ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଶିଶୁଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ପ୍ରତିକାର
ସେଆର କରନ୍ତୁ

ଶିଶୁଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ପ୍ରତିକାର

ଶିଶୁଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ପ୍ରତିକାର ସମ୍ବନ୍ଧରେ ସୂଚନା ।

ଗ୍ୟାସ୍ ସମସ୍ୟା ଓ ପ୍ରତିକାର

ଗ୍ୟାସ୍ ସମସ୍ୟା

ଗ୍ୟାସ୍ ହେବା ସାଧାରଣ କଥା । ହେଲେ ଶିଶୁଙ୍କ କ୍ଷେତ୍ରରେ ଏହା ଶୀଘ୍ର ଜଣାପଡିନଥାଏ । ଯନ୍ତ୍ରଣା ହେବାଦ୍ଵାରା ଶିଶୁ କାନ୍ଦିଥାଏ ।  ପିଲାଟି କାହିଁକି କାନ୍ଦୁଛି ଜାଣିନପାରି ଅବିଭାବକମାନେ ବ୍ୟସ୍ତ ହୁଅନ୍ତି । ତେବେ ଏବେ ଜାଣିବା ଶିଶୁଙ୍କୁ କିପରି ଗ୍ୟାସ ହୁଏ ଓ କିପରି ଦୂରେଇ ରଖିହେବ ....

କାରଣ

ମା'ଠାରୁ ସ୍ତନ୍ୟପାନ କଲା ସମୟରେ ହେଉ କି ବୋତଲରୁ ତରଳ ପଦାର୍ଥ ଖାଇବା ସମୟରେ ହେଉ,  ଅଥବା ଶିଶୁଙ୍କୁ ଚୁଚୁମିବାକୁ ଦିଆଯାଉଥିବା ଜିନିଷ କ୍ଷେତ୍ରରେ ସେମାନେ ଯଥେଷ୍ଟ ପବନ ପାଟିବାଟେ ଢୋକି ଦିଅନ୍ତି । ତେଣୁ ସେମାନେ ଅଧିକ ଥର ବାୟୁ ଛାଡନ୍ତି ।

ଏହି କାରଣରୁ ଅନେକ ସମୟରେ ସେମାନଙ୍କ ପେଟ ଫାମ୍ପିବା ଭଳି ଦେଖାଯାଏ, ସେମାନେ ଅଶ୍ଵସ୍ତିକର ମନେ କରନ୍ତି । ଯଦି ସେଭଳି କିଛି ସମସ୍ୟା ଦେଖାଦିଏ ତେବେ ସେ ପୂର୍ବଭଳି ସ୍ଵାଭାବିକ ଆଚରଣ କରିବ ନାହିଁ । କେବେ ବାୟୁ ଯିବା ପରେ ସେ ଆରାମବୋଧ କରିବ ବୋଲି ଶିଶୁ ରୋଗ ବିଶେଷଜ୍ଞ କୁହନ୍ତି ।

ପ୍ରତିକାର

ଶିଶୁମାନଙ୍କର ପାଚନ ନଳୀର କ୍ରମବିକାଶ ସହିତ ତାହାର ଗ୍ୟାସ୍ ବା ବାୟୁ ସମସ୍ୟା ହ୍ରାସପାଇବା ଆରମ୍ଭ କରେ । ତେବେ ଶିଶୁଟିକୁ ସ୍ତନ୍ୟପାନ କରାଇବା ଅଥବା ବୋତଲରୁ ଖାଦ୍ୟ ଖୁଆଇବା ସମୟରେ କେତେକ ବିଷୟ ପ୍ରତି ଦୃଷ୍ଟିଦେଲେ ଗ୍ୟାସ୍ ସମସ୍ୟାକୁ ଲାଘବ କରାଯାଇପାରିବ ।

  • ସ୍ତନ୍ୟପାନ କିମ୍ବା ବୋତଲରୁ ପିଆଇବା ସମୟରେ ଶିଶୁର ମୁଣ୍ଡ ଯେଭଳି ତାହାର ପାକସ୍ଥଳୀଠାରୁ ଉଚ୍ଚରେ ରହିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଏହାଦ୍ଵାରା ଦୁଗ୍ଧ ଶିଶୁର ପାକସ୍ଥଳୀ ତଳଭାଗକୁ ଯିବ ଏବଂ ବାୟୁ ଉପରକୁ ଉଠିଆସିବ । ତାହା ହାକୁଟି ଆକାରରେ ବାହାରିଯିବ ।
  • ସେହିଭଳି ବୋତଳର ନିପଲ୍ କୁ  ଧରି ସାମାନ୍ୟ ଚିପି ଦିଅନ୍ତୁ, ଯାହାଦ୍ଵାରା ତା ଭିତରେ ଆଉ ବାୟୁ ଫୋଟକା ରହିବ ନାହିଁ । ତାହାସହିତ ତାକୁ ବୋତଲରୁ ଖୁଆଇବା ସମୟରେ ଶିଶୁଙ୍କ ପାଇଁ ମିଳୁଥିବା ତକିଆ ବ୍ୟବହାର କରନ୍ତୁ । ଏହାଦ୍ଵାରା ଶିଶୁର ମୁଣ୍ଡ ସାମାନ୍ୟ ଉଚ୍ଚରେ ରହିବ । ଖାଇବା ପରେ ଶିଶୁକୁ c ଚିତ କରି ଶୁଆଇଦିଅନ୍ତୁ । ତା'ର ଗୋଡକୁ ଧରି ଆଗ ପଛ କରନ୍ତୁ, ଯେମିତି କି ସାଇକେଲ  ଚଳାଉଛି । ତାକୁ ଉଷୁମ ସ୍ନାନ କରାଇଲେ ମଧ୍ୟ ସେ ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇବ ।
  • ଏସବୁ ସହିତ ଶିଶୁର ଯଦି ଗ୍ୟାସ୍ ସମସ୍ୟା ରହୁଛି ତେବେ ଡାକ୍ତରଙ୍କ ସହିତ ତାହାର ଖାଦ୍ୟ ସମ୍ପର୍କରେ ଆଲୋଚନା କରନ୍ତୁ । କାରଣ ବେଳେବେଳେ ଶିଶୁଟି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ପରେ ଅଧିକ ଗ୍ୟାସ୍ ସମସ୍ୟା ସମ୍ମୁଖୀନ ହୁଏ । ଏପରିକି ଶିଶୁଟି ଅନେକ ଖାଦ୍ୟକୁ ହଜମ କରିପାରେ ନାହିଁ । ଯଦି ସ୍ତନ୍ୟପାନ କରାଉଥିବା ମା' କିଛି ଖାଦ୍ୟ ଖାଏ ତେବେ ତାହାର ଉପାଦାନ ମା' କ୍ଷୀର ସହିତ ମିଶି ଶିଶୁ ନିକଟରେ ପହଞ୍ଚେ ଏବଂ ତାହା ଶିଶୁ ପାଇଁ ସହଜରେ ହଜମ ହୁଏ ନାହିଁ । ଏଭଳି କ୍ଷେତ୍ରରେ ମା'କୁ ମଧ୍ୟ ତାଙ୍କର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ହେବ । ଅଧିକାଂଶ ସମୟରେ ଶିଶୁଙ୍କ କ୍ଷେତ୍ରରେ ଦେଖାଦେଉଥିବା ଗ୍ୟାସ୍ ସମସ୍ୟା ଆରୋଗ୍ୟସାଧ୍ୟ, କିନ୍ତୁ କିଛି ବିରଳ ଘଟଣାରେ ଏହା ଶିଶୁର ପାଚନ କ୍ରିୟାରେ ଗୁରୁତର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଥାଏ ।
  • ଶିଶୁର ଯଦି ବାୟୁ ଯାଉନାହିଁ,ଝାଡାରେ ରକ୍ତ ପଡୁଛି ଅଥବା ବାନ୍ତି ହେଉଛି  ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ପରୀକ୍ଷା ନିରୀକ୍ଷା କରାନ୍ତୁ । ଶୀଘ୍ର ଚିକିତ୍ସା ଦ୍ଵାରା ଏହାର ନିରାକରଣ କରାଯାଇପାରିବ ।

