ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ସ୍ତନ୍ୟଦାତ୍ରୀଙ୍କ ଲାଗି ଖାଦ୍ୟ
ସେଆର କରନ୍ତୁ

ସ୍ତନ୍ୟଦାତ୍ରୀଙ୍କ ଲାଗି ଖାଦ୍ୟ

ଶିଶୁ ପାଇଁ ମା’ କ୍ଷୀର ଅମୃତ

ସ୍ତନ୍ୟଦାତ୍ରୀଙ୍କ ଲାଗି ଖାଦ୍ୟ

ସ୍ତନ୍ୟଦାତ୍ରୀ ପୂର୍ବରୁ, ଖାଉଥିବା ଖାଦ୍ୟଠାରୁ ଦୈନିକ ଭାତ ୬୦ ଗ୍ରାମ୍, ଡାଲି ୩୦ ଗ୍ରାମ, କ୍ଷୀର ୧୦୦ଗ୍ରାମ୍, ତେଲ, ଘିଅ ୧o ଗ୍ରାମ୍ ଏବଂ ଚିନି, ଗୁଡ଼ ୧୦ ଗ୍ରାମ୍ ଅଧିକ ଖାଇବା ଆବଶ୍ୟକ ।

ଶିଶୁ ପାଇଁ ମା’ କ୍ଷୀର ଅମୃତ

ଶିଶୁ ପାଇଁ ମା’ କ୍ଷୀର ଅମୃତ । ତେଣୁ ଶିଶୁ ଜନ୍ମ ପୂର୍ବରୁ ହିଁ ପ୍ରକୃତି ମା' ସ୍ତନରେ ତା'ର ସନ୍ତାନ ପାଇଁ ଖାଦ୍ୟ ଭରି ଦେଇଥାଏ । ଯେଉଁଥିରେ କି ଶିଶୁର ଅଭିବୃଦ୍ଧି ନିମନ୍ତେ ଭରି ରହିଥାଏ ସମସ୍ତ ପୋଷକ ତତ୍ତ୍ଵ ସାଙ୍ଗକୁ ରୋଗ ପ୍ରତିରୋଧକ ଶକ୍ତି । ତେଣୁ ଜନ୍ମର ଅତି କମ୍ ରେ  ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାଇବା ଲାଗି ପରାମର୍ଶ ଦିଆଯାଉଛି । ଯଦି ଶିଶୁଟି କେବଳ ମା' କ୍ଷୀର ଖାଇବା ଦ୍ଵାରା ତା’ ଶରୀରରେ ବୃଦ୍ଧି ଘଟୁଛି ଏବଂ ଓଜନ ମଧ୍ୟ ବୃଦ୍ଧି ପାଉଛି,ଏହାର ଅର୍ଥ ଶିଶୁ କାର୍ବୋହାଇଡ୍ରେଟ୍, କ୍ୟାଲସିଅମ୍, ପ୍ରୋଟିନ୍, ମିନେରାଲ୍ପ, ଭିଟାମିନ୍ସ ଭଳି ଆବଶ୍ୟକ ପୋଷକ ତତ୍ତ୍ଵ କ୍ଷୀର ଆକାରରେ ମା’ ଶରୀରରୁ ଗ୍ରହଣ କରି ବଢୁଛି । ତେବେ ପିଲା କ୍ଷୀର ଖାଇବା ଦ୍ଵାରା ଏସବୁ ମା’ ଶରୀରରୁ ହ୍ରାସ ପାଉଛି । ଯାହାକୁ ଭରଣା କରିବା ଆବଶ୍ୟକ । କାରଣ ଯଦି ସ୍ତନ୍ୟପାନ ଦ୍ଵାରା ମା’ ଶରୀରରୁ କ୍ୟାଲସିଅମ୍ କମୁଛି ତେବେ ମା’ର ହାଡ ଦୁର୍ବଳ ହେବ, ଆଇରନ୍ କମିଗଲେ ରକ୍ତହୀନତା ଦେଖାଦେବ, ପ୍ରୋଟିନ୍ କମିଗଲେ ପ୍ରୋଟିନ୍ ଅଭାବଜନିତ ରୋଗ ହେବ ଏବଂ ଅନ୍ୟାନ୍ୟ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବ; ଯାହାକି ଉଭୟ ମା’ ଏବଂ ଶିଶୁଙ୍କ ଲାଗି କ୍ଷତିକାରକ । ତେଣୁ ଉଭୟେ ସୁସ୍ଥ ରହିବା ଲାଗି ମା’ କୁ ଦୈନିକ ପୂର୍ବାପେକ୍ଷା ୫୦୦ କ୍ୟାଲୋରି ଅଧିକ ଆବଶ୍ୟକ । ତେବେ ପ୍ରଶ୍ନ ଆସୁଛି। ଏହାକୁ ଭରଣା କରାଯିବ କିପରି ? ଏହାର ଏକମାତ୍ର ଉପାୟ ହେଉଛି ମା’ ର ଖାଦ୍ୟ ବୃଦ୍ଧି । ଅନେକେ ଏଥିପାଇଁ ବିଭିନ୍ନ ଭିଟାମିନ୍ ଔଷଧ, ପ୍ରୋଟିନ୍ ପାଉଡର, ଆଡିଶନାଲ ଫୁଡ଼୍ ସପ୍ଲିମେଣ୍ଟ ଗ୍ରହଣ କରିଥାନ୍ତି । ହେଲେ ଏସବୁ ଖାଦ୍ୟର ବିକଳ୍ପ ନୁହେଁ । କାରଣ ଜଣେ ଅସୁସ୍ଥ ବ୍ୟକ୍ତିକୁ ସୁସ୍ଥ ହେବା ଲାଗି ଔଷଧ ଖାଇବାକୁ ଦିଆଯାଇଥାଏ । କିନ୍ତୁ ଜଣେ ସୁସ୍ଥ ବ୍ୟକ୍ତି ଲାଗି ଖାଦ୍ୟ ହିଁ ଯଥେଷ୍ଟ । ତେଣୁ ସ୍ତନ୍ୟଦାତ୍ରୀ ମା’ କୁ ଅଧିକ ଖାଦ୍ୟ ଯୋଗାଇଦେବାର ଅର୍ଥ ନୁହେଁ ଯେ, କୌଣସି ଆଡିଶନାଲ ଫୁଡ୍ ସପ୍ଲିମେଣ୍ଟ କିମ୍ବା ଔଷଧ ଦେବା । ତେଣୁ କ୍ଷୀର ଆକାରରେ ଶିଶୁ ଶରୀରକୁ ଯାଉଥିବା ଉପାଦାନଗୁଡିକ ଯେପରି ମା’ ଶରୀରରୁ ହ୍ରାସ ନ ପାଏ ତାହାକୁ ଭରଣାକରିବା ଲାଗି ତା’ର ଦୈନନ୍ଦିନ ଖାଦ୍ୟର ପରିମାଣ ବୃଦ୍ଧି କରାଇବା ଦରକାର । ଯେଉଁଥିଲାଗି ସେ ପୂର୍ବରୁ ଖାଉଥିବା ଖାଦ୍ୟଠାରୁ ଦୈନିକ ଭାତ ୬୦ ଗ୍ରାମ୍, ଡାଲି ୩୦ ଗ୍ରାମ, କ୍ଷୀର ୧୦୦ଗ୍ରାମ୍ , ତେଲ, ଘିଅ, ୧୦ ଗ୍ରାମ୍ ଏବଂ ଚିନି, ଗୁଡ଼ ୧୦ ଗ୍ରାମ୍ ଅଧିକ ଖାଇବା ଆବଶ୍ୟକ । ସାଧାରଣତଃ ଅନେକଙ୍କ  ମନରେ ଧାରଣା ଥାଏ ଯେ, ପ୍ରତିଦିନ ଗୋଟିଏ ଫଳ କିମ୍ବା ଅନ୍ୟ କେତେକ ଖାଦ୍ୟ ଖାଇବା ଦରକାର | ଅନ୍ୟ କେତେକ ମଧ୍ୟ ଏହି ଖାଦ୍ୟ ଖାଇବା ଠିକ୍ ନୁହେଁ, ଏହା ଖାଇଲେ ଶିଶୁର ଝାଡା ହେବ, ଦେହ ଖରାପ ହେବ ଇତ୍ୟାଦି କହିଥାନ୍ତି । ହେଲେ ବାସ୍ତବରେ ଏସବୁ ଏକ ଭ୍ରାନ୍ତ ଧାରଣା ଯାହାକୁ ଆମେ ସୋସିଓ କଲ୍ଟରାଲ୍ ଆସ୍ପେକ୍ଡସ୍ ଅଫ୍ ଫୁଡ଼୍ ବା ଆମ ଖାଦ୍ୟ ଅଭ୍ୟାମସରେ ସାମାଜିକ ଓ ସାଂସ୍କୃତିକ କାରକଗୁଡିକର ପ୍ରଭାବ ବୋଲି କହିପାରିବା । କାରଣ ପ୍ରକୃତି ମା’ କ୍ଷୀରକୁ ଏଭଳି ଭାବେ ପ୍ରସ୍ତୁତ କରିଛି ଯାହାକୁ ବୈଜ୍ଞାନିକମାନେ ଏତେ ଚେଷ୍ଟା କଲା ପରେ ବି ପ୍ରସ୍ତୁତ କରିବାରେ ଅସଫଳ ହୋଇଛନ୍ତି । ତେଣୁ ମା' ଖାଉଥିବା ଖାଦ୍ୟ କ୍ଷୀର ଆକାରରେ ଶିଶୁ ଦେହକୁ ଯାଇ ତା'ର କୌଣସି ଅସୁବିଧା କରାଇ ନ ଥାଏ । କେବଳ କେତୋଟି ଔଷଧ ଏ ସମୟରେ ଖାଇବା ଶିଶୁ ପାଇଁ ଠିକ୍ ନୁହେଁ । ଏହା ବ୍ୟତୀତ ସ୍ତନ୍ୟଦାତ୍ରୀ ଭାତ, ଡାଲି, ଗୁଟି, ଦୁଧ, ଛେନା, ଫଳ, ଶାଗୁ, ଲାଉ, ସନ୍ତୁଳା ଓ ତଟକା ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ଫଳରସ, ତେଲ, ଘଅଠାରୁ ଆରମ୍ଭକରି ଅନ୍ୟ ସବୁ ପ୍ରକାର ଖାଦ୍ୟ ଖାଇପାରିବେ । ହେଲେ ଖାଦ୍ୟ ସୁଷମ, ସୁସ୍ୱାଦୁ ଏବଂ ସୁପାଟା ହେବା ଜରୁରୀ । ଏ ସମୟରେ ପ୍ରଚୁର ପାଣି ପିଇବା ଦରକାର । ତେବେ ସାଧାରଣତଃ ସ୍ଵାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଉଥିବା ଅଧିକ ଥଣ୍ଡା, ତେଲ ମସଲା ଖାଦ୍ୟ, ଫାଷ୍ଟପୁତ୍ ଜାତୀୟ ଖାଦ୍ୟ ନ ଖାଇବା ଭଲ ।

ସଂଗୃହିତ: ଡା. ନିତ୍ୟାନନ୍ଦା ସ୍ଵାଇଁ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top