ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା / ଆହତ ବ୍ୟକ୍ତିର ସ୍ଥାନାନ୍ତରୀକରଣ
ସେଆର କରନ୍ତୁ

ଆହତ ବ୍ୟକ୍ତିର ସ୍ଥାନାନ୍ତରୀକରଣ

ଆହତ ବ୍ୟକ୍ତିର ସ୍ଥାନାନ୍ତରୀକରଣ ର ସୁଚନା

ଉପକ୍ରମ

ଆହତ ବ୍ୟକ୍ତିକୁ ସ୍ଥାନାନ୍ତର କରିବା ଦରକାର ହେଲେ ନିକଟରେ ମିଳୁଥିବା ବସ୍ତୁ ଓ ସୁବିଧା ସାହାଯ୍ୟରେ ସାବଧାନତାର ସହିତ ସ୍ଥାନାନ୍ତରଣ କରିବା ଉଚିତ୍ ।

ସ୍ଥାନାନ୍ତର କରିବା ପୂର୍ବରୁ ରୋଗୀର ଅବସ୍ଥା, ରକ୍ତସ୍ରାବ, ପଟି ଓ ବ୍ୟାଣ୍ଡେଜ୍ ବିଷୟରେ ଅନୁଧ୍ୟାନ କରିବା ଦରକାର ।

ସ୍ଥାନାନ୍ତରଣ କାର୍ଯ୍ୟ ନିରାପଦ, ମଜବୁତ୍ ଓ ବେଗଗାମୀ ହେବା ଉଚିତ୍ । ରୋଗୀକୁ ବା ଆହତ ବ୍ୟକ୍ତିକୁ ଉଠାଇ ନେବାର ପ୍ରଣାଳୀ

  1. ଜଣେ ସାହାଯ୍ୟକାରୀ ଥିଲେ ଦୋଳା :

ଚାଲିବାକୁ ଅକ୍ଷମ, ଅଳ୍ପ ଓଜନ ବିଶିଷ୍ଟ ବା ଅସହାୟ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରାଇବାର ସହଜ ଓ ସରଲ ଉପାୟ, ଉଦ୍ଧାର କରିବା ପୂର୍ବରୁ ପ୍ରାଥମିକ ସହାୟକ, ଆହତ ବା ଅସହାୟ ବ୍ୟକ୍ତି ପାଖରେ ଆଣ୍ଠୁମାଡି ବସିବା ଉଚିତ୍ । ସୁବିଧା ଦେଇ ପିଠିପଟେ ଗୋଟିଏ ହାତ ଏବଂ ଆଣ୍ଠୁ ତଳେ ଅନ୍ୟ ହାତଟିକୁ ଆସ୍ତେ ଆସ୍ତେ ଠିଆ ହୁଅନ୍ତୁ, ଠିଆ ହେବା ପରେ ହାତ ଦୁଇଟିକୁ ଛନ୍ଦି ସ୍ଥାନାନ୍ତରିତ କରିବା ଉଚିତ୍ ।

  1. ପୃଷ୍ଠ ବହନ

ଯେତେବେଳେ କୌଣସି ରୋଗୀ ବା ଆହତବ୍ୟକ୍ତି ଅକ୍ଷମ ଓ ସଚେତନ ଥାଆନ୍ତି, କିନ୍ତୁ ତାଙ୍କର ଚାଲିବାର କ୍ଷମତା ନଥାଏ, ସେତେବେଳେ ଏହି ପଦ୍ଧତି ବ୍ୟବହାର କାରୀ ସ୍ଥାନାନ୍ତରିତ କରିବା ଉଚିତ୍ । ଉଦ୍ଧାର କରିବା ସମୟରେ ଆହତ ବ୍ୟକ୍ତିଙ୍କ ଅଣ୍ଟାରୁ ବେଲ୍ଟ ବା ଧାତୁ ପଦାର୍ଥ ବାହାର କରିନେବା ଉଚିତ୍ ନଚେତ୍ ସ୍ଥାନାନ୍ତରିତ କରିବା ସମୟରେ ପ୍ରାଥମିକ ସହାୟକ ଓ ଆହତ ବ୍ୟକ୍ତିଙ୍କ ମଧ୍ୟରେ ତାହା ଅସୁବିଧା ସୃଷ୍ଟି କରିପାରେ । ଉଠାଇବା ସମୟରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ।

  • ପ୍ରାଥମିକ ସହାୟକ ନିଜର ଭାରସାମ୍ୟ ରକ୍ଷାକରି ଆହତ ବ୍ୟକ୍ତିଙ୍କୁ ପିଠି ଉପରକୁ ଆସ୍ତେ ଆସ୍ତେ ଉଠାନ୍ତୁ ।
  • ଆହତ ବ୍ୟକ୍ତିଙ୍କ ହାତ ଦୁଇଟିକୁ ଏପରି ଧରି ରଖନ୍ତୁ ଯେପରି ତାହା ଖସିନଯାଏ ।
  • ପ୍ରାଥମିକ ସହାୟକ ତାଙ୍କ ଦୁଇହାତ ଦ୍ଵାରା ଆହତ ବ୍ୟକ୍ତିଙ୍କ ପଛପଟୁ ଆଣ୍ଠୁ ତଳୁ ଧରି ଦୁଇ ହାତକୁ ଛନ୍ଦିଧରି ପିଠି ଉପରେ ଆଶ୍ରା ଦିଅନ୍ତୁ । ଏହି ଅବସ୍ଥାରେ ଆହତ ବା ଅସହାୟ ବ୍ୟକ୍ତି ଜଣକ ନିଜ ଗୋଡ ଓ ହାତ ଦ୍ଵାରା ପ୍ରାଥମିକ ସହାୟକଙ୍କ ଅଣ୍ଟା ଓ ବେକକୁ ହାଲକା ଭାବେ ଛନ୍ଦି ଧରିବା ଉଚିତ୍