ଶିଶୁଙ୍କ ଦନ୍ତର ଯତ୍ନ

କୋମଳମତି ଶିଶୁଙ୍କ ଦାନ୍ତ ପ୍ରତି ସମସ୍ତଙ୍କ ସୌନ୍ଦର୍ଯ୍ୟଭରା ଭାବନା ରହିଥାଏ । କାରଣ କୁହାଯାଏ ଶିଶୁ ହସିଲେ  ଦୁନିଆ ହସେ । ତେବେ ପିଲାଙ୍କ ଦାନ୍ତ ପ୍ରତି ଅନେକ ବାପା, ମାଆ ଅବହେଳା କରିଥାନ୍ତି ଯାହାର ପରବର୍ତ୍ତୀ କ୍ଷତିକାରକ ସ୍ଥିତି ଦେଖିବାକୁ ମିଳିଲେ ବି କିଛି କରାଯାଇ ପାରେନି ।

ପିଲାଙ୍କ ଦାନ୍ତ ସମସ୍ୟା ଏତେ ମାରାତ୍ମକ ନୁହେଁ, କିନ୍ତୁ ପିତାମାତାଙ୍କ ସଚେତନତାର ଅଭାବ ପାଇଁ ପିଲାଟି ଏହି ଦାନ୍ତକୁ ନେଇ ସାରା ଜୀବନ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାଏ ।

ଗର୍ଭାବସ୍ଥାରେ ଶିଶୁ ଦାନ୍ତର ଯତ୍ନ

ପେଟରେ ଥିବାବେଳେ ସାଧାରଣତଃ ୫/୬ ସପ୍ତାହ ପରେ ଶିଶୁର ଦାନ୍ତର ବିକାଶ ହୋଇଥାଏ । ଦାନ୍ତ ଏବଂ ହାଡ଼ର ବିକାଶ ସଠିକ ଭାବେ ହେବା ପାଇଁ ଏହି ସମୟରେ ଯଥେଷ୍ଟ ପରିମାଣରେ କ୍ୟାଲସିୟମ, ଫସଫରସ, ଭିଟାମିନ ଏବଂ ମିନେରାଲର ଆବଶ୍ୟକତା ପଡ଼ିଥାଏ । ଶିଶୁର ଦାନ୍ତର ବିକାଶ ପାଇଁ କ୍ୟାଲସିୟମ ମା’ ର ଖାଦ୍ୟରୁ ଆସିଥାଏ । ତେଣୁ ଏହି ଅବସ୍ଥାରେ ପୁଷ୍ଟିସାର, ଶ୍ଵେତସାର ଯୁକ୍ତ ଖାଦ୍ୟ, ଫଳ ଏବଂ ପନିପରିବା ଖାଇବା ଏକାନ୍ତ ଆବଶ୍ୟକ । ଫୋରାଇଡ ଅନ୍ୟ ଏକ ଆବଶ୍ୟକୀୟ ପାନୀୟ ଯାହା ଶିଶୁର ଦାନ୍ତକୁ ମଜଭୁତ ଏବଂ ଶକ୍ତ କରିଥାଏ । ଏଥି ସହିତ ଦାନ୍ତକୁ କ୍ୟାଭିଟିଜ ଠାରୁ ଦୂରରେ ରଖେ ।

ଜନ୍ମ ହେବା ପରେ

ଛୁଆ ଜନ୍ମ ହେବା ପରେ ତାର ବିକାଶ ଧୀରେ ଧୀରେ ହୋଇଥାଏ । ହାଡ଼ର ବିକାଶ ହେବା ସଙ୍ଗେ ସଙ୍ଗେ ଶିଶୁର ଦାନ୍ତର ମଧ୍ୟ ବିକାଶ ହୋଇଥାଏ । ପ୍ରଥମେ ଦାନ୍ତର ବିକାଶ ଆରମ୍ଭ ହୋଇଥାଏ । ସାମ୍ନାକୁ ଦୁଇ ଦାନ୍ତରୁ ଯାହାକୁ ଆମେ କ୍ଷୀର ଦାନ୍ତ ବୋଲି କହିଥାଉ । ମା’ କ୍ଷୀର ଶିଶୁ ଶରୀରର ବିଭିନ୍ନ ଅଂଶର ବିକାଶ ପାଇଁ ନିତାନ୍ତ ଆବଶ୍ୟକ । ସେହିପରି ଶିଶୁ ଦାନ୍ତର ବିକାଶରେ ମଧ୍ୟ ମା’ କ୍ଷୀର ନିହାତି ଆବଶ୍ୟକ । କାରଣ ଏଥିରେ ଯଥେଷ୍ଟ ପରିମାଣରେ ଫ୍ଲୋରାଇଡ ଏବଂ କ୍ୟାଲସିୟମ ଥାଏ ।

ପିଲାକୁ କ୍ଷୀର ପିଆଇବା ପରେ ତାର ଦାନ୍ତର ମାଢ଼ିକୁ ତୁଳା କିମ୍ବା କପଡ଼ାରେ ପୋଛି ସଫା କରିଦିଅନ୍ତୁ। ପିଲାକୁ ବୋଡଲରେ କ୍ଷୀର ପିଇବାକୁ ଦେଉଥୁଲେ ମଧ୍ୟ କ୍ଷୀର ପିଇ ସାରିବା ପରେ ସଙ୍ଗେ ସଙ୍ଗେ ମାଢ଼ିକୁ କପଡ଼ାରେ ପୋଛି ସଫା କରିଦିଅନ୍ତୁ । ଆପଣଙ୍କ ପିଲା ଶୋଇବା ସମୟରେ ଯଦି ପାଟିରେ ବୋତଲ ରଖି ଶୋଇବାକୁ ପସନ୍ଦ କରୁଛି, ତେବେ ସେହି ବୋଡଲରେ କ୍ଷୀର ବଦଳରେ ପାଣି ଦିଅନ୍ତୁ । କାରଣ କ୍ଷୀରରେ ମିଠା ଅଂଶ ରହୁଥିବାରୁ ଏହା ଶିଶୁର ମାଢ଼ିରେ କ୍ୟାଭିଟିଜ ସୃଷ୍ଟି କରିବାର ସମ୍ଭାବନା ଥାଏ ।

