ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ସୁରକ୍ଷା ପାଇଁ ଦୁଇ ବୁନ୍ଦା
ସେଆର କରନ୍ତୁ

ସୁରକ୍ଷା ପାଇଁ ଦୁଇ ବୁନ୍ଦା

ପୋଲିଓ ଏକ ଭୂତାଣୁ ଜନିତ ରୋଗ । ଏହା ୫ ବର୍ଷ ରୁ କମ୍ ଶିଶୁମାଙ୍କୁ ଅଧିକ ସଂକ୍ରମଣ କରେ ।

ଉପକ୍ରମ

ପୋଲିଓ ଏକ ଭୂତାଣୁ ଜନିତ ରୋଗ । ଏହା ୫ ବର୍ଷ ରୁ କମ୍ ଶିଶୁମାଙ୍କୁ ଅଧିକ ସଂକ୍ରମଣ କରେ । ଏହିରୋଗକୁ ଦୂର କରିବା ପାଇଁ ଭାରତ ସରକାର ପୋଲିଓ ବୁନ୍ଦା ଅଭିଯାନ ଚାଲୁ ରଖିଛନ୍ତି । ଯଦିଓ ଭାରତ ପୋଲିଓ ମୁକ୍ତ ଦେଶ ଭାବେ ପରିଗଣିତ, ତଥାପି ବାହାର ଦେଶରୁ ଏହି ଭୃତାଣୁ ଆସି ସଂକ୍ରମଣ କରିପାରନ୍ତି ।

ପୋଲିଓ ବା ପୋଲିଓମାୟଲେଟିସ୍ ଏକ ଭୂତାଣୁ ଜନିତ ରୋଗ । ପୋଲିଓ ନାମକ ଭୂତାଣୁରୁ ଏହି ରୋଗ ବ୍ୟାପୁଥିବାରୁ ଏହି ରୋଗର ନାମ ପୋଲିଓ ରଖାଯାଇଛି । ଏହି ଭୂତାଣୁ ଅନ୍ତନଳୀର ଜୀବକୋଷକୁ ସଂକ୍ରମଣ କରେ । ସବୁ ବର୍ଗର ଲୋକମାନଙ୍କୁ ଏହି ଭୂତାଣୁ ସଂକ୍ରମଣ କରୁଥିଲେ ବି ବିଶେଷ କରି ୫ ବର୍ଷରୁ ବୟସର ପିଲାମାଙ୍କୁ ଏହି ଭୂତାଣୁ ଅଧିକ ସଂକ୍ରମଣ କରିଥାଏ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସର୍ଭେ ଅନୁଯାୟୀ ୨୦୦ ଜଣ ପୋଲିଓ ସଂକ୍ରମଣ ଲୋକଙ୍କ ମଧ୍ୟରୁ ଜଣେ ଦୀର୍ଘସ୍ଥାୟୀ ପାରାଲିସିସ୍ ର ଶିକାର ହୋଇଥାଏ । ଅର୍ଥାତ୍ ଉକ୍ତ ବ୍ୟକ୍ତିର ପାରାଲିସିସ୍ ଅଙ୍ଗ ଜୀବନସାରା ଅଚଳ ତଥା ଦିବ୍ୟାଙ୍ଗରହେ । ପୋଲିଓ ବୁନ୍ଦା ଯୋଗୁଁ ଏହି ସମସ୍ୟାର ସମାଧାନ ଧୀରେ ଧୀରେ ହୋଇପାରୁଛି । ପୋଲିଓ ବୁନ୍ଦା ଅଭିଯାନ ପରେ ୨୦୧୦ ରେ ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ସର୍ଭେରୁ ଜଣାପଡିଲା ପୋଲିଓ ବୁନ୍ଦା ନେବା ପରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଏଣୁ ସମ୍ପୁର୍ଣ୍ଣ ଭାବେ ବିଶ୍ୱକୁ ପୋଲିଓ ମୁକ୍ତ କରିବା ଉଦ୍ଦେଶ୍ୟରେ ବିଶ୍ଵସାରା ଜୀବନ ସୁରକ୍ଷା ପାଇଁ ପ୍ରତିଥର ଦୁଇ ବୁନ୍ଦା ପୋଲିଓ ଅଭିଯାନ ଚାଲୁ ରହିଛି ।