ଓଲଟା ପୃଷ୍ଠ ବହନ

ଯଦି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ସଂଜ୍ଞାରେ ଥାଆନ୍ତି ଏବଂ ତାଙ୍କ ପେଟ, ଛାତି, ବେକ କିମ୍ବା ମୁହଁରେ କ୍ଷତ ହୋଇଥାଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଓଲଟା ପୃଷ୍ଠ ବହନ ପଦ୍ଧତି ଦ୍ଵାରା ସ୍ଥାନାନ୍ତରିତ କରିବା ଉଚିତ୍ । ଉଦ୍ଧାର କରିବା ସମୟରେ ବା ସ୍ଥାନାନ୍ତରିତ କରିବା ସମୟରେ ପ୍ରାଥମିକ ସହାୟକ ମଧ୍ୟ କିଛି ବିଶେଷ ପଦକ୍ଷେପ ନେବା ଉଚିତ୍, ଯଥା ନିଜ ପକେଟରୁ ବା ପାଖରେ ଯଦି କୌଣସି ଧାତବ ପଦାର୍ଥ ବା ତୀକ୍ଷ୍ମ ଧାରୁଆ ବା ମୁନିଆ ପଦାର୍ଥ ଥାଏ ତେବେ ତାକୁ ବାହାର କରିଦେବା ଏବଂ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ରହି ଉଦ୍ଧାର କରିବା ଉଚିତ୍ ।

ପଦକ୍ଷେପ ୧ – ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଓ ପ୍ରାଥମିକ ସହାୟକ ପରସ୍ପରକୁ ପଛକରି ବା ପିଠିକୁ ପିଠି ଲଗାଇ ଠିଆ ହେବା ଉଚିତ୍ ।

ପଦକ୍ଷେପ ୨- ପ୍ରାଥମିକ ସହାୟକଙ୍କ ପିଠିରେ ଭରାଦେଇ ଆହତ ବ୍ୟକ୍ତି ଜଣକ ଉପରକୁ ମୁଣ୍ଡରେ ଆଶ୍ରମ ଦିଅନ୍ତୁ ଏବଂ ଠିକ୍ ସେହି ସମୟରେ ପ୍ରାଥମିକ ସହାୟକ ନିଜର ହାତ ଦୁଇଟି ପଛକୁ ନେଇ ଆହତ ବ୍ୟକ୍ତିଙ୍କର ଅଣ୍ଟାକୁ ଦୃଢ ଭାବେ ଦୁଇଟିକୁ ପିଠିରେ ଚାପି ଧରନ୍ତୁ ,

ପଦକ୍ଷେପ ୩ – ପ୍ରାଥମିକ ସହାୟକ ସାମାନ୍ୟ ଆଗକୁ ନଇଁପଡି ଆହତ ବ୍ୟକ୍ତିଙ୍କୁ ନିଜ ପିଠି ଉପରେ ଉଠାଇ ବା ଟେକି ଧରନ୍ତୁ, ଯେପରିକି ଆହତ ବ୍ୟକ୍ତିଙ୍କର ଗୋଡ ତଳେ ଲଗାଗେ ସେଥିପାଇଁ ଧ୍ୟାନ ଦିଅନ୍ତୁ ସ୍ଥାନାନ୍ତରଣ ସମୟରେ ଆହତ ବ୍ୟକ୍ତି ମୁଣ୍ଡ ପ୍ରାଥମିକ ସହାୟକଙ୍କ ମୁଣ୍ଡଉପରେ ରଖି ଆସ୍ତେ ଆସ୍ତେ ନଇଁ ନଇଁ ଚାଲନ୍ତୁ ।

ଜଣେ ଲୋକ ଦ୍ଵାରା ଆଶାବାଡି

ଏଠାରେ ପ୍ରାଥମିକ ସହାୟକ ଆହତ ବ୍ୟକ୍ତି ପାଇଁ ଆଶାବାଡି ପରି କାମ କରିଥାନ୍ତି । ଯଦି ଆହତ ବ୍ୟକ୍ତି ଜଣକ ପ୍ରାଥମିକ ସହାୟକଙ୍କୁ ସାହାଯ୍ୟ କରିପାରିଲାପରି ଅବସ୍ଥାରେ ଥାଆନ୍ତି ଓ ତାଙ୍କର ଆଘାତପ୍ରାପ୍ତ ଗୋଡ ହାଡ ଭାଙ୍ଗି ନଥାଏ ବା ଫାଟିନଥାଏ ଅବା ରକ୍ତସ୍ରାବ ନଥାଏ, ତେବେ ଏହି ପଦ୍ଧତି ଦ୍ଵାରା ତାଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବା ବିପଦ ପୂର୍ଣ୍ଣ ସ୍ଥାନରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥାଏ ।

  1. ପ୍ରାଥମିକ ସହାୟକ ଆହତ ବ୍ୟକ୍ତିଙ୍କର ଆଘାତପ୍ରାପ୍ତ ଗୋଡ ପାଖରେ ଠିଆ ହୋଇ ତାଙ୍କ ହାତକୁ ନିଜ କାନ୍ଧ ଉପରେ ରଖନ୍ତୁ ।
  2. ଆଘାତପ୍ରାପ୍ତ ଗୋଡଟିକୁ ନିଜର ଭିତର ପାଦ ଉପରେ ରଖନ୍ତୁ ।
  3. ଅନ୍ୟ ହାତରେ ଆହତ ବ୍ୟକ୍ତିର ଅଣ୍ଟାରେ ଥିବା କମର ପଟିକୁ ପଛପଟୁ ଜାବୁଡି ଧରି ତାଙ୍କୁ ଚାଲିବାରେ ସାହାଯ୍ୟ କରନ୍ତୁ ।

ଅଗ୍ନିଶମ ଉତ୍ତୋଳନ

ଯଦି ଆହତ ବ୍ୟକ୍ତିୟ ଜଣେ ସଂଜ୍ଞାହୀନ ଅବସ୍ଥାରେ ଥାଆନ୍ତି, ତେବେ ତାଙ୍କୁ ପ୍ରଥମେ ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ ଭଲ ଭାବରେ ପରୀକ୍ଷା କରିବେବା ଉଚିତ୍ ଯେପରିକି ରକ୍ତସ୍ରାବ ଅସ୍ଥିଭଙ୍ଗ ଅବା କୌଣସି ବାହ୍ୟ ପଦାର୍ଥ ଲାଗି ରହିଛିକି ନାହିଁ ଜାଣିବା ଦରକାର । ଯଦି ଏପରି କିଛି ନାହିଁ ତେବେ ଅଗ୍ନିଶମ ଉତ୍ତୋଳନ ପଦ୍ଧତି ଦ୍ଵାରା ତାଙ୍କୁ ନିଜ କାନ୍ଧ ଉପରେ ରଖି ସ୍ଥାନାନ୍ତରିତ କରାଯାଇଥାଏ । ଜଣେ ଉଦ୍ଧାରକାରୀଙ୍କ ପାଇଁ ଏହା ଏକ ସହଜ ପଦ୍ଧତି ଅଟେ । ଏହି ପଦ୍ଧତି ଦ୍ଵାରା ପ୍ରାଥମିକ ସହାୟକ ସହଜରେ ଓ ଏକାକୀ ଆହତ ବା ଅସହାୟ ବ୍ୟକ୍ତିଙ୍କୁ ଉପରେ ତଳକୁ ( ଶିଡି ଦ୍ଵାରା) ବା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ କରିପାରିଥାନ୍ତି ।