ଦୁଗ୍ଧ ଦାନ୍ତର ଯତ୍ନ

ଛଆ ସାତ ମାସ ପରେ ଶିଶୁର ଦୁଗ୍ଧ ଦାନ୍ତ ଉତ୍ପନ୍ନ ହୋଇଥାଏ । ତାପରେ ୨୦ ମାସ ପର୍ଯ୍ୟନ୍ତ ପଲାର ଦାନ୍ତ ଉଠିବା ସମୟ ଚାଲେ । ଏହି ସମୟରେ କିଭଳି ଦାନ୍ତର ଯତ୍ନ ନେବେ, କ’ଣ କରିବେ ଏବଂ କ'ଣ ନକରିବେ ଆସନ୍ତୁ ଜାଣିବା । ପ୍ରଥମେ ଦୁଗ୍ଧ ଦାନ୍ତ ଉଠିବା ପରେ ହାଲକା ଏବଂ କୋମଳ ବ୍ରଶ ଦ୍ଵାରା ଦାନ୍ତକୁ ସଫା କରନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ପେଷ୍ଟ ଦ୍ଵାରା ଧୀରେ ଧୀରେ ଦାନ୍ତ ସଫା କରନ୍ତୁ । ଏହାଦ୍ଵାରା ପିଲାର ପାଟିରୁ ଗନ୍ଧ ବାହାରିବନି । ଦାନ୍ତ ଦିନକୁ ଦିନ ଦୁଇଥର ସକାଳ ଏବଂ ସନ୍ଧ୍ୟାରେ ସଫା କରିବା ଅଭ୍ୟାସ ପିଲାକୁ ଶିଖାନ୍ତୁ । ଖାଇସାରିବେ ପରେ ଭଲ ଭାବରେ କୂଳି କରି ପାଟି ସଫା କରିବା ମଧ୍ୟ ଶିଖାନ୍ତୁ । ଫଳରେ ଏହା ପିଲାର ଏକ ଅଭ୍ୟାସରେ ପରିଣତ ହୋଇଯିବ । ପିଲା ଦାନ୍ତର ସୁରକ୍ଷା ପାଇଁ ସବୁଜ ପନିପରିବା, ଫଳ, କ୍ଷୀର ଏବଂ ଲହୁଣି ଖାଇବାକୁ କୁହନ୍ତୁ । ପିଲାକୁ ସବୁବେଳେ ଯଥେଷ୍ଟ ପରିମାଣରେ ପାଣି ପିଇବାକୁ ଦିଅନ୍ତୁ । ମାସକୁ କିମ୍ବା ବର୍ଷକୁ ଥରେ ଶିଶୁର ଦାନ୍ତ ଏବଂ ମାଢ଼ି ଡାକ୍ତରଙ୍କ ପାଖରେ ପରୀକ୍ଷା କରାନ୍ତୁ । ଯଦି ଶିଶୁର ଦାନ୍ତରେ ଧଳା, କଳା କିମ୍ବା ବ୍ରାଉନ ରଙ୍ଗର ଦାଗ ଦେଖାଯାଏ ଶୀଘ୍ର ଯାଇ ଦାନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଶିଶୁକୁ ବର୍ଷ ହେଲା ପରେ ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇ ଦାନ୍ତ ଦେଖାନ୍ତୁ ।

'ଣ କରିବେ ନାହିଁ ?

ଶିଶୁକୁ ପିଲାବେଳେ ଯେତେ ସମ୍ଭବ କମ୍ ଚିନି ଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ଜଙ୍କ ଫୁଡରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ । ଶିଶୁକୁ  କେବେହେଲେ ଦାନ୍ତ ଡାକ୍ତର ପାଖକୁ ନେଇଯିବି, ଇଞ୍ଜେକସନ ଲଗାହେବ କହି ଡରାନ୍ତୁ ନାହିଁ । ଏହାଦ୍ଵାରା ପିଲାର ମନରେ ସବୁଦିନ ପାଇଁ ଭୟ ବସା ବାନ୍ଧିବ । ଯେତେବେଳେ ନିହାତି ଦାନ୍ତ ଡାକ୍ତର ପାଖକୁ ଯିବାର ଥିବ  ପିଲାଟି ସେତେବେଳେ ମନା କରିଦେବ । ତେଣୁ ଏଭଳି କରନ୍ତୁ ନାହିଁ ।

ଶିଶୁଙ୍କ କାନପଚା ରୋଗ

ବାୟୁମଣ୍ଡଳ ପ୍ରଭାବ

ବାୟୁମଣ୍ଡଳରେ ଧୂଳିକଣାର ପ୍ରଭାବ ରହୁଥିବାରୁ ଶୀତର ପ୍ରକୋପ ଶିଶୁଙ୍କ କାନପଚା ରୋଗର ମୁଖ୍ୟ ବାହକ ହୋଇପାରେ । ଅବଶ୍ୟ ଶିଶୁଙ୍କ କାନପଚା ରୋଗ ଏକ ସାଧାରଣା, ରୋଗ ହୋଇଥିବାରୁ ଏହାକୁ ନେଇ ଅଭିଭାବକ ବିଶେଷ ଭାବରେ ଚିନ୍ତିତ ହେବା ଅନାବଶ୍ୟକ । ପ୍ରାୟତଃ ପାଞ୍ଚବର୍ଷରୁ କମ୍  ବୟସର ଶିଶୁଙ୍କ କ୍ଷେତ୍ରରେ ଏହା ଅଧିକ ଭାବରେ ଦେଖାଯାଏ । ସେଥିପାଇଁ ଆବଶ୍ୟକ ସତର୍କତା ଲୋଡ଼ା ।

ଶରୀରରେ କାନ ହେଉଛି ଅନ୍ୟତମ ଅତ୍ୟାବଶ୍ୟକ ଇନ୍ଦ୍ରିୟ । କେବଳ ଶ୍ରବଣ ଶକ୍ତି ପାଇଁ ନୁହେଁ, ଶାରୀରିକ ଭାରସାମ୍ୟରେ ସନ୍ତୁଳନ ରଖିବାରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ତେବେ ଖାମଖିଆଲ  ଭାବରେ ଏହାର ଚିକିତ୍ସା କଲେ ପରବର୍ତ୍ତୀ ସମୟରେ ଶିଶୁଟି ସାରା ଜୀବନ ପାଇଁ ଶ୍ରବଣଶକ୍ତି ହରାଇବାର ସମ୍ଭାବନାକୁ ଏଡ଼ାଇଯାଇ ନପାରେ । କାରଣ ଛୋଟ ପିଲାର ଶ୍ରବଣଶକ୍ତି ହିଁ ତା’ର ବୌଦ୍ଧିକ ବିକାଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଛୋଟ ପିଲାମାନେ ପ୍ରାଥମିକ ଅବସ୍ଥାରେ ଖନି ଖନି କଣ୍ଠରେ କଥାବାର୍ତା ଆରମ୍ଭ କରୁଥିଲେ ମଧ୍ୟ ଶ୍ରବଣ ଶକ୍ତି ସେମାନଙ୍କ ଶାରୀରିକ ବିକାଶରେ ଯଥେଷ୍ଟ ଅବଦାନ ରଖିଥାଏ ।