କେମିତି ବ୍ୟପେ ପୋଲିଓ

ବିଶେଷ କରି ପୋଲିଓ ଭୂତାଣୁ ପାଟି ବଟେ ଖାଦ୍ୟ ନାଲି ପଟେ ହିଁ ସଂକ୍ରମଣ କରେ । ଏହି ଜଣକାଠାରୁ ଅନ୍ୟ ଜଣକୁ ବ୍ୟପେ । ପୋଲିଓ ଆକ୍ରାନ୍ତ ବ୍ୟକ୍ତି ବା ପିଲାର ଶରୀର ରୁ ମଳ ଦେଇ ପୋଲିଓ ଭୂତାଣୁ ବାହାରକୁ ଆସନ୍ତି । ଏହା ଖାଦ୍ୟ ଓ ଜଳ ମାଧ୍ୟମରେ ଅନ୍ୟ ଲୋକମାନଙ୍କର ଶରୀରକୁ ପ୍ରବେଶ କରନ୍ତି ଓ ରୋଗ ସୃଷ୍ଟି କରନ୍ତି । ପୋଲିଭାଇରସ୍ ଖାଦ୍ୟାନଳୀ ଦେଇ ଅନ୍ତନଳୀର ଜୀବକୋଷରେ ବସା ବାନ୍ଧନ୍ତି । ଏହାପରେ ବା ବ୍ୟକ୍ତିର ଶରୀରକୁ ଧୀରେ ଧୀରେ ଦିବ୍ୟାଙ୍ଗ କରାଏ । ବିଶେଷ କରିଖାଦ୍ୟଓ ପାନୀୟ ଦ୍ଵାରା ବ୍ୟପିଥାଏ । ଅନ୍ୟ କେତେକ ଉପାୟରେ ମଧ୍ୟ ଏହି ରୋଗ ବ୍ୟାପିବାର ସମ୍ଭାବନା ଥାଏ । ଯେପରି

ପୋଲିଓ ଭୂତାଣୁ ସଂକ୍ରମଣ ଅପରିଷ୍କାର ପାଣି ପିଇବା

ପୋଲିଓ ଭୂତାଣୁ ସଂକ୍ରମଣ ଅପରିଷ୍କାର ରୁମାଲ ଟିସୁ ପେପର୍ ନାକ ଏବଂ ମୁହଁ ସଂପର୍କରେ ଆଣିବା

ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସହ ଖାଦ୍ୟ ଖାଇବା ଦ୍ଵାରା ବହୁ ସହଜରେ ବ୍ୟାପିଥାଏ ।

ପୋଲିଓ ରୋଗରେ ଜଣେ ଆକ୍ରାନ୍ତହେବା ପରେ ପାରାଲିସିସ୍ ତଥା ଦିବ୍ୟାଙ୍ଗ (ପଙ୍ଗୁ) ହୋଇଯାଏ । ଯଦିଓ ସବୁ କ୍ଷେତ୍ରରେ ଏହା ବ୍ୟକ୍ତିକୁ ବିବ୍ୟାଙ୍ଗ କରେ ନାହିଁ, ତଥାପି ଭୂତାଣୁ ସଂକ୍ରମଣ ହୋଇଥିବା ପ୍ରତିବ୍ୟକ୍ତିଠାରେ କିଛି ଲକ୍ଷଣ ଦେଖାଯାଏ ।

ଲକ୍ଷଣ

ସାଧାରଣତଃ ପୋଲିଓ ତିନି ପ୍ରକାରର ଭୂତାଣୁ ଦ୍ଵାରା ବ୍ୟାପୀ ଥାଏ । ସବ୍ କ୍ଲିନିକାଲ ପୋଲିଓ, ନନ୍ ପାରାଲିଟିକ୍ ପୋଲିଓ, ପାରାଲିଟିକ୍ ପୋଲିଓ ଆଦି ତିନି ପ୍ରକାର ପୋଲିଓ ଲକ୍ଷଣ ଦେଖାଯାଏ ।