ପଦକ୍ଷେପ ୧ – ନିଜ ଶରୀରର ଭାରସାମ୍ୟ ରକ୍ଷା କରି ଓ ଆହତ ବ୍ୟକ୍ତିଙ୍କୁ ଓଜନକୁ ଆକଳନ କରି ଉପଯୁକ୍ତ ପ୍ରଣାଳୀରେ ସ୍ଥାନାନ୍ତରିତ କରନ୍ତୁ ।

ପଦକ୍ଷେପ ୨ – ଗୋଟିଏ ହାତରେ ଆହତ ବ୍ୟକ୍ତି ମୁହଁ ଓ ଅନ୍ୟ ହାତରେ ତାଙ୍କ ହାତ ସହ କମର ପଟିକୁ ଧରି ତଳମୁହାଁ କରି ଓଲଟାଇ ଦିଅନ୍ତୁ ।

ପଦକ୍ଷେପ ୩ – ପ୍ରାଥମିକ ସହାୟକ ଆହତ ବ୍ୟକ୍ତିଙ୍କ କାନ୍ଧତଳେ ନିଜର ହାତ ଦୁଇଟିକୁ ମୁଣ୍ଡ ପଟୁ ପୁରାଇ ଚାପିଧରି ଆସ୍ତେ ଆସ୍ତେ ଅଗ୍ରସର ହୁଅନ୍ତୁ ଏବଂ ନିଜର ଜଙ୍ଘ ଉପରେ ଆହତ ବ୍ୟକ୍ତିଙ୍କ ମୁଣ୍ଡକୁ ରଖନ୍ତୁ ।

ପଦକ୍ଷେପ ୪ – ଆହତ ବ୍ୟକ୍ତିଙ୍କୁ ନ ଟାଣି ପ୍ରାଥମିକ ସହାୟକ ଆଣ୍ଠେଇ ଆଣ୍ଠେଇ ତାଙ୍କ ନିକଟକୁ ଏପରିଭାବେ ଅଗ୍ରସର ହୁଅନ୍ତୁ ଯେପରିକି ନିଜ ଆଣ୍ଠୁରେ କୌଣସି କ୍ଷତ ନହୁଏ ସେଥିପ୍ରତି ସଜାଗ ରହନ୍ତୁ

ପଦକ୍ଷେପ ୫ – ପ୍ରାଥମିକ ସହାୟକ ନିଜ ଶରୀରରେ ଭରାଦେଇ ଆହତ ବ୍ୟକ୍ତିଙ୍କୁ ଛିଡା କରାଇବା ଅବସ୍ଥାରେ ଉଠାଇ ଧରନ୍ତୁ ।

ପଦକ୍ଷେପ ୬ – ପ୍ରାଥମିକ ସହାୟକ ନଇଁପଡି ଆହତ ବ୍ୟକ୍ତିଙ୍କୁ ଧୀରେ ଧୀରେ ନିଜ କାନ୍ଧ ଉପରେ ନେଇ ଆସନ୍ତୁ । ଗୋଟିଏ ହାତରେ ଆହତ ବ୍ୟକ୍ତି କଚଟିକୁ ଧରନ୍ତୁ ଓ ଅନ୍ୟ ହାତଟି ଆହତ ବ୍ୟକ୍ତିଙ୍କର ଦୁଇଗୋଡ ମଝିରେ ପ୍ରବେଶ କରାଇ ଧୀରେ ଧୀରେ କାନ୍ଧ ଉପକରୁ ଉଠାନ୍ତୁ ।

ପଦକ୍ଷେପ ୭ – ଆହତ ବ୍ୟକ୍ତିଙ୍କୁ ଏପରି ଧରି ରଖନ୍ତୁ, ଯେପରି ତାଙ୍କର ମୁଣ୍ଡ ଆପଣଙ୍କ ଅନ୍ୟ ବାହୁ ଉପରେ ରହୁଥିବ ତା’ର ପରେ ସ୍ଥାନାନ୍ତରିତ କରାନ୍ତୁ ।

ଦୁଇ ହାତିଆ ଆସନ

ଭାରାକ୍ରାନ୍ତ, ଅସହାୟ ବା କ୍ଳାନ୍ତ ଅନୁଭବ କରି ବା ଥକା ମାରି ବସି ପଡିଥିବା ବ୍ୟକ୍ତି ଯେ କି ନିଜେ ନିଜକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ କରାଇ ପାରୁନାହାନ୍ତି ବା ଅକ୍ଷମ ମନେକରୁଛନ୍ତି ସେପରି ସ୍ଥଳେ ସେ ବ୍ୟକ୍ତିଙ୍କ ପ୍ରାଥମିକ ସହାୟକଙ୍କ ଦ୍ଵାରା ଦୁଇ ହାତିଆ ଆସନ ଦ୍ଵାରା ସ୍ଥାନାନ୍ତରିତ କରାଇ ହୋଇଥାଏ ।

ପଦକ୍ଷେପ ୧ – ସ୍ଥାନାନ୍ତରିତ କରାଇବା ପୂର୍ବରୁ ପ୍ରାଥମିକ ସହାୟକମାନେ ନିଜେ ଆଙ୍ଗୁଠିର ନଖଥିଲେ କିମ୍ବା ହାତରୁ ମୁଦି, ଘଣ୍ଟା, ଚୁଡି ବା କୌଣସି ପ୍ରକାରର ଧାତବ ଦ୍ରବ୍ୟ ଥିଲେ ସେଗୁଡିକ ପ୍ରତି ସଚେତନ ରୁହନ୍ତୁ ।

ପଦକ୍ଷେପ ୨ – ଆଘାତ ବ୍ୟକ୍ତିଙ୍କୁ ଉଠାଇବା ପୂର୍ବରୁ ପ୍ରାଥମିକ ସହାୟକ ହୁହେଁ ଦୁଇହାତ ସଂଯୋଗ ସ୍ଥଳରେ ସୂତା ବା ତୁଳା ରୁମାଲ ବ୍ୟବହାର କରିବା ଉଚିତ୍ ।