ଶିଶୁଙ୍କ କାନପଚା ରୋଗ

ପ୍ରାୟତଃ ଦେଖାଯାଏ ଛୋଟ ପିଲାଙ୍କ କର୍ଣ୍ଣନଳୀ ମଧ୍ୟରେ କୌଣସି କାରଣ ବଶତଃ ସଂକ୍ରମଣ ଘଟିଲେ କାନରୁ ପ୍ରାଥମିକ ଅବସ୍ଥାରେ ପାଣିଆ ପୂଜ ଏବଂ ପରବର୍ତ୍ତୀ ସମୟରେ ଗାଢ଼ ପୂଜ ନିର୍ଗତ ହୋଇଥାଏ । ଯାହାକୁ ସାଧାରଣରେ କାନପଚା ରୋଗ କୁହାଯାଏ । ସ୍ଵାସ୍ଥ୍ୟଗତ ଦୃଷ୍ଟିକୋଣରୁ ଦେଖାଯାଇଥାଏ, ବଡ଼ ଲୋକଙ୍କ ଠାରୁ ଛୋଟ ପିଲାଙ୍କ କାନର ଗଠନ ଶୈଳୀ ଭିନ୍ନ ଧରଣର ହୋଇଥିବାରୁ ଏବଂ ସେମାନଙ୍କର ଶରୀର ପ୍ରତିରୋଧକ ଶକ୍ତି ଯଥେଷ୍ଟ କମ୍ ଥିବାରୁ ସ୍ଵାଭାବିକ ଭାବରେ ପିଲାଙ୍କ କାନ   ପାଚିଥାଏ । ଜୀବାଣୁ ବା ଭୂତାଣୁମାନେ କର୍ଣ୍ଣନଳୀ ସଂକ୍ରମଣର ମୁଖ୍ୟବାହକ । ଅନେକ କ୍ଷେତ୍ରରେ ଦେଖାଯାଏ ସଚେତନତା ଅଭାବରୁ ପ୍ରାୟତଃ ପିଲାଙ୍କ କାନ ଭିତରେ ଅଭିଭାବକମାନେ କୌଣସି ଚଢ଼େଇର ପର, କାଠି, ଡଟ ପେନ, ଡାଙ୍ଗ, ଦିଆସିଲ କାଠି ଏପରିକି ହାତର ଆଙ୍ଗୁଳି ନେଇ ସଫା କରିବା ଭିତରେ ଅଜାଣତ ଛୋଟିଆ କ୍ଷତଟି ସୃଷ୍ଟି ହୋଇ ସଂକ୍ରାମକ ରୂପ ନେଇଥାଏ । ସେହିପରି ନିୟମିତ ଭାବରେ କାନରୁ ଠିକ ଭାବରେ ମଇଳା ସଫା କରା ନଗଲେ ତାହା କାନ ପଟିବାର ଅନ୍ୟତମ କାରଣ ହୋଇଥାଏ । ବିଶେଷକରି ଶୀତଦିନରେ ବାୟୁମଣ୍ଡଳରେ ଧୂଳିକଣାର ଭାଗ ଅଧିକ ରହୁଥିବାରୁ ଏହି ଋତୁରେ କାନପଚା ରୋଗ ବିଶେଷତଃ ଯନ୍ତ୍ରଣାଦାୟକ ହୋଇଥାଏ । ଅନେକ ସମୟରେ ଦେଖାଯାଏ। ପିଲାଙ୍କୁ ବୋତଲରେ କ୍ଷୀର ପିଆଇଲା ବେଳେ କିମ୍ବା ମା’ ଶୋଇକରି ପିଲାକୁ କ୍ଷୀର ଖୁଆଇଲା ବେଳେ ଅଜଣାତ ଭାବରେ ବୋତଲ କ୍ଷୀର ବା ମା'କ୍ଷୀର ଧାର ଧାର ହୋଇ ଶିଶୁର କାନ ଭିତରେ ପଶିଥାଏ । ପରବର୍ତ୍ତୀ ସମୟରେ କ୍ଷୀର ଖାଇସାରିଲା ପରେ ପିଲାଟି ଶୋଇଯାଇଥିବାରୁ ତରଳ ପଦାର୍ଥଟି ଦୀର୍ଘ ସମୟ ପାଇଁ କାନ ଭିତରେ ରହି ଏହା ଦୂଷିତ କରିଥାଏ । ପିଲାଙ୍କ ସ୍ଵାଭାବିକ ଥଣ୍ଡା ବା ଶ୍ଵାସରୋଗ ଥିଲେ ଦୀର୍ଘଦିନ ଧରି କାଶ ବା ଛିଙ୍କ ଲାଗିରହିଲେ । ଏହା ମଧ୍ୟ ପରୋକ୍ଷରେ କାନରେଗ ପାଇଁ ବାଟ ଦେଖାଇଥାଏ । ପିଲାଙ୍କୁ ଗାଧୋଇଦେବା ସମୟରେ ଅଭିଭାବକମାନେ ବିଶେଷ ଭାବରେ ସତର୍କ ନହେଉଥିବାରୁ ପିଲାଙ୍କ କାନ ଭିତରେ ପାଣି ପଶିଯାଏ । ଯାହାକି କାନ ପାଚିବାର ଅନ୍ୟତମ ମୁଖ୍ୟ କାରଣ । ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧୁସିତ ଆଞ୍ଚଳରେ ଦେଖାଯାଇଥାଏ ଯେ, ପିଲାଙ୍କୁ ବେଳେ ବେଳେ ସ୍ଥାନୀୟ ପୋଖରୀ, ନଦୀ ବା ଝରଣାରେ ବୁଡ଼ ପକାଇ କେହି କେହି ଗାଧୋଇ ଦେଇଥାନ୍ତି । ଏହା ସ୍ଵାଭାବିକ ଭାବରେ କାନ ପାଇଁ ଭୟଙ୍କର ବିପଦ ଆଣିଥାଏ । ପିଲାଙ୍କ ଲମ୍ବା ଲମ୍ବା ଚୁଟି ରହିଲେ କେବଳ ଗାଧୋଇବା ପାଣି ବା ବର୍ଷାପାଣି ନୁହେଁ । ଏପରିକି ଦେହର ଝାଳ ଚୁଟି ବାଟେ କାନ ଭିତରକୁ ପଶିଥାଏ ଯାହାକି ମଧ୍ୟ କାନ ପଚାଇଥାଏ । କାନ ପାଚିଲେ ପିଲାଙ୍କ ଦେହରେ ସ୍ଵାଭାବିକ ଭାବରେ ତାପମାତ୍ରା ବଢ଼ିଥାଏ । ଅସହ୍ୟ କାନ ଯନ୍ତ୍ରଣାରେ ପିଲାଟି କାନ୍ଦିଥାଏ ଏବଂ ପାଚିଥିବା କାନକୁ ଟାଣି ଧରିଲେ ତାକୁ ତତକାଳ ଅବଶ୍ୟ ଉପଶମ ଲାଗେ, କିନ୍ତୁ ଏହା ଠିକ  ନୁହେଁ । କେତେକ ସ୍ଥାନରେ ପିଲାଙ୍କ ଏକାସାଙ୍ଗରେ ଦୁଇଟି କାନ ପାଚିବାର ମଧ୍ୟ ଦେଖାଯାଏ । ଏହା ପିଲାଟି ପାଇଁ ବଡ଼ ଯନ୍ତ୍ରଣା ଦାୟକ ହୋଇଥାଏ । କାନ ପାଚିବା ଏକ ଗୁରୁତର ରୋଗ ନୁହେଁ, କିନ୍ତୁ ଏ କ୍ଷେତ୍ରରେ ଚିକିତ୍ସା ଯେତେ ବଡ଼କଥା ନୁହେଁ ସଚେତନ ହେବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ପିଲାଙ୍କୁ କୌଣସି ପରିସ୍ଥିତିରେ ପାଣିରେ ବୁଡ଼ାଇ ଗାଧୋଇବା ପଦ୍ଧତି ଅବଲମ୍ବନ କରନ୍ତୁ ନାହିଁ । କେବେ ଯଦି ମୁଣ୍ଡବି ଧୋଇଥାନ୍ତି ତେବେ କାନ ଭିତରେ ଯେପରି ପାଣି ନ ପଶେ ସେଥିପାଇଁ ସତର୍କ ରୁହନ୍ତୁ । ଶୀତଦିନେ ଧୂଳିକଣାର ପ୍ରକୋପ ରହୁଥିବାରୁ ପିଲାଙ୍କୁ ଖରାପଡ଼ିଲାପରେ ବାହାରକୁ ଛାଡ଼ନ୍ତୁ । କୌଣସି ପରିସ୍ଥିତିରେ ପିଲାଙ୍କ କାନ ସଫା ରଖିବା ପାଇଁ ଡାଙ୍ଗ, କାଠି ବା ଅନ୍ୟ କୌଣସି ଜିନିଷ ନ ପୁରାଇ ବିଶୋଧିତ ତୁଳା ଦ୍ଵାରା ନିର୍ଦ୍ଦିଷ୍ଟ ଭାବରେ ରହିଥିବା କାନସଫା କାଠି ଦ୍ଵାରା କାନସଫା କରିପାରିବେ । ଶ୍ରେଣୀରେ ବା ବାହାରେ ପିଲାମାନେ କୌଣସି କାଠି ପୁରାଇ କାନ ନ କୂଣ୍ଡେଇବା ଅଭ୍ୟାସ ପିଲାବେଳୁ ହିଁ ତାକୁ ଶିଖାନ୍ତୁ । ପରବର୍ତ୍ତୀ ସମୟରେ ଏହା ଖୁବ ଭଲ ଅଭ୍ୟାସରେ ପରିଣତ ହେବ । ନିଜକୁ ନିଜେ ଚିକିତ୍ସକ ଭାବିକାନରେ କୌଣସି ତେଲ ପକାନ୍ତୁ ନାହିଁ । ଯାହାବି ହେଲେ କର୍ଣ୍ଣ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ନ୍ତୁ । ପିଲାଙ୍କ ବଡ଼ଚୁଟି ରଖନ୍ତୁ ନାହିଁ । ଛୋଟ ପିଲାଙ୍କୁ କ୍ଷୀର ଖୋଇଲା ବେଳେ ମା'ମାନେ ଯତ୍ନବାନ ହୁଅନ୍ତୁ ଯେପରି ତା'ର କାନରେ କ୍ଷୀରଟି ନପଶେ । ପିଲାଙ୍କୁ ମାଡ଼ ମାରିଲାବେଳେ କାନରେ ଯେପରି କୌଣସି ଆଘାତ ନ ହୁଏ ସେଥିପ୍ରତି ସଚେତନ ରୁହନ୍ତୁ । କାନରୁ ପାଣି ବୋହିବା ମାତ୍ରେ ତୁରନ୍ତ ବିଶୋଧିତ ତୁଳାରେ ସଫା କରନ୍ତୁ ।