ସବ୍ କ୍ଲିନିକାଲ

୭୨ ଘଣ୍ଟା ଭିତରେ ସଂକ୍ରମଣ ବ୍ୟକ୍ତି ବା ପିଲାଠାରେ ଏହାରେ ଲକ୍ଷଣ ଦେଖାଯାଏ । ମୁଣ୍ଡବ୍ୟଥା, ଗଳା ସଂକ୍ରମଣ, ସାମାନ୍ୟ ଜ୍ଵର ଦେଖାଯିବା, ବାନ୍ତି ହେବା ଏବଂ ଅସାମାନ୍ୟ ବୋଧ ହେବା ଇତ୍ୟାଦି ଲକ୍ଷଣମାନ ଦେଖାଯାଇଥାଏ ।

ନନ୍ ପାରାଲିଟିକ୍

ଏଥିରେ ଭାଇରାଲ ଲକ୍ଷଣ ଦେଖାଯାଏ । ପ୍ରଥମ ଜ୍ଵର ହୁଏ, ଗଳା ଦରଜ ହୁଏ, ମୁଣ୍ଡବ୍ୟଥା, ବାନ୍ତି ଓ ଥକ୍କା ଲାଗିବା, ନିଶ୍ଵାସ ନେବାରେ କଷ୍ଟ, ପିଠି ଓ ବେକମୂଳରେ ଯନ୍ତ୍ରଣା, ଗୋଡ ଓ ହାତରେ କଷ୍ଟ ହେବା ଏବଂ ମାଂପେଶୀ ଦୁର୍ବଳ ହୋଇଯିବା ଇତ୍ୟାଦି ।

ପାରାଲିଟିକ୍

ଏହି ଭୂତାଣୁ ଦ୍ଵାରା ବ୍ୟକ୍ତିର  ମାଂସପେଶୀରେ କଷ୍ଟ, ହାତ ଓ ଗୋଡ଼ ଦୁର୍ବଳ ହୋଇଯାଏ , ଅଚାନକ ସ୍ଥାୟୀ କିମ୍ୱା ଅସ୍ଥାୟୀ ପାରାଲିସିସ୍ ଦେଖାଦିଏ ।

ଏହିପରି କିଛି ଲକ୍ଷଣ ଦେଖାଯାଉଥିଲେ ଡାକ୍ତରଙ୍କ ପରାମର୍ଶ କରାଇବା ଜରୁରୀ । ଯଦିଓ ଆମ ଦେଶରେ ନୂଆ ପୋଲିଓ ରୋଗୀ ଦେଖାଯାଉ ନାହାଁନ୍ତି, ତଥାପି କେହି ଏପରି ଲକ୍ଷଣ ଶିକାର ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ମଳ ପରୀକ୍ଷା କରି ଜାଣିପାରିବେ ସେ ପୋଲିଓ ଭୂତାଣୁର ଶିକାର କି ନୁହେଁ ।

