓ ଅତ୍ୟଧିକ ବାନ୍ତି ରୋଗ ମାରାତ୍ମକ ଦିଗରେ ଗତି କରୁଥିବାର ଲକ୍ଷଣ  । ଏଥିରେ ପିଲାକୁ ହସ୍ପିଟାଲରେ ରଖି ଚିକିତ୍ସା କରିବା ଉଚିତ୍  ।

ମ୍ୟାଲେରିଆ

ବିନା ଥଣ୍ଡା କାଶରେ ଜ୍ଵର ହେବା, ମୁଣ୍ଡ ବିନ୍ଧିବା, ବାନ୍ତି ହେବା, ଶୀତକମ୍ପ ହୋଇ ଜ୍ଵର ଆସିବା ଆଦି ମ୍ୟାଲେରିଆ ସାଧାରଣତଃ ଶିଶୁମାନଙ୍କରଠାରେ ଅଧିକ ମାରାତ୍ମକ ହୋଇଥାଏ  । ତେଣୁ ମ୍ୟାଲେରିଆପ୍ରବଣ ଅଞ୍ଚଳରେ ରହୁଥିବା ଶିଶୁର ପ୍ରତ୍ୟକ ଜ୍ଵରରେ ମ୍ୟାଲେରିଆ ପରୀକ୍ଷା କରାଇନେବା ଉଚିତ୍  ।

ଡେଙ୍ଗୁ

ଅଧିକ ଜ୍ଵର ହେବା, ମୁଣ୍ଡ ଅତ୍ୟଧିକ ବିନ୍ଧା, ଗୋଡହାତ ଓ ଅଣ୍ଟା ବିନ୍ଧା, ଜ୍ଵରର ପ୍ରଥମ ଦିନରୁ ଅଧିକ ହାଲିଆ ଲାଗିବା, ବାନ୍ତି ଲାଗିବା, ଦେହରେ ଲାଲ୍ ଲାଲ୍ ଛୋଟ ଛୋଟ ଦାଗ ଦେଖାଯିବା ଏହାର ଲକ୍ଷଣ  । ଏହାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ  । ଓଆରଏସ୍ ଓ ପାରାସିଟାମଲ୍ ଏହାର ମୁଖ୍ୟ ଚିକିତ୍ସା  । ସାଧାରଣତଃ ୪/୫ ଦିନ ପରେ ଏହା ମାରାତ୍ମକ ରୂପ ନେଇପାରେ  । ତେଣୁ ବିନା ଥଣ୍ଡାକାଶରେ ପ୍ରବଳ ମୁଣ୍ଡବିନ୍ଧା ସହ ଜ୍ଵର ଓ ବାନ୍ତି ହେଉଥିଲେ ମ୍ୟାଲେରିଆ ଓ ଡେଙ୍ଗୁ ପରୀକ୍ଷା କରାଇ ନେବା ଉଚିତ୍  ।

ସ୍କ୍ରବ ଟାଇଫସ୍

ଏହା ଅତିକ୍ଷୁଦ୍ର (ଖାଲି ଆଖିକୁ ଦେଖାଯାଉ ନ ଥିବା) ଟିଙ୍କଜାତୀୟ ପୋକ କାମୁଡିବା ଦ୍ଵାରା ହୋଇଥାଏ  । ଜ୍ଵର ଧୀରେ ଧୀରେ ବଢିବା ଓ ଯକୃତ ବଢିବା ଶରୀରରେ ସିଗାରେଟ ଚେଙ୍କା ପରି ପୋକ ବା ଦାଗ ଦେଖାଯିବା ଏବଂ କୌଣସି କମନ୍ ଆଣ୍ଟିବାୟୋଟିକ୍ ଏହି ଜୀବାଣୁ ଉପରେ କାଟୁ ନ କରିବା ଏହି ରୋଗର ଲକ୍ଷଣ  । ଆଜିଥ୍ରୋମାଇସିନ ଓ ଡକ୍ସିସାଇକ୍ଲିନ ଏହି ରୋଗପାଇଁ ଉପଯୁକ୍ତ ଆଣ୍ଟିବାୟୋଟିକ୍  । ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ନ କଲେ ଏହି ଜୀବାଣୁ ମଣିଷର ସବୁ ଅଙ୍ଗକୁ ପ୍ରଭାବିତ ଓ ନିଷ୍କ୍ରିୟ କରିପାରେ  ।