ପଦକ୍ଷେପ ୩ – ଆହତ ବ୍ୟକ୍ତିଙ୍କ ହାତ ଦୁଇଟି ପ୍ରାଥମିକ ସହାୟକଙ୍କ କାନ୍ଧ ଉପରେ ରହିବା ସଂଗେ ସଂଗେ ପ୍ରାଥମିକ ସହାୟକଙ୍କ ବାହାର ହାତ ଦୁଇଟି ଆହତ ବ୍ୟକ୍ତିଙ୍କ ପଛପଟେ କମର ପଟିକୁ ଛକ କରି ବା ଛନ୍ଦିକରି ତଳୁ ଉପରକୁ ଉଠାନ୍ତୁ ଏବଂ ଆସ୍ତେ ଆସ୍ତେ କଡେଇ କଡେଇ ଚାଲନ୍ତୁ ।

ତିନି ହାତିଆ ଆସନ

ଯଦି ଆହତ ବ୍ୟକ୍ତିଙ୍କ ଗୋଟିଏ ଗୋଡ କ୍ଷତ ହୋଇଥିବ ସଂଗେ ସଂଗେ ଅସ୍ଥିଭଗ୍ନ ବା ରକ୍ତସ୍ରାବ ଥାଏ, କିନ୍ତୁ ସେ ସଂଜ୍ଞାହୀନ ହୋଇ ନଥାନ୍ତି ତେବେ ସେହି ସ୍ଥଳେ ତିନି ହାତିଆ ଆସନ ପଦ୍ଧତି ଦ୍ଵାରା ସ୍ଥାନାନ୍ତରିତ କରାଯାଇଥାଏ । ମାତ୍ର ସ୍ଥାନାନ୍ତରିତ କରିବା ପୂର୍ବରୁ ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ଦେଇ ସ୍ଥାନାନ୍ତରିତ କରିବା ଉଚିତ୍ ।

ପଦକ୍ଷେପ ୧ – ଦୁଇ ସହାୟକ ପରସ୍ପରକୁ ସାମନା କରି ଛାଡି ହୁଅନ୍ତୁ ଏବଂ ତିନୋଟି ହାତ ଦ୍ଵାରା ତିନି ହାତିଆ ଆସନଟିଏ ତିଆରି କରି ଏଥିରେ ଆହତ ବ୍ୟକ୍ତି ଜଣଙ୍କୁ ବସାଇ ତାଙ୍କର ଦୁଇ ହାତକୁ ନିଜ କାନ୍ଧ ଉପରେ ପକାଇ ରଖନ୍ତୁ ।

ପଦକ୍ଷେପ ୨- ଦୁଇ ସହାୟକ ମଧ୍ୟରୁ ଯାହାଙ୍କର ଗୋଟିଏ ହାତ ଖାଲିଅଛି ସେହି ଖାଲି ହାତରେ ଆହତ ବ୍ୟକ୍ତିଙ୍କର କ୍ଷତାକ୍ତ ଗୋଡଟିକୁ ଟେକି ଧରି ଆସ୍ତେ ଆସ୍ତେ ସହାୟକ ଦ୍ୱୟ କଡେଇ କଡେଇ ଚାଲି ସ୍ଥାନାନ୍ତରିତ କରନ୍ତୁ ।

ଚାରି ହାତିଆ ଆସନ

ଆହତ, ଅସହାୟ ବା ଖୁବ୍ ଭାରୀ ବ୍ୟକ୍ତି ଯେ କି ନିଜେ ନିଜକୁ ସ୍ଥାନାନ୍ତରିତ କରାଇବାରେ ଦୁର୍ବଳ ମନେ କରୁଥାଆନ୍ତି ତେବେ ସେପରି ସ୍ଥଳେ ସ୍ଥାନାନ୍ତରିତ କରିବା ପୂର୍ବରୁ ଶରୀରକୁ ପ୍ରଥମେ ପରୀକ୍ଷା କରି ନିଅନ୍ତୁ ଯେପରିକି କୌଣସି କ୍ଷତାକ୍ତ ହୋଇନଥିବା ସଂଗେ ସଂଗେ ସଚେଟ ଥିବା ବ୍ୟକ୍ତିଙ୍କୁ ଏହି ଚାରିହାତିଆ ଆସନରେ ବସାଇ ସହାୟକ ଦ୍ୱୟ ସ୍ଥାନାନ୍ତରିତ କରିବା ଆବଶ୍ୟକ ।

  • ସହାୟକ ପରସ୍ପର ମୁହଁକରି ଛିଡା ହୁଅନ୍ତୁ ଏବଂ ଚାରି ହାତ ଦ୍ଵାରା ଆସନଟିଏ ତିଆରି କରନ୍ତୁ ।
  • ସହାୟକ ଦ୍ୱୟ ଆହତ ବ୍ୟକ୍ତିଙ୍କୁ ଏହି ଆସନରେ ବସେଇବାରେ ସାହାଯ୍ୟ କରନ୍ତୁ । ଆହତ ବ୍ୟକ୍ତି ଏହି ଆସନରେ ବସି ଦୁଇ ହାତକୁ କାନ୍ଧ ଉପରେ ରଖିବା ଆବଶ୍ୟକ । ସହାୟକ ଦ୍ୱୟ ଆହତ ବ୍ୟକ୍ତିଙ୍କୁ ଚାରି ହାତରେ ତିଆରି ଆସନରେ ବସାଇ ଛୋଟ ଛୋଟ ପାଉଣ୍ଡ ପକାଇ କଡେଇ କଡେଇ ଚାଲି ସ୍ଥାନାନ୍ତରିତ କରନ୍ତୁ ।

ଆଗ ପଛ କରି ବୋହିନେବା ପ୍ରଣାଳୀ

ରୋଗୀକୁ ହାତଛନ୍ଦା କରି ବୋହିନେବା ସମୟରେ ସ୍ଥାନ ଅଭାବ ହେଲେ କିମ୍ବା ନିଅଣ୍ଟ ହେଲେ ଆଗ ପଛ ହୋଇ ବୋହିନେବ । ବିଶେଷ କରି ତଳି ପେଟରେ ଆଘାତ ଲାଗିଥିଲେ କିମ୍ବା ରକ୍ତସ୍ରାବ ହେଉଥିଲେ ଏହି ପ୍ରଣାଳୀ ମାଧ୍ୟମରେ ରୋଗୀକୁ ଅତି ସହଜରେ ସ୍ଥାନାନ୍ତରିତ କରାଯାଇଥାଏ ।