ଥଣ୍ଡା କବଳରୁ ଛୋଟ ଶିଶୁଙ୍କର କେମିତି ନେବେ ଯତ୍ନ

ଥଣ୍ଡା କବଳରୁ ଛୋଟ ଶିଶୁଙ୍କ ଯତ୍ନ

ବର୍ଷକ ବାର ମାସ ଛଅ ଋତୁ । ଏଥିମଧ୍ୟରୁ ଶୀତ ଋତୁ ଏକ ଭିନ୍ନ । ଏହି ଋତୁରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ସେଥିପାଇଁ ଏହି ସମୟରେ ଛୋଟ ପିଲାଙ୍କୁ ଯତ୍ନ ନେବା ଭାରି କଷ୍ଟ । ଶୀତ ଦିନରେ ପିଲାଙ୍କୁ ସଫାସୁତରା ରଖିବା ଜରୁରୀ ଅଟେ ।  କାରଣ ଶୀତ ସମୟରେ ବେଶୀ ଥଣ୍ଡାରେ ପ୍ରବାଭିତ ହୋଇଥାନ୍ତି । ନିମୋନିୟା, ଟାଇଫାଏଡ୍, ପୋଲିଓ, ଜ୍ୱର, ଡେଙ୍ଗୁ, ଜୋଣ୍ଡିସ୍, ମ୍ୟାଲେରିଆ ସଂକ୍ରମଣ ମଧ୍ୟ ଥଣ୍ଡା କାରଣରୁ ହିଁ ହୋଇଥାଏ ।

ପିଲାଙ୍କ ଯତ୍ନ କିପରି ନେବା

ଭଲ ଭାବରେ ପୋଷାକ ପିନ୍ଧେଇବା ଉଚିତ୍ -

ଛୋଟ ପିଲାଙ୍କ କାନ, ମୁଣ୍ଡ, ଗୋଡ଼କୁ ସବୁବେଳେ ଠିକ୍ ଭାବରେ ଘୋଡାଇରଖିବା । ପିଲାଙ୍କୁ ସବୁବେଳେ ଦୁଇ ବା ତିନୋଟି କପଡା ପିନ୍ଧାଇରଖିବା ଉଚିତ୍ । କାରଣ ଶିଶୁମାନଙ୍କ ପ୍ରତିରୋଧ ଶକ୍ତି କମ୍ ଥାଏ । ଯାହା ପାଇଁ ତାଙ୍କୁ ଅଧିକ ଥଣ୍ଡା ଲାଗିଥାଏ । ଶିଶୁଙ୍କ ପୋଷାକ ଭିତରେ ୱାରମର ପିନ୍ଧାଇବାକୁ ଭୁଲନ୍ତୁ ନାହିଁ । ତାହା ପରେ ଟି-ସାର୍ଟ ଓ ସ୍ୱେଟର ପିନ୍ଧାଇବାକୁ ଭୁଲନ୍ତୁ ନାହିଁ । ଯଦି ବେଶି ଥଣ୍ଡା ହୁଏ ତା’ହେଲେ ଦୁଇଟି ବି ସ୍ୱେଟର ପିନ୍ଧେଇ ପାରିବେ ।