ପୋଲିଓ ବୁନ୍ଦା କେତେ ସୁରକ୍ଷିତ

ପୋଲିଓ ବୁନ୍ଦା ପ୍ରସ୍ତୁତ ହେବାପରେ ଏହାକୁ ସୁରକ୍ଷିତ ରଖାଯାଏ । ଏହା ଦୀର୍ଘଦିନ ପର୍ଯ୍ୟନ୍ତ ରହିଲେ ମଧ୍ୟନଷ୍ଟ ହୁଏ ନାହିଁ । କରଣ ଏହାକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ତଥା ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ଠାରୁ କମ୍ ତାପାମାତ୍ରାରେ ରଖାଯାଏ । ଏଥିପାଇଁ ସ୍ଵତନ୍ତ୍ର ଧରଣର କୋଲ୍ଡ ଚେନ୍ ବ୍ୟବହାର କରାଯାଏ । କୋଲ୍ଡ ଚେନ୍ ହେଉଛି ଏକ ନିର୍ଦ୍ଦିଷ୍ଟ ତାପାମାତ୍ରା ବିଶିଷ୍ଟ ଏକ ଆଇସ୍ ତଥା ବରଫ ବକ୍ସ । ଏଥିରେ ହିଁ ପୋଲିଓ ବୁନ୍ଦାଗୁଡିକୁ ସୁରକ୍ଷିତ ରଖାଯାଏ । ବୁନ୍ଦା ପ୍ରସ୍ତୁତିରୁ ଉପାଯୋଗ ପର୍ଯ୍ୟନ୍ତ ପ୍ରତୀଟି ସ୍ତରରେ ବୁନ୍ଦା ସୁରକ୍ଷିତ ପାଇଁ ରହିଛି କୋଲ୍ଡ ଚେନ୍ ର ବ୍ୟବସ୍ଥା । ଯେହେତୁ ବୁନ୍ଦାରେ ରହିଛି ପୋଲିଓର ଜୀବନ୍ତ ଭୂତାଣୁ, ଏଣୁ ଏହାକୁ ଜୀବନ୍ତ ରଖିବା ପାଇଁ ମଧ୍ୟ ସେହିପରି ବ୍ୟବସ୍ଥା କରାଯାଇଛି । ଏହି କୋଲ୍ଡ ଚେନ୍ ମାଧ୍ୟମ ଯୋଗୁଁ ପୋଲିଓ ଭୂତାଣୁ ମରନ୍ତି ନାହିଁ । କୋଲ୍ଡ ଚେନ୍ ରେ ପୋଲିୟର ଭୂତାଣୁ ମରିଯାଇଛନ୍ତି କି ସୁରକ୍ଷିତ ଅଛନ୍ତି, ଏହାକୁ ଦେଖିଲେ ମଧ୍ୟ ଜାଣିପାରିବେ । କୋଲ୍ଡ ଚେନ୍ ର ଉପଯୁକ୍ତ କାର୍ଯ୍ୟ ଦକ୍ଷତା ଅଛି କି ନାହିଁ, ତାହା ଜଣେ ସାଧାରଣ ଲୋକ ମଧ୍ୟ ଜାଣିପାରିବ । ଏଥିପାଇଁ ଏକ ପ୍ରଦ୍ଧତି ରହିଥାଏ । ଏହାକୁ ଭ୍ୟକସିନ–ଭାଏଲ– ମନିଟର କୁହାଯାଏ । ପଦ୍ଧତି ଅନୁଯାୟୀ ବାକ୍ସରେ ଏକ ସ୍ଵତନ୍ତ୍ର ଧରଣର ଷ୍ଟିକର ଲାଗିଥାଏ । ଷ୍ଟିକାର ବାହାରେ ଓ ଭିତରେ ଦୁଇପ୍ରକାର ରଙ୍ଗ ଥାଏ । ସାଧାରଣତଃ ବାହାର ରଙ୍ଗଟା ଗାଢ୍ ଥାଏ ଓ ଭିତର ରଙ୍ଗଟା ଫିକା ଥାଏ । ଏପରି ଥିଲେ ଜାଣିବେ ଯେ ପୋଲିଓ ବୁନ୍ଦାର କାର୍ଯ୍ୟଦକ୍ଷତା ରହିଛି । ହେଲେ ଯଦି ଭିତର ଓ ବାହାର ରଙ୍ଗ ସମାନ ହୋଇଯାଇଥାଏ କିମ୍ୱା ଭିତର ରଙ୍ଗଟା ଗାଢ୍ ହୋଇଯାଇ ବାହାର ରଙ୍ଗ ଫିକା ହୋଇଯାଏ, ତେବେ ଜାଣିବେ କୋଲ୍ଡ ଚେନ୍ ଠିକ୍ ଭାବରେ କାମ କରିନି । ପୋଲିଓ ବୁନ୍ଦାରେ ଥିବା ଭୂତାଣୁ ମରିଯାଇଛନ୍ତି । ପୋଲିଓ ବୁନ୍ଦା ମଧ୍ୟ ତା’ର କାର୍ଯ୍ୟ ଦକ୍ଷତା ହରାଇଛି । ଏଣୁ ଏହି ବୁନ୍ଦା ପିଲାକୁ ଦେବା ଆବଶ୍ୟକ ନାହିଁ । ଯଦିବା ଜାଣିନପାରି ଏହି ବୁନ୍ଦା ପିଲାକୁ ଦିଆଯାଏ, ତେବେ ପିଲାର କିଛି କ୍ଷତି ହେବନି ବୋଲି ଚିକିତ୍ସକମାନେ ପ୍ରକାଶ କରିଛନ୍ତି ।