ଜରୁରୀକାଳୀନ ଉଦ୍ଧାର

ପ୍ରାଥମିକ ଚିକିତ୍ସା ଓ ସ୍ଥାନାନ୍ତରିକରଣ ଏକ ବୈଷୟିକ କାର୍ଯ୍ୟକ୍ରମ ଯାହାକି ସ୍ଵତନ୍ତ୍ରଭାବେ ତାଲିମ୍ ପ୍ରାପ୍ତ ବ୍ୟକ୍ତି ଦ୍ଵାରା କରାଯିବା ଉଚିତ୍ , ଯେଉଁମାନେ ପ୍ରତିକୂଳ ଅବସ୍ଥାରେ ଥିବା ଅସହାୟ ବା ସଙ୍କଟାପନ୍ନ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ଥାନାନ୍ତରିକରଣ କରିପାରିବେ । ପ୍ରାଥମିକ ଚିକିତ୍ସା ପ୍ରଦାନକାରୀ ଦଳ ବା ନିଜର ସମ୍ଭଳ, ଉପକରଣ ଓ ପଦ୍ଧତିକୁ ବିନିଯୋଗ କରି ସଙ୍କଟାପନ୍ନ ଆହତ ବ୍ୟକ୍ତିମାନଙ୍କ ପରିସ୍ଥିତିକୁ ଦେଖି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସ୍ଥାନାନ୍ତରିତ କରିବା ସଙ୍ଗେ ସଙ୍ଗେ ମାନସିକ ଓ ଶାରୀରିକ ସ୍ତରରେ ତୁରନ୍ତ ସେବା ପ୍ରଦାନ କରିବା ଉଚିତ୍ । ଜରୁରୀକାଳୀନ ପରସ୍ଥିତିରେ ଜଣେ ବ୍ୟକ୍ତି ପ୍ରଥମ ପ୍ରତିକ୍ରିୟାକାରୀ ହିସାବରେ ସ୍ଥାନୀୟ ସାମଗ୍ରୀକୁ ନେଇ ପ୍ରାଥମିକ ଚିକିତ୍ସା କରିବା ସଙ୍ଗେ ସଙ୍ଗେ ସ୍ଥାନାନ୍ତରିତ ଭଳି କାର୍ଯ୍ୟକୁ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ଦଳଗତଭାବେ ତୁରନ୍ତ କାର୍ଯ୍ୟକ୍ରମ କଲେ ତାହା ସହଜସାଧ୍ୟ ହୁଏ ।

କ’ଣ କରିବା

  • ନିଜକୁ ଶାନ୍ତ ଓ ସ୍ଥିର ରଖନ୍ତୁ ।
  • ନିଜେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ।
  • ପ୍ରାଥମିକ ଚିକିତ୍ସା ପ୍ରଦାନକରିବା ପୂର୍ବରୁ ନିଜର ହାତ ଗୋଡ ପରିଷ୍କାର କରିଦିଅନ୍ତୁ, ଆବଶ୍ୟକ ସ୍ଥଳେ ସଫାଲୁଗା ବ୍ୟବହାର କରନ୍ତୁ ।
  • ଆହତ ବ୍ୟକ୍ତିଙ୍କ ମୁହଁ, ପାଟି ଓ କାନ ଖୋଲା ରଖନ୍ତୁ ଏବଂ ସଫା ସ୍ଥାନରେ ସେବା ପ୍ରଦାନ କରନ୍ତୁ, ନଚେତ ଧୂଳିମଳି ପାଟିରେ, ନାକରେ, କାନରେ ପଶିଯିବା ସହିତ ଶ୍ଵାସକ୍ରିୟାରେ ବାଧାସୃଷ୍ଟି କରିପାରେ ।
  • ଦୁଇ ଜଣିଆ ରହି କାମ କରନ୍ତୁ ।
  • ଆବଶ୍ୟକ ସ୍ଥଳେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ପରେ ଆହତ ବା ଅଚେତ ବ୍ୟକ୍ତି ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ପଠାଇବାର ବନ୍ଦୋବସ୍ତ କରନ୍ତୁ ।
  • ପ୍ରାଥମିକ ଚିକିତ୍ସାର ସେବା ପ୍ରଦାନ ପରେ ନିଜର ହାତ ମୁହଁକୁ ସାବୁନରେ ଭଲଭାବରେ ସଫା କରନ୍ତୁ ।

କ’ଣ କରିବା ଅନୁଚିତ୍

ଆହତ ବ୍ୟକ୍ତି ଯଦି ଅତ୍ୟନ୍ତ ବିପଦଜନକ ପରିସ୍ଥିତିରେ ଥାଆନ୍ତି ବା ଗୁରୁତର ଭାବେ ଆହତ ହୋଇଥାନ୍ତି କିମ୍ବା ତାଙ୍କର ହାଡ ଭାଙ୍ଗିଯାଇଥାଏ ବା ମେରୁଦଣ୍ଡରେ ଆଘାତ ଲାଗିଥାଏ ତେବେ ବିନା ପ୍ରାଥମିକ ଚିକତ୍ସା ଦ୍ଵାରା ତାଙ୍କୁ ସ୍ଥାନାନ୍ତରିତ କେରନ୍ତୁ ନାହିଁ । ନିଶାଦରବ୍ୟ ସେବନ କରିଥିବା ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା କାର୍ଯ୍ୟରେ ନିଯୋଜିତ କରିବା ଉଚିତ୍ ନୁହେଁ ।