ସଫାସୁତରା ରଖିବା

ପିଲାଙ୍କୁ ସଫାସୁତରା ରଖିବା ବହୁତ ଆବଶ୍ୟକ । ଶୀତ ଦିନେ ଜନ୍ମ ଗ୍ରହଣ କରୁଥିବା ଶିଶୁଙ୍କୁ ଦୁଇ ବା ତିନି ଦିନରେ ଥରେ ଗାଧାନ୍ତୁ । ତାହା ପରେ ସ୍ପଞ୍ଜ କପଡାରେ ଧୀରେ ଧୀରେ ପୋଛନ୍ତୁ । ଏହି ସମୟରେ ବଡ଼ ପିଲାମାନେ ନିୟମିତ ଗାଧୋଇବା ଉଚିତ୍ । ଯଦି ଥଣ୍ଡା ହୋଇଥାଏ ତାହା ହେଲେ ଗୋଟେ ଦିନ ଛାଡିକି ଶିଶୁକୁ ଗାଧେ୍ଧବ ଦିଅନ୍ତୁ । ସବୁଦିନ ଗାଧୋଇବା ଦ୍ୱାରା ଜୀବାଣୁ ମୁକ୍ତ ହୋଇଥାଉ । ପିଲାଙ୍କୁ ସବୁବେଳେ ବନ୍ଦ ଜାଗାରେ ଗାଧୋଇବା ଉଚିତ୍ ।

ମାଲିସ୍ କରିବା

ପ୍ରତିଦିନ ପିଲାଙ୍କୁ ୧୦-୧୫ ମିନିଟ୍ ମାଲିସ୍ କରନ୍ତୁ । ଏହାଦ୍ୱାରା ପିଲାଙ୍କ ଚମଡା ଓ ହାଡ ଶକ୍ତ ହୋଇଥାଏ । ବାଦାମ ତେଲ, ଜଡ଼ା ତେଲ ବା ପିଲାଙ୍କ ଯେ କୌଣସି ତେଲରେ ମାଲିସ୍ କରିପାରିବେ । ମାଲିସ୍ କରିବା ବେଳେ ପ୍ରଥମେ ତଳ ପଟୁ ଆରମ୍ଭ କରି ଉପରକୁ ମାଲିସ୍ କରିବ ଭଲ । ମାଲିସର୍ ମୂଳ ଲକ୍ଷ୍ୟ ହେଉଛି ରକ୍ତ ସଂଚାଳନର ବେଗ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇବା । ହାତ, ଗୋଡ଼କୁ ତଳ ପଟୁ ଆରମ୍ଭ କରି ଉପରକୁ ମାଲିସ୍ କରନ୍ତୁ ।

ଖରାରେ ବସେଇବା-

ଶିଶୁଙ୍କୁ ଖରାରୁ ଭିଟାମିନ୍-ଡି ମିଳିଥାଏ । ସେଥିପାଇଁ ପିଲାଙ୍କୁ ପ୍ରତିଦିନ ୧୧ ରୁ ୪ ଟା ମଧ୍ୟରେ ୧୫-୨୦ ମିନିଟ୍ ପାଇଁ ଖରାରେ ଖେଳିବାକୁ ଦେବା ଉଚିତ୍ । ପିଲାଙ୍କୁ ସବୁବେଳେ ଘୋଡାଇକି ବାହାରକୁ ନେବା ଭଲ ନୁହେଁ । ସେଥିପାଇଁ ପିଲାଙ୍କୁ କିଛି ସମୟ ବାହାରେ ଛାଡିଦେବା ଭଲ । ଯଦି ଝରକା କାଚରେ ଖରା ବାଜି ରୁମକୁ ଆସୁଥାଏ ସେହି ଖରାରେ ପିଲାଙ୍କୁ ବସେଇ ଦେବା ଭଲ ।

ଫଳ ଓ ପରିବା ଖୁଆନ୍ତୁ

ଏକ ବର୍ଷ ପର୍ଯ୍ୟନ୍ତ ମା’ କ୍ଷୀର ପିଆନ୍ତୁ । ଯଦି ଆବଶ୍ୟକ ହୁଏ ତାହା ହେଲେ ପାଉଡ଼ର ମିଲ୍କ(ଲାକ୍ଟୋଜେନ) ଦିଅନ୍ତୁ । ଦୁଇ ବର୍ଷ ପିଲାଙ୍କୁ କ୍ରିମ ବା ମୋଟା କ୍ଷୀରଦିଅନ୍ତୁ । ଯାହା ଦ୍ୱାରା ପିଲାଙ୍କ ମସ୍ତିଷ୍କ ଓ ଆଖିର ବିକାଶ ପାଇଁ ବହୁ ସହାୟତା ହୋଇଥାଏ । ଯଦି ପିଲା ବଡ଼ ହେଉଛି ବୋଲି ଭାବୁଛନ୍ତି । ତାହା ହେଲେ ଫଳ ପନିପରିବା ବି ଖୁଆଇ ପାରିବେ ।

ବୟସ ଅନୁଯାୟୀ ଶିଶୁଙ୍କୁ ଖାଦ୍ୟ

ଶିଶୁ ଜନ୍ମ ସମୟରେ ଯେତିକି ଖାଦ୍ୟ ଆବଶ୍ୟକ କରେ, ପରବର୍ତ୍ତୀ ସମୟରେ ତାହାଠାରୁ ଅଧିକ ଖାଦ୍ୟ ଆବଶ୍ୟକ କରିବ । ଏହାସହିତ ଶାରୀରିକ ଓ ମାନସିକ ବିକାଶ ସମୟରେ ଶିଶୁ ବିଭିନ୍ନ ପରିମାଣର ପୋଷକତତ୍ଵ  ଆବଶ୍ୟକ କରିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଶିଶୁକୁ ଖାଦ୍ୟ ଦିଅନ୍ତୁ।

କେବଳ ମା' କ୍ଷୀର ନୁହେଁ

ଶିଶୁ ଜନ୍ମ ହେବାପରେ ମା’ କ୍ଷୀର ତା' ପାଇଁ ସର୍ବୋତ୍ତମ ବିବେଚିତ ହୋଇଥାଏ । ଏହା ଶିଶୁ ଶରୀରର ମୌଳିକ ଆବଶ୍ୟକତା ପୁରଣ କରିବା ସହିତ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ ।