ଛୋଟ ପିଲାଙ୍କୁ କାହିଁକି ଦିଆଯାଏ

ବୟସ୍କ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଏଣୁ ସେମାନଙ୍କୁ ପୋଲିଓ ଭୂତାଣୁ ସଂକ୍ରମଣ କରିପାରେ ନାହିଁ । ହେଲେ ଛୋଟ ପିଲାଙ୍କଠାରୁ ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥାଏ, ଏଣୁ ସେମାନଙ୍କୁ ପୋଲିଓ ଭୂତାଣୁ ଖୁବ୍ ଶୀଘ୍ର ସଂକ୍ରମଣ କରେ । ପିଲାଟି ଯେତେବେଳେ ମାତୃ ଗର୍ଭରେ ଥାଏ, ମା’ର ରୋଗ ପ୍ରତିରୋଧକ ଶକ୍ତି ପିଲାକୁ ସୁରକ୍ଷା ଦେଇଥାଏ । ଏଣୁ ପିଲାଟି ଜନ୍ମ ଜନ୍ମ ହେଉ ହେଉ ତା’ର ଜୀବନକୁ ସୁରକ୍ଷା ଦେବା ପାଇଁ ପୋଲିଓ ବୁନ୍ଦା ଦିଆଯାଏ । ପିଲାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୀର୍ଘ ଦିନ ପାଇଁ ବଢାଇବା ଉଦ୍ଦେଶ୍ୟରେ ୫ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ପୋଲିଓ ବୁନ୍ଦା ଦିଆଯାଏ ।

ବୁନ୍ଦା ପରିବର୍ତ୍ତେ ଟିକା

ପୋଲିଓ ବୁନ୍ଦା ଅପେକ୍ଷା ଅଧିକ ସୁରକ୍ଷିତ ତଥା ଅଧିକ ରୋଗ ପ୍ରତିରୋଧର କ୍ଷମତା ଟିକାରେ । ଏଣୁ ପିଳାକୁ ପୋଲିଓ ବୁନ୍ଦା ପରିବର୍ତ୍ତେ ଟିକା ଦିଆଯିବା । ପୋଲିଓ ବୁନ୍ଦା ରୋଗ ପ୍ରତିରୋଧ କରେ ସତ ମାତ୍ର ସମ୍ପୁର୍ଣ୍ଣ ଭାବରେ କରିପାରେ ନାହିଁ । ପୋଲିଓ ବୁନ୍ଦା ନେଲାପରେ ବି ୧ ଲକ୍ଷରୁ ଜଣେ ଦୁଇ ଜଣ ପୋଲିଓ ରୋଗର ଶିକାର ହୋଇଥାନ୍ତି । ବୁନ୍ଦାର ୭୦-୮୦ ପ୍ରତିଶତ କାର୍ଯ୍ୟଦକ୍ଷତା ଥିବାବେଳେ ଟିକାର କାର୍ଯ୍ୟଦକ୍ଷତା ୧୦୦ ପ୍ରତିଶତ । ଏଣୁ ବୁନ୍ଦାଠୁ ଟିକା ଅଧିକ ସୁରକ୍ଷିତ । ଏଥିପାଇଁ ଏବେ ପିଲାକୁ ବୁନ୍ଦା ସହିତ ଥରେ ମାତ୍ର ଟିକା ଦିଆଯାଉଛି । ଯେହେତୁ ଟିକାର ମୂଲ୍ୟ ବୁନ୍ଦା ମୂଲ୍ୟଠାରୁ ଯଥେଷ୍ଟ ଅଧିକ ଏଣୁ ଭାରତ ସରକାର ପିଲାକୁ ପ୍ରତିଥର ଟିକା ଦେବା ବ୍ୟବସ୍ଥା କରିପାରି ନାହାଁନ୍ତି । ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ କିନ୍ତୁ ବୁନ୍ଦା ବ୍ୟବସ୍ଥା କରିପାରି ନାହାଁନ୍ତି । ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ କିନ୍ତୁ ବୁନ୍ଦା ବ୍ୟବସ୍ଥା ଉଠି ପିଲାକୁ ପୋଲିଓ ଟିକା ଦିଆଯାଉଛି । ଭାରତରେ ମଧ୍ୟ ଯୋଜନା କରାଯାଉଛି, ଆଗକୁ ବୁନ୍ଦା ପରିବର୍ତ୍ତେ ଟିକା ବ୍ୟବସ୍ଥା କିଛିଦିନ ଅନ୍ତରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି ଚାଲିଛି