ଷ୍ଟ୍ରେଚର ଏବଂ ତାହାର ପ୍ରକାର ଭେଦ

ସାଧାରଣତଃ ଷ୍ଟ୍ରେଚର ବିଭିନ୍ନ ଆକାରର ଏବଂ ବିଭିନ୍ନ ପ୍ରକାରରେ ଉପଲବ୍ଧ ହୋଇଥାଏ, ଯାହାକି କ୍ୟାନଭାସ୍ ଷ୍ଟ୍ରେଚର ହ୍ୟାଣ୍ଡେଲ କାଠ, ଲୁହାପାଇପ୍, ଆଲୁମିନିୟମ୍ ପାଇପ୍ ଦ୍ଵାରା ତିଆରି ହୋଇଥାଏ । ଏହାର ଲମ୍ଭ୭ ଫୁଟ ୧୦ ଇଞ୍ଚ ଓ ଚଉଡା ୧ ଫୁଟ ୧୧ ଇଞ୍ଚ ହୋଇଥାଏ । ଏହା ଲମ୍ବରେ କିମ୍ବା ମଝିରୁ ଭାଙ୍ଗିହେବା ପଦ୍ଧତିରେ ତିଆରି ହୋଇଥାଏ । କେତେକ ସ୍ଥାନରେ ଲୁହା, ଟିଣ ଓ ପତା ଦ୍ଵାରା ଶକ୍ତ ବା ଦାର୍ଡବୋର୍ଡ ଷ୍ଟ୍ରେଚର ବ୍ୟବହାର କରାଯାଇଥାଏ । ବିଷେୟା ଆହତ ବ୍ୟକ୍ତି ଯଥା- ମେରୁଦଣ୍ଡ ଆଘାତ ପ୍ରାପ୍ତ  ବ୍ୟକ୍ତି, ଜଙ୍ଘ ଆଉ ହାଡ ଭାଙ୍ଗିଥିଲେ ଏହି ହାଡବୋର୍ଡ ଷ୍ଟ୍ରେଚର ବ୍ୟବହାର କରାଯାଇଥାଏ । ଏହାର ଆଧୁନିକୀକରଣ ହୋଇ ପ୍ଲାଷ୍ଟିକ ପଟା ଦ୍ଵାରା ନିର୍ମିତ ଷ୍ଟ୍ରେଚର, ଉଦ୍ଧାରକାରୀଙ୍କ ପାଇଁ ସ୍ଵତନ୍ତ୍ର ଷ୍ଟ୍ରେଚର, ହାଡ ଭଙ୍ଗା ପାଇଁ ସ୍ଵତନ୍ତ୍ର ଷ୍ଟ୍ରେଚର ଓ ଷ୍ଟ୍ରେଚର ଟ୍ରଲିର ବ୍ୟବହାର କରାଯାଉଅଛି । ଏହି ସବୁ ଷ୍ଟ୍ରେଚର ଆବଶ୍ୟକ ସମୟରେ ନମିଳିଲେ ବିକଳ୍ପ ଭାବେ ବାଉଁଶ ସହିତ କମ୍ବଳ, ଚାଦର, ମୋଟା ଅଖା, ଲୁଗା ପୋଷାକ, ଫିଟା ଖଟିଆ, ଜାଲ ବା ଝୁଲା, ବୋଝ ବା ବାଉଁଶ, କବାଟପଟେ, ଦଉଡି ଏବଂ ବାଉଁଶ ଓ ବେଞ୍ଚ ଏବଂ ବାଉଁଶ ଦଉଡି ସାହାଯ୍ୟରେ ବିକଳ୍ପ ଷ୍ଟ୍ରେଚର ପ୍ରସ୍ତୁତ କରାଯାଇ ଆହତ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରାଯାଏ ।

ଷ୍ଟ୍ରେଚରରେ ନେବା ପ୍ରଣାଳୀ

ସାଧାରଣତଃ ଚାରିଜଣ ବାହକଙ୍କ ଦ୍ଵାରା ଷ୍ଟ୍ରେଚର ବୋହିନେବା ସହଜଦାୟକ ହୋଇଥାଏ । ଏହା ଚାରିଜଣ ବାହକ ନିଜକୁ ୧-୨-୩ ଓ ୪ ନମ୍ବର ଚିହ୍ନିତ କରନ୍ତୁ । ୧ ନମ୍ବର ବ୍ୟକ୍ତି ଦଳର ଅଧିନାୟକ ବା ମୁଖ୍ୟ ଏବଂ ଅନ୍ୟ ତିନି ଜଣ ସହାୟକ ଭାବେ କାମ କରନ୍ତୁ । ଦୁର୍ଘଟଣା ସ୍ଥଳକୁ ଗଲାବେଳେ ୩ ନମ୍ବର ଓ ୪ ନମ୍ବର ବ୍ୟକ୍ତି ଯଥାକ୍ରମେ କମ୍ବଳ ଓ ଷ୍ଟ୍ରେଚର ଧରି ୧ ନମ୍ବର ଓ ୨ ନମ୍ବରଙ୍କ ପଛରେ କ୍ରମିକ ନମ୍ବର ଅନୁଯାୟୀ ପହଞ୍ଚିବ  ।

୧ ନମ୍ବର ଓ ୨ ନମ୍ବର ଆହତ ବ୍ୟକ୍ତିଙ୍କୁ ପରୀକ୍ଷା କରି ଆବଶ୍ୟକୀୟ ଉପଚାର ଯଥାଶୀଘ୍ର ଆରମ୍ଭ କରିବେ । ଏହା ସମୟରେ ୩ ନମ୍ବର ଓ ୪ ନମ୍ବର ଷ୍ଟ୍ରେଚର ପ୍ରସ୍ତୁତ କରି ତା’ର ଉପରେ କମ୍ବଳ ବିଛାଇ ଆହତ ବ୍ୟକ୍ତିଙ୍କ ମୁଣ୍ଡ ପାଖରେ ରଖିବା ଓ ତା’ର ପରେ ଚିକିତ୍ସା ଏବଂ ଆହତ ବ୍ୟକ୍ତିଙ୍କୁ ଷ୍ଟ୍ରେଚର ଉପରେ ଉଠାଇବା ପାଇଁ ସହାୟକ ହେବେ ।

ରୋଗୀକୁ ଷ୍ଟ୍ରେଚରରେ ନେବା ପଦ୍ଧତି

ନମ୍ବର ୪ ରୋଗୀର କାନ୍ଧପାଖରେ, ନଂ ୩ ରୋଗୀର ଅଣ୍ଟା ପାଖରେ ନଂ ୨ ରୋଗୀର ଆଣ୍ଠୁ ପାଖରେ ନିଜର ବାମ ଆଣ୍ଠୁମାଡି ବସିବେ ଏବଂ ନଂ ୧ ର ସହାୟତାରେ ରୋଗୀକୁ ସେମାନଙ୍କ ଆଣ୍ଠୁ ଉପରେ ରଖିବା । ନଂ ୧ କମ୍ବଳ ସହିତ ଷ୍ଟ୍ରେଚରକୁ ରୋଗୀର ତଳେ ରଖିବେ । ଏହା ପରେ ସମସ୍ତେ ମିଶି ରୋଗୀକୁ ଷ୍ଟ୍ରେଚରରେ ଶୁଆଇ ଷ୍ଟ୍ରେଚରରେ ରଖି ଚାରିପାଖରେ ରହିବେ ।