ତେବେ ସେହି ସମୟରେ ଶିଶୁକୁ ମା'କ୍ଷୀର ସହିତ ଖେଚୁଡି, ଦଲିଆ, ବିସ୍ଫୁଟ, ରାବିଡି ଆଦି ମଧ୍ୟ ଖାଇବାକୁ ଦେବା ଆବଶ୍ୟକ। ଅନେକ ସମୟରେ ମା'ମାନେ ଶିଶୁଙ୍କୁ ଅନ୍ୟ ଖାଦ୍ୟଦେବା ଆରମ୍ଭ କରିବା ମାତ୍ରେ ସ୍ତନ୍ୟପାନ କରାଇବା ବନ୍ଦ କରିଦିଅନ୍ତି । ଏହା କିନ୍ତୁ ସମ୍ପୂର୍ଣ୍ଣ ଅନୁଚିତ ।

ଆଉ କିଛି ମହିଳା ଶିଶୁକୁ ବର୍ଷ ହେବା ପୂର୍ବରୁ ମଇଦା, ଅଟା ବା ବେସନରେ ପ୍ରସ୍ତୁତ ଖାଦ୍ୟ ଦେବା ଆରମ୍ଭ କରିଦିଅନ୍ତି । ଏହାଦ୍ଵାରା ଶିଶୁ ପେଟରେ ଯନ୍ତ୍ରଣା ହେବା ସହିତ ତାହାର ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ଖାଦ୍ୟରେ ଭିଟାମିନ୍ ପରିମାଣ ସମତୁଲ ରଖନ୍ତୁ

ଶିଶୁକୁ ଦୁଗ୍ଧ ଆବଶ୍ୟକତା ପୁରଣ ନିମନ୍ତେ ଦୁଗ୍ଧରୁ ପ୍ରସ୍ତୁତ ପନିର, ଛେନା, ଲହୁଣି ଆଦି କମ୍ ପରିମାଣରେ ଖାଇବାକୁ ଦିଆଯାଇପାରିବ । ଶିଶୁ ଖାଦ୍ୟରେ ଯେଭଳି ୫୫ ପ୍ରତିଶତ କାର୍ବୋହାଇଡ୍ରେଟ,୨୫ ରୁ ୩୦ ପ୍ରତିଶତ ଚର୍ବି,୨୫ ପ୍ରତିଶତ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ସମସ୍ତ ପ୍ରକର ଖାଦ୍ୟଶସ୍ୟ କାର୍ବୋହାଇଡ୍ରେଟର ଆବଶ୍ୟକତ ପୂରଣ କରିଥାଏ   ।  ତେବେ ସେଥି ମଧ୍ୟରୁ ଅଧିକାଂଶ ଶିଶୁ ରୁଟି ଓ ଭାତକୁ ଖାଦ୍ୟ ଭାବରେ ପସନ୍ଦ କରନ୍ତି । ତେଣୁ ଶିଶୁଙ୍କୁ ଏହି ଖାଦ୍ୟଶସ୍ୟ ଭିନ୍ନ ଭିନ୍ନଆକାରରେ ଦିଆଯାଇପାରିବ । ଯେମିତିକି ଭାତ, ଖେଚୁଡି, ଭେଜିଟେବୁଲ ପଲାଉ,ରୁଟି, ପରଟା,ପୁରୀ ଆଦି   ।

ଶିଶୁ ପାଇଁ ଆବଶ୍ୟକ ହେଉଥବା ଚର୍ବି ଜାତୀୟ ଖାଦ୍ୟ ବାବଦରେ ଦୁଧ, ଦହି, ଛେନା ଏବଂ ଚିନାବାଦାମ, ରାଶି ତେଲ, ଘିଅ ଆଦି ଦିଆଯାଇପାରିବ । ଶିଶୁର ଖାଦ୍ୟରେ ଡାଲିକୁ ସାମିଲ କରାଗଲେ ତାହାର ପ୍ରୋଟିନ ଆବଶ୍ୟକତା ପୂରଣ ହୋଇପାରିବ । ୪୪ ପ୍ରତିଶତ ପ୍ରୋଟିନ ଏବଂ ୨୫ ପ୍ରତିଶତ ଚର୍ବି ଅଂଶ ଥିବା ସୋୟାବିନ ଏବଂ ମଲ୍ଟି ଭିଟାମିନ ନିମନ୍ତେ ବିଭିନ୍ନ ରଙ୍ଗର ପନିପରିବା, ଫଳ ଆଦିକୁ ଶିଶୁ ଖାଦ୍ୟରେ ସାମିଲ କରନ୍ତୁ ।

ଖାଦ୍ୟଶୈଳୀରେ ପରିବର୍ତ୍ତନ

ବେଳେ ବେଳେ ଶିଶୁ କିଛି ଖାଦ୍ୟ ଖାଇବାକୁ ପସନ୍ଦ କରୁନଥିବାବେଳେ ଆମେ ଶାରୀରିକ ବିକାଶ ଲାଗି ତାକୁ ଜବରଦସ୍ତ ଖୁଆଇଥାଉ । ଯଦି ଦେଖୁଛନ୍ତି ଯେ, ଏମିତି ଖାଇବା ସେ ପସନ୍ଦ କରୁଛି ଯେଉଁଥିରେ ତା ପେଟ ପୁରିଯାଉଛି ହେଲେ ଶରୀର ବିକାଶ ହେଉନି । ଶିଶୁର ଖାଇବା ଆଗ୍ରହ ବୃଦ୍ଧି ନିମନ୍ତେ ସବୁବେଳେ, ନହେଲେ ବି ଦିନକୁ ଥରେ ଶିଶୁର ପସନ୍ଦ ମୁତାବକ ଖାଦ୍ୟ ଦିଅନ୍ତୁ । ତେବେ ଚେଷ୍ଟା କରନ୍ତୁ ଫଳ ଆଉ ପନିପରିବାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ତିଆରି କରି ଦେବା ପାଇଁ । ଶିଶୁକୁ ସନ୍ତୁଳିତ ଖାଦ୍ୟ ଦିଅନ୍ତୁ । ନଚେତ୍ ତାହାର ଶାରୀରିକ ତଥା ମାନସିକ ବିକାଶ ବାଧାପ୍ରାପ୍ତ ହେବ । ଶିଶୁ ସବୁ ସମୟରେ ଗୋଟିଏ ପ୍ରକାର ଖାଦ୍ୟ ପସନ୍ଦ କରୁନଥିବାରୁ ତାହାର ଖାଦ୍ୟରେ ପରିବର୍ତ୍ତନ କରାଯିବା ଦରକାର ।