କେତେଥର ଦିଆଯାଏ

ସାଧାରଣତଃ ପିଲାକୁ ୫ ବର୍ଷ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଓ ଟୀକା ନେବାକୁ ପଡିଥାଏ । ଜନ୍ମ ହେବା ସଙ୍ଗେ ସଙ୍ଗେ ପିଲାକୁ ଏହି ବୁନ୍ଦା ଦିଆଯାଏ । ଏହାପରେ ଦେଢ ମାସ ଅଢେଇ ମାସ, ସାଢେ ତିନି ମାସରେ ପୋଲିଓ ବୁନ୍ଦା ଦିଆଯାଏ । ସାଢେ ତିନି ମାସରେ ବୁନ୍ଦାସହିତା ଏକ ପୋଲିଓ ଟୀକା ଦିଆଯାଏ । ଏହାପରେ ଦେଢ ବର୍ଷ ଓ ୫ ବର୍ଷରେ ପିଲାକୁ ଦିଆଯାଏ ପୋଲିଓ ବୁନ୍ଦା ୫ ବର୍ଷ ମଧ୍ୟରେ ପ୍ରତ୍ୟେକ ପିଲାକୁ ପୋଲିଓ ବୁନ୍ଦା ଦିଆଯାଏ ।

ପୋଲିଓ ମୁକ୍ତ ଭାରତ

ପୋଲିଓ ପରି ଏକ ମାରାତ୍ଜକ ରୋଗକୁ ଦୂର କରିବା ପାଇଁ ଭାରତରେ ପ୍ରଥମେ ୧୯୭୮ ମସିହାରେ ପୋଲିଓ ବୁନ୍ଦା ଅଭିଯାନ ଆରମ୍ଭ ହେଲା । ୧୯୮୪ରେ ଦେଖାଗଲା ଏହି ଅଭିଯାନ ୪୦ ପ୍ରତିଶତ ସଫଳ ହୋଇଛି । ୧୯୮୫ ଭାରତ ସରକାର ନିଷ୍ପତ୍ତି ନେଲେ ଦେଶର ସମସ୍ତ ଜିଲ୍ଲା ଓ ଗ୍ରାମମାନଙ୍କର ୫ ବର୍ଷ ମଧ୍ୟର ଶିଶୁକୁ ପୋଲିଓ ବୁନ୍ଦା ଦେବା ପାଇଁ ୧୯୮୮ ବେଳକୁ ଏହି ଅଭିଯାନ ଦେଶରେ ସବୁ ଅଞ୍ଚଳରେ ଶତ ପ୍ରତିଶତ କାର୍ଯ୍ୟ କରିଥିଲା । ଏହାର ପ୍ରଭାବ ଖୁବ୍ ଅଧିକ ଥିଲା । ଫଳରେ ଆଜି ଆମ ଭାରତ ପୋଲିଓ ମୁକ୍ତ ହୋଇପାରିଛି । ୨୦୧୧ ମସିହା ଜାନୁଆରୀ ୧୩ରେ ଶେଷ ଥର ପାଇଁ ଆମ ଦେଶର ପଶ୍ଚିମବଙ୍ଗ ଓ ଗୁଜୁରାଟରେ ନୂଆ ପୋଲିଓ ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ତିନି ବର୍ଷ ପର୍ଯ୍ୟନ୍ତ ଭାରତରେ ନୂଆ ପୋଲିଓ ରୋଗୀ ଚିହ୍ନଟ ହୋଇନଥିଲେ । ଏହାକୁ ଦୃଷ୍ଟିରେ ରଖି ‘ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ’ ୨୦୧୪, ମାର୍ଚ୍ଚ ୨୭ରେ ଭାରତକୁ ପୋଲିଓ ମୁକ୍ତ ଦେଶ ଭାବେ ପାକିସ୍ତାନ, ଆଫଗାନିସ୍ତାନରେ ୱାଇଲ୍ଡ ପୋଲିଓ ଭୂତାଣୁ ଦେଖାଯାଉଛନ୍ତି ଏହା ଭାରତରେ ପ୍ରବେଶ କରିପାରେ ଏଣୁ ପୋଲିଓ ବୁନ୍ଦା ଜାରି ରହିଛି ।