ନଂ ୧ ଆଦେଶ ଦେବା ମାତ୍ରେ, ଷ୍ଟ୍ରେଚର ମୁଠାକୁ ଧରିବେ ଏବଂ ପରବର୍ତ୍ତୀ ଆଦେଶ “ ଉଠାଅ” ଶୁଣିଲେ ସମସ୍ତେ ଏକ ସଙ୍ଗେ ସଙ୍ଗେ ଧୀରେ ଧୀରେ ଉଠାଇବେ । ଏହାପରେ “ଚାଲ” କହିଲେ ସମସ୍ତେ ଏକ ସଙ୍ଗେ ଭିତର ପାଖ ଗୋଡ ଆଗକୁ ବଢାଇବେ ଏବଂ ରୋଗୀକୁ ହଲଚଲ ନକରି ଗନ୍ତବ୍ୟ ସ୍ଥାନକୁ ନେବେ ।

ବି.ଦ୍ର – ରୋଗୀ କମ୍ବଳ ଉପରେ ଶୋଇଥିଲେ କମ୍ବଳ ଧାରକୁ ମୋଡି ଚିତ୍ର ପରି ରୋଗୀକୁ ଉଠାଇ ଷ୍ଟ୍ରେଚରରେ ରଖିବେ । ଦୁଇ ଜଣ ବାହକ ଥିଲେ ଚିତ୍ର ପରି ଉଠାଇବେ ଓ ସ୍ଥାନାନ୍ତରିତ କରିବେ । ନାଳ ପାର ହେବା

ଷ୍ଟ୍ରେଚର ନାଳର ୧ ପାହୁଣ୍ଡ ଆଗକୁ ରଖିବେ । ଦୁଇଜଣ ନାଳ ଭିତରକୁ ଯାଇ ପରକ୍ଷା କରିବେ ଓ ଷ୍ଟ୍ରେଚର ଆଗେଇ ନେବା ଯେପରି ପଛପଟ ନାଳ ଧାରରେ ରହିବ । ଦୁଇଜଣ ନାଳକୁ ଓହ୍ଲାଇ ଷ୍ଟ୍ରେଚରକୁ ଧରି ନାଳର ଅପର ପଟକୁ ନେବେ । ଦୁଇଜଣ ନାଳ ଉପରକୁ ଯାଇ ପୂର୍ବପରି ପରି କରାଇବେ ।

ପାଚେରୀ ବା କାନ୍ଥ ପାରହେବା

ଷ୍ଟ୍ରେଚର ଗୋଡପଟ କାନ୍ଥଠାରୁ ତିନି ପାହୁଣ୍ଡ ଦୂରକୁ ଷ୍ଟ୍ରେଚର ଓହ୍ଲାଇ ବାହକମାନେ ଷ୍ଟ୍ରେଚର ପାଖକୁ ଛିଡାହେବେ । ନଂ ୨ ଓ ନଂ୪ ବାହକ ରହିବେ ଷ୍ଟ୍ରେଚରର ବାମପଟକୁ ଏବଂ ନଂ ୧ ଓ ନଂ ୩ ବାହକ ରହିବେ ଦକ୍ଷିଣ ପଟକୁ ଷ୍ଟ୍ରେଚର ଆଡକୁ ମୁହଁ କରି ବାହକମାନେ ନଇଁକରି ଠିଆ ହେବେ ଓ ଦୁଇ ହାତରେ ଷ୍ଟ୍ରେଚର ଦଣ୍ଡା ଧରି ଧୀରେ ଧୀରେ ଷ୍ଟ୍ରେଚରକୁ ଉଠାଇବେ ଯେପରି କି ସେମାନଙ୍କର ହାତ ସମ୍ପୁର୍ଣ୍ଣଭାବେ ଝୁଲି ରହିବ । ସେମାନେ ଆଡମାର୍ଗରେ ଗତି କରି କାନ୍ଥ ଆଡକୁ ଯିବେ ଓ କାନ୍ଥ ଉପରେ ଏପରି ଭାବରେ ଷ୍ଟ୍ରେଚର ରଖିବେ ଯେପରି କି ତାହାର ସମ୍ମୁଖସ୍ଥ ରନର କାନ୍ଥର ଠିକ୍ ଉପରେ ରହିବ । ନଂ ୨ ବାହକ କାନ୍ଥ ଡେଇଁ ଷ୍ଟ୍ରେଚରର ଆଗମୁଠା ଧରିବେ, ତହିଁ ନଂ ୧ ବାହକ କାନ୍ଥ ଡେଇଁବେ ଓ ସମସ୍ତେ ମିଶି ଷ୍ଟ୍ରେଚରର ଦଣ୍ଡା ଧରିବେ ଓ ତାହାର ଗୋଡ ଦୁଇଟି ଟେକିବେ । ଏଥର ବାହକମାନେ ଅଗ୍ରସର ହେବେ  ଓ ପଛପଟର ରନର କାନ୍ଥ ଉପରେ ଦେଇ ନେଇଯାଇ ପଛପଟର ମୁଠା କାନ୍ଥ ଉପରେ ରଖିବେ । ଏହାପରେ ୪ର୍ଥ ବାହକ କାନ୍ଥ ଡେଇଁ ଷ୍ଟ୍ରେଚର ଦଣ୍ଡା ଧରିବେ । ତା' ପରେ ନଂ ୩ ବାହକ କାନ୍ଥ ଡେଇଁବେ ଏବଂ ଷ୍ଟ୍ରେଚରଟି କିଛି ଦୂରକୁ ନେଇଯିବେ ଓ ଭୂଇଁ ଉପରେ ଥୋଇବେ । ସିଡିରୁ ଓହ୍ଲାଇବା ଚିତ୍ର ପରି ତଳବାହକ ଉପରେ ଟେକି ଧରିବେ ।