ଆଲର୍ଜି ଓ ଆଜମା

ବର୍ଷାଋତୁ ଆରମ୍ଭ ହେବାର ୧୦-୧୫ ଆଗରୁ ଆଣ୍ଟି ଆଲର୍ଜିକ ଔଷଧ ବ୍ୟବହାର କରନ୍ତୁ  । ଯଥା ମଣ୍ଟେଲ୍ୟୁକାଷ୍ଟ  । ଆଲର୍ଜିର ଉପଶମ ପାଇଁ ହିନହେଲର, କଫ୍ ସିରଫ, ସ୍କିନ ଲୋଶନ ନିଜ ପାଖରେ ରଖନ୍ତୁ ଓ ଏହାର ଉପଯୁକ୍ତ ବ୍ୟବହାର କରନ୍ତୁ  । ଅତି ଥଣ୍ଡାପାଣିରେ ଗାଧୋଇବା ଥଣ୍ଡା, ପାନୀୟ, ଆଇଷକ୍ରିମ ଆଦି ଖାଇବା ଓ ବର୍ଷାରେ ଭିଜିବା ଆଡିକୁ ଆଭଏଡ କରନ୍ତୁ  ।

ଚର୍ମରୋଗ

ଯାଦୁ, ଫୁଲଛଉ ଏହି ସମୟରେ ଅଧିକ ହୋଇଥାଏ  । ଶୁଖିଲା ପୋଷାକ ପିନ୍ଧିବା, ପ୍ରତିଦିନ ଗାଧୋଇବା, ଝାଳ ପୋଛିବା ସଙ୍ଗେ ସଙ୍ଗେ ବଦଳାଇଲେ ଏହା ହୁଏ ନାହିଁ   । ପିଲାଙ୍କ ଶରୀରର ଭାଙ୍ଗକୁ ସଫା ଶୁଖିଲା ରଖନ୍ତୁ  । ଟରବେନାଫିନ, କ୍ଲୋଟ୍ରିମାଜୋଲ କ୍ରିମ କିମ୍ବା ଡଷ୍ଟିଙ୍ଗ ପାଉଡର ଏହାର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରେ  ।

ଉପରୋକ୍ତ ରୋଗଗୁଡିକ ପାଇଁ ସାଧାରଣ ପ୍ରତିକାର

  1. ଫ୍ରିକୁଏଣ୍ଟ ହ୍ୟାଣ୍ଡ ୱାସିଂ (ବାରମ୍ବାର ହାତ ଧୋଇ ସଫା କରିବା)
  2. ଗାଧୋଇବା ପାଇଁ ସାଧାରଣ ଆଣ୍ଟିସେପ୍ଟିକଡେଟଳ କିମ୍ବା ସାଭଲନ୍ ସୋପ୍ ବା ନିମ୍ ସୋପ୍ ର ବ୍ୟବହାର
  3. ଫୁଟାପାଣି ପିଇବା, ସଦ୍ୟ ପ୍ରସ୍ତୁତ ଘରରନ୍ଧା ଖାଇବା  ।
  4. ଘର ଓ ଘରର ଚତୁଃପାର୍ଶ୍ଵ ପରିଷ୍କାର ପରିଚ୍ଛନ୍ନ ରଖିବା  ।
  5. ମଶାରି ଲଗାଇ ଶୋଇବା  ।
  6. ବାହାରେ ଖେଳିଲେ , ପାର୍କ ଆଦି ଗଲେ ଫୁଲ୍ ସାର୍ଟ ବା ଫୁଲ୍ ପ୍ୟାଣ୍ଟ ପିନ୍ଧିବା
  7. ବର୍ଷା ଋତୁ ଆରମ୍ଭରେ ପ୍ରତିବର୍ଷ ଫ୍ଲୁ ଟିକା ନେବା
  8. ଯେଉଁ ଶିଶୁମାନେ ହେପାଟାଇଟିସ୍ ଏ, ଟାଇଫଏଡ ଟିକା ନେବା ଉଚିତ୍  ।

ବିଶେଷ ଦ୍ରଷ୍ଟବ୍ୟ

ମ୍ୟାଲେରିଆ ଓ ଡେଙ୍ଗୁର କୌଣସି ନିର୍ଦ୍ଧିଷ୍ଟ ଟିକା ନହିଁ  । ଏହା ଜଲ୍ଦି ମାରାତ୍ମକ ରୂପ ଧାରଣ କରେ । ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ  ।

ସଂଗୃହୀତ – ଡା. ସ୍ଵର୍ଣ୍ଣଲତା ଦାସ

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top