ପୋଲିଓ ବୁନ୍ଦା ମୁତ୍ୟୁର  କାରଣ ନୁହେଁ

କେତେକ କ୍ଷେତ୍ରରେ ଅଭିଯୋଗ ଶୁଣିବାକୁ ମିଳେ ପୋଲିଓ ବୁନ୍ଦା ଖାଇବା ପରେ ପିଲା ମୁତ୍ୟୁମୁଖରେ ପଡିଥାନ୍ତି । ହେଲେ ପୋଲିଓ ବୁନ୍ଦା ମୃତ୍ୟୁ କାରଣ ନୁହେଁ । ଏହା ପିଲା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ତଥା ପୋଲିଓ ରୋଗ ଭୂତାଣୁ ପ୍ରତିରୋଧ କରିବାରେ ସହାୟକ ହୁଏ । ପୋଲିଓ ବୁନ୍ଦାରେ ଥିବା ଜୀବନ୍ତ ଭୁତାଣୁକୁ କୋଲ୍ଡ ଚେନ୍ ମାଧ୍ୟମରେ ସୁରକ୍ଷିତ ରଖାଯାଏ ଏହା କେବେବି ନଷ୍ଟ ହୁଏନାହିଁ । ଏଣୁ ପିଲା ଖାଇଲା ପରେ କୌଣସି ଅସୁବିଧାରେ ପଡେ ନାହିଁ । ଯଦି ବା କୌଣସି କାରାଣ ବଶତଃ କୋଲ୍ଡ ଚେନ୍ ଠିକ୍ ଭାବରେ କାମ କରିନଥାଏ, ତେବେ ଭୂତାଣୁ ମରି ଯାଇଥାନ୍ତି, ତାହାଲେ ମଧ୍ୟ ପିଲା ଏହାକୁ ଖାଇଲା ପରେ ମୃତ୍ୟୁ ମୁଖରେ ପଡେ ନାହିଁ । କାରଣ ଏହି ଭୂତାଣୁ କେବଳ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ଓ ପୋଲିଓ ରୋଗ ଭୂତାଣୁକୁ ପ୍ରାତିରୋଧ କରିବାରେ ସହାୟକ ହୁଏ । ଅନ୍ୟ କୌଣସି କ୍ଷତିକରେ ନାହିଁ । ଯେଉଁମାନେ ଭାବୁଛନ୍ତି ଯେ ପୋଲିଓ ବୁନ୍ଦା ଖାଇବା ଦ୍ଵାରା ପିଲା ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଏହା ତାଙ୍କର ଭ୍ରାନ୍ତ ଧାରଣା । ଯଦି ମନରେ ସନ୍ଦେହ ଅଛି, ପିଲା ଅସୁସ୍ଥା ଥିବା ସମୟରେ ପୋଲିଓ ବୁନ୍ଦା ଦିଅନ୍ତୁ ନାହିଁ ।