ମା’ କ୍ଷୀର ଦ୍ୱାରା ଶିଶୁକୁ ନିମୋନିଆରୁ ରକ୍ଷା

ମା’ କ୍ଷୀର ଅମୃତ

କୁହାଯାଏ ମା’ କ୍ଷୀର ଅମୃତ ସମାନ । ଏହା ନବଜାତ ଶିଶୁକୁ କରିଥାଏ ବଳିଷ୍ଠ । ଆଉ ସମସ୍ତ ରୋଗକୁ ପ୍ରତିହତ କରେ ମା’ କ୍ଷୀର । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ମା’କ୍ଷୀର ଖାଇବା ଦ୍ୱାରା ନବଜାତକକୁ ନିମୋନିଆ ହେବାର ରିକ୍ସ କମ୍ ଥାଏ । ଗବେଷକମାନେ ୯୬୦ ଜଣ ପିଲା (୪ବର୍ଷରୁ-୧୨ବର୍ଷ ମଧ୍ୟରେ ) ଙ୍କୁ ନେଇ ଏକ ଅନୁଧ୍ୟାନ କରିଥିଲେ ,ଯେଉଁମାନେ କି ନିତି ନିମୋନିଆ ଔଷଧ ବ୍ୟବହାର କରୁଛନ୍ତି ।

ବିଭିନ୍ନ ରୋଗରୁ ରକ୍ଷା

ମା’କ୍ଷୀର ଯେ, କେବଳ ଶିଶୁର ବିକାଶ କରିଥାଏ ତା’ ନୁହେଁ ବରଂ ଏହା ଶିଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ନିକଟରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି ଯେ, ମା’ କ୍ଷୀର ଶିଶୁଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ। ଗବେଷଣା ଅନୁସାରେ, ମା’ କ୍ଷୀରରେ ଥିବା ଏକ ଉପାଦାନ ନବଜାତ ଶିଶୁଙ୍କୁ କ୍ଷତିକାରକ ବ୍ୟାକ୍ଟେରିଆ କବଳରୁ ରକ୍ଷା କରିଥାଏ। ଗର୍ଭବତୀ ମହିଳାଙ୍କ ଠାରେ ଦେଖାଦେଉଥିବା ଏକ ପ୍ରକାର ବ୍ୟାକ୍ଟେରିଆ ନବଜାତ ଶିଶୁ ମାନଙ୍କ ଠାରେ ସଂକ୍ରମଣ ସୃଷ୍ଟି କରିଥାଏ । ଏହାଦ୍ୱାରା ନବଜାତଙ୍କ ମଧ୍ୟରେ ନିମୋନିଆ ଭଳି ଗୁରୁତର ରୋଗ ହେବାର ସମ୍ଭାବନା ଦେଖାଦେଇଥାଏ । ଏହି ସଂକ୍ରମଣ ବଢିବା କାରଣରୁ ଅନେକ ଶିଶୁଙ୍କର ମୃତ୍ୟୁ ହେବାର ଆଶଙ୍କା ଦେଖା ଦେଇଥାଏ । କାରଣ ନବଜାତ ଶିଶୁଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ ।

ଆମେରିକା ୱଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଷ୍ଟିଭନ ଟାଉନସେଣ୍ଡଙ୍କ କହିବା ମୁତାବକ, ମା’ କ୍ଷୀରରେ ମିଳୁଥିବା କାର୍ବୋହାଇଡ୍ରେଟ୍ ଆଣ୍ଟିବ୍ୟାକ୍ଟେରିଆ ଭଳି କାମ କରିଥାଏ । ଅନ୍ୟ ଆଣ୍ଟିବାୟୋଟିକରେ ଥିବା ଟକ୍ସିନ ଭଳି ଉପାଦାନ ମା’ କ୍ଷୀରରେ ନ ଥାଏ । ଫଳରେ ଏହା ନବଜାତ ଶିଶୁଙ୍କୁ କେତେକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି ଟାଉନସେଣ୍ଡ କହିଛନ୍ତି ।

ଏଣୁ ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ କିଛି ମା’ ସେମାନଙ୍କର ଶିଶୁକୁ ନିଜର କ୍ଷୀର ଦେବାରେ ଅବହେଳା କରନ୍ତି । ଫଳରେ ଶିଶୁକୁ ବିଭିନ୍ନ ରୋଗରେ ପଡିଥାନ୍ତି । ଶିଶୁର ମାନସିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ମା’ କ୍ଷୀରରୁ ଶିସୁ ସବୁ ଆଇଡିଆଲ୍ ନ୍ୟୁଟ୍ରିସନ ପାଇଥାଏ । ଆଉ ଏଥିରେ ଭିଟାମିନ୍ , ପ୍ରୋଟିନ ଓ ଫ୍ୟାଟର ଏକ ସମତୁଲ ମିଶ୍ରଣ ଥାଏ । ଯାହା ଶୁଶିଟିଏ ପାଇଁ ନିହାତି ଜରୁରୀ ହୋଇଥାଏ । ଆଉ ଶିଶୁର ଅଭିବୃଦ୍ଧିରେ ସହାୟକ ହୋଇଥାଏ । ଯେଉଁ ନବଜାତ ଶିଶୁ ପ୍ରଥମ ୬ମାସ ମା’କ୍ଷୀର ପାଇଥାଏ ସେ ଶ୍ୱାସ ସମ୍ବନ୍ଧୀୟ ରୋଗ ଓ ତରଳଝାଡା ଆଦି ହୋଇନଥାଏ । ସେହି ଶିଶୁ ଅଧିକାଂଶ ସମୟ ଡାକ୍ତରଙ୍କ ପାଖକୁ ଯାଇନଥାଏ ।

ଶିଶୁକୁ କ୍ଷୀର ଦେବା ଦ୍ୱାରା ମା’ ଶରୀରର ଏକ୍ସଟ୍ରା କ୍ୟାଲୋରୀ କମିଥାଏ । ଏହା ମଧ୍ୟ ପ୍ରେଗନାନ୍ସି ୱେଟ୍ କୁ ଦୃତଭାବେ କମାଇବାରେ ସାହାଯ୍ୟ କରିଥାଏ । ଏହା ହରମୋନି ଅକ୍ସିଟୋସିନ୍ କୁ ରିଲିଜ କରାଇଥାଏ ଏବଂ ଏହା ମା’ର ଓଭାରିଆନ୍ କ୍ୟାନସର ଓ ବ୍ରେଷ୍ଟକ୍ୟାନସରର ଆଶଙ୍କାକୁ ଦୂର କରିଥାଏ।

ସଂଗୃହିତ –

  • ଡାକ୍ତର ଶୁଭ୍ରାପ୍ରିୟଦର୍ଶିନୀ ପୃଷ୍ଟି,ଦାନ୍ତରୋଗ ବିଶେଷଜ୍ଞ ପାଣି କୋଇଲି, ଯାଜପୁର
  • ଡାକ୍ତର ଜ୍ୟୋତିରଞ୍ଜନ, ଚମ୍ପତିରାୟ ଶିଶୁଭବନ, କଟକ
  • ଡା. ସରୋଜିନୀ ଷଡଙ୍ଗୀ, ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ, କଟକ
  • ସ୍ୱାସ୍ଥ୍ୟ ବ୍ୟୁରୋ
2.82352941176
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top