ଆମ୍ବୁଲାନସ୍ ଗାଡି ଉପରକୁ ଷ୍ଟ୍ରେଚର ଉଠାଇବା

ରୋଗୀ ଆଗ ଆଡକୁ ( ଯେଉଁଆଡକୁ ଗାଡିଯିବ) କି ପଛ ଆଡକୁ ମୁଣ୍ଡ କରିବ ଏହା ତାହା ଠାରୁ ବୁଝି ତା ଇଚ୍ଛା ଅନୁସାରେ ଷ୍ଟ୍ରେଚରର ପାଦଆଡ କିମ୍ବା ମୁଣ୍ଡଆଡ ଗାଡି ପାଖରୁ ଏକ ପାହୁଣ୍ଡ ଦୂରକୁ ରଖି ଷ୍ଟ୍ରେଚର ଭୂଇଁ ଉପରେ ଥୋଇବେ ଏବଂ ବାହକମାନେ ଷ୍ଟ୍ରେଚର ଛାଡି ଯଥା ସ୍ଥାନରେ ଛିଡାହେବେ ।

'ଉଠାଅ' ଏହି ଆସେସ ପାଇଲେ ବାହକମାନେ ଷ୍ଟ୍ରେଚର ଆଡକୁ ମୁହଁ କରିବେ ଏବଂ ନଇଁପଡି ଯେତେଦୂର ପାରନ୍ତି ହାତ ଫରଚେଇ ଓ ପାପୁଲି ଉପରେ ଆଡକୁ ରଖି ଷ୍ଟ୍ରେଚରର ଦଣ୍ଡା ଧରିବେ ଓ ଷ୍ଟ୍ରେଚରକୁ ଆସ୍ତେ ଆସ୍ତେ ଟେକିବେ ।

ଏହାପରେ ସେମାନେ ଆଡମାର୍ଗରେ ଗତି କରି ପାଖକୁ ଯିବେ । ଗାଡିର ଯେଉଁ ଖୋପରେ ରୋଗୀକୁ ରଖିବାକୁ ହେବ ସେହି ଖୋପକୁ ଷ୍ଟ୍ରେଚର ଉଠାଇବେ  । ଆଗକୁ ଯିବା ବାହକମାନେ ଷ୍ଟ୍ରେଚର ରନରକୁ ଗାଡି ଦେହରେ ଥିବା ଖୋପ ମଝିରେ ଥୋଇବେ ।

ଅଚେତ ରୋଗୀକୁ ଉଦ୍ଧାର କରିବା

ରୋଗୀ ଯଦି ଉଚ୍ଚସ୍ଥାନରେ ଥାଏ, ତେବେ ଜରୁରୀକାଳୀନ ପ୍ରାଥମିକ ପ୍ରତିବିଧାନ କରି ଗୋଟିଏ ବଡ ପଟା, ଖଟିଆ ଉପରେ ରଖି ବାନ୍ଧିବେ । ରୋଗୀର ମୁଣ୍ଡକୁ ଭଲ ଭାବେ ସମାନ୍ତରାଳ ଭାବେ ତଳକୁ ଓହ୍ଲାଇବେ । ଯଦି କୌଣସି କାରଣରୁ ସମାନ୍ତରାଳ ଭାବେ ଓହ୍ଲାଇବାରେ ଅସୁବିଧା ହୁଏ ତେବେ ଠିଆ ବା ଲମ୍ଭଭାବେ ଉଦ୍ଧାର କରିବେ ।

ରୋଗୀକୁ ଷ୍ଟ୍ରେଚରରେ ନେବାର ନିୟମ

ସାଧାରଣ ନିୟମ ଅନୁସାରେ ରୋଗୀ ପାଦ ଆଗକୁ ରହିବ । କିନ୍ତୁ ନିମ୍ନଲିଖିତ ପରିସ୍ଥିତିରେ ଏହାର ବ୍ୟତିକ୍ରମ ହୋଇଥାଏ ।

  • ସିଡିରେ ଉପରକୁ ବେବା ସମୟରେ
  • ଯଦି ରୋଗୀର ନିମ୍ନାଙ୍ଗ ଆଘାତପ୍ରାପ୍ତ ହୋଇଥାଏ ଓ ଉଚ୍ଚ ସ୍ଥାନ ବା ପାହାଡକୁ ଉଠିବା ସମୟରେ କିମ୍ବା ଓହ୍ଲାଇବା ସମୟରେ ।
  • ରୋଗୀକୁ ବିଛଣାରେ ଗୋଡପାଖ କିମ୍ବା କଡରେ ନେବାବେଳେ ।
  • ଆମ୍ଭୁଲାନସ୍ ଗାଡିରେ ଉଠାଇବା ସମୟରେ ।

ବିକଳ୍ପ ପନ୍ଥା ଦ୍ଵାରା ଷ୍ଟ୍ରେଚର ତିଆରି ପ୍ରଣାଳୀ

  • ଦୁଇ କିମ୍ବା ତିନୋଟି କୋଟ୍ ବା କମିଜ୍ ରେ ଦୁଇଟି ମଜବୁତ୍ ବାଡି ପୁରାଇ ଭିତର ପାଖ ପଛକୁ  ଦେଇ ବୋତାମ ବନ୍ଦ କର । ବାଡି ଦୁଇଟିକୁ ଅଲଗା ରଖିବା ପାଇଁ ଦୁଇ ମୁଣ୍ଡରେ କୋଟ୍ ବା କମିଜର ଶେଷ ଭାଗରେ ଦୁଇଖଣ୍ଡ ଛୋଟ ବାଡି ବାନ୍ଧିଦେବ ।
  • ଦୁଇଟି ଅଖା ତଳେ କଣା କରି ଦୁଇଟି ମଜୁବୁତ୍ ବାଡି ପୁରାଇ ଦେଇ ଷ୍ଟ୍ରେଚର କରିହେବ ।
  • କୌଣସି ପଟା, କବାଟ ଇତ୍ୟାଦି ଉପରେ ଲୁଗାପଟା ବା ନଡା ବିଛାଇ ଉପରେ  ଲୁଗା ବିଛାଇ ଷ୍ଟ୍ରେଚର  କରାଯାଇପାରେ ।
  • ହାଲୁକା ଦଉଡି ବା ଫିତା ଗୁନ୍ଥା  ଖଟିଆକୁ ମଧ୍ୟ ଷ୍ଟ୍ରେଚର ଭାବେ ବ୍ୟବହାର କରାଯାଇପାରେ ।

ଆଧାର - Odisha state centre Bhubaneswar

3.15384615385
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top