ପିଲା ପାଇଁ ପୋଲିଓ ବୁନ୍ଦା ଜରୁରି

ପୋଲିଓ ବୁନ୍ଦା ଶିଶୁର ସୁରକ୍ଷିତ ଭବିଷ୍ୟତ ଜୀବନ ପାଇଁ ଏକାନ୍ତ ଆବଶ୍ୟକ । ଏଣୁ ପ୍ରତ୍ୟକ ଅଭିଭାବକ ତାଙ୍କ ପିଲାଙ୍କୁ ୫ ବର୍ଷ ମଧ୍ୟରେ ପ୍ରତିଥର ଦୁଇ ବୁନ୍ଦା ପୋଲିଓ କୁଆଇବା ଦରକାର । କେତେକ ଭାବୁଛନ୍ତି, ପୋଲିଓ ବୁନ୍ଦା ଖାଇବା ଦ୍ଵାରା ପିଲା ମୃତ୍ୟୁ ମୁଖରେ ପଡୁଛନ୍ତି, କିନ୍ତୁ ଏହା ତାଙ୍କର ଭୁଲ୍ ଧାରଣା । ସାରା ଭାରତର ଜନସଂଖ୍ୟାର ୧୪ ପ୍ରତିଶତ ଶିଶୁ ଓ ସେଥିମଧ୍ୟରୁ ୫ ପ୍ରତିଶତ ୫ ବର୍ଷରୁ କମ୍ ବୟସ୍କ ପିଲା । ଏକାଦିନେ ଲକ୍ଷ ଲକ୍ଷ ପିଲା ପୋଲିଓ ବୁନ୍ଦା ଖାଉଛନ୍ତି । ଯଦି ପୋଲିଓ ବୁନ୍ଦା ପିଲାକୁ ମରଣ ମୁଖକୁ ଟାଣି ନିଅନ୍ତା, ତେବେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଶିଶୁ ମୃତ୍ୟୁ ମୁଖରେ ପଡନ୍ତେ। କିନ୍ତୁ ଏପରି ପରିସ୍ଥିତି କେତେ ବି ଦେଖାଯାଇ ନାହିଁ । କିନ୍ତୁ ପିଲା ଅସୁସ୍ଥା ଥିଲେ କିମ୍ବା ଅନ୍ୟ କୌଣସି କାରଣବଶତଃ ପିଲାର ଜୀବନ ଗଲେ, ଅଭିଭାବକମାନେ ଭାବନ୍ତି ଯେ ପୋଲିଓ ବୁନ୍ଦା ଖାଇଲା ପରେ ପିଲାର ଜୀବନ ଗଲା । ଏପରି ଭାବିବା ଉଚିତ୍ ନୁହେଁ, ପିଲାକୁ ପ୍ରତିଥର ପୋଲିଓ ବୁନ୍ଦା ଖୁଆନ୍ତୁ । କାରଣ ପୋଲିଓ ପରି ମାରାତ୍ଜକ ରୋଗ କେବଳ ପୋଲିଓ ବୁନ୍ଦା ଦ୍ଵାରା ହିଁ ଦୂର କରାଯାଇପାରିବ । ପୋଲିଓ ପାରାଲିସିସ୍ ଠାରେ ହେଲା ପରେ ଏହାର କୌଣସି ଚିକିତ୍ସା ନାହିଁ । ଏଣୁ ମୂଳରୁ ସତର୍କ ରହି ପିଲାକୁ ପୋଲିଓ ବୁନ୍ଦା ଖୁଆନ୍ତୁ ।

ଆଧାର

ପ୍ରଦୀପ୍ତ କୁମାର ଜେନା ଆସିଷ୍ଟାଣ୍ଟ ପ୍ରଫେସର, ଶିଶୁ ଭବନ, କଟକ ।

ସ୍ୱରୂପ ବିଶୋୟୀ  ଆସିଷ୍ଟାଣ୍ଟ ପ୍ରଫେସର ପେଡିଆଟ୍ରିକ୍, ସମ୍ ହସ୍ପିଟାଲ୍, ଭୁବନେଶ୍ଵର

(ପ୍ରମେୟ)

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top